ବନ୍ଦ ଲଫାପା _____________
ବନ୍ଦ ଲଫାପା _____________
ବନ୍ଦ ଲଫାପା ___________________ ଫୁଙ୍କନଳୀରେ ଚୁଲୀ ଫୁଙ୍କି ଚୁଲୀ ଜଳେଇବାକୁ ଚେଷ୍ଟା କଲା ବେଳକୁ ଚୁଲୀରୁ ମେଞ୍ଚାଏ ଧୂଆଁ ଆସି ନିଶା ଆଈଙ୍କ ଆଖିରେ ପଶିଗଲା। ନିଜ ଉପରେ ନିଜେ ବହେ ବିରକ୍ତ ହେଲେ ସେ। ଆଜି ରୋଷେଇ ପାଇଁ କାଲି ଖରାରେ ଏ କାଠକୁ ଶୁଖାଇଥିଲେ ଯେ ସନ୍ଧ୍ୟାବେଳେ ଆଉ ଗୋଟେଇ ଆଣି ରଖିବାକୁ ମନେ ନାହିଁ। ରାତିସାରା କାଠ ତକ କାକର ଖାଇ ଖାଇ କାଲୁଆ ହୋଇ ଯାଇଛି। ଧୂଆଁ ହେବ ନାହିଁ ତ ଆଉ କଣ ହେବ ! ପଣତ କାନିରେ ଆଖି ପାଣିକୁ ପୋଛିବା ପରେ ଚୁଲୀ ଭିତରକୁ ଆଉ ଖଣ୍ଡେ ଶୁଖିଲା କାଠ ଦେଇ ଚୁଲୀକୁ ଜଳେଇଲେ ନିଶା ଆଈ। ମାଟି ଚୁଲୀ ଉପରେ ବସିଥିବା ମାଟି ହାଣ୍ଡିରେ ଭାତ ପାଣିଟା ଫୁଟି ଆସିଲାଣି। ହାଣ୍ଡିରେ ଚାଉଳ ପକେଇ ବାଉଁଶ ଚଟୁରେ ସେ ତାକୁ ଗୋଳେଇଦେଲେ। ଭାତ ଗାଳି ସାରିବାପରେ ତାଙ୍କୁ ସେଇ ଚୁଲୀରେ ପୁଣି ଡାଲି , ମାଛ ବେସର , ଭଜା ଓ ଖଟା କରିବାକୁ ହେବ। ବର୍ଷକରେ ଥରେ ଏଇ ଗୋଟିଏ ଦିନକୁ ସେ ବହୁତ ଆଗ୍ରହର ସହିତ ଅପେକ୍ଷା କରିଥାନ୍ତି। ଘରେ ଗ୍ୟାସ୍ ସିଲିଣ୍ଡର୍ ଓ ଗ୍ୟାସ୍ ଚୁଲା ଥିଲେ ବି ସେ ତାଙ୍କ ପୂର୍ବପୁରୁଷରୁ ଥିବା ଏଇ ମାଟି ଚୁଲୀରେ ରୋଷେଇ କରି ଖାଆନ୍ତି। ଏତିକିବେଳେ ତାଙ୍କ ସାହିର ରୁବି ଘର ଭିତରକୁ ପଶି ଆସିଲା। ହିସାବରେ ସେ ତାଙ୍କର ନାତୁଣୀ ହେବ। ସେ କହିଲା , ଆଈ ! କଣ ଏତେ ଆଗରୁ ରୋଷେଇ ଆରମ୍ଭ କଲଣି ! ଆଜି କଣ କିଏ କୁଣିଆ ଘରକୁ ଆସିବେ କି ? ନିଶା ଆଈ କହିଲେ , କୁଣିଆ ନୁହେଁ ମ , ଆଜି ପରା ମୋ ପୁଅ , ବୋହୂ ଓ ନାତି ନାତୁଣୀ ସମସ୍ତେ ଘରକୁ ଆସୁଛନ୍ତି। ବୁଝିଲୁ ରୁବି ! ମୋ ସବା ସାନ ନାତୁଣୀଟା ମୋଟେ ଭୋକ ସହିପାରେ ନାହିଁ। ସେ ପହଞ୍ଚିଲା ବେଳକୁ ରୋଷେଇ ଯଦି ସରି ନଥିବ ନା ତାହେଲେ ତାକୁ ସମ୍ଭାଳିବା ମୋ ପାଇଁ ବହୁତ କଷ୍ଟକର ହୋଇ ପଡ଼ିବ। ସେଥିପାଇଁ ପରା ତରତର ହେଉଛି। ରୁବି କହିଲା , କଥା କଣକି ଆଈ ! ଆମ ଘରେ ଲୁଣ ନଥିଲା ତ। ଏ କପରେ କପେ ଲୁଣ ନେବା ପାଇଁ ମା ମୋତେ ପଠାଇଥିଲେ। ଲୁଣ ଡବାରୁ ରୁବିକୁ ଲୁଣ ଦେଇ ନିଶା ଆଈ କହିଲେ , ଆରେ ମା ରୁବି ! ମୋ ବଡ଼ ନାତିଟା ଆମ୍ବ ଖଟା ଖାଇବାକୁ ଭାରି ଭଲ ପାଏ। ବାରି ଆମ୍ବଗଛରୁ ନଗି ଲଗାଇ ଆମ୍ବ ଦିଟା ତୋଳି ଦିଅନ୍ତୁ ନି ! ରୁବି କହିଲା , ମୁଁ ଆମ ଘରେ ଲୁଣଟା ଦେଇ ଆସୁଛି। ତାପରେ ଆମ୍ବ ତୋଳି ତୁମକୁ ଦେଇଯିବି। ରୁବି ଚାଲିଯିବା ପରେ ସେଇ ଚୁଲୀ ମୁଣ୍ଡରେ ପନିକି ପକେଇ ପରିବା କାଟିବାକୁ ବସି ପଡ଼ିଲେ ନିଶା ଆଈ। ବଡ଼ ମଝିଆଁ ପୁଅ ଦୀନେଶ ମାଛ ବେସରକୁ ଭାରି ଭଲ ପାଏ। ସେଥିପାଇଁ ମାଛ ବେସର ପାଇଁ ଆଗରୁ ଶିଳରେ ବେସରଟା ବାଟି ସେ ରଖି ଦେଇଛନ୍ତି। ଘରେ ଗ୍ରାଇଣ୍ଡର ଥିଲେ ବି ଶିଳରେ ମସଲା ବାଟି ତରକାରୀ କରିବାକୁ ସେ ଅଧିକ ପସନ୍ଦ କରନ୍ତି କାହିଁକି ନା ସେ ଭାବନ୍ତି ଗ୍ରାଇଣ୍ଡର ବଟା ମସଲାରେ ରନ୍ଧା ତରକାରୀ ଶିଳରେ ବଟା ହୋଇଥିବା ମସଲାରେ ରନ୍ଧା ତରକାରୀ ଭଳି ସ୍ଵାଦିଷ୍ଟ ହୁଏ ନାହିଁ। ପରିବା କଟା କାମଟା ସାରିଦେଲେ ଭାତ ଗାଳି ସାରିବା ପରେ ପରେ ସେ ଡାଲମାଟା ବସେଇବେ। ବଡ଼ପୁଅ ସୁରେଶ ଭାରି ଡାଲମା ପ୍ରିୟ। ଭାତ ଥାଳିରେ ଭାତ ସେମିତି ଥିବ। ତାଟିଆରୁ ଡାଲମା ତକ ଖାଇଦେଇ ପୁଣି ଡାଲମା ମାଗିବ। ପନିକିରେ ଆଳୁ ଦିଟା କାଟିଛନ୍ତି କି ନାହିଁ ବନା ନିଶା ଖୁଡ଼ୀ ! ନିଶା ଖୁଡ଼ୀ ! ଡାକି ଘର ଭିତରକୁ ପଶି ଆସିଲା। ବନା ହିସାବରେ ନିଶା ଆଈଙ୍କର ପୁତୁରା ହେବ। ସେ ଆସି କହିଲା , ଖୁଡ଼ୀ ! ମୋତେ ନଡ଼ିଆ ଛଡେଇଦେବା ପାଇଁ କହୁଥିଲ ପରା ! ନଡ଼ିଆ ଓ କଟୁରୀ କେଉଁଠି ରଖିଛ ମୋତେ ଦିଅ। ନଡ଼ିଆ ଦିଟା ଛଡ଼େଇ ଦେଲେ ମୁଁ ହାଟକୁ ଯିବି। ନିଶା ଆଈ କହିଲେ , ଆରେ ! ମୁଁ ତ ସେକଥା ପୁରାପୁରି ଭୁଲି ଯାଇଛି। ହଉ , ତୁ ଟିକେ ରହ। ମୁଁ ଘର ଭିତରୁ ନଡ଼ିଆ ଓ କଟୁରୀ ଆଣି ତୋତେ ଦେଉଛି। ଏହା କହି ପରିବା କଟା ଛାଡ଼ି ନିଶା ଆଈ ଘର ଭିତରକୁ ଗଲେ। ଘର ଭିତରୁ ଚାରିଟା ନଡ଼ିଆ ଓ କଟୁରୀ ଆଣି ଦୁଆରେ ଥୋଇଦେଇ ପୁଣି ସେ ପରିବା କାଟିବାକୁ ପନିକି ପିଢ଼ା ଉପରେ ବସି ପଡ଼ିଲେ। ନଡ଼ିଆ ଛଡ଼ାଉ ଛଡ଼ାଉ ବନା କହିଲା , ଖୁଡ଼ୀ ! ଆଜି ତ କିଛି ପର୍ବ ନାହିଁ। ଏ ଚାରିଟା ନଡ଼ିଆ କଣ କରିବ ? ନିଶା ଆଈ କହିଲେ , ଆରେ ! ଆଜି ପରା ମୋ ପୁଅ , ବୋହୂ , ନାତି ଓ ନାତୁଣୀ ସମସ୍ତେ ଘରକୁ ଆସୁଛନ୍ତି ! ରାତିରେ ସମସ୍ତଙ୍କ ପାଇଁ ଚକୁଳି ପିଠା କରିବି। ମନୁଆ ଦୋକାନରୁ ଗୁଡ଼ କିଲେ ମଗେଇ ରଖିଛି। ପରି ଗଉଡ଼ୁଣୀକୁ କହିଥିଲି ସେ ଆଣି ଛେନା ଦେଇ ଯାଇଛି। ଛେନା , ନଡ଼ିଆ ପୂର ହେବ। ପୂଅ ବୋହୂ ନାତି ନାତୁଣୀ ହୋଇ ଷୋଳଜଣ ହେଲେଣି ଟି। ଚାରିଟା ନଡ଼ିଆ ନ ଭାଙ୍ଗିଲେ କଣ ପୂର ପାଇଁ ଅଣ୍ଟିବ ! ବନା ନଡ଼ିଆ ଛଡ଼େଇ ଚାଲିଗଲା ପରେ ନିଶା ଆଈ ଭାବିଲେ , ଆରେ ! ରାତିକି ଚକୁଳି ପିଠା କରିବି ବୋଲି ବିରି ଚାଉଳ ବତୁରେଇଛି। ତାକୁ ପୁଣି କେତେବେଳେ ବାଟିବି ! ଯାଃ ! ଏ ନିଆଁ ଲଗା ମନକୁ ନେଇ ମୁଁ କଣ ଆଉ କରିବି ଯେ ! ବୟସ ବଢ଼ିବା ସାଙ୍ଗେ ଆଉ କିଛି ବି ମନେ ରହୁନାହିଁ। ନିଶା ଆଈ ତରତର ହୋଇ ପରିବା କାଟିବାରେ ଲାଗିଲେ। ଯେତେ ଶୀଘ୍ର ରୋଷେଇ କାମଟା ସାରିଦେଲେ ଶିଳରେ ବିରି ଚାଉଳ ବାଟିବାକୁ ପଡ଼ିବ। ଶିଳରେ ବିରି ଚାଉଳ ବାଟିଲେ ସେ ଆଣରୁ ତିଆରି ଚକୁଳି ପିଠାରୁ ଯେଉଁ ବାସ୍ନା ଆସିବ ସେ ବାସ୍ନା ଗ୍ରାଇଣ୍ଡରରେ ବଟା ହୋଇଥିବା ଆଣରେ ତିଆରି ପିଠାରୁ ଆସିବ କେଉଁଠୁ ! ଆଗରୁ ବିରି ଚାଉଳ ବାଟି ନ ରଖିଲେ ଚକୁଳି ପିଠା ଜମା ଫୁଲିବ ନାହିଁ। ପିଠା ଟିକେ ଟାଣ ହେଲେ ସାନ ମଝିଆଁ ପୁଅ ମହେଶ କହିବ , ବୋଉ ଏ ପିଠା କାହିଁକି ତୋ ହାତ ତିଆରି ପିଠା ଭଳିଆ ଲାଗୁନାହିଁ ! ତରବର ହୋଇ ପରିବା କଟା କାମଟା ସାରିଦେଲେ ନିଶା ଆଈ। ଏପଟେ ଭାତ ହାଣ୍ଡିରେ ଭାତ ଟକମକ ଶବ୍ଦ କରି ଫୁଟିଲାଣି। ମଝିରେ ମଝିରେ ହାଣ୍ଡି ଭିତରୁ ଗୋଟିଏ ଗୋଟିଏ ଭାତ ବାହାରକୁ ଫୁଟି ପଡ଼ୁଥାଏ। ମାଟି ହାଣ୍ଡିରେ ଫୁଟୁଥିବା ଭାତର ବାସ୍ନାରେ ଭିଜି ନିଶା ଆଈ କିଛି ସମୟ ପାଇଁ ଅତୀତର ସ୍ମୃତି ଭିତରେ ହଜିଗଲେ। ପୂର୍ବଦିନର ସ୍ମୃତି ସବୁ ତାଙ୍କ ଆଖି ଆଗରେ ନାଚି ଉଠୁଥିଲା। ସେ ଏ ଘରକୁ ବୋହୂ ହୋଇ ଆସିବା ସମୟର କଥା ତାଙ୍କ ମନ ପରଦାରେ ଛବି ଭଳି ଆଙ୍କି ହୋଇ ଯାଉଥିଲା । ଘରର ବଡ଼ ବୋହୂ ହୋଇଥିବାରୁ ବାହାଘରର ଅଳ୍ପଦିନ ପରେ ତାଙ୍କ ଶାଶୁ ତାଙ୍କୁ ଘରର ସବୁ ଦାୟିତ୍ଵ ବିଷୟରେ ବୁଝେଇ ଦେଇଥିଲେ। ଶାଶୁ , ଶ୍ୱଶୁର , ଖୁଡ଼ୀ ଶାଶୁ , ଖୁଡ଼ୁତାଶୁର , ସ୍ଵାମୀ ଓ ଦିଅରଙ୍କୁ ନେଇ ତାଙ୍କ ପରିବାର। ପରିବାରର ସମସ୍ତଙ୍କ ଭିତରେ ଏତେ ସ୍ନେହ , ଶ୍ରଦ୍ଧା ଓ ଭଲପାଇବା ଥିଲା ଯେ ତାଙ୍କ ଦିଅର ଯେ ତାଙ୍କ ଖୁଡ଼ୁତାଶୁରଙ୍କ ପୁଅ ଏକଥା ଜାଣିବାକୁ ତାଙ୍କୁ ଅନେକ ଦିନ ଲାଗି ଯାଇଥିଲା। ପ୍ରଥମେ ସେ ଯେଉଁଦିନ ରୋଷେଇ କରିବାକୁ ଗଲେ ତାଙ୍କ ଶାଶୁ ଏହି ମାଟି ଚୁଲୀକୁ ଦେଖେଇ କହିଲେ , ମାଆ ରେ ! ଏଇ ଚୁଲୀ ହେଉଛି ପରିବାରର ସମସ୍ତଙ୍କୁ ସ୍ନେହ ଓ ପ୍ରେମରେ ବାନ୍ଧି ରଖିବାର ଚାବିକାଠି। ସେହି ଚାବିକାଠି ଆଜି ମୁଁ ତୋ ହାତରେ ଦେଉଛି। ସେ ଯେତେବେଳେ କିଛି ବୁଝି ନପାରି ତାଙ୍କ ଶାଶୁଙ୍କ ମୁହଁକୁ ଚାହିଁଲେ ତାଙ୍କ ଶାଶୁ ତାଙ୍କୁ କହିଲେ , ଏଇ ଚୁଲୀରେ ତୁ ଯେଉଁ ମନୋଭାବ ନେଇ ରୋଷେଇ କରି ପରିବାରର ସମସ୍ତଙ୍କୁ ଖାଇବାକୁ ଦେବୁ ପରିବାରର ସମସ୍ତଙ୍କ ମନରେ ସେହି ଭାବନା ସୃଷ୍ଟି ହେବ। ସେଥିପାଇଁ କଥାରେ ଅଛି , ଯେମିତି ଅନ୍ନ ସେମିତି ମନ। ତୁ ଯଦି ସ୍ନେହ ଓ ଶ୍ରଦ୍ଧାରେ ଏଇ ଚୁଲୀରେ ରୋଷେଇ କରିବୁ ତୋର ରନ୍ଧା ଅନ୍ନ ସେଇ ସ୍ନେହ ଓ ଶ୍ରଦ୍ଧାରେ ଭିଜିଯିବ। ଆଉ ସେହି ଅନ୍ନକୁ ପରିବାରର ଲୋକମାନେ ଭୋଜନ କଲେ ସେମାନଙ୍କ ମନରେ ପରସ୍ପର ପ୍ରତି ସ୍ନେହ , ଶ୍ରଦ୍ଧା ଓ ଭଲପାଇବା ସୃଷ୍ଟି ହେବ। ପରିବାରରେ ଯେତେ ଭାଇ ମିଳିମିଶି ରହୁଥିଲେ ବି ସେମାନେ କେବେ ପରସ୍ପର ପରସ୍ପର ଠାରୁ ଅଲଗା ହେବା କଥା ଚିନ୍ତା କରିବେ ନାହିଁ। ଆଉ ତୁ ଯଦି ତୋର ମୋର ମନୋଭାବ ନେଇ ଏଇ ଚୁଲୀରେ ରୋଷେଇ କରୁ ତାହେଲେ ତୋର ହାତ ରନ୍ଧା ଅନ୍ନ ହିଂସା ଓ ସ୍ଵାର୍ଥପରତାରେ ଭିଜି ଯିବ। ଆଉ ପରିବାରର ଲୋକମାନେ ସେହି ଅନ୍ନକୁ ଖାଇଲେ ସେମାନଙ୍କ ମନରେ ପରସ୍ପର ପ୍ରତି ଭଲପାଇବା ପରିବର୍ତ୍ତେ ହିଂସା ମନୋବୃତ୍ତି ଆସିବ ଯାହା ଫଳରେ କି ଭାଇ ଭାଇ ଭିତରେ ପରସ୍ପର ପରସ୍ପର ଠାରୁ ଭିନ୍ନେ ହେବା ମନୋବୃତ୍ତି ଆସିବ ଓ ଅଲଗା ଅଲଗା ଚୁଲୀରେ ରୋଷେଇ କରିବାର ପ୍ରବୃତ୍ତି ସେମାନଙ୍କ ମନରେ ଜାଗ୍ରତ ହେବ। ତେଣୁ ଏ ପରିବାରକୁ ଏକାଠି କରି ରଖିବା ତୋ ଉପରେ ନିର୍ଭର କରେ। ଏ ଘରେ ଚୁଲୀ ଯେମିତି ଅଲଗା ନହୁଏ ଘରର ବଡ଼ବୋହୂ ହିସାବରେ ସେଥିପ୍ରତି ନଜର ଦେବା ଦାୟିତ୍ଵ ହେଉଛି ତୋର। ମୁଁ ଯେତେବେଳେ ଏ ଘରକୁ ବୋହୂ ହୋଇ ଆସିଥିଲି ଏଇକଥା ମୋ ଶାଶୁ ମୋତେ କହିଥିଲେ। ଆଉ ଆଜି ସେକଥା ମୁଁ ତୋତେ କହୁଛି। ମୋ ଶାଶୁଙ୍କ କଥାକୁ ମାନି ମୁଁ ଯେମିତି ଆଜି ପର୍ଯ୍ୟନ୍ତ ଏ ଘରେ ଚୁଲୀ ଅଲଗା ହେବାକୁ ଦେଇନାହିଁ ଠିକ୍ ସେମିତି ତୁ ବି ଏ ଘରେ କେବେ ଚୁଲୀ ଅଲଗା ହେବାକୁ ଦେବୁନାହିଁ। ସେବେଠାରୁ ସେ ଏ ଚୁଲୀର ଗରିମାକୁ ବଜାୟ ରଖିବାର ପ୍ରୟାସ କରି ଆସିଛନ୍ତି। ଏଇ ଚୁଲୀରେ ଛ ତିଅଣ ନ ଭଜା କରି ସେ ଶାଶୁ , ଶ୍ୱଶୁର , ଖୁଡ଼ୀ ଶାଶୁ , ଖୁଡ଼ୁତାଶୁର , ସ୍ଵାମୀ ଓ ଦିଅର ସମସ୍ତଙ୍କୁ ଖୁଆଇଛନ୍ତି। ସମସ୍ତେ ଯେତେବେଳେ ଗୋଟିଏ ଛାତ ତଳେ ବସି ଏକାଠି ଭୋଜନ କରନ୍ତି ସେମାନଙ୍କ ମୁହଁରେ ଫୁଟି ଉଠୁଥିବା ପରିତୃପ୍ତିର ହସକୁ ଦେଖି ତାଙ୍କର ଆତ୍ମା ମଧ୍ୟ ତୃପ୍ତ ହୋଇଯାଏ। ସମସ୍ତଙ୍କୁ ଖାଇବା ପରଷି ସାରିଲା ପରେ ତାଙ୍କ ଶାଶୁ ଓ ଖୁଡ଼ୀ ଶାଶୁ ତାଙ୍କୁ ଯେତେବେଳେ ସେମାନଙ୍କ ସହିତ ବସି ଖାଇବାକୁ ଡାକନ୍ତି ସେମାନଙ୍କ ସହିତ ଗୋଟିଏ ଥାଳିରେ ବସି ଖାଇଲା ବେଳେ ତାଙ୍କ ମନ ଖୁସିରେ ପୂରି ଉଠେ। ସେ ଭାବନ୍ତି , ଏଇଟା ହିଁ ତ ତାଙ୍କର ପ୍ରକୃତ ସମ୍ପତ୍ତି। କେତେଜଣ ଝିଅଙ୍କ ଭାଗ୍ୟରେ ବା ଏଭଳି ଏକାନ୍ନବର୍ତ୍ତୀ ପରିବାର ଜୁଟେ ! ନିଜକୁ ନିଜେ ସେ ଖୁବ୍ ଭାଗ୍ୟବତୀ ମନେ କରନ୍ତି। ସେ ବୋହୂ ହୋଇ ଆସିବାର ଦୁଇ ବର୍ଷ ପରେ ସୁରେଶ ତାଙ୍କ କୋଳକୁ ଆସିଲା। ତା ପରେ ପରେ ଦିଅରଙ୍କର ବାହାଘର। ସାନଯାଆ ଭାବରେ ଯାହାକୁ ସେ ପାଇଲେ ସେ ତ ତାଙ୍କର ଯାଆ ନଥିଲା ସାନ ଭଉଣୀ ଥିଲା। ଘରର ଅନ୍ୟ ସବୁ କାମ ସେ ତାଙ୍କ ହାତରୁ ଛଡ଼େଇ ନେଇ ମନ ଖୁସିରେ କରି ଦେଉଥିଲେ ମଧ୍ୟ ରୋଷେଇ କାମଟା ସେ ନିଜେ କରୁଥିଲେ। ସକାଳୁ ଉଠି ଚୁଲୀରୁ ପାଉଁଶ କାଢ଼ିବା ଠାରୁ ଆରମ୍ଭ କରି ଚୁଲୀକୁ ମାଟି ଓ ଗୋବରରେ ଲିପି ପୋଛି ପରିଷ୍କାର କରିବା ପର୍ଯ୍ୟନ୍ତ ସବୁ କାମ ସେ ନିଜ ହାତରେ କରୁଥିଲେ କାରଣ ଯେଉଁ ମାଟି ଚୁଲୀରେ ସେ ରୋଷେଇ କରୁଥିଲେ ତାହା ତାଙ୍କ ପାଇଁ ଏକ ପବିତ୍ର ଅଗ୍ନିକୁଣ୍ଡ ଠାରୁ କୋୖଣସି ଗୁଣରେ କମ୍ ନଥିଲା। ପରିବା କାଟିବା ଠାରୁ ଆରମ୍ଭ କରି ବେସର ବାଟିବା ପର୍ଯ୍ୟନ୍ତ ରୋଷେଇ ସମ୍ବନ୍ଧିତ ସମସ୍ତ କାମ ସେ ନିଜେ ଅତି ଶ୍ରଦ୍ଧାର ସହିତ କରୁଥିଲେ। ସୁରେଶକୁ ଦୁଇ ବର୍ଷ ହେଲା ବେଳକୁ ଯାଆଙ୍କ କୋଳକୁ ଘରର ବଡ଼ ମଝିଆଁ ପୁଅ ଦୀନେଶ ଆସିଲା। ବଡ଼ପୁଅ ସୁରେଶ ପାଞ୍ଚବର୍ଷର ହୋଇ ଯେତେବେଳେ ଗାଆଁ ସ୍କୁଲରେ ନାଆଁ ଲେଖେଇଲା ତାଙ୍କ କୋଳକୁ ଘରର ସାନ ମଝିଆଁ ପୁଅ ମହେଶ ଆସିଲା। ମହେଶ ଜନ୍ମ ହେବାର ଏକବର୍ଷ ପରେ ତାଙ୍କ ଯାଆ ଘରର ସବା ସାନପୁଅ ପରେଶକୁ ଜନ୍ମ ଦେଇଥିଲେ। ବଡ଼ପୁଅ ସୁରେଶ ଯେହେତୁ ତାଙ୍କୁ ବୋଉ ଡାକୁଥିଲା ତା ଦେଖାଦେଖି ଘରର ଅନ୍ୟ ପିଲାମାନେ ତାଙ୍କୁ ମଧ୍ୟ ବୋଉ ବୋଲି ଡାକୁଥିଲେ। ଖାଲି ସେତିକି ନୁହେଁ ସୁରେଶ ଦେଖାଦେଖି ମହେଶ , ଦୀନେଶ ଓ ପରେଶ ସମସ୍ତେ ତାଙ୍କ ସ୍ବାମୀଙ୍କୁ ବାପା ଓ ତାଙ୍କ ଦିଅର ଓ ଯାଆଙ୍କୁ ଦାଦା ଓ ଖୁଡ଼ୀ ବୋଲି ଡାକୁଥିଲେ। ସେଥିପାଇଁ ହଠାତ୍ ଘରକୁ କେହି ଅଜଣା ଲୋକ ଆସିଲେ ଚାରିପୁଅଙ୍କ ଭିତରୁ କିଏ ବଡ଼ ଭାଇର ପୁଅ ଓ କିଏ ସାନଭାଇର ପୁଅ ସେ ସହଜେ ଜାଣି ପାରୁ ନଥିଲେ। ଏଇ ଚୁଲୀରେ ରୋଷେଇ କରି ସେ ଶାଶୁ , ଶ୍ୱଶୁର , ଖୁଡ଼ୀ ଶାଶୁ , ଖୁଡ଼ୁତାଶୁର , ସ୍ଵାମୀ , ଦିଅର , ଯାଆ ଓ ଚାରି ଚାରିଟା ପିଲାଙ୍କୁ ଖାଇବାକୁ ଦେଇଛନ୍ତି। ତାପରେ ପିଲାମାନେ ବଡ଼ ହେଲେ ଓ ପାଠଶାଠ ପଢ଼ି ଚାକିରୀ କଲେ। ସମୟକ୍ରମେ ପୁଅମାନଙ୍କର ବାହାଘର ହେଲା। ଚାରି ବୋହୂ ଘରକୁ ଆସିଲେ। ସମସ୍ତଙ୍କ ପାଇଁ ସେ ଏଇ ଚୁଲୀରେ ରୋଷେଇ କରିଛନ୍ତି। ସମୟ ବିତି ଯାଇଛି। ଆଜି ଆଉ ରୋଷେଇ ଘରେ ସବୁଦିନେ ଆଗ ଭଳି ଗହଳି ଚହଳି ଲାଗୁନାହିଁ। ପୁଅମାନେ ଚାକିରି କରି ବୋହୂମାନଙ୍କ ସହିତ ଯେତେବେଳେ ସେମାନଙ୍କ ଚାକିରିସ୍ଥାନକୁ ଚାଲିଗଲେ ଘରେ ଲାଗି ରହିଥିବା ଗହଳି ଚହଳି କମିଗଲା। ତାପରେ ଶାଶୁ , ଶ୍ୱଶୁର , ଖୁଡ଼ୀ ଶାଶୁ ଓ ଖୁଡ଼ୁତାଶୁର ପରକୁ ପର ଜଣ ଜଣ କରି ଏ ସଂସାରରୁ ବିଦାୟ ନେଇଗଲେ। ଯେଉଁ ଚୁଲୀରେ ଦିନେ ସେ ଷୋଳଜଣଙ୍କ ପାଇଁ ରୋଷେଇ କରୁଥିଲେ ସେହି ଚୁଲୀରେ ସେ , ତାଙ୍କ ସ୍ଵାମୀ , ତାଙ୍କ ଯାଆ ଓ ତାଙ୍କ ଦିଅର ଏହି ଚାରିଜଣଙ୍କ ପାଇଁ ରୋଷେଇ କଲେ। ବଡ଼ ହାଣ୍ଡି ପରିବର୍ତ୍ତେ ଚୁଲୀରେ ଛୋଟ ହାଣ୍ଡି ବସିଲା। କେବଳ ବିଭିନ୍ନ ଛୁଟି ସମୟରେ ପୁଅ ଓ ବୋହୂମାନେ ଯେତେବେଳେ ଘରକୁ ଆସନ୍ତି ପୁଣି ଚୁଲୀରେ ବଡ଼ ହାଣ୍ଡି ବସେ। ପୁଣି କିଛି ଦିନପାଇଁ ଘରେ ଗହଳି ଚହଳି ଲାଗେ। ସେମାନେ ଚାକିରି ସ୍ଥାନକୁ ଚାଲିଯିବା ପରେ ପୁଣି ଯେଉଁ କଥାକୁ ସେଇ କଥା। ଘରଟା ପୁଣି ଖାଁ ଖାଁ ଲାଗେ। ତାପରେ ନାତି ନାତୁଣୀଙ୍କ ଜନ୍ମ। ବଡ଼ପୁଅର ଦୁଇପୁଅ , ବଡ଼ ମଝିଆଁର ଦୁଇଝିଅ , ସାନମଝିଆଁର ଗୋଟିଏ ପୁଅ ଗୋଟିଏ ଝିଅ ଓ ସାନପୁଅ ପରେଶର ଦୁଇପୁଅ। ସବୁ ପିଲାମାନଙ୍କର ଏକୋଇଶିଆ ପୂଜା ଏଇ ଘରେ ହୋଇଛି। ସମସ୍ତଙ୍କ ଏକୋଇଶିଆକୁ ଠିଆ ପାଲା ହୋଇଛି ଏବଂ ସାହି ଓ ଗାଆଁ ଲୋକଙ୍କ ପାଇଁ ଭୋଜି ଭାତ ହୋଇଛି। ଧୀରେ ଧୀରେ ନାତି ନାତୁଣୀ ସବୁ ବଡ଼ ହେଲେ। ନାତି ନାତୁଣୀମାନେ ସେମାନଙ୍କ ବାପାମାଆଙ୍କ ପାଖରେ ରହି ପାଠ ପଢ଼ିଲେ। ସ୍କୁଲ୍ ଛୁଟି ସମୟରେ ସମସ୍ତେ ଯେତେବେଳେ ଘରେ ଏକାଠି ହୋଇ ଯାଆନ୍ତି ଏଇ ଚୁଲୀରେ ପୁଣି କୋଡ଼ିଏ ଜଣଙ୍କ ପାଇଁ ରୋଷେଇ ହୁଏ। ସେ ସମୟରେ ନାତି ନାତୁଣୀ ମାନଙ୍କ କୋଳାହଳରେ ଘରଟା ଯେତେବେଳେ ଫାଟି ପଡ଼େ ସେତେବେଳେ ଘରଟା ତାଙ୍କୁ ପୂରିଲା ପୂରିଲା ଲାଗେ। ତାପରେ ଏ ପୂର୍ଣ୍ଣତା ଭିତରେ ଅପୂର୍ଣ୍ଣତା ଅନୁଭବ ହେଲା। ରୋଗରେ ପୀଡ଼ିତ ହୋଇ ପ୍ରଥମେ ସାନ ଯାଆ ଓ ତାର ଦୁଇବର୍ଷ ପରେ ଦିଅର ଆରପାରିକୁ ଚାଲିଗଲେ। ଘରେ ରହିଗଲେ ସେ ଓ ତାଙ୍କ ସ୍ଵାମୀ। ସବୁବେଳେ ମନେ ମନେ ସେ ଠାକୁରଙ୍କ ଡାକନ୍ତି , ହେ ପ୍ରଭୁ ! ମୋ ସାନଯାଆ ଯେମିତି ଅହ୍ୟ ଡେଙ୍ଗୁରା ବଜେଇ ଏ ଦୁନିଆରୁ ଚାଲିଗଲା ମୋତେ ବି ସେମିତି ମୋ ସ୍ଵାମୀଙ୍କ ଆଗରୁ ନେଇଯାଅ। କିନ୍ତୁ ତାହା ବୋଧେ ତାଙ୍କ ଭାଗ୍ୟରେ ଲେଖା ନଥିଲା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଭିତରେ କିଛିଦିନ ଶଯ୍ୟାଶାୟୀ ହୋଇ ତାଙ୍କ ସ୍ଵାମୀ ମଧ୍ୟ ତାଙ୍କୁ ଏକା କରି ଏ ଦୁନିଆରୁ ଚାଲିଗଲେ। ଏତେବଡ଼ ଘରଟାରେ ସେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଗଲେ। ସ୍ଵାମୀଙ୍କର କ୍ରିୟାକ୍ରମ ସରିବା ପରେ ଚାରିପୁଅ ଯାକ କହିଲେ , ବୋଉ ! ବାପା ତ ଚାଲିଗଲେ। ଆମେ ଆଉ ଏଠାରେ ତୋତେ ଏକୁଟିଆ ରହିବାକୁ ଦେବୁ ନାହିଁ। ତୁ ଏବେ ଚାଲ୍ ଆମ ପାଖରେ ରହିବୁ। ସେ ପୁଅମାନଙ୍କୁ ବୁଝେଇ ଶୁଝେଇ ସେମାନଙ୍କ ସହିତ ଯିବା ପାଇଁ ମନା କରି ଦେଇଥିଲେ। ସେ ପୁଅମାନଙ୍କୁ କହିଲେ , ତୁମେମାନେ ଯିଏ ଯେଉଁଠି ଥିଲେ ବି ତୁମେମାନେ ସମସ୍ତେ ସବୁବେଳେ ମୋ ମନ ଭିତରେ ଅଛ। ତୁମେ ତ ଚାରିଭାଇ ଯାକ ଜଣେ ଦିଲ୍ଲୀ , ଜଣେ ବମ୍ବେ , ଜଣେ ଚେନ୍ନାଇ ଓ ଜଣେ କଲିକତାରେ ଚାକିରି କରୁଛ। ମୁଁ ଘର ତାଲା ପକେଇ ଚାଲିଗଲେ ଏ ଘରେ ତୁଳସୀ ଚଉରା ମୂଳେ ସଞ୍ଜ ସଳିତା ଟିକେ ଜଳିବ ନାହିଁ। ତାପରେ ମୁଁ ତ ଏବେ ନିଜ କାମ ନିଜେ କରି ପାରୁଛି। ଯେତେବେଳେ ମୋର ସେମିତି କିଛି ଅସୁବିଧା ହେବ ମୁଁ ତୁମ୍ଭମାନଙ୍କୁ କହିବି। ପୁଅମାନଙ୍କର ମନ ବୁଝେଇବାକୁ ସେ ସିନା ଏକଥା କହିଲେ କିନ୍ତୁ ଅସଲ କଥା ହେଲା ସେ ତାଙ୍କ ଶାଶୁଘର ଛାଡ଼ି ଅନ୍ୟ କେଉଁଆଡେ଼ ଯିବାକୁ ଚାହୁଁ ନଥିଲେ। ତାଙ୍କର ଇଚ୍ଛା ଥିଲା ସେ ସବାରିରେ ବସି ଯେଉଁ ଘରକୁ ବୋହୂ ହୋଇ ଆସିଛନ୍ତି ସେହିଘରୁ ସେ କୋକେଇରେ ଶୋଇ ମଶାଣୀକୁ ଯିବେ। ସେ ପୁଅମାନଙ୍କୁ କହିଲେ , ଦେଖ ! ତୁମ୍ଭେମାନେ ମୋତେ ତୁମମାନଙ୍କ ସହିତ ଯିବାକୁ ବାଧ୍ୟ କର ନାହିଁ। ବରଂ ତୁମ ଚାରିଭାଇଙ୍କ ଭିତରୁ ଯେତେବେଳେ ଯାହାର ମୋତେ ଦେଖିବାକୁ ଇଚ୍ଛା ହେବ ସେ ତା ପିଲାମାନଙ୍କୁ ନେଇ ମୋତେ ଦେଖିବା ପାଇଁ ଘରକୁ ଚାଲି ଆସିବ। କିନ୍ତୁ ସମସ୍ତେ ମୋର ଗୋଟିଏ କଥା ରଖିବ। ସବୁ ପିଲାମାନଙ୍କର ବାର୍ଷିକ ପରୀକ୍ଷା ସରିବା ପରେ ଯେତେବେଳେ ସେମାନଙ୍କର ସ୍କୁଲ୍ ଛୁଟି ହୋଇଯିବ ସେହି ସମୟରେ ତୁମେ ଚାରି ଭାଇ ଯାକ ନିଜ ନିଜ ଭିତରେ ଆଲୋଚନା କରି ସମସ୍ତେ ନିଜ ନିଜର ଅଫିସରୁ ଛୁଟି ନେବ ଓ ଏକ ସପ୍ତାହ ପାଇଁ ସମସ୍ତେ ଘରକୁ ଆସିବ। ତା ପର ଠାରୁ ପୁଅମାନଙ୍କର ଯାହାର ଯେତେବେଳେ ସୁବିଧା ହୁଏ ସେ ତାର ପିଲାପିଲିଙ୍କି ଧରି ଘରକୁ ଆସେ ଓ ଘରେ ତାଙ୍କ ସହିତ ଦୁଇ ତିନି ଦିନ କଟେଇ ପୁଣି ତା ଚାକିରି ସ୍ଥାନକୁ ଚାଲିଯାଏ। ଭାଇମାନେ ସେମାନଙ୍କ ଭିତରେ କଥା ହୋଇ ପ୍ରତିମାସରେ କେହି ନା କେହି ନିଜର ପିଲାମାନଙ୍କ ସହିତ ତାଙ୍କ ପାଖକୁ ଆସନ୍ତି। ମାସକରେ ଦୁଇ ତିନି ଦିନ ପାଇଁ ହେଉ ପଛେ ପୁଅ ବୋହୂ ଓ ସେମାନଙ୍କ ପିଲାମାନଙ୍କ ସହିତ ହସଖୁସିରେ ସମୟ ବିତେଇ ଦେଲେ ମାସକ ସାରା ତାଙ୍କୁ ଆଉ ଏକୁଟିଆ ଲାଗେନାହିଁ କାରଣ ସେ ଜାଣିଥାନ୍ତି ଯେ ଆର ମାସରେ ପୁଣି ଆଉ ଜଣେ ପୁଅ ତା ସ୍ତ୍ରୀ ଓ ପିଲାଙ୍କୁ ଧରି ଘରକୁ ଆସିବ। ତେଣୁ ବର୍ଷକରେ କେଉଁ ପୁଅକୁ ଦୁଇଥର ଘରକୁ ଆସିବାକୁ ପଡ଼ୁ କି କେଉଁ ପୁଅକୁ ତିନିଥର ଆସିବାକୁ ପଡ଼ୁ ପ୍ରତି ମାସରେ କିନ୍ତୁ ଜଣେ ପୁଅ ତା ସ୍ତ୍ରୀ ପିଲାଙ୍କ ସହିତ ଘରକୁ ଆସିବା ଥୟ। ବର୍ଷକ ଭିତରେ ଯିଏ ଯେତେଥର ଆସିଥାନ୍ତୁ ନା କାହିଁକି ପିଲାମାନଙ୍କର ବାର୍ଷିକ ପରୀକ୍ଷା ସରିବା ପରେ ଚାରିପୁଅ ଯାକ ଛୁଟି ନେଇ ଏକସପ୍ତାହ ପାଇଁ ପ୍ରତିବର୍ଷ ଘରକୁ ଆସନ୍ତି। ଆଜି ହେଉଛି ସେହି ଦିନ। ବର୍ଷକ ପରେ ପୁଣି ପୁଅ ବୋହୂ ନାତି ନାତୁଣୀ ସମସ୍ତଙ୍କ ସହିତ ସେ ଏବେ ଖୁସିରେ ଏ ସାତ ଦିନ କଟେଇଦେବେ। ଏଇ ଚୁଲୀରେ ସେମାନଙ୍କ ମନ ପସନ୍ଦର ଖାଇବା ରାନ୍ଧି ସେ ଯେତେବେଳେ ସେମାନଙ୍କୁ ଖୁଆଇବେ ସେମାନେ କେତେ ଖୁସି ନହେବେ ସତରେ ! ଭାବନା ରାଜ୍ୟରେ ବୁଲି ପିଲାମାନଙ୍କର ଏଇ ଆଗାମୀ ଖୁସିକୁ ସାଉଁଟୁଥିବା ବେଳେ ରୁବିର ଡାକରେ ସେ ଭାବନା ରାଜ୍ୟରୁ ଫେରି ଆସିଲେ। ରୁବି କହିଲା , ଆଈ ! ମୋତେ ତୁମ ବାରିରୁ ଆମ୍ବ ତୋଳି ଆଣିବାକୁ କହିଥିଲ ପରା ! ଆମ୍ବ ନିଅ। ରୁବି ହାତରୁ ଆମ୍ବ ନେଇ ପନିକି ପାଖରେ ରଖିଲା ବେଳକୁ ତାଙ୍କ ଆଖି ଭାତହାଣ୍ଡି ଉପରେ ପଡ଼ିଲା। ଭାତ ହାଣ୍ଡିରୁ ଚଟୁରେ ଭାତ ଦିଟା ଆଣି ଚିପି ଦେଇ ସେ ତରତର ହୋଇ ଭାତ ଗାଳିବାକୁ ବସି ପଡ଼ିଲେ। ଆଉ ଟିକେ ଡେରି କଲେ ଭାତ ଜାଉ ହୋଇଯିବ। ଭାତ ଜାଉ ହୋଇଗଲେ ସାନପୁଅ ପରେଶ ଖାଇବାକୁ ଭାରି ଅଶାନ୍ତି ହେବ। ଭାତ ଗାଳି ସାରିବା ପରେ ନିଶା ଆଈ ଡାଲମା , ମାଛ ବେସର ଓ ଆମ୍ବଖଟା ଗୋଟିକ ପରେ ଗୋଟିଏ ସବୁ କରି ଚାଲିଥିଲେ ସତ କିନ୍ତୁ ତାଙ୍କ ମନଟା ପୁଅ ବୋହୂ ଓ ନାତି ନାତୁଣୀ ମାନଙ୍କ ପାଖରେ ଥିଲା। କେତେବେଳେ ନାତି ଓ ନାତୁଣୀମାନେ ଜେଜେମା ! ଜେଜେମା ! ଡାକି ତାଙ୍କୁ ଆସି ଘେରିଯିବେ ସେହି ସମୟକୁ ସେ ଅପେକ୍ଷା କରିଥିଲେ। ଏତିକିବେଳେ ବାହାରେ ଗାଡ଼ି ଅଟକିବା ଶବ୍ଦ ଶୁଭିଲା। ସେ ଚୁଲୀରୁ ଖଟା କଡ଼େଇଟାକୁ ଓହ୍ଲେଇ ଦେଇ ଦାଣ୍ଡ ଦୁଆର ମୁହଁକୁ ଧାଇଁଗଲେ। ଚାରିପୁଅ , ଚାରିବୋହୂ ଓ ଆଠଜଣ ନାତିନାତୁଣୀଙ୍କ ମେଳରେ ସେ ଯେତେବେଳେ ଘର ଭିତରକୁ ପଶିଲେ ସମସ୍ତଙ୍କ ଭିତରେ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଦେଖି ତାଙ୍କ ଆଖି ଆନନ୍ଦାଶ୍ରୁରେ ଭରି ଯାଉଥିଲା। ତାଙ୍କର ଘରଟା ତାଙ୍କ ପାଇଁ ମର୍ତ୍ତ୍ୟବୈକୁଣ୍ଠ ପାଲଟି ଯାଇଥିଲା। ଆଉ ତାଙ୍କର ସେହି ମର୍ତ୍ତ୍ୟବୈକୁଣ୍ଠର ଶୋଭାକୁ ସେ ମନ ଭରି ଉପଭୋଗ କରୁଥିଲେ। ନାତି ଓ ନାତୁଣୀ ମାନଙ୍କ ଓଠରୁ ଝରୁଥିବା ହସର ସାଗରରେ ଅବଗାହନ କରି ତାଙ୍କର ଆତ୍ମା ତୃପ୍ତ ହୋଇ ଯାଉଥିଲା। ନାତି ଓ ନାତୁଣୀ ମାନେ ନିଶା ଆଈଙ୍କୁ ଘେରି ଯାଇ କହୁଥିଲେ , ଆମକୁ ଭାରି ଭୋକ ଲାଗିଲାଣି ଜେଜେମା। ଶୀଘ୍ର ଆମକୁ ଖାଇବାକୁ ଦିଅ। ବଡ଼ବୋହୂ କହିଲା , ବୋଉ ! ଏ ଚାରିଭାଇ ଓ ପିଲାମାନଙ୍କ ସହିତ ଆପଣ ଖାଇବାକୁ ବସନ୍ତୁ। ଆମେ ଚାରି ଯାଆ ଖାଇବାକୁ ବାଢ଼ି ଦେଉଛୁ। ଚାରି ଭାଇ ଯାକ କହିଲେ , ନା ! ନା ! ସେକଥା ହୋଇ ପାରିବ ନାହିଁ। ବୋଉ ଆଜି ଆମ ସମସ୍ତଙ୍କୁ ଖାଇବା ବାଢ଼ି ଦେବ। ଏକ ସଙ୍ଗରେ ବସି ବୋଉ ହାତରୁ ଖାଇବା ପାଇଁ ଆମେ ଚାରିଭାଇ ପରା ବର୍ଷେ ହେଲା ଅପେକ୍ଷା କରିଛୁ ! ଆଉ ତୁମେମାନେ କଣ ଖାଇବା ବାଢ଼ିବ ! ସେମାନଙ୍କ କଥା ସହିତ କଥା ମିଶାଇ ନିଶା ଆଈ କହିଲେ , ଆରେ ମୁଁ ବି ତ ସେଇକଥା କହୁଛି। ବର୍ଷକରେ ଥରେ ତୁମ ସମସ୍ତଙ୍କୁ ଏକ ସଙ୍ଗରେ ବସାଇ ଖାଇବାକୁ ଦେବାର ଯେଉଁ ସୁଯୋଗ ମୋତେ ମିଳିଛି ମୁଁ ସେ ସୁଯୋଗକୁ ହାତ ଛଡ଼ା କରିବି କେମିତି ! ସେ ବୋହୂମାନଙ୍କୁ କହିଲେ , ତୁମେମାନେ ସମସ୍ତେ ଏତେ ବାଟରୁ ଆସିଲଣି। ସମସ୍ତଙ୍କୁ ଭୋକ ଲାଗିବଣି। ତେଣୁ ମୋ କଥା ମାନି ତୁମେ ସମସ୍ତେ ଏକାଥରକେ ଖାଇବାକୁ ବସିଯାଅ। ତୁମ ସମସ୍ତଙ୍କୁ ଖାଇବା ବାଢ଼ି ଦେଲାପରେ ମୁଁ ଖାଇବାକୁ ବସିବି। ବୋହୂମାନେ କହିଲେ , ନାଇଁ ବୋଉ ! ଆପଣଙ୍କ ପୁଅମାନେ ଓ ନାତି ନାତୁଣୀ ମାନେ ଖାଇ ସାରିବା ପରେ ଆମେ ଚାରି ଯାଆ ଯାକ ଆପଣଙ୍କ ସହିତ ଆପଣଙ୍କ ଥାଳିରେ ବସି ଖାଇବୁ। ନିଶା ଆଈ କହିଲେ , ହଉ ! ଠିକ୍ ଅଛି। ପୁଅ ଓ ନାତି ନାତୁଣୀ ମାନେ ଖାଇବାକୁ ବସିଲା ପରେ ସମସ୍ତଙ୍କ ଥାଳିରେ ଖାଇବା ବାଢ଼ୁ ବାଢ଼ୁ ନିଶା ଆଇ ଭାବୁଥିଲେ ଆଜି ଯଦି ତାଙ୍କ ସ୍ଵାମୀ , ଦିଅର ଓ ଯାଆ ଥାଆନ୍ତେ ସବୁ ପିଲାମାନଙ୍କୁ ଏକ ସଙ୍ଗରେ ବସି ଖାଇବାର ଦେଖି ସେମାନେ କେତେ ଖୁସି ହୋଇ ନଥାନ୍ତେ ସତରେ ! ଚାରି ଭାଇଙ୍କ ସହିତ ପିଲାମାନେ ଖାଇ ସାରିବା ପରେ ଚାରିବୋହୂ ଯାକ ଯେତେବେଳେ ଗୋଟିଏ ଥାଳିରେ ବସି ନିଶା ଆଈଙ୍କ ସହିତ ଖାଉଥିଲେ ନିଶା ଆଈଙ୍କର ମନ ଖୁସିରେ ଭରି ଯାଉଥିଲା। ସାନପୁଅ ପରେଶ ଖାଇ ସାରିବା ପରେ ହାତ ଧୋଇ ନିଶା ଆଈଙ୍କ ପଣତରେ ମୁହଁ ପୋଛୁ ପୋଛୁ କହୁଥିଲା , ବୁଝିଲୁ ବୋଉ ! ତୋ ହାତରେ ସତରେ ଗୋଟିଏ ଯାଦୁ ଅଛି। ତୋ ହାତ ରନ୍ଧା ଖାଇଲା ପରେ ମୋର ଚାକିରି ଛାଡ଼ି ସବୁଦିନେ ତୋ ପାଖରେ ଏଇ ଗାଆଁରେ ରହିବା ପାଇଁ ଇଚ୍ଛା ହେଉଛି। ପୁଅମାନେ ଖାଇ ସାରି ନିଜ ନିଜ ରୁମକୁ ଗଲା ପରେ ନିଶା ଆଈ ବିରି ଚାଉଳ ବାଟିବାକୁ ଶିଳ ପାଖରେ ବସି ପଡ଼ିଲେ। ବଡ଼ ମଝିଆଁ ବୋହୂ ପିଲାଙ୍କ ପାଇଁ ହାତରେ ପାଣି ଗ୍ଲାସଟା ଧରି ଯାଉ ଯାଉ ନିଶା ଆଈଙ୍କୁ କହିଲା , ବୋଉ ! ଆପଣ ଏବେ ବିଶ୍ରାମ କରିବେ ଯାଆନ୍ତୁ। ଏ ବିରି ଚାଉଳ ମୁଁ ନେଇ ଗ୍ରାଇଣ୍ଡରରେ ବାଟି ଦେଉଛି। ନିଶା ଆଈ କହିଲେ , ନାଇଁ ରେ ମା ! ଏକେତ ଶିଳରେ ବାଟିବାର ଅଭ୍ୟାସ ତୋର ନାହିଁ। ତାପରେ ଶିଳରେ ବଟା ହୋଇଥିବା ଆଣରେ ଯେଉଁ ଚକୁଳି ପିଠା ହେବ ସେ ପିଠା ପାଟିକୁ ଯେତିକି ସ୍ଵାଦୁ ଲାଗିବ ଗ୍ରାଇଣ୍ଡରରେ ବଟା ହୋଇଥିବା ଆଣର ପିଠା ସେଭଳି ସ୍ଵାଦିଷ୍ଟ ଲାଗିବ ନାହିଁ। ତୁ ପିଲାମାନଙ୍କ ପାଖକୁ ଯାଆ। ମୁଁ ବିରି ଚାଉଳ ବାଟି ସାରି ବିଶ୍ରାମ ନେବି। ସତକୁ ସତ ସେଦିନ ରାତିରେ ଚକୁଳି ପିଠା ଖାଇଲା ବେଳେ ସାନ ମଝିଆଁ ପୁଅ ଦୀନେଶ କହିଲା , ବୁଝିଲୁ ବୋଉ ! ଏ ଚକୁଳି ପିଠା ଏତେ ନରମ ହୋଇଛି ଯେ ପେଟ ପୁରିଗଲେ ବି ଆହୁରି ଖାଇବାକୁ ଇଛା ହେଉଛି। ସେହିଦିନ ଠାରୁ କେଉଁଦିନ ରାତିରେ ଚକୁଳି ତ କେଉଁଦିନ ରାତିରେ ଚିତଉ ପିଠା , କେଉଁଦିନ ରାତିରେ ମଣ୍ଡା ପିଠା ତ କେଉଁଦିନ ଏଣ୍ଡୁରି ପିଠା କରି ନିଶା ଆଈ ଶ୍ରଦ୍ଧାରେ ସମସ୍ତଙ୍କୁ ଖୁଆଉଥିଲେ। ଏମିତି ଏମିତି ହସ ଖୁସି ଭିତରେ କେତେବେଳେ ଯେ ସାତଦିନ କଟିଗଲା କାହାରିକୁ ଜଣା ପଡ଼ିଲା ନାହିଁ। ପୂର୍ବଦିନ ରାତିରେ ନାତି ନାତୁଣୀ ମାନେ ଯେତେବେଳେ ଜାଣିଲେ ଯେ ତା ପରଦିନ ସେମାନଙ୍କୁ ଅଲଗା ହେବାକୁ ପଡିବ ସେମାନଙ୍କ ମୁହଁରେ ଦୁଃଖର କଳା ବାଦଲ ଛାଇଗଲା। ଖେଳକୁଦ ଓ ହସଖୁସି ଭିତରେ କଟେଇଥିବା ଏଇ ଦିନଗୁଡ଼ିକୁ ମନେ ପକେଇ ସେମାନେ କେହି କାହାଠାରୁ ଅଲଗା ହେବାକୁ ଚାହୁଁ ନଥିଲେ। ସେଦିନ ରାତିରେ ମଣ୍ଡା ପିଠା ହୋଇଥାଏ। ମଣ୍ଡା ପିଠା ଖାଉ ଖାଉ ବଡ଼ପୁଅ ସୁରେଶ କହିଲା , ବୋଉ ! ତୋତେ ଆସି ନବେ ବର୍ଷ ହେଲାଣି। ଏ ବୟସରେ ତୋତେ ଏଠାରେ ଏକୁଟିଆ ଛାଡ଼ି ଆମେ ଆଉ ଯାଇ ପାରିବୁ ନାହିଁ। ତୁ କାଲି ଆମ ସହିତ ଚାଲ୍। କମଳା ଖୁଡ଼ୀକୁ ଘରର ଚାବି ଦେଇଯିବା। ସେ ଆମ ଘରେ ସଞ୍ଜସଳିତା ଦେଇଦେବେ। ଅନ୍ୟ ତିନି ପୁଅ ବଡ଼ଭାଇ ସହିତ ଏକସ୍ଵରରେ କହିଲେ , ହଁ , ବୋଉ ! ତୁ ଏଥର ଆମ ସହିତ ଚାଲ୍। ଆମ ଚାରିଭାଇଙ୍କ ଭିତରୁ ଯାହା ପାଖରେ ତୋର ରହିବାକୁ ଇଚ୍ଛା ହେବ ତୁ ତା ପାଖରେ ରହିବୁ। ବୋହୂମାନଙ୍କର ମଧ୍ୟ ସେହି ଗୋଟିଏ କଥା। ବୋଉ ! ଏଥର ଆପଣ ଆମ ସହିତ ଚାଲନ୍ତୁ। ନାତି ଓ ନାତୁଣୀ ମାନେ ନିଶା ଆଈଙ୍କୁ ଚାରିପଟୁ ଘେରି ଯାଇ ବଡ଼ ପାଟିରେ କହୁଥାନ୍ତି , ହଁ ! ଜେଜେମା ! ତୁମେ ଆମ ସହିତ ଚାଲ। ପୁଅମାନେ ଜିଦ୍ କରିବା ଦେଖି ନିଶା ଆଈ କହିଲେ , ଠିକ୍ ଅଛି। ମୁଁ ତୁମମାନଙ୍କ ସହିତ ଯିବି। କିନ୍ତୁ ତୁମ ଚାରିଜଣଙ୍କ ଭିତରୁ ମୁଁ କାହା ପାଖରେ ଯାଇ ରହିବି ଆଜି ରାତିରେ ତୁମେ ଚାରିଭାଇ ସେକଥା ସ୍ଥିର କର। କାଲି ସକାଳେ ତୁମେ ଚାରିଭାଇ ମୋତେ ଯାହା ସହିତ ଯିବାକୁ ଏକମତ ହେବ ମୁଁ ତା ସହିତ ଯିବି। ସମସ୍ତେ ଖୁସି ମନରେ ନିଜ ନିଜ ରୁମକୁ ଚାଲିଗଲେ। ରାତିରେ ବଡ଼ପୁଅ ସୁରେଶ ନିଜ ପତ୍ନୀ ବୀଣାକୁ କହିଲା , ମୋର ଇଚ୍ଛା ଯେ ବୋଉ ମୋ ପାଖରେ ଯାଇ ରହୁ। ବୀଣା କହିଲା , ହଁ ! ମୁଁ ବି ତ ସେୟା ଚାହୁଁଛି। ସୁରେଶ କହିଲା , ମୁଁ ବୋଉକୁ ମୋ ସାଥିରେ ନେବା କଥା କହିଲେ ଦୀନେଶ , ମହେଶ ଓ ପରେଶ ଏମାନେ କେହି ମୋ ମୁହଁରେ ମନା କରିବେ ନାହିଁ ସିନା ହେଲେ ସେମାନଙ୍କ ମନ ଭିତରେ ଯଦି ବୋଉକୁ ସାଥିରେ ନେବାକୁ ଇଚ୍ଛା ଥିବ ତାହେଲେ ସେମାନଙ୍କ ମନ ଦୁଃଖ ହେବ। ତାପରେ ବୋଉର ଯଦି ଅନ୍ୟ ତିନି ପୁଅମାନଙ୍କ ଭିତରୁ କାହା ପାଖରେ ରହିବାକୁ ଇଚ୍ଛା ଥିବ ତାହେଲେ ଆମ ପାଖରେ ସେ ଖୁସିରେ ରହି ପାରିବ ନାହିଁ। ତେଣୁ ବୋଉକୁ ମୋ ସାଙ୍ଗରେ ନେବାପାଇଁ କହି ମୁଁ ବୋଉ ଓ ମୋ ଭାଇମାନଙ୍କ ମନରେ ଦୁଃଖ ଦେବାକୁ ଚାହୁଁ ନାହିଁ। ବଡ଼ ମଝିଆଁ ପୁଅ ଦୀନେଶର ସ୍ତ୍ରୀ ଶୋଭା ତା ସ୍ଵାମୀକୁ କହିଲା , ବୁଝିଲ ! ବୋଉଙ୍କୁ ଯଦି ଆମେ ଆମ ସାଙ୍ଗରେ ନେଇଯାନ୍ତେ ତାହେଲେ ତାଙ୍କର ସେବା କରିବାର ସୁଯୋଗ ମୋତେ ମିଳନ୍ତା। ଦୀନେଶ କହିଲା , ମୁଁ ବି ତ ସେୟା ଚାହୁଁଛି। କିନ୍ତୁ ସୁରେଶ ଭାଇ , ମହେଶ ଓ ପରେଶ ଯଦି ବୋଉକୁ ନେଇ ପାଖରେ ରଖିବାକୁ ଚାହୁଁଥିବେ ତାହେଲେ ବୋଉକୁ ଆମେ ଆମ ସାଥିରେ ନେବା କଥା କହିଲେ ସେମାନେ ମନ ଉଣା କରିବେ। ତାପରେ ବୋଉ ବି ଯଦି ଆମ ପାଖରେ ନରହି ବଡ଼ଭାଇ , ମହେଶ କି ପରେଶଙ୍କ ଭିତରୁ କାହା ପାଖରେ ରହିବାକୁ ଚାହୁଁଥିବ ଆମ ସାଥିରେ ଗଲେ ବି ତା ମନରେ ଦୁଃଖ ଆସିବ। ତେଣୁ ଏ ସମସ୍ତଙ୍କ ମନରେ ଦୁଃଖ ଦେଇ ବୋଉକୁ ଆମ ସାଙ୍ଗରେ ଯିବାକୁ କହିବାଟା ମୋତେ କାହିଁକି ଠିକ୍ ଲାଗୁନାହିଁ। ମଝିଆଁ ପୁଅ ମହେଶ ତା ସ୍ତ୍ରୀ ଆଭାକୁ କହିଲା , ବୁଝିଲ ! ବୋଉକୁ ଆମ ସାଙ୍ଗରେ ନେବାପାଇଁ କହିବା ଆଗରୁ ମୋତେ ପ୍ରଥମେ ଅନ୍ୟ ଭାଇମାନଙ୍କର ମନକଥା ଜାଣିବାକୁ ହେବ କାହିଁକି ନା ସେମାନେ ଯଦି ବୋଉକୁ ସାଙ୍ଗରେ ନେବାକୁ ଚାହୁଁଥିବେ ତାହେଲେ ବୋଉକୁ ଆମେ ସାଙ୍ଗରେ ନେବାପାଇଁ କହିବାଟା ଠିକ୍ ହେବନାହିଁ । ଆଉ ସବୁଠାରୁ ବଡ଼ କଥା ହେଲା ମୋ ପାଖରେ ନରହି ବୋଉର ଯଦି ଅନ୍ୟ କେଉଁ ଭାଇ ପାଖରେ ରହିବାକୁ ଇଚ୍ଛା ଥାଏ ତାହେଲେ ମୋ ମନ ରଖି ମୋ ସାଙ୍ଗରେ ଗଲେ ବୋଉର ମନ ଉଣା ହେବ। ଆଉ ମୁଁ ମୋ ଭାଇ କି ବୋଉ କାହାରି ମନରେ ଦୁଃଖ ଦେଇ ଖୁସିରେ ରହି ପାରିବି ନାହିଁ। ସାନବୋହୂ ପ୍ରଭା ତା ସ୍ଵାମୀ ପରେଶକୁ କହିଲା , ବୁଝିଲ , ମୁଁ ଏ ଘରକୁ ବୋହୂ ଆସିବା ଦିନଠାରୁ ଦେଖୁଛି ବୋଉ ଆମ ସମସ୍ତଙ୍କ ପାଇଁ ସବୁକିଛି କରି ଆସୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ପାଇଁ କିଛି କରିବାର ସୁଯୋଗ ଆମ କାହାରିକୁ ମିଳୁନାହିଁ। ତେଣୁ ତୁମେ ଯଦି ବୋଉଙ୍କୁ ଆମ ସାଙ୍ଗରେ ନେବା କଥା ଅନ୍ୟ ତିନିଭାଇଙ୍କୁ କହିବ ନା ସେମାନେ ତୁମକୁ କେହି ମନା କରିବେ ନାହିଁ। ଆଉ ବୋଉଙ୍କ ପାଇଁ କିଛି କରି ପାରିଲେ ମୁଁ ନିଜକୁ ଭାଗ୍ୟବତୀ ବୋଲି ମନେ କରିବି। ପରେଶ କହିଲା , ତୁମେ ଯାହା କହିଲ ସେକଥା ଠିକ୍ ଯେ ହେଲେ ସୁରେଶ ଭାଇ , ଦୀନେଶ ଭାଇ ଓ ମହେଶ ଭାଇ ଯଦି ବୋଉକୁ ସାଥିରେ ନେବାକୁ ଇଚ୍ଛା କରୁଥିବେ ମୋ ମନ ରଖି ବୋଉକୁ ମୋ ସାଥିରେ ଯିବାକୁ କହିଲେ ବି ସେମାନଙ୍କ ମନ ନିଶ୍ଚୟ ଦୁଃଖ ହେବ। ଯେଉଁ ଭାଇମାନେ ମୋତେ ଏତେ ଭଲ ପାଆନ୍ତି ବୋଉକୁ ସାଙ୍ଗରେ ନେବା କଥା କହି ମୁଁ ସେମାନଙ୍କ ମନରେ କଣ ଦୁଃଖ ଦେଇ ପାରିବି ! ଆଉ ବୋଉର ଇଚ୍ଛା କଣ ତାହା ନଜାଣିବା ପର୍ଯ୍ୟନ୍ତ ମୁଁ ବୋଉକୁ ମୋ ସାଥିରେ ଯିବାକୁ କହିବାଟା ମୋତେ କାହିଁକି ଠିକ୍ ଲାଗୁନାହିଁ। ରାତି ପାହି ସକାଳ ହେଲା। ଭୃଷଙ୍ଗ ପତ୍ର ପକାଇ ନିଶା ଆଈ ସମସ୍ତଙ୍କ ପାଇଁ ଚୁଡ଼ା ସନ୍ତୁଳା କରିଥାନ୍ତି। ଗାଧୁଆ ପାଧୁଆ ସାରିବା ପରେ ଟିଫିନ୍ କରି ସମସ୍ତେ ଭୁବନେଶ୍ଵର ବାହାରି ଯିବେ। ସେଠାରୁ ଫ୍ଲାଇଟରେ ସମସ୍ତେ ନିଜ ନିଜର ଚାକିରି ସ୍ଥାନକୁ ଚାଲିଯିବେ। ପିଲାମାନଙ୍କ ସହିତ ବସି ଚୁଡ଼ା ସନ୍ତୁଳା ଖାଇଲା ବେଳେ ସବୁ ଭାଇମାନେ ଚୁପଚାପ୍ ବସିଥାନ୍ତି। ନିଶା ଆଈ କାହା ସାଙ୍ଗରେ ଯିବେ ସେ ନିଷ୍ପତ୍ତି ଯଦିଓ ସେ କାଲି ରାତିରେ ପିଲାମାନଙ୍କ ଉପରେ ଛାଡ଼ିଥିଲେ ଏ ପର୍ଯ୍ୟନ୍ତ ସେ ବିଷୟରେ କେହି କିଛି କହୁ ନଥାନ୍ତି। ସମସ୍ତଙ୍କୁ ଚୁପଚାପ୍ ବସି ଖାଇବାର ଦେଖି ନିଶା ଆଈ କହିଲେ , ଆରେ ! ତୁମମାନଙ୍କ ଭିତରୁ ମୁଁ କାହା ସାଙ୍ଗରେ ଯିବି ବୋଲି ତୁମେମାନେ ସ୍ଥିର କଲ ? ଚାରିଭାଇ ଯାକ କିଛି ନକହି ସମସ୍ତେ ସମସ୍ତଙ୍କ ମୁହଁକୁ ଚାହିଁଲେ। ସମସ୍ତଙ୍କୁ ନିରବ ରହିବା ଦେଖି ନିଶା ଆଈ କହିଲେ , ତାହେଲେ ଏ ପର୍ଯ୍ୟନ୍ତ ତୁମେ ମୋ ଯିବା ବିଷୟରେ କିଛି ସ୍ଥିର କରିନାହିଁ ? ଚାରିଭାଇ ଯାକ ଏକାଥରେ କହି ଉଠିଲେ , ନାଇଁ , ବୋଉ ! ଆମ୍ଭେମାନେ କିଛି ସ୍ଥିର କରି ପାରିନାହୁଁ। ତୁ ଯାହା ନିଷ୍ପତ୍ତି ନେବୁ ତାହା ହିଁ ହେବ। ଆମ ଚାରିଭାଇଙ୍କ ଭିତରୁ ତୁ ଯାହା ସହିତ ଯିବା ପାଇଁ ଚାହିଁବୁ ଆମେ ସମସ୍ତେ ଖୁସିରେ ଖୁସିରେ ତୋ ନିଷ୍ପତ୍ତିକୁ ମାନିନେବୁ କାରଣ ତୋ ଖୁସିରେ ହିଁ ଆମ ସମସ୍ତଙ୍କର ଖୁସି। ନିଶା ଆଈ ହସି ହସି କହିଲେ , ଠିକ୍ ଅଛି। ତୁମେମାନେ ଯାହା ଚାହୁଁଛ ସେଇଆ ହେବ। କିନ୍ତୁ ଏ ନିଷ୍ପତ୍ତି ମୁଁ ଏତେ ତରବରରେ ନେଇ ପାରିବି ନାହିଁ। ସେଥିପାଇଁ ମୋର କିଛି ସମୟ ଦରକାର। ଏବେ ତୁମେମାନେ ତୁମ ପିଲାମାନଙ୍କ ସହିତ ଖୁସି ମନରେ ନିଜ ନିଜର ଚାକିରି ସ୍ଥାନକୁ ଯାଅ। ଆସନ୍ତା ଥର ସମସ୍ତେ ପୁଣି ଯେତେବେଳେ ଏ ଘରେ ଏକାଠି ହେବ ସେତିକିବେଳେ ମୁଁ ତୁମ୍ଭମାନଙ୍କୁ ମୋ ନିଷ୍ପତ୍ତି ଜଣେଇଦେବି। ସବୁ ପୁଅମାନେ ଏକସ୍ଵରରେ କହିଲେ , ଠିକ୍ ଅଛି ବୋଉ। ଆମେ ତୋ କଥା ମାନି ଏବେ ଚାଲି ଯାଉଛୁ। କିନ୍ତୁ ଆସନ୍ତା ଥର ତୋତେ ଯେମିତି ହେଲେ ଆମ ସହିତ ଯିବାକୁ ହେବ। ଏତିକିବେଳେ ସମସ୍ତଙ୍କୁ ଏୟାରପୋର୍ଟ ନେବା ପାଇଁ ଚାରିଟା କାର୍ ଆସି ନିଶା ଆଈଙ୍କ ଦାଣ୍ଡରେ ଠିଆ ହେଲା। ଆଠଜଣ ଯାକ ପିଲା କେହି ଏହି ସାତଦିନର ଖୁସିର ପରିବେଶକୁ ହାତଛଡ଼ା କରି ପରସ୍ପର ପରସ୍ପର ଠାରୁ ଅଲଗା ହେବାକୁ ଚାହୁଁ ନଥାନ୍ତି। ସେମାନେ ସମସ୍ତେ ନିଶା ଆଈଙ୍କୁ ଚାରିପଟୁ ଘେରି ଯାଇ କହୁଥିଲେ , ଆସନ୍ତା ଥର ତୁମେ ଯେମିତି ହେଲେ ଆମ ସହିତ ଯିବ ଜେଜେମା ! ନିଶା ଆଈ ସେମାନଙ୍କୁ ଜଣ ଜଣ କରି କୋଳକୁ ଟାଣି ନେଇ ଗେଲ କରି କହୁଥିଲେ। ଠିକ୍ ଅଛି , ତୁମମାନଙ୍କ କଥା ମୋର ମନେ ରହିଲା। ଏବେ କିନ୍ତୁ ତୁମ୍ଭେମାନେ ଯାଇ ମନ ଲଗାଇ ପାଠ ପଢ଼ିବ। ବୋହୂମାନେ ଜଣେ ପରେ ଜଣେ ନିଶା ଆଈଙ୍କୁ ମୁଣ୍ଡିଆ ମାରି ନିଜ ନିଜର ପିଲାମାନଙ୍କ ସହିତ ଯାଇ ଗାଡ଼ିରେ ବସିବା ପରେ ସୁରେଶ , ଦୀନେଶ , ମହେଶ ଓ ପରେଶ ନିଶା ଆଈଙ୍କ ଠାରୁ ବିଦାୟ ନେଇ ଯାଇ ଯିଏ ଯାହାର ଗାଡ଼ିରେ ବସିଲେ। ପଛକୁ ପଛ ଗୋଟିଏ ପରେ ଗୋଟିଏ ଗାଡ଼ି ଯେତେବେଳେ ଭୁବନେଶ୍ୱର ଅଭିମୂଖେ ଯାତ୍ରା ଆରମ୍ଭ କଲା ଦାଣ୍ଡରେ ଠିଆ ହୋଇ ନିଶା ଆଈ ଠାକୁରଙ୍କ ପାଖରେ ସମସ୍ତଙ୍କର ଶୁଭ ମନାସୁଥିଲେ। କିଛି ମାସ ପରର କଥା। ଅଶିଣମାସିଆ ଦିନ। ବେଳ ରତରତ ହେଲାଣି। ଘରସବୁ ଓଳେଇ ସାରି ଅଣ୍ଟା ସଳଖିଲା ବେଳକୁ ନିଶା ଆଈଙ୍କୁ ତାଙ୍କ ଦେହଟା କାହିଁକି ଟିକେ ଜରୁଆ ଜରୁଆ ଲାଗିଲା। ସେ ଯାଇ ଖଟ ଉପରେ ବସି ପଡ଼ିଲେ। ଖଟ ଉପରେ ଟିକେ ଗଡ଼ି ପଡ଼ିବାକୁ ଇଚ୍ଛା ହେଉଥିଲେ ମଧ୍ୟ ସଞ୍ଜବେଳ ଗଡ଼ି ଯିବ ବୋଲି ଖଟ ଉପରୁ କଷ୍ଟେ ମଷ୍ଟେ ଉଠି ସେ ଚଉରା ମୂଳେ ସଞ୍ଜ ସଳିତା ଦେଲେ। ତାପରେ ଠାକୁର ଘରେ ଭାଗବତ ପଢ଼ିସାରି ସେ ପୁଣି ଯାଇ ଖଟ ଉପରେ ଶୋଇ ପଡ଼ିଲେ। ଜୀବନରେ ସଞ୍ଜବେଳେ ସେ କେବେ ଶୁଅନ୍ତି ନାହିଁ। କିନ୍ତୁ ସେଦିନ ତାଙ୍କ ଦେହଟା ଏତେ ଦୁର୍ବଳ ଲାଗୁଥିଲା ଯେ ସେ ଆଉ ନ ଶୋଇ ବସି ରହି ପାରିଲେ ନାହିଁ। ମଝିରେ ମଝିରେ ତାଙ୍କ ଦେହ ଥରେ ଥରେ ଖରାପ ହୁଏ ସତ କିନ୍ତୁ ତାଙ୍କୁ ଏମିତି କେବେ ଦୁର୍ବଳ ଲାଗେନାହିଁ। ସେ ସେଦିନ ରାତିରେ ଆଉ ନିଜ ପାଇଁ ରୋଷେଇ କରି ପାରିଲେ ନାହିଁ। କାହିଁକି କେଜାଣି ସେଦିନ ତାଙ୍କୁ ଭାରି ଏକୁଟିଆ ଲାଗୁଥାଏ। ସେଦିନ ସବୁ ପୁଅ ବୋହୂ ଓ ନାତି ନାତୁଣୀ ମାନଙ୍କୁ ଦେଖିବାକୁ ତାଙ୍କର କାହିଁକି ଭାରି ଇଚ୍ଛା ହେଉଥାଏ। ସେ ଭାବିଲେ , ମୋତେ ଆଜି ଏମିତି କାହିଁକି ଲାଗୁଛି। ସେ ଭଲ ଭାବରେ ଜାଣିଥିଲେ ଯେ ସବୁ ପିଲାମାନଙ୍କର ବାର୍ଷିକ ପରୀକ୍ଷା ସରିବା ପରେ ଚାରିପୁଅ ଯାକ ସେମାନଙ୍କ ପିଲାମାନଙ୍କୁ ଧରି ପୁଣି ଘରକୁ ଆସିବେ। ତଥାପି ସେମାନଙ୍କ କଥା ଆଜି କାହିଁକି ତାଙ୍କର ଏତେ ମନେ ପଡ଼ୁଛି ସେ କିଛି ଜାଣି ପାରୁ ନଥିଲେ। ଧୀରେ ଧୀରେ ତାଙ୍କ ମନର ଏ ବ୍ୟସ୍ତତା ବଢ଼ିବାରେ ଲାଗିଲା। ତାଙ୍କୁ ଏତେ ଅସ୍ତବ୍ୟସ୍ତ ଲାଗିଲା ଯେ ଶେଷରେ ବୋହୂମାନଙ୍କ ସହିତ ପିଲାମାନଙ୍କୁ ଆଣି ଆସିବା ପାଇଁ ସେ ସୁରେଶ , ଦୀନେଶ , ମହେଶ ଓ ପରେଶକୁ ଫୋନ୍ କଲେ। ହଠାତ୍ ନିଶା ଆଈଙ୍କ ଫୋନ୍ ପାଇ ଚାରିପୁଅ ଯାକ ଛାନିଆ ହୋଇଗଲେ। ସେମାନେ ସମସ୍ତେ ଭାବିଲେ , ବୋଉର ନିଶ୍ଚୟ କିଛି ଅସୁବିଧା ହୋଇଛି। ତା ନହେଲେ ବୋଉ କେବେ ଏମିତି ହଠାତ୍ ଫୋନ୍ କରି ଏକାବେଳେ ସମସ୍ତଙ୍କୁ ଘରକୁ ଡକେଇ ନଥାନ୍ତା ! ଚାରିଭାଇ ଯାକ ପରସ୍ପର ଭିତରେ କଥା ହୋଇ ନିଜ ନିଜ ଅଫିସରୁ ଛୁଟି ନେଲେ ଓ ତା ପରଦିନ ସେମାନେ ସମସ୍ତେ ଘରକୁ ଆସୁଛନ୍ତି ବୋଲି ନିଶା ଆଈଙ୍କୁ ଫୋନରେ ଜଣେଇଦେଲେ। ତା ପରଦିନ ଦିନ ତିନିଟା ବେଳକୁ ସମସ୍ତେ ଆସି ଏକ ସଙ୍ଗରେ ଘରେ ପହଞ୍ଚିଗଲେ। ସମସ୍ତେ ବ୍ୟସ୍ତ ହୋଇ ଯେତେବେଳେ ଘର ଭିତରକୁ ପଶି ଆସିଲେ ସେମାନେ ଦେଖିଲେ ଯେ ନିଶା ଆଈ ଚୁଲୀରେ କଡ଼େଇ ବସେଇ ପାମ୍ପଡ଼ ଛାଣୁଛନ୍ତି। ପିଲାମାନଙ୍କୁ ଏକାସାଙ୍ଗରେ ଦେଖି ସେ ଖୁବ୍ ଖୁସି ହୋଇଗଲେ ଓ କହିଲେ , ଆରେ ତୁମେମାନେ ଆଜି ଆସିବ ବୋଲି ମୁଁ ଅନେକ ଆଗରୁ ରୋଷେଇ କାମ ସାରି ଦେଇଛି। ଥଣ୍ଡା ହୋଇଯିବ ବୋଲି କେବଳ ପାମ୍ପଡଟା ଛାଣି ନଥିଲି। ତୁମେ ତିନିଟା ବେଳେ ଆସି ପହଞ୍ଚିବ ବୋଲି ଏଇ କିଛି ସମୟ ଆଗରୁ ଯେତେବେଳେ ମୋତେ ଫୋନ୍ କଲ ମୁଁ କଡ଼େଇ ବସେଇ ପାମ୍ପଡ଼ ଛାଣିବା ଆରମ୍ଭ କଲି। ସେତେବେଳକୁ ନାତି ଓ ନାତୁଣୀ ମାନେ ନିଶା ଆଈଙ୍କ ପାଖରୁ ପାମ୍ପଡ ନେଇ ଖାଇବା ଆରମ୍ଭ କରି ଦେଇଥାନ୍ତି। ନିଶା ଆଈଙ୍କୁ ସୁସ୍ଥ ଥିବା ଦେଖି ପୁଅ ଓ ବୋହୂମାନେ ଆଶ୍ବସ୍ତ ହୋଇଥିଲେ। ବଡ଼ ପୁଅ ପରେଶ କହିଲା , କାଲି ରାତିରେ ଫୋନ୍ କରି ତୁ ତ ଆମକୁ ଡରେଇ ଦେଇଥିଲୁ ବୋଉ ! ନିଶା ଆଈ କହିଲେ , ନା ରେ ! କାଲି ଠାରୁ ମୋ ଦେହଟା କାହିଁକି ଭଲ ଲାଗୁନାହିଁ। ତୁମ ସମସ୍ତଙ୍କୁ ଦେଖିବାକୁ ମୋର ଇଚ୍ଛା ହେଲା ତ ! ସେଥିପାଇଁ ଆସିବାକୁ ଫୋନ୍ କଲି। ସୁରେଶ ସାଙ୍ଗେ ସାଙ୍ଗେ ଫୋନ୍ କରି ଡ଼ାକ୍ତରଙ୍କୁ ଘରକୁ ଡକେଇଲା। ନିଶା ଆଈଙ୍କୁ ପରୀକ୍ଷା କରିବା ପରେ ଡାକ୍ତର କହିଲେ , ବିଶେଷ କିଛି ଅସୁବିଧା ନାହିଁ। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ହେତୁ ତାଙ୍କୁ ଏମିତି ଲାଗୁଛି। ତାଙ୍କର ଟିକେ ବିଶ୍ରାମ ଦରକାର। ଅଳ୍ପ କିଛି ଔଷଧ ଲେଖି ଦେଇ ଡାକ୍ତର ଚାଲିଯିବା ପରେ ଚାରି ପୁଅ ଯାକ ବ୍ୟସ୍ତ ହୋଇ କହିଲେ , ବୋଉ ! ଏଇଥିପାଇଁ ଗଲା ଥର ଆମେ ସମସ୍ତେ ତୋତେ ଆମ ସାଙ୍ଗରେ ନେଇ ଯିବାପାଇଁ ଜିଦ୍ କରୁଥିଲୁ। ସୁରେଶ କହିଲା , ବୋଉ ! ଆମ ଚାରିଭାଇଙ୍କ ଭିତରୁ ତୁ କାହା ପାଖରେ ରହିବୁ ସେକଥା ଆମକୁ ଜଣେଇବୁ ବୋଲି ତୁ ଗଲାଥର କହିଥିଲୁ। ତେଣୁ ଆଜି ତୁ ସେକଥା ଆମକୁ ଜଣେଇବୁ। ତୁ ହଠାତ୍ କାଲି ଫୋନ୍ କଲୁ ବୋଲି ଆମେ ଚାରିଜଣ ଯାକ ମାତ୍ର ଦୁଇଦିନ ପାଇଁ ଛୁଟି ଆଣି ଘରକୁ ଆସିଛୁ। ଆମେମାନେ କାଲି ଗଲାବେଳେ ତୋତେ ଆମ ସାଙ୍ଗରେ ନେଇ କରି ଯିବୁ। ନିଶା ଆଈ କହିଲେ , ଠିକ୍ ଅଛି ! ତୁମ୍ଭେମାନେ ଏତେ ବାଟରୁ ଆସିଲଣି। ଏବେ ଖାଇପିଇ ବିଶ୍ରାମ କର। ଆଜି ରାତିରେ ମୁଁ ତୁମକୁ ମୋ ନିଷ୍ପତ୍ତି ଶୁଣେଇବି। ସବୁ ପୁଅ ଓ ନାତି ନାତୁଣୀ ମାନଙ୍କ ପାଇଁ ନିଜ ହାତରେ ଖାଇବା ବାଢ଼ି ଦେଲାପରେ ନିଶା ଆଈ ଚାରି ବୋହୂଙ୍କ ସହିତ ଗୋଟିଏ ଥାଳିରେ ବସି ଖାଇଲେ। ସମସ୍ତେ ଖାଇସାରି ନିଜ ନିଜ ରୁମକୁ ବିଶ୍ରାମ ନେବାକୁ ଗଲାବେଳକୁ ନିଶା ଆଈ ସବୁ ବୋହୂମାନଙ୍କୁ ପାଖକୁ ଡାକିଲେ। ସବୁ ବୋହୂମାନଙ୍କୁ ପାଖରେ ବସେଇ ସେ ବଡ଼ ବୋହୂକୁ କହିଲେ , ମା ବୀଣା ! କାଲି ଠାରୁ ମୋ ଦେହଟା କାହିଁକି ଭଲ ଲାଗୁନାହିଁ। ତେଣୁ ଆଜି ରାତିରେ ଏ ଚୁଲୀରେ ତୁ ରୋଷେଇ କରିବୁ। ଖାଲି ଆଜି ନୁହେଁ ୟା ପର ଠାରୁ ତୁମେମାନେ ସମସ୍ତେ ଯେତେବେଳେ ଏ ଘରେ ଏକାଠି ହେବ ତୁ ଏ ଚୁଲୀରେ ସମସ୍ତଙ୍କ ପାଇଁ ରୋଷେଇ କରି ସମସ୍ତଙ୍କୁ ଖାଇବାକୁ ଦେବୁ। ଏ ଚୁଲୀ ଦାୟିତ୍ୱ ମୋ ଶାଶୁଙ୍କୁ ତାଙ୍କ ଶାଶୁ ଦେଇଥିଲେ। ଘରର ବଡ଼ବୋହୂ ହିସାବରେ ମୋତେ ଏ ଚୁଲୀ ଦାୟିତ୍ୱ ମୋ ଶାଶୁ ଦେଇଥିଲେ। ଆଉ ଆଜି ଏ ଘରର ବଡ଼ବୋହୂ ହିସାବରେ ଏ ଚୁଲୀର ଦାୟିତ୍ଵ ମୁଁ ତୋତେ ଦେଉଛି। ମୋ ଶାଶୁଙ୍କ କହିବା ଅନୁସାରେ ମୁଁ ଆଜି ପର୍ଯ୍ୟନ୍ତ ଏ ଘରେ ଚୁଲୀ ଅଲଗା ହେବାକୁ ଦେଇନାହିଁ। ମୋ ଶାଶୁ ମୋତେ ଯେଉଁ ଗୁରୁ ଦାୟିତ୍ଵ ଦେଇଥିଲେ ସେହି ଗୁରୁ ଦାୟିତ୍ଵ ମୁଁ ଆଜି ତୋ ହାତରେ ଦେଉଛି। ମୋ କଥାର ମାନ ରଖିବୁ ମାଆ ! ତୁ କେବେହେଲେ ଏ ଚୁଲୀକୁ ଅଲଗା ହେବାକୁ ଦେବୁ ନାହିଁ। ସେଦିନ ରାତିରେ ପିଲାମାନଙ୍କ ସହିତ ଖାଇ ସାରିଲା ପରେ ଚାରିପୁଅ ଯାକ ନିଶା ଆଈଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥାନ୍ତି। ନିଶା ଆଈ ସେମାନଙ୍କ ଭିତରୁ କାଲି କାହା ସହିତ ଯିବେ ସେକଥା ନିଶା ଆଈଙ୍କ ମୁହଁରୁ ଶୁଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଥାଏ। ବଡ଼ପୁଅ ସୁରେଶ ନିଶା ଆଈଙ୍କୁ କହିଲା , ବୋଉ ! ଆମେ ସବୁ ପିଲାମାନଙ୍କୁ ନେଇ ଆମ ଶୋଇବା ଘରକୁ ଯାଉଛୁ। ତୁ ଆମକୁ ତୋ ନିଷ୍ପତ୍ତି ଜଣେଇବୁ ବୋଲି କହିଥିଲୁ ପରା ! ନିଶା ଆଈ କହିଲେ , ଟିକେ ଅପେକ୍ଷା କର। ବଡ଼ପୁଅକୁ ଏହା କହି ନିଶା ଆଈ ତାଙ୍କ ଶୋଇବା ଘରକୁ ଗଲେ ଓ ହାତରେ ଚାରିଟା ଲଫାପା ଧରି ପୁଅମାନଙ୍କ ପାଖକୁ ଆସିଲେ ଓ ପ୍ରତ୍ୟେକ ପୁଅ ହାତରେ ଗୋଟିଏ ଗୋଟିଏ ବନ୍ଦ ଲଫାପା ଧରେଇଦେଲେ। ନିଶା ଆଇ ଯେଉଁ ପୁଅ ହାତରେ ଯେଉଁ ଲଫାପା ଦେଲେ ସେ ଲଫାପାଟି ଉପରେ ସେହି ପୁଅର ନାଆଁ ଲେଖା ହୋଇଥିଲା ଓ ଲଫାପାଟି ବନ୍ଦ ଥିଲା। ଏହା ଦେଖି ପୁଅମାନେ ଆଶ୍ଚର୍ଯ୍ୟ ହୋଇ କହିଲେ , ଏ ଲଫାପାରେ କଣ ଅଛି ବୋଉ ? ନିଶା ଆଈ କହିଲେ , ମୁଁ ମୋ ନିଷ୍ପତ୍ତିକୁ ଚାରିଖଣ୍ଡ କାଗଜରେ ଲେଖି ଏହି ଚାରୋଟି ଲଫାପା ଭିତରେ ବନ୍ଦ କରି ରଖିଛି। ମୁଁ କେଉଁ ପୁଅ ସହିତ ଯିବି ସେକଥା ପ୍ରତ୍ୟେକ କାଗଜରେ ଲେଖି ଦେଇଛି। ତୁମେମାନେ ଏବେ ତୁମ ଶୋଇବା ଘରକୁ ଯାଅ। ସମସ୍ତେ ନିଜ ନିଜ ରୁମରେ ବସି ତୁମ ହାତରେ ଥିବା ଲଫାପାକୁ ଖୋଲିବ। ତା ଭିତରେ ଲେଖା ହୋଇ ରହିଥିବା କାଗଜରୁ ମୁଁ କାହା ସାଥିରେ ଯିବାକୁ ଚାହୁଁଛି ସେକଥା ତୁମେ ସମସ୍ତେ ଭଲ ଭାବରେ ଜାଣିପାରିବ। ତୁମେ ଏବେ ପିଲାମାନଙ୍କୁ ନେଇ ନିଜ ନିଜର ଶୋଇବା ଘରକୁ ଯାଅ। ମୁଁ ମୋ ବୋହୂମାନଙ୍କ ସହିତ ଖାଇବାକୁ ଯାଉଛି। ଉତ୍କଣ୍ଠାର ସହିତ ଚାରିପୁଅ ଯାକ ହାତରେ ଗୋଟିଏ ଗୋଟିଏ ଲଫାପା ଧରି ପିଲାମାନଙ୍କ ସହିତ ନିଜ ନିଜର ରୁମକୁ ଚାଲିଗଲେ। ଚାରିବୋହୂ ଯାକ ଖାଇବେ ବୋଲି ନିଶା ଆଈଙ୍କୁ ଅପେକ୍ଷା କରିଥାନ୍ତି। ଚାରିବୋହୂଙ୍କ ସହିତ ଗୋଟିଏ ଥାଳିରେ ବସି ଖାଇଲା ବେଳେ ନିଶା ଆଈ ମନେ ମନେ ଭାବୁଥାନ୍ତି , ସବୁଦିନେ ମୋତେ ମୋ ଚାରିବୋହୂଙ୍କ ସହିତ ଏମିତି ଏକାଠି ଗୋଟିଏ ଥାଳିରେ ବସି ଖାଇବାର ସୁଯୋଗ ମିଳନ୍ତା କି ! ଏମିତି ଭାବନା ଭିତରେ ହଜି ଯାଇ ରୁଟି ଖଣ୍ଡେ ଚୋବାଉ ଚୋବାଉ ନିଶା ଆଈଙ୍କର ହଠାତ୍ କାଶ ଉଠିଲା ଓ ତଣ୍ଟି ପାଖକୁ ମେଞ୍ଚାଏ କଫ ଆସିଗଲା। ପାଖରେ ଥିବା ପାଣି ଗ୍ଲାସରୁ ବଡ଼ବୋହୂ ବୀଣା ତାଙ୍କୁ ପାଣି ପିଇବାକୁ ଦେଲା। କିନ୍ତୁ ଯେତେ ପାଣି ପିଇଲେ ବି କାଶଟା କମିବାର ନାଆଁ ଧରୁ ନଥାଏ କି କଫଟା ବାହାରକୁ ଆସୁ ନଥାଏ। ବୋହୂମାନେ ନିଶା ଆଈଙ୍କ ପିଠି ଆଉଁସିବାରେ ଲାଗିଥାନ୍ତି। ବଡ଼ବୋହୂ ବୀଣା କହିଲା , ବୋଉ ! ମୁଁ ଆପଣଙ୍କ ପୁଅଙ୍କୁ ଡାକି ଦେଉଛି। ସେ ଫୋନ୍ କରି ଡ଼ାକ୍ତରଙ୍କୁ ଡାକିବେ। ନିଶା ଆଈ କହିଲେ , ପାଗେଳୀଟା ନା କଣ ! ବ୍ୟସ୍ତ କାହିଁକି ହେଉଛୁ ! ତଣ୍ଟିରେ ଟିକେ କଫ ଲାଗି ଯାଇଛି। କିଛି ସମୟପରେ ବାହାରି ଯିବନି ! ଏବେ ଏବେ ଖାଇସାରି ସୁରେଶ ତା ରୁମକୁ ଯାଇଛି। ତାକୁ କାହିଁକି ଡାକିବୁ ! ଏପଟେ ଚାରିଭାଇ ଯାକ ହାତରେ ଗୋଟିଏ ଗୋଟିଏ ଲଫାପା ଧରି ନିଜ ନିଜ ରୁମକୁ ଗଲେ ସିନା କିନ୍ତୁ ଲଫାପା ଭିତରେ କଣ ଲେଖା ଅଛି ସେକଥା ଜାଣିବାକୁ ସମସ୍ତଙ୍କ ମନରେ ପ୍ରବଳ ଉତ୍କଣ୍ଠା ଥାଏ। ରୁମରେ ପହଞ୍ଚି ସାନପୁଅ ପରେଶ ସାଙ୍ଗେ ସାଙ୍ଗେ ଲଫାପାଟିକୁ ଖୋଲିଦେଲା। ତା ଭିତରେ ଥିବା କାଗଜଟିକୁ ପଢ଼ି ସାରିଲା ପରେ ତାର ଆଉ ଆନନ୍ଦର ସୀମା ରହିଲା ନାହିଁ। ସେ ଭାବିଲା , ଯାହାହେଉ , ମୁଁ ଯାହା ଚାହୁଁଥିଲି ସେୟା ହେଲା। ବୋଉ ମୋ ସାଥିରେ ଯିବ ବୋଲି ଲେଖିଛି। ସେ ଆନନ୍ଦରେ କାଗଜଟିକୁ ହାତରେ ଧରି ସେକଥା ଜଣେଇବାକୁ ବଡ଼ଭାଇ ରୁମକୁ ଦୌଡ଼ିଗଲା। ସେ ସୁରେଶକୁ କିଛି କହିବା ଆଗରୁ ସୁରେଶ ତାକୁ ଖୁସିରେ କୁଣ୍ଢେଇ ପକେଇଲା। ସୁରେଶ ଭାବିଲା , ବୋଉ ମୋ ସାଥିରେ ଯିବ ବୋଲି ଜାଣି ସାରିବା ପରେ ପରେଶ ବୋଧେ ଖୁସିରେ ମୋତେ ସେକଥା ଜଣେଇବାକୁ ଆସିଛି। ଏତିକିବେଳେ ଦୀନେଶ ଓ ମହେଶ ମଧ୍ୟ ହାତରେ ନିଶା ଆଈଙ୍କ ହାତଲେଖା କାଗଜ ଧରି ହସି ହସି ସୁରେଶଙ୍କ ଶୋଇବା ଘରକୁ ଆସିଲେ। ସେମାନଙ୍କ ଓଠରେ ଆନନ୍ଦର ଲହରୀ ଖେଳି ଯାଉଥାଏ। ସୁରେଶ ଭାବିଲା ମୋ ସାଥିରେ ବୋଉ ଯିବାକୁ ଚାହୁଁଛି ବୋଲି ଜାଣି ଦୀନେଶ ଓ ମହେଶ ମଧ୍ୟ ଖୁସିରେ ମୋତେ ବଧେଇ ଜଣେଇବାକୁ ଆସିଛନ୍ତି। ତାପରେ ନିଜ ନିଜର ଖୁସି ଜଣେଇବାକୁ ଦୀନେଶ , ମହେଶ ଓ ପରେଶ ନିଜ ନିଜ ହାତରେ ଧରିଥିବା କାଗଜ ତିନିଖଣ୍ଡକୁ ବଡ଼ଭାଇ ସୁରେଶ ହାତରେ ଧରେଇଦେଲେ। ସେହି ତିନିଖଣ୍ଡ ଯାକ କାଗଜକୁ ପଢ଼ି ସାରିଲା ପରେ ସୁରେଶ ଅନ୍ୟ ତିନି ଭାଇଙ୍କ ମୁହଁକୁ ଆଶ୍ଚର୍ଯ୍ୟର ସହିତ ଚାହିଁଲା। ସେ ଆଉ କାହାରିକୁ କିଛି ନକହି ତା ନିଜ ଲଫାପାରୁ ବାହାରିଥିବା କାଗଜଟିକୁ ଦୁଇ ହାତରେ ଖୋଲି ଧରି ଅନ୍ୟ ତିନିଭାଇଙ୍କୁ ଦେଖାଇଲା। ସେମାନେ ଦେଖିଲେ ଯେ ସେମାନଙ୍କ ଲଫାପାରେ ଥିବା କାଗଜରେ ବୋଉ ଯାହା ଲେଖିଛି ଅବିକଳ ସେହି ଗୋଟିଏ ବାକ୍ୟ ବଡ଼ଭାଇଙ୍କ ହାତରେ ଥିବା ସେହି କାଗଜରେ ମଧ୍ୟ ଲେଖା ହୋଇଛି। ସମସ୍ତଙ୍କ କାଗଜରେ ସେହି ସମାନ କଥା ଲେଖା ହୋଇଥିଲା , ' ମୁଁ ତୋ ସାଥିରେ ଯିବାକୁ ଚାହୁଁଛି '। ପୁଅମାନଙ୍କର ଆଉ କିଛି ବୁଝିବାକୁ ବାକି ନଥିଲା। ସେମାନେ ସମସ୍ତେ ବୋଉ ବୋଉ ଡାକି ନିଶା ଆଈଙ୍କ ପାଖକୁ ଧାଇଁଗଲେ। ସେତେବେଳ ଯାଏ ନିଶା ଆଈଙ୍କର କାଶ କମି ନଥାଏ। ତଣ୍ଟି ପାଖରେ କଫଟା ଘଡ଼ଘଡ଼ ହେଉଥାଏ। ବୋଉର କଣ ହେଲା , ବୋଉର କଣ ହେଲା ବୋଲି କହି ଚାରିପୁଅ ଯାକ ବ୍ୟସ୍ତ ହୋଇ ପଡ଼ିଲେ। ସୁରେଶ ଡାକ୍ତରଙ୍କ ପାଖକୁ ଫୋନ୍ କରିବାକୁ ଗଲାବେଳକୁ ନିଶା ଆଈ ଧୀରେ ଧୀରେ ବଡ଼ପୁଅକୁ ଡ଼ାକି କହିଲେ , ସୁରେଶ ! ଚାରିଭାଇ ଯାକ ମୋ ପାଖକୁ ଆସ। ଚାରିଭାଇ ଯାକ ଯେତେବେଳେ ଯାଇ ନିଶା ଆଈଙ୍କ ପାଖରେ ଠିଆ ହେଲେ ନିଶା ଆଈ ସମସ୍ତଙ୍କୁ ଚାହିଁ କହିଲେ , ଜୀବନରେ ଚାରିଭାଇ ଯାକ ପରସ୍ପର ପରସ୍ପର ଠାରୁ କେବେ ଅଲଗା ହେବନାହିଁ। ଗୋଟିଏ ପରିବାରର ଲୋକମାନେ କେବଳ ଗୋଟିଏ ଜାଗାରେ ଏକତ୍ର ହୋଇ ରହିଲେ ତାକୁ ଏକାଠି ରହିବା କୁହାଯାଏ ନାହିଁ କାହିଁକି ନା ଗୋଟିଏ ସ୍ଥାନରେ ଏକତ୍ର ରହିଲେ ମଧ୍ୟ ପରିବାରର ଲୋକମାନେ ଯଦି ଏକମନ ହୋଇ ନ ଚଳନ୍ତି ତାହେଲେ ସେ ପରିବାର ବେଶୀଦିନ ତିଷ୍ଠି ରହିପାରେ ନାହିଁ। କିନ୍ତୁ ଗୋଟିଏ ପରିବାରର ଲୋକମାନେ ବିଭିନ୍ନ ସ୍ଥାନରେ ରହୁଥିଲେ ମଧ୍ୟ ସମସ୍ତେ ଯଦି ଏକମନ ହୋଇ ରହନ୍ତି ତାକୁ ହିଁ ପ୍ରକୃତରେ ଏକାଠି ରହିବା କୁହାଯାଏ। ତେଣୁ ଚାକିରି କରିଥିବା କାରଣରୁ ତୁମେ ଚାରିଭାଇ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିଲେ ମଧ୍ୟ ସବୁବେଳେ ଏକମନ ହୋଇ ଚଳିଲେ ତାହା ହେଉଛି ପ୍ରକୃତ ଏକାଠି ରହିବା। ମୋର ଆଉ ଗୋଟିଏ କଥା ମନେ ରଖିବ। ଆଗ ଭଳି ବର୍ଷକରେ ଥରେ ତୁମେ ସମସ୍ତେ ଏକ ସମୟରେ ଆସି କିଛି ଦିନ ଏହି ଘରେ ହସଖୁସିରେ ସମୟ କାଟିବ। ସେତେବେଳକୁ ଆଠଜଣ ଯାକ ନାତିନାତୁଣୀ ଆସି ନିଶା ଆଈଙ୍କୁ ଘେରି ଠିଆ ହୋଇଥାନ୍ତି। ଏତିକିବେଳେ କାଶୁ କାଶୁ ନିଶା ଆଈଙ୍କର ଦୁଇ ତିନିଟା ହିକ୍କା ଉଠିଲା। ତାପରେ ସବୁ ଶେଷ। ପୁଅ , ବୋହୂ ଓ ନାତି ନାତୁଣୀ ମାନଙ୍କ ଗହଣରେ ବଡବୋହୂ କୋଳରେ ମୁଣ୍ଡ ରଖି ନିଶା ଆଈ ଚିର ନିଦ୍ରାରେ ଶୋଇଗଲେ। ପୁଅମାନଙ୍କ ଆଖିରୁ ଧାର ଧାର ହୋଇ ଲୁହ ବହି ଯାଉଥିଲା। ବୋହୂମାନେ ବୋଉ ! ବୋଉ ! ବୋଲି କାନ୍ଦି କାନ୍ଦି ନିଶା ଆଈଙ୍କ ଶବ ଉପରେ ମୁଣ୍ଡ ପିଟୁଥିଲେ। ନିଶା ଆଈଙ୍କ ଶବ ପାଖରେ ଠିଆ ହୋଇଥିବା ନାତି ନାତୁଣୀ ମାନେ ଜେଜେମା ! ଜେଜେମା ! ବୋଲି ଡାକି କଇଁ କଇଁ ହୋଇ କାନ୍ଦୁଥିଲେ। ********************
