STORYMIRROR

Biswanath Nayak

Others

4  

Biswanath Nayak

Others

ଚେହେରା ________

ଚେହେରା ________

21 mins
7

ଚେହେରା
 ________
      ବିଶ୍ଵମୋହନ ବାବୁ ଜଣେ ଧର୍ମପରାୟଣ ବ୍ୟକ୍ତି ଭାବରେ ଅନନ୍ତପୁର ଅଞ୍ଚଳରେ ଏବେ ବେଶ୍ ପରିଚିତ। ଘର ଅନନ୍ତପୁର ହେଲେ ମଧ୍ୟ ଭୁବନେଶ୍ଵରରେ ଚାକିରି କରିଥିଲା ବେଳେ ସେଠି ସେ ଜାଗା ଖଣ୍ଡେ କିଣିଥିଲେ ଓ ଘର କରି ସେଇଠି ଏବେ ନିଜ ପରିବାର ସହିତ ରହୁଛନ୍ତି। ଅବସର ଆଗରୁ ଚାକିରିର ବ୍ୟସ୍ତବହୁଳ ଜୀବନ ଭିତରେ ଗାଆଁକୁ କ୍ଵଚିତ କେବେ କେମିତି ଆସୁଥିଲେ। କିନ୍ତୁ ଚାକିରିରୁ ଅବସର ଗ୍ରହଣ କଲାପରେ ଏବେ ସେ ଗାଆଁର ଉନ୍ନତି ଦିଗରେ ମନ ବଳାଇଛନ୍ତି। ଗାଆଁରେ ଅନେକ ଦିନରୁ ଯେଉଁ ପୁରୁଣା ରାଧାମାଧବ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା ତାଙ୍କୁ ଭାଙ୍ଗି ଠାକୁରଙ୍କ ବିଜେସ୍ଥଳୀ ଉପରେ ନିଜସ୍ଵ ଅର୍ଥରେ ସେ ଏକ ବିଶାଳ ମନ୍ଦିର ନିର୍ମାଣ କରାଉଛନ୍ତି। ସେଥିପାଇଁ ଏଇଠି ଦୁଇ ବର୍ଷ ହେବ ମନ୍ଦିରର କାମ ତଦାରଖ କରିବା ପାଇଁଁ ସେ ନିୟମିତ ବ୍ୟବଧାନରେ ଗାଆଁକୁ ଆସୁଛନ୍ତି। ଏଇ କେତେଦିନ ହେବ ତାଙ୍କ ଗାଆଁ ଅନନ୍ତପୁର ଓ ଆଖପାଖ ଦଶ ପନ୍ଦର ଖଣ୍ଡ ଗାଆଁର ଲୋକମାନଙ୍କ ମନରେ ତାଙ୍କ ପାଇଁ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ବଢ଼ି ଯାଇଛି କାରଣ ଅନନ୍ତପୁରର ରାଧାମାଧବ ମନ୍ଦିର ସେ ଅଞ୍ଚଳର ଏକ ପ୍ରସିଦ୍ଧ ମନ୍ଦିର। ବିଭିନ୍ନ ପର୍ବ ପର୍ବାଣୀରେ ସେ ମନ୍ଦିରକୁ ଖାଲି ଅନନ୍ତପୁର ଗାଆଁର ଲୋକମାନେ ନୁହଁନ୍ତି ସେ ଗାଆଁ ପାଖାପାଖି ଦଶ ପନ୍ଦର ଖଣ୍ଡ ଗାଆଁର ଲୋକମାନେ ମଧ୍ୟ ଆସିଥାନ୍ତି। ଶ୍ରୀଗୁଣ୍ଡିଚା ଦିନ ମନ୍ଦିର ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖିଛନ୍ତି ବିଶ୍ଵମୋହନ ବାବୁ। ଅଞ୍ଚଳଟା ସାରା ଲୋକମାନଙ୍କ ମୁହଁରେ ବିଶ୍ଵମୋହନ ବାବୁଙ୍କର ପ୍ରଶଂସା। ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା। ଯାହାହେଉ ଏତେ ଦିନର ପୁରୁଣା ମନ୍ଦିରଟାକୁ ନୂଆ କରି ଗଢ଼ି ବିଶ୍ଵମୋହନ ବାବୁ ନୂଆ ପିଢ଼ିର ପିଲାମାନଙ୍କ ପାଇଁ ଏକ ନୂତନ ଆଦର୍ଶ ସ୍ଥାପନ କଲେ। ଆଜିକାଲି କେତେଜଣ ଏ ସମାଜରେ ଅଛନ୍ତି ଯେଉଁମାନେ କି ନିଜ କଥା ନଭାବି ଗାଆଁର ଉନ୍ନତି କଥା ଭାବୁଛନ୍ତି ! ଶ୍ରୀଗୁଣ୍ଡିଚା ପାଖେଇ ଆସୁଥିବାରୁ ମନ୍ଦିର କାମ ଖୁବ୍ ଜୋରସୋରରେ ଆଗେଇ ଚାଲିଥାଏ। ମନ୍ଦିର ତିଆରି ପାଇଁ ବିଶ୍ଵମୋହନ ବାବୁ ସିନା ପଇସା ଖର୍ଚ୍ଚ କରୁଥିଲେ କିନ୍ତୁ ମନ୍ଦିର ତିଆରିର ଅନ୍ୟ ସମସ୍ତ ଆନୁଷଙ୍ଗିକ କାମରେ ଗାଆଁର ଲୋକମାନେ ବିଶ୍ଵମୋହନ ବାବୁଙ୍କୁ ପୂର୍ଣ୍ଣ ପ୍ରାଣରେ ସହଯୋଗ କରୁଥିଲେ। ସେ ଯାହା ହେଉନା କାହିଁକି ଶ୍ରୀଗୁଣ୍ଡିଚା ଆଠଦିନ ଥାଇ ମନ୍ଦିର କାମ ସରିଗଲା। ତାପରେ ବିଶ୍ଵ ମୋହନ ବାବୁ ମନ୍ଦିର ପ୍ରତିଷ୍ଠା ପାଇଁ ସମସ୍ତ ପ୍ରସ୍ତୁତିରେ ଲାଗି ପଡ଼ିଲେ। ପାଖାପାଖି ସବୁ ଗାଆଁର ଲୋକମାନଙ୍କୁ ଶ୍ରୀଗୁଣ୍ଡିଚା ଦିନ ନିମନ୍ତ୍ରଣ କରାଗଲା। ସେଦିନ ସମସ୍ତଙ୍କ ପାଇଁ ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରା ଯାଇଥାଏ। ଏସବୁ କାମରେ ଅନନ୍ତପୁର ଗାଆଁର ଲୋକମାନେ ଅଣ୍ଟା ଭିଡ଼ି ଲାଗି ପଡିଥାନ୍ତି। ଯେହେତୁ ବିଶ୍ଵମୋହନ ବାବୁ ଭୁବନେଶ୍ଵରରେ ରହୁଥିଲେ ଭୁବନେଶ୍ୱରର ଅନେକ ପରିଚିତ ଲୋକଙ୍କୁ ମଧ୍ୟ ସେ ଏହି ମନ୍ଦିର ପ୍ରତିଷ୍ଠା ଦିନ ନିମନ୍ତ୍ରଣ କରିଥାନ୍ତି। ପାଖ ଗାଆଁ ନରେନ୍ଦ୍ରପୁରର ହୃଷୀକେଶ ମହାପାତ୍ର ବିଶ୍ଵମୋହନ ବାବୁଙ୍କ ବାପାଙ୍କର ସଙ୍ଗାତ ଥିଲେ। ବାପାଙ୍କ ସଙ୍ଗାତ ହିସାବରେ ହୃଷୀକେଶ ବାବୁଙ୍କୁ ନିମନ୍ତ୍ରଣ କରିବା ପାଇଁଁ ବିଶ୍ଵମୋହନ ବାବୁ ତାଙ୍କ ଘରକୁ ସ୍ବତନ୍ତ୍ର ଭାବରେ ଜଣେ ଲୋକ ପଠାଇଲେ ଓ ଶ୍ରୀଗୁଣ୍ଡିଚା ଦିନ ମନ୍ଦିର ପ୍ରତିଷ୍ଠା କାମରେ ନିଶ୍ଚିତ ଭାବରେ ଯୋଗଦେବା ପାଇଁ ହୃଷୀକେଶ ବାବୁଙ୍କୁ ସେହି ଲୋକ ମାଧ୍ୟମରେ ମଧ୍ୟ ବିଶେଷ ଅନୁରୋଧ କରିଥିଲେ। ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଭିତରେ ଆଠଦିନ ଯେ କେତେବେଳେ ଚାହୁଁ ଚାହୁଁ ଗଡ଼ିଗଲା ଜଣା ପଡ଼ିଲା ନାହିଁ। ଶ୍ରୀଗୁଣ୍ଡିଚା ଦିନ ସକାଳୁ ସକାଳୁ ଖୋଳ କରତାଳ ଧ୍ବନିରେ ଅନନ୍ତପୁର ଗାଆଁଟା କମ୍ପି ଉଠିଲା। ହରିନାମ ସଂକୀର୍ତ୍ତନ ଭିତରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଚାଲିଥାଏ। ମନ୍ଦିର ପାଖ ପଡ଼ିଆରେ ଟେଣ୍ଟ ବନ୍ଧାଯାଇ ସେଠାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ। ମନ୍ଦିର ନିର୍ମାଣ କାମରେ ଯେଉଁ ଶିଳ୍ପୀ ଓ କାରୀଗର ଆଦି ନିୟୋଜିତ ହୋଇଥିଲେ ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରିବା ପାଇଁଁ ସନ୍ଧ୍ୟା ପୂର୍ବରୁ ଏକ ସାଧାରଣ ସଭାର ବ୍ୟବସ୍ଥା ମଧ୍ୟ ହୋଇଥାଏ। ଭୁବନେଶ୍ଵର ଓ ଅନ୍ୟ ଆଖପାଖ ଗାଆଁରୁ ଆସିବାକୁ ଥିବା ଅତିଥିମାନଙ୍କୁ ସ୍ବାଗତ କରିବାରେ ବିଶ୍ଵମୋହନ ବାବୁ ବ୍ୟସ୍ତ ରହିବେ ବୋଲି ମନ୍ଦିର ପ୍ରତିଷ୍ଠା ପୂଜା କାର୍ଯ୍ୟରେ ଅନନ୍ତପୁର ଗାଆଁର ମୁଖିଆ ପୂରୋଧା ଭାବରେ ବସିଥାନ୍ତି। ଶ୍ରୀଗୁଣ୍ଡିଚା ଦିନ ହୃଷୀକେଶ ବାବୁ ତାଙ୍କ ପୁଅ ଚିନ୍ମୟକୁ ଡ଼ାକି କହିଲେ , ଚିନ୍ମୟ ! ଆଜି ଅନନ୍ତପୁର ଗାଆଁରେ ରାଧାମାଧବ ମନ୍ଦିର ପ୍ରତିଷ୍ଠା ହେଉଛି। ମୋ ସଙ୍ଗାତ ଲକ୍ଷ୍ମୀକାନ୍ତର ପୁଅ ବିଶ୍ଵମୋହନ ସେଠାରେ ରାଧାମାଧବଙ୍କ ପାଇଁ ଏକ ନୂତନ ମନ୍ଦିର ନିର୍ମାଣ କରିଛି। ସେହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ମୋ ପାଖକୁ ଗୋଟିଏ ଲୋକ ପଠାଇ ତା ମାଧ୍ୟମରେ ସେ ମୋତେ ବହୁତ ଅନୁରୋଧ କରି କହିଥିଲା। କିନ୍ତୁ ତୁ ତ ଜାଣିଛୁ , ମୋର ଶାରୀରିକ ଅସୁସ୍ଥତା ଯୋଗୁ ସେଠିକି ଯିବା ମୋ ପକ୍ଷରେ ସମ୍ଭବ ହେବନାହିଁ । ଆଉ ଆମଘରୁ କେହି ସେଠାକୁ ନଗଲେ ସେ ଖୁବ୍ ମନଦୁଃଖ କରିବ। ତେଣୁ ତୁ ଟିକେ ସେଠିକି ଯାଆ। ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଦେଖିବୁ ଓ ପ୍ରସାଦ ସେବନ କରି ଫେରି ଆସିବୁ। ବିଶ୍ଵମୋହନର ବାପାଙ୍କ ଦେହାନ୍ତ ପରେ ଏବେ ସିନା ତାଙ୍କ ଘରକୁ ମୋର ଆଉ ଯିବା ଆସିବା ନାହିଁ। କିନ୍ତୁ ଆଗରୁ ଆମ ଦୁଇ ପରିବାର ଭିତରେ ଅତି ଘନିଷ୍ଠ ସମ୍ପର୍କ ଥିଲା। ନିୟମିତ ଭାବରେ ଯିବା ଆସିବା ମଧ୍ୟ ଲାଗି ରହିଥିଲା। ବିଶ୍ଵମୋହନର ମାଆ ଏତେ ଭଲ ଲୋକ ଯେ ସେକଥା ମୁଁ ଆଉ କଣ କହିବି ! ମୁଁ ତାଙ୍କ ଘରକୁ ଗଲେ ସେ ଏତେ ପ୍ରକାରର ସୁସ୍ଵାଦୁ ଖାଦ୍ୟ ନିଜ ହାତରେ ରାନ୍ଧି ମୋତେ ଖୁଆଉଥିଲେ ଯାହାକୁ କି ମୁଁ ଆଜି ପର୍ଯ୍ୟନ୍ତ ଭୁଲି ପାରୁନାହିଁ। ସେତେବେଳେ ତୁ ଆଉ ବିଶ୍ଵମୋହନ ଦୁଇଜଣ ଯାକ ଛୋଟ ଛୋଟ ପିଲା ହୋଇଥିଲ। ତାପରେ ତ ସଙ୍ଗାତ ଚାଲିଗଲେ ଆଉ ମୋ ଦେହ ବି ଭଲ ରହିଲା ନାହିଁ। ତେଣୁ ଚାହିଁଲେ ବି ମୁଁ ଆଉ ତାଙ୍କ ଘରକୁ ଯିବା ଆସିବା କରି ପାରିଲି ନାହିଁ। ଏବେ ବିଶ୍ଵମୋହନ ତୋତେ ଦେଖିଲେ ଚିହ୍ନି ପାରିବ ନାହିଁ କାରଣ ସେହି ଛୋଟ ଥିଲାବେଳେ ଯାହା ତୁମେ ଦୁହେଁ ଦୁହିଁଙ୍କୁ ଦେଖିଥିଲ। ତାପରେ ସେ ତ ଚାକିରି କରି ଭୁବନେଶ୍ଵରରେ ଘର କରି ରହିଲା ଆଉ ତୁ ବି ରେଲୱେରେ ଚାକିରି କରି ଚାକିରି ଜୀବନଟା ବାହାରେ ବାହାରେ କଟେଇଦେଲୁ। ତେଣୁ ଅନେକ ଦିନ ହେଲା ତୁମ ଦୁଇଜଣଙ୍କର କାହାରି କାହା ସହିତ ଦେଖାସାକ୍ଷାତ ହୋଇନାହିଁ। ତାଙ୍କ ପରିବାର ବିଷୟରେ ମୁଁ ଖାଲି ଏତିକି ଜାଣିଛି ଯେ ସଙ୍ଗାତଙ୍କ ଦେହାନ୍ତ ପରେ ବିଶ୍ଵମୋହନ ତା ମାଆଙ୍କୁ ତା ପାଖକୁ ଭୁବନେଶ୍ଵର ନେଇ ଯାଇଥିଲା। ଏବେ ତାଙ୍କ ମାଆ କେମିତି ଅଛନ୍ତି ସେ ବିଷୟରେ ମୋ ପାଖରେ ଆଉ କିଛି ଖବର ନାହିଁ। ଅବଶ୍ୟ ସେଦିନ ନିମନ୍ତ୍ରଣ ପତ୍ର ଧରି ଯେଉଁ ଲୋକଟି ଆସିଥିଲା ମୁଁ ତାକୁ ବିଶ୍ଵମୋହନର ମାଆଙ୍କ ବିଷୟରେ ପଚାରୁଥିଲି। ସେ କିନ୍ତୁ ଭୁବନେଶ୍ଵର ଲୋକ ହୋଇ ଥିବାରୁ ମୋତେ ତାଙ୍କ ବିଷୟରେ ସଠିକ୍ କିଛି କହି ପାରିଲା ନାହିଁ। ତେବେ ଆଜି ତ ତୁ ଯିବୁ। ବିଶ୍ଵମୋହନକୁ ତୁ ତା ମାଆଙ୍କ ବିଷୟରେ ଯେମିତି ହେଲେ ପଚାରିବୁ। ତାଙ୍କ ବିଷୟରେ ଜାଣିବାକୁ ମୋର ଭାରି ଇଚ୍ଛା ହେଉଛି। ଚିନ୍ମୟ କହିଲେ , ହଉ ! ଚିନ୍ମୟ ବାବୁ ମଟର ସାଇକେଲରେ ଯାଇ ରାଧାମାଧବ ମନ୍ଦିର ପାଖରେ ପହଞ୍ଚିଲା ବେଳକୁ ଅପରାହ୍ନ ଚାରିଟା ବାଜିଥାଏ। ମନ୍ଦିର ସମ୍ମୁଖସ୍ଥ ପଡ଼ିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହେଉଥାଏ। ଚିନ୍ମୟ ବାବୁ ସେଠାରେ ପହଞ୍ଚି ଯେତେବେଳେ ଲୋକଙ୍କୁ ବିଶ୍ଵମୋହନ ବାବୁଙ୍କ ବିଷୟରେ ପଚାରିଲେ ସେମାନେ ସଭା ମଞ୍ଚ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ସଭା ମଞ୍ଚ ଉପରେ ବସିଥିବା ବିଶ୍ଵମୋହନ ବାବୁଙ୍କୁ ଦେଖାଇଦେଲେ। ସଭାରେ ଲୋକ ଭରପୂର ହୋଇଥାନ୍ତି। ଚିନ୍ମୟ ବାବୁ ସଭାସ୍ଥଳରେ ପଡ଼ିଥିବା ଗୋଟିଏ ଚଉକି ଉପରେ ବସିଲେ। ସଭାରେ ବିଶ୍ଵମୋହନ ବାବୁ ସଭାପତିତ୍ବ କରୁଥାନ୍ତି। ପାଖ ଚଉକିରେ ତାଙ୍କ ପତ୍ନୀ ସୁରେଖା ଦେବୀ ବସିଥାନ୍ତି। ସଭା ମଞ୍ଚ ଉପରେ ସେ ଅଞ୍ଚଳର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥାଆନ୍ତି। ସେହି ସଭାରେ ମନ୍ଦିର ନିର୍ମାଣ କାମରେ ନିୟୋଜିତ ଥିବା ସମସ୍ତ ଶିଳ୍ପୀ ଓ କାରୀଗର ମାନଙ୍କୁ ଯଥୋଚିତ ସମ୍ମାନରେ ସମ୍ମାନିତ କରାଗଲା। ବିଶ୍ଵମୋହନ ବାବୁ ଓ ତାଙ୍କ ପତ୍ନୀ ସୁରେଖା ଦେବୀ ନିଜ ହାତରେ ସେମାନଙ୍କୁ ସମ୍ମାନିତ କରୁଥିଲେ। ସଭାମଞ୍ଚରେ ଉପସ୍ଥିତ ଥିବା ସେ ଅଞ୍ଚଳର ମୂଖ୍ୟ ବ୍ୟକ୍ତିମାନେ ବିଶ୍ଵମୋହନବାବୁଙ୍କୁ ପ୍ରଶଂସାରେ ପୋତି ପକାଉଥାନ୍ତି। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା। ବିଶ୍ବମୋହନ ବାବୁଙ୍କ ଭଳି ଧର୍ମାପରାୟଣ ବ୍ୟକ୍ତିଙ୍କୁ ପାଇ ଅନନ୍ତପୁର ଗାଆଁ ଧନ୍ୟ ହୋଇଗଲା। ସଭାକାର୍ଯ୍ୟ ଶେଷ ହେଲାବେଳକୁ ସନ୍ଧ୍ୟା ହୋଇ ଆସୁଥାଏ। ମନ୍ଦିର ପ୍ରତିଷ୍ଠାର ମନ୍ତ୍ରଧ୍ଵନି ସହିତ ମନ୍ଦିର ପ୍ରାଙ୍ଗଣ ଭିତରେ ହେଉଥିବା ହରିନାମ ସଂକୀର୍ତ୍ତନ ମିଶି ମନ୍ଦିର ପରିସରରେ ଏକ ଭକ୍ତିଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରୁଥାଏ। ସଭା ସାଙ୍ଗ ହେଲାପରେ ବିଶ୍ଵମୋହନ ବାବୁ ତାଙ୍କ ପତ୍ନୀଙ୍କ ସହିତ ଯେତେବେଳେ ମଞ୍ଚ ଉପରୁ ତଳକୁ ଓହ୍ଲେଇ ଆସିଲେ ଚିନ୍ମୟ ବାବୁ ତାଙ୍କୁ ଦେଖା କରି ନିଜର ପରିଚୟ ଦେଲେ ଓ ତାଙ୍କ ବାପାଙ୍କର ଅସୁସ୍ଥତା ଯୋଗୁ ସେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେବାକୁ ଆସି ପାରିଲେ ନାହିଁ ବୋଲି ବିଶ୍ଵମୋହନ ବାବୁଙ୍କୁ ଜଣାଇଲେ। ହୃଷୀକେଶ ବାବୁଙ୍କ ଅସୁସ୍ଥତା କଥା ଶୁଣି ବିଶ୍ଵମୋହନ ବାବୁ ଦୁଃଖ ପ୍ରକାଶ କଲେ ଓ ଚିନ୍ମୟ ବାବୁଙ୍କୁ କହିଲେ , ଭଲ କଲେ ଆପଣ ଆସିଲେ। ଆପଣଙ୍କ ସହିତ ସେହି ପିଲାବେଳେ ଯାହା ଦେଖା ହୋଇଥିଲା। ୟା ଭିତରେ ଅନେକ ଦିନ ହେବ ଆପଣଙ୍କ ସହିତ ଆଉ ଦେଖା ହେବାର ସୁଯୋଗ ଯୁଟି ନଥିଲା। ତାପରେ ସେ ନିଜ ପତ୍ନୀଙ୍କ ସହିତ ଚିନ୍ମୟ ବାବୁଙ୍କର ପରିଚୟ କରାଇ ଦେଇ କହିଲେ , ବୁଝିଲ ସୁରେଖା ! ଚିନ୍ମୟ ବାବୁ ଆମ ବାପାଙ୍କର ସଙ୍ଗାତ ହୃଷୀକେଶ ମଉସାଙ୍କ ପୁଅ। ତାପରେ ବିଶ୍ଵମୋହନ ବାବୁ ଚିନ୍ମୟ ବାବୁଙ୍କୁ କହିଲେ , ଆପଣ ପ୍ରସାଦ ସେବନ କରିସାରିବା ପରେ ମୋ ସହିତ ଦେଖାକରି ଯିବେ। ଚିନ୍ମୟ ବାବୁ କହିଲେ , ନିଶ୍ଚୟ। ଏହିପରି ଦୁଇଜଣଙ୍କ ଭିତରେ ବାର୍ତ୍ତାଳାପ ଚାଲିଥିବା ସମୟରେ ଜଣେ ଲୋକ ଆସି ବିଶ୍ଵମୋହନ ବାବୁଙ୍କୁ କହିଲେ , ଆଜ୍ଞା ! ଭୁବନେଶ୍ବରରୁ କିଛି ଭଦ୍ରବ୍ୟକ୍ତି ଆସି ଆପଣଙ୍କୁ ଖୋଜୁଛନ୍ତି। ବିଶ୍ଵମୋହନ ବାବୁ ଚିନ୍ମୟ ବାବୁଙ୍କୁ କହିଲେ , ଦେଖନ୍ତୁ , ମୋର ସେପଟେ ଟିକେ କାମ ଆସି ଗଲାଣି। ଆପଣ ମନ୍ଦିର ନିକଟକୁ ଆସନ୍ତୁ। ବିଶ୍ଵମୋହନ ବାବୁଙ୍କ ପତ୍ନୀ ସୁରେଖା ଚିନ୍ମୟ ବାବୁଙ୍କୁ କହିଲେ , ସୁବିଧା ଦେଖି ଆପଣ କେବେ ଆମ ଭୁବନେଶ୍ଵର ଘର ଆଡ଼େ ଆସନ୍ତୁ। ଚିନ୍ମୟ ବାବୁ କହିଲେ , ଠିକ୍ ଅଛି। ମୁଁ ନିଶ୍ଚୟ ଯିବାକୁ ଚେଷ୍ଟା କରିବି। ଚିନ୍ମୟ ବାବୁଙ୍କ ସହିତ ଏହିପରି କଥାବାର୍ତ୍ତା ହୋଇ ବିଶ୍ଵମୋହନ ବାବୁ ଓ ତାଙ୍କ ପତ୍ନୀ ଲୋକଗହଳି ଭିତରେ ତରତର ହୋଇ ମନ୍ଦିର ଆଡ଼କୁ ଚାଲିଗଲେ। ସନ୍ଧ୍ୟା ବେଳକୁ ରାଧାମାଧବ ମନ୍ଦିର ଆଡ଼କୁ ଲୋକମାନଙ୍କର ସୁଅ ଛୁଟିଲା। ପାଖାପାଖି ଗାଆଁର ଯେଉଁ ଲୋକମାନଙ୍କୁ ପ୍ରସାଦ ସେବନ ନିମନ୍ତେ ନିମନ୍ତ୍ରଣ କରା ଯାଇଥିଲା ସେମାନେ ସମସ୍ତେ ଆସି ମନ୍ଦିର ପାଖରେ ଭିଡ଼ ଜମାଇଦେଲେ। ବେଳକୁ ବେଳ ମନ୍ଦିର ପ୍ରାଙ୍ଗଣରେ ଲୋକମାନଙ୍କର ଭିଡ଼ ବଢ଼ିବାରେ ଲାଗିଲା। ୟା ଭିତରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇ ଯାଇଥାଏ। ଯୁଆଡ଼େ ଶୁଣିବ ସମସ୍ତଙ୍କ ମୁହଁରେ ବିଶ୍ଵମୋହନ ବାବୁଙ୍କ ପ୍ରଶଂସା। ଏସବୁ ଦେଖି ଚିନ୍ମୟ ବାବୁଙ୍କୁ ବହୁତ ଖୁସି ଲାଗୁଥିଲା। ସେ ଭାବୁଥିଲେ , ବିଶ୍ଵମୋହନ ବାବୁ ଜଣେ ଧର୍ମପରାୟଣ ବ୍ୟକ୍ତି ନ ହୋଇଥିଲେ ହାତରୁ ପଇସା ଖର୍ଚ୍ଚ କରି ସେ ଏତେ ବଡ଼ ମନ୍ଦିର କେବେହେଲେ ତିଆରି କରାଇ ନଥାନ୍ତେ। ତାପରେ ପ୍ରସାଦ ସେବନ କାର୍ଯ୍ୟ ଆରମ୍ଭ ହେଲା। ପ୍ରସାଦ ସେବନ ସ୍ଥାନରେ ଭିଡ଼କୁ ଦେଖି ଚିନ୍ମୟ ବାବୁ ଭାବିଲେ , କିଛି ଲୋକ ପ୍ରସାଦ ସେବନ କରି ଯାଇ ସାରିବା ପରେ ମୁଁ ପ୍ରସାଦ ସେବନ କରିବି। ମନ୍ଦିରର ଅନତି ଦୂରରେ ଠିଆ ହୋଇ ଚିନ୍ମୟ ବାବୁ ଏହିପରି ଭାବୁଛନ୍ତି , ହଠାତ୍ ବିଜୁଳି ଓ ଘଡ଼ଘଡ଼ି ମାରି ଆକାଶରେ କଳା ହାଣ୍ଡିଆ ମେଘ ଘୋଟି ଆସିଲା। ଜୋରରେ ପବନ ବହିବାକୁ ଲାଗିଲା। ଲୋକମାନଙ୍କ ପାଖରେ ପତ୍ର ଲାଗୁ ଲାଗୁ ବର୍ଷା ଓ ପବନ ଏତେ ଜୋରରେ ମାଡ଼ି ଆସିଲା ଯେ ବନ୍ଧା ହୋଇଥିବା ଟେଣ୍ଟ ଭାଙ୍ଗି ପଡ଼ିଲା। ପ୍ରସାଦ ସେବନ କରିବାକୁ ବସିଥିବା ଲୋକମାନେ ଭୟରେ ଖାଇବା ସ୍ଥାନରୁ ଉଠି ଟେଣ୍ଟ ବାହାରକୁ ପଳାଇ ଆସିଲେ। ମନ୍ଦିରଟି ଗାଆଁର ଶେଷ ମୁଣ୍ଡରେ ଅବସ୍ଥିତ ଥିବାରୁ ଲୋକମାନେ ଓଦା ହୋଇ ଗାଆଁ ଆଡ଼କୁ ଦୋୖଡିବାରେ ଲାଗିଲେ। ଚିନ୍ମୟ ବାବୁ ଯେତେବେଳେ ଦେଖିଲେ ଯେ ମନ୍ଦିର ସମ୍ମୁଖରେ ଲୋକ ଖୁନ୍ଦାଖୁନ୍ଦି ହୋଇ ଠିଆ ହୋଇଗଲେଣି ସେ କେଉଁଠି ଠିଆ ହେବେ କିଛି ସ୍ଥିର କରି ନପାରି ଅନତି ଦୂରରେ ଥିବା ନିଜର ମଟର ସାଇକେଲ ପାଖକୁ ବର୍ଷାରେ ଭିଜି ଭିଜି ଧାଇଁଲେ। ବେଳକୁ ବେଳ ବର୍ଷାର ପ୍ରକୋପ ବଢିବାରେ ଲାଗିଥିଲା। ଚିନ୍ମୟ ବାବୁ ଓଦା ହୋଇ ସାରିଥିଲେ ମଧ୍ୟ ସେହି ଅବସ୍ଥାରେ ମଟର ସାଇକେଲ ଡିକିରୁ ନିଜର ବର୍ଷାତି ବାହାର କରି ପିନ୍ଧି ପକାଇଲେ ଓ ଘରକୁ ଯିବା ପାଇଁ ମଟର ସାଇକେଲ ଷ୍ଟାର୍ଟ କଲେ। ଅନନ୍ତପୁର ଗାଆଁ ଭିତରେ କିଛି ବାଟ ଗଲା ପରେ ଏତେ ଜୋରରେ ବର୍ଷା ଓ ପବନ ହେଲା ଯେ ଚିନ୍ମୟ ବାବୁଙ୍କ ପକ୍ଷରେ ଆଉ ମଟର ସାଇକେଲ ଚଲେଇବା ସମ୍ଭବ ହେଲାନାହିଁ। ଗାଆଁ ଦାଣ୍ଡରେ ପାଣିର ସୁଅ ଛୁଟୁଥାଏ। ଭୀଷଣ ବର୍ଷାରେ ରାସ୍ତା ଦେଖା ଯାଉ ନଥାଏ। ଆଉ କିଛି ଉପାୟ ନପାଇ ଚିନ୍ମୟ ବାବୁ ଗୋଟିଏ ଘର ସମ୍ମୁଖରେ ମଟର ସାଇକେଲ ଅଟକାଇ ରଖି ସେହି ଘରର ବାରଣ୍ଡାରେ ଠିଆ ହେଲେ। ଭାବିଲେ , ବର୍ଷା ପବନ ଟିକେ ଥମିଗଲେ ସେ ଘରକୁ ଯିବେ। କିନ୍ତୁ ଭୀଷଣ ପବନ ଯୋଗୁ ଏତେ ଜୋରରେ ବର୍ଷା ଛାଟ ମାରୁଥିଲା ଯେ ବାରଣ୍ଡାରେ ଠିଆ ହେବା ଚିନ୍ମୟ ବାବୁଙ୍କ ପାଇଁ କଷ୍ଟକର ହୋଇ ପଡ଼ୁଥିଲା। ଶୀତରେ ତାଙ୍କ ଦେହହାତ ଥରି ଯାଉଥିଲା। ହେଲେ ସେଠି ଠିଆ ହେବା ବ୍ୟତୀତ ତାଙ୍କ ପାଖରେ ଆଉ ଅନ୍ୟ କିଛି ଉପାୟ ନଥିଲା। ସେହି ବାରଣ୍ଡାରେ ଠିଆ ହୋଇ ଚିନ୍ମୟ ବାବୁ ଭାବୁଥିଲେ , ଏ ବର୍ଷା ହେବା ଫଳରେ ବିଶ୍ଵମୋହନ ବାବୁଙ୍କର ଏତେ ବଡ଼ ଆୟୋଜନଟା ସତରେ ନଷ୍ଟ ହୋଇଗଲା। ସେ ଯେଉଁ ଲୋକମାନଙ୍କୁ ପ୍ରସାଦ ସେବନ କରିବାକୁ ନିମନ୍ତ୍ରଣ କରିଥିଲେ ବର୍ଷା ଓ ପବନ ଯୋଗୁ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବି ପ୍ରସାଦ ସେବନ କରିପାରିଲେ ନାହିଁ। ବିଶ୍ଵମୋହନ ବାବୁଙ୍କ ମନଟା ଯେ କିପରି ଭାଙ୍ଗି ଯାଇଥିବ ସେଇକଥା ଭାବି ଚିନ୍ମୟ ବାବୁ ମନେ ମନେ ଦୁଃଖ କରୁଥିଲେ ଓ ବର୍ଷା ଓ ପବନ କମିଲେ ସେ କିପରି ଘରକୁ ଯିବେ ବାରଣ୍ଡାରେ ଠିଆ ହୋଇ ସେ ସେହି କଥା ଚିନ୍ତା କରୁଥିଲେ। ଏତିକିବେଳେ ତାଙ୍କର ଆଉ ଗୋଟିଏ କଥା ମନେ ପଡ଼ିଗଲା। ସେ ଭାବିଲେ , ଆରେ ! ସେ ତ ବିଶ୍ଵମୋହନ ବାବୁଙ୍କୁ ତାଙ୍କ ମାଆଙ୍କ ବିଷୟରେ କିଛି ପଚାରି ପାରିଲେ ନାହିଁ ! ବିଶ୍ଵମୋହନ ବାବୁଙ୍କୁ ତାଙ୍କ ମାଆଙ୍କ ବିଷୟରେ ପଚାରିବା ପାଇଁ ତାଙ୍କ ବାପା ତାଙ୍କୁ ବାରମ୍ବାର କହିଥିଲେ। କିନ୍ତୁ ଏ ବର୍ଷା ଓ ପବନ ଯୋଗୁ ସ୍ଥିତି ଏଭଳି ହେଲା ଯେ ସେ ଆଉ ବିଶ୍ଵମୋହନ ବାବୁଙ୍କୁ ଦେଖାକରି ଆସିବାକୁ ସୁଯୋଗ ବି ପାଇଲେ ନାହିଁ। ତାଙ୍କ ବାପା ତାଙ୍କୁ ଏ ବିଷୟରେ ପଚାରିଲେ ସେ ତାଙ୍କୁ କି ଉତ୍ତର ଦେବେ ! ଏହିପରି ଭାବୁଥିବା ବେଳେ ପବନ ଓ ବର୍ଷାର ବେଗ ଆହୁରି ବଢ଼ିଗଲା। ଚିନ୍ମୟ ବାବୁ କଣ କରିବେ କିଛି ଜାଣି ପାରୁ ନଥିଲେ। ଯେଉଁ ଘର ବାରଣ୍ଡାରେ ଚିନ୍ମୟ ବାବୁ ଠିଆ ହୋଇଥିଲେ ସେ ଘରର ଦୁଆର ଭିତର ପଟୁ ବନ୍ଦ ଥାଏ ଓ ଝରକାଟିଏ ବାରଣ୍ଡା ଆଡ଼କୁ ଖୋଲାଥାଏ। ବର୍ଷା ଓ ପବନ ଯୋଗୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିବାରୁ ଘର ଭିତରେ ଚାର୍ଜ ଲାଇଟିଟିଏ ଜଳୁଥାଏ। ଚିନ୍ମୟ ବାବୁ ଘର ଭିତରକୁ ଲକ୍ଷ୍ୟ କରି ଦେଖିଲେ ଯେ ଜଣେ ବୟସ୍କା ସ୍ତ୍ରୀ ଲୋକ ଖୋଲାଥିବା ଝରକାଟିକୁ ବନ୍ଦ କରିବାକୁ ଝରକା ଆଡ଼କୁ ଆସୁଛନ୍ତି। ଘର ଭିତରୁ ବାହାରକୁ ପଡ଼ୁଥିବା ଝାପସା ଆଲୁଅରେ ଝରକା ନିକଟରେ ଠିଆ ହୋଇଥିବା ଚିନ୍ମୟ ବାବୁଙ୍କୁ ଦେଖି ସେ କହିଲେ , ପୁଅ ! ଏ ଭୀଷଣ ଝଡ଼ ବର୍ଷାରେ ବାରଣ୍ଡାରେ ଠିଆ ହୋଇ ତୁମେ ଓଦା ହେଉଛ କାହିଁକି ? ଆସ , ଘର ଭିତରକୁ ଆସ। ଚିନ୍ମୟ ବାବୁ କହିଲେ , ନାଇଁ ମାଉସୀ ! ମୁଁ ଏଇଠି ଠିକ୍ ଅଛି। ଆପଣ ବ୍ୟସ୍ତ ହୁଅନ୍ତୁନି। ବର୍ଷା ଛାଡ଼ିଗଲେ ମୁଁ ଘରକୁ ଚାଲିଯିବି। ଆପଣ ଝରକା ବନ୍ଦ କରି ଦିଅନ୍ତୁ। ଏକଥା ଶୁଣି ବୃଦ୍ଧା ଜଣକ କହିଲେ , ଦେଖ ! ଯେଉଁ ପ୍ରବଳ ବେଗରେ ବର୍ଷା ଓ ପବନ ହେଉଛି ଇୟେ କମିବାକୁ ଯେ କେତେ ସମୟ ଲାଗିବ ସେକଥା କିଏ କହିବ ! ତେଣୁ ତୁମେ ମୋ କଥା ମାନ ଓ ଆଉ ସେ ବର୍ଷାଛାଟରେ ନ ଭିଜି ଘର ଭିତରକୁ ଚାଲିଆସ। ବର୍ଷା ଛାଡ଼ିଗଲା ପରେ ତୁମେ ତୁମ ଘରକୁ ଚାଲିଯିବ। ଏହା କହି ସେ ଝରକା ବନ୍ଦ କରି ଘରର କବାଟଟା ଖୋଲିଦେଲେ। ଇଚ୍ଛା ନଥିଲେ ମଧ୍ୟ ଜଣେ ବୟସ୍କା ଲୋକଙ୍କର କଥାକୁ ସମ୍ମାନ ଦେଇ ଚିନ୍ମୟ ବାବୁ ଘର ଭିତରକୁ ଗଲେ। ଘର ଭିତରେ ପଡ଼ିଥିବା ଖଟଟା ଉପରେ ସପ ଖଣ୍ଡେ ପାରି ଦେଇ ବୃଦ୍ଧା ଜଣକ ଚିନ୍ମୟ ବାବୁଙ୍କୁ କହିଲେ , ତୁମର ବର୍ଷାତିଟା ଖୋଲି ଦେଇ ଏଇ ଖଟ ଉପରେ ବସିଯାଅ ପୁଅ ! ବର୍ଷାରେ ସେ ପିନ୍ଧିଥିବା ପୋଷାକ ଓଦା ହୋଇ ଯାଇଥିବାରୁ ଚିନ୍ମୟ ବାବୁ ମଧ୍ୟ କିଛି ସମୟ ପାଇଁ ବର୍ଷାତିଟା ଦେହରୁ ବାହାର କରି ଦେବାକୁ ଚାହୁଁଥିଲେ। ସେ ଯେତେବେଳେ ବର୍ଷାତିଟା ଦେହରୁ ଖୋଲିଦେଲେ ବୃଦ୍ଧା ଜଣକ କହିଲେ , ଆରେ ! ତୁମେ ତ ପୂରା ଓଦା ହୋଇଯାଇଛ ! ଏହା କହି ଘର ଭିତରୁ ଏକ ତଉଲିଆ ଆଣି ସେ ଚିନ୍ମୟ ବାବୁଙ୍କ ହାତକୁ ବଢ଼ାଇ ଦେଇ କହିଲେ , ଏଇଟା ମୋ ପୁଅର ତଉଲିଆ। ତୁମ୍ଭେ ଏଥିରେ ପୋଛିପାଛି ହୋଇଯାଅ। ନହେଲେ ତୁମ୍ଭଙ୍କୁ ଥଣ୍ଡା ଧରିଯିବ। ଇଚ୍ଛା ନଥିଲେ ମଧ୍ୟ ବୃଦ୍ଧାଙ୍କର ସ୍ନେହବୋଳା କଥାକୁ ଚିନ୍ମୟ ବାବୁ କାଟି ପାରି ନଥିଲେ। ସେ ବୃଦ୍ଧାଙ୍କ ହାତରୁ ତଉଲିଆଟି ନେଇ ଭଲଭାବରେ ପୋଛିପାଛି ହୋଇଗଲେ। ପବନ ବନ୍ଦ ହୋଇ ଯିବାରୁ ବିଦ୍ୟୁତ ମଧ୍ୟ ଆସି ଯାଇଥିଲା। ବର୍ଷା କିନ୍ତୁ ଥମିବାର ନାଆଁ ଧରୁ ନଥାଏ। ଚିନ୍ମୟ ବାବୁଙ୍କ ହାତରୁ ତଉଲିଆଟି ନେଇ ବୃଦ୍ଧା ଜଣଙ୍କ କହିଲେ , ତୁମେ ଏଇ ଖଟ ଉପରେ ପଙ୍ଖା ତଳେ ବସ। ମୁଁ ତୁମ ପାଇଁ ଚା ତିଆରି କରି ଆଣୁଛି। ଏହା କହି ସେ ତାଙ୍କ ରୋଷେଇ ଘର ଭିତରକୁ ଚା କରିବାକୁ ଚାଲିଗଲେ। ପଙ୍ଖା ତଳେ ବସି ଚିନ୍ମୟ ବାବୁ ଭାବିଲେ , ଏତେ ବଡ଼ ଘରଟାରେ ଏ ମାଉସୀ ଏକୁଟିଆ ରହୁଛନ୍ତି କାହିଁକି ? ତାଙ୍କ ପରିବାରର ଅନ୍ୟମାନେ କୁଆଡ଼େ ଗଲେ ? ଏହିପରି ଭାବନା ଭିତରେ ଚିନ୍ମୟ ବାବୁ ବୁଡ଼ି ରହିଥିବା ବେଳେ ବୃଦ୍ଧା ଜଣକ ଆସି ତାଙ୍କ ହାତକୁ ଚା କପଟା ବଢ଼ାଇ ଦେଇ କହିଲେ , ଅଦା ପକାଇ ନାଲି ଚା କରି ଆଣିଛି। ଏ ଥଣ୍ଡା ପାଗରେ ଖୁବ୍ ଭଲ ଲାଗିବ। ନିଅ ପିଇ ଦିଅ। ତାଙ୍କ ହାତରୁ କପଟା ନେଇ ଚିନ୍ମୟ ବାବୁ ଚା ପିଇବା ଆରମ୍ଭ କଲେ। ଏକେତ ବର୍ଷା ପାଗ। ତାପରେ ବର୍ଷାରେ ଭିଜି ଯାଇଥିବାରୁ ତାଙ୍କୁ ଖୁବ୍ ଥଣ୍ଡା ଲାଗୁଥିଲା। ତେଣୁ ଅଦା ପକା ନାଲି ଚା ଟା ତାଙ୍କୁ ଅମୃତ ଭଳି ଲାଗୁଥାଏ। ମନେ ମନେ ବୃଦ୍ଧାଙ୍କୁ ପ୍ରଶଂସା ନକରି ସେ ରହି ପାରୁ ନଥାନ୍ତି। ଖାଲି ଚା କପଟା ତାଙ୍କ ହାତରୁ ନେଇ ବୃଦ୍ଧା ଜଣଙ୍କ ତାଙ୍କୁ ପଚାରିଲେ , ତୁମେ କଣ ମନ୍ଦିର ପ୍ରତିଷ୍ଠା ପାଖକୁ ଆସିଥିଲ କି ପୁଅ ? ଚିନ୍ମୟ ବାବୁ କହିଲେ , ହଁ ମାଉସୀ ! ତାପରେ ବୃଦ୍ଧା ଜଣକ ପଚାରିଲେ ଆଚ୍ଛା ! ତୁମ ଘର କେଉଁଠି ? ଚିନ୍ମୟ ବାବୁ କହିଲେ , ଆମ ଘର ନରେନ୍ଦ୍ରପୁର ଗାଆଁରେ। ନରେନ୍ଦ୍ରପୁର ଗାଆଁ ନାଆଁଟା ଶୁଣି ବୃଦ୍ଧା ଜଣକ ଧରିଥିବା ଖାଲି ଚା କପଟିକୁ ଖଟ ଉପରେ ଥୋଇଦେଇ ଖଟ ଉପରେ ବସି ପଡ଼ିଲେ ଓ କହିଲେ , ଆରେ , ନରେନ୍ଦ୍ରପୁର ଗାଆଁରେ ତ ଆମ ସଙ୍ଗାତଙ୍କ ଘର। ତୁମ୍ଭେ ତାଙ୍କୁ ନିଶ୍ଚୟ ଜାଣିଥିବ ! ଚିନ୍ମୟ ବାବୁ କହିଲେ , ଆପଣଙ୍କ ସଙ୍ଗାତ କିଏ କହିଲେ ମାଉସୀ ? ବୃଦ୍ଧା ଜଣକ କହିଲେ , ହୃଷୀକେଶ ମହାପାତ୍ର। ତୁମେ କଣ ତାଙ୍କୁ ଜାଣିଛ ? ବୃଦ୍ଧାଙ୍କର ଏ ପ୍ରଶ୍ନରେ ଚିନ୍ମୟ ବାବୁ ଟିକେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡ଼କୁ ଚାହିଁଲେ। ସେ ଭାବିଲେ , ଆରେ ଏ ମାଉସୀ କଣ ବାପାଙ୍କୁ ତାଙ୍କ ସଙ୍ଗାତ ବୋଲି କହୁଛନ୍ତି ! ଇୟେ ତାହେଲେ ବିଶ୍ଵମୋହନ ବାବୁଙ୍କର ମାଆ ! ଚିନ୍ମୟ ବାବୁ କହିଲେ , ମାଉସୀ ! ନମସ୍କାର। ମୁଁ ପରା ହୃଷୀକେଶ ମହାପାତ୍ରଙ୍କ ପୁଅ। ବୃଦ୍ଧା ଜଣକ ଏକଥା ଶୁଣି ଖୁସିରେ ଚିନ୍ମୟ ବାବୁଙ୍କୁ କୁଣ୍ଢେଇ ପକେଇଲେ ଓ କହିଲେ , ଆରେ ! ତୁ ଆମ ସଙ୍ଗାତଙ୍କ ପୁଅ ଚିନ୍ମୟ ! ତୁ ଛୋଟ ଥିଲାବେଳେ ମୁଁ ତୋତେ ଦେଖିଥିଲି। ଆଉ ସଙ୍ଗାତ କେମିତି ଅଛନ୍ତି ? ଚିନ୍ମୟ ବାବୁ କହିଲେ , ବାପାଙ୍କ ଦେହ ଏବେ ଭଲ ରହୁନାହିଁ ମାଉସୀ ! ତେଣୁ ବିଶ୍ଵମୋହନ ବାବୁ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେବାପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ ମଧ୍ୟ ସେ ଆସି ପାରିଲେ ନାହିଁ। ସେଥିପାଇଁ ସେ ମୋତେ ପଠାଇଥିଲେ। ଆଉ ବାପା ମୋତେ ଆପଣଙ୍କ ବିଷୟରେ ବିଶ୍ଵମୋହନ ବାବୁଙ୍କ ଠାରୁ ବୁଝି ଯିବାପାଇଁ ବାରମ୍ବାର କହିଥିଲେ। କିନ୍ତୁ ଭୀଷଣ ବର୍ଷା ଯୋଗୁ ମୁଁ ଆସିଲା ବେଳେ ବିଶ୍ଵମୋହନ ବାବୁଙ୍କୁ ଦେଖା କରି ପାରିଲି ନାହିଁ କି ଆପଣଙ୍କ ବିଷୟରେ ପଚାରି ବି ପାରିଲି ନାହିଁ। ଯାହାହେଉ ! ଭଲ ହେଲା। ଆପଣଙ୍କ ସହିତ ମୋର ଦେଖା ହୋଇଗଲା। କିନ୍ତୁ ମାଉସୀ ! ଆପଣ ତ ଆଜି ରାଧାକୃଷ୍ଣ ମନ୍ଦିରରେ ରହିବା କଥା। ସେଠାରେ ଆପଣଙ୍କ ପୁଅ ଓ ବୋହୂ ଅଛନ୍ତି। ଆପଣ ସେଠାରେ ନରହି ଏ ଘରଟାରେ ଏକା ଏକା କଣ କରୁଛନ୍ତି ! ବିଶ୍ଵମୋହନ ବାବୁଙ୍କ ମାଆ ସଚଳା ଦେବୀ କହିଲେ , ଆଜି ନୁହେଁ , ଦୁଇ ବର୍ଷ ହେବ ମୁଁ ଏ ଘରେ ଏକା ଏକା ରହି ଆସୁଛି। ବିଶ୍ଵମୋହନ ତା ସ୍ତ୍ରୀ ସହିତ ଭୁବନେଶ୍ବରରେ ରହୁଛି। ଚିନ୍ମୟ ବାବୁ କହିଲେ , କିନ୍ତୁ ଆପଣ ବିଶ୍ଵମୋହନ ବାବୁଙ୍କ ସହିତ ଭୁବନେଶ୍ବରରେ ରହୁଥିଲେ ବୋଲି ବାପା ମୋତେ କହୁଥିଲେ। ସଚଳା ଦେବୀ କହିଲେ , ହଁ ! ବିଶ୍ଵମୋହନର ବାପାଙ୍କ ଦେହାନ୍ତ ପରେ ମୁଁ ଭୁବନେଶ୍ୱରରେ ପୁଅ ଓ ବୋହୂଙ୍କ ସହିତ ରହୁଥିଲି। ଏ ଘର ତାଲା ପଡ଼ିଥିଲା। କିନ୍ତୁ ଗୋଟିଏ ବିଶେଷ କାରଣ ଯୋଗୁ ଏଇ ଦୁଇବର୍ଷ ହେବ ମୁଁ ଆସି ଏଇ ଗାଆଁ ଘରେ ଏକା ଏକା ରହୁଛି। ଆଜି ଅବଶ୍ୟ ବିଶ୍ଵମୋହନ ଓ ସୁରେଖା ମୋତେ ନେବା ପାଇଁ ଗାଡ଼ି ଆଣି ଆସିଥିଲେ। ମୁଁ କିନ୍ତୁ ସେଠିକି ଯିବାକୁ ରୋକ୍ ଠୋକ୍ ମନା କରିଦେଲି। ଏକଥା ଶୁଣି ଚିନ୍ମୟ ବାବୁ କହିଲେ , କିନ୍ତୁ କାହିଁକି ମାଉସୀ ! ଆପଣଙ୍କ ପୁଅ ମନ୍ଦିର ନିର୍ମାଣ କରି ଏତେ ବଡ଼ ଧର୍ମ କାର୍ଯ୍ୟ କରୁଛନ୍ତି। ମନ୍ଦିର ନିର୍ମାଣ ପାଇଁ ଏ ସମଗ୍ର ଅଞ୍ଚଳରେ ଲୋକମାନେ ଆପଣଙ୍କ ପୁଅର ଭୁରି ଭୁରି ପ୍ରଶଂସା କରୁଛନ୍ତି। ଆପଣ ତ ଖୁସିରେ ଆଜି ସେଠିକି ଯିବା କଥା । କିନ୍ତୁ ଆପଣ ସେଠାକୁ ଯିବାପାଇଁ ମନାକଲେ କାହିଁକି ? ସଚଳା ଦେବୀ କହିଲେ , ସେ ଅନେକ କଥା ପୁଅ ! ସେକଥା ମୁଁ ଆଜି ପର୍ଯ୍ୟନ୍ତ କାହାରିକୁ କହିନାହିଁ। ତୁ କେବଳ ଆମ ସଙ୍ଗାତଙ୍କ ପୁଅ ବୋଲି ତୋ ଆଗରେ ମୋ ମନକଥା କହୁଛି ଶୁଣ୍। ଦୁଇବର୍ଷ ତଳର କଥା। ମୁଁ ଭୁବନେଶ୍ୱରରେ ପୁଅ ଓ ବୋହୂଙ୍କ ପାଖରେ ରହୁଥାଏ। ବିଶ୍ଵମୋହନ ଦିନେ ମୋତେ ଡାକି କହିଲା , ମାଆ ! ଆମ ଗାଆଁରେ ଯେଉଁ ରାଧାମାଧବ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଅଛି ମୁଁ ତାକୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ସେଠାରେ ଗୋଟିଏ ନୂଆ ମନ୍ଦିର ନିର୍ମାଣ କରିବାକୁ ମୁଁ ଚାହୁଁଛି। ବିଶ୍ଵମୋହନ ଠାରୁ ଏକଥା ଶୁଣି ମୁଁ କହିଲି , ଆରେ ଏ ତ ବଡ଼ ଖୁସିର କଥା। ରାଧାମାଧବ ମନ୍ଦିର ତ ଖାଲି ଆମ ଗାଆଁର ନୁହେଁ ବରଂ ଆମ ଗାଆଁ ପାଖାପାଖି ଦଶ ପନ୍ଦର ଖଣ୍ଡ ଗାଆଁର ପ୍ରସିଦ୍ଧ ମନ୍ଦିର। ସେଥିପାଇଁ ସେ ମନ୍ଦିର ଏବେ ଭାଙ୍ଗି ଯିବା ଅବସ୍ଥାରେ ଥିବାରୁ ସେ ଅଞ୍ଚଳର ସମସ୍ତେ ଚିନ୍ତିତ ହୋଇ ପଡ଼ିଛନ୍ତି। ଥରେ ସେହି ମନ୍ଦିର ନିର୍ମାଣ ପାଇଁ ସବୁ ଗାଆଁର ମୂଖ୍ୟ ମୂଖ୍ୟ ଲୋକମାନେ ବସି ସଭା ମଧ୍ୟ କରିଥିଲେ। କିନ୍ତୁ କୋୖଣସି ଫଳ ହେଲାନାହିଁ। ଆଉ ତୁ ଏବେ ଯଦି ସେ ପୁରୁଣା ମନ୍ଦିରକୁ ଭାଙ୍ଗି ସେଠାରେ ନୂଆ ମନ୍ଦିରଟିଏ ନିର୍ମାଣ କରିବୁ ବୋଲି କହୁଛୁ ତାହେଲେ ୟା ଠାରୁ ବଡ଼ ଖୁସିର କଥା ଆଉ କଣ ଅଛି ! ବୁଝିଲ ପୁଅ ! ପ୍ରକୃତରେ ସେଦିନ ବିଶ୍ଵମୋହନ ମୁହଁରୁ ମନ୍ଦିର ନିର୍ମାଣ କଥା ଶୁଣି ମୁଁ ବହୁତ ଖୁସି ହୋଇ ଯାଇଥିଲି କାରଣ ତା ଆଗରୁ ତାକୁ ମୁଁ କେବେ ଧର୍ମ କାର୍ଯ୍ୟ ପାଇଁ ପଇସା ଖର୍ଚ୍ଚ କରିବାରେ ଆଗ୍ରହ ପ୍ରକାଶ କରିବାର ଦେଖି ନଥିଲି। ଆଉ ମୁଁ ତାକୁ ଯେତିକି ଜାଣେ ସେ ତା ଜୀବନରେ କେବଳ ପଇସା ରୋଜଗାର କରିବା ବ୍ୟତୀତ ଆଉ ଅନ୍ୟ କିଛି ଜାଣି ନଥିଲା। କିନ୍ତୁ ସେଦିନ ଯେତେବେଳେ ସେ ମନ୍ଦିର ନିର୍ମାଣ କଥା କହିଲା ମୁଁ ପ୍ରକୃତରେ ବହୁତ ଖୁସି ହୋଇଗଲି। ଆଗରୁ ମୋର ଯେଉଁ ପୁଅ ବିଶ୍ଵମୋହନ କେବେ ଧର୍ମକାର୍ଯ୍ୟରେ ମନ ଦେଉନଥିଲା ତାକୁ ଧର୍ମ ଆଡ଼କୁ ଢଳିବାର ଦେଖି ମୋ ମନ ସେଦିନ କୁଣ୍ଢେମୋଟ ହୋଇ ଯାଇଥିଲା। ଯେଉଁଦିନ ମନ୍ଦିରର ଶୁଭ ଦିଆଗଲା ମୁଁ , ବିଶ୍ଵମୋହନ ଓ ସୁରେଖା ଭୁବନେଶ୍ଵରରୁ ଗାଆଁକୁ ଆସିଲୁ। ସେଦିନ ଶୁଭ ଦିଆଯିବା ସମୟରେ ମୁଁ ମଧ୍ୟ ରାଧାମାଧବ ମନ୍ଦିରରେ ଉପସ୍ଥିତ ଥିଲି। ଶୁଭ ଦିଆ ସରିବା ପରେ ବିଶ୍ଵମୋହନ କହିଲା , ମାଆ ! ମନ୍ଦିର ତିଆରି କାମ ତଦାରଖ କରିବା ନିମନ୍ତେ ଆମ୍ଭେ ଏବେ କିଛିଦିନ ପାଇଁ ଗାଆଁରେ ରହିବା। ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଗଲେ ତାପରେ ଆମ୍ଭେ ଭୁବନେଶ୍ଵର ଫେରିଯିବା। ମୁଁ କହିଲି , ଇୟେ ତ ଖୁବ୍ ଭଲ କଥା। ସେଦିନ ରାତିର କଥା। ମୁଁ ଖାଇସାରି ଶୋଇବା ପାଇଁ ଯେତେବେଳେ ମୋ ଶୋଇବା ଘରକୁ ଗଲି ଏଇ ଖଟ ଉପରେ ସୁରେଖା ଓ ବିଶ୍ଵମୋହନ ବସି ମନ୍ଦିର ତିଆରି ବିଷୟରେ କଣ କଥା ହେଉଥିଲେ। କିଛି ସମୟ ପରେ ମୋତେ ହଠାତ୍ ଶୋଷ ଲାଗିବାରୁ ମୁଁ ଯେତେବେଳେ ଉଠି ପାଣି ପିଇବା ପାଇଁ ବାହାରକୁ ଆସିଲି ସୁରେଖା ଓ ବିଶ୍ଵମୋହନ ଦୁଇଜଣଙ୍କର କଥାବାର୍ତ୍ତା ମୋ କାନରେ ପଡ଼ିଲା। ସୁରେଖା କହୁଥିଲା , ଆଚ୍ଛା ! ଆଗରୁ ତ ମୁଁ ଯେତେବେଳେ ତୁମକୁ ମନ୍ଦିର ଯିବାପାଇଁ ଡାକେ ତୁମେ ତ ମୋଟେ ଆଗ୍ରହ ଦେଖାଅ ନାହିଁ ବରଂ ମୋତେ କୁହ , ମନ୍ଦିର ଯାଇ ଧର୍ମ କରିବା କଥା ମୋତେ କୁହ ନାହିଁ। ସେଥିପାଇଁ ମୋ ପାଖରେ ଆଦୋୖ ସମୟ ନାହିଁ। ଆଉ ଏବେ ଏ ଧର୍ମ କାର୍ଯ୍ୟ ଆଡ଼କୁ ହଠାତ୍ ତୁମ୍ଭର ମନ ବଳିଲା କେମିତି ? ବିଶ୍ଵମୋହନ କହିଲା , ଦେଖ ! କୋୖଣସି ଧର୍ମୀୟ ଭାବନାର ବଶବର୍ତ୍ତୀ ହୋଇ ମୁଁ ଏ ମନ୍ଦିର ନିର୍ମାଣ କରୁନାହିଁ। ଆଗରୁ ମୁଁ ଯାହା ଥିଲି ଏବେ ବି ସେଇୟା ଅଛି। ଆଗରୁ ଯେମିତି ମୋ ମନରେ କୋୖଣସି ଧର୍ମୀୟ ଭାବନା ନଥିଲା ଏବେବି ସେମିତି ମୋ ମନରେ କୋୖଣସି ଧର୍ମୀୟ ଭାବନା ନାହିଁ। ପ୍ରକୃତ କଥା ହେଲା ରାଧାମାଧବ ମନ୍ଦିର ଏ ଅଞ୍ଚଳର ଏକ ପ୍ରସିଦ୍ଧ ମନ୍ଦିର ହୋଇଥିବାରୁ ଏହି ମନ୍ଦିର ନିର୍ମାଣ କରି ଏହି ଅଞ୍ଚଳରେ ଲୋକପ୍ରିୟତା ଅର୍ଜନ କରିବା ମୋର ପ୍ରକୃତ ଉଦ୍ଦେଶ୍ୟ। ଜୀବନରେ ତ ବହୁତ ପଇସା କମେଇଲି। ଏବେ ଏହି ମନ୍ଦିର ନିର୍ମାଣ କରି ମୁଁ ନାଆଁ କମେଇବାକୁ ଚାହୁଁଛି। ଆଗରୁ ମୁଁ ଯେହେତୁ ଗାଆଁରେ ରହୁ ନଥିଲି ଆମ ଗାଆଁର ଲୋକମାନଙ୍କ ବ୍ୟତୀତ ଏ ଅଞ୍ଚଳର ଲୋକମାନେ ମୋତେ ପ୍ରାୟ ଜାଣି ନାହାଁନ୍ତି। ତେଣୁ ଏହି ମନ୍ଦିର ନିର୍ମାଣ କରିବା ଦ୍ଵାରା ମୁଁ ଏ ଅଞ୍ଚଳର ଲୋକମାନଙ୍କ ନିକଟରେ ଜଣେ ଧର୍ମପରାୟଣ ବ୍ୟକ୍ତି ଭାବରେ ପରିଚିତ ହୋଇ ପାରିବି। ସମାଜରେ ମୋର ଆଦର ସମ୍ମାନ ବଢ଼ିବ। ବିଭିନ୍ନ ଗଣମାଧ୍ୟମ ଓ ସମ୍ବାଦପତ୍ରରେ ମୋର ଫଟୋ ଛପାହେବ। ମୁଁ ଏହି ମନ୍ଦିର ନିର୍ମାଣ କରିଛି ବୋଲି ଏ ଅଞ୍ଚଳର ଲୋକମାନେ ମୋତେ ଜାଣିବେ ଓ ମୋର ପ୍ରଶଂସା କରିବେ। ଖାଲି ଏତିକି ନୁହେଁ ସୁରେଖା ! ମନ୍ଦିର ପ୍ରତିଷ୍ଠା ଦିନ ମୁଁ ସବୁ ଗାଆଁର ଲୋକମାନଙ୍କୁ ପ୍ରସାଦ ସେବନ କରିବା ନିମନ୍ତେ ନିମନ୍ତ୍ରଣ କରିବା ପାଇଁଁ ମଧ୍ୟ ସ୍ଥିର କରିଛି। ଆଉ ମୁଁ ଏ ନିଷ୍ପତ୍ତି କାହିଁକି ନେଇଛି ଜାଣିଛ ! ଏ ଅଞ୍ଚଳର ଅଧିକାଂଶ ଲୋକ ତ ଏ ପର୍ଯ୍ୟନ୍ତ ମୋତେ ଚିହ୍ନି ନାହାଁନ୍ତି କି ଜାଣି ନାହାଁନ୍ତି। ମନ୍ଦିର ପ୍ରତିଷ୍ଠା ଦିନ ସମସ୍ତେ ଏଠିକି ଆସିଲେ ମୋତେ ସେମାନେ ଚିହ୍ନିବେ , ଜାଣିବେ ଓ ମୋତେ ବାଃ ବାଃ କରିବେ। ବୁଝିଲ ସୁରେଖା ! ମଣିଷ ଜୀବନରେ ଦୁଇଟା ଜିନିଷ ଦରକାର। ଗୋଟିଏ ହେଲା ପଇସା ଆଉ ଅନ୍ୟଟି ହେଲା ସାମାଜିକ ପ୍ରତିଷ୍ଠା। ତେଣୁ ମୋ ପାଖରେ ଏ ଧର୍ମ ଶବ୍ଦର କିଛି ଅର୍ଥ ନାହିଁ। ମୋ ପାଖରେ ତ ପଇସା ଅଛି। ତେଣୁ ମୋର ଖାଲି ସାମାଜିକ ପ୍ରତିଷ୍ଠା ଦରକାର ଥିଲା। ଏହି ମନ୍ଦିର ନିର୍ମାଣ କରିବା ଫଳରେ ସେଇଟା ବି ମିଳିଯିବ। ଏହାଠାରୁ ମଣିଷ ଜୀବନରେ ଆଉ ଅଧିକ କଣ ଦରକାର ! ସଚଳା ଦେବୀ କହିଲେ , ବୁଝିଲୁ ପୁଅ ! ମୋ ପୁଅ ବିଶ୍ଵମୋହନ ମୁହଁରୁ ଏକଥା ଶୁଣି ପ୍ରଥମେ ମୁଁ କଥାଟାକୁ ଆଦୋୖ ବିଶ୍ଵାସ କରି ପାରିଲି ନାହିଁ। ଯେତେବେଳେ ମୁଁ ଜାଣିଲି ଯେ ଧର୍ମୀୟ ଭାବନା ଯୋଗୁ ନୁହେଁ ବରଂ ନିଜର ସାମାଜିକ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଆତ୍ମପ୍ରଚାର କରିବା ପାଇଁଁ ମୋ ପୁଅ ରାଧାମାଧବ ମନ୍ଦିର ନିର୍ମାଣ କରୁଛି ମୋ ମନକୁ ଶକ୍ତ ଆଘାତ ଲାଗିଲା। ସେତେବେଳକୁ ମୋ ଶୋଷ ମରି ଯାଇଥିଲା। ମୁଁ ଆଉ ପାଣି ପିଇବି କଣ ଚୁପଚାପ୍ ଯାଇ ନିଜ ଶୋଇବା ଘରେ ଶୋଇ ପଡ଼ିଲି। ତା ପରଦିନ ସକାଳୁ ବିଶ୍ଵମୋହନ ଗାଧୁଆ ଖିଆ ସାରି ଯେତେବେଳେ ମନ୍ଦିର ନିକଟକୁ ଯିବାକୁ ବାହାରିଲା ମୁଁ କହିଲି , ବିଶ୍ଵମୋହନ ! ମୁଁ କାଲି ରାତିରେ ତୋର ମନ୍ଦିର ନିର୍ମାଣ କରିବାର ଅସଲ ଉଦ୍ଦେଶ୍ୟ ଜାଣି ସାରିଛି। ଏକଥା ଶୁଣି ବିଶ୍ଵମୋହନ ଆଶ୍ଚର୍ଯ୍ୟ ହୋଇ ମୋ ମୁହଁକୁ ଚାହିଁଲା। ମୁଁ କହିଲି , ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ ପୁଅ ! କାଲି ରାତିରେ ତୁ ଯେତେବେଳେ ସୁରେଖା ଆଗରେ ମନ୍ଦିର ନିର୍ମାଣ କରିବାର ଉଦ୍ଦେଶ୍ୟ କହୁଥିଲୁ ମୁଁ ସେସବୁ କଥା ଶୁଣି ସାରିଛି। କିନ୍ତୁ ମାଆ ହିସାବରେ ତୋତେ ସଚେତନ କରିବା ମୋର ହେଉଛି ଧର୍ମ। ସାମାଜିକ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଆତ୍ମପ୍ରଚାର ପାଇଁ ମୁଁ ଏ ମନ୍ଦିର ନିର୍ମାଣ କରିବାକୁ ଯାଉଛୁ ନା ? ଦେଖ୍ ପୁଅ ! ଇନ୍ଦ୍ରଦ୍ୟୁମ୍ନଙ୍କ ଭଳି ରାଜା ବଡ଼ଦେଉଳ ନିର୍ମାଣ କରି ମଧ୍ୟ କେବେ ନିଜର ଆତ୍ମପ୍ରଚାର କରିବାକୁ ଚାହିଁ ନଥିଲେ। ସେଥିପାଇଁ ବଡ଼ ଦେଉଳ ନିର୍ମାଣ କରି ସାରିବା ପରେ ପ୍ରଭୁ ଯେତେବେଳେ ତାଙ୍କୁ ବର ଯାଚିଲେ ସେ କହିଲେ , ପ୍ରଭୁ ! ତୁମେ ଯେବେ ବର ଦେବ ମାଗୁଅଛି ମୁହିଁ ମୋହର ବଂଶରେ କେହି ନଥିବେ ଗୋସାଇଁ। ଇନ୍ଦ୍ରଦ୍ୟୁମ୍ନଙ୍କ ମୁଖରୁ ଏକଥା ଶୁଣି ପ୍ରଭୁ ଯେତେବେଳେ ଏହାର କାରଣ ପଚାରିଲେ ଇନ୍ଦ୍ରଦ୍ୟୁମ୍ନ କହିଲେ , ପ୍ରଭୁ ! ପୁତ୍ର ନାତି ବୋଲିବେ ଯେ ଦେଉଳ ଆମ୍ଭରି ଆମ୍ଭର ବୋଇଲେ ଧର୍ମ ଯିବ ଯେ ମୋହରି। ତୁ ତ ଶିକ୍ଷିତ ପିଲା। ତେଣୁ ନିଜର ଆତ୍ମପ୍ରଚାର ପାଇଁ ରାଧାମାଧବ ମନ୍ଦିର ନିର୍ମାଣ କରିବା କେତେଦୂର ଠିକ୍ ସେକଥା ତୁ ବିଚାର କର। ଦେଖ୍ ପୁଅ ! ମୋ ମତରେ ଯେଉଁଠି ଆତ୍ମପ୍ରଚାର ଥାଏ ସେଠି ଧର୍ମ ନଥାଏ ଆଉ ଯେଉଁଠି ଧର୍ମ ଥାଏ ସେଠି ଆତ୍ମପ୍ରଚାର ନଥାଏ। ସେଥିପାଇଁ ମୋର ତୋତେ ଗୋଟିଏ କଥା କହିବାର ଅଛି। ତୁ ଯଦି ଧର୍ମୀୟ ଭାବନା ରଖି ମନ୍ଦିର ନିର୍ମାଣ କରିବୁ ତାହେଲେ ମୋ ଆଶୀର୍ବାଦ ତୋ ସହିତ ସବୁବେଳେ ଅଛି। କିନ୍ତୁ ତୁ ଯଦି ନିଜର ସାମାଜିକ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଆତ୍ମପ୍ରଚାର ପାଇଁ ଏ ମନ୍ଦିର ନିର୍ମାଣ କରିବୁ ତାହେଲେ ମୁଁ ତୋ ସହିତ ନାହିଁ। ତେଣୁ ମୋ କଥା ମାନ। ତୁ ରାଧାମାଧବଙ୍କ ମନ୍ଦିର ନିର୍ମାଣ କରୁଛୁ ବୋଲି ମନରେ ଯେଉଁ ଅହଙ୍କାର ପୋଷଣ କରିଛୁ ତାକୁ ତୋ ମନ ଭିତରୁ କାଢ଼ି ଦେ ଓ ରାଧାମାଧବଙ୍କ ନିକଟରେ ନିଜକୁ ସମର୍ପିତ କରି ମନ୍ଦିର ନିର୍ମାଣ କାର୍ଯ୍ୟରେ ମନ ଦେ। ତାହେଲେ ରାଧାମାଧବ ଖୁସି ହେବେ। ମୋ ମୁହଁରୁ ଏକଥା ଶୁଣି ବିଶ୍ଵମୋହନ ମୋତେ କଣ କହିଲା ଜାଣିଛୁ ପୁଅ ! ବିଶ୍ଵମୋହନ ମୋତେ କହିଲା , ତୁମେ ମୋତେ ଭଲ ଭାବ କି ଭୁଲ୍ ଭାବ ମାଆ ମୁଁ କେବେହେଲେ ମୋ ମନୋଭାବ ବଦଳେଇ ପାରିବି ନାହିଁ। ମୁଁ ମୋର ଯେଉଁ ସାମାଜିକ ପ୍ରତିଷ୍ଠାର ଲକ୍ଷ୍ୟ ନେଇ ଏ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛି ସେ ଲକ୍ଷ୍ୟ ମୁଁ ନିଶ୍ଚୟ ହାସଲ କରିବି। କିନ୍ତୁ ତୁମେ ମୋର କେବଳ ଗୋଟିଏ ଅନୁରୋଧ ରଖିବ ମାଆ ! ମନ୍ଦିର ନିର୍ମାଣ ପଛରେ ଥିବା ମୋର ଏହି ଉଦ୍ଦେଶ୍ୟ ତୁମେ ଅନ୍ୟ କାହା ଆଗରେ ପ୍ରକାଶ କରିବ ନାହିଁ। ବିଶ୍ଵମୋହନ ଠାରୁ ଏହିକଥା ଶୁଣି ମୁଁ ଭାବିଲି , ଇୟେ କଣ ସତରେ ମୋର ସେଇ ପୁଅ ବିଶ୍ଵମୋହନ ଯିଏକି ପିଲାଦିନେ ମୋ ହାତ ଧରି ବାଟ ଚାଲୁଥିଲା ଓ ମୋ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲା ! ତାପରେ ଭାବିଲି , ନା ! ମୋ ପୁଅ ଆଜି ବଡ଼ ହୋଇ ଯାଇଛି। ତା ମୁଣ୍ଡକୁ ତା ହାତ ପାଇ ଯାଇଛି। ଆଜି ତା ନିଜ ଗୋଡ଼ରେ ସେ ନିଜେ ଚାଲି ପାରୁଛି , ତା ନିଜ ନିଷ୍ପତ୍ତି ସେ ନିଜେ ନେଇ ପାରୁଛି। ଆଜି ଆଉ ତାର ମାଆ ହାତ ଧରି ଚାଲିବା କଣ ଦରକାର , ମାଆର କଥା ମାନିବା କଣ ଦରକାର ! ଏତିକି କହି ସଚଳା ଦେବୀ ଆଖିରୁ ବହି ଆସୁଥିବା ଲୁହକୁ ନିଜ ପଣତରେ ପୋଛୁଥିଲେ। ସଚଳା ଦେବୀଙ୍କୁ କାନ୍ଦୁଥିବାର ଦେଖି ଚିନ୍ମୟ ବାବୁଙ୍କୁ ଲାଗୁଥିଲା ସତେ ଯେମିତି ସଚଳା ଦେବୀଙ୍କ ହୃଦୟ ଭିତରେ ଥିବା ଏହି ଲୁହ ଆଜି ଝଡ଼ ବର୍ଷା ସାଜି ବିଶ୍ଵମୋହନ ବାବୁଙ୍କର ଏତେବଡ଼ ଆୟୋଜନକୁ ପଣ୍ଡ କରି ଦେଇଛି ! ତାପରେ ସଚଳା ଦେବୀ କହିଲେ , ବୁଝିଲୁ ପୁଅ ! ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଗଲା ପରେ ବିଶ୍ଵମୋହନ ଗାଆଁରେ କିଛି ଦିନ ରହି ସୁରେଖା ସହିତ ଭୁବନେଶ୍ବର ଚାଲିଗଲା। କିନ୍ତୁ ମନ୍ଦିର ନିର୍ମାଣ ପଛରେ ଥିବା ବିଶ୍ଵମୋହନର ଅସଲ ଉଦ୍ଦେଶ୍ୟ ଜାଣି ସାରିବା ପରେ ମୋତେ ଆଉ କାହିଁକି କିଛି ଭଲ ଲାଗୁ ନଥିଲା ଯେଉଁଥିପାଇଁ ମୁଁ ତା ସହିତ ଆଉ ଭୁବନେଶ୍ଵର ଗଲି ନାହିଁ। ଆତ୍ମପ୍ରଚାରର ଲକ୍ଷ୍ୟ ରଖି ଯେ ଧାର୍ମିକ କାର୍ଯ୍ୟ କରାଯାଏ ନାହିଁ ଏକଥା ବୁଝିବାକୁ ସେ ପ୍ରସ୍ତୁତ ନଥିଲା। ସେଥିପାଇଁ ଅବଶ୍ୟ ବିଶ୍ଵମୋହନ ପାଇଁ ମୁଁ ଦୁଃଖ କରୁଥିଲି। ତାର ମନୋଭାବ କିପରି ବଦଳିଯାଉ ବୋଲି ରାଧାମାଧବଙ୍କୁ ମନେ ମନେ ପ୍ରାର୍ଥନା କରୁଥିଲି। କିନ୍ତୁ କାହିଁକି କେଜାଣି ମୋର ଆଉ ଭୁବନେଶ୍ଵର ଯାଇ ବିଶ୍ଵମୋହନ ପାଖରେ ରହିବାକୁ ଆଦୋୖ ଇଚ୍ଛା ହେଉ ନଥିଲା। ଭୁବନେଶ୍ଵର ଯାଇ ତା ପାଖରେ ରହିବା କଥା ଭାବିଲା ବେଳକୁ ମୋ ନୀତି ଓ ଆଦର୍ଶ ମୋ ବାଟ ଓଗାଳୁଥିଲା। ବିଶ୍ଵମୋହନ ମୋ ପୁଅ ହେଲେ ବି ତାର ବ୍ୟକ୍ତିଗତ ସ୍ଵାର୍ଥ ହାସଲ ପାଇଁ ନିଜର ନୀତି ଓ ଆଦର୍ଶକୁ ବଳିଦେବା ମୋ ପକ୍ଷରେ ସମ୍ଭବ ନଥିଲା। ତେଣୁ ମୁଁ ମୋ ନୀତି ଓ ଆଦର୍ଶ ସହିତ ସାଲିସ୍ କରି ମୋ ପୁଅର ମନ୍ଦିର ନିର୍ମାଣ କାର୍ଯ୍ୟକୁ ସମର୍ଥନ କରି ପାରିଲି ନାହିଁ। ସେଥିପାଇଁ ସେହିଦିନ ଠାରୁ ମୁଁ ବିଶ୍ଵମୋହନ ପାଖରେ ଭୁବନେଶ୍ଵରରେ ନରହି ଏହି ଗାଆଁ ଘରେ ରହୁଛି। ଅବଶ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ବିଶ୍ଵମୋହନ ଯେତେବେଳେ ଗାଆଁକୁ ଆସେ ପ୍ରତ୍ୟେକ ଥର ମୋ ପାଖକୁ ଆସି ମୋ ପାଖରେ ଖିଆପିଆ କରେ ଓ ମୋତେ ତା ସାଙ୍ଗରେ ଭୁବନେଶ୍ଵର ଯିବାପାଇଁ କୁହେ। କିନ୍ତୁ ପ୍ରତ୍ୟେକ ଥର ମୁଁ ଯିବାକୁ ମନା କରିଦିଏ। ଏକଥା କହିସାରି ସଚଳା ଦେବୀ ଚିନ୍ମୟ ବାବୁଙ୍କୁ କହିଲେ , ଏବେ ତୁ କହ ପୁଅ ! ବିଶ୍ଵମୋହନର ମନ୍ଦିର ନିର୍ମାଣ ପଛରେ ଥିବା ପ୍ରକୃତ ଉଦ୍ଦେଶ୍ୟ ଜାଣିସାରିବା ପରେ ମୁଁ ମୋ ନୀତି ଓ ଆଦର୍ଶ ସହିତ ସାଲିସ୍ କରି କିପରି ଯାଇ ତା ସହିତ ଭୁବନେଶ୍ବରରେ ଖୁସିରେ ରହି ପାରିଥାନ୍ତି ଓ ଆଜି କେମିତି ଯାଇ ମନ୍ଦିର ପ୍ରତିଷ୍ଠା କାମରେ ଯୋଗ ଦେଇ ପାରିଥାନ୍ତି ! ସମୟେ ସମୟେ ମୁଁ ଭାବେ ସେଦିନ ରାତିରେ ମୁଁ ବିଶ୍ଵମୋହନର କଥା ଶୁଣି ନଥାନ୍ତି କି ! ରାଧାମାଧବ ମନ୍ଦିର ନିର୍ମାଣ ପଛରେ ଥିବା ତାର ପ୍ରକୃତ ଉଦ୍ଦେଶ୍ୟ ଜାଣି ପାରି ନଥାନ୍ତି କି ! ତାହେଲେ ହୁଏତ ଆଜି ମୁଁ ମୋ ପୁଅର ଅସଲ ଚେହେରା ଦେଖି ପାରିନଥାନ୍ତି ଓ ଏ ଅଞ୍ଚଳର ଅନ୍ୟ ଲୋକମାନଙ୍କ ଭଳି ମୁଁ ବି ମୋ ପୁଅକୁ ଜଣେ ଧର୍ମପରାୟଣ ବ୍ୟକ୍ତି ବୋଲି ଭାବୁଥାନ୍ତି ! କିନ୍ତୁ ଏହା ହୁଏତ ରାଧାମାଧବଙ୍କର ଇଚ୍ଛା ନଥିଲା। ସେଥିପାଇଁ ବିଶ୍ଵମୋହନର ଅସଲ ଚେହେରା ସେ ମୋ ଆଗକୁ ଆଣିଲେ। ଚିନ୍ମୟ ବାବୁ କହିଲେ , ସେସବୁ ତ ଠିକ୍ ମାଉସୀ ! ହେଲେ ଏ ପରିଣତ ବୟସରେ ଏତେ ବଡ଼ ଘରଟାରେ ଆପଣ ଏକା ଏକା ରହୁଛନ୍ତି କେମିତି ? ସଚଳା ଦେବୀ କହିଲେ , ମୁଁ ଏକା କାହିଁକି ହେବି ! ମୋ ସହିତ ଗୋପାଳ ବି ଏ ଘରେ ରହୁଛନ୍ତି। ଚିନ୍ମୟ ବାବୁ ଭାବିଲେ , ଏ ଗୋପାଳ ପୁଣି କିଏ ! ବାପା ତ କହୁଥିଲେ ବିଶ୍ଵମୋହନ ବାବୁ ତାଙ୍କ ସଙ୍ଗାତଙ୍କର ଏକମାତ୍ର ପୁଅ ବୋଲି ! ସେ ଆଶ୍ଚର୍ଯ୍ୟ ହୋଇ ସଚଳା ଦେବୀଙ୍କୁ ଚାହିଁଲେ। ଚିନ୍ମୟ ବାବୁଙ୍କ ମନକଥା ବୁଝିପାରି ସଚଳା ଦେବୀ ଖଟ ଉପରୁ ଉଠି ଯାଇ ସମ୍ମୁଖରେ ଥିବା ଠାକୁର ଘରଟା ଖୋଲିଦେଲେ। ଠାକୁର ଘରଟା ଖୋଲିଦେବା ମାତ୍ରେ ସମଗ୍ର ଘର ଭିତରଟା ଚୁଆ ଚନ୍ଦନ ବାସ୍ନାରେ ମହକି ଉଠିଲା। ଠାକୁର ଘର ଭିତରେ ଆଣ୍ଠୁଆ ଗୋପାଳ ମୂର୍ତ୍ତି ଫୁଲ ହାରରେ ସଜା ହୋଇ ହସୁଥିଲେ। ଚିନ୍ମୟ ବାବୁଙ୍କୁ ଲାଗିଲା ସତେ ଯେମିତି ସେ ଏକ ମନ୍ଦିର ଭିତରେ ବସିଛନ୍ତି। ସେ ଖଟ ଉପରୁ ଉଠି ଯାଇ ଠାକୁରଙ୍କୁ ପ୍ରଣାମ କଲେ। ସଚଳା ଦେବୀ କହିଲେ , ବୁଝିଲୁ ପୁଅ , ଗୋପାଳ ଏ ଘରେ ଥିବାରୁ ମୋତେ ଏ ଘରେ କେବେ ଏକୁଟିଆ ଲାଗେନାହିଁ। ଏ ମୂର୍ତ୍ତି ତୋ ମଉସା ବୃନ୍ଦାବନରୁ ଆଣିଥିଲେ। ଗୋପାଳଙ୍କ ପାଇଁ ଫୁଲ ତୋଳିବା , ଫୁଲ ଗୁନ୍ଥି ହାର ତିଆରି କରିବା , ତାଙ୍କୁ ଗାଧୋଇଦେବା ଓ ସଜ କରିବାରେ ମୋର ସକାଳ ସମୟଟା ଯେ କେତେବେଳେ କଟିଯାଏ ମୁଁ ଜାଣିପାରେ ନାହିଁ। ସକାଳର କାମ ପରେ ମୁଁ ଯାଇ ତାଙ୍କ ପାଇଁ ପ୍ରସାଦ ତିଆରି କରେ। ତାଙ୍କୁ ପ୍ରସାଦ ଅର୍ପଣ କଲାପରେ ସେହି ପ୍ରସାଦକୁ ମୁଁ ସେବନ କରେ। ଘରର ଅନ୍ୟ କାମ ସାରିବା ପରେ ତାଙ୍କ ପାଖରେ ବସି ମୁଁ ଗୋପାଳସହସ୍ର ନାମ ପାଠକରେ। ଆଉ ଏମିତି ଭାବରେ ମୋର ଦିନଟା କଟିଯାଏ। ସନ୍ଧ୍ୟା ହେଲେ ମୁଁ ଗୋପାଳଙ୍କ ପାଖରେ ଭାଗବତ ଓ ହରିବଂଶ ପଢ଼େ ଓ ତାପରେ ତାଙ୍କୁ ପ୍ରସାଦ ଅର୍ପଣ କରି ଶୁଆଇ ଦେଲାପରେ ମୁଁ ପ୍ରସାଦ ସେବନ କରି ଶୋଇବାକୁ ଯାଏ। ତେଣୁ ସବୁବେଳେ ତାଙ୍କରି କାମରେ ଲାଗି ଥିବାରୁ ମୋତେ କେବେ ଏ ଘରେ ଏକୁଟିଆ ଲାଗେନାହିଁ। ସଚଳା ଦେବୀ ଚିନ୍ମୟ ବାବୁଙ୍କୁ ଏସବୁ କଥା କହିବା ଭିତରେ ରାତି ଅନେକ ହୋଇ ଯାଇଥିଲା। ସେତେବେଳକୁ ବାହାରେ ଆଉ ବର୍ଷା ଓ ପବନର ଶବ୍ଦ ଶୁଭୁ ନଥିଲା । ଚିନ୍ମୟ ବାବୁ ଝରକା ଖୋଲି ଦେଖିଲେ ଯେ ବର୍ଷା ସମ୍ପୂର୍ଣ୍ଣ ଭାବରେ ଛାଡ଼ି ଯାଇଛି। ସେ ସଚଳା ଦେବୀଙ୍କୁ କହିଲେ , ମାଉସୀ ! ବର୍ଷା ତ ଛାଡ଼ି ଗଲାଣି। ମୁଁ ଏବେ ଆସୁଛି। ମୋର ଡେରି ହେବା ଦେଖି ବାପା ତେଣେ ବ୍ୟସ୍ତ ହେଉଥିବେ। ସଚଳା ଦେବୀ କହିଲେ , ଏତେ ସମୟ ତ ରହିଲୁଣି। ଆଉ ଅଳ୍ପ ସମୟ ରହ। ଘରୁ କେତେବେଳୁ ଆସିଲୁଣି। ଭୋକ ଲାଗିବଣି। ଶ୍ରୀଗୁଣ୍ଡିଚା ସକାଶେ ଆଜି ମୁୁଁ ଗୋପାଳଙ୍କ ପାଇଁ ଖିରୀ ତିଆରି କରିଛି। ତାଙ୍କୁ ଅର୍ପଣ କରିଦିଏଁ। ତାପରେ ତୁ ପ୍ରସାଦ ସେବନ କରି ଘରକୁ ଯିବୁ। ପ୍ରକୃତରେ ସେତେବେଳକୁ ଚିନ୍ମୟ ବାବୁଙ୍କୁ ଭୀଷଣ ଭୋକ ହେଉଥିଲା। ସେ ହଉ କହି ଠାକୁର ଘର ସାମନାରେ ପଡ଼ିଥିବା ଆସନ ଉପରେ ବସି ପଡ଼ିଲେ। ତାପରେ ସଚଳା ଦେବୀ ଠାକୁର ଘର କବାଟ ଆଉଜାଇ ଆଣ୍ଠୁଆ ଗୋପାଳଙ୍କୁ ଖିରୀ ଅର୍ପଣ କଲେ। ଠାକୁରଙ୍କୁ ଖିରୀ ଅର୍ପଣ କରି ସାରି ସଚଳା ଦେବୀ ଯେତେବେଳେ ଠାକୁର ଘର କବାଟ ଖୋଲିଦେଲେ ଗୋପାଳଙ୍କ ପ୍ରସାଦର ବାସ୍ନାରେ ପୁରା ଘରଟା ମହମହ ବାସିଲା। ତଳେ ଆସନ ପକାଇ ସଚଳା ଦେବୀ ଚିନ୍ମୟ ବାବୁଙ୍କ ପାଇଁ ଗୋଟିଏ ପାତ୍ରରେ ଖିରୀ ବାଢ଼ି ଦେଲେ। ଗୋପାଳଙ୍କ ପ୍ରସାଦ ସେବନ କରି ଚିନ୍ମୟ ବାବୁଙ୍କ ଆତ୍ମା ତୃପ୍ତ ହୋଇ ଯାଇଥିଲା। ସେ ଭାବୁଥିଲେ ବର୍ଷା ଓ ପବନ ଯୋଗୁ ପ୍ରସାଦ ସେବନ କରି ନପାରି ତାଙ୍କ ମନରେ ପ୍ରସାଦ ପାଇବାର ଯେଉଁ ଆଶା ଅପୂର୍ଣ୍ଣ ରହିଯାଇଥିଲା ରାଧା ମାଧବ ସତେ ଯେପରି ତାଙ୍କର ସେ ଅଭିଳାଷ ପୂର୍ଣ୍ଣ କରି ଦେଇଛନ୍ତି। ପ୍ରସାଦ ସେବନ କରି ସାରି ଚିନ୍ମୟ ବାବୁ ସଚଳା ଦେବୀଙ୍କୁ ପ୍ରଣାମ କରି କହିଲେ , ମାଉସୀ ! ରାତି ବହୁତ ହେଲାଣି। ଏବେ ମୁଁ ଆସୁଛି। ସଚଳା ଦେବୀ କହିଲେ , ହଁ ପୁଅ ! ସାବଧାନରେ ଯିବୁ ଓ ସଙ୍ଗାତଙ୍କୁ ମୋ କଥା କହିବୁ। ଆଉ ଯେତେବେଳେ ମୋ କଥା ମନେ ପଡ଼ିବ ଏ ମାଉସୀ ଘର ଆଡ଼େ ଟିକେ ବୁଲି ଆସିବୁ। ପାଗ ପରିଷ୍କାର ହୋଇ ଯାଇଥିଲା। ଏକ ଭାରାକ୍ରାନ୍ତ ମନ ନେଇ ମଟର ସାଇକେଲରେ ଘରକୁ ଫେରିଲା ବେଳେ ଚିନ୍ମୟ ବାବୁ କେବଳ ଗୋଟିଏ କଥା ଭାବୁଥିଲେ , ତାଙ୍କ ବାପା ଯେତେବେଳେ ତାଙ୍କୁ ବିଶ୍ଵମୋହନ ବାବୁଙ୍କର ମାଆଙ୍କ ବିଷୟରେ ପଚାରିବେ ସେ ତାଙ୍କୁ କି ଉତ୍ତର ଦେବେ ! ମାଉସୀ ଖୁସିରେ ଅଛନ୍ତି ବୋଲି ସେ କଣ ତାଙ୍କ ବାପାଙ୍କୁ କହି ପାରିବେ ! ତେଣୁ ସେ ଭାବୁଥିଲେ , ମାଉସୀଙ୍କ ସହିତ ଦେଖା ନ ହୋଇଥିଲେ ବରଂ ଭଲ ହୋଇଥାନ୍ତା !                                            ********


Rate this content
Log in