STORYMIRROR

Er. Suchismita Satpathy

Abstract Tragedy Inspirational

3  

Er. Suchismita Satpathy

Abstract Tragedy Inspirational

ମୋ ଜୀବନ କାହାଣୀ

ମୋ ଜୀବନ କାହାଣୀ

2 mins
235


ଆଜି ମୁମ୍ବାଇର ଏକ ବହୁ ତଳ ପ୍ରାସାଦର ଏକ ଶୀତ ତାପ ନିୟନ୍ତ୍ରିତ କକ୍ଷର ଝରକା ପଖରେ ବସି ସକାଲର ଗରମ ଗରମ ଚିହା ପିଉଥିବା ସମୟରେ ସୋନୁର ନଜର ପଡିଲା ପାଖ ଚାଳୀର ଏକ ଛୋଟ ପିଲାଟି ଉପରେ। ହଠାତ ତାର ଦୃଷ୍ଟି ନିବଦ୍ଧ ହେଲା ତାର ସାଇକେଲଟି ଉପରେ।ବୋଧେ ସେ ସାଇକେଲଟି ୧୯୮୦ ମସିହାର।ତାର ରଙ୍ଗ ରୂପ ଓ ଗଢଣ ଦେଖି ସୋନୁ କିଛି ସମୟ ପାଇଁ ତା ଅତୀତକୁ ଫେରିଗଲା।

ସେତେବେଳେ ତାକୁ ସାତ ବର୍ଷ । ରାସ୍ତାରେ ଦେଖେ କେତେ ପିଲା ସାଇକେଲ ଚଲାଇ ଯାଉଥିବାର । ତାକୁ ଲକ୍ଷକରି ତା ଜେଜେ କୁହନ୍ତି କଣ ସୋନୁ ସୁନୁ ଗାଡିରେ ମନ ଲାଗିଲାଣି କି?

ସୋନୁ ମନେ ମନେ ଭାବେ ହଁ କହିବ ମାତ୍ର ଜେଜେଙ୍କର ସାଇକେଲକୁ ସୁନୁଗାଡି କହିବା ଶୁଣି ଚିଡି ଯାଏ।ତାପରେ ତା ବାପାଙ୍କ ଆର୍ଥିକ ଅବସ୍ଥା ଦେଖି ଚୁପ ରୁହେ। ଦିନେ ମନେ ମନେ ଭାବିଲା ତା ବାପାଙ୍କ ସାଇକେଲକୁ ଚଲେଇବା ଆରମ୍ଭ କରି ଶିଖିବ।ବିଦ୍ୟାଳୟରେ ତାର କିଛି ସାଙ୍ଗ ସାଇକେଲ ଧରି ଆସୁଛନ୍ତି।

ତେଣୁ ଦିନେ ତା ବାପା ଫେରିବା ପରେ ସାଇକେଲଟିକୁ ଧରି ବାହାରିଲା।ଘରେ ଯେତେ ମନାକଲେ ଶୁଣିଲାନି।କିଛି ହେବନି କହି ଆଗେଇଲା ଏକ ଆହେତୁକ ଆକାଙ୍ଖ୍ୟା କୁ ସାଙ୍ଗକରି।ଚାଲି ଚାଲି ସାଇକେଲ ଟିକୁ ଧରି କିଛି ବାଟ ଗଲା।ସାହାସ ହେଉନଥାଏ ତଥାପି ଚେଷ୍ଟା କଲା।ମାତ୍ର ୨୪"ସାଇକେଲକୁ ତା ଗୋଡ ପାଇଲା ନାହିଁ।ଗୋଡ ଦେବ କଣ କଚାଡି ହୋଇ ତଳେ ପଡିଗଲା।ତା ଉପରେ ସାଇକେଲ ବି ପଡିଲା।ଗୋଡ ହାତ ଖଣ୍ଡିଆ ହେବାରୁ ଚିତ୍କାର କରି ରାସ୍ତା ଉପରେ କାନ୍ଦିବାକୁ ଲାଗିଲା।ଏହା ଦେଖି ପାଖ ଲୋକ ଦୌଡାଦୌଡି କରି ଯାଇ ତାକୁ ଉଠେଇ ଆଣି ଘରେ ଛାଡିଲେ।ତାର ଏପରି ଅବସ୍ଥା ଦେଖି ଜେଜେ ଓ ମାଆ ବ୍ୟସ୍ତ ହେଲା ବେଳକୁ ବାପାଙ୍କର ଆରମ୍ଭ ହୋଇଯାଇଥାଏ ଗାଳି ବର୍ଷଣ। ତାଙ୍କ ଚିନ୍ତା ସାଇକେଲଟି ଭାଙ୍ଗିଲା ,ସେ ସକାଳେ ଅଫିସ କେମିତି ଯିବେ।

ଏହା ଦେଖି ସୋନୁ ଡରି କରି ଆହୁରି କାନ୍ଦିବାକୁ ଲାଗିଲା।

ଗୋଡ ହାତର କ୍ଷତ ଶୁଖିଲା ପର୍ଯ୍ୟନ୍ତ ସେ ଘରୁ ବାହାରି ପାରିଲା ନାହିଁ।ବିଦ୍ୟାଳୟ କୁ ଯାଇ ନପାରି ବହୁତ ମନ କଷ୍ଟ ହେଉଥିଲା।

ପ୍ରତ୍ୟକ ଦିନ ବାପାଙ୍କ ଗାଳି ମଧ୍ୟ ଖାଇବାକୁ ପଡୁଥିଲା।ଏହା ଦେଖି ଜେଜେଙ୍କର ମନ ଦୁଃଖ ହୁଏ। ସୋନୁର ସୁନୁଗାଡି ପ୍ରତି ଆହେତୁକ ମୋହ ଦେଖି ଜେଜେ ନେଜେ ଯାଇ ଏକ ସୁନୁଗାଡି କିଣି ଆଣିଲେ।

ମାତ୍ର ସୋନୁକୁ କହି ନଥିଲେ।ଯେଉଁ ଦିନ ସୋନୁ ଠିକ ହୋଇ ବାହାରକୁ ଆସିଲା ସେଦିନ ହଠାତ ଏକ ନୂଆ ସାଇକେଲ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲା ଏହା କାହାର।

ଜେଜେ ଓ ତା ବାପା ମାଆ ବାହାରକୁ ଆସି ହସି ହସି କହିଲେ ,ନେ ତୋର ସୁନୁଗାଡି ଆସିଗଲା।ଏହା ଶୁଣି ସେ ଚିଡିଯିବା ସହ ସାଇକେଲଟିକୁ ଧରି ଗଡେଇ ଗଡେଇ ଦୁଇ ଘେରା ବୁଲି ଆସିବା ସହ ସମସ୍ତଙ୍କୁ କହି ଆସିଲା ତାର ନୂଆ ସାଇକେଲ ଆସିଛି ବୋଲି।

ଏମିତି ଭାବୁ ଭାବୁ ସେ କେତେବେଳେ ଯାଇ ସେ ପିଲାଟି ପାଖରେ ପହଞ୍ଚି ଯାଇଛି।ଦେଖିଲାବେଳକୁ ପିଲାଟି ମନ ଦୁଃଖରେ ବସିଛି।କାରଣ ପଚାରିବାରେ କହିଲା ,ମୋ ସୁନୁଗାଡିରେ ପବନ ନାହିଁ।ଏହାଶୁଣି ଜେଜେଙ୍କ ସୁନୁଗାଡି ଶବ୍ଦରେ ସେ ଚିଡି ଉଠିବା କଥା ମନେ ପଡିଗଲା ଓ ସେ ହସିଦେଲା ଏବଂ ପିଲାଟିକୁ କିଛି ଅର୍ଥ ସାହାଯ୍ୟ କଲା ତା ସୁନୁଗାଡି କୁ ଠିକ କରିବା ପାଇଁ।ଏହାଦେଖି ପଇସା ଧରି ପିଲାଟି ଠିକ ତାରି ପରି ଗଡେଇ ଗଡେଇ ଖୁସି ମନରେ କହି କହି ଚାଲିଥାଏ ,"ମୋ ସୁନୁଗାଡି ଚାଲିବ ଏବେ"।

ସୋନୁ ଠିଆ ହୋଇ ତାକୁ ଦେଖିବା ସହ ପୁରୁଣା ସ୍ମୃତିକୁ ସାଉଁଟୁ ଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract