STORYMIRROR

Biswanath Nayak

Others

4  

Biswanath Nayak

Others

ବେଙ୍ଗ କହେ ବେଙ୍ଗୁଲି ଲୋ ______________________

ବେଙ୍ଗ କହେ ବେଙ୍ଗୁଲି ଲୋ ______________________

22 mins
8

ବେଙ୍ଗ କହେ ବେଙ୍ଗୁଲି ଲୋ
 ____________________
ପ୍ରତିଦିନ ସକାଳୁ ପ୍ରାତଃ ଭ୍ରମଣ କରିବା ରମେଶ ବାବୁ ଓ ମହେଶ ବାବୁ ଦୁଇ ବନ୍ଧୁଙ୍କର ଏକ ନିତିଦିନିଆ ଅଭ୍ୟାସ ଥିଲା। ପ୍ରାତଃ ଭ୍ରମଣରେ ଗଲାବେଳେ ଦୁଇବନ୍ଧୁ ଖୁବ୍ ମନଖୋଲି ନିଜ ନିଜର ଦୁଃଖ ଓ ସୁଖ ଉଭୟ ଉଭୟଙ୍କ ସହିତ ବାଣ୍ଟନ୍ତି।କଟକ ସହରରେ ଆସି ରହିବା ପୂର୍ବରୁ ରମେଶ ବାବୁ ମହେଶ ବାବୁଙ୍କୁ ଜାଣି ନଥିଲେ ମଧ୍ୟ ସାଙ୍ଗ ହୋଇ ପ୍ରାତଃ ଭ୍ରମଣ କରୁ କରୁ ଉଭୟ ଉଭୟଙ୍କର ଏତେ ନିକଟତର ହୋଇଗଲେ ଯେ ସେମାନଙ୍କ ଭିତରେ ଏକ ପାରିବାରିକ ସମ୍ପର୍କ ଗଢ଼ି ଉଠିଲା। ଦୁଇଜଣ ଯାକ ଅଲଗା ଅଲଗା ଅଫିସରେ ଚାକିରି କରୁଥିଲେ ସତ କିନ୍ତୁ ଅଫିସରୁ ଫେରିବା ପରେ ଉଭୟ ନିଜ ନିଜର ପତ୍ନୀକୁ ସାଙ୍ଗରେ ନେଇ ଏକାଠି ମାର୍କେଟିଂ କରିବାକୁ ଯାଉଥିଲେ। ଛୁଟିଦିନ ମାନଙ୍କରେ ଦୁଇ ପରିବାର ସାଥି ହୋଇ ରେଷ୍ଟୁରାଣ୍ଟରେ ଜଳଖିଆ ଖାଉଥିଲେ ଓ ବିଭିନ୍ନ ଦର୍ଶନୀୟ ସ୍ଥାନକୁ ଭ୍ରମଣ କରିବାକୁ ମଧ୍ୟ ଯାଉଥିଲେ। ମହେଶ ବାବୁ ରମେଶ ବାବୁଙ୍କ ଠାରୁ ବୟସରେ ଦୁଇବର୍ଷ ବଡ଼ ହୋଇଥିଲେ ମଧ୍ୟ ସେମାନେ ଏତେ ଘନିଷ୍ଠ ହୋଇ ଯାଇଥିଲେ ଯେ ସେମାନଙ୍କ ଭିତରେ ଥିବା ବୟସର ତାରତମ୍ୟ ସେମାନେ କେବେ ଅନୁଭବ କରି ପାରୁ ନଥିଲେ। ରମେଶ ବାବୁଙ୍କର ଗୋଟିଏ ଝିଅ ଯିଏକି ବାହା ହୋଇ ତା ସ୍ଵାମୀଙ୍କ ସହିତ ବାଙ୍ଗାଲୋରରେ ରହୁଥିଲା। ମହେଶ ବାବୁଙ୍କର ଏକମାତ୍ର ପୁଅ ଅରୁଣ ବାଙ୍ଗାଲୋରରେ ଏକ ପ୍ରତିଷ୍ଠିତ କମ୍ପାନୀରେ ବର୍ଷକୁ ଚାଳିଶି ଲକ୍ଷ ଟଙ୍କା ପ୍ୟାକେଜରେ ଚାକିରି କରୁଥିଲା। ପାଞ୍ଚବର୍ଷ ତଳେ ମହେଶ ବାବୁ ପୁଅର ବାହାଘର ସାରି ଦେଇଥିଲେ। ମହେଶ ବାବୁଙ୍କର ବୋହୂ ନେହା ଓ ତାଙ୍କର ଦୁଇବର୍ଷରେ ନାତି ସ୍ଵସ୍ତିକ ମଧ୍ୟ ପୁଅ ଅରୁଣ ସହିତ ବାଙ୍ଗାଲୋରରେ ରହୁଥିଲେ। ରମେଶ ବାବୁ କଟକ ବଦଳି ହୋଇ ଆସିବା ଆଗରୁ ମହେଶ ବାବୁ କଟକରେ ଜାଗା କିଣି ତିନି ମହଲା ଘର କରି ସାରିଥିଲେ। ରମେଶ ବାବୁ ଗୋଟିଏ ଘର ଭଡ଼ା ନେଇ କଟକରେ ରହୁଥିଲେ। ଥରେ ପ୍ରାତଃ ଭ୍ରମଣ ସମୟରେ ମହେଶ ବାବୁ ରମେଶ ବାବୁଙ୍କୁ କହିଲେ , ରମେଶ ବାବୁ ! ଆପଣଙ୍କର ତ ଝିଅ ବାହାଘର ସରିଛି।ଏବେ ଆପଣଙ୍କ ଉପରେ ଆଉ କିଛି ବଡ଼ ଦାୟିତ୍ଵ ନାହିଁ। ତେଣୁ ମୁଁ କଣ କହୁଥିଲି କି ମୋ ଘର ପାଖରେ ଯେଉଁ ଜାଗାଟି ବିକ୍ରି ହେବ ଆପଣ ସେ ଜାଗା ଖଣ୍ଡକ କିଣି ଦିଅନ୍ତୁ। ସେଇଠି ଆପଣ ଘର ତିଆରି କରିଦେଲେ ଆମେ ଦୁଇବନ୍ଧୁ ପାଖାପାଖି ରହିବା। ରମେଶ ବାବୁ କହିଲେ , ଦେଖନ୍ତୁ ମହେଶ ବାବୁ ! ଆପଣ ଯାହା କହୁଛନ୍ତି ସେକଥା ଠିକ୍ ଯେ ହେଲେ ଗାଆଁରେ ମୋ ବାପା ଓ ବୋଉ ରହୁଛନ୍ତି। ଅବଶ୍ୟ ଏବେ ବାପା ଓ ବୋଉ ଉଭୟ ସୁସ୍ଥ ଅଛନ୍ତି ଓ ନିଜ କାମ ସେମାନେ ନିଜେ କରି ପାରୁଛନ୍ତି। କିନ୍ତୁ ଆଉ ଦଶବର୍ଷ ପରେ ସେମାନେ ଯେତେବେଳେ ଅଧିକ ବୟସ୍କ ହୋଇଯିବେ ସେମାନଙ୍କର ଯତ୍ନ ନେବାପାଇଁ ମୋତେ ଗାଆଁକୁ ଫେରିବାକୁ ହେବ। ଆଉ ସେତେବେଳକୁ ମୋ ଚାକିରି ବି ସରି ଯାଇଥିବ। ସେଥିପାଇଁ ମୁଁ ଗାଆଁରେ ଦୁଇମହଲା ଘର କରି ଦେଇଛି ଓ ଅବସର ପରେ ସେଠାରେ ରହିବି ବୋଲି ସ୍ଥିର କରିଛି। କଟକରେ ଯେହେତୁ ମୋର ଭବିଷ୍ୟତରେ ରହିବାର ନାହିଁ ମୁଁ ଏଠି ଜାଗା କିଣି ଅଯଥାରେ ଘର କରିବି କାହିଁକି କହିଲେ ! ମହେଶ ବାବୁ କହିଲେ , ଆରେ ଭାଇ ! ଏବେ ତ ଆପଣଙ୍କର ଆଉ ଦଶବର୍ଷ ଚାକିରି ଅଛି। ଜାଗା କିଣି ଘର ଖଣ୍ଡେ କରିଦେଲେ ଅନ୍ତତଃ ସେ ଦଶବର୍ଷ ତ ଆପଣ ଭଡ଼ା ଘରେ ନ ରହି ନିଜ ଘରେ ରହି ପାରିବେ। ତାପରେ ଚାକିରି ସରିବା ପରେ ଆପଣ ଯଦି ଗାଆଁକୁ ଯିବେ ବୋଲି ସ୍ଥିର କରିଛନ୍ତି ତାହେଲେ ସେତେବେଳେ କଟକ ଘରକୁ ଆପଣ ଭଡ଼ା ଲଗାଇଦେବେ। ଆପଣ ନ ଆସିଲେ ବି ମାସକୁ ମାସ ଆପଣଙ୍କ ଆକାଉଣ୍ଟରେ ଘରଭଡ଼ା ଟଙ୍କା ଜମା ହୋଇଯିବ। ଆଜିକାଲି ବ୍ୟାଙ୍କରେ ଟଙ୍କା ଜମା ରଖିବା ଅପେକ୍ଷା ସହରରେ ଜାଗା କିଣି ଘର ଖଣ୍ଡେ କରିଦେବା ବୁଦ୍ଧିମାନର କାର୍ଯ୍ୟ ବୋଲି ମୁଁ ଭାବେ। ଆପଣ ଯଦି ଘର କରି ସେ ଘରେ ରହିଲେ ତ ଭଲ। ଆଉ ଯଦି ବି ନ ରହିଲେ ଜୀବନ ସାରା ଆପଣଙ୍କୁ ସେ ଘର ଟଙ୍କା ଦେଇ ଚାଲିବ। ଖାଲି ଆପଣଙ୍କୁ ନୁହେଁ ଆପଣଙ୍କ ଅନ୍ତେ ଆପଣଙ୍କ ପୁଅ ଝିଅଙ୍କୁ ମଧ୍ୟ ସେ ଘର ଟଙ୍କା ଦେଇ ଚାଲିଥିବ। ତେଣୁ ମୋ ମତରେ ସହରରେ ଜାଗା କିଣି ଘର କରିବା ଠାରୁ ଭଲ ବିନିଯୋଗ ଆଉ କିଛି ନାହିଁ। ମୋତେ ଦେଖୁ ନାହାଁନ୍ତି , ଆଜି ପର୍ଯ୍ୟନ୍ତ ଘର ଖର୍ଚ୍ଚ ପରେ ମୋର ସମସ୍ତ ବଳକା ଆୟ ମୁଁ କେବଳ ଘର କରିବାରେ ହିଁ ବିନିଯୋଗ କରିଛି ଆଉ ତାର ସୁଫଳ ମଧ୍ୟ ଏବେ ମୁଁ ପାଉଛି। ପୁଅ ଓ ବୋହୂ ତ ନାତି ସହିତ ବାଙ୍ଗାଲୋରରେ ରହୁଛନ୍ତି। ଏଠି ତଳ ମହଲାରେ ଆମେ ଦୁଇଜଣ ରହୁଛୁ ଓ ଉପର ଦୁଇ ମହଲା ଭଡ଼ାରେ ଲାଗିଛି। ଖାଲି ସେତିକି ନୁହେଁ ଭୁବନେଶ୍ବରରେ ମଧ୍ୟ ଜାଗା କିଣି ସେଠି ମୁଁ ଦୁଇ ମହଲା ଘର କରି ଦେଇଛି। ସେ ଦୁଇ ମହଲା ଯାକ ମଧ୍ୟ ଭଡ଼ାରେ ଲାଗିଛି। ତେଣୁ ଭୁବନେଶ୍ୱର ଓ କଟକ ଘରୁ ଯେତିକି ଭଡ଼ା ଆସୁଛି ଆମେ ଦୁଇଜଣ ସେଥିରେ ଖୁବ୍ ଆରାମରେ ଚଳୁଛୁ। ଏବେ ତ ମୋ ଦରମା ପଇସା ପୂରା ସଞ୍ଚୟ ହେଉଛି। ଏବେ ମୁଁ ଭାବୁଛି ଭୁବନେଶ୍ୱରରେ ଥିବା ଦୁଇ ମହଲା ଘରକୁ ତିନି ମହଲା କରିଦେବି କାରଣ ବ୍ୟାଙ୍କରେ ଟଙ୍କା ରଖି କିଛି ଲାଭ ନାହିଁ। ଆଉ ଆପଣ ଯଦି ମୋ ଘର ପାଖରେ ବିକ୍ରି ହେଉଥିବା ଜାଗାକୁ କିଣିବାକୁ ରାଜି ନହେବେ ତାହେଲେ ମୁଁ ବାଧ୍ୟ ହୋଇ ସେ ଜାଗାକୁ କିଣି ଦେବି କାରଣ ଭବିଷ୍ୟତରେ ସେଭଳି ଜାଗା ଆଉ ମିଳିବ ନାହିଁ। ମୁଁ ବଞ୍ଚିଥିବା ଭିତରେ ଯଦି ସେଠାରେ ଘର କଲି ତ କଲି ଆଉ ଯଦି ମୁଁ ଘର କରି ନପାରିଲି ତାହେଲେ ମୋ ପୁଅ ଅରୁଣ ସେଠି ଘର କରିବ। ନହେଲେ ତା ପୁଅ ସ୍ଵସ୍ତିକ ସେଠି ଘର କରିବ। ଆଉ ଘର ନହୋଇ ପଡ଼ି ରହିଲେ ବି ସେ ଜାଗାର ମୂଲ୍ୟ କେବେ କମିଯିବ ନାହିଁ। ବରଂ ଦିନକୁ ଦିନ ସେ ଜାଗାର ମୂଲ୍ୟ ବଢ଼ି ଚାଲିଥିବ। ତାପରେ ମୋର ତ ସେହି ଗୋଟିଏ ବୋଲି ପୁଅ। ତାର ପୁଣି ପୁଅଟିଏ ହେଲାଣି। ତେଣୁ ସେମାନଙ୍କ ଭବିଷ୍ୟତ ପାଇଁ ମୋତେ ତ କିଛି କରିବାକୁ ହେବ। ମହେଶ ବାବୁଙ୍କ କଥା ଶୁଣି ସାରିବା ପରେ ରମେଶ ବାବୁ କହିଲେ , ଦେଖନ୍ତୁ , ଆପଣ ମୋତେ ନିଜର ଭାବି ମୋତେ ସେ ଜାଗାଟିକୁ କିଣିବା ପାଇଁ କହୁଛନ୍ତି। ଏକଥା ଜାଣି ମୋତେ ଖୁସି ଲାଗିଲା। କିନ୍ତୁ ମୋର ଯେହେତୁ ଭବିଷ୍ୟତରେ ଗାଆଁରେ ରହିବାର ଅଛି ତେଣୁ ମୁଁ କଟକରେ ଜାଗା କିଣିବାକୁ ଚାହୁଁନାହିଁ। ତାପରେ ମୋର ତ ଗୋଟିଏ ବୋଲି ଝିଅ ଯିଏକି ତା ସ୍ଵାମୀ ସହିତ ବାଙ୍ଗାଲୋରରେ ରହୁଛି। ମୁଁ କଟକରେ ଜାଗା କିଣି ଘର କଲେ ମୋ ଅନ୍ତେ ଭବିଷ୍ୟତରେ ସେମାନେ ଯେ କଟକରେ ଆସି ରହିବେ ତାର କିଛି ନିଶ୍ଚିତତା ନାହିଁ। ତେଣୁ ମୁଁ ସେ ଜାଗା କିଣିବାକୁ ଚାହୁଁନାହିଁ। ବରଂ ଭଲହେବ ଆପଣ ଯଦି ଚାହୁଁଛନ୍ତି ଆପଣ ସେ ଜାଗା ଟିକୁ କିଣି ଦିଅନ୍ତୁ। ମହେଶ ବାବୁ କହିଲେ , ହଉ। ଯାହା ଆପଣଙ୍କ ଇଚ୍ଛା। ମହେଶ ବାବୁ ତାଙ୍କ ଘର ପାଖରେ ବିକ୍ରି ହେଉଥିବା ଜାଗାଟିକୁ କିଣିବା କଥା ଯେତେବେଳେ ତାଙ୍କ ପତ୍ନୀଙ୍କୁ କହିଲେ ପତ୍ନୀ ହରପ୍ରିୟା ତାଙ୍କୁ କହିଲେ , ତୁମେ ପରା ଭୁବନେଶ୍ଵର ଘରଟାକୁ ତିନି ମହଲା କରିବ ବୋଲି କହୁଥିଲ ! ଏବେ ଯଦି ଏ ଜାଗାଟିକୁ କିଣିବ ତାହେଲେ ସେକାମ ତ ଆଉ ଏବେ ହୋଇ ପାରିବ ନାହିଁ। ମହେଶ ବାବୁ କହିଲେ , ହୁଏତ ତୁମେ ଠିକ୍ କହୁଛ। କିନ୍ତୁ ମୁଁ କଣ ସେକଥା ଚିନ୍ତା କରିନି ବୋଲି ତୁମେ ଭାବୁଛ ! ହେଲେ ଭୁବନେଶ୍ଵର ଘରଟାକୁ ଏବେ ତିନି ମହଲା ନକଲେ ସେକାମଟା ଆମେ ଭବିଷ୍ୟତରେ କରି ପାରିବା। କିନ୍ତୁ ଆମ ଘରପାଖ ଜାଗାଟା ଥରେ ହାତରୁ ଚାଲିଗଲେ ଭବିଷ୍ୟତରେ ଆଉ କଣ ସେ ଜାଗା ଆମକୁ ମିଳିବ ! ତାପରେ ଜାଗାଟା ଅନ୍ୟ କେଉଁଠି ହୋଇଥିଲେ ମୁଁ ତାକୁ କିଣିବା ଉପରେ ଏତେ ଗୁରୁତ୍ୱ ଦେଇ ନଥାନ୍ତି। ଜାଗାଟା ଆମ ଘର ପ୍ଲଟକୁ ଲାଗିଛି ଯେତେବେଳେ ଯେମିତି ହେଲେ ଆମକୁ ସେ ଜାଗାଟା କିଣିବାକୁ ହେବ। ଅବଶ୍ୟ ପ୍ରଥମେ ମୁଁ ଭୁବନେଶ୍ୱରର ଘରଟାକୁ ତିନି ମହଲା କରିବା ଉପରେ ଗୁରୁତ୍ଵ ଦେଉଥିଲି ଓ ରମେଶ ବାବୁଙ୍କୁ ଏ ଜାଗାଟା କିଣିବାକୁ କହୁଥିଲି। ସେ ଯଦି କିଣିଥାନ୍ତେ ତାହେଲେ ମୁଁ ଜଣେ ଭଲ ପଡ଼ୋଶୀ ପାଇଥାନ୍ତି। କିନ୍ତୁ ସେ ଯେତେବେଳେ ମନା କରିଦେଲେ ମୁଁ ବାଧ୍ୟ ହୋଇ ଜାଗାଟିକୁ କିଣିବା ପାଇଁ ସ୍ଥିର କଲି କାରଣ ଅନ୍ୟ କେଉଁ ଲୋକ ହାତରେ ଯଦି ଜାଗାଟି ପଡ଼ିଗଲା ଓ ସେ ସେଠି ନିଜେ ନରହି ଯଦି ଦୋକାନ ବଜାର କରିବା ପାଇଁଁ ଭଡ଼ା ଦେଇଦେଲା ତାହେଲେ ଦିନରାତି ଚବିଶି ଘଣ୍ଟା ଆମ ଘର ପାଖରେ ଗହଳି ଚହଳି ଲାଗି ରହିବ। ଶାନ୍ତିରେ ଆମେ ଟିକେ ଶୋଇ ବସି ପାରିବା ନାହିଁ। ହରପ୍ରିୟା କହିଲେ , ତୁମେ ଯାହା କହୁଛ ସେକଥା ଠିକ୍ ଯେ ହେଲେ ଆମର ତ ଗୋଟିଏ ବୋଲି ପିଲା। ଆମର ଯେତିକି ଜାଗା ଅଛି ଗୋଟିଏ ପିଲା ପାଇଁ ତାହା ଯଥେଷ୍ଟ। ଆଉ ଅଧିକ ଜାଗା ଆମର କଣ ହେବ ! ମହେଶ ବାବୁ କହିଲେ , ଆରେ , ଆମର ସିନା ଗୋଟିଏ ବୋଲି ପୁଅ। ହେଲେ ତାର କଣ ଏ ପୁଅ ପରେ ଆଉ ପୁଅ ହେବନାହିଁ ! ଯଦି ବି ଏ ପୁଅ ପରେ ତାର ଆଉ ପୁଅ ନହୋଇ ଝିଅଟିଏ ହେଲା ତାହେଲେ ଭବିଷ୍ୟତରେ ସେ ତା ଝିଅକୁ ଜାଗାଟିଏ ଉପହାର ସୂତ୍ରରେ ଦେଇ ପାରିବ। ଲମ୍ବା ପଣତ ସବୁ ଆଡ଼କୁ ପାଏ। ଜାଗାଟି କିଣି ଦେଇଥିଲେ ଭବିଷ୍ୟତରେ ସେ ଆମ ଉତ୍ତରାଧିକାରୀ ମାନଙ୍କ କାମରେ ନିଶ୍ଚୟ ଲାଗିବ। ତୁମେ ଆଉ ଭଲ କାମରେ କିନ୍ତୁ ଆଣ ନାହିଁ। ସ୍ଵାମୀଙ୍କ ଠାରୁ ଏକଥା ଶୁଣି ହରପ୍ରିୟା କହିଲେ , ଠିକ୍ ଅଛି। ତୁମେ ଯାହା ଭଲ ଭାବୁଛ ତାହା କର। ୟା ଭିତରେ ଦଶବର୍ଷ ବିତି ଯାଇଥିଲା। ମହେଶ ବାବୁ ଚାକିରିରୁ ଅବସର ଗ୍ରହଣ କରି ସାରିଥିଲେ। ରମେଶ ବାବୁ ମଧ୍ୟ ଚାକିରି ସରିବା ପରେ କଟକ ଛାଡ଼ି ନିଜ ଗାଆଁକୁ ଚାଲି ଯାଇଥିଲେ। ରମେଶ ବାବୁ ଗାଆଁରେ ଯାଇ ରହିଲେ ମଧ୍ୟ ମହେଶ ବାବୁଙ୍କ ସହିତ ନିୟମିତ ଫୋନରେ କଥା ହୁଅନ୍ତି। ଥରେ ଫୋନରେ କଥା ହେଲାବେଳେ ମହେଶ ବାବୁ କହିଲେ , ବୁଝିଲେ ରମେଶ ବାବୁ ! ଆପଣ ସେତେବେଳେ ସିନା କଟକରେ ଜାଗା ଖଣ୍ଡେ କିଣିଲେ ନାହିଁ। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦଶବର୍ଷ ଭିତରେ ମୁଁ କିଣିଥିବା ସେ ଜାଗାର ମୂଲ୍ୟ ପାଞ୍ଚଗୁଣ ବଢ଼ି ଯାଇଛି। ଆପଣ ଯଦି ସେତେବେଳେ ମୋ କଥା ମାନି ଜାଗାଟାକୁ କିଣି ଦେଇଥାନ୍ତେ ସେଠାରେ ଘର ନ କରି ଥିଲେ ବି ଆଜି ସେ ଜାଗାକୁ ବିକ୍ରି କରି ଆପଣ ପାଞ୍ଚଗୁଣା ଟଙ୍କା ପାଇଥାନ୍ତେ ! ରମେଶ ବାବୁ କହିଲେ , ହଁ ଭାଇ ! ସମୟ ସମୟର କଥା। କଥାରେ ଅଛି ପରା , ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥ୍ବୀ କ୍ଷଣକ୍ଷଣକେ ଆନ। ପ୍ରତି ମୂହୁର୍ତ୍ତରେ ଏ ଦୁନିଆ ବଦଳିଥାଏ ଓ ତା ସହିତ ମଣିଷର ମନ ବି ବଦଳିଥାଏ। ତେଣୁ କାହାର ମନ ଯେ କେତେବେଳେ ବଦଳିବ ସେକଥା ଆଗରୁ କେହି ଜାଣି ନଥାଏ। ହୁଏତ ସେଠି ଜାଗାଟା କିଣିଥିଲେ ଭବିଷ୍ୟତରେ ମୋର ସେଠି ଘର କରିବାକୁ ଇଚ୍ଛା ହୋଇଥାନ୍ତା ଆଉ କଟକରେ ଘର ଖଣ୍ଡେ କରିଥିଲେ ହୁଏତ ଆଉ ଗାଆଁକୁ ନଆସି ସେଠି ମୋର ରହିବାକୁ ଇଚ୍ଛା ହୋଇଥାନ୍ତା ! ତାପରେ ହୁଏତ ମୁଁ ଗାଆଁକୁ ଆସି ପାରି ନଥାନ୍ତି କି ବାପା ବୋଉ ଗାଆଁ ଛାଡ଼ି କଟକ ଯିବାକୁ ରାଜି ହୋଇ ନଥାନ୍ତେ। ତେଣୁ ମୁଁ ଭାରି ଅଶାନ୍ତି ଭିତରେ ରହିଥାନ୍ତି। ସବୁଦୃଷ୍ଟିରୁ ଚିନ୍ତା କରି ମୁଁ ସେ ଗୋଲକଧନ୍ଦା ଭିତରେ ପଶିବାକୁ ଚାହୁଁ ନଥିଲି ଯେଉଁଥିପାଇଁ ସେତେବେଳେ ମୁଁ କଟକରେ ଜାଗା କିଣିବାକୁ ମନା କରି ଦେଇଥିଲି। ହଉ ! ଛାଡ଼ନ୍ତୁ ସେକଥା। ଆପଣ ଦୁଇଜଣଙ୍କର ଦେହପା ଭଲ ଅଛି ତ ? ମହେଶ ବାବୁ କହିଲେ , ନାଇଁ ମ ରମେଶ ବାବୁ ! ଆପଣଙ୍କ ଭାଉଜଙ୍କର ତ ହାଇ ବ୍ଲଡପ୍ରେସର। ସେ ଔଷଧ ଖାଉଛନ୍ତି। ଆଉ ଆପଣ ତ ଜାଣିଛନ୍ତି ମୋର ଡାଇବେଟିସ। ଏବେ ବଟିକାରେ ଯେତେବେଳେ ନିୟନ୍ତ୍ରଣରେ ନ ରହିଲା ନିୟମିତ ଇନସ୍ୟୁଲିନ୍ ନେବାକୁ ପଡ଼ୁଛି। ରମେଶ ବାବୁ କହିଲେ , ଦେଖନ୍ତୁ ଭାଇ ! ଆପଣଙ୍କର ଏ ଘର କରିବା ଆଉ ଜାଗା କିଣା କାମ ବହୁତ ହୋଇଗଲା। ଏଣିକି ଆପଣ ଟିକେ ବିଶ୍ରାମ ନିଅନ୍ତୁ। ମହେଶ ବାବୁ କହିଲେ , ଆରେ ଭାଇ ! ଚାହିଁଲେ ବି ବିଶ୍ରାମ ନେଇ ହେଉଛି କେଉଁଠି ! ଏବେ ଭୁବନେଶ୍ବରର ସେ ଘରେ ତିନି ମହଲାଟା ତିଆରି ଚାଲିଛି। ଅବଶ୍ୟ ସେ କାମଟା ମୁଁ ଜଣେ କଣ୍ଟ୍ରାକ୍ଟରକୁ ଦେଇ ଦେଇଥିଲେ ହେଇଥାନ୍ତା। କିନ୍ତୁ କଣ୍ଟ୍ରାକ୍ଟର ଯେତିକି ପଇସା କହିଲା ମୁଁ ହିସାବ କରି ଦେଖିଲି ନିଜେ କାମ କରେଇଲେ ତା ଠାରୁ ଏକ ଲକ୍ଷ ଟଙ୍କା କମ୍ ଖର୍ଚ୍ଚ ହେବ। ତେଣୁ ସବୁଦିନେ କାମ ଦେଖିବା ପାଇଁ ଭୁବନେଶ୍ବର ଯିବା ଆସିବା କରିବାକୁ ପଡ଼ୁଛି। ଅବଶ୍ୟ ଆଉ ଗୋଟିଏ ମାସ ଭିତରେ କାମ ସରିଯିବ। ରମେଶ ବାବୁ କହିଲେ , ଏ ବୟସରେ ଏତେ ଧାଁ ଦୌଡ କରିବା କରିବା ସ୍ଵାସ୍ଥ୍ୟ ଦୃଷ୍ଟିରୁ ଆଦୋୖ ଅନୁକୂଳ ନୁହେଁ। ତେଣୁ ନିଜ ସ୍ବାସ୍ଥ୍ୟକୁ ଆଖି ଆଗରେ ରଖି ଯାହା କରିବେ କରନ୍ତୁ। ମହେଶ ବାବୁ କହିଲେ , ଆପଣ ଠିକ୍ କହୁଛନ୍ତି ରମେଶ ବାବୁ। ମୁଁ ବି ଭାବିଛି ଏଇ ଭୁବନେଶ୍ଵରର ଘର କାମଟା ସରିଗଲେ ଆଉ ଏ ଘର କାମରେ ନମାତି ମୁଁ ବିଶ୍ରାମ ନେବି। ଆଉ ଏ ଯେଉଁ ଘର ପାଖ ଜାଗାଟା କିଣିଥିଲି ସେଠି ମୋର ଆଉ ଏବେ ଘର କରିବାର ନାହିଁ। ପୁଅର ଚାକିରି ସରିବା ପରେ ସେ ଯଦି ସେଠି ଘର କରିବ କରିବ। ରମେଶ ବାବୁ କହିଲେ , ହଁ ଭାଇ ! ସେଇଆ କରନ୍ତୁ। ୟା ଭିତରେ ଚାରିମାସ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଭିତରେ ରହି ରମେଶ ବାବୁ ମହେଶ ବାବୁଙ୍କୁ ଆଉ ଫୋନ୍ କରି ପାରି ନଥିଲେ। ଦିନେ ରବିବାର ସକାଳୁ ରମେଶ ବାବୁ ଯେତେବେଳେ ମହେଶ ବାବୁଙ୍କୁ ଫୋନ୍ କଲେ ମହେଶ ବାବୁ କହିଲେ , ରମେଶ ବାବୁ ! ମୋ ଘର ପାଖରେ ଯେଉଁ ଜାଗାଟି କିଣି ନଥିଲି ସେଠି ଘରକାମଟା ଆରମ୍ଭ କରିଛି। ଆଜି ଡିପିସି ପଡ଼ିବ। ସେଥିପାଇଁ ମୁଁ ଟିକେ ବ୍ୟସ୍ତ ଅଛି। କଥା କଣକି ରମେଶ ବାବୁ , ଭୁବନେଶ୍ଵର ଘର କାମ ସରିବା ପରେ ମୁଁ ଆଉ ଏ ଘର କାମରେ ହାତ ଦେବିନାହିଁ ବୋଲି ଭାବିଥିଲି। କିନ୍ତୁ ଜଣେ ଭଦ୍ରଲୋକ ଘର ଭଡ଼ା ନେବେ ବୋଲି ଏ ଜାଗାରେ ଘର ତିଆରି କରିବା ପାଇଁଁ ମୋତେ ବାଧ୍ୟ କଲେ। ମୁଁ ଯେତେବେଳେ କହିଲି ଏବେ ମୋ ପାଖରେ ଟଙ୍କା ନାହିଁ ବୋଲି ସେ ସବୁଟଙ୍କା ନିଜ ହାତରୁ ଅଗ୍ରୀମ ହିସାବରେ ଦେଇ ଘର ତିଆରି କରିବାକୁ କହିଲେ। ମୁଁ ଯେତେବେଳେ ଦେଖିଲି ବିନା ଖର୍ଚ୍ଚରେ ଘରଟା ତିଆରି ହୋଇଯିବ ଓ ଘରଭଡ଼ାରୁ ତାଙ୍କର ସେ ଅଗ୍ରୀମ ଟଙ୍କା ଶୁଝିଯିବ ମୁଁ ଆଉ ମନା କରି ପାରିଲି ନାହିଁ। ସେ ସିନା ଟଙ୍କାଟା ଦେଇଦେଲେ କିନ୍ତୁ ଦାୟିତ୍ୱ ନେଇ ଘରକାମଟା ତ ମୋତେ କରିବାକୁ ହେବ ନା ! ସେଥିପାଇଁ ଟିକେ ବ୍ୟସ୍ତ ଅଛି। ରମେଶ ବାବୁ କହିଲେ , ହଉ ! ଆପଣ ଫ୍ରି ହୁଅନ୍ତୁ। ମୁଁ ବି ଟିକେ ଝିଅ ପାଖକୁ ବାଙ୍ଗାଲୋର ଯିବାର ଅଛି। ବାଙ୍ଗାଲୋରରୁ ଫେରିଲେ ପୁଣି କଥା ହେବା। ମହେଶ ବାବୁ କହିଲେ , ହଉ। ମହେଶ ବାବୁ ଘର କାମରେ ବ୍ୟସ୍ତ ଥିବେ ବୋଲି ଭାବି ରମେଶ ବାବୁ ତାଙ୍କୁ କିଛି ଦିନ ପାଇଁ ଆଉ ଫୋନ୍ କରି ନଥିଲେ। ତାପରେ ମହେଶ ବାବୁ ତିନିମାସ ପାଇଁ ତାଙ୍କ ଝିଅ ଗୀତା ପାଖକୁ ବାଙ୍ଗାଲୋର ଚାଲିଗଲେ। ତେଣୁ ଦୁଇବନ୍ଧୁଙ୍କ ଭିତରେ ୟା ଭିତରେ କିଛିଦିନ ଧରି କଥାବାର୍ତ୍ତା ହୋଇ ନଥିଲା। ବାଙ୍ଗାଲୋରରୁ ଫେରିଲା ପରେ ଦିନେ ସକାଳୁ ସକାଳୁ ରମେଶ ବାବୁଙ୍କ ମୋବାଇଲଟା ରିଙ୍ଗ୍ ହେଲା। ଫୋନ୍ ଉଠାଇ ସେ ଦେଖିଲେ ଯେ ମହେଶ ବାବୁ ତାଙ୍କୁ କଲ୍ କରିଛନ୍ତି। ରମେଶ ବାବୁ ପଚାରିଲେ , ଆଉ କଥା କଣ ମହେଶ ବାବୁ ! ଘର କାମ ସରିଲା ? ମହେଶ ବାବୁ କହିଲେ , ସେକଥା ଆଉ କୁହନ୍ତୁନି ଭାଇ ! ବହୁତ କଷ୍ଟରେ ସେ ଘର କମ୍ପ୍ଲିଟ କରି ଏବେ ସେ ଭଦ୍ରବ୍ୟକ୍ତିଙ୍କୁ ଭଡ଼ାରେ ଦେଲି। ଅବଶ୍ୟ ମୋ ହାତରୁ ଗୋଟିଏ ଟଙ୍କା ଖର୍ଚ୍ଚ ହୋଇନି କିନ୍ତୁ ଘର କାମଟା ଏତେ କମ୍ ସମୟ ଭିତରେ ଶେଷ କରିବାକୁ ହେବାରୁ ମୋତେ ବହୁତ ପରିଶ୍ରମ କରିବାକୁ ପଡ଼ିଲା। ରମେଶ ବାବୁ କହିଲେ , ଆପଣ ତ ଭୁବନେଶ୍ୱର ଘର କାମ ସାରିଦେଇଥିଲେ। ଆଉ ଏବେ ଏ ନୂଆ ଘର କାମଟା ବି ସରିଗଲା। ତେଣୁ ଆପଣଙ୍କୁ ଏବେ ବିଶ୍ରାମ ମିଳିଯିବ। ମହେଶ ବାବୁ କହିଲେ , ହଁ। ସେକଥା ଠିକ୍ ଯେ ହେଲେ ମୁଁ ଘର କାମରେ ବ୍ୟସ୍ତ ରହି ଆପଣଙ୍କ ପାଖକୁ ଫୋନ୍ କରି ପାରି ନଥିବାରୁ ଆପଣ ମୋତେ ଖରାପ ଭାବି ନାହାଁନ୍ତି ତ ? ରମେଶ ବାବୁ କହିଲେ , ଆରେ ନାଇଁ , ନାଇଁ ! ଆପଣ ସେମିତି କାହିଁକି ଭାବୁଛନ୍ତି ! ମହେଶ ବାବୁ କହିଲେ , ରମେଶ ବାବୁ ! ବାଙ୍ଗାଲୋରରେ ଆପଣଙ୍କ ସମୟ କେମିତି କଟିଲା ? ଆପଣ ଏକା ଯାଇଥିଲେ ନା ପତ୍ନୀଙ୍କ ସହିତ ଯାଇଥିଲେ ? ରମେଶ ବାବୁ କହିଲେ , ଝିଅ ପାଖକୁ ଅନେକ ଦିନ ହେଲା ଆମେ କେହି ଯାଇ ନଥିଲୁ। ସେ ତେଣୁ ମନଦୁଃଖ କରୁଥିଲା। ତା ମାଆକୁ ଓ ମୋତେ ଉଭୟଙ୍କୁ ଯିବାପାଇଁ ବାଧ୍ୟ କରୁଥିଲା। କିନ୍ତୁ ବାପା ଓ ବୋଉ ଦୁଇଜଣଙ୍କୁ ଘରେ ଏକୁଟିଆ ଛାଡ଼ି ମୋ ପତ୍ନୀ ବାଙ୍ଗାଲୋର ଯିବାକୁ ଆଦୋୖ ରାଜି ହେଲେ ନାହିଁ। ତେଣୁ ବାଧ୍ୟ ହୋଇ ମୋତେ ଏକା ବାଙ୍ଗାଲୋର ଯିବାକୁ ହେଲା। ସେ ଯାହାହେଉ ନା କାହିଁକି ଝିଅ ଘରେ କିଛି ଦିନ ରହି ଆସିବା ପରେ ମୋତେ ଖୁବ୍ ଭଲ ଲାଗିଲା ଆଉ ତା ମନଟା ବି ବୁଝିଗଲା। ଆରେ ହଁ। ଆଉ ଗୋଟିଏ କଥା ମୁଁ ଆପଣଙ୍କୁ କହିବାକୁ ଭୁଲି ଯାଇଛି ମହେଶ ବାବୁ ! ବାଙ୍ଗାଲୋରରେ ଝିଅ ସହିତ ଥରେ ସପିଙ୍ଗ କରୁଥିବା ବେଳେ ଆପଣଙ୍କ ପୁଅ ଅରୁଣ ବାବୁଙ୍କ ସହିତ ମୋର ପରିଚୟ ହେଲା। ଆପଣଙ୍କ ପୁଅ ସହିତ ଆପଣଙ୍କ ବୋହୂ ଓ ନାତିକୁ ମଧ୍ୟ ଦେଖିବାର ସୁଯୋଗ ମିଳିଲା। ମୋ ଝିଅର ଫ୍ଲାଟ୍ ପାଖରେ ସେ ଗୋଟିଏ ଫ୍ଲାଟ୍ କିଣି ରହୁଛନ୍ତି। କଟକରେ ଚାକିରି କରିଥିବା ସମୟରୁ ମୋର ଓ ଆପଣଙ୍କର ବନ୍ଧୁତା କଥା ମୁଁ ତାଙ୍କୁ କହିଲି। ସେ ଶୁଣି ବହୁତ ଖୁସି ହେଲେ। ମୋତେ ଓ ମୋ ଝିଅ ଜ୍ବାଇଁଙ୍କୁ ତାଙ୍କ ଘରକୁ ଯିବାକୁ ନିମନ୍ତ୍ରଣ କଲେ। କିନ୍ତୁ ମୋର ଘରକୁ ଫେରିବା ପାଇଁ ଟିକେଟ ହୋଇ ସାରିଥିବାରୁ ମୁଁ ଆଉ ତାଙ୍କ ଘରକୁ ଯାଇ ପାରିଲି ନାହିଁ। କିନ୍ତୁ ଆଉ କେତେବେଳେ ବାଙ୍ଗାଲୋର ଗଲେ ମୁଁ ନିଶ୍ଚୟ ତାଙ୍କ ଘରକୁ ଯିବି। ରମେଶ ବାବୁ ସିନା ଏକ ନିଃଶ୍ୱାସରେ ମହେଶ ବାବୁଙ୍କୁ ଏକଥା କହିଦେଲେ କିନ୍ତୁ ସେକଥା ଶୁଣି ମହେଶ ବାବୁଙ୍କୁ ଲାଗିଲା ସତେ ଯେପରି ତାଙ୍କ ନିଶ୍ଵାସଟା କେଉଁଠି ଅଟକି ଯାଉଛି। ଅରୁଣ ଯେ ତାଙ୍କୁ ନ ଜଣାଇ ବାଙ୍ଗାଲୋରରେ ଫ୍ଲାଟ୍ କିଣିଛି ଏକଥାକୁ ସେ ସହଜରେ ବିଶ୍ଵାସ କରି ପାରୁ ନଥିଲେ। କିନ୍ତୁ ରମେଶ ବାବୁଙ୍କ ଭଳି ଜଣେ ଦାୟିତ୍ଵସମ୍ପନ୍ନ ଲୋକ କେବେହେଲେ ଭୁଲ୍ କଥା କହିବେ ନାହିଁ। କଥାଟା ସହଜରେ ହଜମ ନ ହେଉଥିଲେ ବି କଥାଟାକୁ ସହଜରେ ଗ୍ରହଣ କରିବା ଢଙ୍ଗରେ ମହେଶ ବାବୁ ରମେଶ ବାବୁଙ୍କୁ କହିଲେ , ଖୁବ୍ ଭଲ କଥା। ଆପଣଙ୍କ ଝିଅର ପରିବାର ଆଉ ମୋ ପୁଅର ପରିବାର ପାଖାପାଖି ଫ୍ଲାଟରେ ରହୁଛନ୍ତି ବୋଲି ଶୁଣି ମୋତେ ବହୁତ ଖୁସି ଲାଗିଲା। ତାପରେ ପ୍ରସଙ୍ଗ ବଦଳାଇ ମହେଶ ବାବୁ କହିଲେ , ରମେଶ ବାବୁ ! ଅନେକ ଦିନ ହେଲା ଆପଣଙ୍କ ସହିତ ଦେଖା ହୋଇନାହିଁ। ଆପଣଙ୍କ ପତ୍ନୀଙ୍କୁ ଆଣି ଆମ ଘର ଆଡ଼େ କେବେ ଆସନ୍ତୁ। ରମେଶ ବାବୁ କହିଲେ , ହଉ ! ସୁବିଧା ଦେଖି କେବେ ଆପଣଙ୍କ ଘର ଆଡ଼େ ଯିବି। ରମେଶ ବାବୁଙ୍କ ସହିତ କଥା ହୋଇ ସାରିବା ପରେ ମହେଶ ବାବୁ ପତ୍ନୀଙ୍କୁ ଡାକି କହିଲେ , ହରପ୍ରିୟା ! ଶୁଣ। ଆମ ପୁଅ ଅରୁଣ ଆମକୁ ନ ଜଣାଇ ବାଙ୍ଗାଲୋରରେ ଫ୍ଲାଟ୍ କିଣିଛି ! ହରପ୍ରିୟା କହିଲେ , ନାଇଁ ମ ! ଭୁଲ୍ କଥା। ଏକଥା ତୁମକୁ କିଏ କହିଲା ? ମହେଶ ବାବୁ କହିଲେ , ଆଉ କାହା ଠାରୁ ଶୁଣିଥିଲେ କଥାଟାକୁ ମୁଁ ଭୁଲ୍ ବୋଲି ଭାବିଥାନ୍ତି। କିନ୍ତୁ ରମେଶ ବାବୁଙ୍କୁ ମୁଁ ଭଲକରି ଜାଣେ। ସେ କେବେହେଲେ ଭୁଲ୍ କହିବେ ନାହିଁ। ତାଙ୍କ ଝିଅର ଫ୍ଲାଟ୍ ପାଖରେ ଆମ ଅରୁଣ ଫ୍ଲାଟ୍ କିଣିଛି ବୋଲି ସେ ମୋତେ ଫୋନରେ କହିଲେ। ଏକଥା ଶୁଣି ହରପ୍ରିୟା କହିଲେ , ଯଦି କଥାଟା ସତ ବୋଲି ତୁମେ କହୁଛ ତାହେଲେ ମୁଁ ବୁଝି ପାରୁନି ଅରୁଣ ଏମିତି କାହିଁକି କଲା ! ତା ଠାରୁ ଯେଉଁ କଥା ଜାଣିବା କଥା ବାହାରୁ ସେକଥା ଆମକୁ ଜାଣିବାକୁ ମିଳିଲା ! କଥାଟା ଆମକୁ ଜଣାଇଥିଲେ ତାର କଣ ଅସୁବିଧା ହୋଇଥାନ୍ତା ! ମହେଶ ବାବୁ କହିଲେ , ଅସୁବିଧା ହୋଇଥାନ୍ତା ହରପ୍ରିୟା ! ସ୍ଵାମୀଙ୍କ ମୁହଁରୁ ଏକଥା ଶୁଣି ହରପ୍ରିୟା ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁ ରହିଲେ। ମହେଶ ବାବୁ କହିଲେ , ଥରେ ଫୋନରେ ତା ସହିତ କଥା ହେଲାବେଳେ କଥା ପ୍ରସଙ୍ଗରେ ସେ ମୋତେ ବାଙ୍ଗାଲୋରରେ ଫ୍ଲାଟ୍ କିଣିବା କଥା କହୁଥିଲା। ମୁଁ କିନ୍ତୁ ତାକୁ ରୋକ୍ ଠୋକ୍ ମନା କରି ଦେଇଥିଲି। ମୁଁ କହିଲି , ତୁ ଯଦି ସେଠି ଫ୍ଲାଟ୍ କିଣି ରହିବୁ କଟକ ଓ ଭୁବନେଶ୍ଵରରେ ମୁଁ ଏତେ ଘର କାହାପାଇଁ କରିଛି ! ସେଠି ଫ୍ଲାଟ୍ କିଣିବା ଆମର କିଛି ଦରକାର ନାହିଁ। ଚାକିରି ସରିବା ପରେ ତୁମ୍ଭେମାନେ ଆସି କଟକରେ ରହିବ। ତାପରେ ସେ ଆଉ ମୋତେ କିଛି ନକହି ଚୁପ୍ ରହିଲା। ଏବେ ଦେଖ ! ମୁଁ ମନା କରିବା ସତ୍ତ୍ଵେ ମୋତେ ନ ଜଣାଇ ସେ ବାଙ୍ଗାଲୋରରେ ଫ୍ଲାଟ୍ କିଣିଛି। ହରପ୍ରିୟା କହିଲେ , ସେ ଏମିତି କାହିଁକି କଲା ମୁଁ ତ ବୁଝି ପାରୁନାହିଁ ହେଲେ ମୁଁ ଏକଥା ତାକୁ ନିଶ୍ଚୟ ପଚାରିବି। ମହେଶ ବାବୁ ଦୀର୍ଘଶ୍ୱାସ ପକାଇ କହିଲେ , ପଚାରିଲେ କିଛି ଲାଭ ହେବନାହିଁ ହରପ୍ରିୟା ! ଆମ ସମୟରେ ସିନା ଆମେ ବାପାମାଆଙ୍କୁ ନ ପଚାରି କୋୖଣସି କାମ କରୁନଥିଲୁ। କିନ୍ତୁ ମୋ ପୁଅ ଆଜିକାଲିକା ପିଲା। ସେ ଯେ ସେଇଆ କରିବ ତାର କଣ କିଛି ମାନେ ଅଛି ! ଯୁଗ ବଦଳି ଯାଇଛି ହରପ୍ରିୟା। ଆଜିକାଲିକା ପିଲାମାନେ ବାପାମାଆଙ୍କୁ ଅଣଦେଖା କରି ନିଜ ନିଷ୍ପତ୍ତି ନିଜେ ନେଉଛନ୍ତି। ତେଣୁ ସେ ଯେତେବେଳେ ଫ୍ଲାଟ୍ କିଣିବା କଥା ଆମକୁ ଜଣେଇବା ଉଚିତ୍ ମନେ କଲାନାହିଁ ଆମେ ଉପରେ ପଡ଼ି ସେ ବିଷୟରେ ତାକୁ ଆଉ ପଚାରିବାଟା ଠିକ୍ ହେବନାହିଁ। ମହେଶ ବାବୁ ସିନା ଫ୍ଲାଟ୍ କିଣିବା କଥା ପୁଅକୁ ପଚାରିବାକୁ ପତ୍ନୀଙ୍କୁ ମନାକଲେ। ହରପ୍ରିୟାଙ୍କ ମନ କିନ୍ତୁ ବୁଝିଲା ନାହିଁ। ସ୍ଵାମୀଙ୍କର ମନର କଷ୍ଟକୁ ସେ ଭଲଭାବରେ ବୁଝି ପାରିଥିଲେ। ତା ବାପାଙ୍କ ଅଜାଣତରେ ଅରୁଣ ବାଙ୍ଗାଲୋରରେ ଫ୍ଲାଟ୍ କିଣିବା କଥାଟା କଣ୍ଟା ଭଳି ତାଙ୍କ ତଣ୍ଟିରେ ଅଟକି ଯାଇଥିଲା। ଅରୁଣର ଚାକିରି ସରିବା ପରେ ପୁଅ ବୋହୂ ଆସି କଟକରେ ରହିବେ ବୋଲି କଟକ ଘରକୁ ତାଙ୍କ ସ୍ଵାମୀ ପୁଅ ଓ ବୋହୂଙ୍କ ମନକୁ ପାଇଲା ଭଳି ଅତ୍ୟାଧୁନିକତାର ଢାଞ୍ଚାରେ କିପରି ତିଆରି କରାଇଥିଲେ ତାହା ସେ ନିଜ ଆଖିରେ ଦେଖିଛନ୍ତି। ସେ ଜଣେ ଅତ୍ୟାଧୁନିକ ଇଣ୍ଟେରିଅର ଡିଜାଇନରକୁ ଘରକୁ ଡାକି ଘରର ଇଣ୍ଟେରିଅର ଡ଼ିଜାଇନିଂ ମଧ୍ୟ କରାଇଥିଲେ। କାରଣ ସେ ଚାହୁଁଥିଲେ ଚାକିରି ସରିବା ପରେ ଅରୁଣ ତା ପିଲାପିଲିଙ୍କୁ ଧରି ସେମାନଙ୍କ ସହିତ ଆସି କଟକରେ ରହୁ। କିନ୍ତୁ ଅରୁଣ ଏମିତି କାହିଁକି କଲା ! ସ୍ଵାମୀ ଯାହା ଭାବନ୍ତୁ ପଛେ ସେ ନିଶ୍ଚୟ ଏକଥା ପୁଅକୁ ପଚାରିବେ ବୋଲି ମନ ମଧ୍ୟରେ ସ୍ଥିର କଲେ। ଦୁଇଦିନ ପରର କଥା। ସନ୍ଧ୍ୟାବେଳେ ହରପ୍ରିୟା ସ୍ଵାମୀଙ୍କ ସହିତ ଡ୍ରଇଂ ରୁମରେ ବସିଥାନ୍ତି। ଏହି ସମୟରେ ଅରୁଣ ପାଖରୁ ଫୋନ୍ ଆସିଲା। ହରପ୍ରିୟା ସ୍ପିକର ଅନ୍ କରି ଫୋନ୍ ଉଠାଇଲେ। ଅରୁଣ କିଛି ସମୟ ସେମାନଙ୍କ ଭଲମନ୍ଦ ବିଷୟରେ କଥାବାର୍ତ୍ତା ହେବା ପରେ ହରପ୍ରିୟା କହିଲେ , ଅରୁଣ ! ମୁଁ ଶୁଣିଲି ତୁ କୁଆଡ଼େ ବାଙ୍ଗାଲୋରରେ ଫ୍ଲାଟ୍ କିଣିଛୁ ! ଏକଥା କଣ ସତ ? ଅରୁଣ କହିଲା , ହଁ ବୋଉ ! ସତ। କିନ୍ତୁ ତୁମକୁ ଏକଥା କିଏ କହିଲା ? ହରପ୍ରିୟା କହିଲେ , ଯିଏ କହୁ ସେଇଟା ସମସ୍ୟା ନୁହେଁ। କଥାଟା ହେଉଛି ଫ୍ଲାଟ୍ କିଣିବା କଥାଟା ଆମକୁ ଜଣାଇଥିଲେ ତୋର କଣ ଅସୁବିଧା ହୋଇଥାନ୍ତା ! ଅରୁଣ କହିଲା , ମୁଁ ଫ୍ଲାଟ୍ କିଣିବା ଆଗରୁ ବାପାଙ୍କୁ ସେ ବିଷୟରେ କହୁଥିଲି। କିନ୍ତୁ ବାପା ମୋତେ ଫ୍ଲାଟ୍ କିଣିବା ପାଇଁ ରୋକ୍ ଠୋକ୍ ମନା କରିଦେଲେ। ସେଥିପାଇଁ ଏକଥା ମୁଁ ବାପାଙ୍କୁ ଜଣାଇଲି ନାହିଁ। କାରଣ ମୁଁ ଜାଣିଥିଲି ବାପାଙ୍କୁ ଏକଥା ଜଣାଇଥିଲେ ସେ କେବେହେଲେ ଏଥିପାଇଁ ରାଜି ହୋଇ ନଥାନ୍ତେ। ତେଣୁ ଅଯଥାରେ ଆମ ଭିତରେ ଅଶାନ୍ତି ସୃଷ୍ଟି ହୋଇଥାନ୍ତା। ହରପ୍ରିୟା କହିଲେ , ଆରେ ! ବାଙ୍ଗାଲୋରରେ ଫ୍ଲାଟ୍ କିଣିବା ପାଇଁ ତୋ ବାପା ତୋତେ ଏଥିପାଇଁ ମନା କରୁଥିଲେ କାରଣ କଟକରେ ସେ ତୁମମାନଙ୍କ ରହିବା ପାଇଁ ଘର ତିଆରି କରି ସାରିଛନ୍ତି। ସେ ଚାହାଁନ୍ତି ତୋ ଚାକିରି ସରିବା ପରେ ତୁମେମାନେ ଆସି ଏଇଠି ରୁହ । ତେଣୁ ଅଯଥାରେ ଗୁଡ଼ାଏ ପଇସା ଖର୍ଚ୍ଚ କରି ବାଙ୍ଗାଲୋରରେ ତୁ ଫ୍ଲାଟ୍ କିଣିବାଟା ସେ ଚାହୁଁ ନଥିଲେ। ଅରୁଣ କହିଲା , ଦେଖ୍ ବୋଉ ! ଏବେ ତ ମୋର ଚାକିରି ସରିବାକୁ ବହୁତ ସମୟ ବାକି ଅଛି। ତାପରେ ମୋର ଚାକିରି ସରିବା ପରେ ମୁଁ ଯେ ଯାଇ କଟକରେ ରହିବି ସେକଥା ଆଜିଠାରୁ ମୁଁ କେମିତି କହିବି ! କଟକ କଥା ଛାଡ଼ ଫ୍ଲାଟ୍ କିଣିଛି ବୋଲି ମୁଁ ଯେ ସବୁଦିନେ ଏହି ବାଙ୍ଗାଲୋରରେ ରହିବି ସେକଥା ବି ମୁଁ ଏବେ କହି ପାରିବି ନାହିଁ। କାହିଁକି ନା ଆଜି ମୁଁ ଗୋଟିଏ କମ୍ପାନୀରେ ଅଛି। କାଲି ଯଦି ଆଉ ଗୋଟିଏ କମ୍ପାନୀରେ ମୋତେ ଏହାଠାରୁ ଅଧିକ ପ୍ୟାକେଜରେ ଅନ୍ୟ କେଉଁଠି ଚାକିରି ମିଳିବ ତାହେଲେ ମୁଁ ଏ ବାଙ୍ଗାଲୋର ଫ୍ଲାଟ୍ ବିକ୍ରି କରି ସେଠାରେ ଯାଇ ଫ୍ଲାଟ୍ କିଣି ରହିବି। ତେଣୁ ମୁଁ ଭବିଷ୍ୟତରେ କେଉଁଠି ରହିବି ସେକଥା ମୁଁ ନିଜେ ଯେତେବେଳେ ଜାଣିନି ସେକଥା ଭାବି ବାପା ଓ ତୁମେ ଅଯଥାରେ କାହିଁକି ବ୍ୟସ୍ତ ହେଉଛ ! ହଉ ! ବାପାଙ୍କୁ କହିବୁ ସେ ଏଥିପାଇଁ ମନଦୁଃଖ କରିବେ ନାହିଁ କି ମୁଁ ଭବିଷ୍ୟତରେ କେଉଁଠି ରହିବି ସେକଥା ଭାବି ଚିନ୍ତିତ ହେବେନାହିଁ। ଅରୁଣ ଫୋନ୍ ବନ୍ଦ କରିବା ପରେ ପାଖରେ ବସି ସବୁ ଶୁଣୁଥିବା ମହେଶ ବାବୁ କହିଲେ , ଶୁଣିଲ ତ ହରପ୍ରିୟା ! ତୁମ ପୁଅ ତୁମକୁ କଣ କହିଲା ! ସେଥିପାଇଁ ମୁଁ ତୁମକୁ ତାକୁ ଫ୍ଲାଟ୍ କିଣିବା ବିଷୟରେ ପଚାରିବାକୁ ମନା କରୁଥିଲି। ହରପ୍ରିୟା କହିଲେ , ଯେଉଁଦିନ ହେଲେ ତ ଏ ଘଟଣା ପଦାକୁ ଆସିଥାନ୍ତା। ଆଜି କଥାଟା ପଚାରିବାରୁ ସେ ତା ମନ କଥା ଖୋଲି କହିଦେଲା। ଏଥିରେ ଅସୁବିଧା କଣ ହେଲା ! ତାପରେ ଏମିତିରେ ବି ତାର ତ ଚାକିରି ସରିବାକୁ ଆହୁରି ଅନେକ ଦିନ ବାକି ଅଛି। ଚାକିରି ସରିବା ପରେ ସେ ହୁଏତ କଟକରେ ଆସି ରହିପାରେ। ତେଣୁ ସେ କଥାକୁ ନେଇ ଏବେଠାରୁ ତୁମେ ଏତେ ଚିନ୍ତା କରନାହିଁ। ହରପ୍ରିୟା ଏକଥା କହିଲେ ବି ମହେଶ ବାବୁଙ୍କ ମନ ସେଥିରେ ବୁଝୁ ନଥିଲା। ପୁଅର କହିବା ଢଙ୍ଗରୁ ସେ ଜାଣି ସାରିଥିଲେ ଯେ ଭବିଷ୍ୟତରେ ପୁଅ କେବେ ଆସି କଟକରେ ରହିବ ନାହିଁ। ତେଣୁ ପତ୍ନୀଙ୍କୁ କିଛି ନ କହିଲେ ବି ଭିତରେ ସେ ବହୁତ ଭାଙ୍ଗି ପଡ଼ିଥିଲେ। ଯେଉଁ ଆଶା ନେଇ ସେ କଟକ ଘରକୁ ଏତେ ଅତ୍ୟାଧୁନିକ ଢାଞ୍ଚାରେ ତିଆରି କରାଇଥିଲେ ସେ ଆଶାର ସୌଧ ଆଜି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଉଥିଲା। ନିଜ ଜୀବନର ସଞ୍ଚିତ ଅର୍ଥକୁ ଲଗାଇ ସେ ଯେଉଁ ପୁଅ ପାଇଁ ଏ କଟକ ଘର ତିଆରି କରିଥିଲେ ସେ ଆଉ କଟକରେ ଆସି ରହିବ ନାହିଁ ବୋଲି ଜାଣି ସାରିବା ପରେ ତାଙ୍କ ମନକୁ ଶକ୍ତ ଧକ୍କା ଲାଗିଥିଲା। ୟା ଭିତରେ ପ୍ରାୟ ଏକ ବର୍ଷ ବିତି ଯାଇଥିଲା। ଦିନେ ରମେଶ ବାବୁ ସକାଳୁ ଉଠି ଦେଖିଲେ ଯେ ତା ପୂର୍ବଦିନ ରାତିରେ ମହେଶ ବାବୁଙ୍କ ମୋବାଇଲରୁ ତାଙ୍କ ମୋବାଇଲକୁ ଦୁଇଥର କଲ୍ ଆସିଛି। କାଲି ରାତିରେ ସେ ଶୀଘ୍ର ଶୋଇ ପଡ଼ି ଥିବାରୁ ଫୋନ୍ କଲଟା ରିସିଭ୍ କରି ପାରି ନଥିଲେ। ତେଣୁ ସେ ଟିକେ ଚିନ୍ତିତ ହୋଇ ପଡ଼ିଲେ। ସେ ଭାବିଲେ , କାଲି ଏତେ ବିଳମ୍ବିତ ରାତିରେ ମହେଶ ବାବୁ ତାଙ୍କ ପାଖକୁ କାହିଁକି ଫୋନ୍ କରିଥିଲେ ! ମହେଶ ବାବୁଙ୍କର ଆଉ କିଛି ଅସୁବିଧା ହୋଇନାହିଁ ତ ! ଅବଶ୍ୟ ଏଇଠି ପାଖାପାଖି ଛଅମାସ ହେବ କାର୍ଯ୍ୟବ୍ୟସ୍ତତା ଭିତରେ ରହି ସେ ମହେଶ ବାବୁଙ୍କ ସହିତ କଥା ହୋଇ ପାରି ନାହାଁନ୍ତି। ସେ ସାଙ୍ଗେ ସାଙ୍ଗେ ମହେଶ ବାବୁଙ୍କ ମୋବାଇଲକୁ ଫୋନ୍ କଲେ। ଥରେ ଫୋନ୍ ରିଙ୍ଗ ହୋଇ କଟିଲା ପରେ ଦ୍ଵିତୀୟ ଥର ମହେଶ ବାବୁଙ୍କ ପତ୍ନୀ ହରପ୍ରିୟା ଫୋନ୍ ଉଠାଇଲେ। ରମେଶ ବାବୁ କହିଲେ , ମହେଶ ବାବୁ ଘରେ ନାହାଁନ୍ତି କି ଭାଉଜ ?ସେ କାଲି ରାତିରେ ମୋ ପାଖକୁ ଫୋନ କରିଥିଲେ ତ ! ମୁଁ ଶୋଇ ପଡ଼ି ଥିବାରୁ କଲ୍ ରିସିଭ କରି ପାରି ନଥିଲି। ହରପ୍ରିୟା କହିଲେ , ନା ! ସେ କୁଆଡ଼େ ଯାଇ ନାହାଁନ୍ତି। କାଲି ଅନେକ ରାତି ପର୍ଯ୍ୟନ୍ତ ଶୋଇ ନଥିଲେ ତ। ସେଥିପାଇଁ ଏବେ ଟିକେ ଶୋଇ ପଡିଛନ୍ତି। କାଲି ରାତିରେ ଆପଣଙ୍କ ପାଖକୁ ଫୋନ୍ କରିବାକୁ ସେ ମୋତେ କହିଲେ। ତେଣୁ ମୁଁ ଆପଣଙ୍କ ପାଖକୁ ଫୋନ୍ କରିଥିଲି। କଥା କଣକି ତାଙ୍କ ଦେହ ଭଲ ନାହିଁ। ସେ ଆପଣଙ୍କୁ ଦେଖା କରିବା ପାଇଁଁ ଚାହୁଁଛନ୍ତି। ଆପଣ ଯଦି ଟିକେ ଆମ ଘର ଆଡ଼େ ଆସନ୍ତେ ଖୁବ୍ ଭଲ ହୁଅନ୍ତା। ରମେଶ ବାବୁ ବ୍ୟସ୍ତ ହୋଇ ପଚାରିଲେ , ମହେଶ ବାବୁଙ୍କର କ'ଣ ହୋଇଛି ଭାଉଜ ? ହରପ୍ରିୟା କହିଲେ , ତାଙ୍କର କିଡନି ଫେଲ୍ ହୋଇ ଯାଇ ଥିବାରୁ ଡାୟାଲିସିସ ଚାଲିଛି। ସେ ବହୁତ ଅସୁସ୍ଥ ଅଛନ୍ତି। ରମେଶ ବାବୁ ଆଉ ଫୋନରେ ବେଶୀ କିଛି ପଚାରିବାଟା ଉଚିତ୍ ମନେ କଲେ ନାହିଁ। ସେ କହିଲେ , ହଉ ଭାଉଜ ! ଆଜି ତ ମୋର ଗୋଟିଏ କାମ ଅଛି। ମୁଁ କାଲି ଆପଣଙ୍କ ଘରକୁ ନିଶ୍ଚୟ ଯିବି। ତା ପରଦିନ କଥା। ରମେଶ ବାବୁ ଯେତେବେଳେ ଯାଇ ମହେଶ ବାବୁଙ୍କ ଘରର କଲିଂ ବେଲ୍ ବଜାଇଲେ ହରପ୍ରିୟା ଆସି କବାଟ ଖୋଲିଲେ। ହରପ୍ରିୟାଙ୍କୁ ଦେଖି ରମେଶ ବାବୁ କହିଲେ , ଭାଉଜ ! ନମସ୍କାର। ମହେଶ ବାବୁ କେଉଁଠି ଅଛନ୍ତି। ହରପ୍ରିୟା କହିଲେ , ସେ ତାଙ୍କ ରୁମରେ ଅଛନ୍ତି। ଭିତରକୁ ଆସନ୍ତୁ। ରମେଶ ବାବୁ ଘର ଭିତରକୁ ଯାଇ ମହେଶ ବାବୁଙ୍କୁ ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଭାବିଲେ , ଆରେ ! ଏ କଣ ? ମହେଶ ବାବୁଙ୍କୁ ତ ଆଉ ଚିହ୍ନି ହେଉନାହିଁ। ୟା ଭିତରେ ତାଙ୍କ ସ୍ଵାସ୍ଥ୍ୟ ତ ବହୁତ ବିଗିଡ଼ି ଯାଇଛି। ଏକାଠି ସେମାନେ ଯେତେବେଳେ ପ୍ରାତଃ ଭ୍ରମଣ କରୁଥିଲେ ତାଙ୍କର କେତେ ଭଲ ସ୍ଵାସ୍ଥ୍ୟ ନଥିଲା ସତରେ ! ଏଇ କେତେ ବର୍ଷ ଭିତରେ ମହେଶ ବାବୁଙ୍କର ଏ କି ଅବସ୍ଥା ! ଏହିପରି ଭାବନା ଭିତରେ ହଜି ଯାଇଥିବା ବେଳେ ମହେଶ ବାବୁଙ୍କ ଡାକରେ ସେ ପ୍ରକୃତିସ୍ଥ ହେଲେ ଓ ମହେଶ ବାବୁଙ୍କୁ କହିଲେ , ନମସ୍କାର ଭାଇ ! ମହେଶ ବାବୁ କହିଲେ , ଆସିଲେ ଭଲକଲେ ରମେଶ ବାବୁ ! ମୁଁ ମନେ ମନେ ଆପଣଙ୍କୁ ବହୁତ ଖୋଜୁଥିଲି। ଆସନ୍ତୁ ମୋ ପାଖରେ ବସନ୍ତୁ। ଆପଣଙ୍କୁ ଟିକେ ଦେଖିବା ପାଇଁ ମୋର ବହୁତ ଇଚ୍ଛା ହେଉଥିଲା। ନିଜେ ତ ଫୋନ୍ କରି ପାରୁନି। ତେଣୁ ହରପ୍ରିୟାଙ୍କୁ କହିବାରୁ ସେ କାଲି ରାତିରେ ଆପଣଙ୍କୁ ଫୋନ୍ କରିଥିଲେ। ରମେଶ ବାବୁ କହିଲେ , ଫୋନ୍ କରି ପାରୁନାହାନ୍ତି ମାନେ ! ଆପଣଙ୍କର କଣ ହୋଇଛି ? ମହେଶ ବାବୁ କହିଲେ , ହାଇଅର ଡୋଜ ଇନସ୍ୟୁଲିନ୍ ନେବା ସତ୍ତ୍ଵେ ମଧ୍ୟ ଡାଇବେଟିସ କଣ୍ଟ୍ରୋଲ ନ ହେବାରୁ ଖାଲି କିଡନି ଯେ ନଷ୍ଟ ହୋଇଗଲା ତା ନୁହେଁ ତା ସହିତ ମୋ ଆଖିକୁ ଦିଶିବା ମଧ୍ୟ କମିଗଲା। ମୋବାଇଲର ଛୋଟ ଛୋଟ ଅକ୍ଷର ଓ ନମ୍ବର ମୁଁ ଆଉ ପଢ଼ି ପାରୁନାହିଁ। ଯଦି କେଉଁଠୁ ଫୋନ୍ ଆସୁଛି ହରପ୍ରିୟା ଫୋନ୍ ରିସିଭ କରି ମୋତେ ଦେଲେ ମୁଁ କଥା ହେଉଛି। ନିଜେ କେଉଁଠିକି ଫୋନ୍ ଲଗାଇ ପାରୁନାହିଁ। ଆପଣ ମୋ ପାଖରେ ବସିଛନ୍ତି ସିନା ହେଲେ ମୋତେ ଆପଣଙ୍କ ମୁହଁ ପରିଷ୍କାର ଦେଖା ଯାଉନାହିଁ। ଝାପ୍ସା ଝାପ୍ସା ଦେଖା ଯାଉଛି। ନିଜେ ଏକୁଟିଆ ଏଠାରୁ ଉଠି କୁଆଡ଼କୁ ଯାଇ ହେଉନି। ପାଇଖାନା ଓ ଗାଧୁଆ ଘରକୁ ଯିବାକୁ ହେଲେ ହରପ୍ରିୟାଙ୍କ ସାହାଯ୍ୟ ନେବାକୁ ପଡ଼ୁଛି। ଘର ଭିତରଟାରେ ବସି ବସି ମୁଁ ବିରକ୍ତ ହୋଇଗଲେଣି ରମେଶ ବାବୁ। ଆଖି ଭଲ ଥିଲେ ବହି ପଢ଼ାପଢ଼ି କରି ସମୟ କାଟି ଦିଅନ୍ତି। କିନ୍ତୁ ବହି ପଢ଼ିବା ତ ଦୂରର କଥା ଖବରକାଗଜ ପଢ଼ିବା ବି ମୋ ପକ୍ଷରେ ସମ୍ଭବ ହେଉନାହିଁ। ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଥିବା ଖବର କାଗଜର ନାଆଁ କେବଳ ମୋତେ ଦେଖା ଯାଉଛି। ସେତିକି ବ୍ୟତୀତ ଖବରକାଗଜରୁ ମୁଁ ଆଉ ଅଧିକ କିଛି ପଢ଼ି ପାରୁନାହିଁ। ରମେଶ ବାବୁ କହିଲେ , ଆପଣ ତ ବାହାରକୁ ଯାଇ ପାରୁ ନାହାଁନ୍ତି। ଘର ଚଳାଇବାକୁ ତ ଭୀଷଣ ଅସୁବିଧା ହେଉଥିବ ! ମହେଶ ବାବୁ କହିଲେ , ସେକଥା ଆଉ କୁହନ୍ତୁନି ରମେଶ ବାବୁ। ବିଚରା ହରପ୍ରିୟା ଏକା ଏକା ଘରର ସବୁ ଦାୟିତ୍ୱ ତୁଲାଉଛନ୍ତି। ବଜାର ଘାଟ କରିବା ଠାରୁ ମୋର ଔଷଧ ପତ୍ର କିଣିବା ପର୍ଯ୍ୟନ୍ତ ସବୁ କାମ ସେ ଏକୁଟିଆ ସମ୍ଭାଳୁଛନ୍ତି। ଆଉ ଡାୟାଲିସିସ ପାଇଁ ଗଲାବେଳେ ହରପ୍ରିୟାଙ୍କ ସହିତ ଆମ ଉପରେ ଘରେ ଭଡ଼ାରେ ଥିବା ଜଣେ ଭଦ୍ରବ୍ୟକ୍ତି ମୋତେ କାରରେ ନେଇ ମୋ ସହିତ ଯାଆନ୍ତି। ହଠାତ୍ ଯଦି ମୋ ଦେହ କେତେବେଳେ ବେଶୀ ବିଗିଡ଼ି ଯାଏ ସେ ମଧ୍ୟ ଯାଇ ଡାକ୍ତରଙ୍କୁ ଡାକି ଆଣନ୍ତି। ୟା ଭିତରେ ହରପ୍ରିୟା ଚା ଓ ବିସ୍କୁଟ ଆଣି ରମେଶ ବାବୁଙ୍କ ଆଗରେ ପଡ଼ିଥିବା ଟି ପୟ ଉପରେ ରଖି ରମେଶ ବାବୁଙ୍କୁ କହିଲେ , ଚା ନିଅନ୍ତୁ। ଏତେଦିନ ପରେ ଆପଣ ଆମ ଘରକୁ ଆସିଛନ୍ତି। ଖାଇସାରି ଯିବେ। କିଛି ସମୟ ଆପଣଙ୍କ ସହିତ କଥା ହେଲେ ୟାଙ୍କୁ ହୁଏତ ଟିକେ ଭଲ ଲାଗିବ। ସବୁବେଳେ ଘରଟା ଭିତରେ ବସି ବସି ସେ ଚିଡ଼ଚିଡ଼ା ହୋଇଗଲେଣି। ଏତିକି କହି ହରପ୍ରିୟା ରୋଷେଇ କରିବାକୁ ରୋଷେଇଘରକୁ ଚାଲିଗଲେ। ହରପ୍ରିୟା ଚାଲିଗଲା ପରେ ରମେଶ ବାବୁ କହିଲେ , ମହେଶ ବାବୁ ! ଇନସ୍ୟୁଲିନ୍ ନେଇ ଆପଣଙ୍କ ସୁଗାର ଲେଭେଲ ତ କଣ୍ଟ୍ରୋଲରେ ରହୁଥିଲା ବୋଲି ଆପଣ ମୋତେ ଫୋନରେ କହୁଥିଲେ। ହଠାତ୍ ପୁଣି ଏମିତି କାହିଁକି ହେଲା। ? ମହେଶ ବାବୁ କହିଲେ , ମାନସିକ ଦୁଶ୍ଚିନ୍ତା। ଯେତେ ଇନସ୍ୟୁଲିନ୍ ନେଲେ ମଧ୍ୟ ଅତ୍ୟଧିକ ମାନସିକ ଦୁଶ୍ଚିନ୍ତା ଯୋଗୁ ଡାଇବେଟିସ କଣ୍ଟ୍ରୋଲ ହେଲାନାହିଁ। ତା ଫଳରେ କିଡନି ନଷ୍ଟ ହୋଇଗଲା ଓ ମୋ ଦୃଷ୍ଟିଶକ୍ତି ମଧ୍ୟ କମିଗଲା। ରମେଶ ବାବୁ କହିଲେ , ମାନସିକ ଦୁଶ୍ଚିନ୍ତାର କାରଣ ? ମହେଶ ବାବୁ କହିଲେ , ମୋର ମାନସିକ ଦୁଶ୍ଚିନ୍ତାର କାରଣ ହେଉଛି ମୁଁ ତିଆରି କରିଥିବା ଘର। ରମେଶ ବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ , ଏ ଆପଣ କଣ କହୁଛନ୍ତି ମହେଶ ବାବୁ ! ଘର କେମିତି ଆପଣଙ୍କ ମାନସିକ ଦୁଶ୍ଚିନ୍ତାର କାରଣ ହେଲା ! ମହେଶ ବାବୁ କହିଲେ , ଆପଣ ଯେଉଁଦିନ ମୋତେ ଫୋନ୍ କରି କହିଲେ ଯେ ମୋ ପୁଅ ଅରୁଣ ବାଙ୍ଗାଲୋରରେ ଫ୍ଲାଟ୍ କିଣିଛି ସେହିଦିନ ଠାରୁ ମୋର ମାନସିକ ଦୁଶ୍ଚିନ୍ତା ଆରମ୍ଭ ହେଲା। ସେଦିନ ଆପଣଙ୍କୁ ମୁଁ ସେ ବିଷୟରେ କିଛି କହି ପାରିଲି ନାହିଁଁ। କିନ୍ତୁ ଅରୁଣକୁ ବାଙ୍ଗାଲୋରରେ ଫ୍ଲାଟ୍ କିଣିବାକୁ ମୁଁ ମନା କରୁଥିଲି ବୋଲି ମୋତେ ନ ଜଣାଇ ସେ ବାଙ୍ଗାଲୋରରେ ଫ୍ଲାଟ୍ କିଣିଲା ବୋଲି ମୁଁ ଜାଣିଲି। ସବୁଠାରୁ ଦୁଃଖର କଥା ହେଲା ଆପଣଙ୍କ ଠାରୁ ଆମେ ପ୍ରଥମେ ଏକଥା ଜାଣିବାକୁ ପାଇଲୁ। ଏକଥା ଶୁଣି ମୋତେ ସେଦିନ କେମିତି ଲାଗିଥିବ କହିଲେ ରମେଶ ବାବୁ ! ଆଉ ତା ମା ତାକୁ ଫୋନରେ ସେକଥା ପଚାରିବାରୁ ସେ ତାଙ୍କୁ କଣ କହିଲା ଜାଣିଛନ୍ତି ! ସେ କହିଲା ଚାକିରି ସରିବା ପରେ ସେ କେଉଁଠି ରହିବ ସେକଥା ସେ ନିଜେ ବି ଜାଣିନି। ଆଉ କଟକରେ ରହିବା କଥା ସେ ଏବେଠାରୁ କହି ପାରିବ କେମିତି ! ସେ ଚାକିରି ପରେ ଆସି କଟକରେ ରହିବ ବୋଲି ଯେଉଁ କଟକ ଘରକୁ ମୁଁ ତା ପାଇଁ ଏତେ ଶ୍ରଦ୍ଧାରେ ଅତ୍ୟାଧୁନିକ ଢାଞ୍ଚାରେ ତିଆରି କରାଇଥିଲି ମୁଁ ଯେତେବେଳେ ତା କଥାରୁ ଜାଣିଲି ଯେ ସେ କଟକରେ ଆସି ରହିବ ନାହିଁ ସେତେବେଳେ ମୋତେ ଶକ୍ତ ଧକ୍କା ଲାଗିଲା ଓ ମୋର ମାନସିକ ଦୁଶ୍ଚିନ୍ତା ବଢ଼ିଗଲା। ତାପରେ ସେ ଆସି କଟକରେ ରହିବ ବୋଲି ଭାବି ମୁଁ କଟକରେ ଓ ଭୁବନେଶ୍ଵରରେ ଏତେ ଗୁଡ଼ାଏ ଘର ତିଆରି କରିଦେଲି। ମୁଁ ଭାବିଥିଲି ଭବିଷ୍ୟତରେ ସେ ଏସବୁର ଦେଖାଶୁଣା କରିବ। କିନ୍ତୁ ତାର କଟକରେ ଆସି ରହିବା ଯେତେବେଳେ ମୋ ପାଇଁ ଏକ ପ୍ରଶ୍ନବାଚୀ ହୋଇଗଲା ଏ ଘରକୁ ନେଇ ମୋର ଦୁଶ୍ଚିନ୍ତା ବଢ଼ିବାରେ ଲାଗିଲା। ମୋ ମନ ଭିତରେ ସବୁବେଳେ ଗୋଟିଏ ଚିନ୍ତା ରହିଲା , ମୋ ପରେ ଏତେ ଗୁଡ଼ାଏ ଘରର ଦେଖାଶୁଣା ଓ ରକ୍ଷଣାବେକ୍ଷଣା କରିବ କିଏ ! ମୋତେ ସବୁବେଳେ ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବାର ଦେଖି ହରପ୍ରିୟା ମୋତେ ଆଶ୍ଵାସନା ଦେଇ କହୁଥିଲେ , ତୁମେ ମୋଟେ ଚିନ୍ତା କରନା। ଚାକିରି ସରିବା ପରେ ସେ ତା ମନ ପରିବର୍ତ୍ତନ କରି ନିଶ୍ଚୟ କଟକ ଫେରିବ। ବୁଡିଗଲା ଲୋକ କୁଟାଖିଅକୁ ଆଶ୍ରା କରିବା ପରି ତାଙ୍କ କଥା ଉପରେ ଭରସା କରି ମୁଁ ବେଳେବେଳେ ଆଶାବାଦୀ ହୋଇ ଉଠୁଥିଲି। କିନ୍ତୁ ଛଅମାସ ତଳେ ସେ ଯେତେବେଳେ ଏକ ବହୁଦେଶୀୟ କମ୍ପାନୀରେ ଚାକିରି ପାଇ ତା ସ୍ତ୍ରୀ ଓ ପିଲାକୁ ଧରି ବିଦେଶ ଚାଲିଗଲା ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲି। ବିଦେଶ ଗଲାବେଳେ ମୁଁ ଯେତେବେଳେ ତାକୁ ପଚାରିଲି , କେତେବର୍ଷ ପରେ ବିଦେଶରୁ ଫେରିବୁ ? ସେ ମୋତେ କହିଲା , ମୋର ଆଉ ଦେଶକୁ ଫେରିବାର ନାହିଁ ବାପା ! ମୁଁ ସେହି ଦେଶର ନାଗରିକତା ଗ୍ରହଣ କରି ସେଇଠି ରହିବି ବୋଲି ନିଷ୍ପତ୍ତି ନେଇଛି। ତା ମା ଯେତେବେଳେ ତାକୁ କହିଲେ , ତୁ ତ ବିଦେଶରେ ରହିବୁ ଆଉ ଆମ ଦୁଇଜଣଙ୍କୁ ଏଠି କିଏ ଦେଖିବ ସେ ତା ମାଆଙ୍କୁ କଣ କହିଲା ଜାଣିଛନ୍ତି ! ସେ କହିଲା ମୁଁ ସେ ଦେଶର ନାଗରିକତା ଗ୍ରହଣ କରିବାର କିଛି ବର୍ଷ ପରେ ତୁମେ ଓ ବାପା କଟକ ଓ ଭୁବନେଶ୍ଵରର ସବୁ ଘରକୁ ବିକ୍ରି କରିଦେଇ ମୋ ପାଖକୁ ଚାଲି ଆସିବ। ତାପରେ ତୁମ ଦୁଇଜଣଙ୍କୁ ମଧ୍ୟ ସେ ଦେଶର ନାଗରିକତା ମିଳିଯିବ। ଆମେ ସମସ୍ତେ ମିଶି ସେଇଠି ରହିବା। ଏତିକି କହି ମହେଶ ବାବୁ ଠକ୍ ଠକ୍ କାନ୍ଦି ପକାଇଲେ। ତାଙ୍କ ଆଖିରୁ ଲୁହ ପୋଛି ରମେଶ ବାବୁ କହିଲେ , ଦେଖନ୍ତୁ ! ଯାହା ତ ହେବାର ହେଲାଣି। ଆପଣ ଆଉ କାନ୍ଦନ୍ତୁ ନାହିଁ। ଆପଣ ସେସବୁ କଥା ଭୁଲି ଯାଆନ୍ତୁ। ଏବେ ଆପଣ ଆଉ କିଛି ଚିନ୍ତା ନକରି ଏକ ଚିନ୍ତାମୁକ୍ତ ଜୀବନ ଯାପନ କରନ୍ତୁ । ସେଇଟା ହିଁ ଆପଣ ସୁସ୍ଥ ରହିବାର ଏକମାତ୍ର ଉପାୟ। ମହେଶ ବାବୁ କହିଲେ , କେମିତି ଚିନ୍ତାମୁକ୍ତ ହେବି କୁହନ୍ତୁ ତ ରମେଶ ବାବୁ ! ଯେଉଁ ପୁଅ ଭରସାରେ ମୁଁ ଏତେ ଗୁଡ଼ାଏ ଘର କରିଗଲି ସେ ତ ବିଦେଶ ଚାଲିଗଲା। ଆଉ ଏ ଘର ଗୁଡ଼ାକ ଏବେ ମୋର ମାନସିକ ଦୁଶ୍ଚିନ୍ତାର ମୂଖ୍ୟ କାରଣ ହୋଇଯାଇଛି। ଏବେ ମୋର ଗୋଟିଏ ଚିନ୍ତା , ମୁଁ ଓ ହରପ୍ରିୟା ଏ ଦୁନିଆରୁ ଚାଲିଯିବା ପରେ ଏସବୁ ଘରର ଭବିଷ୍ୟତ କଣ ହେବ ? ପ୍ରତି ମୂହୁର୍ତ୍ତରେ ଏହି ଚିନ୍ତା ହିଁ ମୋ ମନକୁ କବଳିତ କରି ରଖିଛି। ନା ମୁଁ ଭଲରେ ଖାଇ ପାରୁଛି ନା ମୁୁଁ ଭଲରେ ଶୋଇ ପାରୁଛି। ସବୁବେଳେ ଏ ଘର ଗୁଡ଼ାକ ମୋତେ ଯେମିତି ଉପହାସ କରି କହୁଛନ୍ତି , ଆରେ ! ଜୀବନର ସମସ୍ତ ସଞ୍ଚିତ ଅର୍ଥକୁ ବିନିଯୋଗ କରି ତୁ ଯେଉଁ ଘରସବୁ ତିଆରି କଲୁ ଭବିଷ୍ୟତରେ ସେ ଘରେ ରହିବ କିଏ ? ସତରେ ରମେଶ ବାବୁ ! ଏତେ ଗୁଡ଼ାଏ ଘର କରି ମୁଁ ଜୀବନରେ ବଡ଼ ଭୁଲ୍ କରିଦେଲି। ଯେଉଁ ଘରକୁ ତିଆରି କଲାବେଳେ ମୁଁ ଭାବୁଥିଲି ଯେ ମୋ ପାଇଁ ଓ ମୋ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ମୁଁ ସମ୍ପତ୍ତି ବଢ଼ାଇ ଚାଲିଛି ଓ ସେହି ଘର ମୋତେ ଓ ମୋ ଭବିଷ୍ୟତ ବଂଶଧରମାନଙ୍କୁ ନିୟମିତ ଭାବରେ ପାଉଣା ଦେଇ ଚାଲିବ ସେହି ଘର ମୋ ପାଇଁ ଆଜି ଏକ ବୋଝ ପାଲଟି ଯାଇଛି। ମୁଁ ଏବେ ବୁଝି ପାରୁଛି ଯେ ବାସ୍ତବରେ ଏ ଘରସବୁ ତିଆରି କରି ମୁଁ ମୋର ସମ୍ପତ୍ତି ବଢ଼ାଉ ନଥିଲି ବରଂ ମୁଁ ମୋ ପାଇଁ ଦେଣା କରି ଚାଲିଥିଲି ଯେଉଁ ଦେଣାକୁ କି ମୁଁ ଆଜି ମାନସିକ ଦୁଶ୍ଚିନ୍ତା ଓ ଅଶାନ୍ତି ରୂପରେ ପ୍ରତି ମୂହୁର୍ତ୍ତରେ ପରିଶୋଧ କରି ଚାଲିଛି। ଆଜି ଏହି ଘରଗୁଡାକ ମୋ ପାଇଁଁ ସମ୍ପତ୍ତି ହେବା ପରିବର୍ତ୍ତେ ଦେଣା ହୋଇ ଯାଇଛି ରମେଶ ବାବୁ ! ଆଉ ମୁଁ ଜାଣିଛି ଏ ଯେଉଁ ଦେଣା ମୁଁ କରିଛି ମୃତ୍ୟୁ ପର୍ଯ୍ୟନ୍ତ ଶୁଝି ଚାଲିଲେ ବି ସେ ଦେଣାକୁ ମୁଁ ପରିଶୋଧ କରି ପାରିବି ନାହିଁ କାରଣ ମୃତ୍ୟୁ ବେଳକୁ ମଧ୍ୟ ଏହି ଘରର ଚିନ୍ତା ମୋ ମନ ଭିତରେ ରହିଥିବ। ଏହି ଘର ଯୋଗୁ ମୁଁ କେବେହେଲେ ଶାନ୍ତିରେ ଶେଷ ନିଃଶ୍ୱାସ ତ୍ୟାଗ କରି ପାରିବି ନାହିଁ ରମେଶ ବାବୁ। କାରଣ ମୃତ୍ୟୁବେଳକୁ ମୋ ମନରେ ଯେଉଁ ଗୋଟିଏ ଚିନ୍ତା ଘର କରି ରହିଥିବ ତାହା ହେଉଛି ମୁଁ ଓ ମୋ ପତ୍ନୀଙ୍କ ଅନ୍ତେ ଏ ଘରର ଭବିଷ୍ୟତ କଣ ହେବ ? ଆପଣ ମୋତେ ସେଦିନ ଯେଉଁ କଥା ପଦକ କହିଥିଲେ ସେକଥା ମୋର ଏବେବି ମନେଅଛି ରମେଶ ବାବୁ ! ପ୍ରକୃତରେ ସେ କଥା ଅକ୍ଷରେ ଅକ୍ଷରେ ସତ ବୋଲି ମୁଁ ଏବେ ଜାଣୁଛି। ଆପଣ ସେଦିନ କହିଥିଲେ ଯେ ଦୁନିଆ ବଦଳିବା ସହିତ ମଣିଷର ମନ ଯେ କେତେବେଳେ ବଦଳିବ ସେକଥା ଆଗରୁ କେହି କହି ପାରିବେ ନାହିଁ। ସେତେବେଳେ ସେକଥାର ମର୍ମ ମୁଁ ବୁଝି ପାରି ନଥିଲି। ସେଥିପାଇଁ ମୋର ପୁଅ ଓ ନାତିଙ୍କ ଭବିଷ୍ୟତ ପାଇଁ ଗୁଡ଼ାଏ ଘର ତିଆରି କରି ସମ୍ପତ୍ତି ବଢ଼ାଇବା ନାଆଁରେ ମୁଁ ଗୁଡ଼ାଏ ଦେଣା କରି ପକାଇଲି। ଆଜି ଦେଖନ୍ତୁ , ମୋ ପୁଅର ମନ କିପରି ବଦଳିଗଲା ଓ ସେ ଯାଇ ବିଦେଶରେ ରହିବ ବୋଲି ନିଷ୍ପତ୍ତି ନେଇଗଲା। ତେଣୁ ଯାହା କୁହାଯାଏ , ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥ୍ବୀ କ୍ଷଣ କ୍ଷଣକେ ଆନ ସେକଥା ପ୍ରକୃତରେ ଶତ ପ୍ରତିଶତ ସତ୍ୟ ରମେଶ ବାବୁ ! ଏତିକି ବେଳେ ହରପ୍ରିୟା ଆସି କହିଲେ , ରୋଷେଇ ସରିଲାଣି। ଖାଇବେ ଆସନ୍ତୁ ରମେଶ ବାବୁ ! ରମେଶ ବାବୁ ଯେତେବେଳେ ମହେଶ ବାବୁଙ୍କୁ କହିଲେ , ' ଆପଣ ଖାଇବେନି କି ' ମହେଶ ବାବୁ କହିଲେ , ମୋ ପାଇଁ ଅଲଗା ଖାଇବା ପ୍ରସ୍ତୁତ ହୋଇଥିବ। ହରପ୍ରିୟା ମୋ ଖାଇବା ଏଇଠିକି ନେଇ ଆସିବେ। ଆପଣ ଡାଇନିଂ ଟେବୁଲକୁ ଯାଆନ୍ତୁ। ମହେଶ ବାବୁଙ୍କ ଠାରୁ ସବୁ ଶୁଣି ସାରିବା ପରେ ରମେଶ ବାବୁଙ୍କର ଆଉ ଖାଇବାକୁ ଆଦୋୖ ଇଚ୍ଛା ନଥିଲା। ତଥାପି ମହେଶ ବାବୁ ଓ ତାଙ୍କ ପତ୍ନୀଙ୍କ ମନ ରଖିବାକୁ ସେ ଏକ ଭାରାକ୍ରାନ୍ତ ମନ ନେଇ ଡାଇନିଂ ଟେବୁଲ ପାଖକୁ ଗଲେ।
                                              *****


Rate this content
Log in