ଭିନ୍ନ ଏକ ଦାନ୍ତର କାହାଣୀ ______________________
ଭିନ୍ନ ଏକ ଦାନ୍ତର କାହାଣୀ ______________________
ଭିନ୍ନ ଏକ ଦାନ୍ତର କାହାଣୀ
______________________
ରାତିରେ ମାଆ ପାଖରେ ଶୋଇବା ସମୟରେ କୁନା ଗପ ଶୁଣିବାକୁ ସବୁଦିନେ ଅଝଟ କରେ। ମାଆ ସଂଯୁକ୍ତା ଦେବୀ ଯେତେବେଳେ ଗୋଟିଏ ଗପ କହି ସାରନ୍ତି ସେ ଆଉ ଗୋଟିଏ ଗପ ଶୁଣିବାକୁ ଜିଦ୍ କରେ। ଥରେ ଥରେ ଗପ କହି କହି ସଂଯୁକ୍ତା ଦେବୀ ହାଲିଆ ହୋଇ ପଡନ୍ତି ସତ କିନ୍ତୁ କୁନାର ଆଖିକୁ ସହଜେ ନିଦ ଆସେନାହିଁ। ସେ ମାଆଙ୍କ ଠାରୁ ଆହୁରି ଗପ ଶୁଣିବା ପାଇଁ ଚାହିଁ ରହିଥାଏ। ସବୁଦିନେ ଏହିପରି ଗପ କହି କହି ସଂଯୁକ୍ତା ଦେବୀ ଶୋଇଲା ବେଳକୁ ରାତି ଅଧ ହୋଇଯାଏ। ତେଣୁ କୁନାର ଏହି ଗପ ଶୁଣିବାର ଜିଦ୍ ଭାଙ୍ଗିବାକୁ ସୁମିତ୍ରା ଦେବୀ ଗୋଟିଏ ଉପାୟ ପାଞ୍ଚିଲେ। ଗୋଟିଏ ଦୁଇଟି ଗପ କହି ସାରିବା ପରେ ସଂଯୁକ୍ତା ଦେବୀ କୁନାକୁ ବୁଢ଼ୀ ଅସୁରୁଣୀ ଗପ ଶୁଣାଇଲେ କାହିଁକି ନା ସେ ଭାବିଲେ ବୁଢ଼ୀ ଅସୁରୁଣୀ ଗପ ଶୁଣିଲେ ଡରି ଯାଇ କୁନା ଶୀଘ୍ର ଶୋଇ ପଡ଼ିବ। ବାସ୍ତବରେ ତାହା ହିଁ ହେଲା। ସଂଯୁକ୍ତା ଦେବୀ ଯେତେବେଳେ କହନ୍ତି , ଗୋଟିଏ ଅଗନା ଅଗନି ବନସ୍ତ , କାଉ କୋଇଲିର ଶବ୍ଦ ନାହିଁ , ତା ଭିତରେ ଥିବା ପାହାଡ଼ ଗୁମ୍ଫାରେ ବୁଢ଼ୀ ଅସୁରୁଣୀର ଘର , ସେ ବୁଢ଼ୀ ଅସୁରୁଣୀର ବଡ଼ ବଡ଼ ଦାନ୍ତ ସବୁ ପଦାକୁ ବାହାରିଥାଏ ଓ ସେହି ଜଙ୍ଗଲ ଦେଇ ଯାଉଥିବା ମଣିଷମାନଙ୍କୁ ସେ ସେହି ଦାନ୍ତରେ ଖାଇଯାଏ ସେତେବେଳେ କୁନା ଡରିଯାଏ ଏବଂ ଚୁପଚାପ୍ ମାଆ କୋଳରେ ମୁହଁ ଲୁଚାଇ ଶୋଇ ପଡ଼େ। ଖାଲି ଶୋଇବା ସମୟରେ ନୁହେଁ ଖାଇବା ବେଳେ ମଧ୍ୟ କୁନା ଯଦି ଖାଇବାକୁ ଅଝଟ କରେ ସଂଯୁକ୍ତା ଦେବୀ ତାକୁ କହନ୍ତି , ଶୀଘ୍ର ଖାଇଦେ। ତା ନହେଲେ ବୁଢ଼ୀ ଅସୁରୁଣୀ ତାର ବଡ଼ ବଡ଼ ଦାନ୍ତ ଦେଖାଇ ଏଠାକୁ ଆସିବ। ବୁଢ଼ୀ ଅସୁରୁଣୀର ବଡ଼ ବଡ଼ ଦାନ୍ତ କଥା ଶୁଣି ସେ ଡରରେ ଖାଇ ଦିଏ। ଏମିତି ସବୁଦିନେ ବୁଢ଼ୀ ଅସୁରୁଣୀ କଥା ଶୁଣି ଶୁଣି ତିନିବର୍ଷର ପିଲା କୁନାର ମନ ଭିତରେ ଭୟ ଘର କରିଗଲା। ବୁଢ଼ୀ ଅସୁରୁଣୀର ବାହାରକୁ ବାହାରିଥିବା ବଡ଼ ବଡ଼ ଦାନ୍ତ ହିଁ ତା ଭୟର ମୂଳ କାରଣ ଥିଲା କାହିଁକି ନା ସେ ସେହି ଦାନ୍ତରେ ମଣିଷମାନଙ୍କୁ ଖାଇଯାଏ ବୋଲି ସେ ତା ମାଆ ଠାରୁ ସବୁଦିନେ ଶୁଣୁଥିଲା। ଶେଷକୁ ବୁଢ଼ୀ ଅସୁରୁଣୀ ପ୍ରତି କୁନା ମନରେ ଏଭଳି ଏକ ଅଜଣା ଭୟ ଘର କରିଗଲା ଯେ ସଂଯୁକ୍ତା ଦେବୀ ବୁଢ଼ୀ ଅସୁରୁଣୀ ଗପ ଆରମ୍ଭ କରିବା ମାତ୍ରେ ସେ ଶୋଇ ପଡ଼ୁଥିଲା। ସଂଯୁକ୍ତା ଦେବୀ ଯେତେବେଳେ ଦେଖିଲେ ଯେ ବୁଢ଼ୀ ଅସୁରୁଣୀ ଗପ ଆରମ୍ଭ କରିବା ମାତ୍ରେ କୁନା ଶୋଇ ପଡ଼ୁଛି କୁନା ଗପ ଶୁଣିବାକୁ ଜିଦ୍ କଲେ ସେ ଆଉ ଅନ୍ୟ କିଛି ଗପ ନକହି ପ୍ରଥମେ ତାକୁ ବୁଢ଼ୀ ଅସୁରୁଣୀ ଗପ କହିବା ଆରମ୍ଭ କଲେ। କୁନା କିନ୍ତୁ ମନ ଭିତରେ ବୁଢ଼ୀ ଅସୁରୁଣୀକୁ ଏପରି ଡରି ଯାଇଥିଲା ଯେ ସେ ଆଉ ବୁଢ଼ୀ ଅସୁରୁଣୀ ଗପ ଶୁଣିବାକୁ ଆଦୋୖ ଚାହୁଁ ନଥିଲା। ତେଣୁ ଖାଇଲା ବେଳେ ସେ ଆଉ ଆଗଭଳି ଜିଦ୍ କରୁ ନଥିଲା କାରଣ ସେ ଜାଣିଗଲା ଯେ ଖାଇବାକୁ ଜିଦ୍ କଲେ ମାଆ ତାକୁ ବୁଢ଼ୀ ଅସୁରୁଣୀ କଥା କହିବେ। ସେହି କାରଣରୁ ସେ ରାତିରେ ମଧ୍ୟ ଶୋଇଲାବେଳେ ଆଉ ଗପ ଶୁଣିବାକୁ ସଂଯୁକ୍ତା ଦେବୀଙ୍କ ପାଖରେ ଜିଦ୍ କରୁ ନଥିଲା। ଶେଯ ଧରିଲା ମାତ୍ରେ ଚୁପଚାପ୍ ମାଆ କୋଳରେ ମୁହଁ ଲୁଚାଇ ଶୋଇ ପଡ଼ୁଥିଲା। ଏକଥା ଦେଖି ସଂଯୁକ୍ତା ଦେବୀ ଖୁବ୍ ଖୁସି ହୋଇ ଯାଇଥିଲେ କାରଣ କୁନା ଆଉ ଆଗଭଳି ଖାଇବାକୁ ଅଝଟ କରୁ ନଥିଲା କି ଶୋଇବା ବେଳେ ଗପ ଶୁଣିବାକୁ ଜିଦ୍ କରୁ ନଥିଲା। କିନ୍ତୁ ଏହି ବୁଢ଼ୀ ଅସୁରୁଣୀ ଗପ କୁନା ଭଳି କୋମଳମତି ବାଳକ ମନରେ ଯେଉଁ ଭୟ ସୃଷ୍ଟି କଲା ସେହି ଭୟ ତଳେ କୁନାର ବାଲ୍ୟ ଚପଳତା ଚାପି ହୋଇ ଯେଉଁ ନିରବ ଆର୍ତ୍ତଚିତ୍କାର କରୁଥିଲା ତାହା ସଂଯୁକ୍ତା ଦେବୀ ଶୁଣି ପାରୁ ନଥିଲେ। ଏକ କୋମଳମତି ଶିଶୁ ମନରେ ଭୟ ସୃଷ୍ଟି କରି ତାର ବାଲ୍ୟ ଚପଳତାର କଣ୍ଠରୋଧ କରିବା ଶିଶୁର ମାନସିକ ସ୍ଵାସ୍ଥ୍ୟ ପକ୍ଷେ ଆଦୋୖ ଯେ ଅନୁକୂଳ ନୁହେଁ ଏକଥା ସେଦିନ ସଂଯୁକ୍ତା ଦେବୀ ବୁଝି ପାରି ନଥିଲେ। ତାପରେ କୁନା ମନରେ ସୃଷ୍ଟି ହୋଇଥିବା ଏହି ଭୟ ଯେ ଦିନେ ତାଙ୍କ ପାରିବାରିକ ଜୀବନକୁ ପ୍ରଭାବିତ କରିବ ଏକଥା ସଂଯୁକ୍ତା ଦେବୀ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲେ।
ଦିନକର କଥା। ସଂଯୁକ୍ତା ଦେବୀ ଘର କାମରେ ବ୍ୟସ୍ତ ଥାଆନ୍ତି। କୁନା କାଖ ହୋଇ ବାହାରକୁ ଯିବାପାଇଁ ଚାହିଁଲା। ସଂଯୁକ୍ତା ଦେବୀ ତାଙ୍କ ଶାଶୁ ଗାୟତ୍ରୀ ଦେବୀଙ୍କୁ କହିଲେ , ବୋଉ ! ମୁଁ ରୋଷେଇ କରୁଛି। ଆପଣ ଟିକେ କୁନାକୁ କାଖ କରି ବାହାରେ ବୁଲାଇ ଆଣନ୍ତୁ। ଶାଶୁ ଗାୟତ୍ରୀ ଦେବୀ କହିଲେ , ହଉ ! ଏହା କହି କୁନାକୁ କାଖ କରିବାକୁ ସେ ଯେତେବେଳେ ତା ପାଖକୁ ଗଲେ କୁନା ଦୋୖଡି ଯାଇ ସଂଯୁକ୍ତା ଦେବୀଙ୍କୁ ଭିଡ଼ି ଧରି କହିଲା , ମା ! ମୁଁ ଜେଜେମାଙ୍କ ସାଙ୍ଗରେ ଯିବିନି। ଆଗରୁ କୁନା ତ ସବୁଦିନେ ତା ଜେଜେମାଙ୍କ କାଖରେ ବସି ବାହାରକୁ ବୁଲିବାକୁ ଯାଉଥିଲା। ଏବେ ତାର କଣ ହେଲା ! ସେ ତା ଜେଜେମାଙ୍କ ସାଙ୍ଗରେ ବାହାରକୁ ଯିବାକୁ ରାଜି ହେଉନାହିଁ କାହିଁକି ! ଶାଶୁ ଓ ବୋହୂ ଦୁଇଜଣ ଯାକ କିଛି ବୁଝି ପାରୁ ନଥିଲେ। ଗାୟତ୍ରୀ ଦେବୀ କୁନାକୁ ନିଜ କୋଳକୁ ଆଣିବାକୁ ଯେତେ ଚେଷ୍ଟା କଲେ ମଧ୍ୟ କୁନା ଆସୁ ନଥାଏ। ସେ ସଂଯୁକ୍ତା ଦେବୀଙ୍କୁ ଆହୁରି ଜୋରରେ ଜାବୁଡ଼ି ଧରୁଥାଏ। ଏହା ଦେଖି ଗାୟତ୍ରୀ ଦେବୀ ବୋହୂକୁ କହିଲେ , ସଂଯୁକ୍ତା ! ସେ ଯଦି ତୋ ସାଙ୍ଗରେ ବାହାରକୁ ଯିବାକୁ ଜିଦ୍ କରୁଛି ମୁଁ ତାକୁ ଟିକେ ନେଇ ବାହାରେ ବୁଲାଇ ନେଇଆ। ମୁଁ ରୋଷେଇ ପାଖରେ ଅଛି। ସଂଯୁକ୍ତା ଦେବୀ ହଉ ! ବୋଲି କହି କୁନାକୁ କାଖେଇ ବାହାରକୁ ନେଇଗଲେ। କିନ୍ତୁ ଏ ଘଟଣା ଏତିକିରେ ଶେଷ ହେଲାନାହିଁ। ସେଦିନ ରାତିରେ ଯେତେବେଳେ ସଂଯୁକ୍ତା ଦେବୀ ସ୍ଵାମୀଙ୍କ ସହିତ ବଜାରକୁ ଯିବାପାଇଁ ବାହାରିଲେ ସେ କୁନାକୁ କହିଲେ , କୁନା ! ତୁ ଜେଜେମାଙ୍କ ପାଖରେ ଥା। ମୁଁ ତୋ ବାପାଙ୍କ ସହିତ ଟିକେ ବଜାର ଯାଉଛି। କୁନା ତା ମାଆକୁ ଜାବୁଡି ଧରି କହିଲା , ମୁଁ ଜେଜେମାଙ୍କ ପାଖରେ ରହିବି ନାହିଁ , ମୁଁ ତୁମ ସହିତ ଯିବି। ଏହା ଦେଖି ମନୋଜ ବାବୁ ସ୍ତ୍ରୀ ସଂଯୁକ୍ତାଙ୍କୁ କହିଲେ , ଏ କଣ ! ଆମେ ବଜାରକୁ ଗଲେ କୁନା ତ ବୋଉ ପାଖରେ ରୁହେ। ଆଜି ସେ ବୋଉ ପାଖରେ ରହିବ ନାହିଁ ବୋଲି କହୁଛି କାହିଁକି ! ସଂଯୁକ୍ତା ଦେବୀ ସ୍ଵାମୀଙ୍କୁ କହିଲେ , ସେହି କଥା ତ ମୁଁ ବି ବୁଝି ପାରୁନାହିଁ। ମୁଁ ଜାଣି ପାରୁନାହିଁ କୁନାର ଆଜି ହୋଇଛି କଣ ! ତାପରେ ସକାଳେ କିପରି କୁନା ବୋଉଙ୍କ ସାଙ୍ଗରେ ବାହାରକୁ ଯିବାକୁ ରାଜି ହେଲାନାହିଁ ସେକଥା ସେ ସ୍ଵାମୀଙ୍କ ଆଗରେ କହିଲେ। ବଜାରକୁ ଯିବାପାଇଁ ଡେରି ହେଉଥିବାରୁ ମନୋଜ ବାବୁ ପତ୍ନୀଙ୍କୁ କହିଲେ , ଠିକ୍ ଅଛି। ପିଲାଟା ଯଦି ଆମ ସହିତ ଯିବା ପାଇଁ ଜିଦ୍ କରୁଛି ତାହେଲେ ସେ ଆମ ସହିତ ଚାଲୁ। ସଂଯୁକ୍ତା ଦେବୀ ଆଉ ବେଶୀ କିଛି ନକହି କୁନାକୁ ମଟର ସାଇକେଲରେ ଧରି ସ୍ଵାମୀଙ୍କ ସହିତ ବଜାରକୁ ଗଲେ। ସଂଯୁକ୍ତା ଦେବୀ ସ୍ଵାମୀଙ୍କ ସହିତ ବଜାରକୁ ଗଲେ ସିନା ହେଲେ କିନ୍ତୁ କୁନାର ପରିବର୍ତ୍ତିତ ଆଚରଣ ଦେଖି ସେ ଚିନ୍ତାରେ ପଡ଼ି ଯାଇଥିଲେ। କୁନା କଣ ପାଇଁ ତା ଜେଜେମାଙ୍କ ପାଖକୁ ଯିବାକୁ ଚାହୁଁନାହିଁ ସେକଥା ସେ କିଛି ବୁଝି ପାରୁ ନଥିଲେ।
ସେଦିନ ରାତିରେ ଶୋଇବାକୁ ଗଲାବେଳେ ସଂଯୁକ୍ତା ଦେବୀ କୁନାର ମୁଣ୍ଡ ଆଉଁସି ତାକୁ ପଚାରିଲେ , କୁନା ! ତୁ ଆଜି ଜେଜେମାଙ୍କ ପାଖକୁ ଗଲୁ ନାହିଁ କାହିଁକି ? କୁନା କହିଲା , ଜେଜେମାଙ୍କୁ ଦେଖିଲେ ମୋତେ ଭାରି ଡର ଲାଗୁଛି। କୁନା ମୁହଁରୁ ଏକଥା ଶୁଣି ସଂଯୁକ୍ତା ଦେବୀ ଆଶ୍ଚର୍ଯ୍ୟ ହୋଇଗଲେ। ପାଖରେ ଥିବା ମନୋଜ ବାବୁ ମଧ୍ୟ କୁନାର କଥା ଶୁଣି କିଛି ବୁଝି ପାରିଲେ ନାହିଁ। ସ୍ଵାମୀ ଓ ସ୍ତ୍ରୀ ଦୁଇଜଣ ଯାକ ବୁଝି ପାରିଲେ ନାହିଁ ଯେ କୁନା କାହିଁକି ଏମିତି କହୁଛି ! ସେ କାହିଁକି କହୁଛି ଯେ ଜେଜେମାଙ୍କୁ ଦେଖିଲେ ତାକୁ ଡର ମାଡ଼ୁଛି ବୋଲି ! ପୁଣି ସ୍ନେହରେ କୁନାକୁ କୋଳକୁ ଟାଣି ନେଇ ସଂଯୁକ୍ତା ଦେବୀ କହିଲେ , କୁନା ! ଜେଜେମାଙ୍କୁ ଦେଖିଲେ ତୁ ଡରୁଛୁ କାହିଁକି ? କୁନା କହିଲା , ମାଆ ! ବୁଢୀ ଅସୁରୁଣୀର ଯେମିତି ବଡ଼ ବଡ଼ ଦାନ୍ତ ବାହାରକୁ ବାହାରିଛି ବୋଲି ତୁମେ କହୁଥିଲ ଆମ ଜେଜେମାଙ୍କର ସେମିତି ବଡ଼ ବଡ଼ ଦାନ୍ତ ବାହାରକୁ ବାହାରିଛି। ଜେଜେମାଙ୍କର ସେହି ଦାନ୍ତକୁ ଦେଖିଲେ ମୋର ବୁଢ଼ୀ ଅସୁରୁଣୀ କଥା ମନେ ପଡ଼ୁଛି ତ ତେଣୁ ମୋତେ ଡର ମାଡ଼ୁଛି। ମୁଁ ଆଉ ଜମା ଜେଜେମାଙ୍କ ପାଖକୁ ଯିବିନି। ଏଠାରେ ଉଲ୍ଲେଖ ଥାଉ କି ଗାୟତ୍ରୀ ଦେବୀଙ୍କର ଉପର ପାଟିର ଦୁଇଟି ଦାନ୍ତ ବାହାରକୁ ବାହାରିଥିଲା ଯାହାକୁ ଦେଖି କୁନା ଗାୟତ୍ରୀ ଦେବୀଙ୍କ ପାଖକୁ ଯିବାକୁ ଡରୁଥିଲା। କିନ୍ତୁ ବୁଢ଼ୀ ଅସୁରୁଣୀ ଗପ ଶୁଣିବା ଆଗରୁ କୁନା ଗାୟତ୍ରୀ ଦେବୀଙ୍କର ସେହି ଦାନ୍ତକୁ ଦେଖି ଭୟ କରୁ ନଥିଲା। ସଂଯୁକ୍ତା ଦେବୀ ଓ ମନୋଜ ବାବୁ ଉଭୟ କୈାଣସି କାମରେ ଯେତେବେଳେ ବାହାରକୁ ଯାଉଥିଲେ କୁନା ଗାୟତ୍ରୀ ଦେବୀଙ୍କ ପାଖରେ ରହୁଥିଲା। ସଂଯୁକ୍ତା ଦେବୀ ଘର କାମରେ ବ୍ୟସ୍ତ ଥିଲା ବେଳେ ସେ ଗାୟତ୍ରୀ ଦେବୀଙ୍କ କାଖରେ ବସି ବାହାରକୁ ବୁଲିବାକୁ ଯାଉଥିଲା। ଏବେ କିନ୍ତୁ ବୁଢ଼ୀ ଅସୁରୁଣୀ ଗପ ଶୁଣି ଶୁଣି ବୁଢ଼ୀ ଅସୁରୁଣୀର ଦାନ୍ତକୁ ସେ ମନେ ମନେ ଏତେ ଭୟ କରି ଯାଇଥିଲା ଯେ ଗାୟତ୍ରୀ ଦେବୀଙ୍କ ପାଖକୁ ସେ ଆଉ ଆଦୋୖ ଯିବାକୁ ଚାହୁଁ ନଥିଲା। କୁନା ଠାରୁ ଏକଥା ଶୁଣି ସଂଯୁକ୍ତା ଦେବୀ ଓ ମନୋଜ ବାବୁ କଣ କରିବେ କିଛି ବୁଝି ପାରୁ ନଥିଲେ। ସଂଯୁକ୍ତା ଦେବୀ କୁନାକୁ କହିଲେ , କୁନା ! ସେ ପରା ତୋ ଜେଜେମା। ତୁ ତାଙ୍କୁ ଡରୁଛୁ କାହିଁକି ? ତୁ ତାଙ୍କ ପାଖକୁ ଗଲେ ସେ ତୋତେ ଗେହ୍ଲା କରିବେ , କାଖ କରି ବାହାରକୁ ବୁଲାଇବାକୁ ନେବେ। କୋମଳମତି ଶିଶୁ କୁନା କିନ୍ତୁ କିଛି ବୁଝୁ ନଥିଲା। ତାର ସେହି ଏକା ଜିଦ୍। ସେ ଆଉ ଜେଜେମାଙ୍କ ପାଖକୁ ଯିବ ନାହିଁ। ଏହିପରି କଥାବାର୍ତ୍ତା ଭିତରେ କୁନା ସଂଯୁକ୍ତା ଦେବୀଙ୍କ କୋଳରେ ମୁହଁ ଲୁଚାଇ ଚୁପଚାପ୍ ଶୋଇ ପଡ଼ିଲା। କୁନା ଯେତେବେଳେ ଗାଢ଼ ନିଦରେ ଶୋଇ ପଡ଼ିଲା ମନୋଜ ବାବୁ ପତ୍ନୀଙ୍କୁ ପଚାରିଲେ , ଘଟଣା କଣ ? ବୁଢ଼ୀ ଅସୁରୁଣୀ ଦାନ୍ତ କଥା କୁନା କାହିଁକି କହୁଛି ? ସଂଯୁକ୍ତା ଦେବୀ କହିଲେ , ତୁମେ ତ ବ୍ରହ୍ମପୁରରେ ରୁହ। କେବଳ ଛୁଟି ଦିନମାନଙ୍କରେ ଘରକୁ ଆସ। ସବୁଦିନେ ରାତିରେ କୁନା ମୋ ପାଖରେ ରାତିସାରା ଗପ ଶୁଣିବାକୁ ଅଝଟ କରେ। ମୋତେ ଶୋଇ ଦିଏ ନାହିଁ। ସେ ଡରି ଶୀଘ୍ର ଶୋଇ ପଡ଼ିବ ବୋଲି ମୁଁ ତାକୁ ପ୍ରତିଦିନ ବୁଢ଼ୀ ଅସୁରୁଣୀ ଗପ ଶୁଣାଏ। ସେହି ବୁଢ଼ୀ ଅସୁରୁଣୀ ଗପ ଶୁଣି ଶୁଣି ସେ ଏପରି ଡରି ଯାଇଛି। ପତ୍ନୀଙ୍କ ମୁଖରୁ ଏକଥା ଶୁଣି ମନୋଜ ବାବୁ ପତ୍ନୀଙ୍କ ଉପରେ ଭୀଷଣ ବିରକ୍ତ ହେଲେ ଓ କହିଲେ , ଛୋଟ ପିଲା ତ ଜିଦ୍ କରିବେ ! ଏହା ହିଁ ତାଙ୍କର ବାଲ୍ୟ ଚପଳତା। ତାଙ୍କୁ ବିଭିନ୍ନ ପ୍ରକାର ଭୟ ଦେଖାଇ ତାଙ୍କର ସେ ବାଲ୍ୟ ଚପଳତାକୁ ଚପାଇ ଦେବା ଆଦୋୖ ଠିକ୍ କଥା ନୁହେଁ। ଏହା ତାଙ୍କର ସ୍ଵାଭାବିକ ମାନସିକ ବିକାଶରେ ବାଧା ସୃଷ୍ଟି କରିଥାଏ। କୁନା ଯେତେବେଳେ ବାରମ୍ବାର ଗପ ଶୁଣିବାକୁ ଜିଦ୍ କଲା ତୁମର ତା ମନକୁ ଅନ୍ୟ ଦିଗକୁ ଆକର୍ଷିତ କରି ନେବାର ଥିଲା। ତୁମେ କିନ୍ତୁ ତା ନକରି ବୁଢ଼ୀ ଅସୁରୁଣୀ ଗପ ମାଧ୍ୟମରେ ତା ମନରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କଲ ଯାହାର ପରିଣତି ଏବେ ତୁମେ ନିଜ ଆଖିରେ ଦେଖୁଛ। ସଂଯୁକ୍ତା ଦେବୀ ସେତେବେଳକୁ ନିଜର ଭୁଲ୍ ବୁଝି ସାରିଥିଲେ। ସେ ଅନୁତପ୍ତ ହୋଇ ସ୍ବାମୀଙ୍କୁ କହିଲେ , ଯାହା ତ ହେବାର ହୋଇ ସାରିଲାଣି। ଏବେ ଆମେ କୁନା ମନରୁ କିପରି ଭାବରେ ସେ ଭୟ ଦୂର କରିବା ! କଣ କଲେ ସେ ପୁଣି ବୋଉଙ୍କ ପାଖକୁ ଯିବ ! ମନୋଜ ବାବୁ କହିଲେ , ମୋର ତ କାଲି ଅଫିସ୍ ଅଛି। କୁନା ନିଦରୁ ଉଠିବା ଆଗରୁ ମୁଁ ସକାଳୁ ବ୍ରହ୍ମପୁର ଚାଲିଯିବି। ମୁଁ ପୁଣି ଆସୁ ଆସୁ ଶନିବାର। ମୁଁ ଆସିଲେ ତାକୁ ବୁଝାଇବାକୁ ଚେଷ୍ଟା କରିବି। କିନ୍ତୁ କୁନା ପାଖରେ ତ ସବୁବେଳେ ତୁମେ ରହୁଛ। ତେଣୁ କୁନାକୁ ବୁଝାଇବା ଦାୟିତ୍ୱ ତୁମର। ଯେମିତିବି ହେଉ ତାକୁ ବୁଝାଇ ତା ମନରୁ ସେ ଡର ଦୂର କରିବାକୁ ଚେଷ୍ଟା କର। କଣ ହେଲା ମୋତେ ଫୋନ୍ କରି କହିବ। ଏମିତି ଗପସପ ଭିତରେ ଏକ ଭାରାକ୍ରାନ୍ତ ମନ ନେଇ ସ୍ଵାମୀ ଓ ସ୍ତ୍ରୀ ଦୁଇଜଣ ଯାକ ଶୋଇ ପଡ଼ିଲେ।
ତା ପରଦିନ ସକାଳୁ ସକାଳୁ କୁନାର ନିଦ ଭାଙ୍ଗିବା ପୂର୍ବରୁ ମନୋଜ ବାବୁ ବ୍ରହ୍ମପୁର ଚାଲିଗଲେ। ସେଦିନ କୁନା ନିଦରୁ ଉଠିବା ପରେ ସଂଯୁକ୍ତା ଦେବୀଙ୍କ ପାଖ ଛାଡ଼ିଲା ନାହିଁ। ଆଗରୁ ସଂଯୁକ୍ତା ଦେବୀ ସକାଳୁ ଉଠି ଯେତେବେଳେ ଘର କାମରେ ବ୍ୟସ୍ତ ରହନ୍ତି କୁନା ଗାୟତ୍ରୀ ଦେବୀଙ୍କ ପାଖରେ ରହୁଥିଲା। ତାର ସକାଳ ସମୟଟା ପ୍ରାୟ ଗାୟତ୍ରୀ ଦେବୀଙ୍କ ପାଖରେ କଟି ଯାଉଥିଲା। ଆଜି କିନ୍ତୁ ସେ ଆଉ ଗାୟତ୍ରୀ ଦେବୀଙ୍କ ପାଖ ମାଡ଼ୁ ନଥିଲା। ଏକଥା ଦେଖି ଗାୟତ୍ରୀ ଦେବୀ ମଧ୍ୟ ଆଶ୍ଚର୍ଯ୍ୟ ହେଉଥିଲେ। ସେ ବୁଝି ପାରୁ ନଥିଲେ ଯେ ଆଗରୁ ସବୁବେଳେ ଯେଉଁ ନାତି ତାଙ୍କ ଚାରିପାଖରେ ଘୁରି ବୁଲୁଥିଲା ଗତକାଲି ଠାରୁ ସେ ଆଉ ତାଙ୍କ ପାଖକୁ ଆସୁନାହିଁ କାହିଁକି ! ସେ ତାକୁ କୋଳରେ ଧରିବା ପାଇଁ ବ୍ୟସ୍ତ ହୋଇ ପଡ଼ୁଥିଲେ । ନାତି ଟୋକାଟା ପାଖକୁ ନ ଆସିବାରୁ ତାଙ୍କୁ କିଛି ଭଲ ଲାଗୁ ନଥିଲା। ତାଙ୍କୁ ଦେଖିଲେ ସେ ଦୋୖଡି ଦୋୖଡି ତା ମାଆ ପାଖକୁ ପଳାଉଥିଲା। ଯେତେ ଜିଦ୍ କଲେ ବି ସେ ତ କେବେ ତା ଉପରେ ରାଗନ୍ତି ନାହିଁ। ତାହେଲେ ସେ କାଲି ଠାରୁ ଏମିତି ହେଉଛି କାହିଁକି। ଯେତେ ଭାବିଲେ ମଧ୍ୟ ଗାୟତ୍ରୀ ଦେବୀ ଏହାର କିଛି କାରଣ ଖୋଜି ପାଉ ନଥିଲେ। ସେଦିନ ଖରାବେଳେ କୁନା ଯେତେବେଳେ ଶୋଇ ପଡ଼ିଲା ଗାୟତ୍ରୀ ଦେବୀ ବୋହୂକୁ ଡ଼ାକି କହିଲେ , ସଂଯୁକ୍ତା ! କୁନାର କଣ ହୋଇଛି ? ସେ କାଲିଠାରୁ ମୋ ପାଖକୁ ଆସୁନାହିଁ କାହିଁକି ? ସଂଯୁକ୍ତା ଦେବୀ ଶାଶୁଙ୍କୁ କି ଉତ୍ତର ଦେବେ କିଛି ଜାଣି ପାରୁ ନଥିଲେ। ସେ କିପରି ଶାଶୁଙ୍କୁ କହିବେ ଯେ ତାଙ୍କର ବାହାରକୁ ବାହାରିଥିବା ଦାନ୍ତକୁ ଦେଖି କୁନା ତାଙ୍କ ପାଖକୁ ଆସିବାକୁ ଡରୁଛି ବୋଲି ! ତାପରେ ଏକଥା କହିଲେ ସେ ଯଦି ପଚାରିବେ , ଆଗରୁ ତ କୁନା ମୋ ଦାନ୍ତକୁ ଦେଖି ଡରୁ ନଥିଲା , ଏବେ ଡରୁଛି କାହିଁକି , ସେ ତାଙ୍କୁ କି ଉତ୍ତର ଦେବେ ! ସେ ଶାଶୁଙ୍କୁ କିପରି କହିବେ ଯେ ବୁଢ଼ୀ ଅସୁରୁଣୀ ଗପ କହି କୁନା ମନରେ ସେ ଯେଉଁ ଭୟ ସୃଷ୍ଟି କରିଛନ୍ତି ଏସବୁ ତାର ଫଳାଫଳ ବୋଲି। ! ସଂଯୁକ୍ତା ଦେବୀ ଧର୍ମ ସଙ୍କଟରେ ପଡ଼ିଗଲେ। ସ୍ଵାମୀ ଆସିବା ପର୍ଯ୍ୟନ୍ତ କଥାଟାକୁ କୋୖଣସି ଉପାୟରେ ସେ ଟାଳି ଦେବାକୁ ଚାହିଁଲେ। ସେ ଭାବିଲେ , ଶନିବାର ଦିନ ମନୋଜ ବାବୁ ଆସିଲେ କୋୖଣସି ପ୍ରକାରେ ସେ ହୁଏତ ପରିସ୍ଥିତିକୁ ସମ୍ଭାଳି ନେବେ। ଏହିପରି ଭାବି ସଂଯୁକ୍ତା କହିଲେ , ଆପଣ ବ୍ୟସ୍ତ ହୁଅନ୍ତୁନି ବୋଉ ! ଛୋଟ ପିଲାଟା ସିଏ। କଣ ଟିକେ ତାର ମନ ବିଗିଡ଼ି ଯାଇଛି। ତା ମନ ବୁଝିଗଲେ ସେ ଆପେ ଆପେ ଆପଣଙ୍କ ପାଖକୁ ଯିବନି ! ଶାଶୁଙ୍କୁ ଏକଥା କହି କିଛି ସମୟ ଗଡ଼ାଇ ଦେବା ସଂଯୁକ୍ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ଥିଲା। ସେ ଭାବିଥିଲେ , ୟା ଭିତରେ କୁନାକୁ ବୁଝାଇ ଶୁଝାଇ ସେ ତା ମନକୁ ପରିବର୍ତ୍ତନ କରିଦେବେ ଓ ତା ମନରେ ସୃଷ୍ଟି ହୋଇଥିବା ଭୟକୁ ଦୂର କରିଦେବେ ଯାହା ଫଳରେ କି ସେ ତା ଜେଜେମାଙ୍କ ପାଖକୁ ପୂର୍ବ ଭଳି ଯିବ ଓ ତାଙ୍କୁ ତାଙ୍କର ଅନିଚ୍ଛା ସତ୍ତ୍ଵେ ଶାଶୁଙ୍କ ଆଗରେ ଆଉ ଏ ବୁଢ଼ୀ ଅସୁରୁଣୀ ଦାନ୍ତ ପ୍ରସଙ୍ଗ ଆଲୋଚନା କରିବାକୁ ପଡ଼ିବ ନାହିଁ। ସଂଯୁକ୍ତା ଦେବୀ ସିନା ଏକଥା ଭାବି ଶାଶୁଙ୍କୁ ପ୍ରକୃତ କଥାଟା କହିଲେ ନାହିଁ କିନ୍ତୁ କୁନାକୁ ସେ ଯେତେ ବୁଝାଇଲେ ମଧ୍ୟ କୁନା କିଛି ବୁଝିଲା ନାହିଁ କି ଗାୟତ୍ରୀ ଦେବୀଙ୍କ ପାଖକୁ ଗଲା ନାହିଁ। ସଂଯୁକ୍ତା ଦେବୀଙ୍କର ଚିନ୍ତା ବଢ଼ିଗଲା। ସେ ସ୍ବାମୀଙ୍କୁ ସେକଥା ଫୋନରେ ଜଣାଇଦେଲେ। କଥାଟା ଶୁଣି ମନୋଜ ବାବୁ ମଧ୍ୟ ଏ ସମସ୍ୟାର କିପରି ସମାଧାନ କରିବେ କିଛି ଜାଣି ପାରୁ ନଥିଲେ। ତା ପରଦିନ କଥା। ସଂଯୁକ୍ତା ଦେବୀଙ୍କ ବଡ଼ଭାଇ ଘନଶ୍ୟାମ ବାବୁ ଆସିଥାନ୍ତି। ସେ ସଂଯୁକ୍ତାଙ୍କ ସହିତ କଥା ହେଉଥାନ୍ତି। କୁନା ଦୁଆର ବାରଣ୍ଡାରେ ବସି ଖେଳୁଥାଏ। ସେତିକିବେଳେ ଗାୟତ୍ରୀ ଦେବୀ ସଂଯୁକ୍ତା , ସଂଯୁକ୍ତା ଡ଼ାକି ତାଙ୍କ ଘର ଭିତରୁ ବାହାରକୁ ଆସିଲେ। କୁନା ତାଙ୍କୁ ଦେଖି ଖେଳିବା ଛାଡ଼ି ଦେଇ ଦୋୖଡି ଦୋୖଡି ସଂଯୁକ୍ତା ଦେବୀଙ୍କ ପାଖକୁ ପଳାଇ ଆସିଲା। ଗାୟତ୍ରୀ ଦେବୀ କୁନା , କୁନା ବୋଲି ଯେତେ ଡ଼ାକିଲେ ମଧ୍ୟ ସେ ତାଙ୍କ ପାଖକୁ ଯାଉ ନଥାଏ ବରଂ ସଂଯୁକ୍ତା ଦେବୀଙ୍କ ପଛପଟେ ମୁହଁ ଲୁଚାଇବାକୁ ଚେଷ୍ଟା କରୁଥାଏ। କୁନାର ଏଭଳି ଅସ୍ବାଭାବିକ ଆଚରଣ ଦେଖି ଘନଶ୍ୟାମ ବାବୁ ସଂଯୁକ୍ତାଙ୍କୁ କହିଲେ , ସଂଯୁକ୍ତା ! କୁନା ସେମିତି କାହିଁକି ହେଉଛି ? ତାର କଣ ହୋଇଛି ? ସେ ମାଉସୀଙ୍କ ପାଖକୁ ଯାଉନାହିଁ କାହିଁକି ? ଆଗରୁ ତ ମାଉସୀ ଡାକିଲେ ସେ ଖୁସିରେ ଦୋୖଡି ଦୋୖଡି ତାଙ୍କ ପାଖକୁ ଚାଲି ଯାଉଥିଲା। ପାଖରେ ଶାଶୁ ଥିବାରୁ ସଂଯୁକ୍ତା ଦେବୀ ତାଙ୍କ ଭାଇଙ୍କୁ ପ୍ରକୃତ କଥାଟା କହି ପାରିଲେ ନାହିଁ। ଗାୟତ୍ରୀ ଦେବୀ କହିଲେ , ଦେଖୁନ ପୁଅ ! ଦୁଇଦିନ ହେବ ପିଲାଟାର କଣ ହୋଇଛି କେଜାଣି ସେ ମୋ ପାଖକୁ ମୋଟେ ଆସୁନାହିଁ। ମୋତେ ଦେଖିଲେ ତା ମା ପାଖକୁ ଦୋୖଡି ପଳାଇ ଯାଉଛି। ଏହାପରେ ଘନଶ୍ୟାମ ବାବୁଙ୍କୁ ତାଙ୍କ ଘରର ଭଲମନ୍ଦ ପଚାରି ଗାୟତ୍ରୀ ଦେବୀ ଯେତେବେଳେ ସେଠାରୁ ତାଙ୍କ ଶୋଇବା ଘରକୁ ଚାଲିଗଲେ ସଂଯୁକ୍ତା ତାଙ୍କ ଭାଇଙ୍କ ଆଗରେ ସବୁକଥା ଖୋଲି କହିଲେ। ସବୁକଥା ଶୁଣି ସାରିବା ପରେ ଘନଶ୍ୟାମ ବାବୁ ସଂଯୁକ୍ତାଙ୍କ ଉପରେ ଭୀଷଣ ଭାବରେ ବିରକ୍ତ ହୋଇ କହିଲେ , ଛୋଟ ପିଲାଟାକୁ ଏଭଳି ଭାବରେ ଡରାଇବା ତୋର କଣ ଦରକାର ଥିଲା ! ଆଛା ! ମାଉସୀ କଣ ଏକଥା ଜାଣିଛନ୍ତି ? ସଂଯୁକ୍ତା କହିଲେ , ନା। ବୋଉ ଏ ବିଷୟରେ କିଛି ଜାଣି ନାହାଁନ୍ତି। ଏ ଘଟଣାକୁ ନେଇ କୁନାର ବାପା ଓ ମୁଁ ବଡ଼ ସମସ୍ୟାରେ ପଡ଼ିଛୁ। କୁନା ବୋଉଙ୍କ ପାଖକୁ ନ ଯିବାରୁ କୁନା ତାଙ୍କ ପାଖକୁ କାହିଁକି ଯାଉନାହିଁ ବୋଲି ବୋଉ ଚିନ୍ତାରେ ପଡ଼ି ଯାଇଛନ୍ତି। ଏପଟେ ପ୍ରକୃତ କଥାଟା ତାଙ୍କ ଆଗରେ ଖୋଲି କହିବାକୁ ମୋର ମଧ୍ୟ ସାହସ ହେଉନାହିଁ। ଆଉ କୁନାକୁ ଯେତେ ବୁଝାଇଲେ ମଧ୍ୟ କୁନା ମନରୁ ସେ ଭୟ ଯାଉନାହିଁ। ଏ ପରିସ୍ଥିତିରେ ମୁଁ କଣ କରିବି କିଛି ଜାଣି ପାରୁନାହିଁ। ଭଉଣୀ ସଂଯୁକ୍ତା ଠାରୁ ଏକଥା ଶୁଣି ଘନଶ୍ୟାମ ବାବୁ କହିଲେ , କୁନା ମନରୁ ସେ ଅସୁରୁଣୀର ଦାନ୍ତ ଭୟ ଦୂର ନ ହେବା ପର୍ଯ୍ୟନ୍ତ ସେ କେବେହେଲେ ମାଉସୀଙ୍କ ପାଖକୁ ଯିବନାହିଁ। କେବଳ କୁନା ଯେତେବେଳେ ବଡ଼ ହୋଇ ଅସୁରୁଣୀ କଥା ପ୍ରକୃତରେ ମିଛ ବୋଲି ଜାଣିଯିବ ସେତେବେଳେ ତା ମନରୁ ଅସୁରୁଣୀର ଦାନ୍ତ ଭୟ ଦୂର ହୋଇଯିବ ଓ ସେ ମାଉସୀଙ୍କୁ ଦେଖିଲେ ଆଉ ଡରିବ ନାହିଁ। ଏକଥା ଶୁଣି ସଂଯୁକ୍ତା କହିଲେ , ସେକଥା ଠିକ୍ ଯେ ହେଲେ ସେତେଦିନ ପର୍ଯ୍ୟନ୍ତ କୁନା ବୋଉଙ୍କ ପାଖକୁ ନଗଲେ ବୋଉଙ୍କ ଉପରେ କଣ ବିତିବ କହିଲ ! ଯେଉଁ ପିଲା ସବୁବେଳେ ତାଙ୍କ ଆଖପାଖରେ ବୁଲୁଥିଲା , ତାଙ୍କ କାଖରେ ବସି ବାହାରକୁ ବୁଲିବାକୁ ଯାଉଥିଲା , ବିନା କାରଣରେ ସେ ତାଙ୍କ ପାଖକୁ ହଠାତ୍ ଏପରି ନ ଯିବାଟାକୁ ସେ କିପରି ସହଜରେ ଗ୍ରହଣ କରି ପାରିବେ ! ତାପରେ ବୁଢ଼ୀ ଅସୁରୁଣୀ ଗପ ଶୁଣି ତାଙ୍କର ବାହାରକୁ ବାହାରିଥିବା ଦାନ୍ତ ଯୋଗୁ ଭୟରେ କୁନା ଯେ ତାଙ୍କ ପାଖକୁ ଯାଉନାହିଁ ଏକଥାଟା ଆମେ ବା ତାଙ୍କୁ କେମିତି କହିବୁ ! ଏକଥା ଶୁଣି ଘନଶ୍ୟାମ ବାବୁ କହିଲେ , ଏ ସମସ୍ୟାର ତ୍ଵରିତ ସମାଧାନ ପାଇଁ ଆଉ ଗୋଟିଏ ଉପାୟ ଅଛି। କିନ୍ତୁ ସେକଥାଟା ତୋତେ କହିବା ମୋତେ କାହିଁକି ଠିକ୍ ଲାଗୁନାହିଁ। ସଂଯୁକ୍ତା କହିଲେ , କଥାଟା କଣ କହୁନ। ଯେମିତି ହେଉ ଏ ସମସ୍ୟାର ଶୀଘ୍ର କିପରି ସମାଧାନ ହେବା ଦରକାର। ଘନଶ୍ୟାମ ବାବୁ କହିଲେ , ସଂଯୁକ୍ତା ! କୁନା ମାଉସୀଙ୍କୁ ଭୟ କରୁନାହିଁ। ମାଉସୀଙ୍କର ବାହାରକୁ ବାହାରି ଥିବା ଦାନ୍ତକୁ ଦେଖି ତାର ବୁଢ଼ୀ ଅସୁରୁଣୀ କଥା ମନେ ପଡ଼ି ଯିବାରୁ ଭୟରେ ସେ ମାଉସୀଙ୍କ ପାଖକୁ ଯାଉନାହିଁ। ତେଣୁ ମନୋଜ ଓ ତୁ ତୁମ ଦୁଇଜଣଙ୍କୁ ମାଉସୀଙ୍କ ଆଗରେ ସବୁ ସତକଥା କହିବାକୁ ହେବ। ସବୁ ସତକଥା କହି ତାଙ୍କୁ ଯଦି ତୁମେ ଦୁଇଜଣ ତାଙ୍କର ବାହାରକୁ ବାହାରିଥିବା ଦାନ୍ତ ଦୁଇଟାକୁ ଓପାଡ଼ିବାକୁ ରାଜି କରାଇ ଦେଇ ପାରିବ ତାହେଲେ ଏ ସମସ୍ୟାର ସମାଧାନ ହୋଇଯିବ। ମାଉସୀଙ୍କର ଯେଉଁ ଦାନ୍ତକୁ ଦେଖି କୁନା ଭୟରେ ମାଉସୀଙ୍କ ପାଖକୁ ଯାଉନାହିଁ ସେ ଦାନ୍ତ ନ ରହିଲେ କୁନା ବୁଢ଼ୀ ଅସୁରୁଣୀର ଦାନ୍ତ କଥା ଭୁଲିଯିବ ଓ ମାଉସୀଙ୍କ ପାଖକୁ ପୁଣି ପୂର୍ବଭଳି ଯିବ। ଘନଶ୍ୟାମ ବାବୁଙ୍କ ଠାରୁ ଏକଥା ଶୁଣି ସଂଯୁକ୍ତା ଦେବୀ ଭୟରେ ଜିଭ କାମୁଡ଼ି ପକାଇ କହିଲେ , ଏ ତୁମେ କି କଥା କହୁଛ ଭାଇ ! ମୁଁ ଏକଥା ମନୋଜଙ୍କ ଆଗରେ କିପରି କହିବି ! ସେ ଏକଥା ଶୁଣିଲେ ମୋତେ କଣ ଭାବିବେ ! ଘନଶ୍ୟାମ ବାବୁ କହିଲେ , ସେଥିପାଇଁ ସେ ଅପ୍ରିୟ ସତ୍ୟ ମୁଁ ତୋ ଆଗରେ କହିବାକୁ ଚାହୁଁ ନଥିଲି। ତୁ ମୋତେ ବାଧ୍ୟ କଲୁ ବୋଲି ମୁଁ ତୋ ଆଗରେ କଥାଟା କହିଲି। ତାପରେ ମୁଁ ତ ତୋତେ ଏବେ ଏକଥା ମାଉସୀଙ୍କୁ କହିବାକୁ କହୁନାହିଁ। ମନୋଜ ଆସନ୍ତୁ। ତୁମେ ଦୁଇଜଣ ଯାକ ନିଜ ନିଜ ଭିତରେ କଥାଟାକୁ ଆଲୋଚନା କରିବ। ପ୍ରଥମେ ତୁମେ ଦୁଇଜଣ ଯାକ କୁନାକୁ ବୁଝାଇ ତା ମନରୁ ଭୟ ଦୂର କରିବାକୁ ଚେଷ୍ଟା କର। ଯଦି ସେ ବୁଝିଗଲା ତ ଭଲକଥା। ଆଉ ଯଦି ସେ ନ ବୁଝିଲା ଓ ସେ ବଡ଼ ହୋଇ କଥାଟାକୁ ବୁଝି ପାରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ପରିବାରର ହିତ ଦୃଷ୍ଟିରୁ ଶୁଭଙ୍କର ନୁହେଁ ବୋଲି ଯଦି ତୁମ ଦୁଇଜଣଙ୍କୁ ଲାଗେ ତାହେଲେ ତୁମେ ଏକଥା ଉପରେ ବିଚାର କରିବ। ନହେଲେ ନାହିଁ। ମୁଁ ତ ଖାଲି ତୋ ପରିବାରର ହିତ ଦୃଷ୍ଟିରୁ ତୋତେ ଗୋଟିଏ ପ୍ରସ୍ତାବ ଦେଲି। ସବୁ ଦୃଷ୍ଟିରୁ କଥାଟା ତୁମ ଦୁଇଜଣଙ୍କୁ ଯଦି ଠିକ୍ ଲାଗେ ଓ ମାଉସୀ ଯଦି ସବୁକଥା ଜାଣି ଏଥିପାଇଁ ସହମତ ହୁଅନ୍ତି ତାହେଲେ ଏ ଦିଗରେ ଆଗେଇବ। ଆଉ ହଁ ! ଏପରି କହିଲି ବୋଲି ମୋତେ ଏଥିପାଇଁ ଖରାପ ଭାବିବୁ ନାହିଁ। ତାପରେ ଖାଇ ପିଇ କିଛି ସମୟ ସଂଯୁକ୍ତା ସାଥିରେ ଗପସପ କରିବା ପରେ ଗାୟତ୍ରୀ ଦେବୀଙ୍କୁ କହି ଘନଶ୍ୟାମ ବାବୁ ତାଙ୍କ ଘରକୁ ଚାଲିଗଲେ।
ଘନଶ୍ୟାମ ବାବୁ ସିନା ଚାଲିଗଲେ , କିନ୍ତୁ ସେ କୁନା ମନରୁ ବୁଢ଼ୀ ଅସୁରୁଣୀର ଭୟ ଦୂର କରିବା ପାଇଁଁ ଯେଉଁ ଉପାୟ କହି ଦେଇଗଲେ ସଂଯୁକ୍ତା ବସି ସେହି କଥା ଉପରେ ଭାବିବାକୁ ଲାଗିଲେ। ସେ କଥା ଉପରେ ସେ ଯେତେ ଭାବିଲେ ମଧ୍ୟ କୋୖଣସି ଦୃଷ୍ଟିରୁ କଥାଟା କାହିଁକି ତାଙ୍କୁ ଠିକ୍ ଲାଗୁ ନଥିଲା। ଏପଟେ କିନ୍ତୁ କୁନା କଥା ଭାବିଲା ବେଳକୁ ଘନଶ୍ୟାମ ବାବୁ ଦେଇଥିବା ପ୍ରସ୍ତାବକୁ ସେ ସମ୍ପୂର୍ଣ୍ଣ ଭାବରେ ଅଣଦେଖା ବି କରି ପାରୁ ନଥିଲେ। ଅନେକ ସମୟ ଭାବିବା ପରେ କୋୖଣସି ସିଦ୍ଧାନ୍ତରେ ଉପନୀତ ନ ହେବାରୁ ସେ ସ୍ଵାମୀଙ୍କ ପାଖକୁ ଫୋନ୍ କରି ତାଙ୍କୁ ସବୁ କହିବେ ବୋଲି ଭାବିଲେ। ତାପରେ ସେ ଚିନ୍ତା କଲେ , ଫୋନରେ ଏସବୁ ମନୋଜଙ୍କୁ ନକହି ବରଂ ଶନିବାର ଦିନ ସେ ଆସିଲେ ସିଧାସଳଖ ତାଙ୍କ ସହିତ କଥାଟା ଆଲୋଚନା କରିବା ଠିକ୍ ହେବ।
ଶନିବାର ଦିନ ମନୋଜ ବାବୁ ଘରକୁ ଆସି ପ୍ରଥମେ ସଂଯୁକ୍ତାଙ୍କୁ କୁନା ବିଷୟରେ ପଚାରିଲେ। ସଂଯୁକ୍ତା ଯେତେବେଳେ କହିଲେ ଯେ ଯେତେ ବୁଝାଇଲେ ମଧ୍ୟ କୁନା ଭୟରେ ତା ଜେଜେମାଙ୍କ ପାଖକୁ ଯିବାକୁ ଆଦୋୖ ରାଜି ହେଉନାହିଁ ମନୋଜ ବାବୁଙ୍କ ଚିନ୍ତା ବଢ଼ିଗଲା। ସେ ନିଜେ ମଧ୍ୟ କୁନାକୁ କୋଳରେ ବସାଇ ବିଭିନ୍ନ ଉପାୟରେ ତାକୁ ବୁଝାଇବାକୁ ଚେଷ୍ଟା କଲେ। କିନ୍ତୁ କିଛି ଲାଭ ହେଲାନାହିଁ। ସେ ହତୋତ୍ସାହିତ ହୋଇ ପଡ଼ିଲେ। ତାଙ୍କୁ କିଛି ବୁଦ୍ଧିବାଟ ଦେଖାଗଲା ନାହିଁ। ସେଦିନ ରାତିରେ କୁନା ଶୋଇଯିବା ପରେ ସଂଯୁକ୍ତା ସ୍ବାମୀଙ୍କୁ କହିଲେ , ତୁମେ ବ୍ରହ୍ମପୁର ଯିବା ପରଦିନ ଭାଇ ଆସିଥିଲେ। କୁନା ବିଷୟରେ ସବୁ ଶୁଣିବା ପରେ ସେ କହିଲେ , କୁନା ବଡ଼ ହୋଇଗଲେ ବୁଢ଼ୀ ଅସୁରୁଣୀ ଭୟ ଆପେ ଆପେ ତା ମନରୁ ଦୂରେଇଯିବ ଓ ସେ ତା ଜେଜେମାଙ୍କ ପାଖକୁ ଯିବ। ଏକଥା ଶୁଣି ମନୋଜ ବାବୁ କହିଲେ , ସେତେଦିନ ପର୍ଯ୍ୟନ୍ତ କୁନା ବୋଉ ପାଖକୁ ନଗଲେ ଘରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ତାକୁ ଆମେ କିପରି ସାମ୍ନା କରିବା ! ସଂଯୁକ୍ତା କହିଲେ , ମୁଁ ମଧ୍ୟ ଠିକ୍ ସେହିକଥା କହିବାରୁ ଭାଇ ମୋତେ ଆଉ ଗୋଟିଏ ଉପାୟ କହିଲେ ଯେ କିନ୍ତୁ ସେ ଉପାୟଟା ମୋତେ ଆଦୋୖ ଠିକ୍ ଲାଗିଲା ନାହିଁ। ତେଣୁ ତୁମ ଆଗରେ ସେକଥା କହିବାକୁ ମୋର ସାହସ ହେଉନାହିଁ। ମନୋଜ ବାବୁ କହିଲେ , ଆରେ କଥାଟା କଣ କୁହ ! ତାପରେ ସଂଯୁକ୍ତା ସ୍ଵାମୀଙ୍କ ଆଗରେ ଘନଶ୍ୟାମ ବାବୁ କହିଥିବା ଉପାୟ କହିଲେ। ସଂଯୁକ୍ତାଙ୍କ ଠାରୁ କଥାଟା ଶୁଣି ମନୋଜ ପ୍ରଥମେ ବିରକ୍ତିର ସହିତ ପତ୍ନୀଙ୍କୁ କହିଲେ , ତୁମ ମୁଣ୍ଡ କଣ ଖରାପ ହୋଇଯାଇଛି ! ତୁମେ କିପରି ଭାବିଲ ଯେ ମୁଁ ବୋଉକୁ ଏଭଳି ଏକ ଅସମ୍ମାନଜନକ ପ୍ରସ୍ତାବ ଦେଇପାରିବି ! ତାପରେ ଘନଶ୍ୟାମ ଭାଇ ଜଣେ ଜାଣିବା ଶୁଣିବା ଲୋକ ହୋଇ ତୁମକୁ ଏଭଳି ଏକ ପ୍ରସ୍ତାବ କିପରି ଦେଲେ ! ସଂଯୁକ୍ତା କହିଲେ , ଆରେ କଥାଟା ଶୁଣି ତୁମେ ଯେମିତି ମୋ ଉପରେ ବିରକ୍ତ ହେଉଛ ମୁଁ ବି ପ୍ରଥମେ ଭାଇଙ୍କ କଥା ଶୁଣି ତାଙ୍କ ଉପରେ ମନେ ମନେ ସେମିତି ବିରକ୍ତ ହୋଇ ଯାଇଥିଲି। କିନ୍ତୁ ସେ କହିଲେ , କୁନାକୁ ବୁଝାଇବା ପରେ ମଧ୍ୟ ସେ ଯଦି ନବୁଝେ ଆଉ କୁନା ବଡ଼ ହୋଇ ନିଜେ ବୁଢ଼ୀ ଅସୁରୁଣୀ ଗପ ମିଛ ବୋଲି ଜାଣିବା ପର୍ଯ୍ୟନ୍ତ ତୁମ୍ଭେମାନେ ଯଦି ଅପେକ୍ଷା ନକର ତାହେଲେ ଏ ପ୍ରସ୍ତାବ ଉପରେ ତୁମ୍ଭେ ଦୁଇଜଣ ବିଚାର କରିବ। ତାପରେ ଆଉ ଦିନେ ଦୁଇଦିନ କୁନା ଯଦି ବୋଉଙ୍କ ପାଖକୁ ନଯାଏ ତାହେଲେ ଆମକୁ ଯେମିତି ହେଲେ ବୋଉଙ୍କ ଆଗରେ ସବୁ ସତକଥା କହିବାକୁ ହେବ କାରଣ ବୋଉ ତ ନିଶ୍ଚୟ କୁନା ତାଙ୍କ ପାଖକୁ ନ ଯିବାର କାରଣ ଜାଣିବାକୁ ଚାହିଁବେ। ତାପରେ ତୁମେ ତ ଦେଖୁଛ ମୁଁ ଓ ତୁମେ ଯେତେ ବୁଝାଇଲେ ମଧ୍ୟ କୁନା ବୋଉଙ୍କ ପାଖକୁ ଯିବାକୁ ମୋଟେ ରାଜି ହେଉନାହିଁ। ଏଭଳି ପରିସ୍ଥିତି ଘରେ ଆଉ କେତେଦିନ ଲାଗି ରହିବ ! ତାପରେ କୁନା ଯେହେତୁ ବୋଉଙ୍କ ପାଖରେ ରହି ଯାଉଥିଲା ମୁଁ ଘରର ସବୁ କାମ ସମ୍ଭାଳି ନେଉଥିଲି। କୁନା ଯଦି ଏହିଭଳି ବୋଉଙ୍କ ପାଖକୁ ନଯାଇ ସବୁବେଳେ ମୋ କାନି ଧରି ବୁଲିବ ତାହେଲେ ମୁଁ ଘରକାମ କିପରି ସମ୍ଭାଳିବି କହିଲ ! ତାପରେ ଆଉ ଗୋଟିଏ କଥା। ବୋଉଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ତ ଏକଥା ହେବନାହିଁ। ବୋଉଙ୍କୁ ସବୁ ସତକଥା କହି ସାରିବା ପରେ ସେ ଯଦି କୁନା କଥା ବିଚାର କରି ତାଙ୍କ ଦାନ୍ତ ଓପାଡ଼ିବାକୁ ନିଜେ ରାଜି ହୁଅନ୍ତି ତାହେଲେ ଆମ୍ଭେ ସେ ଦିଗରେ ଆଗେଇବା। ମନୋଜ ବାବୁ ମଧ୍ୟ ଭାବିଲେ , ପ୍ରକୃତରେ ଯଦି ଏ ସମସ୍ୟା ଏମିତି ରୁହେ ତାହେଲେ କୋୖଣସି ଦୃଷ୍ଟିରୁ ତାହା ପରିବାର ପାଇଁ ଶୁଭଙ୍କର ହେବନାହିଁ । ଯେମିତି ହେଉ ଏହାକୁ ସମାଧାନ କରିବାକୁ ପଡ଼ିବ। ଏହିପରି ଆଲୋଚନା ଭିତରେ ମନୋଜ ବାବୁ ପତ୍ନୀଙ୍କୁ କହିଲେ , ରାତି ଅନେକ ହେଲାଣି। ଏବେ ଶୋଇପଡ଼। କାଲି ମୁଁ ଏ ବିଷୟରେ ବୋଉ ସହିତ କଥା ହେବି।
ତା ପରଦିନ ଖରାବେଳେ ଖାଇବା ପିଇବା ସରିବା ପରେ କୁନା ସଂଯୁକ୍ତାଙ୍କ ପାଖରେ ଯେତେବେଳେ ଶୋଇ ପଡ଼ିଲା ମନୋଜ ବାବୁ ଘରର ଏ ସମସ୍ୟା ବିଷୟରେ ତାଙ୍କ ମାଆଙ୍କ ସହିତ କଥା ହେବାକୁ ସ୍ଥିର କଲେ କାରଣ ସେ ଜାଣି ପାରିଲେ ଯେ ମାଆ ନ ଜାଣିଲେ ଏ ସମସ୍ୟାର କୋୖଣସି ସମାଧାନ ହୋଇ ପାରିବ ନାହିଁ। ସମସ୍ୟାଟା ଆଉ ଅଧିକ ଜଟିଳ ହେବା ଆଗରୁ ତାର ସମାଧାନ କରି ଦେବାଟା ବୁଦ୍ଧିମାନର କାର୍ଯ୍ୟ ହେବ। ମନ ମଧ୍ୟରେ ଏହିପରି ଚିନ୍ତା କରି ମନୋଜ ବାବୁ ଗାୟତ୍ରୀ ଦେବୀଙ୍କ ଶୋଇବା ଘରକୁ ଯାଇ ଖଟ ଉପରେ ଶୋଇଥିବା ଗାୟତ୍ରୀ ଦେବୀଙ୍କ ପାଖରେ ବସି ପଡ଼ି କହିଲେ , ବୋଉ ! କୁନା ତୋ ପାଖକୁ ଆସୁନାହିଁ ବୋଲି ତୁ ମନଦୁଃଖ କରୁଛୁ ନା ! ଗାୟତ୍ରୀ ଦେବୀ କହିଲେ , ହଁ ! ଏଇ କିଛିଦିନ ହେବ ପିଲାଟାର କଣ ହୋଇଛି କେଜାଣି ସେ ମୋ ପାଖକୁ ଆଦୋୖ ଆସୁନାହିଁ। ମୋତେ ଦେଖିଲେ ସେ ତା ମା ପାଖକୁ ଦୋୖଡି ପଳାଇ ଯାଉଛି। ମନୋଜ ବାବୁ କହିଲେ , ବୋଉ ! ଏସବୁ ପାଇଁ ସଂଯୁକ୍ତା ଦାୟୀ। ତାପରେ କୁନା ତାଙ୍କ ପାଖକୁ କାହିଁକି ଆସୁନାହିଁ ତାର କାରଣ ଗୋଟି ଗୋଟି କରି ସେ ଗାୟତ୍ରୀ ଦେବୀଙ୍କୁ କହିଲେ। ସେ କହିଲେ , ବୋଉ ! ସଂଯୁକ୍ତା ନିଜର ଭୁଲ୍ ପାଇଁ ଅନୁତାପ କରୁଛନ୍ତି ଓ ଡରରେ ସେ ଏକଥା ତୋ ଆଗରେ କହି ପାରୁନାହାଁନ୍ତି। ତାପରେ ତୋ ପାଖକୁ ଆସିବା ପାଇଁ ସେ କୁନାକୁ ମଧ୍ୟ ବହୁତ ବୁଝାଇ ସାରିଲେଣି। ଆଉ ମୁଁ ମଧ୍ୟ କୁନା ମନରୁ ସେ ଭୟ ଦୂର କରିବା ପାଇଁଁ ଅନେକ ଚେଷ୍ଟା କଲେଣି। କିନ୍ତୁ କୁନା କିଛି ବୁଝୁନାହିଁ ଓ ତୋତେ ଦେଖିବା ମାତ୍ରେ ତାର ସେ ବୁଢ଼ୀ ଅସୁରୁଣୀ ଦାନ୍ତ କଥା ମନେ ପଡ଼ି ଯାଉଛି ଯେଉଁଥିପାଇଁ ଭୟରେ ସେ ତୋ ପାଖକୁ ଆସୁନାହିଁ। ପୁଅ ମୁହଁରୁ ଏକଥା ଶୁଣି ଗାୟତ୍ରୀ ଦେବୀ ଚିନ୍ତିତ ହୋଇ ପଡ଼ିଲେ ଓ କହିଲେ , ତାହେଲେ କୁନା କଣ ଆଉ କେବେ ମୋ ପାଖକୁ ଆସିବ ନାହିଁ ! ମନୋଜ ବାବୁ କହିଲେ , ନାଇଁ ! ନାଇଁ ! ତୁ ସେମିତି କାହିଁକି ଭାବୁଛୁ। କୁନା ବଡ଼ ହୋଇଗଲେ ତା ମନରୁ ସେ ଭୟ ଆପେ ଆପେ ଦୂରେଇଯିବ ଓ ସେ ପୁଣି ପୂର୍ବଭଳି ତୋ ପାଖକୁ ଆସିବ। ଗାୟତ୍ରୀ ଦେବୀ କହିଲେ , ଏ କିପରି କଥା ! କୁନା ବଡ଼ ହେବା ପର୍ଯ୍ୟନ୍ତ ମୁଁ କଣ ତାକୁ ଟିକେ କୋଳରେ ଧରିବା ପାଇଁ ଏମିତି ହାଇଁ ପାଇଁ ହେଉଥିବି ! ତାପରେ ସେ ବଡ଼ ହୋଇ ବୁଝିବାର ହେଲା ବେଳକୁ ତାର କଣ ଆଉ ଏହି ବାଲ୍ୟାବସ୍ଥା ଥିବ ଯେ ମୁଁ ତାକୁ ବର୍ତ୍ତମାନ ଭଳି କାଖ କରି ଦାଣ୍ଡରେ ବୁଲାଇ ପାରିବି ! ମନୋଜ ବାବୁ କହିଲେ , ଦେଖ୍ ବୋଉ ! ସେଇଥିପାଇଁ ତ ମୁଁ ଓ ସଂଯୁକ୍ତା କୁନାକୁ ବୁଝାଇ ବୁଝାଇ ଥକି ଗଲୁଣି। ହେଲେ ସେ ତ କିଛି ବୁଝୁନାହିଁ। ଏବେ ତୁ କେବଳ ଚାହିଁଲେ ତା ମନରୁ ସେ ଭୟ ଦୂର ହୋଇ ପାରିବ। ପୁଅ ମୁହଁରୁ ଏକଥା ଶୁଣି ଗାୟତ୍ରୀ ଦେବୀ କିଛି ବୁଝି ପାରିଲେ ନାହିଁ। ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ , କିନ୍ତୁ କେମିତି ? ମନୋଜ ବାବୁ କଥାଟାକୁ କିପରି କହିବେ ବୋଲି ଛକିପାଞ୍ଚି ହେଉଥାନ୍ତି। ଏହା ଦେଖି ଗାୟତ୍ରୀ ଦେବୀ କହିଲେ , ଆରେ କଥାଟା କଣ ମୋତେ ଖୋଲି ନ କହିଲେ ମୁଁ ଜାଣିବି କେମିତି ! ମନୋଜ ବାବୁ ଟିକେ ଥଙ୍ଗଥଙ୍ଗ ହୋଇ କହିଲେ , ବୋଉ ! ସେକଥା କହିବାକୁ ମୋତେ ଖରାପ ଲାଗୁଛି। କିନ୍ତୁ କୁନା ତୋ ପାଖକୁ ଏବେ କେମିତି ଆସିବ ସେହି କଥାକୁ ଆଖି ଆଗରେ ରଖି ମୁଁ ତୋତେ ମୋ ଅନିଚ୍ଛା ସତ୍ତ୍ଵେ ଏକଥା କହିବାକୁ ବାଧ୍ୟ ହେଉଛି। ଅବଶ୍ୟ ମୁଁ ଯାହା କହିବି ସେକଥା କରିବା ପାଇଁଁ ମୁଁ ତୋତେ ବାଧ୍ୟ କରୁଛି ବୋଲି ତୁ ଭାବିବୁ ନାହିଁ। ସବୁ ଶୁଣି ସାରିବା ପରେ ତୁ ଯାହା କହିବୁ ସେୟା ହେବ। ପୁଅର କଥା ଶୁଣି ଗାୟତ୍ରୀ ଦେବୀ କହିଲେ , ଆରେ ସିଧା ସଳଖ କଥାଟା ନକହି ଏତେ ବୁଲେଇ ବାଙ୍କେଇ କହିଲେ ମୁଁ ସେଥିରୁ କଣ ବୁଝିବି କହିଲୁ ! ମନୋଜ ବାବୁ କହିଲେ , ଦେଖ୍ ବୋଉ ! ତୁ ଯଦି କିଛି ଖରାପ ନ ଭାବିବୁ ମୁଁ ତୋତେ ସେକଥା କହିବି। ଗାୟତ୍ରୀ ଦେବୀ କହିଲେ , ନା ! ମୁଁ କିଛି ଖରାପ ଭାବିବି ନାହିଁ। ତୁ ମୋତେ କଣ କହିବାକୁ ଚାହୁଁଛୁ କହ। ଗାୟତ୍ରୀ ଦେବୀଙ୍କ ଠାରୁ ସାହସ ପାଇ ମନୋଜ ବାବୁ କହିଲେ , ଦେଖ୍ ବୋଉ ! କୁନା ତୋତେ ଦେଖି ଡରୁନାହିଁ , ତୋର ଦାନ୍ତକୁ ଦେଖି ଡରୁଛି। ତେଣୁ ତୁ ଯଦି ବାହାରକୁ ବାହାରିଥିବା ତୋର ସେହି ଦାନ୍ତ ଦୁଇଟାକୁ ଓପାଡ଼ିବାକୁ ରାଜି ହେବୁ ତାହେଲେ ଏ ସମସ୍ୟାର ସମାଧାନ ହୋଇଯିବ। ତୁ ଦାନ୍ତ ଓପାଡ଼ି ଦେଲେ କୁନା ବୁଢୀ ଅସୁରୁଣୀର ଦାନ୍ତ କଥା ଭୁଲିଯିବ ଓ ତା ମନରେ ବୁଢ଼ୀ ଅସୁରୁଣୀର ଦାନ୍ତ ପ୍ରତି ଥିବା ସବୁ ଭୟ ମଧ୍ୟ ଦୂର ହୋଇଯିବ। ପୁଅ ମୁହଁରୁ ଏକଥା ଶୁଣି ଗାୟତ୍ରୀ ଦେବୀ ହତବାକ୍ ହୋଇଗଲେ। ସେ କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ ଯେ ତାଙ୍କ ପୁଅ ତାଙ୍କୁ ଏଭଳି ଏକ ଅଶୋଭନୀୟ ଓ ଅସମ୍ମାନଜନକ କଥା କହିବ ବୋଲି ! ତାଙ୍କ ମନକୁ ଏକ ଶକ୍ତ ଧକ୍କା ଲାଗିଲା। ଆଖିରୁ ବାହାରି ଆସୁଥିବା ଲୁହକୁ ସେ ଆଖି ଭିତରେ ଚାପିଦେଲେ। ନିଜ ଭିତରର ମନୋଭାବକୁ ବାହାରକୁ ପ୍ରକାଶ ନକରି ସେ ପୁଅକୁ କହିଲେ , ତୁ ଏବେ ଯା ! ଆମେ ପରେ ଏ ବିଷୟରେ କଥା ହେବା। ମନୋଜ ବାବୁ ଜାଣିପାରିଲେ ଯେ ବୋଉକୁ ନିଶ୍ଚିତ ଭାବରେ ଏ କଥାଟା ଖରାପ ଲାଗିଛି ଯେଉଁଥିପାଇଁ ସେ ଏ ପ୍ରସଙ୍ଗରେ କିଛି ଉତ୍ତର ନଦେଇ ଚୁପ୍ ରହିଲା। ଗାୟତ୍ରୀ ଦେବୀଙ୍କୁ ଏପରି କହିଥିବାରୁ ତାଙ୍କୁ ଦୋଷୀ ଦୋଷୀ ଲାଗୁଥିଲା। ସେ ତାଙ୍କୁ ଆଉ କିଛି ନକହି ଚୁପଚାପ୍ ସେଠାରୁ ଉଠି ଚାଲିଗଲେ। ସେଠାରୁ ଗଲାବେଳେ ସେ ଭାବିଲେ , ଏଇଥିପାଇଁ ମୁଁ ପ୍ରଥମେ ବୋଉକୁ ଏକଥା କହିବାକୁ ରାଜି ହେଉ ନଥିଲି। ସଂଯୁକ୍ତାଙ୍କ କଥାରେ ପଡ଼ି ତରବରିଆ ଭାବେ ମୁଁ ବୋଉକୁ ଏକଥା କହିବାଟା ମୋର ଆଦୋୖ ଉଚିତ୍ ନଥିଲା। ମନୋଜ ବାବୁ ଯାଇ ସଂଯୁକ୍ତାଙ୍କ ଉପରେ ଭୀଷଣ ବିରକ୍ତ ହୋଇ କହିଲେ , ଯେଉଁ କଥାକୁ ମୋର ଡର ଥିଲା ତାହାହିଁ ହେଲା। ଦାନ୍ତ ଓପାଡ଼ିବା କଥା କହିବାରୁ ବୋଉକୁ ସେକଥାଟା ଠିକ୍ ଲାଗିଲା ନାହିଁ ବୋଲି ମୋତେ ଲାଗିଲା କାହିଁକି ନା ସେକଥା ଶୁଣି ସେ ହଁ କି ନା କିଛି ବି କହିଲା ନାହିଁ। ସଂଯୁକ୍ତା କହିଲେ , ହଉ ! ହେଲା। ତୁମେ ତ ବୋଉଙ୍କୁ ଖାଲି ଦାନ୍ତ ଓପାଡ଼ିବା କଥା କହିଛ। ବୋଉ ଯଦି ରାଜି ନ ହୁଅନ୍ତି ତାହେଲେ ସେ ପ୍ରସଙ୍ଗ ଆମେ ଆଉ କେବେ ଉଠାଇବା ନାହିଁ। କୁନା ବୁଝିବାର ହେବା ପର୍ଯ୍ୟନ୍ତ ଆମେ ସମୟକୁ ଅପେକ୍ଷା କରିବା।
ମନୋଜ ବାବୁ ଉଠି ଚାଲିଗଲା ପରେ ଗାୟତ୍ରୀ ଦେବୀ କାନ୍ଥରେ ଟଙ୍ଗା ହୋଇଥିବା ସ୍ଵାମୀଙ୍କ ଫଟୋକୁ ଚାହିଁ ଠକ୍ ଠକ୍ କାନ୍ଦି ପକାଇଲେ। ସ୍ଵାମୀଙ୍କ ଫଟୋକୁ ଲକ୍ଷ୍ୟ କରି କହିଲେ , ତୁମେ ଥିଲେ ଆମ ପୁଅ କଣ ଆଜି ଏଭଳି କଥା ମୋ ମୁହଁରେ କହିବାକୁ ସାହସ କରିଥାନ୍ତା ! ସ୍ଵାମୀଙ୍କ କଥା ମନେ ପକାଇ ଗାୟତ୍ରୀ ଦେବୀ ଅତୀତର ସ୍ମୃତି ଭିତରେ ହଜିଗଲେ। ତାଙ୍କର ତାଙ୍କ ବାହାଘର ବେଳର କଥା ମନେ ପଡ଼ିଗଲା। ବାହାରକୁ ବାହାରିଥିବା ତାଙ୍କର ଏହି ବାହାଡ଼ା ଦାନ୍ତ ଦୁଇଟା ପାଇଁ ଅନେକ ଜାଗାରେ ତାଙ୍କର ବାହାଘର ଭାଙ୍ଗି ଯାଉଥିଲା। ଯିଏ ଦେଖିବାକୁ ଆସୁଥିଲେ ମୁଖଦାନ୍ତୁରୀ କହି ମୁହଁ ଆଡେ଼ଇ ଚାଲି ଯାଉଥିଲେ। ସେହି କାରଣରୁ ତାଙ୍କ ବାହାଘର ପାଇଁ ତାଙ୍କ ବାପା ଓ ମାଆଙ୍କର ଚିନ୍ତା ବଢ଼ି ଯାଇଥିଲା। ସେଦିନର କଥା ତାଙ୍କର ଆଜି ବି ମନେ ଅଛି। ଯେଉଁଦିନ ତାଙ୍କ ଶାଶୁ ଓ ଶ୍ବଶୁର ତାଙ୍କୁ ଦେଖିବାକୁ ଯାଇଥିଲେ ସେ ଆସି ଶାଶୁ ଓ ଶ୍ଵଶୁରଙ୍କୁ ମୁଣ୍ଡିଆ ମାରି ତାଙ୍କ ଆଗରେ ମୁଣ୍ଡ ନୁଆଇଁ ଠିଆ ହୋଇଥିଲେ। ତାଙ୍କ ମନରେ ଗୋଟିଏ ଭୟ ଥିଲା ଯେ ଏହି ବାହାଡ଼ା ଦାନ୍ତ ଦୁଇଟା ପାଇଁ ସବୁଥର ଭଳି ଏଥର ବି ବାହାଘର ଭାଙ୍ଗି ନଯାଉ ! ତାଙ୍କ ସହିତ ଶାଶୁ ଓ ଶ୍ବଶୁର କଥା ହେଉଥିବା ସମୟରେ ଶ୍ଵଶୁରଙ୍କ ପାଖକୁ ତାଙ୍କ ପୁଅଙ୍କ ପାଖରୁ ଫୋନ୍ ଆସିଲା। ଫୋନରେ ତାଙ୍କ ପୁଅ ତାଙ୍କୁ କଣ କହିଲେ ସେତେବେଳେ ସେ କଥା ଜାଣି ପାରି ନଥିଲେ। କିନ୍ତୁ ଫୋନରେ ପୁଅ ସହିତ କଥା ହୋଇସାରିବା ପରେ ତାଙ୍କ ଶ୍ଵଶୁର ଶାଶୁଙ୍କ ସହିତ କଣ କଥାବାର୍ତ୍ତା ହେଲେ ଓ ତାପରେ ହସି ହସି ଗାୟତ୍ରୀଙ୍କ ବାପାଙ୍କୁ କହିଲେ , ଝିଅକୁ ଭିତରକୁ ନେଇ ଯାଆନ୍ତୁ। ଝିଅ ଆମର ପସନ୍ଦ ହୋଇଛି। ଏକଥା ଶୁଣି ତାଙ୍କ ବାପା ଓ ମାଆଙ୍କ ମନ ଖୁସିରେ ପୂରି ଉଠିଥିଲା। ଏକଥା ଶୁଣି ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ଯେତେବେଳେ ବୋହୂ ହୋଇ ଏ ଘରକୁ ଆସିଲେ ତାଙ୍କ ଶାଶୁ ଓ ଶ୍ବଶୁର ତାଙ୍କୁ ବୋହୂ ଭାବରେ ପସନ୍ଦ କରିବାର କାରଣ ସେ ଜାଣି ପାରିଲେ। ସେ ଶାଶୁଙ୍କ ଠାରୁ ଶୁଣିଲେ ଯେ ଯେଉଁଦିନ ସେମାନେ ଗାୟତ୍ରୀଙ୍କୁ ଦେଖିବା ପାଇଁ ଯାଇଥିଲେ ସେହିଦିନ ସରକାରୀ ଚାକିରି ପାଇଁ ଦେଇଥିବା ପରୀକ୍ଷାରେ ତାଙ୍କ ପୁଅ କୃତକାର୍ଯ୍ୟ ହୋଇଛି ବୋଲି ଫୋନରେ ସେ ତାଙ୍କ ପୁଅ ଠାରୁ ଖବର ପାଇଥିଲେ। ଯେଉଁ ଝିଅ ସହିତ ବାହାଘର ପ୍ରସ୍ତାବ ପଡ଼ୁ ପଡ଼ୁ ତାଙ୍କ ପୁଅର ସରକାରୀ ଚାକିରି ହୋଇଗଲା ସେ ଝିଅ ନିଶ୍ଚୟ ତାଙ୍କ ପୁଅ ପାଇଁ ଉପଯୁକ୍ତା ବୋଲି ତାଙ୍କର ଦୃଢ଼ ଧାରଣା ହୋଇ ଯାଇଥିଲା ଯେଉଁଥିପାଇଁ ସେମାନେ ଗାୟତ୍ରୀଙ୍କୁ ବୋହୂ କରିବା ପାଇଁଁ ରାଜି ହୋଇ ଯାଇଥିଲେ। ଶାଶୁ ଓ ଶ୍ବଶୁର ତାଙ୍କ ଉପରେ ଯେଉଁ ଭରସା ରଖି ତାଙ୍କୁ ବୋହୂ ଭାବରେ ପସନ୍ଦ କରିଥିଲେ ନିଜର ଭଲ ଗୁଣ ବଳରେ ସେ ଜଣେ ଭଲ ବୋହୂ ଓ ଭଲ ସ୍ତ୍ରୀ ଭାବରେ ତାକୁ ପ୍ରମାଣ କରି ଦେଖେଇ ଦେଇଥିଲେ। ତାଙ୍କୁ ବୋହୂ ଭାବରେ ପାଇ ତାଙ୍କ ଶାଶୁ ଓ ଶ୍ବଶୁର ଖୁବ୍ ଖୁସି ଥିଲେ। ବାସର ରାତିରେ ସ୍ଵାମୀ ଚନ୍ଦ୍ରକାନ୍ତ ଯେତେବେଳେ ତାଙ୍କ ଓଢ଼ଣା ଖୋଲିଲେ ସ୍ଵାମୀଙ୍କ ହାତ ଧରି ପକାଇ ସେ କହିଥିଲେ , ମୁଁ ତ ଅସୁନ୍ଦରୀ ମୁଖଦାନ୍ତୁରୀଟା। ଏଇ ବାହାଡ଼ା ଦାନ୍ତ ଦୁଇଟା ପାଇଁ ମୋର ଅନେକ ଜାଗାରେ ବାହାଘର ଭାଙ୍ଗି ଯାଉଥିଲା। ତୁମେ ତୁମ ବାପା ଓ ମାଆଙ୍କ ବାଧ୍ୟବାଧକତାରେ ମୋତେ ବାହା ହୋଇନ ତ ? ସ୍ଵାମୀ ଚନ୍ଦ୍ରକାନ୍ତ ତାଙ୍କୁ ସ୍ନେହରେ କୋଳକୁ ଟାଣି ନେଇ କହିଥିଲେ , ଆରେ ! ତୁମେ ସେମିତି କାହିଁକି ଭାବୁଛ ! ଏ ଶାରୀରିକ ସୌନ୍ଦର୍ଯ୍ୟ ତ କ୍ଷଣସ୍ଥାୟୀ।ତୁମ ମନଟା ଯେ କେତେ ସୁନ୍ଦର ମୁଁ ତୁମର ଏହି କେଇପଦ କଥାରୁ ତାହା ଜାଣି ପାରୁଛି। ତୁମର ସେହି ମନର ସୌନ୍ଦର୍ଯ୍ୟକୁ ନେଇ ମୋର ତୁମ ସହିତ ସାରା ଜୀବନ କାଟିବାର ଅଛି। ବାହାଘରର ଅର୍ଥ ଦୁଇଟି ଦେହର ମିଳନ ନୁହେଁ ବରଂ ଦୁଇଟି ମନର ମିଳନ। ତେଣୁ ଆଜି ଏହି ବାସର ରାତିରେ ତୁମେ ମୋତେ ଛୁଇଁ ଶପଥ କର ତୁମର ଏହି ବାହାଡ଼ା ଦାନ୍ତକୁ ନେଇ ତୁମେ ମନରେ କେବେ ଗ୍ଳାନି ରଖିବନି। ଦୁନିଆଁ ଆଖିକୁ ତୁମର ଏ ବାହାଡ଼ା ଦାନ୍ତ ହୁଏତ ଅସୁନ୍ଦର ଦେଖା ଯାଇପାରେ କିନ୍ତୁ ମୋ ଆଖିରେ ମୋ ସ୍ତ୍ରୀ ଏ ଦୁନିଆରେ ସବୁଠାରୁ ସୁନ୍ଦର। ବରଂ ମୁଁ କହିବି ଏବେ ଯଦି ତୁମର ଏ ଦାନ୍ତ ଦୁଇଟି ନ ରହିବ ତାହେଲେ ମୋତେ ତୁମ ମୁହଁଟା ଅସୁନ୍ଦର ଦେଖାଯିବ। ତୁମେ ଆଉ ମୋ ସ୍ତ୍ରୀ ଗାୟତ୍ରୀ ଭଳି ଦେଖା ଯିବନି। ବାସର ରାତିରେ ସ୍ଵାମୀଙ୍କର ସେହି କେଇପଦ କଥାରେ ସରମି ଲତାଟିଏ ଭଳି ଲାଜେଇ ଯାଇ ସେ ସ୍ଵାମୀଙ୍କ ଛାତିରେ ଲୋଟି ଯାଇଥିଲେ।
ଯେଉଁ ବାହାଡ଼ା ଦାନ୍ତ ଦୁଇଟା ଯୋଗୁ ସବୁ ଜାଗାରେ ବାହାଘର ଭାଙ୍ଗି ଯାଉ ଥିବାରୁ ଗାୟତ୍ରୀ ଦେବୀ ନିଜର ସେ ଦାନ୍ତ ଦୁଇଟିକୁ ଏକ ଅଭିଶାପ ବୋଲି ଧରି ନେଇଥିଲେ ବାସର ରାତିରେ ସ୍ଵାମୀ ଚନ୍ଦ୍ରକାନ୍ତଙ୍କ ମୁଖରୁ ଏଇ କେତେପଦ ସ୍ନେହବୋଳା କଥା ଶୁଣି ତାଙ୍କ ମନରେ ସେହି ଦାନ୍ତକୁ ନେଇ ଥିବା ସମସ୍ତ ଗ୍ଳାନି ଦୂର ହୋଇ ଯାଇଥିଲା ଓ ଜୀବନରେ ଆଜି ପର୍ଯ୍ୟନ୍ତ କେବେବି ସେହି ଦାନ୍ତକୁ ସେ ନିଜର ଏକ ଖୁଣ ବୋଲି ଭାବି ନଥିଲେ। କିନ୍ତୁ ସେହି ଦାନ୍ତକୁ ନେଇ ସମୟ ଯେ ଦିନେ ତାଙ୍କୁ ଆଣି ଜୀବନର ଏପରି ଏକ ମୋଡ଼ରେ ଠିଆ କରି ଦେବ ସେକଥା ସେ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲେ। ସ୍ଵାମୀ ଚନ୍ଦ୍ରକାନ୍ତଙ୍କ ଫଟୋକୁ ଚାହିଁ ସେ ମନେ ମନେ କହୁଥିଲେ , ମୁଁ ଏବେ କଣ କରିବି କୁହ ! ବାସର ରାତି କଥା ମୋର ଆଜିବି ମନେ ଅଛି। ତୁମେ ମୋତେ କହିଥିଲ ଯେ ମୋର ଏହି ଦାନ୍ତ ଦୁଇଟି ନ ରହିଲେ ମୁଁ ଆଉ ତୁମ ସ୍ତ୍ରୀ ଗାୟତ୍ରୀ ଭଳି ଦେଖା ଯିବିନି। ତୁମର ସେହି କଥାପଦକୁ ମୁଁ ଆଜି ପର୍ଯ୍ୟନ୍ତ ମୋ ମନ ସିନ୍ଦୁକ ଭିତରେ ଥିବା ସୁନା ଫରୁଆରେ ସାଇତି ରଖିଛି। ତୁମେ ଗଲାପରେ ମଧ୍ୟ ସବୁବେଳେ ସେହି ଦାନ୍ତ ଦୁଇଟି ମୋ ମନରେ ଆମର ବାସର ରାତିର ସ୍ମୃତିକୁ ଉଜ୍ଜୀବିତ କରି ଦେଇଥାଏ । ତେଣୁ ସବୁବେଳେ ମୁଁ ଭାବେ , ମୋର ଅନ୍ୟ ସବୁ ଦାନ୍ତ ପଛେ ପଡ଼ିଯାଉ ମୋର କିଛି ଦୁଃଖ ନାହିଁ କିନ୍ତୁ ତୁମର ସ୍ମୃତି ବିଜଡ଼ିତ ଥିବା ମୋର ସେହି ଦାନ୍ତ ଦୁଇଟି ମୋର ମୃତ୍ୟୁ ପର୍ଯ୍ୟନ୍ତ ମୋ ସହିତ ଏମିତି ରହିଥାଉ। କିନ୍ତୁ ଆଜି ମୁଁ ଜୀବନ ରାସ୍ତାର ଏପରି ଏକ ଦୋଛକିରେ ଠିଆ ହୋଇଛି ଯେ ସେହି ଦାନ୍ତ ଦୁଇଟିକୁ ମୁଁ ଆଉ ଚାହିଁଲେ ବି ରଖି ପାରୁନାହିଁ। ମୁଁ ଯଦି ଦାନ୍ତ ଓପାଡ଼ିବାକୁ ମନାକରେ ତାହେଲେ ପୁଅ ଓ ବୋହୂ ମୋତେ ଭୁଲ୍ ବୁଝିବେ। ସେମାନେ ଭାବିବେ ଯେ ମୋ ମନରେ କୁନା ପ୍ରତି ସ୍ନେହ ନାହିଁ। କିନ୍ତୁ ବାସ୍ତବରେ କଥା ତାହା ନୁହେଁ। ଏଇ କେତେଦିନ ହେବ କୁନା ମୋ ପାଖକୁ ନ ଆସିବାରୁ ମୋତେ ଯେ କି କଷ୍ଟ ହେଉଛି ସେକଥା କେବଳ ମୁଁ ଅନୁଭବ କରିଛି। ମୁଁ ତ ଚାହୁଁଛି କୁନା ମୋ ପାଖକୁ ପୂର୍ବ ଭଳି ଆସୁ। କିନ୍ତୁ ସେଥିପାଇଁ ଦାନ୍ତ ଓପାଡ଼ିବା କଥା ଉଠିଲା ବେଳକୁ ମୁଁ ପୁଅ ବୋହୂ ଦୁଇଜଣଙ୍କୁ କହି ପାରୁନାହିଁ ଯେ ଏ ଦାନ୍ତ ଦୁଇଟି ସହିତ ଆମ ବାସର ରାତିର ସ୍ମୃତି ଜଡ଼ିତ ହୋଇ ରହିଥିବାରୁ ମୁଁ ଏହାକୁ ଓପାଡ଼ିବାକୁ ଚାହୁଁ ନାହିଁ ବୋଲି ! ତେଣୁ ଏ ପରିସ୍ଥିତିରେ ପୁଅ ବୋହୂଙ୍କ ମନରେ ମୋ ବିଷୟରେ କୋୖଣସି ଭୁଲ୍ ଧାରଣା ସୃଷ୍ଟି ନହେବା ପାଇଁ ନିଜ ମନର କଷ୍ଟକୁ ନିଜ ଭିତରେ ଚାପି ରଖି ମୋର ଇଚ୍ଛା ନଥିଲେ ବି ମୋତେ ଏ ଦାନ୍ତ ଦୁଇଟିକୁ ଓପାଡିବାକୁ ହେବ। ଯେଉଁ ଦାନ୍ତଦୁଇଟିକୁ ଦୁନିଆଁ ମୋର ଖୁଣ ଭାବରେ ଧରିନେଇଥିଲା , ସେ ଦାନ୍ତ ଦୁଇଟିକୁ ତୁମେ ମୋର ଗୁଣ ଭାବରେ ଧରିନେଇ ସେ ଦାନ୍ତ ନଥିଲେ ମୁଁ ତୁମର ପତ୍ନୀ ଗାୟତ୍ରୀ ଭଳି ଦେଖା ଯିବିନି ବୋଲି କହିଲ , ସେହି ଦାନ୍ତ ଦୁଇଟିକୁ ମୁଁ କାଲି ମୋର ଇଚ୍ଛା ବିରୁଦ୍ଧରେ ଓପାଡ଼ିବାକୁ ନିଷ୍ପତ୍ତି ନେଇଛି। ସେଥିପାଇଁ ସ୍ଵର୍ଗରେ ଥାଇ ତୁମେ ମୋତେ କ୍ଷମା କରିଦେବ।
ଏମିତି ଭାବନା ଭିତରେ ଗାୟତ୍ରୀ ଦେବୀ ହଜି ଯାଇଥିବା ବେଳେ ବୋହୂ ସଂଯୁକ୍ତାଙ୍କ ଡାକରେ ସେ ଭାବନା ରାଜ୍ୟରୁ ଫେରି ଆସିଲେ। ସେତେବେଳକୁ ପାଞ୍ଚଟା ବାଜିଲାଣି। ସଂଯୁକ୍ତା କହିଲେ , ବୋଉ ! ଚା ନିଅନ୍ତୁ। ସଂଯୁକ୍ତାଙ୍କ ହାତରୁ ଚା କପଟା ନେଉ ନେଉ ଗାୟତ୍ରୀ ଦେବୀ କହିଲେ , ସଂଯୁକ୍ତା ! ମନୋଜକୁ କହିବୁ , ସେ ତା ଅଫିସକୁ ଫୋନ୍ କରି କାଲି ଛୁଟି ନେଇଯିବ। ମୁଁ କାଲି ସକାଳେ ଦାନ୍ତ ଓପାଡ଼ିବା ପାଇଁ ତା ସହିତ ଡେଣ୍ଟାଲ କ୍ଲିନିକ୍ ଯିବି। ସଂଯୁକ୍ତା ହସି ହସି କହିଲେ , ମୁଁ ଜାଣିଥିଲି ବୋଉ ! କୁନା ପାଇଁ ଆପଣ ନିଶ୍ଚୟ ଦାନ୍ତ ଓପାଡ଼ିବାକୁ ରାଜି ହେବେ। ଏତିକି କହି ସଂଯୁକ୍ତା ସେଠାରୁ ଚାଲିଯିବା ପରେ ଗାୟତ୍ରୀ ଦେବୀଙ୍କ ଦୁଇ ଆଖିରୁ ଦୁଇଟୋପା ଲୁହ ଗଡ଼ି ଆସି ସେ ଓଠରେ ଲଗାଇଥିବା ଚା କପ ଭିତରେ ପଡ଼ି ଯାଇଥିଲା।
ତା ପରଦିନ ମନୋଜ ବାବୁଙ୍କ ସହିତ ଡେଣ୍ଟାଲ କ୍ଲିନିକ୍ ଯାଇ ଦାନ୍ତ ଓପାଡ଼ି ସାରିବା ପରେ ଗାୟତ୍ରୀ ଦେବୀ ଏକ ଭାରାକ୍ରାନ୍ତ ମନ ନେଇ ଘରକୁ ଫେରି ଆସିଥିଲେ। ଦାନ୍ତ ଓପାଡ଼ିବାର ପାଞ୍ଚଦିନ ପରେ ସଂଯୁକ୍ତା ସ୍ବାମୀଙ୍କୁ ଫୋନ୍ କରି କହିଲେ , ଶୁଣ ! ତୁମପାଇଁ ଗୋଟିଏ ଖୁସି ଖବର ଅଛି। କୁନା ଆଉ ବୋଉଙ୍କୁ ଡରୁ ନାହିଁ। ସେ ଆଜି ବୋଉଙ୍କ କାଖରେ ବସି ବାହାରକୁ ବୁଲିବାକୁ ଯାଇଛି।
*************
