STORYMIRROR

Biswanath Nayak

Others

4  

Biswanath Nayak

Others

ନୋ ପାର୍କିଂ __________

ନୋ ପାର୍କିଂ __________

13 mins
9

ନୋ ପାର୍କିଂ 
__________
ସହରରେ ଯଦି ଜଣଙ୍କର ଗାଡ଼ିଟିଏ ଅଛି , କିନ୍ତୁ ଗାଡ଼ିଟି ରଖିବା ପାଇଁ ତାଙ୍କର ନିଜସ୍ଵ ପାର୍କିଂ ପ୍ଲେସ ନାହିଁ ତାହେଲେ ସେ ଗାଡ଼ିଟି ଯେ ତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଯିବ ଏଥିରେ କୋୖଣସି ସନ୍ଦେହ ନାହିଁ। ଏହା କହିବାର କାରଣ ହେଲା ଏକଥା ମୁଁ ନିଜେ ଅଙ୍ଗେ ନିଭେଇଛି। ଅବସର ପରେ ଆବଶ୍ୟକତା ଦୃଷ୍ଟିରୁ ମୁଁ ଯେତେବେଳେ ସହରରେ ଆସି ରହିଲି ମୋର ପୁରୁଣା ମାରୁତି ଗାଡ଼ିଟିକୁ ମଧ୍ୟ ମୋତେ ସାଥିରେ ସହରକୁ ଆଣିବାକୁ ହେଲା। କିନ୍ତୁ ମୋର ରହିବା ସ୍ଥାନରେ ଗାଡ଼ି ରଖିବା ପାଇଁ ନିଜସ୍ଵ ସ୍ଥାନ ନଥିବାରୁ ଗାଡ଼ିଟିକୁ ପାର୍କିଂ କରିବା ମୋ ପାଇଁ ଏକ ମୂଖ୍ୟ ସମସ୍ୟା ପାଲଟିଗଲା। ନିଜର ଅନିଚ୍ଛା ସତ୍ତ୍ବେ ପ୍ରାୟତଃ ଗାଡ଼ିଟିକୁ ଘର ସମ୍ମୁଖରେ ଥିବା ରାସ୍ତା କଡ଼ରେ ମୋତେ ପାର୍କିଂ କରିବାକୁ ପଡ଼ୁଥିଲା। ସେଥିପାଇଁ ଅନେକ ସମୟରେ ମୋତେ ଲୋକମାନଙ୍କର ସମାଲୋଚନାର ଶରବ୍ୟ ମଧ୍ୟ ହେବାକୁ ପଡ଼ୁଥିଲା। ଗାଡ଼ିକୁ ପାର୍କିଂ କରିବା ସମୟରେ ବେଳେବେଳେ କିଛି ଲୋକ ମୋତେ ଶୁଣେଇ ଶୁଣେଇ କହୁଥିଲେ , ଗାଡ଼ି ରଖିବା ପାଇଁ ଯାହାର ଜାଗା ନାହିଁ , ସେମାନେ ଗାଡ଼ି କିଣନ୍ତି କାହିଁକି କେଜାଣି ? ଆଉ କେହି ମୋତେ ସିଧା ସଳଖ ଭଦ୍ରାମିର ସହିତ ମୃଦୁ ସମାଲୋଚନା କରି କହୁଥିଲେ , ବୁଝିଲେ ଆଜ୍ଞା ! ଗାଡ଼ିଟିଏ କିଣିବା ପାଇଁ ଘରେ ସ୍ତ୍ରୀ ସବୁବେଳେ ବାଧ୍ୟ କରୁଛନ୍ତି , ହେଲେ ମୁଁ ସେଥିରେ ମନ ଦେଉନାହିଁ କାରଣ ମୁଁ ଜାଣିଛି ଗାଡ଼ି କିଣିଲେ ମୋତେ ଆପଣଙ୍କ ଅବସ୍ଥା ଭୋଗ କରିବାକୁ ପଡ଼ିବ। ଏସବୁ ସମାଲୋଚନା ସତ୍ତ୍ଵେ ମଧ୍ୟ ଅନନ୍ୟୋପାୟ ହୋଇ ମୋତେ ରାସ୍ତା କଡ଼ରେ ଗାଡ଼ିଟିକୁ ପାର୍କିଂ କରିବାକୁ ପଡ଼ୁଥିଲା । ଯେତେବେଳେ ଗାଡ଼ି ନେଇ କୋୖଣସି କାମରେ ବାହାରକୁ ଯାଉଥିଲି ଫେରିବା ବେଳକୁ ମୋ ମନରେ ଗୋଟିଏ ସନ୍ଦେହ ଥିଲା , ମୁଁ ଗାଡ଼ି ରଖୁଥିବା ସ୍ଥାନରେ ଯଦି ଆଉ କେହି ଜଣେ ଗାଡ଼ି ରଖି ଦେଇଥିବ ତାହେଲେ ମୁଁ କେଉଁଠି ଗାଡ଼ି ରଖିବି ! ଅନେକ ଥର ସେ ସନ୍ଦେହ ମଧ୍ୟ ସତ ହୋଇଛି। ଯେଉଁଦିନ ଏପରି ହୁଏ ସେଦିନ ଗାଡ଼ିଟିକୁ ପାର୍କିଂ କରିବା ପାଇଁ ମୁଁ ଯେ କି ହିନସ୍ତା ହୋଇଛି ସେକଥା କେବଳ ମୁଁ ହିଁ ଜାଣେ। ଏ ତ ଗଲା ନିତିଦିନିଆ କଥା। ଆଉ ଯେତେବେଳେ ବର୍ଷା ଆସୁଥିଲା ମୋର ଚିନ୍ତା ଆହୁରି ବଢ଼ି ଯାଉଥିଲା କାରଣ ଅସରାଏ ବର୍ଷା ହେଲେ ମୁଁ ଗାଡ଼ି ରଖୁଥିବା ସ୍ଥାନରେ ଆଣ୍ଠୁଏ ପାଣି ଜମି ଯାଉଥିଲା। ତେଣୁ ଆକାଶରେ ମେଘ ଉଠାଇଲେ ଗାଡ଼ିକୁ ନେଇ ଅନ୍ୟ କେଉଁଠି ଏକ ନିରାପଦ ସ୍ଥାନରେ ରଖିବା ମୋ ପାଇଁ ଏକ ବିରାଟ ସମସ୍ୟା ଥିଲା। ଆଉ ଯଦି ଗାଡ଼ିକୁ ସ୍ଥାନାନ୍ତରିତ କରୁ କରୁ ଅଚାନକ ଜୋରରେ ଅସରାଏ ବଡ଼ ବର୍ଷା ହୋଇଗଲା ତାହେଲେ ଗାଡ଼ି ଭିତରେ ପାଣି ପଶିବା ସୁନିଶ୍ଚିତ ଥିଲା। ଦୁଇ ତିନି ଥର ସେ ତିକ୍ତ ଅନୁଭୂତିକୁ ମଧ୍ୟ ମୁଁ ମଧ୍ୟ ଅଙ୍ଗେ ନିଭେଇଛି। ଏ ପ୍ରସଙ୍ଗରେ ଥରେ ଅଙ୍ଗେ ନିଭେଇଥିବା ଏକ ତିକ୍ତ ଅନୁଭୂତିକୁ ଏଠାରେ ଅବତାରଣା କରିବା ପ୍ରାସଙ୍ଗିକ ମନେହୁଏ। ଥରେ ରାତିରେ ମୁଁ ଶୋଇବାକୁ ଯାଉଥିଲା ବେଳେ ହଠାତ୍ ମୋବାଇଲ୍ ଫୋନଟା ରିଙ୍ଗ ହେଲା। ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। କଲ୍ ରିସିଭ କଲାପରେ ସେପାଖରୁ ଜଣେ ଭଦ୍ରଲୋକ କହିଲେ , ଆଜ୍ଞା ! ଆପଣଙ୍କ ଗାଡ଼ିଟିକୁ ଆଉ ଟିକେ ଦୂରକୁ ଘୁଞ୍ଚାଇ ଦିଅନ୍ତୁ କାରଣ ମୋ ପୁଅ ତା ଫ୍ୟାମିଲି ଧରି ଗାଡ଼ିରେ ଆସୁଛି। ଆପଣଙ୍କ ଗାଡ଼ି ଏଠି ରହିଲେ ଆମ ଗାଡ଼ି ମୋ ଘର ପାଖକୁ ଯାଇ ପାରିବ ନାହିଁ । ଯେହେତୁ ମୋ ନିଜସ୍ଵ ଜାଗାରେ ମୁଁ ଗାଡ଼ିଟିକୁ ରଖି ନଥିଲି ବାଧ୍ୟ ହୋଇ ତାଙ୍କ କହିବା ଅନୁସାରେ ରାତିରେ ଯାଇ ସେ ସ୍ଥାନରୁ ମୋ ଗାଡ଼ିକୁ ଘୁଞ୍ଚାଇ ଅନ୍ୟ ଏକ ସ୍ଥାନରେ ପାର୍କିଂ କଲି। ମୁଁ ରହୁଥିବା ଅଞ୍ଚଳରେ କେଉଁଠି ନୋ ପାର୍କିଂ ବୋର୍ଡ଼ ଲାଗି ନଥିଲେ ବି ମୋତେ ଲାଗୁଥିଲା ସତେ ଯେମିତି ମୋ ପାଇଁ ସବୁଆଡେ଼ ନୋ ପାର୍କିଂ ବୋର୍ଡ଼ ଲଗା ଯାଇଛି। ସେଦିନ ରାତିରେ ଭାବିଲି ନାଁ। ଆଉ ହେବନାହିଁ। ଗାଡ଼ି ପାର୍କିଂ ପାଇଁ କିଛି ସ୍ଥାୟୀ ସମାଧାନ ନ କରିବା ପର୍ଯ୍ୟନ୍ତ ମୁଁ ଶାନ୍ତିରେ ବି ଶୋଇ ପାରିବି ନାହିଁ। ତେଣୁ ଏସବୁ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଗାଡ଼ି ପାର୍କିଂ ପାଇଁ ଏକ ନିଜସ୍ୱ ଘର ତିଆରି କରିବା ବ୍ୟତୀତ ମୋ ପାଖରେ ଆଉ ଅନ୍ୟ କିଛି ରାସ୍ତା ନଥିଲା। ତେଣୁ ଗାଡ଼ି ପାର୍କିଂ ପାଇଁ କିଛି ଦିନ ଭିତରେ ଯୁଦ୍ଧକାଳୀନ ଭିତ୍ତିରେ ଏକ ପାର୍କିଂ ପ୍ଲେସ ତିଆରି କରାଗଲା। ଗାଡ଼ି ପାର୍କିଂ ପାଇଁ ଘରଟା ତିଆରି ହୋଇଯିବାରୁ ଗାଡ଼ି ରଖିବା ସମସ୍ୟାଟା ସିନା ସମାଧାନ ହୋଇଗଲା କିନ୍ତୁ ଆଉ ଗୋଟିଏ ବିରାଟ ସମସ୍ୟା ମୁଣ୍ଡ ଟେକି ମୋ ଆଗରେ ଠିଆ ହେଲା। ଗାଡ଼ି ପାର୍କିଂ ଘରର ସମ୍ମୁଖସ୍ଥ ରାସ୍ତାଟି ଯେହେତୁ ମୋର ନିଜସ୍ଵ ନଥିଲା ଗାଡ଼ି ଘରର ଗେଟ୍ ସମ୍ମୁଖରେ ସବୁବେଳେ ଲୋକମାନେ ମୋଟର ସାଇକେଲ , ଅଟୋ ରିକ୍ସା ଓ କାର୍ ଆଦି ପାର୍କିଂ କରୁଥିଲେ ଯାହା ଫଳରେ କି ହଠାତ୍ ଗାଡ଼ି ବାହାର କରିବାକୁ ମୋତେ ଭୀଷଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା ଯେଉଁଥିପାଇଁ କୋୖଣସି ଏକ ନିର୍ଦ୍ଦିଷ୍ଟ କାମରେ ବାହାରକୁ ଯିବାପାଇଁ ମୁଁ ନିର୍ଦ୍ଧାରିତ ସମୟରେ ଗାଡ଼ି ବାହାରକୁ ବାହାର କରି ପାରୁ ନଥିଲି। ସେଥିପାଇଁ ଭାବିଲି ଗେଟ୍ ସମ୍ମୁଖରେ ଗୋଟିଏ ' ନୋ ପାର୍କିଂ ' ବୋର୍ଡ ଲଗାଇଦେଲେ ଆଉ କେହି ଗେଟ୍ ସମ୍ମୁଖରେ ମୋଟର ସାଇକେଲ , ଅଟୋ ରିକ୍ସା ଓ କାର୍ ଆଦି ପାର୍କିଂ କରିବେ ନାହିଁ ଓ ମୋତେ ଏ ସମସ୍ୟାରୁ ମୁକ୍ତି ମିଳିଯିବ। ଏହିକଥା ଚିନ୍ତା କରି ମୁଁ ନାମ ଫଳକ ଲେଖା ଯାଉଥିବା ଗୋଟିଏ ଦୋକାନକୁ ଗଲି। ଦୋକାନଟି କାଠର ଗୋଟିଏ ଛୋଟ କ୍ୟାବିନ ଥିଲା। ମୁଁ ପହଞ୍ଚିଲା ବେଳକୁ ଦୋକାନ ଖୋଲା ଥିଲା ସତ କିନ୍ତୁ ଦୋକାନ ଭିତରେ କେହି ଲୋକ ନଥିଲେ। ଦୋକାନ ସମ୍ମୁଖରେ କିଛି ସମୟ ଅପେକ୍ଷା କରିବା ପରେ ଜଣେ ଭଦ୍ର ଲୋକ ଆସି ମୋତେ ପଚାରିଲେ , ଆଜ୍ଞା ! କଣ କାମ ଥିଲା କି ? ତାଙ୍କ ପ୍ରଶ୍ନ ପଚାରିବା ଢ଼ଙ୍ଗରୁ ମୁଁ ଜାଣିଗଲି ଯେ ସେ ହେଉଛନ୍ତି ସେ ଦୋକାନର ମାଲିକ। ଶ୍ୟାମଳ ରଙ୍ଗର ଗେଡ଼ା ଲୋକଟିଏ। ବୟସ ପଚାଶରୁ ଷାଠିଏ ଭିତରେ ହେବ। ହସହସ ମୁହଁ। ମୁହଁରେ ଅସଂଯତ ଦାଢ଼ି। ଦେହରେ ପୁରା ପ୍ୟାଣ୍ଟ୍ ଓ ହାଫ୍ ଗଞ୍ଜି। ଦୋକାନ ଭିତରେ ମଇଳା ହାଫ୍ ସାର୍ଟଟିଏ ଟଙ୍ଗା ହୋଇଥିଲା। ଦୋକାନ ଭିତରେ ଛୋଟ ଟେବୁଲ୍ ପଙ୍ଖାଟିଏ ବୁଲୁଥିଲା। ବୋଧହୁଏ ଗରମ ଲାଗିବା ଯୋଗୁ ହାଫ୍ ସାର୍ଟଟି ଖୋଲି ସେ ଦୋକାନ ଭିତରେ ଟାଙ୍ଗି ଦେଇଥିଲେ। ସେ ଯେତେବେଳେ ଦୋକାନ ଭିତରେ ଯାଇ ବସିଲେ ମୁଁ ତାଙ୍କୁ କହିଲି , ଗାଡ଼ି ପାର୍କିଂ ଘରର ଗେଟ୍ ସମ୍ମୁଖରେ ଲଗାଇବା ପାଇଁ ମୋର ଦୁଇଟି ନୋ ପାର୍କିଂ ବୋର୍ଡ ଦରକାର , ଗୋଟିଏ ଓଡ଼ିଆରେ ଓ ଆଉ ଗୋଟିଏ ଇଂରାଜୀରେ। ମୋ ଠାରୁ ଏକଥା ଶୁଣି ସେ ତାଙ୍କ ଦୋକାନରେ ପୂର୍ବରୁ ଲେଖା ହୋଇ ରହିଥିବା ବିଭିନ୍ନ ପ୍ରକାରର ବୋର୍ଡ ମୋତେ ଦେଖାଇଲେ ଓ କହିଲେ , ଆପଣ କେଉଁ ପ୍ରକାରର ଫଳକ ଚାହୁଁଛନ୍ତି ୟା ଭିତରୁ ପସନ୍ଦ କରନ୍ତୁ କାହିଁକି ନା ଫଳକର ସାଇଜ ଓ ଡିଜାଇନ୍ ଅନୁସାରେ ଫଳକ ଲେଖେଇବାର ଦାମ୍ ସବୁ ଅଲଗା ଅଲଗା। ମୁଁ କିଛି ସମୟ ଫଳକ ଗୁଡ଼ିକୁ ଦେଖିବା ପରେ ତା ଭିତରୁ ଗୋଟିଏ ଓଡ଼ିଆ ଫଳକ ଓ ଗୋଟି ଇଂରାଜୀ ଫଳକ ପସନ୍ଦ କଲି ଓ ତାଙ୍କୁ କହିଲି , ଏଇ ସାଇଜ ଓ ଡିଜାଇନର ମୋର ଦୁଇଟି ଫଳକ ଦରକାର। ଏକଥା କହିବା ପରେ ସେ ମୋ ହାତକୁ ଖଣ୍ଡେ କାଗଜ ଓ ଗୋଟିଏ ଡଟ୍ ପେନ୍ ବଢ଼ାଇ ଦେଲେ ଓ କହିଲେ , ବୋର୍ଡରେ କଣ ଲେଖାହେବ ଏହି କାଗଜରେ ଲେଖିଦିଅନ୍ତୁ। ମୁଁ ସେ କାଗଜରେ ଇଂରାଜୀରେ 'ନୋ ପାର୍କିଂ ' ଓ ଓଡ଼ିଆରେ 'ଗେଟ୍ ସମ୍ମୁଖରେ ଗାଡ଼ି ରଖନ୍ତୁ ନାହିଁ ' ଲେଖି ସେ କାଗଜ ଖଣ୍ଡକ ତାଙ୍କ ହାତକୁ ବଢ଼ାଇଲି। କାଗଜଟିକୁ ମୋ ହାତରୁ ନେବା ପୂର୍ବରୁ ସେ ମୋତେ କହିଲେ , କାଗଜର ପଛ ପାଖରେ ଆପଣଙ୍କ ନାଆଁ ଓ ମୋବାଇଲ ନମ୍ବର ଲେଖି ଦିଅନ୍ତୁ। କାଗଜ ପଛରେ ମୋ ନାଆଁ ଓ ମୋବାଇଲ ନମ୍ବର ଲେଖି ସେ କାଗଜଟିକୁ ତାଙ୍କୁ ଦେବାପରେ ମୁଁ ତାଙ୍କୁ ପଚାରିଲି , ଏ ଦୁଇଟି ଯାକ ଫଳକ କେତେ ଟଙ୍କା ଲାଗିବ ? ସେ ମୋତେ କହିଲେ , ଛଅ ଶହ ପଚାଶ ଟଙ୍କା ଲାଗିବ। ମୁଁ କହିଲି ଛଅ ଶହ ପଚାଶ ନୁହେଁ ମୁଁ ଆପଣଙ୍କୁ ଛଅ ଶହ ଟଙ୍କା ଦେବି। ସେ ମୋ କଥାରେ ରାଜି ହେଲେ ଓ କହିଲେ , ମୋତେ ଆପଣ ଏବେ ପାଞ୍ଚ ଶହ ଟଙ୍କା ଆଡଭାନ୍ସ ଦିଅନ୍ତୁ ଓ ବାକି ଶହେ ଟଙ୍କା ଫଳକ ନେବା ସମୟରେ ଦେବେ। ତାପରେ ମୁଁ ମନିପର୍ସରୁ ଖଣ୍ଡେ ପାଞ୍ଚ ଶହ ଟଙ୍କିଆ ନୋଟ୍ ବାହାର କରି ତାଙ୍କ ହାତକୁ ବଢ଼ାଇଦେଲି ଓ ପଚାରିଲି , ମୁଁ କେବେ ଆସିବି ? ସେ କହିଲେ , ଦେଖନ୍ତୁ , ମୋ ପାଖରେ ବହୁତ କାମ। ତେଣୁ ମୁଁ ସଠିକ୍ ଭାବରେ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖ କହି ପାରିବି ନାହିଁ। ମୁଁ କହିଲି , ଠିକ୍ ଅଛି। ମୁଁ ତ ପ୍ରାୟ ପ୍ରତିଦିନ ସନ୍ଧ୍ୟାବେଳେ ଏଇପଟେ ଇଭିନିଂ ୱାକ କରିବାକୁ ଆସେ। ମୁଁ ଆପଣଙ୍କ ପାଖକୁ ଆସି ବୁଝିଦେବି। ସେ କହିଲେ , ଦେଖନ୍ତୁ ! ଆପଣଙ୍କର ଆସିବା ଦରକାର ନାହିଁ। କାରଣ କାମ ଯଦି ସରି ନଥିବ ଆପଣ ଆସି ଫେରିଗଲେ ମୋତେ ଭାରି ଖରାପ ଲାଗିବ। ତେଣୁ ଫଳକ ଲେଖା ସରିଗଲେ ମୁଁ ଆପଣଙ୍କୁ ଫୋନ୍ କରିବି। ତାପରେ ଆପଣ ଆସି ଫଳକ ଦୁଇଟି ନେଇଯିବେ। ମୁଁ ତ ଗାଡ଼ି ପାର୍କିଂ ଘରର ସମ୍ମୁଖରେ ନୋ ପାର୍କିଂ ବୋର୍ଡ ଲଗାଇବା ପାଇଁ ତରତର ହେଉଥାଏ। ମୁଁ ତାଙ୍କୁ କହିଲି , ଗେଟ୍ ସମ୍ମୁଖରେ ଲଗାଇବା ପାଇଁ ଏ ବୋର୍ଡ ଦୁଇଟା ମୋର ଟିକେ ଶୀଘ୍ର ଦରକାର ଥିଲା କାହିଁକି ନା ଗେଟ୍ ସମ୍ମୁଖରେ ଲୋକମାନେ ଗାଡ଼ି ପାର୍କିଂ କରିଦେବାରୁ ମୁଁ ପାର୍କିଂ ଘର ଭିତରୁ ମୋ କାର୍ ବାହାର କରିବା ପାଇଁଁ ବହୁତ ହଇରାଣ ହେଉଛି। ସେ କହିଲେ , ହଉ ! ଠିକ୍ ଅଛି। ଯେତେ ଶୀଘ୍ର ସମ୍ଭବ ମୁଁ ଆପଣଙ୍କ କାମ ସାରିବାକୁ ଚେଷ୍ଟା କରିବି। ମୁଁ ପଚାରିଲି , ତଥାପି କାମ ସରିବାକୁ କେତେଦିନ ଲାଗିବ ? ସେ କହିଲେ , ଅତି କମରେ ତିନି ଚାରିଦିନ ଲାଗିବ। ବ୍ୟସ୍ତ ହୁଅନ୍ତୁ ନାହିଁ। କାମ ସରିଗଲେ ମୁଁ ଆପଣଙ୍କୁ ଫୋନ୍ କରିବି। ମୁଁ ' ହଉ ' କହି ସେଠାରୁ ଚାଲି ଆସିଲି। ଫଳକ ପାଇଁ ଅର୍ଡର୍ ଦେଇ ଆସିବାର ଚାରିଦିନ ପରେ ମୁଁ ତାଙ୍କ ଫୋନକୁ ଅପେକ୍ଷା କଲି। କିନ୍ତୁ ସେଦିନ ତାଙ୍କ ପାଖରୁ କିଛି ଫୋନ୍ କଲ୍ ଆସିଲା ନାହିଁ। ଭାବିଲି ବୋଧହୁଏ କାମ ସରିନାହିଁ। ସେଥିପାଇଁ ସେ ଫୋନ୍ କରି ନାହାଁନ୍ତି। ପାଞ୍ଚଦିନ ଗଲା , ଛଅ ଦିନ ଗଲା। କିନ୍ତୁ ତାଙ୍କ ପାଖରୁ କୋୖଣସି ଫୋନ୍ କଲ୍ ଆସୁ ନଥିଲା। ଅର୍ଡର ଦେଇ ଆସିବାର ଏକ ସପ୍ତାହ ପରେ ଦିନେ ଇଭିନିଂ ୱାକ୍ କଲାବେଳେ ମୁଁ ତାଙ୍କ ଦୋକାନକୁ ଗଲି। ଦେଖିଲି ତାଙ୍କ ଦୋକାନ ବନ୍ଦ ଅଛି। ସେଦିନ ସେ ବୋଧହୁଏ ଦୋକାନ ଖୋଲି ନାହାଁନ୍ତି ବୋଲି ଭାବି ଫେରି ଆସିଲି। ତା ପରଦିନ ସନ୍ଧ୍ୟାବେଳେ ମଧ୍ୟ ସେହି ଅବସ୍ଥା। ସେ ଦୋକାନ ପାଖାପାଖି ଯେଉଁ ଦୋକାନଟି ଥିଲା ତାହା ମଧ୍ୟ ବନ୍ଦ ଥିଲା। ଆଉ ଯେଉଁ ଦୋକାନ ସବୁ ଖୋଲା ଥିଲା ସେଗୁଡ଼ିକ ସେ ଦୋକାନ ଠାରୁ ଯଥେଷ୍ଟ ଦୂରରେ ଥିଲେ। ତେଣୁ ସେଦିନ ତାଙ୍କ ବିଷୟରେ କାହାକୁ ପଚାରିବା ମଧ୍ୟ ମୋ ପକ୍ଷରେ ମଧ୍ୟ ସମ୍ଭବ ହେଲାନାହିଁ। ଭାବିଲି ସେଦିନ ତାଙ୍କ ଫୋନ୍ ନମ୍ବରଟା ନେଇ ଯାଇଥିଲେ ଭଲ ହୋଇଥାନ୍ତା। ମୁଁ ହୁଏତ ତାଙ୍କ ସହିତ ଯୋଗାଯୋଗ କରି ପାରିଥାନ୍ତି। କିନ୍ତୁ ସେ ଦୋକାନଟା ମୋର ଇଭିନିଂ ୱାକ ଯିବା ବାଟରେ ପଡ଼ୁଥିବାରୁ ଭାବିଥିଲି ଏଇପଟ ଦେଇ ତ ମୁଁ ସବୁଦିନେ ସନ୍ଧ୍ୟାବେଳେ ଆସିବି। ତେଣୁ ଯେତେବେଳେ ଚାହିଁବି ଆରାମରେ ମୁଁ ସେ ଭଦ୍ରବ୍ୟକ୍ତିଙ୍କ ସହିତ ଦେଖା କରି ପାରିବି। ସେଥିପାଇଁ ସେଦିନ ତାଙ୍କ ଫୋନ୍ ନମ୍ୱର ନେବା ଉପରେ ମୁଁ ଏତେ ଗୁରୁତ୍ୱ ଦେଇ ନଥିଲି। ସେ ଯାହାହେଉ ନା କାହିଁକି , ସେଦିନ ସନ୍ଧ୍ୟାବେଳେ ମଧ୍ୟ ମୁଁ ସେ ଦୋକାନ ପାଖରୁ ଫେରିଲି। ଏମିତି ଭାବରେ ଆଉ ଦୁଇ ତିନି ଦିନ ଗଡ଼ିଗଲା। ଯେତେବେଳେ ମୁଁ ସନ୍ଧ୍ୟାବେଳେ ସେପଟ ଦେଇ ଯାଏ ଦେଖେ ଯେ ସେ ଦୋକାନ ବନ୍ଦ ଅଛି। ଭାବିଲି ଆଉ କଣ ସେ ଦିନରେ ଦୋକାନ ଖୋଲି ସନ୍ଧ୍ୟା ପୂର୍ବରୁ ବନ୍ଦ କରି ଦେଉଛନ୍ତି କି ! ତାପରେ ଚିନ୍ତା କଲି, ସେ ଯେତେବେଳେ ଦୋକାନ ଖୋଲନ୍ତୁ ମୋର ସେଥିରେ କିଛି ଯାଏ ଆସେ ନାହିଁ। କିନ୍ତୁ ମୋତେ ମୋ କାମଟା ଦରକାର। ଯଦିବି ଦିନରେ ଦୋକାନ ଖୋଲି ସେ ସନ୍ଧ୍ୟା ପୂର୍ବରୁ ବନ୍ଦ କରି ଦେଉଥିବେ ତାହେଲେ କାମ ସରିବା ପରେ ସେ ତ ମୋତେ ଫୋନ୍ କରିଥାନ୍ତେ କାରଣ କାମ ସରିବା ପରେ ସେ ମୋତେ ନିଶ୍ଚିତ ଭାବରେ ଫୋନ୍ କରିବେ ବୋଲି କହିଥିଲେ ! କିନ୍ତୁ ସେ ତ ମୋତେ ଫୋନ୍ ବି କରୁ ନାହାଁନ୍ତି। ଏପଟେ ଗେଟ୍ ସାମ୍ନାରେ ନୋ ପାର୍କିଂ ବୋର୍ଡ ଲଗାଇବାକୁ ମୁଁ ବ୍ୟସ୍ତ ହୋଇ ପଡ଼ୁଥାଏ , କିନ୍ତୁ ସେପଟେ ସେ ଭଦ୍ରବ୍ୟକ୍ତିଙ୍କର ମୁଁ ସାକ୍ଷାତ ପାଉ ନଥାଏ କି ତାଙ୍କ ପାଖରୁ କୋୖଣସି ଫୋନ୍ କଲ୍ ଆସୁ ନଥାଏ। ସେ ଭଦ୍ରବ୍ୟକ୍ତିଙ୍କ ଉପରେ ମୁଁ ମନେ ମନେ ବହୁତ ବିରକ୍ତ ହୋଇଗଲି ଓ ଭାବିଲି , ଯଦି ତାଙ୍କୁ ପାଞ୍ଚଶହ ଟଙ୍କା ଆଡଭାନ୍ସ ଦେଇ ନଥାନ୍ତି ତାହେଲେ ଆଉ ତାଙ୍କ ଦୋକାନକୁ ଯାଇ ନଥାନ୍ତି ଓ ଅନ୍ୟ କେଉଁଠି ନୋ ପାର୍କିଂ ବୋର୍ଡ ଲେଖେଇ ଆଣିଥାନ୍ତି। ତାପରେ ମନେ ମନେ ମୁଁ ତାଙ୍କର ଚରିତ୍ର ସଂହାର କରିବାରେ ଲାଗିଲି। ଭାବିଲି , ଏଭଳି ଦାୟିତ୍ବହୀନ ଲୋକ କୋୖଣସି ବ୍ୟବସାୟ କରିବା ଉଚିତ୍ ନୁହେଁ, ଯଦି ଠିକ୍ ସମୟରେ ସେ ବୋର୍ଡ଼ ତିଆରି କରି ଦେଇ ନ ପାରିବେ ତାହେଲେ ସେ ଆଡଭାନ୍ସ ରଖୁଥିଲେ କାହିଁକି , କଥା ରଖି ପାରୁ ନଥିବା ଏଭଳି ଲୋକ ତ ତାଙ୍କ ବ୍ୟବସାୟରେ କେବେ ବି ଉନ୍ନତି କରି ପାରିବେ ନାହିଁଁ, ଇତ୍ୟାଦି ଇତ୍ୟାଦି। ତାପରେ ତାଙ୍କ ବିଷୟରେ ଆଉ ଏକ ନକାରାତ୍ମକ ଭାବନା ମୋ ମନକୁ ଆସିଲା। ଭାବିଲି , ବ୍ୟକ୍ତି ଜଣକ ନିଶ୍ଚୟ ଅଳସୁଆ କିସମର ହୋଇଥିବେ ଓ କେବଳ ନାମକୁ ମାତ୍ର ଦୋକାନଟା କରି ଦେଇ ଘରେ ବସି ଆରାମ କରୁଥିବେ ! ଏପଟେ ଗ୍ରାହକ ଯେତେ ହଇରାଣ ହୁଅନ୍ତୁ ନା କାହିଁକି ତାଙ୍କୁ କିଛି ଫରକ୍ ପଡ଼ୁ ନଥିବ ! ଏକଥା ବି ହୋଇପାରେ ଯେ ତାଙ୍କର ଅନ୍ୟ କୋୖଣସି ରୋଜଗାରର ପନ୍ଥା ଥିବ ଯେଉଁଥିପାଇଁ ସେ ଏ ଦୋକାନ ଉପରେ ଏତେଟା ଗୁରୁତ୍ୱ ଦେଉ ନଥିବେ। ତାଙ୍କର ମନ ହେଲେ ସେ ଦୋକାନ ଖୋଲୁଥିବେ ଓ ମନ ନହେଲେ ଦୋକାନ ଖୋଲୁ ନଥିବେ। କହିବାକୁ ଗଲେ ତାଙ୍କ ଉପରୁ ଏକପ୍ରକାର ମୋର ଭରସା ତୁଟି ଯାଇଥିଲା କାରଣ ସେ ତାଙ୍କ ଦେଇଥିବା କଥା ରଖି ପାରି ନଥିଲେ ଓ ତାଙ୍କ ଉପରେ ମୋର ଥିବା ଭରସାକୁ ସେ ଭାଙ୍ଗି ଦେଇଥିଲେ। ଯିଏ ଯେଉଁ ପ୍ରଫେସନରେ ଥାଆନ୍ତୁ ନା କାହିଁକି ତାଙ୍କ ପ୍ରଫେସନ ସହିତ ସମ୍ପର୍କିତ ଲୋକଙ୍କର ତାଙ୍କ ଉପରେ ଭରସା ରହିବା ନିହାତି ଦରକାର। ତା ନହେଲେ ସେ ତାଙ୍କ ପ୍ରଫେସନରେ କେବେହେଲେ ବି ଆଗକୁ ବଢ଼ି ପାରିବେ ନାହିଁ। ଭାବିଲି , ଏ ଭଦ୍ରବ୍ୟକ୍ତିଙ୍କର ବ୍ୟବସାୟିକ ଆଚରଣ ଯଦି ପ୍ରକୃତରେ ଏହିପରି ହୋଇଥାଏ ତାହେଲେ ବିଭିନ୍ନ ପ୍ରକାର ଫଳକ ଓ ବୋର୍ଡ ଲେଖେଇବା ପାଇଁ ତାଙ୍କୁ ଅର୍ଡର୍ ଦେଉଥିବା ଲୋକମାନେ ଯେ ନିଶ୍ଚିତ ଭାବରେ ମୋରି ଭଳି ହଇରାଣ ହେଉଥିବେ ଏଥିରେ କୋୖଣସି ସନ୍ଦେହ ନାହିଁ। ତାପରେ ଭାବିଲି , ଯେଉଁ କାରଣରୁ ସେ ଦୋକାନ ବନ୍ଦ ରଖି ଥାଆନ୍ତୁ ନା କାହିଁକି ଯେତେଦିନ ପରେ ହେଲେ ବି ଦିନେ ନା ଦିନେ ସେ ତ ଦୋକାନ ଖୋଲିବେ। ଦେଖାହେଲେ ଗ୍ରାହକମାନଙ୍କ ସହିତ ସେ କାହିଁକି ଏଭଳି ଆଚରଣ କରୁଛନ୍ତି ବୋଲି ମୁଁ ନିଶ୍ଚିତ ଭାବରେ ତାଙ୍କୁ ପଚାରିବି। ମୋଟ ଉପରେ କହିବାକୁ ଗଲେ ସେ ଭଦ୍ରବ୍ୟକ୍ତିଙ୍କୁ ମନ ଭିତରେ ମୁଁ ଏକ ଦାୟିତ୍ଵଶୂନ୍ୟ ଅସଫଳ ବ୍ୟବସାୟୀ ରୂପରେ ଚିତ୍ରଣ କରି ସାରିଥିଲି। ମୁଁ ମନେ ମନେ ସେ ଭଦ୍ରବ୍ୟକ୍ତିଙ୍କ ଉପରେ ଯେତେ ବିରକ୍ତ ହେଉଥିଲେ ମଧ୍ୟ ସବୁଦିନେ ସନ୍ଧ୍ୟାବେଳେ ଇଭିନିଂ ୱାକ୍ କଲାବେଳେ ତାଙ୍କ ଦୋକାନ ଆଡ଼କୁ ଟିକେ ଲକ୍ଷ୍ୟ କରୁଥିଲି କିନ୍ତୁ ତାହା ବନ୍ଦ ଥିବା ଦେଖୁଥିଲି। ଏହିପରି ଭାବରେ ଆଉ ଦୁଇ ତିନି ଦିନ ଗଡ଼ିଗଲା ପରେ ଦିନେ ସନ୍ଧ୍ୟାବେଳେ ଦେଖିଲି ଯେ ସେ ଦୋକାନଟି ବନ୍ଦ ଥିଲେ ମଧ୍ୟ ତା ପାଖ ଦୋକାନଟି ଖୋଲା ଅଛି। ସେହି ଦୋକାନୀ ପାଖରୁ ଏ ଭଦ୍ରବ୍ୟକ୍ତିଙ୍କ ବିଷୟରେ କିଛି ସୂଚନା ପାଇବା ଆଶାରେ ମୁଁ ସେହି ଦୋକାନୀଙ୍କ ପାଖକୁ ଗଲି। ସେ ଦୋକାନୀ ଜଣଙ୍କ ଦୋକାନ ଭିତରେ ଲୁଗା ଓ ଗାମୁଛା ସବୁ ସଜାଡ଼ି ରଖୁଥିଲେ। ବାସ୍ତବରେ ସେ ଦୋକାନଟି ଏକ ଲୁଗା ଓ ଗାମୁଛା ଦୋକାନ ଥିଲା। ମୁଁ ଯାଇ ସେ ଦୋକାନ ସମ୍ମୁଖରେ ଠିଆ ହେବାପରେ ସେ ମୋତେ ଜଣେ ଗ୍ରାହକ ଭାବି କହିଲେ ଏଇଟା ଗୋଟିଏ ହୋଲସେଲ୍ ଦୋକାନ ଆଜ୍ଞା ! ଆପଣ କଣ କିଛି ନେବେ କି ? ମୁଁ କହିଲି , ନା। ମୋର କିଛି ନେବାର ନାହିଁ। ମୋତେ ଟିକେ ଏ ପାଖ ଦୋକାନୀଙ୍କ ବିଷୟରେ ଆପଣଙ୍କ ଠାରୁ ଜାଣିବାର ଥିଲା। ଅନେକ ଦିନ ହେଲା ସେ ତାଙ୍କ ଦୋକାନ ଖୋଲୁ ନାହାଁନ୍ତି ତ , ସେଇଥିପାଇଁ। ସେ ଟିକେ ଆଶ୍ଚର୍ଯ୍ୟ ହୋଇ ମୋ ମୁହଁକୁ ଚାହିଁଲେ। ମୁଁ ତାଙ୍କ ସେ ଚାହାଣୀର କାରଣ ଜାଣି ପାରିଲି ନାହିଁ। ସେ ମୋତେ କହିଲେ , ଆପଣ ତାଙ୍କୁ କାହିଁକି ଖୋଜୁଥିଲେ ? ଆପଣଙ୍କର କଣ ତାଙ୍କ ପାଖରେ କିଛି କାମ ଥିଲା କି ? ମୁଁ କହିଲି , ଆଜ୍ଞା ହଁ ! ମୁଁ ତାଙ୍କୁ ଦୁଇଟି ନୋ ପାର୍କିଂ ବୋର୍ଡ ଲେଖିବା ପାଇଁ ଅର୍ଡର୍ ଦେଇ ଯାଇଥିଲି। ଆଉ ସେଥିପାଇଁ ତାଙ୍କୁ ପାଞ୍ଚଶହ ଟଙ୍କା ମଧ୍ୟ ଆଡଭାନ୍ସ ଦେଇଥିଲି। କାମ ସରିଗଲେ ସେ ମୋତେ ତିନି ଚାରି ଦିନ ପରେ ଫୋନ୍ କରିବେ ବୋଲି କହିଥିଲେ। କିନ୍ତୁ ଏତେଦିନ ହେଲାଣି ସେ ମୋତେ ଫୋନ୍ କରୁ ନାହାଁନ୍ତି।ତାପରେ ଯେତେବେଳେ ମୁଁ ସନ୍ଧ୍ୟାବେଳେ ଆସୁଛି ଦେଖୁଛି ଯେ ତାଙ୍କର ଏ ଦୋକାନ ବନ୍ଦ ଅଛି। ତାପରେ ଆପଣଙ୍କ ଦୋକାନ ଖୋଲା ଥିଲେ ବି ଆପଣଙ୍କୁ ତାଙ୍କ ବିଷୟରେ କିଛି ପଚାରି ପାରିଥାନ୍ତି। କିନ୍ତୁ ମୁଁ ଯେତେଥର ଆସିଛି ଦେଖିଛି ଯେ ସନ୍ଧ୍ୟାବେଳେ ଆପଣଙ୍କ ଦୋକାନ ମଧ୍ୟ ବନ୍ଦ ଅଛି। ଯୋଗକୁ ଆଜି ଆପଣଙ୍କ ସହିତ ଦେଖା ହୋଇଗଲା। ସେ କହିଲେ , ଦେଖନ୍ତୁ , ମୋର ଏଇଟା ଏକ ହୋଲସେଲ୍ ଦୋକାନ। ଦିନରେ ପ୍ରାୟ ମୁଁ ଏ ଦୋକାନ ଖୋଲେ। ସନ୍ଧ୍ୟାବେଳେ କେହି ଗ୍ରାହକ ଆସୁ ନଥିବାରୁ ପ୍ରାୟତଃ ମୋ ଦୋକାନ ସନ୍ଧ୍ୟାରେ ଖୋଲା ରୁହେ ନାହିଁ। ଆଜି ଜଣେ ଦୂର ବ୍ୟବସାୟୀଙ୍କୁ କିଛି ଜିନିଷ ଦେବାକୁ ଅଛି ବୋଲି ମୁଁ ଏବେ ଦୋକାନ ଖୋଲିଛି। ଏତିକି କଥାବାର୍ତ୍ତା ଭିତରେ ସେ ଦୋକାନ ଭିତରୁ ବାହାରକୁ ଆସି ମୋ ସମ୍ମୁଖରେ ଠିଆ ହେଲେ ଓ ମୋତେ କହିଲେ , ଆପଣ ନୋ ପାର୍କିଂ ବୋର୍ଡ ପାଇଁ ତାଙ୍କୁ କେଉଁଦିନ ଅର୍ଡର୍ ଦେଇଥିଲେ ? ମୁଁ କହିଲି ଆଜିକୁ ଦୁଇ ସପ୍ତାହ ହେବ। ସେଦିନ ପନ୍ଦର ତାରିଖ ହୋଇଥିଲା। ତାପରେ ସେ ମୁହଁ ଶୁଖେଇ କହିଲେ , କହିବାକୁ ଦୁଃଖ ଲାଗୁଛି ଆଜ୍ଞା। ସେ ଆଉ ଏ ଦୁନିଆରେ ନାହାଁନ୍ତି। ଗତ ଅଠର ତାରିଖ ଦିନ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ସେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତାଙ୍କ କଥା ଶୁଣି ମୁଁ ଚମକି ପଡ଼ିଲି ଓ ତାଙ୍କୁ ପଚାରିଲି , ଏମିତି କେମିତି ହେଲା ? ସେ କହିଲେ , ସେଦିନ ରାତିରେ ଦୋକାନ କାମ ସାରି ସେ ସାଇକେଲରେ ତାଙ୍କ ଘରକୁ ଫେରୁଥିଲେ। ପଛରୁ ଜଣେ ମଦୁଆ ଲୋକ ଏକ ମୋଟରସାଇକେଲରେ ଆସି ତାଙ୍କୁ ଏତେ ଜୋରରେ ଧକ୍କା ଦେଲା ଯେ ତତକ୍ଷଣାତ୍ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଲା। ଆଜି ତାଙ୍କର ଏକାଦଶାହ। ମୁଁ ଏଠାରୁ ଗଲେ ତାଙ୍କ ଘରକୁ ଯିବି। ସେ ମୋ ଘର ପାଖାପାଖି ଏକ ଭଡ଼ାଘରେ ରହୁଥିଲେ। ଅତି ସରଳ ଓ ଅମାୟିକ ଲୋକଟିଏ ଆଜ୍ଞା। ଭାରି ଅଭାବୀ ପରିବାର। ଏଇ ଦୋକାନ ହିଁ ତାଙ୍କ ରୋଜଗାରର ଏକମାତ୍ର ପନ୍ଥା ଥିଲା। ଅଭାବୀ ହେଲେ କଣ ହେଲା ସେ ଭାରି ସ୍ଵାଭିମାନୀ। କାହାରି ପାଖରେ କେବେ ହାତ ପତାନ୍ତିନି। ଆଉ କଥାରେ ବି ସେ ଭାରି ପକ୍କା। ଯେଉଁ ଦିନ ଯାହାକୁ ଫଳକ ଲେଖି ଦେବେ ବୋଲି କଥା ଦେଇଥିବେ ସେଥିରେ ଟିକେ ବି ଏପାଖ ସେପାଖ ହେବ ନାହିଁ। ସେଥିପାଇଁ ତାଙ୍କ ଦୋକାନରେ ଗ୍ରାହକମାନଙ୍କର ଭାରି ଭିଡ଼ ହୁଏ। ତାଙ୍କ ପାଖକୁ ଏତେ କାମ ଆସେ ଯେ ତାଙ୍କୁ କାମରୁ ଟିକେ ହେଲେ ଫୁରସତ ମିଳେନାହିଁ। ମଝିରେ ଖାଇବା ସମୟତକ ଛାଡ଼ିଦେଲେ ଦିନ ଦଶଟାରୁ ଦୋକାନ ବନ୍ଦ କରି ଯିବା ପର୍ଯ୍ୟନ୍ତ ଏହି କ୍ୟାବିନ ଭିତରେ ବସି ସେମିତି ସେ ତାଙ୍କ କାମରେ ଲାଗିଥାନ୍ତି। ସେଭଳି ଦେବତୁଲ୍ୟ ଲୋକକୁ ଭଗବାନ କାହିଁକି ଏଭଳି ମୃତ୍ୟୁ ଦେଲେ କେଜାଣି ! ଏହା କହି ମନଦୁଃଖରେ ସେ ତାଙ୍କ ଦୋକାନ ଭିତରକୁ ଚାଲି ଯାଉଥିଲେ। ମୁଁ ମନ ଦୁଃଖରେ ଯେତେବେଳେ ସେଠାରୁ ଚାଲି ଆସୁଥିଲି ସେ ମୋତେ ପଛରୁ ଡ଼ାକି କହିଲେ , ଆଜ୍ଞା ! ଆପଣ ତାଙ୍କୁ ପାଞ୍ଚଶହ ଟଙ୍କା ଆଡଭାନ୍ସ ଦେଇଥିଲେ ବୋଲି କହୁଥିଲେ ପରା ? ମୁଁ ତାଙ୍କୁ ଆଉ କିଛି କହିବା ଅବସ୍ଥାରେ ନଥିଲି। ଭଦ୍ରାମି ଦୃଷ୍ଟିରୁ ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଁ କେବଳ ମୁଣ୍ଡ ହଲାଇ ସମ୍ମତି ଜଣାଇଲି। ସେ କହିଲେ , ଦେଖନ୍ତୁ , ଆଜି ତ ତାଙ୍କର ଏକାଦଶାହ। ଆପଣ ଆଉ ଚାରି ପାଞ୍ଚ ଦିନ ଛାଡ଼ି ଆସନ୍ତୁ। ମୁଁ ତାଙ୍କ ଘରୁ ତାଙ୍କ ଦୋକାନର ଚାବି ଆଣି ରଖିଥିବି। ମୁଁ ଦୋକାନ ଖୋଲିଦେବି। ଯଦି ସେ ଆପଣଙ୍କ ନୋ ପାର୍କିଂ ବୋର୍ଡ ଲେଖି ନଥିବେ ତ ଅଲଗା କଥା। କିନ୍ତୁ ଯଦି ସେ ଆପଣଙ୍କ ନୋ ପାର୍କିଂ ବୋର୍ଡ ଲେଖି ଦେଇଥିବେ ତାହେଲେ ଆପଣ ଆପଣଙ୍କ ଜିନିଷ ଚିହ୍ନି ନେଇ ଯାଇ ପାରିବେ। ମୁଁ ' ହଉ ' କହି ସେଠାରୁ ଏକ ଭାରାକ୍ରାନ୍ତ ମନ ନେଇ ଘରକୁ ଫେରି ଆସିଲି। ଘରକୁ ଫେରିଲା ପରେ ମୋର ଆଉ ନୋ ପାର୍କିଂ ବୋର୍ଡ ଉପରେ ଧ୍ୟାନ ନଥିଲା। ମୁଁ କେବଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସେହି ଭଦ୍ରଲୋକଙ୍କ ବିଷୟରେ ଭାବୁଥିଲି। ମଣିଷ ଜୀବନ କେତେ ଅନିଶ୍ଚିତ ନୁହେଁ ସତରେ ! ମୁଁ ବିଶ୍ଵାସ କରି ପାରୁ ନଥିଲି ଯେ ତାଙ୍କୁ ନୋ ପାର୍କିଂ ବୋର୍ଡ ଲେଖିବା ପାଇଁ ଅର୍ଡର୍ ଦେଇ ଆସିବାର ଠିକ୍ ତିନିଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି। ଯଦିବା ସେ ବୋର୍ଡ଼ ଲେଖି ସାରିଥିବେ କିପରି ବା ଆଉ ସେ ମୋ ପାଖକୁ ଫୋନ୍ କରି ପାରିଥାନ୍ତେ ! ତାଙ୍କ ସହିତ ଘଟିଥିବା ଦୁର୍ଘଟଣା ଯୋଗୁ ତାଙ୍କୁ ଆଉ ସେ ସୁଯୋଗ ମିଳି ନଥିଲା। ସେଥିରେ ତାଙ୍କର ବା ଦୋଷ କଣ ? ପାଖ ଦୋକାନୀଙ୍କ କହିବା ଅନୁସାରେ ସେ ଜଣେ ଖୁବ୍ ଭଲ ମଣିଷ ଥିଲେ ଯିଏକି ସବୁବେଳେ ଦେଇଥିବା କଥାକୁ ରକ୍ଷା କରି ଠିକ୍ ସମୟରେ ଗ୍ରାହକମାନଙ୍କର ଅର୍ଡର୍ ପୂରଣ କରୁଥିଲେ। ମୁଁ କିନ୍ତୁ ତାଙ୍କର ପ୍ରକୃତ ପରିସ୍ଥିତି ବିଷୟରେ କିଛି ନଜାଣି ମନେ ମଧ୍ୟରେ ତାଙ୍କ ବିଷୟରେ ଅନେକ ନକାରାତ୍ମକ ଭାବନା ପୋଷଣ କରିଥିଲି। ସେଭଳି ଲୋକ ପ୍ରତି ମନ ଭିତରେ ଏଭଳି ଖରାପ ଧାରଣା ପୋଷଣ କରି ଥିବାରୁ ନିଜ ଆଖିରେ ମୁଁ ନିଜେ ଦୋଷୀ ପାଲଟି ଯାଇଥିଲି। ମୁଁ କେବଳ ମୋ ସ୍ବାର୍ଥ ବିଷୟରେ ସଚେତନ ଥିଲି ଯେଉଁଥିପାଇଁ ମୋ ସ୍ଵାର୍ଥରେ ବାଧା ଆସିବାରୁ ତାଙ୍କ ବିଷୟରେ କିଛି ଜାଣିବା ଆଗରୁ ମୁଁ ତାଙ୍କ ଚରିତ୍ରକୁ ଆକ୍ଷେପ କରି ତାଙ୍କୁ ମନେ ମନେ ଏକ ଭୁଲ୍ ଲୋକ ବୋଲି ଧରି ନେଇଥିଲି। ମୁଁ ତାଙ୍କୁ ଯେଉଁଥିପାଇଁ ଦୋଷାରୋପ କରି ତାଙ୍କର ଚରିତ୍ର ସଂହାର କରୁଥିଲି ପ୍ରକୃତରେ ସେଥିରେ ତାଙ୍କର କିଛି ଦୋଷ ନଥିଲା। ମୋ ଠାରୁ ଅର୍ଡର୍ ରଖିବାର ତିନିଦିନ ପରେ ତ ସେ ଏ ଦୁନିଆଁ ଛାଡ଼ି ଚାଲି ଯାଇଥିଲେ। ମୋ ଅର୍ଡରକୁ ପୂରଣ କରି ମୋତେ ଫୋନ୍ କରିବା ପାଇଁଁ ନିୟତି ତାଙ୍କୁ ସୁଯୋଗ ଦେଇ ନଥିଲା। ଏ ପରିସ୍ଥିତିରେ ସେ ବା ଆଉ କଣ କରି ପାରିଥାନ୍ତେ ! ଯଦିଓ ସେ ଆଉ ଏ ଦୁନିଆରେ ନଥିଲେ ତାଙ୍କ ଚରିତ୍ର ବିଷୟରେ ଭୁଲ୍ ଧାରଣା ପୋଷଣ କରିଥିବାରୁ ତାଙ୍କ ନିକଟରେ ମୁଁ ଦୋଷୀ ହୋଇ ଯାଇଥିଲି ଓ ସେଥିପାଇଁ ମନେ ମନେ ସେହି ଦିବଂଗତ ଆତ୍ମା ନିକଟରେ କ୍ଷମା ପ୍ରାର୍ଥନା କରିଥିଲି। ଅନେକ ସମୟରେ କାହା ବିଷୟରେ ସଠିକ୍ ତଥ୍ୟ ନଜାଣି ଆମ ସ୍ବାର୍ଥରେ ବାଧା ଆସିଲେ ଆମେ ତାଙ୍କ ପ୍ରତି ମନ ମଧ୍ୟରେ ଏକ ନକାରାତ୍ମକ ଭାବନା ପୋଷଣ କରିଥାଉ। ଏହା ପ୍ରକୃତରେ ଦୋଷାବହ। ଜଣେ ନିର୍ଦୋଷ ଲୋକକୁ ଦୋଷୀ ଆଖ୍ୟା ଦେବା ଯେପରି ଦୋଷାବହ ଠିକ୍ ସେହିପରି ଜଣେ ଭଲଲୋକ ବିଷୟରେ ସଠିକ୍ ତଥ୍ୟ ନଜାଣି ତା ପ୍ରତି ଖରାପ ମନୋଭାବ ପୋଷଣ କରିବା ମଧ୍ୟ ସମାନ ଭାବରେ ଦୋଷାବହ। ମୁଁ ସେହି ଭୁଲ୍ କରି ସାରିଥିଲି ଓ ମୋ ମନ ଭିତରେ ଏକ ଅପରାଧବୋଧ ଭାବନା ଘର କରି ଯାଇଥିଲା। ପାଞ୍ଚ ଦିନ ପରେ ପାଖ ଦୋକାନୀଙ୍କ କହିବା ଅନୁଯାୟୀ ମୁଁ ଯେତେବେଳେ ସେହି ମୃତ ଭଦ୍ରବ୍ୟକ୍ତିଙ୍କ ଦୋକାନକୁ ଯିବାକୁ ବାହାରିଲି ମୋତେ କାହିଁକି ଭାରି ଦୋଷୀ ଦୋଷୀ ଲାଗିଲା ଓ ମୋ ମନ ଭିତରର ସେହି ଅପରାଧବୋଧ ଭାବନା ମୋତେ ଆଉ ତାଙ୍କ ଦୋକାନକୁ ଯିବାକୁ ଦେଲା ନାହିଁ। ୟା ଭିତରେ ଦୁଇ ବର୍ଷ ବିତି ଗଲାଣି। ଏବେ ବି ଲୋକମାନେ ମୋ ଗାଡ଼ି ପାର୍କିଂ ଘରର ଗେଟ୍ ସମ୍ମୁଖରେ ମୋଟରସାଇକେଲ , ଅଟୋ ରିକ୍ସା ଓ କାର୍ ଆଦି ପାର୍କିଂ କରୁଛନ୍ତି ଯେଉଁଥିପାଇଁ ଗାଡ଼ି ବାହାର କରିବାକୁ ମୋତେ ଅସୁବିଧା ହେଉଛି। କିନ୍ତୁ କାହିଁକି କେଜାଣି ଏହି ଦୁଇ ବର୍ଷ ଭିତରେ ଯେତେଥର ମୁଁ ଗାଡ଼ି ପାର୍କିଂ ଘରର ଗେଟ୍ ସମ୍ମୁଖରେ ନୋ ପାର୍କିଂ ବୋର୍ଡ ଲଗାଇବା କଥା ଚିନ୍ତା କରେ ସେହି ଭଦ୍ରବ୍ୟକ୍ତିଙ୍କ କଥା ମୋ ମନ ଭିତରକୁ ପଶି ଆସି ମୋ ମନକୁ ଏଭଳି ଆନ୍ଦୋଳିତ କରେ ଯେ ମୁଁ ନୋ ପାର୍କିଂ ବୋର୍ଡ ତିଆରି କରିବା ପ୍ରସ୍ତାବକୁ ପୁଣି ସ୍ଥଗିତ ରଖିଦିଏ।
 ********************************


Rate this content
Log in