STORYMIRROR

Jayashree Sahu

Children Stories Children

4  

Jayashree Sahu

Children Stories Children

ଜୀବନ ରାସ୍ତାର ଶେଷ ମୁଣ୍ଡ

ଜୀବନ ରାସ୍ତାର ଶେଷ ମୁଣ୍ଡ

5 mins
176

ଆଉ ଦି ଗୁଣ୍ଡା ଖାଇ ଦେ। ଚାରିଟା ବେଳକୁ ଯାଇ ଆସିବୁ। ପେଟ ପୁରା ଖାଇଥିଲେ ପାଠ ମୁଣ୍ଡରେ ପଶିବ। ନ ହେଲେ ମିସ ସାରମାନେ ଯାହା କହୁଥିବେ ଏପଟ କାନରେ ପଶି ସେପଟେ ବାହାରୁ ଥିବ।

ଲକ୍ଷ୍ମୀପ୍ରିୟା:- ମାମା ସେତିକି ଖାଇବି .... ପେଟ ପୁରି ଗଲାଣି।

ମା:- ହଉ.. ନେ ପାଣି ପିଇଦେ। ଆଲମୀରାରେ ଡ୍ରେସ ଆଇରନ ହୋଇ ଥୁଆ ହେଇଛି। ଶୀଘ୍ର ପିନ୍ଧି ରେଡି ହେଇ ଯା।

ଲକ୍ଷ୍ମୀପ୍ରିୟା:- ମାମା ଆଇକାର୍ଡ କୋଉଠି ଅଛି ପାଉନି।

ବାପା:- ଏତେ ଦାୟିତ୍ୱହୀନ ହେଲେ କଣ ଚଳିବ। ସ୍କୁଲରୁ ଆସିବ ଯେଉଁ ଜିନିଷ ଯେଉଁଠି ରହିବା କଥା ସେଠି ରଖିବ। ଧୀରେ ସାଇକେଲ ଚଲେଇ ଯିବୁ। ରାସ୍ତା ଘାଟ ଗାଡି ମୋଟର କଥା। ଟିକେ ଲେଟ ହେଲେ ଚଳିବ। ହେଲେ ତରତର ହୋଇ ଜମା ଯିବୁ ନାହିଁ।

ଲକ୍ଷ୍ମୀପ୍ରିୟା:- ମୁଁ ସ୍କୁଲ ଯାଉଛି। ଲେଟ ହେଇଯିବ ନ ହେଲେ। ସ୍କୁଲ ଗେଟ ପଡିଗଲେ ହେଡ ମାଷ୍ଟରଙ୍କ ରୁମ ଆଗ ଦେଇ ଯିବାକୁ ପଡ଼ିବ। ସେଠି ସବୁ ମିସ ସାରମାନେ ଠିଆ ହୋଇଥିବେ। ଲାଜ ଲାଗିବ। ମୋ ଟିଫିନ ପାଣି ବୋତଲଟା ବ୍ୟାଗରେ ପୁରେଇ ଦେ। ମାମା ବୁଟଟା ପଲିସ କରିଦେ।

ବାପା କହିଲେ ଲକ୍ଷ୍ମୀମାମା ପଲିସଟା ମୁଁ କରି ଦେଉଛି। ତୁମେ ଆଉ ସବୁ ଦେଖ ସେ ସବୁ ନେଲା ନା ନାହିଁ।

ଏଇଟା ପ୍ରତିଦିନ ସାଡେ ନଅଟା ବେଳର କଥା ଲକ୍ଷ୍ମୀପ୍ରିୟା ଓ ତା ମାମା ଭିତରେ।ଏ ଘଟଣା ସମସ୍ତଙ୍କ ଘରେ ନିହାତି ଘଟୁଥିବ।

ମାମା ବାବା ଯାଉଛି। ଟା.... ଟା.....

ସାଇକେଲ ଚଲେଇ ଯାଇ ସ୍କୁଲରେ ପହଞ୍ଚିଲା। ସେହି ସମୟରେ ଘଣ୍ଟା ବାଜିଲା। ଲକ୍ଷ୍ମୀପ୍ରିୟା ସାଇକେଲ ଚାବି ଦେଉଛି। ଠିକ ସ୍କୁଲ ଗେଟ ବନ୍ଦ ହେବାକୁ ଯାଉଥିଲା ସିକୁରୀଟି ଭିତରକୁ ଛାଡିଦେଲେ। କାରଣ ସେ ଗେଟ ପାଖରେ ପହଞ୍ଚି ଯାଇଥିଲା। ତିନି ମହଲାକୁ ଯିବାକୁ ପଡ଼ିବ। ସପ୍ତମ ଶ୍ରେଣୀ ତାର। ଧଇଁ ସଇଁ ହୋଇ ଯାଉଥିଲା ସେ। ସବୁ କ୍ଲାସ ଆଗରେ ପିଲାମାନେ ଆସି ଠିଆ ହୋଇ ଗଲେଣି। ପାହାଚ ଚଢି ଚଢି ଯାଉଥାଏ। ଏପଟେ ବ୍ୟାଗର ଓଜନ। ଦ୍ୱିତୀୟ ମହଲାରେ ପହଞ୍ଚି ଗଲା। ମାତ୍ର ତୃତୀୟ ମହଲାକୁ ଯିବା ପାଇଁ ସାହସ ପାଉ ନ ଥାଏ। ଗୋଟିଏ ପାହାଚ ଯାଉଥାଏ ଟିକେ ଠିଆ ହେଉଥାଏ। ପୁଣି ଚଢୁଥାଏ ରହୁଥାଏ। ଠିକ ପାହାଚର ଶେଷରେ ପହଞ୍ଚି ଯାଇଥାଏ।

ସାମ୍ନାରେ କ୍ଲାସ ରୁମ। ମାତ୍ର ଠିକ କରି ଠିଆ ହୋଇ ପାରିଲା ନାହିଁ। ଠପ କରି ଗଳି ପଡ଼ିଲା ଚଟାଣ ଉପରେ। ସମସ୍ତେ ଦୌଡ଼ି ଆସିଲେ ତା ପାଖକୁ। ତାଙ୍କ ଶ୍ରେଣୀ ଶିକ୍ଷୟିତ୍ରୀ ବୁଟ ଖୋଲି ଦେଇ ପାଦକୁ ଘଷି ଦେଲେ। ଖୁବ ଜୋରରେ ନିଶ୍ୱାସ ନେଉଥାଏ ସେ। ପିଲାମାନେ ତାକୁ ଧରାଧରି କରି କ୍ଲାସ ଭିତରକୁ ନେଇ ଗଲେ। ଦାନ୍ତ ପଡ଼ିଗଲାଣି। ଜଣେ ପିଲା ଚାମଚ ଆଣି ତା ପାଟିରେ ପୁରେଇଲା। ଖୁବ କଷ୍ଟ ହେଉଥାଏ। ସେ ଜଣେ ଶ୍ଵାସ ରୋଗୀ।

ମିସ:- ଦେଖିଲ ତା ବ୍ୟାଗରେ ଇନହେଲର ଅଛି କି?

ଜଣେ ପିଲାଯାଇ କହିଲା ନା ମିସ ନାହିଁ। ସେ ଆଉ ଅଧିକ ଜୋରରେ ନିଶ୍ୱାସ ନେଉ ନାହିଁ। କ୍ଷୀଣ ହୋଇ ଆସୁଥାଏ ନିଶ୍ୱାସ ପ୍ରଶ୍ୱାସ। ଖୁବ ଜୋରରେ ନିଶ୍ୱାସ ନେବାକୁ କହୁଛନ୍ତି। ଅନ୍ୟ ସାରମିସ ମାନେ ଆସି ରୁଣ୍ଡ ହେଇ ଗଲେଣି। ଜଣେ ମିସ ତା ଆଇକାର୍ଡରୁ ଘରକୁ ଫୋନ କରି କହିଲେ ଲକ୍ଷ୍ମୀପ୍ରିୟାର ଶ୍ଵାସ ବାହାରିଛି। ଯେତେ ଶୀଘ୍ର ସମ୍ଭବ ଉଭୟ ବାପାମା ଆସି ସ୍କୁଲରେ ପହଞ୍ଚନ୍ତୁ। ଏତକ କହିବା ସରିଛି କି ନାହିଁ ସେ ଏକ ଦୀର୍ଘ ନିଶ୍ଵାସ ନେଲା। କଣ ହେଲା କେହି କିଛି ଜାଣି ପାରିଲେ ନାହିଁ। 

  ଯଦି ସମସ୍ତେ ଜାଣିବେ ପିଲା ଏଇ ସ୍କୁଲରେ ମୃତ୍ୟୁବରଣ କରିଛି ସ୍କୁଲର ନାମ ଖରାପ ହେବ। ସେଥିପାଇଁ ତାକୁ ଗୋଟିଏ ଅଟୋ ଭଡା କରି ହସ୍ପିଟାଲ ନେଇଗଲେ। ଦି ଜଣ ମିସ ମଧ୍ୟ ଗଲେ ସେ ଝିଅ ସହ।

ଅଟୋଵାଲା:- କେଉଁ ହସ୍ପିଟାଲ ଯିବେ।

ମିସ:- ଆପଣ ବଡ଼ ମେଡ଼ିକାଲକୁ ନେଇ ଚାଲନ୍ତୁ। ଯେତେ ଶୀଘ୍ର ସମ୍ଭବ।

ଠିକ ସେହି ସମୟରେ ତା ମା ବାପାଆସି ପହଁଚିଲେ। 

ତା ମା ରାହା ଧରି କାନ୍ଦୁ ଥାନ୍ତି ମୋ ଝିଅ ... ମୋ ଝିଅ ... କୁଆଡେ ଗଲା। କୋଉଠି ଅଛି ମୋ ଝିଅ। ତାର କଣ ହେଲା ...

ଦୌଡ଼ି ଦୌଡ଼ି ଆସୁଥାନ୍ତି ତିନି ମହଲା ଉପରକୁ। ହଠାତ ଶାଢ଼ୀରେ ଗୋଡ଼ ଲାଗି ପାଞ୍ଚ ଛଟା ପାହାଚ ତଳକୁ ପଡି ଗଲେ। କିନ୍ତୁ ସେଥିପ୍ରତି ନିଘା ନ ଥାଏ। ଉପରେ ପହଞ୍ଚିବା ପରେ ଝିଅର ବୁଟ ସକ୍ସ ପଡିଥାଏ। କିଛିଦୂରରେ ତା ବ୍ୟାଗ... ପାଣି ବୋତଲ ଠିପି ଖୋଲା ଅବସ୍ଥାରେ ... ଶ୍ରେଣୀରେ ପିଲାମାନେ ନିଜ ନିଜ ମଧ୍ୟରେ କଥା ବାର୍ତାରେ ବ୍ୟସ୍ତ ଅଛନ୍ତି। କିଛି ସାର ମିସ ମଧ୍ୟ ସେ ସ୍ଥାନରେ ଉପସ୍ଥିତ ଅଛନ୍ତି।

ସାର:- ତା ଦେହ ଅତ୍ୟନ୍ତ ଖରାପ ହେବାରୁ ବଡ଼ ମେଡିକାଲ ନିଆ ଯାଇଛି। ତା ସହ ଦୁଇଜଣ ମିସ ମଧ୍ୟ ଯାଇଛନ୍ତି। କୌଣସି ଅସୁବିଧା ହେବ ନାହିଁ। ଆପଣ ଧର୍ଯ୍ୟ ଧରନ୍ତୁ। ଆପଣ ଯଦି ଚାଂହୁଛନ୍ତି ବଡ଼ ମେଡିକାଲର କାଜୁଆଲିଟିକୁ ଯାଇ ପାରିବେ। ତାକୁ ସେଇଠାକୁ ନିଆଯାଇଛି।

ତା ମା କାନ୍ଦି କାନ୍ଦି ତଳକୁ ପଲେଇ ଗଲେ।

ହେଡସାର ଓ ଜଣେମିସଙ୍କ ମଧ୍ୟରେ କଥାବାର୍ତା ...

ହେଡସାର:- ଏମିତି ହଠାତ ସବୁ କେମିତି ହୋଇ ଗଲା ....। ଆଖି ପିଛୁଳାକେ କେତେ କଣ ଘଟିଗଲା।

ମିସ:- ପୂର୍ବରୁ ଏମିତି ଥରେ ହେଇଥିଲା। ସବୁ ପିଲା ପ୍ରାର୍ଥନା ପାଇଁ ଆଖି ବନ୍ଦ କରି ଠିଆ ହୋଇଛନ୍ତି। ହଠାତ ଲକ୍ଷ୍ମୀପ୍ରିୟା ଗଳି ପଡିଲା। ଖୁବ ଜୋରରେ ନିଶ୍ୱାସ ନେଉଥାଏ। ସେ ଦିନ ସେ ଇନହେଲର ଆଣି ଥାଏ। ତାକୁ ଟାଣିଲା। ମୁଁ ତା ହାତ ଗୋଡ଼ ଆଉଁସି ଦେଇ ପାଣି ପିଏଇ ଦେଲି ତା ପରେ ସୁସ୍ଥ ଅନୁଭବ କଲା। ଅସୁସ୍ଥ ଥିଲା ଯେହେତୁ ତାକୁ ଘରକୁ ଯିବାର ବ୍ୟବସ୍ଥା ମଧ୍ୟ କରିଦେଲି। ତା ବାପା ଆସିଥିଲେ ନେବାକୁ। ତାଙ୍କୁ ମଧ୍ୟ କହିଥିଲି ଦେହ ଖରାପ ଥିବା ସମୟରେ ତାକୁ ସ୍କୁଲ ଛାଡିବେ ନାହିଁ।

ହେଡ ସାର:- ତେବେ ଆପଣ ପୂର୍ବରୁ ଜାଣିଥିଲେ ତାର ଶ୍ଵାସ ଅଛି ବୋଲି। ଆପଣ ଏହି ସବୁ କଥା ମୋତେ ଜଣାଇଲେ ନାହିଁ କଣ ପାଇଁ।

ମିସ:- ସାର ଏହା ସାଧାରଣ କଥା ... ମୁଁ ତାକୁ ଏତେ ସିରିଅସଲି ନେଇ ନ ଥିଲି। ଶ୍ଵାସ ରୋଗୀଙ୍କର ଏମିତି ହୁଏ।

ହେଡ ସାର:-ଆପଣ ଏହାକୁ ସାଧାରଣ କଥା ବୋଲି କହୁଛନ୍ତି। ଆପଣ ମୋତେ କହିଥିଲେ ତାଙ୍କ କ୍ଲାସ ତଳ ମହଲାକୁ ସ୍ଥାନାନ୍ତରଣ କରି ଦେଇଥାନ୍ତେ। ଏ କଥା ଗୋଟିଏ ପିଲାର ଜୀବନ ଉପରେ ନିର୍ଭର କରୁଛି।

ଠିକ ସେ ସମୟରେ ଗୋଟିଏ ପିଲା ଆସି କହିଲା ମିସ ଶୁଭଲକ୍ଷ୍ମୀ ଖୁବ କାନ୍ଦୁଛି। ସେ ଲକ୍ଷ୍ମୀପ୍ରିୟା ପାଖକୁ ଯିବ ବୋଲି କହୁଛି। ଯେତେ ବୁଝେଇଲେ ବୁଝୁ ନାହିଁ। କାନ୍ଦି କାନ୍ଦି ତା ତଣ୍ଟି ସୁଖୀ ଗଲାଣି। ପାଣି ପିଇବାକୁ ଦେଲେ ମଧ୍ୟ ପିଉ ନାହିଁ।

ମିସ:- ହଉ ତୁ ଚାଲ .... ମୁଁ ଯାଉଛି।

ହେଡ ସାର:- ଏ ଶୁଭଲକ୍ଷ୍ମୀ କିଏ ?

ମିସ:- ଲକ୍ଷ୍ମୀପ୍ରିୟାର ସବୁଠାରୁ ଭଲ ସାଙ୍ଗ। ଆପଣ ଯଦି ସେମାନଙ୍କୁ ଦେଖିବେ ଦୁଇ ଭଉଣୀ ଭଳି ଦେଖା ଯିବେ। ସାଙ୍ଗ ହୋଇ ବସନ୍ତି। ଯୁଆଡେ ଯିବେ ସାଙ୍ଗ ହୋଇ। ସେମାନେ ଏମିତି ସାଙ୍ଗ କେହି କାହା ବିନା ରହି ପାରିବେ ନାହିଁ। କେବେବି ଏମିତି ହେଇ ନାହିଁ ଯେଉଁଦିନ ଇଏ ଆସିଥିବ କିନ୍ତୁ ସେ ଆସି ନ ଥିବ। ଚାଲନ୍ତୁ ସାର ଯିବା ...।

ଠିକ ସେ ସମୟରେ ସାରଙ୍କ ମୋବାଇଲ ବାଜି ଉଠିଲା। ଆପଣ ଯାଆନ୍ତୁ ମୁଁ କଥା ହେଇ ଯାଉଛି। ପକେଟରୁ ଫୋନ କାଢ଼ିଲେ। ବଡ଼ ମେଡିକାଲ ଯେଉଁ ମିସ ନେଇ ଯାଇଥିଲେ ସେ ଫୋନ କରିଛନ୍ତି।

ସାର:- ଆଜ୍ଞା ମ୍ୟାଡାମ କୁହନ୍ତୁ।

ମିସ:- ସାର ଲକ୍ଷ୍ମୀପ୍ରିୟା ... । ଆପଣଙ୍କ ପାଖରେ କିଏ ଅଛନ୍ତି କି।

ସାର:- ନା ... କୁହନ୍ତୁ ... କଣ....

ମିସ:- ସାର ଡାକ୍ତର ଘୋଷଣା କଲେ ଲକ୍ଷ୍ମୀପ୍ରିୟାର ମୃତ୍ୟୁ ହୋଇ ସାରିଛି। ପ୍ରାୟ କୋଡିଏ ମିନିଟ ପୂର୍ବରୁ... । ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମରି ସାରିଛି। ତା ମାନେ କ୍ଲାସ ରୁମରେ ....। ଏ ଘଟଣା ଯଦି ସାମାଜିକ ଗଣମାଧ୍ୟମରେ ପ୍ରକାଶ ହେଲେ ଆମ ସ୍କୁଲ ନାଁ ବଦନାମ ହେବ।

ସାର:- ତା ବାପା ମା ପହଁଚିଯିବେ ଖୁବ କମ ସମୟରେ।

ମିସ:- ମୁଁ ଡାକ୍ତରଙ୍କୁ କହିଦେଉଛି କେବଳ କହିବେ ଡାକ୍ତରଖାନାରେ ପହଁଚିବା ପୂର୍ବରୁ ମୃତ୍ୟୁ ହେଇଛି କହିବା ପାଇଁ। କେତେ ସମୟ ପୂର୍ବରୁ କହିବେ ନାହିଁ।

ସାର:- ଆପଣ ଯାହା ଭାବୁଛନ୍ତି କରନ୍ତୁ।

   ଫୋନ କଟି ଯାଇଥିଲା। ହେଡ ସାର ଭାବନା ରାଇଜରେ ବୁଡି ଯାଇଥିବା ବେଳେ ପିଲାମାନଙ୍କର ଶବ୍ଦରେ ନିଜର ଉପସ୍ଥିତିକୁ ଜାଣି ପାରିଥିଲେ। ଛୋଟିଆ ଛୁଆ ଏତେ କମ ଦିନ ପାଇଁ ଦୁନିଆକୁ ଆସିଥିଲା। ବୋଧହୁଏ ଏହି ସ୍କୁଲର ଚଟାଣ ଥିଲା ତା ଜୀବନ ରାସ୍ତାର ଶେଷ ମୁଣ୍ଡ। କ୍ଲାସକୁ ଘୋଷଣା କରି ଦେଇଥିଲେ ଯେ ଲକ୍ଷ୍ମୀପ୍ରିୟା ଆଉ ଏ ଦୁନିଆରେ ନାହିଁ। ସେଥିପାଇଁ ଆଜି ସ୍କୁଲ ଛୁଟି କରି ଦିଆଗଲା। ଶୁଭଲକ୍ଷ୍ମୀ ଏ କଥା ଶୁଣିବା ମାତ୍ରେ ଅଚେତ ହୋଇ ଯାଇଥିଲା। ଚେତା ଫେରିବା ପରେ ମଧ୍ୟ ଚିତ୍କାର କରି କାନ୍ଦୁଥିଲା। ସବୁପିଲା କ୍ଲାସରୁ ପଲେଇ ଯାଇଥିଲେ। ଶୁଭଲକ୍ଷ୍ମୀର କାନ୍ଦ କମୁ ନ ଥାଏ। ସାର ମିସ ମାନେ ତାକୁ ବୁଝେଇବା ପାଇଁ ଚେଷ୍ଟା କରିଥିଲେ ଯେ ଲକ୍ଷ୍ମୀପ୍ରିୟା ଆଉ ଏ ଦୁନିଆରେ ନାହିଁ .... ସେ କେବେବି ଫେରିବ ନାହିଁ ...। ବହୁତ ସମୟ ପରେ ତାକୁ ନେଇ ଘରେ ଛାଡ଼ି ଦେଇ ଆସିଲେ।

   ଲକ୍ଷ୍ମୀପ୍ରିୟା ଏ ଦୁନିଆରେ ସିନା ନାହିଁ କିନ୍ତୁ ଶୁଭଲକ୍ଷ୍ମୀ ହୃଦୟରେ ରହିଛି। ସେ ପ୍ରାୟ ପନ୍ଦର ଦିନ ପରେ ଯେବେ ସ୍କୁଲକୁ ଆସିଲା ପୁଣି କାନ୍ଦିବାକୁ ଲାଗିଲା। କୋଉ ପିଲାଙ୍କ ସହ କଥାବାର୍ତା କରୁ ନ ଥିଲା। ଲକ୍ଷ୍ମୀପ୍ରିୟାର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନ ଥିଲା। ଲକ୍ଷ୍ମୀପ୍ରିୟାର ଉପସ୍ଥିତିକୁ ଅନୁଭବ କରୁଥିଲା। ତାକୁ ଲାଗୁଥିଲା ତା ପାଖରେ ବସିଛି ଲକ୍ଷ୍ମୀପ୍ରିୟା ତା ସହ କଥା ହେଉଛି। ତାର ମାନସିକ ଅବସ୍ଥାକୁ ସୁଧାରିବା ପାଇଁ ତା ବାପା ଅନ୍ୟ ସ୍କୁଲରେ ଆଡ଼ମିଶନ କରିଦେଲେ। ସ୍ଥାନ ପରିବର୍ତ୍ତନ ହେଇଗଲେ ମଧ୍ୟ ମନ ହୃଦୟ ତ ରହି ଯାଇଥିଲା ଲକ୍ଷ୍ମୀପ୍ରିୟା ପାଖରେ।

   ବାପା ମା ମାନେ ଯେବେବି ସ୍କୁଲ ପଠାଉଛନ୍ତି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ ପିଲାର ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ। କୌଣସି କଥାକୁ ଖାମଖିଆଲି ନିଅନ୍ତୁ ନାହିଁ। ଛୋଟ ଛୋଟ କଥା ଉପରେ ଗୁରୁତ୍ୱ ଦିଅନ୍ତୁ।


(ବି.ଦ୍ର.-ଏହା କୌଣସି ମନଗଢା କାହାଣୀ ନୁହେଁ। ଏହା ଏକ ସତ୍ୟ ଘଟଣା। ମୋ ଭାଇର ଶ୍ରେଣୀକକ୍ଷରେ ଘଟିଥିଲା ଏପରି ଏକ ଘଟଣା। ଯାହାକୁ କାହାଣୀ ରୂପ ଦେବାକୁ ଚେଷ୍ଟା କରିଛି। ଏହି ଗଳ୍ପଟି ପଢି ସାରିବା ପରେ ନିଜର ମତାମତ ଦେବାକୁ ଭୁଲିବେ ନାହିଁ।)


Rate this content
Log in