STORYMIRROR

Biswanath Nayak

Others

4  

Biswanath Nayak

Others

ଶେଷ ଇଚ୍ଛା __________

ଶେଷ ଇଚ୍ଛା __________

16 mins
13

ଶେଷ ଇଚ୍ଛା
----------------
ଖଟଟା ଉପରେ ଶୋଇ ରହି ଶୂନ୍ୟକୁ ଚାହିଁ ରହିଥିଲେ ସୁମିତ୍ରା ଦେବୀ। ରୋଗ ଶଯ୍ୟାରେ ପଡ଼ି ରହି ଚିଡ଼ା ଲାଗିଲାଣି। ପିତା ଔଷଧ ଗୁଡ଼ାକ ଖାଇ ଖାଇ ପାଟିଟା ବି ପିତା ହୋଇ ଗଲାଣି। କେତେ ବା ସେହି ଖଟଟା ଉପରେ ପଡ଼ି ରହିବେ ! ଇଚ୍ଛା ହେଲେ ବି ମନକୁ ମନ ଉଠି ବସି ପାରିବେ ନାହିଁ। ରଘୁଆ କିମ୍ବା ତା ସ୍ତ୍ରୀ ମାଳତୀକୁ ଡାକିବାକୁ ପଡ଼ିବ। ସେମାନେ ଆସି ଉଠାଇ ବସାଇଲେ ସେ ଖଟ ବାଡ଼କୁ ଆଉଜି ବସିବେ। ଯଦି ସେମାନେ କେଉଁ କାମରେ ବ୍ୟସ୍ତ ରହି ତାଙ୍କ ଡ଼ାକ ଶୁଣି ନ ପାରିଲେ ତାହେଲେ ସେହି ଖଟଟା ଉପରେ ପଡ଼ି ରହିବା ବ୍ୟତୀତ ତାଙ୍କର ଆଉ ଅନ୍ୟ ଉପାୟ ନଥିଲା। କିଛି ସମୟ ବସି ରହିବା ପରେ ଯଦି ଶୋଇବାକୁ ଇଚ୍ଛା ହେଲା ତାହେଲେ ସେଇମାନେ ହିଁ ସାହାରା। କି ଜୀବନ ଇୟେ ସତରେ ! ନିଜର କିଛି ଇଚ୍ଛା ନାହିଁ , କିଛି ସ୍ଵାଧୀନତା ନାହିଁ। ସବୁବେଳେ ଅନ୍ୟ ଉପରେ ନିର୍ଭର କରି ବଞ୍ଚିବାକୁ ହେବ। ନିଜ ଉପରେ ନିଜେ ବିରକ୍ତ ହୁଅନ୍ତି ସୁମିତ୍ରା ଦେବୀ। ପାଖରେ ଆଉ ନିଜ ଲୋକ କିଏ ଅଛି ଯେ କାହା ଉପରେ ବିରକ୍ତ ହେବେ , କାହା ଉପରେ ଅଭିମାନ କରିବେ ! ରଘୁଆ ଓ ମାଳତୀ ତ ଚାକର ବାକର ଲୋକ। ସେମାନଙ୍କ ଉପରେ ବା ସେ କିପରି ରାଗି ପାରିବେ , କିପରି ଅଭିମାନ କରି ପାରିବେ ! ବାହାର ଲୋକ ହିସାବରେ ସେମାନେ ତାଙ୍କର ଯେତିକି ସେବା କରୁଛନ୍ତି ସେଥିପାଇଁ ସେମାନଙ୍କୁ ଧନ୍ୟବାଦ ଦେବା କଥା। ଦିନସାରା ଯେତେ ପରିଶ୍ରମ ହେଉ ନା କାହିଁକି ରାତିରେ ରଘୁଆ ଓ ମାଳତୀ ଦୁଆର ମୁହଁରେ ଶପ ଖଣ୍ଡେ ପାରି ସେମିତି ଶୋଇଥିବେ। ରାତିରେ ଟିକେ ରଘୁଆ ବୋଲି ଡାକି ଦେଲେ ସାଙ୍ଗେ ସାଙ୍ଗେ ଉଠି ଧାଇଁ ଆସିବେ ଓ ତାଙ୍କୁ ଧରାଧରି କରି ଘର ଭିତରେ ଥିବା ପାଇଖାନା ପାଖକୁ ନେଇଯିବେ। ପାଇଖାନାରେ ସେ ତାଙ୍କ ନିତ୍ୟକର୍ମ ସାରିବା ପର୍ଯ୍ୟନ୍ତ ସେମିତି ବାହାର କାନ୍ଥକୁ ଆଉଜି ଠିଆ ହୋଇଥିବେ। ତାଙ୍କୁ ଆଣି ଖଟ ଉପରେ ଶୁଆଇ ଦେଲା ପରେ ପୁଣି ସେମାନେ ଯାଇ ଶୋଇବେ। ଆଜିକାଲି କେଉଁ ଚାକର ବାକର ଲୋକ ଏମିତି ସେବା କରିବ ଯେ ! ସମୟେ ସମୟେ ସେ ଭାବନ୍ତି ପୂର୍ବ ଜନ୍ମରେ ରଘୁଆ ଓ ମାଳତୀ ବୋଧ ହୁଏ ତାଙ୍କର ପୁଅ ଓ ବୋହୂ ଥିଲେ। ଦିନସାରା ଖଟଟା ଉପରେ ଶୋଇ ରହିଲେ ରାତିରେ ଆଉ ଆଖିକୁ ଭଲ ନିଦ ଆସେନାହିଁ ! ଦିନେ ଦିନେ ସେ ସେମିତି ଖଟଟା ଉପରେ ଶୋଇ ରହି ଉପରେ ବୁଲୁଥିବା ସିଲିଂ ପଙ୍ଖାଟାକୁ ଚାହିଁ ରହିଥାନ୍ତି। ଘର ଭିତରେ ନିଷ୍ପ୍ରଭ ନୀଳ ବିଜୁଳି ଆଲୁଅ ଜଳୁଥାଏ। ଆଖି ଆଗକୁ ତାଙ୍କ ପୁରୁଣା ଦିନର ସ୍ମୃତି ସବୁ ଭାସିଆସେ। କାହିଁ କେଉଁ ନିପଟ ମଫସଲ ଗାଆଁ ରାଣୀପୁର । ଗାଆଁ ପାଖକୁ ଲାଗି ଧାନ ଗହୀର। ସେ ଯେତେବେଳେ ନୂଆ ବୋହୂ ହୋଇ ଗାଆଁକୁ ଆସିଥିଲେ ପ୍ରଥମେ ପ୍ରଥମେ ତାଙ୍କ ଶାଶୁଘରେ ରାତିରେ ତାଙ୍କୁ ଭାରି ଡର ମାଡ଼ୁଥିଲା। ରାତି ଅଧରେ ଗହୀରମଥାରୁ ଯେତେବେଳେ ବିଲୁଆମାନଙ୍କର ହୁକେ ହୋ ଶବ୍ଦ ଶୁଭେ ସେ ପାଖରେ ଶୋଇଥିବା ସ୍ଵାମୀଙ୍କ ନିକଟକୁ ଲାଗି ଯାଆନ୍ତି ଓ ଭୟରେ ତାଙ୍କୁ ଭିଡ଼ି ଧରନ୍ତି। ସ୍ଵାମୀଙ୍କର ନିଦ ଭାଙ୍ଗିଯାଏ ଓ ସେ ତାଙ୍କୁ ଅତି ଆଦରରେ କୋଳେଇ ନିଅନ୍ତି। ତାପରେ ତାଙ୍କ ମନରେ ଥିବା ସବୁ ଡର କୁଆଡେ଼ ଉଭେଇଯାଏ ଓ ସେ ସ୍ଵାମୀଙ୍କ କୋଳରେ ମୁହଁ ଗୁଞ୍ଜି ନିର୍ଭୟରେ ଶୋଇ ଯାଆନ୍ତି। କିଛି ବର୍ଷ ଶାଶୁଘରେ ଚଳିଲା ପରେ ସେ ରାତି ଅଧିଆ ବିଲୁଆ ଡାକ ତାଙ୍କର ଦେହସୁହା ହୋଇଗଲା। ଆଉ ତାଙ୍କୁ ଡର ଲାଗିଲା ନାହିଁ। ସେ ଗାଆଁର ଧାନ ଗହୀର ଠାରୁ ଆରମ୍ଭ କରି ବିଲୁଆର ହୁକେ ହୋ ଡ଼ାକ ସବୁକିଛି ତାଙ୍କୁ ଅତି ନିଜର ନିଜର ଲାଗିଲା। ୟା ଭିତରେ ଅଜୁ ତାଙ୍କ କୋଳକୁ ଆସି ସାରିଥିଲା। ଥରେ ଥରେ ରାତିରେ ପାଖରେ ଶୋଇଥିବା ଅଜୁକୁ ନିଦ ଆସିଯିବା ପରେ ସ୍ଵାମୀ ରାଜେନ୍ଦ୍ର ଯେତେବେଳେ ତାଙ୍କୁ ମଜାରେ କହନ୍ତି , ସୁମିତ୍ରା ! ବିଲୁଆ ବୋବେଇଲେଣି ପରା। ଆଉ କଣ ତୁମକୁ ଡର ଲାଗୁନି କି ? ପୁରୁଣା ଦିନର କଥାକୁ ମନେ ପକେଇ ସେ ଲାଜେଇ ଯାଆନ୍ତି। ସ୍ବାମୀଙ୍କୁ କହନ୍ତି , ଗୋଟିଏ ପିଲାର ବାପ ହେଲଣି , ତଥାପି ତୁମର ସେହି ରସିକିଆ ଢଙ୍ଗ ଗଲାନି ? ଶାଶୁ , ଶ୍ଵଶୁର , ସ୍ଵାମୀ ଓ ପୁଅ ଅଜୁକୁ ନେଇ ତାଙ୍କର ଜୀବନଟା କେତେ ସୁଖରେ କଟୁ ନଥିଲା ସତରେ ! ସେ ଭାବନ୍ତି , ହାୟରେ ବିଧାତା ! ଆଜି ମୋତେ କେଉଁଠୁ ଆଣି କେଉଁଠି ପହଞ୍ଚାଇ ଦେଲୁ ! ପୁରୁଣା କାଳିଆ ଜମିଦାର ଘର। ତାଙ୍କ ଅଜା ଶ୍ଵଶୁର ଇଂରେଜ ଅମଳର ଜମିଦାର ଥିଲେ। ପ୍ରଚୁର ଜମିବାଡ଼ି ଥିଲା। ତା ସାଙ୍ଗକୁ ସ୍ଵାମୀଙ୍କର ସରକାରୀ ଚାକିରି। ଧାନ ଚାଉଳ ଓ ଟଙ୍କା ପଇସା କେଉଁଥିରେ ଅଭାବ ନଥିଲା। ଶାଶୁ ଚାଲିଗଲା ପରେ ଶ୍ଵଶୁର ତାଙ୍କ ହାତରେ ଘରର ଚାବିକାଠି ଧରାଇ ଦେଇ କହିଥିଲେ , ମା ସୁମିତ୍ରା ! ତୁମେ ଏ ଘରର ଲକ୍ଷ୍ମୀ। ଏ ଘର ତୁମକୁ ଲାଗିଲା । ସେହିଦିନ ଠାରୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି। ଘରର ସବୁ ଦାୟିତ୍ଵ ମୁଣ୍ଡରେ ମୁଣ୍ଡେଇ ସ୍ଵାମୀଙ୍କ ହାତରେ ହାତ ମିଳେଇ ସେ ଆଗକୁ ଆଗକୁ ଚାଲିଛନ୍ତି। ୟା ଭିତରେ ଶ୍ଵଶୁର ମରି ସ୍ଵର୍ଗରେ ରହିଲେଣି। ରାଜୁକୁ ପାଞ୍ଚବର୍ଷ ହେଲାଣି।ତାପରେ ତାଙ୍କ ସ୍ଵାମୀ ଅନେକ ଥର ତାଙ୍କୁ ଦ୍ଵିତୀୟ ସନ୍ତାନ ପାଇଁ ପ୍ରବର୍ତ୍ତାଇଛନ୍ତି। କିନ୍ତୁ ରାଜୁ ମୁହଁକୁ ଚାହିଁ ସେ ଆଉ ଦ୍ଵିତୀୟ ସନ୍ତାନ ଚାହିଁ ନାହାଁନ୍ତି। ସେ ସ୍ବାମୀଙ୍କୁ କହନ୍ତି , ଗୋଟିଏ ସନ୍ତାନ ଯଦି ଯୋଗ୍ୟ ହେବ ସେ ହିଁ ତ ପାଞ୍ଚ ପାଞ୍ଚଟା ସନ୍ତାନର କାମ ଏକୁଟିଆ କରିବ। ଆଉ ଯଦି ପାଞ୍ଚଟା ଅଯୋଗ୍ୟ ସନ୍ତାନ ଜନ୍ମ ହୁଅନ୍ତି ତାହେଲେ ସେମାନେ କେବଳ ବାପା ମାଆଙ୍କର ଦୁଃଖର କାରଣ ହିଁ ହେବେ। ସତରେ ରାଜୁ ତାଙ୍କର ଯୋଗ୍ୟ ସନ୍ତାନ ବୋଲି ପ୍ରମାଣ କରି ଦେଖେଇଲା। ଦଶମ ପରୀକ୍ଷାରେ ତାଙ୍କ ଜିଲ୍ଲାରେ ସର୍ବାଧିକ ନମ୍ବର ରଖି ସେ ଯେତେବେଳେ ପାସ୍ କଲା ସୁମିତ୍ରା ଦେବୀଙ୍କ ଛାତି ଗର୍ବରେ କୁଣ୍ଢେମୋଟ ହୋଇ ଯାଇଥିଲା। ସେ ସ୍ବାମୀଙ୍କୁ କହିଲେ , ଦେଖିଲ ! ମୁଁ କଣ କହୁଥିଲି। ଏକା ରାଜୁ ହିଁ ପାଞ୍ଚ ପାଞ୍ଚଟା ସନ୍ତାନର କାମ କରିବ। ସେତେବେଳକୁ ରାଜେନ୍ଦ୍ର ବାବୁ ଭୁବନେଶ୍ଵରରେ ଜାଗା କିଣି ଏହି ଘରଟି କରି ସାରିଥିଲେ। ଆଗରୁ ରାଜେନ୍ଦ୍ର ବାବୁ ଯେତେବେଳେ ତାଙ୍କୁ କହନ୍ତି , ଚାଲ , ଏ ଗାଆଁ ଘର ଛାଡ଼ି ଭୁବନେଶ୍ୱର ଚାଲିଯିବା। ରାଜୁକୁ ସେଇଠି ପଢେଇବା। ସେ ଭାବନ୍ତି , ଗାଆଁର ଏ ରାଜ ଉଆସ ଭଳିଆ ଘର ଓ ଜମିବାଡ଼ି ସବୁ କାହା ଦାୟିତ୍ବରେ ଦେଇ ସେ ଭୁବନେଶ୍ୱରର ଯାଇ ରହିବେ ! ସେ ସ୍ଵାମୀଙ୍କୁ ସିଧା ସିଧା ମନା କରି ଦିଅନ୍ତି। କିନ୍ତୁ ଦଶମ ପାସ୍ ପରେ ରାଜୁ ଯେତେବେଳେ ଭୁବନେଶ୍ୱରରେ ଏକ ଅଗ୍ରଣୀ କଲେଜର ସିଟ୍ ପାଇଲା ସେ ସବୁକିଛି ପଛକୁ ପକାଇ ଦେଇ ତା ପଢ଼ା ପାଇଁ ସ୍ଵାମୀଙ୍କ ସହିତ ଆସି ଭୁବନେଶ୍ବରରେ ରହିଲେ। ଭୁବନେଶ୍ବରରେ ରାଜୁର ପଢ଼ା ସରିଗଲା। ତାପରେ ସେ ଉଚ୍ଚଶିକ୍ଷା ପାଇଁ ଯେତେବେଳେ ଦିଲ୍ଲୀ ଗଲା ତାଙ୍କର ଆନନ୍ଦ କହିଲେ ନସରେ। ସେ ସ୍ଵାମୀଙ୍କ ଆଗରେ ସବୁବେଳେ ଗର୍ବ କରି କହନ୍ତି , ଦେଖିବ , ମୋ ରାଜୁ ନିଶ୍ଚେ ବିଦେଶରେ ପଢ଼ିବାକୁ ଯିବ। ଆଉ ସିଏ ଯେତେବେଳେ ବିଦେଶରେ ପଢ଼ା ଶେଷ କରି ଫେରି ଆସିବ ନା ସେତେବେଳେ ତୁମେ ତା ନାଁରେ ପରିଚିତ ହେବ। ଲୋକେ ତୁମକୁ ରାଜୁର ବାପା ବୋଲି ଚିହ୍ନିବେ। ସତକୁ ସତ ତାଙ୍କର ତୁଣ୍ଡ ସୁତୁଣ୍ଡ ହେଲା। ଦିଲ୍ଲୀରେ ଉଚ୍ଚଶିକ୍ଷା ସମାପ୍ତ ହେଲା ପରେ ରାଜୁ ସ୍କଲାରସିପ୍ ପାଇ ବିଦେଶରେ ଗବେଷଣା କରିବାକୁ ଗଲା। ଗବେଷଣା ସରିବା ପରେ ସେଇଠି ତାକୁ ମୋଟା ଅଙ୍କର ଦରମାରେ ଚାକିରି ମିଳିଗଲା। ସେଦିନର କଥା ଆଜିବି ତାଙ୍କର ମନେ ଅଛି। ରାଜୁ ବିଦେଶରୁ ଫୋନ୍ କରି କହିଲା , ମା ! ମୁଁ ଏଠାରେ ଖୁବ୍ ଭଲ ଚାକିରିଟିଏ ପାଇଛି। ଭାବୁଛି ଏଇଠି ଚାକିରି କରିବି। ତୁମ ଠାରୁ ଏତେ ଦୂରରେ ରହିବି ବୋଲି ତୁମେ ବ୍ୟସ୍ତ ହେବନାହିଁ। ଆଜିକାଲି ତ ଯିବା ଆସିବା ପାଇଁ ସବୁ ସୁବିଧା ହୋଇଗଲାଣି। ଯେତେ ଦୂରରେ ଥିଲେ ବି ଅସୁବିଧା ସମୟରେ ତୁମ ପାଖରେ ଯାଇ ପହଞ୍ଚି ପାରିବି। ନା , ତୁମେ କଣ କହୁଛ ? ପାଖରେ ସ୍ଵାମୀ ରାଜେନ୍ଦ୍ର ଠିଆ ହୋଇ କହୁଥାନ୍ତି , ନା , ନା , ତାକୁ କୁହ , ସେ ଦେଶକୁ ଫେରିଆସୁ। ଏଠାରେ ବି ତାକୁ ଖୁବ୍ ଭଲ ଚାକିରି ମିଳିଯିବ। ଆମ ଦୁହିଁଙ୍କର ବୟସ ହେଲାଣି। ସେ ସେଠାରେ ରହିଲେ ଆମ୍ଭମାନଙ୍କର ଦେଖାଶୁଣା କରିବ କିଏ ! ସେ କିନ୍ତୁ ଇସାରାରେ ସ୍ଵାମୀଙ୍କୁ ଚୁପ୍ ରହିବାକୁ ଠାରି ଦେଇ ରାଜୁକୁ କହିଲେ , ବିଦେଶରେ ଏତେ ଭଲ ଚାକିରିଟା ପାଇଛୁ ଯେତେବେଳେ ତାକୁ ଛାଡ଼ିଦେବୁ କାହିଁକି ? ତୁ କିନ୍ତୁ ସବୁଦିନେ ମୋ ସହିତ ଫୋନରେ କଥା ହେବୁ। ରାଜୁ କହିଲା , ହଁ। ରାଜୁର ଫୋନ୍ କଲ୍ ସରିବା ପରେ ସେ ସ୍ବାମୀଙ୍କୁ କହିଲେ , ତୁମେ କେମିତିକା ଲୋକ କି ! ଉଚ୍ଚ ଶିକ୍ଷିତ ପୁଅଟା ଆମର ବିଦେଶରେ ଚାକିରି ପାଇଛି। ତୁମେ ପୁଅକୁ ବିଦେଶରେ ଚାକିରି କରିବା ପାଇଁଁ ବାରଣ କରୁଛ ! ଏକଥା ଶୁଣିଲେ ଲୋକେ ତୁମ ଉପରେ ହସିବେ। ତାପରେ ଆମେ ଦୁଇଜଣ ତ ଏବେ ସୁସ୍ଥ ଅଛେ। ପିଲାଟାକୁ ବିଦେଶରେ ଚାକିରି କରିବାକୁ ମନା କରି ତା ମନଟାକୁ ଭାଙ୍ଗି ଦେବା କାହିଁକି ?ସ୍ଵାମୀ କହିଲେ , ଆରେ , ମୁଁ ତୁମରି ପାଇଁ କହୁଥିଲି। ଏବେ ତ ଦିନେ ତା ପାଖରୁ ଫୋନ୍ ଆସିବାରେ ଡେରି ହେଲେ ତୁମେ ପାଗଳୀଙ୍କ ପରି ହେଉଛ। ଚାକିରି କରି ସେ ସେଇଠି ସବୁଦିନେ ରହିଲେ ତୁମେ ନିଜକୁ ସମ୍ଭାଳି ରଖି ପାରିବତ ? ପୁଅ ବିଦେଶରେ ଚାକିରି ପାଇବା କଥା ଶୁଣି ସେ ସେତେବେଳେ ଏତେ ଖୁସି ହୋଇ ଯାଇଥିଲେ ଯେ ସ୍ଵାମୀଙ୍କର ସେହି କଥା ତାଙ୍କ ଉପରେ କିଛି ପ୍ରଭାବ ପକାଇ ପାରି ନଥିଲା। ତାପରେ ସ୍ଵାମୀ ସରକାରୀ ଚାକିରିରୁ ଅବସର ନେଲେ। ସେ ଦିନେ ସ୍ଵାମୀଙ୍କୁ କହିଲେ , ରାଜୁର ତ ବିବାହ ବୟସ ହେଲାଣି। ଆଉ ଡେରି କରି ଲାଭ କଣ ! ସ୍ଵାମୀ କହିଲେ , ସେ କଥା ଠିକ୍ ଯେ ହେଲେ ରାଜୁର ମତାମତ ନନେଇ ଆମେ କିଛି ନିଷ୍ପତ୍ତି ନେବାଟା ଠିକ୍ ହେବନାହିଁ। ତେଣୁ ରାଜୁ ଯେତେବେଳେ ଫୋନ୍ କରିବ ତୁମେ ତାକୁ ସେକଥା ଥରେ ପଚାରି ଦିଅ। ସେ କହିଲେ , ହଉ। ସେଦିନ ରାଜୁ ଯେତେବେଳେ ତାଙ୍କୁ ଫୋନ୍ କଲା ସେ ତାକୁ ବାହାଘର କଥା କହିଲେ। ରାଜୁ କହିଲା , ମା ! ଏଠାରେ ଗୋଟିଏ ପିଲା ମୋର ପସନ୍ଦ ଆସିଛି। ତାଙ୍କ ବାପା ଏଇଠି ଚାକିରି କରନ୍ତି। ସେ ଆମ ଗାଆଁ ପାଖ ବିଦ୍ୟାଧରପୁରର ଲୋକ। ସେମାନେ ଏଇ ମାସ ପନ୍ଦର ତାରିଖରେ ତାଙ୍କ ଘରକୁ ଯାଉଛନ୍ତି। ତୁମେ ଓ ବାପା ତାଙ୍କ ଘରକୁ ଯାଇ ସେ ଝିଅକୁ ଦେଖିଆସ। ଯଦି ତୁମ ଦୁଇ ଜଣଙ୍କର ପସନ୍ଦ ହୁଏ ତାହେଲେ ମୋତେ ଜଣାଇବ। ନହେଲେ ଅନ୍ୟ ପ୍ରସ୍ତାବ ଦେଖିବ। ମୋର କିଛି ଆପତ୍ତି ନାହିଁ। ରୂପ ଓ ଗୁଣ କେଉଁଥିରେ ମୋନିକାକୁ ବାରିବାର ନଥିଲା। ବିଭାଘର ତିଥି ଠିକ୍ ହେଲା। ରାଜୁ ଗୋଟିଏ ମାସ ଛୁଟି ନେଇ ବାହାଘର ପାଇଁ ଘରକୁ ଆସିଲା। ମୋନିକା ବୋହୂ ହୋଇ ଆସିବା ପରେ ତାଙ୍କ ଘରଟା ହସଖୁସିରେ ପୂରି ଉଠିଲା। ସେଇ ଗୋଟିଏ ମାସ ପୁଅବୋହୂଙ୍କ ସାଥିରେ ତାଙ୍କର ଦିନ ଗୁଡ଼ିକ ଯେ କେତେ ଖୁସିରେ କଟିଥିଲା ସେକଥା ଭାବିଲା ବେଳକୁ ଆଜି ତାଙ୍କ ଆଖିରୁ ଲୁହ ଜକେଇ ଆସୁଥିଲା। କେଉଁଠି ସେ ହସଖୁସିର ଦିନ ଆଉ କେଉଁଠି ଆଜିର ଏ ଯନ୍ତ୍ରଣାମୟ ଜୀବନ ! ଛୁଟି ପୂରିବା ପରେ ବୋହୂକୁ ତାଙ୍କ ପାଖରେ ଛାଡ଼ି ରାଜୁ ବିଦେଶ ଫେରିଗଲା। ବୋହୂ ସହିତ ହସଖୁସିରେ ତିନିମାସ କଟିଗଲା। ଦିନେ ରାଜୁ ତାଙ୍କୁ ଫୋନରେ କହିଲା , ମା ! ବିଭାଘର ପୂର୍ବରୁ ମୋନିକା ଏଠାରେ ଗୋଟିଏ ଚାକିରି ପାଇଁ ଦରଖାସ୍ତ କରିଥିଲେ। ସେ ଏଠାରେ ଚାକିରି ପାଇଁ ମନୋନୀତା ହୋଇଛନ୍ତି। ତୁମେ ଓ ବାପା ଯଦି ଅନୁମତି ଦେବ ତାହେଲେ ମୋନିକା ଆସି ସେ ଚାକିରିରେ ଯୋଗ ଦେବେ। ରାଜୁ ଠାରୁ ଏକଥା ଶୁଣି ସେ ସ୍ବାମୀଙ୍କୁ କହିଲେ , ପୁଅ ତ ବିଦେଶରେ ରହୁଛି। ବୋହୂକୁ ଆମେ ପାଖରେ ବା କେତେଦିନ ରଖିଥାନ୍ତେ ! ଯେମିତି ହେଲେ ଦିନେ ନା ଦିନେ ତାକୁ ତ ତା ସ୍ଵାମୀ ପାଖକୁ ଯିବାକୁ ହୋଇଥାନ୍ତା। ତେଣୁ ସେଠାରେ ଚାକିରି ପାଇଛି ଯଦି ସେ ନ ଯିବ କାହିଁକି ? ସ୍ଵାମୀ କହିଲେ , ତୁମେ ଠିକ୍ କହୁଛ। ଆସନ୍ତା ମାସରେ ସମୁଦିଙ୍କର ଘରକୁ ଆସିବାର ଅଛି ବୋଲି ବୋହୂ କହୁଥିଲା। ରାଜୁ ଯଦି କହେ ତାହେଲେ ସେତିକିବେଳେ ସମୁଦିଙ୍କ ସାଥିରେ ମୋନିକା ରାଜୁ ପାଖକୁ ଚାଲିଯିବ। ତା ପର ମାସରେ ମୋନିକା ଯେତେବେଳେ ରାଜୁ ପାଖକୁ ବିଦେଶ ଚାଲିଗଲା ତାଙ୍କୁ ଭାରି କଷ୍ଟ ଲାଗିଥିଲା। ସାରା ଘରଟା ତାଙ୍କୁ ଖାଁ ଖାଁ ଲାଗିଥିଲା। ତାଙ୍କ ମନ ବୋହୂକୁ ସବୁଦିନେ ପାଖରେ ରଖିବାକୁ ଚାହୁଁଥିଲେ ମଧ୍ୟ ପୁଅ ଯେତେବେଳେ ବିଦେଶରେ ଅଛି ବୋହୂକୁ ବା ସେ କିପରି ସବୁଦିନେ ପାଖରେ ରଖି ପାରିଥାନ୍ତେ ! ବୋହୂ ଯିବା ପରେ ମନକୁ ବୁଝାଇବାକୁ ତାଙ୍କୁ ବେଶ୍ କିଛି ଦିନ ଲାଗିଗଲା। ମଝିରେ ସେ କେତେଥର ଭୁବନେଶ୍ବର ଛାଡ଼ି ଗାଆଁକୁ ଫେରି ଯିବା ପାଇଁ ଚାହିଁଛନ୍ତି। କିନ୍ତୁ ସ୍ଵାମୀ ରାଜେନ୍ଦ୍ର ବାରଣ କରି କହନ୍ତି , ଦେଖ ! ଆମ ଦୁଇ ଜଣଙ୍କର ତ ବୟସ ହେଲାଣି। ମୁଁ ତ ଜଣେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀ। ମୋର ନିୟମିତ ଡାକ୍ତରୀ ପରାମର୍ଶ ଦରକାର। ପାଖରେ ପୁଅ ବୋହୂ ରହୁ ନାହାଁନ୍ତି। ଗାଆଁକୁ ଗଲେ ଆମେ ଭୀଷଣ ଅସୁବିଧାର ସମ୍ମୁଖୀନ ହେବା। ହଠାତ୍ ଦେହ ଖରାପ ହେଲେ ଏଠାରେ ବଡ଼ ବଡ଼ ହସ୍ପିଟାଲ ଅଛି , ଭଲ ଭଲ ଡାକ୍ତର ଅଛନ୍ତି। ତେଣୁ ଆମ ପକ୍ଷରେ ଏଇଠି ରହିବା ହିଁ ଠିକ୍ ହେବ। ତାପରେ ଗାଆଁରେ ତ ରଘୁଆ ଓ ତା ସ୍ତ୍ରୀ ମାଳତୀ ରହି ସବୁ ବିଷୟ ବୁଝାବୁଝି କରୁଛନ୍ତି। ତୁମେ ସେଠାକୁ ଗଲେ ଆଉ ଅଧିକ କଣ କରିବ ଯେ ! ସେ ଆଉ ସ୍ଵାମୀଙ୍କ କଥାକୁ କାଟି ପାରନ୍ତି ନାହିଁ। ଚୁପ୍ ରହନ୍ତି। ରାଜୁର ବିଭାଘର ହେବାର ଦୁଇ ବର୍ଷ ପରେ ସ୍ଵାମୀ ହୃଦଘାତରେ ସେପାରିକୁ ଚାଲିଗଲେ। ଫୋନ୍ ପାଇ ପୁଅ ଓ ବୋହୂ ବିଦେଶରୁ ଆସିଲେ। ଗାଆଁରେ ସ୍ଵାମୀଙ୍କର ଶୁଦ୍ଧିକ୍ରିୟା କାମ ସରିଗଲା। ବୋହୂକୁ ନେଇ ବିଦେଶ ଫେରିବା ବେଳକୁ ରାଜୁ କହିଲା , ମା ! ଭୁବନେଶ୍ବରରେ ତୁମେ ଏବେ ଏକୁଟିଆ ରହିବ କେମିତି ? ଏ ଗାଆଁ ଘରେ ଚାବି ପକାଇ ଦେଇ ରଘୁଆ ଓ ମାଳତୀଙ୍କୁ ତୁମ ସାଙ୍ଗରେ ନେଇଯାଅ। ମୁଁ କିଛି ଦିନ ପରେ ବ୍ୟବସ୍ଥା କରି ତୁମକୁ ଆମ ପାଖକୁ ନେଇଯିବି। ତାପରେ ଭୁବନେଶ୍ଵର ଘରକୁ ଆମେ ଭଡ଼ା ଲଗାଇ ଦେବା ଓ ରଘୁଆ ଏବଂ ମାଳତୀ ପୁଣି ଆସି ଗାଆଁ ଘରର ଦେଖାଶୁଣା କରିବେ। ସେ କହିଲେ , ନାଇଁ ରାଜୁ ! ମୋତେ ତୁ ଆଉ ଯାହା କହ ପଛେ ବିଦେଶ ଯିବା କଥା କହନା। ତାପରେ ମୁଁ ଆଉ ଭୁବନେଶ୍ଵର ବା କାହିଁକି ଯିବି ! ମୋ ଶେଷ ଜୀବନଟା ମୁଁ ଏଇ ଗାଆଁରେ କାଟି ଦେବି ବୋଲି ଭାବୁଛି। ତାପରେ ଏଠାରେ ରଘୁଆ ଓ ମାଳତୀ ତ ଅଛନ୍ତି। ମୋର କିଛି ଅସୁବିଧା ହେବନାହିଁ। କିନ୍ତୁ ରାଜୁ ତା ବାପା ଭଳି ଜିଦିଆ। ସେ ଯାହା ବୁଝିଥିବ ସେଇଆ। ରାଜୁ କହିଲା , ମା ! ବିଦେଶରୁ ଆସି ଭୁବନେଶ୍ବରରେ ପହଞ୍ଚିବାକୁ ଆମକୁ ଯେତିକି ସମୟ ଲାଗୁଛି ଭୁବନେଶ୍ଵରରୁ ଆମ ଗାଆଁରେ ଆସି ପହଞ୍ଚିବାକୁ ଆମକୁ ତା ଠାରୁ ଅଧିକ ସମୟ ଲାଗୁଛି। ତେଣୁ ତୁମର କିଛି ଅସୁବିଧା ହେଲେ ମୁଁ ଶୀଘ୍ର ଆସି ଭୁବନେଶ୍ବରରେ ପହଞ୍ଚି ଯାଇ ପାରିବି। ଗାଆଁରେ ରହିବାକୁ ଇଚ୍ଛା ଥିଲେ ମଧ୍ୟ ସେ ଆଉ ରାଜୁ କଥାକୁ କାଟି ପାରି ନଥିଲେ। ବାଧ୍ୟ ହୋଇ ରଘୁଆ ଓ ମାଳତୀକୁ ସାଥୀରେ ଧରି ସେ ଭୁବନେଶ୍ୱରର ଚାଲି ଆସିଥିଲେ। ସ୍ଵାମୀ ଚାଲିଯିବା ପରେ ଏତେ ବଡ଼ ଘରଟାରେ ସେ ଏବେ ସମ୍ପୂର୍ଣ୍ଣ ଏକୁଟିଆ ହୋଇ ଯାଇଥିଲେ। ସ୍ଵାମୀଙ୍କ ସହିତ ଚାଳିଶି ବର୍ଷ ଏକାଠି ରହିବା ପରେ ନିଃସଙ୍ଗ ଜୀବନ କଟାଇବା ତାଙ୍କ ପାଇଁ ଭାରି ଯନ୍ତ୍ରଣାଦାୟକ ହୋଇ ପଡ଼ିଲା। ରଘୁଆ ଓ ମାଳତୀ ଦୁହେଁ ହିଁ କେବଳ ତାଙ୍କର ସାହା ଭରସା ଥିଲେ। ରଘୁଆ ବାହାର କାମ କରୁଥିଲା ଓ ମାଳତୀ ରୋଷେଇବାସ ଠାରୁ ଆରମ୍ଭ କରି ଯାବତୀୟ ଘର କାମ କରୁଥିଲା। ସବୁଠାରୁ ବଡ଼ କଥା ହେଲା ନିଜର ପୁଅ ବୋହୂ ନ ହେଲେବି ସେମାନେ ପୁଅ ବୋହୂ ଭଳି ତାଙ୍କର ଯତ୍ନ ନେଉଥିଲେ। ପଇସାପତ୍ରରେ କିଛି ଅଭାବ ନଥିଲା। ଯେତିକି ଫ୍ୟାମିଲି ପେନସନ ମିଳୁଥିଲା ତାହା ରଘୁଆ , ମାଳତୀ ଓ ତାଙ୍କ ଚଳିବା ପାଇଁ ଯଥେଷ୍ଟ ଥିଲା। ତାପରେ ଯେତେ ମନା କଲେ ବି ରାଜୁ ମଧ୍ୟ ପ୍ରତି ମାସରେ ନିୟମିତ ଟଙ୍କା ପଠାଉଥିଲା। କିନ୍ତୁ ଏତେ ଟଙ୍କା ତାଙ୍କର ବା କଣ ହେବ। ସେ ଟଙ୍କା ଚାହୁଁ ନଥିଲେ। ସେ ତ କେବଳ ପୁଅ ଓ ବୋହୂଙ୍କ ପାଖରେ ରହିବାକୁ ଚାହୁଁଥିଲେ। ତାଙ୍କ ମନ ସବୁବେଳେ ପୁଅ ବୋହୂଙ୍କର ସ୍ନେହ ଆଉ ଆଦର ଖୋଜୁଥିଲା। କିନ୍ତୁ ହାୟ ! ସେସବୁ ବୋଧହୁଏ ତାଙ୍କ ଭାଗ୍ୟରେ ଲେଖା ନଥିଲା। ସବୁ ଥାଇ ମଧ୍ୟ ନିଜ ଭିତରେ ସବୁବେଳେ ସେ ଏକ ବିରାଟ ଶୂନ୍ୟତା ଅନୁଭବ କରୁଥିଲେ। ଏହି ନିଃସଙ୍ଗ ଜୀବନ ତାଙ୍କୁ ଆସ୍ତେ ଆସ୍ତେ ମାନସିକ ଦୁଶ୍ଚିନ୍ତାର ଅତଳ ଗର୍ଭ ଭିତରକୁ ଟାଣି ନେଉଥିଲା। ସେ ସବୁବେଳେ ଏକା ଏକା ବସି କିଛି ଗୋଟେ ଚିନ୍ତା କରୁଥିଲେ। ଏହିପରି ଭାବରେ ଧୀରେ ଧୀରେ ସେ ସମ୍ପୂର୍ଣ୍ଣ ଭାବରେ ମାନସିକ ଅବସାଦ ଗ୍ରସ୍ତ ହୋଇଗଲେ। ତାଙ୍କର ଖାଇବା କମିଗଲା। ରାତିରେ ଆଖିକୁ ନିଦ ଆସିଲା ନାହିଁ। ସେ ମାନସିକ ରୋଗର ଶିକାର ହେଲେ। ତାଙ୍କୁ ଦୁର୍ବଳ ହୋଇ ଯିବାର ଦେଖି ରଘୁଆ ରାଜୁ ପାଖକୁ ଫୋନ୍ କଲା। ରାଜୁ ଫୋନ କରି ଭୁବନେଶ୍ଵରର ଜଣେ ଭଲ ଡାକ୍ତରଙ୍କୁ ତାଙ୍କ ଚିକିତ୍ସା ଦାୟିତ୍ଵ ଦେଲେ। ସେ ଆସି ତାଙ୍କୁ ନାନା ପ୍ରକାର ଔଷଧ ଖାଇବାକୁ ଦେଲେ ମଧ୍ୟ କେଉଁଥିରୁ ବିଶେଷ ସୁଫଳ ମିଳିଲା ନାହିଁ ବରଂ ଆସ୍ତେ ଆସ୍ତେ ସେ ଶଯ୍ୟାଶାୟୀ ହୋଇଗଲେ। କିନ୍ତୁ ଔଷଧ କେବେ ବନ୍ଦ ନ କରିବା ପାଇଁଁ ରଘୁଆକୁ ଡାକ୍ତର ବାରମ୍ବାର ତାଗିଦ କରି କହିଥାନ୍ତି। ରଘୁଆ ବି ଔଷଧ ଦେବାରେ କେବେ ହେଳା କରୁ ନଥିଲା। ବେଳେବେଳେ ସ୍ଵାମୀଙ୍କ କଥା ମନେ ପକାଇ ସେ ବହୁତ କାନ୍ଦନ୍ତି ଓ ମନେ ମନେ କାନ୍ଥରେ ଟଙ୍ଗା ହୋଇଥିବା ସ୍ଵାମୀଙ୍କ ଫଟୋକୁ ଚାହିଁ କହନ୍ତି , ମୋତେ ତୁମେ ଏ ନର୍କ ଯନ୍ତ୍ରଣା ଭୋଗ କରିବାକୁ କାହିଁକି ଏକୁଟିଆ ଛାଡ଼ି ଦେଇଗଲ ? ୟା ଭିତରେ ତିନିବର୍ଷ ବିତିଗଲାଣି। ପିତା କଷା ଔଷଧ ଗୁଡ଼ାକ ଖାଇ ଖାଇ ତାଙ୍କୁ ବିରକ୍ତ ଲାଗିଲାଣି। ରାଜୁ ଯେତେବେଳେ ତାଙ୍କୁ ଫୋନ୍ କରେ ସେ ସବୁବେଳେ ତାକୁ ସେହି ଗୋଟିଏ ପ୍ରଶ୍ନ ପଚାରନ୍ତି , ତୁ ବୋହୂକୁ ଆଣି କେବେ ଆସିବୁ ? ମୋର ତୁମ୍ଭମାନଙ୍କୁ ଦେଖିବାକୁ ଭାରି ଇଚ୍ଛା ହେଉଛି। ରାଜୁ କହେ , ତୁମେ ବ୍ୟସ୍ତ ହୁଅନା ମା ! ନିୟମିତ ଭାବରେ ଔଷଧ ଖାଅ। ମୁଁ ଡାକ୍ତରଙ୍କୁ ଫୋନ୍ କରି ସବୁବେଳେ ତୁମ ସ୍ଵାସ୍ଥ୍ୟ ବିଷୟରେ ବୁଝୁଛି। ମୁଁ ସୁବିଧା ଦେଖି ନିଶ୍ଚୟ ଯିବି। ସେଦିନ ସନ୍ଧ୍ୟାବେଳେ ଶୋଇଥିବା ଅବସ୍ଥାରେ ସୁମିତ୍ରା ଦେବୀ ହଠାତ୍ ଖଟ ଉପରୁ ତଳକୁ ଖସି ପଡ଼ିଲେ। ସେ ଖଟରୁ ପଡ଼ିବା ଶବ୍ଦ ଶୁଣି ଘର ବାରଣ୍ଡାରେ ବସିଥିବା ରଘୁଆ ଓ ମାଳତୀ ଧାଇଁ ଆସିଲେ ଓ ତାଙ୍କୁ ତଳୁ ଉଠାଇ ଖଟ ଉପରେ ଶୁଆଇ ଦେଲେ। ତାଙ୍କର ଚେତା ନଥିଲା। ରଘୁଆ ସାଙ୍ଗେ ସାଙ୍ଗେ ଯାଇ ଡାକ୍ତରଙ୍କୁ ଡ଼ାକି ଆଣିଲା। ଡାକ୍ତର ଆସି ଗୋଟିଏ ଇଞ୍ଜେକସନ ଦେବା ପରେ ସୁମିତ୍ରା ଦେବୀଙ୍କର ଚେତା ଫେରିଲା। କିନ୍ତୁ ସେ ଆଉ ମନକୁ ମନ ଶେଯରୁ ଉଠି ପାରୁ ନଥିଲେ। ରଘୁଆ ତାଙ୍କୁ ଉଠାଇ ଖଟ ବାଡ଼କୁ ଆଉଜାଇ ବସାଇ ଦେଲା। ସେ ଡାକ୍ତରଙ୍କୁ କାନ୍ଦି କାନ୍ଦି କହୁଥିଲେ , ଡାକ୍ତରବାବୁ ! ମୋତେ ଲାଗୁଛି ମୁଁ ଆଉ ଭଲ ହେବି ନାହିଁ। ଆପଣଙ୍କ ପାଖକୁ ତ ମୋ ପୁଅ ରାଜୁ ସବୁବେଳେ ଫୋନ୍ କରି ମୋ ସ୍ଵାସ୍ଥ୍ୟ କଥା ବୁଝୁଛି। ଆପଣ ତାକୁ କହନ୍ତୁ ସେ ଶୀଘ୍ର ବୋହୂକୁ ଆଣି ମୋ ପାଖକୁ ଚାଲିଆସୁ। ସେ ଆସିଲେ ମୋ ଦେହ ଭଲ ହୋଇଯିବ। ଡାକ୍ତର କହିଲେ , ମାଉସୀ ! ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ ଭଲ ହୋଇଯିବେ। ମୁଁ ରାଜୁ ବାବୁଙ୍କୁ ଫୋନ୍ କରି ତାଙ୍କୁ ଆସିବା ପାଇଁ କହିବି। ଡାକ୍ତରଙ୍କର ଏହି ପଦେ କଥାରେ ସୁମିତ୍ରା ଦେବୀଙ୍କର ଶୁଖିଲା ମୁହଁରେ ଟିକେ ହସ ଫୁଟି ଉଠିଲା। ସେହିଦିନ ଠାରୁ ସେ ଖଟଟା ଉପରେ ପଡ଼ି ରହିଛନ୍ତି। ଖଟରୁ ଉଠି ବସିବା ପାଇଁ କି ଖଟରୁ ଉଠି ପାଇଖାନାକୁ ଯିବା ପାଇଁ ରଘୁଆ ଓ ମାଳତୀ ଦୁହେଁ ହିଁ ତାଙ୍କର ସାହା ଭରସା। ଡାକ୍ତରଙ୍କ ଠାରୁ ଫୋନ୍ ପାଇ ମାଆଙ୍କୁ ଦେଖିବା ପାଇଁ ରାଜୁ ବାବୁ ଦୁଇମାସ ଛୁଟି ନେଇ ମୋନିକାଙ୍କ ସହିତ ଭୁବନେଶ୍ବର ଚାଲି ଆସିଲେ। ପୁଅ ଓ ବୋହୂ ଦୁଇ ଜଣଙ୍କୁ ଦେଖି ସୁମିତ୍ରା ଦେବୀଙ୍କ ମନ ଆନନ୍ଦରେ ପୂରି ଉଠିଲା। ତାଙ୍କୁ ଲାଗିଲା ସତେ ଯେମିତି ତାଙ୍କ ଦେହରେ ନୂଆ ଜୀବନ ସଞ୍ଚରି ଯାଉଛି। ସେ ପୁଅ ଓ ବୋହୂ ଦୁଇ ଜଣଙ୍କୁ ଧରି ଅନେକ କାନ୍ଦିଲେ। ରାଜୁ ବାବୁ କହିଲେ , ମା ! ମୁଁ ଆସିଗଲିଣି ପରା। ତୁମେ ଆଉ କାନ୍ଦୁଛ କାହିଁକି ! ଏଥର ତୁମ ଦେହ ପୂରା ଭଲ ହୋଇଯିବ। ସୁମିତ୍ରା ଦେବୀ କହିଲେ , ରାଜୁ ! ତୁ ମୋର ଗୋଟିଏ କଥା ରଖିବୁ ? ରାଜୁ ବାବୁ କହିଲେ , କଣ କୁହ ମା ! ସୁମିତ୍ରା ଦେବୀ କହିଲେ , ମୁଁ ତ କେତେଦିନ ଏମିତି ଏ ରୋଗଶଯ୍ୟାରେ ପଡ଼ି ରହିବି ଜଣାନାହିଁ। ମୋର ଶେଷ ଇଚ୍ଛା ଯେ ମୁଁ ତୁମ ମାନଙ୍କ ସହିତ ବାକି ଜୀବନଟା ଗାଆଁରେ କଟେଇବି ଓ ଯେଉଁ ଘରକୁ ସବାରୀରେ ବସି ବୋହୂ ହୋଇ ଆସିଥିଲି ସେହି ଘରୁ କୋକେଇରେ ଶୋଇ ମଶାଣିକୁ ଯିବି। ତେଣୁ ମୋତେ ତୁ ଗାଆଁକୁ ନେଇ ଚାଲ୍। ରାଜୁ ବାବୁ କହିଲେ , ଠିକ୍ ଅଛି ମା ! ମୁଁ ତୁମକୁ ଗାଆଁକୁ ନେଇଯିବି। ସେଦିନ ସନ୍ଧ୍ୟାବେଳେ ରାଜୁ ବାବୁ ଯେତେବେଳେ ଡ଼ାକ୍ତରଙ୍କ ସହିତ ଦେଖାକଲେ ଓ ମାଆଙ୍କୁ ଗାଆଁକୁ ନେବା ବିଷୟରେ ତାଙ୍କୁ କହିଲେ , ଡାକ୍ତର କହିଲେ , ରାଜୁ ବାବୁ ! ଆପଣ ତ ଜାଣନ୍ତି ଆପଣଙ୍କ ମାଆ ଜଣେ ମାନସିକ ରୋଗୀ। ଏବେ ତାଙ୍କର ଅବସ୍ଥା ଆଦୋୖ ଭଲ ନାହିଁ। ଔଷଧ ଖାଇବା ସତ୍ତ୍ଵେ ତାଙ୍କର ରକ୍ତଚାପ ଏତେ ଅଧିକ ରହୁଛି ଯେ କେଉଁ ମୁହୂର୍ତ୍ତରେ କଣ ହେବ କିଛି କହି ହେଉନାହିଁ। ତେଣୁ ଆପଣଙ୍କର କର୍ତ୍ତବ୍ୟ ହେଲା ତାଙ୍କୁ ଖୁସି ରଖିବା। ତେଣୁ ସେ ଯଦି ଚାହୁଁଛନ୍ତି ତାହେଲେ ଆପଣ ତାଙ୍କୁ ଗାଆଁକୁ ନେଇ ଯାଆନ୍ତୁ। କିନ୍ତୁ କୋୖଣସି ବି ପରିସ୍ଥିତିରେ ତାଙ୍କ ଔଷଧ ଖାଇବା ଯେମିତି ବନ୍ଦ ନ ହୁଏ ସେଥି ପ୍ରତି ଧ୍ୟାନ ଦେବେ। ଆଉ ଯଦି ବେଶୀ କିଛି ଅସୁବିଧା ହୁଏ ତାହେଲେ ଆପଣ ମାଆଙ୍କୁ ଭୁବନେଶ୍ଵର ନେଇ ଆସିବେ। ରାଜୁ ବାବୁ କହିଲେ , ଠିକ୍ ଅଛି ସାର୍। ତା ପରଦିନ ରାଜୁବାବୁ ଓ ମୋନିକା ସୁମିତ୍ରା ଦେବୀ , ରଘୁଆ ଏବଂ ମାଳତୀକୁ ସାଥିରେ ଧରି ଗାଆଁକୁ ଚାଲିଗଲେ। ୟା ଭିତରେ ମାସେ ବିତିଗଲା। କିନ୍ତୁ ସୁମିତ୍ରା ଦେବୀଙ୍କର ସ୍ବାସ୍ଥ୍ୟାବସ୍ଥାରେ କୋଣସି ସୁଧାର ଆସୁ ନଥିଲା। ଭୁବନେଶ୍ବରରେ ଯେମିତି ଦିନ ରାତି ଚବିଶ ଘଣ୍ଟା ଖଟଟା ଉପରେ ପଡ଼ି ରହୁଥିଲେ ଏଠି ବି ଠିକ୍ ସେଇ ଅବସ୍ଥା। ଦିନେ ମୋନିକା ରାଜୁବାବୁଙ୍କୁ କହିଲେ , ଦେଖ। ମାଆଙ୍କର ଅବସ୍ଥାରେ ତ କିଛି ପରିବର୍ତ୍ତନ ଆସୁନାହିଁ। ତାପରେ ମାଆ ଆଉ ଭୁବନେଶ୍ଵର ବି ଯିବାକୁ ଚାହୁଁ ନାହାଁନ୍ତି। ଏପଟେ ଆଉ ମାସେ ପରେ ଆମ ଛୁଟି ପୂରିଯିବ। ଆମେ ଏବେ କଣ କରିବା ? ତୁମେ ଆଉ ଟିକେ ମାଆଙ୍କ ବିଷୟରେ ଡାକ୍ତରଙ୍କୁ ଯାଇ ପଚାର। ରାଜୁ ବାବୁ କହିଲେ , ହଉ। ରାଜୁବାବୁଙ୍କୁ ଦେଖି ଡାକ୍ତର କହିଲେ , ଆରେ ରାଜୁ ବାବୁ ! ମାଆଙ୍କର ଆଉ କଣ ବେଶୀ ଅସୁବିଧା ହେଲା କି ? ରାଜୁବାବୁ କହିଲେ , ନାଇଁ ସାର୍। ମାସେ ପୂର୍ବରୁ ମାଆଙ୍କର ଅବସ୍ଥା ଯାହା ଥିଲା ଏବେ ବି ସେଇଆ ଅଛି। କିନ୍ତୁ ତାଙ୍କୁ ଭଲ ହେବାକୁ କେତେଦିନ ଲାଗିବ ସାର୍। ଡାକ୍ତର କହିଲେ , ଦେଖନ୍ତୁ , ମୁଁ ସବୁ ପ୍ରକାର ଚେଷ୍ଟା କରି ଦେଖି ସାରିଛି। ତାଙ୍କର ଅବସ୍ଥା ଯାହା ସେ ଆଉ ଭଲ ହେବେ ନାହିଁ। କିନ୍ତୁ ଯେତିକି ଦିନ ସେ ଅଛନ୍ତି ତାଙ୍କୁ ଆପଣ ଖୁସିରେ ରଖନ୍ତୁ ଓ ମୁଁ ଦେଇଥିବା ଔଷଧ ତାଙ୍କୁ ନିୟମିତ ଭାବରେ ଖାଇବାକୁ ଦିଅନ୍ତୁ। ସେସବୁ ହେଉଛି ତାଙ୍କର ଜୀବନ ରକ୍ଷାକାରୀ ଔଷଧ। ତେଣୁ ମାଆଙ୍କୁ ଔଷଧ ଖୁଆଇବା ଦାୟିତ୍ଵ ଆପଣ ଦୁଇ ଜଣ ନିଅନ୍ତୁ କାହିଁକି ନା ସେହି ଔଷଧ ସେ ଯେତେଦିନ ଖାଇବେ ତାଙ୍କର ସ୍ଵାସ୍ଥ୍ୟ ଭଲ ରହିବ। ତେଣୁ କୋୖଣସି ବି ପରିସ୍ଥିତିରେ ଆପଣ ସେ ଔଷଧ ବନ୍ଦ କରିବେ ନାହିଁ। ସେ ଔଷଧ ନ ଖାଇଲେ ତାଙ୍କ ସ୍ଵାସ୍ଥ୍ୟର ଅବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଆଉ କିଛି କରା ଯାଇ ପାରିବ ନାହିଁ। ତାପରେ ମୁଁ ଯେତିକି ଅନୁଧ୍ୟାନ କରିଛି ମୁଁ ଆପଣଙ୍କୁ ଏତିକି ପରାମର୍ଶ ଦେବି ଯେ ଆପଣ ମାଆଙ୍କର ଏ ସମୟରେ ତାଙ୍କୁ ଆଉ ଚାକରବାକରଙ୍କ ଦାୟିତ୍ଵରେ ଛାଡ଼ି ଯାଆନ୍ତୁ ନାହିଁ। ଆପଣ ଓ ଆପଣଙ୍କ ସ୍ତ୍ରୀ ତାଙ୍କ ପାଖରେ ରହନ୍ତୁ। ତାହେଲେ ତାଙ୍କ ଶେଷ ଜୀବନଟା ଖୁସିରେ କଟିବ ଓ ସେ ଆଉ କିଛି ଦିନ ଅଧିକ ବଞ୍ଚି ଯାଇ ପାରନ୍ତି। ରାଜୁ ବାବୁ କହିଲେ , ଦେଖନ୍ତୁ , ଆମେ ଦୁଇଜଣ ଯାକ ତ ବିଦେଶରେ ଚାକିରି କରୁଛୁ। ଆଉ ମାସେ ପରେ ଆମ ଦୁଇଜଣଙ୍କର ବି ଛୁଟି ପୂରିଯିବ। ତା ଠାରୁ ଅଧିକ ଦିନ ଆମେ ଆଉ ଏଠାରେ ରହି ପାରିବୁ ନାହିଁ। ଡାକ୍ତର କହିଲେ , ତାହେଲେ ଆପଣ ମାଆଙ୍କୁ ଆପଣଙ୍କ ସାଥିରେ ନେଇ ଯାଆନ୍ତୁ। ରାଜୁ ବାବୁ କହିଲେ , ମାଆଙ୍କ ପାଖରେ ଚବିଶ ଘଣ୍ଟା ଲୋକ ଦରକାର। ଏଠି ସିନା ଦୁଇଜଣ ଲୋକ ସବୁବେଳେ ମାଆଙ୍କ କଥା ବୁଝୁଛନ୍ତି କିନ୍ତୁ ବିଦେଶରେ ଏ କାମ ପାଇଁ ଲୋକଟିଏ ପାଇବା ବଡ଼ କଷ୍ଟକର କଥା ସାର୍। ତେଣୁ ଆମେ ଦୁଇଜଣ ଅଫିସ୍ ଚାଲିଗଲା ପରେ ମାଆଙ୍କ କଥା ସେଠି କିଏ ବୁଝିବ ! ଡାକ୍ତର କହିଲେ , ଦେଖନ୍ତୁ ! ଆପଣଙ୍କ ମାଆଙ୍କର ହିତ ଦୃଷ୍ଟିରୁ ଯାହା ମୋତେ ଠିକ୍ ଲାଗିଲା ମୁଁ ଆପଣଙ୍କୁ ସେହି ପରାମର୍ଶ ଦେଲି। ସେ ଆପଣଙ୍କର ମାଆ। ତେଣୁ ତାଙ୍କ ପାଇଁ କେଉଁଟା ଭଲ ହେବ ଆପଣ ସେ ନିଷ୍ପତ୍ତି ନେବେ। ଡାକ୍ତରଙ୍କୁ ନମସ୍କାର କରି ରାଜୁବାବୁ ଗାଆଁକୁ ଫେରି ଆସିଲେ। ମାସକ ପରର କଥା। ମାଳତୀର ଦେହ ଖରାପ ଥିବାରୁ ରଘୁଆ ମାଳତୀକୁ ନେଇ ଡାକ୍ତରଙ୍କ ପାଖକୁ ଭୁବନେଶ୍ଵର ଆସିଥାଏ। ରଘୁଆକୁ ଦେଖୁ ଦେଖୁ ଡାକ୍ତରବାବୁ ପଚାରିଲେ , ଆରେ ରଘୁ ! ରାଜୁବାବୁଙ୍କ ମାଆଙ୍କ ଦେହ କେମିତି ଅଛି ? ରଘୁଆ ମନ ଦୁଃଖରେ କହିଲା , ସାର୍ ! ମାଆ ପରା ଚାଲିଗଲେଣି। ଡାକ୍ତରବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ , ଆରେ ହଠାତ୍ ଏମିତି କେମିତି ହେଲା ? କାହିଁ , ରାଜୁବାବୁ ତ ମୋତେ କିଛି ଜଣାଇ ନାହାଁନ୍ତି ! ଗାଆଁରେ ମାଉସୀଙ୍କର ଯଦି କିଛି ଅସୁବିଧା ହୁଏ ସେ ମୋତେ ଫୋନ୍ କରିବେ ବୋଲି ମୁଁ ତାଙ୍କୁ ବାରମ୍ବାର କହିଥିଲି। ରଘୁଆ କହିଲା , କେଉଁ ମୁହଁରେ ସେ ଆଉ ଆପଣଙ୍କୁ ଫୋନ୍ କରିଥାନ୍ତେ ସାର୍ ! ଡାକ୍ତର କହିଲେ , ଆରେ କଣ ହୋଇଛି ! ଏମିତି କାହିଁକି କହୁଛ ! ରଘୁଆ କହିଲା , କଣ ଆଉ କହିବି ସାର୍। ଆପଣଙ୍କ ପାଖକୁ ଯେଉଁଦିନ ରାଜୁବାବୁ ମାଆଙ୍କ କଥା ବୁଝିବାକୁ ଆସିଥିଲେ , ସେଦିନ ପର୍ଯ୍ୟନ୍ତ ମୁଁ ମାଆଙ୍କୁ ଔଷଧ ଖାଇବାକୁ ଦେଉଥିଲି। ତା ପରଦିନ ସକାଳେ ରାଜୁବାବୁ ଓ ବୋହୂମା ମୋତେ ତାଙ୍କ ରୁମକୁ ଡ଼ାକିଲେ। ବୋହୂମା ମୋତେ କହିଲେ , ରଘୁଆ ! ମାଆଙ୍କ ଔଷଧ ସବୁ ମୋ ରୁମରେ ଆଣି ରଖିଦିଅ। ମୁଁ ଆଜିଠାରୁ ମାଆଙ୍କୁ ଔଷଧ ଖାଇବାକୁ ଦେବି। ମୁଁ ମାଆଙ୍କର ସବୁ ଔଷଧପତ୍ର ଆଣି ବୋହୂମାଙ୍କ ହାତରେ ଧରାଇ ଦେଲି। ଅନେକ ଦିନରୁ ମୋର ତ ମାଆଙ୍କୁ ଔଷଧ ଖାଇବାକୁ ଦେବାର ଅଭ୍ୟାସ ଥାଏ। ତେଣୁ ଖରାବେଳେ ଓ ରାତିରେ ମାଆ ଖାଇ ସାରିବା ପରେ ମୁଁ ତାଙ୍କୁ ନେଇ ଔଷଧ ଖାଇବାକୁ ଦେଇଥାଏ। ସେଦିନ ଖରାବେଳେ ମାଆ ଖାଇ ସାରିବା ପରେ ମୁଁ ଯେତେବେଳେ ଦେଖିଲି ଯେ ବୋହୂମା ମାଆଙ୍କୁ ଔଷଧ ଦେଲେ ନାହିଁ ମୁଁ ଭାବିଲି , ଅଭ୍ୟାସ ନଥିବାରୁ ହୁଏତ ଭୁଲି ଯାଇଥିବେ। ତେଣୁ ମୁଁ ଯାଇ ବୋହୂମାଙ୍କୁ ମାଆଙ୍କୁ ଔଷଧ ଦେବା କଥା ମନେ ପକାଇଦେଲି। ସେ ଟିକେ ବିରକ୍ତ ହୋଇ କହିଲେ , ତମେ କାହିଁକି ବ୍ୟସ୍ତ ହେଉଛ। ମା ତ ଏବେ ଖାଇ ସାରିଲେ। ମୁଁ ନେଇ ଔଷଧ ଦେବିନି ! ରାତିରେ ବି ସେଇକଥା ଲକ୍ଷ୍ୟ କଲି। ମୁଁ ପୁଣି ଯାଇ ତାଙ୍କୁ କହିଲି। ଏକଥା ଶୁଣି ରାଜୁ ବାବୁ ବ୍ୟସ୍ତ ହେବା ପରିବର୍ତ୍ତେ ମୋ ଉପରେ ବିରକ୍ତ ହୋଇ କହିଲେ , ତୁ କଣ ମୋନିକାଙ୍କୁ ଛୋଟ ପିଲା ଭାବୁଛୁ ! ବାରମ୍ବାର ଆସି ମାଆଙ୍କୁ ଔଷଧ ଦେବାକୁ କ'ଣ ତାଙ୍କୁ ତାଗିଦ କରୁଛୁ। ମୁଁ ଆଉ କିଛି ନକହି ଚାଲି ଆସିଲି। ମୁଁ ଆଉ ତାଙ୍କୁ ସେ ବିଷୟରେ କିଛି କହିଲି ନାହିଁ ସତ କିନ୍ତୁ ବୋହୂମା ମାଆଙ୍କୁ ନେଇ ଔଷଧ ଦେବା ମୋ ଆଖିରେ କେତେବେଳେ ହେଲେ ପଡ଼ୁ ନଥିଲା। ତାପରେ ଦିନକୁ ଦିନ ମାଆଙ୍କର ସ୍ଵାସ୍ଥ୍ୟ ଅବସ୍ଥା ବିଗିଡ଼ିବାକୁ ଲାଗିଲା। କିନ୍ତୁ ମାଆଙ୍କର ଏହି ସ୍ବାସ୍ଥ୍ୟାବସ୍ଥାକୁ ନେଇ ରାଜୁ ବାବୁ କି ବୋହୂମା କେହି ବ୍ୟତିବ୍ୟସ୍ତ ହେଉ ନଥିଲେ। ମୁଁ କିଛି ବୁଝି ପାରୁ ନଥାଏ କି ସାହସ କରି ସେମାନଙ୍କୁ କିଛି ପଚାରି ବି ପାରୁ ନଥାଏ। ଏମିତି ଭାବରେ ସାତ ଦିନ କଟିଗଲା। ସବୁଦିନେ ସକାଳେ ମାଆଙ୍କର ନିଦ ଭାଙ୍ଗିଲା ପରେ ସେ ମୋତେ ଡାକନ୍ତି। ମୁଁ ଯାଇ ତାଙ୍କୁ ଶେଯରୁ ଉଠାଇ ଖଟକୁ ଆଉଜାଇ ବସାଇ ଦିଏ। ସେଦିନ ସକାଳେ ଦିନ ଆଠଟା ବାଜିଲା। କିନ୍ତୁ ମାଆ ଆଉ ମୋତେ ଯେତେବେଳେ ଡ଼ାକିଲେ ନାହିଁ ମୁଁ ତାଙ୍କ ରୁମ୍ ଭିତରକୁ ଗଲି। ଦେଖିଲି ଯେ ମାଆ ନିଶ୍ଚଳ ହୋଇ ଶୋଇଛନ୍ତି। ମୁଁ ଭାବିଲି ବୋଧହୁଏ ତାଙ୍କୁ ନିଦ ହୋଇ ଯାଇଛି। ଆସ୍ତେ ଆସ୍ତେ ତାଙ୍କୁ ମାଆ , ମାଆ ,ବୋଲି ଡାକିଲି। କିନ୍ତୁ ମୋର ସେ ଡାକ ଶୁଣିବାକୁ ମାଆ ଆଉ ନଥିଲେ । ସେ ଚିର ନିଦ୍ରାରେ ଶୋଇ ଯାଇଥିଲେ। ମୁଁ ଜାଣିଛି , ମାଆଙ୍କର ଦେହ ଖରାପ ଥିଲା। କିନ୍ତୁ ସେ କେବେହେଲେ ଏତେ ଶୀଘ୍ର ମରି ନଥାନ୍ତେ। ପୁଅ ଓ ବୋହୂ ଦୁହେଁ ତାଙ୍କୁ ଔଷଧ ଖାଇବାକୁ ନ ଦେଇ ମାରିଦେଲେ ସାର୍ ! ଡାକ୍ତର କହିଲେ , ତୁମେ ଏକଥା ଏତେ ନିଶ୍ଚିତ ଭାବରେ କିପରି କହି ପାରୁଛ ? ରଘୁଆ କହିଲା , ମାଆଙ୍କର ଶୁଦ୍ଧିକ୍ରିୟା କାମ ସାରି ରାଜୁ ବାବୁ ଓ ବୋହୂମା ତ ବିଦେଶ ଚାଲିଗଲେ। ତାପରେ ଦିନେ ମୁଁ ରାଜୁବାବୁଙ୍କ ରୁମ୍ ସଫା କଲା ବେଳକୁ ସେ ଘରର କାନ୍ଥ ଆଲମିରା ଭିତରୁ ମାଆଙ୍କର ଔଷଧ ସବୁ ପାଇଲି। ବଟିକା ସବୁ ଗଣି ଦେଖିଲି ଯେ ମାଆଙ୍କୁ ଖୁଆଇବା ପାଇଁ ବୋହୂମାଙ୍କ ହାତରେ ମୁଁ ଯେତିକି ବଟିକା ଦେଇଥିଲି ସେଥିରୁ ଗୋଟିଏ ହେଲେ ବି ବଟିକା ମାଆଙ୍କୁ ଖାଇବାକୁ ଦିଆ ଯାଇ ନଥିଲା। ଆଗରୁ ତ ମୁଁ ତ ଖାଲି ସନ୍ଦେହ କରୁଥିଲି। ଏହା ଦେଖିଲା ପରେ ମୁଁ ସ୍ଥିର ନିଶ୍ଚିତ ହୋଇଗଲି ଯେ ପୁଅ ଓ ବୋହୂ ଦୁହେଁ ଜାଣିଶୁଣି ଔଷଧ ଖାଇବାକୁ ନଦେଇ ମାଆଙ୍କୁ ମାରି ଦେଇଛନ୍ତି। ରଘୁଆ ଠାରୁ ଏକଥା ଶୁଣି ଡାକ୍ତରଙ୍କ ପାଟିରୁ ଆଉ କଥା ବାହାରୁ ନଥିଲା। ସେ ଚଷମା ଖୋଲି ନିଜ ଆଖିରୁ ଜକେଇ ଆସୁଥିବା ଲୁହକୁ ପୋଛୁଥିଲେ ଓ ରଘୁଆ ଓ ମାଳତୀ ଆଖିରୁ ବହି ଆସୁଥିବା ଲୁହଧାରକୁ ଚାହିଁ ରହିଥିଲେ। ***********************************


Rate this content
Log in