ମୁଁ ଆଉ ଦୁଷ୍ଟ ହେବିନି __________________
ମୁଁ ଆଉ ଦୁଷ୍ଟ ହେବିନି __________________
ମୁଁ ଆଉ ଦୁଷ୍ଟ ହେବିନି
_______________
ବାପା ଓ ମାଆ ଅଫିସ ଚାଲିଯିବା ପରେ ଯାହାଙ୍କ ସହିତ ଲିଟୁ ଅଧିକ ସମୟ ବିତାଉଥିଲା ସେ ହେଲେ ତାର ଜେଜେ। ଜେଜେଙ୍କ ଆଗରେ ସେ ତାର ମନକଥା ଗପୁଥିଲା , ତାଙ୍କ ସହିତ ଖେଳୁଥିଲା ଓ ତାଙ୍କ ହାତ ଧରି ବାହାରକୁ ବୁଲିବାକୁ ମଧ୍ୟ ଯାଉଥିଲା। ତିନିବର୍ଷର ପିଲା ଲିଟୁ ପାଇଁ ତା ଜେଜେ ହିଁ ସବୁକିଛି ଥିଲେ। ସେ ଦୁଷ୍ଟାମି କଲେ ବାପା ଓ ମାଆଙ୍କ ଭିତରୁ କେହି ଯଦି ତାକୁ ଆକଟ କରୁଥିଲେ ସେ ସାଙ୍ଗେ ସାଙ୍ଗେ ଯାଇ ତା ଜେଜେଙ୍କ ନିକଟରେ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଥିଲା। ସେଥିପାଇଁ ସାଙ୍ଗେ ସାଙ୍ଗେ ତା ଜେଜେ ଯାଇ ତା ବାପା ଓ ମାଆଙ୍କୁ ଯେତେବେଳେ ଗାଳି ଦେଉଥିଲେ ଲିଟୁର ମନ ଖୁସି ହୋଇ ଯାଉଥିଲା। ତେଣୁ ତା ବାପା ଓ ମାଆ ଯେତେବେଳେ ବି ତାକୁ ଆକଟ କରୁଥିଲେ ସେ ଜେଜେଙ୍କ ଆଗରେ ସବୁ କହିଦେବ ବୋଲି ସବୁବେଳେ ସେମାନଙ୍କୁ ଧମକ ଦେଉଥିଲା। ତେଣୁ କହିବାକୁ ଗଲେ ଲିଟୁର ଜେଜେ ତା ପାଇଁ ସର୍ବୋଚ୍ଚ ଅଦାଲତ ଥିଲେ। କିନ୍ତୁ ତା ଦୁଷ୍ଟାମି ପାଇଁ ତା ଜେଜେ ଯେତେବେଳେ ତାକୁ ଆକଟ କରୁଥିଲେ ସେ ତାଙ୍କ ଉପରେ ଅଭିମାନ କରି ମୁହଁ ଫୁଲେଇ ଚୁପଚାପ୍ ବସି ରହୁଥିଲା। ଲିଟୁର ନିରବତା ତା ଜେଜେ ଅଜୟ ବାବୁ କେବେହେଲେ ସହି ପାରୁ ନଥିଲେ। ସେ ସାଙ୍ଗେ ସାଙ୍ଗେ ତାକୁ କୋଳେଇ ନେଉଥିଲେ ଓ ଲିଟୁ ପୁଣି ସବୁ ଭୁଲିଯାଇ ତା ଜେଜେଙ୍କୁ କୁଣ୍ଢେଇ ପକାଉଥିଲା। ଲିଟୁ ତା ଜେଜେମା'ଙ୍କୁ ଦେଖି ନଥିଲା କାରଣ ତା ଜେଜେମା ଆରପାରିକୁ ଚାଲି ଯାଇଥିଲେ। ବାପା ଓ ମାଆ ଦୁଇଜଣ ଯାକ ଚାକିରି କରିଥିବାରୁ ଛୁଟିଦିନ ବ୍ୟତୀତ ଅନ୍ୟବେଳେ ସେମାନେ ଲିଟୁକୁ ସମୟ ଦେଇ ପାରୁ ନଥିଲେ। ଛୁଟିଦିନକୁ ଛାଡ଼ିଦେଲେ ଲିଟୁକୁ ଗାଧୋଇ ଦେବା , ଖୁଆଇ ଦେବା , ପୋଷାକ ପିନ୍ଧାଇ ଦେବା ଆଦି ସବୁକିଛି କାମ ତା ଜେଜେଙ୍କର ଥିଲା। ଅଫିସ୍ କାମ ସାରି ତା ବାପା ଓ ମାଆ ଫେରି ଆସିଲା ପରେ କେବଳ ସନ୍ଧ୍ୟାବେଳେ ଦୁଇ ତିନି ଘଣ୍ଟା ଲିଟୁ ତା ବାପାମାଆଙ୍କ ସହିତ କଟାଉଥିଲା। ରାତିରେ ଖାଇ ସାରିବା ପରେ ଲିଟୁ ପୁଣି ତା ଜେଜେଙ୍କ ପାଖରେ ଶୋଇ ଯାଉଥିଲା।
ଅଜୟ ବାବୁଙ୍କ ଶୋଇବା ଘରେ ଗୋଟିଏ ଟେବୁଲ ଉପରେ ସ୍ଵର୍ଗତା ପତ୍ନୀ ମିନାକ୍ଷୀ ଦେବୀଙ୍କର ଫଟୋ ଥୁଆ ହୋଇଥାଏ। ଲିଟୁ ଦିନେ ଶୋଇଲା ବେଳେ ସେ ଫଟୋକୁ ଦେଖି ସେ କାହାର ଫଟୋ ବୋଲି ଯେତେବେଳେ ତା ଜେଜେଙ୍କୁ ପଚାରିଲା ଅଜୟ ବାବୁ କହିଲେ , ସେ ତୋର ଜେଜେମା। ଲିଟୁ କହିଲା , ମନୁର ଜେଜେମା ତ ତାଙ୍କ ଘରେ ଅଛନ୍ତି , ମନୁକୁ କାଖ କରି ଦାଣ୍ଡରେ ବୁଲାଉଛନ୍ତି ! ମୋ ଜେଜେମା ଆମ ସହିତ କାହିଁକି ରହୁ ନାହାଁନ୍ତି ? ମୋତେ କାହିଁକି କାଖ କରି ଦାଣ୍ଡରେ ବୁଲାଉ ନାହାଁନ୍ତି ? ସେ ଆମ ସହିତ ନରହି ଏ ଫଟୋ ଭିତରେ କାହିଁକି ରହିଛନ୍ତି ? ତାପରେ ସେଘରେ ଥିବା ଅଜୟ ବାବୁଙ୍କ ଫଟୋ ଆଡ଼କୁ ଆଙ୍ଗୁଠି ଦେଖାଇ ସେ କହିଲା , ଆଚ୍ଛା ଜେଜେ ! ତୁମ ଫଟୋ ତ ଏ ଘରେ ଅଛି , କିନ୍ତୁ ତୁମେ ତ ମୋ ପାଖରେ ଅଛ କିନ୍ତୁ ଜେଜେମାଙ୍କ ଫଟୋ ଏ ଘରେ ଥିଲେ ବି ସେ କାହିଁକି ମୋ ପାଖରେ ରହୁ ନାହାଁନ୍ତି ? ମୃତ୍ୟୁର ପରିଭାଷା ଜାଣି ନଥିବା ଏତେ ଛୋଟ ପିଲାଟାକୁ ଅଜୟ ବାବୁ କଣ କହି ତା ପ୍ରଶ୍ନର ଉତ୍ତର ଦେବେ କିଛି ଜାଣି ପାରୁ ନଥିଲେ। ସେ କହିଲେ , ତୋ ଜେଜେମା ଆମକୁ ଛାଡ଼ି ଭଗବାନଙ୍କ ପାଖକୁ ଚାଲି ଯାଇଛନ୍ତି। ଏଇଟା ତାଙ୍କର ଫଟୋ। ତୁମେ ଯେମିତି ଫଟୋ ଉଠାଉଛ ତୁମ ଜେଜେମା ଥିଲାବେଳେ ସେମିତି ସେ ଏ ଫଟୋ ଉଠାଇଥିଲେ। ଲିଟୁ କହିଲା , ତାହେଲେ ସେ ତୁମକୁ ଛାଡ଼ି ଚାଲିଗଲେ କାହିଁକି ଜେଜେ ? ସେ କଣ ମୋ ଭଳି ଦୁଷ୍ଟାମି କରୁଥିଲେ କି ? ମୁଁ ଦୁଷ୍ଟାମି କଲେ ତୁମେ ଯେମିତି ମୋ ଉପରେ ରାଗି ଯାଉଛ ଜେଜେମା ଦୁଷ୍ଟାମି କଲେ ବୋଲି ତୁମେ ସେମିତି ତାଙ୍କ ଉପରେ ରାଗିଲ ନାଁ କଣ ଯେ ସେ ତୁମକୁ ଛାଡ଼ି ଭଗବାନଙ୍କ ପାଖକୁ ଚାଲିଗଲେ ! ଅଜୟ ବାବୁ କହିଲେ , ନାଇଁ ଲିଟୁ ! ତୋ ଜେଜେମା ଦୁଷ୍ଟ ନଥିଲେ। ସେ ତ ଜଣେ ବହୁତ ଭଲ ମଣିଷ ଥିଲେ। ଲିଟୁ କହିଲା , ତାହେଲେ ସେ ତୁମକୁ ଛାଡ଼ି ଭଗବାନଙ୍କ ପାଖକୁ ଚାଲିଗଲେ କାହିଁକି ? ଏ କାହିଁକି ର ଉତ୍ତର ଲିଟୁକୁ ଦେବା ଅଜୟ ବାବୁଙ୍କ ପକ୍ଷରେ ଏତେ ସହଜ ନଥିଲା। ତାଙ୍କରି ଭୁଲ୍ ପାଇଁ ତାଙ୍କ ସ୍ତ୍ରୀ ମିନାକ୍ଷୀ ଯେ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି ସେ କଥା ଲିଟୁକୁ କିପରି ବୁଝାଇବେ ବୋଲି ସେ ଜାଣି ପାରୁ ନଥିଲେ କାରଣ ଲିଟୁ ତ ଭୁଲ୍ ଶବ୍ଦର ଅର୍ଥ ହିଁ ଜାଣି ନଥିଲା। ମିନାକ୍ଷୀଙ୍କ କଥା ମନେ ପକାଇ ଅଜୟ ବାବୁଙ୍କ ଆଖିରୁ ଦୁଇଟୋପା ଲୁହ ଗଡ଼ି ପଡ଼ିଲା। ଚଷମା ଖୋଲି ଲୁହ ପୋଛିଲା ବେଳକୁ ଲିଟୁ ପଚାରିଲା , କଣ ହେଲା ଜେଜେ ! ଜେଜେମା ତୁମକୁ ଛାଡ଼ି କାହିଁକି ଚାଲିଗଲେ ମୋତେ କହୁନ ! ଭୁଲ୍ ଠିକ୍ ଭିତରେ ଫରକ ଜାଣି ନଥିବା ଲିଟୁକୁ ତାଙ୍କ ଭୁଲ୍ ପାଇଁ ତା ଜେଜେମା ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି ବୋଲି ନକହି ଅଜୟ ବାବୁ ଲିଟୁକୁ ତା ଭାଷାରେ କହିଲେ , ମୋ ଦୁଷ୍ଟାମି ପାଇଁ ତୋ ଜେଜେମା ମୋତେ ଛାଡ଼ି ଭଗବାନଙ୍କ ପାଖକୁ ଚାଲି ଯାଇଛନ୍ତି। ଲିଟୁ କହିଲା , ଜେଜେ ! ତୁମେ କଣ ଏତେ ଦୁଷ୍ଟାମି କଲ ଯେ ଜେଜେମା ତୁମ ଉପରେ ରାଗି ତୁମକୁ ଛାଡ଼ି ଭଗବାନଙ୍କ ପାଖକୁ ଚାଲିଗଲେ ? ଅଜୟ ବାବୁ ଦୀର୍ଘଶ୍ୱାସ ପକାଇ କହିଲେ , ହଁ। ଲିଟୁ କହିଲା , ଜେଜେ ! ମୁଁ ଦୁଷ୍ଟାମି କଲେ ତୁମେ କଣ ମୋତେ ଛାଡ଼ି ଭଗବାନଙ୍କ ପାଖକୁ ଚାଲିଯିବ ? ଅଜୟ ବାବୁ କହିଲେ , ତୁମେ କାହିଁକି ଦୁଷ୍ଟାମି କରିବ ଯେ ମୁଁ ତୁମକୁ ଛାଡ଼ି ଭଗବାନଙ୍କ ପାଖକୁ ଯିବି ! ଆଉ ହଁ ! ସତରେ ଯଦି ତୁମେ ଦୁଷ୍ଟାମି କର ତାହେଲେ ମୁଁ ନିଶ୍ଚୟ ତୁମକୁ ଛାଡ଼ି ଭଗବାନଙ୍କ ପାଖକୁ ଚାଲିଯିବି। ଲିଟୁକୁ ଡରାଇବାକୁ ଏକଥା କହି ଅଜୟ ବାବୁ ତା ପିଠିକୁ ଯେତେବେଳେ ଥାପୁଡ଼େଇ ଦେଲେ ଲିଟୁ ଆଖିକୁ ନିଦ ଆସିଗଲା ଓ ସେ ଅଜୟ ବାବୁଙ୍କ କୋଳରେ ଶୋଇ ପଡ଼ିଲା।
ଲିଟୁ ଶୋଇ ପଡ଼ିଲା ସତ କିନ୍ତୁ ଅଜୟ ବାବୁଙ୍କ ଆଖିକୁ ସହଜେ ନିଦ ଆସୁ ନଥିଲା। ସେ ଲିଟୁ ଆଗରେ ସିନା ନିଜ ଭୁଲକୁ ଦୁଷ୍ଟାମି ବୋଲି କହିଲେ , କିନ୍ତୁ ସେ କଥାକୁ ତାଙ୍କ ମନ ସହଜରେ ଗ୍ରହଣ କରୁ ନଥିଲା କାହିଁକି ନା ଲିଟୁ ସିନା ଦୁଷ୍ଟାମି କରି କାଚ ଗ୍ଲାସ୍ ଭାଙ୍ଗି ଦେଉଥିଲା , ଖେଳନା ଭାଙ୍ଗି ଦେଉଥିଲା , କିନ୍ତୁ ସେ ତ ମିନାକ୍ଷୀଙ୍କ ବିଶ୍ଵାସକୁ ଭାଙ୍ଗି ଦେଇଥିଲେ , ତାଙ୍କ ମନକୁ ଭାଙ୍ଗି ଦେଇଥିଲେ। ତେଣୁ ସେଭଳି ଭୁଲକୁ ଦୁଷ୍ଟାମି ବୋଲି କହି ସେ ନିଜ ଆଖିରେ ନିଜେ ଛୋଟ ହୋଇ ଯାଇଥିଲେ। ମିନାକ୍ଷୀଙ୍କ ସହିତ କଟାଇଥିବା ଦିନ ଗୁଡ଼ିକ ତାଙ୍କ ସ୍ମୃତି ପଟଳରେ ଭାସି ଆସୁଥିଲା। ବିଶ୍ଵବିଦ୍ୟାଳୟରେ ଉଚ୍ଚ ଶିକ୍ଷା ସମାପ୍ତ କରି ଚାକିରି କରିବା ପରେ ଅଜୟ ବାବୁଙ୍କ ବାପା ଓ ମାଆ ମିନାକ୍ଷୀଙ୍କ ସହିତ ତାଙ୍କର ବାହାଘର କରାଇଦେଇଥିଲେ। କିଛିଦିନ ଭିତରେ ମିନାକ୍ଷୀ ତାଙ୍କର ସୁନ୍ଦର ଆଚରଣ ଓ ବ୍ୟବହାରରେ ପରିବାରର ସମସ୍ତଙ୍କ ମନ କିଣି ନେଇଥିଲେ। ଗାଆଁଟା ସାରା ସବୁଠି ତାଙ୍କ ରୂପ ଓ ଗୁଣର ପ୍ରଶଂସା ଶୁଣିବାକୁ ମିଳୁଥିଲା। ମିନାକ୍ଷୀଙ୍କୁ ପତ୍ନୀ ଭାବରେ ପାଇ ଅଜୟ ବାବୁ ଯେମିତି ନିଜକୁ ଗର୍ବିତ ମନେ କରୁଥିଲେ ଅଜୟ ବାବୁଙ୍କ ବାପା ଓ ମାଆ ମଧ୍ୟ ମିନାକ୍ଷୀଙ୍କୁ ବୋହୂ ଭାବରେ ପାଇଁ ସେତିକି ଖୁସି ହେଉଥିଲେ। ମିନାକ୍ଷୀ ଯେମିତି ମିଷ୍ଟଭାଷୀ ଥିଲେ ସେମିତି ସ୍ପଷ୍ଟବାଦୀ ମଧ୍ୟ ଥିଲେ। ଅଜୟ ବାବୁଙ୍କ କଥା ବା କାମରେ ଟିକିଏ ଭୁଲ୍ ଦେଖିଲେ ସେ ସାଙ୍ଗେ ସାଙ୍ଗେ ଖୁବ୍ ଶାନ୍ତ ଭାବରେ ହସି ହସି ତାଙ୍କୁ ତାଙ୍କର ଭୁଲ୍ ବିଷୟରେ ସୂଚେଇ ଦେଉଥିଲେ। ତାଙ୍କର ଏହି ଗୁଣ ପାଇଁ ଅଜୟ ବାବୁଙ୍କ ମନରେ ତାଙ୍କ ପାଇଁ ଯେତିକି ଶ୍ରଦ୍ଧା ଓ ସମ୍ମାନ ଥିଲା ସେତିକି ଭୟ ମଧ୍ୟ ଥିଲା। ପୁଅ ବୋହୂଙ୍କୁ ନେଇ ଅଧିକ ଦିନ ସୁଖରେ ଘର ସଂସାର କରିବା ବୋଧେ ଅଜୟ ବାବୁଙ୍କର ବାପାବୋଉଙ୍କ ଭାଗ୍ୟରେ ନଥିଲା। ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ସେ ଦୁଇଜଣ ପ୍ରାଣ ହରାଇଥିଲେ।
ଅଜୟ ବାବୁ ଯେତିକି ଦରମା ପାଉଥିଲେ ଗୋଟିଏ ଛୋଟ ପରିବାରକୁ ଚଳେଇବା ପାଇଁ ଯଦିଓ ତାହା ଯଥେଷ୍ଟ ଥିଲା ଅଜୟ ବାବୁ କିନ୍ତୁ ସେଥିରେ ସନ୍ତୁଷ୍ଟ ନଥିଲେ। ସିମୀତ ଆୟରେ ପରିତୃପ୍ତ ହେବା କଳା ଯାହାକୁ ଜଣାନାହିଁ ଯେତେ ଉପାର୍ଜନ କଲେ ବି ସେ ତା ଜୀବନରେ କେବେ ଶାନ୍ତିରେ ରହି ପାରିବ ନାହିଁ। ଅଜୟ ବାବୁଙ୍କ କ୍ଷେତ୍ରରେ ତାହାହିଁ ପ୍ରଜୁଜ୍ୟ ଥିଲା। ତେଣୁ ସବୁବେଳେ ତାଙ୍କର ଆୟକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ତାଙ୍କର ଅସନ୍ତୁଷ୍ଟ ହେବାର ଅନ୍ୟ ଏକ କାରଣ ହେଲା ଅଜୟ ବାବୁ ସବୁବେଳେ ତାଙ୍କ ଠାରୁ ଉଚ୍ଚ ମାନର ଜୀବନ ଯାପନ କରୁଥିବା ଲୋକମାନଙ୍କର ପରିବାରର ଚଳଣିକୁ ଅନୁକରଣ କରିବାକୁ ଚେଷ୍ଟା କରୁଥିଲେ ଯେଉଁଥିପାଇଁ ସେ ତାଙ୍କ ଅଫିସର ଅନ୍ୟ ସହକର୍ମୀମାନଙ୍କ ସହିତ ତାଳ ମିଳାଇ ଚାଲିବାକୁ ଚେଷ୍ଟିତ ଥିଲେ। ସେମାନଙ୍କ ଭଳି ସମାନ ମାନର ଜୀବନ ଧାରଣ କରିବାକୁ ସେ ଖୁବ୍ ପସନ୍ଦ କରୁଥିଲେ। କିନ୍ତୁ ତାଙ୍କର ସିମୀତ ଆୟ କାରଣରୁ ଯଦି ସେ ପ୍ରଚେଷ୍ଟାରେ ଅଜୟ ବାବୁ ପଛରେ ପଡ଼ି ଯାଉଥିଲେ ସେ ନିଜକୁ ଅନ୍ୟମାନଙ୍କ ତୁଳନାରେ ନିକୃଷ୍ଟ ମନେ କରୁଥିଲେ। ତେଣୁ ତାଙ୍କ ଦରମା ସବୁବେଳେ ତାଙ୍କୁ କମ୍ ଲାଗୁଥିଲା। ତାଙ୍କର ସିମୀତ ଆୟରେ ଅନ୍ୟମାନଙ୍କ ପରି ଏକ ବିଳାସପୂର୍ଣ୍ଣ ଜୀବନ ଯାପନ କରିବା କେବେ ସମ୍ଭବ ନୁହେଁ ବୋଲି ତାଙ୍କର ଧାରଣା ହୋଇ ଯାଇଥିଲା। ସେଥିପାଇଁ ସେ ତାଙ୍କ ଚାକିରି ଓ ଦରମାକୁ ନେଇ ଆଦୋୖ ଖୁସି ନଥିଲେ।
ମିନାକ୍ଷୀଙ୍କର ଚରିତ୍ର କିନ୍ତୁ ଅଜୟ ବାବୁଙ୍କ ଚରିତ୍ରର ସମ୍ପୂର୍ଣ୍ଣ ବିପରୀତ ଥିଲା। ସେ ଅଳ୍ପରେ ସନ୍ତୁଷ୍ଟ ହେଉଥିଲେ। ଅଯଥା ଆଡମ୍ବର ପୂର୍ଣ୍ଣ ଜୀବନ ତାଙ୍କୁ ଭଲ ଲାଗୁ ନଥିଲା। ସେ ସର୍ବଦା ସେଥିରୁ ଦୂରେଇ ରହିବାକୁ ପସନ୍ଦ କରୁଥିଲେ। ଅନ୍ୟମାନଙ୍କ ଜୀବନ ଧାରଣ ପ୍ରଣାଳୀକୁ ଅନୁକରଣ କରିବା ତାଙ୍କର ପସନ୍ଦ ନଥିଲା। ନିଜ ସ୍ଵାମୀ ଯେତିକି ଦରମା ପାଉଥିଲେ ତା ବାହାରକୁ ଗଲାଭଳି କୈାଣସି ଜିନିଷ କିଣିବାକୁ ସେ ସ୍ଵାମୀଙ୍କ ନିକଟରେ କେବେ ବି ଦାବି କରୁ ନଥିଲେ। ବରଂ ସେ ସବୁବେଳେ ତାଙ୍କ ସ୍ଵାମୀଙ୍କ ଠାରୁ ବହୁତ କମ୍ ଆୟ କରୁଥିବା ଦିନ ମଜୁରିଆ ମାନଙ୍କ ପରିବାରର ଚଳଣି ବିଷୟରେ ଭାବୁଥିଲେ। ସେ ଦେଖୁଥିଲେ ଯେ ସେମାନଙ୍କ ପରିବାର ତୁଳନାରେ ତାଙ୍କ ପରିବାର ବହୁତ ଭଲରେ ଅଛି। ସେ ସେଥିପାଇଁ ଇଶ୍ଵରଙ୍କୁ ମନେ ମନେ ଧନ୍ୟବାଦ ଦେଉଥିଲେ। ପରିବାରର ଚଳଣି ଓ ସ୍ଵାମୀଙ୍କର ଆୟକୁ ନେଇ ସେ କେବେ ଅସନ୍ତୁଷ୍ଟ ହେଉ ନଥିଲେ କାରଣ ତାଙ୍କର ତାଠାରୁ ଆଉ ଅଧିକ କିଛି ଦରକାର ନଥିଲା। ତାଙ୍କ ପରିବାରରେ କିଛି ଅଭାବ ଓ ଅସୁବିଧା ଥିଲା ଭଳି ତାଙ୍କୁ କେବେ ଲାଗୁ ନଥିଲା। ତାଙ୍କୁ ଲାଗୁଥିଲା ତାଙ୍କ ଘରେ ସବୁ ଯେମିତି ପରିପୂର୍ଣ୍ଣ ଅଛି।
ୟା ଭିତରେ ମିନାକ୍ଷୀଙ୍କ କୋଳକୁ ମାନସ ଆସି ଯାଇଥିଲା। ପୁଅଟିଏ ହେବା ପରେ ଅଜୟ ବାବୁ ଓ ମିନାକ୍ଷୀ ବହୁତ ଖୁସି ହୋଇ ଯାଇଥିଲେ। ଏହିପରି ଭାବରେ ସ୍ତ୍ରୀ ଓ ଛୋଟ ପୁଅକୁ ନେଇ ଅଜୟ ବାବୁଙ୍କ ଛୋଟ ପରିବାରଟି ଖୁବ୍ ଭଲରେ ଚାଲିଥିଲା। କିନ୍ତୁ ଅଜୟ ବାବୁଙ୍କର ଅନ୍ୟ ସହକର୍ମୀମାନଙ୍କ ଉଚ୍ଚମାନର ଚଳଣିକୁ ଅନୁକରଣ କରିବାର ପ୍ରୟାସ ତାଙ୍କ ପାଇଁ କାଳ ହେଲା। ଅଜୟ ବାବୁ ଯେତେବେଳେ ଦେଖିଲେ ଯେ ତାଙ୍କ ସହିତ ସମାନ ଦରମା ପାଉଥିବା ତାଙ୍କର ସହକର୍ମୀମାନେ ତାଙ୍କ ଠାରୁ ଏକ ଉଚ୍ଚ ମାନର ଜୀବନ ଯାପନ କରୁଛନ୍ତି ଏବଂ ଯେତେ ଚେଷ୍ଟା କଲେ ବି ସେ ସେମାନଙ୍କ ସହିତ ସମାନ ମାନର ଜୀବନ ଯାପନ କରିବାକୁ ସମର୍ଥ ହେଉ ନାହାଁନ୍ତି ସେ ତାର କାରଣ ଜାଣିବାକୁ ଚେଷ୍ଟା କଲେ। ସେ ଜାଣିବାକୁ ପାଇଲେ ଯେ ତାଙ୍କ ସହକର୍ମୀମାନେ ସେମାନଙ୍କ ଦରମାକୁ ଛାଡ଼ି ଲାଞ୍ଚ ନେଇ ଅନୈତିକ ଭାବରେ ଅର୍ଥ ଉପାର୍ଜନ କରୁଛନ୍ତି। ତେଣୁ ସେମାନଙ୍କ ଭଳି ସମାନ ମାନର ଜୀବନ ଯାପନ କରିବାକୁ ହେଲେ ତାଙ୍କୁ ଲାଞ୍ଚ ନେବାକୁ ପଡ଼ିବ। କିନ୍ତୁ ତାଙ୍କ ପକ୍ଷରେ ଏ କାମଟା କରିବା ଏତେ ସହଜ ନଥିଲା କାରଣ ସେ ଭଲଭାବରେ ତାଙ୍କ ସ୍ତ୍ରୀ ମିନାକ୍ଷୀଙ୍କର ସ୍ଵଭାବ ଜାଣିଥିଲେ। ସେ ଜାଣିଥିଲେ ଯେ ସେ ଲାଞ୍ଚ ନେବା କଥା ଯଦି ମିନାକ୍ଷୀଙ୍କୁ ଜଣା ପଡ଼ିଯାଏ ସେ କେବେହେଲେ ତାଙ୍କର ଏହି ଅନୈତିକ କାର୍ଯ୍ୟକୁ ପସନ୍ଦ କରିବେ ନାହିଁ। ସିଧାସଳଖ ସେ ତାଙ୍କୁ ଲାଞ୍ଚ ନେବାର କାରଣ ପଚାରିବେ ଯାହାର ଯଥାର୍ଥ ଉତ୍ତର ଅଜୟ ବାବୁ କେବେହେଲେ ତାଙ୍କୁ ଦେଇ ପାରିବେ ନାହିଁ। ତେଣୁ ଅଫିସରେ ତାଙ୍କ ଆଖି ସାମ୍ନାରେ ଅନ୍ୟ ସହକର୍ମୀମାନେ ଲାଞ୍ଚ ନେଉଥିଲେ ମଧ୍ୟ ମିନାକ୍ଷୀଙ୍କ ଭୟରେ ସେ ଲାଞ୍ଚ ନେବାକୁ ସାହସ କରୁ ନଥିଲେ। ପରିବାରରେ ସବୁକିଛି ଠିକଠାକ ଚାଲିଥିଲେ ମଧ୍ୟ ନିଜର ଆୟ ଓ ଚଳଣିକୁ ନେଇ ଅଜୟ ବାବୁ କେବେ ଖୁସି ନଥିଲେ। ତେଣୁ ଅନ୍ୟ ସହକର୍ମୀମାନଙ୍କର ଚଳଣିକୁ ଦେଖି ହାଇଁଁପାଇଁ ହେବା ଛଡ଼ା ତାଙ୍କ ନିକଟରେ ଆଉ କିଛି ଅନ୍ୟ ଉପାୟ ନଥିଲା।
ଦିନକର କଥା। ଅଫିସ୍ ବନ୍ଦ ହେବାପରେ ଅଜୟ ବାବୁଙ୍କ ସହକର୍ମୀ ମହେଶ ବାବୁ ତାଙ୍କୁ ଏକ ସୋଫା ସେଟ୍ ପସନ୍ଦ କରିବା ପାଇଁଁ ଗୋଟିଏ ଫର୍ନିଚର ଦୋକାନକୁ ଡାକିଲେ। ଅବଶ୍ୟ ସେ ତାଙ୍କ ଠାରୁ ବୟସରେ ବହୁତ ବଡ଼। ମହେଶ ବାବୁ କହିଲେ , ବୁଝିଲେ ଅଜୟ ବାବୁ ! ଆପଣଙ୍କୁ କଣ ଲୁଚେଇବି। ଏ ମାସରେ କିଛି ଉପୁରି ପଇସା ମିଳିଥିଲା। ଭାବିଲି ସେଥିରେ ଗୋଟିଏ ନୂଆ ସୋଫା ସେଟ୍ କିଣି ଘରେ ଥିବା ପୁରୁଣା ସୋଫାଟିକୁ କାହାକୁ ବିକ୍ରି କରିଦେବି। ତାପରେ ଉଭୟ ଯେଉଁ ସୋଫା ସେଟ୍ ପସନ୍ଦ କଲେ ତାହା ବହୁତ ଦାମିକା ଥିଲା। ମହେଶ ବାବୁ ଲାଞ୍ଚ ନେବା ପଇସାରେ ସୋଫା କିଣିବାର ଦେଖି ଅଜୟ ବାବୁଙ୍କୁ କିଛି ଆଶ୍ଚର୍ଯ୍ୟ ଲାଗିଲା ନାହିଁ କାରଣ ସେ ଜାଣିଥିଲେ ଯେ ତାଙ୍କ ଅଫିସରେ ତାଙ୍କୁ ଛାଡ଼ି ସମସ୍ତେ ପ୍ରାୟ ଲାଞ୍ଚ ନିଅନ୍ତି। ମହେଶ ବାବୁ ସେହି ସୋଫା ସେଟ୍ କିଣି ସାରିବା ପରେ ଅଜୟ ବାବୁ ତାଙ୍କୁ ପାଖକୁ ଡାକି କହିଲେ , ଆଛା ! ମହେଶ ବାବୁ ! ଲାଞ୍ଚ ପଇସାରେ ଏତେ ଦାମିକା ସୋଫା ସେଟ୍ କିଣି ଘରକୁ ନେଲେ ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ସନ୍ଦେହ କରିବେ ନାହିଁ ? ଅଜୟ ବାବୁଙ୍କ କଥା ଶୁଣି ମହେଶ ବାବୁ ହସି ହସି କହିଲେ , ବୁଝିଲେ ଅଜୟ ବାବୁ ! ଏ ସୋଫା ଲାଞ୍ଚ ପଇସାରେ କିଣା ହୋଇଛି ବୋଲି ସେ କେମିତି ଜାଣିବେ କହିଲେ ? ଆପଣ ସିନା ଏବେ ଚାକିରି କଲେ ! ମୁଁ ଏ ଅଫିସରେ ଚାକିରି କରିବା ପରା କୋଡ଼ିଏ ବର୍ଷ ହେଲାଣି। ଅଫିସରୁ ଯେତିକି ଦରମା ମିଳୁଛି ସେ ତ ଘରଖର୍ଚ୍ଚକୁ ନିଅଣ୍ଟ। ତେଣୁ ଦରମା ପଇସାରେ ଅନ୍ୟ କିଛି ବିଳାସପୂର୍ଣ୍ଣ ସାମଗ୍ରୀ କିଣିବା କଣ ଆମ ପକ୍ଷରେ ସମ୍ଭବ ! ତେଣୁ ଘରର ସମସ୍ତ ଦାମିକା ଆସବାବପତ୍ର ମୁଁ ଏହି ଉପୁରି ପଇସାରେ କିଣିଛି। କାହିଁ କେବେ ତ ମୋ ସ୍ତ୍ରୀ ମୋତେ ସନ୍ଦେହ କରି ନାହାଁନ୍ତି କି କିଛି ପଚାରି ନାହାଁନ୍ତି। ଆଉ ଆଜି କାହିଁକି ପଚାରିବେ ! ତାପରେ ସେ କିପରି ଜାଣିବେ ଯେ ଏ ସୋଫା ଲାଞ୍ଚ ପଇସାରେ କିଣା ହୋଇଛି କି ମୋ ସଞ୍ଚୟ ପଇସାରେ କିଣା ହୋଇଛି ବୋଲି ! ସେ ତ ଆମ୍ବ ଖାଇବା ଲୋକ ତୋଟା ମୂଲ କରିବେ କାହିଁକି ! ଅଜୟ ବାବୁ ! ମୁଁ ଦେଖୁଛି ଆପଣ ଏକା ଆମ ଅଫିସରେ ଲାଞ୍ଚ ନେଉ ନାହାଁନ୍ତି। କିନ୍ତୁ ମନେ ରଖନ୍ତୁ , ଆଜିକାଲି ଦରଦାମ ଯେମିତି ହୁ ହୁ ହୋଇ ବଢୁଛି ଦରମା ପଇସା ସବୁ ଘରଖର୍ଚ୍ଚରେ ସରିଯିବ। ଆପଣ ଯେମିତି ଅଛନ୍ତି ଜୀବନ ସାରା ସେମିତି ରହିଥିବେ। ଆଗକୁ ପାଦେ ବି ବଢ଼ି ପାରିବେ ନାହିଁ। ଏତିକି କଥାବାର୍ତ୍ତା ଭିତରେ ମହେଶ ବାବୁ ଦୋକାନୀକୁ ତାଙ୍କ ଘରକୁ ସୋଫା ସେଟ୍ ପଠାଇ ଦେବା ଠିକଣା ଦେଇ ଅଜୟ ବାବୁଙ୍କ ଠାରୁ ବିଦାୟ ନେଲେ।
ମହେଶ ବାବୁ ସିନା ଅଜୟ ବାବୁଙ୍କ ଠାରୁ ବିଦାୟ ନେଇ ତାଙ୍କ ଘରକୁ ଚାଲିଗଲେ କିନ୍ତୁ ମିନାକ୍ଷୀଙ୍କ ଭୟରେ ଅଜୟ ବାବୁଙ୍କ ମନ ଭିତରେ ଶୋଇ ରହିଥିବା ଲୋଭ ରୂପକ ରାକ୍ଷସକୁ ସେ ଜଗାଇ ଦେଇଗଲେ। ମଳୁ ଖୋଜୁଥିଲା ଯାହା , ବଇଦ ବତେଇଲା ତାହା। ମହେଶ ବାବୁଙ୍କ କଥା ଅଜୟ ବାବୁଙ୍କ ମନକୁ ପାଇଲା। ନିଜ ମଟର ସାଇକେଲରେ ବସି ଘରକୁ ଫେରିଲା ବେଳେ ସେ ଭାବିଲେ , ଆରେ , ମହେଶ ବାବୁ ତ ଠିକ୍ କଥା କହିଲେ। ସେ ଏତେ ବର୍ଷ ହେଲା ଲାଞ୍ଚ ନେଉଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ଯଦି ସେ ବିଷୟରେ ଜାଣି ପାରୁ ନାହାଁନ୍ତି ତାହେଲେ ମୁଁ ଲାଞ୍ଚ ନେଲେ ମିନାକ୍ଷୀ କିପରି ଜାଣିବେ ! ମୁଁ ଅଫିସରେ ଲାଞ୍ଚ ନେବା କଥା ମିନାକ୍ଷୀ ଜାଣିଲେ ସିନା ଅସୁବିଧା ହେବ। ସେ ଯଦି ନ ଜାଣନ୍ତି ତାହେଲେ ତ କିଛି ଅସୁବିଧା ନାହିଁ। ଅନେକ ଦିନରୁ ଅନ୍ୟ ସହକର୍ମୀମାନଙ୍କ ସହିତ ତାଳ ଦେଇ ଆଗକୁ ବଢ଼ିବାକୁ ତାଙ୍କ ମନ ଭିତରେ ଯେଉଁ ଲାଳସା ଥିଲା ତାକୁ ପୂରଣ କରିବା ପାଇଁଁ ସେ ଅନ୍ୟ ସହକର୍ମୀମାନଙ୍କ ପରି ଲାଞ୍ଚ ନେବାପାଇଁ ସ୍ଥିର କଲେ। ପ୍ରଥମେ ପ୍ରଥମେ ଏହା ଟିକେ ଅସହଜ ଲାଗିଲେ ମଧ୍ୟ ଧୀରେ ଧୀରେ ଲାଞ୍ଚ ନେବା ଅନ୍ୟମାନଙ୍କ ପରି ତାଙ୍କର ମଧ୍ୟ ଦେହସୁହା ହୋଇଗଲା।
ସମୟ କାହାରିକୁ ଅପେକ୍ଷା କରେନାହିଁ। ୟା ଭିତରେ ଅଜୟ ବାବୁଙ୍କ ପୁଅ ମାନସକୁ ପାଞ୍ଚବର୍ଷ ହୋଇ ଯାଇଥିଲା ଓ ସେ ସ୍କୁଲରେ ପଢ଼ିବାକୁ ଯାଉଥିଲା। ଅଜୟ ବାବୁ ନଅଟା ବେଳେ ଅଫିସ୍ ବାହାରି ଗଲାପରେ ମିନାକ୍ଷୀ ପୁଅକୁ ନେଇ ସ୍କୁଲରେ ଛାଡ଼ି ଦେଇ ଆସନ୍ତି। ଦିନେ ମାନସକୁ ସ୍କୁଲରେ ଛାଡ଼ି ଫେରିଲା ବେଳକୁ ବାଟରେ ତାଙ୍କର ଦୂର ସମ୍ପର୍କୀୟ ସୁଧୀର ଭାଇଙ୍କ ସହିତ ଦେଖାହେଲା। ସେ ମିନାକ୍ଷୀଙ୍କୁ ଦେଖି ସ୍କୁଟି ଅଟକାଇଲେ। ମିନାକ୍ଷୀ ତାଙ୍କୁ ନମସ୍କାର କଲେ ଓ କହିଲେ ସୁଧୀର ଭାଇ ! ତୁମେ ଏପଟେ କୁଆଡେ଼ ଯାଉଛ ? ଫୋନ୍ କରି କରି ମୋ ବାହାଘରକୁ ତ ଆସିଲ ନାହିଁ। ସୁଧୀର ବାବୁ କହିଲେ , ତୋ ବାହାଘର ଦିନ ତୁମ ଘରକୁ ଆସିବାକୁ ବାହାରିଛି ହଠାତ୍ ତୋ ଭାଉଜଙ୍କ ଦେହ ଖରାପ ହୋଇଗଲା। ତେଣୁ ତାଙ୍କୁ ନେଇ ମେଡିକାଲ୍ ଯିବାକୁ ପଡ଼ିଲା। ମେଡ଼ିକାଲରୁ ଫେରୁ ଫେରୁ ରାତି ହୋଇଗଲା। ତେଣୁ ତୋ ବାହାଘରକୁ ଆସି ପାରିଲି ନାହିଁ। ମିନାକ୍ଷୀ କହିଲେ , ହଉ ହେଲା ! ଆଜି ତ ଦେଖା ହେଲାଣି। ଏବେ ମୋ ଘରକୁ ଚାଲ। ମୋ ଘରଟା ଏଇ ପାଖରେ। ସୁଧୀର ବାବୁ କହିଲେ , ମିନାକ୍ଷୀ ! ମୋ ସୁନା ଭଉଣୀଟା ପରା ! ଆଜି ମୁଁ ଗୋଟିଏ ଜରୁରୀ କାମରେ ଏଇ ପାଖ ଗାଆଁକୁ ଯାଉଛି। ତୋ ଘରକୁ ଗଲେ ମୋର ସେଠାରେ ପହଞ୍ଚିବା ଡେରି ହୋଇଯିବ। କିନ୍ତୁ ତୁ ମନଦୁଃଖ କରନା। ମୁଁ ତୋ ଭାଉଜକୁ ଆଣି ଖୁବଶୀଘ୍ର ଗୋଟିଏ ଛୁଟିଦିନରେ ତୋ ଘରକୁ ଆସିବି। ଆମେ ଦୁଇଜଣ ତ ତୋ ବରକୁ ଦେଖିନୁ। ସେହିଦିନ ଆମେ ତୋ ବରକୁ ଦେଖିବୁ ଓ ତୋ ଘରେ ଖାଇପିଇ ଯିବୁ। ଆଛା ମିନାକ୍ଷୀ ! ତୋ ବର ଭୁବନେଶ୍ଵରରେ ଚାକିରୀ କରିଛନ୍ତି ବୋଲି ଶୁଣିଥିଲି। ସେ କେଉଁ ଅଫିସରେ ଚାକିରି କରନ୍ତି ? ମିନାକ୍ଷୀ ଯେତେବେଳେ ତାଙ୍କୁ ଅଫିସ୍ ନାଆଁଟା କହିଲେ ସେ କହିଲେ , ଆରେ ସେ ଅଫିସରେ ଲାଞ୍ଚ ନଦେଲେ କିଛି କାମ ହୁଏନି। ଗଲା ମାସରେ ଗୋଟିଏ କାମରେ ମୁଁ ସେ ଅଫିସକୁ ଯାଇଥିଲି। ମୁଁ ଯଦି ଜାଣିଥାନ୍ତି ଆମ ଜ୍ବାଇଁବାବୁ ସେଠି ଚାକିରି କରୁଛନ୍ତି ବୋଲି ତାହେଲେ ହୁଏତ ମୋତେ ଏତେ ହଇରାଣ ହେବାକୁ ପଡ଼ି ନଥାନ୍ତା। ତୁ ବିଶ୍ଵାସ କରିବୁନି ମିନାକ୍ଷୀ , ଗୋଟିଏ ଫାଇଲ୍ ପାସ୍ କରିବାକୁ ସେହି ଅଫିସର ଜଣେ ଆସିଷ୍ଟାଣ୍ଟ ମୋତେ ଏତେ ଥର ଦୌଡ଼େଇଲା ଯେ ସେକଥା ନ କହିଲେ ଭଲ। ଶେଷକୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ଦେବାରୁ ସେ ମୋ ଫାଇଲ୍ ପାସ୍ କରିଦେଲା। ହଉ ଛାଡ଼ ସେକଥା। ତୁ ଏପଟେ ଚାଲି ଚାଲି କୁଆଡ଼େ ଯାଇଥିଲୁ ? ମିନାକ୍ଷୀ କହିଲେ। ମୋ ପୁଅ ଏଇ ପାଖ ସ୍କୁଲରେ ପଢ଼େ। ମୁଁ ତାକୁ ସ୍କୁଲରେ ଛାଡ଼ିବାକୁ ଯାଇଥିଲି। ସୁଧୀର ବାବୁ କହିଲେ ହଉ ! ସ୍କୁଟରରେ ବସ୍। ମୁଁ ତୋତେ ତୋ ଘରେ ଛାଡ଼ିଦେଇ ଯିବି। ଅନତି ଦୂରରେ ଥିବା ଘର ଆଡ଼କୁ ହାତ ଦେଖାଇ ମିନାକ୍ଷୀ କହିଲେ , ଏଇ ପରା ମୋ ଘର ଦେଖା ଯାଉଛି। ତୁମର ଡେରି ହେବ। ତୁମେ ଯାଅ। ମୁଁ ଚାଲିଯିବି। ସୁଧୀର ବାବୁ ହଉ ବୋଲି କହି ଯେତେବେଳେ ସ୍କୁଟି ଷ୍ଟାର୍ଟ କଲେ ମିନାକ୍ଷୀ କହିଲେ , ଭାଇ ! ଭାଉଜଙ୍କୁ ଆଣି ଯେମିତି ହେଲେ ମୋ ଘରକୁ ଆସିବ। ଭୁଲିବ ନାହିଁ। ସୁଧୀର ବାବୁ କହିଲେ , ହଁ ! ମୁଁ ନିଶ୍ଚୟ ଆସିବି। ମିନାକ୍ଷୀ ଠାରୁ ବିଦାୟ ନେଇ ସୁଧୀର ବାବୁ ତାଙ୍କ କାମରେ ଚାଲିଗଲା ପରେ ମିନାକ୍ଷୀ ତାଙ୍କ ଘରକୁ ଫେରି ଆସିଲେ। ସେଦିନ ରାତିରେ ମିନାକ୍ଷୀ ଅଜୟ ବାବୁଙ୍କୁ କହିଲେ , ଆଜି ମୋର ଜଣେ ଦୂର ସମ୍ପର୍କୀୟ ଭାଇଙ୍କ ସହିତ ଦେଖା ହୋଇଥିଲା। ସେ କହୁଥିଲେ ଯେ ତୁମ ଅଫିସରେ କୁଆଡ଼େ ଲାଞ୍ଚ କାରବାର ହୁଏ ବୋଲି ! ଏକଥା କଣ ସତ ? ଅଜୟ ବାବୁ କହିଲେ , କାହା କଥା କିଏ ଜାଣିଛି ! ଯଦି କିଏ ଆମ ଅଫିସରେ ଲୁଚେଇ ଲୁଚେଇ ଲାଞ୍ଚ ନେଉଥିବେ ସେକଥା ମୁଁ କେମିତି ଜାଣିବି ! ମିନାକ୍ଷୀ କହିଲେ , ଦେଖ ! ତୁମେ ମୋ ଦେହ ଛୁଇଁ ଶପଥ କର। ଭୁଲରେ କେବେ ବି ତୁମେ କାହାଠାରୁ ଲାଞ୍ଚ ନେବ ନାହିଁ। ଅଜୟ ବାବୁ କହିଲେ , ହଉ ! ମୁଁ ତୁମ ଦେହ ଛୁଇଁ ଶପଥ କରୁଛି , ମୁଁ କେବେ ବି କାହାଠାରୁ ଲାଞ୍ଚ ନେବି ନାହିଁ।
ୟା ଭିତରେ କିଛିଦିନ ବିତି ଯାଇଥିଲା। ସେଦିନ ଥାଏ ରବିବାର। ମାନସ ତା ସାଥି ପିଲାମାନଙ୍କ ସହିତ ଖେଳିବାକୁ ବାହାରକୁ ଯାଇଥାଏ। ଅଜୟ ବାବୁ ଘରେ ଥାଆନ୍ତି। ମିନାକ୍ଷୀ ରୋଷେଇ ଘରେ ରୋଷେଇ କାମରେ ବ୍ୟସ୍ତ ଥାଆନ୍ତି। ଏତିକିବେଳେ ସୁଧୀର ବାବୁ ତାଙ୍କ ସ୍ତ୍ରୀ ଶ୍ରୁତି ଦେବୀଙ୍କ ସହିତ ମିନାକ୍ଷୀଙ୍କ ଘରେ ପହଞ୍ଚିଲେ। ସୁଧୀର ବାବୁଙ୍କ ସହ ତାଙ୍କ ସ୍ତ୍ରୀଙ୍କୁ ଦେଖି ମିନାକ୍ଷୀ ବହୁତ ଖୁସି ହେଲେ ଓ ସେମାନଙ୍କୁ ପ୍ରଣାମ କରି କହିଲେ , ଭାଇ ! ଯାହାହେଉ ! ମୋ କଥା ରଖି ଭାଉଜଙ୍କୁ ଆଣି ମୋ ଘରକୁ ଆସିଥିବାରୁ ମୁଁ ଆଜି ବହୁତ ଖୁସି। ତାପରେ ମିନାକ୍ଷୀ କହିଲେ , ଭାଇ ! ଭାଉଜ ! ତୁମେ ଦୁହେଁ ଆସ ! ମୁଁ ତୁମ ଦୁଇଜଣଙ୍କୁ ମୋ ସ୍ଵାମୀଙ୍କ ସହିତ ପରିଚୟ କରାଇଦେବି। ଶ୍ରୁତି ଦେବୀ କହିଲେ , ଆରେ ମିନାକ୍ଷୀ ! ଖାସ୍ ତାଙ୍କୁ ଦେଖିବା ପାଇଁ ତ ଆମେ ରବିବାର ଦିନ ଆସିଛୁ। ମିନାକ୍ଷୀ ସେମାନଙ୍କୁ ସାଙ୍ଗରେ ନେଇ ତାଙ୍କ ଶୋଇବା ଘରକୁ ଗଲା ବେଳକୁ ସୁଧୀର ବାବୁ କହିଲେ ମିନାକ୍ଷୀ ! ତୁ ଶ୍ରୁତିଙ୍କୁ ଆଗରେ ନେଇ ଚାଲ୍ । ମୁଁ ସ୍କୁଟି ଡିକି ଭିତରୁ ଗୋଟିଏ ଜରୁରୀ ଜିନିଷ ଆଣି ଆସୁଛି। ମିନାକ୍ଷୀ ହଉ ! କହି ଶ୍ରୁତି ଦେବୀଙ୍କୁ ତାଙ୍କ ଶୋଇବା ଘରକୁ ନେଇଗଲେ। ଅଜୟ ବାବୁ ସେଘରେ ପଡ଼ିଥିବା ଚଉକିଟା ଉପରେ ବସି ଖବରକାଗଜ ପଢ଼ୁଥିଲେ। ମିନାକ୍ଷୀ ଘର ଭିତରକୁ ଯାଇ ସ୍ବାମୀଙ୍କୁ କହିଲେ ଦେଖ ! କିଏ ଆସିଛନ୍ତି ! ମିନାକ୍ଷୀଙ୍କ କଥା ଶୁଣି ଅଜୟ ବାବୁ ଖବରକାଗଜ ପଢ଼ା ବନ୍ଦ କରି ମିନାକ୍ଷୀଙ୍କ ଆଡ଼କୁ ଚାହିଁଲେ। ମିନାକ୍ଷୀ କହିଲେ ଇୟେ ହେଲେ ଶ୍ରୁତି ଭାଉଜ। ଆମ ସୁଧୀର ଭାଇଙ୍କ ସ୍ତ୍ରୀ। ମୋ ବାହାଘର ବେଳେ ଆସି ପାରି ନଥିଲେ ବୋଲି ତୁମକୁ ଦେଖିବା ପାଇଁ ଆସିଛନ୍ତି। ଅଜୟ ବାବୁ ଚଉକିରୁ ଉଠି ତାଙ୍କୁ ନମସ୍କାର କଲେ ଓ ଘରେ ପଡ଼ିଥିବା ଅନ୍ୟ ଏକ ଚେୟାର ଦେଖାଇ କହିଲେ , ବସନ୍ତୁ ଭାଉଜ ! ଶ୍ରୁତି ଦେବୀ ଚେୟାର ଉପରେ ବସିଲେ। ମିନାକ୍ଷୀ ତାଙ୍କ ପାଖରେ ଠିଆ ହୋଇଥାନ୍ତି। କିଛି ସମୟ ଅଜୟ ବାବୁଙ୍କ ସହିତ କଥା ହେବାପରେ ଶ୍ରୁତି ଦେବୀ ମିନାକ୍ଷୀଙ୍କୁ କହିଲେ , ମିନାକ୍ଷୀ ! ମୁଁ ଟିକେ ବାଥରୁମ ଯିବି। ସେ ଏତିକି କହିବା ଭିତରେ ସୁଧୀର ବାବୁ ମିନାକ୍ଷୀ ! ମିନାକ୍ଷୀ ! ଡ଼ାକି ସେ ଘର ଭିତରକୁ ପଶି ଆସିଲେ। ମିନାକ୍ଷୀ ସୁଧୀର ବାବୁଙ୍କ ଆଡ଼କୁ ଲକ୍ଷ୍ୟ କରି ଅଜୟ ବାବୁଙ୍କୁ କହିଲେ , ଇୟେ ହେଲେ ସୁଧୀର ଭାଇ। ଅଜୟ ବାବୁ ନମସ୍କାର କହି ଯେତେବେଳେ ସୁଧୀର ବାବୁଙ୍କ ମୁହଁକୁ ଚାହିଁଲେ ତାଙ୍କୁ ତାଙ୍କ ପାଦତଳୁ ମାଟି ଖସିଗଲା ପରି ଲାଗିଲା। ତାଙ୍କ ଦେହ ଗୋଟାପଣେ ଝାଳରେ ଜୁଡୁବୁଡୁ ହୋଇଗଲା। ସେ ଭାବିଲେ , ଆରେ ! ଇୟେ ତ ସେଇ ଭଦ୍ରଲୋକ ଯାହାଙ୍କ ଫାଇଲ୍ ପାସ୍ କରିଦେବା ପାଇଁ ସେ ଗଲା କେତେମାସ ତଳେ ତାଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଅଜୟ ବାବୁଙ୍କ ମୁଣ୍ଡ କିଛି କାମ କରୁ ନଥିଲା। ଏ ପରିସ୍ଥିତିକୁ ସେ କିପରି ସାମ୍ନା କରିବେ କିଛି ଜାଣି ପାରୁ ନଥିଲେ। ସେ ଭାବୁଥିଲେ ସୁଧୀର ଭାଇ ଯଦି ମିନାକ୍ଷୀଙ୍କ ଆଗରେ ସବୁକଥା ଖୋଲି କହି ଦିଅନ୍ତି ତାହେଲେ ତ ପ୍ରଳୟ ହୋଇଯିବ। ଅଜୟ ବାବୁ ଏହିପରି ଭାବନା ରାଜ୍ୟରେ ହଜି ଯାଇଥିବା ବେଳେ ସୁଧୀର ବାବୁଙ୍କ ଡାକରେ ସେ ଚମକି ପଡ଼ିଲେ। ସେତେବେଳକୁ ସୁଧୀର ବାବୁ ଅଜୟ ବାବୁଙ୍କୁ ଚିହ୍ନି ସାରିଥିଲେ। କିନ୍ତୁ କିଛି ନ ଜାଣିଲା ପରି ସେ କହିଲେ , କଣ ଜ୍ବାଇଁ ବାବୁ। ମୋତେ ବସିବାକୁ କହିବନି ? ଅଜୟ ବାବୁ ପ୍ରକୃତିସ୍ଥ ହୋଇ କହିଲେ ,ବସନ୍ତୁ ଭାଇ ! ସୁଧୀର ବାବୁ ବସିବାକୁ ଗଲା ବେଳକୁ ଶ୍ରୁତି ଦେବୀ ଚଉକିରୁ ଉଠି ଯାଇ ସ୍ବାମୀଙ୍କୁ କହିଲେ , ତୁମେ ଏଇଠି ବସି ଜ୍ବାଇଁ ବାବୁଙ୍କ ସହିତ ଗପ କରୁଥାଅ। ମୁଁ ଟିକେ ବାଥ ରୁମରୁ ଆସୁଛି। ମିନାକ୍ଷୀ କହିଲେ , ଆସ ଭାଉଜ ! ମୁଁ ତୁମକୁ ବାଥରୁମ୍ ଦେଖେଇ ଦେବି। ଶ୍ରୁତି ଦେବୀଙ୍କୁ ନେଇ ମିନାକ୍ଷୀ ଚାଲିଗଲା ପରେ ଅଜୟ ବାବୁ ସୁଧୀର ବାବୁଙ୍କ ହାତ ଧରି ପକାଇ କହିଲେ , ମୋର ଭୁଲ୍ ହୋଇ ଯାଇଛି ଭାଇ ! ଆପଣ ମୋତେ କ୍ଷମା କରି ଦିଅନ୍ତୁ। ସୁଧୀର ବାବୁ କହିଲେ , ଆରେ , ମୋତେ ତୁମେ କାହିଁକି କ୍ଷମା ମାଗୁଛ ! ଅଜୟ ବାବୁ କହିଲେ , ଦେଖନ୍ତୁ ଭାଇ ! ମୁଁ ଆପଣଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା କଥା ଯଦି ମିନାକ୍ଷୀ ଜାଣିବେ ତାହେଲେ ଆମ ପାରିବାରିକ ଜୀବନରେ ଏକ ଭୟଙ୍କର ଝଡ଼ ସୃଷ୍ଟି ହେବ। ଆପଣଙ୍କୁ ମୁଁ ଲାଞ୍ଚ ନେଇଥିବା ସେ ପାଞ୍ଚ ହଜାର ଟଙ୍କା ଫେରେଇଦେବି। ଆପଣ ସେକଥା କେବେବି ମିନାକ୍ଷୀଙ୍କ ଆଗରେ କହିବେନି। ସୁଧୀର ବାବୁ କହିଲେ , ଆରେ ! ତୁମେ ମୋତେ ସେ ଟଙ୍କା ଫେରେଇବା ଦରକାର ନାହିଁ। ମୁଁ ତୁମକୁ କଥା ଦେଉଛି। ମୁଁ ମିନାକ୍ଷୀ ଆଗରେ କେବେ ବି ଏକଥା କହିବି ନାହିଁ। ମିନାକ୍ଷୀ ମୋ ମା ପେଟର ଭଉଣୀ ନହେଲେ ମଧ୍ୟ ମୁଁ ତାକୁ ମୋ ନିଜ ଭଉଣୀ ଭଳି ଭଲପାଏ। ସେ ଏକଥା ଜାଣିଲେ କଣ ଯେ କରି ବସିବ ସେକଥା ତୁମେ କଳ୍ପନା ବି କରି ପାରିବ ନାହିଁ। ମିନାକ୍ଷୀକୁ ଆମେ ସମସ୍ତେ ବେଶୀ ଭଲ ପାଉ କାରଣ ସେ ଅନ୍ୟାୟକୁ କେବେ ବରଦାସ୍ତ କରି ପାରେନାହିଁ। ତୁମେ ବୋଧେ ଜାଣି ନଥିବ ଆମ ଅଞ୍ଚଳର ଜଣେ ଲାଞ୍ଚୁଆ ଅଫିସରଙ୍କ ବିରୁଦ୍ଧରେ ତା ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ଲେଖି ସେ କିପରି ତାଙ୍କୁ ଚାକିରୀରୁ ନିଲମ୍ବନ କରାଇ ଦେଇଥିଲା। ତେଣୁ ଏ ଘଟଣା ପାଇଁ ତା ପାରିବାରିକ ଜୀବନରେ ଯେ ଝଡ଼ ଉଠୁ ଏକଥା ମୁଁ କେବେ ବି ଚାହିଁବି ନାହିଁ। ତେଣୁ ତୁମେ ସେ ବିଷୟରେ ନିଶ୍ଚିନ୍ତ ରୁହ। କିନ୍ତୁ ସେଥିପାଇଁ ତୁମକୁ ମୋତେ ଗୋଟିଏ କଥା ଦେବାକୁ ପଡ଼ିବ। ତୁମେ ମୋ ପାଖରେ ଶପଥ କର ଆଉ କେବେ କାହାଠାରୁ ଲାଞ୍ଚ ନେବ ନାହିଁ। ଅଜୟ ବାବୁ କହିଲେ , ମୁଁ ଆପଣଙ୍କ ନିକଟରେ ଶପଥ କରୁଛି , ମୁଁ ଆଉ ଜୀବନରେ କେବେ କାହାଠାରୁ ଲାଞ୍ଚ ନେବି ନାହିଁ। ସୁଧୀର ବାବୁଙ୍କ କଥାରେ ଅଜୟ ବାବୁ ମନେ ମନେ ଆଶ୍ଵସ୍ତ ହୋଇ ଭାବିଲେ , ଯାହାହେଉ ! ଏତେବଡ଼ ବିପଦରୁ ମଣିଷ ଆଜି ବଞ୍ଚିଗଲା। ମିନାକ୍ଷୀ କଥାଟା ଜାଣିଥିଲେ କଣ ଯେ ହୋଇଥାନ୍ତା ! ସେ ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଦେଉଥିଲେ।
ଅଜୟ ବାବୁ ସିନା ବିପଦରୁ ରକ୍ଷା ପାଇଗଲେ ବୋଲି ଭାବି ଭଗବାନଙ୍କୁ ଧନ୍ୟବାଦ ଦେଉଥିଲେ କିନ୍ତୁ ତାଙ୍କ ପାରିବାରିକ ଜୀବନ ଉପରକୁ ଯେଉଁ ବିପଦ ମାଡ଼ି ଆସୁଥିଲା ସେକଥା ସେ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲେ କାରଣ ଶ୍ରୁତି ଦେବୀଙ୍କୁ ବାଥରୁମ ଦେଖେଇଦେଇ ଫେରି ଆସିବା ପରେ ମିନାକ୍ଷୀ ପରଦା ଆଢୁଆଳରେ ରହି ସୁଧୀର ବାବୁ ଓ ତାଙ୍କ ସ୍ଵାମୀଙ୍କ ଭିତରେ ହୋଇଥିବା ସମସ୍ତ କଥାବାର୍ତ୍ତା ଶୁଣି ସାରିଥିଲେ। କିନ୍ତୁ ସବୁ ଶୁଣି ମଧ୍ୟ କିଛି ନ ଶୁଣିଲା ପରି ମିନାକ୍ଷୀ ଘର ଭିତରକୁ ଆସି ଅଜୟ ବାବୁଙ୍କୁ କହିଲେ , ଶୁଣ ! ତୁମେ ଭାଇଙ୍କୁ ଆଣି ଖାଇବା ଟେବୁଲ୍ ପାଖକୁ ଆସ। ମୁଁ ସମସ୍ତଙ୍କ ପାଇଁ ଖାଇବା ବାଢ଼ୁଛି। ସ୍ବାମୀଙ୍କୁ ଏହା କହି ମିନାକ୍ଷୀ ଚାଲିଯିବା ପରେ ପୁଣିଥରେ ସୁଧୀର ବାବୁଙ୍କୁ ହାତ ଯୋଡ଼ି ଅଜୟ ବାବୁ କହିଲେ , ଭାଇ ! ଏକଥା ଆପଣ ଭାଉଜଙ୍କ ଆଗରେ ବି କହିବେନି। ସେ ଜାଣିଲେ ମୁଁ ଆଉ ଜୀବନରେ ତାଙ୍କୁ କେବେ ମୁହଁ ଦେଖେଇ ପାରିବିନି। ଏ ଘଟଣା ଯେମିତି ଆମ ଦୁଇଜଣଙ୍କ ଭିତରେ ସିମୀତ ରହେ ସେଥିପ୍ରତି ଧ୍ୟାନ ଦେବେ। ସୁଧୀର ବାବୁ କହିଲେ , ମୋ ଉପରେ ଭରସା ରଖ।ଏକଥା ଆମ ଦୁଇଜଣଙ୍କ ଭିତରେ ହିଁ ସିମୀତ ରହିବ। ତାପରେ ଖିଆପିଆ ସାରି କିଛି ସମୟ ଗପସପ କରିବା ପରେ ମିନାକ୍ଷୀ ଓ ଅଜୟ ବାବୁଙ୍କ ଠାରୁ ବିଦାୟ ନେଇ ସୁଧୀର ବାବୁ ଶ୍ରୁତି ଦେବୀଙ୍କ ସହିତ ତାଙ୍କ ଘରକୁ ଫେରି ଯାଇଥିଲେ।
ସୁଧୀର ଭାଇଙ୍କ ସହିତ ସ୍ଵାମୀଙ୍କର କଥାବାର୍ତ୍ତା ଶୁଣି ସାରିବା ପରେ ମିନାକ୍ଷୀ ମନେ ମନେ ଖୁବ୍ ଭାଙ୍ଗି ପଡ଼ିଥିଲେ। ଯେଉଁ ଲାଞ୍ଚ ଓ ମିଛକୁ ସେ କେବେ ବି ବରଦାସ୍ତ କରି ପାରନ୍ତିନି ଆଜି ଖୋଦ୍ ତାଙ୍କ ସ୍ଵାମୀ ଲାଞ୍ଚ ନେଉଥିବା କଥା ଶୁଣି ତାଙ୍କ ମନ ଭିତରେ ସ୍ଵାମୀଙ୍କ ପ୍ରତି ଏକ ବିତୃଷ୍ଣା ଭାବ ଆସି ଯାଇଥିଲା। ଏ ପରିସ୍ଥିତିରେ ସେ କଣ କରିବେ କିଛି ଜାଣି ପାରୁ ନଥିଲେ। ସେ ଅଜୟ ବାବୁଙ୍କୁ ଏକଥା କହି ପାରୁ ନଥିଲେ କି ନିଜ ଭିତରେ କଥାଟାକୁ ହଜମ କରି ପାରୁ ନଥିଲେ। ତାଙ୍କୁ ଲାଗୁଥିଲା ସତେ ଯେମିତି ସ୍ଵାମୀଙ୍କ ଉପାର୍ଜିତ ଅର୍ଥରେ ଆଜି ପର୍ଯ୍ୟନ୍ତ ସେ ଏକ କଳୁଷିତ ଜୀବନ ଜିଇଁ ଆସୁଛନ୍ତି। ସ୍ଵାମୀ ତାଙ୍କୁ କିଣି ଦେଇଥିବା ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଲାଞ୍ଚ ପଇସାରେ କିଣା ହେଲା ଭଳି ତାଙ୍କୁ ଲାଗୁଥିଲା। ସେ ଭାବନ୍ତି , ବୁନ୍ଦାଏ ବିଷ ଯେମିତି ଗୋଟିଏ ଜଳପାତ୍ରରେ ଥିବା ସମସ୍ତ ଜଳକୁ ବିଷାକ୍ତ କରି ଦେଇଥାଏ ଠିକ୍ ସେମିତି ଗୋଟିଏ ଲୋକର ନ୍ୟାୟ ଉପାର୍ଜିତ ଅର୍ଥରେ ଏକ ଟଙ୍କା ଲାଞ୍ଚ ମିଶିଗଲେ ବି ତାହା ତାର ସମ୍ପୂର୍ଣ୍ଣ ନ୍ୟାୟ ଉପାର୍ଜିତ ଅର୍ଥକୁ କଳୁଷିତ କରି ଦେଇଥାଏ। ତେଣୁ ସ୍ଵାମୀଙ୍କର ଉପାର୍ଜିତ ଅର୍ଥରେ କିଣା ଯାଇଥିବା ଘରର ସମସ୍ତ ଜିନିଷ ତାଙ୍କୁ ପାପ ପଇସାରେ କିଣା ହେଲା ଭଳି ଲାଗୁଥିଲା। ତାଙ୍କ ସ୍ଵାମୀଙ୍କର ଲାଞ୍ଚ ପଇସା ବ୍ୟବହାର କରିଥିବାରୁ ତାଙ୍କ ଶରୀରରେ ପ୍ରବାହିତ ହେଉଥିବା ପ୍ରତ୍ୟେକ ରକ୍ତବିନ୍ଦୁ ଦୂଷିତ ହୋଇଗଲା ଭଳି ସେ ଅନୁଭବ କରୁଥିଲେ। ସେ ଭାବୁଥିଲେ , ଲାଞ୍ଚ ପଇସାରେ କିଣା ଯାଉଥିବା ଦ୍ରବ୍ୟର ଉପଭୋଗରୁ କେହି ହୁଏତ ଆତ୍ମବଡ଼ିମା ଲାଭ କରିପାରେ କିନ୍ତୁ କେହି କେବେହେଲେ ଆତ୍ମତୃପ୍ତି ଲାଭ କରି ପାରିବ ନାହିଁଁ।
ସେହିଦିନଠାରୁ ଏହିଭଳି ଏକ ମାନସିକ ଦୁଶ୍ଚିନ୍ତା ଭିତରେ ବୁଡ଼ି ରହିବାରୁ ମିନାକ୍ଷୀଙ୍କୁ ଆଉ କିଛି ଭଲ ଲାଗିଲା ନାହିଁ। ସେ ଶାନ୍ତିରେ ଖାଇ ପାରିଲେ ନାହିଁ କି ନିଶ୍ଚିନ୍ତରେ ଶୋଇ ପାରିଲେ ନାହିଁ। ଖାଇ ବସିଲା ବେଳେ ତାଙ୍କୁ ଲାଗୁଥିଲା ସେ ଯେମିତି ପାପ ପଇସାରେ ଖାଉଛନ୍ତି , କିଛିଦିନ ତଳେ ଅଜୟ ବାବୁ କିଣିଥିବା ଗଦି ଉପରେ ଶୋଇଲା ବେଳକୁ ତାଙ୍କୁ ଲାଗୁଥିଲା ଯେମିତି ସେ ତୁଳା ଗଦି ଉପରେ ନୁହେଁ ପୁଳା ପୁଳା ଲାଞ୍ଚ ଟଙ୍କା ଭର୍ତ୍ତି ହୋଇଥିବା ଗଦି ଉପରେ ଶୋଉଛନ୍ତି। ସ୍ଵାମୀଙ୍କୁ ଲାଞ୍ଚନେବା କଥା ସ୍ପଷ୍ଟ ଭାବରେ ପଚାରିଲେ ନିଜ ଭିତରେ ଦାନା ବାନ୍ଧିଥିବା ପୁଞ୍ଜିଭୂତ ଅସନ୍ତୋଷ ଯେ କି ଭୟଙ୍କର ରୂପରେ ଆତ୍ମପ୍ରକାଶ କରିବ ସେକଥା ସେ ଅନୁମାନ କରି ପାରୁଥିଲେ। ଆଉ ପଚାରିଲେ ସେକଥାକୁ ନେଇ ଯଦି ସ୍ଵାମୀ ସ୍ତ୍ରୀ ଦୁଇଜଣଙ୍କ ଭିତରେ ଝଗଡ଼ା ହୁଏ ତାହେଲେ ଏକଥାଟା ପୁଅ ମାନସ ମଧ୍ୟ ଜାଣିଯିବ। ଏହିପରି ଭାବି ମିନାକ୍ଷୀ ଚୁପ୍ ରହିବାକୁ ବାଧ୍ୟ ହେଉଥିଲେ। ମିନାକ୍ଷୀ ଚୁପ୍ ରହିଲେ ମଧ୍ୟ ତାଙ୍କର ବ୍ୟବହାର ଓ ମୁଖଭଙ୍ଗୀର ପରିବର୍ତ୍ତନ ଅଜୟ ବାବୁଙ୍କୁ ଅଜବ ଲାଗୁଥିଲା। ସେ ଭାବୁଥିଲେ , ହଠାତ୍ ମିନାକ୍ଷୀଙ୍କର କଣ ହେଲା ! ସୁଧୀର ଭାଇ ଘରକୁ ଆସି ଗଲା ଦିନଠାରୁ ମିନାକ୍ଷୀଙ୍କ ମୁଖମଣ୍ଡଳରେ ଏଭଳି ଉଦାସ ଭାବ ଛାଇ ହୋଇ ରହିଛି କାହିଁକି ! ଚୋର ମନ ଚୋର ଗଣ୍ଠିରେ ରହିବା ପରି ଅଜୟ ବାବୁ ଭାବିଲେ , ସୁଧୀର ଭାଇ ସେ ଲାଞ୍ଚ ନେବା କଥା ଆଉ ମିନାକ୍ଷୀଙ୍କ ଆଗରେ କହି ଦେଇ ନାହାଁନ୍ତି ତ ! ତାପରେ ସେ ଭାବିଲେ , ନା , ନା ! ସେପରି କେବେ ହୋଇ ନଥିବ। କାରଣ ମିନାକ୍ଷୀଙ୍କ ଆଗରେ ଏକଥା କହିବେ ନାହିଁ ବୋଲି ସୁଧୀର ଭାଇ ମୋତେ କଥା ଦେଇଥିଲେ। ଏହିପରି ମନକୁ ଯେତେ ଆଶ୍ଵାସନା ଦେଉଥିଲେ ମଧ୍ୟ କାଳେ ସୁଧୀର ଭାଇ ମିନାକ୍ଷୀଙ୍କୁ ସେକଥା କହି ଦେଇଥିବେ ଭାବି ଭୟରେ ମିନାକ୍ଷୀଙ୍କୁ କିଛି ପଚାରିବାକୁ ଅଜୟ ବାବୁ ସାହସ କରି ପାରୁ ନଥିଲେ।
ଦିନ ପରେ ଦିନ ଗଡି ଚାଲିଲା। ନା ମିନାକ୍ଷୀ ସ୍ଵାମୀଙ୍କୁ ସେ ବିଷୟରେ କିଛି କହୁଥିଲେ ନା ଅଜୟ ବାବୁ ମିନାକ୍ଷୀଙ୍କୁ ତାଙ୍କ ମନଦୁଃଖର କାରଣ ପଚାରି ପାରୁଥିଲେ। ଘରର ସବୁ କାମ ପୂର୍ବଭଳି କରୁଥିଲେ ମଧ୍ୟ ମିନାକ୍ଷୀଙ୍କ ମନରେ ସୁଖ ନଥିଲା। ପ୍ରତ୍ୟେକ ମୁହୂର୍ତ୍ତରେ ସେ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଅଜୟ ବାବୁଙ୍କ ସହିତ ଆବଶ୍ୟକତାରୁ ଅଧିକ କଥା ହେଉ ନଥିଲେ ମଧ୍ୟ ସେ ଯେତିକି କଥା ହେଉଥିଲେ ସେଥିରୁ ତାଙ୍କ ମନ ଭିତରେ ଥିବା ଅସନ୍ତୋଷ ସ୍ପଷ୍ଟ ଭାବରେ ବାରି ହୋଇ ପଡ଼ୁଥିଲା। ଅଜୟ ବାବୁ ଅଫିସ୍ ଚାଲିଗଲା ପରେ ସେ ଚୁପଚାପ୍ ଗୋଟିଏ ଜାଗାରେ ମନକୁ ମାରି ବସି ରହୁଥିଲେ। ଅଧିକାଂଶ ସମୟ ସେ ଅନ୍ୟମନସ୍କ ହୋଇ କାମ କରୁଥିଲେ। ମାନସ ବୟସରେ ଛୋଟ ହୋଇଥିବାରୁ ତା ସ୍କୁଲ୍ , ପଢ଼ାପଢ଼ି ଓ ସାଥିମାନଙ୍କ ସହିତ ଖେଳକୁଦରେ ବ୍ୟସ୍ତ ରହି ସେ ଏ ବିଷୟରେ କିଛି ଜାଣି ପାରୁ ନଥିଲା। ସବୁବେଳେ ଏମିତି ମାନସିକ ଦୁଶ୍ଚିନ୍ତା ଭିତରେ ବୁଡ଼ି ରହିବାରୁ ମିନାକ୍ଷୀ ଭୟଙ୍କର ମାନସିକ ରୋଗର ଶିକାର ହେଲେ। ଦିନକୁ ଦିନ ତାଙ୍କ ସ୍ଵାସ୍ଥ୍ୟରେ ଅବନତି ପରିଲକ୍ଷିତ ହେଲା। ଅଜୟ ବାବୁ ଏହା ଦେଖି ଚିନ୍ତିତ ହୋଇ ପଡ଼ିଲେ। ଅଜୟ ବାବୁ ମିନାକ୍ଷୀଙ୍କୁ ନେଇ ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ପାଖକୁ ଯିବାକୁ ସ୍ଥିର କଲେ। କିନ୍ତୁ ସେ ଯେତେ କହିଲେ ମଧ୍ୟ ମିନାକ୍ଷୀ ଡାକ୍ତରଙ୍କ ପାଖକୁ ଯିବାକୁ ଆଦୋୖ ରାଜି ହେଲେ ନାହିଁ। ଅଜୟ ବାବୁ ଯେତେବେଳେ ଅତି ବାଧ୍ୟ କଲେ ମିନାକ୍ଷୀ ତାଙ୍କୁ କହିଲେ , ମୁଁ ମରିଯିବି ପଛେ ତୁମେ ନେଉଥିବା ଲାଞ୍ଚ ପଇସାରେ ମୁୁଁ କେବେହେଲେ ଚିକିତ୍ସିତ ହେବି ନାହିଁ। ତାଙ୍କ ମୁଖରୁ ଏକଥା ଶୁଣି ଅଜୟ ବାବୁ ଚମକି ପଡ଼ିଲେ ଓ ସେ କହିଲେ , ଏତେ ଅନୁରୋଧ କରିବା ସତ୍ତ୍ବେ ତୁମ ସୁଧୀର ଭାଇ ତୁମ ଆଗରେ ସେକଥା କହିଦେଲେ ! ମିନାକ୍ଷୀ କହିଲେ , ନା ! ମୋତେ ସୁଧୀର ଭାଇ କିଛି କହି ନାହାଁନ୍ତି। ସୁଧୀର ଭାଇ ଓ ତୁମ ଭିତରେ ହେଉଥିବା କଥାବାର୍ତ୍ତା ପରଦା ଆଢୁଆଳରେ ଠିଆ ହୋଇ ମୁଁ ନିଜେ ସବୁ ଶୁଣିଛି। ମୁଁ ଅନ୍ୟାୟ ଓ ଅନୀତି କାର୍ଯ୍ୟକୁ ଘୋର ବିରୋଧ କରେ। ଏକଥା ଜାଣି ସୁଦ୍ଧା ତୁମେ ଲାଞ୍ଚ ନେଇ ମୋର ତୁମ ଉପରେ ଥିବା ଭରସା ଓ ବିଶ୍ଵାସକୁ ଭାଙ୍ଗି ଦେଇଛ। ଅଜୟ ବାବୁ କହିଲେ , ଦେଖ ! ସୁଧୀର ଭାଇଙ୍କୁ କଥା ଦେବା ପରେ ମୁଁ ଏବେ ଲାଞ୍ଚ ନେବା ବନ୍ଦ କରି ଦେଇଛି। ଆଉ ଆଜି ତୁମ ନିକଟରେ ମଧ୍ୟ ପ୍ରତିଜ୍ଞା କରୁଛି ଜୀବନରେ ଆଉ କାହାଠାରୁ କେବେ ଲାଞ୍ଚ ନେବି ନାହିଁ। ଅତୀତରେ କରିଥିବା ଭୁଲ୍ ପାଇଁ ତୁମେ ମୋତେ କ୍ଷମା କରିଦିଅ। ମିନାକ୍ଷୀ କହିଲେ , ତୁମେ ପରା ଥରେ ମୋ ଦେହ ଛୁଇଁ ଶପଥ କରିଥିଲ ତୁମେ ଲାଞ୍ଚ ନେବନାହିଁ ବୋଲି ! ତୁମେ କଣ ତୁମ ଶପଥ ରଖିଲ ? ଅଜୟ ବାବୁ କହିଲେ , ଯୁକ୍ତିତର୍କ କରିବାର ସମୟ ଇୟେ ନୁହେଁ ମିନାକ୍ଷୀ ! ତୁମ ଦେହ ବହୁତ ଖରାପ ଅଛି। ତେଣୁ ଏବେ ମୋ ସହିତ ତୁମେ ଦୟାକରି ଡାକ୍ତରଙ୍କ ପାଖକୁ ଚାଲ। କିନ୍ତୁ ଅଜୟ ବାବୁ ଯେତେ ବୁଝେଇଲେ ମଧ୍ୟ ମିନାକ୍ଷୀଙ୍କର ସେହି ଏକା ଜିଦ୍ , ସେ ଡାକ୍ତରଙ୍କ ପାଖକୁ ଯିବେ ନାହିଁ। ମିନାକ୍ଷୀ ଏହିପରି ଜିଦ୍ କରିବାରୁ ଅଜୟ ବାବୁ ବାଧ୍ୟ ହୋଇ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କୁ ଘରକୁ ଡକାଇଲେ। ସେ ମିନାକ୍ଷୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ପରେ କିଛି ଔଷଧ ଲେଖିଦେଲେ ଓ ସେ ଔଷଧକୁ ନିୟମିତ ସେବନ କରିବାକୁ କହିଲେ। ଡାକ୍ତର ସିନା ଔଷଧ ଲେଖି ଦେଇଗଲେ କିନ୍ତୁ ମିନାକ୍ଷୀଙ୍କର ସେହି ଏକା ଜିଦ୍ ସେ ଲାଞ୍ଚ ପଇସାରେ ଔଷଧ ଖାଇବେ ନାହିଁ। ମିନାକ୍ଷୀ ତାଙ୍କ ଜିଦରେ ଅଟଳ ରହିଲେ। ଅଜୟ ବାବୁଙ୍କର ଅନେକ ଅନୁରୋଧ ସତ୍ତ୍ଵେ ସେ ଆଦୌ ଔଷଧ ଖାଇଲେ ନାହିଁ। ଔଷଧ ନ ଖାଇବା ଫଳରେ ମିନାକ୍ଷୀଙ୍କର ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଲା। ଏଭଳି ପରିସ୍ଥିତିରେ ଅଜୟ ବାବୁ କଣ କରିବେ କିଛି ବୁଝି ପାରୁ ନଥିଲେ। ସେ ଭାବୁଥିଲେ , ତାଙ୍କ ଭୁଲ୍ ପାଇଁ ମିନାକ୍ଷୀ ଯଦି ତାଙ୍କୁ ଆଇନ ହାତରେ ଧରାଇ ଦେଇଥାନ୍ତେ ତାହେଲେ ହୁଏତ ଭଲ ହୋଇଥାନ୍ତା। କିନ୍ତୁ ତା ନକରି ଏବେ ତାଙ୍କୁ ସେ ଯେଉଁଭଳି ଭାବରେ ଦଣ୍ଡ ଦେଉଥିଲେ ତାହା ତ ମୃତ୍ୟୁ ଦଣ୍ଡ ଠାରୁ ବି ଅଧିକ ଭୟଙ୍କର ଥିଲା।
ଦିନକର କଥା। ଅଜୟ ବାବୁ ଅଫିସ୍ ଯାଇଥାନ୍ତି। ମାନସ ସ୍କୁଲ ଯାଇଥାଏ। ମିନାକ୍ଷୀ ସେତେବେଳକୁ ଅର୍ଦ୍ଧପାଗଳ ଭଳି ହୋଇ ଯାଇଥାନ୍ତି। କେତେବେଳେ ଯେ ସେ କଣ କରୁଥାନ୍ତି କିଛି ଜାଣି ପାରୁ ନଥାନ୍ତି। ସେଦିନ ରୋଷେଇଘରେ ଗ୍ୟାସ୍ ଲଗାଇ ଚୂଲା ଉପରେ ପାଣି ଗରମ କରୁଥିବା ସମୟରେ ଅନ୍ୟମନସ୍କ ହୋଇ ମିନାକ୍ଷୀ ରୋଷେଇଘର ବାହାରକୁ ଚାଲି ଆସିଲେ। ୟା ଭିତରେ କେତେବେଳେ ଯେ ରୋଷେଇଘର ଝରକା ଦେଇ ଆସୁଥିବା ପବନରେ ଗ୍ୟାସ୍ ଚୂଲା ଲିଭି ଯାଇଥିଲା ଓ ରୋଷେଇଘର ଭିତରଟା ଗ୍ୟାସରେ ଭର୍ତ୍ତି ହୋଇ ଯାଇଥିଲା ସେକଥା ମିନାକ୍ଷୀଙ୍କୁ ଜଣା ନଥିଲା। ସେ ସ୍ଵାମୀଙ୍କ ବିଷୟରେ ଭାବି ଭାବି ଅନ୍ୟମନସ୍କ ଭାବରେ ଯେତେବେଳେ ରୋଷେଇଘରକୁ ଯାଇ ଦେଖିଲେ ଯେ ଗ୍ୟାସଚୂଲାଟା ଲିଭି ଯାଇଛି ସେ ଲାଇଟର ମାରି ଚୂଲା ଜଳାଇବାକୁ ଚେଷ୍ଟା କଲେ। ତାପରେ ତାଙ୍କ ଦେହରେ ନିଆଁ ଲାଗି ମୁହୂର୍ତ୍ତକ ମଧ୍ୟରେ ସବୁକିଛି ଶେଷ ହୋଇ ଯାଇଥିଲା। ଅଜୟ ବାବୁଙ୍କୁ ସାରାଜୀବନ ନିଜ କୃତକର୍ମର ଦଣ୍ଡ ଭୋଗ କରିବାକୁ ଛାଡ଼ି ଦେଇ ମିନାକ୍ଷୀ ଗ୍ୟାସ ଦୁର୍ଘଟଣାର ଶିକାର ହୋଇ ଆରପାରିକୁ ଚାଲି ଯାଇଥିଲେ।
ସମୟ ଗଡ଼ି ଚାଲିବା ସହିତ ପୁଅ ମାନସ ପାଠଶାଠ ପଢି ଚାକିରି କଲା। ସେ ନିଜ ପସନ୍ଦରେ ତା ଅଫିସର ଏକ ଝିଅକୁ ମଧ୍ୟ ବିବାହ କଲା। ତାପରେ ନାତି ଲିଟୁର ଜନ୍ମ। ଜୀବନର ପ୍ରତି ମୁହୂର୍ତ୍ତରେ ଅଜୟ ବାବୁ ମରି ମରି ବଞ୍ଚୁଥିଲେ। ତଥାପି ଲିଟୁର ହସ ହିଁ ଅଜୟ ବାବୁଙ୍କର ବଞ୍ଚିବାର ଏକମାତ୍ର ରାହା ଥିଲା। ପାଖରେ ଶୋଇଥିବା ଲିଟୁ ମୁହଁକୁ ଚାହିଁ ସେ ଭାବୁଥିଲେ , ଆଜି ମିନାକ୍ଷୀ ବଞ୍ଚିଥିଲେ କେତେ ଖୁସି ହୋଇ ନଥାନ୍ତେ ସତରେ ! ମିନାକ୍ଷୀଙ୍କ ଫଟୋକୁ ଚାହିଁ ତାଙ୍କ ଆଖିରୁ ଦୁଇଟୋପା ଲୁହ ଗଡ଼ି ପଡ଼ିଲା। ଏତିକିବେଳେ ନିଦରୁ ଉଠି ଲିଟୁ କହିଲା , ଜେଜେ ! ତୁମେ କାନ୍ଦୁଛ କାହିଁକି ? ଅଜୟ ବାବୁ ଲୁହ ପୋଛି କହିଲେ , ନା ! ସେ କିଛି ନୁହେଁ।
କିଛିଦିନ ପରର କଥା। ସେଦିନ ଅଫିସ୍ ଛୁଟି ଥିବାରୁ ମାନସ ବାବୁ ଓ ତାଙ୍କ ସ୍ତ୍ରୀ ଦୁଇଜଣ ଯାକ ଘରେ ଥାଆନ୍ତି। ଅଜୟ ବାବୁ ଖଟ ଉପରେ ଶୋଇଥାନ୍ତି। ସେଘର ଟେବୁଲ୍ ଉପରେ ଥୁଆ ହୋଇଥିବା ମିନାକ୍ଷୀଙ୍କର କାଚ ବନ୍ଧେଇ ଫଟୋକୁ ଲିଟୁ ଧରି ଦେଖୁ ଦେଖୁ ଫଟୋଟି ତା ହାତରୁ ତଳକୁ ଖସି ପଡ଼ି ଭାଙ୍ଗିଗଲା। କାଚ ଭାଙ୍ଗିବା ଶବ୍ଦରେ ଅଜୟ ବାବୁ ଖଟ ଉପରୁ ଉଠି ପଡ଼ିଲେ। ଯେତେବେଳେ ସେ ଦେଖିଲେ ଯେ ମିନାକ୍ଷୀଙ୍କ ଫଟୋଟି ଭାଙ୍ଗି ଚୂନା ହୋଇ ଯାଇଛି ସେ ଖୁବ୍ ଜୋରରେ ଉତ୍ତେଜିତ ହୋଇ ବଡ଼ ପାଟିରେ କହିଲେ , ଲିଟୁ ! ତୁ ତୋ ଜେଜେମାଙ୍କ ଫଟୋକୁ ଭାଙ୍ଗି ଦେଲୁ ! ଜେଜେଙ୍କ ପାଟି ଶୁଣି ଲିଟୁ ଭୟରେ ତା ମାଆଙ୍କ ପାଖକୁ ଦୋୖଡି ପଳାଇଲା। ଅତ୍ୟଧିକ ଉତ୍ତେଜିତ ହୋଇ ପଡିବା କାରଣରୁ ଅଜୟ ବାବୁଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ଆରମ୍ଭ ହେଲା। ସେତେବେଳକୁ ଅଜୟ ବାବୁଙ୍କ ପାଟି ଶୁଣି ମାନସ ବାବୁ ସେଠାରେ ପହଞ୍ଚି ଯାଇଥିଲେ। ବାପାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହେବା ଦେଖି ସେ ଡରିଗଲେ କାରଣ ଏହା ପୂର୍ବରୁ ଅଜୟ ବାବୁଙ୍କର ଦୁଇଥର ହାର୍ଟ ଷ୍ଟ୍ରୋକ ହୋଇ ସାରିଥିଲା। ସେ ସାଙ୍ଗେ ସାଙ୍ଗେ ଅଜୟ ବାବୁଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଲେ। ସେଠାରେ ଡାକ୍ତର ଅଜୟ ବାବୁଙ୍କୁ ଦେଖି ସାରିବା ପରେ କହିଲେ , ସରି ! ମାନସ ବାବୁ ! ହିଁ ଇଜ୍ ନୋ ମୋର୍। ଏଇଟା ଆପଣଙ୍କ ବାପାଙ୍କର ଥାର୍ଡ ଷ୍ଟ୍ରୋକ ଥିଲା।
ଅଜୟ ବାବୁଙ୍କ ଶବକୁ ଧରି ମାନସ ବାବୁ ଘରକୁ ଫେରି ଆସିଲେ। ପୁଅ ଓ ବୋହୂ ଦୁଇଜଣ ଯାକ ଅଜୟ ବାବୁଙ୍କ ଶବ ନିକଟରେ ବସି ଲୁହ ଗଡ଼ାଉଥିଲେ। ପାଖରେ ଠିଆ ହୋଇଥିବା ଲିଟୁ ତା ମାଆକୁ ପଚାରିଲା , ମା ! ବାପା ଓ ତୁମେ କାନ୍ଦୁଛ କାହିଁକି ? ଆଉ ଜେଜେ କାହିଁକି ଶୋଇଛନ୍ତି ? ସେ ଉଠୁ ନାହାନ୍ତି କାହିଁକି ? ଲିଟୁର ମାଆ କହିଲେ , ଲିଟୁ ! ତୋ ଜେଜେ ଆଉ କେବେ ଉଠିବେ ନାହିଁ। ସେ ଆମ ସମସ୍ତଙ୍କୁ ଛାଡ଼ି ଭଗବାନଙ୍କ ପାଖକୁ ଚାଲି ଯାଇଛନ୍ତି। ଲିଟୁ ଭାବିଲା ସେ ତା ଜେଜେମାଙ୍କ ଫଟୋ ଭାଙ୍ଗି ଦେବାରୁ ତା ଜେଜେ ତା ଉପରେ ରାଗି ଭଗବାନଙ୍କ ପାଖକୁ ଚାଲି ଯାଇଛନ୍ତି। ସେ ଅଜୟ ବାବୁଙ୍କ ଶବକୁ ହଲେଇ କାନ୍ଦି କାନ୍ଦି କହିଲା , ଜେଜେ ! ତୁମେ ଫେରିଆସ। ମୁଁ ଆଉ କେବେ ଦୁଷ୍ଟ ହେବିନି।
**********
