ମଣିଆର ଦୋକାନ
ମଣିଆର ଦୋକାନ
ଭାଇଚାରାର ସହର କଟକ ମୋର ଅତି ନିଜର, ପ୍ରାଣ ଠାରୁ ବଳି ପ୍ରିୟ। ଯୋବ୍ରା ଆନିକଟ ନିକଟରେ ଆମର ଘର। କାହିଁ କେତେ କାଳରୁ ପୁରୁଷ ପୁରୁଷ ଧରି ଏଠି ବସବାସ କରୁଛୁ ଆମେ। ଦୁନିଆଁ ସାରା କଟକିଆ ବୋଲି ଡ଼ାକ ଆମର ରହିଛି। ବେଶ୍ ନିଆରା ଏଇ କଟକିଆ ଭାବ ।ଏଇଟା ହିଁ ଆମ ପାଇଁ ଗର୍ବ ଓ ଗୌରବ, ଯିଏ ଯାହା ଭାବୁନା କାହିଁକି ଆମର କିଛି ପରବାୟ ନାହିଁ। ଏଇ ମାଟିରେ ଜନ୍ମ ହୋଇ ଏଠି ମାଟିରେ ମିଶିବା ଆମ ଜୀବନର ସାର୍ଥକତା, ଚଉବର୍ଗ ପ୍ରାପ୍ତି।
ଆମ ଘର ଠାରୁ ଅନତି ଦୂରରେ ସାହିର ଶେଷ ମୁଣ୍ଡରେ ଗୋଟିଏ ତେଜରାତି ଦୋକାନଟିଏ, ମୋ ଦେଖିବାରେ ତ ଦୀର୍ଘ କୋଡ଼ିଏ ପଚିଶି ବର୍ଷ ହେବ ଅଛି। "ମଣିଆ ଦୋକାନ" ନାଁରେ ଅଞ୍ଚଳଟା ଯାକ ଲୋକଙ୍କ ତୁଣ୍ଡରେ ବିଦିତ। ଦୋକାନୀ ମଣିଧର ସାହୁଙ୍କ ହେତୁ ଏଇ ମଣିଆ ଡାକ। ଛୋଟ ବଡ଼ ସଭିଏଁ ତାଙ୍କୁ ମଣିଆ ଭାଇ ବୋଲି ଡାକନ୍ତି ଶ୍ରଦ୍ଧାରେ। ପ୍ରାୟ ସାତ ଶହ ଫୁଟ ଜାଗାରେ ଗଢି ଉଠିଥିବା ଏଇ ଦୋକାନରେ ଛୁଞ୍ଚି ଠାରୁ ଜାହାଜ, (ଜାହାଜଟା ଅବଶ୍ୟ ଖେଳନା) ଯାଏଁ ସବୁ ଜିନିଷ ମିଳେ ସଭିଙ୍କର ଚାହିଦା ମୁତାବକ। ତାଙ୍କ ଦୋକାନରେ ଜିନିଷ ପତ୍ରର ଦରଦାମ ବଜାର ଦର ସହିତ ପ୍ରାୟ ସମାନ। ମାଲଗୋଦାମରୁ ସବୁ ଜିନିଷ ଉଠାଉଥିବାରୁ ଗରାଖଙ୍କୁ ରିହାତି ବି ମିଳେ ଟିକେ। ଘର ପାଖରେ ବିନା ପେଟ୍ରୋଲ ପୋଡାରେ ଉଚିତ୍ ଦରର ଜିନିଷ କାହାର ବା ପସନ୍ଦ ନୁହେଁ? ସାହିରେ ଏମିତି କେତେ ଦୋକାନ ଖୋଲିଲାଣି ବନ୍ଦ ହେଲାଣି କିନ୍ତୁ ମଣିଆ ଦୋକାନ ଚାଲିଛି ବେଶ୍ ଲାଭରେ ଦଶନ୍ଧି ଦଶନ୍ଧି ଧରି।
ସାହି ଲୋକଙ୍କର ବାକି ଖାତା ବି ରହିଛି ଏଠି। ଯିଏ ଯାହାର ସୁବିଧା ହିସାବରେ ପଇଠ କରନ୍ତି। ସକାଳୁ ରାତି ଅଧ ଯାଏଁ ଗହଳି ଲାଗିରହେ ସେଇଠି। ଭିଡ଼ ସମୟରେ ଲୋକଙ୍କୁ ଢେର୍ ଅପେକ୍ଷା କରିବାକୁ ପଡ଼େ କିନ୍ତୁ ମଣିଆ ଭାଇଙ୍କ ହସ ହସ ମୁହଁ ଓ ଅମାୟିକ ବ୍ୟବହାରକୁ ଚାହିଁ ଅନ୍ୟ କୁଆଡ଼େ ବି ଯାଆନ୍ତି ନାହିଁ। ଦୋକାନରେ ସାହାଯ୍ୟ କରିବା ପାଇଁ ଦୁଇ ଜଣ ପିଲାଙ୍କୁ ଚାକିରିରେ ରଖିଛନ୍ତି ମଣିଆ ଭାଇ। ଜଣେ ଲୁନାରେ ମାଲଗୋଦାମରୁ ଜିନିଷପତ୍ର ବୁହାବୋହି କରେ ଆଉ ଜଣେ ଦୋକାନରେ ଗରାଖଙ୍କୁ ଜିନିଷ ଦିଏ। ନିଜେ ହିସାବକିତାବ କରିବା ସହିତ ଟଙ୍କାପଇସା ରଖନ୍ତି। ଏଇ ଦୋକନଟି ହିଁ ତାଙ୍କର ବଞ୍ଚିବାର ଏକମାତ୍ର ରାହା। ଏଥିରୁ ତାଙ୍କର ବହୁପ୍ରାଣୀ କୁଟୁମ୍ବ ପୋଷା ହୁଏ। ଦୀର୍ଘ ତିରିଶ ବର୍ଷ ଧରି ଦୋକାନ ତାଙ୍କର ପରିଚୟ ଓ ସେ ଦୋକାନର।
ଏଇ କିଛିଦିନ ତଳେ ପାଖ ଛକରେ ବହୁରାଷ୍ଟ୍ରୀୟ କମ୍ପାନୀ ୱାଲ୍ଡମାର୍ଟ୍ ଖୋଲିଛି ତାର ଷ୍ଟେର୍। ମହାନଦୀ କୂଳରେ ବିସ୍ତୀର୍ଣ୍ଣ ପରିସରରେ ଅବସ୍ଥିତ ସୁରମ୍ୟ ତ୍ରିତଳ ଅଟ୍ଟାଳିକାରେ ଦେଶ ଦୁନିଆର ସର୍ବବିଧ ବସ୍ତୁ ଓ ସାମଗ୍ରୀ ଉପଲବ୍ଧ। ଖାଦ୍ୟ ବସ୍ତ୍ର ବାସ୍ତୁ ସହିତ ମଣିଷ ଜୀଇଁବାକୁ ଯାହା ଯାହା ଆବଶ୍ୟକ କରେ ସବୁ କିଛି ବେଶ୍ ସୁଲଭ ମୂଲ୍ୟରେ ବିକ୍ରି ହେଉଛି ସେଠାରେ। ଉଚ୍ଚ ଗୁଣବତ୍ତାର ଇମ୍ପୋର୍ଟେଡ୍ ଜିନିଷ ସବୁ! ଖବରକାଗଜର ପ୍ରଥମ ପୃଷ୍ଠାରେ ଓ ଟିଭିରେ ଘଡିକୁ ଘଡି ଲୋଭନୀୟ ଅଫର୍ ସମ୍ବଳିତ ବିଜ୍ଞାପନ ପ୍ରସାରିତ ହେଉଛି। ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପଚାଶ ପ୍ରତିଶତ ରିହାତି, ଗୋଟିଏ କିଣିଲେ ଦୁଇଟି ମାଗଣା, ସବୁଠାରୁ ଶସ୍ତା ରବିବାର ଇତ୍ୟାଦି ସ୍କିମ୍ ସବୁ ଚାଲୁରହିଛି। ଭିଡ଼ ଏମିତି ଜମୁଛି ଯେ ସୋରିଷ ମୁଠେ ପକାଇବା ପାଇଁ ମଧ୍ଯ ଜାଗା ନାହିଁ। ସତେ ଯେମିତି ଅଦିନିଆ ବାଲିଯାତ୍ରା ଚାଲିଛି।
ଆଜିକାଲି ଆଉ ମଣିଆ ଭାଇ ଦୋକାନରେ ସାହି ଲୋକଙ୍କର ଆଗଭଳି ଭିଡ଼ ଲାଗୁନାହଁ। ସଭିଏଁ ଧାଉଁଛନ୍ତି ସେଇ ଷ୍ଟୋରକୁ। ରିହାତି ଦରରେ ବସ୍ତା ଭର୍ତ୍ତି କରି ଜିନିଷ ସବୁ ବୋହି ଆଣୁଛନ୍ତି ଘରକୁ। ମଣିଆ ଦୋକାନର ଜିନିଷ ସବୁ ଗୋଦାମ ରଦ୍ଦି ହେବାକୁ ବସିଲାଣି ଦିନ କେଇଟାରେ। ବାକିବୁକର ଯାହା ଥିଲା ସେସବୁକୁ ପଇଠ କରିବା ପରେ ଗରାଖ ଆଉ ଆସୁନାହାନ୍ତି ତାଙ୍କ ଦୋକାନକୁ। ଏତେ ଦିନର ବ୍ୟବସାୟରେ ତ ଦିନେ ବି କାହାଠାରୁ ଅଧିକ ଦୁଇ ପଇସା ନେଇ ନାହାଁନ୍ତି ସେ ଅନ୍ଯାୟରେ। କେବେ ବି କାହାକୁ କଟୁ କଥା ପଦିଏ କହି ନାହାଁନ୍ତି ବାକି ଆଦାୟ କରିବା ପାଇଁ।ନିଜ ଆଡୁ ତ କିଛି ବି ଅପରାଧ ଅବା ଅବହେଳା କରି ନାହାଁନ୍ତି ସେ, ତେବେ କଣ ପାଇଁ ଗରାଖମାନେ ତାଙ୍କ ପ୍ରତି ବିମୁଖ?
ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଲେ ସେ ୱାଲ୍ଡମାର୍ଟ୍ ଷ୍ଟୋରରୁ ଲୋକେ ନିତ୍ଯ ବ୍ଯବହାର୍ଯ୍ଯ ଜିନିଷ ଓ ସଉଦା ପତ୍ର କିଣିଛନ୍ତି ଖୁବ୍ ଶସ୍ତାରେ। ତେଣୁ ତାଙ୍କ ଦୋକାନରେ ବା କାହାର କି କାମ? ଦିନକୁ ଦିନ ଶୋଚନୀୟ ଭାବେ ଦୁର୍ବଳ ହୋଇ ପଡିଲା ମଣିଆ ଭାଇଙ୍କ ଆର୍ଥିକ ଅବସ୍ଥା। ଦୋକାନରେ କାମ କରୁଥିବା ପିଲାମାନଙ୍କୁ ଦରମା ଦେଇ ପାରିଲେ ନାହିଁ ସେ। ଅଗତ୍ୟା ସେମାନେ ଛାଡ଼ି କରି ଚାଲିଗଲେ ଭିନ୍ନ କର୍ମ ଅନ୍ବେଷଣରେ। ଏବେ ଦୋକାନରେ ଏକା ଏକା ବସି ରହନ୍ତି ମଣିଆ ଭାଇ। କାଁଭାଁ କେତେବେଳେ କେମିତି ଜଣେ ଅଧେ ଗରାଖ ଆସନ୍ତି, ସେତକ ବି ବନ୍ଦ ହୋଇଗଲା ଗୋଦାମ ରଦ୍ଦି ଜିନିଷ ବିକୁଥିବା ଦୁର୍ନାମରେ। ଏବେ କରିବେ କଣ? ପରିବାର ପ୍ରତିପୋଷଣ କରିବେ କେମିତି? ପୁଅଝିଅଙ୍କୁ ବାହାତୋଳା କରିବାକୁ ତ ହେବ, ବାପାମାଆଙ୍କର ଯତ୍ନ ନେବା ସବୁ କେମିତି ସମ୍ଭବ ହେବ ବିନା ରୋଜଗାରରେ? ଚିନ୍ତାରେ ଘାଣ୍ଟି ହେଉଥିଲେ ସେ।
ଦିନେ ଘରେ ବସି ବସି ବିରକ୍ତିକର ବୋଧ ହେବାରୁ ମୁଁ ବୁଲିବାକୁ ଯାଇଥିଲି ୱାଲ୍ଡମାର୍ଟ୍ ଷ୍ଟୋରକୁ କୌତୁହଳରେ। ଆଗରୁ କେବେ ବି ଯାଇନଥିଲି ସେଠିକୁ ଅସମ୍ଭବ ଭିଡ଼କୁ ଡରି କରି। ଆମ କଟକ ନଗରରେ ଏପରି ଏକ ପ୍ରକାଣ୍ଡ ଡିପାର୍ଟମେଣ୍ଟାଲ୍ ଷ୍ଟୋର ନିର୍ମିତ ହୋଇଥିବା ଦେଖି ଅଭିଭୂତ ହୋଇପଡ଼ିଲି ମୁଁ। ସଂପୂର୍ଣ୍ଣ ବାତାନୁକୂଳିତ ପରିବେଶରେ ସାଜସଜ୍ଜା ଠାରୁ ଆରମ୍ଭ କରି ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ଥିବା ସୁବିଧା ସୁଯୋଗ ଖୁବ୍ ଉଚ୍ଚକୋଟିର ଏବଂ ପ୍ରଶଂସନୀୟ। ଦରଦାମ ମଧ୍ଯ ବେଶ୍ ସୁଲଭ ଏବଂ ସର୍ବସାଧାରଣଙ୍କ ବଜେଟକୁ ସୁହାଇଲା ଭଳି। ଏହା ପରେ ପୁଣି ଆକର୍ଷଣୀୟ ତଥା ଲୋଭନୀୟ ଅଫର୍ ସମସ୍ତ ସାମଗ୍ରୀରେ ସମସ୍ତ ବର୍ଗର ଗ୍ରାହକମାନଙ୍କର ରୁଚି ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୋଜନାବଦ୍ଧ ଭାବେ କାର୍ଯ୍ୟକାରୀ କରାଯାଇଛି। ଏସବୁ ଦେଖି ମୋତେ ଲାଗୁଥିଲା ଯେ, କିଏ ବା କାହିଁକି ଆଉ ବାହାର ଛକ ବଜାରରୁ ଜିନିଷପତ୍ର କିଣିବ?
ଏମିତି ଭାବୁ ଭାବୁ ମୋର ନଜର ପଡିଲା ସିକ୍ୟୁରିଟି ଗାର୍ଡ୍ ପୋଷାକ ପରିଧାନ କରିଥିବା ଜଣେ ପ୍ରୌଢ ବ୍ଯକ୍ତିଙ୍କ ଉପରେ। କେଜାଣି କାହିଁକି ଚିହ୍ନା ଚିହ୍ନା ଲାଗୁଥିଲେ ସେ। ପାଖକୁ ଯାଇ ଦେଖେ ତ ସେ ଆଉ କେହି ଭିନ୍ନ ବ୍ଯକ୍ତି ନଥିଲେ। ସେ ଥିଲେ ଆମ ସାହିର ସଭିଙ୍କର ପ୍ରିୟ ମଣିଆ ଭାଇ! ବୁଝିବା ପାଇଁ ଆଉ କିଛି ବାକି ନଥିଲା ମୋର, ତଥାପି ମୁହାଁ ମୁହିଁ ହୋଇଛି ଯେତେବେଳେ କିଛି କଥା ଭାଷା ନହେବାଟା ନିହାତି ଭାବେ ଅଶୋଭନୀୟ ବ୍ଯବହାର। ମୁଁ ପଚାରିଲି, "ଭାଇ, ଆପଣ ଏଠି?"
ଦୀର୍ଘ ଶ୍ବାସ ତ୍ଯାଗ କରି ସେ କହିଲେ, "ହଁ, ଦୋକାନ ତ ଆଉ ଚାଲୁନି। ତେଣୁ ଏଠି ସିକ୍ୟୁରିଟି ଗାର୍ଡର ଚାକିରି କରୁଛି। ଆଉ କରିବି ବା କଣ?"
: ଓଃ! ଆଉ କଣ କିଛି ଉପାୟ ନାହିଁ?
: କଣ ବା ଆଉ ମୁଁ କରି ପାରିବି ଏଇ ବୁଢ଼ା ବୟସରେ? ସରକାର ତ ରିଟେଲ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦେଲେ ଯେ ଏଇ ପୁଞ୍ଜି ଐରାବତମାନେ ସାତ ଦରିଆ ତେର ନଈ ପାରି ହୋଇ ଜିନିଷ ଆଣି ବିକିଲେ ଏଠି ଶସ୍ତାରେ। ଲୋକେ ଯେଉଁଠି ଶସ୍ତା ସୁନ୍ଦର ସୁଲଭରେ ଜିନିଷ ପାଇବେ ସେଠିକି ଯିବେ ନା ଆମ ଭଳିଆ ମଳିମୁଣ୍ଡିଆଙ୍କ ପାଖକୁ ଆସିବେ? ଆମର ବ୍ୟବସାୟ ବୁଡ଼ିଲା, ଆମେ ଆତ୍ମନିର୍ଭର ସ୍ୱାବଲମ୍ବୀ ମଣିଷରୁ ବେଦଖଲ ହୋଇ ଏମାନଙ୍କ ଚାକିରି କଲୁ।
ଛାତ୍ରାବସ୍ଥାରେ କଲେଜରେ ପଢୁଥିବା ସମୟରେ ମୁଁ ଉଦାରବାଦୀ ଅର୍ଥନୀତି ଏବଂ ମୁକ୍ତ ବଜାରର ପକ୍ଷଧର ଥିଲି। ଅନେକ ପ୍ରବନ୍ଧ ଲେଖିଛି, ଅସଂଖ୍ଯ ଭାଷଣ ଦେଇଛି ଏହା ସପକ୍ଷରେ। କିନ୍ତୁ ମଣିଆ ଭାଇଙ୍କ କଥାଟା କାହିଁକି ମୋର ଅନ୍ତରାତ୍ମାକୁ ଦୋହଲାଇ ଦେଲା। ଆଖି ଆଗରେ ସବୁ ଦେଖୁଥିଲି ଜାଣୁଥିଲି କିନ୍ତୁ କିଛି କହିବାକୁ ସମର୍ଥ ନଥିଲି ମୁଁ। ଜଡ଼ ପାଲଟି ଯାଇଥିଲି ମୁଁ ଗୋଟାପଣେ।
