ମାନସିକତା
ମାନସିକତା
ଯାନିଯୌତୁକକୁ ନେଇ ଲୋକଙ୍କ ଭାବନା ଉପରେ ଆଧାରିତ ଗଳ୍ପଟି।
ଆଲୋ ଏ ଶୁଭ ଶୁଭୁଛି ନା ନାଇମ। ସହରୀ ବାବୁମାନେ ଆସିଯିବେ। ବେଗି ବେଗି ସଜ ହ....। ସେମାନେ ଆଜି ତୋତେ କେବଳ ଦେଖିବା ପାଇଁ ଆସୁଛନ୍ତି....ତୁ ତ ବାହା ହେବା ବେଳେ ଯେତିକି ସମୟ ନିଅନ୍ତି ସେମିତି ନେଉଛୁ।
ଭିତରୁ ଶୁଭିଲା ନାଇଁ ଜେଜେମା ମୁଁ ଏ କେତେବେଳୁ ସଜ ହେଇସାରିଲିଣି। ପାତି ବୁଢୀ ଶୁଭ ପାଖକୁ ଯାଇ ଦେଖି ଦେଖି କଳା ଟିପାଟିଏ ଲାଗେଇଦିଏ। କାହାରି ନଜର ନ ଲାଗୁ ମୋ ମୋ ପରୀ ଉପରେ।
ପାତିବୁଢ଼ୀର ନାତୁଣୀ ଶୁଭକୁ ଦେଖିବା ଉଦ୍ଦେଶ୍ୟରେ ସହରରୁ ବଡ଼ ବାବୁମାନେ ଆସୁଛନ୍ତି। ଘରର ସାମ୍ନାରେ ଗୋବର ପାଣି ପକେଇଛି। କାନ୍ଥକୁ ନାଲି ମାଟିରେ ଲିପି ଝୋଟିରେ ବିଭିନ୍ନ ଚିତ୍ର ଆଙ୍କିଛି। ଶୁଭ ଯେଉଁ ଅଫିସରେ କାମ କରୁଛି ସେହି ଅଫିସର ମାଲିକ ନିଜ ନାତି ପାଇଁ ଶୁଭର ହାତ ମାଗିବାକୁ ଆସିବେ।
ପାତିବୁଢ଼ୀ ଘର ଅଗଣାରେ ଗୋଟିଏ ବଡ଼ କାର ଲାଗିଲା। ଛୋଟ ଛୋଟ ପିଲାମାନେ ସେ ଗାଡି ପଛପଟେ ଦୌଡ଼ିଦୌଡ଼ି ଆସିଥାନ୍ତି। ଘର ଭିତରେ ଥାଇ ସ୍ତ୍ରୀ ଲୋକ ସମସ୍ତେ ଚାତକ ଭଳି ଅନେଇ ରହିଥାନ୍ତି। ଏତେ ବଡ଼ ଘରକୁ ଶୁଭ ପାଇଁ ପ୍ରସ୍ତାବ ଆସିଛି। ଯାହା ହେଉ ତା ଭାଗ୍ୟ ବଦଳି ଗଲା। କାରର ଡ୍ରାଇଭର ବାହାରି ଡୋର ଖୋଲିଲା ଭିତରୁ ଦୁଇଜଣ ଭଦ୍ର ବ୍ୟକ୍ତି ବାହାରି ଆସିଲେ। ଜଣେ ଛବିଶି ସତେଇସି ବର୍ଷୀୟ ଆଉ ଜଣେ ଷାଠିଏ ସତୁରି ହେବ ବୟସ।
ପାତି ବୁଢ଼ୀ କଂସା ଢାଳରେ ପାଣି ନେଇ ବୟସ୍କ ଭଦ୍ର ବ୍ୟକ୍ତିଙ୍କର ଗୋଡ଼ ଧୋଇ ଦେଲେ। ପୁଅଟିର ଗୋଡ଼ ଧୋଇବା ପାଇଁ ଯାଉଥିବା ବେଳେ ପୁଅଟି କହିଲା ଆପଣ ମୋ ଠାରୁ ବୟସରେ ବଡ଼ ହେବେ ....ମୋତେ ଢାଳଟି ଦିଅନ୍ତୁ ନିଜେ ଧୋଇହେବି। ପାତି ବୁଢ଼ୀର ମନ କୁଣ୍ଢେ ମୋଟ ହେଇଯାଉଥାଏ ଏପରି ପୁଅକୁ ନିଜ ନାତୁଣୀ ଜୋଇଁ ରୂପେ ପାଇବ।
ଭିତରକୁ ଆସିବାପାଇଁ ଅନୁରୋଧ କଲା ପାତି ବୁଢ଼ୀ। କାଠ ଚୌକିକୁ ଭଲ ଭାବରେ ପୋଛାପୋଛି କରି ଦେଇଥାଏ। ଆସନ ଗ୍ରହଣ କରିବାକୁ କହିଦେଇ ଭିତରକୁ ଗଲା ପାତି ବୁଢ଼ୀ। ଆଲୋ ଏ ଶୁଭ ବାବୁ ମାନେ ଆସିଗଲେଣି ଦେଖିଚାହିଁ କଥାବାର୍ତା କରିବୁ। ଯାହା ହେଲେ ବି ବଡ଼ ଲୋକ ଘରର ପୁଅ। ଏତକ କହି ବାବୁଙ୍କ ପାଖକୁ ଆସିଲା।
ପୁଅର ଜେଜେ କହିବା ଆରମ୍ଭ କଲେ ଆମେ ଆସିବା ପୂର୍ବରୁ ଶୁଭଲକ୍ଷ୍ମୀକୁ ବୋହୁ କରିବି ବୋଲି ଚିନ୍ତା କରି ଆସିଛି। ତା ସହ ପ୍ରଥମ ଭେଟ ଆମ ଅଫିସରେ ହୋଇଥିଲା। କିନ୍ତୁ ସେତେବେଳେ ଜାଣିନଥିଲି ଏତେ ଭଲ ଭଜନ ପରିବେଷଣ କରେ ସେ। ନିକଟସ୍ଥ ଶିବମନ୍ଦିରରେ ଆମ ଅଫିସ ତରଫରୁ ମହାଶିବରାତ୍ରି ଦିନ ଏକ ଭଜନ ସମାରୋହ ଆୟୋଜନ କରାଯାଇଥିଲା। ସେଠାରେ ସଙ୍ଗୀତ ପରିବେଷଣ କରିବା ପାଇଁ ବିଶିଷ୍ଟ ସଂଗୀତଜ୍ଞ ହରିହର ଓଝା ଙ୍କୁ ନିବେଦନ କରିଥିଲି। ଏହି ଭଜନ ସମରୋହକୁ ବହୁତ ବଡ଼ ବଡ଼ ବିଜିନେସ ମ୍ୟାନ, ଓକିଲ, ନେତା, ମନ୍ତ୍ରୀ ମାନଙ୍କୁ ଅତିଥି ରୂପେ ନିମନ୍ତ୍ରଣ କରିଥିଲି।
ଭଜନ ସମାରୋହ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ହରିହର ଓଝାଙ୍କ ପୁଅ ଫୋନ କରି କହିଲେ "ବାପା ଭଜନ ସମାରୋହକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଆମେ ତାଙ୍କୁ ସ୍ୱସ୍ତିକ ନର୍ସିଂ ହୋମରେ ଭର୍ତ୍ତି କରିଛୁ। ତାଙ୍କର ମାଇଲଡ଼ ହାର୍ଟ ଆଟାକ ହୋଇଛି ବୋଲି ଡାକ୍ତର କହିଲେ। କିଛିଦିନ ବିଶ୍ରାମ ନେବାକୁ କହିଛନ୍ତି। ଆପଣ ଏ ଭଜନ ସମାରୋହକୁ ବାତିଲ କରିଦିଅନ୍ତୁ। ଏହି ଅସୁବିଧା ପାଇଁ ଆମକୁ କ୍ଷମା କରିଦେବେ। "
ମୁଁ ସେତେବେଳେ ଅତ୍ୟନ୍ତ ଚିନ୍ତିତ ଥିଲି। ତାଙ୍କ ଭଜନ ଶୁଣିବା ପାଇଁ କାହିଁ କେତେ ଦୂରରୁ ଲୋକ ଆସିଛନ୍ତି। ସେମାନଙ୍କୁ ନିରାଶ କରିବା ଛଡା ମୋ ହାତରେ କିଛି ଉପାୟ ନାହିଁ। ନେତା ମନ୍ତ୍ରୀମାନଙ୍କୁ ଡାକିଥିଲି ସେମାନେ କଣ ଭାବିବେ ମୋତେ ? ?
ଠିକ ସେତେବେଳେ ଶୁଭଲକ୍ଷ୍ମୀ ଆସି ମୋତେ କହିଲା :- ସାର ଗୋଟିଏ କଥା କହିବା ପାଇଁ ଚାଂହୁଥିଲି।
ମୁଁ:- ଆଉ କଣ କହିବାର ଅଛି। ମୋ ମାନସମ୍ମାନ ସବୁ ହରେଇବି।
ଶୁଭଲକ୍ଷ୍ମୀ:- ସାର୍ ଲୋକମାନେ ବହୁତ ଦୂରରୁ ଆସିଛନ୍ତି ହରିହର ସାରଙ୍କ ଗୀତ ଶୁଣିବା ପାଇଁ। ହେଲେ ସେମାନେ ଏ କଥା ଜାଣିବା ପରେ ସେମାନଙ୍କ ମନ ଭାଙ୍ଗିଯିବ। ଆପଣ ଯଦି ଅନୁମତି ପ୍ରଦାନ କରନ୍ତେ ମୁଁ ଗୋଟିଏ ଗୀତ ବୋଲି ଦେବି।
ମୋ ମନରେ ଆଶାର କିରଣ ସଞ୍ଚାର ହେବାକୁ ଲାଗିଲା। ମୁଁ ପୂର୍ବରୁ ନାତି ଠାରୁ ଶୁଣିଥିଲି ଶୁଭଲକ୍ଷ୍ମୀ ଯେଉଁ କାର୍ଯ୍ୟରେ ହାତ ଦିଏ ତାକୁ ସୁଚାରୁରୂପେ ସମ୍ପାଦନ କରେ। ମୁଁ ଯାଇ ଘୋଷଣା କରି ଆସିଲି ହରିହର ଓଝା ଙ୍କର ଅସୁସ୍ଥତା କାରଣରୁ ଏଠାରେ ଉପସ୍ଥିତ ହୋଇ ପାରି ନାହାନ୍ତି। ତାଙ୍କ ସ୍ଥାନରେ ଶୁଭଲକ୍ଷ୍ମୀଙ୍କୁ ଗୀତ ଗାଇବା ପାଇଁ ଅନୁରୋଧ କରୁଛି।
ନନ୍ଦିଘୋଷ ତୋର ଅଟକି ଗଲା ବଡ଼ ଶଙ୍ଖଠାରେ ......, କଳା ସାଆନ୍ତ ଅଛ କେମନ୍ତ ...., ନୀଳାଚଳ ଧାମ ଯାଇ ମୁଁ ପାରୁନି ଏଇଠି କରୁଛି ଦଣ୍ଡବତ ...., ଏହି ପରି ପରକୁ ପର ସାତଟି ଗୀତ ବୋଲି ଚାଲିଲା। ମନ୍ଦିର ପରିସର କରତାଳିରେ ଉଛୁଳି ପଡୁଥିଲା। ଜୟଜଗନ୍ନାଥ ଧ୍ୱନିରେ ପରିବେଷଟି ପ୍ରକମ୍ପିତ ହେଉଥିଲା। ସମସ୍ତଙ୍କ ମୁହଁରେ ଗୋଟିଏ କଥା କି ମଧୁର କଣ୍ଠ ...ଏପରି ସ୍ୱର ଭଗବାନଙ୍କର ବରଦାନ ସଦୃଶ..। ମୁଁ ଭାବୁଥିଲି ସତରେ ଜଗନ୍ନାଥଧାମ ପଳେଇ ଆସିଛି କି ମାତ୍ର ଏହା ଥିଲା ଶୁଭଲକ୍ଷ୍ମୀ ଗୀତର ଚମତ୍କାର। ଇଚ୍ଛା ହେଉଥିଲା ସେହିପରି ବସି ଆହୁରି ଅନେକ ଗୀତ ଶୁଣି ଥାଆନ୍ତି। ସେହିଦିନ ଠାରୁ ତା ଭଜନ ଶୁଣି ମନ ମୋର ଆକର୍ଷିତ ହୋଇଥିଲା ତା ପ୍ରତି। ଭାବିଲି ଇଏ ହିଁ ମୋ ନାତି ପାଇଁ ଉପଯୁକ୍ତ। ମୁଁ କୋଚିତ ଅଫିସ ଯାଏ। ହେଲେ ମହାଶିବରାତ୍ରି ପର ଠାରୁ ସବୁଦିନ ଯାଏ ଅଫିସ କିଛି କାମ ଥାଉ ବା ନ ଥାଉ। ପ୍ରତ୍ୟେକ ଦିନ ଶୁଭଲକ୍ଷ୍ମୀ ନୂଆ ନୂଆ ଭଜନ ବୋଲି ଶୁଣାଏ ମୋତେ। ଶୁଭଲକ୍ଷ୍ମୀକୁ ମୋର ନାତୁଣୀ ବୋହୁ ରୂପେ ଦେଖିବାକୁ ମୁଁ ଖୁବ ବ୍ୟସ୍ତ। ନାତିର କୌଣସି ଆପତ୍ତି ନାହିଁ। ସେ ରାଜି। ଏବେ ମୋ ବୋହୂକୁ ଡାକନ୍ତୁ ମନ ପୁରେଇ ଦେଖି ନିଏ ତା ପରେ ତ ସେ ଆମ ଘରର ଲକ୍ଷ୍ମୀ। ସବୁଦିନ ଦର୍ଶନ ମିଳିବ।
ଶୁଭ ହଳଦିଆ ରଙ୍ଗର ନାଲି ପଟିଦିଆ ସିଲ୍କ ଶାଢ଼ୀଟିଏ ପିନ୍ଧି ବାହାରକୁ ଆସି ଆଣ୍ଠୁ ମାଡି ପ୍ରଣାମ ଜଣାଇଲା। ଦୁଇଟି ଗ୍ଲାସରେ ଆମ୍ବ ରସ ନେଇ ଆସିଥିଲା ବଢ଼େଇ ଦେଲା ଜେଜେ ଓ ତା ଭାବି ସ୍ୱାମୀ ସ୍ୱରୂପଙ୍କୁ। ସେ ଯେଉଁ କମ୍ପାନୀରେ ଚାକିରୀ କରୁଛି ସେହି କମ୍ପାନୀର ମାଲିକଙ୍କ ନାତି ହେଉଛି ସ୍ୱରୂପ। ଅଫିସର ପ୍ରାୟ ସମସ୍ତ ଦାଇତ୍ୱ ତା ଉପରେ। ତା ଡାଡି ମମି ବିଦେଶରେ ରୁହନ୍ତି। କ୍ଵଚିତ ଓଡ଼ିଶା ଆସନ୍ତି। ସେମାନେ ମଧ୍ୟ ରାଜି।
ପାତି ବୁଢ଼ୀ - ଆପଣଙ୍କୁ ଯଦି ମୋର ନାତୁଣୀ ପସନ୍ଦ ତେବେ ମୋର କୌଣସି ଆପତ୍ତି ନାହିଁ। ବର କନ୍ୟା ଯଦି ରାଜି ମୁଁ ମନା କରିବା ପାଇଁ କିଏ ? ? ସ୍ୱରୂପ ଓ ଶୁଭ ପ୍ରତ୍ୟେକଙ୍କୁ ଅପଲକ ନୟନରେ ଚାହିଁ ରହିଥାନ୍ତି। ଦୁଇଟି ଉଡା ହୃଦୟର ମିଳନ ଘଟିଛି।
ପାତି ବୁଢ଼ୀ:- ଏ ମାଆ ଏବେ ଭିତରକୁ ଯା। ମୁଁ ବାବୁଙ୍କୁ ବିଦାୟ ଦେଇ ଆସେ।
ଶୁଭ ଲାଜେଇ କରି ଘର ଭିତରକୁ ଚାଲିଗଲା। ଖୁବ ଖୁସି ଥିଲା ସେ।
ସ୍ୱରୂପର ଜେଜେ କାର ଭିତରୁ ବଡ଼ ଡାଲାଟିଏ ଆଣିଲେ। ସେଥିରେ ଗୋଟିଏ କାଞ୍ଜିବରମ ପାଟ, ଫଳ ମୂଳ ଥିଲା। ଶୁଭ ପାଖକୁ ଯାଇ ହାର ଓ ଏକ ଲକ୍ଷ୍ୟ ଟଙ୍କାର ଚେକଟିଏ ଦେଲେ। ଏ ଦୁହିଁଙ୍କର ବିଭାଘର ଶୀଘ୍ର ସାରିଦେବା। ପନ୍ଦର ଦିନ ପରେ ଭଲ ଦିନ ଅଛି।
ପାତି ବୁଢ଼ୀ:-ଏତେ ଶୀଘ୍ର ଟଙ୍କା ଯୋଗାଡ କରିବି କୋଉଠୁ। ବିଲ ବନ୍ଧା ପକାଇ ଟଙ୍କା ଆଣିଲା ବେଳକୁ ବିଳମ୍ବ ଅଛି। ସମୟ ଘୁଞ୍ଚାଇଲେ ଆମକୁ ସୁବିଧା ହୁଅନ୍ତା।
ପୁଅର ଜେଜେ:- ଆପଣ ଟଙ୍କା ପାଇଁ ଜମାରୁ ଚିନ୍ତା କରନ୍ତୁନାହିଁ। ଯାହା ଖର୍ଚ୍ଚ ହେବ ଆମେ ସବୁ ତୁଲେଇବୁ।
ପାତି ବୁଢ଼ୀ:- ଆଉ ଯାନିଯୌତୁକ କଣ ଦେବୁ। ଆପଣ ଏତେ ବଡ଼ ଲୋକ ଆମେ ଗରିବ।
ଜେଜେ:- ଆପଣ ସେଇ ପୁରୁଣା ଯୁଗରେ ରହିଯାଇଛନ୍ତି। କୌଣସି ଯାନିଯୌତୁକ ଦେବାର ପ୍ରଶ୍ନ ଉଠୁ ନାହିଁ। ବିଲ ଗେଟ କହିଥିଲେ “If you are born Poor its not your mistake, but if you die poor its your mistake” ତାର ଅର୍ଥ ତୁମେ ଗରିବ ହେଇ ଜନ୍ମ ହେଇଛ ତା ତୁମର ଦୋଷ ନୁହେଁ କିନ୍ତୁ ଗରିବ ହୋଇ ମୃତ୍ୟୁବରଣ କରିବା ତୁମର ଦୋଷ। ଶୁଭ ଭବିଷ୍ୟତର ଗାୟିକା। ସେ ଗୀତ ଗାଇ କେତେ ସୁନାମ ଅର୍ଜନ କରିବ। ଟଙ୍କା ତା ପଛରେ ଗୋଡେଇବ।
ଝିଅକୁ ଛୋଟରୁ ଏତେ ବଡ଼ କରେଇଛନ୍ତି। ପାଠ ପଢେଇଛନ୍ତି। କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ସେପରି ଜଣେ ଦେବୀ ପ୍ରତିମାଙ୍କୁ ଆମ ଘରକୁ ନେବୁ ଆପଣ କହୁଛନ୍ତି ଯାନିଯୌତୁକ। ଯେଉଁମାନେ ଏସବୁ ଜିନିଷ ଦାବି କରୁଛନ୍ତି ତା ଅର୍ଥ ଆପଣ ପଇସା ଦେଇ ନିଜର ଅମୁଲ୍ୟ ସମ୍ପଦକୁ ବିକ୍ରି କରୁଛନ୍ତି। ମୋ ବୋହୂକୁ ପାଳି ପୋଷି ଏତେ ବଡ଼ କରିଛନ୍ତି ଶୁଭକୁ ମୋ ନାତୁଣୀ ବୋହୁ ରୂପେ ପାଇଲେ ମୋ ଜୀବନ ଧନ୍ୟ ହୋଇଯିବ। ଆମକୁ ଏବେ ବିଦାୟ ଦିଅନ୍ତୁ।
କାରଟି କେତେବେଳୁ ପାତି ବୁଢ଼ୀ ଘରୁ ଯାଇସାରିଲାଣି। ପାତି ବୁଢ଼ୀ ସେମିତି ଅନେଇ ରହିଛି ଯାହା ହେଉ ଏପରି ହୃଦୟର ଲୋକ ଦୁନିଆରେ ଅଛନ୍ତି। କିନ୍ତୁ ଏମାନଙ୍କ ସଂଖ୍ୟା କମ।

