Gitanjalli Moharana

Romance

3.4  

Gitanjalli Moharana

Romance

ଅନନ୍ୟା

ଅନନ୍ୟା

5 mins
75


ଗତକାଲି ପୁରୀକୁ ନୂଆ କରି ବଦଳି ହୋଇ ଆସିଛନ୍ତି କଲେକ୍ଟର ‌ମିସ୍ ଅନନ୍ୟା। ନାଁ ଟା ଯେମିତି କାମ ଆଉ ରୂପରେ ବି ସେମିତି ଅନ୍ୟ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଗୋରା ତକତକ ଚେହେରା, ଉଜ୍ଜ୍ୱଳ ନେତ୍ର ଯୁଗଳ, ସ୍ମିତ ହାସ୍ୟ ଭରା ଓଠ,ଚଞ୍ଚଳ ଚାଲି ଆଉ ଗମ୍ଭୀର ମୁଖଶ୍ରୀ। ତା ସାଙ୍ଗକୁ କଳା ରଙ୍ଗର ଚଷମା, ସୌନ୍ଦର୍ଯ୍ୟକୁ ଆହୁରି ଦ୍ଵିଗୁଣିତ କରୁଥାଏ। ଏଥର ମିଶାଇ ଦୁଇଥର ସେ ଏଇଠି କାର୍ଯ୍ୟ କଲେଣି। ତାଙ୍କ ଜଏନିଂ ତ ଏଇ ପୁରୀ ସହରରେ ହୋଇଥିଲା। ସ୍ପଷ୍ଟବାଦୀ, ନିର୍ଭିକ ଆଉ କାର୍ଯ୍ୟରେ ନିଷ୍ଠା ଓ ସଚ୍ଚୋଟତା ଗୁଣ ଯୋଗୁଁ ସେ ସମସ୍ତଙ୍କର ହୃଦୟ ଜିଣିପାରିଛନ୍ତି। ତେଣୁ ତାଙ୍କର ଆଗମନରେ ପୁରୀ ସହରରେ ଖୁସିର ଲହରୀ ଖେଳିଯାଇଛି। କିନ୍ତୁ ଗୁଣ୍ଡା,ଚୋର, ଡକାୟତ ଆଉ ଯେତେସବୁ ଖଳ ପ୍ରକୃତିର ଲୋକମାନେ ଭୟରେ ଛାନିଆ ହୋଇଗଲେଣି। ତାଙ୍କ ନାଁ ଶୁଣିଲେ ପରା ଏମାନଙ୍କର ପିଳେହି ପାଣି ହୋଇଯାଏ। ଆଗରୁ ସେ କେତେ ଗୁଣ୍ଡା ,ଚୋର ମାନଙ୍କୁ ସାବାଡ କରିଛନ୍ତି। ସେ ଥିବା ସମୟରେ ସହରରେ କାଁ ଭାଁ ଚୋରି, ଡକାୟତି,ଗୁଣ୍ଡାରାଜ ହୁଏ। ଆଜି କଲେକ୍ଟର ଅଫିସରେ ଫୁଲତୋଡ଼ା ଦେଇ ତାଙ୍କୁ ଭବ୍ୟ ସ୍ଵାଗତ କରାଗଲା।


ଏହା‌ ମଧ୍ୟରେ ସପ୍ତାହେ ଅତିବାହିତ ହୋଇଗଲାଣି। କାମ ବ୍ୟସ୍ତତା ଭିତରେ ଅନନ୍ୟା ମ୍ୟାମ ମନ୍ଦିର କିମ୍ବା ସମୁଦ୍ର ଯାଇପାରିନାହାନ୍ତି। ସେ ଯେବେ ବି ପୁରୀ ଆସନ୍ତି ଏ ଦୁଇଟା ସ୍ଥାନକୁ କେବେ ମିସ୍ କରନ୍ତିନି। କାଳିଆ ପାଦରେ ସବୁ ଦୁଃଖ ଅଜାଡ଼ି ଦେଇ ସେ ଚାଲିଯାନ୍ତି ନୀଳ ସମୁଦ୍ର କୂଳକୁ। ନିଜ ଅତୀତର ସ୍ମୃତି ସାଉଁଟିବାକୁ। ସ୍ବର୍ଣ୍ଣିମ ପ୍ରଶସ୍ତ ବେଳାଭୂମି ର ବୁକୁରେ ଖୋଜି ବୁଲନ୍ତି‌ ତାଙ୍କ ହୂଦୟର ଟୁକୁଡାକୁ, ଯେଉଁଠି ଦିନେ ସେ ହଜେଇ ଦେଇଥିଲେ ନିଜର ସବୁଠାରୁ ମୂଲ୍ୟବାନ ସଂପଦ। ଆଜି ଏତେ ବଡ଼ ପଦବୀରେ ପ୍ରତିଷ୍ଠିତ ହୋଇ ମଧ୍ୟ ସେ ସମ୍ପଦର ଭରଣା କରିପାରୁ ନାହାନ୍ତି ସେ। ଏ ସମୁଦ୍ର ଆଉ ତା ବେଳାଭୂମି ସହ ତାଙ୍କର ନିବିଡ଼ ସମ୍ପର୍କ।


ଆଜି ରବିବାର। ଅନନ୍ୟା ମ୍ୟାମ ସବୁ କାମ ସାରି ଅପରାହ୍ନରେ ବାହାରିଗଲେ ଶ୍ରୀମନ୍ଦିରକୁ। ତା ପରେ ଅତି ଆପଣାର ସମୁଦ୍ର ପାଖକୁ। ସପ୍ତାହେ ହେଲାଣି ତାକୁ ନଦେଖି ମନ ଅସ୍ଥିର। ପାଗେଳୀ ପରି ଧାଇଁ ଚାଲିଲେ ମ୍ୟାମ। ହୃଦୟରେ ଭରା ଆବେଗ, ଓଠରେ ଅନେକ ଦିନର ଅକୁହା ଭାଷା, ଆଖିରେ ଆଖିଏ ସ୍ବପ୍ନ, ମନରେ ଅୟୁତ ଆଶା ଧରି ପହଞ୍ଚି ଗଲେ ସମୁଦ୍ର କୂଳରେ। ସମୂଦ୍ରର ଘୁ ଘୁ ଗର୍ଜନ ଛାତିରେ ଯେମିତି କମ୍ପନ ସୃଷ୍ଟି କରୁଥାଏ। ସମୁଦ୍ର ବି ଏତେ ଦିନ ପରେ ତା ନିଜର ଲୋକକୁ ପାଖରେ ପାଇ ଆହୁରି ଉଛୁଳି ଉଠୁଥାଏ। ସୁ ସୁ ଶବ୍ବରେ କେତେ ଦିନର ଅକୁହା କଥା ସବୁ ବଖାଣି ବସୁଥାଏ। ଢେଉର ହାତ ମେଲାଇ କୋଳେଇ ନେବାକୁ କୂଳକୁ ଧାଉଁ ଥାଏ। ଆଉ ଟିକେ ପାଖକୁ ଗଲେ ଅନନ୍ୟା। ଭଲ ଭାବେ ନିରେଖି ଦେଖିଲେ। ନା ଟିକେ ବି ବଦଳିନି ସେ। ସେମିତି ଦମ୍ଭ, ସେମିତି ଗାରିମା। ସେଦିନ ଭଳି ଆଜିବି ବେଶ୍ ଖୁସି। ତା ମନ ବା କାହିଁକି ଦୁଃଖ ହେବ ???? ସମସ୍ତେ ତ ସୁଖର ସାଥି,ସେ ବା କାହିଁ ତା ଦୁଃଖରେ ଲୁହ ଗଡାଇବ ??? ପୁଣି ଟିକେ ପଛକୁ ଫେରି ଗଲେ ଅନନ୍ୟା। ବେଳାଭୂମିର ଛାତିକୁ ଖେଳେଇ ଚାଲିଲେ, କିଛି ଗୋଟେ ପାଇବା ଆଶାରେ। ଧିରେ ଧିରେ ସଂଧ୍ୟା ପାଖେଇ ଆସିଲାଣି। ସୂର୍ଯ୍ୟଙ୍କର ରକ୍ତିମ ଆଭା ବେଳାଭୂମି ସାରା ବିଛାଡି ହୋଇ ପଡ଼ିଛି। ସମୁଦ୍ରର‌ ନୀଳ ଜଳରାଶି ଏବେ ରକ୍ତବର୍ଣ୍ଣା। ସେ ଆହୁରି ସୁନ୍ଦର ଦିଶୁଛି। ତା'ର ସେ ସୁନ୍ଦରତା ଅନନ୍ୟାଙ୍କ ମନରେ ଭରିଦେଉଛି କଷ୍ଟ, ଯନ୍ତ୍ରଣା। ହୃଦୟ ଯେମିତି ଛାତି ଚିରି ବାହାରକୁ ବାହାରି ଆସିବାକୁ ପ୍ରୟାସ କରୁଛି। କାହିଁକି କେଜାଣି ସମୁଦ୍ର ଏତେ ଦୁଃଖ ଦେଉଥିଲେ ହେଁ ଆଜି ଯାଏଁ ତା ମୋହର ବନ୍ଧନରୁ ମୁକୁଳି ପାରିନାହାନ୍ତି ଅନନ୍ୟା।


ଏଥର ସମୁଦ୍ର ଆଡ଼କୁ ଗୋଡ଼ ଲମ୍ବେଇ ବସିପଡିଲେ ସେ। ପ୍ରଶ୍ନଭରା ନୟନରେ ଚାହିଁ ରହିଲେ ସମୁଦ୍ରକୁ। ମନରେ ଅସୁମାରୀ ପ୍ରଶ୍ନ । ସ୍ଥିର ବସିପାରିଲେନି। ପଚାରି ଚାଲିଲେ ପ୍ରଶ୍ନ ପରେ ପ୍ରଶ୍ନ ସମୁଦ୍ରକୁ। କ'ଣ କ୍ଷତି କରିଥିଲି ମୁଁ ତୋର ??? କ'ଣ ପାଇଁ ମୋ ପ୍ରତି ଏତେ ନିଷ୍ଠୁର ତୁ ??? ମୋହିନୀ ରୂପରେ ତୋର ଏତେ ଧୋକା,ଏତେ ପ୍ରତାରଣା,ଛଳନା ଲୁଚେଇ ରଖିଛୁ.... । ଲୋକେକୁହନ୍ତି ସମୁଦ୍ର କାହାର କରଜ କରେନି,ସେ କାହାର ଋଣୀ ନୁହେଁ। ଯାହା ନିଏ ଫେରେଇଦିଏ। ତେବେ ମୋ ବେଳକୁ ଏତେ କପଟ କାହିଁକି ???? ମୋର ସବୁ ହସ ଖୁସି ଛଡେଇ ନେଇ କି ଲାଭ ପାଇଛୁ????‌‌ ଆଜି ମୁଁ ମୋ ବିନା ବଞ୍ଚିଛି। ପୂରା ଶୂନ୍ୟ ହୋଇ। ଦେ ଫେରେଇ ଦେ ମୋ ଖୁସି। ଫେରେଇ ଦେ ମୋ ସ୍ବରାଜଙ୍କୁ,ମୋ ପ୍ରେମକୁ..... ଭୋ ଭୋ ହୋଇ ପିଲାଟି ପରି କାନ୍ଦି ଉଠିଲେ ଅନନ୍ୟା। ଅଗ୍ନି ପରି ଜାଜ୍ଜ୍ୱଲ୍ୟମାନ ନେତ୍ର ଯୁଗଳରେ ଶ୍ରାବଣର ବାରି ଧାରା ପରି ବରଷି ଚାଲିଛି ଲୁହ, ସମୁଦ୍ରରେ ମଥା ପିଟିବା ପାଇଁ। ସମୁଦ୍ରକୁ ଆହୁରି ଲବଣାକ୍ତ କରିବାକୁ ପାଇଁ। ଯେପରି କେହି ତା ମୋହିନୀ ରୂପରେ ଆକର୍ଷିତ ହୋଇ ତାକୁ ନିଜର କରିବସିବେନି। କାନ୍ଦି ଚାଲିଛନ୍ତି ଅନନ୍ୟା। ସମୁଦ୍ରର ଗର୍ଜନ ସେ କୋହକୁ ନିଜ ଭିତରେ ଚାପି ରଖୁଛି, ଯେପରି କେହି ବି ତାର ଗୂଢ ରହସ୍ୟ ନ ଜାଣି ପାରୁ। ସେଇ ଲୁହଭିଜା ଆଖିରେ ଚାହିଁ ରହିଛନ୍ତି ସମୁଦ୍ରକୁ। କାଳେ ତା ଢେ଼ଉରେ ଭାସି ଭାସି ଆସି ଯିବେ ସ୍ବରାଜ। ।


ସ୍ବରାଜ ପଟ୍ଟନାୟକ। ଅନନ୍ୟାଙ୍କ ଭାବି ସ୍ବାମୀ। ପ୍ରାୟ ଚାରି ବର୍ଷ ତଳେ ତାଙ୍କ ସହ ଅନନ୍ୟାଙ୍କର ନିର୍ବନ୍ଧ ହୋଇସାରିଥିଲା। ଶାନ୍ତ,ସରଳ ସୌମ୍ୟଦର୍ଶୀ ସ୍ବରାଜ ପ୍ରଥମ ଦେଖାରୁ ହିଁ ବାହାଘର ପାଇଁ ରାଜି ହୋଇଯାଇଥିଲେ,ଆଉ ସମୁଦ୍ରକୁ ଭଲପାଉଥିବା ଅନନ୍ୟା ସମୁଦ୍ର କୂଳରେ ଶାଶୁଘର ବୋଲି ରାଜି ହୋଇଗଲେ। ବାସ୍ ଦୁଇ ପରିବାରର ସମ୍ମତି କ୍ରମେ ନିର୍ବନ୍ଧ ସମ୍ପନ୍ନ ହେଲା। ପୁରୀରେ ଚାକିରି କରିବା ସମୟରେ ଅନେକ ଥର ସେ ସ୍ବରାଜଙ୍କ ସହ ସମୁଦ୍ର କୂଳେ ବସି ନିଜ ବୈବାହିକ ଜୀବନର ପ୍ରସ୍ତୁତିରେ ଲାଗିପଡନ୍ତି।

ସେଦିନ ବି ଠିକ୍ ଏଇ ସମୟରେ ସେ ଆଉ ସ୍ବରାଜ ବସିଥିଲେ ଖୁବ୍ ପାଖାପାଖି। ସ୍ବରାଜ କାନ୍ଧରେ ମୁଣ୍ଡ ରଖି ଅନନ୍ୟା ଗପି ଚାଲିଥିଲେ ସିନେମାର କାହାଣୀ ପରି ଅନେକ କଥା। କରିବସୁଥିଲେ ଭାବି ସ୍ବାମୀ ଙ୍କ ପାଖେ ଛୋଟ ଛୋଟ ମିଛ ଅଳି।


ହଠାତ୍ କୋଉଁଠି ଥିଲା କେଜାଣି ଅଦିନିଆ ବର୍ଷା ଲୋଟିଗଲା ସମୁଦ୍ର ର ଛାତିରେ। ସେ ଆସିବାର ତିଳେ ମାତ୍ର ସୂଚନା ନଥିଲା। ଆକାଶ ପୂରା ନିର୍ମଳ ଥିଲା। ଓଦାରେ ଜଡସଡ ହୋଇଗଲେ ପ୍ରେମୀ ଯୁଗଳ। ବର୍ଷା ଛିଟାରେ ବେଳାଭୂମି ର ବାଲି ସବୁ ଦୁଷ୍ଟାମୀ ଆରମ୍ଭ କରିଦେଲେ। ଆକ୍ତମାକ୍ତା ହୋଇଗଲେ ଦୁହେଁ। ବର୍ଷାଠୁ ନିଜକୁ ବଞ୍ଚାଇବାର କୌଣସି ବିକଳ୍ପ ନଥିଲା। ଏମାନଙ୍କ ପ୍ରେମରେ ଇର୍ଷାପରାୟଣ ହୋଇ ବର୍ଷା ବି ତା ପ୍ରେମିକ ସାଗର ସହ ମିଶିବାର ବ୍ୟାକୁଳତାକୁ ରୋକିପାରିଲାନି ବୋଧେ। ବହୁତ କଷ୍ଟରେ ଦୁହେଁ ଏକ ଛୋଟ କ୍ୟାବିନ ତଳେ ନିଜକୁ ସୁରକ୍ଷିତ କଲେ।


ବର୍ଷା ଛାଡି ଯାଇଛି। ହଠାତ୍ କାହା ଚିତ୍କାର ବେଳାଭୂମିକୁ ଆହୁରି ଅଶାନ୍ତ କରିଦେଲା। ଦେଖୁ ଦେଖୁ ଆଖି ସାମ୍ନାରେ ଛୋଟ ଝିଅଟିକୁ ସମୁଦ୍ର ଭିଡ଼ି ନେଉଛି ତା କରାଳ ଗର୍ଭକୁ। କୂଳରେ ମା ତା'ର କାନ୍ଦି କାନ୍ଦି ଅଚେତ ହୋଇପଡୁଛି। ସମସ୍ତେ ଉପରେ ଓଃ ଆଃ କହୁଥାନ୍ତି,ହେଲେ ଭିତରକୁ ଯାଇ ପିଲାକୁ ବଞ୍ଚାଇବାକୁ କାହାର ସାହାସ ନାହିଁ। ହେବ ବା କେମିତି ??? ସମୁଦ୍ର ତ ତା ପ୍ରେୟସୀ ବର୍ଷାକୁ ଛାତିରେ ଭିଡି ପ୍ରଣୟରେ ମଗ୍ନ ହୋଇଯାଇଛି। ହଠାତ୍ କେହି ଜଣେ ସମୁଦ୍ରକୁ ଲମ୍ଫ ମାରିଲେ। କିଛି ସମୟପରେ ପିଲାଟିକୁ ଜୀବିତ ଉଦ୍ଧାର କରାଗଲା। ବର୍ଷା ବି ଥମିଗଲା। ଅନନ୍ୟା ଘରକୁ ଫେରିବାକୁ ସ୍ବରାଜ ଙ୍କୁ ଖୋଜିଲେ।କୁଆଡେ ଗଲେ । ଏଇଠି ମୋ ପାଖରେ ତ ଛିଡ଼ା ହୋଇଥିଲେ। ଖୋଜି ଖୋଜି ନୟାନ୍ତ ହୋଇଗଲେଣି ଅନନ୍ୟା। ହେଲେ କେଉଁଠି ବି ‌ଦିଶୁନାହାନ୍ତି ସ୍ବରାଜ। କେହି ଜଣେ ସମୁଦ୍ରରେ ଭାସୁଥିବାର ଦେଖାଗଲା। ଉଦ୍ଧାର କରି କୂଳକୁ ଆଣିବାରୁ ଜଣାପଡିଲା ସେ ସ୍ବରାଜ। ପିଲାଟିକୁ ବଞ୍ଚାଇବାକୁ ଯାଇ ନିଜେ ହଜିଗଲେ ଅଥଳ ସମୁଦ୍ର ର କୋଳରେ।

ନିଜ ଆଖି ସାମ୍ନାରେ ସ୍ବପ୍ନ ର ତାଜମହଲ ଭାଙ୍ଗି ଚୂରମାର୍ ହୋଇଗଲା। ସବୁ ଆଶା ଧୂଳିସାତ ହୋଇଗଲା। ସ୍ବରାଜଙ୍କ ମୃତ ଶରୀର ଉପରେ ଲୋଟିଯାଇ ମୃତପ୍ରାୟ ହୋଇଯାଉଥିଲେ ଅନନ୍ୟା। ସମୁଦ୍ର ସେସବୁ ଶୁଣି ପାରୁନଥିଲା ବୋଧେ। ସବୁ କିଛି ଛଡେଇ ନେଇଗଲା ତାଙ୍କ ଜୀବନରୁ।


ଅନେକ ବର୍ଷର ବିଚ୍ଛେଦ ପରେ ଆଜି ପୁଣି ସେଇ ସମୁଦ୍ର କୂଳରେ। ଆଜି କିନ୍ତୁ କିଛି ହରାଇବାର ଭୟ ନାହିଁ। ଏମିତି ଭାବୁ ଭାବୁ ତାଙ୍କ ଅଜାଣତରେ ବର୍ଷା ଆଜିବି ତା ତାଣ୍ଡବ ଆରମ୍ଭ କରିସାରିଲାଣି। ଜାଣି ପାରିନାହାନ୍ତି ସେ। ଦେହ ମନ ହୃଦୟ ସବୁ ଓଦା କିଛି ବର୍ଷାରେ କିଛି ଲୁହରେ।

‌ମାଡାମ୍ ଏଇ ଛତା ନିଅନ୍ତୁ!! ଏତେ ବଡ଼ ବର୍ଷାରେ ସମୁଦ୍ର କେମିତି ଅଶାନ୍ତ ଦେଖୁଛନ୍ତି ତ ??? ଆପଣ ତା କୂଳରେ ବସିଛନ୍ତି। ବହୁତ ଡାକିଲିଣି ଆପଣଙ୍କୁ ଏ କ୍ୟାବିନକୁ ଆସିବା ପାଇଁ। ହେଲେ ଆପଣ ???? ଛାଡ଼ନ୍ତୁ... ଆସନ୍ତୁ ଏ ଛତା ନେଇ କ୍ୟାବିନରେ କିଛି ସମୟ ... ବର୍ଷା କମିଲା ପର୍ଯ୍ୟନ୍ତ ଅପେକ୍ଷା କରିବେ।

ବୁଲି ଚାହିଁଲେ ଅନନ୍ୟା। ଯୁବକ ଜଣକ ସ୍ବରାଜଙ୍କ ପରି ଦେଖିବାକୁ। ସେଇ ସ୍ବର, ସେଇ ବ୍ୟସ୍ତତା.... ତେବେ କ'ଣ ସତରେ ସମୁଦ୍ର ତା ଖୁସି ଫେରେଇ ଦେବାକୁ ଚାହେଁ....ଏଇ ଯୁବକ ମାଧ୍ୟମରେ..... ସତରେ .... ସତରେ...



Rate this content
Log in

Similar oriya story from Romance