STORYMIRROR

Biswanath Nayak

Others

5  

Biswanath Nayak

Others

ସୁରଅଜାଙ୍କ ବସ୍ତାନି --------------------

ସୁରଅଜାଙ୍କ ବସ୍ତାନି --------------------

16 mins
1

ସୁରଅଜାଙ୍କ ବସ୍ତାନି --------------------------- ସକାଳୁ ସକାଳୁ ଖବରକାଗଜବାଲା ଯେତେବେଳେ ଖବରକାଗଜ ଦେଇଗଲା ଦାଣ୍ଡ ବାରଣ୍ଡାରେ ପଡ଼ିଥିବା ଆରାମ ଚେୟାର ଉପରେ ବସିଥିବା ‌ସୁରଅଜା ତାଙ୍କ ନାତୁଣୀକୁ ଡାକ ପକେଇଲେ , ଆରେ ମା ରେଖା ! କୁଆଡ଼େ ଗଲୁ ! ଟିକେ ଶୀଘ୍ର ଆସି ଖବରକାଗଜଟା ପଢ଼ି ମୋତେ ଶୁଣେଇଲୁ। ରେଖା ବଡ଼ ପାଟିରେ ଘର ଭିତରୁ କହିଲା , ଟିକେ ରୁହ ଜେଜେ ! ମୁଁ ପରା ଏବେ ମୋ ସ୍କୁଲ୍ ପାଠ କରୁଛି। ସ୍କୁଲ୍ ପାଠ କରି ସାରିଲେ ମୁଁ ଯାଇ ଖବରକାଗଜ ପଢ଼ି ତୁମକୁ ଶୁଣେଇଦେବି। କାହିଁକି କେଜାଣି ଖବରକାଗଜଟା ପାଇଲା ମାତ୍ରେ ସେଦିନର ଖବର ନ ଜାଣିବା ପର୍ଯ୍ୟନ୍ତ ସୁରଅଜା ଶାନ୍ତିରେ ବସି ପାରନ୍ତି ନାହିଁ। ଭଲ ହେଉ କି ଖରାପ ଯେଉଁ ଏଇଟା ତାଙ୍କର ଗୋଟିଏ ନିତିଦିନିଆ ଅଭ୍ୟାସ। ସେ ଯେତେବେଳେ ଦେଖିଲେ ଯେ ରେଖା ସ୍କୁଲ୍ ପାଠ ସାରି ଆସିଲା ବେଳକୁ ଡେରି ହୋଇଯିବ ସେ ନିଜ ସାନବୋହୂକୁ ଡାକ ପକେଇଲେ। ଆରେ ମା ମୀରା ! ଟିକେ ଆସି ଖବରକାଗଜଟା ପଢ଼ି ମୋତେ ଶୁଣେଇ ଦେଇଗଲୁ। ରୋଷେଇ ଘର ଭିତରୁ ବାହାରକୁ ଆସି ସାନବୋହୂ କହିଲା , ବାପା ! ରୋଷେଇ କାମ ନ ସାରିଲେ ଆପଣଙ୍କ ପୁଅଙ୍କର ପରା ଟିଫିନ୍ ନେଇ ଅଫିସ୍ ଯିବାକୁ ଡେରି ହେବ। ଆପଣ ଟିକେ ଅପେକ୍ଷା କରନ୍ତୁ। ମୁଁ ରୋଷେଇ କାମଟା ସାରିଦେଲା ପରେ ଆପଣଙ୍କୁ ଖବରକାଗଜ ପଢ଼ି ଶୁଣେଇଦେବି। କିଛି ସମୟ ସାନବୋହୂକୂ ଅପେକ୍ଷା କଲାପରେ ସୁରଅଜା ବଡ଼ ବୋହୂକୁ ଡାକ ପକେଇଲେ , ଆରେ ମା ରୋଜି ! ଟିକେ ଆସିଲୁ , ଖବର କାଗଜଟା ମୋତେ ପଢ଼ି ଶୁଣେଇବୁ। ବଡବୋହୂ ରୋଜି ଘର ଭିତରୁ ବଡ଼ ପାଟିରେ କହିଲା , ବାପା ! ଆଜି ପରା ସ୍କୁଲରେ ମୋର ଗୋଟିଏ ମିଟିଂ ଅଛି। ସେଥିପାଇଁ ବେଳାବେଳି ମୋତେ ସ୍କୁଲକୁ ଯିବାକୁ ହେବ। ମୁଁ ସ୍କୁଲରୁ ଫେରି ଆସିଲା ପରେ ଖବରକାଗଜ ପଢ଼ି ଆପଣଙ୍କୁ ଶୁଣେଇଦେବି। ସକାଳୁ ସକାଳୁ ସାଙ୍ଗମାନଙ୍କ ସାଥିରେ ସାଇକେଲରେ କୁଆଡ଼େ ବୁଲିବାକୁ ଯାଇଥିବା ବଡ଼ ନାତି ଜିତୁକୁ ଘର ଭିତରକୁ ତରତର ହୋଇ ଯାଉଥିବାର ଦେଖି ସୁରଅଜା କହିଲେ , ଜିତୁ ! ଖବରକାଗଜଟା ପଢ଼ି ମୋତେ ଟିକେ ଶୁଣେଇବାକୁ ମୁଁ ସମସ୍ତଙ୍କୁ କହି ସାରିଲେଣି। କିନ୍ତୁ ସମସ୍ତେ ସମସ୍ତଙ୍କ କାମରେ ବ୍ୟସ୍ତ ଅଛନ୍ତି। ତୁ ଟିକେ ମୋତେ ଖବରକାଗଜଟା ପଢ଼ି ଶୁଣେଇଦେ। ଜିତୁ କହିଲା , ଜେଜେ ! ଆମ ଗାଆଁ ସହିତ ପାତ୍ରପୁର ଗାଆଁର ଆଜି କ୍ରିକେଟ ମ୍ୟାଚ୍ । ମୁଁ ପରା ଆମ ଗାଆଁ କ୍ରିକେଟ୍ ଟିମର କ୍ୟାପଟେନ ଅଛି। ମୁଁ ଏବେ ଯାଉଛି ଖାଇ ସାରି କ୍ରିକେଟ୍ ଫିଲ୍ଡକୁ ଯିବି। ମୋ ଯିବାରେ ଟିକେ ଡେରି ହେଲେ ସବୁ ଗୋଳମାଳ ହୋଇଯିବ। ତୁମେ କଣ ଚାହୁଁନ ଏ କ୍ରିକେଟ୍ ମ୍ୟାଚରେ ଆମ ଗାଆଁ ଜିତୁ ବୋଲି ! କିନ୍ତୁ କାଲି ମୋର କିଛି କାମ ନାହିଁ। ତେଣୁ କାଲି ସକାଳେ ମୁଁ ନିଶ୍ଚେ ଖବରକାଗଜ ପଢ଼ି ତୁମକୁ ଶୁଣେଇଦେବି। ଏହା କହି ଜିତୁ ତରତର ହୋଇ ଘର ଭିତରକୁ ଚାଲିଗଲା। ଏମିତି ଏମିତି ଦିନ ସାଢ଼େ ନଅଟା ବାଜିଗଲା। କିନ୍ତୁ ସୁରଅଜାଙ୍କୁ କେହି ଖବରକାଗଜ ପଢ଼ି ଶୁଣେଇଲେ ନାହିଁ। ସମସ୍ତେ ସମସ୍ତଙ୍କ କାମରେ ବ୍ୟସ୍ତ। କାହାକୁ ସମୟ ହେଲେ ତ କିଏ ଆସି ତାଙ୍କୁ ଖବରକାଗଜ ପଢ଼ି ଶୁଣେଇବ ! ସୁରଅଜା ସକାଳୁ ଚା ଓ ବିସ୍କୁଟ ଖାଇ ସେମିତି ଦାଣ୍ଡ ବାରଣ୍ଡାରେ ଚେୟାରଟା ଉପରେ ବସି ରହିଥାନ୍ତି। ତାଙ୍କ ସାମନା ଦେଇ ସ୍କୁଲକୁ ଯାଉ ଯାଉ ନାତୁଣୀ ରେଖା କହିଲା , କଣ କରିବି ଜେଜେ ! କାଲି ସ୍କୁଲରେ ଗଣିତ ଶିକ୍ଷକ ଏତେ ପାଠ ଦେଇଥିଲେ ଯେ ତାକୁ ଶେଷ କରିବା ପାଇଁଁ ମୋତେ ବହୁତ ସମୟ ଲାଗିଗଲା। ତାପରେ ରେଡ଼ି ହୋଇ ସ୍କୁଲକୁ ବାହାରିଲା ବେଳକୁ ସାଢ଼େ ନଅଟା ବାଜିଗଲାଣି। ତେଣୁ ଆଉ ଆଜି ମୁଁ ଖବରକାଗଜ ପଢ଼ି ତୁମକୁ ଶୁଣେଇ ପାରିଲି ନାହିଁ। କିନ୍ତୁ ତୁମେ ମନ ଦୁଃଖ କରନି। ଆଜି ସାଢେ଼ ଚାରିଟାବେଳେ ସ୍କୁଲରୁ ଫେରିଲା ପରେ ଖବରକାଗଜ ପଢ଼ି ମୁଁ ନିଶ୍ଚୟ ତୁମକୁ ଶୁଣେଇଦେବି। ଏହା କହି ରେଖା ତରତର ହୋଇ ସ୍କୁଲକୁ ଚାଲିଗଲା। ତାପରେ ସାନବୋହୂ ମୀରା ଆସି କହିଲା , ବାପା ! ଆପଣଙ୍କର ପରା ଜଳଖିଆ ଖାଇବା ସମୟ ହୋଇଗଲାଣି। ଆସନ୍ତୁ ଔଷଧ ଖାଇ ଜଳଖିଆ ଖାଇବେ। ମୋତେ ଖବରକାଗଜ ପଢ଼ି ଶୁଣେଇବାକୁ କହୁଥିଲେ ଯେ ମୋର ସିନା ରୋଷେଇ କାମ ସରିଲେ ମୁଁ ରୋଷେଇ ଘରୁ ବାହାରିବି। ସକାଳୁ ସକାଳୁ ସବୁଦିନେ ରୋଜି ଅପା ମୋତେ ଟିକେ ରୋଷେଇରେ ସାହାଯ୍ୟ କରନ୍ତି ଯେ ଆଜି ସ୍କୁଲରେ ତାଙ୍କର କଣ ଗୋଟିଏ ମିଟିଂ ଥିବାରୁ ସେ ବେଳାବେଳି ସ୍କୁଲକୁ ବାହାରିଗଲେ। ତେଣୁ ସବୁକାମ ମୋତେ ହିଁ ଏକୁଟିଆ କରିବାକୁ ପଡ଼ିଲା। ସୁରଅଜା ଦେଖିଲେ ସାନବୋହୂ ବି ଠିକ୍ କଥା କହୁଛି। ତାକୁ ରୋଷେଇ କାମରୁ ଫୁରୁସତ ମିଳିଥିଲେ ତ ସିଏ ଆସି ଖବରକାଗଜଟା ପଢ଼ି ତାଙ୍କୁ ଶୁଣେଇଥାନ୍ତା ! ଛାଡ଼ ! ଆଜି ଖବର ଟିକେ ଜାଣିବାକୁ କେତେବେଳ ଯାଏ ଯେ ଅପେକ୍ଷା କରିବାକୁ ପଡ଼ିବ ସେକଥା କିଏ ଜାଣେ ! ବିରକ୍ତିର ସହ ଧରିଥିବା ଖବରକାଗଜଟିକୁ ଚେୟାର ଉପରେ ରଖିଦେଇ ସୁରଅଜା ଜଳଖିଆ ଖାଇବାକୁ ସାନବୋହୂ ପଛେ ପଛେ ଘର ଭିତରକୁ ଗଲେ। ଜଳଖିଆ ଖାଇ ସାରି ସୁରଅଜା ତାଙ୍କ ପତ୍ନୀ ଗାୟତ୍ରୀଙ୍କୁ କହିଲେ , ତୁମ୍ଭର ସକାଳର ସବୁ କାମ ସରିଗଲାଣି କି ? ଗାୟତ୍ରୀ ଦେବୀ କହିଲେ , ଘର କାମ କଣ କେବେ ସରେ ! ଯେଉଁ ଘରଣୀ କାମିକା ହୋଇଥିବ ଘରର ଯୁଆଡ଼େ ଯେତେବେଳେ ଚାହିଁଲେ ବି ତାକୁ କିଛି ନା କିଛି ଘରକାମ ନିଶ୍ଚୟ ଦେଖାଯିବ। ଆଉ ଅଳସୁଆ ସ୍ତ୍ରୀ ଲୋକମାନଙ୍କୁ ଘର ଭିତରେ କେତେବେଳେ ହେଲେ ବି କିଛି କାମ ଦେଖାଯାଏ ନାହିଁ। ହେଲେ ମୋତେ ତୁମେଏକଥା କାହିଁକି ପଚାରୁଥିଲ ? ତୁମର କିଛି କାମ ଥିଲା କି ? ସୁରଅଜା କହିଲେ , କଥା କଣ କି , ସକାଳୁ ଏତେବେଳ ଯାଏ ଖବରକାଗଜ ଟିକେ ପଢ଼ି ମୋତେ ଶୁଣେଇବାକୁ ଘରର ପ୍ରାୟ ସମସ୍ତଙ୍କୁ କହି ସାରିଲେଣି। କିନ୍ତୁ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିବାରୁ କେହି ମୋତେ ଏ ପର୍ଯ୍ୟନ୍ତ ଖବରକାଗଜ ପଢ଼ି ଶୁଣେଇ ପାରିଲେ ନାହିଁ। ଭାବିଲି , ତୁମର ଯଦି କାମ ସରି ଯାଇଥିବ ତାହେଲେ ତୁମେ ମୋତେ ଟିକେ ଖବରକାଗଜ ପଢ଼ି ଶୁଣେଇ ଦେଇଥାନ୍ତ ! ସେଇଥି ପାଇଁ ପଚାରୁଥିଲି। ଗାୟତ୍ରୀ ଦେବୀ କହିଲେ , ମୁଁ ଏବେ ତୁମକୁ ଖବରକାଗଜ ପଢ଼ି ଶୁଣେଇ ଦେଇଥାନ୍ତି ଯେ ହେଲେ ଚଷମା ଫ୍ରେମଟା ଭାଙ୍ଗି ଯାଇ ଥିବାରୁ ତାକୁ ସଜାଡ଼ିବା ପାଇଁ ମୁଁ କାଲି ଜିତୁ ହାତରେ ତାକୁ ବଜାରକୁ ପଠେଇ ଦେଇଛି। ତା କ୍ରିକେଟ୍ ମ୍ୟାଚ ସରିବା ପରେ ସେ ଆଜି ମୋତେ ଚଷମାଟା ଆଣି ଦେବ ବୋଲି କହିଛି। ସୁରଅଜା ଦୀର୍ଘଶ୍ୱାସ ପକେଇ କହିଲେ , ହଉ ଠିକ୍ ଅଛି। ତାପରେ ସେ ପୁଣି ଯାଇ ଦାଣ୍ଡ ପିଣ୍ଡାରେ ପଡ଼ିଥିବା ଆରାମ ଚେୟାର ଉପରେ ଖବରକାଗଜଟିକୁ ଧରି ବସିଲେ। ଖବରରକାଗଜଟିକୁ ଖୋଲୁଥାନ୍ତି , ପୁଣି ବନ୍ଦ କରି ହାତରେ ଧରୁଥାନ୍ତି। ସେତିକିବେଳେ ଗାଆଁ ଦାଣ୍ଡ ଦେଇ ଯାଉଥିବା ଚା ଦୋକାନୀ ପଦିଆ ଆସି ସାଇକେଲଟା ଅଟକେଇଲା ଓ ସୁରଅଜାଙ୍କ ହାତକୁ ଗୋଟିଏ ବ୍ୟାଗ୍ ବଢ଼େଇ ଦେଇ ତାଙ୍କୁ କହିଲା , ଅଜା ! କାଲି ଚା ପିଇଲା ବେଳେ ଆପଣ ଏ ବ୍ୟାଗଟା ମୋ ଦୋକାନରେ ଛାଡ଼ି ଦେଇ ଆସିଥିଲେ। କାଲି ଠାରୁ ଆସି ଏ ବ୍ୟାଗଟା ଆପଣଙ୍କୁ ଫେରେଇବାକୁ ମୋତେ ସମୟ ହେଉନାହିଁ। ଆଜି ଦୋକାନ ବନ୍ଦ କଲାପରେ ଆପଣଙ୍କ ଘରକୁ ଆସି ଆପଣଙ୍କୁ ଏ ବ୍ୟାଗଟା ଫେରେଇ ଦେବାପାଇଁ ଭାବିଲି। ଆପଣଙ୍କର ଏ ବ୍ୟାଗଟା ନିଅନ୍ତୁ। ସୁରଅଜା କହିଲେ , ଆରେ ! କାଲି ମହନି ଦୋକାନରୁ ସଉଦା ଆଣିବା ପାଇଁ ବ୍ୟାଗଟା ଧରି ଯାଇଥିଲି ଯେ ହେଲେ କାହିଁକି କେଜାଣି ତା ଦୋକାନ କାଲି ବନ୍ଦ ଥିଲା। ତାପରେ ତୋ ଦୋକାନରେ ବ୍ୟାଗଟା ରଖି ଚା ପିଉଥିଲି। ଆସିଲା ବେଳେ ବ୍ୟାଗଟା ଆଣିବାକୁ ମୋର ଆଉ ମନେ ନାହିଁ। ଆଉ ତୁ କଣ ଆଜି ବେଳାବେଳି ଦୋକାନ ବନ୍ଦ କରି ଚାଲି ଆସିଲୁଣି ! ପଦିଆ କହିଲା , ନାଇଁ ମ ଅଜା ! ଆଜି ଦଶଟା ବେଳକୁ ଦୋକାନରେ ଆଉ କାହିଁକି କେହି କଷ୍ଟମର ନଥିଲେ। ତେଣୁ ଭାବିଲି , ଆଉ ବେକାରଟାରେ କାହିଁକି ଦୋକାନ ଖୋଲି ବସି ରହିବି ! ସେଥିପାଇଁ ଦୋକାନ ବନ୍ଦ କରି ଚାଲି ଆସିଲି। ସୁରଅଜା କହିଲେ , ଏବେ ଘରେ ତୋର କିଛି କାମ ଅଛି କି ? ପଦିଆ କହିଲା , କାମ ଆଉ କଣ ! ଘରକୁ ଗଲେ ଖାଇ ପିଇ ବିଶ୍ରାମ ନେବା କଥା। ସୁରଅଜା କହିଲେ , ତୋର ଏବେ ଘରେ ଯଦି କିଛି କାମ ନାହିଁ ତାହେଲେ ମୋତେ ଟିକେ ଖବରକାଗଜଟା ପଢ଼ି ଶୁଣେଇ ଦିଅନ୍ତୁ ନି ! ପଦିଆ କହିଲା , ଠିକ୍ ଅଛି ଅଜା ! ମୋତେ ଖବରକାଗଜଟା ଦିଅନ୍ତୁ। ମୁଁ ଖବରକାଗଜଟା ପଢ଼ି ଆପଣଙ୍କୁ ଶୁଣେଇ ଦେଉଛି। ପଦିଆ ମୁହଁରୁ ଏକଥା ଶୁଣି ସୁରଅଜା ଖୁବ୍ ଖୁସିରେ ପଦିଆ ହାତକୁ ଖବରକାଗଜଟା ବଢ଼େଇ ଦେଲେ। ଏଇଟା ସୁରଅଜାଙ୍କର ଦିନକର ସମସ୍ୟା ନୁହେଁ। ଏହା ତାଙ୍କର ନିତିଦିନର ସମସ୍ୟା। ସବୁଦିନେ ଖବରକାଗଜରେ କଣ ସମ୍ବାଦ ବାହାରିଛି ନ ଜାଣିବା ଯାଏ ସୁରଅଜା ଘର ଲୋକଙ୍କ ଠାରୁ ଆରମ୍ଭ କରି ବାହାର ଲୋକଙ୍କ ପର୍ଯ୍ୟନ୍ତ କେତେ ଲୋକକୁ ଯେ ନେହୁରା ହୋଇଥିବେ ସେକଥା କେବଳ ସେ ହିଁ ଜାଣନ୍ତି। କେଉଁଦିନ ଘରଲୋକ ଖବରକାଗଜ ପଢ଼ି ତାଙ୍କୁ ଶୁଣାନ୍ତି ତ କେଉଁଦିନ ବାହାର ଲୋକ। କିନ୍ତୁ କେଉଁଦିନ ସୁରଅଜା ତାଙ୍କ ଇଚ୍ଛା ମୁତାବକ ଠିକ୍ ସମୟରେ ଖବରକାଖଜରେ ବାହାରିଥିବା ଖବର ଜାଣି ପାରନ୍ତି ନାହିଁ। ଘର ଲୋକେ ଖବରକାଗଜ ପଢ଼ି ତାଙ୍କୁ ଶୁଣାନ୍ତୁ କି ବାହାର ଲୋକ ଶୁଣାନ୍ତୁ ସେଇଟା ସେମାନଙ୍କ ସମୟ ସୁବିଧା ଉପରେ ନିର୍ଭର କରିଥାଏ। ତେଣୁ ପ୍ରତିଦିନ ସକାଳ ସାତଟା ବେଳେ ଘରକୁ ଖବରକାଗଜ ଆସିଲେ ବି କେଉଁଦିନ ସୁରଅଜା ଦିନ ଦଶଟା ବେଳେ ଖବର ଜାଣିବାର ସୁଯୋଗ ପାଆନ୍ତି ତ କେଉଁଦିନ ଦିନ ବାରଟାରେ। ଦିନେ ଦିନେ ପରିସ୍ଥିତି ଏପରି ହୁଏ ଯେ ଖବରକାଗଜରେ ପ୍ରକାଶିତ ଖବର ଟିକିଏ ଜାଣିବା ପାଇଁ ସୁରଅଜାଙ୍କୁ ଅପରାହ୍ନ ସାଢେ଼ ଚାରିଟାବେଳ ଯାଏ ଅପେକ୍ଷା କରିବାକୁ ପଡ଼ିଥାଏ। ଯଦି ଦିନସାରା ତାଙ୍କୁ ଖବରକାଗଜ ପଢ଼ି ଶୁଣେଇବାକୁ କେହି ନ ମିଳିଲେ ନାତୁଣୀ ରେଖା ସ୍କୁଲରୁ ଫେରିବା ପରେ ତାଙ୍କୁ ଖବରକାଗଜ ପଢ଼ି ଶୁଣେଇଥାଏ। ଖବରକାଗଜ ପାଇବା ଠାରୁ ଖବର ଶୁଣିବା ପର୍ଯ୍ୟନ୍ତ ଅପେକ୍ଷା କରି ବସିଥିଲା ବେଳେ ସୁରଅଜାଙ୍କୁ ଭାରି ହିନିମାନିଆ ଲାଗେ। ଦିନେ ଦିନେ ଅପେକ୍ଷା କରି କରି ସେ ନିଜ ଉପରେ ନିଜେ ବିରକ୍ତ ହୋଇ ଯାଆନ୍ତି। କାହାରି ଉପରେ ଏଥିପାଇଁ ସେ ବିରକ୍ତ ହୋଇ ପାରନ୍ତି ନାହିଁ କାରଣ ଏଥିରେ କାହାର ବା ଦୋଷ କଣ ? ସିଏ ଖବରକାଗଜ ପାଇଲା ମାତ୍ରେ ଖବର ଜାଣିବାକୁ ଇଚ୍ଛା କରୁଛନ୍ତି ବୋଲି ଅନ୍ୟମାନେ ଯେ ସେମାନଙ୍କର ସବୁ କାମଦାମ ଛାଡ଼ି ଆସି ତାଙ୍କୁ ଖବରକାଗଜ ପଢ଼ି ଶୁଣେଇବେ ତାର ତ କିଛି ମାନେ ନାହିଁ ନା ! ତାପରେ ଏଇଟା ତ ଦିନକର ସମସ୍ୟା ନୁହେଁ। ସବୁଦିନିଆ ସମସ୍ୟା। ଦିନେ ଦିନେ ସାହିର କିଛି ପିଲା ଯେତେବେଳେ ସୁରଅଜାଙ୍କର ଦେଖା ହୁଅନ୍ତି ସେ ସେମାନଙ୍କୁ ଖବରକାଗଜଟା ଟିକେ ପଢ଼ି ତାଙ୍କୁ ଶୁଣେଇବାକୁ କୁହନ୍ତି। ସେମାନଙ୍କର ଇଚ୍ଛା ନଥିଲେ ବି ସେମାନେ ତାଙ୍କ କଥା କାଟି ନପାରି ଖବରକାଗଜଟା ତରତରିଆ ଭାବେ ପଢ଼ି ତାଙ୍କୁ ଶୁଣେଇ ଦିଅନ୍ତି। ସମସ୍ୟାଟା ସବୁଦିନିଆ ହୋଇ ଥିବାରୁ ଥରେ ଥରେ ଅବସ୍ଥା ଏମିତି ହୁଏ ଯେ ସୁରଅଜା ଖବରକାଗଜ ଧରି ଦାଣ୍ଡ ପିଣ୍ଡାରେ ବସିଥିବା ସମୟରେ କାଳେ ସେ ସାହିର ପିଲାମାନଙ୍କୁ ଖବରକାଗଜ ପଢ଼ି ତାଙ୍କୁ ଶୁଣେଇବାକୁ କହିବେ ବୋଲି ଭାବି ସେମାନେ ତାଙ୍କ ଘର ସାମନା ରାସ୍ତା ଦେଇ ନଯାଇ ଅନ୍ୟ ବାଟେ ବାଟ ଭାଙ୍ଗି ଚାଲି ଯାଆନ୍ତି। ଖବରକାଗଜଟା ପାଇବା ମାତ୍ରେ ସାଙ୍ଗେ ସାଙ୍ଗେ ଖବର ସବୁ ଜାଣିବାକୁ ସୁରଅଜାଙ୍କର ଭାରି ଇଚ୍ଛା ହୁଏ। କିନ୍ତୁ କଣ କରିବେ ! ସେ ନାଚାର ! କାରଣ ସେ ପଢ଼ି ଜାଣି ନାହାଁନ୍ତି। ଖାଇବା ଥାଳି ଆଗରେ ଥୁଆ ହୋଇଥିବା ବେଳେ ପେଟରେ ଭୋକ ଥାଇ ବି କୋୖଣସି କାରଣରୁ ଜଣେ ଖାଇ ନ ପାରିଲେ ତାକୁ ଯେମିତି ଲାଗେ ଖବରକାଗଜଟା ହାତରେ ଥାଇ ମଧ୍ୟ ପଢ଼ି ନ ପାରୁଥିବାରୁ ସୁରଅଜାଙ୍କୁ ଠିକ୍ ସେମିତି ଲାଗିଥାଏ। ଖବରକାଗଜଟା ହାତରେ ଧରି କାହାକୁ ଅପେକ୍ଷା କରିଥିବା ସମୟରେ ସେ ଭାବନ୍ତି , ମୁଁ ଯଦି ଲେଖାପଢ଼ା ଜାଣିଥାନ୍ତି ତାହେଲେ ମୋତେ ଆଜି ଏ ଦିନ ଦେଖିବାକୁ ପଡ଼ୁ ନଥାନ୍ତା ! ଖବରକାଗଜ ପାଇବା ପରେ ମୁଁ ମୋ ଇଚ୍ଛା ଅନୁସାରେ ତାହାକୁ ପଢ଼ି ଖବର ସବୁ ଜାଣି ପାରୁଥାନ୍ତି। ମୋତେ ଅନ୍ୟମାନଙ୍କ ଉପରେ ଏତେ ନିର୍ଭର କରିବାକୁ ପଡ଼ୁ ନଥାନ୍ତା। ଏ ତ ଗଲା ସକାଳର ଖବରକାଗଜରୁ ଖବର ଜାଣିବା କଥା। ସନ୍ଧ୍ୟାବେଳେ ମଧ୍ୟ ସେଇ ଏକା ଅବସ୍ଥା। ସୁରଅଜା ଟିକେ ଆଧ୍ୟାତ୍ମ୍ୟବାଦୀ ଲୋକ ହୋଇଥିବାରୁ ସବୁଦିନେ ସନ୍ଧ୍ୟାବେଳେ ତାଙ୍କର ଭାଗବତ ଦିପଦ ଶୁଣିବାକୁ ଭାରି ଇଚ୍ଛା ହୁଏ। କଣ କରିବେ ! ପଢ଼ି ତ ଜାଣି ନାହାଁନ୍ତି। କାହାକୁ ବା ଭାଗବତ ଅଧ୍ୟାୟେ ପଢ଼ିବାକୁ କହିବେ ! ସନ୍ଧ୍ୟା ହେଲେ ନାତି ଓ ନାତୁଣୀ ତାଙ୍କର ପାଠପଢ଼ାରେ ବ୍ୟସ୍ତ ରୁହନ୍ତି। ବଡ଼ବୋହୂ ସ୍କୁଲରୁ ଆସି ବିଶ୍ରାମ ନେଉଥିବାରୁ ତାଙ୍କୁ ଭାଗବତ ପଢ଼ିବା ପାଇଁ କହିବାକୁ ସୁରଅଜାଙ୍କର ବିବେକ ତାଙ୍କୁ ବାଧା ଦିଏ। ଆଉ ସାନବୋହୂ ରାତି ପାଇଁ ରୋଷେଇ କାମରେ ବ୍ୟସ୍ତ ରୁହେ। ରୋଷେଇ ଟିକେ ଡେରି ହୋଇଗଲେ ପିଲାମାନେ ଖାଇବାକୁ ମାଗି ତାକୁ ଅସ୍ତବ୍ୟସ୍ତ କରି ପକାଇବେ। ତେଣୁ ତାକୁ ବି ସେ ଭାଗବତ ପଢ଼ିବାକୁ କହି ପାରନ୍ତି ନାହିଁ। ତେଣୁ ବାଧ୍ୟ ହୋଇ ସେ ପତ୍ନୀ ଗାୟତ୍ରୀଙ୍କୁ ଡ଼ାକି ବଡ଼ ପାଟିରେ କହନ୍ତି , ଆରେ ! ଟିକେ ଆସି ଅଧ୍ୟାୟେ ଭାଗବତ ପଢ଼ି ଦିଅନ୍ତ ନି ! ଭାଗବତ ଟିକେ ଶୁଣିବି ବୋଲି ମୁଁ କେତେ ସମୟ ଆଉ ଏ ଠାକୁର ଘରେ ବସି ରହିଥିବି ! ଘର ଭିତରୁ ପତ୍ନୀ ଗାୟତ୍ରୀ ଦେବୀ କୁହନ୍ତି , ମୋତେ ସବୁଦିନେ ସନ୍ଧ୍ୟାବେଳେ କାହିଁକି ଏମିତି ହଇରାଣ କରୁଛ କହିଲ ! ଦିନସାରା ଘରର ସବୁ ଦାୟିତ୍ଵ ବୁଝି ସାରିଲା ପରେ ମୁଁ ଏବେ ଟିକେ ଟି ଭି ଖୋଲି ସମାଚାର ଶୁଣୁଛି। ସମାଚାରଟା ଟିକେ ସରିବା ପର୍ଯ୍ୟନ୍ତ ଅପେକ୍ଷା କର। ସୁରଅଜା ଆଉ ବେଶୀ କିଛି ନକହି ଚୁପଚାପ୍ ସେହି ଠାକୁର ଘରେ ବସି ପତ୍ନୀଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି। ଖାଲି ସେତିକି ନୁହେଁ , ଦୋକାନରୁ ସଉଦା ଆଣି ସାରିବା ପରେ ସଉଦା ଦୋକାନୀ ଯେତେବେଳେ ଏକ ଲମ୍ବା ସଉଦା ଚିଠା ଲେଖି ତାଙ୍କ ହାତକୁ ଧରେଇ ଦିଏ ସେ ଚିଠାଟାକୁ ତଳ ଉପର କରି ବହେ ଚାହାନ୍ତି ସିନା , ହେଲେ ସେଥିରୁ ଗୋଟିଏ ବି ଅକ୍ଷର ପଢ଼ି ପାରନ୍ତି ନାହିଁ। ତାଙ୍କର ଏ ଅବସ୍ଥା ଦେଖି ସଉଦା ଦୋକାନୀ ମହନି କହେ , ସୁରଅଜା ! ଆପଣ ସେ ଚିଠାଟା ନେଇ ଯାଆନ୍ତୁ। ଘରେ ଆପଣଙ୍କ ବୋହୂ କି ନାତୁଣୀ ଯାହାକୁ ଜଣକୁ ଦେବେ ସେ ପଢ଼ି ଆପଣଙ୍କୁ ସବୁ ବୁଝେଇଦେବେ। ଦୋକାନରୁ ସଉଦା ନେବାକୁ ଠିଆ ହୋଇଥିବା ଅନ୍ୟମାନଙ୍କ ସମ୍ମୁଖରେ ସଉଦା ଦୋକାନୀ ମହନି ଯେତେବେଳେ ସୁରଅଜାଙ୍କୁ ଏହି କଥା କୁହେ କାହିଁକି କେଜାଣି ତାଙ୍କୁ ଭାରି ଖରାପ ଲାଗେ। ଧାନ ଅମଳ ସମୟରେ ତାଙ୍କ ଖଳାରେ ଭାଗଚାଷୀ ସୁକୁଟା ଧାନ ମାପୁ ମାପୁ ଯେତେବେଳେ ସୁରଅଜାଙ୍କୁ କହେ , ଅଜା ! ଆପଣ ଘର ଭିତରୁ ଆଇଙ୍କୁ ଟିକେ ଡାକି ଦିଅନ୍ତୁ। ସେ ଆସିଲେ ଧାନ ବାଣ୍ଟିବା ଆରମ୍ଭ କରିବା ସେତେବେଳେ କାହିଁକି କେଜାଣି ସୁକୁଟା ସମ୍ମୁଖରେ ତାଙ୍କୁ ଭାରି ନ୍ୟୁନ ଲାଗେ। ତାଙ୍କୁ ଲାଗେ , ସେ ଧାନ ହିସାବ ରଖି ପାରିବେ ନାହିଁ ବୋଲି ପରୋକ୍ଷରେ ସୂଚାଇ ଦେଇ ସତେ ଯେମିତି ସୁକୁଟା ତାଙ୍କୁ ତାତ୍ସଲ୍ୟ କରୁଛି। ଭୋଟ୍ ଦେବାକୁ ସେଦିନ ଭୋଟ୍ କେନ୍ଦ୍ରରେ ଧାଡ଼ି ବାନ୍ଧି ଠିଆ ହୋଇଥିବା ବେଳେ ଭୋଟ୍ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀ ଜଣଙ୍କ ଯେତେବେଳେ ଦସ୍ତଖତ କରିବା ପାଇଁଁ ତାଙ୍କ ହାତକୁ କଲମ ବଢ଼େଇ ଦେଲେ ସେ ନିଜେ କିଛି କହିବା ଆଗରୁ ତାଙ୍କ ପଛରେ ଠିଆ ହୋଇଥିବା ତାଙ୍କର ସାହିର ନାତିଟୋକା ଅଭୟ ଯେତେବେଳେ ସେ ଅଧିକାରୀଙ୍କୁ କହିଲା , ସୁରଅଜା ଦସ୍ତଖତ କରିବେ ନାହିଁ ସାର୍ ! ସେ ଟିପ ଦେବେ , ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ଭାରି ଖରାପ ଲାଗିଥିଲା। କିଏ ତାଙ୍କ ଆଡ଼କୁ ଚାହାଁନ୍ତୁ କି ନ ଚାହାଁନ୍ତୁ ତାଙ୍କୁ ଲାଗୁଥିଲା ସତେ ଯେମିତି ଭୋଟ୍ କେନ୍ଦ୍ର ଭିତରେ ଉପସ୍ଥିତ ଥିବା ସବୁଲୋକଙ୍କର ଆଖି ତାଙ୍କ ଉପରେ କେନ୍ଦ୍ରିତ ହୋଇଛି। ଏକୁଟିଆ ବସିଥିବା ସମୟରେ ଯେତେବେଳେ ଏସବୁ କଥା ସୁରଅଜାଙ୍କର ମନେପଡ଼େ ସେ ନିଜକୁ ନିଜେ ଧିକ୍କାର କରନ୍ତି। ସେ ଭାବନ୍ତି , ପିଲାବେଳେ ସେ କାହିଁକି ପାଠ ଦି ଅକ୍ଷର ନ ପଢ଼ିଲେ କେଜାଣି ! ସେଦିନ ଅଗଷ୍ଟମାସର ପନ୍ଦର ତାରିଖ ଥାଏ। ଖବରକାଗଜରେ କଣ ସବୁ ବାହାରିଛି ସେକଥା ଜାଣିବା ପାଇଁ ସୁରଅଜା ଖବରକାଗଜଟା ହାତରେ ଧରି ଆଗ୍ରହର ସହିତ ନାତୁଣୀକୁ ଅପେକ୍ଷା କରି ଦାଣ୍ଡ ପିଣ୍ଡାରେ ଆରାମ ଚେୟାର ଉପରେ ବସିଥିଲେ। ସେ ମନେ ମନେ ଭାବୁଥିଲେ , ପାଠ ଦି ଅକ୍ଷର ପଢ଼ିଥିଲେ ଆଜି ତାଙ୍କୁ ନାତୁଣୀକୁ ଅପେକ୍ଷା କରିବାକୁ ପଡ଼ି ନଥାନ୍ତା। ଏତେବେଳକୁ ସେ ନିଜେ ଖବରକାଗଜ ପଢ଼ି ସାରନ୍ତେଣି ! କିନ୍ତୁ ଏଥିପାଇଁ କାହାକୁ ବା ସେ ଦାୟୀ କରିବେ ! ତାଙ୍କର ଆଜିର ଏହି ଅବସ୍ଥା ପାଇଁ ସେ ତ ନିଜେ ଦାୟୀ। ତାଙ୍କର ତାଙ୍କ ପିଲାଦିନ କଥା ମନେ ପଡ଼ିଗଲା। ସତୁରୀ ବର୍ଷ ବୟସ୍କ ସୁରଅଜା ତାଙ୍କ ପିଲାଦିନର ସ୍ମୃତିକୁ ମନେ ପକେଇ ତା ଭିତରେ କିଛି ସମୟ ପାଇଁ ହଜିଗଲେ। ତାଙ୍କ ବାପା ମହେଶ ପ୍ରଧାନ ସେ ଅଞ୍ଚଳର ଜଣେ ବିଖ୍ୟାତ ଚାଷୀ ଥିଲେ। ବଡ଼ ଚାଷୀ ହିସାବରେ ସେ ଅଞ୍ଚଳରେ ତାଙ୍କର ଖୁବ୍ ନାଆଁ ଡାକ ଥିଲା। ତାଙ୍କର ବାରମାଣ ଚାଷଜମି ଥିଲା। ସେତେବେଳେ ଯାହାର ଅଧିକ ଚାଷଜମି ଥିଲା ଲୋକମାନେ ତାଙ୍କୁ ଖୁବ୍ ଖାତିରି କରୁଥିଲେ। ତାଙ୍କର ଦୁଇହଳ ବଳଦ ଓ ଗୋଟିଏ ଶଗଡ଼ ଥିଲା। ଘରେ ଦୁଇଜଣ କୋଠିଆ ଥିଲେ। ଘରେ ଦୁଇ ଦୁଇଟା ଦୁଧିଆଳୀ ଗାଈ ମଧ୍ୟ ଥିଲେ। ବାରି ପୋଖରୀରେ ରୋହି , ଭାକୁର ଠାରୁ ଆରମ୍ଭ କରି ସବୁ ପ୍ରକାର ମାଛ ଭର୍ତ୍ତି ହୋଇଥିଲେ। ଅବାରକୁ ଛାଡ଼ିଦେଲେ ସବୁଦିନେ ପ୍ରାୟ ଘରେ ମାଛ ତରକାରି ହେଉଥିଲା। ହଳ ନେଇ ବିଲକୁ ଯିବା ଆଗରୁ କୋଠିଆ ସରବା ପୋଖରୀରେ ଖେଦାଏ ଜାଲ ମାରିଦେଲେ ଯେତିକି ମାଛ ପଡ଼ୁଥିଲେ ତାହା ଦିନ ଓ ରାତି ଦୁଇବେଳା ତରକାରୀ ପାଇଁ ଯଥେଷ୍ଟ ହେଉଥିଲା। ଘର ପଛପଟକୁ ଲାଗି ଏକ ଏକରର ଯେଉଁ ବାରି ଥିଲା ସେଥିରେ ସବୁ ପ୍ରକାରର ପନିପରିବା ମଧ୍ୟ ଚାଷ ହେଉଥିଲା। ତେଣୁ ପନିପରିବା କିଛି କିଣିବାକୁ ପଡ଼ୁ ନଥିଲା ବରଂ ପ୍ରତି ହାଟପାଳି ଦିନ କୋଠିଆ ସରବା ସାଇକେଲରେ ବସ୍ତାଏ ପରିବା ଲଦି ହାଟକୁ ନେଇ ବିକ୍ରି କରିବାକୁ ଯାଉଥିଲା। ତେଣୁ ଅଭାବ କଣ ସୁରଅଜା ଜାଣି ନଥିଲେ। ଖୁବ୍ ଖୁସିରେ ତାଙ୍କ ପିଲାଦିନଟା କଟି ଯାଇଥିଲା। ଗୋଟିଏ ବୋଲି ନାତି ହୋଇଥିବାରୁ ସୁରଅଜାଙ୍କ ଜେଜେମା ତାଙ୍କୁ ବହୁତ ଗେହ୍ଲା କରି ଦେଇଥିଲେ। ଜେଜେମାଙ୍କ ଠାରୁ ଅତ୍ୟଧିକ ସ୍ନେହ ଓ ଆଦର ପାଇ ପିଲାଟି ଦିନରୁ ସେ ଭାରି ଅମାନିଆ ହୋଇ ଯାଇଥିଲେ। ତାଙ୍କ ବାପା ଓ ମାଆ ଯେତେବେଳେ ତାଙ୍କୁ ଆକଟ କରୁଥିଲେ ସୁରଅଜାଙ୍କ ଜେଜେମା ସେମାନଙ୍କୁ ତାଗିଦ୍ କରି କହୁଥିଲେ , କାହିଁକି ସବୁବେଳେ ପିଲାଟା ପଛରେ ପଡ଼ିଛ କହିଲ ! ବଡ଼ ହେଲେ ସେ ଆପେ ଆପେ ସୁଧୁରି ଯିବନି ! କିନ୍ତୁ ସୁରଅଜା ବଡ଼ ହେଲେ ସିନା ହେଲେ ସୁଧୁରିବା କଥା ଦୂରେ ଥାଉ ବରଂ ଦିନକୁ ଦିନ ତାଙ୍କ ଦୁଷ୍ଟାମୀ ବଢ଼ିବାରେ ଲାଗିଲା। ତାଙ୍କୁ ଯେତେବେଳେ ପାଞ୍ଚବର୍ଷ ହେଲା ତାଙ୍କ ବାପା ଯୋଗେଶ ବାବୁ ଗାଆଁ ସ୍କୁଲରେ ନେଇ ତାଙ୍କ ନାଆଁ ଲେଖେଇଦେଲେ ସିନା ହେଲେ ସେ ସ୍କୁଲକୁ ଯିବାକୁ ଆଦୋୖ ମଙ୍ଗୁ ନଥିଲେ। ବ୍ୟାଗପତ୍ର ଧରି ସେ ସ୍କୁଲକୁ ଯାଉଥିଲେ ସତ କିନ୍ତୁ ଗାଆଁ ମୁଣ୍ଡ ପୋଖରୀ ହୁଡ଼ାରେ ଥିବା ବରଗଛ ତଳେ ବ୍ୟାଗ ରଖିଦେଇ ବର ଓହଳରେ ଦୋଳି ଖେଳୁଥିଲେ ତା ନହେଲେ ଗାଈଜଗାଳି ପିଲାମାନଙ୍କ ସହିତ ମିଶି ପୋଖରୀ ହୁଡ଼ାରେ ଡାବଲପୁଆ ଖେଳୁଥିଲେ। ସ୍କୁଲ୍ ଖାଇବା ଛୁଟି ହେଲେ ଗାଆଁ ପିଲାମାନେ ଯେତେବେଳେ ସେହି ପୋଖରୀ ହୁଡ଼ା ବାଟ ଦେଇ ଘରକୁ ଆସୁଥିଲେ ସେ ସେମାନଙ୍କ ସହିତ ଘରକୁ ଫେରି ଆସୁଥିଲେ। ଏକଥା ଜାଣିବା ପରେ ପ୍ରାୟ ପ୍ରତିଦିନ ତାଙ୍କ ବାପା ତାଙ୍କୁ ଗୋଟିଏ ଛାଟରେ ବହୁତ ପିଟୁଥିଲେ। ଦିନେ ସେଥିପାଇଁ ସୁରଅଜାଙ୍କ ଜେଜେମା ଓ ତାଙ୍କ ବାପାଙ୍କ ଭିତରେ ଭୀଷଣ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଯୋଗେଶ ବାବୁ ତାଙ୍କ ମାଆଙ୍କ ଉପରେ ବିରକ୍ତ ହୋଇ ତାଙ୍କୁ କହିଲେ , ମାଆ ! ତୁମେ କଣ ଚାହୁଁଛ ପିଲାଟା ପାଠ ନ ପଢ଼ି ମୂର୍ଖ ହୋଇଯାଉ ବୋଲି ! ଯୋଗେଶ ବାବୁ ବିରକ୍ତ ହୋଇ ତାଙ୍କ ମାଆଙ୍କ ମୁହଁରେ ଯେତେବେଳେ ଏତିକି କହିଦେଲେ ତାଙ୍କ ମାଆଙ୍କୁ ଆଉ ସମ୍ଭାଳେ କିଏ ! ସେ ଯୋଗେଶ ବାବୁଙ୍କ ଉପରେ ରାଗି ଭୀଷଣ ଭାବରେ ପାଟିତୁଣ୍ଡ କରିଥିଲେ। ଯୋଗେଶ ବାବୁଙ୍କ ମାଆ ଜଣେ ପୁରୁଣାକାଳିଆ ଲୋକ। ପାଠଶାଠ ସିନା ପଢ଼ି ନାହାଁନ୍ତି ହେଲେ ବାଘ ଓ ଛେଳି ଦୁହିଁଙ୍କୁ ଗୋଟିଏ ଘାଟରେ ପାଣି ପିଆଇବା ଲୋକ। ଯୋଗେଶ ବାବୁଙ୍କ ପତ୍ନୀ ତ ଡରରେ ତାଙ୍କ ଶାଶୁଙ୍କ ଆଗରେ ପାଟି ଖୋଲନ୍ତି ନାହିଁ। ଯୋଗେଶ ବାବୁ ମଧ୍ୟ ତାଙ୍କ ମାଆଙ୍କୁ ଭୀଷଣ ଭୟ କରନ୍ତି। ସୁରଅଜାଙ୍କ ଜେଜେମା ଯୋଗେଶ ବାବୁଙ୍କ ଉପରେ ରାଗିଯାଇ ତାଙ୍କୁ କହିଲେ , ପିଲାକୁ ବୁଝେଇ ଶୁଝେଇ ସ୍କୁଲକୁ ପଠାଇବା ତୁମ ବାପମାଆ ଦୁଇଜଣଙ୍କ କାମ। ସେମିତି ନକରି ତାକୁ ଏତେ ପିଟିବା କଣ ଦରକାର। ପିଟିଲେ କଣ ସେ ପଢ଼ିବ! ତାପରେ ତାର କଣ ପାଠପଢ଼ା ବୟସ ବଳେଇ ଯାଉଛି ! ଆରେ ନଅଟା କି ଛଅଟା ନାହିଁ। ଗୋଟିଏ ବୋଲି ତ ପିଲା ! ତୁ ତାକୁ ଯେଉଁଭଳି ନିର୍ଦ୍ଦୟ ଭାବରେ ମାଡ଼ ମାରୁଛୁ ତାର ଯଦି କିଛି ହୋଇଯାଏ ତାହେଲେ ଆମର ଏତେ ଯେଉଁ ଧନସମ୍ପଦ ଅଛି ତାକୁ କିଏ ଭୋଗ କରିବ ! ପାଠ କଣ ଆମକୁ ସ୍ୱର୍ଗକୁ ନେବ ! ସୁରଅଜା ସ୍କୁଲକୁ ନଯିବା , ତାଙ୍କ ବାପା ତାଙ୍କୁ ସେଥିପାଇଁ ମାଡ଼ ମାରିବା ଓ ସୁରଅଜାଙ୍କ ବାପା ଓ ତାଙ୍କ ଜେଜେମାଙ୍କ ଭିତରେ ସେନେଇ କଳି ଝଗଡ଼ା ହେବା ସୁରଅଜାଙ୍କ ଘରେ ଗୋଟିଏ ନିତିଦିନିଆ ଘଟଣାରେ ପରିଣତ ହୋଇ ଯାଇଥିଲା। କିନ୍ତୁ ସୁରଅଜାଙ୍କ ଉପରେ ତାର କିଛି ପ୍ରଭାବ ପଡ଼ୁ ନଥିଲା। ସେ ସ୍କୁଲକୁ ଯିବାପାଇଁ ଆଦୋୖ ଆଗ୍ରହ ଦେଖାଉ ନଥିଲେ। ବାପାଙ୍କ ବାଧ୍ୟବାଧକତାରେ ଘରୁ ବହି ବସ୍ତାନି ଧରି ଯାଉଥିଲେ ସିନା ହେଲେ ସ୍କୁଲକୁ ନଯାଇ କେଉଁଦିନ ଗାଆଁର ଛୋଟ ପିଲାମାନଙ୍କ ସହିତ ଖେଳୁଥିଲେ ତ କେଉଁଦିନ ଗହୀରରେ ହଳ କରୁଥିବା କୋଠିଆ ସରବା ପାଖକୁ ଯାଇ ସେଠାରେ ହିଡ଼ ମୁଣ୍ଡାରେ ବସ୍ତାନି ଥୋଇ ଦେଇ ବସି ରହୁଥିଲେ। ସରବା ହଳ ଫିଟେଇ ଘରକୁ ଆସିଲେ ତା ସହିତ ସେ ଘରକୁ ଆସୁଥିଲେ। ଘରେ ଆସି ପୁଣି ବାପାଙ୍କ ଠାରୁ ମାଡ଼ ଗାଳି ଖାଉଥିଲେ। କିନ୍ତୁ ତା ପରଦିନ ପୁଣି ଯେଉଁ କଥାକୁ ସେହି କଥା। ଏମିତି ଏମିତି ଦିନ ପରେ ଦିନ ଗଡ଼ି ଚାଲିଲା। ଯୋଗେଶ ବାବୁଙ୍କର ସମସ୍ତ ପ୍ରଚେଷ୍ଟା ସତ୍ତ୍ଵେ ସୁରଅଜା ସ୍କୁଲକୁ ଗଲେ ନାହିଁ କି ପାଠ ପଡ଼ିଲେ ନାହିଁ। ଯୋଗେଶ ବାବୁ ବାଧ୍ୟ ହୋଇ ନିଜ କର୍ମକୁ ଆଦରି ରହିଲେ। ଶେଷକୁ ସୁରଅଜାଙ୍କ ପୋଥିରେ ଡୋରି ବନ୍ଧା ହେଲା। ସମୟ ଗଡ଼ି ଚାଲିଲା। ସୁରଅଜା ଯୌବନରେ ପଦାର୍ପଣ କଲେ। ସେତେବେଳକୁ ତାଙ୍କ ଜେଜେମା ମରି ସ୍ୱର୍ଗକୁ ଗଲେଣି। ତାଙ୍କ ବାପାଙ୍କ ଦେହାନ୍ତ ହୋଇଯିବା ପରେ ସେ ଚାଷବାସର ଦାୟିତ୍ଵ ନିଜ ହାତକୁ ନେଲେ ଓ ତାଙ୍କ ବାପାଙ୍କ ଭଳି ଜଣେ ଭଲ ଚାଷୀ ହିସାବରେ ସେ ଅଞ୍ଚଳରେ ନାଆଁ ମଧ୍ୟ କମେଇଲେ। ସୁରଅଜା ପାଠ ନ ପଢିଥିଲେ ମଧ୍ୟ ତାଙ୍କର ଧନସମ୍ପଦ ଦେଖି ସୁରଅଜାଙ୍କ ଶ୍ଵଶୁର ତାଙ୍କର ଶିକ୍ଷିତା କନ୍ୟା ଗାୟତ୍ରୀ ଦେବୀଙ୍କୁ ତାଙ୍କ ସହିତ ବାହା କରେଇ ଦେଇଥିଲେ। ତାପରେ ଅଜୟ ଓ ବିଜୟ ଦୁଇପୁଅ ସୁରଅଜାଙ୍କ ପତ୍ନୀ ଗାୟତ୍ରୀଙ୍କ କୋଳକୁ ଆସିଥିଲେ। ଦୁଇ ନାତିଙ୍କ ମୁହଁ ଦେଖିବା ପରେ ତାଙ୍କ ମାଆ ଏ ସଂସାରରୁ ବିଦାୟ ନେଇଥିଲେ। ତାପରେ ତାଙ୍କର ଦୁଇପୁଅ ଅଜୟ ଓ ବିଜୟ ପାଠଶାଠ ପଢ଼ି ଚାକିରି କଲେ। ସେମାନଙ୍କର ବାହାଘର ହେଲା। ବୋହୂମାନେ ଘରକୁ ଆସିଲେ। ସେ ନାତି ଓ ନାତୁଣୀଙ୍କ ମୁହଁ ଦେଖିଲେ। ସୁରଅଜା ଆଖିବୁଜି ଭାବୁଥିଲେ , ଆଜି ଧନ , ଜନ , ଗୋପ , ଲକ୍ଷ୍ମୀ କେଉଁଥିରେ ମୋର ଅଭାବ ନାହିଁ। କିନ୍ତୁ ମୋ ଜୀବନରେ ଯେଉଁ ଗୋଟିଏ ଅଭାବ ରହିଛି ଏତେ ଧନସମ୍ପଦ ଥାଇ ମଧ୍ୟ ମୋର ସେ ଅଭାବଟି ପୂରଣ ହୋଇ ପାରୁନାହିଁ। ଆଜି ଖବରକାଗଜଟି ମୋ ହାତରେ ଥିଲେ ମଧ୍ୟ ମୁଁ ତାକୁ ପଢ଼ି ପାରୁ ନାହିଁ। ଭାବନା ରାଜ୍ୟରେ ହଜି ଯାଇଥିବା ସୁରଅଜା ନିଜକୁ ଖୁବ୍ ନିସ୍ଵ ମନେ କରୁଥିଲେ। ଏତିକିବେଳେ 'ଭାରତମାତା କି ଜୟ ' 'ସ୍ଵାଧୀନତା ଦିବସ କି ଜୟ ' ଧ୍ବନିରେ ସୁରଅଜା ତାଙ୍କ ଭାବନା ରାଜ୍ୟରୁ ଫେରି ଆସିଲେ। ଗାଆଁ ସ୍କୁଲର ପିଲାମାନେ ହାତରେ ଜାତୀୟ ପତାକା ଧରି ଗାଆଁ ଦାଣ୍ଡରେ ଭାରତମାତା କି ଜୟ ଓ ସ୍ଵାଧୀନତା ଦିବସ କି ଜୟ ଧ୍ଵନି ଦେଇ ଯାଉଥିଲେ। ସୁରଅଜା ସେ ପିଲାମାନଙ୍କୁ ଦେଖି ଭାବିଲେ , ମୁଁ ପିଲାବେଳେ ତୁମଭଳି ଯଦି ସ୍କୁଲକୁ ଯାଇ ପାଠ ପଢ଼ିଥାନ୍ତି ତାହେଲେ ଆଜି ହାତରେ ଖବରକାଗଜ ଧରି ଖବର ଟିକିଏ ଜାଣିବା ପାଇଁ ମୋତେ କାହା ଉପରେ ନିର୍ଭର କରିବାକୁ ପଡ଼ି ନଥାନ୍ତା। ସେଦିନ ଚାରିଆଡ଼େ ସ୍ଵାଧୀନତା ଦିବସ ପାଳିତ ହେଉଥିଲେ ମଧ୍ୟ ସୁରଅଜାଙ୍କୁ ଲାଗୁଥିଲା ସତେ ଯେମିତି ଏ ସ୍ଵାଧୀନ ଦେଶରେ ସେ ଜଣେ ପରାଧୀନ ନାଗରିକ। ପାଠ ପଢ଼ି ନଥିବାରୁ ଖବରକାଗଜ ପଢ଼ି ନପାରି ଅନ୍ୟ କାହା ଉପରେ ନିର୍ଭର କରିବା ଏକପ୍ରକାର ପରାଧୀନତା ନୁହେଁ ତ ଆଉ କଣ ? ଜୀବନରେ ଅଶିକ୍ଷିତ ହେବା ଯେ ସବୁଠାରୁ ବଡ଼ ପରାଧୀନତା ଏକଥାକୁ ସେ ଅଙ୍ଗେ ନିଭେଇ ସାରିଥିଲେ କାରଣ ଜୀବନର ପ୍ରତି ମୂହୂର୍ତ୍ତରେ କିଛି ନା କିଛି କାମ ପାଇଁ କାହା ଉପରେ ନା କାହା ଉପରେ ତାଙ୍କୁ ନିର୍ଭର କରିବାକୁ ପଡ଼ୁଥିଲା। ପାଖରେ ସବୁକିଛି ଥାଇ ମଧ୍ୟ ଲେଖାପଢ଼ା ଜାଣି ନଥିବାରୁ ସେ ନିଜକୁ ଜଣେ ଅସମ୍ପୂର୍ଣ୍ଣ ବ୍ୟକ୍ତି ବୋଲି ଭାବୁଥିଲେ। ଜୀବନର ବଡ଼ ବଡ଼ ସମସ୍ୟା କଥା ଛାଡ଼ ଲେଖାପଢ଼ା ଜାଣି ନଥିବାରୁ ସାଧାରଣତଃ ଖବରକାଗଜରୁ ଖବର ଟିକେ ଜାଣିବା ପାଇଁ ଯିଏ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ତାକୁ କିପରି ସ୍ଵାଧୀନ କୁହା ଯାଇ ପାରିବ ! ସୁରଅଜା ଭାବିଲେ , ଯେଉଁଦିନ ମୁଁ ନିଜେ ସ୍ଵାଧୀନ ଭାବରେ ଖବରକାଗଜ ପଢ଼ି ପାରିବି ସେଇଦିନ ମୁଁ ନିଜେ ନିଜକୁ ପ୍ରକୃତ ସ୍ଵାଧୀନ ବୋଲି ମନେ କରିବି। ସୁରଅଜା ସେଦିନ ପିଲାମାନେ ଧରି ଯାଉଥିବା ଜାତୀୟ ପତାକାକୁ ଚାହିଁ ମନେ ମନେ ଶପଥ ନେଲେ ଯେ ସେ ଯେମିତି ହେଲେ ପାଠ ପଢ଼ି ଏ ପରାଧୀନତାରୁ ମୁକ୍ତ ହେବେ। ସ୍କୁଲର ପିଲାମାନେ ଜାତୀୟ ପତାକା ଧରି ଗାଆଁ ପରିକ୍ରମା କରିବା ପରେ ଯେତେବେଳେ ସ୍କୁଲକୁ ଫେରିଲେ ସୁରଅଜା ସେମାନଙ୍କ ପଛେ ପଛେ ସ୍କୁଲକୁ ଗଲେ। ସ୍କୁଲର ପ୍ରଧାନଶିକ୍ଷକ ସୁରଅଜାଙ୍କୁ ନମସ୍କାର କରି ତାଙ୍କୁ ବସିବା ପାଇଁ ଗୋଟିଏ ଚେୟାର ଦେଲେ ଓ କହିଲେ , ଆଜ୍ଞା ! ମୋ ପାଖରେ କଣ କିଛି କାମ ଥିଲା କି ? ସୁରଅଜା କହିଲେ , ପ୍ରଧାନଶିକ୍ଷକ ମହାଶୟ ! ମୁଁ ଏବେ ପାଠ ପଢ଼ିବା ପାଇଁ ଚାହୁଁଛି। କଣ ପଢ଼ି ପାରିବିନି ? ସୁରଅଜାଙ୍କ ମୁହଁରୁ ଏକଥା ଶୁଣି ପ୍ରଧାନଶିକ୍ଷକ ପ୍ରଥମେ ଟିକେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁଲେ କିନ୍ତୁ ତାଙ୍କ କଥାରେ ଦୃଢ଼ତା ଦେଖି କହିଲେ , ହଁ ! କାହିଁକି ପଢ଼ି ପାରିବେନି ! ସୁରଅଜା କହିଲେ , ତାହେଲେ ମୁଁ କିପରି ପାଠ ପଢ଼ି ପାରିବି ମୋତେ ସେହି ବାଟ ବତେଇ ଦିଅନ୍ତୁ। ପ୍ରଧାନଶିକ୍ଷକ କହିଲେ , ଦେଖନ୍ତୁ , ଆପଣଙ୍କ ଭଳି ବୟସ୍କ ଲୋକଙ୍କ ପଢ଼ିବା ପାଇଁ ଏଇ କିଛି ଦିନ ତଳେ ପାଖ ଗାଆଁରେ ଏକ ଏନ ଜି ଓ ତରଫରୁ ଗୋଟିଏ ପ୍ରୌଢ଼ଶିକ୍ଷା କେନ୍ଦ୍ର ଖୋଲା ଯାଇଛି। ଆପଣ ସେଇଠି ଯାଇ ପଢ଼ି ପାରିବେ। ପ୍ରଧାନଶିକ୍ଷକଙ୍କ ଠାରୁ ଏକଥା ଶୁଣି ସୁରଅଜା ଆନନ୍ଦମନରେ ଆସିଲେ ଓ ଆଉ ଘରକୁ ନଯାଇ ସିଧା ସିଧା ପ୍ରୌଢ଼ଶିକ୍ଷା କେନ୍ଦ୍ରକୁ ଚାଲିଲେ। ପ୍ରୌଢ଼ଶିକ୍ଷା କେନ୍ଦ୍ରରେ ନାମ ପଞ୍ଜିକରଣ କରିବା ପରେ ସେଠାରୁ ତାଙ୍କୁ ଏକ ବସ୍ତାନି ସହିତ ଆବଶ୍ୟକୀୟ ସମସ୍ତ ପାଠ୍ୟ ଉପକରଣ ମିଳିଗଲା। ସେସବୁକୁ ଧରି ଖୁସି ମନରେ ସୁରଅଜା ଘରକୁ ଫେରି ଆସିଲେ। ତା ପରଦିନ କଥା। ସୁରଅଜା ଯେତେବେଳେ ହାତରେ ବସ୍ତାନି ଧରି ପ୍ରୌଢ଼ଶିକ୍ଷା କେନ୍ଦ୍ରକୁ ଯିବାକୁ ବାହାରିଲେ ନାତୁଣୀ ରେଖା କହିଲା , ଜେଜେ ! ତୁମେ ସ୍କୁଲପିଲାଙ୍କ ପରି ଏ ବସ୍ତାନିଟା ଧରି କୁଆଡ଼େ ଯାଉଛ ? ସୁରଅଜା କହିଲେ , ମୁଁ ପ୍ରୌଢ଼ଶିକ୍ଷା କେନ୍ଦ୍ରକୁ ପାଠ ପଢ଼ିବାକୁ ଯାଉଛି। ସୁରଅଜାଙ୍କ ମୁହଁରୁ ଏକଥା ଶୁଣି ରେଖା ଯେତେବେଳେ ତାଙ୍କୁ ଆଶ୍ଚର୍ଯ୍ୟର ସହିତ ଚାହିଁଲା ସେ କହିଲେ , ଆରେ ! ଏମିତି ବୋକୀଙ୍କ ପରି ମୋତେ ଚାହିଁଛୁ କଣ ! ମୁଁ ସତ କହୁଛି। ମୁଁ ପଢ଼ିବାକୁ ଯାଉଛି। ମୁଁ ପଢ଼ିବା ଶିଖିଗଲେ ନା ତୋତେ ଆଉ ଖବରକାଗଜ ପଢ଼ି ମୋତେ ଶୁଣେଇବାକୁ ପଡ଼ିବ ନାହିଁ। ହଉ ! ଡେରି ହେଲାଣି। ମୁଁ ଏବେ ଯାଉଛି। ତୁ ଏକଥା ଘରେ ଯାଇ ସମସ୍ତଙ୍କୁ ଜଣେଇଦେବୁ। ରେଖା ହସି ହସି କହିଲା , ଠିକ୍ ଅଛି ଜେଜେ ! ତୁମେ ଯାଅ। ତାପରେ ସୁରଅଜା ପ୍ରତିଦିନ ନିୟମିତ ଭାବରେ ପ୍ରୌଢ଼ଶିକ୍ଷା କେନ୍ଦ୍ରକୁ ଯାଇ ପାଠ ପଢ଼ିବାକୁ ଲାଗିଲେ। ପ୍ରତିଦିନ ବହି ବସ୍ତାନି ଧରି ଗାଆଁ ଦାଣ୍ଡରେ ପ୍ରୌଢ଼ଶିକ୍ଷା କେନ୍ଦ୍ରକୁ ଗଲାବେଳେ ଗାଆଁ ଦାଣ୍ଡରେ ଖେଳୁଥିବା ସୁରଅଜାଙ୍କ ନାତି ବୟସର ପିଲାମାନେ ତାଙ୍କୁ ଥଟ୍ଟା କରି କହନ୍ତି , କଣ ଅଜା ! ଏ ବୟସରେ ପାଠପଢ଼ା କଥା ମନେ ପଡ଼ିଲା ! ସୁରଅଜା ସେମାନଙ୍କ କଥାକୁ ଦେହକୁ ନିଅନ୍ତି ନାହିଁ ବରଂ ହସି ହସି କହନ୍ତି , ଆରେ ! ପାଠପଢ଼ାର ବୟସ ସହିତ ସମ୍ପର୍କ କଣ ! ଜଣେ ଅଶିକ୍ଷିତ ବ୍ୟକ୍ତି ଚାହିଁଲେ ଯେ କୋୖଣସି ବୟସରେ ବି ସେ ପାଠ ପଢ଼ି ଶିକ୍ଷିତ ହୋଇ ପାରିବ। କେବଳ ସେଥିପାଇଁ ମନରେ ଦୃଢ଼ ଇଚ୍ଛାଶକ୍ତି ଥିବା ଦରକାର। ଦୃଢ଼ ଇଚ୍ଛାଶକ୍ତି ଥିଲେ ଏ ଦୁନିଆରେ କିଛି ବି ଅସମ୍ଭବ ନୁହେଁ। ପ୍ରକୃତରେ ଏ କଥାକୁ ସୁରଅଜା ତାଙ୍କ ଜୀବନରେ ପ୍ରମାଣିତ କରି ଦେଖାଇଲେ। ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଏକ ବର୍ଷ ଭିତରେ ସେ ଲେଖା ପଢ଼ା ସବୁ ଭଲ ଭାବରେ ଶିଖିଗଲେ। ଏକ ବର୍ଷ ପରର କଥା। ସେଦିନ ଥାଏ ଅଗଷ୍ଟ ମାସର ପନ୍ଦର ତାରିଖ। ସ୍କୁଲ୍ ପିଲାମାନେ ହାତରେ ଜାତୀୟ ପତାକା ଧରି ଗାଆଁ ଦାଣ୍ଡରେ ଭାରତମାତା କି ଜୟ , ସ୍ଵାଧୀନତା ଦିବସ କି ଜୟ ଧ୍ଵନି ଦେଇ ଯାଉଥିଲେ। ଦାଣ୍ଡ ପିଣ୍ଡାରେ ପଡ଼ିଥିବା ଆରାମ ଚେୟାର ଉପରେ ବସି ଖବରକାଗଜ ପଢ଼ୁ ପଢ଼ୁ ସୁରଅଜାକୁ ଲାଗୁଥିଲା ସ୍ବାଧୀନତାର ଏତେ ବର୍ଷ ପରେ ଏବେ ଯେମିତି ସେ ସ୍ଵାଧୀନତାର ସ୍ଵାଦ ଚାଖୁଛନ୍ତି। ସେ ପତ୍ନୀ ଗାୟତ୍ରୀଙ୍କୁ ବଡ଼ ପାଟିରେ ଡ଼ାକି କହୁଥିଲେ , ଦେଖିବ ଆସ ଗାୟତ୍ରୀ ! ଆମ ନାତୁଣୀ ରେଖା ଜିଲ୍ଲା ସ୍ତରୀୟ ବକୃତା ପ୍ରତିଯୋଗୀତାରେ ପ୍ରଥମ ହୋଇଛି ବୋଲି ଖବରକାଗଜରେ କିପରି ତା ନାଆଁ ବାହାରିଛି। ଘର ଭିତରୁ ଗାୟତ୍ରୀ ଦେବୀ ହସି ହସି ବାହାରକୁ ଆସି ଖବରକାଗଜକୁ ଚାହିଁ କହିଲେ , ଆରେ ! ମୁଁ ତ ଆମ ଶୋଇବା ଘରେ ଚଷମାଟା ଛାଡ଼ି ଦେଇ ଆସିଲି। ଖବରକାଗଜରେ ଆମ ନାତୁଣୀ ରେଖା ବିଷୟରେ ଯେଉଁ ଖବର ବାହାରିଛି ମୋତେ ଟିକେ ପଢ଼ି ଶୁଣେଇଦିଅ ନା ! ପତ୍ନୀଙ୍କ ମୁହଁରୁ ଏକଥା ଶୁଣି ସୁରଅଜା ଯେତେବେଳେ ଖବରକାଗଜ ପଢ଼ି ତାଙ୍କୁ ଖୁସିରେ ଶୁଣାଉଥିଲେ ସ୍ଵାମୀଙ୍କର ସେ ଖୁସି ଦେଖି ଗାୟତ୍ରୀ ଦେବୀଙ୍କ ଓଠରେ ଧାରେ ହସ ଫୁଟି ଉଠୁଥିଲା। ଖବରଟା ପଢ଼ି ସାରି ସୁରଅଜା ଯେତେବେଳେ ପତ୍ନୀଙ୍କ ମୁହଁକୁ ଚାହିଁଲେ ପତ୍ନୀଙ୍କ ଓଠରେ ଫୁଟି ଉଠୁଥିବା ହସ ଭିତରେ ହଜି ଯାଇ ସେ ଅନୁଭବ କଲେ ଯେମିତିକି ଅନେକ ଦିନ ହେଲା ବନ୍ଦ ପଞ୍ଜୁରୀ ଭିତରେ ବନ୍ଧନରେ ଥିବା ତାଙ୍କ ମନପକ୍ଷୀ ଆନନ୍ଦରେ ଡେଣା ମେଲାଇ ମୁକ୍ତାକାଶରେ ଉଡ଼ି ବୁଲୁଛି। *********************


Rate this content
Log in