ଅଚଳ ପଇସା _____________
ଅଚଳ ପଇସା _____________
ଅଚଳ ପଇସା
_______________
ପୁଅ ରଞ୍ଜନକୁ ନେଇ ସଦାନନ୍ଦ ବାବୁ ଓ ତାଙ୍କ ପତ୍ନୀ ତମସାଙ୍କ ଭିତରେ ପ୍ରାୟତଃ ମତଭେଦ ଲାଗି ରହୁଥିଲା କାରଣ ରଞ୍ଜନ ଯେତେବେଳେ ଖର୍ଚ୍ଚ କରିବା ପାଇଁଁ ଟଙ୍କା ମାଗୁଥିଲା ତମସା ବିନା ଦ୍ବିଧାରେ ତାକୁ ଟଙ୍କା ଦେଇ ଦେଉଥିଲେ ଯାହାକି ସଦାନନ୍ଦ ବାବୁ ଚାହୁଁ ନଥିଲେ। ଯେହେତୁ ରଞ୍ଜନ ଜାଣିଥିଲା ଯେ ବାପାଙ୍କୁ ଟଙ୍କା ମାଗିଲେ ସେ କାରଣ ନ ପଚାରି ଆଦୋୖ ଟଙ୍କା ଦେବେ ନାହିଁ ସେଥିପାଇଁ ଖର୍ଚ୍ଚ କରିବାକୁ ଟଙ୍କା ଦରକାର ହେଲେ ସେ ମାଆଙ୍କ ଠାରୁ ଟଙ୍କା ମାଗି ନେଇ ଯାଉଥିଲା। ପ୍ରକୃତରେ ପୁଅକୁ ଟଙ୍କା ଦେବାକୁ ସଦାନନ୍ଦ ବାବୁ କୁଣ୍ଠିତ ନଥିଲେ କିନ୍ତୁ ସେ ସବୁବେଳେ ଚାହୁଁଥିଲେ ପୁଅ ଘରୁ ଯେଉଁ ଟଙ୍କା ନେଉଛି ତାକୁ ସେ ଉଚିତ୍ ବାଟରେ ବିନିଯୋଗ କରୁ। ଟଙ୍କାର ମୂଲ୍ୟ ସେ ବୁଝୁ। ସାଙ୍ଗସାଥି ପିଲାମାନଙ୍କ ସହିତ ମିଶି ସେ ପଇସାକୁ ସେ ଅଯଥା ମାର୍ଗରେ ଖର୍ଚ୍ଚ ନକରୁ। ସେଥିପାଇଁ ରଞ୍ଜନ ଯେତେବେଳେ ତାଙ୍କୁ ଟଙ୍କା ମାଗୁଥିଲା ସେ ତାକୁ ଟଙ୍କା ମାଗିବାର କାରଣ ପଚାରୁଥିଲେ ଓ ଅନେକ ସମୟରେ କୋୖଣସି ଯଥାର୍ଥ କାରଣ ନ ଦେଖିଲେ ସେ ଟଙ୍କା ଦେବାକୁ ସିଧାସିଧା ମନା କରି ଦେଉଥିଲେ। ଏଥିପାଇଁ ରଞ୍ଜନ ମନେ ମନେ ବାପାଙ୍କ ଉପରେ ବିରକ୍ତ ହେଉଥିଲା ଓ ତାଙ୍କୁ ଜଣେ କଞ୍ଜୁସ ଲୋକ ବୋଲି ଧରି ନେଇଥିଲା।
କିନ୍ତୁ ଏସବୁ ଦୃଷ୍ଟିରୁ ସଦାନନ୍ଦ ବାବୁ ପୁଅକୁ ଯେତେ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କଲେ ମଧ୍ୟ ସେ ସେଥିରେ ସଫଳ ହେଉ ନଥିଲେ କାରଣ ରଞ୍ଚନ ତା ମାଆଙ୍କ ଠାରୁ ସହଜରେ ଟଙ୍କା ନେଇ ଯାଉଥିଲା। ତମସା ଯେହେତୁ ଚାକିରି କରିଥିଲେ ରଞ୍ଜନ ଯେତେବେଳେ ତା ବାପାଙ୍କ ଠାରୁ ଟଙ୍କା ନପାଇ ମନଦୁଃଖ କରୁଥିଲା ତମସା ପୁଅକୁ ଖୁସି କରିବା ପାଇଁଁ ସେ ଯେତେବେଳେ ଟଙ୍କା ମାଗୁଥିଲା ତାକୁ ଦେଇ ଦେଉଥିଲେ। ଅବଶ୍ୟ ଏହାର ଗୋଟିଏ କାରଣ ଥିଲା। ତମସାଙ୍କର ବାପାଙ୍କର ଆର୍ଥିକ ଅବସ୍ଥା ଏତେଟା ସ୍ୱଚ୍ଛଳ ନଥିଲା। ତମସାଙ୍କ ତଳେ ଆଉ ଦୁଇ ଭଉଣୀ ଓ ଗୋଟିଏ ଭାଇ ଥିଲେ। ତାଙ୍କ ବାପା ଗୋଟିଏ ସ୍କୁଲରେ ପିଅନ ଚାକିରି କରିଥିଲେ। ସ୍ଵଳ୍ପ ଆୟ ହେତୁ ଚାରିଜଣ ପିଲାଙ୍କୁ ପାଠଶାଠ ପଢ଼ାଇ ବଡ଼ କରିବା ପାଇଁଁ ତମସାଙ୍କ ବାପାଙ୍କୁ ଜୀବନରେ ସବୁବେଳେ ଆର୍ଥିକ ଅନାଟନର ସମ୍ମୁଖୀନ ହେବାକୁ ପଡୁଥିଲା। ସେଥିପାଇଁ ଚାହିଁଲେ ବି ତମସା ଅନେକ ସମୟରେ ତା ବାପାଙ୍କୁ ଦରକାର ବେଳେ ଟଙ୍କା ମାଗି ପାରୁ ନଥିଲେ। ପରିବାରର ଆର୍ଥିକ ଅବସ୍ଥା ଦୃଷ୍ଟିରୁ ତମସାଙ୍କୁ ନିଜର ଅନେକ ଇଚ୍ଛାକୁ ବଳି ଦେବାକୁ ପଡୁଥିଲା। ସେଥିପାଇଁ ସେତେବେଳେ ସେ ମନେ ମନେ ପ୍ରତିଜ୍ଞା କରିଥିଲେ ଯେ ଭବିଷ୍ୟତରେ ସେ ନିଜେ ଯେତେବେଳେ ଚାକିରି କରି ଟଙ୍କା ରୋଜଗାର କରିବେ ତାଙ୍କ ପିଲାମାନେ ତାଙ୍କୁ ଯେତେବେଳେ ଯାହା ମାଗିବେ ସେ ସେମାନଙ୍କର କୋୖଣସି ଇଚ୍ଛାକୁ ଅପୂର୍ଣ୍ଣ ରହିବାକୁ ଦେବେନାହିଁ।
ରଞ୍ଜନ ସଦାନନ୍ଦ ବାବୁ ଓ ତମସାଙ୍କର ଏକମାତ୍ର ପୁଅ ଥିଲା। ରଞ୍ଜନ ଯେତେବେଳେ ପାଞ୍ଚବର୍ଷର ହେଲା ସଦାନନ୍ଦ ବାବୁ ତମସାଙ୍କୁ ଦ୍ଵିତୀୟ ସନ୍ତାନ ପାଇଁ କହିଲେ। କିନ୍ତୁ ତମସା ରୋକ୍ ଠୋକ୍ ମନା କରି ଦେଇଥିଲେ କାରଣ ତାଙ୍କ ବାପାଙ୍କର ଚାରିଜଣ ପିଲା ଥିବାରୁ ସେ ଜୀବନରେ ଯେଉଁ ଅସୁବିଧା ଭୋଗ କରୁଥିଲେ ଅଧିକ ସନ୍ତାନ ଜନ୍ମ କରି ସେମାନଙ୍କୁ ସେହିଭଳି ଆର୍ଥିକ ଅନାଟନ ଭିତରକୁ ଠେଲି ଦେବା ତାଙ୍କର ଉଦ୍ଦେଶ୍ୟ ନଥିଲା। ତେଣୁ ସଦାନନ୍ଦ ବାବୁ ତାଙ୍କୁ ଯେତେଥର ଦ୍ଵିତୀୟ ସନ୍ତାନ ପାଇଁ ପ୍ରବର୍ତ୍ତାଉଥିଲେ ସେ କହୁଥିଲେ , ମୁଁ ଚାହୁଁନି ଦ୍ଵିତୀୟ ପିଲା ହେବା କାରଣରୁ ରଞ୍ଜନ ତା ଜୀବନରେ କୋୖଣସି ଅଭାବ ଅସୁବିଧା ଅନୁଭବ କରୁ , କୋୖଣସି ଅଭାବ ପୂରଣ କରିବା ପାଇଁଁ ପରିସ୍ଥିତି ସହିତ ତାକୁ ବୁଝାମଣା କରିବାକୁ ପଡ଼ୁ। ସେ ଯେତେବେଳେ ଏକଥା କହୁଥିଲେ ସଦାନନ୍ଦ ବାବୁ ତାଙ୍କୁ କହୁଥିଲେ ଦେଖ ! ଗୋଟିଏ ପିଲା ହେଲେ ସେ ସାଧାରଣତଃ ଏକଜିଦିଆ ହୋଇ ଯାଇଥାଏ। ଭଲମନ୍ଦ ଓ ସୁଖଦୁଃଖ ଅନ୍ୟ କାହା ସହିତ ସେ ବାଣ୍ଟିବା ଶିଖି ପାରି ନଥାଏ। ତେଣୁ ପରିବାରରେ ଅନ୍ତତଃ ଦୁଇଟି ପିଲା ହେଲେ ସେମାନେ ଜଣେ ଜଣକ ସହିତ ଭଲମନ୍ଦ ଓ ସୁଖଦୁଃଖ ବାଣ୍ଟିବା ଶିଖି ପାରିବେ ଓ କେହି ଏକଜିଦିଆ ହେବେ ନାହିଁ। କିନ୍ତୁ ସଦାନନ୍ଦ ବାବୁଙ୍କର କୋୖଣସି ଯୁକ୍ତି ତମସାଙ୍କୁ ଦ୍ଵିତୀୟ ସନ୍ତାନ ପାଇଁ ରାଜି କରାଇ ପାରି ନଥିଲା। ତମସାଙ୍କ ଜିଦ୍ ଆଗରେ ତାଙ୍କୁ ମୁଣ୍ଡ ନୁଆଇଁବାକୁ ପଡ଼ିଥିଲା। ଦ୍ଵିତୀୟ ସନ୍ତାନ ପାଇଁ ଇଚ୍ଛା ଥିଲେ ବି ଅନନ୍ୟୋପାୟ ହୋଇ ଗୋଟିଏ ସନ୍ତାନକୁ ନେଇ ତାଙ୍କୁ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା।
ସ୍କୁଲରେ ପଢ଼ିବା ବେଳଠାରୁ ମାଆଙ୍କ ଠାରୁ ଅଧିକ ସ୍ନେହ ଆଦର ପାଇ ରଞ୍ଜନ ଏକଜିଦିଆ ହୋଇ ଯାଇଥିଲା। ସେ କୋୖଣସି କଥାରେ ବୁଝାମଣା କରିବାକୁ ପ୍ରସ୍ତୁତ ନଥିଲା। ତମସା ମଧ୍ୟ ପୁତ୍ର ସ୍ନେହରେ ଅନ୍ଧ ହୋଇ ତାର ସମସ୍ତ ଇଚ୍ଛାକୁ ପୂରଣ କରୁଥିଲେ। କଲେଜରେ ପଢ଼ିବା ବେଳକୁ ରଞ୍ଜନ ଅଧିକ ବଦଖର୍ଚ୍ଚୀ ହୋଇ ଯାଇଥିଲା। ସାଙ୍ଗସାଥିଙ୍କ ସହ ମିଶି ବହୁତ ପଇସା ଅଯଥାରେ ଏଣେତେଣେ ଖର୍ଚ୍ଚ କରି ଦେଉଥିଲା। ଏକଥା ସଦାନନ୍ଦ ବାବୁଙ୍କ ଦେହରେ ଯାଉ ନଥିଲା। ସେଥିପାଇଁ ପତ୍ନୀ ତମସାଙ୍କୁ ସେ ଯଦି କିଛି କହୁଥିଲେ ତାହେଲେ ସ୍ଵାମୀ ସ୍ତ୍ରୀ ଉଭୟଙ୍କ ଭିତରେ ଯୁକ୍ତିତର୍କ ଓ କଥା କଟାକଟି ହେଉଥିଲା। ଘରେ ସବୁବେଳେ ଅଶାନ୍ତି ହେବା ଅପେକ୍ଷା ସଦାନନ୍ଦ ବାବୁ ସବୁ ଜାଣି ମଧ୍ୟ କିଛି ନ ଜାଣିବା ଭଳି ଚୁପ୍ ରହିବାକୁ ଉଚିତ୍ ମନେ କରୁଥିଲେ। କିନ୍ତୁ ସେ ଭଲ ଭାବରେ ଜାଣିଥିଲେ ଯେ ତମସାଙ୍କର ଏହି ଅନ୍ଧ ପୁତ୍ରସ୍ନେହ ପାଇଁ ଦିନେ ନା ଦିନେ ତାଙ୍କୁ ଅନୁତାପ କରିବାକୁ ପଡ଼ିବ। ରଞ୍ଜନ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କଲା। କିନ୍ତୁ କଲେଜରେ ପଢ଼ିବା ବେଳକୁ ସାଙ୍ଗସାଥି ମେଳରେ ପଢ଼ି ସେ ଅଧିକ ସମୟ ସେମାନଙ୍କ ସହିତ କାଟିବାରେ ଲାଗିଲା। ପଢ଼ାପଢ଼ି ଉପରେ ପୁଅ ଅଧିକ ଧ୍ୟାନ ଦେଉନାହିଁ ଦେଖି ସଦାନନ୍ଦ ବାବୁ ଟିକେ ଚିନ୍ତିତ ହୋଇ ପଡ଼ିଲେ। ସେ ପତ୍ନୀଙ୍କୁ କହିଲେ , ଦେଖ ! ପଇସାମୁହାଁ ହୋଇ ପିଲାଟା ଦିନକୁ ଦିନ ଅବାଟକୁ ଚାଲି ଯାଉଛି। ତାକୁ ଅଯଥାରେ ପଇସା ଦେବା ବନ୍ଦ କର। ତମସା କହିଲେ , ପିଲା ବଡ଼ ହେଲାଣି। ସବୁବେଳେ ତୁମେ କାହିଁକି ସେ ପିଲାଟା ପଛରେ ପଡ଼ିଛ କହିଲ ! ମୁଁ ଯେତିକି ଜାଣିଛି ସେ କିଛି ବାଜେ ଖର୍ଚ୍ଚ କରୁନାହିଁ। ହଁ ! ସାଙ୍ଗପିଲାଙ୍କ ସହିତ ମିଶି ବାହାରେ ଖାଇବା ପିଇବାରେ ସେ ଟିକେ ଅଧିକ ଖର୍ଚ୍ଚ କରି ଦେଉଛି। ଏ ବୟସରେ ଏମିତି ହୁଏ। ତୁମେ ତୁମ ପଢ଼ିବା ସମୟରେ ଯେମିତି ଅଭାବ ଅସୁବିଧା ଭିତରେ ଚଳୁଥିଲ ସେହି ଦୃଷ୍ଟିଭଙ୍ଗୀ ନେଇ ତୁମେ ତୁମ ପୁଅକୁ ଦେଖୁଛ। ସେଥିପାଇଁ ତାର ସବୁ ଖର୍ଚ୍ଚ ତୁମକୁ ବଦଖର୍ଚ୍ଚ ଭଳି ଦେଖା ଯାଉଛି। ଆରେ ! ଆଉ କଣ ତୁମ ଯୁଗ ଅଛି ! ତୁମ ଦୃଷ୍ଟିଭଙ୍ଗୀରେ ତୁମେ ପରିବର୍ତ୍ତନ କର। ଦେଖିବ , ରଞ୍ଜନର କୈାଣସି ବି ଖର୍ଚ୍ଚ ତୁମକୁ ବଦଖର୍ଚ୍ଚ ଲାଗିବ ନାହିଁଁ। ଏକେତ ପୁଅକୁ ଅନାବଶ୍ୟକ ଟଙ୍କା ନ ଦେବାରୁ ପୁଅ ଆଖିରେ ସେ କଞ୍ଜୁସ ବାପା ହୋଇ ସାରିଥିଲେ। ଅନ୍ୟପଟେ ତମସାଙ୍କୁ ଯେତେ ବୁଝାଇଲେ ମଧ୍ୟ ତମସା ରଞ୍ଜନକୁ କେବେ ଆଜେବାଜେ ଖର୍ଚ୍ଚ କରିବାକୁ ବାରଣ କରୁ ନଥିଲେ। ଅତ୍ୟଧିକ ପଇସାମୁହାଁ ହୋଇ ରଞ୍ଜନ ଦିନକୁ ଦିନ ବିଗିଡ଼ି ଯାଉଥିଲା। ପୁତ୍ର ସ୍ନେହରେ ଅନ୍ଧ ହୋଇ ତମସା ସିନା ଏକଥା ଜାଣି ପାରୁ ନଥିଲେ କିନ୍ତୁ ସଦାନନ୍ଦ ବାବୁଙ୍କ ଆଖିକୁ ଏକଥା ଜଳଜଳ ହୋଇ ଦେଖା ଯାଉଥିଲା। ସେ ତାର ଭବିଷ୍ୟତ କଥା ଭାବି ଚିନ୍ତିତ ହୋଇ ପଡ଼ୁଥିଲେ।
ୟା ଭିତରେ ରଞ୍ଜନ ଏମ୍. ଏ . ପାସ୍ କରି ସାରିଥିଲା। ସଦାନନ୍ଦ ବାବୁ ତାକୁ ଚାକିରି ପାଇଁ ବାହାରୁଥିବା ବିଭିନ୍ନ ଏଣ୍ଟ୍ରାନ୍ସ ଦେବାକୁ କହୁଥିଲେ। ରଞ୍ଜନ ଏଣ୍ଟ୍ରାନ୍ସ ପାଇଁ ଦରଖାସ୍ତ ତ ପକାଉଥିଲା ସତ କିନ୍ତୁ ସେଥିପାଇଁ ପଢ଼ାପଢ଼ି ନକରି ସାଙ୍ଗସାଥିଙ୍କ ସହିତ ମିଶି ଅଯଥାରେ ସମୟ କାଟୁଥିଲା। ତେଣୁ କୋୖଣସି ଏଣ୍ଟ୍ରାସରେ ସେ କୃତକାର୍ଯ୍ୟ ହୋଇ ପାରୁ ନଥିଲା। ସେଥିପାଇଁ ସେ ଯେତେବେଳେ ମନଦୁଃଖ କରୁଥିଲା ତାର ସାଙ୍ଗମାନେ ତାକୁ କହୁଥିଲେ , ଆରେ ତୁ ଚାକିରି ନହେଲା ବୋଲି ମନଦୁଃଖ କରୁଛୁ କାହିଁକି ! ତୋର ଚାକିରି କଣ ହେବ ! ତୋ ବାପା ଓ ମାଆ ଦୁଇଜଣ ଯାକ ତ ଚାକିରି କରିଛନ୍ତି। ସେମାନଙ୍କ ରିଟାୟାରମେଣ୍ଟ ପରେ ସେମାନେ ମଧ୍ୟ ପେନସନ୍ ପାଇବେ। ତା ସାଙ୍ଗକୁ ତୁମର ତ ମାସକୁ ଚାଳିଶି ହଜାର ଟଙ୍କା ଘରଭଡ଼ା ଆସୁଛି। ଆଉ ତାପରେ ତୁ ତ ସେମାନଙ୍କର ଏକମାତ୍ର ପୁଅ। ତୁ ଚାକିରି ନ କଲେବି ଭବିଷ୍ୟତରେ ଆରାମରେ ଚଳି ପାରିବୁ। ସାଙ୍ଗସାଥିମାନଙ୍କର ଏହି କଥା ରଞ୍ଜନକୁ ଅନେକ ପରିମାଣରେ ଆଶ୍ଵସ୍ତ କରି ଦେଉଥିଲା। ସେ ତେଣୁ ଚାକିରି ପାଇବା ଉପରେ ଏତେଟା ଗୁରୁତ୍ୱ ଦେଉ ନଥିଲା।
ଏମ୍ . ଏ . ପାସ୍ କରିବାର ଦୁଇବର୍ଷ ପର୍ଯ୍ୟନ୍ତ ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷା ଦେଲେ ମଧ୍ୟ ରଞ୍ଜନ କେଉଁଥିରେ ଯେତେବେଳେ କୃତକାର୍ଯ୍ୟ ହୋଇ ନ ପାରିଲା ତମସାଙ୍କର ମଧ୍ୟ ଚିନ୍ତା ବଢ଼ିଗଲା। ସେ ସ୍ଵାମୀଙ୍କୁ ମନଦୁଃଖରେ କହିଲେ , ଦେଖ ! ପିଲାଟା ଏତେ ପରୀକ୍ଷା ଦେଲେ ମଧ୍ୟ କେଉଁଥିରେ ସେ କୃତକାର୍ଯ୍ୟ ହେଉନାହିଁ। ସେଥିପାଇଁ ତା ଭବିଷ୍ୟତ କଥା ଭାବି ମୋତେ ଭାରି ଚିନ୍ତା ହେଉଛି। ପତ୍ନୀଙ୍କ ମୁଖରୁ ଏକଥା ଶୁଣି ସଦାନନ୍ଦ ବାବୁ କହିଲେ , ତା ଭବିଷ୍ୟତ ବିଷୟରେ ଚିନ୍ତା କରିବା ତୁମର ବହୁତ ଆଗରୁ ଦରକାର ଥିଲା। ନେଡି ଗୁଡ଼ କହୁଣୀକୁ ବହି ଯିବାପରେ ଏବେ ତୁମର ପୁଅର ଭବିଷ୍ୟତ ବିଷୟରେ ଚିନ୍ତା ହେଉଛି ! ପୁଅର ଯଦି ଆଜି ଏ ଅବସ୍ଥା ହୋଇଥାଏ ସେଥିପାଇଁ ସମ୍ପୂର୍ଣ୍ଣ ପରିମାଣରେ ତୁମେ ଦାୟୀ। ତୁମରି ଯୋଗୁ ପଇସାମୁହାଁ ହୋଇ ସେ ଆଜି ସାଙ୍ଗସାଥିମାନଙ୍କ ସହିତ ବୁଲି ସମୟ କାଟୁଛି। ଅଯଥା ଖର୍ଚ୍ଚ କରିବା ପାଇଁଁ ତାକୁ ଟଙ୍କା ଦେବାକୁ ମୁଁ ତୁମକୁ ଯେତେଥର ବାରଣ କରିଛି ତୁମେ କେବେ ବି ମୋ କଥା ଉପରେ ଗୁରୁତ୍ବ ଦେଇନାହଁ। ତୁମରି ଯୋଗୁ ମୋ ଆଖି ଆଗରେ ଭଲ ପିଲାଟା ଅବାଟକୁ ଚାଲିଗଲା। ମୁଁ ସବୁ ଦେଖି ମଧ୍ୟ କିଛି କରି ପାରିଲି ନାହିଁ। ମୁଁ ଯେତେବେଳେ ତାକୁ ଆକଟ କରିବାକୁ ଚାହିଁଛି ତୁମେ ତା ଆଗରେ ତା ସପକ୍ଷରେ କଥା କହି ମୋତେ ଚୁପ୍ କରି ଦେଇଛ। ଆଜି ପର୍ଯ୍ୟନ୍ତ ସେ କେବେହେଲେ ଟଙ୍କାର ମୂଲ୍ୟ ବୁଝି ପାରିଲା ନାହିଁ। ଜୀବନରେ ଟଙ୍କା ରୋଜଗାର କରିବା ପାଇଁଁ ଯେ ସଂଘର୍ଷ କରିବାକୁ ପଡ଼େ ଏକଥା ଅନୁଭବ କରିବାକୁ ତୁମେ ତାକୁ କେବେହେଲେ ସୁଯୋଗ ଦେଲ ନାହିଁ। ଜୀବନରେ ଯେତେବେଳେ ସେ ଯାହା ଚାହିଁଲା ସବୁକିଛି ଯେତେବେଳେ ତାକୁ ତା ହାତ ପାଆନ୍ତାରେ ମିଳିଗଲା ଜୀବନରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁଁ ଯେ ସଂଘର୍ଷ କରିବାକୁ ପଡ଼େ ସେକଥା ସେ ଜାଣି ପାରିଲା ନାହିଁ। ଜୀବନରେ ଅଭାବ କଣ ସେ ଜାଣିଲା ନାହିଁ। ଜୀବନରେ ଅସୁବିଧାକୁ ସେ କେବେ ସମ୍ମୁଖୀନ ହେଲା ନାହିଁ। ଜୀବନ କେତେବେଳେ ଯେ କାହାକୁ ଆଣି କେଉଁ ମୋଡରେ ଠିଆ କରିବ ସେକଥା କେହି କହି ପାରିବେ ନାହିଁ ତମସା ! ତୁମେ କିନ୍ତୁ ତାକୁ ଜୀବନ ଯୁଦ୍ଧକୁ ସାମ୍ନା କରିବାକୁ ଶିକ୍ଷା ଦେବା ବଦଳରେ ତାର ସାମୟିକ ଖୁସି ପାଇଁ ତାର ସବୁ ଇଚ୍ଛାକୁ ପୂରଣ କରି ଚାଲିଲ। ତୁମେ କଣ ସବୁବେଳେ ତା ସହିତ ଥିବ ନା ମୁଁ ତା ସହିତ ସବୁବେଳେ ଥିବି ! ଜୀବନରେ ସଂଘର୍ଷ କରିବାକୁ ଶିଖି ନଥିବା ବ୍ୟକ୍ତି କେବେହେଲେ ଜୀବନଯୁଦ୍ଧରେ ଜିତି ପାରେନାହିଁ। ଆରେ ! ମୁଁ କଣ ତାର ଶତ୍ରୁ ! ମୁଁ ତାର ବାପା ! ମୁଁ କଣ ଚାହୁଁଥିଲି ସେ ଅଭାବ ଭିତରେ ରହୁ ବୋଲି ! ମୁଁ କଣ ଚାହୁଁଥିଲି ତାର ସବୁ ଇଚ୍ଛା ପୂରଣ ନହେଉ ବୋଲି ! କିନ୍ତୁ ଏ ଦୁନିଆରେ କାହାରି ସବୁ ଇଚ୍ଛା ପୂରଣ ହୋଇ ପାରେନାହିଁ ତମସା ! ତେଣୁ ମଣିଷକୁ ଆବଶ୍ୟକ ଓ ଅନାବଶ୍ୟକ ଇଚ୍ଛା ଭିତରେ ଫରକ ଜାଣିବାକୁ ପଡ଼େ। ତୁମେ କିନ୍ତୁ ତାକୁ ଆବଶ୍ୟକ ଓ ଅନାବଶ୍ୟକ ଇଚ୍ଛା ଭିତରେ ଫରକ ଜାଣିବାକୁ ସୁଯୋଗ ଦେଲ ନାହିଁ ଯେଉଁଥିପାଇଁ ସେ ତାର ସବୁ ଇଚ୍ଛାକୁ ଆବଶ୍ୟକ ବୋଲି ଧରିନେଲା ଓ ଯେତେବେଳେ ଯାହା ଇଚ୍ଛା ହେଲା ତୁମ ଠାରୁ ପଇସା ନେଇ ସେ ତାର ସେହି ଇଚ୍ଛାକୁ ପୂରଣ କଲା। କିନ୍ତୁ ମୁଁ ତାକୁ ଆବଶ୍ୟକ ଓ ଅନାବଶ୍ୟକ ଇଚ୍ଛା ବିଷୟରେ ସଚେତନ କରିବାକୁ ଚାହୁଁଥିଲି ତେଣୁ ସେ ଯେତେବେଳେ ଅଯଥା ଖର୍ଚ୍ଚ ପାଇଁ ଟଙ୍କା ମାଗୁଥିଲା ମୁଁ ତାକୁ ରୋକ୍ ଠୋକ୍ ମନା କରି ଦେଉଥିଲି କାରଣ ମୁଁ ଚାହୁଁଥିଲି ସେ ପଇସାର ମୂଲ୍ୟ ବୁଝୁ , ପଇସାକୁ ଉଚିତ୍ ମାର୍ଗରେ ବିନିଯୋଗ କରୁ। ଥରେ ମଣିଷ ଟଙ୍କାର ମୂଲ୍ୟ ବୁଝିଗଲେ ସେ ତା ଜୀବନରେ ଯେତେ ଟଙ୍କା ପାଇଲେ ବି କେବେହେଲେ ସେ ଟଙ୍କାକୁ ସେ ଆଉ ଅନୁଚିତ୍ ମାର୍ଗରେ ଖର୍ଚ୍ଚ କରିବ ନାହିଁ। ତାପରେ ଜୀବନରେ ଜଣେ ଅଭାବ କଣ ଜାଣିବା ଦରକାର। ତାହେଲେ ସେ ଯାଇ ସଂଘର୍ଷ କରିବା ଶିଖିବ , ଜୀବନର ବାସ୍ତବତାକୁ ବୁଝିବ , ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ଚେଷ୍ଟା କରିବ। ତୁମେ କିନ୍ତୁ ତାକୁ ଅଭାବ କଣ ତାହା ଜାଣିବାକୁ ଦେଲ ନାହିଁ। ନୂଆ ନୂଆ ଚାଲି ଶିଖୁଥିବା ଛୋଟ ପିଲାମାନଙ୍କର ହାତ ଛାଡ଼ି ଦେଇ ବାପା ଓ ମାଆ ସେମାନଙ୍କୁ ଚାଲିବା ଶିଖେଇଥାନ୍ତି କାରଣ ସେମାନେ ଜାଣିଥାନ୍ତି ଯେ ଜୀବନରେ ସବୁବେଳେ ସେମାନେ ତା ହାତଧରି ଚାଲିବାକୁ ତା ସାଥିରେ ନଥିବେ। ଜୀବନରେ ପିଲାକୁ ଏକା ଏକା ଚାଲିବାକୁ ହେବ। ତୁମେ କିନ୍ତୁ ତାକୁ ଏତେ ନିର୍ଭରଶୀଳ କରି ଦେଇଛ ଯେ ସେ ଆଜି ନିଜେ ରୋଜଗାର କରିବାକୁ ଚାହୁଁ ନାହିଁ। ଆମ ଦୁଇଜଣଙ୍କ ରୋଜଗାର ଓ ଧନସମ୍ପଦକୁ ସେ ତାର ଭବିଷ୍ୟତର ଜୀବନ ଧାରଣ କରିବାର ଏକ ନିଶ୍ଚିତ ଉତ୍ସ ବୋଲି ଧରି ନେଇଛି। ସେ ଭାବି ନେଇଛି ଯେ ଆମର ଏକମାତ୍ର ପୁଅ ହୋଇଥିବାରୁ ଆମର ସଞ୍ଚିତ ବ୍ୟାଙ୍କ ବାଲାନ୍ସ ଓ ଘରଭଡ଼ା ଯେତେବେଳେ ଭବିଷ୍ୟତରେ ତାକୁ ବିନା ପରିଶ୍ରମରେ ମିଳିଯିବ ସେ ଟଙ୍କା ରୋଜଗାର କରିବା ପାଇଁ ପରିଶ୍ରମ କରିବ କାହିଁକି ! ଚାକିରି ପାଇବା ପାଇଁ ପରିଶ୍ରମ କରି ପଢ଼ାପଢ଼ି କରିବ କାହିଁକି ! ତାପରେ ପୁଅ କଥା ଛାଡ଼। ଅନାବଶ୍ୟକ ଖର୍ଚ୍ଚ କରିବାକୁ ମୁଁ ତୁମକୁ ମଧ୍ୟ ଯେତେବେଳେ ବାରଣ କରିଛି ତୁମେ କଣ ମୋ କଥା କେବେ ଶୁଣିଛ ! ମୁଁ ଜାଣିଛି ପୁଅ ଭଳି ତୁମେ ମଧ୍ୟ ମୋତେ କଞ୍ଜୁସ ଭାବି ମୋ ଉପରେ ମନେ ମନେ ଅଶାନ୍ତି ହୋଇଛ। ସେଥିପାଇଁ ମୋ ଉପରେ ପ୍ରତିଶୋଧ ନେବା ଭଳି ମୁଁ ଯେତେବେଳେ ପୁଅକୁ ଟଙ୍କା ଦେବାକୁ ମନା କରିଛି ତୁମେ ମୋ ବାରଣ ସତ୍ତ୍ୱେ ତାକୁ ଟଙ୍କା ଦେଇଛ। କିନ୍ତୁ ତମସା ! ପ୍ରକୃତରେ ତୁମେ କହିଲ ମୁଁ କଣ କଞ୍ଜୁସ ! ତୁମେ ଖୁସିରେ ଓ ଆରାମରେ ରହିବା ପାଇଁ ଯାହା ଯାହା ଆବଶ୍ୟକ ସେସବୁ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ମୁଁ କଣ କେବେ କୁଣ୍ଠାବୋଧ କରିଛି ? ମୁଁ ତ କେବଳ ଅଯଥା ଖର୍ଚ୍ଚକୁ ବାରଣ କରିଛି। କଥା କଣକି ତମସା ! ଅଯଥା ଖର୍ଚ୍ଚ ଦେଖିଲେ ମୁଁ ଆଦୋୖ ସହ୍ୟ କରି ପାରେନାହିଁ କାରଣ ଅଭାବକୁ ମୁଁ ବହୁତ ନିକଟରୁ ଦେଖିଛି। ଏହା କହି ସଦାନନ୍ଦ ବାବୁ ଭାବୁକ ହୋଇ ଉଠିଲେ। ତାଙ୍କ ଆଖିରେ ଲୁହ ଜକେଇ ଆସିଲା। ଏହା ଦେଖି ତମସା କହିଲେ , ମୁଁ ଆଜି ମାନୁଛି , ମୁଁ ଚାକିରି କରି ପଇସା ରୋଜଗାର କରୁଛି ବୋଲି ମନ ଭିତରେ ଅହଙ୍କାର କରି ତୁମର ବାରଣ ସତ୍ତ୍ୱେ ମୁୁଁ ରଞ୍ଜନକୁ ଟଙ୍କା ଦେଉଥିଲି। ମୋର ଭୁଲ୍ ଯୋଗୁ ପଇସା ମୁହାଁ ହୋଇ ପିଲାଟା ଆଜି ବିଗିଡ଼ି ଯାଇଛି। କିନ୍ତୁ ମୋର ଭୁଲ୍ ପାଇଁ ତୁମେ କାନ୍ଦୁଛ କାହିଁକି ! ସଦାନନ୍ଦ ବାବୁ କହିଲେ , ସେଥିପାଇଁ ମୁଁ କାନ୍ଦୁ ନାହିଁ ତମସା ! ଅଭାବର ଯେଉଁ ଅନୁଭୂତିକୁ ଜୀବନରେ ମୁଁ ଅଙ୍ଗେ ନିଭେଇଛି , ଦାରିଦ୍ର୍ୟର ଯେଉଁ ରୂପକୁ ମୁଁ ଅତି ନିକଟରୁ ଦେଖିଛି ସେହିକଥା ମନେ ପଡ଼ି ଯିବାରୁ ମୋ ଆଖିରେ ଲୁହ ଆସିଗଲା। ମୁଁ କାହିଁକି ଅଯଥା ଖର୍ଚ୍ଚ ଦେଖିଲେ ବରଦାସ୍ତ କରି ପାରେନାହିଁ ତାର କାରଣ ଏବେ ତୁମକୁ କହୁଛି ତୁମେ ଶୁଣ। ଅନେକ ଥର ମୋ ମନିପର୍ସରୁ ଟଙ୍କା ନେବାବେଳେ ମୋ ପର୍ସ ଭିତରେ ପଡ଼ିଥିବା ଅଚଳ ପଇସାଟି ବିଷୟରେ ତୁମେ ମୋତେ ପଚାରିଛ। ମୁଁ କିନ୍ତୁ କେବେ ତୁମକୁ ସେ ଅଚଳ ପଇସା ବିଷୟରେ କହି ନଥିଲି। ଆଜି କିନ୍ତୁ ମୁଁ ତୁମକୁ ସେହି ଅଚଳ ପଇସା ବିଷୟରେ କହିବି କାରଣ ସେହି ଅଚଳ ପଇସା ସହିତ ମୋର ଏଭଳି ଏକ ସ୍ମୃତି ଜଡ଼ିତ ଅଛି ଯାହା ଶୁଣିଲେ ତୁମେ ବୁଝି ପାରିବ ଯେ ମୁଁ ଜୀବନରେ ବଦଖର୍ଚ୍ଚକୁ କାହିଁକି ବରଦାସ୍ତ କରି ପାରେନାହିଁ ବୋଲି ! ତମସା ଏକ ଲକ୍ଷ୍ୟରେ ସ୍ଵାମୀଙ୍କ ମୁଖକୁ ଚାହିଁଥିଲେ।
ସଦାନନ୍ଦ ବାବୁ କହିଲେ , ମୁଁ ସେତେବେଳେ ତୃତୀୟ ଶ୍ରେଣୀରେ ପଢ଼ୁଥାଏ। ସ୍କୁଲରେ ସେବର୍ଷ ସରସ୍ଵତୀ ପୂଜା ଓ ସେ ଉପଲକ୍ଷେ ହେଉଥିବା ଭୋଜି ପାଇଁ ପିଲା ପିଛା ଦୁଇଟଙ୍କା ଚାନ୍ଦା ଧାର୍ଯ୍ୟ କରା ଯାଇଥାଏ। ଚାନ୍ଦା ଦେବାପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟ ଧାର୍ଯ୍ୟ କରା ଯାଇଥାଏ। ଧାର୍ଯ୍ୟ ତାରିଖ ପାଖେଇ ଆସିଲା। ଶ୍ରେଣୀର ସବୁପିଲା ଶ୍ରେଣୀ ଶିକ୍ଷକଙ୍କୁ ଆଣି ସରସ୍ଵତୀ ପୂଜା ଚାନ୍ଦା ଦେଇଦେଲେ। ମୁଁ କିନ୍ତୁ ଏକା ବାକି ରହି ଯାଇଥାଏ। ବାପା ଘରେ ନଥାନ୍ତି। ଗୋଟିଏ ଦୂର ଯାଗାରେ ଏକ ବେସରକାରୀ ସଂସ୍ଥାରେ ସେ ଚାକିରି କରୁଥାନ୍ତି। ସେ ମାସକୁ ଯେତିକି ପଇସା ପାଆନ୍ତି ତାହା ଆମ ଘର ଖର୍ଚ୍ଚକୁ ନିଅଣ୍ଟ ହେଉଥାଏ। ବାପା ମାସ ଶେଷରେ ପଇସା ପାଇଲା ପରେ ଘରକୁ ଆସି ମାସକ ପାଇଁ ଘରର ସଉଦାପତ୍ର ସବୁ କିଣି ରଖି ଦେଇ ଯାଆନ୍ତି। ଆଉ ଅଳ୍ପ ଯେତିକି ପଇସା ବଳେ ଘରର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସେ ତାକୁ ବୋଉ ହାତରେ ଧରାଇ ଦେଇ ଯାଆନ୍ତି। କିନ୍ତୁ ସେହି ଟଙ୍କାର ପରିମାଣ ଏତେ କମ୍ ଯେ ସେଥିରେ ମାସ ସାରା ଘର ଖର୍ଚ୍ଚ ଚଳେଇବା ପାଇଁ ବୋଉକୁ ନାକେଦମ୍ ହେବାକୁ ପଡ଼ୁଥାଏ। ବୋଉ ବହୁତ ଅଭାବ ଓ ଅସୁବିଧା ଭିତରେ ଘର ଚଳାଉଥାଏ। ସବୁଦିନେ ସ୍କୁଲକୁ ଯିବା ବେଳକୁ ମୁଁ ବୋଉକୁ ସରସ୍ଵତୀ ପୂଜା ଚାନ୍ଦା ମାଗେ। ବୋଉ ମୋତେ କୁହେ , କାଲି ଦେବି। ଏମିତି କହି ସେ ଦିନ ଗଡ଼ାଇ ଚାଲିଥାଏ। ତା ପରଦିନ ଚାନ୍ଦା ଦେବାର ଶେଷ ତାରିଖ ଥାଏ। ସେତେବେଳକୁ ଶ୍ରେଣୀର ସବୁପିଲା ଚାନ୍ଦା ଦେଇ ସାରିଲେଣି। ଶ୍ରେଣୀ ଶିକ୍ଷକ ମୋତେ କହିଲେ , ସଦାନନ୍ଦ ! ତୋ ସରସ୍ଵତୀ ପୂଜା ଚାନ୍ଦା କାହିଁ ? ମୁଁ କହିଲି , କାଲି ଦେବି। ଶିକ୍ଷକ କହିଲେ , ହଉ ! ତା ପରଦିନ ସ୍କୁଲକୁ ଗଲାବେଳେ ମୁଁ ବୋଉକୁ କହିଲି , ବୋଉ ! ଆଜି ଚାନ୍ଦା ଦେବାର ଶେଷ ତାରିଖ। କାଲି ମୋତେ ଆମ ଶ୍ରେଣୀ ଶିକ୍ଷକ ଚାନ୍ଦା କଥା ପଚାରୁଥିଲେ। ଆଜି ମୁଁ ଚାନ୍ଦା ନନେଲେ ସ୍କୁଲ୍ ଯିବି ନାହିଁ। ମୋ ମୁହଁରୁ ଏକଥା ଶୁଣି ବୋଉ ଯାଇ ତା କାଠବାକ୍ସ ଖୋଲିଲା। କିଛି ସମୟ ପରେ ସେ ବାକ୍ସ ଭିତରୁ ଚାରିଟା ଚାରେଣୀ ଆଣି ମୋ ହାତରେ ଧରାଇ ଦେଲା ଓ କହିଲା , ନେ ! ସ୍କୁଲରେ ସରସ୍ଵତୀ ପୂଜା ଚାନ୍ଦା ଦେଇଦେବୁ। ସେତେବେଳକୁ ମୋର ବେଶୀ ଜ୍ଞାନ ହୋଇ ନଥିଲେ ବି ମୁଁ ପଇସା ଚିହ୍ନି ପାରୁଥିଲି। ଚାରିଟା ଚାରେଣୀ ଦେଖି ମୁଁ ବୋଉ ମୁହଁକୁ ଆଶ୍ଚର୍ଯ୍ୟରେ ଚାହିଁ ଠିଆ ହୋଇ ରହିଲି। ବୋଉ କହିଲା , ଆଉ ଠିଆ ହୋଇ ରହିଲୁ କାହିଁକି ? ଯାଉନୁ। ସ୍କୁଲ ବେଳ ଡେରି ହୋଇଯିବ। ମୁଁ କହିଲି , ବୋଉ ! ସରସ୍ଵତୀ ପୂଜା ଚାନ୍ଦା ଦୁଇଟଙ୍କା ହୋଇଛି। ତୁ ତ ମୋତେ ଚାରିଟା ଚାରେଣୀ ଦେଇଛୁ। ଏ ତ ଦୁଇଟଙ୍କା ହେଉନାହିଁ। ଏ ତ ଏକଟଙ୍କା ହେଉଛି। ମୁଁ ସ୍କୁଲରେ ଚାନ୍ଦା ଦେବି କେମିତି ! ମୋ ମୁହଁରୁ ଏକଥା ଶୁଣି ବୋଉର ମୁହଁରେ ସତେକି ଦୁଃଖର କଳା ବାଦଲ ଘୋଟି ଆସିଲା। ସେ ଲୁହ ଛଳଛଳ ଆଖିରେ କହିଲା , ଏ ଚାରେଣୀ ନୁହେଁ , ଏ ହେଉଛି ଛୋଟ ଆଠେଣି। ଏତିକି କହୁ କହୁ ବୋଉ ଆଖିରୁ ବହି ଆସୁଥିବା ଲୁହକୁ ବୋଉ ତା ଲୁଗା କାନିରେ ପୋଛି ଦେଇଥିଲା। ବୋଉର ଅସହାୟତା ମୁଁ ବୁଝି ପାରିଥିଲି। ସରସ୍ଵତୀ ପୂଜା ଚାନ୍ଦା ଦେବାକୁ ସବୁଦିନେ ବୋଉ ମୋତେ କାହିଁକି କାଲି କାଲି ବୋଲି କହୁଥିଲା ସେକଥା ମୁଁ ଜାଣି ପାରିଥିଲି। ବୋଧହୁଏ ମୋତେ ଦୁଇଟଙ୍କା ଚାନ୍ଦା ଦେବାପାଇଁ ଗତ ଆଠଦିନ ଧରି ସେ ଆଉ ଗୋଟିଏ ଟଙ୍କା ଯୋଗାଡ଼ କରିବାକୁ ଅନେକ ଚେଷ୍ଟା କରିଛି। କିନ୍ତୁ ସେ ସେଥିରେ ଅସଫଳ ହୋଇଛି। ଆଉ ଗୋଟିଏ ଟଙ୍କା ଯୋଗାଡ଼ କରି ନ ପାରିବାରୁ ବୋଉ ମୋତେ ବୁଝେଇବାକୁ ଯାଇ ତାର ଅନିଚ୍ଛା ସତ୍ତ୍ଵେ ମୋତେ ଏପରି କହିବାକୁ ବାଧ୍ୟ ହେଉଛି ବୋଲି ଜାଣି ମୁଁ ପାରିଲି। ସ୍କୁଲ ଟାଇମ୍ ହୋଇ ଯାଉଥିଲା। ସେଦିନ ଚାନ୍ଦା ଦେବାର ଶେଷ ତାରିଖ ମଧ୍ୟ ଥିଲା। ମୁଁ ଆଉ ବୋଉ ପାଖରେ ବେଶୀ ଅଳି ନକରି ସେହି ଚାରେଣୀ ଚାରିଟାକୁ ନେଇ ସ୍କୁଲକୁ ଗଲି। ମନରେ ମୋର ସରାଗ ନଥାଏ। ବୋଉର ସେହି ଲୁହ ଛଳଛଳ ଆଖି ଦିଟା ମୋତେ ବାରମ୍ବାର ଦିଶି ଯାଉଥାଏ। ଏପଟେ ଆଜି ଚାନ୍ଦା ଦେବାର ଶେଷ ତାରିଖ। ସବୁ ପିଲା ଚାନ୍ଦା ଦେଇ ସାରିବା ପରେ ମୁଁ ଯଦି ଗୋଟିଏ ଟଙ୍କା ନେଇ ସରସ୍ଵତୀ ପୂଜା ଚାନ୍ଦା ଦିଏ ତାହେଲେ ଶ୍ରେଣୀ ଶିକ୍ଷକ ରାଗିବେ ବୋଲି ସେ ଭୟ ମଧ୍ୟ ମନରେ ଥାଏ। ସେ ଯାହାହେଉ ନା କାହିଁକି ମନ ଭିତରେ ଏହିଭଳି ଅନେକ ଆଶଙ୍କା ରଖି ସ୍କୁଲରେ ଯାଇ ପହଞ୍ଚିଲି। ପ୍ରାର୍ଥନା ସରିଲା। ଶେଣୀ ଶିକ୍ଷକ ଯେତେବେଳେ ଆସି ଚଉକି ଉପରେ ବସିଲେ ମୁଁ ଯାଇ ତାଙ୍କ ହାତରେ ସେହି ଚାରିଟା ଚାରେଣୀ ଦେଲି। ଚାରିଟା ଚାରେଣୀ ଦେଖି ସେ ଯେତେବେଳେ ମୋ ମୁହଁକୁ ଆଶ୍ଚର୍ଯ୍ୟର ସହିତ ଚାହିଁଲେ ମୁଁ ତଳକୁ ମୁଁହ ପୋତି ଡରି ଡରି କହିଲି , ସାର୍ ! ମୋ ବୋଉ ପାଖରେ ଏତିକି ପଇସା ଥିଲା। ପ୍ରଥମେ ସେ ଟିକେ ଚିନ୍ତା କଲେ ଓ ତାପରେ ମୋ ମନରୁ ସବୁ ଆଶଙ୍କା ଦୂର କରି ସେ ମୋତେ କହିଲେ , ହଉ। ଠିକ୍ ଅଛି। ତୁ ଯାଆ। ମୋର ସେଇ ପଦେ କଥାରୁ ସେ ବୋଧେ ଆମର ଆର୍ଥିକ ଅସୁବିଧା ବିଷୟରେ ଜାଣି ପାରିଥିଲେ।
ତାପରେ ସରସ୍ଵତୀ ପୂଜା ସରିଲା। ସେଦିନ ପୂଜା ପରେ ଭୋଜି ଖାଇ ମୁଁ ଘରକୁ ଫେରିଲି। କିନ୍ତୁ ସେଦିନ ମୋ ବୋଉ ମୋତେ ସରସ୍ଵତୀ ପୂଜା ଚାନ୍ଦା ଦେଲାବେଳେ ତା ମୁହଁରେ ମୁଁ ଯେଉଁ ଅସହାୟତା ଓ ଅଭାବବୋଧର କଳାବାଦଲ ଦେଖିଥିଲି ତାକୁ ମୁଁ ଜୀବନରେ କେବେ ଭୁଲି ପାରିଲି ନାହିଁ। ବୋଉ ପାଖରେ ଗୋଟିଏ ଟଙ୍କା ନ ଥିବାରୁ ମୋତେ ସରସ୍ଵତୀ ପୂଜା ଚାନ୍ଦା ପାଇଁ ସେଦିନ ଦୁଇଟଙ୍କା ଦେଇ ନପାରି ସେ ମନ ମଧ୍ୟରେ ଯେଉଁ କଷ୍ଟ ପାଇଥିଲା ସେ କଷ୍ଟକୁ ମୁଁ ଅନୁଭବ କରି ପାରିଥିଲି। ସେଦିନ ଅଭାବକୁ ମୁଁ ଖୁବ୍ ନିକଟରୁ ଦେଖିଥିଲି। ଗୋଟିଏ ଟଙ୍କା ପାଇଁ ମଣିଷକୁ ଯେ କି ପରିସ୍ଥିତିର ସାମ୍ନା କରିବାକୁ ପଡ଼େ ସେ କଥା ମୁଁ ଅଙ୍ଗେ ନିଭେଇଥିଲି। ପଇସାର ମୂଲ୍ୟ କଣ ସେଦିନ ମୁଁ ଭଲ ଭାବରେ ବୁଝି ପାରିଥିଲି।
ତାପରେ ମୁଁ ପାଠ ପଢ଼ି ଚାକିରି କଲି। ଅନେକ ପଇସା ରୋଜଗାର ମଧ୍ୟ କଲି। ବୋଉ ମୋର ରୋଜଗାର ଦେଖି ବହୁତ ଖୁସି ହେଲା। କିନ୍ତୁ ଯେତେ ରୋଜଗାର କଲେ ବି ଅଯଥା ଖର୍ଚ୍ଚ କଥା ଉଠିଲେ ମୁଁ କଠୋର ହୋଇ ଯାଉଥିଲି। ଯଥାର୍ଥରେ ଯେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲେ ବି ମୁଁ କେବେ ସେଥିପାଇଁ କୁଣ୍ଠାବୋଧ କରୁ ନଥିଲି। କିନ୍ତୁ କେଉଁଠି ଯଦି ଗୋଟିଏ ଟଙ୍କା ଅଯଥାରେ ଖର୍ଚ୍ଚ କରିବା କଥା ଆସୁଥିଲା ସେଦିନର କଥା ମୋର ମନେ ପଡ଼ି ଯାଉଥିଲା ଓ ଯିଏ ମୋତେ ଭଲ ଭାବୁ କି ଖରାପ ଭାବୁ ଅନାବଶ୍ୟକ ଖର୍ଚ୍ଚ କରିବାକୁ ମୁଁ ସିଧାସିଧା ମନା କରି ଦେଉଥିଲି। ତାପରେ ତୁମର ମୋ ସହିତ ବିଭାଘର ହେଲା। ଆମ ବିଭାଘରର ଦୁଇବର୍ଷ ପରେ ରଞ୍ଜନ ତୁମ କୋଳକୁ ଆସିଲା। ଅନେକ ସମୟରେ ତୁମେ ଯେତେବେଳେ ମୋତେ ଅନାବଶ୍ୟକ ଖର୍ଚ୍ଚ କରିବାକୁ କହିଛ ମୁଁ ତୁମକୁ ବାରଣ କରିଛି। ମୁଁ ଜାଣିଛି ସେଥିପାଇଁ ତୁମେ ମନଦୁଃଖ କରିଛ। ମୋତେ ତୁମେ ଜଣେ କଞ୍ଜୁସ ଲୋକ ବୋଲି ଧରି ନେଇଛ। କିନ୍ତୁ ବାସ୍ତବ କଥା ହେଲା ଅଭାବକୁ ସେଦିନ ମୁଁ ଏତେ ନିକଟରୁ ଦେଖିଛି ଯେ ଅନାବଶ୍ୟକ ଖର୍ଚ୍ଚକୁ ମୁଁ କେବେ ବରଦାସ୍ତ କରି ପାରେନାହିଁ।
ସମୟକ୍ରମେ ବାପା ଓ ବୋଉ ଚାଲିଗଲେ। ତୃତୀୟ ଶ୍ରେଣୀରେ ସରସ୍ଵତୀ ପୂଜା ଚାନ୍ଦା ପାଇଁ ବୋଉ ମୋତେ ଦୁଇଟଙ୍କା ଦେଇ ନପାରି ଯେଉଁ ଚାରିଟା ଚାରେଣୀ ଦେଇ ପରିସ୍ଥିତିର ତାଡ଼ନାରେ ଚାରେଣୀକୁ ଛୋଟ ଆଠେଣି ବୋଲି କହିଥିଲା ସମୟକ୍ରମେ ସେହି ଚାରେଣୀ ମଧ୍ୟ ଅଚଳ ହୋଇଗଲା। ସମସ୍ତଙ୍କ ପାଇଁ ଚାରେଣୀ ସିନା ଅଚଳ ପଇସା ହୋଇଗଲା। କିନ୍ତୁ ଚାରେଣୀ ସହିତ ଜଡ଼ିତ ହୋଇ ଯାଇଥିବା ମୋ ବୋଉର ସେଦିନର ଅଭାବବୋଧ ଓ ଅସହାୟତା ସବୁଦିନ ପାଇଁ ଚାରେଣୀକୁ ମୋ ପାଇଁ ସଚଳ କରି ରଖିଦେଲା। ସେଥିପାଇଁ ଚାରେଣୀକୁ ସମସ୍ତେ ଭୁଲି ଯାଇଥିଲେ ମଧ୍ୟ ମୁଁ ତାକୁ ଭୁଲି ପାରିଲି ନାହିଁ। ମନିପର୍ସ ବ୍ୟବହାର କଲାପରେ ଅଚଳ ହୋଇ ଯାଇଥିଲେ ମଧ୍ୟ ଗୋଟିଏ ଚାରେଣୀ ସଂଗ୍ରହ କରି ମୁଁ ତାକୁ ମୋ ମନିପର୍ସ ଭିତରେ ସାଇତି ରଖିଲି। ଜୀବନରେ ଅନେକ ମନିପର୍ସ କିଣା ହୋଇ ଚିରି ଫୋପଡ଼ା ହେଲାଣି। କିନ୍ତୁ ଚାରେଣୀଟିଏ ସେମିତି ମୋ ମନିପର୍ସ ଭିତରେ ସବୁବେଳେ ସାଇତା ହୋଇ ରହିଛି। ମୋ ମନିପର୍ସ ଭିତରକୁ କେତେ ଯେ ଟଙ୍କା ଆସିଛି ଓ ଯାଇଛି ତାର ହିସାବ ମୋ ପାଖରେ ହୁଏତ ନାହିଁ କିନ୍ତୁ ମୋ ବୋଉର ସ୍ମୃତି ମୋ ଭିତରେ ସର୍ବଦା ଉଜ୍ଜୀବିତ ହୋଇ ରହିଲା ପରି ଗୋଟିଏ ଚାରେଣୀ ଯେ ମୋ ମନିପର୍ସ ଭିତରେ ଅଛି ଏ ହିସାବ ସବୁବେଳେ ମୋ ପାଖରେ ଥାଏ। ଏ ଦୁନିଆରେ କାହାରି ପାଇଁ ଆଜି ସେ ଚାରେଣୀର କିଛି ମୂଲ୍ୟ ନାହିଁ ସତ କିନ୍ତୁ ମୋ ପାଇଁ ସେ ଚାରେଣୀଟି ଏ ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ହୋଇଯାଇଛି । ସେହି ଚାରେଣୀ ବିନିମୟରେ ଯଦି ଆଜି ମୋତେ କେହି କୋଟିଏ ଟଙ୍କା ଦେଇ ତାହାକୁ ନେବାକୁ ଚାହେଁ ମୁଁ କେବେହେଲେ ସେ ଚାରେଣୀଟିକୁ ଦେବି ନାହିଁ କାହିଁକି ନା ସେହିଭଳି ଚାରିଟା ଚାରେଣୀ ସହିତ ମୋ ବୋଉର ସ୍ମୃତି ବିଜଡ଼ିତ ଅଛି। ମୋ ବୋଉର ସ୍ମୃତି ମୋ ପାଇଁ ଦୁର୍ମୂଲ୍ୟ। ସେଥିପାଇଁ ସେହି ଚାରେଣୀ ଆଗରେ ଏ ଦୁନିଆର ସମସ୍ତ ସମ୍ପଦ ମୋତେ ମୂଲ୍ୟହୀନ ଲାଗେ। ଏତିକି କହି ନିଜର ଅତୀତର ସ୍ମୃତିକୁ ନେଇ ଭାବୁକ ହୋଇ ଯାଇଥିବା ସଦାନନ୍ଦ ବାବୁ ଲୁହ ଛଳଛଳ ଆଖିରେ ତମସାଙ୍କ ଆଡ଼କୁ ଚାହିଁଲେ। ନିଜ ପଣତ କାନିରେ ସ୍ଵାମୀଙ୍କ ଆଖିରୁ ଲୁହ ପୋଛି ତମସା କହିଲେ , ତୁମ କଥା ନଶୁଣି ମୁଁ ସତରେ ଜୀବନରେ ବହୁତ ବଡ଼ ଭୁଲ୍ କରି ଦେଇଛି। ତୁମକୁ କଞ୍ଜୁସ ବୋଲି ଭାବି ମୁଁ ତୁମ ମନରେ ଯେଉଁ ଦୁଃଖ ଦେଇଛି ସେଥିପାଇଁ ତୁମେ ମୋତେ କ୍ଷମା କରିଦିଅ। ସଦାନନ୍ଦ ବାବୁ କହିଲେ , ତୁମେ ମୋତେ ଭୁଲ୍ ମାଗିବା ଦରକାର ନାହିଁ। ତୁମେ ତୁମର ଭୁଲ୍ ବୁଝି ପାରିଛ। ସେତିକି ମୋ ପାଇଁ ଯଥେଷ୍ଟ। ମୋ ଜୀବନର ଗୋଟିଏ ଆଦର୍ଶ ହେଲା ଉଚିତ୍ ମାର୍ଗରେ ଯେତେ ଟଙ୍କା ଖର୍ଚ୍ଚ ହେଉ ପଛେ ଅନୁଚିତ୍ ମାର୍ଗରେ ଗୋଟିଏ ବି ଟଙ୍କା ଅଯଥାରେ ଖର୍ଚ୍ଚ ନହେଉ।
ସଦାନନ୍ଦ ବାବୁ ଯେତେବେଳେ ତମସାଙ୍କ ଆଗରେ ସେ ମନିପର୍ସରେ ସାଇତି ରଖିଥିବା ଅଚଳ ପଇସା ବିଷୟରେ କହୁଥିଲେ ତମସାଙ୍କ ପାଖକୁ ପଇସା ମାଗିବାକୁ ଆସୁଥିବା ରଞ୍ଜନ କବାଟ ଆଢୁଆଳରେ ଠିଆ ହୋଇ ସେସବୁ ଶୁଣୁଥିଲା। ଅନେକ ସମୟରେ ସଦାନନ୍ଦ ବାବୁ ତାକୁ ଯେତେବେଳେ ତାଙ୍କ ପର୍ସରୁ ପଇସା ନେବାପାଇଁ କହନ୍ତି ପର୍ସରୁ ଟଙ୍କା ନେବାବେଳେ ସେ ସେହି ଅଚଳ ପଇସାଟିକୁ ମଧ୍ୟ ଦେଖିଛି। କିନ୍ତୁ ସେ ଅଚଳ ପଇସା ପଛରେ ତା ବାପାଙ୍କ ଜୀବନର ଏତେ ବଡ଼ ନିଷ୍ଠୁର ସତ୍ୟ ଯେ ଲୁଚି ରହିଛି ସେକଥା ସେ ଜାଣି ନଥିଲା। ତା ବାପା ଯେତେବେଳେ ତାକୁ ପଇସା ମାଗିବାର କାରଣ ପଚାରୁଥିଲେ ସେ ତା ବାପାଙ୍କ ଉପରେ ମନେ ମନେ ବିରକ୍ତ ହେଉଥିଲା ଓ ତାଙ୍କୁ ଜଣେ କଞ୍ଜୁସ ଲୋକ ବୋଲି ଭାବୁଥିଲା। ରଞ୍ଜନ ମନେ ମନେ ଭାବିଲା , ସେ କେତେ ଭୁଲ୍ ନଥିଲା ସତରେ ! ପ୍ରକୃତରେ ଗୋଟିଏ ଟଙ୍କାର ମୂଲ୍ୟ କଣ ସେକଥା ତା ବାପା ବୁଝିଥିଲେ ଯେଉଁଥିପାଇଁ ଅନାବଶ୍ୟକ ଖର୍ଚ୍ଚକୁ ସେ କେବେ ପ୍ରୋତ୍ସାହିତ କରୁ ନଥିଲେ। ଅଯଥା ଖର୍ଚ୍ଚ ପାଇଁ ଟଙ୍କା ନଦେଇ ଟଙ୍କାର ମୂଲ୍ୟ କଣ ସେକଥା ତାକୁ ବୁଝେଇବା ପାଇଁ ତା ବାପା ବାରମ୍ବାର ପ୍ରୟାସ କରୁଥିଲେ। ସେ କିନ୍ତୁ ବାପାଙ୍କ ଇଚ୍ଛା ବିରୁଦ୍ଧରେ ମାଆଙ୍କ ଠାରୁ ଟଙ୍କା ନେଇ ସାଙ୍ଗସାଥିମାନଙ୍କ ମେଳରେ ସେ ଟଙ୍କାକୁ ଅଯଥାରେ ଖର୍ଚ୍ଚ କରି ଦେଉଥିଲା। ଉଚିତ୍ ଖର୍ଚ୍ଚ ପାଇଁ ଟଙ୍କା ମାଗିଲେ ତା ବାପା ତ ତାକୁ ଟଙ୍କା ଦେବାକୁ ମନା କରୁ ନଥିଲେ ! ସେ କେବଳ ଅନାବଶ୍ୟକ ଖର୍ଚ୍ଚ ପାଇଁ ଟଙ୍କା ଦେବାକୁ ତାକୁ ମନା କରି ଦେଉଥିଲେ। ଏତିକି କଥା ସେ ବୁଝି ପାରିଲା ନାହିଁ କେମିତି ! ରଞ୍ଜନ ନିଜର ଭୁଲ୍ ପାଇଁ ମନେ ମନେ ଅନୁତାପ କରୁଥିଲା। ମାଆଙ୍କ ଠାରୁ କେତେ ଯେ ଟଙ୍କା ନେଇ ସେ ବାଜେ ଖର୍ଚ୍ଚ କରି ଦେଇଛି ସେକଥା ଭାବିଲା ବେଳକୁ ତାକୁ ନିଜକୁ ନିଜେ ଦୋଷୀ ଦୋଷୀ ଲାଗୁଥିଲା। ଅଚଳ ପଇସାର କାହାଣୀ ତା ଜୀବନରେ ଏକ ନୂଆ ମୋଡ଼ ଆଣିଥିଲା।
ରଞ୍ଜନ ଧୀରେ ଧୀରେ ଘର ଭିତରକୁ ଗଲା ଓ ବାପା ଓ ମାଆଙ୍କ ଆଗରେ ଦୋଷୀଟିଏ ଭଳି ମୁହଁ ପୋତି ଠିଆ ହେଲା। ପୁଅକୁ ଦେଖି ତମସା ମନେମନେ ଭାବିଲେ , ସାଙ୍ଗମାନଙ୍କ ସହିତ ବୁଲିବା ସମୟ ହୋଇଗଲା। ସେଇଥିପାଇଁ ବୋଧେ ପଇସା ମାଗିବାକୁ ଆସିଛି। ସେ ପୁଅକୁ କହିଲେ , କଣ ସାଙ୍ଗମାନଙ୍କ ସହିତ ବୁଲିବା ପାଇଁଁ ଟଙ୍କା ଦରକାର ନା କଣ ? ରଞ୍ଜନ କହିଲା , ନାଇଁ ମା ! ସେଥିପାଇଁ ମୋର ଟଙ୍କା ଦରକାର ନାହିଁ। ମୋର ବ୍ୟାଙ୍କିଙ୍ଗ ପରୀକ୍ଷା ଆଉ ଦୁଇମାସ ରହିଲା। ବ୍ୟାଙ୍କିଙ୍ଗ ଗାଇଡ୍ କିଣିବା ପାଇଁ ମୋର ଟଙ୍କା ଦରକାର। ତମସା କିଛି କହିବା ଆଗରୁ ସଦାନନ୍ଦ ବାବୁ ହସି ହସି କହିଲେ , ରଞ୍ଜନ ! ମୋ ମନିପର୍ସରେ ଟଙ୍କା ଅଛି। ବ୍ୟାଙ୍କିଙ୍ଗ ଗାଇଡ୍ କିଣିବା ପାଇଁ ତୋର ଯେତେ ଟଙ୍କା ଦରକାର ତୁ ଯା ମୋ ପର୍ସରୁ ନେଇଯିବୁ। ଆଜ୍ଞା ! କହି ରଞ୍ଜନ ସଦାନନ୍ଦ ବାବୁଙ୍କ ଶୋଇବା ଘରକୁ ଚାଲି ଯାଉଥିଲା। ସଦାନନ୍ଦ ବାବୁ ଓ ତମସା ହସ ହସ ମୁହଁରେ ପୁଅର ଏ ଆକସ୍ମିକ ପରିବର୍ତ୍ତନକୁ ଲକ୍ଷ୍ୟ କରୁଥିଲେ। ରଞ୍ଜନ ସଦାନନ୍ଦ ବାବୁଙ୍କ ମନିପର୍ସରୁ ବ୍ୟାଙ୍କିଙ୍ଗ ଗାଇଡ୍ କିଣିବା ପାଇଁ ଟଙ୍କା ନେଲାବେଳେ ସେହି ଅଚଳ ପଇସାଟି ତା ଆଖିରେ ପଡ଼ିଲା। ସେହି ଅଚଳ ପଇସାଟି ତା ଜୀବନର ଗତିପଥ ବଦଳାଇ ଦେଇଥିବାରୁ ସେ ତାକୁ ଆଣି ମୁଣ୍ଡରେ ମାରି ପୁଣି ମନିପର୍ସ ଭିତରେ ରଖିଲା ଓ ବ୍ୟାଙ୍କିଙ୍ଗ ଗାଇଡ୍ କିଣିବା ପାଇଁ ବଜାରକୁ ଚାଲିଗଲା।
ଏ ଘଟଣା ଘଟିବାର ଛଅମାସ ପରର କଥା। ସେତେବେଳକୁ ରଞ୍ଜନ ବ୍ୟାଙ୍କିଙ୍ଗର ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଚୂଡାନ୍ତ ପରୀକ୍ଷା ଦେଇ ସାରିଥାଏ। ସେଦିନ ସଦାନନ୍ଦ ବାବୁ ଡ୍ରଇଂ ରୁମରେ ବସି ପତ୍ନୀଙ୍କ ସହିତ କଥା ହେଉଥାନ୍ତି। ରଞ୍ଜନ ହସି ହସି ଘର ଭିତରକୁ ପଶି ଆସିଲା ଓ ବାପା ଏବଂ ମାଆ ଦୁଇଜଣଙ୍କର ପାଦଧୂଳି ନେଇ କହିଲା , ବାପା ! ବ୍ୟାଙ୍କ ଅଫିସର୍ ପାଇଁ ଦେଇଥିବା ଚୂଡ଼ାନ୍ତ ପରୀକ୍ଷାରେ ମୁଁ କୃତକାର୍ଯ୍ୟ ହୋଇଛି। ପୁଅ ମୁହଁରୁ ଏହି ଖୁସି ଖବର ଶୁଣି ସଦାନନ୍ଦ ବାବୁ ଓ ତମସା ଦୁଇଜଣ ଯାକ ପୁଅକୁ ଆନନ୍ଦରେ କୁଣ୍ଡେଇ ପକାଇଲେ। ସଦାନନ୍ଦ ବାବୁ ପୁଅକୁ କହିଲେ , ରଞ୍ଜନ ! ତୁ ଅଯଥା ଖର୍ଚ୍ଚ କରି ସାଙ୍ଗସାଥିମାନଙ୍କ ମେଳରେ ଯେତେବେଳେ ସମୟ ନଷ୍ଟ କରୁଥିଲୁ ସେକଥା ଦେଖି ତୋ ମାଆ ଏବଂ ମୁଁ ଚିନ୍ତାରେ ପଡ଼ି ଯାଇଥିଲୁ। ଆମ ଅନ୍ତେ ଭବିଷ୍ୟତରେ ତୁ କିପରି ଚଳିବୁ ସେହିକଥା ଭାବି ଆମ ଦୁଇଜଣଙ୍କ ଆଖିକୁ ନିଦ ଆସୁ ନଥିଲା। କିନ୍ତୁ ଯେଉଁଦିନ ଠାରୁ ତୁ ଆଉ ସାଙ୍ଗସାଥିମାନଙ୍କ ସହିତ ସମୟ ନଷ୍ଟ ନକରି ପଢ଼ାରେ ମନ ଦେଲୁ ତୁ ଏ ପରୀକ୍ଷାରେ ନିଶ୍ଚିତ କୃତକାର୍ଯ୍ୟ ହେବୁ ବୋଲି ମୁଁ ଜାଣିଥିଲି। କିନ୍ତୁ ! ରଞ୍ଜନ ! ଆମେ ତ ତୋତେ କେହି କିଛି କହିନୁ। ହଠାତ୍ ତୋର ଏଭଳି ପରିବର୍ତ୍ତନ ହେଲା କେମିତି ! ରଞ୍ଜନ କହିଲା , ବାପା ! ଆପଣଙ୍କ ମନିପର୍ସରେ ଥିବା ଅଚଳ ପଇସାର କାହାଣୀ ହିଁ ମୋ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ରୂପେ ବଦଳେଇ ଦେଲା। ପୁଅ ମୁହଁରୁ ଏକଥା ଶୁଣି ସଦାନନ୍ଦ ବାବୁ ଓ ତମସା ତାକୁ ଯେତେବେଳେ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ରଞ୍ଜନ କହିଲା , ହଁ ବାପା ! ଆପଣ ଯେଉଁଦିନ ମାଆଙ୍କ ଆଗରେ ଆପଣଙ୍କ ମନିପର୍ସରେ ସାଇତା ଥିବା ସେହି ଅଚଳ ପଇସା ବିଷୟରେ କହୁଥିଲେ ମୁଁ କବାଟ ଆଢୁଆଳରେ ଠିଆ ହୋଇ ସବୁ ଶୁଣିଥିଲି। ପଇସାର ମୂଲ୍ୟ କଣ ସେଦିନ ମୁଁ ବୁଝି ପାରିଥିଲି ଓ ସେହିଦିନଠାରୁ ଆଉ ଜୀବନରେ କୋୖଣସି ଅନାବଶ୍ୟକ ଖର୍ଚ୍ଚ କରିବି ନାହିଁ ବୋଲି ଶପଥ ନେଇଥିଲି। ପୁଅ ମୁହଁରୁ ଏକଥା ଶୁଣି ସଦାନନ୍ଦ ବାବୁଙ୍କର ତାଙ୍କ ବୋଉଙ୍କ କଥା ମନେ ପଡ଼ିଗଲା। ସରସ୍ଵତୀ ପୂଜା ଚାନ୍ଦା ଦେବାକୁ ଦୁଇ ଟଙ୍କା ଯୋଗାଡ଼ କରି ନପାରି ସେଦିନ ଚାରୋଟି ଚାରେଣୀକୁ ଚାରୋଟି ଛୋଟ ଆଠେଣି କହିବା ସମୟରେ ତାଙ୍କ ମୁହଁରେ ଯେଉଁ ଅଭାବବୋଧ ଓ ଅସହାୟତା ଥିଲା ସେକଥା ତାଙ୍କର ମନେ ପଡ଼ିଗଲା। ତାଙ୍କ ଆଖିରୁ ତାଙ୍କ ଅଜାଣତରେ ଦୁଇଟୋପା ଲୁହ ଗଡ଼ି ପଡ଼ିଲା। ଏହା ଦେଖି ତମସା କହିଲେ , ଆଜିଭଳି ଖୁସିର ଦିନରେ ତୁମେ କାନ୍ଦୁଛ କାହିଁକି ? ସଦାନନ୍ଦ ବାବୁ ଆଖିରୁ ଲୁହ ପୋଛି କହିଲେ , ମୋ ମନିପର୍ସରେ ଥିବା ଯେଉଁ ଚାରେଣୀ ସାରା ଦୁନିଆଁ ପାଇଁ ଅଚଳ ହୋଇ ଯାଇଛି , ସେହି ଅଚଳ ପଇସା, ମୋ ପୁଅକୁ ଯେଉଁପରି ଭାବରେ ଅବାଟରୁ ବାଟକୁ ଫେରେଇ ଆଣିଲା ସେହି କଥା ଭାବି ମୋ ଆଖିକୁ ଲୁହ ଆସିଗଲା। ତେଣୁ ସେହି ଅଚଳ ପଇସାଟି ମୋ ପାଇଁ ଯେ ଦୁନିଆଁର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ତାର ପ୍ରମାଣ ମୁଁ ଆଜି ପାଇଗଲି। ପାଖରେ ଠିଆ ହୋଇଥିବା ରଞ୍ଜନର ମୁଣ୍ଡକୁ ସ୍ନେହରେ ଆଉଁସି ତମସା କହିଲେ , ଠିକ୍ କହିଛ। ସେ ଅଚଳ ପଇସା ଖାଲି ମୋ ପୁଅକୁ ନୁହେଁ ମୋତେ ମଧ୍ୟ ଅବାଟରୁ ବାଟକୁ ଫେରେଇ ଆଣିଛି। ମୁଁ ଆଉ ଏଣିକି ଅଯଥା ଖର୍ଚ୍ଚ କରିବି ନାହିଁ।
***************
