STORYMIRROR

Biswanath Nayak

Others

4  

Biswanath Nayak

Others

ଏଇ ମନ ବୃନ୍ଦାବନ ------------------

ଏଇ ମନ ବୃନ୍ଦାବନ ------------------

17 mins
1

ଏଇ ମନ ବୃନ୍ଦାବନ -------------------------- ସବୁବର୍ଷ ଗାଆଁରୁ ବୟସ୍କ ଲୋକମାନେ ଯେତେବେଳେ ତୀର୍ଥ କରିବାକୁ ଯାଆନ୍ତି ହାରା ବୁଢ଼ୀର ମନଟା ଭାରି ଗୋଳେଇ ଘାଣ୍ଟି ହୁଏ। ବୟସ ଆସି ସତୁରୀ ହେଲାଣି। ଆଉ ବା କେତେ ବର୍ଷ ବଞ୍ଚିବ ସିଏ ! ତୀର୍ଥ କରି ଯିବାକୁ ତାର ଭାରି ମନ। ଆଉ କେଉଁଠିକି ନହେଲେ ନାହିଁ ଟିକେ ଯାଇ ବୃନ୍ଦାବନ ମାଟି ମାଡ଼ି ଆସିବାକୁ ବୁଢ଼ୀର ଭାରି ଇଚ୍ଛା। ରଥ ସାହି ଗୋପାଳଜୀଉଙ୍କ ମନ୍ଦିର ବେଢ଼ା ଭିତରେ ସନ୍ଧ୍ୟାବେଳେ ଯେତେବେଳେ ଭାଗବତ ପଢ଼ା ହୁଏ ସବୁଦିନେ ଘରକାମ ସାରି ସେ ଯାଇ ମନ୍ଦିର ବେଢ଼ାରେ ବସି ଭାଗବତ ଶୁଣେ। ଗୋପଲୀଳା ପଢ଼ିଲାବେଳେ ମନ୍ଦିରର ନନା ଯେତେବେଳେ ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା କଥା ପଢ଼ି ବୁଝାନ୍ତି ସେ ସେହି କୃଷ୍ଣଲୀଳା କଥା ଶୁଣି ଭକ୍ତିଭାବରେ ତନ୍ମୟ ହୋଇଯାଏ। ସେ ଭାବେ ବୃନ୍ଦାବନ ଯଦି ତା ଘର ପାଖରୁ ଚଲା ବାଟ ହୋଇଥାନ୍ତା ନା ତାହେଲେ ନିତିଦିନ ସେ ଯାଇ ବୃନ୍ଦାବନର ପବିତ୍ର ମାଟିକୁ ମୁଣ୍ଡରେ ବୋଳି ହୁଅନ୍ତା। ସେହି ବୃନ୍ଦାବନ ମାଟିରେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଖେଳୁଥିଲେ ତାଙ୍କ ପାଦଧୂଳି ତ ସେହି ମାଟିରେ ମିଶି ଯାଇଥିବ ନା ! ସେହି ମାଟିରୁ ଟିକେ ମଥାରେ ଲାଗିଗଲେ ତା ଜୀବନଟା ଧନ୍ୟ ହୋଇ ଯାଆନ୍ତା। ହେଲେ କଣ ହେବ ! ବୃନ୍ଦାବନ ତ ତା ଘର ଠାରୁ ଅନେକ ଦୂର। ସେଠିକି ଯିବାକୁ ହେଲେ ଅନେକ ଟଙ୍କା ଦରକାର। ଗାଆଁରୁ ଯେଉଁମାନେ ବୃନ୍ଦାବନ ଯାଉଛନ୍ତି ସେମାନେ ସବୁ ଥିଲାବାଲା ଘରର ଲୋକ। ସେମାନଙ୍କ ଭିତରୁ କେତେଜଣ ତ ଦୁଇ ତିନି ଥର ଲେଖାଏଁ ବୃନ୍ଦାବନ ଯାଇ ଆସିଲେଣି। ସେମାନଙ୍କ ମୁହଁରୁ ବୃନ୍ଦାବନ ବିଷୟରେ ଶୁଣି ହାଇଁପାଇଁ ହେବା ଛଡ଼ା ତାର ବା ଆଉ ଚାରା କଣ ଅଛି। ବେଳେବେଳେ ବୃନ୍ଦାବନ ଯିବା କଥାଟା ତାକୁ କାହିଁକି ଆକାଶ କଇଁଆ ଓ ଚିଲିକା ମାଛ ଭଳି ଲାଗେ। ଘରର ପରିସ୍ଥିତି ଯାହା ସେଥିରେ ଚାରି ପ୍ରାଣୀ ପରିବାର ଚଳେଇବାକୁ ପୁଅଟା ଯେ କେତେ ପରିଶ୍ରମ କରୁଛି ସେକଥା ସେ ନିଜ ଆଖିରେ ଦେଖୁଛି। ସେଥିରେ ପୁଣି ପୁଅ ଆଗରେ ସେ ବୃନ୍ଦାବନ ଯିବା କଥା କହିବ କେମିତି ! ମନ ଥିଲେ ବି ପୁଅକୁ ତୀର୍ଥ କରିବାକୁ ଯିବା କଥା କହିବାକୁ ତାର ସାହାସ କୁଳାଏ ନାହିଁ। ସେ ମନ କଥା ମନରେ ମାରି ରହେ। ପୁଅ ଆଗରେ ତୀର୍ଥଯାତ୍ରା କଥା କହିବାକୁ ତା ବିବେକ ତାକୁ ବାଧା ଦିଏ। ଯେଉଁ କୋଡ଼ିଏ ଗୁଣ୍ଠ ଚାଷଜମି ଅଛି ସେଥିରୁ ଯାହା ଧାନ ଅମଳ ହୁଏ ସେଥିରେ ବର୍ଷକର ଖାଇବା ଚଳିଯାଏ। ଖାଲି ଭାତ ଗଣ୍ଡାକ ହେଲେ ତ ହବନି ଘରର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଟଙ୍କା ଦରକାର। ସେହି ଖର୍ଚ୍ଚ ଯୋଗାଡ଼ କରିବା ପାଇଁଁ ଘର ପଛପଟେ ତାଙ୍କର ଯେଉଁ ବାରି ଚାରିଗୁଣ୍ଠ ଅଛି ସେଇଥିରେ ବର୍ଷସାରା ପୁଅ ନାନା ପ୍ରକାର ପନିପରିବା ଚାଷ କରେ। ସେହି ପନିପରିବା ବିକ୍ରିରୁ ଯାହା ପଇସା ମିଳେ ସେଇଥିରେ ସେ କଷ୍ଟେମଷ୍ଟେ ଘରର ଅନ୍ୟ ଖର୍ଚ୍ଚ ଚଳାଏ। ସେଥିରେ ପୁଣି ନାତିର ପଢ଼ା ଖର୍ଚ୍ଚ ଅଛି। ନାତିଟା ସପ୍ତମ ଶ୍ରେଣୀରେ ପଢ଼ିଲାଣି। ସ୍କୁଲ୍ ଖର୍ଚ୍ଚ ବାଦେ ତାର ପୁଣି ଟିଉସନ ଖର୍ଚ୍ଚ। ତା ଭିତରେ କୁଣିଆ ମଇତ୍ରଙ୍କ ଖର୍ଚ୍ଚ ଓ ବନ୍ଧୁବେଭାର। ଏସବୁ ବୋଝ ଉପରେ ନଳିତା ବିଡ଼ା ପରି। ନାତୁଣୀଟାର ବାହାଘର ସରି ଯାଇଛି। ତା ପୁଅକୁ ବର୍ଷେ ପୁରିଲାଣି। ଝିଅ ବାହାଘର ବେଳେ ପୁଅ ଯାହା ଦେଣା କରିଥିଲା ସେ ପଇସା ଆଜିଯାଏ ଶୁଝା ସରିନାହିଁ। ମାସକୁ ମାସ ସୁଧ ସହିତ କିଛି ମୂଳ ଟଙ୍କା ଶୁଝା ହେଉଛି। ପୂରା ଋଣ ଶୁଝ ଯିବାକୁ ଆଉ କେତେ ଦିନ ଲାଗିବ କେଜାଣି ! ଏବର୍ଷ ପୁଣି ନାତୁଣୀ ପୁଅର ନୂଆ ପୋରୁହାଁ। ଘରେ ଥାଉ କି ନଥାଉ ଝିଅର ସମ୍ମାନ ଦୃଷ୍ଟିରୁ ବିଧି ଅନୁସାରେ ଯାହା ଦରକାର ତାହା ତ ତା ଘରକୁ ଦେବାକୁ ପଡ଼ିବ। ତା ନହେଲେ କଥା କଥାରେ ଶାଶୁଘର ଲୋକେ ଝିଅକୁ ଖୁଣ୍ଟା ଦେବେ। ପୁଅ ମଧୁ କଥା ଭାବି ଭାରି ମନଦୁଃଖ କରେ ହାରା ବୁଢ଼ୀ। ପରିବାରର ବୋଝ ବୋହି ବୋହି ଥକି ପଡ଼ିଲାଣି ବିଚରା ପିଲାଟା। ସବୁବେଳେ ଏଇ ଘର ଚଳେଇବା ଚିନ୍ତାରେ ବୁଡ଼ି ରହି ବୁଢ଼ା ଭଳି ଦେଖାଗଲାଣି । ରାତିରେ ଶୋଇବାକୁ ଗଲାବେଳେ ଥରେ ଥରେ ସେ ଭାବେ , ଛାଡ଼। ସେ ଆଉ ବୃନ୍ଦାବନ ଯିବା କଥା କେବେ ମନକୁ ଆଣିବ ନାହିଁ। ଯେଉଁଟା ସମ୍ଭବ ନୁହେଁ ସେକଥା ଭାବି ଆଉ ଲାଭ କଣ ! ହୁଏତ ବୃନ୍ଦାବନ ଯିବା ତା ଭାଗ୍ୟରେ ନାହିଁ। ଭାଗ୍ୟକୁ ଦୋଷ ଦେଉ ଦେଉ ଦି ଟୋପା ଲୁହ ଗଡ଼ି ଆସେ ହାରା ବୁଢ଼ୀର ଆଖିରୁ। ଲୁଗାକାନିରେ ଆଖି ଲୁହକୁ ପୋଛି ସେ ଶୋଇଯାଏ। ତା ପରଦିନ ସକାଳୁ ଯେତେବେଳେ ସେ ଆଖି ଖୋଲେ ତା ଅଜାଣତରେ ପୁଣି ସେଇ ବୃନ୍ଦାବନ ଯିବା କଥା ତା ମନ ଭିତରକୁ ପଶିଆସେ। ଯେତେ ଚେଷ୍ଟା କଲେ ବି ସେ ସେକଥାକୁ ମନ ଭିତରୁ କାଢ଼ି ଦେଇ ପାରେନାହିଁ। ସେଦିନ ହାଟପାଳି ଥାଏ। ପୁଅ ରାଧୁ ସାଇକେଲରେ ପରିବା ବୋଝ ଲଦି ହାଟକୁ ଗଲାବେଳେ କହିଗଲା , ବୋଉ ! ବାରିରେ ବାଇଗଣ କଷି ଭର୍ତ୍ତି ହୋଇଛି। ଟିକେ ମାଙ୍କଡ଼କୁ ଲକ୍ଷ୍ୟ ରଖିବୁ। ନହେଲେ ସବୁ ଖାଇ ସଫା କରିଦେବେ। ନିରୋଳାରେ ବସି ମାଙ୍କଡ଼ ଜଗିଥିବା ବେଳେ ବାରିପଟ ରାସ୍ତା ଦେଇ ଜଗା ଗଉଡ଼ ଗାଈପଲ ନେଇ ଗହୀରକୁ ଚରେଇବାକୁ ଗଲା। ଜଗା ଭାରି ରସିକିଆ। ସବୁବେଳେ ତା ହାତରେ ବଇଁଶୀଟିଏ ଥିବ। ବଇଁଶୀ ବଜେଇ ବଜେଇ ଜଗାକୁ ଗାଈପଲ ନେଇ ଯାଉଥିବାର ଦେଖି ଶ୍ରୀକୃଷ୍ଣ ବୃନ୍ଦାବନକୁ ଗାଈ ଚରେଇବାକୁ ଯିବା କଥା ହାରା ବୁଢ଼ୀର ମନେ ପଡ଼ିଗଲା। ତାକୁ ଲାଗିଲା ଜଗା ଗଉଡ଼ ନୁହେଁ ସତେ ଯେମିତି ଭଗବାନ ଶ୍ରୀକୃଷ୍ଣ ବଇଁଶୀ ବଜେଇ ବଜେଇ ଗାଈପଲ ପଛେ ପଛେ ବୃନ୍ଦାବନକୁ ଯାଉଛନ୍ତି ! ସେହି ଭାବନା ଭିତରେ ସେ କିଛି ସମୟ ପାଇଁ ହଜିଗଲା। ବୃନ୍ଦାବନ ଯିବା ଆଶାଟା ପୁଣି ତା ମନ ଭିତରେ ଚେଇଁ ଉଠିଲା। ବାରି ଭିତରେ ଥିବା ଆମ୍ବଗଛରେ ମାଙ୍କଡ଼ ମାନଙ୍କ ଡେଇଁବା ଶବ୍ଦରେ ସେ ଯେତେବେଳେ ତା ଭାବନା ରାଜ୍ୟରୁ ଫେରି ଆସିଲା ପୁଣି ପରିବାରର ଆର୍ଥିକ ଅସୁବିଧା କଥା ତାର ମନେ ପଡ଼ିଗଲା ଓ ସେ ବୃନ୍ଦାବନ ଯିବା ଭାବନାକୁ ନିଜ ମନ ଭିତରୁ ଦୂରେଇ ଦେବାକୁ ଚେଷ୍ଟା କଲା। ଏତିକିବେଳେ ତା ଦେଢ଼ଶୁରର ବୋହୂ ସୁମି ଆସି କହିଲା , ସାନବୋଉ ! ପୁଅଟା ମୋର ବାଇଗଣ ଭଜା ଖାଇବ ବୋଲି କାନ୍ଦୁଛି। ତୁମେ ତ ଜାଣିଛ , ଆମେ ସମସ୍ତେ ଆଠଦିନ ହେବ ବୃନ୍ଦାବନ ଯାଇଥିଲୁ। କାଲି ରାତିରେ ବୃନ୍ଦାବନରୁ ଆସି ପହଞ୍ଚିଲୁ। ସେଥିପାଇଁ ଘରେ କିଛି ପରିବାପତ୍ର ନାହିଁ। ପରିବାପତ୍ର ଆଣିବାକୁ ଆଜି ତା ବାପା ହାଟକୁ ଯାଇଛନ୍ତି। ତୁମ ବାଇଗଣ କିଆରୀରୁ ମୋତେ ଦିଟା ବାଇଗଣ ଦିଅ। ବାଇଗଣ କିଆରୀରୁ ବାଇଗଣ ତୋଳୁ ତୋଳୁ ହାରା ବୁଢ଼ୀ କହିଲା , ଭଗବାନ ତୁମକୁ ତ ଭଲରେ ରଖିଛନ୍ତି ରେ ମାଆ ! ସେଥିପାଇଁ ଯେତେବେଳେ ଇଚ୍ଛା ହେଲା ସାରା ପରିବାର ତୀର୍ଥ ଗାଡ଼ିରେ ଯାଇ ବୃନ୍ଦାବନ ବୁଲି ଆସିଲ। ହେଲେ ଆମର ସେ ଭାଗ୍ୟ କାହିଁ ! ବାଇଗଣ ଦିଟା ସୁମି ହାତକୁ ବଢ଼େଇ ଦେଉ ଦେଉ ଦୀର୍ଘଶ୍ୱାସ ପକେଇଲା ହାରା ବୁଢ଼ୀ। ସୁମି କହିଲା , ତୁମେ ବୃନ୍ଦାବନ ଯାଇଥାନ୍ତ କି ସାନବୋଉ ? ଗାଆଁରୁ ଏତେଲୋକ ଗଲେ। ତୁମେ ଚାହିଁଥିଲେ ତ ଆମ ସମସ୍ତଙ୍କ ସାଥିରେ ବୃନ୍ଦାବନ ଯାଇ ପାରିଥାନ୍ତ ! ହାରା ବୁଢ଼ୀ କହିଲା , ମୋ ଚାହିଁବା ନ ଚାହିଁବା ରେ କଣ ଅଛି ସୁମି ! ତୁ କଣ ଆମ ଘରର ପରିସ୍ଥିତି କଥା ଜାଣିନୁ ! ପୁଅଟା ମୋର ଘର ଚଳେଇବାକୁ ଟାଣି ଓଟାରି ହେଉଥିବା ବେଳେ ଇଚ୍ଛା ଥିଲେବି ମୁଁ କେମିତି ବୃନ୍ଦାବନ ଯିବା କଥା ପୁଅ ଆଗରେ ମୁହଁ ଖୋଲି କହି ପାରିଥାନ୍ତି କହିଲୁ ! ଆଚ୍ଛା ସୁମି ! ତୁ ବୃନ୍ଦାବନରୁ କିଛି ଠାକୁରଙ୍କ ଫଟୋ ଆଣିଛୁ କି ? ମୁଁ ତ କେବେ ବୃନ୍ଦାବନ ଯାଇ ପାରିବି କି ନାହିଁ ସେକଥା ଜାଣିନାହିଁ। ଯଦି ତୁ ସେଠାରୁ କିଛି ଫଟୋ ଆସିଥିବୁ ସେ ଫଟୋ ଦେଖିଦେଲେ ମୋ ମନଟା ଅନ୍ତତଃ ଟିକେ ବୁଝି ଯାଆନ୍ତା ! ସୁମି ହାତରେ ଧରିଥିବା ମୋବାଇଲ୍ ଦେଖାଇ କହିଲା , ସାନବୋଉ ! ମୋର ଏଇ ଫୋନରେ ବୃନ୍ଦାବନର ପ୍ରସିଦ୍ଧ ଠାକୁର ବାଙ୍କେବିହାରୀଙ୍କ ଫଟୋ ଅଛି। ତୁମେ ଦେଖିବ ? ଅତି ଆଗ୍ରହର ସହିତ ହାରା ବୁଢ଼ୀ କହିଲା , କାହିଁ ! ମୋତେ ଟିକେ ସେ ଫଟୋ ଦେଖେଇଲୁ। ସୁମି ନିଜ ମୋବାଇଲ୍ ଖୋଲି ଯେତେବେଳେ ହାରା ବୁଢ଼ୀର ଆଖି ଆଗରେ ଧରିଲା ବାଙ୍କେବିହାରୀଙ୍କ ଦିବ୍ୟ ରୂପ ଦେଖି ବୁଢ଼ୀ ଭାବବିହ୍ୱଳ ହୋଇଗଲା। ପ୍ରଭୁଙ୍କର ଅପୂର୍ବ ରୂପ ଲାବଣ୍ୟ ଦର୍ଶନର ଅମୃତ ପାନ କରି ସେ ସେ ସେହି ରୂପ ଦର୍ଶନରେ ଏପରି ତଲ୍ଲୀନ ହୋଇଗଲା ଯେ ସେ ନିଜେ ତା ବାଇଗଣ ବାରିରେ ଅଛି କି ବୃନ୍ଦାବନରେ ଅଛି କିଛି ଜାଣି ପାରିଲା ନାହିଁ। ଭକ୍ତି ଭାବରେ ବିହ୍ଵଳିତ ହୋଇ ତା ଆଖିରୁ ଆନନ୍ଦାଶ୍ରୁ ଝରି ପଡ଼ିଲା। ସେ ସୁମି ହାତରୁ ମୋବାଇଲ୍ ନେଇ ପ୍ରଭୁ ବାଙ୍କେବିହାରୀଙ୍କର ଫଟୋକୁ ନିଜ ଛାତିରେ ଚାପି ଧରିଲା। ହାରା ବୁଢ଼ୀକୁ କାନ୍ଦୁଥିବାର ଦେଖି ସୁମି ତାଙ୍କୁ ହଲେଇ ଦେଇ କହିଲା , କଣ ହେଲା ସାନବୋଉ ! ତୁମେ କାନ୍ଦୁଛ କାହିଁକି ? ସୁମି କଥାରେ ହାରା ବୁଢ଼ୀ ପ୍ରକୃତିସ୍ଥ ହୋଇ କହିଲା , କିଛି ନାହିଁ। ଇଏ ତ ଖୁସିର ଲୁହ। ତୁ ମୋର ଆଜି କେତେ ଉପକାର କରିଛୁ ସେକଥା ମୁଁ ମୁହଁରେ କହି ପାରିବି ନାହିଁ ସୁମି ! ବାଙ୍କେବିହାରୀଙ୍କ ଫଟୋ ଦେଖାଇ ତୁ ଆଜି ମୋ ଜୀବନକୁ ଧନ୍ୟ କରିଦେଲୁ। ଏତିକି କହି ସେ ସୁମି ହାତକୁ ତା ମୋବାଇଲଟା ବଢ଼େଇ ଦେଲା। ସୁମି କହିଲା , ହଉ ! ସାନବୋଉ ! ମୋ ପୁଅ ବାଇଗଣ ଭଜା ଖାଇବାକୁ ତେଣେ ଅପେକ୍ଷା କରିଥିବ। ମୁଁ ଆସୁଛି। ସୁମି ତରବର ହୋଇ ଚାଲିଗଲା ପରେ ହାରା ବୁଢ଼ୀର ମନ ଆଉ କେଉଁଠି ଲାଗୁ ନଥିଲା। ତା ଆଖି ଆଗରେ କେବଳ ବାଙ୍କେବିହାରୀଙ୍କ ଦିବ୍ୟ ସୁନ୍ଦର ରୂପ ନାଚି ଉଠୁଥିଲା। ସେ ବାଙ୍କେବିହାରୀଙ୍କ ଭାବନାରେ ନିଜକୁ ହଜେଇ ଦେଇଥିଲା। ବାଙ୍କେବିହାରୀଙ୍କର ସୁନ୍ଦର ରୂପ ତା ମନ ପରଦାରେ ଆଙ୍କି ହୋଇ ଯାଇଥିଲା। ଲକ୍ଷ୍ମୀର ଡାକରେ ଯେତେବେଳେ ସେ ଭାବନା ରାଜ୍ୟରୁ ଫେରି ଆସିଲା ସେ ଜାଣିଲା ଯେ ତାକୁ ଖାଇବାକୁ ଡାକିବା ପାଇଁ ତା ବୋହୂ ଲକ୍ଷ୍ମୀ କେତେବେଳୁ ଆସି ତା ପଛରେ ଠିଆ ହୋଇଛି। ସେଦିନର ରାତି କଥା। ଖାଇପିଇ ସାରି ହାରା ବୁଢ଼ୀ ଶୋଇବାକୁ ଗଲା। ନାତି ରମୁ ମଧ୍ୟ ତା ଜେଜେମା ପାଖରେ ଶୋଇବାକୁ ଗଲା। ଖାଇସାରି ଶୋଇବାକୁ ଯିବା ପୂର୍ବରୁ ମଧୁ ତା ପତ୍ନୀ ଲକ୍ଷ୍ମୀକୁ କହିଲା , ବୁଝିଲ ! ପରିବାପତ୍ର ବିକ୍ରିରୁ ଯେତିକି ପଇସା ଆସୁଛି ସେସବୁ ତ ଘରଖର୍ଚ୍ଚରେ ସରି ଯାଉଛି। ଏ ମାସରେ ନିଧିଆ ଅଜାଙ୍କୁ ସୁଧ ଓ ମୂଳ ପଇସା କିପରି ଯୋଗାଡ଼ କରି ଦେବି କିଛି ବୁଝି ପାରୁନାହିଁ। ଲକ୍ଷ୍ମୀ କହିଲା , ହଉ ! ବ୍ୟସ୍ତ ହୁଅନି ! ଆଉ ତ ଦୁଇ ପାଳି ହାଟ ଅଛି। ବାଇଗଣ କିଆରୀରେ ଭଲ ଫଳ ବି ହୋଇଛି। ଏ ଦୁଇପାଳିରେ ବାଇଗଣ ବିକ୍ରିରୁ ଯାହା ଟଙ୍କା ମିଳିବ ସେତକ ଟଙ୍କା ନିଧିଆ ଅଜାଙ୍କୁ ସୁଧ ବାବଦକୁ ଦେଇଦେବ। ଆଉ ପ୍ରତି ମାସରେ ମୂଳ ବାବଦକୁ ଯେତିକି ପଇସା ଦିଅ ତାକୁ ଦେବାପାଇଁ ତାଙ୍କ ଠାରୁ ଆଉ କିଛି ଦିନ ମହଲତ ନେଇଯିବ। ନିଧିଆ ଅଜା ଭାରି ଭଲ ଲୋକ। ସେ ତୁମ କଥା ରଖିବେ। ମଧୁ କହିଲା , ହଁ। ସେୟା କରିବି। ସତରେ ଲକ୍ଷ୍ମୀ ! ଏ ଋଣଟଙ୍କା ଶୁଝିଦେଲା ପରେ ନା ମୋ ମୁଣ୍ଡରୁ ଗୋଟିଏ ବଡ଼ ଚିନ୍ତା ଯିବ। ଲକ୍ଷ୍ମୀ କହିଲା , ହଁ ସେକଥା ତ ଠିକ୍ ହେଲେ ଆଜି ମୁଁ ତୁମକୁ ଯେଉଁ କଥା କହିବି ବୋଲି ଭାବିଥିଲି ଏ ମାସର ଋଣ ଟଙ୍କା ଦେବାପାଇଁ ତୁମେ ଯେଉଁ ଚିନ୍ତା ଭିତରେ ଅଛ ତାକୁ ଦେଖି ଆଉ ତୁମ ଆଗରେ ଏବେ ସେକଥା କହିବାକୁ ମୋର ମନ ହେଉନାହିଁ। ହଉ ! ରାତି ବହୁତ ହେଲାଣି। ଏବେ ଶୋଇବ ଚାଲ। ମୁଁ ପରେ କେତେବେଳେ ସେକଥା ତୁମ ଆଗରେ କହିବି। ମଧୁ କହିଲା , ଆରେ। ଏ ଋଣ ପରିଶୋଧ କରିବାଟା ତ ଆମର ପ୍ରତିମାସର ସମସ୍ୟା। ଏ ଋଣଟଙ୍କା ସମ୍ପୂର୍ଣ୍ଣ ଭାବରେ ଶୁଝା ନ ସରିବା ପର୍ଯ୍ୟନ୍ତ ଆମେ ଏ ଚିନ୍ତାରୁ ମୁକୁଳି ପାରିବା ନାହିଁ। ଆମଭଳି ଅଭାବୀ ପରିବାରରେ ଏଭଳି ସମସ୍ୟା ତ ଲାଗି ରହିବ। ପ୍ରତି ମାସରେ ଅଭାବ ସହିତ ଯୁଝି ଯୁଝି ଏସବୁ ମୋର ଦେହସୁହା ହୋଇଗଲାଣି। କିନ୍ତୁ ତା ସତ୍ତ୍ଵେ ଏ ସମସ୍ୟାର ବୋଝକୁ ମୁଣ୍ଡରେ ମୁଣ୍ଡେଇ ଆମକୁ ଆଗକୁ ଚାଲିବାକୁ ହେବ। ସମସ୍ୟା ଭିତରେ ବଞ୍ଚିବା ଶିଖିବା ତ ଜୀବନ ଆଉ ସମସ୍ୟା ଭିତରେ ବଞ୍ଚିବା ଶିଖିଗଲେ ହିଁ ମଣିଷ ତା ଜୀବନରେ ଆଗକୁ ବଢ଼ି ପାରିବ। ତୁମେ ଯଦି ଭାବୁଥାଅ ମୁଁ ସମସ୍ୟାରୁ ମୁକ୍ତ ହେଲାପରେ ତୁମ ମୋତେ ଯାହା କହିବାକୁ ଚାହୁଁଛ ତାହା କହିବ ତାହେଲେ ସେ ସମୟ ଆମ ଜୀବନରେ କେବେ ବି ଆସିବ ନାହିଁ। ତେଣୁ ତୁମେ ମୋତେ ଯାହା କହିବାକୁ ଚାହୁଁଥିଲ ସେକଥା ଏବେ କହିବାରେ କିଛି ଅସୁବିଧା ନାହିଁ। ଲକ୍ଷ୍ମୀ କହିଲା , ଆଜି ବୋଉ ବାଇଗଣ କିଆରୀ ପାଖରେ ମାଙ୍କଡ଼ ଜଗିଥିବା ବେଳେ ମୁଁ ତାଙ୍କୁ ଖାଇବାକୁ ଡାକିବା ପାଇଁ ଯାଇଥିଲି। ସେତିକିବେଳେ ବୃନ୍ଦାବନ ଯିବାକୁ ବୋଉଙ୍କର ଭାରି ଇଚ୍ଛା ଅଛି ବୋଲି ସେ ସୁମି ଅପାଙ୍କ ଆଗରେ କହୁଥିଲେ । ମଧୁ କହିଲା , କାଇଁ , ବୋଉ ତ ଏ ବିଷୟରେ ମୋତେ କେବେ କିଛି କହିନାହିଁ ! ଲକ୍ଷ୍ମୀ କହିଲା , ସେ ତୁମ ଆଗରେ ସେକଥା କହି ନାହାଁନ୍ତି କି କେବେ କହିବେ ବି ନାହିଁ। ଏକଥା ଶୁଣି ମଧୁ ଯେତେବେଳେ ସ୍ତ୍ରୀ ମୁହଁକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା ଲକ୍ଷ୍ମୀ କହିଲା , ଆରେ ! ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଆମ ଘରର ଆର୍ଥିକ ଅସୁବିଧା ଯୋଗୁ ବୋଉଙ୍କର ବୃନ୍ଦାବନ ଯିବାକୁ ଇଚ୍ଛା ଥିଲେ ବି ସେ ଏକଥା ତୁମ ଆଗରେ ମୁହଁ ଖୋଲି କହି ପାରୁ ନାହାଁନ୍ତି। ମଧୁ ଦୁଃଖରେ କହିଲା , ମୁଁ ସତରେ କେଡ଼େ ହତଭାଗ୍ୟ ଲକ୍ଷ୍ମୀ। ଯେଉଁ ମାଆ ତା ଜୀବନରେ ଅନେକ ଝଡଝଞ୍ଜା ସହି ମୋତେ ମଣିଷ କରିଛି ଆଜି ତାର ଗୋଟିଏ ଇଚ୍ଛା ପୂରଣ କରିବାକୁ ବି ମୋ ପାଖରେ ସମ୍ବଳ ନାହିଁ। ବୋଉ ମୋତେ କହୁ କି ନକହୁ ତୁମ ମୁହଁରୁ ଏକଥା ଶୁଣିଲା ପରେ ମୋର ତ ଇଚ୍ଛା ହେଉଛି କାଲି ତାକୁ ନେଇ ବୃନ୍ଦାବନ ବୁଲେଇ ଆଣିବାକୁ। କିନ୍ତୁ କଣ କରିବି ! ଝିଅ ବାହାଘର ପରେ ମୁଁ ତ ଏମିତି ଆର୍ଥିକ ଅସୁବିଧା ଭିତରେ ଅଛି ଯେ ବୋଉର ମନକଥା ଜାଣିଲେ ବି ଏବେ ମୁଁ ତା ପାଇଁ କିଛି କରି ପାରିବି ନାହିଁ। ଲକ୍ଷ୍ମୀ କହିଲା , ତୁମେ ଏତେ ଭାଙ୍ଗି ପଡ଼ୁଛ କାହିଁକି ! ବୋଉ ନ କହିଲେ ବି କଥାଟା ଯେତେବେଳେ ଆମ କାନରେ ପଡ଼ିଲାଣି ଆମେ ଯେମିତି ହେଲେ ବୋଉଙ୍କର ବୃନ୍ଦାବନ ଯିବା ବ୍ୟବସ୍ଥା କରିବା। ପ୍ରତିବର୍ଷ ତ ପ୍ରାୟ ଥରେ ଦୁଇଥର ଆମର ଏଠାରୁ ତୀର୍ଥଯାତ୍ରୀ ବସ୍ ବୃନ୍ଦାବନ ଯାଉଛି। ୟା ପରେ ଯେତେବେଳେ ଏଠାରୁ ତୀର୍ଥଯାତ୍ରୀ ବସ୍ ଯିବ ଆମେ ସେଥିରେ ବୋଉଙ୍କୁ ବୃନ୍ଦାବନ ବୁଲିବା ପାଇଁ ପଠେଇବା। ଜଣେ ଲୋକ ଗଲେ ଏମିତି କେତେ ଟଙ୍କା ଖର୍ଚ୍ଚ ହେବ ଯେ ସେହି ଖର୍ଚ୍ଚକୁ ଭୟ କରି ଆମେ ବୋଉଙ୍କର ମନଟାକୁ ଭାଙ୍ଗି ଦେବା ! ମଧୁ କହିଲା , ତୁମେ ଠିକ୍ କହୁଛ ଯେ ହେଲେ ବୋଉର ବୟସ ଯାହା ତାକୁ ତ ଆମେ ଏକା ତୀର୍ଥଯାତ୍ରୀ ବସରେ ବୃନ୍ଦାବନ ପଠେଇ ପାରିବା ନାହିଁ। ମୋତେ ତା ସାଥିରେ ଯିବାକୁ ପଡ଼ିବ। ତେଣୁ ଜଣକ ପାଇଁ ନୁହେଁ ଦୁଇଜଣଙ୍କ ପାଇଁ ତୀର୍ଥଯାତ୍ରା ଖର୍ଚ୍ଚ ଯୋଗାଡ଼ କରିବାକୁ ପଡ଼ିବ। ମୁଁ କିନ୍ତୁ ବର୍ତ୍ତମାନ ଏଭଳି ଆର୍ଥିକ ଅସୁବିଧା ଭିତରେ ଅଛି ଯେ ଦୁଇଜଣଙ୍କ ପାଇଁ ତୀର୍ଥଯାତ୍ରା ଖର୍ଚ୍ଚ ଯୋଗାଡ଼ କରିବା ମୋ ପକ୍ଷେ ଆଦୋୖ ସମ୍ଭବ ନୁହେଁ। ତାପରେ ତୁମେ ତ ଜାଣିଛ ଆଗକୁ ନାତିର ନୂଆ ପୋରୁହାଁ ଆସୁଛି। ଲୁଗାପଟା ଇତ୍ୟାଦି ଖର୍ଚ୍ଚ ଛାଡ଼ , ଯେମିତି ହେଲେ ନାତିକୁ ତା ନୂଆ ପୋରୁହାଁକୁ ସୁନା ଚେନଟିଏ ତ ଦେବାକୁ ପଡ଼ିବ। ଆଜିକାଲି ବଜାରରେ ସୁନା ଜିନିଷର ଦର ଯାହା ସେକଥା କଣ ତୁମକୁ ଅଛପା ଅଛି ! ତେଣୁ ଏସବୁ କଥା ଭାବିଲା ବେଳକୁ ମୁଁ ଏବେ ବୋଉର ବୃନ୍ଦାବନ ଯିବା ବିଷୟରେ ଚିନ୍ତା କରିବାକୁ ବି ସାହସ କରି ପାରୁନାହିଁ। ଲକ୍ଷ୍ମୀ କହିଲା , ତୁମେ ଠିକ୍ କହୁଛ ଯେ ହେଲେ ଆମ ଅଭାବୀ ପରିବାରରେ ଏମିତି ତ ଗୋଟିଏ ସମସ୍ୟା ପରେ ଆଉ ଗୋଟିଏ ସମସ୍ୟା ଆସିବ। ତାକୁ ଆଖି ଆଗରେ ରଖିଲେ ଆମେ ବୋଉଙ୍କୁ କେବେ ବୃନ୍ଦାବନ ବୁଲିବାକୁ ପଠେଇ ପାରିବା ନାହିଁ। ବୋଉଙ୍କର ଶରୀର ଦିନକୁ ଦିନ ଦୁର୍ବଳ ହେଉଛି। ଆମେ ଏସବୁ ସମସ୍ୟା ଭିତରୁ ବାହାରି ବୋଉଙ୍କୁ ବୃନ୍ଦାବନ ବୁଲିବାକୁ ପଠେଇବା ପାଇଁ ସ୍ଥିର କଲାବେଳକୁ ବୋଉ ଯଦି ଆଉ ବୁଲିବାକୁ ଯିବା ଅବସ୍ଥାରେ ନଥିବେ ତାହେଲେ ସବୁଦିନ ପାଇଁ ତାଙ୍କର ବୃନ୍ଦାବନ ଦେଖିବା ଆଶା ଆଶାରେ ହିଁ ରହିଯିବ। ତେଣୁ ଏଇ ସବୁ ସମସ୍ୟା ଭିତରେ ହିଁ ଆମକୁ ଟଙ୍କା ଯୋଗାଡ଼ କରି ବୋଉଙ୍କୁ ବୃନ୍ଦାବନ ବୁଲେଇବାକୁ ନେଇଯିବାକୁ ହେବ। ମଧୁ କହିଲା , ତୁମେ ଠିକ୍ କଥା କହୁଛ ଯେ ହେଲେ ନିକଟ ଭବିଷ୍ୟତରେ ମୁଁ ଏତେ ଟଙ୍କା କେଉଁଠୁ ଯୋଗାଡ କରିବି ସେକଥା ମୁଁ କିଛି ଜାଣି ପାରୁନାହିଁ। ଲକ୍ଷ୍ମୀ କହିଲା , ଦେଖ ! ସେଥିପାଇଁ ତୁମେ ଆଦୋୖ ଚିନ୍ତା କର ନାହିଁ। ବୋଉଙ୍କୁ ବୃନ୍ଦାବନ ବୁଲିବା ପାଇଁ ଯିବାକୁ ଯେତିକି ଟଙ୍କା ଦରକାର ହେବ ସେ ଟଙ୍କା କେମିତି ଯୋଗାଡ଼ ହେବ ସେକଥା ମୁଁ ସ୍ଥିର କରି ସାରିଛି। ପତ୍ନୀଙ୍କ ମୁହଁରୁ ଏକଥା ଶୁଣି ମଧୁ ଆଶ୍ଚର୍ଯ୍ୟର ହୋଇ ପଚାରିଲା , ଏତେ ଟଙ୍କା ତୁମେ କିପରି ଯୋଗାଡ଼ କରିବ ! ଲକ୍ଷ୍ମୀ କହିଲା , ମୁଁ ବାହା ହୋଇ ଆସିଲା ବେଳେ ଆମ ଘରୁ ଯେଉଁ ସୁନା ଚୁଡ଼ି ଚାରିପଟ ଆଣିଥିଲି ତାକୁ ବିକ୍ରି କରିଦେଲେ ବୋଉଙ୍କର ତୀର୍ଥଯାତ୍ରା ପାଇଁ ଟଙ୍କା ଯୋଗାଡ଼ ହୋଇଯିବ। ଯଦୁ କହିଲା , ଏ ତୁମେ କଣ କହୁଛ ଲକ୍ଷ୍ମୀ ! ତୁମ ସୁନା ଚୁଡ଼ି ବିକ୍ରି କରି ମୁଁ ବୋଉକୁ ତୀର୍ଥଯାତ୍ରା କରିବାକୁ ପଠେଇବି ! ନା ! ନା ! ଏଭଳି କାମ ମୁଁ କେବେ କରି ପାରିବି ନାହିଁ। ବରଂ ବୋଉର ତୀର୍ଥଯାତ୍ରା ପାଇଁ ଆମର ଦୁଇଖଣ୍ଡ ଜମିରୁ ଖଣ୍ଡେ ବନ୍ଧକ ରଖି ମୁଁ ନିଧିଆ ଅଜାଙ୍କ ଠାରୁ ଆଉ କିଛି ଟଙ୍କା କରଜ ନେଇ ଆସିବି। ଲକ୍ଷ୍ମୀ କହିଲା , ଏ ତୁମେ କି କଥା କହୁଛ ! ଏକେତ ଝିଅ ବାହାଘରକୁ ଯେତିକି ଋଣ ଆଣିଛ ସେ ଟଙ୍କା ଏ ପର୍ଯ୍ୟନ୍ତ ଶୁଝା ସରିନାହିଁ। ତା ଉପରେ ପୁଣି କରଜ। ନା ! ବାବା ନା ! ତୁମେ ମୋତେ ଅନ୍ୟ ଯାହା କୁହ ପଛେ ଆଉ କରଜ କରିବା କଥା ତୁଣ୍ଡରେ ଧର ନାହିଁ। ତାପରେ ସେ ଜମି ଦୁଇଖଣ୍ଡ ହେଉଛି ଆମର ଭାତହାଣ୍ଡି। ତାକୁ ବନ୍ଧା ଦେବା କଥା କୁହ ନାହିଁ। ଆମେ ତ ଆମ ଜୀବନରେ ଜମି ଗୁଣ୍ଠେ କିଣି ପାରିଲେ ନାହିଁ। ବାପା ଜେଜେବାପା ଅମଳରୁ ଥିବା ଜମିକୁ ବନ୍ଧା ଦେବା କଥା ତୁମେ କହି ପାରୁଛ କେମିତି ! ମଧୁ କହିଲା , ଦେଖ ! ମୁଁ ତ ଜମି ବିକ୍ରି କରିବା କଥା କହୁନାହିଁ। ଜମି ବନ୍ଧା ରଖି ଟଙ୍କା ଆଣିବା କଥା କହୁଛି। ଆମ ପାଖରେ ପଇସା ହେଲେ କରଜ ଶୁଝି ଆମେ ପୁଣି ଆମ ଜମିକୁ ମୁକୁଳେଇ ଆଣିବା। ଏଥିରେ ଅସୁବିଧା କେଉଁଠି ରହିଲା ! ଲକ୍ଷ୍ମୀ କହିଲା , ତୁମରି ଭାଷାରେ ମୁଁ ତୁମକୁ ବୁଝେଇ ଦେଉଛି। ତୁମେ ଟଙ୍କା ହେଲେ ଯେମିତି କରଜ ଶୁଝି ଦେଇ ଜମି ମୁକୁଳେଇ ଆଣିବା କଥା କହୁଛ ଠିକ୍ ସେମିତି ମୁଁ ଏବେ ତୁମକୁ ଯେଉଁ ଚୁଡ଼ି ବିକ୍ରି କରିବା କରିବା କଥା କହୁଛି ତୁମ ପାଖରେ ଟଙ୍କା ହେଲେ ତୁମେ ପୁଣି ମୋ ପାଇଁ ଚାରିପଟ ନୂଆ ଚୁଡ଼ି କିଣିଦେବ। ଆଉ ସବୁଠାରୁ ବଡ଼ କଥା ହେଲା ତୁମେ ଜମି ବନ୍ଧା ଦେଲେ ସେକଥା ଦିନେ ନା ଦିନେ ବୋଉ ଜାଣିବେ। ଆଉ ପୂର୍ବ ପୁରୁଷଙ୍କ ଜମିକୁ ତୁମେ ବନ୍ଧା ଦେଇ କରଜ ଆଣିବା କଥା ଜାଣିଲେ ତାଙ୍କ ମନକୁ ବହୁତ ଆଘାତ ଲାଗିବ। ସେ ତୀର୍ଥଯାତ୍ରା କରି ଫେରିବା ପରେ ଜମି ବନ୍ଧକ ଟଙ୍କାରେ ତୀର୍ଥଯାତ୍ରା କରିବାକୁ ଯାଇଥିଲେ ବୋଲି ଜାଣିଲେ ତୀର୍ଥଯାତ୍ରା କରିଥିବା ହେତୁ ଖୁସି ହେବା ପରିବର୍ତ୍ତେ ସେ ସାରା ଜୀବନ ଅନୁତାପ କରିବେ। କିନ୍ତୁ ଆମେ ସୁନା ଚୁଡ଼ି ବିକ୍ରି କରି ସେହି ଟଙ୍କାରେ ବୋଉଙ୍କୁ ବୃନ୍ଦାବନ ବୁଲିବାକୁ ପଠେଇଲେ ସେକଥା ଆମ ଦୁଇଜଣଙ୍କ ଭିତରେ ଗୋପନ ରହିବ। ସେକଥା ବୋଉ ଜାଣି ପାରିବେ ନାହିଁ। ତାପରେ ନିଧିଆ ଅଜାଙ୍କ ଋଣ ଟଙ୍କା ଶୁଝିଦେଲା ପରେ ତୁମେ ମୋ ପାଇଁ ଚାରିପଟ ସୁନା ଚୁଡ଼ି କିଣିଦେବ। ମଧୁ କିଛି ସମୟ ଚିନ୍ତା କରିବା ପରେ ତା ସ୍ତ୍ରୀ ର କଥା ତା ମନକୁ ପାଇଲା। ସେ ଲକ୍ଷ୍ମୀ କଥାରେ ରାଜି ହେଲା। ସେତିକିବେଳେ ଆର ପାଖ ଘରେ ଶୋଇବା ପାଇଁ ଶେଯ ପକାଉ ପକାଉ ହାରା ବୁଢ଼ୀ ନାତି ରମୁକୁ କହିଲା , ଆରେ ରମୁ ! ତୁ ତ ସବୁଦିନେ ପାହାନ୍ତା ପହରୁ ଉଠି ପଢ଼ାପଢ଼ି କରୁ। ଆଜି କାହିଁକି ତୋ ପଢ଼ା ବହି ଆଣି ନାହୁଁ ! ରମୁ କହିଲା , ମୁଁ ବହି ଆଣିବାକୁ ଭୁଲି ଯାଇଛି ଜେଜେମା ! ତୁମେ ଶେଯ ପକାଉ ଥାଅ। ମୁଁ ଏବେ ସାଙ୍ଗେ ସାଙ୍ଗେ ଯାଇ ମୋ ପଢ଼ା ବହି ନେଇ ଆସୁଛି। ତା ଜେଜେମାକୁ ଏକଥା କହି ରମୁ ଯେତେବେଳେ ବହି ଆଣିବା ପାଇଁ ଗଲା ତା ବାପା ଓ ମାଆଙ୍କ କଥାବାର୍ତ୍ତା ତା କାନରେ ପଡ଼ିଲା। ମଧୁ ଲକ୍ଷ୍ମୀକୁ କହୁଥିଲେ , ଠିକ୍ ଅଛି ! ତୁମ କଥାରେ ମୁଁ ଏକମତ। ଏଥର ଏଠାରୁ ଯେତେବେଳେ ତୀର୍ଥଯାତ୍ରା ବସ୍ ବୃନ୍ଦାବନ ଯିବ ସେହି ବସରେ ମୁଁ ବୋଉକୁ ନେଇ ବୃନ୍ଦାବନ ବୁଲେଇ ଆଣିବି। ଆଉ ବୋଉକୁ ତୀର୍ଥଯାତ୍ରା ଗାଡ଼ିରେ ନେଇ ଯିବାପାଇଁ ଯାହା ଟଙ୍କା ଲାଗିବ ତୁମ ସୁନା ଚୁଡ଼ିକୁ ବିକ୍ରି କରି ଆମେ ସେ ଟଙ୍କା ଯୋଗାଡ଼ କରିବା। ତା ଜେଜେମା ତୀର୍ଥଯାତ୍ରା କରିବାକୁ ଯିବେ ବୋଲି ଶୁଣି ରମୁ ଭାରି ଖୁସି ହୋଇଗଲା। ଆଗରୁ ତାଙ୍କ ଗାଆଁର ବୟସ୍କ ଲୋକମାନେ ଯେତେବେଳେ ତୀର୍ଥଯାତ୍ରା କରିବାକୁ ଯାଆନ୍ତି ରମୁ ଭାବେ , ଆମ ଗାଆଁରୁ ମୋ ସାଙ୍ଗ ପିଲାମାନଙ୍କ ଜେଜେବାପା ଓ ଜେଜେମା ତ ତୀର୍ଥଯାତ୍ରା କରିବାକୁ ଯାଉଛନ୍ତି। କିନ୍ତୁ ମୋ ଜେଜେମା କାହିଁକି ଯାଉ ନାହାଁନ୍ତି ! ସେ ସେକଥା ତା ଜେଜେମାଙ୍କୁ ପଚାରିବ ବୋଲି ଅନେକ ଥର ଭାବିଛି। କିନ୍ତୁ କେବେ ପଚାରି ପାରିନାହିଁ। ଏବେ ତା ବାପା ଓ ମାଆଙ୍କ କଥାବାର୍ତ୍ତା ଶୁଣିଲା ପରେ ସେ ଭାବିଲା , ଯାହାହେଉ ,ଏତେଦିନ ପରେ ମୋ ଜେଜେମା ତୀର୍ଥଯାତ୍ରା କରିବାକୁ ଯିବେ। ସେ ପଢ଼ା ବହି ହାତରେ ଧରି ଏକଥା ଜଣେଇବାକୁ ଖୁସିରେ ତା ଜେଜେମାଙ୍କ ପାଖକୁ ଧାଇଁଲା। ହାରା ବୁଢ଼ୀ ସେତେବେଳକୁ ଶୋଇବା ପାଇଁ ଶେଜ ସଜାଡ଼ି ମଶାରୀଟା ବାନ୍ଧୁଥାଏ। ରମୁ ତାଙ୍କୁ ଖୁସିରେ କୁଣ୍ଢେଇ ପକେଇ କହିଲା , ଜେଜେମା ! ଜେଜେମା ! ତୁମେ ଏଥର ତୀର୍ଥଯାତ୍ରା କରିବାକୁ ଯିବ। ରମୁ ମୁହଁରୁ ହଠାତ୍ ଏକଥା ଶୁଣି ହାରା ବୁଢ଼ୀ ଆଶ୍ଚର୍ଯ୍ୟ ହୋଇଗଲା। ରମୁ ହଠାତ୍ ଆସି ତାକୁ ଏକଥା କାହିଁକି କହିଲା ସେକଥା ସେ ବୁଝି ପାରୁ ନଥିଲା। ସେ ଭାବିଲା , ସେ ତ ବୃନ୍ଦାବନ ଯିବା କଥା ଘରେ କାହାକୁ କହିନାହିଁ। ରମୁ କେଉଁଠୁ କଣ ଶୁଣିଲା ଯେ ସେ ଆସି ତା ବୃନ୍ଦାବନ ଯିବା କଥା କହୁଛି। ସେ ରମୁକୁ ପଚାରିଲା , ଆଚ୍ଛା ରମୁ ! ମୁଁ ତୀର୍ଥଯାତ୍ରା କରିବାକୁ ଯିବି ବୋଲି ତୋତେ କିଏ କହିଲା ? ରମୁ କହିଲା , ମୋତେ ଏକଥା କେହି କହି ନାହାଁନ୍ତି ଜେଜେମା। ମୁଁ ଏବେ ଯେତେବେଳେ ବହି ଆଣିବାକୁ ଯାଇଥିଲି ବାପା ଓ ବୋଉ ଦୁଇଜଣ ଯାକ ତୁମ ବୃନ୍ଦାବନ ଯିବା ବିଷୟରେ କଥା ହେଉଥିଲେ। ସେମାନଙ୍କ କଥାବାର୍ତ୍ତାରୁ ମୁଁ ଜାଣିଲି ଯେ ଏଥର ତୀର୍ଥଯାତ୍ରୀ ଗାଡ଼ିରେ ସେମାନେ ତୁମକୁ ବୃନ୍ଦାବନ ବୁଲିବାକୁ ପଠେଇବେ। ଟିକେ ଚିନ୍ତା କରିବା ପରେ ହାରା ବୁଢ଼ୀ ଅନୁମାନ କଲା ଯେ ଆଜି ସେ ବାଇଗଣ କିଆରୀ ପାଖରେ ସୁମି ଆଗରେ ଯେତେବେଳେ ବୃନ୍ଦାବନ ଯିବା କଥା କହୁଥିଲା ସେତିକିବେଳେ ବୋଧେ ତା ବୋହୂ ଲକ୍ଷ୍ମୀ ସେକଥା ଶୁଣି ଦେଇଛି। କିନ୍ତୁ ବର୍ତ୍ତମାନ ଘରର ପରିସ୍ଥିତି ଯାହା ତା ଭିତରେ ମଧୁ ଏତେ ଟଙ୍କା ଯୋଗାଡ କରିବ କେମିତି ! ଏତିକିବେଳେ ରମୁ କହିଲା , ଆଉ ଗୋଟିଏ କଥା ଜାଣିଛ ଜେଜେମା ! ବୋଉର ସୁନା ଚୁଡ଼ି ବିକ୍ରି କରି ସେହି ଟଙ୍କାରେ ତୁମକୁ ବୃନ୍ଦାବନ ବୁଲିବାକୁ ପଠେଇବେ ବୋଲି ବାପା ଓ ବୋଉ କଥା ହେଉଥିଲେ। ରମୁ ଠାରୁ ଏକଥା ଶୁଣିବା ପରେ ହାରା ବୁଢ଼ୀ ସବୁକଥା ବୁଝି ସାରିଥିଲା। ତାକୁ ବୃନ୍ଦାବନ ବୁଲିବାକୁ ପଠେଇବା ପାଇଁ ନିଷ୍ପତ୍ତି ନେବା ପଛରେ ତା ବୋହୂ ଲକ୍ଷ୍ମୀର ଯେ ମୂଖ୍ୟ ଭୂମିକା ରହିଛି ଏକଥା ବୁଝିବାକୁ ତାର ଆଉ ବାକି ନଥିଲା। ଲକ୍ଷ୍ମୀ ଭଳି ବୋହୂ ପାଇ ସେ ନିଜକୁ ଧନ୍ୟ ମନେ କରୁଥିଲା। ସେ ଭାବୁଥିଲା , ସତରେ ! ଏଭଳି ବୋହୂ ଭାଗ୍ୟରେ ଥିଲେ ମିଳେ। ତାପରେ ରମୁ କହିଲା ଜେଜେମା ! ତୀର୍ଥଯାତ୍ରା କରିବାକୁ ଗଲେ ବହୁତ ଟଙ୍କା ଦରକାର ହେବନା ? ହାରା ବୁଢ଼ୀ କହିଲା , ହଁ ! ରମୁ କହିଲା ସେଥିପାଇଁ ମୁଁ ଗୋଟିଏ କଥା ଭାବୁଛି। ହାରା ବୁଢ଼ୀ କହିଲା , କଣ ? ରମୁ କହିଲା , ଜେଜେମା ! ମୁଁ ଚାଲି ଚାଲି ସ୍କୁଲ୍ ଓ ଟିଉସନ ଯାଉଥିବାରୁ ମୋତେ ପଢ଼ିବାକୁ ସମୟ ହେଉନାହିଁ ବୋଲି ମୋର ସ୍କୁଲ ଓ ଟିଉସନ ଯିବା ପାଇଁ ବାପା ଆସନ୍ତା ମାସରେ ମୋତେ ସାଇକେଲଟିଏ କିଣିଦେବା କଥା କହିଥିଲେ। ମୁଁ କିନ୍ତୁ ଏବେ ମୋ ପାଇଁ ସାଇକେଲ କିଣିବାକୁ ବାପାଙ୍କୁ ମନା କରିବି। ହାରା ବୁଢ଼ୀ କହିଲା , କାହିଁକି ? ରମୁ କହିଲା , ମୁଁ ତାଙ୍କୁ କହିବି ଯେ ମୋ ପାଇଁ ସାଇକେଲ କିଣିବାକୁ ସେ ଯେଉଁ ଟଙ୍କା ଖର୍ଚ୍ଚ କରିଥାନ୍ତେ ତୁମେ ତୀର୍ଥଯାତ୍ରା କରିବାକୁ ଗଲା ବେଳେ ସେ ଟଙ୍କା ସେ ତୁମ ତୀର୍ଥଯାତ୍ରା ପାଇଁ ଖର୍ଚ୍ଚ କରିବେ। ମୁଁ ଏ ବର୍ଷଟା ସେମିତି ଚାଲି ଚାଲି ସ୍କୁଲ୍ ଓ ଟିଉସନ ଚାଲିଯିବି। ଆସନ୍ତା ବର୍ଷ ପଛେ ସେ ମୋ ପାଇଁ ସାଇକେଲ କିଣିଦେବେ। ରମୁ ମୁହଁରୁ ଏକଥା ଶୁଣି ହାରା ବୁଢ଼ୀ ଆନନ୍ଦରେ ତାକୁ କୁଣ୍ଢେଇ ପକେଇଲା। ଭାବିଲା , ସତରେ ! ମୁଁ ବୃନ୍ଦାବନ ଯିବି ବୋଲି ପିଲାଟା ମନରେ ମୋ ପାଇଁ କେତେ ଚିନ୍ତା ! ଦୁଇଜଣଙ୍କ ଭିତରେ ଏମିତି କଥାବାର୍ତ୍ତା ଭିତରେ ରମୁ ଆଖିକୁ ନିଦ ଆସି ଯାଇଥିଲା। କିନ୍ତୁ ହାରା ବୁଢ଼ୀ ଆଖିକୁ ସହଜେ ନିଦ ଆସୁ ନଥିଲା। ସେ ଭାବୁଥିଲା , ମୋତେ ବୃନ୍ଦାବନ ବୁଲିବାକୁ ପଠେଇବା ପ୍ରସ୍ତାବ ନିଶ୍ଚୟ ଲକ୍ଷ୍ମୀର ହୋଇଥିବ। ମଧୁକୁ ସେ ଯେତିକି ଜାଣିଛି ସେ କେବେ ତା ଆଡ଼ୁ ସୁନା ଚୁଡ଼ି ବିକି ତାକୁ ବୃନ୍ଦାବନ ବୁଲିବାକୁ ପଠେଇବା କଥା କହି ନଥିବ କାରଣ ଝିଅ ବାହାଘର ବେଳେ ଅସୁବିଧାରେ ପଡ଼ି ମଧୁ ଯେତେବେଳେ ଲକ୍ଷ୍ମୀକୁ ତା ସୁନା ଚୁଡ଼ି ଚାରିପଟ ବିକ୍ରି କରିବାକୁ କହିଥିଲା ଲକ୍ଷ୍ମୀ ରୋକ୍ ଠୋକ୍ ମନା କରି ଦେଇଥିଲା। ସେ କହିଲା , ଏ ସୁନା ଚୁଡ଼ି ମୋ ବୋଉ ମୋତେ ଖୁସିରେ ଦେଇଛି। ମୋ ବୋଉର ମୋ ପ୍ରତି ଥିବା ଭଲ ପାଇବାର ଏହି ସନ୍ତକକୁ ମୁଁ ତୁମକୁ ବିକିବାକୁ ଦେଇ ପାରିବି ନାହିଁ। ଯିଏ ନିଜ ଝିଅ ବାହାଘର ପାଇଁ ମଧ୍ୟ ତା ସୁନା ଚୁଡ଼ି ଦେଇ ନଥିଲା ଆଜି ତାକୁ ବୃନ୍ଦାବନ ପଠେଇବା ପାଇଁ ସେ ତା ବୋଉର ସନ୍ତକ ସେହି ସୁନା ଚୁଡ଼ିକୁ ବିକିବାକୁ ରାଜି ହୋଇଗଲା ! ତା ମନରେ ନିଜ ବୋହୂ ପ୍ରତି ଥିବା ଭଲ ପାଇବା ଆହୁରି ବଢ଼ିଗଲା। ବୋହୂର ତା ପ୍ରତି ଏ ଭଲ ପାଇବା ଦେଖି ହାରା ବୁଢ଼ୀ ଆଖିରେ ଲୁହ ଜକେଇ ଆସିଲା। ସେ ଭାବିଲା , ଶାଶୁ ହିସାବରେ ସେ ତ ତାକୁ ଆଜି ପର୍ଯ୍ୟନ୍ତ ଖଣ୍ଡେ ଗହଣା ଦେଇ ପାରିନାହିଁ। କେଉଁ ବିବେକରେ ତା ହାତର ସୁନା ଚୁଡ଼ିକୁ ବିକ୍ରି କରି ସେ ତୀର୍ଥ ଯାତ୍ରା କରିବାକୁ ଯିବ ! ବୋହୂର ତ୍ୟାଗ ଓ ଭଲପାଇବା ଆଗରେ ତା ମୁଣ୍ଡ ନଇଁ ଯାଉଥିଲା। ସେ ମନେ ମନେ ଭାବିଲା , ଯେଉଁ ବୋହୂ ମନରେ ତା ପାଇଁ ଏତେ ଶ୍ରଦ୍ଧା ଓ ଭଲପାଇବା ଅଛି ତା ସୁନା ଚୁଡ଼ି ବିକା ଟଙ୍କାରେ ସେ କଣ ଖୁସିରେ ବୃନ୍ଦାବନ ବୁଲିବାକୁ ଯାଇ ପାରିବ ! ଯେଉଁ ନାତି ତା ପାଇଁ ନିଜର ଆବଶ୍ୟକତା ବିଷୟରେ ନ ଭାବି ତା ବାପାକୁ ସାଇକେଲ କିଣିବାକୁ ମନା କରିଦେବ ବୋଲି କହୁଛି ସତରେ ଯଦି ମଧୁ ତା ପାଇଁ ସାଇକେଲ ନକିଣି ସେଇ ଟଙ୍କାକୁ ତୀର୍ଥଯାତ୍ରା ପାଇଁ ଖର୍ଚ୍ଚ କରେ ସେହି ଟଙ୍କାରେ ତୀର୍ଥ ଗଲେ ତାକୁ ସେଥିରୁ କି ଆନନ୍ଦ ମିଳିବ ! ସେ ଭାବିଲା , ନା ! ସେ କେବେ ଏତେ ସ୍ଵାର୍ଥପର ହୋଇ ପାରିବ ନାହିଁ। ସେ କେବେ ନିଜ ବୋହୂର ସୁନା ଚୁଡ଼ି ବିକା ଟଙ୍କାରେ ବୃନ୍ଦାବନ ବୁଲିବାକୁ ଯାଇ ପାରିବ ନାହିଁ। ସେ କେବେ ତା ନାତିର ସାଇକେଲ କିଣା ଟଙ୍କାରେ ତୀର୍ଥ କରିବାକୁ ଯାଇ ପାରିବ ନାହିଁ। ଯେଉଁ ଘରେ ବୋହୂ ଓ ନାତିର ତା ପାଇଁ ଏତେ ତ୍ୟାଗ ଓ ଭଲପାଇବା ଅଛି ସେ ଘର କୋୖଣସି ତୀର୍ଥ ଠାରୁ ବି କମ୍ ନୁହେଁ। ତାପରେ ସକାଳୁ ମନ ଭିତରେ ଆଙ୍କି ହୋଇ ରହିଥିବା ବାଙ୍କେବିହାରୀଙ୍କ ଛବିକୁ ଅନ୍ତର୍ଚକ୍ଷୁରେ ଦେଖି ପ୍ରଭୁଙ୍କୁ ସେ ହାତ ଯୋଡ଼ି ମନେ ମନେ କହିଲା , ପ୍ରଭୁ ! ବୃନ୍ଦାବନ ଠାରୁ ମୁଁ ତ ଏତେ ଦୂରରେ ଅଛି ଯେ ଇଚ୍ଛା ଥିଲେବି ତୁମକୁ ଦେଖିବାକୁ ମୁଁ ବୃନ୍ଦାବନ ଯାଇ ପାରୁନାହିଁ। ପୁଅ ବୋହୂ ଓ ନାତି ସମସ୍ତେ ମୋତେ ତୀର୍ଥ ଗାଡ଼ିରେ ବୃନ୍ଦାବନ ବୁଲିବାକୁ ଯିବା ପାଇଁ ବିଚାର କରୁଛନ୍ତି। ହେଲେ ତୁମେ କୁହ ପ୍ରଭୁ ! ବୋହୂର ସୁନା ଚୁଡ଼ି ବିକ୍ରି କରି ସେହି ଟଙ୍କାରେ ତୁମକୁ ଦେଖିବାକୁ ବୃନ୍ଦାବନ ଗଲେ ତୁମେ କଣ ଖୁସି ହେବ ? ନାତିର ସାଇକେଲ କିଣା ଟଙ୍କାରେ ବୃନ୍ଦାବନ ଗଲେ ମୋତେ କଣ ତୀର୍ଥଯାତ୍ରାର ଫଳ ମିଳିବ ? ଏହିପରି ଭାବନା ଭିତରେ ବାଙ୍କେବିହାରୀଙ୍କ ଛବିକୁ ମନରେ ଧରି କେତେବେଳେ ଯେ ହାରା ବୁଢ଼ୀ ଶୋଇ ଯାଇଥିଲା ସେକଥା ସେ ଜାଣି ପାରି ନଥିଲା। ରାତିରେ ତା ଶୋଇବା ଘରର କବାଟ ଖୋଲିବା ଶବ୍ଦରେ ହାରା ବୁଢ଼ୀର ଆଖି ଖୋଲିଗଲା। ଆଖି ଆଗରେ ସେ ଯାହା ଦେଖିଲା ନିଜକୁ ନିଜେ ସେ ବିଶ୍ଵାସ କରି ପାରିଲା ନାହିଁ। ଏ କଣ ? ଘର ଭିତରଟା ଉଜ୍ଜ୍ୱଳ ଆଲୋକରେ ଉଦ୍ଭାସିତ ହେଉଛି। ତା ଶୋଇବା ଘରେ ସ୍ଵୟଂ ପ୍ରଭୁ ବାଙ୍କେବିହାରୀ ଠିଆ ହୋଇ ମନ୍ଦ ମନ୍ଦ ହସୁଛନ୍ତି। ପ୍ରଭୁଙ୍କୁ ସମ୍ମୁଖରେ ଦେଖି ସେ ଭକ୍ତି ଭାବରେ ବିହ୍ଵଳିତ ହୋଇଗଲା। ଶେଯରୁ ଧଡପଡ ହୋଇ ଉଠି ହାତ ଯୋଡ଼ି ପ୍ରଭୁଙ୍କର ପାଦପଦ୍ମରେ ସେ ସାଷ୍ଟାଙ୍ଗ ପ୍ରଣିପାତ କଲା। ପ୍ରଭୁଙ୍କର ଚରଣ ରଜ ନେଇ ସେ ନିଜ ମଥାରେ ବୋଳିହେଲା। ତାପରେ ତଳୁ ଉଠି ସେ ପ୍ରଭୁଙ୍କ ସମ୍ମୁଖରେ ହାତ ଯୋଡ଼ି ଠିଆ ହୋଇ ରହିଲା। ଆଖିରୁ ତାର ଧାର ଧାର ହୋଇ ଲୁହ ବହି ଯାଉଥିଲା। ଆନନ୍ଦରେ ତା ଶରୀର ରୋମାଞ୍ଚିତ ହୋଇ ଉଠୁଥିଲା। ସେ ହାତ ଯୋଡ଼ି କହୁଥିଲା , ପ୍ରଭୁ ! ସତରେ ତୁମେ ଦୟାସାଗର। ମୁଁ ତୁମକୁ ଦେଖିବାକୁ ବୃନ୍ଦାବନ ଯାଇ ପାରିଲି ନାହିଁ ବୋଲି ତୁମେ ମୋ ଉପରେ କୃପା କରି ମୋ ଘରକୁ ଚାଲି ଆସିଲ ! ଧନ୍ୟ ତୁମେ ପ୍ରଭୁ ! ଧନ୍ୟ ତୁମର ମହିମା। ତୁମେ ମୋ ଘରକୁ ଆସିବାରୁ ମୋ ଘର ଆଜି ବୃନ୍ଦାବନ ପାଲଟିଗଲା ପ୍ରଭୁ। ମୋର ଆଉ ବୃନ୍ଦାବନ ଯିବା କଣ ଦରକାର ! ଏହା କହି ହାରା ବୁଢ଼ୀ ଭୋ ଭୋ ହୋଇ କାନ୍ଦି ଉଠିଲା। ହାରା ବୁଢ଼ୀର କାନ୍ଦ ଶବ୍ଦରେ ରମୁର ନିଦ ଭାଙ୍ଗିଗଲା। ସେ ହାରା ବୁଢ଼ୀକୁ ହଲେଇ ଦେଇ କହିଲା , କଣ ସ୍ଵପ୍ନ ଦେଖିଲ କି ଜେଜେମା ? ହାରା ବୁଢ଼ୀର ନିଦ ଭାଙ୍ଗିଗଲା। ସେ ଉଠି ଶେଯ ଉପରେ ବସି ପଡ଼ିଲା। ଘର ଭିତରଟା ପୂରା ଅନ୍ଧକାର ଥିଲା। ଆଉଜା ହୋଇଥିବା କବାଟ ଫାଙ୍କ ଦେଇ ଦୁଆରେ ଜଳୁଥିବା ବଲରୁ ଧାରେ ବିଜୁଳି ଆଲୁଅ ଘର ଭିତରକୁ ସାମାନ୍ୟ ଆଲୋକିତ କରୁଥିଲା। ହାରା ବୁଢ଼ୀ ଶେଯରୁ ଉଠି ପ୍ରଭୁ ! ପ୍ରଭୁ ! ବୋଲି ଡାକି ଦୁଆର ମୁହଁକୁ ଧାଇଁଗଲା। ଘର ଭିତରେ ଯେଉଁଠି ବାଙ୍କେବିହାରୀଙ୍କୁ ସେ ଠିଆ ହେବାର ଦେଖିଥିଲା ସେହି ସ୍ଥାନରେ ସେ କାନ୍ଦି କାନ୍ଦି ତଳେ ଗଡ଼ିଗଲା। ବାଙ୍କେବିହାରୀ ଯେଉଁଠି ଠିଆ ହୋଇଥିଲେ ସେଠାରୁ ଧୂଳି ଆଣି ବାରମ୍ବାର ସେ ନିଜ ମଥାରେ ବୋଳି ହେଉଥିଲା। ଏସବୁ ଦେଖି ରମୁ କିଛି ବୁଝି ପାରୁ ନଥାଏ। ସେ ଶେଯରୁ ଉଠି ଯାଇ ଘର ଭିତରର ଲାଇଟ୍ ଲଗେଇଲା ଓ ନିଶା ବୁଢ଼ୀ ପାଖକୁ ଯାଇ ପୁଣି ଥରେ ତାକୁ ହଲେଇ ଦେଇ କହିଲା , ତୁମର କଣ ହୋଇଛି ଜେଜେମା ? ତୁମେ ନିଦରୁ ଉଠି ଏମିତି ବାଉଳିଚାଉଳି କାହିଁକି ହେଉଛ ? ହାରା ବୁଢ଼ୀ ପ୍ରକୃତିସ୍ଥ ହେଲା। ସେ ଦେଖିଲା ଏବେ ବି ତା ଆଖିରୁ ଧାର ଧାର ହୋଇ ଲୁହ ବହି ଯାଉଛି , ଏବେ ବି ତା ଶରୀର ବାରମ୍ବାର ରୋମାଞ୍ଚିତ ହେଉଛି। ରାତି ପାହି ଆସୁଥିଲା। ଗାଆଁ ଶେଷମୁଣ୍ଡରେ ଥିବା ରାଧାକୃଷ୍ଣ ମନ୍ଦିରରେ ବାଜୁଥିବା ଡାକବାଜି ଯନ୍ତ୍ରରୁ ସୁମଧୁର ସ୍ଵରରେ ଏକ ସଙ୍ଗୀତ ଭାସି ଆସୁଥିଲା ' ଏଇ ମନ ବୃନ୍ଦାବନ ଏଇ ମନ କାଶୀ। ଏଇ ମନ ବଦ୍ରିନାଥ ପୁରୀ ବାରାଣସୀ। ' *****************


Rate this content
Log in