ମାଟିର ମହକରେ
ମାଟିର ମହକରେ


ଆଜିର ଚାକଚକ୍ୟ ଭରା ଜୀବନରେ ସମସ୍ତେ ପରିଷ୍କାର ପରିଚ୍ଛନ୍ନ ଓ ଚିକ୍ ମିକ୍ କରୁଥିବା ଚିଜକୁ ଗୁରୁତ୍ୱ ଦେଇଥାନ୍ତି। ରହିବା ଘର ହେଉ ,ପିନ୍ଧିବା ପୋଷାକ ହେଉ ବା ଖାଦ୍ୟପେୟ । ସବୁ ଥିରେ ସଉକିନିଆ ହୋଇଗଲେଣି ମାନବ ମାନେ। ଚାଲି ଚାଲି ଯିବାକୁ ମଧ୍ୟକେହି ପସନ୍ଦ କରୁନାହାନ୍ତି। ଏମିତିକି ଅଧା କି.ମି. ଯଦି ମନ୍ଦିର କୁ ଯିବାକୁ ହୁଏ ,ତେବେ ଦୁଇ କି ଚାରିଚକିଆ ଲୋଡା।ଯଦି ବା କେହି ଚାଲିବା କୁ ଚାହାନ୍ତି ତାହା ପୁଣି ଡାକ୍ତରଙ୍କ ପରାମର୍ଶ କ୍ରମେ ।ତେବେ ମଧ୍ୟ ଜୋତା- ମୋଜା କିମ୍ବା ଚପଲ ନହେଲେ ଚାଲିବା ଅସମ୍ଭବ ତାହା ପୁଣି ପକ୍କା ବା ପିଚୁ ରାସ୍ତାରେ।
ଘର ହେଲା ଶଙ୍ଖମଲମଲ ପୁଣି
ରାସ୍ତା ଘାଟ ପୁରା ପକ୍କା।
ମାଟିର ପରଶ ମିଳିବ କେଉଁଠୁ
ମାଟି ରଙ୍ଗ ମନେ ଫିକା।
ବନ୍ଧୁଗଣ ଥରେ କେବେ ପହିଲି ବରଷାରେ ନିଦାଘର ତାପେ ଉତ୍ତପ୍ତ ଧରାରୁ ନିର୍ଗତ ହେଉଥବା ବୁକୁ ଫଟା ଚିତ୍କାର ବା କ୍ଲାନ୍ତ ଦୀର୍ଘଶ୍ୱାସର ସ୍ୱର ଶୁଣିବାକୁ ଚେଷ୍ଟା କରିଛ ? ଅତ୍ୟାଚାର ସହି ସହି ସେ ନିର୍ବାକ୍ ଓ କ୍ଲାନ୍ତ। ପ୍ରଥମ ବର୍ଷାଭିଜା ତା'ଦେହର ବାସ୍ନା କେତେ ଆତ୍ମୀୟତା ଆଣିଦିଏ ତା'ପାଇଁ କେବେ ଅନୁଭବ କରିଛ ? ତା'ର ପହିଲି ବର୍ଷାରେ ନବ ବନିତାଟିଏ ତା'ର ବାସ ଆସ୍ୱାଦନ କରି ଯେବେ ଭିଜିଯାଏ । କବି ,ପ୍ରେମିକ ମନର ଅବସ୍ଥା ବର୍ଣନାତୀତ ହୋଇଥାଏ। କେବେ ଆଘ୍ରାଣ କରି ମତୁଆଲା ହୋଇଛ ତା'ର ବାସ୍ନା କୁ ? କେଉଁ ଠୁ ପାଇବ ସେ ଅପୂର୍ବ ଅନୁଭବ ?ଗାଁ ଗହଳି ଛାଡି ଅଧିକାଂଶ ଲୋକେ ସହରରେ ବାସ କରିବାପାଇଁ ପସନ୍ଦ କରୁଛନ୍ତି।ଅଧିକାଂଶ ଶିକ୍ଷିତ ତ ସହରରେ।
ଥରଟେ ପାଦରୁ ଜୋତାମୋଜାକୁ କାଢିଦେଇ ,ସେଇ ସିକ୍ତ ଶିଥିଳ ଭୂମିରେ ପାଦ ଦେଇ କିଛି ବାଟ ଚାଲିବାକୁ ଚେଷ୍ଟା କର। ଦେଖିବ ଭାବ ସମୁଦ୍ରରେ ଯାବତୀୟ କାମନା ,ବାସନା,ଲୋଭରୂପୀ ଜୁଆର ଶାନ୍ତପଡିଯାଇଛି। ଶାନ୍ତ ନିର୍ମଳ ଭାବପାରାବାରର ସଲିଳ ଭଳି କିପରି ସମଗ୍ର ଶରୀରଟି ଉତ୍ତେଜନା ଶୂନ୍ୟ କରିହୋଇଯାଉଛି।ଆତ୍ମାରେ ଏପରି ସ୍ଥିରତା ଆଣିଦେଇଛି ଯେପରି ତୁମେ ନିଜକୁ ନିର୍ବୋଧ ଶିଶୁ ସମ ମଣି ସର୍ବଂସହା ମାଆର ବକ୍ଷପରେ ତୁମର ସ୍ନିଗ୍ଧ ସ୍ପର୍ଶ ଦେଇ ଚାଲିବା ଶିଖୁଛ ।ତୁମ ମୁଖରେ ଖିଲି ଖିଲି ହସ ଆନ୍ଦୋଳିତ କରିଦେଉଛି ମାଆର ମନକୁ। କେତେ ଯେ ଆତ୍ମୀୟତା ଭରିରହିଛି ମାଟିର ସ୍ପର୍ଶରେ ,ମାଟିର ମହକରେ ,ମାଟିର ରଙ୍ଗରେ ତାହା ଅନୁଭବ କରିପାରିବ ପ୍ରୟାସ କଲେ। ତା'ରିଠାରୁ ତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଆମେ ସବୁ ସୁଖ ପାଇଛେ। କ'ଣ ବା ନ ଦେଇଛି ସେ ଆମକୁ ? ଆମର ମୌଳିକ ଆବଶ୍ୟକତା କୁ ପୂରଣ କରିବା ସହିତ ଅନ୍ୟ ଯେତେ ସବୁ ସୁଖ ତା'ରି ଠାରୁ ତ ପାଇଛୁ ନା।
ମାଟି ନଥିଲେ ବୃକ୍ଷ ,ବର୍ଷା, ଖାଦ୍ୟ,ବସ୍ତ୍ର,ବାସଗୃହ ଏପରିକି ପବନ ମଧ୍ୟ ,ସବୁକିଛି ତା'ରି ଦାନ ରେ ମିଳିଛି।ତେଣୁ ମୃତିକା ସଂରକ୍ଷଣ ଉପରେ ସର୍ବ ପ୍ରଥମେ ପ୍ରାଧାନ୍ୟ ଦେବାଉଚିତ୍।ତା'ପରେ ବୃକ୍ଷ,ଜଳ ର ସଂରକ୍ଷଣ ଓ ପ୍ରଦୂଷଣ ମୁକ୍ତ କରିବାକୁ ଚେଷ୍ଟା କରିବା ଆମର ସମ୍ପୂର୍ଣ ପରିବେଶ କୁ।ମାଟି ,ବୃକ୍ଷ ,ଜଳ,ବାୟୁ ଏ ଚାରି ଉପାଦାନ ଜୀବଜଗତ ପାଇଁ ଅପରିହାର୍ଯ୍ୟ। ତେଣୁ ସେଇ ମାତା ବସୁନ୍ଧରା ଙ୍କୁ କୋଟି ପ୍ରଣାମ। ପୁତ୍ର ପଛେ ମାତା ବିମୁଖ ହୁଏ ମାତ୍ର ମାତା ପୁତ୍ର ବିମୁଖ ହେବା ଅସମ୍ଭବ ପ୍ରାୟ। ଏଇ ମାଆ ,ସେ ମାଟି ମାଆ ହେଉ ବା ଜନ୍ମଦାତ୍ରୀ ତା'ର ପାଦତଳେ ସ୍ୱୟଂ ଭଗବାନ ନତମସ୍ତକ କରିଛନ୍ତି।ଯୁଗେ ଯୁଗେ ଗାଇଚାଲିଛନ୍ତି ଗାଉଥିବେ ମଧ୍ୟ ଜ୍ଞାନୀ ଗୁଣି ବା ପଣ୍ଡିତ ମାନେ ତା'ର ଅମର ଗାଥା ,ତା'ର ତ୍ୟାଗ କଥା।ତେଣୁ ସେଇ ମାଟି ମାଆକୁ ପ୍ରଣାମ । ମାଟିର ମହକ ମହକୁ ଥାଉ ଚିରକାଳ ସମାଜର ଅନନ୍ତସୀମା ପର୍ଯ୍ୟନ୍ତ।ଏହା ହିଁ କାମ୍ୟ।