ରିକ୍ସାବାଲା __________
ରିକ୍ସାବାଲା __________
ରିକ୍ସାବାଲା
__________
ଏଇ କିଛିଦିନ ହେବ ରିକ୍ସାରେ ବସି ସନ୍ଧ୍ୟାବେଳେ ସହର ବୁଲିବା ବସନ୍ତ ବାବୁଙ୍କର ଏକ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା। ବୁଲିବା ସମୟରେ ବାଟରେ ରିକ୍ସା ଅଟକାଇ ହରିଆ ଦୋକାନରେ ଚା ପିଇବା ଓ ମଧୁଆ ପାନ ଦୋକାନୀ ପାଖରୁ ପାନ ନେବାକୁ ବସନ୍ତ ବାବୁ କେବେ ବି ଭୁଲନ୍ତି ନାହିଁ। ବସନ୍ତ ବାବୁଙ୍କର ଏ ଅଭ୍ୟାସଟା ସହ ରିକ୍ସାବାଲା ଅପର୍ତ୍ତି ଭଲ ଭାବରେ ପରିଚିତ। ତେଣୁ ସବୁଦିନେ ସହର ବୁଲିବା ବେଳେ ହରିଆ ଚା ଦୋକାନ ସାମ୍ନାରେ ରିକ୍ସାଟାକୁ ରଖି ଦେଇ ଅପର୍ତ୍ତି ହରିଆ ଠାରୁ ଚା କପଟା ଆଣି ବସନ୍ତ ବାବୁଙ୍କ ହାତକୁ ବଢ଼େଇଦିଏ। ସେଇ ରିକ୍ସା ଉପରେ ବସି ବସନ୍ତ ବାବୁ ହରିଆକୁ କହନ୍ତି , ଆରେ ହରିଆ ! ଅପର୍ତ୍ତି ଚା ରେ ବେଶୀ ଚିନି ପକେଇବୁ। ତା ନହେଲେ ଚା ଟା ତାକୁ ପାଣିଚିଆ ଲାଗିବ। ହରିଆ କହେ , ସେକଥା ମୋତେ ଆଉ କହିବାକୁ ପଡ଼ିବନି ବାବୁ ! ଆପଣଙ୍କ ପାଇଁ ଚା ଦେଲାପରେ ଅପର୍ତ୍ତି ଭାଇ ଚା କପରେ ଅଧିକ ଚିନି ପକେଇବାକୁ ମୋ ହାତ ଆପେ ଆପେ ଚାଲିଯାଏ। ତାପରେ ବସନ୍ତ ବାବୁ ରିକ୍ସା ଉପରେ ବସି ଚା ପିଇବାର ମଜା ନିଅନ୍ତି ଓ ଅପର୍ତ୍ତି ଚା ଦୋକାନ ସାମ୍ନାରେ ଠିଆ ଠିଆ ଚା ଟାକୁ ପିଇଦେଇ ବସନ୍ତ ବାବୁଙ୍କ ହାତରୁ ଖାଲି ଚା କପଟା ନେବା ଅପେକ୍ଷାରେ ରିକ୍ସା ପାଖରେ ଠିଆ ହୋଇଯାଏ। ମାସର ଶେଷ ତାରିଖ ଦିନ ସାରା ମାସର ଚା ପଇସା ହରିଆ ଚା ଦୋକାନୀକୁ ମିଳିଯାଏ। ମଧୁଆ ପାନ ଦୋକାନୀ ମଧ୍ୟ ବସନ୍ତ ବାବୁଙ୍କ ଆସିବା ସମୟ ଜାଣିଛି। ଅପର୍ତ୍ତିର ରିକ୍ସା ମଧୁଆ ଦୋକାନ ପାଖରେ ପହଞ୍ଚିବା ପୂର୍ବରୁ ସେ ବସନ୍ତ ବାବୁଙ୍କ ପାଇଁ ଗୋଟିଏ ପୁଡ଼ିଆ ପାନ ଭାଙ୍ଗି ରଖି ଦେଇଥାଏ। ତା ଦୋକାନ ସମ୍ମୁଖରେ ରିକ୍ସା ରଖି ଅପର୍ତ୍ତି ତା ଦୋକାନ ପାଖକୁ ଯିବା ମାତ୍ରେ ସେ ପାନ ପୁଡ଼ିଆଟା ଅପର୍ତ୍ତି ହାତକୁ ବଢ଼େଇ ଦିଏ। ପାନ ପୁଡ଼ିଆ ଭିତରୁ ଖଣ୍ଡେ ପାନ ପାଟିରେ ପୂରେଇ ବସନ୍ତ ବାବୁ କହନ୍ତି , ବୁଝିଲୁ ମଧୁଆ , ମୋତେ ଯେତେ ଯିଏ ପାନ ଦିଅନ୍ତୁ ନା କାହିଁକି ତୋ ପାନର ସ୍ଵାଦ ମୋତେ କାହାରି ପାନରେ ମିଳେନାହିଁ। ବସନ୍ତ ବାବୁଙ୍କ ଠାରୁ ତା ହାତଭଙ୍ଗା ପାନର ପ୍ରଶଂସା ଶୁଣି ମଧୁଆ ଟିକେ ହସିଦିଏ। ମାସ ଶେଷ ହେବା ଦିନ ତାକୁ ମଧ୍ୟ ତାର ମାସକର ପାନ ପଇସା ମିଳି ଯାଇଥାଏ। ରାସ୍ତାରେ ଗଲାବେଳେ ଯିଏ ଯେଉଁଠି ପରିଚିତ ଲୋକ ଦେଖାହେଲେ ବସନ୍ତ ବାବୁ ରିକ୍ସା ଅଟକାଇ ତା ସହିତ ଖୁସିଗପ କରନ୍ତି। ତାଙ୍କ ଘରର ଭଲମନ୍ଦ ପଚାରନ୍ତି। ସବୁଦିନେ ବସନ୍ତ ବାବୁଙ୍କୁ ରିକ୍ସାରେ ବୁଲେଇବାକୁ ନେବା ଭିତରେ ଅପର୍ତ୍ତି ପ୍ରାୟ ବସନ୍ତ ବାବୁଙ୍କର ସବୁ ଚିହ୍ନା ଲୋକଙ୍କୁ ଜାଣି ଗଲାଣି। ତେଣୁ ସେମାନଙ୍କୁ ରାସ୍ତାରେ ଦେଖିଲା ମାତ୍ରେ ବସନ୍ତ ବାବୁ କହିବା ଆଗରୁ ସେ ରିକ୍ସାକୁ ରାସ୍ତା କଡ଼କୁ ଆଣି ରିକ୍ସା ଅଟକାଇ ଦେଇଥାଏ। ବସନ୍ତ ବାବୁଙ୍କର ପରିଚିତ ଲୋକ ମାନଙ୍କ ଭିତରୁ ଯେଉଁମାନେ ପାନ ଖାଆନ୍ତି ଅପର୍ତ୍ତି ରିକ୍ସା ଅଟକାଇବା ମାତ୍ରେ ବସନ୍ତ ବାବୁ ନିଜ ପକେଟରେ ଥିବା ପାନ ପୁଡ଼ିଆରୁ ଖଣ୍ଡେ ପାନ ବାହାର କରି ତାଙ୍କ ହାତକୁ ବଢ଼େଇ ଦିଅନ୍ତି। ବସନ୍ତ ବାବୁଙ୍କର ଏହି ପାନ ବାଣ୍ଟିବା ଗୁଣଟା ପାନ ଦୋକାନୀ ମଧୁଆକୁ ବେଶ୍ ଭଲ ଭାବରେ ଜଣା। ତେଣୁ ସେ ବସନ୍ତ ବାବୁଙ୍କ ପାନ ପୁଡ଼ିଆରେ ଦଶ ଖଣ୍ଡ ପାନ ଭାଙ୍ଗି ରଖି ଦେଇଥାଏ। ସେ ଜାଣେ ଯେ ସହର ବୁଲିବା ଭିତରେ ବସନ୍ତ ବାବୁ ଖୁବ୍ ବେଶୀରେ ଦୁଇ ତିନି ଖଣ୍ଡ ପାନ ଖାଇବେ କିନ୍ତୁ ଅନ୍ୟ ସବୁ ପାନ ନିଶ୍ଚୟ ବଣ୍ଟାରେ ଯିବ। ଚାରିଟା ବାଜିଲେ ଅପର୍ତ୍ତି ଆସି ବସନ୍ତ ବାବୁଙ୍କ ଘର ସାମନାରେ ହାଜର ହୋଇଯାଏ। ଯଦି ପୋଷାକ ପିନ୍ଧାପିନ୍ଧି କରି ବାହାରିବାକୁ ବସନ୍ତ ବାବୁଙ୍କର ପାଞ୍ଚ ଦଶ ମିନିଟ ଡେରି ହେଲା ତାହେଲେ ଅପର୍ତ୍ତି ରିକ୍ସା ପାଖକୁ ଯାଇ ରିକ୍ସାଟାକୁ ଖଣ୍ଡେ କପଡ଼ାରେ ପୋଛାପୋଛି କରିବାରେ ଲାଗିପଡ଼େ। ବସନ୍ତ ବାବୁ ଆସିଗଲେ ସେ ରିକ୍ସା ଉପରକୁ ଉଠିବା ଆଗରୁ ଅପର୍ତ୍ତି ରିକ୍ସା ସିଟଟାକୁ ଆଉଥରେ ତା କାନ୍ଧରେ ପକେଇଥିବା ଗାମୁଛାରେ ପୋଛିଦିଏ ଓ ବସନ୍ତ ବାବୁଙ୍କୁ ରିକ୍ସାରେ ବସାଇ ସହର ବୁଲାଇବାକୁ ବାହାରି ପଡ଼େ।
ବସନ୍ତ ବାବୁଙ୍କର ଗୋଟିଏ ବୋଲି ପୁଅ ଅଭିଜିତ। ପୁଅ ଅଭିଜିତ ଓ ବୋହୂ ବିଥିକା ଉଭୟ ଦିଲ୍ଲୀରେ ସରକାରି ଚାକିରି କରନ୍ତି। ପାଞ୍ଚ ବର୍ଷ ତଳୁ ବସନ୍ତ ବାବୁଙ୍କର ପତ୍ନୀ ସୌଦାମିନୀଙ୍କର ଦେହାନ୍ତ ହୋଇ ଗଲାଣି। ବସନ୍ତ ବାବୁ ବାହାରକୁ ବୁଲାବୁଲି କରିବାକୁ ଯିବେ ବୋଲି ପୁଅ ଅଭିଜିତ ଗୋଟିଏ ଗାଡ଼ି କିଣି ଦେଇଛନ୍ତି ଓ ମାସକୁ ମାସ ଦରମା ଦେଇ ଡ୍ରାଇଭର ମଧ୍ୟ ରଖିଛନ୍ତି। ପ୍ରତି ମାସରେ ଅନ୍ତତଃ ଥରେ ବସନ୍ତ ବାବୁ ସେ ଗାଡ଼ିରେ ଜଗନ୍ନାଥ ଦର୍ଶନ କରିବାକୁ ପୁରୀ ଯାଆନ୍ତି। ବସନ୍ତ ବାବୁଙ୍କ ଗାଆଁ ଘରେ କେହି ରହୁ ନଥିଲେ ମଧ୍ୟ ପ୍ରତି ରବିବାର ଦିନ ସକାଳେ ସେହି କାରରେ ସେ ନିଜର ଗାଆଁ ଘରକୁ ଯାଆନ୍ତି ଓ ଗାଆଁରେ ଗାଆଁ ଲୋକମାନଙ୍କ ସହିତ ଦୁଃଖସୁଖ ହୋଇ ସନ୍ଧ୍ୟାବେଳେ ପୁଣି ସହରକୁ ଫେରି ଆସନ୍ତି । ବସନ୍ତ ବାବୁ ଯୁଆଡ଼େ ଯାଆନ୍ତୁ ନା କାହିଁକି ଅପର୍ତ୍ତିକୁ ସବୁବେଳେ ସାଥିରେ ନେଇ ଯାଆନ୍ତି। ଏତେବଡ଼ ଘରଟାରେ ଏକା ରହୁଥିଲେ ମଧ୍ୟ ତାଙ୍କ ବଗିଚା ଭିତରେ ପମ୍ପ ଘରକୁ ଲାଗିଥିବା ଛୋଟିଆ ଆଜବେଷ୍ଟସ ଘରଟାରେ ଅପର୍ତ୍ତି ରହୁଥିବାରୁ ତାଙ୍କୁ କେବେହେଲେ ଘରେ ଏକୁଟିଆ ଲାଗେନାହିଁ। ଯେତେବେଳେ କିଛି ଆବଶ୍ୟକ ପଡ଼େ ବସନ୍ତ ବାବୁ ବାଲକୋନି ଉପରେ ଠିଆ ହୋଇ ଅପର୍ତ୍ତି ! ଅପର୍ତ୍ତି ! ବୋଲି ଡାକ ପକାନ୍ତି ଓ ଅପର୍ତ୍ତି ସାଙ୍ଗେ ସାଙ୍ଗେ ଆସି ତାଙ୍କ ପାଖରେ ହାଜର ହୋଇଯାଏ। ମୋଟାମୋଟି ଭାବରେ କହିବାକୁ ଗଲେ ବସନ୍ତ ବାବୁଙ୍କର ଡାକକୁ ଅପର୍ତ୍ତି ଯେମିତି ସବୁବେଳେ କାନ ଡେରି ଅପେକ୍ଷା କରିଥାଏ। ପତ୍ନୀଙ୍କ ମୃତ୍ୟୁ ପରେ ବସନ୍ତ ବାବୁଙ୍କର ଅପର୍ତ୍ତି ଉପରେ ଏହି ନିର୍ଭରଶୀଳତା ଅଧିକ ପରିମାଣରେ ବଢ଼ି ଯାଇଥିଲା। ବସନ୍ତ ବାବୁ ଜଣେ ଗପୁଡ଼ା ଲୋକ ହୋଇଥିବାରୁ ଘର ଭିତରେ ଚୁପଚାପ୍ ବସି ରହିବାକୁ ତାଙ୍କୁ ଆଦୋୖ ଭଲ ଲାଗେନାହିଁ। ତେଣୁ ସକାଳେ ଚା ପିଇ ସାରି ବସନ୍ତ ବାବୁ ଯାଇ ବଗିଚା ଭିତରେ ବୁଲନ୍ତି। କିନ୍ତୁ ବଗିଚା ଭିତରେ ବୁଲିବାଟା ତ ଗୋଟିଏ ବାହାନା। ଅସଲ କଥା ହେଲା ସେ ସେହି ଆଳରେ ବଗିଚାରେ ବୁଲି ଅପର୍ତ୍ତି ସହିତ ଗପସପ କରନ୍ତି। ବସନ୍ତ ବାବୁ ଯେମିତି ବଗିଚା ଭିତରକୁ ଯାଆନ୍ତି ଅପର୍ତ୍ତି ସାଙ୍ଗେ ସାଙ୍ଗେ ଆଜବେଷ୍ଟସ ଘରୁ ବାହାରି ଆସି ବସନ୍ତ ବାବୁଙ୍କ ପଛେ ପଛେ ବୁଲେ ଓ ବୁଲିବା ଭିତରେ କେତେବେଳେ ଫୁଲଗଛ ମୂଳରେ ପାଣି ଦେଉଥାଏ ତ କେତେବେଳେ ବଗିଚା ଭିତରେ ପଡ଼ିଥିବା ଅଳିଆକୁ ଗୋଟେଇ ଡଷ୍ଟବିନ ଭିତରେ ପକାଉଥାଏ। ତା ଭିତରେ ବସନ୍ତ ବାବୁ ଅପର୍ତ୍ତି ସହିତ ଗପସପ କରି କରି ବଗିଚାରେ ବୁଲୁଥାନ୍ତି। କହିବାକୁ ଗଲେ ପତ୍ନୀଙ୍କ ବିୟୋଗ ପରେ ବସନ୍ତବାବୁଙ୍କ ନିଃସଙ୍ଗତାକୁ ଦୂର କରିବା ପାଇଁଁ ଅପର୍ତ୍ତି ଏକରକମ ତାଙ୍କର ସାଥି ହୋଇ ଯାଇଥିଲା। ସମୟେ ସମୟେ ବସନ୍ତ ବାବୁ ଭାବନ୍ତି ପତ୍ନୀଙ୍କ ମୃତ୍ୟୁ ପରେ ଅପର୍ତ୍ତିଟା ପାଖରେ ନଥିଲେ ସେ କେତେ ନିଃସଙ୍ଗ ଜୀବନ କାଟୁ ନଥାନ୍ତେ ସତରେ ! ସେ ପାଖରେ ଅଛି ବୋଲି ତ ତା ସହିତ ଗପସପ କରି ସେ ତାଙ୍କର ଫାଙ୍କା ସମୟ ଗୁଡ଼ାକ ଆରାମରେ କାଟି ଦେଉଛନ୍ତି !
ଅଭିଜିତ ଯେତେବେଳେ ଦିଲ୍ଲୀରୁ ଘରକୁ ଆସନ୍ତି ଅପର୍ତ୍ତି ସହିତ ବସନ୍ତ ବାବୁଙ୍କର ଏହି ସମ୍ପର୍କକୁ ସେ କିଛି ବୁଝି ପାରନ୍ତି ନାହିଁ। ଅବଶ୍ୟ ଅପର୍ତ୍ତିକୁ ସେ ତାଙ୍କର ହେତୁ ହେଲା ଦିନ ଠାରୁ ଜାଣିଛନ୍ତି ଓ ଛୋଟ ବେଳେ ତା ରିକ୍ସାରେ ବସି ସ୍କୁଲ୍ ଯାଇଛନ୍ତି। ତାଙ୍କ ମାଆ ମଧ୍ୟ ସବୁଦିନେ ଅପର୍ତ୍ତି ରିକ୍ସାରେ ସ୍କୁଲକୁ ଯିବା ଆସିବା କରିବା ସେ ଦେଖିଛନ୍ତି। ତେଣୁ ତାଙ୍କ ପାଖରେ ଅପର୍ତ୍ତିର ଗୋଟିଏ ପରିଚୟ ଥିଲା ଯେ ଅପର୍ତ୍ତି ହେଉଛି ଗୋଟିଏ ରିକ୍ସାବାଲା। କିନ୍ତୁ ମାଆଙ୍କ ଦେହାନ୍ତ ପରେ ବାପାଙ୍କର ଅପର୍ତ୍ତି ସହିତ ଏହି ଘନିଷ୍ଠ ସମ୍ପର୍କକୁ ଅଭିଜିତ କାହିଁକି ସହଜରେ ଗ୍ରହଣ କରି ପାରନ୍ତି ନାହିଁ। ସେ ଘରକୁ ଆସିଲେ ଭାବନ୍ତି , ଘରେ ଗାଡ଼ି ଓ ଡ୍ରାଇଭର ଥାଉ ଥାଉ ବାପା ଗାଡ଼ିରେ ସହର ବୁଲିବାକୁ ନଯାଇ ଅପର୍ତ୍ତି ରିକ୍ସାରେ ସବୁଦିନେ ବସି ସହର ବୁଲିବାକୁ ଯାଉଛନ୍ତି କାହିଁକି ! କିଛି ଦିନ ହେବ ଏହି ପ୍ରଶ୍ନ ତାଙ୍କ ମନ ଭିତରେ ଉଙ୍କି ମାରୁଥିଲା। ବାପାଙ୍କୁ ପଚାରିବେ କି ପଚାରିବେ ନାହିଁ ଏହି ଦ୍ଵନ୍ଦ ଭିତରେ ରହି ଆଜି ପର୍ଯ୍ୟନ୍ତ ଏକଥା ସେ ବସନ୍ତ ବାବୁଙ୍କୁ ପଚାରି ପାରି ନଥିଲେ।
ଥରେ ଅଭିଜିତ ଓ ବିଥିକା ଘରକୁ ଆସିଥାନ୍ତି। ଖରାବେଳେ ବସନ୍ତ ବାବୁ ଖାଇ ସାରି ଡ୍ରଇଂ ରୁମରେ ସୋଫା ଉପରେ ବସି ଖବରକାଗଜ ପଢ଼ୁଥାନ୍ତି। ଅଭିଜିତ ଆସି ବସନ୍ତ ବାବୁଙ୍କ ପାଖରେ ବସିଲେ। ପୁଅ ମୁହଁକୁ ଦେଖି ବସନ୍ତ ବାବୁ ଜାଣିଗଲେ ଯେ ଅଭିଜିତ ନିଶ୍ଚୟ ତାଙ୍କୁ କିଛି ପଚାରିବାକୁ ଚାହୁଁଛି। ସେ ଅଭିଜିତକୁ କହିଲେ , କଣ କିଛି କହିବୁ ? ଅଭିଜିତ କହିଲେ , ବାପା ! ଆପଣଙ୍କର ତ ଆଣ୍ଠୁ ସମସ୍ୟା ଅଛି। ତା ସତ୍ତ୍ଵେ ଆପଣ କଷ୍ଟରେ ରିକ୍ସା ଉପରକୁ ଉଠି ରିକ୍ସାରେ ବସି କାହିଁକି ସବୁଦିନେ ବୁଲିବାକୁ ଯାଉଛନ୍ତି ? ଆମଘରେ ତ ଗାଡ଼ି ଅଛି ଓ ଡ୍ରାଇଭର ବି ଅଛି। ଆପଣ ତ ଗାଡ଼ିରେ ବସି ଆରାମରେ ସହର ବୁଲିବାକୁ ଯାଇ ପାରନ୍ତେ ! ଅଭିଜିତର କଥା ଶୁଣି ବସନ୍ତ ବାବୁ ଟିକେ ହସିଦେଇ କହିଲେ , ତୁ ଠିକ୍ କଥା କହିଛୁ। ମୋର ଆଣ୍ଠୁ ସମସ୍ୟା ଯୋଗୁଁ ମୋତେ ଏବେ ରିକ୍ସା ଉପରକୁ ଉଠିବାକୁ ସତରେ ଭାରି କଷ୍ଟ ହେଉଛି। କିନ୍ତୁ ତା ସତ୍ତ୍ଵେ ବି ମୁଁ ଅପର୍ତ୍ତି ରିକ୍ସାରେ ବସି ବୁଲିବାକୁ ଯାଉଛି। ତାର କାରଣ ହେଉଛି ଅପର୍ତ୍ତି ରିକ୍ସାରେ ବସି ବୁଲିବାକୁ ଗଲେ ମୋତେ ଯେଉଁ ଖୁସି ମିଳେ ସେ ଖୁସି ଗାଡ଼ିରେ ବସି ବୁଲିବାକୁ ଗଲେ ମୋତେ ମିଳିବ ନାହିଁ। ବାପାଙ୍କ ମୁହଁରୁ ଏକଥା ଶୁଣି ଅଭିଜିତ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁଲେ। ଅଭିଜିତର ମନୋଭାବ ଜାଣିପାରି ବସନ୍ତ ବାବୁ କହିଲେ , ତୁ ଜାଣିଛୁ , ମୁଁ ଟିକେ ଗପୁଡ଼ା ଲୋକ। ଘରେ ଚୁପଚାପ୍ ବସି ରହିଲେ ମୋତେ ବିରକ୍ତ ଲାଗିବ। ତେଣୁ ଅପର୍ତ୍ତି ରିକ୍ସାରେ ବସି ବୁଲିବାକୁ ଗଲାବେଳେ ମୁଁ ତା ସହିତ ଗପସପ କରି ସମୟ କାଟିଦିଏ। ବସନ୍ତ ବାବୁଙ୍କର ଏହି ଉତ୍ତର ଅଭିଜିତଙ୍କୁ ଆହୁରି ଅଡ଼ୁଆରେ ପକେଇଦେଲା। ସେ ପ୍ରଥମେ କିଛି ବୁଝି ପାରିଲେ ନାହିଁ। ସହରରେ ବାପାଙ୍କର ଏତେ ସାଙ୍ଗସାଥି ଥାଉ ଥାଉ ବାପା ସେମାନଙ୍କ ସହିତ ସମୟ ନକାଟି ଅପର୍ତ୍ତି ରିକ୍ସାବାଲା ସହିତ ଗପସପ କରି ସମୟ ବିତେଇବାକୁ ଯାଉଛନ୍ତି କାହିଁକି ? ସେ ଏକଥା ବସନ୍ତ ବାବୁଙ୍କୁ ନ କହିଲେ ବି ଅବୁଝା ଆଖିରେ ତାଙ୍କ ଆଡ଼କୁ ଚାହିଁଲେ। ପୁଅର ଏ ଅବୁଝା ଚାହାଣୀରୁ ବସନ୍ତ ବାବୁ ସବୁ ବୁଝିଗଲେ। ସେ କହିଲେ , ମୁଁ କାହିଁକି ଅପର୍ତ୍ତି ରିକ୍ସାରେ ଯାଇ ତା ସହିତ ସମୟ କଟାଉଛି ତୁ ସେହିକଥା ଜାଣିବାକୁ ଚାହୁଁଛୁ ତ ? ତେବେ ଶୁଣ।
ମୋ ବାହାଘର ପରେ ତୋ ମାଆ ସୌଦାମିନୀଙ୍କର ଏଇ ଘର ପାଖରୁ ତିନି କିଲୋମିଟର ଦୂରରେ ଥିବା ଏକ ହାଇସ୍କୁଲରେ ଶିକ୍ଷୟତ୍ରୀ ଭାବେ ପୋଷ୍ଟିଙ୍ଗ ହେଲା। ଏବେ ସିନା ଏତେ ଅଟୋ ରିକ୍ସା ଚାଲୁଛି। ସେତେବେଳେ କିନ୍ତୁ ଏତେ ସଂଖ୍ୟକ ଅଟୋରିକ୍ସା ଚାଲୁ ନଥିଲା। ତେଣୁ ସବୁଦିନେ ସ୍କୁଲକୁ ଯିବା ଆସିବା କରିବାପାଇଁ ସୌଦାମିନୀଙ୍କୁ ରିକ୍ସା ଉପରେ ନିର୍ଭର କରିବାକୁ ପଡ଼ୁଥାଏ। ଯୋଗକୁ ଦିନେ ସ୍କୁଲକୁ ଗଲାବେଳକୁ ସୌଦାମିନୀ ହାବୁଡ଼ରେ ଏହି ଅପର୍ତ୍ତି ରିକ୍ସାବାଲା ପଡ଼ିଲା। ତାର ହସହସ ମୁହଁ ଓ ମାର୍ଜିତ ବ୍ୟବହାର ସୌଦାମିନୀଙ୍କୁ ସେଦିନ ଖୁବ୍ ଭଲ ଲାଗିଥିଲା। ସ୍କୁଲରେ ପହଞ୍ଚିବା ପରେ ସୌଦାମିନୀ ତାକୁ କହିଲେ , ଚାରିଟା ବେଳେ ସ୍କୁଲ୍ ଛୁଟି ହେବ। ତୁ ଆସି ମୋତେ ନେଇ ଯାଇ ପାରିବୁ। ଅପର୍ତ୍ତି ଆନନ୍ଦରେ କହିଲା ହଁ ମା ! ମୁଁ ଚାରିଟା ବେଳେ ଆସି ଆପଣଙ୍କୁ ସ୍କୁଲରୁ ନେଇଯିବି। ସେଦିନ ଚାରିଟା ବେଳେ ସୌଦାମିନୀ ସ୍କୁଲରୁ ବାହାରକୁ ବାହାରି ଦେଖିଲେ ଯେ ସ୍କୁଲ ଗେଟ୍ ପାଖରେ ଅପର୍ତ୍ତି ରିକ୍ସା ରଖି ଠିଆ ହୋଇଛି। ତା ପରଠାରୁ ସୌଦାମିନୀଙ୍କୁ ସ୍କୁଲକୁ ଯିବାପାଇଁ ଆଉ କେବେ ରିକ୍ସା ଖୋଜିବାକୁ ପଡ଼ିନି। ସବୁଦିନେ ଠିକ୍ ସମୟରେ ଅପର୍ତ୍ତି ଆସି ସୌଦାମିନୀଙ୍କୁ ତା ରିକ୍ସାରେ ସ୍କୁଲ୍ ନେଇଯାଏ ଓ ସ୍କୁଲ୍ ଛୁଟି ହେବାପରେ ପୁଣି ତାଙ୍କୁ ତା ରିକ୍ସାରେ ଆଣି ଘରେ ଛାଡ଼ି ଦେଇଯାଏ। ଦିନେ ସ୍କୁଲକୁ ଗଲାବେଳକୁ ବାଟରେ ତା ରିକ୍ସା ଖରାପ ହେଲା। ସେ ଭାରି ମନଦୁଃଖରେ କହିଲା ମା ! ଏ ରିକ୍ସା ଠିକ୍ ହେବାକୁ ଅତି କମରେ ଘଣ୍ଟାଏ ଲାଗିବ। ଆପଣଙ୍କୁ ସ୍କୁଲରେ ପହଞ୍ଚିବା ଡେରି ହୋଇଯିବ। ମୁଁ ଆଉ ଗୋଟିଏ ରିକ୍ସା ଡାକି ଆଣୁଛି। ଆପଣ ସେଥିରେ ଚାଲି ଯାଆନ୍ତୁ। ଚାରିଟା ବେଳକୁ ମୁଁ ଯାଇ ଆପଣଙ୍କୁ ନେଇ ଆସିବି। ସେଦିନ ସୌଦାମିନୀଙ୍କୁ ଅନ୍ୟ ଏକ ରିକ୍ସାରେ ସ୍କୁଲ୍ ଯିବାକୁ ପଡ଼ିଲା। ଚାରିଟା ବେଳେ ସ୍କୁଲରୁ ଫେରିଲା ବେଳକୁ ସୌଦାମିନୀ ଅପର୍ତ୍ତିକୁ କହିଲେ , ତୁ ଜାଣିଛୁ , ମୁଁ ସବୁଦିନେ ତୋ ରିକ୍ସାରେ ସ୍କୁଲ୍ ଯିବା ଆସିବା କରୁଛି। କିନ୍ତୁ ମୁଁ ଦେଖୁଛି ତୁ ଏ ରିକ୍ସା ପ୍ରତି ଆଦୋୖ ଧ୍ୟାନ
ଦେଉନାହୁଁ। ତୁ ଯଦି ଏ ରିକ୍ସାକୁ ନ ସଜାଡ଼ିବୁ ତାହେଲେ ଆଜିଭଳି ବାଟରେ କେତେବେଳେ ଯେ ଇୟେ ଖରାପ ହେବ ସେକଥା କହିହେବ ନାହିଁ। ଆଉ ବାଟରେ ରିକ୍ସା ଖରାପ ହେଲେ ମୋତେ ସ୍କୁଲରେ ପହଞ୍ଚିବା ଡେରି ହେବ। ଆଜି ସିନା ଯୋଗକୁ ସାଙ୍ଗେ ସାଙ୍ଗେ ଆଉ ଗୋଟିଏ ରିକ୍ସା ମିଳିଗଲା। ତା ନହେଲେ ମୋର ତ ସ୍କୁଲରେ ପହଞ୍ଚିବା ଡେରି ହୋଇ ଯାଇଥାନ୍ତା ! ଆଚ୍ଛା ! ତୁ ଏ ରିକ୍ସାକୁ ନ ସଜାଡ଼ି ଏମିତି ଅବସ୍ଥାରେ ରଖିଛୁ କାହିଁକି ? ଅପର୍ତ୍ତି କହିଲା , ମା ! ଆପଣ ଯାହା କହିଲେ ସେକଥା ଠିକ୍ ଯେ ହେଲେ ଏ ରିକ୍ସା ମୋର ନୁହେଁ। ରିକ୍ସା ମାଲିକ ଠାରୁ ଏ ରିକ୍ସା ଭଡ଼ାରେ ଆଣି ମୁଁ ଚଲାଉଛି। ସନ୍ଧ୍ୟାବେଳକୁ ରିକ୍ସା ଭଡ଼ା ସହିତ ଏ ରିକ୍ସା ନେଇ ମୁଁ ତା ଜିମାରେ ଦେବି। ମୁଁ ଯେତେବେଳେ ମାଲିକ ଠାରୁ ରିକ୍ସା ଆଣିଲି ରିକ୍ସା ଅଧିକ ଖରାପ ହେଲେ ସେ ସଜାଡ଼ିବେ ବୋଲି ମୋତେ କଥା ଦେଇଥିଲେ। କିନ୍ତୁ ମୁଁ ସିନା ସବୁଦିନ ସନ୍ଧ୍ୟାବେଳେ ଭଡ଼ା ଦେଇ ଦେଉଛି ହେଲେ ସେ ରିକ୍ସା ସଜାଡ଼ିବା ନାଆଁ ଧରୁ ନାହାଁନ୍ତି। ରିକ୍ସା ସଜାଡ଼ିବା କଥା କହିଲା ବେଳକୁ ମୋତେ ସେ କହୁଛନ୍ତି ଏ ମାସରେ ଟିକେ ପଇସାପତ୍ର ଅସୁବିଧା ଅଛି। ଆରମାସରେ ସଜାଡ଼ି ଦେବି। ଏମିତି କହି କହି ସେ ଖାଲି ଦିନ ଗଡ଼େଇ ଚାଲିଛନ୍ତି। ଏପଟେ ଠିକ୍ ସମୟରେ ନ ସଜାଡ଼ିବା ଫଳରେ ଦିନକୁ ଦିନ ରିକ୍ସାଟା ବେଶୀ ବେଶୀ ଖରାପ ହୋଇଯାଉଛି। ମୁହଁ ମତରେ ମୁଁ କିଛି କହି ପାରୁନାହିଁ ସିନା ହେଲେ ଏ ରିକ୍ସା ଚଲେଇବାକୁ ମୋତେ ବହୁତ କଷ୍ଟ ହେଉଛି। ଆଛା ମା ! ଆପଣ ଯଦି ଖରାପ ନ ଭାବିବେ ମୁଁ ଆପଣଙ୍କୁ ଗୋଟିଏ କଥା କହିବି। ସୌଦାମିନୀ କହିଲେ , ଖରାପ କାହିଁକି ଭାବିବି ! କଣ କହିବୁ କହୁନୁ। ଅପର୍ତ୍ତି କହିଲା ମା ! ଆପଣ ତ ମାସ ସାରା ମୋ ରିକ୍ସାରେ ଭଡ଼ା ଦେଇ ଯିବା ଆସିବା କରୁଛନ୍ତି। ଆପଣ ବାବୁଙ୍କୁ କହି ଯଦି ନୂଆ ରିକ୍ସାଟିଏ କିଣି ଦିଅନ୍ତେ ତାହେଲେ ସେହି ରିକ୍ସାରେ ମୁଁ ଆପଣଙ୍କୁ ବିନା ପଇସାରେ ନବା ଆଣିବା କରନ୍ତି। ଆପଣଙ୍କୁ ଆଉ ସବୁଦିନେ ରିକ୍ସା ଭଡ଼ା ଗଣିବାକୁ ପଡନ୍ତାନି। ସକାଳେ ଆପଣଙ୍କୁ ସ୍କୁଲରେ ଛାଡ଼ି ଦେଇ ଆସିବା ପରେ ମୁଁ ମୋର ବାହାର ଭଡ଼ା କରନ୍ତି। ତାପରେ ଚାରିଟା ବେଳେ ଯାଇ ଆପଣଙ୍କୁ ସ୍କୁଲରୁ ନେଇ ଆସନ୍ତି। ଆଉ ରିକ୍ସା କିଛି ଖରାପ ହେଲେ ମୁଁ ତାକୁ ମରାମତି କରି ଦିଅନ୍ତି। ଅପର୍ତ୍ତି କଥାଟା ସୌଦାମିନୀଙ୍କୁ କାହିଁକି ଠିକ୍ ଲାଗିଲା। ସେ କହିଲେ , ଠିକ୍ ଅଛି। ମୁଁ ଘରେ ବାବୁଙ୍କ ସହିତ କଥା ହେଲାପରେ ଏ ବିଷୟରେ ତୋତେ ଜଣାଇବି।
ସେଦିନ ସନ୍ଧ୍ୟାରେ ସ୍କୁଲରୁ ଫେରିଲା ପରେ ସୌଦାମିନୀ ମୋତେ ନୂଆ ରିକ୍ସା କିଣିବା ବିଷୟରେ କହିଲେ। ସେତେବେଳକୁ ମୋର ଅପର୍ତ୍ତି ସହିତ ସାକ୍ଷାତ ହୋଇ ନଥାଏ କାରଣ ମୁଁ ଅଫିସ୍ ଚାଲିଗଲା ପରେ ସେ ଆସି ସୌଦାମିନୀଙ୍କୁ ରିକ୍ସାରେ ନେଉଥିଲା ଓ ମୁଁ ଅଫିସରୁ ଫେରିବା ଆଗରୁ ସେ ତାଙ୍କୁ ଆଣି ଘରେ ଛାଡ଼ି ଦେଉଥିଲା। ତୋ ମାଆଙ୍କ ଠାରୁ ନୂଆ ରିକ୍ସା କିଣିବା କଥା ଶୁଣି ମୁଁ ପ୍ରଥମେ ଟିକେ ଅମଙ୍ଗ ହେଲି। ତୋ ମାଆଙ୍କୁ କହିଲି , ସେ ରିକ୍ସାବାଲା କଥାରେ ବିଶ୍ବାସ କରି କେଉଁ ଭରସାରେ ଆମେ ନୂଆ ରିକ୍ସାଟିଏ କିଣି ତା ହାତରେ ଦେବା ? ସେ ଯଦି ରିକ୍ସାଟାକୁ କେଉଁଠି ବିକ୍ରି କରିଦେଇ ଏ ସହର ଛାଡ଼ି ଚାଲିଗଲା ତାହେଲେ ? ମୋ ମାଆ କହିଲେ , ସେ ରିକ୍ସାବାଲା ରିକ୍ସାରେ ସ୍କୁଲକୁ ଯିବା ଆସିବା କରିବା ସମୟରେ ତା କଥାବାର୍ତ୍ତାରୁ ମୁଁ ଯେତିକି ଜାଣିଛି ସେ ଜଣେ ସଚ୍ଚୋଟ ଲୋକ। ସେ କେବେହେଲେ ଏପରି କାମ କରିବନି ବୋଲି ମୋର ତା ଉପରେ ପୂର୍ଣ୍ଣ ବିଶ୍ଵାସ ଅଛି। ତାପରେ ସେ ଯାହା କହୁଛି ସେଥିରେ ଆମର ତ କିଛି କ୍ଷତି ହେବନି। ଏବେ ଆମେ ଯେତିକି ପଇସା ଦେଇ ରିକ୍ସା କିଣିବା କିଛି ବର୍ଷ ସ୍କୁଲକୁ ଯିବା ଆସିବା କରିବା ପରେ ଆମର ସେ ପଇସା ତ ଅସୁଲ ହୋଇ ଯାଇଥିବ। ତୋ ମାଆଙ୍କ କଥା ଶୁଣିବା ପରେ ମୁଁ ହିସାବ କରି ଦେଖିଲି ଯେ ସେ ରିକ୍ସାବାଲା କିଛି ଖରାପ ପ୍ରସ୍ତାବ ଦେଇନି। ମୁଁ ତୋ ମାଆଙ୍କୁ କହିଲି , ଠିକ୍ ଅଛି। ନୂଆ ରିକ୍ସାଟିଏ କିଣିବାକୁ ମୋର କୋୖଣସି ଆପତ୍ତି ନାହିଁ ଯେ ହେଲେ ମୁଁ ପ୍ରଥମେ ସେ ରିକ୍ସାବାଲା ସହିତ ସାକ୍ଷାତ କରି ତା ସହ ସିଧାସଳଖ କଥା ହେବାକୁ ଚାହୁଁଛି। ତୁମେ ତାକୁ ଆସନ୍ତା ରବିବାର ଦିନ ଆମ ଘରକୁ ଆସିବାକୁ କୁହ। ସୌଦାମିନୀ କହିଲେ , ଠିକ୍ ଅଛି।
ରବିବାର ଦିନ ସକାଳୁ ବଗିଚାରେ ମୁଁ ପାଣି ଦେଉଛି। ମେନ୍ ଗେଟ୍ ଖୋଲି ଶ୍ୟାମଳ ବର୍ଣ୍ଣର ଯୁବକଟିଏ ଭିତରକୁ ଆସିଲା। ବୟସ ଚବିଶି କି ପଚିଶି ହେବ। ମୁଣ୍ଡରେ କୁଞ୍ଚୁକୁଞ୍ଚିଆ କେଶ। ହାଫ୍ ପ୍ୟାଣ୍ଟ୍ ଓ ପୁରା ଗଞ୍ଜିଟିଏ ପିନ୍ଧିଥାଏ। କାନ୍ଧରେ ଖଣ୍ଡେ ଗାମୁଛା। ମୁଁ ଯେତେବେଳେ ତା ଆଡକୁ ଅଚିହ୍ନା ଭାବ ନେଇ ଚାହିଁଲି ସେ ନମସ୍କାର କରି କହିଲା , ମୁଁ ଅପର୍ତ୍ତି ରିକ୍ସାବାଲା। ମାଆଙ୍କୁ ସବୁଦିନେ ମୋ ରିକ୍ସାରେ ସ୍କୁଲକୁ ନିଏ। ମାଆ ମୋତେ ଆଜି ଆସିବାକୁ କହିଥିଲେ। ଏହାଥିଲା ଅପର୍ତ୍ତି ସହିତ ମୋର ପ୍ରଥମ ସାକ୍ଷାତ। ମୁଁ ଗଛରେ ପାଣି ଦେବା ବନ୍ଦ କରି ତାକୁ କହିଲି , ଠିକ୍ ଅଛି। ଘର ଭିତରକୁ ଆ। ତାପରେ ସେ ମୋ ପଛେ ପଛେ ଆସି ଡ୍ରଇଂ ରୁମ ବାରଣ୍ଡାରେ ଠିଆ ହେଲା। ସେତେବେଳକୁ ସୌଦାମିନୀ ଡ୍ରଇଂ ରୁମରେ ପଡ଼ିଥିବା ସୋଫାଟାକୁ ଫୋଛୁଥିଲେ। ମୁଁ ଡ୍ରଇଂ ରୁମ ଭିତରକୁ ଯାଇ ତାଙ୍କୁ କହିଲି , ଦେଖ ! କିଏ ଆସିଛି ! ଅପର୍ତ୍ତିକୁ ଦେଖି ସେ କହିଲେ , ଆରେ ଅପର୍ତ୍ତି ! ତୁ ଆସିଗଲୁଣି। ତାପରେ ସେ ମୋତେ କହିଲେ , ବୁଝିଲ ! ଏ ହେଉଛି ଅପର୍ତ୍ତି। ମୁଁ କହିଲି , ଆରେ ତୁମେ ମୋତେ ତା ପରିଚୟ ଦେବା ଦରକାର ନାହିଁ। ଆଗରୁ ମୋର ତା ସହିତ ପରିଚୟ ହୋଇ ସାରିଲାଣି। ସୌଦାମିନୀ ଟିକେ ହସିଦେଇ କହିଲେ , ହଉ। ମୁଁ ଅପର୍ତ୍ତିକୁ କହିଲି , ଚା ପିଇବୁ ? ସେ କହିଲା , ନାଇଁ ବାବୁ ! ମୁଁ ଏବେ ଚା ପିଇଛି। ତାପରେ ଅପର୍ତ୍ତିକୁ ବସିବାକୁ କହି ତୋ ମା ଓ ମୁଁ ଏଇ ସୋଫା ଉପରେ ବସିଲୁ। ଅପର୍ତ୍ତି ବାରଣ୍ଡା ଉପରେ ବସିଲା। ମୁଁ ତାକୁ ପଚାରିଲି , ତୋ ଘର କେଉଁଠି ? ତୋ ଘର ପରିବାର ବିଷୟରେ ମୋତେ କିଛି କହ। ସେ କହିଲା , ଓଡ଼ିଶା ଓ ବେଙ୍ଗଲର ସୀମାରେ ଥିବା ଏକ ଗାଆଁରେ ମୋ ଘର। ବାପା ଓ ମାଆ ଦୁଇଜଣ ଯାକ ଗୋଟିଏ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଗାଆଁରେ କାମଦାମ କରି ଚଳୁଥିଲି। ପାଖ ଗାଆଁର ଗୋଟିଏ ଝିଅ ସହିତ ମୋର ବାହାଘର ମଧ୍ୟ ହୋଇ ସାରିଥିଲା। କିନ୍ତୁ .... ଏତିକି କହି ସେ ଅଧାରେ ଅଟକିଗଲା। ସୌଦାମିନୀ କହିଲେ , ଆରେ କିନ୍ତୁ ପୁଣି କଣ ? ତୋ ସ୍ତ୍ରୀ ତୋ ଗାଆଁରେ ଅଛି ନା ତୋ ସହିତ ଏହି ସହରରେ ରହୁଛି। ସେ ଦୁଃଖରେ କହିଲା , ସେ ଥିଲେ ମୁଁ ଗାଆଁ ଛାଡ଼ି ଏ ସହରକୁ ଆସି ନଥାନ୍ତି ମାଆ ! ତା ମୁହଁରୁ ଏକଥା ଶୁଣି ମୁଁ ଓ ତୋ ମାଆ ଆଶ୍ଚର୍ଯ୍ୟ ହୋଇ ତା ମୁହଁକୁ ଚାହିଁଲୁ। ସେ କହିଲା , ମୋ ବାହାଘର ପରେ ସବୁକିଛି ଠିକଠାକ୍ ଚାଲିଥିଲା । ମୋ ଘରକୁ ମୋର ଜଣେ ଅନ୍ତରଙ୍ଗ ସାଙ୍ଗ ଯିବା ଆସିବା କରୁଥିଲା। ଦିନେ ମୁଁ କାମରୁ ଫେରି ଶୁଣିଲି ଯେ ମୋ ସ୍ତ୍ରୀ ମୋର ସେହି ସାଙ୍ଗ ସହିତ ଗାଆଁ ଛାଡ଼ି କୁଆଡ଼େ ପଳେଇ ଯାଇଛି। ମୋ ମନଟା ପୁରାପୁରି ଭାଙ୍ଗିଗଲା। ଗାଆଁରେ ରହିବାକୁ ମୋତେ ଆଉ ଭଲ ଲାଗିଲା ନାହିଁ। ସେହିଦିନ ରାତି ବସରେ ବସି ମୁଁ ଏ ସହରକୁ ଚାଲି ଆସିଲି। ମୁଁ ଅନୁରୋଧ କରିବାରୁ ଜଣେ ରିକ୍ସାବାଲା ମୋତେ ନେଇ ଏଇ ରିକ୍ସାମାଲିକଙ୍କ ସହିତ ଚିହ୍ନା କରେଇଦେଲା। ଆଉ ସେଇଦିନ ଠାରୁ ମୁଁ ଏ ସହରରେ ରିକ୍ସା ଟାଣୁଛି। ଅପର୍ତ୍ତିର କଥା ଶୁଣି ସୌଦାମିନୀ କହିଲେ , ଆରେ ତୋ ଭିତରେ ଏତେ ଦୁଃଖକୁ ତୁ ଚାପି ରଖିଛୁ। ତୁ ମୋତେ ରିକ୍ସାରେ ସ୍କୁଲ୍ ନେଲା ବେଳେ ଅନେକ କଥା ତ ଗପୁଛୁ। କାହିଁ ଏକଥା ତ ମୋତେ କେବେ କହି ନଥିଲୁ ! ସେ କହିଲା , କଣ କହିଥାନ୍ତି ମାଆ ! ଅଜାଗା ଘାଆ ପରା ! ଦେଖିହୁଏ ନାହିଁ କି ଦେଖାଇ ହୁଏନାହିଁ। ଆଜି ଆପଣମାନେ ମୋତେ ପଚାରିଲେ ବୋଲି ଆପଣମାନଙ୍କ ଆଗରେ ବାଧ୍ୟ ହୋଇ ଏକଥା କହିଲି। ଏହାକହି ଅପର୍ତ୍ତି ତା କାନ୍ଧରୁ ଗାମୁଛା କାଢ଼ି ତା ଆଖିରୁ ଲୁହ ପୋଛିଲା। ମୁଁ କହିଲି , ଅପର୍ତ୍ତି ! ଯାହା ତ ହେବାର ହୋଇସାରିଛି। ଆଉ ମନଦୁଃଖ କରି କିଛି ଲାଭ ନାହିଁ। ଏବେ ତୋ କହିବା ଅନୁସାରେ ମୁଁ ତୋତେ ନୂଆ ରିକ୍ସାଟିଏ କିଣି ଦେବି। ତୁ ସେଥିରେ ସୌଦାମିନୀଙ୍କୁ ସ୍କୁଲ ନେବା ଆଣିବା କରିବୁ। ମୋ ମୁହଁରୁ ଏକଥା ଶୁଣି ସେ ବହୁତ ଖୁସି ହୋଇଗଲା। ତାପରେ ମୁଁ ତାକୁ ପଚାରିଲି , ଆଚ୍ଛା ! ତୁ ଏବେ ରହୁଛୁ କେଉଁଠି ? ସେ କହିଲା , ମୁଁ ଯେଉଁ ମାଲିକର ରିକ୍ସା ଚଲାଉଛି ରିକ୍ସାସବୁ ରଖିବା ପାଇଁ ତାଙ୍କ ଘର ପଛପଟେ ସେ ଯେଉଁ ଲମ୍ବା ଟିଣଘର କରିଛନ୍ତି ମୁଁ ସେଇଠି ରୁହେ। ହଉ ବାବୁ ! ମୁଁ ଏବେ ଆସୁଛି। ତାପରେ ସେ ମୋତେ ଓ ସୌଦାମିନୀଙ୍କୁ ନମସ୍କାର କରି ଚାଲିଗଲା।
ତା ପର ସପ୍ତାହରେ ମୁଁ ନୂଆ ରିକ୍ସାଟିଏ କିଣି ଅପର୍ତ୍ତି ହାତରେ ଦେଲି। ସେହିଦିନ ଠାରୁ ଅପର୍ତ୍ତି ସୌଦାମିନୀଙ୍କୁ ସବୁଦିନେ ସେହି ରିକ୍ସାରେ ସ୍କୁଲକୁ ନିଏ ଓ ସ୍କୁଲରୁ ଆଣେ। ଅନ୍ୟ ସମୟରେ ସେ ବାହାର ଭଡ଼ା କରେ। ସନ୍ଧ୍ୟା ହେଲେ ରିକ୍ସାଟିକୁ ଆମ ବଗିଚା ପାଖରେ ରଖିଦେଇ ସେ ଚାଲିଯାଏ। କିଛିଦିନ ପରର କଥା। ସୌଦାମିନୀ ସ୍କୁଲ ଯିବାପାଇଁ ଅପେକ୍ଷା କରିଥାନ୍ତି। ସାଢେ଼ ନଅଟା ବାଜିଗଲା କିନ୍ତୁ ଅପର୍ତ୍ତି ଆସିଲା ନାହିଁ। ମୁଁ ସେତେବେଳକୁ ଅଫିସ୍ ଚାଲି ଯାଇଥାଏ। ଅପର୍ତ୍ତି ତ ସବୁଦିନେ ଠିକ୍ ନଅଟା ବେଳେ ଆସେ। ସେଦିନ କାହିଁକି ଆସିଲା ନାହିଁ ବୋଲି ତୋ ମାଆ ବ୍ୟସ୍ତ ହୋଇ ପଡ଼ିଲେ। ଆଉ ଡେରି ନକରି ସେ ଅନ୍ୟ ରିକ୍ସାରେ ସ୍କୁଲ୍ ଚାଲିଗଲେ। ସେଦିନ ଚାରିଟା ବେଳେ ବି ଅପର୍ତ୍ତି ସୌଦାମିନୀଙ୍କୁ ଆଣିବାକୁ ସ୍କୁଲକୁ ଗଲା ନାହିଁ। ଅନ୍ୟ ରିକ୍ସା କରି ତାଙ୍କୁ ଘରକୁ ଫେରିବାକୁ ପଡ଼ିଲା। ମୁଁ ସେଦିନ ଅଫିସରୁ ଫେରିଲା ପରେ ସୌଦାମିନୀ ବ୍ୟସ୍ତ ହୋଇ ମୋ ଆଗରେ ସବୁକଥା କହିଲେ। ସେ କହିଲେ , ଅପର୍ତ୍ତିର ନିଶ୍ଚୟ କିଛି ଅସୁବିଧା ହୋଇଛି। ତା ନ ହୋଇଥିଲେ ସେ ମୋତେ କିଛି ନକହି ଅନୁପସ୍ଥିତ ରହି ନଥାନ୍ତା। ତୁମେ ଟିକେ ଯାଇ ଦେଖନା। ମୁଁ କହିଲି , ଆରେ ! ସେ କେଉଁଠି ରହୁଛି ଦେଖିଥିଲେ ସିନା ଯାଇ ମୁଁ ଯାଇ ତାକୁ ଦେଖା କରିଥାନ୍ତି ! ସେ ଯାହା ରିକ୍ସା ଭଡ଼ାରେ ଚଲାଉଥିଲା ତାଙ୍କରି ଘରେ ରହୁଛି ବୋଲି କହୁଥିଲା। କିନ୍ତୁ ସେଦିନ ସେ ଜାଗା କେଉଁଠି ବୋଲି ମୁଁ ପଚାରି ପାରି ନଥିଲି। ତେଣୁ ଆଜିଟା ଆମେ ଅପେକ୍ଷା କରିବା। ସେ କାଲି ହୁଏତ ଆସିପାରେ। ସୌଦାମିନୀ କହିଲେ , ହଉ।
ଆମେ ଦୁହେଁ ଏତିକି କଥାବାର୍ତ୍ତା ହୋଇ କବାଟ ବନ୍ଦ କରି ଘର ଭିତରକୁ ଗଲା ବେଳକୁ କିଏ ଜଣେ ବାହାର ଗେଟ୍ ଖୋଲିବା ଶବ୍ଦ ହେଲା। କବାଟ ଖୋଲି ଦେଖିଲା ବେଳକୁ ବାହାରେ ଅପର୍ତ୍ତି ଠିଆ ହୋଇଛି। ସୌଦାମିନୀ କହିଲେ , ଆରେ ଅପର୍ତ୍ତି ! ଆଜି ତୁ ଆସିଲୁ ନାହିଁ କାହିଁକି ? ସେ କହିଲା , ମାଆ ! ମୁଁ ଜାଣିଥିଲି ଯେ ମୁଁ ନ ଆସିଲେ ଆପଣ ସ୍କୁଲ୍ ଯିବାକୁ ହଇରାଣ ହେବେ। କିନ୍ତୁ କଣ କରିବି ! କାଲି ରାତିରୁ ମୁଁ ଜରରେ ଏଭଳି କମ୍ପୁଥିଲି ଯେ ଶେଯରୁ ଉଠିବାକୁ ମୋର ଶକ୍ତି ନଥିଲା। ଆଜି ଦିନ ସାରା ଶୋଇ ଶୋଇ ଏବେ ଟିକେ ଭଲ ଲାଗିବାରୁ ଆପଣଙ୍କୁ ଦେଖା କରିବାକୁ ଆସିଲି। ମୁଁ ତାକୁ କହିଲି , କଣ କିଛି ଔଷଧ ପତ୍ର ଖାଇଛୁ ନା ନାହିଁ ? ସେ କହିଲା , ହଁ ବାବୁ ! ଜର ବଟିକା ଖାଇଛି। ମୁଁ କହିଲି , ତାହେଲେ କାଲି ସକାଳେ ଆସିଥାନ୍ତୁ। ଏ ରାତିଟାରେ କାହିଁକି ଆସିଲୁ ? ସେ କହିଲା , ମୁଁ ଭାବିଲି , ମାଆ ମୋତେ ଖରାପ ଭାବୁଥିବେ। ସେଥିପାଇଁ ଜଣେଇବାକୁ ଚାଲି ଆସିଲି। ସୌଦାମିନୀ କହିଲେ , ଆଚ୍ଛା ! ହଠାତ୍ ତୋ ଦେହ ଏମିତି ଅସୁସ୍ଥ ହେଲା କେମିତି ? ସେ କହିଲା , ସେକଥା ଆଉ କଣ କହିବି ମା ! ଆଗରୁ ଭଡ଼ାରେ ଯେଉଁ ମାଲିକର ରିକ୍ସା ଚଲାଉଥିଲି ତାଙ୍କର ରିକ୍ସା ରଖିବାକୁ ଯେଉଁ ଲମ୍ବା ଟିଣ ଘରଟା କରିଛନ୍ତି ତାରି ଭିତରେ ଥିବା ବାରଣ୍ଡାରେ ରାତିରେ ରହି ଯାଉଥିଲି। ତାଙ୍କ ରିକ୍ସା ଛାଡ଼ି ଦେଇ ଆପଣଙ୍କ ନୂଆ ରିକ୍ସା ଚଲେଇବା ପରେ ସେ ମାଲିକ ମୋତେ ଆଉ ସେ ଘରେ ରହିବାକୁ ମନା କଲା। ତାକୁ ଅନୁରୋଧ କରିବାରୁ ସେ ଗୋଟିଏ ମାସ ସେଠାରେ ରହିବାକୁ ମୋତେ ଅନୁମତି ଦେଇଥିଲା। ୟା ଭିତରେ କେତେବେଳେ ଯେ ମାସେ ପୂରି ଗଲାଣି ମୋର ଆଉ ଖିଆଲ ନାହିଁ। କାଲି ରାତିରେ ଖାଇ ସାରି ମୁଁ ସେଠିକି ଗଲା ବେଳକୁ ସେ ମୋତେ ଆଉ ସେଠି ରହିବାକୁ ଅନୁମତି ହେଲାନାହିଁ। ବାଧ୍ୟ ହୋଇ ପାଖରେ ଥିବା ଗୋଟିଏ ଦୋକାନ ବାରଣ୍ଡାରେ ରାତିରେ ଶୋଇ ପଡ଼ିଲି। କାଲି ରାତିରେ ଯେଉଁ ବର୍ଷା ହେଲା ସେ ବର୍ଷା ଛିଟାରେ ମୁଁ ସେଠି ରାତିସାରା ଭିଜିଲି। ସକାଳୁ ଉଠିଲା ବେଳକୁ ଦେହରେ ପ୍ରବଳ ଜର। ଉଠି ପାରିଲି ନାହିଁ। ଯୋଗକୁ ଆଜି ସେ ବଜାର ବନ୍ଦ ଥିବାରୁ ଯେଉଁ ଦୋକାନ ବାରଣ୍ଡାରେ ମୁଁ ଶୋଇଥିଲି ସେ ଦୋକାନୀ ଆଜି ଦୋକାନ ଖୋଲିଲା ନାହିଁ। ଦିନସାରା ସେହି ଦୋକାନ ବାରଣ୍ଡାରେ ପଡ଼ି ରହିଲି। ସନ୍ଧ୍ୟାବେଳେ ଟିକେ ଭଲ ଲାଗିବାରୁ ପାଖ ବଜାରରୁ ଔଷଧ କିଣି ଖାଇବା ପରେ ଜରଟା କମିଲା। ତାପରେ ମୁଁ ଆପଣଙ୍କ ପାଖକୁ ଆସିଲି। ତା କଥା ଶୁଣି ସୌଦାମିନୀ କହିଲେ , ଆରେ କାଲି ସନ୍ଧ୍ୟାରେ ସେ ଲୋକ ଯଦି ତୋତେ ସେଠି ରହିବାକୁ ମନାକଲା ତୁ ଆମ ଘରକୁ ଚାଲି
ଆସିଲୁନି କାହିଁକି ! ସେ କହିଲା , ନାଇଁ ମା ! ମୁଁ ଭାବିଥିଲି କାଲି ରାତିଟା ଯାଇଥିଲେ ଆଜି ଯେଉଁଠି ହେଲେ ମୋ ରହିବା ବ୍ୟବସ୍ଥା କରିଥାନ୍ତି। କିନ୍ତୁ ଦେହଟା ଖରାପ ହୋଇ ଯିବାରୁ ଆଜି ଆଉ କେଉଁଠି ରହିବା ବ୍ୟବସ୍ଥା ହୋଇ ପାରିଲା ନାହିଁ। କିନ୍ତୁ ଆପଣ ସେଥିପାଇଁ ମୋଟେ ବ୍ୟସ୍ତ ହୁଅନ୍ତୁନି ମାଆ ! ଆଜି ତ ବର୍ଷା ନାହିଁ। ମୁଁ ଆଜିଟା ପୁଣି ସେଇ ଦୋକାନ ବାରଣ୍ଡାରେ ଶୋଇ ପଡ଼ିବି। କାଲି ଯାହା ଗୋଟେ ବ୍ୟବସ୍ଥା କରିବି। ତୋ ମାଆ ତାକୁ ଯେତେବେଳେ ଖାଇବା ପାଇଁ ଡ଼ାକିଲେ ସେ ମନାକଲା। କହିଲା , ମୁଁ ସନ୍ଧ୍ୟାବେଳେ ଔଷଧ ଖାଇବା ଆଗରୁ ରୁଟି କିଣି ଖାଇଛି। ମୁଁ ଏବେ ଆସୁଛି ମାଆ ! କାଲି ନଅଟା ବେଳେ ମୁଁ ଆସି ଆପଣଙ୍କୁ ସ୍କୁଲକୁ ନେବି। ଏତିକି କହି ସେ ଯେତେବେଳେ ଯିବାକୁ ବାହାରିଲା ସୌଦାମିନୀ ମୋ ମୁହଁକୁ ଚାହିଁଲେ। ତାଙ୍କର ସେ ଚାହାଣୀରୁ ମୁଁ ବୁଝି ପାରିଲି ଯେ ସେ ଯେମିତି ମୋତେ କହୁଛନ୍ତି , ଏଇ ଅପର୍ତ୍ତି ପାଇଁ ଆମେ କଣ କିଛି କରି ପାରିବାନି ! ଏଇ କେତେଦିନ ଭିତରେ ଅପର୍ତ୍ତିର ସରଳତା ଓ ନିରୀହପଣ ଆମକୁ ତା ଆଡ଼କୁ ଆକର୍ଷିତ କରି ସାରିଥିଲା। ଆମ ଅଜାଣତରେ ତା ସହିତ ଆମର ଗୋଟେ ସମ୍ପର୍କ ସୃଷ୍ଟି ହୋଇ ସାରିଥିଲା। ବୁଝିଲୁ ଅଭିଜିତ ! ସମ୍ପର୍କଟା ଏଭଳି ଏକ ସୂତା ଖିଅ କେତେବେଳେ , କେଉଁଠି , କାହା ସହିତ , କାହିଁକି ଓ କିପରି ଯେ ତାହା ଯୋଡ଼ି ହୋଇଯାଏ ସେକଥା କେହି ଜାଣି ପାରନ୍ତିନି। ଏ ଦୁନିଆରେ ରକ୍ତର ସମ୍ପର୍କକୁ ବଞ୍ଚାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଅନେକ ସମୟରେ ତାହା ତିଷ୍ଠି ପାରି ନଥାଏ। କିନ୍ତୁ ଆଉ କିଛି ସମ୍ପର୍କ ରକ୍ତର ନହେଲେ ବି କାହିଁକି କେଜାଣି ଅଳ୍ପ ସମୟ ଭିତରେ ତାହା ଅତି ନିଜର ହୋଇ ଯାଇଥାଏ। ଏହି କେତେଦିନର ପରିଚୟ ଭିତରେ ଆମ ଅଜାଣତରେ ଅପର୍ତ୍ତି ସହିତ ଆମର ଏକ ସମ୍ପର୍କ ଯୋଡ଼ି ହୋଇ ସାରିଥିଲା ଯାହାକୁ କି ସେଦିନ ଅପର୍ତ୍ତି ଉଠି ଯିବାକୁ ବାହାରିଲା ବେଳକୁ ମୁଁ ଅନୁଭବ କଲି। ମୁଁ ଭାବିଲି , ସହରରେ ଭଡ଼ାଘର ପାଇବାର ଯେଉଁ ଅସୁବିଧା ଅପର୍ତ୍ତି ପକ୍ଷରେ ଗୋଟିଏ ଭଡ଼ାଘର ଯୋଗାଡ଼ କରିବା ଏତେ ସହଜ ହେବନାହିଁ। ଆଜି ରାତିରେ ପୁଣି ସେ ଯାଇ ସେ ଦୋକାନ ବାରଣ୍ଡାରେ ଶୋଇବ ! ଏ କଥାକୁ ମୋ ବିବେକ କାହିଁକି ସେଦିନ ଅନୁମୋଦନ କଲା ନାହିଁ। ମୁଁ ଅପର୍ତ୍ତିକୁ ପଚାରିଲି , ଆଚ୍ଛା ! ତୋ ଜିନିଷପତ୍ର କେଉଁଠି ଅଛି ? ସେ ହାତରେ ଧରିଥିବା ଗୋଟିଏ ବ୍ୟାଗକୁ ଦେଖାଇ ମୋତେ କହିଲା , ଏଥିରେ ମୋର ସବୁ ଜିନିଷପତ୍ର ଅଛି ବାବୁ ! ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି , ଆରେ ! ଏହି ଛୋଟିଆ ବ୍ୟାଗଟିରେ ତୋର ସବୁ ଜିନିଷ ଅଛି ! ସେ କହିଲା , ହଁ ବାବୁ ! ଦୁଇଟା ହାଫ୍ ପ୍ୟାଣ୍ଟ , ଦୁଇଟା ହାଫ୍ ସାର୍ଟ , ଦୁଇଖଣ୍ଡ ଗାମୁଛା ଓ ଖଣ୍ତେ ବେଡସିଟ୍ ଏତିକି ହେଲା ମୋର ସର୍ବମୋଟ ଜିନିଷ ଯେଉଁଥିରୁ ଗୋଟିଏ ପ୍ୟାଣ୍ଟ , ଗୋଟିଏ ସାର୍ଟ ଓ ଗୋଟିଏ ଗାମୁଛା ସବୁବେଳେ ମୋ ଦେହରେ ଥାଏ ଆଉ ବାକି ଜିନିଷ ଏହି ବ୍ୟାଗରେ ରହିଥାଏ। ମୁଁ ତାକୁ କହିଲି , ଶୁଣ୍। ତୋର ଆଉ ରହିବା ପାଇଁ ଘର ଖୋଜିବା ଦରକାର ନାହିଁ। ତୁ ଆଜିଠାରୁ ଏଇଠି ରହିବୁ। ଆମ ବଗିଚାରେ ଯେଉଁ ଆଜବେଷ୍ଟସ ଘରଟା ଅଛି ତୁ ଆଜିଠାରୁ ସେହିଘରେ ରହିବୁ। ମୋ କଥା ଶୁଣି ସୌଦାମିନୀ କହିଲେ , ହଁ ତୁମେ ଠିକ୍ କହିଛ। କିନ୍ତୁ ଆମ କଥା ଶୁଣି ଅପର୍ତ୍ତି ଖୁସି ହେଲାନାହିଁ। ସେ କହିଲା , ନାଇଁ ବାବୁ ! ମୁଁ ମାଗଣାରେ ଆପଣଙ୍କ ଘରେ ରହି ପାରିବି ନାହିଁ। ମୁଁ ଜାଣି ପାରିଲି ଯେ ଅପର୍ତ୍ତି ଖୁବ୍ ସ୍ଵାଭିମାନୀ। ସେଥିପାଇଁ ସେ ଏମିତି କହୁଛି। ସେଥିପାଇଁ ମୁଁ ତାକୁ କହିଲି , ଆରେ ! ତୋତେ ମାଗଣାରେ ରହିବାକୁ କିଏ କହୁଛି ! ଆମ ବଗିଚାରେ ଯେଉଁ ଲୋକଟି ଆସି ସବୁଦିନେ ପାଣିଦିଏ ତାକୁ ତ ମୁଁ ମାସକୁ ମାସ ପଇସା ଦେଉଛି। କାଲିଠାରୁ ବଗିଚାରେ ପାଣି ଦେବା କାମଟା ତୋର। ମୋତେ ଆଉ ବଗିଚାରେ ପାଣି ଦେବା ପାଇଁ ଅନ୍ୟ ଲୋକକୁ ପଇସା ଦେବାକୁ ପଡ଼ିବନି। ଏବେ ହେଲା ତ ? ସେ କହିଲା , ହଁ ବାବୁ ! ସେମିତି ହେଲେ ମୋର ଏଠାରେ ରହିବାରେ କିଛି ଆପତ୍ତି ନାହିଁ। ମୁଁ କହିଲି , ଅପର୍ତ୍ତି ! ସେ ଘରେ ଖଟଟିଏ ପଡ଼ିଛି। ତୁ ସେଇ ଖଟ ଉପରେ ଶୋଇବୁ। ଏବେ ଚାଲ୍ ! ମୁଁ ସେ ଘରର ତାଲା ଖୋଲି ଦେଉଛି। ସେହିଦିନ ରାତିରୁ ଅପର୍ତ୍ତି ସେଇଠି ରହି ଆସୁଛି।
ଅପର୍ତ୍ତି ଏଠାରେ ରହିବାର ବର୍ଷକ ପରେ ତୋର ଜନ୍ମ। ତୋତେ ଛୋଟ ବେଳେ ଅପର୍ତ୍ତି ସ୍କୁଲ ନେବା ଆଣିବା କଥା ତୁ ମଧ୍ୟ ଭୁଲି ନଥିବୁ। ତାପରେ ତୁ ନବୋଦୟ ବିଦ୍ୟାଳୟରେ ପଢ଼ିବା ପାଇଁ ହଷ୍ଟେଲରେ ଯାଇ ରହିଲୁ। କଲେଜ ଶିକ୍ଷା ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଶିକ୍ଷା ସରିବା ପର୍ଯ୍ୟନ୍ତ ତୁ ହଷ୍ଟେଲରେ ରହି ପଢ଼ିଲୁ। ତେଣୁ ଅପର୍ତ୍ତି ବିଷୟରେ ତୁ ଭଲ ଭାବରେ ଜାଣି ପାରିଲୁ ନାହିଁ। ତୁ ଯଦି ହଷ୍ଟେଲରେ ନରହି ଘରେ ରହିଥାନ୍ତୁ ତାହେଲେ ଅପର୍ତ୍ତି ଯେ କିପରି ଆମ ପରିବାରର ଏକ ଅଂଶ ପାଲଟି ଯାଇଛି ସେକଥା ତୁ ଜାଣି ପାରିଥାନ୍ତୁ ! ଅପର୍ତ୍ତି ଏଠାରେ ରହିବା ପରେ ତୋ ମାଆଙ୍କୁ ସ୍କୁଲକୁ ନେବା ଓ ସ୍କୁଲରୁ ଆଣିବା ବ୍ୟତୀତ ଆସ୍ତେ ଆସ୍ତେ ଘରର ସବୁ କାମରେ ଆମକୁ ସାହାଯ୍ୟ କରିବାରେ ଲାଗିଲା। ବଜାରରୁ ପରିବା ପତ୍ର ଆଣିବା , ଇଲେକ୍ଟ୍ରି ବିଲ ଦେବା , ଲଣ୍ଡ୍ରିକୁ ଲୁଗା ନେବା ଇତ୍ୟାଦି ସବୁ କାମ ଯାହାକି ମୋତେ ଆଗରୁ କରିବାକୁ ପଡ଼ୁଥିଲା ଅପର୍ତ୍ତି ରହିବା ପରେ ସେସବୁ କାମ ସେ ସ୍ଵତଃ ପ୍ରବୃତ୍ତ ଭାବେ ନିଜେ କରି ଦେଉଥିଲା। ସକାଳ ବେଳା ତୋ ମାଆଙ୍କୁ ସ୍କୁଲରେ ଛାଡ଼ି ଦେବାପରେ ସେ ବାହାର ଭଡ଼ା କରି ଯାହା ରୋଜଗାର କରୁଥିଲା ସେଇ ପଇସାରେ ସେ ଚଳୁଥିଲା। ଯଦି କେତେବେଳେ ତୋ ମାଆ ଖୁସିରେ ତାକୁ କିଛି ପଇସା ଯାଚନ୍ତି ସେ ନେବାପାଇଁ ରୋକ୍ ଠୋକ୍ ମନା କରି ଦିଏ। କହେ , ମାଆ ! ଆପଣ ତ ମୋତେ ରହିବା ପାଇଁ ଘର ଦେଇଛନ୍ତି ; ମୋର ଜୀବିକା ନିର୍ବାହ ପାଇଁ ନୂଆ ରିକ୍ସା କିଣିଦେଇଛନ୍ତି। ସେଇ ରିକ୍ସା ଟାଣି ମୁଁ ଯେତିକି ପଇସା ଆଣୁଛି ତାହା ଗୋଟିଏ ପେଟ ପାଇଁ ଯଥେଷ୍ଟ। ମୋର ଆଉ ଅଧିକ ପଇସା କଣ ହେବ ! ଏମିତି ଧୀରେ ଧୀରେ ଅପର୍ତ୍ତି ଯେ କେତେବେଳେ ଆମ ଘରର ଏକ ଅଂଶ ପାଲଟି ଗଲା ସେକଥା ଆମେ ଜାଣି ପାରିଲୁ ନାହିଁ। ସନ୍ଧ୍ୟାବେଳେ ଭଡ଼ା କରି ଫେରିବାକୁ ତାର ଡେରି ହେଲେ କାହିଁକି କେଜାଣି ଆମେ ଦୁଇଜଣ ଖୁବ୍ ବ୍ୟସ୍ତ ହୋଇ ପଡ଼ୁଥିଲୁ। ତା ଦେହ ଖରାପ ହେଲେ ଆମ ଦୁଇଜଣଙ୍କୁ ଖୁବ୍ ଅସ୍ତବ୍ୟସ୍ତ ଲାଗୁଥିଲା। ଠିକ୍ ସେମିତି ତୋ ମାଆଙ୍କର କି ମୋର ଦେହ ଖରାପ ହେଲେ ଅପର୍ତ୍ତି ଖୁବ୍ ବ୍ୟସ୍ତ ହୋଇ ପଡ଼ୁଥିଲା। ଭଡ଼ା କରିବାକୁ ରିକ୍ସା ନେଇ ଯାଉ ନଥିଲା। କାଳେ ରାତିରେ କଣ ଦରକାର ହେବ ବୋଲି ରାତିସାରା ନଶୋଇ ଚେଇଁ ରହୁଥିଲା। ମୋଟ ଉପରେ କହିବାକୁ ଗଲେ ଅପର୍ତ୍ତି ନିଜର ନହୋଇ ମଧ୍ୟ ଆମର ଅତି ନିଜର ହୋଇ ଯାଇଥିଲା। ତା ମନରେ ଆମ ପ୍ରତି ଥିବା ସ୍ନେହ ଓ ଶ୍ରଦ୍ଧାକୁ ଆମେ ଦୁହେଁ ସବୁବେଳେ ଅନୁଭବ କରୁଥିଲୁ। କଣ ପାଇଁ କେଜାଣି ଆମ ଦୁଇଜଣଙ୍କ ହୃଦୟରେ ତା ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି ହୋଇ ସାରିଥିଲା। ସେ ଆଉ ଆମ ପାଇଁ ଖାଲି ଜଣେ ରିକ୍ସାବାଲା ନଥିଲା ; ସେ ଆମର ସୁଖଦୁଃଖର ସାଥି ହୋଇ ସାରିଥିଲା। ସମୟେ ସମୟେ ତୋ ମାଆ ଓ ମୋ ଭିତରେ ଯଦି ଝଗଡ଼ା ହେଉଥିଲା ଅପର୍ତ୍ତି ଆସି ତାର ସମାଧାନ କରୁଥିଲା। କାହିଁକି କେଜାଣି ଆମେ ଦୁଇଜଣ ଯାକ କେହି ତା କଥା କାଟି ପାରୁ ନଥିଲୁ। ସେ ଯେଉଁଦିନ ପାର୍କ ବୁଲିଯିବା ପାଇଁ ପ୍ରସ୍ତାବ ଦେଉଥିଲା ଆମେ ଦୁଇଜଣ ବିନା ଦ୍ବିଧାରେ ତା ରିକ୍ସାରେ ବସି ପାର୍କ ବୁଲିବାକୁ ଯାଉଥିଲୁ , ସେ ଯେଉଁଦିନ ଆମ ଦୁଇଜଣଙ୍କ ପାଇଁ ସିନେମା ଟିକେଟ କାଟି ଆଣୁଥିଲା ଆମେ ଦୁଇଜଣ ବିନା ଦ୍ବିଧାରେ ତା ରିକ୍ସାରେ ବସି ସିନେମା ଯାଉଥିଲୁ। ମୋଟ ଉପରେ କହିବାକୁ ଗଲେ ଅପର୍ତ୍ତି କେବେ ତା ନିଜ ପାଇଁ ଚିନ୍ତା କରୁ ନଥିଲା , ସେ ସବୁବେଳେ ଆମ ଦୁଇଜଣଙ୍କ ଖୁସି ପାଇଁ ଚିନ୍ତା କରୁଥିଲା। ଆମ ଦୁଇଜଣଙ୍କ ଖୁସି ଦେଖି ସେ ଖୁସି ହେଉଥିଲା , ଆମ ଦୁଇଜଣଙ୍କ ମନରେ ଦୁଃଖ ଦେଖିଲେ ସେ ମୁହଁଟାକୁ ଧାନ ଉଷୁଆଁ ହାଣ୍ଡି ଭଳିଆ କରି ଦେଉଥିଲା। କହିବାକୁ ଗଲେ ଆମେ ଦୁଇଜଣ ହିଁ ତା ଦୁନିଆଁ ଥିଲୁ। ତା ଦୁନିଆଁଟା ଆମ୍ଭ ଦୁଇଜଣଙ୍କ ଠାରୁ ଆରମ୍ଭ ହୋଇ ଆମ୍ଭ ଦୁଇଜଣଙ୍କ ଠାରେ ଶେଷ ହୋଇ ଯାଉଥିଲା। ତା ଭିତରେ ତୋ ପଢ଼ା ସରିଲା , ଚାକିରି ହେଲା ଓ ବିଭାଘର ହେଲା। ଯେତେବେଳେ ବୋହୂ ବିଥିକାକୁ ନେଇ ତୁ ଦିଲ୍ଲୀ ଚାଲିଗଲୁ ସେତେବେଳେ ଏଇ ଅପର୍ତ୍ତି ହିଁ ଆମ୍ଭ ଦୁଇ ଜଣଙ୍କର ଭଲମନ୍ଦ ଓ ସୁଖଦୁଃଖର ସାଥି ଥିଲା। ସମୟକ୍ରମେ ମୋର ଚାକିରି ସରିଗଲା ଓ ସୌଦାମିନୀ ମଧ୍ୟ ଚାକିରିରୁ ଅବସର ନେଲେ। ସୌଦାମିନୀ ଚାକିରିରୁ ଅବସର ନେବା ପରେ ଅପର୍ତ୍ତି ଆସି ମୋତେ କହିଲା , ବାବୁ ! ମାଆଙ୍କୁ ସିନା ସ୍କୁଲ୍ ନେବା ଆଣିବା କରୁଥିଲି ବୋଲି ମୁଁ ଆପଣଙ୍କୁ ରିକ୍ସା ପାଇଁ ଭଡ଼ା ଦେଉ ନଥିଲି। ଏବେ ତ ମାଆଙ୍କ ଚାକିରି ସରିଗଲା। ଏବେ ରିକ୍ସା ପାଇଁ ଆପଣଙ୍କୁ ମୁଁ ଭଡ଼ା ନଦେଲେ ମୋତେ ରିକ୍ସା ଚଲାଇବାକୁ ଭଲ ଲାଗିବ ନାହିଁଁ। ତା ମୁହଁରୁ ଏକଥା ଶୁଣି ସୌଦାମିନୀ ଓ ମୁଁ ତା ଉପରେ ଭୀଷଣ ଭାବରେ ବିରକ୍ତ ହେଲୁ। ସେ କିନ୍ତୁ ନଛୋଡବନ୍ଧା। ମୁଁ ସୌଦାମିନୀଙ୍କୁ ଚୁପ୍ ରହିବା ପାଇଁ ଇଙ୍ଗିତ କରି ଅପର୍ତ୍ତିକୁ କହିଲି , ହଉ , ଠିକ୍ ଅଛି। ଭଡ଼ା ଦେଲେ ଯଦି ତୁ ଖୁସି ହେବୁ ତାହାହିଁ ହେଉ। ଏକଥା ତାକୁ କହିବାକୁ ଗଲାବେଳେ ମୁଁ ମନେ ମନେ ଅପର୍ତ୍ତିକୁ ଚାହିଁ କହୁଥିଲି , ମୁଁ ତୋତେ କେମିତି ବୁଝାଇବି ଅପର୍ତ୍ତି ! ତୁ ଆଉ ଆମ ପାଇଁ ଜଣେ ରିକ୍ସାବାଲା ହୋଇ ନାହୁଁ , ଆମପାଇଁ ତୋର ସ୍ଥାନ ତା ଠାରୁ ବହୁତ ଉପରେ। କିନ୍ତୁ ମୁଁ ଜାଣିଥିଲି , ଅପର୍ତ୍ତି ଭାରି ସ୍ଵାଭିମାନୀ। ଭଡ଼ା ନେବାପାଇଁ ମନା କଲେ ସେ ଆଉ ଏ ରିକ୍ସା ଚଲାଇବ ନାହିଁ। ତେଣୁ ମୋର ଅନିଚ୍ଛା ସତ୍ତ୍ଵେ ମୁଁ ତାକୁ ରିକ୍ସା ପାଇଁ ଭଡ଼ା ଦେବାକୁ କହିଲି। ସେ ଗଲାପରେ ସୌଦାମିନୀ ମୋ ଉପରେ ବିରକ୍ତ ହୋଇ କହିଲେ , ତୁମେ ରିକ୍ସା ପାଇଁ ଅପର୍ତ୍ତି ଠାରୁ ଭଡ଼ା ନେବ ବୋଲି ରାଜି ହେଲ କାହିଁକି ? ମୁଁ କହିଲି , ଆରେ ମୁଁ କଣ ଖୁସିରେ ତା କଥାରେ ରାଜି ହେଲି ! ସେ ଯେତେ ସ୍ଵାଭିମାନୀ ନା ତାକୁ ଯଦି ମୁଁ ଭଡ଼ା ନେବାପାଇଁ ମନା କରି ଦେଇଥାନ୍ତି ସେ ଆଉ ଆମ ରିକ୍ସା ଚଲାଇ ନଥାନ୍ତା। ସେଇଟା କଣ ଭଲ ହୋଇଥାନ୍ତା ? ସେଥିପାଇଁ ମୁଁ ଗୋଟିଏ କଥା ଭାବିଛି। ସେ ରିକ୍ସା ଭଡ଼ା ବାବଦକୁ ଯେତିକି ଟଙ୍କା ଦେବ ଆମେ ତାକୁ ସଞ୍ଚୟ କରି ରଖିଦେବା। ଭବିଷ୍ୟତରେ ଦରକାର ବେଳେ ତା କାମରେ ଲାଗିବ। ସୌଦାମିନୀ କହିଲେ , ହଉ। ଯାହା କରୁଛ କର ମୋର କିଛି ଆପତ୍ତି ନାହିଁ। କିନ୍ତୁ ମୋର ଗୋଟିଏ କଥା ମନେ ରଖିବ। ମୁଁ ଯଦି ଆଗ ମରିଯାଏ ତାହେଲେ ଅପର୍ତ୍ତିକୁ ତୁମେ କେବେ ନିଜ ପାଖରୁ ଦୂରେଇ ଦେବ ନାହିଁ କାହିଁକି ନା ଏତେବଡ଼ ଦୁନିଆଁରେ ଆମ ଛଡ଼ା ତାର ଆଉ କେହି ନାହାଁନ୍ତି। ପ୍ରକୃତରେ ତାଙ୍କ କଥା ସତ ହୋଇଗଲା। ସେ ମୋତେ ଛାଡ଼ି ଏ ଦୁନିଆଁରୁ ଆଗ ଚାଲିଗଲେ। ସେ ଚାଲିଯିବା ପରେ ଅପର୍ତ୍ତି ଏମିତି ଭାଙ୍ଗି ପଡ଼ିଲା ଯେମିତି କି ସେ ନିଜ ମାଆକୁ ହରେଇ ଦେଇଛି।
ତୋ ମାଆ ଚାଲିଯିବା ପରେ ଦିନେ ଆସି ସେ ମୋତେ କହିଲା , ବାବୁ ! ମାଆଙ୍କ ପାଇଁ ମୁଁ ଏ ଘରକୁ ଆସିଥିଲି। ସେ ଚାଲିଯିବା ପରେ ମୋତେ ଆଉ ଏଠାରେ କିଛି ଭଲ ଲାଗୁନାହିଁ। ଭାବୁଛି , ଗାଆଁକୁ ପଳେଇବି। ଗାଆଁରେ ପୁଣି ମୂଲ ଲାଗି ଚଳିବି। ମୁଁ କହିଲି , ଅପର୍ତ୍ତି ! ତୋ ମାଆ ଚାଲିଗଲା ପରେ ମୁଁ ତ ପୁରା ଏକୁଟିଆ ହୋଇ ଯାଇଛି। ତୁ ଯଦି ଗାଆଁକୁ ପଳେଇବୁ ମୁଁ ଆହୁରି ଏକୁଟିଆ ହୋଇଯିବି। ମୋର ଏଇ ଦୁଇପଦ କଥାରୁ ସେ କଣ ବୁଝିଲା କେଜାଣି କିଛି କ୍ଷଣ ପାଇଁ ସେ ଚୁପ୍ ହୋଇ ବସି ରହିଲା। ତାପରେ ସେ ମୋତେ କହିଲା , ମୁଁ ତ ଏକଥା ଭାବି ନଥିଲି ବାବୁ ! ଠିକ୍ ଅଛି ! ମୁଁ ଆପଣଙ୍କୁ ଏଠାରେ ଏକା କରିଦେଇ ଗାଆଁକୁ ଆଉ ଯିବିନାହିଁ। ତାପରେ ମୋ ଭଳି ଧୀରେ ଧୀରେ ସେ ତା ମନକୁ ବୁଝେଇଲା ଓ ପୁଣି ପୂର୍ବଭଳି ରିକ୍ସା ଟାଣିବା ସହିତ ଘରର ଅନ୍ୟାନ୍ୟ କାମରେ ମଧ୍ୟ ସହଯୋଗ କଲା।
ସୌଦାମିନୀଙ୍କ ମୃତ୍ୟୁର କିଛି ଦିନ ପରେ ମୁଁ ଲକ୍ଷ୍ୟ କଲି ଅଧିକାଂଶ ସମୟ ରିକ୍ସାଟା ଆମ ବଗିଚା କଡ଼ରେ ଥୁଆ ହୋଇ ରହୁଛି। ମୁଁ ଭାବିଲି ଆଗରୁ ଅପର୍ତ୍ତି ତ ଦିନ ନଅଟାରୁ ରିକ୍ସା ନେଇ ସନ୍ଧ୍ୟାବେଳକୁ ଘରକୁ ଫେରୁଥିଲା। ଏବେ ସେ ରିକ୍ସା ନେଇ ଯାଉନି କାହିଁକି ? ମୁଁ ତାକୁ ଡାକି କହିଲି , ଆଚ୍ଛା ଅପର୍ତ୍ତି ! ତୁ ଆଉ ରିକ୍ସା ନେଇ ଯାଉନୁ କି ? ଯଦି ବି ଯାଉଛୁ ଅଳ୍ପ ସମୟ ପରେ ଫେରି ଆସୁଛୁ ! ତୋ ଦେହ ପା ସବୁ ଠିକ୍ ଅଛି ତ ? ସେ କହିଲା ଦେହ ଠିକ୍ ଅଛି ବାବୁ ! ହେଲେ ଆଗଭଳି ଆଉ ଭଡ଼ା ହେଉନାହିଁ। ମୁଁ ପଚାରିଲି , କାହିଁକି ? ସେ କହିଲା , ବାବୁ ! ବର୍ତ୍ତମାନ ଲୋକମାନଙ୍କ ପାଖରେ ପଇସା ଅଛି ସିନା କିନ୍ତୁ ସମୟ ନାହିଁ। ତେଣୁ ସମୟ ବଞ୍ଚେଇବା ପାଇଁ ସେମାନେ ଆଉ ରିକ୍ସାରେ ନଯାଇ ଅଟୋରିକ୍ସାରେ ଯିବାକୁ ପସନ୍ଦ କରୁଛନ୍ତି। ତେଣୁ ମୁଁ ବସି ବସି ବାଧ୍ୟ ହୋଇ ଘରକୁ ଫେରି ଆସୁଛି। ମୁଁ ତାର ସମସ୍ୟାଟା ବୁଝି ପାରିଲି। କିନ୍ତୁ କଣ କରିବି କିଛି ଜାଣି ପାରିଲି ନାହିଁ ! ପ୍ରଥମେ ଭାବିଲି ଖର୍ଚ୍ଚ କରିବା ପାଇଁଁ ତାକୁ କିଛି ପଇସା ଦେବି। କିନ୍ତୁ ମୁଁ ଭଲ ଭାବରେ ଜାଣିଥିଲି ଯେ ସେ ଭୋକରେ ରହିବ ପଛେ ତାକୁ ବିନା କାରଣରେ ପଇସା ଦେଲେ ସେ ଆଦୋୖ ଗ୍ରହଣ କରିବ ନାହିଁ। ହେଲେ ଭଡ଼ା ନକଲେ ସେ ଚଳିବ କେମିତି ! ସେଦିନ ମୁଁ ଆଉ ତାକୁ କିଛି କହିଲି ନାହିଁ। ତା ପରଦିନ ମୁଁ ତା ପାଇଁ କଣ କରି ପାରିବି ବୋଲି ଚିନ୍ତାକରି ଡ୍ରଇଂ ରୁମ ବାରଣ୍ଡାରେ ବସିଛି। ଅପର୍ତ୍ତି ଆସି ମୋ ପାଖରେ ଠିଆହେଲା। ମୋତେ ଚିନ୍ତିତ ଦେଖି ସେ କହିଲା , ବାବୁ କଣ ହୋଇଛି ? ମନ ଦୁଃଖରେ କାହିଁକି ବସିଛନ୍ତି ? ମୁଁ କହିଲି , ଅପର୍ତ୍ତି ! ଏତେବଡ଼ ଘରଟାରେ ଦିନସାରା ଏକୁଟିଆ ବସି ବସି ମୋତେ ଭାରି ବିରକ୍ତ ଲାଗୁଛି। ତୁ ସବୁଦିନେ ଉପରବେଳା ମୋତେ ରିକ୍ସାରେ ନେଇ ଯଦି ସହର ବୁଲେଇ ଆଣନ୍ତୁ ଖୋଲା ପବନରେ ବୁଲି ଆସିଲେ ମୋ ମନଟା ଟିକେ ଭଲ ଲାଗନ୍ତା। ସେ କହିଲା , ଇୟେ ତ ବଡ଼ ଖୁସିର କଥା ବାବୁ। ଆଜି ଚାରିଟା ବେଳକୁ ଆପଣଙ୍କୁ ମୁଁ ରିକ୍ସାରେ ବସାଇ ସହର ବୁଲାଇବାକୁ ନେଇଯିବି। ମୁଁ କହିଲି , ଆଚ୍ଛା ! ଆଗରୁ ତୁ କାହାକୁ କେବେ ରିକ୍ସାରେ ବସାଇ ସହର ବୁଲେଇଛୁ। ସେ କହିଲା , ହଁ ବାବୁ ! ବୁଲେଇଛି। ମୁଁ କହିଲି , ସେଥିପାଇଁ ତୋତେ କେତେ ପଇସା ମିଳେ। ସେ କହିଲା , ଦେଢ଼ ଶହ ଟଙ୍କା ମିଳେ। ମୁଁ କହିଲି , ତୁ ପ୍ରତିଦିନ ମୋତେ ରିକ୍ସାରେ ବସାଇ ସହର ବୁଲେଇ ଆଣିବା ପରେ ମୋ ଠାରୁ ଦେଢ଼ ଶହ ଟଙ୍କା ନେଇଯିବୁ। ସେ କହିଲା , ଆପଣ ଏ କଣ କହୁଛନ୍ତି ବାବୁ ! ଆପଣଙ୍କ ରିକ୍ସାରେ ଆପଣ ବସି ସହର ବୁଲିବାକୁ ଯିବେ। ଆଉ ସେଥିପାଇଁ ଆପଣ ମୋତେ ପଇସା ଦେବେ ! ମୁଁ କହିଲି ଆରେ ! ରିକ୍ସା ସିନା ମୋର ହେଲେ ପରିଶ୍ରମ ତ ତୋର ନା ! ଆଉ ତୁ ଯଦି ପଇସା ନେବାକୁ ରାଜି ନହେବୁ ମୁଁ ସହର ବୁଲିବା ପାଇଁ ଯିବି ନାହିଁ। ସେ କହିଲା , ଠିକ୍ ଅଛି ବାବୁ ! ଆପଣଙ୍କ କଥାରେ ମୁଁ ରାଜି। ଆଜି ଉପରବେଳା ମୁଁ ଆପଣଙ୍କୁ ରିକ୍ସାରେ ବସାଇ ସହର ବୁଲାଇବାକୁ ନେବି। ସେହିଦିନ ଠାରୁ ସବୁଦିନେ ଚାରିଟା ବେଳେ ଅପର୍ତ୍ତି ମୋତେ ରିକ୍ସାରେ ବସାଇ ସହର ବୁଲାଇବାକୁ ନିଏ। ତେଣୁ ସହର ବୁଲିବାଟା ମୋର ଗୋଟିଏ ବାହାନା। କେବଳ ଅପର୍ତ୍ତି ପାଇଁ କିଛି ରୋଜଗାରର ବ୍ୟବସ୍ଥା କରିବା ହେଉଛି ମୋର ମୂଳ ଲକ୍ଷ୍ୟ। ଅବଶ୍ୟ ସେଥି ଯୋଗୁ ମୋର ଗୋଟିଏ ଲାଭ ହେଉଛି। ଅପର୍ତ୍ତି ଯେହେତୁ ମୋ ଜୀବନର ଅନେକ ସୁଖଦୁଃଖର ସାକ୍ଷୀ ସେଥିପାଇଁ ରିକ୍ସାରେ ବସି ସହର ବୁଲିଲା ବେଳେ ତା ସହିତ ଗପସପ କଲେ ସେ ଉଦାହରଣ ଛଳରେ ପୁରୁଣାଦିନର ଅନେକ କଥା କହି ମୋର ଅତୀତର ସ୍ମୃତିକୁ ତାଜା କରିଦିଏ। ସେଥିପାଇଁ ତା ସହିତ ଗପସପ କରି ରିକ୍ସାରେ ବସି ବୁଲିଲେ ମୋ ମନଟା ହାଲୁକା ହୋଇଯାଏ।
ବସନ୍ତ ବାବୁଙ୍କ ଠାରୁ ସବୁକଥା ଶୁଣି ସାରିବା ପରେ ଅଭିଜିତ ବାବୁ କହିଲେ , ବାପା ! ଆପଣ ଯାହା କରିଛନ୍ତି ଠିକ୍ କରିଛନ୍ତି। କିନ୍ତୁ ଅପର୍ତ୍ତିର ସମସ୍ୟା ପାଇଁ ଆପଣଙ୍କର ଏହି ବ୍ୟବସ୍ଥା ଏକ ସାମୟିକ ସମାଧାନ ହୋଇ ଥାଇପାରେ , ଏକ ସ୍ଥାୟୀ ସମାଧାନ ନୁହେଁ। ବସନ୍ତ ବାବୁ କହିଲେ , ତାହେଲେ ତା ସମସ୍ୟାର ଆମେ କିପରି ଏକ ସ୍ଥାୟୀ ସମାଧାନ କରି ପାରିବା କହୁନୁ। ଅଭିଜିତ ବାବୁ କହିଲେ , ଦେଖନ୍ତୁ ବାପା ! ଏବେ ଲୋକମାନଙ୍କ ପାଖରେ ସମୟ ନଥିବାରୁ ସେମାନେ ରିକ୍ସାରେ ନଯାଇ ଅଟୋରିକ୍ସାରେ ଯିବାକୁ ପସନ୍ଦ କରୁଛନ୍ତି। ତେଣୁ ଅପର୍ତ୍ତିକୁ ଆମେ ଯଦି ଗୋଟିଏ ଅଟୋରିକ୍ସା କିଣି ଦେଇ ପାରିବା ତାହେଲେ ତା ସମସ୍ୟାର ସମାଧାନ ହୋଇଯିବ। କିନ୍ତୁ ଅପର୍ତ୍ତି ସ୍ଵାଭିମାନୀ ହୋଇଥିବାରୁ ସେ ଆମ ଠାରୁ ଟଙ୍କା ନେଇ ଅଟୋରିକ୍ସା କିଣିବାକୁ ରାଜି ହେବନାହିଁ। ତେଣୁ ଅପର୍ତ୍ତି ନାଆଁରେ ବ୍ୟାଙ୍କରୁ ଋଣ ସୂତ୍ରରେ ଆମେ ଯଦି ତାକୁ ଗୋଟିଏ ଅଟୋରିକ୍ସା କିଣେଇଦେବା ତାହେଲେ ସବୁ ସମସ୍ୟାର ସମାଧାନ ହୋଇଯିବ। ଅଟୋରିକ୍ସାରୁ ଟଙ୍କା ରୋଜଗାର କରି ସେ ବ୍ୟାଙ୍କ ଋଣକୁ କିସ୍ତି ମାଧ୍ୟମରେ ଧୀରେ ଧୀରେ ପରିଶୋଧ କରି ଦେଇ ପାରିବ ଓ ଜୀବନ ସାରା ଆତ୍ମନିର୍ଭରଶୀଳ ହୋଇ ସେ ନିଜର ଜୀବିକା ନିର୍ବାହ ମଧ୍ୟ କରି ପାରିବ। ପୁଅର କଥା ବସନ୍ତ ବାବୁଙ୍କ ମନକୁ ପାଇଲା। ଅପର୍ତ୍ତିର ଭବିଷ୍ୟତକୁ ନେଇ ତାଙ୍କ ମନରେ ଯେଉଁ ଆଶଙ୍କା ଥିଲା ଅଭିଜିତର ଏହି ପ୍ରସ୍ତାବ ତାଙ୍କ ମନର ସେହି ଆଶଙ୍କାକୁ ଦୂର କରି ଦେଇଥିଲା।
ସେଦିନ ଉପରବେଳା ରିକ୍ସାରେ ବସି ବୁଲିବାକୁ ଗଲାବେଳେ ବସନ୍ତ ବାବୁ କହିଲେ , ଦେଖ୍ ଅପର୍ତ୍ତି ! ଲୋକମାନେ ଆଉ ରିକ୍ସାରେ ଯିବାକୁ ପସନ୍ଦ କରୁ ନାହାଁନ୍ତି ବୋଲି ତୁ ସବୁଦିନେ ବସି ବସି ଖାଲି ହାତରେ ଘରକୁ ଫେରୁଛୁ ବୋଲି କହୁଥିଲୁ ନା ? ସେ କହିଲା ହଁ ବାବୁ ! ବସନ୍ତ ବାବୁ କହିଲେ , ତେଣୁ ମୁଁ ଭାବିଛି ତୋ ନାଆଁରେ ବ୍ୟାଙ୍କରୁ ଋଣରେ ମୁଁ ତୋତେ ଗୋଟିଏ ଅଟୋରିକ୍ସା କିଣେଇଦେବି। ତୁ ଏଣିକି ଆଉ ରିକ୍ସା ନ ଚଲେଇ ଅଟୋରିକ୍ସା ଚଲେଇବୁ ଆଉ ପଇସା ରୋଜଗାର କରି ତୋ ରୋଜଗାରରୁ ତୁ ଆସ୍ତେ ଆସ୍ତେ ବ୍ୟାଙ୍କ ଋଣ ଶୁଝିଦେବୁ। ବସନ୍ତ ବାବୁଙ୍କ ମୁହଁରୁ ଏକଥା ଶୁଣି ଅପର୍ତ୍ତି ରିକ୍ସା ଅଟକାଇ ଆଶ୍ଚର୍ଯ୍ୟରେ ତାଙ୍କ ମୁହଁକୁ ଚାହିଁଲା ଓ କହିଲା , କିନ୍ତୁ ବାବୁ ! ଏ ରିକ୍ସା ! ବସନ୍ତ ବାବୁ କହିଲେ , ଆରେ ! ମୁଁ ସେ ରିକ୍ସାକୁ ବିକ୍ରି କରିଦେବି। ଅପର୍ତ୍ତି କହିଲା , ନାଇଁ ବାବୁ ! ଏଇ ରିକ୍ସା ପାଇଁ ମୋର ଆପଣଙ୍କ ପରିବାର ସହିତ ସମ୍ପର୍କ ଯୋଡ଼ି ହୋଇଛି। ଏଇ ରିକ୍ସାରେ ସବୁଦିନେ ମାଆଙ୍କୁ ମୁଁ ସ୍କୁଲ ନେଉଥିଲି ଓ ସ୍କୁଲରୁ ଆଣୁଥିଲି। ସେଥିପାଇଁ ଏଇ ରିକ୍ସାକୁ ଦେଖିଦେଲେ ମୋର ମାଆଙ୍କର ହସହସ ମୁହଁଟା ମନେ ପଡ଼ିଯାଏ। ତେଣୁ ଆପଣ ଯେଉଁ ଅଟୋରିକ୍ସା କିଣିବା କଥା କହୁଛନ୍ତି ମୁଁ ସେଥିରେ ରାଜି ଯେ ହେଲେ ଆପଣ ମୋତେ କଥା ଦିଅନ୍ତୁ ଯେ ଆପଣ ଏ ରିକ୍ସାକୁ କେବେହେଲେ ବିକ୍ରି କରିବେ ନାହିଁ। ବସନ୍ତ ବାବୁ କହିଲେ , ଆରେ ! ରିକ୍ସାଟା ନ ଚାଲି ପଡ଼ି ରହିଲେ ନଷ୍ଟ ହୋଇଯିବ ଯେ ! ଅପର୍ତ୍ତି କହିଲା , ନାଇଁ ବାବୁ ! ଅଟୋରିକ୍ସା ଚଲେଇଲେ ବି ମୁଁ ଏ ରିକ୍ସାକୁ କେବେହେଲେ ନଷ୍ଟ ହେବାକୁ ଦେବିନାହିଁ। ଏହି ରିକ୍ସାକୁ ମୁଁ ଯତ୍ନରେ ରଖିବି। ଏହି ରିକ୍ସା ସବୁବେଳେ ମୋତେ ମାଆଙ୍କ କଥା ମନେ ପକାଇ ଦେଉଥିବ। ମୁଁ ନିୟମିତ ଭାବରେ ଏହାର ମରାମତି କରିବି ଆଉ ଏ ରିକ୍ସା ଭଡ଼ା ବାବଦକୁ ମୁଁ ସବୁଦିନେ ଆପଣଙ୍କୁ ସନ୍ଧ୍ୟାବେଳେ ନେଇ ସହର ବୁଲେଇ ଆଣିବି। ଯେଉଁ ରିକ୍ସାବାଲା ଭାବରେ ମୋର ମାଆଙ୍କ ସହିତ ପ୍ରଥମ ପରିଚୟ ହୋଇଥିଲା ମୁଁ ମୋର ସେହି ରିକ୍ସାବାଲା ପରିଚୟକୁ କେବେହେଲେ ହଜେଇ ଦେବାକୁ ଚାହୁଁନାହିଁ। ତାଙ୍କ ପତ୍ନୀ ସୌଦାମିନୀଙ୍କ ପ୍ରତି ଅପର୍ତ୍ତି ମନରେ ଥିବା ଶ୍ରଦ୍ଧା ଓ ସମ୍ମାନକୁ ଦେଖି ବସନ୍ତ ବାବୁଙ୍କ ମନଟା ଖୁସିରେ ପୂରି ଉଠିଲା। ତାଙ୍କ ମୁହଁରେ ଏକ ତୃପ୍ତିର ହସ ଖେଳିଗଲା। ସେ କହିଲେ , ଠିକ୍ ଅଛି। ତୁ ଯାହା କହୁଛୁ ସେଇଆ ହେବ। ଏବେ ରିକ୍ସା ମଧୁଆ ପାନ ଦୋକାନ ପାଖକୁ ନେଇ ଚାଲ୍। ବସନ୍ତ ବାବୁଙ୍କ କଥା ଶୁଣି ଅପର୍ତ୍ତି ଖୁସି ମନରେ ରିକ୍ସା ନେଇ ମଧୁଆ ପାନ ଦୋକାନ ପାଖକୁ ଚାଲିଲା।
********************
