STORYMIRROR

Biswanath Nayak

Others

4  

Biswanath Nayak

Others

ପିତୃତ୍ଵର ବିଳାପ ______________

ପିତୃତ୍ଵର ବିଳାପ ______________

21 mins
5

ପିତୃତ୍ଵର ବିଳାପ _________________ ହାତରେ ପରିବା ବ୍ୟାଗ ଧରି ଶଙ୍କର ବାବୁ ମାର୍କେଟରୁ ଫେରିଲା ବେଳକୁ ଡ୍ରଇଂ ରୁମ ସୋଫା ଉପରେ ବସି ଚା ପିଉଥିବା ଉମା ଦେବୀ କହିଲେ , ହେଇଟି , ତମ ବନ୍ଧୁ ନାରଣ ବାବୁଙ୍କ କଥା ଶୁଣିଲଣି ! ପୁଅଟାର ବାହାଘର ଛଅ ମାସ ହେଇନି। ପୁଅ ବୋହୂ ଦି ଜଣକୁ ଅଲଗା କରି ଦେଇଛନ୍ତି। ବିଚରା ପୁଅ ବୋହୂ ଦିଟା ଏଇ ସହରରେ ଘର ଭଡ଼ା କରି ରହୁଛନ୍ତି। ପରିବା ବ୍ୟାଗଟା ତଳେ ରଖୁ ରଖୁ ଶଙ୍କର ବାବୁ କହିଲେ , ନାରଣ ବାବୁ ଏମିତି କାହିଁକି କଲେ ଯେ ! ଗୋଟିଏ ବୋଲି ତ ପୁଅ। ସିଏ ପୁଣି ତାଙ୍କ ବାହାଘରର ଦଶ ବର୍ଷ ପରେ ହୋଇଛି। ଏଇ ପିଲାଟିକୁ ପାଇବା ପାଇଁ ତାଙ୍କ ସ୍ତ୍ରୀ ଯେ କେତେ ବ୍ରତ ଓ ଉପବାସ କରିଛନ୍ତି ସେକଥା ମୁଁ ଜାଣିଛି। ମୁଁ ଯେତିକି ଜାଣିଛି ସେ ତାଙ୍କ ପୁଅକୁ ବହୁତ ଭଲ ପାଆନ୍ତି। ସ୍କୁଲରୁ କାମ ସାରି ବାହାରିଲା ବେଳକୁ ଆମ ଦୁଇଜଣଙ୍କର ଯେତେବେଳେ ଦେଖାହୁଏ ସବୁବେଳେ ତାଙ୍କ ମୁହଁରୁ ମୁଁ ତାଙ୍କ ପୁଅ ଅମିତର ପ୍ରଶଂସା ହିଁ ଶୁଣିଛି। ସେ ତା ପ୍ରତି ଏତେ କଠୋର ହେଲେ କାହିଁକି ! ଉମା ଦେବୀ କହିଲେ , ପଇସା ଲୋଭ। ପୁଅ ବୋହୂଙ୍କ ପାଇଁ ଖର୍ଚ୍ଚ ହୋଇଯିବ ତ ! ସେଇଥିପାଇଁ ଚାଲାକି କରି ପୁଅବୋହୂଙ୍କୁ ସେମାନଙ୍କ ଠାରୁ ଦୂରେଇ ଦେଲେ। ଶଙ୍କର ବାବୁ କହିଲେ , ଆରେ ତାଙ୍କର କଣ ପଇସାର ଅଭାବ ଅଛି ଯେ ପଇସା ସଞ୍ଚୟ କରିବାକୁ ସେ ଏମିତି କରିବେ ! ତାଙ୍କର ପରା ଛଅଟା କ୍ୱାର୍ଟର ଭଡ଼ା ଲାଗିଛି। ସେଥିରୁ ପ୍ରାୟ ସେ ପଚାଶ ହଜାର ଟଙ୍କା ଭଡ଼ା ପାଉଛନ୍ତି। ତାପରେ ତାଙ୍କର ପେନସନ ପଚାଶ ହଜାର ଟଙ୍କା। ଏଇଠି ତ ଲକ୍ଷେ ଟଙ୍କା ହେଲାଣି। ଆଉ ତାଙ୍କର ଅଭାବ କଣ ! ତାପରେ ଅମିତ ତ ଚାକିରି କରିଛି। ସେ ଚାକିରି ନ କରିଥିଲେ ପୁଅବୋହୂଙ୍କ ଖର୍ଚ୍ଚର ବୋଝ ହୁଏତ ନାରଣ ବାବୁଙ୍କୁ ବହନ କରିବାକୁ ପଡ଼ିଥାନ୍ତା। ଉମା ଦେବୀ କହିଲେ , ଯେତେ ପଇସା ସେତେ ଲୋଭ। ଆରେ ତାଙ୍କ ଅନ୍ତେ ତ ସବୁ ସେଇ ପୁଅବୋହୂଙ୍କର ପୁଣି ଏତେ ଲୋଭ କଣ ପାଇଁ ! ଲୋକମାନେ ଏକଥା ଶୁଣି ଯେଉଁ ଛି ଛାକର କରୁଛନ୍ତି ନା ସେକଥା ଆଉ କଣ କହିବି ! ଶଙ୍କର ବାବୁ କହିଲେ , ଶୁଣ। ତାଙ୍କୁ ଯାହା ଭଲ ଲାଗିଲା ସେ ତାହା କଲେ। ତାଙ୍କ ପୁଅବୋହୂଙ୍କ କଥା ସେ ଯେତେବେଳେ ଭାବିଲେ ନାହିଁ ଆମେ ସେଥିପାଇଁ ଏତେ ମନଦୁଃଖ କଲେ କଣ ହେବ। ଅବଶ୍ୟ ନାରଣ ବାବୁ ମୋର ଜଣେ ଭଲ ବନ୍ଧୁ। ଆମେ ଦୁଇଜଣଯାକ ଗୋଟିଏ ସ୍କୁଲରେ ଅନେକ ଦିନ ଧରି ଶିକ୍ଷକତା କରିଛୁ। ଏବେ ସବୁଦିନେ ପରିବା ମାର୍କେଟରେ ମୋର ମଧ୍ୟ ତାଙ୍କ ସହିତ ଦେଖା ହୁଏ। ସେ ସବୁବେଳେ ତାଙ୍କ ଭଲମନ୍ଦ କଥା ମୋ ଆଗରେ କୁହନ୍ତି। ଗତକାଲି ମଧ୍ୟ ତାଙ୍କର ମୋ ସହିତ ଦେଖା ହୋଇଥିଲା। କାଇଁ ଏ ବିଷୟରେ ସେ ତ ମୋତେ କିଛି କହୁ ନଥିଲେ ! ଉମା ଦେବୀ କହିଲେ , ଏଇଟା କୋଉ ଭଲ କଥା ଯେ ସେ ତୁମ ଆଗରେ କହିଥାନ୍ତେ ! ଏକଥା କହିବାକୁ ତାଙ୍କୁ ଲାଜ ଲାଗିଥିବ। ସେଥିପାଇଁ ସେ ଏକଥା ତୁମ ଆଗରେ କହି ନାହାଁନ୍ତି। ଏ ବୟସରେ ବୋହୂ ହାତ ରନ୍ଧା ଖାଇବା ଛାଡ଼ି ହାତରେ ରାନ୍ଧି ଖାଇବାକୁ ସେମାନଙ୍କୁ କଣ ସୁଖ ଲାଗିଲା କେଜାଣି ! ହଁ ! ପୁଅ ଦୂରରେ ଚାକିରି କରିଥିଲେ କଥା ଭିନ୍ନ ହୋଇଥାନ୍ତା। ଏଇ ସହରରେ ଚାକିରି କରି ନିଜର ଘର ଥାଉ ଥାଉ ପୁଅଟା ଯାଇ ଭଡ଼ା ଘର କରି ରହିବ ! ମୋତେ କାହିଁକି ଏକଥାଟା ଜମା ସୁନ୍ଦର ଦେଖା ଯାଉନାହିଁ। ନାରଣ ବାବୁଙ୍କ ଭଳି ଆମର ଘର ଭଡ଼ା ଲାଗି ନାହିଁ। ସେ ଯେତିକି ପେନସନ ପାଉଛନ୍ତି ତୁମେ ବି ସେତିକି ପେନସନ ପାଉଛ। ହେଲେ ଆମ ପୁଅବୋହୂ ଆମ ପାଖରେ ଅଛନ୍ତି। ଆମ ପୁଅ ଚାକିରି କଲେ ବି ଆଜି ପର୍ଯ୍ୟନ୍ତ ଘରର ସବୁ ଖର୍ଚ୍ଚ ତୁମେ ବହନ କରୁଛ। କେବେ ବି କଣ ତୁମେ ଘର ଚଳେଇବାକୁ ତା ରୋଜଗାର ଉପରେ ନିର୍ଭର କରିଛ ! ଏବେ ତ ସେମାନଙ୍କର ବୁଲିବା ବୟସ। ଏବେ ଯଦି ପୁଅବୋହୂଙ୍କ ଉପରେ ଆମେ ଘରର ଦାୟିତ୍ଵ ସବୁ ଲଦି ଦେବା ତାହେଲେ ବାପାମା ହିସାବରେ ଆମେ ଆଉ ସେମାନଙ୍କ ପାଇଁ କଲେ କଣ ! ଏବେ ଛୁଟିଦିନ ମାନଙ୍କରେ ସେ ତା ରୋଜଗାର ପଇସାରେ ବୋହୂକୁ ନେଇ ବୁଲାବୁଲି କରୁଛି। କରୁ ! ଆମେ ସୁସ୍ଥ ଥାଉ ଥାଉ ଯେତେ ପାରିବେ ସେମାନେ ଜୀବନଟାକୁ ଉପଭୋଗ କରନ୍ତୁ। ଥରେ ସେମାନଙ୍କ କାନ୍ଧରେ ଘରର ଦାୟିତ୍ଵ ପଡ଼ିଗଲେ ଆଉ ସେମାନେ ଚାହିଁଲେ ବି ସେ ଦାୟିତ୍ବରୁ ମୁକୁଳି ପାରିବେ ନାହିଁ। ତୁମେ ତ ନିଜେ ଦେଖିଛ , ବୋହୂ ଯେଉଁଦିନ ରୋଷେଇ ଘରକୁ ଆସି ରୋଷେଇ କରିବାକୁ ଜିଦ୍ କଲା ମୁଁ ତାକୁ କେମିତି ରୋଷେଇ କରିବାକୁ ରୋକ ଠୋକ ମନା କରିଦେଲି। ଆରେ ଏ ପିଲା ବୟସରେ ସେ ଯଦି ସକାଳେ ଓ ରାତିରେ ଦୁଇବେଳା ଆମ ପାଇଁ ରୋଷେଇ କରିବ ରୋଷେଇ ଘରେ ପଶି ପଶି ତାକୁ ଏମିତି ବିରକ୍ତ ଲାଗିବ ଯେ ତା ସ୍ଵାମୀ ଅଫିସରୁ ଫେରି ତାକୁ ଯେତେବେଳେ ତା ସହିତ ବାହାରକୁ ଟିକେ ବୁଲିବା ପାଇଁ ଯିବାକୁ କହିବ ସେ ବାଧ୍ୟ ହୋଇ ତା ସହିତ ଯିବାକୁ ମନା କରିଦେବ। କହିବ ! ବାହାରକୁ ବୁଲିବାକୁ ଗଲେ ଫେରୁ ଫେରୁ ଡେରି ହୋଇଯିବ। ରାତି ରୋଷେଇ କେତେବେଳେ କରିବି ! ପୁଅ ମୁହଁ ଖୋଲି କିଛି କହି ପାରିବ ନାହିଁ ସିନା ହେଲେ ତା ମନ ନିଶ୍ଚୟ ଦୁଃଖ ହେବ। ସେଥିପାଇଁ ଆଜି ପର୍ଯ୍ୟନ୍ତ ରୋଷେଇ କରିବା ଦାୟିତ୍ଵ ମୁଁ ମୋ ବୋହୂକୁ ଦେଇନାହିଁ। ବୋହୂ ଉପରେ ରୋଷେଇ ଦାୟିତ୍ଵ ନଥିବାରୁ ପୁଅ ଯେତେବେଳେ ଚାହିଁଲା ବୋହୂ ତା ସାଙ୍ଗରେ ବାହାରକୁ ବୁଲିବାକୁ ଯାଇ ପାରୁଛି ! ତେଣୁ ଆମ ପୁଅ ବୋହୂ ଦୁହେଁ କେତେ ଖୁସିରେ ଆମ ପାଖରେ ଅଛନ୍ତି କହିଲ ! ପୁଅ ବୋହୂଙ୍କୁ ସିନା ଏମିତି ସ୍ନେହ ଆଦର କଲେ ସେମାନେ ତୁମ ପାଖରେ ରହିବେ। ଆଉ ଯଦି ସବୁବେଳେ ଆମେ ଚାହିଁବା ଯେ ସେମାନେ ଘରର ସବୁ ଦାୟିତ୍ଵ ନେଇ ଆମକୁ ଘରର ସବୁ ଦାୟିତ୍ଵରୁ ମୁକ୍ତ କରନ୍ତୁ ତାହେଲେ ଜୀବନଟା ସେମାନଙ୍କ ପାଇଁ ଏକ ବୋଝ ପାଲଟି ଯିବନି ! ଶଙ୍କର ବାବୁ କହିଲେ , ତୁମେ ଠିକ୍ କହୁଛ ! ସେମାନଙ୍କର ଦାୟିତ୍ଵ ନେବାର ବୟସ କଣ ପଳେଇ ଯାଉଛି ! ଆମେ ଦୁହେଁ ଯେତେବେଳେ ପୂରା ବୁଢ଼ା ବୁଢ଼ୀ ହୋଇଯିବା ସେତେବେଳେ ସେମାନେ ଘରର ସବୁ ଦାୟିତ୍ଵ ବଳେ ବଳେ ସେମାନଙ୍କ ମୁଣ୍ଡ ଉପରକୁ ନେବେନି ! ତୁମେ ଏବେ ସୁସ୍ଥ ଅଛ ବୋଲି ଦୁଇବେଳା ଆମ ସମସ୍ତଙ୍କ ପାଇଁ ରୋଷେଇ କରି ପାରୁଛ। ବୟସ ହୋଇଗଲେ ଯେତେବେଳେ ତୁମର ଆଉ ରୋଷେଇ କରିବାକୁ ଇଚ୍ଛା ନହେବ କହିବା ଆଗରୁ ବୋହୂ ବଳେ ସେ ଦାୟିତ୍ଵ ତା ହାତକୁ ନେବନି ! ଏବେଠାରୁ ତାକୁ ରୋଷେଇ ଦାୟିତ୍ଵ ଦେବା କଣ ଦରକାର ! ସେମିତି ମୁଁ ଏବେ ସୁସ୍ଥ ସବଳ ଅଛି ବୋଲି ମାର୍କେଟ ଯାଇ ସଉଦା ଓ ପରିବାପତ୍ର ନେଇ ଆସୁଛି। ଆଉ କିଛି ବର୍ଷ ପରେ ମୁଁ ଯେତେବେଳେ ଦୁର୍ବଳ ହୋଇଯିବି ପୁଅ କଣ ମୋତେ ଆଉ ମାର୍କେଟକୁ ସଉଦା ଓ ପରିବାପତ୍ର ଆଣିବାକୁ ଯିବାକୁ ଦେବ ! ମୁଁ କହିବା ଆଗରୁ ସେ ସେସବୁ ଦାୟିତ୍ଵ ନିଜ ହାତକୁ ନେଇଯିବ ନି ! ଆଚ୍ଛା ! ରଞ୍ଜିତ କଣ ତା ରୁମରେ ଅଛି ? ଉମା ଦେବୀ କହିଲେ , ବୋହୂକୁ ସାଥିରେ ନେଇ ସେ ପାଖ ପାର୍କରେ ମର୍ଣ୍ଣି ଓ୍ଵାକ କରିବାକୁ ଯାଇଛି। ଭଲ କରିଛି। ସକାଳୁ ସକାଳୁ ଖୋଲା ପବନରେ ଘେରାଏ ବୁଲି ଆସିଲେ ଦେହ ଓ ମନ ଫୁର୍ତ୍ତି ଲାଗିବ। ହଉ ! ତୁମେ ଶୀଘ୍ର ଟିକେ ମୋ ପାଇଁ ଟିକେ ଜଳଖିଆ ତିଆରି କରିଦିଅ। ଆଜି ଇଲେକ୍ଟ୍ରି ବିଲ୍ ପଇଠ କରିବାର ଶେଷ ତାରିଖ। ବିଭିନ୍ନ କାମରେ ବ୍ୟସ୍ତ ରହି ମୁଁ ବିଲ୍ ଦେବାକୁ ଯାଇ ପାରୁନି। ମୋତେ ଆଜି ଯାଇ ଯେମିତି ହେଲେ ଇଲେକ୍ଟ୍ରି ବିଲ୍ ଦେବାକୁ ପଡ଼ିବ। ଅବଶ୍ୟ ଇଲେକ୍ଟ୍ରି ଅଫିସଟା ଆମ ରଞ୍ଜିତର ଅଫିସ୍ ପାଖରେ। ସେ ନେଇ ଇଲେକ୍ଟ୍ରି ବିଲ୍ ଦେଇ ପାରିବ। କିନ୍ତୁ ମୁଁ ତାକୁ ହଇରାଣ କରିବାକୁ ଚାହୁଁ ନାହିଁଁ। ଅଫିସରେ ତାର କୋଉ କମ୍ ଦାୟିତ୍ଵ ଅଛି ଯେ ମୁଁ ତାକୁ ଏ ଦାୟିତ୍ଵ ଦେବି ! ଏମିତିରେ ବି ମୋର ତ ଆଜି ଘରେ ଆଉ କିଛି କାମ ନାହିଁ। ମୁଁ ନିଜେ ନଯାଇ ଅଯଥାରେ ପିଲାଟାକୁ ହଇରାଣ କରିବି କାହିଁକି ! ଆଚ୍ଛା ! ଗ୍ରାଇଣ୍ଡରଟା କଣ ଖରାପ ହୋଇଥିଲା ବୋଲି କହୁଥିଲ ପରା ! ଉମା ଦେବୀ କହିଲେ , ଭଲ କଲ ମନେ ପକେଇଦେଲ। ମୁଁ ମସଲା ବାଟିବାକୁ ଯେଉଁ ହଇରାଣ ହେଉଛି ନା ସେକଥା କେବଳ ମୁଁ ଜାଣେ। ଶଙ୍କର ବାବୁ କହିଲେ ହଉ ! ମୁଁ ଗଲାବେଳେ ଗ୍ରାଇଣ୍ଡରଟା ମୋତେ ମନେକରି ଦେବ। ମୁଁ ତାକୁ ସଜାଡ଼ି ନେଇ ଆସିବି। ଆଉ ଯଦି ସେ ସଜାଡ଼ିଲା ବାଲା ସାଙ୍ଗେ ସାଙ୍ଗେ ସଜାଡ଼ି ନଦେଲା ତାହେଲେ ଗ୍ରାଇଣ୍ଡରଟା ତାକୁ ସଜାଡ଼ିବାକୁ ଦେଇ ଆସିବି। ଉମା ଦେବୀ କହିଲେ , ହଁ ! ତୁମେ ଦେଇଆସ। ସନ୍ଧ୍ୟାବେଳକୁ ରଞ୍ଜିତ ଅଫିସରୁ ଫେରିଲା ବେଳକୁ ପଛେ ତା ପାଖରୁ ଗ୍ରାଇଣ୍ଡରଟା ନେଇ ଆସିବ। ଶଙ୍କର ବାବୁ କହିଲେ , ଭଲ ମାଆ ହେଇଛ ତ ତମେ ! ଦିନସାରା ଅଫିସରେ ଖଟି ଖଟି ପୁଅଟା ମୋର ହାଲିଆ ହୋଇ ପଡ଼ିଥିବ। ସେ କେମିତି ଘରକୁ ଆସି ଟିକେ ବିଶ୍ରାମ ନେବ ବୋଲି ତା ମନ ଚାହୁଁଥିବ ! ସେଥିରେ ପୁଣି ତୁମେ କଣ କହୁଛ ନା ଗ୍ରାଇଣ୍ଡର ଦୋକାନକୁ ଯାଇ ଗ୍ରାଇଣ୍ଡର ଆଣିବାକୁ ସେ ପୁଣି ସେ ଦୋକାନୀ ପାଖରେ ଗୋଡ଼ ଭାଙ୍ଗି ଠିଆ ହେବ ! ବରଂ ଯଦି ସେ ଆଜି ସାଙ୍ଗେ ସାଙ୍ଗେ ଗ୍ରାଇଣ୍ଡର ସଜାଡ଼ି ନଦେବ ମୁଁ ତାକୁ କହିବି ସେ ଗ୍ରାଇଣ୍ଡର ସଜାଡ଼ି ରଖି ଦେଇଥିବ। ମୁଁ କାଲି ଯାଇ ତା ପାଖରୁ ଗ୍ରାଇଣ୍ଡରଟା ନେଇ ଆସିବି। ଉମା ଦେବୀ କହିଲେ , ହଉ ଯାହା ତମ ଇଚ୍ଛା। ଶଙ୍କର ବାବୁଙ୍କୁ ଫ୍ରେସ୍ ପରିବା ଖାଇବାକୁ ଭାରି ଭଲ ଲାଗେ। ସେଥିପାଇଁ ସେ ପ୍ରାୟ ପ୍ରତିଦିନ ସକାଳେ ପରିବା ମାର୍କେଟକୁ ଯାଆନ୍ତି। ତା ପରଦିନ ସକାଳେ ପରିବା ମାର୍କେଟରେ ତାଙ୍କର ନାରଣ ବାବୁଙ୍କ ସହ ସାକ୍ଷାତ ହେଲା। ଦୁଇବନ୍ଧୁ ଅନେକ ସମୟ ଧରି କଥାବାର୍ତ୍ତା ହେଲେ। କଥାବାର୍ତ୍ତା ଭିତରେ ତାଙ୍କ ପୁଅବୋହୂଙ୍କ କଥା ତାଙ୍କୁ ପଚାରି ଦେବାକୁ ଶଙ୍କର ବାବୁଙ୍କର ଭାରି ଇଚ୍ଛା ହେଉଥିଲା। କିନ୍ତୁ କାଳେ କଥାଟା ତାଙ୍କୁ ଭଲ ଲାଗିବ କି ନ ଲାଗିବ ସେହି କଥା ଭାବି ସେ ଅଟକିଗଲେ। ଅବଶ୍ୟ ନାରଣ ବାବୁଙ୍କ ସହିତ ତାଙ୍କର ଯେତିକି ଘନିଷ୍ଠ ବନ୍ଧୁତା ଅଛି ତାଙ୍କୁ ପଚାରିଲେ ସେ ତାଙ୍କ ଆଗରେ କିଛି ଲୁଚାଇବେ ନାହିଁ। କିନ୍ତୁ ସେ ଯଦି ତାଙ୍କ ତରଫରୁ ସେ ବିଷୟରେ କହୁ ନାହାଁନ୍ତି ତାହେଲେ ସେ ତାଙ୍କୁ କାହିଁକି ବା ସେକଥା ପଚାରିବେ ! ଏମିତି କଥାବାର୍ତ୍ତା ଭିତରେ ନାରଣ ବାବୁ କହିଲେ , ଆଚ୍ଛା ଶଙ୍କର ବାବୁ ! ମୋ ଘରଟା ମାର୍କେଟ ପାଖରେ ବୋଲି ମୁଁ ସିନା ମାର୍କେଟରୁ ଆସି ପରିବାପତ୍ର ନେଇ ଯାଉଛି। କିନ୍ତୁ ଆପଣଙ୍କ ଘର ତ ପରିବା ମାର୍କେଟ ଠାରୁ ଦୂର। ଆପଣ ସବୁଦିନେ ପରିବା ନେବାପାଇଁ ସାଇକେଲିଂ କରି ଏତେ ବାଟ ଆସୁଛନ୍ତି କାହିଁକି ? ଆପଣଙ୍କ ପୁଅ ଅମିତର ତ ସ୍କୁଟି ଅଛି। ତାକୁ କହିଲେ ସେ ଆସି ମାର୍କେଟରୁ ପରିବାଟା ନେଇ ଯାଇ ନଥାନ୍ତା ! ଶଙ୍କର ବାବୁ କହିଲେ , ଦେଖନ୍ତୁ ନାରଣ ବାବୁ ! ପୁଅକୁ କହିଲେ ସେ ଅବଶ୍ୟ ଆସି ମାର୍କେଟରୁ ପରିବାଟା ନେଇ ଯାଆନ୍ତା ଯେ ହେଲେ ଯେଉଁ କାମଟା ମୁଁ କରି ପାରୁଛି ସେ କାମର ଦାୟିତ୍ଵ ମୁଁ ତା ଉପରେ ଲଦିବି କାହିଁକି ! ମାର୍କେଟ ଆସି ଏଠାରୁ ପରିବାପତ୍ର ନେଇ ଫେରିଲା ପରେ ସେ ଅଫିସ୍ ଯିବାପାଇଁ ତରତର ହେବ। ଭଲରେ ଗଣ୍ଡେ ଖାଇ କରି ବି ଯାଇ ପାରିବ ନାହିଁ। ସେଥିପାଇଁ ମୁଁ ଚାହୁଁଛି ସେ ସକାଳୁ କେବଳ ତା ନିତ୍ୟକର୍ମ ସାରି ଆରାମରେ ତା ଅଫିସ୍ ଯାଉ। ଏଇ ସବୁ ଅଯଥା ଦାୟିତ୍ଵ ମୁଣ୍ଡକୁ ନେଇ ସେ ଭାରାକ୍ରାନ୍ତ ନହେଉ। ନାରଣ ବାବୁ ଶଙ୍କର ବାବୁଙ୍କୁ ଆଉ କିଛି ନକହି ଚୁପ୍ ରହିଲେ। ସେ କହିଲେ , ଶଙ୍କର ବାବୁ ! ମୋର ତ ପରିବାପତ୍ର କିଣା ସରିଗଲାଣି। ଘରକୁ ପରିବାପତ୍ର ନେଇ ଗଲେ ରୋଷେଇ ହେବ। ମୁଁ ଆଗରେ ଯାଉଛି। ଆପଣ ମାର୍କେଟିଂ ସାରି ପଛରେ ଯିବେ। ଶଙ୍କର ବାବୁ କହିଲେ , ହଉ। ନାରଣ ବାବୁ ଏହା କହି ଚାଲିଗଲା ପରେ ଶଙ୍କର ବାବୁ ପୁଣି ପରିବାପତ୍ର କିଣିବାରେ ବ୍ୟସ୍ତ ରହିଲେ। ଏତିକିବେଳେ ସେ ଦେଖିଲେ ନାରଣ ବାବୁଙ୍କ ପୁଅ ଅମିତ ହାତରେ ବ୍ୟାଗଟିଏ ଧରି ପରିବା କିଣୁଛି। ଏହା ଦେଖି ସେ ଶଙ୍କର ବାବୁ ମନେ ମନେ ଭାବିଲେ ବାପ ପୁଅ ଦୁଇଜଣ ଯାକ ଦୁଇଟା ବ୍ୟାଗ ଧରି ପରିବାହାଟକୁ ଆସିବା କେତେ ଲଜ୍ୟାକର କଥା ନୁହେଁ ସତରେ ! ଲୋକମାନେ ଏକଥା ଦେଖି ନାରଣ ବାବୁଙ୍କୁ କଣ ଭାବୁଥିବେ ! ଏତେ ବର୍ଷ ସ୍କୁଲରେ ଶିକ୍ଷକତା କରି ସେ ଆଉ ସମାଜକୁ କଣ ଶିକ୍ଷା ଦେଲେ ! ତାଙ୍କର ଏଭଳି କାମରୁ ସମାଜର ଲୋକମାନଙ୍କ ପାଖକୁ କି ବାର୍ତ୍ତା ଯିବ ! ଏପଟେ ଘରର ଦାୟିତ୍ଵ ସେପଟେ ଅଫିସ୍ କାମ। ବିଚରା ଅମିତଟା କି ଦହଗଞ୍ଜ ହେଉନଥିବ ସତରେ ! ଆରେ ବୁଢ଼ା ବୟସରେ ଯେଉଁ ପୁଅ ତୁମର ଆଶା ବାଡ଼ି ହେବ , ତୁମେ ରୋଗଶଯ୍ୟାରେ ପଡ଼ିଲେ ଯେଉଁ ବୋହୂ ତୁମର ସେବା କରିବ ତୁମେ ସେମାନଙ୍କୁ ନିଜ ଠାରୁ ଦୂରେଇ ଦେଲ ! ଶଙ୍କର ବାବୁଙ୍କର ନାରଣ ବାବୁଙ୍କ ଉପରେ ଭୀଷଣ ରାଗ ଆସୁଥିଲା। ଶଙ୍କର ବାବୁ ଏମିତି ଭାବୁଥିଲା ବେଳେ ଅମିତ ଆସି କହିଲା , ମଉସା ! ନମସ୍କାର। କଣ ପରିବା ପାଇଁ ମାର୍କେଟ ଆସିଥିଲେ ? ଶଙ୍କର ବାବୁ କହିଲେ , ହଁ ! କାହିଁକି ଅମିତ ଭଳି ପିତାମାତାଙ୍କର ଆଜ୍ଞାକାରୀ ପୁଅ ଯାଇ ଅଲଗା ଭଡ଼ା ଘର କରି ରହୁଛି ସେକଥା ଜାଣିବା ପାଇଁ ଶଙ୍କର ବାବୁଙ୍କ ମନରେ ପ୍ରବଳ ଉତ୍କଣ୍ଠା ଆସିଲା। ସବୁ ଜାଣି କିଛି ନ ଜାଣିଲା ପରି ସେ କହିଲେ , ଆଚ୍ଛା ଅମିତ ! ଏବେ ଏବେ ତ ନାରଣ ବାବୁ ମାର୍କେଟରୁ ପରିବା ନେଇ ଗଲେ ! ତୁମେ ପୁଣି କାହିଁକି ପରିବା ନେବାକୁ ଆସିଛ ? ଅମିତ ଭାରି ସ୍ପଷ୍ଟବାଦୀ ପିଲା। ସେ ପିଲାଦିନରୁ ଶଙ୍କର ବାବୁଙ୍କୁ ଜାଣିଛି। ତଥାପି ଶଙ୍କର ବାବୁଙ୍କର ଏ ପ୍ରଶ୍ନ ଶୁଣି ସେ ଟିକେ ଅପ୍ରସ୍ତୁତ ହୋଇ ପଡ଼ିଲା। କିଛି ସମୟ ପରେ ମନ ଦୁଃଖ କରି ସେ କହିଲା , ଆପଣ କଣ କିଛି ଜାଣି ନାହାଁନ୍ତି ମଉସା ! ଶଙ୍କର ବାବୁ କହିଲେ , କଣ କିଛି ଅସୁବିଧା ହୋଇଛି କି ? ଅମିତ କହିଲା , ଏଇ କିଛି ଦିନ ହେବ ମୁଁ ଆଉ ଘରେ ରହୁନାହିଁ। ଗୋଟିଏ ଭଡ଼ା ଘର କରି ମୋ ସ୍ତ୍ରୀ ସହିତ ବାହାରେ ରହୁଛି। ଶଙ୍କର ବାବୁ କହିଲେ , କିନ୍ତୁ କାହିଁକି ! ଅମିତ କହିଲା , ମୁଁ ନିଜେ ଯେତେବେଳେ ସେ କାହିଁକିର ଉତ୍ତର ଜାଣିନାହିଁ ମୁଁ ଆପଣଙ୍କୁ କଣ କହିବି ମଉସା ! ଶଙ୍କର ବାବୁ କହିଲେ , ମୁଁ ଯେତିକି ଜାଣିଛି ତୁମ ବାହାଘର ପରେ ତ ସବୁକିଛି ଠିକଠାକ ଚାଲିଥିଲା। ତାପରେ ନାରଣ ବାବୁ ବି ଯେତେବେଳେ ମୋର ଦେଖା ହୋଇଛନ୍ତି ମୋ ଆଗରେ ସବୁବେଳେ ସେ ତାଙ୍କ ବୋହୂର ଖୁବ୍ ପ୍ରଶଂସା କରିଛନ୍ତି। କଣ ଏମିତି ସମସ୍ୟା ହେଲା ଯେ ସହର ଭିତରେ ଘର ଥାଉ ଥାଉ ତୁମକୁ ବାହାରେ ଭଡ଼ା ଘର କରି ରହିବାକୁ ପଡ଼ିଲା। ଅମିତ କହିଲା , ମୁଁ ବି ତାର କିଛି କାରଣ ଖୋଜି ପାଉନାହିଁ ମଉସା ! ଏଇ କିଛି ଦିନ ତଳେ ହଠାତ୍ ମୋତେ ବାପା ଡ଼ାକି କହିଲେ , ଦେଖ୍ ଅମିତ ! ମୁଁ ତୋତେ ଯେଉଁ କଥା କହିବାକୁ ଯାଉଛି ତୁ ସେଥିପାଇଁ ମୋତେ କିଛି ଖରାପ ଭାବିବୁନି। ତୋ ବୋଉ ଓ ମୁଁ ଆମେ ଦୁଇଜଣ ହେଲୁ ପୁରୁଣା ପିଢ଼ିର ଲୋକ। ତୁମେ ପୁଅ ବୋହୂ ହେଲ ନୂଆ ପିଢ଼ିର। ତେଣୁ ଆମ୍ଭମାନଙ୍କ ଦୃଷ୍ଟିକୋଣ ଓ ଚିନ୍ତାଧାରା ଭିତରେ ଫରକ ରହିବା ସ୍ବାଭାବିକ। ତୁ ଏକୁଟିଆ ଥିଲୁ ଅଲଗା କଥା। ଏବେ ବୋହୂ ଆସିଲାଣି। କାଳେ କେତେବେଳେ ଆମର କେଉଁ କଥା ହୁଏତ ତାକୁ ଭଲ ନ ଲାଗିପାରେ ! ସେ ସେଥିପାଇଁ ତୋତେ କି ଆମ୍ଭମାନଙ୍କୁ ମୁହଁ ଖୋଲି କିଛି କହିପାରିବ ନାହିଁ ସିନା ହେଲେ ସେ ମନେ ମନେ କଷ୍ଟ ପାଇବ। ଠିକ୍ ସେମିତି କେତେବେଳେ ତୁମ ଦୁଇଜଣଙ୍କର କୋୖଣସି ଆଚରଣ କି କାର୍ଯ୍ୟ ଆମକୁ ହୁଏତ ଭଲ ନ ଲାଗିପାରେ। ସେଥିପାଇଁ ଆମେ ଦୁଇଜଣଙ୍କ ମନ କଷ୍ଟ ହେଲେ ବି ଆମ୍ଭେମାନେ ତୁମକୁ ମୁହଁରେ କିଛି କହି ପାରିବୁ ନାହିଁ। ଅବଶ୍ୟ ଏ ପର୍ଯ୍ୟନ୍ତ ସେମିତି କିଛି ପରିସ୍ଥିତି ଉପୁଜି ନାହିଁ। କିନ୍ତୁ ଭବିଷ୍ୟତରେ ଯେ ଏଭଳି କୋୖଣସି ପରିସ୍ଥିତି ନଉପୁଜିବ ତାର କିଛି ମାନେ ନାହିଁ। ତେଣୁ ଭବିଷ୍ୟତରେ ଏଭଳି ପରିସ୍ଥିତି ଉପୁଜି କାହା ମନରେ ଯେ କଷ୍ଟ ହେଉ ମୁଁ ସେକଥା ଚାହୁଁନାହିଁ। ତେଣୁ ସେଭଳି କୋୖଣସି ପରିସ୍ଥିତି ଉପୁଜିବା ଆଗରୁ ତୁ ବୋହୂକୁ ନେଇ ବାହାରେ ଗୋଟିଏ ଭଡ଼ା ଘର ନେଇ ରହ। ଆମେ ତ କେହି କାହାଠାରୁ ବେଶୀ ଦୂରକୁ ଯାଉ ନାହେଁ ! ସମସ୍ତେ ଏଇ ଗୋଟିଏ ସହରରେ ରହିବା। ଯେତେବେଳେ ତୁମର ଆମ ଦୁଇଜଣଙ୍କୁ ଦେଖିବା ପାଇଁ ମନ ହେବ ବୋହୂକୁ ନେଇ ତୁ ଆମ ପାଖକୁ ଚାଲି ଆସିବୁ। ବାସ୍ ! କଥା ଏତିକି। ଆପଣ ତ ଜାଣିଛନ୍ତି ମଉସା ! ମୁଁ ବାପାଙ୍କ ମୁହଁରେ କେବେ ଉତ୍ତର ଦିଏ ନାହିଁ। ତେଣୁ ମୁଁ ଆଉ ବାପାଙ୍କୁ କିଛି ନକହି ଭଡ଼ା ଘରଟିଏ ନେଇ ସେଇଠି ଯାଇ ରହିଲି। ଅବଶ୍ୟ ମୁଁ ଏଥିପାଇଁ ବାପାଙ୍କୁ କିଛି ଖରାପ ଭାବିନାହିଁ କାରଣ ମୁଁ ଗୋଟିଏ କଥା ଭଲ ଭାବରେ ଜାଣିଛି ଯେ ବାପା ଯାହା ବି କିଛି କରନ୍ତି ବହୁତ ଭାବିଚିନ୍ତି କରନ୍ତି । ତେଣୁ ସେ କଣ ଭାବି ଏ ନିଷ୍ପତ୍ତି ନେଇଛନ୍ତି ସେ ବିଷୟରେ ମୁଁ ଆଉ ବେଶୀ ମୁଣ୍ଡ ନ ଖେଳେଇ ମୋ ସ୍ତ୍ରୀ ସହିତ ଆସି ଭଡ଼ା ଘରେ ରହୁଛି। କିନ୍ତୁ ଭଡ଼ା ଘରେ ଆସି ରହିବା ପରେ ମୁଁ ଯେ କି ହଇରାଣ ହେଉଛି ସେକଥା ଆପଣଙ୍କୁ ଆଉ କଣ କହିବି ମଉସା ! ଆପଣ ତ ଆମ ପରିବାର ସହିତ ଅନେକ ଦିନରୁ ଜଡ଼ିତ। ଆପଣଙ୍କ ଆଗରେ ଆଉ କଣ ଲୁଚେଇବି ! ଘରେ ଥିଲାବେଳେ ମୁଁ କିଛି ଜାଣି ପାରୁ ନଥିଲି। ବାପା ସବୁ କିଛି କରି ଦେଉଥିଲେ। ମୁଁ ଶୋଇ ଶୋଇ ସକାଳେ ଡେରିରେ ଉଠୁଥିଲି ଓ ଗାଧୁଆ ପାଧୁଆ ସାରି ଖାଇପିଇ ଖାଲି ଆରାମରେ ଅଫିସ୍ ଯାଉଥିଲି। ଘରର କୋୖଣସି ଚିନ୍ତା ମୋ ମୁଣ୍ଡରେ ନଥିଲା। ମୁଁ କେବେ ଘରର କୋୖଣସି କାମରେ ମୁଣ୍ଡ ପୂରାଉ ନଥିଲି। ସବୁବେଳେ ମୁଁ ଭାବୁଥିଲି , ବାପା ତ ଘରର ସବୁ ଦାୟିତ୍ଵ ବୁଝୁଛନ୍ତି। ମୋର ଆଉ କେଉଁଥିରେ ମୁଣ୍ଡ ଖେଳେଇବା କଣ ଦରକାର। ବର୍ତ୍ତମାନ କିନ୍ତୁ ଯେଉଁ କାମ ନକଲେ ସେକାମ ହେଉନାହିଁ। ସକାଳୁ ଉଠି ବଜାରରୁ କ୍ଷୀର ଆଣିବା ଠାରୁ ଆରମ୍ଭ କରି ଗ୍ରୋସରୀ ଦୋକାନରୁ ସଉଦାପତ୍ର ଆଣିବା ଓ ପରିବା ମାର୍କେଟରୁ ଆସି ପରିବା ନେବା ପର୍ଯ୍ୟନ୍ତ ସବୁକାମ ମୋତେ ଏକା ଏକା କରିବାକୁ ପଡ଼ୁଛି। ଏସବୁ କାମ ସାରିବା ପରେ ତରତର ହୋଇ ଅଫିସ୍ ଗଲା ପରେ ବି ଘରର ଦାୟିତ୍ଵ ମୋ ପିଛା ଛାଡୁନାହିଁ। ଅଫିସ୍ କାମ କରୁଥିବାବେଳେ ବି ସ୍ତ୍ରୀ ର ଦୁଇ ତିନି ଥର ଫୋନ୍। ସନ୍ଧ୍ୟାବେଳେ ଅଫିସରୁ ଫେରିଲା ବେଳେ କଣ କଣ ମାର୍କେଟରୁ ଆଣିବା ପାଇଁ ହେବ ତାର ବରାଦ। ସେ ବରାଦ ପୁଣି ଥରକରେ ଶେଷ ହେବନାହିଁ। ଯେତେବେଳେ ଯାହା ମନେ ପଡ଼ିଲା। ଅଫିସ୍ କାମ ସାରି ଟାୟାର୍ଡ ହୋଇ ଘରକୁ ଫେରିବାକୁ ଇଚ୍ଛା ହେଲାବେଳକୁ ମାର୍କେଟରେ ବୁଲି ସେସବୁ ଜିନିଷ କିଣିବାକୁ ପଡ଼ୁଛି। ସବୁ କାମ ସାରି ଘରକୁ ଫେରିଲା ବେଳକୁ ରାତି ଆଠଟା। ଆଗରୁ କିନ୍ତୁ ଅଫିସ୍ କାମ ସରିବା ସାଙ୍ଗେ ସାଙ୍ଗେ ମୁଁ ସିଧା ଘରକୁ ଚାଲି ଆସୁଥିଲି। ଏସବୁ ମୋତେ କିଛି କରିବାକୁ ପଡ଼ୁ ନଥିଲା। ବାପା ସବୁକାମ କରି ଦେଉଥିଲେ। ଅମିତ ଠାରୁ ସବୁ ଶୁଣି ସାରିବା ପରେ ନାରଣ ବାବୁ ଯେ କାହିଁକି ଏତେ ବଡ଼ ନିଷ୍ପତ୍ତି ହଠାତ୍ ନେଲେ ଶଙ୍କର ବାବୁ ସେକଥା କିଛି ବୁଝି ପାରୁ ନଥିଲେ। ସେ ଭାବୁଥିଲେ , କଣ ଖାଲି ନାରଣ ବାବୁଙ୍କ ଘରେ ଦୁଇ ପିଢ଼ିର ଲୋକ ରହୁଛନ୍ତି ! ଆଉ ଦୁନିଆରେ କାହା ଘରେ ରହୁ ନାହାଁନ୍ତି ! ଦୁଇ ପିଢ଼ିର ଲୋକଙ୍କ ଭିତରେ ଚିନ୍ତାଧାରା ଓ ଦୃଷ୍ଟିକୋଣର ଫରକ ରହିବ ବୋଲି କଣ ଦୁଇ ପିଢ଼ିର ଲୋକେ ଏକାଠି ନରହି ପରସ୍ପର ଠାରୁ ଅଲଗା ହୋଇ ରହିବେ ! ଇୟେ କେମିତିକା କଥା ! ଶଙ୍କର ବାବୁ ଏମିତି ଭାବୁଥିଲା ବେଳେ ଅମିତ କହିଲା , ମଉସା ! ମୋର କାମ ସାରି ଅଫିସ୍ ଯିବାକୁ ଡେରି ହୋଇଯିବ। ମୁଁ ଏବେ ଆସୁଛି। ଶଙ୍କର ବାବୁ କହିଲେ , ହଉ ! ତାପରେ ପରିବା ବ୍ୟାଗଟିକୁ ନିଜ ସାଇକେଲ କ୍ୟାରିୟରରେ ରଖି ସେ ତାଙ୍କ ଘରକୁ ଗଲେ। ଅମିତ ନିଜ ମଟର ସାଇକେଲରେ ତା ଭଡ଼ା ଘରକୁ ଫେରିବା ବେଳକୁ ବାଟରେ ରଞ୍ଜିତ ସହିତ ଦେଖାହେଲା। ମର୍ଣିଂ ଓ୍ଵାକ ସାରିବା ପରେ ରଞ୍ଜିତ ତା ସ୍କୁଟି ପଛରେ ତା ସ୍ତ୍ରୀକୁ ବସେଇ ଘରକୁ ଫେରୁଥିଲା। ରଞ୍ଜିତ ଓ ଅମିତ ଦୁଇଜଣ ଯାକ ପଢ଼ା ସାଙ୍ଗ। ରଞ୍ଜିତକୁ ଦେଖି ଅମିତ ମଟର ସାଇକେଲ ଅଟକେଇଲା। ରଞ୍ଜିତ ମଧ୍ୟ ତା ସ୍କୁଟି ବନ୍ଦ କଲା। ଅମିତ କହିଲା , ସକାଳୁ ସକାଳୁ ତୁମେ ଦୁଇଜଣ କୁଆଡ଼େ ଯାଇଥିଲ ? ରଞ୍ଜିତ କହିଲା , ଆମେ ଦୁଇଜଣ ଯାକ ସବୁଦିନେ ସକାଳୁ ପାଖରେ ଥିବା ଏଇ ପାର୍କରେ ଆସି ମର୍ଣ୍ଣି ଓ୍ଵାକ କରୁ। ଏବେ ସେଇଠି ମର୍ଣ୍ଣି ଓ୍ଵାକ ସାରି ଆମେ ଦୁଇଜଣ ଘରକୁ ଫେରୁଛୁ। ଆଉ ତୁ କୁଆଡେ଼ ଯାଇଥିଲୁ ? ଅମିତ କହିଲା , ପରିବା ଆଣିବାକୁ ମାର୍କେଟ ଯାଇଥିଲି। ରଞ୍ଜିତ କହିଲା , ଯାହା ହେଉ ସାଙ୍ଗ ! ମୋର ସେସବୁ ଦାୟିତ୍ଵ ନାହିଁ। ସେସବୁ କାମ ବାପା କରନ୍ତି। ଅମିତ କହିଲା , ହଁ ! ଏବେ ପରା ପରିବା ହାଟରେ ମଉସାଙ୍କ ସହିତ ମୋର ଦେଖା ହୋଇଥିଲା। ଆଚ୍ଛା ସାଙ୍ଗ ! ତୁ ତ ଭାଉଜଙ୍କୁ ସାଙ୍ଗରେ ଆଣି ସକାଳୁ ମର୍ଣ୍ଣି ଓ୍ଵାକ କରିବାକୁ ଚାଲି ଆସିଛୁ ! ଆଉ ରୋଷେଇବାସ କାମ କଣ ଭାଉଜ ଏଠୁ ଫେରିଲା ପରେ କରିବେ। ରଞ୍ଜିତ କହିଲା , ସେ କାମ ସବୁ ବୋଉ କରି ଦେଇଥିବ। ତେଣୁ କହିବାକୁ ଗଲେ ଘରର କୋୖଣସି ଦାୟିତ୍ଵ ବାପା ଆମକୁ ଦେଇ ନାହାଁନ୍ତି। ବାପା ଓ ବୋଉ ସବୁ କାମ ସମ୍ଭାଳି ନେଉଛନ୍ତି। ଅମିତ କହିଲା , ହଉ ସାଙ୍ଗ ! ମୋର ଡେରି ହୋଇ ଯାଉଛି। ମୁଁ ପରିବା ନେଇ ଗଲେ ଘରେ ମୋ ସ୍ତ୍ରୀ ତେଣେ ରୋଷେଇ କରିବେ ଆଉ ରୋଷେଇ ସରିଲେ ମୁଁ ଖାଇ ସାରି ଅଫିସ୍ ଯିବି। ରଞ୍ଜିତ କହିଲା , ହଉ ! ଅମିତ ଚାଲିଗଲା ପରେ ରଞ୍ଜିତ ତା ସ୍ତ୍ରୀ ଦୀପାକୁ କହିଲା , ଦେଖିଲ ତ , ମୋ ବାପା ଓ ବୋଉ କେତେ ଭଲ ! ସେମାନେ ଆମକୁ କେତେ ଭଲରେ ରଖିଛନ୍ତି। ଆଉ ଅମିତଙ୍କ ବାପାଙ୍କ କଥା ଶୁଣିଲେ ନା ତୁମେ ମୁଣ୍ଡରେ ହାତ ଦେବ। ଦୀପା କହିଲା , କାହିଁକି ସେ ଏମିତି କଣ କରିଛନ୍ତି କି ! ରଞ୍ଜିତ କହିଲା , ଏଇ କିଛି ଦିନ ହେବ ନିଜ ପୁଅବୋହୂଙ୍କ ଦାୟିତ୍ଵ ନେବାକୁ ପଡ଼ିବ ବୋଲି ସେ ସେମାନଙ୍କୁ ଘରୁ ବାହାର କରି ଦେଇଛନ୍ତି। ଅମିତ ଏବେ ତା ସ୍ତ୍ରୀକୁ ନେଇ ବାହାରେ ଭଡ଼ା ଘର କରି ରହୁଛି। ଏବେ ଦେଖିଲ ନାହିଁ। ଅମିତ ପରିବା ନେଇ ଗଲେ ତା ସ୍ତ୍ରୀ ରୋଷେଇ କରିବ ବୋଲି ସେ କେମିତି କହୁଥିଲା ! ଭାରି ହଇରାଣ ହେଉଛି ବିଚରା ! ଦୀପା କହିଲା , ସତରେ ଏଭଳି ଶାଶୁ ଶ୍ୱଶୁର ପାଇ ମୁଁ ନିଜକୁ ଖୁବ୍ ଭାଗ୍ୟବତୀ ମନେ କରୁଛି। ୟା ଭିତରେ ତିନି ବର୍ଷ ବିତି ଯାଇଥିଲା। ଦିନକର କଥା। ସେଦିନ ସକାଳୁ ଶଙ୍କର ବାବୁଙ୍କୁ ହଠାତ୍ ଜର ଆସିଲା। ଶେଯରୁ ଉଠିବାକୁ ତାଙ୍କର ଆଦୋୖ ଇଚ୍ଛା ହେଉ ନଥାଏ। ଉମା ଦେବୀ ରୋଷେଇ ଘରୁ ବଡ଼ ପାଟିରେ ଡାକି କହିଲେ , କଣ ଆଜି ମାର୍କେଟ ଯିବ ନାହିଁ କି ? ଘରେ ପରା କିଛି ପରିବାପତ୍ର ନାହିଁ। ସ୍ଵାମୀଙ୍କ ଠାରୁ କିଛି ଉତ୍ତର ନପାଇ ସେ ରୋଷେଇ ଘର ଭିତରୁ ବାହାରି ଶଙ୍କର ବାବୁଙ୍କ ପାଖକୁ ଆସିଲେ। ଏତେବେଳ ଯାଏ ସ୍ଵାମୀଙ୍କୁ ଶୋଇ ରହିଥିବାର ଦେଖି ସେ ଟିକେ ବ୍ୟସ୍ତ ହୋଇ ପଡ଼ିଲେ। ସେ ସ୍ଵାମୀଙ୍କ ଦେହରେ ହାତ ମାରି କହିଲେ , ଆରେ ! ତମ ଦେହରେ ତ ଜର ଭର୍ତ୍ତି ହୋଇଛି। ଶଙ୍କର ବାବୁ କହିଲେ , ମୋ ଦେହ ଭଲ ଲାଗୁଥିଲେ ମୁଁ କଣ ଏତେବେଳ ଯାଏ ଶୋଇବା ଲୋକ !ଘରେ ପରିବାପତ୍ର ନାହିଁ ବୋଲି ତୁମେ ରୋଷେଇ ଘରୁ ପାଟି କରି କହୁଥିଲ ଯେ ହେଲେ ମୋର ଆଜି ମାର୍କେଟ ଯିବାକୁ ମୋଟେ ଇଚ୍ଛା ନାହିଁ। ତୁମେ ଟିକେ ରଞ୍ଜିତକୁ କୁହ ସେ ଯାଇ ବଜାରରୁ ଅଳ୍ପ କିଛି ପରିବାପତ୍ର ନେଇ ଆସିବ। ମୋ ଦେହ ଟିକେ ଭଲ ଲାଗିଲେ କାଲି ଆଡ଼କୁ ମୁଁ ପଛେ ଯାଇ ଆଉ ଯାହା ପରିବାପତ୍ର ଦରକାର ନେଇ ଆସିବି। ଉମା ଦେବୀ କହିଲେ , ସେ କଣ ଘରେ ଅଛି ଯେ ମୁଁ ତାକୁ ପରିବା ଆଣିବା ପାଇଁ ମାର୍କେଟ୍ ଯିବାକୁ କହିବି ! ସେ ପରା ସକାଳୁ ବୋହୂକୁ ସାଥିରେ ନେଇ ମର୍ଣ୍ଣି ଓ୍ଵାକ କରିବାକୁ ଯାଇଛି। ଶଙ୍କର ବାବୁ କହିଲେ , କଣ ଦିନ ଆସି ଏତେ ହେଲାଣି , ଏ ପର୍ଯ୍ୟନ୍ତ ସେମାନେ ମର୍ଣ୍ଣି ଓ୍ଵାକ ସାରି ଫେରି ନାହାଁନ୍ତି ! ଉମା ଦେବୀ କହିଲେ , ନା ! ସେମାନେ ଫେରି ନାହାଁନ୍ତି। ଫେରିବା ବାଟରେ କିଏ ଯଦି କେଉଁଠି ଦେଖା ହୋଇ ଯାଇଥିବ ତା ସହିତ ହୁଏତ ସେମାନେ ଗପୁଥିବେ। ସ୍ଵାମୀ ସ୍ତ୍ରୀ ଦୁଇଜଣ ଯାକ ଏମିତି କଥାବାର୍ତ୍ତା ହେଉଥିବା ବେଳେ ବାହାରେ ରଞ୍ଜିତର ପାଟି ଶୁଭିଲା। ଉମା ଦେବୀ କହିଲେ , ରଞ୍ଜିତ ଆସିଲାଣି। ତୁମେ ଟିକେ ବିଶ୍ରାମ ନିଅ। ମୁଁ ଯାଉଛି ତାକୁ କହିବି ସେ ତା ସ୍କୁଟିରେ ମାର୍କେଟ ଯାଇ କିଛି ପରିବାପତ୍ର ନେଇ ଆସିବ। ଏହା କହି ତରବର ହୋଇ ଉମା ଦେବୀ ବାହାର ମେଲାକୁ ଚାଲିଗଲେ। ସେତେବେଳକୁ ରଞ୍ଜିତ ପତ୍ନୀ ଦୀପା ସହିତ ଖୁସି ଗପ କରି କରି ଘର ଭିତରକୁ ଆସୁଥାଏ। ଉମା ଦେବୀ ରଞ୍ଜିତକୁ କହିଲେ , ରଞ୍ଜିତ ! ଘରେ କିଛି ପରିବାପତ୍ର ନାହିଁ। ତୁ ଟିକେ ମାର୍କେଟ ଯାଇ ଅଳ୍ପ କିଛି ପରିବାପତ୍ର ନେଇଆ। ରଞ୍ଜିତ କହିଲା , କାଇଁ ବାପା କଣ ଆଜି ମାର୍କେଟ ଯାଇ ନାହାଁନ୍ତି କି ! ଉମା ଦେବୀ କହିଲେ , ତୋ ବାପାଙ୍କର ଦେହ ଆଜି ଭଲ ନାହିଁ। ସେ ଏ ପର୍ଯ୍ୟନ୍ତ ଶେଯରୁ ବି ଉଠି ନାହାଁନ୍ତି। ରଞ୍ଜିତ କହିଲା , ଦେଖ୍ ବୋଉ ! ଏବେ ମୁଁ ମର୍ଣ୍ଣି ଓ୍ଵାକ ସାରି ଟାୟାର୍ଡ ହୋଇ ଫେରୁଛି। ଏବେ ମୁଁ ଆଉ ମାର୍କେଟ ଯିବା ଅବସ୍ଥାରେ ନାହିଁ। ବରଂ ତୁ ଗୋଟେ କାମ କର। ଘରେ ଯାହା କିଛି ଅଛି ସେଥିରେ ଆଜି କାମ ଚଳେଇ ଦେ। ବାପାଙ୍କ ଦେହ ଭଲ ଲାଗିଲେ ସେ ପଛେ କାଲି ଯାଇ ମାର୍କେଟରୁ ପରିବା ଆଣିବେ। ଏତିକି କହି ରଞ୍ଜିତ ତା ଶୋଇବା ଘରକୁ ଚାଲିଗଲା। ଶେଯରେ ଶୋଇ ଶୋଇ ଶଙ୍କର ବାବୁ ସବୁ ଶୁଣୁଥିଲେ। ସେ କଷ୍ଟେମଷ୍ଟେ ଶେଯରୁ ଉଠି ପତ୍ନୀଙ୍କ ପାଖକୁ ଆସିଲେ। କହିଲେ , ଆଚ୍ଛା ! ଘରେ କଣ ଜର ବଟିକା ଅଛି କି ? ମୋତେ ଆଣି ଗୋଟିଏ ଦିଅ। ପତ୍ନୀଙ୍କୁ ଏକଥା କହି ସେ ବାହାର ମେଲାରେ ପଡ଼ିଥିବା ଚଉକିଟା ଉପରେ ବସି ପଡ଼ିଲେ। ଉମା ଦେବୀ ହଉ ଆଣୁଛି କହି ଘର ଭିତରକୁ ଚାଲିଗଲେ। ସେ ଗଲାପରେ ଶଙ୍କର ବାବୁ ଭାବିଲେ , ଆଜି ପର୍ଯ୍ୟନ୍ତ କେବେ ବି ଉମା ରଞ୍ଜିତକୁ ମାର୍କେଟ ଯିବା ପାଇଁ କୁହନ୍ତି ନାହିଁ। ଆଜି ସେମିତି ଜରୁରୀ ନଥିଲେ ସେ କେବେ ପୁଅକୁ ମାର୍କେଟ ଯିବାକୁ କହି ନଥାନ୍ତେ ! ଏତିକି କଥା ରଞ୍ଜିତ ବୁଝି ପାରିଲା ନାହିଁ କେମିତି ! ତାପରେ ଏବେ ସମୟ ମୋଟେ ସାଢ଼େ ସାତଟା ବାଜିଛି। ଅଫିସ୍ ଯିବାକୁ ତା ହାତରେ ଆହୁରି ଦୁଇଘଣ୍ଟା ସମୟ ଅଛି। ସେ ଚାହିଁଥିଲେ ଆରାମରେ ମାର୍କେଟ ଯାଇ ପରିବାପତ୍ର ଆଣି ପାରିଥାନ୍ତା। କିନ୍ତୁ ସେ ସେମିତି ନକରି ସିଧା ସିଧା ନିଜ ମୁଣ୍ଡ ଉପରୁ ଦାୟିତ୍ଵଟା ଖସେଇ ଦେଇ ଚାଲିଗଲା। ସେ ସିନା ନିଜ ମୁଣ୍ଡ ଉପରୁ ଦାୟିତ୍ଵ ଖସେଇ ଦେଇ ଚାଲିଗଲା କିନ୍ତୁ ଘରେ ପରିବା ନଥିଲେ ଉମା ରୋଷେଇ କେମିତି କରିବେ ! ଏତିକିବେଳେ ଉମା ତାଙ୍କ ହାତକୁ ଜର ବଟିକା ଓ ପାଣି ଗ୍ଲାସ୍ ବଢ଼େଇ ଦେଇ କହିଲେ , ଏ ବଟିକାଟା ଖାଇଦେଇ ଯାଅ ଆଉ ଟିକେ ଶେଯରେ ଗଡ଼ି ପଡ଼ିବ। ଶଙ୍କର ବାବୁ କହିଲେ , ଶୁଣ ! ବଟିକାଟା ଖାଇ ଦେଇ ମୁଁ ଏବେ ମାର୍କେଟ ଯାଉଛି। ସାଢ଼େ ନଅଟା ବେଳକୁ ରଞ୍ଜିତ ଅଫିସ ଯିବ। ପରିବାପତ୍ର ନ ଆଣିଲେ ତୁମେ ରୋଷେଇ କରିବ କେମିତି ? ପତ୍ନୀଙ୍କୁ ଏତିକି କହିବା ପରେ ଧୋତି ଓ ପଞ୍ଜାବୀ ପିନ୍ଧି ଶଙ୍କର ବାବୁ ନିଜ ସାଇକେଲରେ ମାର୍କେଟ ବାହାରିଗଲେ। ଦୁଇଦିନ ପରେ ଶଙ୍କର ବାବୁଙ୍କର ଜର କମିଗଲା ସିନା ହେଲେ ଦେହଟା ତାଙ୍କର ଭାରି ଦୁର୍ବଳ ଲାଗୁଥାଏ। ଆସନ୍ତା କାଲି ସ୍ତ୍ରୀଙ୍କୁ ନେଇ ସେ କେମିତି ଡାକ୍ତରଙ୍କ ପାଖକୁ ଯିବେ ବୋଲି ତାଙ୍କର ଚିନ୍ତା ପଡ଼ିଲା। ସେଦିନ ସେ ଉମାଙ୍କୁ ନେଇ ଡାକ୍ତରଙ୍କ ପାଖକୁ ଯିବେ ବୋଲି ଡାକ୍ତରଙ୍କ ପାଖରୁ ଆଗରୁ ସମୟ ନେଇଛନ୍ତି କାହିଁକି ନା ଗଲା ଏକମାସ ହେବ ଉମା ସବୁବେଳେ ଖୁଁ ଖୁଁ ହୋଇ କାଶୁଛନ୍ତି ଯେ ଯେତେ ଔଷଧ ଖାଇଲେ ବି ତାଙ୍କର କାଶ କମୁନାହିଁ। ସେଦିନ ରାତିରେ ରଞ୍ଜିତ ଅଫିସରୁ ଫେରିଲା ପରେ ସେ ରଞ୍ଜିତକୁ ଡାକି କହିଲେ , ରଞ୍ଜିତ ! ତୋ ବୋଉ ଏଇ କିଛି ଦିନ ହେବ ସବୁବେଳେ ଖୁଁ ଖୁଁ ହୋଇ କାଶୁଛନ୍ତି। ତାଙ୍କୁ ଟିକେ କାଲି ଡାକ୍ତରଙ୍କ ପାଖକୁ ନେବାକୁ ହେବ। ଜର ଛାଡ଼ିବା ପରେ ମୋ ଦେହଟା କାହିଁକି ଭାରି ଦୁର୍ବଳ ଲାଗୁଛି। ତୋର ତ କାଲି ଅଫିସ୍ ନାହିଁ। କାଲି ସକାଳୁ ଦୀପା ଟିକେ ରୋଷେଇ କରିଦେବ। ଆଉ ତୁ ତୋ ବୋଉକୁ ନେଇ ଟିକେ ଡାକ୍ତର ମିଶ୍ରଙ୍କ ପାଖକୁ ଯାଆ। ରଞ୍ଜିତ କହିଲା , ମୁଁ କାଲି ବୋଉକୁ ନେଇ ଡାକ୍ତରଙ୍କ ପାଖକୁ ଯିବାରେ କିଛି ଅସୁବିଧା ନଥିଲା ଯେ ବାପା ହେଲେ କାଲି ଆମ ମର୍ଣ୍ଣି ଓ୍ଵାକ ଗ୍ରୁପର ବନ୍ଧୁମାନେ ଗୋଟିଏ ଭୋଜିର ଆୟୋଜନ କରିଛନ୍ତି। ମୁଁ କାଲି ସକାଳ ସାତଟାବେଳେ ସେଠିକି ଯିବି। ଦୀପା ମଧ୍ୟ କାଲି ସକାଳେ ରୋଷେଇ କରି ପାରିବେ ନାହିଁ କାରଣ ସେ ମଧ୍ୟ ସେଠିକି ଯିବେ। ଆମେ ଦୁଇଜଣ ଯାକ କାଲି ସେଠିକି ନଗଲେ ସମସ୍ତେ ମନଦୁଃଖ କରିବେ। ତେଣୁ ବୋଉ କାଲି ସକାଳୁ ରୋଷେଇ କାମ ସାରି ଦେଲାପରେ ଆପଣ ଟିକେ ବୋଉକୁ ନେଇ ଡାକ୍ତର ଦେଖେଇ ଆଣନ୍ତୁ। ଅନନ୍ୟୋପାୟ ହୋଇ ଶଙ୍କର ବାବୁ କହିଲେ , ହଉ ! ରଞ୍ଜିତ ଚାଲିଯିବା ପରେ ତା କଥା ଭାବି କରି ଶଙ୍କର ବାବୁଙ୍କ ଭୀଷଣ ଭାବରେ ଚିନ୍ତିତ ହୋଇ ପଡ଼ିଲେ। ସେ ଭାବିଲେ ଯେ କୋଣସି ଦାୟିତ୍ଵ ଦେଲେ କିଛି ନା କିଛି ଆଳ ଦେଖେଇ ରଞ୍ଜିତ ସେ ଦାୟିତ୍ଵ ନିଜ ମୁଣ୍ଡ ଉପରୁ ଖସେଇ ଦେବାକୁ ଚେଷ୍ଟା କରୁଛି। ବୋହୂଟାକୁ ବି ତା ସହିତ ସେଇ ବାଟରେ ନେଇଗଲାଣି। ପୁଅର ସମର୍ଥନ ପାଇ ବୋହୂ ବି ଘରର କୋୖଣସି କାମରେ ମୁଣ୍ଡ ପୂରାଉ ନାହିଁ। ଆମେ ସ୍ଵାମୀ ସ୍ତ୍ରୀ ସିନା ଏବେ ଘରର ସବୁ ଦାୟିତ୍ଵ ତୁଲେଇ ନେଉଛୁ ! କିନ୍ତୁ ଆମ ଅନ୍ତେ ଏମାନେ ଚଳିବେ କେମିତି ! ଏମିତି ଭାବନା ଭିତରେ ବୁଡ଼ି ରହିଥିବା ବେଳେ ପତ୍ନୀ ଉମାଦେବୀ ଆସି କହିଲେ , କାଲି କେତେବେଳେ ରଞ୍ଜିତ ମୋତେ ଡାକ୍ତରଙ୍କ ପାଖକୁ ନେଇକରି ଯିବ ବୋଲି କହିଲା ? ଶଙ୍କର ବାବୁ କହିଲେ , ସେ ତୁମକୁ ଡାକ୍ତରଙ୍କ ପାଖକୁ ନେଇ ଯିବାକୁ ମନା କଲା। କିନ୍ତୁ ତୁମେ କିଛି ବ୍ୟସ୍ତ ହୁଅନାହିଁ। ମୁଁ କାଲି ତୁମକୁ ଡାକ୍ତରଙ୍କ ପାଖକୁ ନେଇକରି ଯିବି। ଉମା ଦେବୀ କହିଲେ , ତାହେଲେ ସକାଳୁ ବେଳାବେଳି ଉଠି ମୋତେ ରୋଷେଇ କାମ ସାରିବାକୁ ହେବ କାହିଁକି ନା ଦୀପାକୁ କାଲି ରୋଷେଇ କରିବା ପାଇଁଁ କହୁଥିଲି ଯେ କାଲି ତାକୁ ରୋଷେଇ କରିବାକୁ ସମୟ ହେବନାହିଁ ବୋଲି ସେ କହିଲା। ଶଙ୍କର ବାବୁ ଦୀର୍ଘଶ୍ୱାସ ପକେଇ କହିଲେ , ହଉ ! ଏ ଘଟଣାର କିଛିଦିନ ପରେ ଶଙ୍କର ବାବୁ ପରିବା ଆଣିବା ପାଇଁ ମାର୍କେଟ ଗଲାବେଳକୁ ଅମିତ ସହ ତାଙ୍କର ଦେଖା ହେଲା। ଅମିତ କହିଲା , ମଉସା ! ନମସ୍କାର। ଶଙ୍କର ବାବୁ କହିଲେ , ଅମିତ ! ନାରଣ ବାବୁଙ୍କ ଦେହ ଭଲ ଅଛି ତ ? ଆଉ କିଛି ଦିନ ହେବ ମୁଁ ତ କାହିଁକି ତାଙ୍କୁ ମାର୍କେଟ ଆସିବାର ଦେଖୁନାହିଁ। ଅମିତ କହିଲା , ବାପାଙ୍କ ଦେହ ପୂରା ଭଲ ଅଛି ମଉସା। ମୁଁ ଏବେ ମାର୍କେଟ ଆସି ସଉଦା ଓ ପରିବାପତ୍ର ସବୁ ନେଇ ଯାଉଛି ତ ସେଇଥିପାଇଁ ବାପାଙ୍କୁ ଆଉ ମାର୍କେଟ ଆସିବାକୁ ପଡ଼ୁ ନାହିଁ। ଶଙ୍କର ବାବୁ ପ୍ରଥମେ କଥାଟାକୁ କିଛି ବୁଝି ପାରିଲେ ନାହିଁ। ସେ ଭାବିଲେ , ଅମିତ ତ ଭଡ଼ା ଘର ନେଇ ବାହାରେ ଅଲଗା ରହୁଥିଲା। ବାପ ପୁଅ ଦୁଇଜଣ ଯାକ ସବୁଦିନେ ଦୁଇଟା ଅଲଗା ଅଲଗା ବ୍ୟାଗ୍ ଧରି ମାର୍କେଟକୁ ଆସୁଥିଲେ। ଏବେ ଅମିତ କଣ କହୁଛି ଯେ ସେ ମାର୍କେଟ ଆସି ସଉଦା ଓ ପରିବାପତ୍ର ନେଇ ଯାଉଛି ବୋଲି ନାରଣ ବାବୁଙ୍କୁ ଆଉ ମାର୍କେଟ ଆସିବାକୁ ପଡ଼ୁ ନାହିଁ ! କଥାଟା ବୁଝି ନପାରି ସେ ଯେତେବେଳେ ପ୍ରଶ୍ନିଳ ଆଖିରେ ଅମିତକୁ ଚାହିଁଲେ , ଅମିତ କହିଲା , କଥା କଣକି ମଉସା ! ମୁଁ ମୋ ସ୍ତ୍ରୀ ସହିତ ଏବେ ଆସି ଘରେ ରହୁଛି। ତେଣୁ ବାପା ଆଉ ମାର୍କେଟ ଆସିବା କଣ ଦରକାର ! ଶଙ୍କର ବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ , ନାରଣ ବାବୁଙ୍କ କଥା ଅନୁସାରେ ତୁମେ ତୁମ ସ୍ତ୍ରୀ ସହିତ ବାହାରେ ଭଡ଼ା ଘର କରି ରହୁଥିଲ ପରା ! ପୁଣି ଏସବୁ କେମିତି ହେଲା ! ଅମିତ କହିଲା , ଏଇ କିଛି ଦିନ ତଳେ ବାପା ଯାଇ ମୋ ଭଡ଼ା ଘରେ ପହଞ୍ଚିଲେ ଓ କହିଲେ , ଅମିତ ! ବାହାରେ ଘର ଭଡ଼ା ନେଇ ବୋହୂ ରହିବାକୁ ମୁଁ ତୋତେ ସିନା କହିଦେଲି ହେଲେ ତୁ ବୋହୂକୁ ନେଇ ଘରୁ ଚାଲି ଆସିଲା ପରେ ଆମ ଦୁଇଜଣଙ୍କର ସବୁବେଳେ ତୁମ ଦୁହିଁଙ୍କ କଥା ମନେ ପଡ଼ୁଛି। ତୁ ଏବେ ବୋହୂକୁ ନେଇ ମୋ ସହିତ ଘରକୁ ଫେରି ଚାଲ୍। ଏମିତିରେ ବି ବାପା ବୋଉଙ୍କୁ ଛାଡ଼ି ବାହାରେ ଘର ଭଡ଼ା କରି ରହିବାକୁ ମୋ ମନ ବି ଚାହୁଁ ନଥିଲା। ଖାଲି ବାପାଙ୍କ କଥା ମାନି ମୁଁ ଆସି ବାହାରେ ଭଡ଼ା ଘର କରି ରହୁଥିଲି। ତେଣୁ ବାପା ଯେଉଁଦିନ ଯାଇ ଏତିକି କହିଲେ ମୁଁ ସେହିଦିନ ଅଫିସରୁ ଛୁଟି ନେଇ ସାଙ୍ଗେ ସାଙ୍ଗେ ମୋ ସ୍ତ୍ରୀ ସହିତ ଘରକୁ ଫେରି ଆସିଲି। ଶଙ୍କର ବାବୁ କହିଲେ , ଯାହା ହେଉ ଏକଥା ଶୁଣି ମୋତେ ବହୁତ ଖୁସି ଲାଗିଲା। ତୁ ଭଡ଼ା ଘରେ ରହିବା ପରେ ଘରର ସବୁ ଦାୟିତ୍ଵ ତୁଲେଇ ଅଫିସ୍ ଯିବାକୁ ଯେଉଁ ହଇରାଣ ହେଉଥିଲୁ ଏବେ ତୋତେ ଆଉ ସେମିତି ହଇରାଣ ହେବାକୁ ପଡ଼ିବ ନାହିଁ। ଅମିତ କହିଲା , ବୁଝିଲେ ମଉସା ବାହାରେ ଭଡ଼ା ଘରେ ରହିବା ପରେ ପ୍ରଥମେ ପ୍ରଥମେ ସବୁକାମ କରି ଅଫିସ୍ ଯିବାକୁ ସତରେ ମୋତେ ବହୁତ କଷ୍ଟ ହେଉଥିଲା। କିନ୍ତୁ କିଛି ଦିନ ସବୁ ଦାୟିତ୍ଵ ଏକୁଟିଆ ତୁଲେଇଲା ପରେ ମୁଁ ସବୁ କାମରେ ଧୀରେ ଧୀରେ ଏପରି ଅଭ୍ୟସ୍ତ ହୋଇଗଲି ଯେ ସବୁକାମ ସାରି ଅଫିସ୍ ଯିବାକୁ ମୋତେ କିଛି ଅସୁବିଧା ହେଲାନାହିଁ। ଆଉ ସେଥିପାଇଁ ଏବେ ଘରର ସବୁ ଦାୟିତ୍ଵ ତୁଲେଇ ଅଫିସ୍ ଯିବାକୁ ମୋତେ ଆଦୋୖ କଷ୍ଟ ଲାଗୁନାହିଁ। ଖାଲି ସେତିକି ନୁହେଁ ବାହାରେ ଘର ଭଡ଼ା କରି ରହିବା ପରେ ମୋ ସ୍ତ୍ରୀ ଲିପିକା ମଧ୍ୟ ରୋଷେଇ କାମ ସହିତ ଘର ସମ୍ଭାଳିବାରେ ଏତେ ଅଭିଜ୍ଞ ହୋଇ ଯାଇଛନ୍ତି ଯେ ଆମେ ଘରକୁ ଫେରିଲା ପରେ ବୋଉକୁ ଆଉ ରୋଷେଇ କରିବା ଓ ଘର ସମ୍ଭାଳିବା ପାଇଁ ଆଦୋୖ ଚିନ୍ତା କରିବାକୁ ପଡ଼ୁ ନାହିଁ। ହଉ ! ମୁଁ ଏବେ ଆସୁଛି ମଉସା ! ପରିବା ନେଇ ଗଲେ ଲିପିକା ରୋଷେଇ କରିବେ। ଏହା କହି ଅମିତ ଚାଲିଗଲା। ଅମିତ ଗଲା ପରେ ଶଙ୍କର ବାବୁ ଭାବିଲେ , ଅମିତକୁ ଦେଖ ! ସେ କିପରି ତା ସ୍ତ୍ରୀ ସହିତ ଘରର ସବୁ ଦାୟିତ୍ଵ ମୁଣ୍ଡକୁ ନେଇ ବାପମାଆଙ୍କୁ ସବୁ ଦାୟିତ୍ଵରୁ ମୁକ୍ତ କରୁଛି ! ଆଉ ମୋ ପୁଅ ରଞ୍ଜିତ ବାରମ୍ବାର କହିବା ସତ୍ତ୍ଵେ ମଧ୍ୟ କୋୖଣସି ଦାୟିତ୍ଵ ମୁଣ୍ଡକୁ ନେଉନାହିଁ। କିଛି ନା କିଛି ଆଳରେ ସବୁ ଦାୟିତ୍ଵ ନିଜ ମୁଣ୍ଡରୁ ଖସେଇ ସେସବୁକୁ ଆମ ସ୍ଵାମୀ ସ୍ତ୍ରୀ ଙ୍କ ଉପରେ ଲଦି ଦେଉଛି। ଛାଡ଼ ! ଭାଗ୍ୟକୁ ଦୋଷ ନଦେଇ କାହାକୁ ବା ଏକଥା କହିବି ! ଏମିତି ଭାବି ଭାବି ସାଇକେଲରେ ଶଙ୍କର ବାବୁ ଘରକୁ ଫେରିଲା ବେଳକୁ ରାସ୍ତାରେ ନାରଣ ବାବୁଙ୍କ ସହ ଦେଖା ହୋଇଗଲା। ସେ ସାଇକେଲ ଅଟକାଇ ସାଇକେଲରୁ ଓହ୍ଲେଇ ପଡ଼ିଲେ ଓ ନାରଣ ବାବୁଙ୍କୁ କହିଲେ , ଅମିତ ତ ଏବେ ମାର୍କେଟରୁ ପରିବା ନେଇ ଗଲା। ଆଉ ଆପଣ ପୁଣି କୁଆଡ଼େ ଯାଉଛନ୍ତି ? ନାରଣ ବାବୁ କହିଲେ , ମୁଁ ଟିକେ ଚୁଟି କାଟିବା ପାଇଁ ସେଲୁନ ଯାଉଛି। ଶଙ୍କର ବାବୁ କହିଲେ , ବୁଝିଲେ ନାରଣ ବାବୁ ! ଅମିତକୁ ଆପଣ ଯେତେବେଳେ ତା ସ୍ତ୍ରୀ ସହିତ ବାହାରେ ଯାଇ ରହିବାକୁ କହିଲେ ଅମିତ ଠାରୁ ସେକଥା ଶୁଣି ମୋତେ ଭାରି ଖରାପ ଲାଗିଥିଲା। କାଳେ ଆପଣ କିଛି ଖରାପ ଭାବିବେ ବୋଲି ମନେକରି ମୁଁ ସେତେବେଳେ ସେକଥା ଆପଣଙ୍କୁ ପଚାରି ପାରିଲି ନାହିଁ। କିନ୍ତୁ ଆଜି ଯେତେବେଳେ ଆପଣ ଅମିତକୁ ଘରକୁ ଫେରେଇ ଆଣିଛନ୍ତି ବୋଲି ମୁଁ ଅମିତ ମୁହଁରୁ ଶୁଣିଲି ମୋତେ ଭାରି ଖୁସି ଲାଗିଲା। ନଅଟା କି ଛଅଟା ନାହିଁ ସେହି ଗୋଟିଏ ବୋଲି ପିଲା। ତାକୁ ଆପଣ କେମିତି ଆପଣଙ୍କ ପାଖରୁ ଦୂରେଇ ଦେଇଥିଲେ ସେକଥା ତ ମୁଁ କଳ୍ପନା କରି ପାରୁନି ନାରଣ ବାବୁ ! ନାରଣ ବାବୁ ହସି ହସି କହିଲେ , ବୁଝିଲେ ଶଙ୍କର ବାବୁ ! ଅନ୍ଧ ଧୃତରାଷ୍ଟ୍ର ଭଳି ଆମର ଏହି ପୁତ୍ରମୋହ ଆମ ଅଜାଣତରେ ପିଲାମାନଙ୍କର ଏପରି କ୍ଷତି କରେ ଯେ ଯେଉଁଥିପାଇଁ ଆମେ ବାପାମାଆ ଓ ପିଲାମାନେ ଉଭୟ ଭବିଷ୍ୟତରେ ଦୁଃଖ ଭୋଗ କରିଥାଉ। ଆମର ଏହି ପୁତ୍ରମୋହ ପିଲାମାନଙ୍କୁ ଧୀରେ ଧୀରେ ଆମ୍ଭ ଉପରେ ଏତେ ନିର୍ଭରଶୀଳ କରିଦିଏ ଯେ ଜୀବନରେ ସଂଘର୍ଷ କଣ ସେମାନେ ଜାଣି ପାରନ୍ତି ନାହିଁ। ଆମ ଉପରେ ତାଙ୍କର ଏହି ନିର୍ଭରଶୀଳତା ସେମାନଙ୍କୁ ଆସ୍ତେ ଆସ୍ତେ ଏମିତି ଦୁର୍ବଳ ଓ ପଙ୍ଗୁ କରିଦିଏ ଯେ ଜୀବନରେ ସେମାନେ କୋୖଣସି ଦାୟିତ୍ଵ ନେବାକୁ ଆଗଭର ହୁଅନ୍ତି ନାହିଁ। କୋୖଣସି ଦାୟିତ୍ଵ ନନେଇ ସହଜରେ ଜୀବନ ଅତିବାହିତ କରିବା ସେମାନଙ୍କର ଏକ ଅଭ୍ୟାସରେ ପଡ଼ିଯାଏ। ମୁଁ ଯେତେବେଳେ ଦେଖିଲି ଯେ ଅମିତ ଓ ତା ସ୍ତ୍ରୀ ଉଭୟ ଆମ ସ୍ଵାମୀ ସ୍ତ୍ରୀଙ୍କ ଉପରେ ଧୀରେ ଧୀରେ ଅଧିକରୁ ଅଧିକ ନିର୍ଭରଶୀଳ ହୋଇ ଯାଉଛନ୍ତି ସେମାନଙ୍କୁ ଜୀବନର ସମସ୍ୟାକୁ ସଫଳତାର ସହ ମୁକାବିଲା କରିବାର କଳା ଶିଖେଇବା ପାଇଁ ମୁଁ ସେମାନଙ୍କୁ କିଛି ଦିନ ପାଇଁ ମୋ ପାଖରୁ ଦୂରରେ ରଖିବା ପାଇଁ ଚାହିଁଲି। ସେଥିପାଇଁ ମୁଁ ଅମିତକୁ ତା ସ୍ତ୍ରୀ ସହିତ ଯାଇ ବାହାରେ ଭଡ଼ାଘର ନେଇ ରହିବାକୁ କହିଥିଲି। ଆଉ ଏଇ ତିନିବର୍ଷ ବାହାରେ ରହିବା ଭିତରେ ସେମାନେ ଜୀବନର ସବୁ ସମସ୍ୟାକୁ ସଫଳତାର ସହ ମୁକାବିଲା କରିବାର କଳା ଶିଖି ନେଇଛନ୍ତି। ସେଥିପାଇଁ ଏବେ ଆମେ ପୁଅ ଓ ବୋହୂଙ୍କୁ ଘରର କୋୖଣସି ଦାୟିତ୍ଵ ନେବାପାଇଁ କହିବା ଆଗରୁ ସେମାନେ ଆପେ ଆପେ ସବୁ ଦାୟିତ୍ଵ ନିଜ ମୁଣ୍ଡକୁ ନେଇ ଯାଉଛନ୍ତି। ଆମେ ସ୍ଵାମୀ ସ୍ତ୍ରୀ ଦୁଇଜଣ ଏବେ ଖୁବ୍ ଖୁସିରେ ଅଛୁ। ଆଉ ଆମ ଅନ୍ତେ ସେମାନେ ଯେ ଜୀବନର ସବୁ ସମସ୍ୟାକୁ ସଫଳତାର ସହିତ ମୁକାବିଲା କରି ପାରିବେ ସେ ବିଷୟରେ ମୁଁ ଦୃଢ଼ ନିଶ୍ଚିତ ହୋଇ ସାରିଛି। ତେଣୁ ଜୀବନ ଯୁଦ୍ଧରେ ଜିତିବାର କଳା ଉତ୍ତର ପିଢ଼ିକୁ ଶିଖେଇବା ହେଉଛି ପୂର୍ବ ପିଢ଼ିର ଦାୟିତ୍ଵ। ଯେଉଁ ପିତା ତା ସନ୍ତାନମାନଙ୍କୁ ଜୀବନ ଯୁଦ୍ଧକୁ ସାମ୍ନା କରିବାର କଳା ନ ଶିଖାଏ ସେ ପିତା ତା ଜୀବନରେ କେବଳ ଦୁଃଖ ହିଁ ଭୋଗ କରିଥାଏ। ନାରଣ ବାବୁଙ୍କ ମୁହଁରୁ ଏକଥା ଶୁଣି ଶଙ୍କର ବାବୁ ନିଜର ଭୁଲ୍ ବୁଝି ପାରିଥିଲେ। ସେ ଭାବୁଥିଲେ , ପ୍ରଥମରୁ ରଞ୍ଜିତକୁ ଜୀବନ ଯୁଦ୍ଧର ସମ୍ମୁଖୀନ ହେବାକୁ ଛାଡ଼ି ଦେଇଥିଲେ ଆଜି ତାଙ୍କ ଜୀବନର ଏ ଅପରାହ୍ନରେ ତାଙ୍କୁ ହୁଏତ ଏମିତି ଲୁଚି ଲୁଚି ବିଳାପ କରିବାକୁ ପଡ଼ୁ ନଥାନ୍ତା। ନିଜ ପୁଅ ରଞ୍ଜିତକୁ କୋଣସି ଦାୟିତ୍ଵ ନଦେଇ ନିଜେ ଘରର ସବୁ ଦାୟିତ୍ଵ ମୁଣ୍ଡକୁ ନେଇ ଯିବା ଫଳରେ ଆଜି ରଞ୍ଜିତକୁ କହିଲେ ମଧ୍ୟ ସେ ଘରର କୋୖଣସି ଦାୟିତ୍ଵ ମୁଣ୍ଡକୁ ନେବାକୁ ଚାହୁଁନାହିଁ। ସେଥିପାଇଁ ସେ ନିଜେ ଆଜି କଷ୍ଟ ଭୋଗ କରୁଛନ୍ତି ଓ ତାଙ୍କ ଅନ୍ତେ ଜୀବନର ସମସ୍ୟା ସବୁକୁ ସଫଳତାର ସହ ମୁକାବିଲା କରି ନପାରି ରଞ୍ଜିତ ମଧ୍ୟ ଭବିଷ୍ୟତରେ ତା ଜୀବନରେ ଦୁଃଖ ଭୋଗ କରିବ। ଏହିପରି ଭାବନା ଭିତରେ ଶଙ୍କର ବାବୁ ହଜି ଯାଇଥିବା ବେଳେ ନାରଣ ବାବୁ କହିଲେ , ଆରେ ଆପଣ କେଉଁ ଭାବନା ଭିତରେ ହଜିଗଲେ ଶଙ୍କର ବାବୁ ! ଶଙ୍କର ବାବୁ କହିଲେ , ଆପଣ ଆଜି ମୋ ଆଖି ଖୋଲିଦେଲେ ନାରଣ ବାବୁ ! ଅମିତକୁ ଘରଛାଡ଼ି ବାହାରେ ରହିବାକୁ କହିଲେ ବୋଲି ମୁଁ ସିନା ଆପଣଙ୍କୁ ସେତେବେଳେ ଖରାପ ଭାବୁଥିଲି କିନ୍ତୁ ଏବେ ଆପଣଙ୍କ କଥା ଶୁଣି ସାରିବା ପରେ ମୁଁ ହୃଦୟଙ୍ଗମ କଲି ଯେ ଆପଣ ପ୍ରକୃତରେ ଜଣେ ଭଲ ବାପା ହୋଇ ପାରିଛନ୍ତି। ନାରଣ ବାବୁ ହସି ହସି ମନ ଖୁସିରେ ସେଲୁନ ଆଡ଼କୁ ଧୀରେ ଧୀରେ ଚାଲି ଚାଲି ଯାଉଥିଲେ। ଶଙ୍କର ବାବୁ ସାଇକେଲ ଉପରକୁ ଉଠୁ ଉଠୁ ଭାବୁଥିଲେ , ଆରେ ! ଆଜି ପରା ଇଲେକ୍ଟ୍ରି ବିଲ୍ ଦାଖଲ କରିବାର ଶେଷ ତାରିଖ। ଶୀଘ୍ର ଗଲେ ଗାଧୁଆ ଖିଆ ସାରି ତାଙ୍କୁ ପୁଣି ଇଲେକ୍ଟ୍ରି ଅଫିସ୍ ଯିବାକୁ ପଡ଼ିବ ! ***********************


Rate this content
Log in