ମୁଁ ଓ ସେ _________
ମୁଁ ଓ ସେ _________
ମୁଁ ଓ ସେ
________
ଲୋକଟି ଖୁବ୍ ସାଦାସିଧା। ହାଫ୍ ପ୍ୟାଣ୍ଟଟିଏ ପିନ୍ଧିଥାଏ। ଦେହରେ ଗୋଟିଏ ଗଞ୍ଜି ଓ କାନ୍ଧରେ ଗୋଟିଏ ଗାମୁଛା। ସକାଳୁ ସକାଳୁ ଆସି କାଳନ୍ଦୀ ବାବୁଙ୍କ ଘରର କଲିଂ ବେଲ୍ ବଜାଇଲା। ସି ସି ଟିଭି ଦେଖି କାଳନ୍ଦୀ ବାବୁ ତାକୁ ଚିହ୍ନି ସାରିଥିଲେ। ସେ ମନେ ମନେ ଭାବିଲେ ଆରେ ଇଏତ ସେଇ ଲୋକ ଯିଏ ସବୁବେଳେ ମନ୍ଦିର ପାଖରେ ବୁଲୁଥାଏ। ମନ୍ଦିର ଭିତରକୁ ଗଲାବେଳେ ଲୋକମାନେ ମନ୍ଦିର ବାହାରେ ଅସଜଡା ଭାବରେ ରଖିଦେଇ ଯାଉଥିବା ଜୋତାସବୁକୁ ସେ ସଜାଡ଼ି ଜୋତା ଷ୍ଟାଣ୍ଡରେ ରଖେ। ଲୋକମାନେ ମନ୍ଦିର ଭିତରୁ ଫେରିବା ପରେ ଯେତେବେଳେ ସେମାନେ ରଖି ଦେଇ ଯାଇଥିବା ସ୍ଥାନରେ ଜୋତା ଖୋଜନ୍ତି ସେ ସେମାନଙ୍କୁ ଜୋତା ଷ୍ଟାଣ୍ଡ ପାଖକୁ ଯିବାକୁ ଆଙ୍ଗୁଳି ଦେଖାଇଦିଏ। କାଳନ୍ଦୀ ବାବୁ ନିଜେ ମଧ୍ୟ କେତେଥର ଏଇ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ମନ୍ଦିର ବାଟ ଦେଇ ବଜାରକୁ ଗଲାବେଳେ ସବୁଦିନେ ପ୍ରାୟ ସେ ତାକୁ ଦେଖନ୍ତି। ସେ ଭାବନ୍ତି ବୋଧହୁଏ ମନ୍ଦିର ତରଫରୁ ତାକୁ ଜୋତା ଷ୍ଟାଣ୍ଡ ଦାୟିତ୍ୱରେ ରଖା ଯାଇଛି। ଦିନକର କଥା। ବର୍ଷାଦିନ ହୋଇଥିବାରୁ କାଳେ ବର୍ଷା ହେବ ବୋଲି କାଳନ୍ଦୀ ବାବୁ ହାତରେ ଛତାଟିଏ ଧରି ଯାଇଥାନ୍ତି। ଜୋତା ଷ୍ଟାଣ୍ଡ ପାଖରେ ଜୋତା ରଖି ମନ୍ଦିର ଭିତରକୁ ଠାକୁର ଦର୍ଶନ କରିବାକୁ ପଶିଲା ବେଳକୁ ସେ ଲୋକଟି କାଳନ୍ଦୀ ବାବୁଙ୍କୁ କହିଲା କହିଲା , ଆଜ୍ଞା ! ଏଇଠି ଛତାଟା ରଖିଦେଇ ଯାଆନ୍ତୁ। ମୁଁ ଲକ୍ଷ୍ୟ ରଖିଛି। ତା କଥା ମାନି କାଳନ୍ଦୀ ବାବୁ ଛତାଟାକୁ ଜୋତା ଷ୍ଟାଣ୍ଡ ପାଖରେ ରଖି ଦେଇଗଲେ। ମନ୍ଦିରରୁ ଫେରି ଜୋତା ପିନ୍ଧି ସାରିବା ପରେ ଲୋକଟି କାଳନ୍ଦୀ ବାବୁଙ୍କ ହାତକୁ ଯେତେବେଳେ ଛତାଟି ବଢ଼େଇ ଦେଲା ସେ ତାକୁ କୌତୁହଳ ବଶତଃ ପଚାରିଲେ , ଆଚ୍ଛା ! ତୁମକୁ କଣ ମନ୍ଦିର ତରଫରୁ ଏ କାମ ପାଇଁ ରଖା ଯାଇଛି ? ସେ କହିଲା , ନାଇଁ ଆଜ୍ଞା ! ମୁଁ ସ୍ଵତଃ ପ୍ରବୃତ୍ତ ଭାବେ ଏ କାମ କରେ। ମୋ କାମ ଦେଖି ଯଦି ଖୁସିରେ କିଏ ପାଞ୍ଚଦଶ ଟଙ୍କା ଦେଲେ ଭଲ , ନଦେଲେ ନାହିଁ। ମୁଁ କାହାକୁ କେବେ ପଇସା ମାଗେନାହିଁ। କାଳନ୍ଦୀ ବାବୁ କହିଲେ ଆଚ୍ଛା , ଯଦି ମନ୍ଦିର ତରଫରୁ ତୁମକୁ ଏ କାମ କରିବା ପାଇଁଁ କିଛି ପାରିଶ୍ରମିକ ମିଳୁନାହିଁ ତାହେଲେ ତୁମେ କିଛି ଅନ୍ୟ କାମ ନକରି ଏଠି ଏମିତି ସମୟ ନଷ୍ଟ କରୁଛ କାହିଁକି ? ସେ କହିଲା , ମୁଁ ଏଠି ଦିନସାରା ରହେନାହିଁ ବାବୁ। କେବଳ ଏଇ ସକାଳେ ଦିଘଣ୍ଟା ମୁଁ ଏଇଠି ଠିଆହୁଏ। ତା ଭିତରେ ଯଦି ମୋତେ କିଏ କାମ କରିବାକୁ ଡ଼ାକନ୍ତି ମୁଁ ତାଙ୍କ ସହିତ ତାଙ୍କ ଘରକୁ ଯାଇ କାମ କରିଦିଏ। ମୋ ଗୋଡ଼ ଟିକେ ଖରାପ ଥିବାରୁ ମୁଁ ବେଶୀ କଷ୍ଟକର କାମ କରିପାରେ ନାହିଁ। ବଗିଚାରେ ପାଣିଦେବା , ବଗିଚା ସଫା କରିବା , ବାରିଘର ସଫା କରିବା ଓ ଛାତ ଉପର ସଫା କରିବା ଭଳି ହାଲୁକା କାମ ମୁଁ କରିଥାଏ। ତେଣୁ ଯେଉଁମାନେ ମୋତେ ଜାଣିଛନ୍ତି ଯେଉଁଦିନ ସେମାନଙ୍କ ଘରେ ଏହିଭଳି କିଛି କାମ ଥାଏ ସେମାନେ ଆସି ଏଠାରୁ ମୋତେ ତାଙ୍କ ଘରକୁ ଡାକି ନିଅନ୍ତି। ସେମାନଙ୍କ କାମ କରିଦେବା ପରେ ସେମାନେ ଯେଉଁ ପଇସା ଦିଅନ୍ତି ମୁଁ ତାକୁ ନେଇ ମୋ ଘରକୁ ଚାଲିଯାଏ। କାଳନ୍ଦୀ ବାବୁ କହିଲେ , ଆଚ୍ଛା ତୁମ ନାଆଁ କଣ ? ସେ କହିଲା , ମୋ ନାଆଁ ଯଦୁ। କାଳନ୍ଦୀ ବାବୁ ପଚାରିଲେ , ଆଚ୍ଛା ଯଦୁ ! ତୁମ ଘରେ ଆଉ କିଏ କିଏ ଅଛନ୍ତି ? ସେ କହିଲା , ବୁଢ଼ୀ ମାଆଟାକୁ ଛାଡ଼ିଦେଲେ ମୋର ଆଉ ଏ ଦୁନିଆରେ କେହି ନାହାଁନ୍ତି। କାଳନ୍ଦୀ ବାବୁ ପଚାରିଲେ , ଆଚ୍ଛା ଏଇ କାମରୁ ଯେତିକି ପଇସା ମିଳେ ସେତିକିରେ ତୁମେ ମାଆ ପୁଅ ଦୁଇଜଣ କଣ ଚଳି ଯାଉଛ ? ସେ କହିଲା , ଯେଉଁଦିନ ଯେତିକି ମିଳିଲା ସେତିକିରେ ସେମିତି ଚଳିଯିବା କଥା । ଅବଶ୍ୟ ଆଜି ପର୍ଯ୍ୟନ୍ତ କେବେ କିଛି ଅସୁବିଧା ହେଇନି। ସବୁଦିନେ କେଉଁଠି ନା କେଉଁଠି କିଛି କାମ ଜୁଟି ଯାଇଥାଏ। କାଳନ୍ଦୀ ବାବୁ କହିଲେ , ଆଚ୍ଛା ! ମୁଁ ଯେତେବେଳେ ଡାକିବି ତୁମେ ଆମଘରେ ଯାଇ କାମ କରି ପାରିବ ? ସେ କହିଲା , ହଁ ! କରିବିନି କାହିଁକି ! ଯେଉଁଦିନ ଆପଣଙ୍କର କିଛି ଦରକାର ପଡ଼ିବ ମୋତେ ଆପଣ ଡାକିବେ। ମୁଁ ଯାଇ ଆପଣଙ୍କର କାମ କରିଦେବି। ସେଦିନ ତା ସହିତ ଏତିକି କଥାବାର୍ତ୍ତା ହୋଇ କାଳନ୍ଦୀ ବାବୁ ତାଙ୍କ କାମରେ ଚାଲିଗଲେ । ତାପରେ ବିଭିନ୍ନ ସମୟରେ ବଗିଚା କାମ କି ଘର ସଫା ଆଦି କାମ ପାଇଁ ଆବଶ୍ୟକ ପଡ଼ିଲେ କାଳନ୍ଦୀ ବାବୁ ସକାଳୁ ଯାଇ ମନ୍ଦିର ପାଖରୁ ଯଦୁକୁ ଡାକି ଆଣନ୍ତି ଓ ଯଦୁ ତାଙ୍କ ଘରକୁ ଆସି ସେସବୁ କାମ କରି ଦେଇଯାଏ। ତେଣୁ ଏହି କିଛିଦିନ ହେବ ଯଦୁର କାଳନ୍ଦୀ ବାବୁଙ୍କ ଘରକୁ ଯିବା ଆସିବା ଲାଗି ରହିଥିଲା। ଯଦୁ ଆଉ କାଳନ୍ଦୀ ବାବୁଙ୍କ ପାଇଁ ଜଣେ ଅପରିଚିତ ବ୍ୟକ୍ତି ନଥିଲା।
ସେଦିନ କିନ୍ତୁ ଏତେ ସକାଳୁ ଯଦୁକୁ ତାଙ୍କ ଘରକୁ ଆସିବାର ଦେଖି କାଳନ୍ଦୀ ବାବୁ ଟିକେ ଆଶ୍ଚର୍ଯ୍ୟ ହେଲେ କାହିଁକି ନା ଏହା ପୂର୍ବରୁ ବିନା ଡାକରାରେ ଯଦୁକୁ ସେ କେବେ ତାଙ୍କ ଘରକୁ ଆସିବାର ଦେଖି ନଥିଲେ। ତାଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା , ଯଦୁ ଏତେ ସକାଳୁ ସକାଳୁ ତାଙ୍କ ଘରକୁ କାହିଁକି ଆସିଛି ? ସେ ଆଉ କିଛି ଅସୁବିଧାରେ ପଡ଼ି ଯାଇନି ତ ! ଏହିପରି ନାନା ଆଶା ଓ ଆଶଙ୍କା ଭିତରେ କାଳନ୍ଦୀ ବାବୁ ଯାଇ ଘରର ବାହାର କବାଟ ଖୋଲିଲେ। କାଳନ୍ଦୀ ବାବୁ କିଛି ପଚାରିବା ପୂର୍ବରୁ ସେ କାଳନ୍ଦୀ ବାବୁଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦି ଉଠିଲା। ତାର କାନ୍ଦ ଶୁଣି ଘର ଭିତରୁ କାଳନ୍ଦୀ ବାବୁଙ୍କ ପତ୍ନୀ ମଧ୍ୟ ବାହାରକୁ ଚାଲି ଆସିଲେ ଓ କାଳନ୍ଦୀ ବାବୁଙ୍କୁ ପଚାରିଲେ , ଯଦୁ ଏତେ ଜୋରରେ କାନ୍ଦୁଛି କାହିଁକି ? କାଳନ୍ଦୀ ବାବୁ କହିଲେ , ଆରେ ସେକଥା ତ ମୁଁ ନିଜେ ବି ଜାଣିନି। କାଳନ୍ଦୀ ବାବୁଙ୍କ ପତ୍ନୀଙ୍କୁ ଦେଖି ଯଦୁ ଆହୁରି ଜୋରରେ କାନ୍ଦିବାକୁ ଲାଗିଲା। କାଳନ୍ଦୀ ବାବୁ ଅନେକ ବୁଝେଇବା ପରେ ଯେତେବେଳେ ତାର କାନ୍ଦ କମିଲା କାଳନ୍ଦୀ ବାବୁ କହିଲେ , ଆରେ କଣ ହୋଇଛି ତ କୁହ। ତୁମେ ଏତେ ଜୋରରେ କାନ୍ଦୁଛ କାହିଁକି ? ସେ କୋହକୋହ ହୋଇ କହିଲା , ମୋ ମାଆ ମୋତେ ଏକୁଟିଆ କରି ଚାଲିଗଲା ବାବୁ ! କଥାଟା ଶୁଣି କାଳନ୍ଦୀ ବାବୁ ଓ ତାଙ୍କ ପତ୍ନୀ ଚମକି ପଡିଲେ କାରଣ ସେମାନେ ଜାଣିଥିଲେ ଯେ ବୁଢ଼ୀ ମାଆଟାକୁ ଛାଡ଼ିଦେଲେ ଯଦୁର ଏ ଦୁନିଆରେ ଆଉ କେହି ନାହାଁନ୍ତି। କାଳନ୍ଦୀ ବାବୁଙ୍କ ପତ୍ନୀ କହିଲେ , ତୁମେ ତ ଦୁଇଦିନ ତଳେ ଆମ ଘରକୁ କାମ କରିବାକୁ ଆସିଥିଲ ହେଲେ ତୁମ ମାଆଙ୍କର ଦେହ ଖରାପ ଥିଲା ବୋଲି ତ ତୁମେ କିଛି କହୁ ନଥିଲ ! ଯଦୁ କହିଲା , ନାଇଁ ମା ! ମୋ ମାଆର ଦେହ କିଛି ଖରାପ ହୋଇ ନଥିଲା। କାଲି ରାତିରେ ମାଆ ପୁଅ ଦୁଇଜଣ ଯାକ ଖାଇ ପିଇ ଶୋଇଥିଲୁ। ରାତିରେ ତାର କଣ ହେଲା କେଜାଣି ସକାଳୁ ଉଠି ମୁଁ ତାକୁ ଯେତେ ଡାକିଲେ ବି ସେ ଆଉ ଆଖି ଖୋଲି ଚାହିଁଲା ନାହିଁ। ଆମ ଘର ପାଖରେ ଯେଉଁ ଡାକ୍ତର ରହୁଛନ୍ତି ତାଙ୍କୁ ଡ଼ାକି ଦେଖେଇଲା ପରେ ରାତିରେ ହାର୍ଟ ଆଟାକ ଯୋଗୁ ମାଆର ମୃତ୍ୟୁ ହୋଇଯାଇଛି ବୋଲି ସେ କହିଲେ। କାଳନ୍ଦୀ ବାବୁ ଦୁଃଖ ପ୍ରକାଶ କରି କହିଲେ , ହଉ ! ଯାହାତ ହେବାର ହେଲାଣି। ତୁମେ ଏବେ କାନ୍ଦ ବନ୍ଦ କର ଓ ମାଆଙ୍କର ଦାହ ସଂସ୍କାର କିପରି କରାଯିବ ଘରକୁ ଯାଇ ସେ ବ୍ୟବସ୍ଥା କର। ଯଦୁ କହିଲା , ସେଇଥିପାଇଁ ତ ମୁଁ ଆପଣଙ୍କ ପାଖକୁ ଆସିଛି ବାବୁ। ନହେଲେ ଏତେ ସକାଳୁ ସକାଳୁ ମୁଁ ଆପଣଙ୍କ ପାଖକୁ ଆସିଥାନ୍ତି କାହିଁକି ! ଆପଣ ତ ମୋ ଅବସ୍ଥା ବିଷୟରେ ଭଲ ଭାବରେ ଜାଣନ୍ତି। ମାଆର ଦାହ ସଂସ୍କାର ପାଇଁ ମୋ ପାଖରେ ଟଙ୍କାଟିଏ ବି ନାହିଁ। ଆପଣ ମୋତେ କିଛି ଟଙ୍କା ସାହାଯ୍ୟ କଲେ ସେହି ଟଙ୍କାରେ ମୁଁ ମୋ ମାଆର ଦାହ ସଂସ୍କାର କରିବି। ଆପଣଙ୍କ ଘରୁ ଗଲାପରେ ମୁଁ ଆଉ ଜଣେ ଭଦ୍ରଲୋକଙ୍କ ଘରକୁ ବି ସାହାଯ୍ୟ ମାଗିବାକୁ ଯିବି। କାଳନ୍ଦୀ ବାବୁଙ୍କ ପତ୍ନୀ ମମତା ଦେବୀ କାଳନ୍ଦୀ ବାବୁଙ୍କୁ ପାଖକୁ ଡାକି କହିଲେ , ଆରେ ! ଭଲରେ ମନ୍ଦରେ ଯେତେବେଳେ ଡାକିଲେ ଯଦୁ ଆସି ଆମର ସବୁ କାମ କରି ଦେଉଛି। ତାର ଏଭଳି ଅସୁବିଧାରେ ଆମେ ତାକୁ ସାହାଯ୍ୟ କରିବା ଉଚିତ। ତୁମେ ଆଉ ଡେରି ନକରି ତାକୁ କିଛି ପଇସା ଦିଅ। ଆମ ଘରୁ ଗଲାପରେ ସେ ପୁଣି ଅନ୍ୟ କାହା ଘରକୁ ଯିବ ବୋଲି କହୁଛି। ସେ ଯେତେ ଶୀଘ୍ର ଘରକୁ ଫେରିବ ସେତେ ଶୀଘ୍ର ତା ମାଆର ଦାହ ସଂସ୍କାର ହେବ। କାଳନ୍ଦୀ ବାବୁ କହିଲେ , ହଁ ! ତୁମେ ଠିକ୍ କହୁଛ। ଏହା କହି କାଳନ୍ଦୀ ବାବୁ ଘର ଭିତରକୁ ଗଲେ ଓ ଘରୁ ଏକ ହଜାର ଟଙ୍କା ଆଣି ଯଦୁ ହାତରେ ଧରାଇ ଦେଲେ। ତାପରେ କାଳନ୍ଦୀ ବାବୁ ଓ ତାଙ୍କ ପତ୍ନୀଙ୍କ ଆଡ଼କୁ ଏକ କୃତଜ୍ଞତାର ଚାହାଁଣି ଚାହିଁ ଯଦୁ ଧୀରେ ଧୀରେ ସେଠାରୁ ଚାଲିଗଲା।
ୟା ଭିତରେ ଏକମାସ ବିତି ଯାଇଥିଲା। କାଳନ୍ଦୀ ବାବୁ ଯେତେବେଳେ ବି ମନ୍ଦିର ପାଖ ଦେଇ ଯାଉଥିଲେ ତାଙ୍କ ଆଖି ଯଦୁକୁ ଖୋଜୁଥିଲା। ସେ କିନ୍ତୁ ଯଦୁର ଦେଖା ପାଉ ନଥିଲେ। କାଳନ୍ଦୀ ବାବୁ ଭାବୁଥିଲେ , ମାଆ ମରି ଯାଇଥିବାରୁ ବିଚରା ଯଦୁଟା ଦୁଃଖରେ ଭାଙ୍ଗି ପଡ଼ିଥିବ। ସେଥିପାଇଁ ସେ ଆଉ ବୋଧେ ମନ୍ଦିରକୁ ଆସୁନାହିଁ। ସେ ଦିନେ ଘରକୁ ଫେରି ତାଙ୍କ ପତ୍ନୀ ମମତାଙ୍କୁ କହିଲେ , ବୁଝିଲ ! ମାଆ ଚାଲିଯିବା ପରେ ଯଦୁର ମନଟା ଏପରି ଭାଙ୍ଗି ଯାଇଛି ଯେ ସେହି ଦୁଃଖରେ ସେ ବୋଧହୁଏ ଆଉ ମନ୍ଦିରକୁ ଆସୁନାହିଁ ! ମମତା କହିଲେ , ଦେଖ ! ମାଆକୁ ଛାଡ଼ି ତା ପାଇଁ ଆହା ପଦେ କହିବାକୁ ଏ ଦୁନିଆରେ କେହି ନାହାଁନ୍ତି। ତେଣୁ ମାଆର ମୃତ୍ୟୁରେ ସେ ନିଶ୍ଚୟ ଶକ୍ତ ଆଘାତ ପାଇଥିବ। ସେଥିପାଇଁ ତା ମନଟା ବୁଝିଗଲେ ସେ ପୁଣି ଆପେ ଆପେ ମନ୍ଦିରକୁ ଆସିବ। ଏମିତିରେ ବି ତା ମାଆ ମରିବାକୁ ତ ମାତ୍ର ଏକମାସ ହୋଇଛି। ଆଉ ସେଥିରୁ ତା ମାଆର ଶୁଦ୍ଧିକ୍ରିୟା କାର୍ଯ୍ୟ ସରିବାକୁ ତ ପନ୍ଦର ଦିନ ଯାଇଥିବ। ତେଣୁ ଆଉ କିଛି ଦିନ ଗଲେ ସେ ମନ୍ଦିର ପାଖକୁ ନିଶ୍ଚୟ ଆସିବ। କାଳନ୍ଦୀ ବାବୁ କହିଲେ , ହଁ। ତୁମେ ଠିକ୍ କହୁଛ।
ତାପରେ ଆଉ ଏକମାସ ଗଲା। ମମତା ଦେବୀ ଥରେ କାଳନ୍ଦୀ ବାବୁଙ୍କୁ କହିଲେ , ଆଚ୍ଛା। ଯଦୁ ସହିତ ତୁମର କଣ ଆଉ ଦେଖା ହେଉନାହିଁ ? ଛାତଟା ବହୁତ ଅପରିଷ୍କାର ହେଲାଣି। ସେ ଆସିଥିଲେ ଟିକେ ଛାତଟା ସଫା କରି ଦେଇଥାନ୍ତା। କାଳନ୍ଦୀ ବାବୁ କହିଲେ , ମୁଁ ତ ସେଇପଟେ ସବୁଦିନେ ବଜାରକୁ କ୍ଷୀର ପାଇଁ ଯାଉଛି। କାହିଁ ତା ଉପରେ ତ ମୋର ନଜର ପଡ଼ୁ ନାହିଁ ! ଆଚ୍ଛା ଆଜି ମୁଁ ତା ବିଷୟରେ ସନ୍ଧାନ ନେବି। ସେଦିନ ମଧ୍ୟ କାଳନ୍ଦୀ ବାବୁ ଯଦୁକୁ ଯେତେବେଳେ ମନ୍ଦିର ପାଖରେ ଦେଖିବାକୁ ପାଇଲେ ନାହିଁ ସେ ମନ୍ଦିର ପାଖରେ ଥିବା ଭୋଗ ଦୋକାନର ମାଲିକକୁ ଯଦୁ ବିଷୟରେ ପଚାରିଲେ। କିନ୍ତୁ ଭୋଗ ଦୋକାନୀ ଯଦୁ ବିଷୟରେ କିଛି କହି ପାରିଲେ ନାହିଁ। କାଳନ୍ଦୀ ବାବୁ ଭାବିଲେ , ତାହେଲେ ଯଦୁ କଣ ଏ ସହର ଛାଡ଼ି ଅନ୍ୟ କୁଆଡ଼େ ଚାଲିଗଲା ! ଏମିତି ଭାବରେ ଛଅମାସ ବିତିଗଲା। ସବୁଦିନେ ସକାଳେ ବଜାରକୁ କ୍ଷୀର ପାଇଁ ଗଲାବେଳେ କାଳନ୍ଦୀ ବାବୁ ମନ୍ଦିର ପାଖରେ ଯଦୁକୁ ଖୋଜନ୍ତି। କିନ୍ତୁ ମନ୍ଦିର ପାଖରେ ସେ ଆଉ ଯଦୁର ଦେଖା ପାଆନ୍ତି ନାହିଁ। ତେଣୁ କାଳନ୍ଦୀ ବାବୁ ସ୍ଥିର ନିଶ୍ଚିତ ହୋଇଗଲେ ଯେ ଯଦୁର ମାଆ ମରିଯିବା ପରେ ଯଦୁ ନିଶ୍ଚୟ ଏ ସହର ଛାଡ଼ି ଅନ୍ୟ କୁଆଡ଼େ ଚାଲି ଯାଇଛି।
କିଛିଦିନ ପରର କଥା। କାଳନ୍ଦୀ ବାବୁ ବଜାରରୁ ଫେରିଲା ବେଳକୁ ତାଙ୍କ ପତ୍ନୀ ମମତା ତାଙ୍କୁ କହିଲେ , ଶୁଣ ! ମାମୁଙ୍କ ଦେହ ବହୁତ ଖରାପ। ସେ ମେଡିକାଲରେ ଆଡ଼ମିଶନ ହୋଇଛନ୍ତି। ତୁମ ମୋବାଇଲ ଫୋନକୁ କଲ୍ ଆସିଥିଲା। ତୁମେ ତ ଆଜି ଫୋନଟା ଘରେ ଛାଡ଼ି ଯାଇଥିଲ। ତେଣୁ ଫୋନଟା ମୁଁ ରିସିଭ୍ କଲି। ମାଇଁ କାନ୍ଦି କାନ୍ଦି ତୁମକୁ ହସ୍ପିଟାଲ ଯିବାକୁ କହିଛନ୍ତି। ତୁମେ ଶୀଘ୍ର ହସ୍ପିଟାଲ୍ ଯାଅ ଓ ମାମୁଁଙ୍କୁ ଟିକେ ଦେଖିଆସ। ତାପରେ ସାଙ୍ଗ ହୋଇ ଆମେ ଦୁଇଜଣ ଯାକ ପଛେ ସନ୍ଧ୍ୟାବେଳକୁ ଆଉଥରେ ହସ୍ପିଟାଲ ଯିବା। କାଳନ୍ଦୀ ବାବୁ ବ୍ୟସ୍ତ ହୋଇ କହିଲେ , ହଁ ! ମୁଁ ଏଇ ସାଙ୍ଗେ ସାଙ୍ଗେ ଯାଉଛି।
କାଳନ୍ଦୀ ବାବୁ ହସ୍ପିଟାଲରେ ପହଞ୍ଚି ସିଧା ତାଙ୍କ ମାମୁଁଙ୍କ ବେଡ୍ ପାଖକୁ ଗଲେ। ତାଙ୍କ ମାମୁଁ ସେତେବେଳକୁ ଔଷଧ ଖାଇ ଶୋଇ ଯାଇଥିଲେ। କାଳନ୍ଦୀ ବାବୁଙ୍କ ମାଇଁ ତାଙ୍କୁ ଦେଖି କାନ୍ଦି ପକାଇଲେ। ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ସେ ମାମୁଁଙ୍କ ବିଷୟରେ ପଚାରିବାରୁ ଡାକ୍ତର ତାଙ୍କୁ କହିଲେ , ତାଙ୍କର ବିଶେଷ କିଛି ଅସୁବିଧା ହୋଇନାହିଁ ଓ ଦୁଇଦିନ ଏଠାରେ ରହି ଚିକିତ୍ସିତ ହେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ। ଡ଼ାକ୍ତରଙ୍କ ମୁହଁରୁ ଏକଥା ଶୁଣି କାଳନ୍ଦୀ ବାବୁଙ୍କ ଚିନ୍ତା ଦୂର ହୋଇଗଲା ଓ ସେ ତାଙ୍କ ମାଇଁଙ୍କୁ କହିଲେ , ମୁଁ ଡାକ୍ତରଙ୍କ ସହିତ କଥା ହୋଇ ସାରିଲେଣି। ମାମୁଁଙ୍କର ବିଶେଷ କିଛି ଅସୁବିଧା ହୋଇନାହିଁ। ତେଣୁ ତୁମେ ଆଦୌ ବ୍ୟସ୍ତ ହୁଅନାହିଁ। ମାମୁଁ ତ ଏବେ ଶୋଇଛନ୍ତି। ମୁଁ ଘରକୁ ଯାଉଛି। ମମତାଙ୍କୁ ସାଥିରେ ଆଣି ମୁଁ ପୁଣି ସନ୍ଧ୍ୟାବେଳକୁ ଆସିବି। କାଳନ୍ଦୀ ବାବୁ ତାଙ୍କ ମାଇଁଙ୍କୁ ଏହିପରି କହି ଓ୍ଵାର୍ଡରୁ ବାହାରକୁ ବାହାରିଲା ବେଳକୁ ସେହି ଓ୍ଵାର୍ଡର ଅନ୍ୟ ଏକ ବେଡ଼ରେ ସେ ଯଦୁକୁ ଶୋଇ ଥିବାର ଦେଖିଲେ। ସେ ହସ୍ପିଟାଲ ବେଡ଼ରେ ଯଦୁକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଓ ସାଙ୍ଗେ ସାଙ୍ଗେ ଯାଇ ଯଦୁ ପାଖରେ ପହଞ୍ଚିଲେ।
ଯଦୁ ଏତେ ଦୁର୍ବଳ ହୋଇ ଯାଇଥିଲା ଯେ ସେ ବେଡରୁ ଉଠିବା ଅବସ୍ଥାରେ ନଥିଲା। କାଳନ୍ଦୀ ବାବୁଙ୍କୁ ଦେଖି ସେ କାନ୍ଦି ପକାଇଲା। କାଳନ୍ଦୀ ବାବୁ ଯଦୁକୁ କହିଲେ , ଆରେ ! ତୁମର କଣ ହୋଇଛି ? ତୁମେ ଏ ହସ୍ପିଟାଲରେ କାହିଁକି ଅଛ ? ଯଦୁ କହିଲା , ପନ୍ଦର ଦିନ ହେଲା ମୁଁ ଏ ହସ୍ପିଟାଲରେ ଅଛି ବାବୁ ! ମଦ ପିଇ ପିଇ ମୋର ଏପରି ଅବସ୍ଥା ହୋଇଛି। ଅବଶ୍ୟ ଡାକ୍ତର କହୁଛନ୍ତି ଯେ କିଛିଦିନ ଚିକିତ୍ସିତ ହେବା ପରେ ମୁଁ କୁଆଡ଼େ ଭଲ ହୋଇଯିବି। କିନ୍ତୁ ମୋର କାହିଁକି ସେ ଆଶା ନାହିଁ। ଯଦୁ ଠାରୁ ଏକଥା ଶୁଣି ଯଦୁ ଯେ ମଦ ପିଏ ଏକଥା କାଳନ୍ଦୀ ବାବୁ ପ୍ରଥମ ଥର ପାଇଁ ଜାଣିଲେ। ତାଙ୍କ ଘରକୁ ଯଦୁ ଯିବା ଆସିବା କରିବା ଭିତରେ ଯଦୁର ମଦ ପିଇବା କଥା ସେ ଜାଣି ନଥିଲେ। ତାଙ୍କ ପତ୍ନୀ ମମତା ମଦୁଆମାନଙ୍କୁ ବହୁତ ଘୃଣା କରନ୍ତି। ତେଣୁ ସେ ଭାବୁଥିଲେ , ଯଦୁ ମଦ ପିଏ ବୋଲି ଜାଣିଥିଲେ ମମତା କେବେ ବି ତାକୁ ତାଙ୍କ ଘରେ କାମ କରିବା ପାଇଁଁ ଅନୁମତି ଦେଇ ନଥାନ୍ତେ ! ଯଦୁ ସେହି ବେଡ଼ରେ ଶୋଇ କାଳନ୍ଦୀ ବାବୁଙ୍କୁ କହିଲା , କଣ କରିବି ଆଜ୍ଞା ! କୁସଙ୍ଗରେ ପଡ଼ି କେତେବେଳେ ଯେ ଏ ମଦ ପିଇବାଟା ମୋର ଗୋଟେ ଅଭ୍ୟାସରେ ପରିଣତ ହୋଇଗଲା ସେକଥା ମୁଁ ଜାଣି ପାରିଲି ନାହିଁଁ। ଆଉ ତାର ପରିଣାମ ଆଜି ମୁଁ ଭୋଗ କରୁଛି। ଯଦୁ ଆଖିରେ ଅନୁତାପର ଲୁହ ଥିଲା। ଯଦୁକୁ ସିନା ମଦୁଆ ବୋଲି କାଳନ୍ଦୀ ବାବୁ ଆଜି ଜାଣିଲେ। କିନ୍ତୁ ତାଙ୍କ ଘରେ ଯେତେଥର ସେ ଯାଇ କାମ କରିଛି କେବେ ବି ତାର କୋୖଣସି କାମରେ କାଳନ୍ଦୀ ବାବୁ ତୃଟି ଦେଖି ନଥିଲେ। ଆଉ ଏମିତିରେ ବି ଯଦୁର ବ୍ୟବହାର ବହୁତ ମାର୍ଜିତ ଥିଲା। ସେଥିପାଇଁ କାଳନ୍ଦୀ ବାବୁ ତାକୁ ଭାରି ଭଲ ପାଉଥିଲେ। ଏବେ ଯଦୁକୁ ଏ ଅବସ୍ଥାରେ ମେଡିକାଲ ବେଡ଼ରେ ଦେଖି କାଳନ୍ଦୀ ବାବୁଙ୍କୁ ବହୁତ ଦୁଃଖ ଲାଗିଲା। ସେ ଭାବିଲେ , ବିଚରା ଲୋକଟା ଏଇ କିଛିଦିନ ଆଗରୁ ନିଜ ମାଆକୁ ହରେଇଛି। ନିଜ ମାଆ ମରିବାର ଦୁଃଖ ଏବେ ବି ତା ମନରୁ ଯାଇ ନଥିବ। ତାପରେ ପୁଣି ଭଗବାନ ତାକୁ ଏ ଦୁଃଖ କାହିଁକି ଦେଲେ କେଜାଣି ! ସେ ତାକୁ ପଚାରିଲେ , ମେଡିକାଲ ଖର୍ଚ୍ଚ ପାଇଁ କିଛି ପଇସାପତ୍ର ଦରକାର କି ? ଯଦୁ କହିଲା , ନାଇଁ ଆଜ୍ଞା ! ଏ ସରକାରୀ ଡାକ୍ତରଖାନାରେ ସବୁ ମାଗଣା। ମୋତେ କିଛି ଖର୍ଚ୍ଚ କରିବାକୁ ପଡ଼ୁ ନାହିଁ। ତେଣୁ ଆପଣ ସେଥିପାଇଁ ମୋଟେ ଚିନ୍ତା କରନ୍ତୁ ନାହିଁ। ତାପରେ ଯଦୁ କହିଲା , ମୁଁ କେତେଦିନ ଏହି ହସ୍ପିଟାଲ ବେଡ଼ରେ ରହିବି ସେକଥା ତ ମୋତେ ଜଣା ନାହିଁ। ଆଉ ମୁଁ ଭଲ ହୋଇ ଏଠୁ ଫେରିବି କି ନାହିଁ ସେକଥା ମଧ୍ୟ ମୁଁ ଜାଣିନାହିଁ। ତେଣୁ ମୁଁ ଏକ ପ୍ରକାର ବଞ୍ଚିବା ଆଶା ଛାଡ଼ି ଦେଇଛି। କାଳନ୍ଦୀ ବାବୁ କହିଲେ , ଆରେ ! ତୁମେ ସେମିତି କାହିଁକି ଭାବୁଛ ! ଡାକ୍ତର କହୁଛନ୍ତି ଯେତେବେଳେ ତୁମେ ନିଶ୍ଚୟ ଭଲ ହୋଇଯିବ। ୟା ଭିତରେ ଅନେକ ଥର ମୁଁ ତୁମକୁ ମନ୍ଦିର ପାଖରେ ଖୋଜିଛି। କିନ୍ତୁ ପାଇନାହିଁ। ମୁଁ ତ ଭାବିଲି ତୁମେ ଏ ସହର ଛାଡ଼ି ଅନ୍ୟ କୁଆଡ଼େ ଚାଲି ଯାଇଛ ବୋଲି। ଯଦୁ କହିଲା , ନାଇଁ ବାବୁ ! ମୁଁ ଏ ସହର ଛାଡ଼ି କୁଆଡ଼େ ବି ଯାଇନି। କିନ୍ତୁ ଆପଣଙ୍କ ଘରୁ ସେଦିନ ଗଲାପରେ ମୁଁ ଆଉ ସେ ମନ୍ଦିର ପାଖକୁ ଯାଇନି। କାରଣ ମୁଁ ଜାଣିଥିଲି ଯେ ସେ ମନ୍ଦିର ପାଖକୁ ଗଲେ ଆପଣଙ୍କ ସହିତ ମୋର ନିଶ୍ଚୟ ଦେଖାହେବ। ଆଉ ଆପଣଙ୍କ ସହିତ ଦେଖା କରିବାର ସାହସ ଆଉ ମୋ ଭିତରେ ନଥିଲା। ଯଦୁ ମୁହଁରୁ ଏକଥା ଶୁଣି କାଳନ୍ଦୀ ବାବୁ ଆଶ୍ଚର୍ଯ୍ୟ ହୋଇ ତା ମୁହଁକୁ ଚାହିଁଲେ। ସେ କହିଲେ , ତୁମେ ଏମିତି କାହିଁକି କହୁଛ ! ଯଦୁ କହିଲା , ସେଦିନ ସକାଳୁ ସକାଳୁ ମୁଁ ଆପଣଙ୍କ ଭଳି ଭଦ୍ରଲୋକଙ୍କ ଘରକୁ ଯାଇ ଆପଣଙ୍କୁ ଯେପରି ହଇରାଣ କଲି ସେକଥା ମନେ ପଡ଼ିଲେ ଏବେବି ମୋ ମୁଣ୍ଡ ଲାଜରେ ତଳକୁ ନଇଁ ଯାଉଛି। କାଳନ୍ଦୀ ବାବୁ କହିଲେ , ଆରେ ଏଥିରେ ଲାଜ କରିବାର କଣ ଅଛି। ତୁମ ମାଆଙ୍କର ଦାହ ସଂସ୍କାର କରିବା ନିମନ୍ତେ ତୁମେ ତ କିଛି ଟଙ୍କା ନେବା ପାଇଁ ସେଦିନ ଆମ ଘରକୁ ଆସିଥିଲ। ସେଥିପାଇଁ ଆମେ ତ ତୁମକୁ କିଛି ଖରାପ ଭାବିନୁ। ବରଂ ପୁଅ ହିସାବରେ ନିଜ ମାଆଙ୍କର ଦାହ ସଂସ୍କାର କରିବା ପାଇଁଁ ସେଇଟା ସେଦିନ ତୁମର କର୍ତ୍ତବ୍ୟ ଥିଲା। ତା ପୂର୍ବଦିନ ରାତିରେ ତୁମ ମାଆଙ୍କର ହୃଦଘାତରେ ମୃତ୍ୟୁ ହେବାଟା ତୁମ ପାଇଁ ଯେ କେତେ କଷ୍ଟଦାୟକ ହୋଇଥିବ ସେକଥା ଜଣେ ପୁଅ ହିସାବରେ କେବଳ ତୁମେ ହିଁ ଅନୁଭବ କରିଥିବ !
ଯଦୁ ଲୁହ ଛଳଛଳ ଆଖିରେ କହିଲା , ସେଦିନର ରାତିଟା ମୋ ପାଇଁ ସତରେ ଏକ କାଳରାତ୍ରି ଥିଲା ବାବୁ ! ସେଦିନ ସନ୍ଧ୍ୟାବେଳେ ଜଣଙ୍କ ଘରେ କାମ ସାରିଲା ପରେ ସେ ମୋତେ ଯେଉଁ ପଇସା ଦେଲେ ମୁଁ ସେ ପଇସାକୁ ନେଇ ସିଧା ମଦ ଦୋକାନକୁ ଗଲି । ସେ ପଇସାତକ ଦେଇ ମୁଁ ଗୋଟିଏ ମଦ ବୋତଲ କିଣିଲି। ସେ ମଦ ଦୋକାନରେ ଆଗରୁ ମୋର କିଛି ପଇସା ବାକି ରହି ଯାଇଥିଲା। ସେଦିନ ସେ ମଦ ଦୋକାନୀ ମୋତେ ତା ବାକି ପଇସା ମାଗିଲା। ମୋ ପାଖରେ ତ ଆଉ ପଇସା ନଥିଲା। ମୁଁ ତେଣୁ ତାକୁ ଆଉ କିଛି ଦିନ ସମୟ ମାଗିଲି। ସେ ବିରକ୍ତ ହୋଇ କହିଲା , ତୁ ମୋତେ ଛଅମାସ ହେଲା ସମୟ ମାଗି ଆସୁଛୁ ଆଉ ମୁଁ ତୋତେ ସମୟ ଦେଇ ଚାଲିଛି। ଏବେ କିନ୍ତୁ ମୁଁ ଆଉ ତୋତେ ସମୟ ଦେଇ ପାରିବି ନାହିଁ। ମୋତେ ଏବେ ମୋ ବାକି ପଇସା ଦରକାର। ସେ ଯେତେବେଳେ ଏହିପରି ଜିଦ୍ କରି ତା ପଇସା ମାଗିଲା ଆଉ ଅନ୍ତତଃ ଦିନଟିଏ ସମୟ ଦେବାକୁ ମୁଁ ତାକୁ ବହୁତ କାକୁତି ମିନତି ହେଲି। ମୋ କଥା ଶୁଣି ସେ କହିଲା , ଠିକ୍ ଅଛି। ତୁ ମୋର ନିୟମିତ ଗରାଖ ବୋଲି ମୁଁ ତୋତେ ଆଉ ଗୋଟିଏ ଦିନ ସମୟ ଦେଉଛି। କାଲି ସୁଦ୍ଧା ମୋ ପଇସା ମୋତେ ମିଳିଯିବା ଦରକାର। କାଲି ମୋ ପଇସା ନଦେଲେ ମୁଁ ତୋର ଯେ କି ଅବସ୍ଥା କରିବି ସେକଥା ତୁ ସ୍ଵପ୍ନରେ ସୁଦ୍ଧା ଭାବି ନଥିବୁ। ଲୋକଟାର ରାଗ ଦେଖି ମୁଁ ଭୀଷଣ ଭାବରେ ଡରିଗଲି। କାହିଁକି ମୁଁ ବାକିକରି ମଦ ପିଉଥିଲି ବୋଲି ମୋର ନିଜ ଉପରେ ଭୀଷଣ ରାଗ ଆସୁଥିଲା। କିନ୍ତୁ କଣ କରିବି ! ଭୁଲ୍ ତ କରି ସାରିଛି। ଘରକୁ ଯାଇ ମାଆକୁ କିଛି ନକହି ଚୁପଚାପ୍ ଶୋଇ ପଡ଼ିଲି। ମାଆ ମୋତେ ଯେତେ ଖାଇବାକୁ ଡାକିଲା ମୁଁ ଆଉ ତା କଥା ଶୁଣିଲି ନାହିଁ କି ସେଦିନ ରାତିରେ ଆଉ ଖାଇଲି ନାହିଁ। ମୁଁ ଯେଉଁଦିନ ଆସି ଚୁପଚାପ୍ ମୁହଁ ମାଡ଼ି ଶୁଏ ମାଆ ଜାଣିପାରେ ଯେ ମୋତେ ନିଶ୍ଚୟ ବାଧିଲା ଭଳି କିଛି କଥା କିଏ କହିଛି। ଆଉ ମୁଁ ମଦ ପିଇବା ଯେ ଏ ସବୁର ମୂଳ କାରଣ ସେକଥା ମଧ୍ୟ ସେ ଜାଣେ। ସେଥିପାଇଁ ସେ ମୋତେ ଅନେକ ଥର ବୁଝେଇଛି। ଅନେକ ରାଣ ନିୟମ ଦେଇ ମଦ ଛାଡ଼ିବା ପାଇଁ କହିଛି। କିନ୍ତୁ ମୁଁ କେବେ ବି ତା କଥା ମାନି ନାହିଁ କି ମଦ ପିଇବା ଛାଡ଼ି ନାହିଁ। କଥାରେ ଅଛି ପରା ବାବୁ ! ପୁଅ ଯେତେ ଖରାପ ହେଉନା କାହିଁକି ମାଆ କେବେ ଖରାପ ହୋଇ ପାରିବ ନାହିଁ। ମାଆ ସବୁବେଳେ ମାଆ। ତେଣୁ ମୁଁ ତା କଥା ନମାନି ମଦ ପିଇଲେ ବି ସେ ମନଦୁଃଖ କରେ ସିନା ହେଲେ ପର ଘରେ ବାସନ ମାଜି ମୋ ପାଇଁ ଦୁଇବେଳା ଦୁଇମୁଠା ଖାଇବା ଯୋଗାଡ଼ କରେ। ମୁଁ ତ ଯେଉଁଠୁ ଯାହା ପଇସା ଆଣେ ସନ୍ଧ୍ୟାବେଳକୁ ସେସବୁ ମଦଦୋକାନୀକୁ ଦେଇ ଘରକୁ ଖାଲି ହାତରେ ଆସେ। ତେଣୁ ପରଘରେ କାମ କରି ମାଆ ଘରର ସବୁ ଖର୍ଚ୍ଚ ତୁଲାଉଥିଲା। ମାଆ ପରଘରେ ପାଇଟି କରି ମୋ ପାଇଁ ଦୁଇବେଳା ଦୁଇମୁଠା ଖାଇବା ଯୋଗାଡ଼ କରୁ ନଥିଲେ ମୋ ଅବସ୍ଥା ଯେ କଣ ହୋଇଥାନ୍ତା ସେକଥା କିଏ କହିବ ! ସେଦିନ ରାତିରେ ମୁଁ ନ ଖାଇବାରୁ ମାଆ ଆଉ ଖାଇଲା ନାହିଁ। ସେମିତି ଉପାସ ଶୋଇଲା। ମୁଁ ନଖାଇ ନପିଇ ଶୋଇ ପଡ଼ିଲି ସିନା ହେଲେ ମୋ ଆଖିକୁ ନିଦ ଆସୁ ନଥାଏ। ମୁଁ ଶେଯ ଉପରେ ପଡ଼ି ଖାଲି କଡ଼ ଲେଉଟାଉଥାଏ। ମୋ ମନରେ ସେଇ ଗୋଟିଏ ଚିନ୍ତା ଥାଏ ଯେ ମୁଁ କାଲି ସେ ମଦ ଦୋକାନୀକୁ ତା ବାକି ପଇସା କେଉଁଠୁ ଆଣି ଦେବି ! ସେଇକଥା ଭାବି ଭାବି କେତେବେଳେ ଯେ ମୋ ଆଖିକୁ ନିଦ ଆସି ଯାଇଥିଲା ସେକଥା ମୁଁ ଜାଣି ପାରି ନଥିଲି । ପାହାନ୍ତା ପହର ବେଳକୁ ମୋ ନିଦ ଭାଙ୍ଗିଗଲା। ପଇସା ଯୋଗାଡ଼ କରିବା ଚିନ୍ତାରେ ମୋ ମୁଣ୍ଡ ଘୁରେଇ ଦେଉଥାଏ। ମନଟାକୁ ହାଲୁକା କରିବାକୁ ସନ୍ଧ୍ୟାବେଳେ କିଣି ଆଣିଥିବା ମଦ ବୋତଲକୁ ଖୋଲି ପେଟେ ମଦ ପିଇଲି। ତାପରେ......ଏମିତି କହୁ କହୁ କାହାକୁ ଦେଖି ଯଦୁ ଅଧାରୁ କଥା ବନ୍ଦ କରିଦେଲା।
ଯଦୁକୁ ଚୁପ୍ ହୋଇଯିବା ଦେଖି କାଳନ୍ଦୀ ବାବୁ ପଛକୁ ଚାହିଁଲେ। ସେ ଦେଖିଲେ ଯେ ଜଣେ ବୃଦ୍ଧା ଯଦୁ ପାଖକୁ ଆସୁଛନ୍ତି। ରୁଗଣ୍ ଶରୀର। ଦେହରେ ଖଣ୍ଡେ ମଇଳା ଶାଢ଼ୀ। ସେ ଯଦୁର ବେଡ଼ ପାଖକୁ ଆସି ପଚାରିଲେ , ଖାଇଲୁଣି ନା ନାହିଁ ? ଯଦୁ କହିଲା। , ନା ! ଖାଇବା ଆସିନାହିଁ। ଆଉ କିଛି ସମୟ ପରେ ଆସିଯିବ। କାଳନ୍ଦୀ ବାବୁଙ୍କୁ ଦେଖାଇ ଦେଇ ଯଦୁ ତାଙ୍କୁ କହିଲା , ବୁଝିଲୁ , ମୁଁ ଏହି ବାବୁଙ୍କ ଘରକୁ କାମ କରିବାକୁ ଯାଏ। ଭାରି ଭଲ ଲୋକ। ବୃଦ୍ଧା ଜଣକ କାଳନ୍ଦୀ ବାବୁଙ୍କ ମୁହଁକୁ ଚାହିଁଲେ। ସେତେବେଳ ଯାଏଁ କାଳନ୍ଦୀ ବାବୁ ଜାଣି ପାରୁ ନଥାନ୍ତି ଯେ ଏ ବୃଦ୍ଧା ଜଣକ କିଏ ! ସେ ଭାବିଲେ ବୋଧହୁଏ ଯଦୁର କେହି ନିଜର ହୋଇଥିବେ ! ସେଥିପାଇଁ ବୋଧହୁଏ ସେ ତା ଖାଇବା ବିଷୟରେ ପଚାରି ବୁଝୁଛନ୍ତି ! କିନ୍ତୁ ଯଦୁ ତ କହୁଥିଲା ଯେ ତା ମାଆଙ୍କ ବ୍ୟତୀତ ଏ ଦୁନିଆରେ ତାର ଆଉ କେହି ନାହାଁନ୍ତି ବୋଲି ! ତା ମାଆ ତ ମରି ଯାଇଛନ୍ତି। ତାହେଲେ ଏ ପୁଣି କିଏ ! ଏମିତି ଭାବି ଭାବି ସେ ଯେତେବେଳେ ଯଦୁ ଆଡ଼କୁ ଚାହିଁଲେ ଯଦୁ କହିଲା , ଇଏ ମୋ ମାଆ ବାବୁ। ଯଦୁ ମୁହଁରୁ ଏକଥା ଶୁଣି କାଳନ୍ଦୀ ବାବୁ ଚମକି ପଡ଼ିଲେ। ଯଦୁର କଥା ସେ କିଛି ବୁଝି ପାରିଲେ ନାହିଁ। ସେ ଭାବିଲେ , ଛଅ ମାସ ତଳେ ଯଦୁର ମାଆ ମରି ଯାଇଛନ୍ତି ବୋଲି କହି ତାଙ୍କର ଦାହ ସଂସ୍କାର ପାଇଁ ଯଦୁ ତ ତାଙ୍କ ଠାରୁ ଟଙ୍କା ଆଣିଥିଲା। ଆଜି ପୁଣି କଣ ଏ ବୃଦ୍ଧାଙ୍କୁ ସେ ତାର ମାଆ ବୋଲି କହୁଛି ! କାଳନ୍ଦୀ ବାବୁ ଯଦୁକୁ କହିଲେ , ତୁମେ କଣ କହୁଛ ମୁଁ କିଛି ବୁଝି ପାରୁନାହିଁ ଯଦୁ ! ଯଦୁ କହିଲା , ମୁଁ ଠିକ୍ କହୁଛି ବାବୁ ! ଏ ହେଉଛି ମୋର ମାଆ। ଯଦୁ ଓ କାଳନ୍ଦୀ ବାବୁଙ୍କ ଭିତରେ ଏପରି କଥାବାର୍ତ୍ତା ଶୁଣି ବୃଦ୍ଧା ଜଣକ ଯଦୁକୁ ପଚାରିଲେ , କଥା କଣ ଯଦୁ ! ଏ ବାବୁ ତୋତେ ଏମିତି କାହିଁକି ପଚାରୁଛନ୍ତି। ଯଦୁ କହିଲା , ସେ ଅନେକ କଥା ମାଆ ! ତୁ ଟିକେ ରହ ! ମୁଁ ବାବୁଙ୍କୁ ସବୁକଥା ବୁଝେଇ ଦେଉଛି। ତାପରେ ଯଦୁ କାଳନ୍ଦୀ ବାବୁଙ୍କୁ କହିଲା , ମୁଁ ସେହିକଥା ଆପଣଙ୍କ ଆଗରେ କହୁଥିବା ସମୟରେ ମୋ ମାଆ ଆସିଯିବାରୁ ମୋ କଥା ଅଧାରେ ରହି ଯାଇଥିଲା। ଏବେ ମୋ ଠାରୁ ସବୁକଥା ଶୁଣନ୍ତୁ। ତାପରେ ଆପଣ ସବୁକିଛି ବୁଝି ପାରିବେ।
ତାପରେ ଯଦୁ କହିଲା , ସେଦିନ ପେଟେ ମଦ ପିଇ ସାରିବା ପରେ ମଧ୍ୟ ମଦ ଦୋକାନୀର ବାକି ପଇସା କଥା ମୁଁ ଭୁଲି ପାରୁ ନଥିଲି। କେଉଁଠିକି ଯିବି , କାହାକୁ ପଇସା ମାଗିବି ବୋଲି ମୁଁ ଚିନ୍ତା କରି ଚାଲିଥାଏ। ସେତିକିବେଳେ ମୋର ଆପଣଙ୍କ କଥା ମନେ ପଡ଼ିଗଲା। ମୁଁ ସକାଳୁ ସକାଳୁ ଯାଇ ଆପଣଙ୍କ ଘରେ ହାଜର ହୋଇଗଲି। ସେତେବେଳକୁ ମୋତେ ନିଶା ଛାଡ଼ି ନଥାଏ। ଆପଣଙ୍କ ଗେଟ୍ ପାଖରେ ପହଞ୍ଚିବା ପରେ ଭାବିଲି , କଣ କହି ଟଙ୍କା ମାଗିଲେ ଆପଣ ମୋତେ ନିଶ୍ଚିତ ଭାବରେ ଟଙ୍କା ଦେବେ। ସେତେବେଳେ ଗୋଟିଏ ଉପାୟ ମୋ ମନକୁ ଆସିଲା। ମୁଁ ଭାବିଲି ମାଆ ମରି ଯାଇଛି ବୋଲି ଆପଣଙ୍କୁ କହିଲେ ଆପଣ ମୋତେ ନିଶ୍ଚୟ ଟଙ୍କା ଦେବେ। ତେଣୁ ମୁଁ ଆପଣଙ୍କୁ ମାଆ ମରି ଯାଇଛି ବୋଲି ମିଛ କହି ଆପଣଙ୍କ ଠାରୁ ଟଙ୍କା ଆଣିଲି। ମୋତେ ସେଥିପାଇଁ ଆପଣ କ୍ଷମା କରି ଦିଅନ୍ତୁ। ଏହା କହି ରୋଗଶଯ୍ୟାରେ ଶୋଇ ଯଦୁ କାଳନ୍ଦୀ ବାବୁଙ୍କୁ ହାତ ଯୋଡ଼ିଲା।
ଯଦୁ ମୁହଁରୁ ଏକଥା ଶୁଣି କାଳନ୍ଦୀ ବାବୁ ଯଦୁକୁ କଣ କହିବେ କିଛି ଜାଣି ପାରୁ ନଥିଲେ। ସେ ଯଦୁକୁ କହିଲେ , ତୁମ ମାଆ ବଞ୍ଚି ଥାଉ ଥାଉ ସାମାନ୍ୟ କେତେଟା ଟଙ୍କା ପାଇଁ ସେ ମରି ଯାଇଛନ୍ତି ବୋଲି ତୁମେ ମିଛ କହିଲ ! ଏକଥା ଶୁଣିବା ପରେ ତୁମକୁ ପୁଅ ବୋଲି କହିବାକୁ ତାଙ୍କୁ ଲଜ୍ଜା ଲାଗିବ। କାଳନ୍ଦୀ ବାବୁଙ୍କ ଠାରୁ ଏକଥା ଶୁଣି ଯଦୁର ମାଆ କାଳନ୍ଦୀ ବାବୁଙ୍କୁ କହିଲେ , ଏ କଥା ସିନା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ବାବୁ ! କିନ୍ତୁ ଏକଥା ମୋର ଦେହସୁହା ହୋଇଗଲାଣି। ଆଜି ପର୍ଯ୍ୟନ୍ତ ମଦ ଦୋକାନର ବାକି ଶୁଝିବାକୁ କେତେଥର ଯେ ମୋ ଦେହ ଖରାପ ଅଛି ବୋଲି ମିଛ କହି ସେ ଲୋକଙ୍କ ଠାରୁ ପଇସା ଆଣିଛି ତାର ହିସାବ ମୋ ପାଖରେ ନାହିଁ। ତଫାତ କେବଳ ଏତିକି ଯେ ଏଥରକ ମୋ ଦେହ ଖରାପ ଅଛି ବୋଲି ନକହି ମୁଁ ମରି ଯାଇଛି ବୋଲି କହି ସେ ଆପଣଙ୍କ ଠାରୁ ପଇସା ଆଣିଛି। ଏହା ପୂର୍ବରୁ ସେ ମୋ ଦେହ ଖରାପ ହେବା କଥା ମିଛରେ କହି ଅନ୍ୟମାନଙ୍କ ଠାରୁ ଟଙ୍କା ଆଣିବା କଥା ଯେତେବେଳେ ମୋ କାନରେ ପଡ଼ିଛି ମୁଁ ତାକୁ ରାଣ ନିୟମ ଦେଇ ଆଉ ମଦ ନ ପିଇବାକୁ ବାରମ୍ବାର କହିଛି। କିନ୍ତୁ କଣ କରିବି ! ସେ ମୋ କଥା ଶୁଣିଲେ ତ ! ତା ଉପରେ ମୋ କଥାର କିଛି ବି ପ୍ରଭାବ
ପଡ଼େନାହିଁ। ମୋ ମନ ରଖିବାକୁ ପ୍ରତ୍ୟେକ ଥର ସେ ମୋ ମୁଣ୍ଡ ଛୁଇଁ ମଦ ଛାଡ଼ିବାକୁ ଶପଥ କରେ। କିନ୍ତୁ ପୁଣି ଯେଉଁ କଥାକୁ ସେହିକଥା। ଦେଖୁ ନାହାଁନ୍ତି , ମୋ କଥା ନ ମାନିବାର ଫଳ ସେ ଆଜି କିପରି ଭୋଗୁଛି। ଏହା କହି ବୃଦ୍ଧା ଜଣକ ଦୁଇ ଆଖିରୁ ବହି ଆସୁଥିବା ଲୁହକୁ ନିଜ ପଣତରେ ପୋଛିଲେ। ଯଦୁର ମାଆଙ୍କୁ କାନ୍ଦିବାର ଦେଖି କାଳନ୍ଦୀ ବାବୁଙ୍କୁ ବହୁତ ଦୁଃଖ ଲାଗିଲା। ସେ କହିଲେ , ଆପଣ ଆଉ କାନ୍ଦନ୍ତୁ ନି ମାଉସୀ ! ଠାକୁରଙ୍କୁ ଡାକନ୍ତୁ ଆପଣଙ୍କ ପୁଅ କିପରି ଶୀଘ୍ର ଭଲ ହୋଇଯାଉ। ବୃଦ୍ଧା ଜଣକ କହିଲେ , ବୁଝିଲେ ବାବୁ ! ତାକୁ ଛାଡ଼ିଦେଲେ ମୋର ଆଉ ଏ ଦୁନିଆରେ କେହି ନାହାଁନ୍ତି। କିନ୍ତୁ ସେ କୁଳାଙ୍ଗାରଟା କଣ ସେକଥା ବୁଝୁଛି ! ମୋ ପୁଅର ଭୁଲ୍ ପାଇଁ ମୁଁ ଲଜ୍ଜିତ ବାବୁ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ତାକୁ କ୍ଷମା କରି ଦିଅନ୍ତୁ !
ବୃଦ୍ଧାଙ୍କ ମୁହଁରୁ ଏକଥା ଶୁଣି କାଳନ୍ଦୀ ବାବୁ ଯେତେବେଳେ ଯଦୁ ମୁହଁକୁ ଚାହିଁଲେ ସେ ଦେଖିଲେ ଯେ ଯଦୁ ନିରବରେ ଉପରକୁ ଚାହିଁ ଆଖିରୁ ଲୁହ ଗଡ଼ାଉଛି। ସେ ଡାକିଲେ , ଯଦୁ ! ଯଦୁ କହିଲା , ମୋ ଭୁଲ୍ ପାଇଁ ଆପଣ ମୋତେ କ୍ଷମା କରିବେ କି ନାହିଁ ସେକଥା ମୁଁ ଜାଣେନା ବାବୁ ! କିନ୍ତୁ ଆପଣଙ୍କୁ ମୋର ଗୋଟିଏ ଅନୁରୋଧ ଯେ ଆପଣ ଏକଥା ମାଆଙ୍କ ଆଗରେ କହିବେ ନାହିଁ। ମାଆ ଏକଥା ଜାଣିଲେ ଜୀବନରେ କେବେବି ମୁଁ ଆଉ ତାଙ୍କୁ ମୁହଁ ଦେଖେଇ ପାରିବି ନାହିଁ। କାଳନ୍ଦୀ ବାବୁ କହିଲେ , ଠିକ୍ ଅଛି। ମୁଁ ଏକଥା ମମତାଙ୍କ ଆଗରେ କହିବି ନାହିଁ। କିନ୍ତୁ ତା ବଦଳରେ ତୁମକୁ ମୋର ଗୋଟିଏ କଥା ରଖିବାକୁ ପଡ଼ିବ। ତୁମେ ଆଜି ମୋ ଆଗରେ ପ୍ରତିଜ୍ଞା କର ଯେ ତୁମେ ଜୀବନରେ ଆଉ କେବେ ବି ମଦ ପିଇବ ନାହିଁ। ଯଦୁ କହିଲା , ଆପଣ କହିବା ଆଗରୁ ମୁଁ ମଦ ଛାଡ଼ି ଦେଇଛି ବାବୁ ! ସେଦିନ ଆପଣଙ୍କ ଘରୁ ମାଆ ମରି ଯାଇଛି ବୋଲି ମିଛ କହି ଟଙ୍କା ଆଣିଲା ପରେ ମୁଁ ମଦ ଦୋକାନୀର ଟଙ୍କା ଶୁଝିଦେଲି। ସେତେବେଳକୁ ମୋ ନିଶା ପୂରାପୂରି ଛାଡି ଯାଇଥାଏ। କିନ୍ତୁ ଘରକୁ ଫେରି ମୁଁ ଆଉ ଶାନ୍ତିରେ ଶୋଇ ପାରିଲି ନାହିଁ। ନିଶା ଛାଡିଗଲା ପରେ ମୋ ବିବେକ ମୋତେ ବାରମ୍ବାର ଦଂଶନ କରିବାକୁ ଲାଗିଲା। ବୁଢ଼ୀ ମାଆଟାର ବିକଳ ଚେହେରାଟା ମୋ ଆଖି ଆଗରେ ନାଚି ଉଠୁଥିଲା। ମୁଁ ନିଜକୁ ନିଜେ ଧିକ୍କାର କରିବାକୁ ଲାଗିଲି। ଭାବିଲି , ଯେଉଁ ମାଆ ପରଘରେ ପାଇଟି କରି ମୋ ପେଟକୁ ଦାନା ଗଣ୍ଡେ ଦେଉଛି ମଦ ଦୋକାନୀର ବାକି ପଇସା ଶୁଝିବାକୁ ସେ ମରିଯାଇଛି ବୋଲି ମିଛ କହି ମୁଁ କିପରି ଟଙ୍କା ଆଣି ପାରିଲି ! ମୋ ପୁଅ ଜନ୍ମକୁ ଧିକ୍ ! ଆଗରୁ ମୋ ମାଆ ଦେହ ଖରାପ ଅଛି ବୋଲି ମିଛ କହି ମୁଁ ଲୋକଙ୍କ ଠାରୁ ଟଙ୍କା ଆଣି ଅନେକ ଥର ମଦ ଦୋକାନୀର ବାକି ପଇସା ଶୁଝିଛି ବାବୁ ! କିନ୍ତୁ କୋୖଣସି ଥର ମୋ ମନକୁ ଏପରି ଶକ୍ତ ଆଘାତ ଲାଗି ନଥିଲା ଯେଉଁ ଆଘାତ କି ମାଆ ମରି ଯାଇଛି ବୋଲି ମିଛ କହି ଆପଣଙ୍କ ଠାରୁ ଟଙ୍କା ଆଣିବା ପରେ ମୋ ଭିତରେ ମୁଁ ଅନୁଭବ କଲି। ମୁଁ ଭାବିଲି ମୁଁ ଏମିତି ଗୋଟିଏ ପୁଅ ଯିଏକି ତା ଜୀବନରେ ନିଜ ଜନ୍ମ କଲା ମାଆ ପାଇଁ କେବେ ତ କିଛି କରି ପାରିଲା ନାହିଁ ବରଂ ମଦ ଦୋକାନୀର ବାକି ଶୁଝିବାକୁ ମାଆ ବଞ୍ଚି ଥାଉ ଥାଉ ସେ ମରି ଯାଇଛି ବୋଲି ମିଛ କହିଲା ! ଏହିକଥା ଭାବି ଭାବି ମୁଁ ନିଜ ଆଖିରେ ନିଜେ ଛୋଟ ହୋଇଗଲି ଓ ଜୀବନରେ ଆଉ କେବେ ମଦ ପିଇବି ନାହିଁ ବୋଲି ମନେ ମନେ ଶପଥ କଲି। ଆପଣଙ୍କ ଘରକୁ ଯାଇ କାମ କରିବା ଆଗରୁ ମୁଁ ଅନେକ ଲୋକଙ୍କ ଘରକୁ ଯାଇ କାମ କରିଛି । କିନ୍ତୁ ଆପଣଙ୍କର ଓ ମାଆଙ୍କର ମୋ ପ୍ରତି ଥିବା ସ୍ନେହ ଯୋଗୁ ମୋ ଅଜାଣତରେ ଆପଣଙ୍କ ଘର ସହିତ ମୋର କେମିତି ଗୋଟେ ଅଲଗା ସମ୍ପର୍କ ଯୋଡ଼ି ହୋଇ ଯାଇଥିଲା। ସେଥିପାଇଁ ଏ ଘଟଣା ପରେ ଆପଣଙ୍କ ଆଗକୁ ଯିବାକୁ ମୋର ଆଉ ସତସାହସ ନଥିଲା। ମୁଁ ଜାଣିଥିଲି ସତଟା ଦିନେ ନା ଦିନେ ନିଶ୍ଚୟ ଜଣା ପଡ଼ିବ। ଆଉ ପ୍ରକୃତ ସତ ଜାଣି ସାରିବା ପରେ ଆପଣମାନଙ୍କର ମୋ ପ୍ରତି ଥିବା ସ୍ନେହ ଘୃଣାରେ ବଦଳିଯିବ ! ସେଥିପାଇଁ ସେ ଘଟଣା ପରେ ମୋତେ ଆପଣଙ୍କୁ ମୁହଁ ଦେଖେଇବାକୁ ଲାଜ ଲାଗିଲା। ତେଣୁ ତା ପର ଠାରୁ ମୁଁ ଆଉ ସେ ମନ୍ଦିରକୁ ଗଲି ନାହିଁ। ମୋ ମାଆ ସିନା ମୋତେ ବାରମ୍ବାର ରାଣ ନିୟମ ଦେବା ସତ୍ତ୍ଵେ ମୁଁ ମଦ ଛାଡ଼ୁ ନଥିଲି। କିନ୍ତୁ ମୋ ବିବେକର ଦଂଶନ ମୋ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଲା। ମୁଁ ମଦ ଛାଡ଼ିଦେବି ବୋଲି ନିଜେ ଶପଥ କଲି ଆଉ ମୁଁ ମୋ ଶପଥ ରଖିଲି। ସେହିଦିନ ଠାରୁ ମୁଁ ଆଉ ମଦ ପିଇଲି ନାହିଁ। ଆଗରୁ ପିଇଥିବା ମଦର ପ୍ରଭାବରେ ମୋ ଦେହ ସିନା ଏବେ ଖରାପ ହୋଇ ଯାଇଛି , ତା ନହେଲେ ଏଇ ଛଅ ମାସ ହେବ ମୁଁ ସମ୍ପୂର୍ଣ୍ଣ ଭାବରେ ମଦ ଛାଡ଼ି ଦେଇଛି। ଛଅ ମାସ ତଳେ ଯିଏ ଆପଣଙ୍କ ଘରକୁ ପଇସା ମାଗିବାକୁ ଯାଇଥିଲା ସେ ମୁଁ ନଥିଲି ବାବୁ। ସେ ମଦୁଆ ଯଦୁ ଥିଲା। ସେ ହିଁ ମାଆ ମରି ଯାଇଛି ବୋଲି ମିଛ କହି ଆପଣଙ୍କ ଠାରୁ ପଇସା ଆଣିଥିଲା। ସେ ଆଉ ନାହିଁ ବାବୁ। ଛଅ ମାସ ହେବ ସେ ମରି ଗଲାଣି। ଆଜି ଏ ମେଡିକାଲ୍ ବେଡ଼ରେ ଯିଏ ପଡ଼ିଛି ସେ ହେଉଛି ଏଇ ମାଆର ପୁଅ ଯଦୁ ଯିଏକି ଏବେ ଆଉ ମଦ ପିଉ ନାହିଁ। ମୋ କଥାରେ ଯଦି ବିଶ୍ଵାସ ନ ହେଉଛି ଆପଣ ମୋ ମାଆକୁ ପଚାରୁ ନାହାଁନ୍ତି ! ଯଦୁର କଥା ଶୁଣି ତା ମାଆ କହିଲେ , ସେ ସତ କହୁଛି ବାବୁ। ଛଅ ମାସ ହେବ ସେ ମଦ ଛାଡ଼ି ଦେଇଛି। କିନ୍ତୁ ଆଗରୁ ଯେତିକି ମଦ ସେ ପିଇଛି ତାର କୁପରିଣାମ ତ ତାକୁ ଭୋଗ କରିବାକୁ ହେବ ନା। ଯଦୁର ମାଆଙ୍କ ଠାରୁ ଏକଥା ଶୁଣି କାଳନ୍ଦୀ ବାବୁ ବହୁତ ଖୁସି ହେଲେ ଓ କହିଲେ , ସତରେ ଯଦୁ ! ଆଜି ତୁମ ଜୀବନରେ ଏ ପରିବର୍ତ୍ତନ ଦେଖି ମୋତେ ବହୁତ ଖୁସି ଲାଗୁଛି। ତୁମେ ମଦ ଦୋକାନୀର ବାକି ପଇସା ଶୁଝିବାକୁ ତୁମ ମାଆ ମରି ଯାଇଛନ୍ତି ବୋଲି ମିଛ କହି ମୋ ଠାରୁ ପଇସା ନେବା କଥା ଜାଣି ସାରିବା ପରେ ମୋ ମନରେ ଯେଉଁ ଦୁଃଖ ହୋଇଥିଲା ଆଜିର ଏ ଖୁସି ଆଗରେ ସେ ଦୁଃଖ କିଛି ବି ନୁହେଁ। ତାପରେ କାଳନ୍ଦୀ ବାବୁ ଯଦୁର ମାଆଙ୍କୁ କହିଲେ , ମାଉସୀ ! ଆପଣ ଆଉ ବ୍ୟସ୍ତ ହୁଅନ୍ତୁନି ! ଏ ତ ବଡ଼ ଖୁସିର କଥା ଯେ ଆପଣଙ୍କ ପୁଅ ମଦ ଛାଡ଼ି ଦେଇଛି। ପ୍ରଭୁଙ୍କ କୃପାରୁ ଆପଣଙ୍କ ପୁଅ ଖୁବ୍ ଶୀଘ୍ର ଭଲ ହୋଇଯିବ। ଏକଥା ଶୁଣି ବୃଦ୍ଧାଙ୍କ ଓଠରେ ହସ ଫୁଟି ଉଠିଥିଲା। କାଳନ୍ଦୀ ବାବୁ ଯଦୁଠାରୁ ବିଦାୟ ନେଇ ମେଡିକାଲ ଓ୍ଵାର୍ଡରୁ ବାହାରକୁ ଚାଲି ଯାଉଥିଲେ। ଯଦୁ ହାତ ଯୋଡ଼ି କାଳନ୍ଦୀ ବାବୁଙ୍କୁ ନମସ୍କାର କରୁଥିଲା ଓ କହୁଥିଲା , ମାଆଙ୍କୁ କହିବେ ବାବୁ ! ମୁଁ ଭଲ ହୋଇ ମେଡିକାଲରୁ ଫେରିବା ପରେ ଆପଣଙ୍କ ଘରକୁ ଯାଇ ଆପଣଙ୍କ ବାରିଘର ଓ ଛାତ ନିଶ୍ଚୟ ସଫା କରିଦେବି। ଓ୍ଵାର୍ଡ ଭିତରୁ ବାହାରକୁ ଯାଉ ଯାଉ କାଳନ୍ଦୀ ବାବୁ ମନେ ମନେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ , ହେ ପ୍ରଭୁ ! ଯଦୁକୁ ଶୀଘ୍ର ଭଲ କରିଦିଅ।
***********************
