ମାଟି ସରଗ -----------
ମାଟି ସରଗ -----------


ସେଦିନ ଥାଏ ସାବିତ୍ରୀ ଅମାବାସ୍ୟା।ସକାଳୁ ସକାଳୁ ସାବିତ୍ରୀ
ଆଈ ଗାଧୁଆ ପାଧୁଆ ସାରି ନୂଆଲୁଗା ଖଣ୍ଡେ ପିନ୍ଧି ଆଇନା ଆଗରେ ଠିଆ ହୋଇପଡିଲେ। ସିନ୍ଦୁର ଫରୁଆ ଖୋଲି
କପାଳରେ ସିନ୍ଦୁର ଟୋପାଟା ଲଗାଉ ଲଗାଉ ସୁର ଅଜାଙ୍କୁ କହିଲେ, ହେଇଟି,ଶୁଣୁଛଟି?ମୋର ପରା କାମ ସରିଲାଣି। ଆସୁନ ଶୀଘ୍ର ଟିକେ ଯାଇ ମନ୍ଦିରରୁ ଆସିବା।ଆଜି ପରା
ସାବିତ୍ରୀ ବ୍ରତ। ଟିକେ ଡେରି ହେଲେ ମନ୍ଦିରରେ ଆଉ ଠିଆ ହେବାକୁ ବି ଜାଗା ମିଳିବନି। ଅଜା କହିଲେ, ମୁଁ ତ ତୁମକୁ ଅପେକ୍ଷା କରିଛି। ହେଲେ ତୁମ ସିନ୍ଦୁର ଲଗା ସରିଲେତ!
ଘରେ ଯେତେ କାମ ଥାଉ ଥାଉନା କାହିଁକି ସିନ୍ଦୁର
ଲଗେଇବା ମନକୁ ନ ପାଇବା ପର୍ଯ୍ୟନ୍ତ ଆଈ ଆଇନା ଆଗରୁ
ଟିକେ ବି ହଟିବେନି। ଏଥିପାଇଁ ଅନେକ ଥର ଅଜାଙ୍କ ଠାରୁ
ତାଙ୍କୁ ଗାଳି ମଧ୍ୟ ଶୁଣିବାକୁ ପଡିଛି।ଆଈ କିନ୍ତୁ ସେଥିପାଇଁ
ମନଦୁଃଖ କରନ୍ତିନି ବରଂ କହନ୍ତି, 'ତମେ କଣ ବୁଝିବ
ସିନ୍ଦୁରର ମହତ୍ତ୍ଵ? ଜଣେ ସଧବା ନାରୀ ପାଇଁ ୟା' ଠାରୁ
ବଳି ମୂଲ୍ୟବାନ ଗହଣା ଆଉ କିଛି ନାହିଁ।'ଅଜା ଆଉ
କିଛି ନକହି ଚୁପ୍ ହୋଇଯାନ୍ତି।
ସତକୁ ସତ ଆଈ ଯେତେବେଳେ ମଥାରେ ବଡ ସିନ୍ଦୁର
ଟୋପାଟିଏ ଲଗେଇ ବାହାରକୁ ବାହାରନ୍ତି ସମସ୍ତଙ୍କ ଆଖି
ପ୍ରଥମେ ତାଙ୍କ ସିନ୍ଦୁର ଟୋପା ଉପରେ ପଡେ।ସାରା ଗାଁ ର
ସ୍ତ୍ରୀ ଲୋକଙ୍କ ଭିତରେ ଆଈଙ୍କ ସିନ୍ଦୁର ଟୋପାର ଖୁବ୍ ଚର୍ଚ୍ଚା।
ସାହିର ନାତୁଣୀ ବୋହୂମାନେ ଯେତେବେଳେ ଆଈଙ୍କୁ ଥଟ୍ଟାରେ
କହନ୍ତି, ଆଈ! ସିନ୍ଦୁର ଟୋପାଟା ଆଉ ଟିକେ ଛୋଟ କରି
ଲଗେଇଲେ କଣ ଚଳନ୍ତାନି?ଆଈ ସହି ପାରନ୍ତିନି। ତାଙ୍କୁ
ଲାଗେ ଯେମିତି ଅଜାଙ୍କ ଉପରେ କିଏ ନଜର ଲଗେଇଦେଲା। ରାଗିଯାଇ କୁହନ୍ତି,ଦେଖ, ସବୁ କହିଲେ ସହିଯିବି। ହେଲେ ମୋ
ସିନ୍ଦୁର ଉପରେ ନଜର ଲଗେଇବନି କହି ଦେଉଛି।
ଅଜା ଦାଣ୍ଡ ପିଣ୍ଢାରେ ପଡିଥିବା ଚଉକିଟା ଉପରେ ଆଈଙ୍କୁ
ଅପେକ୍ଷା କରି ବସିଥାନ୍ତି।ଆଈ ଆସିଲେ ସାଥି ହୋଇ ମନ୍ଦିର ଯିବେ।
ଏହି ସମୟରେ ଆଈ ବାହାରକୁ ଆସି କହିଲେ,ଚାଲ ଯିବା।
ଆଈ ପୂଜା ଥାଳିଟି ଧରି ଆଗେ ଆଗେ ଚାଲୁଥାନ୍ତି।
ପଛେ ପଛେ ଅଜା।ଏ ଦୃଶ୍ୟ ଗାଁ ଲୋକଙ୍କ ପାଇଁ କିଛି ନୂଆ
ନୁହେଁ କାହିଁକି ନା ବଜାରକୁ ହେଉ ଅବା ବନ୍ଧୁ ଘରକୁ ହେଉ
ଅଜା ଯେତେବେଳେ ଯାଉଥିବେ ଆଈ ନିଶ୍ଚୟ ସାଥିରେ ଥିବେ।କ୍ଵଚିତ କେତେବେଳେ କେମିତି ଦୁଇ ଜଣଙ୍କୁ ଗାଁ ଦାଣ୍ଡରେ
ଏକୁଟିଆ ଦେଖିବାକୁ ମିଳେ।ଥରେ ଥରେ ଦାଣ୍ଡରେ ଏକୁଟିଆ
ଗଲାବେଳେ ଯଦି ଅଜାଙ୍କ ସହ ଦେଖା ହୋଇଯାଏ କିଛି ସମୟ
ପାଇଁ ଠିଆହୋଇ ମୋ ସାଥିରେ ଗପସପ କରନ୍ତି।କହନ୍ତି,
ବୁଝିଲ,ଯୁବାବସ୍ଥା ଅପେକ୍ଷା ବୃଦ୍ଧାବସ୍ଥାରେ ପତ୍ନୀର ଆବଶ୍ୟକତା
ଅଧିକ।ତେଣୁ ବୁଢା ବୁଢ଼ୀ ହେଲାପରେ କେହି କାହାରିକୁ ଛାଡି
ଏକୁଟିଆ ରହିବା ଉଚିତ ନୁହେଁ।ଆମକଥା ଦେଖ,ପିଲାମାନେ
ବଡ ହୋଇଗଲା ପରେ ସେମାନେ ସମସ୍ତେ ତାଙ୍କ ସଂସାରରେ
ବ୍ୟସ୍ତ ଅଛନ୍ତି।ତାଙ୍କ ଚାକିରୀ ଓ ପିଲାଙ୍କ ପାଠପଢା ଭିତରେ
ତାଙ୍କୁ ସମୟ ନ ମିଳିବା ସ୍ଵାଭାବିକ।ମୁଁ ଚାକିରୀରୁ ଅବସର
ନେଲା ପରେ ପୁଅ ମାନଙ୍କର ଏକା ଜିଦ୍ ଆମକୁ ତାଙ୍କ ପାଖକୁ ନେବାପାଇଁ।କିନ୍ତୁ ପିଲାବେଳ ଠାରୁ ଆରମ୍ଭ କରି ଚାକିରୀ
ଜୀବନ ସରିବା ପର୍ଯ୍ୟନ୍ତ ଏ ଗାଁ ର ମାଟି, ପାଣି ଓ ପବନ ସହିତ
ମୁଁ ଓତଃପ୍ରୋତ ଭାବେ ଜଡିତ।କୌଣସି ଅପରିଚିତ ସହରକୁ ଗଲେ ସେଠାରେ ଆମକୁ ଚିହ୍ନିବ କିଏ? ସେଠି ଗୋଟିଏ ବନ୍ଦ
କୋଠରୀ ଭିତରେ ଜୀବନ କାଟିବା ଆମପାଇଁ ଦୁର୍ବିସହ
ହୋଇପଡିବ।ତେଣୁ ପୁଅ ମାନଙ୍କ ପାଖକୁ ନଯାଇ ତୁମ ଆଈ
ସହ ଶେଷ ଜୀବନଟା ଏଇ ଗାଁରେ କାଟିବାପାଇଁ ମନସ୍ଥ କରିଛି।
ଆଜିକାଲି ଗାଁ ର ଅନେକ ଲୋକ ସହରାଭିମୁଖୀ ହେଉଥିବା
ବେଳେ ଅଜାଙ୍କର ଗାଁ ପ୍ରତି ଏହିମମତ୍ଵବୋଧ ମୋତେ ଭାରି
ଭଲଲାଗେ।ସେଥିପାଇଁ ମୁଁ ତାଙ୍କୁ ସମ୍ମାନ କରେ।
ସୁର ଅଜା ପାଖ ଗାଁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା
କରୁଥିଲେ।ପାଞ୍ଚ ବର୍ଷ ହେଲା ଚାକିରୀରୁ ଅବସର ନେଲେଣି।
ଘର ପାଖରୁ ବିଦ୍ୟାଳୟ ମାତ୍ର ଦୁଇ କିଲୋମିଟର ବାଟ।
ଘରୁ ସାଇକେଲରେ ପ୍ରତିଦିନ ସ୍କୁଲକୁ ଯିବାଆସିବା କରନ୍ତି।
ଠିକ୍ ନ'ଟା ବାଜିଲେ ଗାଁ ଦାଣ୍ଡରେ ଅଜାଙ୍କର ସାଇକେଲର
ଘଣ୍ଟି ଶବ୍ଦ ଶୁଭେ।ତାଙ୍କର ଏହି ସମୟାନୁବର୍ତ୍ତିତା ପାଇଁ ଗାଁ
ଲୋକେ ତାଙ୍କୁ ଚଳନ୍ତି ଘଣ୍ଟା ବୋଲି କୁହନ୍ତି।ଅଜାଙ୍କ ପରିବାର
କହିଲେ ଅଜା, ଆଈ,ଦୁଇ ପୁଅ,ଦୁଇବୋହୁ ଓ ଦୁଇ ନାତି ନାତୁଣୀ। ବଡପୁଅ ଶଶୀକାନ୍ତ ଭୂବନେଶ୍ୱରରେ ଚାକିରୀ କରନ୍ତି।
ସେଇଠି ଗୋଟିଏ ଫ୍ଲାଟ କିଣି ସେ ନିଜ ପରିବାର ସହିତ ରହୁଛନ୍ତି।ତାଙ୍କର ଗୋଟିଏ ପୁଅ। ସାନପୁଅ ନିଶୀକାନ୍ତ ମଧ୍ୟ
ରାଉରକେଲାରେ ଚାକିରୀ କରନ୍ତି ଓ ସେଠାରେ ନିଜ ପରିବାର ସହ ରୁହନ୍ତି। ତାଙ୍କର ଗୋଟିଏ ଝିଅ।ଅବସର ନେଲାପରେ
ପୁଅମାନେ ଯେତେ ଅନୁରୋଧ କଲେବି ଅଜା ଗାଁ ଛାଡି ଯିବାକୁ ନାରାଜ।
ବର୍ଷା ଦିନେ ଗୋଟିଏ ଛତାତଳେ ଯେତେବେଳେ ଅଜା ଓ ଆଈ
ଗାଁ ଦାଣ୍ଡରେ ଅଧା ଅଧା ବରଷାରେ ଭିଜି ଭିଜି ଯାଉଥିବେ
ଦାଣ୍ଡ ପିଣ୍ଢାରେ ବସି ପାନ ଚୋବାଉ ଚୋବାଉ ଗାଁ
ମାମଲତକାର ଶଙ୍କର ଅଜା କହନ୍ତି, ହେଇଓ ମାଷ୍ଟ୍ରେ!ଆମ ପିଲାମାନେ ସିନା ଚାକିରୀ କରିନାହାନ୍ତି ବୋଲି ଆମେ ଏଠି ମାଡି ମକଚି ହୋଇ
ରହିଛୁ। କିନ୍ତୁ ତୁମ ପୁଅମାନେ ପରା ତୁମକୁ ଡାକୁଛନ୍ତି।ସେଠାକୁ
ନଯାଇ ଏ ପାଣି କାଦୁଅରେ ବୁଢା ବୁଢ଼ୀ ଦୁହେଁ କାହିଁକି ଦହଗଞ୍ଜ ହେଉଛ? ପିଲାମାନଙ୍କ ପାଖକୁ ଚାଲି ଯାଉନ। ନାତି ନାତୁଣୀଙ୍କ
ସହ ହସିଖେଳି ବାକି ଜୀବନଟା ଖୁସିରେ କଟେଇ ଦେବ।
ଅଜା କହନ୍ତି, ବୁଝିଲ ଶଙ୍କର ବାବୁ! ଜନମଭୂଇଁର ମାଟି,ପାଣି
ଓ ପବନରେ ଗୋଟିଏ ଅଲଗା ବାସ୍ନା ଥାଏ ଯାହା ଆଉ
କେଉଁଠାରେ ମିଳେନାହିଁ। ମଲାବେଳ ସେ ମାଟିରୁ ମୁଠାଏ
ପାଇଲେ ମଣିଷର ଜୀବନ ଧନ୍ୟ ହୋଇଯାଏ।ତେଣୁ ଏ ଗାଁ ଛାଡି ପୁଅମାନଙ୍କ ପାଖକୁ ଯିବାର ମାନସିକତା ମୋର ନାହିଁ। ତାପରେ ସେମାନଙ୍କ କଥା ମନେପଡିଲେ ଆମେ ଦୁଇଜଣଯାକ ଯାଇ ତାଙ୍କ ପାଖରେ କିଛି ଦିନ ରହି ପୁଣି ଏଠିକି ଫେରି ଆସୁଛୁ।ସେମାନେ ବି ଯେତେବେଳେ ଚାହୁଁଛନ୍ତି ଆମକୁ ଆସି
ଦେଖିଯାଉଛନ୍ତି। ଏବେ ତ ଆମର ହାତଗୋଡ ଚଳୁଛି। ଅଯଥାରେ ସେଠାକୁ ଯିବାର ଆବଶ୍ୟକତା ବା କଣ ଅଛି?ସେମାନଙ୍କଠୁ ଆବଶ୍ୟକତା ଠାରୁ ଅଧିକ ଚାହିଁଲେ କେବଳ
ଦୁଖଃ ବ୍ୟତୀତ ଅନ୍ୟ କିଛି ମିଳିବନି।ଯେତେବେଳେ ସେମିତି କିଛି ପରିସ୍ଥିତି ଆସିବ ସେତେବେଳେ ସେକଥା ଚିନ୍ତା କରିବା।ତାପରେ ସେମାନେ ହେଲେ ଆଜି କାଲିକା ପିଲା। ତାଙ୍କ ଆଉ ଆମ ମାନସିକତା ଭିତରେ ଅନେକ ପ୍ରଭେଦ। ତାଙ୍କ ପାଖରେ ସବୁବେଳେ ରହିଲେ କେଉଁଠି ନା କେଉଁଠି ଆଦର୍ଶଗତ ପାର୍ଥକ୍ୟ ନିଶ୍ଚୟ ଆସିବ।ତେଣୁ ସବୁ
ଦୃଷ୍ଟିରୁ ଦେଖିଲେ ଆମପାଇଁ ଏ ଗାଁ ମାଟି ହିଁ ଭଲ।କାହିଁକି କେଜାଣି ଶଙ୍କର ଅଜାଙ୍କୁ ବି କଥାଟା ଯୁକ୍ତିଯୁକ୍ତ ଲାଗେ।ସେ
ଆଉ କିଛି ନକହି ଚୁପ୍ ରହନ୍ତି।
ସେଦିନ ମନ୍ଦିରରୁ ପୂଜା ସାରି ଫେରିଲା ବେଳକୁ ଆଈ
କହିଲେ,ପିଲା ମାନଙ୍କ ପାଖକୁ ଯିବା ଅନେକ ଦିନ ହେଲାଣି।
'ଆଜି କାହିଁକି ସେମାନଙ୍କ କଥା ଭାରି ମନେ ପଡୁଛି। ଚାଲୁନ,
ଟିକେ ତାଙ୍କ ପାଖରୁ ବୁଲି ଆସିବା।'
ଅଜା କହିଲେ, ମୁଁ କଣ ମନା କରୁଛି।କିନ୍ତୁ ଆର ଥରକ ଭଳି
ମୋତେ ବଡପୁଅ ପାଖରେ ଛାଡିଦେଇ ତୁମେ ସାନପୁଅ ପାଖକୁ
ଚାଲି ଯିବନି ତ?ସେମିତି ହେଲେ ମୁଁ ଆଦୌ ଯିବିନି।
ଆଈ କହିଲେ, ଆରେ ନା,ନା। ଗତଥର ସେ ସାନ ନାତୁଣୀଟା
ଜିଦ୍ କଲାବୋଲି ମୁଁ ସିନା ତା ସାଥିରେ ଚାଲି ଯାଇଥିଲି।ଏଥର
କାହିଁକି ଯିବି ?ଅଜା କହିଲେ, ଠିକ୍ ଅଛି। ଏଇ ଦିନେ ଦି'ଦିନ
ଭିତରେ ବଡପୁଅ ପାଖକୁ ଯିବାପାଇଁ ବ୍ୟବସ୍ଥା କରିବା।
ମନ୍ଦିରରୁ ଅଜାଙ୍କର ଘର ପ୍ରାୟ ଅଧ କିଲୋମିଟର ରାସ୍ତା
ହେବ। ଟିକେ ଚାଇଁ ଚାଇଁଆ ଖରା ମାରୁଥାଏ।ଘର ପାଖାପାଖି
ହେଲା ବେଳକୁଅଜାଙ୍କ ମୁଣ୍ଡ ଟିକେ ବୁଲେଇଦେଲା।ଅଜା ଘର
ସାମନାରେ ପଡିଗଲେ।
ଦେହହାତ ଝାଳରେ ବୁଡି ଯାଇଥାଏ। ଆଈ ଅଜାଙ୍କୁ ଧରିନେଇ ଘର ଭିତରେ ଖଟ ଉପରେ ଶୁଆଇ ଦେଲେ।କିଛି ସମୟ ପରେ ଅଜା ଉଠି ବସିଲେ। କହିଲେ, ଖରାଟା ମାରୁଥିଲା ତ, ମୁଣ୍ଡଟା ଟିକେ ବୁଲେଇଦେଲା।ଆଈଙ୍କ ମନ କିନ୍ତୁ ବୁଝୁନଥାଏ।କହିଲେ ,ତୁମର ତ କେବେ ଏମିତି ହୋଇନଥିଲା। ଆଜି ଯେମିତି ହେଉ ଡାକ୍ତର ପାଖକୁ ଯାଇ ବ୍ଲଡ ପ୍ରେସରଟା ଟିକେ ପରୀକ୍ଷା କରିଦେବା।
ସେଦିନ ଚାରିଟା ବେଳେ ଆଈ ଅଜାଙ୍କୁ ନେଇ ଡାକ୍ତରଙ୍କ
ପାଖକୁ ଗଲେ। ଡାକ୍ତର ପ୍ରେସର ମାପିବା ପରେ କହିଲେ,
ଭୟ କରିବାର କିଛି ନାହିଁ। ପ୍ରେସର ଟିକେ ଅଧିକ ଅଛି।
ବିଶ୍ରାମ ନେଲେ ଠିକ୍ ହୋଇଯିବ। କିନ୍ତୁ ନିୟମିତ ଔଷଧ
ଖାଇବାକୁ ପଡିବ।
ଡାକ୍ତରଙ୍କ ପାଖରୁ ଔଷଧ ନେଇ ଫେରିଲା ବେଳେ ଅଜା
ହସି ହସି ଆଈଙ୍କୁ କହିଲେ, ଆରେ, ଆଜିକାଲି ବ୍ଲଡ ପ୍ରେସର
ଓ ଡାଇବେଟିସ ତ ସାଧାରଣ ରୋଗ ହୋଇଗଲାଣି।
ଏଥିରେ ଡରିବାର କଣ ଅଛି?ମୁହଁରେ ଏକଥା କହିଲେ ମଧ୍ୟ
ଅଜାଙ୍କୁ ନିଜ ଶରୀରଟା ସୁସ୍ଥ ଲାଗୁ ନଥାଏ।ଆଈ କାଳେ ଡରିଯିବେ ବୋଲି ତାଙ୍କୁ ସାହସଦେବାକୁ ସେ ଏକଥା କହୁଥାନ୍ତି।
ଏପଟେ ସାବିତ୍ରୀ ବ୍ରତଟାରେ ଅଜାଙ୍କ ଦେହଟା ଖରାପ ହେବାରୁ
ଆଈଙ୍କ ମନକୁ ଖାଲି ପାପ ଛୁଉଁଥାଏ।ବ୍ରତ ପାଳନରେ କେଉଁଠି
କିଛି ତୃଟି ରହିବାରୁ ଏପରି ହେଲା ବୋଲି ସେ ମନରେ ଆଶଙ୍କା କରୁଥାନ୍ତି। ସବୁ ବ୍ରତ ଓ ଓଷାଭିତରେ ଆଈ ସାବିତ୍ରୀ ବ୍ରତକୁ
ଖୁବ୍ ମାନନ୍ତି ଓ ନିଷ୍ଠାର ସହ ପାଳନ କରନ୍ତି।ପ୍ରତିବର୍ଷ ସେହିଦିନ ମନ୍ଦିରକୁ ଯାଇ ଅଜାଙ୍କର ଦୀର୍ଘ ଜୀବନ ପାଇଁ ଠାକୁରଙ୍କ
ନିକଟରେ ପ୍ରାର୍ଥନା କରନ୍ତି।ସ୍ଵାମୀଙ୍କ ହାତଧରିଏ ଘରକୁ ବୋହୂ ହୋଇ ଆସିବା ଚାଳିଶ ବର୍ଷରୁ ଉର୍ଦ୍ଧ୍ବ ହେଲାଣି।ପ୍ରତ୍ୟେକ ବର୍ଷ ଏହି ଦିନ ସେ ସ୍ଵାମୀଙ୍କ ସହ ମନ୍ଦିରକୁ ଯାଇଥାନ୍ତି।କୌଣସି ବର୍ଷ ସାବିତ୍ରୀ ବ୍ରତରେ ଏଭଳି ଅଘଟଣ ଘଟି ନଥିଲା। ଆଜି କାହିଁକି ଏପରି ହେଲା ବୋଲି ସେ ଟିକେ ବିବ୍ରତ ହୋଇପଡିଥାନ୍ତି।ଅବଶ୍ୟ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସାବିତ୍ରୀ ବ୍ରତର ଅଜାଙ୍କ ଅସୁସ୍ଥତା ସହିତ କିଛି ସମ୍ପର୍କ ନଥିଲା।କିନ୍ତୁ ଇଏ ହେଉଛି ଆଈଙ୍କର ସାବିତ୍ରୀ ବ୍ରତ ଉପରେ ଥିବା ବିଶ୍ୱାସ ଓ ଦୃଢତାର କଥା। ଆଜି କାହିଁକି ଏକ ଅଜଣା ଆଶଙ୍କାରେ ତାଙ୍କର ସେ ବିଶ୍ୱାସ ଓ ଦୃଢତାର ସ୍ତମ୍ଭ ଦୋହଲି
ଯାଉଥିଲା ତାହା ସେ ନିଜେ ବି ଜାଣିପାରୁ ନଥିଲେ।
ସେହିଦିନ ରାତି ପ୍ରାୟ ଦଶଟା ହେବ।ଶୋଇବାକୁ
ଗଲାବେଳକୁ ଅଜାଙ୍କର ଗୋଡହାତ ସବୁ ଝିମଝିମ ହେଲା ଭଳି ଲାଗିଲା।
ଶୋଇ ପଡିଲେ ଭଲ ଲାଗିବ ବୋଲି ଭାବି ଅଜା କାହାକୁ କିଛି
ନକହି ଚୁପଚାପ ଶୋଇପଡିଲେ।
ସବୁଦିନେ ରାତି ସାଢେ ଚାରିଟାରେ ଉଠିବା ଅଜାଙ୍କର
ନିତିଦିନିଆ ଅଭ୍ୟାସ।କିନ୍ତୁ ସେଦିନ ଅଜାଙ୍କର ଉଠିବା ଡେରି
ହେବାରୁ ଆଈ ଯାଇ ଅଜାଙ୍କୁ ଡାକିଲେ।କିନ୍ତୁ ଅଜାଙ୍କ ହାତ
ଗୋଡ କିଛି ଚଳୁ ନଥିଲା। ମୁହଁ ବଙ୍କା ହୋଇଯାଇଥିଲା। ସେ
ଖନେଇ ଖନେଇ ଟିକେ ଟିକେ କଥା କହୁଥିଲେ ଯାହାକି
ବୁଝି ହେଉନଥିଲା। ସେ କେବଳ ଅସହାୟ ହୋଇ ଆଈଙ୍କୁ
ଚାହିଁ ରହିଥିଲେ। ଏହା ଦେଖି ଏସବୁ କଣ ହୋଇଗଲା ବୋଲି
ଭାବି ଆଈ ଜୋରରେ କାନ୍ଦି ଉଠିଥିଲେ।
ଆଈଙ୍କ କାନ୍ଦ ଶୁଣି ପଡିଶା ଘରୁ ତାଙ୍କ ପୁତୁରା କୈଳାସ
ଓ ତାଙ୍କ ସ୍ତ୍ରୀ ରମା ଧାଇଁ ଆସିଥିଲେ।ଅଜାଙ୍କ ଶରୀରକୁ
ହଲେଇବାପରେ ସେ କହିଲେ, ବୁଝିଲ ଖୁଡି, ପ୍ରେସର ଅଧିକ
ହୋଇଯାଇ ଦାଦାଙ୍କୁ ବୋଧହୁଏ ପାରାଲିସିସ୍ ହୋଇଗଲା।ଆଈ ଖୁବ୍ ଜୋରରେ କାନ୍ଦୁଥାନ୍ତି। କଣ କରିବେ ବୋଲି ତାଙ୍କୁ କିଛି ବୁଦ୍ଧିବାଟ ଦିଶୁନଥାଏ।
କୈଳାସଙ୍କ ସ୍ତ୍ରୀ ରମା ତାଙ୍କୁ ବୁଝେଇବା ପାଇଁ ଚେଷ୍ଟା କରୁଥାନ୍ତି।
ସେତେବେଳକୁ ସାହିର ଅନ୍ୟ ଲୋକମାନେ ଆସି ସେଠାରେ
ରୁଣ୍ଡ ହୋଇ ଯାଇଥିଲେ।
କୈଳାସ କହିଲେ, ତୁମେ ବ୍ୟସ୍ତ ହୁଅନା ଖୁଡି, ମୁଁ ଗାଡିଟାଏ
ଡାକି ଦେଉଛି। ଦାଦାଙ୍କୁ ଡାକ୍ତରଖାନା ନେଇଯିବା।ୟା ଭିତରେ
କୈଳାସ, ଅଜାଙ୍କର ଦୁଇ ପୁଅଙ୍କୁ ସବୁ ଘଟଣା କହି ଘରକୁ
ଆସିବା ପାଇଁ ଫୋନ କରି ସାରିଥାନ୍ତି।
ଅଜାଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଆଡମିଶନ
କରିବାର ଦୁଇ ଘଣ୍ଟା ପରେ ବଡପୁଅ ଶଶୀକାନ୍ତ ସିଧା ଆସି
ମେଡିକାଲରେ ପହଞ୍ଚିଲେ। ତାଙ୍କୁ ଦେଖି ଆଈ ଭୋ ଭୋ ହୋଇ
କାନ୍ଦି ପକାଇଲେ। ଶଶୀକାନ୍ତ କହିଲେ, ତୁ ଆଦୌ ବ୍ୟସ୍ତ ହ'ନା
ବୋଉ।ଏଠାରେ ଭଲ ଚିକିତ୍ସା ସୁବିଧା ନାହିଁ। ଆମେ ବାପାଙ୍କୁ
ଭୂବନେଶ୍ୱର ନେଇଯିବା। ସେଠାରେ ତାଙ୍କୁ ଭଲ
ହସପିଟାଲରେ ଚିକିତ୍ସା କରାଇବା।ସେ ନିଶ୍ଚୟ ସୁସ୍ଥ ହୋଇଯିବେ।
ଡାକ୍ତରଙ୍କ ସହ ପରାମର୍ଶ କରି ଶଶୀକାନ୍ତ ଆମ୍ବୁଲାନ୍ସ ଯୋଗେ
ଅଜାଙ୍କୁ ନେଇ କଳିଙ୍ଗ ହସ୍ପିଟାଲରେ ଆଡମିଶନ କରାଇଦେଲେ।
ଆଈ ଅଜାଙ୍କ ପାଖରେ ଛାଇ ଭଳି ଜଗି ରହିଥାନ୍ତି। ଡାକ୍ତରଙ୍କର
ଅନେକ ପ୍ରଚେଷ୍ଟା ସତ୍ତ୍ୱେ ଅଜାଙ୍କ ଅବସ୍ଥାରେ କୌଣସି
ପରିବର୍ତ୍ତନ ଦେଖା ଗଲାନାହିଁ।ତାଙ୍କର ସମସ୍ତ ଶରୀର
ପାରାଲିସିସ୍ ଦ୍ଵାରା ଆକ୍ରାନ୍ତ ହୋଇସାରିଥିଲା।ଅଧିକଦିନ ମେଡିକାଲରେ ରଖିବା ଅପେକ୍ଷା ଅଜାଙ୍କୁ ନେଇ ଘରେ ରଖି ଚିକିତ୍ସା କରାଇବାକୁ
ଡାକ୍ତର ପରାମର୍ଶ ଦେଇଥିଲେ।ତାଙ୍କ ପରାମର୍ଶ ଅନୁସାରେ
ଶଶୀକାନ୍ତ ବାପାଙ୍କୁ ନିଜ ଘରକୁ ନେଇ ଯାଇଥିଲେ।ସେତେବେଳକୁ ସାନପୁଅ ନିଶୀକାନ୍ତ ମଧ୍ୟ ନିଜ ପରିବାର
ସହିତ ଆସି ବଡଭାଇଙ୍କ ଘରେ ପହଞ୍ଚି ସାରିଥାନ୍ତି।
ନିଶୀକାନ୍ତ କହିଲେ, ଭାଇ! ଏକେତ ରାଉରକେଲା ଦୂରବାଟ
ଓ ସେଠାରେ ଭୂବନେଶ୍ୱର ଭଳି ଚିକିତ୍ସା ସୁବିଧା ନାହିଁ।ତାପରେ
ମୁଁ ଯେଉଁ ଭଡାଘରେ ରହୁଛି ତାହା କେତେ ଛୋଟ ତା'ତ ଆପଣ
ଜାଣିଛନ୍ତି।ନିଶୀକାନ୍ତଙ୍କ ମୁହଁରୁ କଥା ଛଡାଇ ନେଇ ତାଙ୍କ ସ୍ତ୍ରୀ
ସନ୍ଧ୍ୟା ଶାଶୁଙ୍କୁ କହିଲେ, ଦେଖନ୍ତୁ ବୋଉ,ଆପଣତ ଜାଣିଛନ୍ତି
ଭାରି ଜିନିଷ ଉଠେଇବା ଓ ବେଶୀ ଏପଟ ସେପଟ ହେବା
ମୋର ଗର୍ଭସ୍ଥ ସନ୍ତାନ ପାଇଁ ବର୍ତ୍ତମାନ ହାନିକାରକ। ତେଣୁ ଚାହିଁଲେବି ମୁଁ ବାପାଙ୍କର କୌଣସି ସେବା କରିପାରିବି ନାହିଁ।ତେଣୁ ଭାଇଙ୍କ ଘରେ ରହିବାଟା ବାପାଙ୍କ ପାଇଁ ସବୁ
ଦୃଷ୍ଟିରୁ ହିତକର।ଆଉ ଖର୍ଚ୍ଚ ପାଇଁ ଆପଣ କିଛି ଚିନ୍ତା କରିବେ ନାହିଁ।ବାପାଙ୍କ ଚିକିତ୍ସାରେ ଯାହା ଖର୍ଚ୍ଚ ହେବ ତାର ଅଧା ଅଂଶ ଆମେ ବହନ କରିବୁ।
ଶଶୀକାନ୍ତ କହିଲେ, ଆରେ ନିଶୀ! ପଇସାଟା ବଡକଥା
ନୁହେଁ,ବଡକଥା ହେଉଛି ବାପାଙ୍କର ସେବା।ବାପା ହେଲେ
ପାରାଲିସିସ୍ ରୋଗୀ।ସେ ନିଜେ କିଛି କରିପାରିବେ ନାହିଁ। ତାଙ୍କୁ ଉଠାବସା କରିବା ଠାରୁ ଆରମ୍ଭ କରି ତାଙ୍କର ସମସ୍ତ
ଦୈନନ୍ଦିନ କାର୍ଯ୍ୟପାଇଁ ତାଙ୍କ ପାଖରେ ଚବିଶ ଘଣ୍ଟା ଜଣେ ଲୋକ ଦରକାର।ମୁଁ ତ ଅଫିସ ପଳେଇବି। ପୁଅକୁ ସ୍କୁଲ ପଠାଇବା ଠାରୁ ଆରମ୍ଭ କରି ତାର ପଢା ଦେଖିବା ପର୍ଯ୍ୟନ୍ତ ସବୁକାମ ତୋ ଭାଉଜ ଉପରେ।
ତାପରେ ରୋଷେଇବାସ ଓ ଘରର ଅନ୍ୟ କାମ ଅଛି।ବାପାଙ୍କ
କାମ ସେ କରିବେ କେତେବେଳେ?ଆଉ ବୋଉର ତ ବୟସ
ହେଲାଣି। ଏକୁଟିଆ ବାପାଙ୍କ କାମ ସେ କଣ ନେଇ ଆଣି ଥୋଇପାରିବ?
ତେଣୁ ମୁଁ ଭାବୁଛି ଜଣେ ନର୍ସ ରଖିଦେଲେ ଭଲହେବ।କଥାଟା
ଦୁଇ ଭାଇଙ୍କ ମନକୁ ପାଇଲା।ନର୍ସ ଯୋଗାଡ କରିବାର ଦାୟିତ୍ୱ
ଭାଇଙ୍କ ଉପରେ ଛାଡି ଓ ଚିକିତ୍ସା ଖର୍ଚ୍ଚର ଅଧାଭାଗ ବହନ
କରିବାର ପ୍ରତିଶ୍ରୁତି ଦେଇ ସମସ୍ତଙ୍କ ଠାରୁ ବିଦାୟ ନେଇ
ନିଶୀକାନ୍ତ ସପରିବାର ରାଉରକେଲା ଫେରିଯାଇଥିଲେ।
ପୁଅମାନେ ନିଜ ନିଜ ସମସ୍ୟାର ଦ୍ଵାହି ଦେଇ ନିଜ ମୁଣ୍ଡରୁ
କିପରି ବାପାର ସେବା ଦାୟିତ୍ୱ ଖସେଇଦେଇ ନର୍ସ ମାଧ୍ୟମରେ
ସେ କାମ ତୁଲେଇବାକୁ ଚାହୁଁଥିଲେ ସେକଥା ଆଈ
ଭଲଭାବରେ ବୁଝି ପାରିଥିଲେ।ଭାଇଭାଗ ଭଳି ବାପାଙ୍କ ପ୍ରତି ଥିବା କର୍ତ୍ତବ୍ୟକୁ ଟଙ୍କା ଦ୍ଵାରା ଭାଗ କରିବାଟା ତାଙ୍କୁ ଶକ୍ତ ମାନସିକ ଆଘାତ
ଦେଇଥିଲା।ପଇସା ଦେଇ ଯେ କୌଣସି ଲୋକଦ୍ଵାରା କାମଟା କରାଇଦେଲେ କାମଟା ହୁଏତ ହୋଇ ଯାଇପାରେ କିନ୍ତୁ
ସେଥିରେ ଶ୍ରଦ୍ଧା ଓ ଆନ୍ତରିକତା ଆସିବ କେଉଁଠୁ ? ଆପଣାର ଲୋକ ଶ୍ରଦ୍ଧା ଓ ଆନ୍ତରିକତା ସହ ଯେଉଁ ସେବା କରେ କୌଣସି ଆର୍ଥିକ ମାନଦଣ୍ଡ ଦ୍ଵାରା ତାକୁ ମପା ଯାଇପାରେନା।ପଇସା ଦେଇ ସେବା କିଣାଯାଇ ପାରେ କିନ୍ତୁ ଶ୍ରଦ୍ଧା ଓ ଆନ୍ତରିକତା ନୁହେଁ। ଶ୍ରଦ୍ଧାର ସହିତ
ଅଳ୍ପ ସମୟ ସେବା କଲେ ଯେତିକି ଉପକାର ମିଳେ ବିନା
ଶ୍ରଦ୍ଧାରେ ଦିନ ଦିନ ଧରି କର୍ତ୍ତବ୍ୟ କରି ଚାଲିଲେ ସେତିକି ଉପକାର ମିଳେନା। ଆଈ ମରିଗଲା ପରେ ପୁଅମାନେ ଯଦି ଏକଥା କରାଇଥାନ୍ତେ
ସେ ହୁଏତ ଦେଖିବାକୁ ଆସି ନଥାନ୍ତେ। କିନ୍ତୁ ସେ ବଞ୍ଚି ଥାଉ ଥାଉ ତାଙ୍କ ଆଗରେ ଅନ୍ୟ ଜଣେ ଅଜଣା ଲୋକ ସ୍ଵାମୀଙ୍କର
ଯେ ଠିକ୍ ସେବା କରିପାରିବ ଏକଥାକୁ ସେ ସହଜରେ ଗ୍ରହଣ
କରିପାରୁନଥିଲେ।ପୁଅମାନଙ୍କର ବ୍ୟବହାର ତାଙ୍କୁ କେମିତି ଅଚିହ୍ନା ଅଚିହ୍ନା ଲାଗୁଥିଲା।ଅଜାଙ୍କୁ ଉଠାବସା କରିବା ଠାରୁ
ଆରମ୍ଭ କରି ତାଙ୍କର ଅନ୍ୟ ସମସ୍ତ ଦୈନନ୍ଦିନ କାର୍ଯ୍ୟ ଆଈ ନିଜ
ହାତରେ କରୁଥିଲେ।
ପରଦିନ ସକାଳେ ଅଫିସ ବାହାରିଲା ବେଳେ ଶଶୀକାନ୍ତ
ପତ୍ନୀ ଉଷାକୁ ଡାକି କହିଲେ, ଦେଖ, ମୋର ଆଜିଘରକୁ
ଫେରିବା ଟିକେ ଡେରିହେବ କାରଣ ଆଜି ଯେମିତି ହେଲେ
ଜଣେ ନର୍ସ ଠିକ୍ କରିବାକୁ ହେବ।
ଉଷା କହିଲେ,ଯଦି ଖରାପ ନ ଭାବିବ ଗୋଟିଏ କଥା
କହିବି।ଶଶୀକାନ୍ତ କହିଲେ କଣ କହୁନ।
ସେ କହିଲେ, ତୁମ ସାନଭାଇ ନିଶୀ ବିଭିନ୍ନ ଆଳ ଦେଖାଇ
ଖୁବ୍ ସହଜରେ ନିଜ ମୁଣ୍ଡରୁ ଦାୟିତ୍ୱଟା ଓହ୍ଲେଇ ଆମ ଉପରେ
ଲଦିଦେଲେ।ମୋ ମତରେ ଘରଟାକୁ ନର୍ସିଂହୋମ ନ ବନେଇ
ବାପାଙ୍କୁ ଏଇ ପାଖାପାଖି କୌଣସି ଏକ ନର୍ସିଂହୋମରେ
ରଖେଇବା ବ୍ୟବସ୍ଥା କରିଦିଅ।ତୁମେ ସବୁଦିନେ ଅଫିସରୁ
ଫେରିବାବେଳେ ବାପାଙ୍କୁ ଦେଖିଦେଇ ଆସିବ।ପୁଅକୁ ସ୍କୁଲକୁ
ଛାଡିବା ପାଇଁ ଗଲାବେଳେ ମୁଁ ମଧ୍ୟ ତାଙ୍କୁ ଦେଖି ଆସି ପାରିବି।
ଏମିତି ବି ଆମେ ନର୍ସଟିଏ ରଖିବା ପାଇଁ ପଇସା ଦେଇଥାନ୍ତେ।
ଏଥିରେ ଆଉ କିଛି ଅଧିକ ଖର୍ଚ୍ଚ ହେବ।ତାପରେ ନିଶୀ ତ
ଅଧାଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି।ତେଣୁ ଅସୁବିଧା କଣ?ଶଶୀକାନ୍ତ କହିଲେ, 'ହଉ'।
ଏହି ସମୟରେ ଆଈ ଅଜାଙ୍କ ପାଇଁ ଗରମ ପାଣି ନେବାକୁ
ରୋଷେଇ ଘରକୁ ଆସୁଥିଲେ। କଥାଟା ତାଙ୍କ କାନରେ ପଡିଲା। ଅଜାଣତରେ ତାଙ୍କ ଆଖିରୁ ଲୁହ ଦୁଇଟୋପା ଗଡି ପଡିଲା।
କାହା ଆଗରେ ମନକଥା କହିବେ? ଅଜାଗା ଘା' ଦେଖି
ହୁଏନାହିଁ କି ଦେଖେଇ ହୁଏନାହିଁ।ଯେତେବେଳେ ଆଗରୁ ସେ ଅଜାଙ୍କ ସହ ଏଠାକୁ ବୁଲିବାକୁ ଆସୁଥିଲେ ଏଇ ବୋହୂର
ଗୋଡ ଖୁସିରେ ତଳେ ଲାଗୁନଥିଲା।ନ' ତିଅଣ ଛ' ଭଜା କରି
ପାଖରେ ବସି ବଳେଇ ବଳେଇ ଖୁଆଉଥିଲା।ରାତିରେ ଦୁଇ
ଜଣଙ୍କର ଗୋଡ ଘସି ନଦେଲେ ଶୋଇବାକୁ ଯାଉ ନଥିଲା।ଘରକୁ
ଯିବାପାଇଁ ବାହାରିଲେ ଦିନେ ଦୁଇଦିନ ଅଧିକ ରହିବାକୁ
ବାଧ୍ୟ କରୁଥିଲା। କିନ୍ତୁ! ଆଜି ତାର ଏ କି ପରିବର୍ତ୍ତନ?ସ୍ଵାମୀଙ୍କ
ଦେହ ଖରାପ ହେଲାପରେ ତାଙ୍କୁ ଲାଗୁଥିଲା ଯେମିତିକି ପୁଅବୋହୂ ମାନଙ୍କ ପାଇଁ ସେମାନେ ଅଲୋଡ଼ା ହୋଇ
ପଡିଥିଲେ। ସେମାନଙ୍କ ଦୁନିଆରେ ବାପା ମାଆ ଦୁଇ ଜଣଙ୍କ
ପାଇଁ କୌଣସି ଜାଗା ନଥିଲା।ତେଣୁ ଆଈ ଅଜାଙ୍କୁ ନେଇ ନିଜ
ଦୁନିଆକୁ ଫେରି ଯିବାପାଇଁ ସ୍ଥିର କରି ସାରିଥିଲେ ଯେଉଁଠିକି
ସ୍ଵାଧୀନ ଭାବରେ ସବୁ ନିଷ୍ପତ୍ତି ସେ ନିଜେ ନେଇପାରିବେ।
ସେଦିନ ରାତିରେ ଆଈ ବଡପୁଅକୁ କହିଲେ, ଦେଖ୍ ଶଶୀ!
ମୋ କଥାକୁ ଅନ୍ୟଥା ଭାବିବୁନି।ଜୀବନର ଶେଷ ସମୟଟା
ଗାଁରେ କାଟିବା ପାଇଁ ତୋ ବାପାଙ୍କର ଇଚ୍ଛା ଥିଲା।ତେଣୁ ମୁଁ
ବାପାଙ୍କୁ ନେଇ ଗାଁକୁ ଚାଲିଯାଉଛି।ମୁଁ କୈଳାସକୁ ଫୋନ କରି
ଗାଡି ଆଣି ଆସିବା ପାଇଁ କହିଦେଇଛି।ସେ କାଲି ସକାଳୁ
ଆସିଲେ ମୁଁ ତା ସହିତ ବାପାଙ୍କୁ ନେଇ ଚାଲିଯିବି।ଏମିତି ବି ଯେତେବେଳେ ଚାହିଁବ ତୁମେମାନେ ଗାଁକୁ ଯାଇ ବାପାଙ୍କୁ ଦେଖି ଆସି ପାରିବ। ଏକଥା ଫୋନ କରି ନିଶୀକୁ ଟିକେ ଜଣେଇଦେବୁ।
ଶଶୀକାନ୍ତ କିଛି କହିବା ପୂର୍ବରୁ ବଡବୋହୂ ଉଷା କହିଲେ,
ନାଇଁ ବୋଉ! ଆପଣ ଏକୁଟିଆ ସେଠାରେ ହଇରାଣ ହେବେ।
ଆଈ କହିଲେ, ନାଇଁରେ ମା, ହଇରାଣ କାହିଁକି ହେବି।
ବାପାଙ୍କର ତ ଆଉ ଚିକିତ୍ସା ଦ୍ଵାରା ସ୍ଵାସ୍ଥ୍ୟାବସ୍ଥାରେ କିଛି ଉନ୍ନତି
ହେବନାହିଁ ବୋଲି ଡାକ୍ତର କହି ସାରିଛନ୍ତି।ତାଙ୍କର କେବଳ
ସେବାଶୁଶ୍ରୁଷା ଦରକାର।ସେ କାମଟା ମୋ ଠାରୁ ଆଉ କେହି
ଭଲରେ କରି ପାରିବେ ନାହିଁ ବୋଲି ମୋର ବିଶ୍ୱାସ।ତାପରେ
କୈଳାସର ସ୍ତ୍ରୀ ରମା ଖୁବ୍ ଭଲ ଝିଅଟଏ।ଦରକାର ହେଲେ
ସେ ମୋତେ ସବୁ ପ୍ରକାର ସାହାଯ୍ୟ କରିବ ବୋଲି କୈଳାସ
ମୋତେ କଥା ଦେଇଛି।
ଶଶୀକାନ୍ତ ମା'ଙ୍କର ନିଷ୍ପତ୍ତିକୁ ବଦଳେଇବାକୁ ଯେତେ ଚେଷ୍ଟା
କଲେ ମଧ୍ୟ କିଛି ଫଳ ହେଲାନାହିଁ। ତା ପରଦିନ ସକାଳୁ
ପୁତୁରା କୈଳାସ ସହିତ ଅଜାଙ୍କୁ ନେଇ ଆଈ ଗାଁକୁ ଚାଲି ଯାଇଥିଲେ।
ଗାଁକୁ ଆସିଲା ପରେ ଆଈ ଅଜାଙ୍କ ସେବାରେ ଟିକେ ବି
ହେଳା କରି ନଥିଲେ।ଯେହେତୁ ଅଜାଙ୍କୁ ଉଠାବସା କରେଇବା
ଏକୁଟିଆ ଆଈଙ୍କ ପକ୍ଷେ ଏକ କଷ୍ଟକର ବ୍ୟାପାର ଥିଲା ସେସବୁ
କାମରେ ପୁତୁରା ବୋହୂ ରମା ଆଈଙ୍କୁ ପୂର୍ଣ୍ଣ ପ୍ରାଣରେ ସାହାଯ୍ୟ
କରୁଥିଲେ।
ୟା ଭିତରେ ଏକ ବର୍ଷ ବିତିଗଲାଣି। ସବୁ ପ୍ରକାର ସେବାଶୁଶ୍ରୁଷା ସତ୍ତ୍ଵେ ଅଜାଙ୍କର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଥିଲା। ଶେଯରେ ପଡି ପଡି ଶରୀରରେ ଘା' ହେବାକୁ ଆରମ୍ଭ କରିଥିଲା।ଅଜାଙ୍କର ଏ କଷ୍ଟ ଆଈ ଆଉ
ସହି ପାରୁନଥିଲେ।ଏଣେ ତାଙ୍କ ଆଗରେ କେହି କିଛି ନ କହିଲେ ବି ପଛରେ ଲୋକମାନେ କହୁଥିଲେ,ସୁର ମାଷ୍ଟ୍ରଙ୍କ ଭଳି ଲୋକଙ୍କ ଭାଗ୍ୟରେ ପୁଣି ଏତେ କଷ୍ଟ ଭୋଗିବାକୁ ଥିଲା।ପୂର୍ବ ଜନ୍ମରେ କି କର୍ମ କରିଥିଲେ କେଜାଣିଏ ଜନ୍ମରେ ଏ ଯମ ଯନ୍ତ୍ରଣା ଭୋଗିବାକୁ ପଡୁଛି। କଥାରେ ଅଛି ପରା,
ପ୍ରାଣୀର ଭଲମନ୍ଦ ବାଣୀ। ମରଣ କାଳେ ତାହା ଜାଣି।
ବେଡି ଉପରେ କୋରଡା ମାଡ ପରି ଗାଁ ଲୋକ ମାନଙ୍କର ଏ
ଟୁପଟାପ୍ କଥା ଆଈଙ୍କୁ ଭାରି ବାଧୁଥିଲା।
ସେଦିନ ଥାଏ ସାବିତ୍ରୀ ଅମାବାସ୍ୟା।ଅଜାଙ୍କ ଦେହ ଖରାପ
ହେବା ଆଜିକୁ ବର୍ଷେ ହେଲାଣି।ଆଈ ହାତରେ ପୂଜା ଥାଳିଟି ଧରି ମନ୍ଦିରକୁ ଯାଉଥିଲେ।ତଫାତ୍ ଏତିକି ଯେ ଏବର୍ଷ ଅଜା ସାଥିରେ ନଥିଲେ। ପଚାରିଲି,'କଣ ମନ୍ଦିର ଯାଉଛନ୍ତି ?ଆଉ ଅଜାଙ୍କ ଦେହ କେମିତି ଅଛି?'
ମୁହଁ ଶୁଖେଇ ଆଈ କହିଲେ, ହଁ, ସେମିତି ଅଛି।
କହିଲି ,ଆଜି ସାବିତ୍ରୀ ବ୍ରତ। ମନ ଦେଇ ଠାକୁରଙ୍କୁ ଡାକିବେ,
ଅଜା ଯେମିତି ଶୀଘ୍ର ଭଲ ହୋଇଯିବେ।
ଆଈ ଠକଠକ କାନ୍ଦି ପକେଇ କହିଲେ,ମୁଁ ଆଉ ତାଙ୍କ କଷ୍ଟ
ସହିପାରୁନି ମ ପୁଅ।ଆଜି ଭଳି ଦିନରେ ଠାକୁରଙ୍କୁ ଡାକୁଛି
'ଠାକୁର ତାଙ୍କୁ ଶୀଘ୍ର ନେଇଯାଆନ୍ତୁ'।
ପ୍ରତିବର୍ଷ ସାବିତ୍ରୀ ବ୍ରତଦିନ ଯେଉଁ ଆଈ ମନ୍ଦିରକୁ ଯାଇ
ଅଜାଙ୍କର ଦୀର୍ଘ ଜୀବନ କାମନା କରନ୍ତି, ସେ ଆଜି ଅଜାଙ୍କର ଆଶୁ ମୃତ୍ୟୁ ପାଇଁ ଠାକୁରଙ୍କୁ ଡାକୁଛନ୍ତି! ମୁଁ ହତବାକ୍ ହୋଇ ଆଈଙ୍କୁ ଚାହିଁ ରହିଥିଲି।
ତାଙ୍କ ମଥାର ସେ ସିନ୍ଦୁରଟୋପାଟା ଏବେବି ଦାଉଦାଉ ହୋଇ
ଝଟକୁଥିଲା ।ସେଦିନ ସାବିତ୍ରୀ ସିନା ବୈଧବ୍ୟ ଯନ୍ତ୍ରଣାରୁ
ମୁକ୍ତି ପାଇବା ପାଇଁ ଯମରାଜାଙ୍କ ନିକଟରେ ସତ୍ୟବାନଙ୍କ
ଜୀବନ ଭିକ୍ଷା କରିଥିଲେ, ଆଜି କିନ୍ତୁ ସାବିତ୍ରୀ ଆଈ ସ୍ଵାମୀଙ୍କୁ
ଜୀବନ ଯନ୍ତ୍ରଣାରୁ ମୁକ୍ତି ଦେବାପାଇଁ ଠାକୁରଙ୍କ ନିକଟରେ
ବୈଧବ୍ୟ ଯନ୍ତ୍ରଣା ପାଇଁ ପ୍ରାର୍ଥନା କରୁଥିଲେ।
ସେହିଦିନ ରାତି ତିନିଟା ହେବ। ଗାଁ ଦାଣ୍ଡରେ କୋଳାହଳ
ଶୁଣି ମୋ ନିଦ ଭାଙ୍ଗିଗଲା।କବାଟ ଖୋଲି ବାହାରକୁ ଆସି
ଦେଖିଲି ସାହି ଲୋକମାନେ ଜମାହୋଇ ତାଙ୍କ ଭିତରେ
କଣସବୁ କଥା ହେଉଛନ୍ତି।ଘଟଣାଟା କଣ ବୁଝି ନପାରି
ବଙ୍କୁଲିବାଡି ଧରି ଦାଣ୍ଡରେ ଯାଉଥିବା ଶଙ୍କର ଅଜାଙ୍କୁ ପଚାରିଲି, ଅଜା! କଣ ହୋଇଛି କି? ରାତିରେ ଏ ଗହଳି କଣ ପାଇଁ?
ସେ କହିଲେ, ଆରେ ସୁର ମାଷ୍ଟ୍ରେ ଚାଲିଗଲେ।ଭଲ ହେଲା।
ବିଚରା ବହୁତ କଷ୍ଟ ଭୋଗିଲେଣି।ଭଗବାନ ଏ କଷ୍ଟରୁ ତାଙ୍କୁ
ଉଦ୍ଧାର କରିଦେଲେ।
'ଠାକୁର ତାଙ୍କୁ ଶୀଘ୍ର ନେଇଯାଆନ୍ତୁ'। ଆଈଙ୍କର ସକାଳେ
କହିଥିବା ସେହି ପଦକ କଥା ଏବେବି ମୋ କାନରେ ଗୁଞ୍ଜରିତ ହେଉଥିଲା।ସେଦିନ ସାବିତ୍ରୀଙ୍କର କଥାରଖି ଯମରାଜା ମୃତ
ସତ୍ୟବାନଙ୍କୁ ତାଙ୍କ ଜୀବନ ଫେରେଇ ଦେଇଥିଲେ । କିନ୍ତୁ
ଆଜି ମୋତେ ଲାଗୁଥିଲା ଯେମିତି ସାବିତ୍ରୀ ଆଈଙ୍କ ପ୍ରାର୍ଥନା
ଶୁଣି ଠାକୁର ସୁର ଅଜାଙ୍କୁ ସବୁଦିନ ପାଇଁ ଏ ସାଂସାରିକ
ଯନ୍ତ୍ରଣାରୁ ମୁକ୍ତି ଦେଇଛନ୍ତି।ଯେଉଁ ଅଜା ଗାଁ ମାଟିକୁ ଏତେ ଭଲ
ପାଉଥିଲେ ତାଙ୍କରି ମର ଶରୀର ଆଜି ପଞ୍ଚଭୂତରେ ବିଲୀନ
ହେବାପାଇଁ ଗାଁ ମଶାଣିର ମାଟିକୁ ଅପେକ୍ଷା କରି ରହିଥିଲା। ମୁଁ
ଠିଆ ହୋଇ ସାବିତ୍ରୀ ଆଈଙ୍କର ଅତି ପ୍ରିୟ ସିନ୍ଦୁରଟୋପା କଥା ଭାବୁଥିଲି।
'ରାମ ନାମ ସତ୍ୟ ହୈ' ଶବ୍ଦ ଆସ୍ତେ ଆସ୍ତେ ମୋ କାନରେ
ଗୁଞ୍ଜରିତ ହେଉଥିଲା।