STORYMIRROR

Biswanath Nayak

Others

4  

Biswanath Nayak

Others

ସବାରି ଚାଲେରେ ଧୀରେ ଧୀରେ --------------------------

ସବାରି ଚାଲେରେ ଧୀରେ ଧୀରେ --------------------------

13 mins
21

ସବାରି ଚାଲେରେ ଧୀରେ ଧୀରେ
 ----------------------------------------
ଦୈନନ୍ଦିନ ଜୀବନରେ ଶାଶୁ ଓ ବୋହୂଙ୍କ ଭିତରେ କୋୖଣସି ଏକ କଥାକୁ ନେଇ ମୁହଁ ଫୁଲାଫୁଲି ହେବା ଏ ଦୁନିଆରେ କିଛି ବିଚିତ୍ର କଥା ନୁହେଁ। କିନ୍ତୁ ବିକାଶ ବାବୁଙ୍କ ମାଆ ଯଶୋଦା ଦେବୀ ଓ ପତ୍ନୀ ସବିତାଙ୍କ ଭିତରେ ଯେଉଁ ପ୍ରସଙ୍ଗକୁ ନେଇ ମୁହଁ ଫୁଲାଫୁଲି ହେଲା ତାହା ‌ଥିଲା ଗୋଟିଏ ପୁରୁଣା ସବାରିକୁ ନେଇ। ମାଆ ଆଉ ପତ୍ନୀଙ୍କ ଭିତରେ ଏହି ମୁହଁ ଫୁଲାଫୁଲିକୁ ନେଇ ଭୀଷଣ ଅସୁବିଧାର ସମ୍ମୁଖିନ ହୋଇଥିଲେ ବିକାଶ ବାବୁ। ସେ ଏ ସମସ୍ୟା ଭିତରୁ କିପରି ବାହାରକୁ ବାହାରିବେ କିଛି ଜାଣି ପାରୁ ନଥିଲେ। ଗୋଟିଏ ପଟେ ମାଆଙ୍କ ମନରେ ଦୁଃଖ ହେବ ବୋଲି ଭାବି ସେ ମାଆଙ୍କୁ କିଛି କହି ପାରୁ ନଥିଲେ। ଅନ୍ୟପଟେ ମାଆଙ୍କ କଥାରେ ମନଦୁଃଖ କରିଥିବା ପତ୍ନୀଙ୍କୁ ମଧ୍ୟ ବୁଝାଇସୁଝାଇ ତାଙ୍କ ମନର ଦୁଃଖକୁ ଦୂର କରି ପାରୁ ନଥିଲେ। ଏମିତିରେ ବି ଦେଖିବାକୁ ଗଲେ ଘରେ ବିକାଶ ବାବୁଙ୍କ ଘରେ ମାତ୍ର ତିନିଜଣ ଲୋକ। ସେ ନିଜେ , ତାଙ୍କ ମାଆ ଯଶୋଦା ଦେବୀ ଆଉ ପତ୍ନୀ ସବିତା। ଘରେ ତିନିଜଣଙ୍କ ଭିତରୁ ଯଦି ଦୁଇଜଣଙ୍କ ଭିତରେ ମୁହଁ ଫୁଲାଫୁଲି ହେଲା ତାହେଲେ ତୃତୀୟ ଲୋକଟି ହନ୍ତସନ୍ତ ହେବା ଥୟ। ଆଉ ବିଶେଷ କରି ସେହି ଦୁଇଜଣ ଯଦି ମାଆ ଓ ପତ୍ନୀ ହୋଇଥାନ୍ତି ତାହେଲେ ତ କଥା ସରିଲା। ସବୁଠାରୁ ଯେଉଁ କଥା ବିକାଶ ବାବୁଙ୍କୁ ବେଶୀ ଦୁଃଖ ଦେଉଥିଲା ତାହା ହେଲା ମାଆ ଯଶୋଦା ଦେବୀ ଓ ପତ୍ନୀ ସବିତାଙ୍କ ମଧ୍ୟରେ ଅନ୍ୟ କୋୖଣସି ଗୁରୁତ୍ୱପୂର୍ଣ୍ଣ କଥା ପାଇଁ ନୁହେଁ , ଗୋଟିଏ ପୁରୁଣା ସବାରି ପାଇଁ ମୁହଁ ଫୁଲାଫୁଲି ହୋଇଥିଲା। ଅବଶ୍ୟ ସେ ପୁରୁଣା ସବାରିଟା ନେଇ ମାଆ ଯେ ସବିତାଙ୍କୁ କାହିଁକି ଏପରି କହିଲେ ବିକାଶ ବାବୁ କିଛି ବୁଝି ପାରୁ ନଥିଲେ। ବିକାଶ ବାବୁ ତାଙ୍କ ପିଲାଦିନୁ ସେ ସବାରିଟିକୁ ଦେଖି ଆସୁଛନ୍ତି। ସବାରିଟି ତାଙ୍କ ଘରର ଦାଣ୍ଡ ପିଣ୍ଡାରେ ସବୁବେଳେ ଥୁଆ ହୋଇଥାଏ। ସେଥିରେ ଟିକେ ଅଳନ୍ଧୁ ଲାଗିଲେ ତାଙ୍କ ମାଆ ଯଶୋଦା ଦେବୀ ଗୋଟିଏ ପୁରୁଣା ସଫା ଲୁଗା ନେଇ ତାକୁ ପରିଷ୍କାର କରନ୍ତି। ପିଲାଦିନେ ବିକାଶ ବାବୁ ସାଥି ପିଲାମାନଙ୍କ ସହିତ ତାଙ୍କ ଦାଣ୍ଡରେ ବଲ୍ ଖେଳୁଥିବା ବେଳେ ବଲ୍ ଯଦି ଯାଇ ସେ ସବାରିରେ ବାଜେ ତାଙ୍କ ମାଆ ଘର ଭିତରୁ ସବୁକାମ ଛାଡ଼ି ବାହାରକୁ ଦୋୖଡି ଆସନ୍ତି ଓ ପିଲାମାନଙ୍କ ସହିତ ତାଙ୍କ ଉପରେ ଭୀଷଣ ଭାବରେ ବିରକ୍ତ ହୁଅନ୍ତି। ସବାରିର ରଙ୍ଗ ଟିକେ ଫିକା ପଡ଼ିଗଲେ ତାଙ୍କ ମାଆ ତାଙ୍କ ବାପା ରୁଦ୍ର ବାବୁଙ୍କୁ କହି ରଙ୍ଗ ମିସ୍ତ୍ରୀକୁ ଡକାଇ ଆଣନ୍ତି ଓ ସେ ସବାରି ରଙ୍ଗ ହୋଇ ପୁଣି ନୂଆ ଭଳି ହୋଇଯାଏ। କହିବାକୁ ଗଲେ ସବାରିଟି ତାଙ୍କ ଦାଣ୍ଡପିଣ୍ଡାରେ ନୂଆ ବୋହୂଟିଏ ଭଳି ସଜେଇ ହୋଇ ସବୁବେଳେ ଥୁଆ ହୋଇଥାଏ। ତାଙ୍କ ବାପା ଚାଲିଗଲା ପରେ ମାଆଙ୍କ କଥା ଅନୁସାରେ ତାଙ୍କୁ ମଧ୍ୟ କେତେଥର ରଙ୍ଗ ମିସ୍ତ୍ରୀକୁ ଡକାଇ ସବାରିଟିକୁ ରଙ୍ଗ କରିବାକୁ ପଡ଼ିଛି। ମାଆ ଯଶୋଦା ଦେବୀ ସେ ସବାରିଟିକୁ କାହିଁକି ଯେ ଏତେ ଯତ୍ନରେ ରଖିଥିଲେ ସେ ବିଷୟରେ ସେ କେବେ ଗଭୀର ଭାବରେ ଚିନ୍ତା କରି ନଥିଲେ। ଅବଶ୍ୟ ଘରର ସବୁ ଜିନିଷକୁ ସାଇତି ରଖିବା ଯଶୋଦା ଦେବୀଙ୍କର ଏକ ଭଲ ଅଭ୍ୟାସ ଥିଲା। ତେଣୁ ତାଙ୍କ ମାଆ ଘରର ସବୁ ଜିନିଷକୁ ସାଇତି ରଖିବା ପରି ଏ ସବାରିଟିକୁ ମଧ୍ୟ ଯତ୍ନର ସହିତ ସାଇତି ରଖିଛନ୍ତି ବୋଲି ବିକାଶ ବାବୁ ଭାବୁଥିଲେ। ସବିତା ବିକାଶ ବାବୁଙ୍କୁ ବିଭା ହୋଇ ତାଙ୍କ ଘରକୁ ବୋହୂ ହୋଇ ଆସିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ଘରେ ସବାରିଟିକୁ ନେଇ କେବେ କୋୖଣସି ସମସ୍ୟା ଉପୁଜି ନଥିଲା। ସବାରିଟି ତାଙ୍କ ଦାଣ୍ଡ ପିଣ୍ଡାରେ ସେମିତି ଥୁଆ ହୋଇଥିଲା। ଯେଉଁଦିନ ସବାରିକୁ ନେଇ ଯଶୋଦା ଦେବୀ ଓ ସବିତାଙ୍କ ଭିତରେ ମୁହଁ ଫୁଲାଫୁଲି ହେଲା ସେଦିନ ରବିବାର ଥିଲା। ବିକାଶ ବାବୁ ଅଫିସ୍ ନଯାଇ ଘରେ ଥିଲେ। ସେଦିନ ସବିତାଙ୍କର ଅନୁରୋଧରେ ବିଦେଶରେ ରହୁଥିବା ତାଙ୍କର ଦୁଇ ଜଣ ଅନ୍ତରଙ୍ଗ ସାଙ୍ଗ ତାଙ୍କ ଘରକୁ ବୁଲିବା ପାଇଁ ଆସିଥାନ୍ତି। ସବିତା ସେମାନଙ୍କୁ ଦେଖି ଖୁବ୍ ଖୁସି ହେଲା ଓ ସେମାନଙ୍କୁ ନିଜ ସ୍ଵାମୀ ଓ ଶାଶୁଙ୍କ ସହିତ ପରିଚୟ କରାଇ ଦେଲା। ହସଖୁସିରେ ଗପସପ ଓ ଖାଇବା ପିଇବା ସାରି ଗଲା ବେଳକୁ ସେମାନେ ସବାରିଟିକୁ ଦେଖାଇ ସବିତାଙ୍କୁ ଏକାନ୍ତରେ କହିଲେ , ସବିତା ! ଏତେ ସୁନ୍ଦର ଘର କରିଛ। କିନ୍ତୁ ଘର ସମ୍ମୁଖରେ ଏ ପୁରୁଣା ସବାରିଟା ରଖି ଘରଟାର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛ କାହିଁକି ? ୟାକୁ ଏଠାରୁ ନେଇ ଅନ୍ୟ କେଉଁଠି ରଖିଦିଅ ନହେଲେ ରଖିବା ପାଇଁ ତୁମର ଯଦି ଆଉ କେଉଁଠି ଯାଗା ନାହିଁ ତାହେଲେ ୟାକୁ ବିକ୍ରି କରିଦିଅ। ସବିତା ସାଙ୍ଗମାନଙ୍କୁ ଏଣେତେଣୁ କହି କଥାଟାକୁ ସେତେବେଳେ ସିନା ଏଡେ଼ଇ ଦେଲା କିନ୍ତୁ ସେମାନଙ୍କ କଥାଟା ତାକୁ ମଧ୍ୟ ଠିକ୍ ଲାଗିଲା ଓ ସେ ସବାରିଟିକୁ ଘର ସମ୍ମୁଖରୁ ନେଇ ଅନ୍ୟ କେଉଁଠି ରଖିବା ପାଇଁ ସ୍ଵାମୀଙ୍କୁ କହିବ ବୋଲି ମନ ମଧ୍ୟରେ ସ୍ଥିର କଲା। ସାଙ୍ଗମାନେ ଯିବାର କିଛି ସମୟ ପରେ ସବିତା ସ୍ବାମୀଙ୍କୁ କହିଲା , ଦେଖ ! ଦାଣ୍ଡ ପିଣ୍ଡାରେ ଥୁଆ ହୋଇଥିବା ପୁରୁଣା ସବାରିଟା ଆମ ଘରର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି ବୋଲି ମୋ ସାଙ୍ଗମାନେ କହୁଥିଲେ। ସେମାନେ ଯାହା କହିଲେ ସେକଥା ମୋତେ ମଧ୍ୟ ଠିକ୍ ଲାଗିଲା। ତେଣୁ ମୁଁ କଣ କହୁଥିଲି କି ସବାରିଟା ସେଠାରୁ ଉଠାଇ ନେଇ ଅନ୍ୟ କେଉଁଠି ରଖିଦେଲେ କେମିତି ହୁଅନ୍ତା ? ତାପରେ ଏବେତ ଏ ସବାରି ଆଉ କାହାରି କିଛି କାମରେ ଲାଗୁନାହିଁ। ତେଣୁ ତାକୁ ନେଇ ଘରର ପଛପଟେ ଥିବା ପୁରୁଣା ଖଞ୍ଜା ଭିତରେ ରଖିଦିଅ ନହେଲେ ବିକ୍ରି କରିଦିଅ। ବିକାଶ ବାବୁ କିଛି କହିବା ପୂର୍ବରୁ ଅନତି ଦୂରରେ ଥିବା ଯଶୋଦା ଦେବୀଙ୍କ କାନରେ କଥାଟା ପଡ଼ିଗଲା। ସେ ସାଙ୍ଗେ ସାଙ୍ଗେ ସବିତା ପାଖକୁ ଧାଇଁ ଆସି କହିଲେ , କଣ କହିଲୁ ସବିତା ! ତୋ ସାଙ୍ଗମାନଙ୍କୁ ପସନ୍ଦ ଆସିଲାନି ବୋଲି କଣ ମୋ ସବାରି ବିକ୍ରି ହେବ ! ତୋ ସାଙ୍ଗମାନଙ୍କ କଥା ଛାଡ଼। ତୁ ଏ ସବାରି ବିଷୟରେ କଣ ଜାଣିଛୁ ଯେ ମନକୁ ମନ ଏତେ ବଡ଼ ନିଷ୍ପତ୍ତି ନେଇଗଲୁ ! ଗୋଟିଏ କଥା ଶୁଣି ରଖ୍ ସବିତା। ବିକ୍ରି ହେବା ତ ଦୂରର କଥା ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସେ ସବାରି ସେ ସ୍ଥାନରୁ ଅନ୍ୟ କେଉଁଠିକି ଉଠିବ ବି ନାହିଁ। ମୁଁ ଏ ଘରକୁ ବୋହୂ ହୋଇ ଆସିବା ଦିନ ଠାରୁ ସେ ସବାରି ଯେଉଁଠି ଥୁଆ ହୋଇ ଆସୁଛି ସେ ସେଇଠି ହିଁ ରହିବ। ସବିତା ଶାଶୁଙ୍କୁ ଆଉ କିଛି ନକହି ମନଦୁଃଖରେ ସେଠାରୁ ଚୁପଚାପ୍ ନିଜର ଶୋଇବା ଘର ଭିତରକୁ ଚାଲିଗଲା ଓ ଖଟ ଉପରେ ଶୋଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା। ସବିତା ଭାବିଲା , ଏ ଘରକୁ ବୋହୂ ହୋଇ ଆସିବା ଦିନ ଠାରୁ ତା ଶାଶୁ ତାକୁ କେବେ ବି ଏମିତି ରୁକ୍ଷ କଥା କହି ନଥିଲେ। ସାମାନ୍ୟ ଗୋଟିଏ ପୁରୁଣା ସବାରି ପାଇଁ ସେ ତାକୁ ଆଜି ଏଭଳି କଥା କହିଲେ କାହିଁକି ? ସବିତାକୁ କିଛି ଭଲ ଲାଗୁ ନଥିଲା। ଖଟଟା ଉପରେ ଶୋଇ ରହି ସେ ଖାଲି ସେହି ପୁରୁଣା ସବାରିଟା କଥା ଭାବୁଥିଲା। କିଛି ସମୟ ପରେ ବିକାଶ ବାବୁ ଆସି ସବିତାଙ୍କୁ କହିଲେ , ଦେଖ ! ମାଆଙ୍କ କଥାରେ ତୁମ୍ଭେ ମୋଟେ ମନଦୁଃଖ କରନା କାହିଁକି ନା ପିଲାଦିନୁ ସେ ସବାରି ପାଇଁ ମୁଁ ମଧ୍ୟ ଅନେକଥର ମାଆଙ୍କ ଠାରୁ ଗାଳି ଖାଇଛି। ସେ ସବାରି ବିଷୟରେ ମୁଁ ମାଆଙ୍କୁ କେବେ କିଛି ପଚାରି ନାହିଁ ସତ କିନ୍ତୁ ମୁଁ ଏତିକି ଜାଣିଛି ଯେ କାହିଁକି କେଜାଣି ମାଆ ସେ ସବାରିକୁ ବହୁତ ଭଲ ପାଆନ୍ତି ଯେଉଁଥିପାଇଁ ସେ ଆଜି ପର୍ଯ୍ୟନ୍ତ ତାକୁ ଯତ୍ନର ସହିତ ସାଇତି ରଖିଛନ୍ତି। ତେଣୁ ଆଜି ଯେତେବେଳେ ତୁମେ ସବାରିକୁ ବିକ୍ରି କରିବା କଥା କହିଲ ମାଆ ବିରକ୍ତ ହୋଇ ତୁମକୁ ସେପରି କହି ଦେଇଛନ୍ତି। ସବିତା କହିଲା , ଠିକ୍ ଅଛି। ତୁମ କଥା ମୁଁ ମାନୁଛି। ମାଆ ସେ ସବାରିଟିକୁ ବହୁତ ଭଲ ପାଆନ୍ତି। ତେଣୁ ତାକୁ ବିକ୍ରି କରା ଯିବ ନାହିଁ। ହେଲେ ସବାରିଟା କଣ ଘର ଦାଣ୍ଡ ପିଣ୍ଡାରେ ରହିବା ନିହାତି ଦରକାର। ତାକୁ ନେଇ ଆମ ବାରିପଟେ ଥିବା ପୁରୁଣା ଖଞ୍ଜା ଭିତରେ ସାଇତି ରଖିବାରେ ଅସୁବିଧା କେଉଁଠି ! ଦେଖ ! ମୋ ସାଙ୍ଗମାନେ କହିଲେ ବୋଲି ମୁଁ କହୁନି। ଆଚ୍ଛା , ତୁମେ କହିଲ , ଦାଣ୍ଡ ପିଣ୍ଡାରେ ପୁରୁଣା ସବାରିଟା ରହିଲେ ଏତେ ସୁନ୍ଦର ଘରଟାର ସୌନ୍ଦର୍ଯ୍ୟ କଣ ସତରେ ନଷ୍ଟ ହେଉନି ? ବିକାଶ ବାବୁ ପତ୍ନୀଙ୍କ ପ୍ରଶ୍ନର କିଛି ଉତ୍ତର ଦେଇ ପାରୁ ନଥିଲେ କାରଣ ଦାଣ୍ଡ ପିଣ୍ଡାରେ ଥୁଆ ହୋଇଥିବା ସବାରିଟା ପ୍ରକୃତରେ ଘରର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଥିଲା। ଆଜି ସିନା ସବିତାଙ୍କ ସାଙ୍ଗମାନେ ସବିତାଙ୍କୁ ଏକଥା କହିଲେ , କିନ୍ତୁ ବିକାଶ ବାବୁଙ୍କ ଘରକୁ ଆସୁଥିବା ବିକାଶ ବାବୁଙ୍କର ଅନେକ ବନ୍ଧୁ ମଧ୍ୟ ଅତୀତରେ ତାଙ୍କୁ ଏକଥା କହିଥିଲେ ଓ ପୁରୁଣା ସବାରିଟିକୁ ଦାଣ୍ଡ ପିଣ୍ଡାରୁ ଉଠାଇ ନେଇ ଅନ୍ୟ କେଉଁଠି ରଖିଦେବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ବିକାଶ ବାବୁ ସେ କଥାକୁ ଏତେ ଗୁରୁତ୍ଵର ସହିତ ନେଇ ନଥିଲେ। କିନ୍ତୁ ସେହି ସାମାନ୍ୟ କଥାଟା ଭବିଷ୍ୟତରେ ଯେ ତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେବ ଏକଥା ସେ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲେ। ସେ ପତ୍ନୀଙ୍କୁ କହିଲେ , ଦେଖ ! ମାଆ ବୟସ୍କ ଲୋକ। ଯଦି କୋୖଣସି କାରଣରୁ ସେ ସବାରିଟିକୁ ସେଠାରୁ ଉଠାଇ ଅନ୍ୟ ସ୍ଥାନକୁ ନେବା ପାଇଁ ଚାହୁଁ ନାହାଁନ୍ତି ତାହେଲେ ତୁମେ ସେ କଥାକୁ ନେଇ ଏତେଟା ଜିଦ୍ କରିବା ଉଚିତ୍ ନୁହେଁ। ମୁଁ ସେ ବିଷୟରେ ମାଆଙ୍କ ସହିତ କଥା ହେବି। ସବିତା କହିଲା , ଠିକ୍ ଅଛି। ମୁଁ ଆଉ ଏବେ ସେ ସବାରି ସେଠାରୁ ଉଠାଇବା ବିଷୟରେ କିଛି କହିବି ନାହିଁ। ସ୍ଵାମୀଙ୍କୁ ଏକଥା କହିବା ପରେ ସବିତା ମନେ ମନେ ଭାବିଲା , ଶାଶୁଙ୍କୁ ତ ଆସି ପଞ୍ଚାନବେ ବର୍ଷ ହେଲାଣି। ସେ ବା ଆଉ କେତେଦିନ ରହିବେ ! ସେ ଆଉ ଯେତେଦିନ ରହିବେ ସେ ସବାରି ସେମିତି ସେଠାରେ ଥାଉ। ଶାଶୁ ଚାଲିଗଲା ପରେ ଘରର ଦାୟିତ୍ୱ ଯେତେବେଳେ ମୋ ହାତକୁ ଆସିବ ସେତେବେଳେ ମୁଁ ସ୍ବାମୀଙ୍କୁ କହି ସବାରିଟିକୁ ସେଠାରୁ ଉଠାଇ ଅନ୍ୟ ସ୍ଥାନରେ ରଖାଇଦେବି ନହେଲେ ବିକ୍ରି କରିଦେବି। ତେଣୁ ଏବେ ବୃଥାରେ ମୁଁ ଆଉ ସେ ସବାରି ପଛରେ ପଡ଼ିବି ନାହିଁ। ଏପଟେ ଯଶୋଦା ଦେବୀ ବୋହୂକୁ ସିନା ଦିପଦ ଟାଣ କଥା କହିଦେଲେ , କିନ୍ତୁ ବୋହୂଟା ମନ ଦୁଃଖ କରିଥିବ ଭାବି ତାଙ୍କୁ କିଛି ଭଲ ଲାଗୁ ନଥିଲା। ପ୍ରକୃତରେ ବୋହୂକୁ ସେପରି କିଛି କହିବା ତାଙ୍କର ଉଦ୍ଦେଶ୍ୟ ନଥିଲା। କିନ୍ତୁ ସେ ବା କଣ କରିଥାନ୍ତେ ! ସେ ସବାରି ସହିତ ଥିବା ଭାବଗତ ସମ୍ପର୍କ ଯୋଗୁ ସେ ସବାରି ବିଷୟରେ କେହି ଟିକେ କିଛି ଖରାପ କହିଲେ ସେ ମୋଟେ ସହି ପାରୁ ନଥିଲେ। ତେଣୁ ତ ସେ ବୋହୂ ଉପରେ ବିରକ୍ତ ହୋଇ ତାକୁ ଏଭଳି କହିଲେ। ପ୍ରକୃତ କଥା ହେଲା ସେ ସବାରିକୁ ସବୁବେଳେ ସେ ଆଖି ସାମ୍ନାରେ ରଖିବାକୁ ଚାହୁଁ ଥିଲେ ଯେଉଁଥିପାଇଁ ସେ ସବାରିଟିକୁ ଘରର ଦାଣ୍ଡ ପିଣ୍ଡାରେ ଏପରି ଜାଗାରେ ରଖିଥିଲେ ଯେ ଯେପରିକି ଯେତେବେଳେ ସେ ଘରୁ ବାହାରକୁ ବାହାରିବେ ସବାରିଟି ତାଙ୍କ ଆଖିରେ ପଡ଼ିବ। ସେଥିପାଇଁ ସବାରିଟିକୁ ସେଠାରୁ ନେଇ ଅନ୍ୟତ୍ର ରଖିବା କଥାଟାକୁ ସେ ଆଦୋୖ ସହଜରେ ଗ୍ରହଣ କରି ପାରୁ ନଥିଲେ। ସବାରି ସହିତ ତାଙ୍କର ଯେଉଁ ନିବିଡ଼ ସମ୍ପର୍କ ଥିଲା ସେକଥା କେବଳ ତାଙ୍କର ସ୍ଵାମୀ ଜାଣିଥିଲେ। ସେଥିପାଇଁ ସେ ଏ ଘରକୁ ବୋହୂ ହୋଇ ଆସିବା ଦିନଠାରୁ କେବେ ବି ତାଙ୍କ ସ୍ଵାମୀ ସେ ସବାରିକୁ ଦାଣ୍ଡ ପିଣ୍ଡାରୁ ନେଇ ଅନ୍ୟ ସ୍ଥାନରେ ରଖିବା ବିଷୟରେ ଚିନ୍ତା ବି କରି ନଥିଲେ ବରଂ ତାଙ୍କ ଖୁସି ପାଇଁ ପ୍ରତିବର୍ଷ ରଙ୍ଗ ମିସ୍ତ୍ରୀକୁ ଡକାଇ ସେ ସବାରିକୁ ରଙ୍ଗ କରାଉଥିଲେ। ହେଲେ ସେ ତ ଆଜି ନାହାଁନ୍ତି ! ସ୍ଵାମୀଙ୍କ କଥା ଭାବି ଯଶୋଦା ଦେବୀଙ୍କ ଆଖିରୁ ଦୁଇ ଟୋପା ଲୁହ ଗଡ଼ି ପଡ଼ିଲା। କିଛି ସମୟ ପାଇଁ ସେ ଭାବ ବିହ୍ୱଳ ହୋଇ ପଡ଼ିଲେ। ତାଙ୍କର ତାଙ୍କ ବାହାଘର ବେଳ କଥା ମନେ ପଡ଼ିଗଲା। ରୁଦ୍ରବାବୁଙ୍କ ସହିତ ତାଙ୍କର ବାହାଘର ସ୍ଥିର ହୋଇ ସାରିଥାଏ। ବାହାଘର ହେବାକୁ ଆଉ ତିନିମାସ ବାକି ଥାଏ। ତାଙ୍କ ବାପା ବ୍ରଜ ବାବୁ ଓ ତାଙ୍କ ଗାଆଁର ରାଘବ ସ୍ଵାଇଁଙ୍କ ଭିତରେ ଜମିଜମା ଗଣ୍ଡଗୋଳକୁ ନେଇ କେସ୍ ଚାଲିଥାଏ। ରାଘବ ସ୍ଵାଇଁଙ୍କର ଦୁଇଟା ସବାରି ଥାଏ। ପାଖାପାଖି ଦୁଇ ତିନି ଖଣ୍ଡ ଗାଆଁରେ ଯାହାର ଝିଅ ବିଭାଘର ହୁଏ ସେ ରାଘବ ସ୍ଵାଇଁଙ୍କ ଘରୁ ସବାରି ନେଇ ଝିଅ ବିଦା କରିଥାନ୍ତି। ଯେହେତୁ ତାଙ୍କ ବାପାଙ୍କ ସହିତ ରାଘବ ସ୍ଵାଇଁଙ୍କର କେସ୍ ଚାଲିଥିଲା ତାଙ୍କ ବାହାଘର ସ୍ଥିର ହେବାପରେ ରାଘବ ସ୍ୱାଇଁ ଗାଆଁର କିଛି ଲୋକଙ୍କ ଆଗରେ କହିଲେ , ବ୍ରଜ ଝିଅର ବାହାଘରକୁ ମୁଁ ଯିବି ନାହିଁ କି ମୋ ସବାରି ମଧ୍ୟ ଦେବି ନାହିଁ। ଏକଥା ବାପାଙ୍କ କାନରେ ପଡ଼ିଲା। ଅବଶ୍ୟ ବାପା ଚାହିଁଥିଲେ ଅନ୍ୟ ଗାଆଁରୁ ସବାରି ଯୋଗାଡ଼ କରି ବାହାଘର କରାଇ ପାରିଥାନ୍ତେ। କିନ୍ତୁ ବାପା ସେଭଳି କିଛି କଲେ ନାହିଁ। ସେ କହିଲେ , ଆରେ ! ଆମ ଭିତରେ ଜମିଜମାକୁ ନେଇ କେସ୍ ଲାଗିଛି ସତ , କିନ୍ତୁ ମୋ ଝିଅ କଣ ତା ଝିଅ ଭଳି ନୁହେଁ ! ସାମାନ୍ୟ ସବାରିଟା ପାଇଁ ରାଘବ ଏପରି କହିଲା। ମୁଁ ଆଉ କେଉଁଠିକି ସବାରି ପାଇଁ ଯିବି ନାହିଁ। ମୁଁ ନୂଆ ସବାରି ତିଆରି କରି ସେହି ସବାରିରେ ମୋ ଝିଅକୁ ତା ଶାଶୁଘରକୁ ପଠାଇବି। ଏହିପରି ଏକ ଜିଦରେ ସେ ଏହି ସବାରିଟିକୁ ତିଆରି କରାଇଲେ। ବାହାଘର ପୂର୍ବଦିନ ତାଙ୍କ ବାପା ତାଙ୍କୁ ସବାରି ପାଖକୁ ଡ଼ାକି କହିଲେ , ମା ରେ ! ଏ ଯେଉଁ ସବାରିଟି ମୁଁ ତିଆରି କରାଇଲି ସେଥିରେ ବସି ତୁ ତୋ ଶାଶୁଘରକୁ ଯିବୁ। ଏହି ସବାରିଟିକୁ ମୁଁ ତୋତେ ଉପହାର ସ୍ଵରୂପ ଦେଉଛି। ମୋର ଆଉ ଗୋଟିଏ କଥା ମନେ ରଖିବୁ ମା ! ଯାହା ସହିତ ତୁମ ଘରର ଯେତେ ମନୋମାଳିନ୍ୟ ଥାଉ ନା କାହିଁକି କାହାରି ଝିଅ ବିଭାଘରରେ ସବାରି ଦେବାକୁ କେବେହେଲେ ମନା କରିବୁ ନାହିଁ। ରୁଦ୍ର ବାବୁଙ୍କୁ ବାହା ହୋଇ ଏ ଘରକୁ ଆସିବା ପରେ ସେ ତାଙ୍କ ବାପାଙ୍କ କହିଥିବା ସବୁକଥା ସ୍ଵାମୀଙ୍କ ଆଗରେ କହିଥିଲେ। ରୁଦ୍ର ବାବୁ ସେକଥା ଶୁଣି ଖୁବ୍ ଖୁସି ହୋଇଥିଲେ। ସେହିଦିନ ଠାରୁ ପାଖାପାଖି ଗାଆଁର ଯେତେ ଝିଅ ବିଭା ହୋଇଛନ୍ତି ସେମାନେ ମଧ୍ୟରୁ ଅଧିକାଂଶ ଝିଅ ତାଙ୍କର ଏହି ସବାରିରେ ବସି ଶାଶୁଘରକୁ ନିଜ ନିଜର ସଂସାର ଗଢ଼ିବାକୁ ଯାଇଛନ୍ତି। କେବଳ ଯେତେବେଳେ ଗୋଟିଏ ତିଥିରେ ଅଧିକ ଝିଅଙ୍କର ବାହାଘର ଥାଏ ସେତେବେଳେ ଅନ୍ୟ ଗାଆଁରୁ ସବାରି ଆଣିବାର ଆବଶ୍ୟକତା ପଡ଼ିଥାଏ। ଯଦି ଗୋଟିଏ ତିଥିରେ ଗୋଟିଏ ଝିଅର ବାହାଘର ଥାଏ ତାହେଲେ ଏ ସବାରିରେ ସେ ଝିଅ ବସି ଶାଶୁଘରକୁ ଯିବା ଥୟ। କହିବାକୁ ଗଲେ ଏ ସବାରିରେ ବସି ଶାଶୁଘରକୁ ଯିବାକୁ ଯେମିତିକି ସେଠିକାର ସବୁ ଝିଅମାନଙ୍କର ନାଆଁ ଏ ସବାରିରେ ଲେଖା ହୋଇଥିଲା। ଯାହାର ଝିଅ ବିଭାଘର ସ୍ଥିର ହୁଏ ସବାରି ଯୋଗାଡ଼ କରିବା ପାଇଁଁ ତାଙ୍କ ମନରେ କିଛି ଚିନ୍ତା ନଥାଏ। ଝିଅ ବିଭାଘର ସ୍ଥିର ହେବା ଦିନ ହିଁ ଝିଅର ବାପା ଆସି ଏହି ସବାରିରେ ତାଙ୍କ ଝିଅ ଯିବ ବୋଲି ରୁଦ୍ର ବାବୁଙ୍କୁ କହି ଦେଇ ଯାଇଥାନ୍ତି। କୋୖଣସି ପରିସ୍ଥିତିରେ ତାଙ୍କ ସ୍ଵାମୀ ରୁଦ୍ରବାବୁ କାହାରିକୁ କେବେ ସବାରି ଦେବା ପାଇଁ ମନା କରି ନାହାଁନ୍ତି। ବରଂ ଯେତେବେଳେ ଗୋଟିଏ ତିଥିରେ ଅଧିକ ଝିଅଙ୍କର ବାହାଘର ଥିବା ହେତୁ ସବାରି ପାଇଁ ଆସିଥିବା କିଛି ଲୋକଙ୍କୁ ତାଙ୍କ ଘରୁ ଖାଲି ହାତରେ ଫେରି ଯିବାକୁ ପଡ଼େ ତାଙ୍କ ସ୍ଵାମୀ ଭାରି ମନଦୁଃଖ କରିଥାନ୍ତି। ଝିଅମାନେ ବିଦା ହୋଇ ଶାଶୁଘରକୁ ଗଲାବେଳେ ସେମାନଙ୍କ ଆଖି ଲୁହରେ କେତେଥର ଯେ ଏ ସବାରି ଭିଜିଛି ତାର ହିସାବ କେବଳ ଏହି ସବାରି ହିଁ ଦେଇ ପାରିବ। ଖାଲି ଝିଅ ବାହାଘର ନୁହେଁ ଅନେକ ବିପଦ ସମୟରେ ଏ ସବାରି ମଧ୍ୟ ଗାଆଁର କେତେ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛି। ଆଜି ଭଳି ସେତେବେଳେ ଗାଆଁରେ ଅଟୋ ରିକ୍ସା ନଥିଲା। ତେଣୁ ହଠାତ୍ କାହାର ଦେହ ଖରାପ ହେଲେ ଗାଆଁରେ ଥିବା ଗୋଟିଏ ରିକ୍ସା ହିଁ ଏକମାତ୍ର ସାହା ଭରସା ଥିଲା। ସେଦିନର କଥା ତାଙ୍କର ଆଜି ବି ମନେ ଅଛି। ହଠାତ୍ ତାଙ୍କ ଗାଆଁର ଦୈତ୍ୟାରି ପ୍ରଧାନଙ୍କ ଦେହ ଭୀଷଣ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଡାକ୍ତରଖାନାକୁ ନେବାର ଆବଶ୍ୟକତା ପଡ଼ିଲା। କିନ୍ତୁ ତାଙ୍କ ଗାଆଁର ମଦନା ରିକ୍ସାବାଲା ଅନ୍ୟ ଗୋଟିଏ ଭଡ଼ା ନେଇ ଚାଲି ଯାଇ ଥିବାରୁ ଦୈତ୍ୟାରି ପଧାନଙ୍କୁ ତାଙ୍କ ସାହିଲୋକେ ଏହି ସବାରିରେ ନେଇ ଡାକ୍ତରଖାନାରେ ପହଞ୍ଚାଇ ଦେଇଥିଲେ ଯାହା ଫଳରେ କି ସେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ। ଆଉ ଯେଉଁଦିନ ତାଙ୍କ ସ୍ଵାମୀ ରୁଦ୍ର ବାବୁ ନିଜେ ଅସୁସ୍ଥ ହୋଇ ପଡ଼ିଲେ ଓ ସେ ଛାଡୁଥିବା ନିଶ୍ଵାସ ଆଉ ଭିତରକୁ ଲେଉଟିଲା ନାହିଁ ମଦନାର ରିକ୍ସା ଖରାପ ଥିବାରୁ ସାହିର ଲୋକମାନେ ତାଙ୍କୁ ଏହି ସବାରିରେ ବସାଇ ଡାକ୍ତରଖାନାକୁ ନେଇଯିବାରୁ ତାଙ୍କର ଜୀବନ ବଞ୍ଚି ଯାଇଥିଲା। ସେଦିନ ଡାକ୍ତର କହିଥିଲେ , ଆଉ ଟିକେ ଡେରି କରିଥିଲେ ଏ ରୋଗୀକୁ ଆଉ ବଞ୍ଚାଇବା ସମ୍ଭବ ହୋଇ ନଥାନ୍ତା। ଡାକ୍ତରଙ୍କ କହିଥିବା ଏହିକଥା ତାଙ୍କ ସାହିର ଦିଅର ସଦାଙ୍କ ମୁଖରୁ ଶୁଣିବା ପରେ ଯଶୋଦାଙ୍କର ଏହି ସବାରି ପ୍ରତି ଭଲପାଇବା ଅନେକ ଗୁଣରେ ବଢ଼ି ଯାଇଥିଲା। ସେଦିନ ଏହି ସବାରିଟା ତାଙ୍କର ଶଙ୍ଖା ଓ ସିନ୍ଦୂରକୁ ରକ୍ଷା କରିବାରେ ସହାୟକ ହୋଇଥିବାରୁ ସେ ଏହି ନିର୍ଜୀବ ସବାରିଟା ନିକଟରେ ସବୁଦିନ ପାଇଁ ଋଣୀ ହୋଇ ଯାଇଥିଲେ ଓ ବଞ୍ଚିଥିବା ପର୍ଯ୍ୟନ୍ତ କେବେହେଲେ ପିତାଙ୍କର ସ୍ନେହ ଉପହାର ଏହି ସବାରିଟିକୁ ନିଜ ପାଖରୁ ଦୂରେଇ ଦେବେ ନାହିଁ ବୋଲିି ସ୍ଥିର କରିଥିଲେ। ଏହିପରି ଭାବନା ରାଜ୍ୟରେ ଯଶୋଦା ଦେବୀ ବୁଡ଼ି ରହିଥିବା ବେଳେ ବିକାଶ ବାବୁ ଡ଼ାକିଲେ , ମାଆ ! ମୁଁ ଟିକେ ବାହାରକୁ ଯାଉଛି। ପୁଅର ଡାକରେ ଯଶୋଦା ଦେବୀ ଭାବନା ରାଜ୍ୟରୁ ଫେରି ଆସିଲେ ଓ ବୋହୂଟା କାଳେ ମନ ଦୁଃଖ କରିଥିବ ଭାବି ତାକୁ ବୁଝାଇବାକୁ ଶୋଇବା ଘରକୁ ଗଲେ। ଶାଶୁଙ୍କୁ ଦେଖି ସବିତା ଖଟ ଉପରୁ ଉଠି ଆସିଲା। ଯଶୋଦା ଦେବୀ କହିଲେ , ସବିତା ! ମୁଁ ତୋତେ ଟାଣ କରି କଣ ଦିପଦ କହିଦେଲି ବୋଲି ତୁ ମନଦୁଃଖ କରିବୁ ନାହିଁ। ପ୍ରକୃତରେ ତୋତେ ସେପରି କହିବା ମୋର ଉଦ୍ଦେଶ୍ୟ ନଥିଲା। କିନ୍ତୁ କଥା କଣକି ମା ! ସେ ସବାରିକୁ ମୁଁ ଏତେ ଭଲପାଏ ଯେ ତା ବିଷୟରେ କିଏ କିଛି ଖରାପ କହିଲେ ମୁଁ ହଠାତ୍ ରାଗିଯାଏ। ସେଥିପାଇଁ ରାଗରେ ମୁଁ ତୋତେ କଣ ଦୁଇପଦ କହି ଦେଇଛି। ତୁ ସେ କଥାକୁ ଧରିବୁ ନାହିଁ। ସବିତା ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେଇ କହିଲା , ନାଇଁ ମା ! ମୁଁ ସେ କଥାକୁ ଧରିନି। ସେହିଦିନ ଠାରୁ ସେ ସବାରିକୁ ନେଇ ବିକାଶ ବାବୁଙ୍କ ଘରେ ଆଉ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିଲା। ଏ ଘଟଣାର କିଛି ଦିନ ପରେ ଯଶୋଦା ଦେବୀଙ୍କୁ ହଠାତ୍ ଜ୍ଵର ହେଲା। ଔଷଧ ଖାଇବା ପରେ ଜ୍ଵର ଛାଡ଼ିଗଲା ସିନା ହେଲେ କାଶ ଓ କଫ ଆଦୋୖ କମିଲାନି ଓ ତାଙ୍କର ଖାଇବା ମଧ୍ୟ କମିଗଲା। ଯେତେ ଔଷଧ ଖାଇଲେ ମଧ୍ୟ ଦିନକୁ ଦିନ ସେ ବେଶୀ ବେଶୀ ଅସୁସ୍ଥ ହୋଇ ପଡ଼ିଲେ। ଡାକ୍ତରଙ୍କୁ ଦେଖେଇବା ପରେ ସେ ବିକାଶ ବାବୁଙ୍କୁ କହିଲେ , ଏହା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା। ତେଣୁ ଔଷଧ ଦେବା ସହିତ ଆପଣ ତାଙ୍କର ଅଧିକ ଯତ୍ନ ନିଅନ୍ତୁ। କିନ୍ତୁ ସବୁ ପ୍ରକାର ପ୍ରଚେଷ୍ଟା ସତ୍ତ୍ଵେ ସେହି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରୁ ଯଶୋଦା ଦେବୀ ଆଉ ସୁସ୍ଥ ହୋଇ ପାରିଲେ ନାହିଁ ଓ ପୁଅବୋହୂଙ୍କ କୋଳରେ ମଥା ରଖି ଆରପାରିକୁ ଚାଲିଗଲେ। ମୃତ ଶାଶୁଙ୍କର ମଥାକୁ କୋଳରୁ ଖସାଇ ଶେଯ ଉପରେ ରଖିଲା ବେଳକୁ ଶେଯ ଉପରେ ଚାରିଭାଙ୍ଗ ହୋଇ ରହିଥିବା ଏକ ଚିଠି ସବିତା ହାତରେ ପଡ଼ିଲା। ସେ ଚିଠିଟିକୁ ନେଇ ମାଆଙ୍କ ମୃତ୍ୟୁରେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ବିକାଶ ବାବୁଙ୍କ ହାତରେ ଧରାଇଦେଲା। ସେତେବେଳକୁ ରାତି ଦୁଇଟା ହେବ। ସାହିର ଲୋକମାନେ ଯଶୋଦା ଦେବୀଙ୍କୁ ମଶାଣୀକୁ ନେବାପାଇଁ ସମସ୍ତ ଯୋଗାଡ଼ରେ ଲାଗି ପଡ଼ିଥାନ୍ତି। ମାଆଙ୍କ ଶବ ନିକଟରେ ବସି ଆଖିରୁ ଲୁହ ଝରାଉଥିବା ବିକାଶ ବାବୁ କୌତୁହଳ ବଶତଃ ଚିଠିଟିକୁ ଖୋଲି ପଢ଼ିଲେ। ଚିଠିଟିରେ ଲେଖାଥିବା ତାରିଖରୁ ବିକାଶ ବାବୁ ଜାଣି ପାରିଲେ ଯେ ଯେଉଁଦିନ ଶବାରିକୁ ନେଇ ମାଆ ଓ ସବିତାଙ୍କ ଭିତରେ ମୁହଁ ଫୁଲାଫୁଲି ହୋଇଥିଲା ସେହିଦିନ ଏ ଚିଠିଟି ଲେଖା ଯାଇଛି। ଚିଠିଟିରେ ଯଶୋଦା ଦେବୀ ଲେଖିଥିଲେ , ବିକାଶ ! ମୁଁ ତୋତେ ଓ ସବିତାକୁ ମୁହଁ ଖୋଲି ଏକଥା କହି ପାରିଲି ନାହିଁ। ତେଣୁ ଏକଥା ଚିଠିରେ ଲେଖିବା ଉଚିତ୍ ମନେ କଲି। ମୁଁ ଜାଣେ , ଆମ ଦାଣ୍ଡ ପିଣ୍ଡାରେ ରଖା ଯାଇଥିବା ସବାରିକୁ ନେଇ ମୁଁ ଆଜି ସବିତାକୁ ଯାହା କହିଲି ସବିତା ସେଥିପାଇଁ ମନଦୁଃଖ କରିଛି। ସେ ମନଦୁଃଖ କରିବା ସ୍ଵାଭାବିକ କାରଣ ଏ ସବାରି ବିଷୟରେ ସେ କିଛି ଜାଣିନାହିଁ। ସେ କଣ ତୁ ବି ଏ ପର୍ଯ୍ୟନ୍ତ ଏ ସବାରିର ଇତିହାସ ଜାଣି ନାହୁଁ। କିନ୍ତୁ ମୋର ଏ ସବାରି ସହିତ ଯେଉଁ ଆତ୍ମିକ ସମ୍ପର୍କ ରହିଛି ସେକଥା କେବଳ ତୋ ବାପା ଜାଣିଥିଲେ ଓ ମୁଁ ଜାଣିଛି। ତେଣୁ ବାହାଘରରେ ଯେତେବେଳେ ଆଉ ସବାରି ବ୍ୟବହୃତ ନହୋଇ କାର୍ ବ୍ୟବହୃତ ହେଲା ସେତେବେଳେ ତୋ ବାପାଙ୍କର ଅନେକ ବନ୍ଧୁ ସବାରିଟିକୁ ଦାଣ୍ଡ ପିଣ୍ଡାରୁ ନେଇ ଆମ ବାରିପଟ ପୁରୁଣା ଖଞ୍ଜା ଭିତରେ ରଖିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ତୋ ବାପା ମୋର ଖୁସି ପାଇଁ ଏ ସବାରିକୁ କେବେହେଲେ ଦାଣ୍ଡ ପିଣ୍ଡାରୁ ଉଠାଇ ଅନ୍ୟ ସ୍ଥାନକୁ ନେଇ ନଥିଲେ। ଏ ସବାରିଟି ମୋ ବାପାଙ୍କର ମୋ ପାଇଁ ଏକ ଅମୂଲ୍ୟ ଉପହାର। ଏହା ସହିତ ମୋ ବାପାଙ୍କ ସ୍ମୃତି ଜଡ଼ିତ ଅଛି। ସେ ଯେଉଁ ସ୍ନେହ ଓ ଶ୍ରଦ୍ଧାରେ ମୋତେ ଏହି ସବାରିଟିକୁ ଉପହାର ଦେଇଥିଲେ ତାହା କେବଳ ମୁଁ ଅନୁଭବ କରିଛି। ମୋ ବାହାଘର ପାଇଁ ମୋ ବାପା ଏ ସବାରିଟିକୁ ତିଆରି କରାଇଥିଲେ ଓ ଏହି ସବାରିରେ ପ୍ରଥମେ ବସି ମୁଁ ଏ ଘରକୁ ବୋହୂ ହୋଇ ଆସିଥିଲି। ତେଣୁ ଏ ସବାରିକୁ ଦେଖିଲେ ମୋ ମନ ଭିତରେ ମୋ ବାପାଙ୍କର ସ୍ମୃତି ଉଜ୍ଜୀବିତ ହୋଇଉଠେ। ସେଥିପାଇଁ ଏ ସବାରିକୁ ମୁଁ ଆମ ଘର ସମ୍ମୁଖରେ ସାଇତି ରଖିଥିଲି। କିନ୍ତୁ ମୁଁ ଜାଣିଛି ମୋ ମୃତ୍ୟୁ ପରେ ଏ ସବାରି ଆଉ ସେଠି ରହି ପାରିବ ନାହିଁ। ଏହା ତୁମମାନଙ୍କ ପାଇଁ ଅଲୋଡ଼ା ହୋଇଯିବ। ହେବା ମଧ୍ୟ ସ୍ଵାଭାବିକ। କାରଣ ତୋ ବାପା ଯିବା ପରେ ଏ ସବାରିର ମୂଲ୍ୟ କଣ ତାହା କେବଳ ମୁଁ ଜାଣିଛି। ତୁମେମାନେ ଏହାର ମୂଲ୍ୟ ବୁଝି ପାରିବ ନାହିଁ କାରଣ ଏ ସବାରି ମୋ ପାଇଁ ଯେତିକି ମୂଲ୍ୟବାନ ତାହା ଯେ ତୁମମାନଙ୍କ ପାଇଁ ସେତିକି ମୂଲ୍ୟବାନ ହେବ ତାର କିଛି ଯଥାର୍ଥତା ନାହିଁ। ତେଣୁ ହୁଏତ ତୁମେମାନେ ଏହାକୁ ବିକ୍ରି କରିଦେବ କିମ୍ବା ଏହାକୁ ନେଇ ଅନ୍ୟ ବର୍ଜ୍ୟ ପଦାର୍ଥ ଭଳି ବାରିପଟ ପୁରୁଣା ଖଞ୍ଜାର ଅନ୍ଧାରିଆ କୋଠରି ଭିତରେ ରଖିଦେବ। ସେମିତି ହେଲେ ଏ ସବାରି ପ୍ରତି ଅସମ୍ମାନ ହେବ। ଆଉ ଏ ସବାରିର ଅସମ୍ମାନ ହେଲେ ମୋ ସ୍ଵର୍ଗତ ବାପାଙ୍କର ମଧ୍ୟ ଅସମ୍ମାନ ହେବ। ସେଥିପାଇଁ ଏ ସବାରି ପ୍ରତି କୋୖଣସି ଅସମ୍ମାନ ହେବା ମୁଁ ଚାହୁଁ ନାହିଁ। ତେଣୁ ମୋର ତୁମ୍ଭମାନଙ୍କୁ ଗୋଟିଏ ଛୋଟିଆ ଅନୁରୋଧ , ମୋର ମୃତ୍ୟୁ ପରେ ତୁମ୍ଭମାନେେ ଏ ସବାରିକୁ ମଶାଣିକୁ ନେଇ ମୋ ସହିତ ମୋ ଜୁଈରେ ଜାଳିଦେବ। ( ଇତି ) ତୋର ମାଆ। ଆଖି ଲୁହରେ ଭିଜି ଯାଇଥିବା ସେହି ଚିଠିଟିକୁ ବିକାଶ ବାବୁ ପତ୍ନୀ ସବିତାଙ୍କ ହାତରେ ଧରାଇଦେଲେ। ସେ ଜାଣିଥିଲେ ଯେ ସବାରିଟା ମଶାଣିକୁ ନେଇ ମାଆଙ୍କ ଜୁଈରେ ଜାଳି ଦେବା କଥା ଜାଣିଲେ ସବିତା ଖୁବ୍ ଖୁସି ହୋଇଯିବେ କାରଣ ସେ ପୁରୁଣା ସବାରିଟାକୁ ସେ ଆଦୌ ପସନ୍ଦ କରୁ ନଥିଲେ। ରାତି ପାହି ଆସୁଥାଏ। ସାହିର ଲୋକମାନେ କୋକେଇ ବାନ୍ଧିସାରି ଯଶୋଦା ଦେବୀଙ୍କର ଶବକୁ ନେବା ପାଇଁ ଯେତେବେଳେ ଘର ଭିତରକୁ ଆସିଲେ ବିକାଶ ବାବୁ ସବାରିଟିକୁ ମଶାଣିକୁ ନେବା କଥା କହିବାକୁ ତାଙ୍କ ସାହିର ମୁରବୀ ସୁରବାବୁଙ୍କୁ ପାଖକୁ ଡାକିଲେ ଓ ଲୁହ ଛଳଛଳ ଆଖିରେ କହିଲେ , ସୁର ଦାଦା ! ମାଆ ତାଙ୍କ ସବାରିଟାକୁ ବହୁତ ଭଲ ପାଉଥିଲେ। ତେଣୁ.....। ବିକାଶ ବାବୁ ଆଉ ଅଧିକ କିଛି କହିବା ଆଗରୁ ସବିତା ସ୍ବାମୀଙ୍କୁ ପାଖକୁ ଡାକି ଲୁହ ଭିଜା ଆଖିରେ କହିଲା , ଶୁଣ ! ମାଆଙ୍କର ଶୁଦ୍ଧିକ୍ରିୟା ପରେ ସବାରିଟିକୁ ରଙ୍ଗ କରି ସେଥିରେ 'ମାତୃ ସ୍ମୃତି ' ବୋଲି ଲେଖି ସେଇ ଦାଣ୍ଡ ପିଣ୍ଡାରେ ରଖିଦେଲେ କେମିତି ହୁଅନ୍ତା ! ବିକାଶ ବାବୁ ଆଶ୍ଚର୍ଯ୍ୟର ସହିତ ପତ୍ନୀଙ୍କ ମୁହଁକୁ ଚାହିଁ ରହିଥିଲେ। ଏତିକିବେଳେ ସୁରବାବୁ ବିକାଶ ବାବୁଙ୍କୁ ଡାକି କହିଲେ , ଆରେ ବିକାଶ ! ସବାରି ବିଷୟରେ କଣ କହିବୁ କହୁଥିଲୁ କହୁନୁ ! ମଶାଣୀକୁ ଯିବାକୁ ଡେରି ହେଉଛି ପରା। ବିକାଶ ବାବୁ କହିଲେ , ନାଇଁ ଦାଦା ! ସେମିତି କିଛି ନାହିଁ। ସାହିର ଲୋକମାନେ ଯଶୋଦା ଦେବୀଙ୍କର ଶବକୁ କୋକେଇରେ ଶୁଆଇ ମଶାଣୀକୁ ଯିବାପାଇଁ କୋକେଇକୁ କାନ୍ଧକୁ ଉଠାଉଥିଲେ। ଖୋଳ , କରତାଳ ଓ ରାମ ନାମ ସତ୍ୟ ହୈ ଶବ୍ଦରେ ବିକାଶ ବାବୁଙ୍କ ଦାଣ୍ଡ କମ୍ପି ଉଠୁଥିଲା। ସେହି ଶବ୍ଦରେ ଦାଣ୍ଡ ପିଣ୍ଡାରେ ଥୁଆ ହୋଇଥିବା ସବାରିଟି ଏମିତି କମ୍ପି ଉଠୁଥିଲା ଯେ ଦେଖିଲେ ଲାଗୁଥିଲା ଯଶୋଦା ଦେବୀଙ୍କ ବିଚ୍ଛେଦରେ ସବାରିର ଛାତିଟା ସତେ ଫାଟି ଯିବକି ଆଉ !
 ______________________________


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍