End of Summer Sale for children. Apply code SUMM100 at checkout!
End of Summer Sale for children. Apply code SUMM100 at checkout!

Jyotiranjan Sahu

Abstract Others


4.8  

Jyotiranjan Sahu

Abstract Others


ମାଲପୁଆ

ମାଲପୁଆ

4 mins 577 4 mins 577


ସମୟ ରାତି ଏଗାରଟା ବାଜି ଦଶ ମିନିଟ୍ । ହଠାତ୍ ଲାଲିର ମୋବାଇଲ୍ ଫୋନ୍ ଟା ନିଶବ୍ଦ ରାତିର ଘନ ଅନ୍ଧାର ଭରା ବେଡ୍ ରୁମ୍ ଭିତରେ ଖୁବ୍ ଜୋର୍ ରେ ବାଜିଉଠିଲା । ଚମକିପଡି ଉଠିଗଲା ଲାଲି । ବଢି ଚାଲିଥିବା ଦୃତ ହୃତ୍ ସ୍ପନ୍ଦନର ତାଳେ ତାଳେ ମନକୁ ତାର ଛୁଇଁ ଯାଉଥାଏ ପାପ କିଛି ଅଘଟଣ ଘଟିଥିବାର । ଭଗବାନଙ୍କୁ ଡାକିଡାକି ଫୋନ୍ ରିସିଭ୍ କଲା ଲାଲି । ତାର ଅନୁମାନଟା ପୁରାପୁରି ଠିକ୍ ଥିଲା । ଫୋନ୍ ସେପାଖରୁ ଭାସିଆସୁଥିଲା କ୍ରନ୍ଦନର ସ୍ବର "ଲାଲି ! ବାପା ଆଉ ନାହାନ୍ତିରେ..." ! ଏ ଖବରଟା ଶୁଣିଦେଇ ଲାଲିର ପାଦତଳେ ଭରିଗଲା ଶୀତଳତା । ବାକ୍ ଶୂନ୍ୟ ମୁହଁଟାକୁ ଦେଖି ଲାଲିର ସ୍ବାମୀ ଅଭି ପଚାରିଲେ " ଆରେ ! କଣ ହେଲା ? ଏମିତି ଚୁପଚାପ୍ ଆଉ ଗମ୍ଭୀର ହୋଇପଡିଲ ଯେ " ? ପ୍ରତିକ୍ରିୟା ଶୂନ୍ୟ ମୁହଁରେ ଲାଲି କହିଲା " ମୋ ବାପା ଆଉ ନାହାନ୍ତି " । ସାଙ୍ଗେସାଙ୍ଗେ ବାହାରିପଡିଲା ପୁରା ପରିବାର ରାଜଧାନୀରୁ ଲାଲିର ବାପାଘର ଅଭିମୁଖେ ।


ରାଜରାସ୍ତା ଉପରେ ଦ୍ରୁତ ଗତିରେ ମାଡିଯାଉଥାଏ ତାଙ୍କର କାର୍ । ରାସ୍ତାଟା ସାରା ଲାଲି ଚୁପଚାପ ହୋଇବସିଥାଏ । ହେଲେ ରାଜ୍ ! ସେତ ଛଅ ବର୍ଷର ବାଳୁତ ପିଲାଟା । ସେ ଏତେକଥା କଣ ବୁଝିପାରୁଛି ! ବାଳୁତ ସୁଲଭ ଗୁଣରେ ସେ ଲାଲିକୁ ପଚାରି ଚାଲିଥାଏ ପ୍ରଶ୍ନ ପରେ ପ୍ରଶ୍ନ " ମମ୍ମି ! ଆମେ କୁଆଡେ ଯାଉଛୁ " ? " ମମ୍ମି ! ଆମେ କାହା ଘରକୁ ଯାଉଛୁ " ? ଏହିପରି ଅନେକ ପ୍ରଶ୍ନ ସେ ପଚାରିଥାଏ ଆଉ ଉତ୍ତର ! ଆଉ ଉତ୍ତର ରେ ସେହି ନିରବତା । ଚାରି ଘଣ୍ଟାର ଲଂଗ ଡ୍ରାଇଭ୍ ପରେ ଗାଡି ଯାଇ ପହଞ୍ଚିଲା ଲାଲି ବାପଘରେ । କିଛି ବୁଝିବା ଆଗରୁ ଲାଲି ଦୌଡିଗଲା ବାପାଙ୍କ ପାଖକୁ । ତା ଆଗରେ ମୌନ ହୋଇ ଶୋଇଥିଲେ ତା ଜୀବନର ସବୁଠାରୁ ବିଶ୍ବସ୍ତ ପୁରୁଷ ଯାହା ପାଖରେ ନିଜକୁ ଖୁବ୍ ସୁରକ୍ଷିତ ମନେକରେ ଲାଲି । ଇଚ୍ଛା ହେଉଥିଲା ସେହି ମୁହୂର୍ତ୍ତରେ ଚିତ୍କର କରି କହିବ ସେ " ବାପା ! ମୁଁ ଆଉ କାହା ହାତ ଧରିଦେଲି ବୋଲି କଣ ତୁମର ଏ ଅବୁଝା ଝିଅଟାର ହାତ ଛାଡିଦେଇ ତୁମେ ତାକୁ ପର କରିଦେଲ ! କାହିଁକି ବାପା କାହିଁକି ? ମୁଁ କଣ କେବେବି ତୁମ ପୁଅ ହୋଇପାରିଲିନି " ! ହେଲେ ସମ୍ଭାଳି ନେଲା ଲାଲି ନିଜକୁ ନିଜେ ଆଉ ଅଭିମାନ ଭରା ନଜର ରେ ଚାହିଁରହିଲା ନିଜର ଦୁଇ ଭାଇଙ୍କୁ ।


ଲାଲିର ଆଖିରେ ଆଖି ମିଶାଇବାକୁ ଆଉ ଦୁଇ ଭାଇଙ୍କର ସାହସ ନଥିଲା । କେମିତି ନଜର ମିଶାନ୍ତେ ! ତାଙ୍କ ପାଇଁତ ବାପାଙ୍କ ଜୀବନରୁ ବଳି ଥିଲା ବାପାଙ୍କର ଧନ ସମ୍ପତ୍ତି । ସେହି ଧନ ସମ୍ପତ୍ତିପାଇଁ ଦୁଇ ଭାଇଙ୍କ ମଧ୍ୟରେ ମନାନ୍ତର ମତାନ୍ତର ସବୁକିଛି । କେଜାଣି କେତେ ବର୍ଷ ବିତିଯାଇଥିବ ଦୁଇ ଭାଇ ସ୍ନେହରେ ବାପାଙ୍କୁ ବାପା ବୋଲି ଥରଟିଏ ସମ୍ବୋଧନ କରିଥିବାର । ନା ଲାଲି ଜାଣିଥିଲା ନା ତା ବାପା ଭାବିଥିଲେ ଯେ ତାଙ୍କ ବାର୍ଦ୍ଧକ୍ୟର ଆଶାବାଡିକୁ ଲାଳସାର ଘୁଣ ଭିତରୁ ଭିତରୁ ପୋଲାକରିସାରିଲାଣି ବୋଲି ! ବେଳେବେଳେ ମାନସିକ ପୀଡାଟା ଶାରୀରିକ ପୀଡାର ଜନ୍ମଦାତ୍ରୀ ହୋଇଥାଏ । ଠିକ୍ ସେହିଭଳି କିଛି ଶାରୀରିକ ପୀଡା ଅସହ୍ୟ ହେବାରୁ ଆଉ ସ୍ବାର୍ଥୀ ପୁଅ ମାନେ ଯତ୍ନ ନନେବାରୁ ଏହି କିଛି ମାସ ଆଗରୁ ଲାଲି ତା ବାପାଙ୍କୁ ନିଜ ପାଖକୁ ରାଜଧାନୀ ନେଇଆସିଥିଲା । ଏଇଠି ଡାକ୍ତରଙ୍କୁ ବି ଦେଖାଇଲା । ହେଲେ ସେଦିନ ଯେତେବେଳେ ଅଭି ଲାଲିକୁ ପଚାରିଲେ " ତିନି ମାସ ହୋଇଗଲାଣି ଏହାଭିତରେ । ତୁମ ବାପା ଆଉ କେତେଦିନ ରହିବେ " ? ସେହିଦିନ ଲାଲି ପ୍ରଥମ କରି ଅନୁଭବ କଲା ସେ ପରା ଝିଅଟିଏ ! ତାର ନିର୍ଣ୍ଣୟ ନେବାର ଅଧିକାର କେବେଠାରୁ ହେଲା ! କିନ୍ତୁ ମନଟା ତାର ବିଦ୍ରୋହ କରିଉଠିଲା । ରୁଦ୍ଧ କଣ୍ଠରେ କହିଲା " ଜାଣିଛ ! ବାପାଙ୍କ ସୁଗାର ବହୁତ ବଢିଯାଇଛି । ପେଟରେ ଅଲସର୍ ହୋଇ କ୍ୟାନସର୍ ହୋଇଯାଇଛି । ଆଉ ବେଶି ଦିନ ସେ ଆମକୁ କଷ୍ଟ ଦେବେନି । ମୋ କଥା ଶୁଣ ! ମା' ପାଇଁ ତ କିଛି କରିପାରିଲିନି । ବାପାଙ୍କର ଟିକିଏ ସେବା କରେ ! ସେଇଥିପାଇଁ କହୁଥିଲି କି ବାପା ଆଉ କିଛିଦିନ ଏଇଠି ମୋ ପାଖରେ ରୁହନ୍ତୁ " । ନିରବ ରହିଲେ ଅଭି ।


ତାପରଦିନ କିନ୍ତୁ ଲାଲିର ବାପା ହଠାତ୍ କାହିଁକି କେଜାଣି ଜିଦ୍ ଧରିଲେ ସେ ଗାଁ କୁ ପୁଅ ମାନଙ୍କ ପାଖକୁ ଯିବେ । ଲାଲିର ବାରଣ ସତ୍ତ୍ବେ ତା ମୁଣ୍ତକୁ ହାତରେ ଆଉଁଷିଦେଇ ହସିହସି କହିଲେ " ଆଲୋ ! ଝିଅ ପର‍ା ପରଧନ । ତୋ ଘରେ କେତେଦିନ ରହିବି ? ଲୋକେ କଣ କହିବେ ? ପୁଅ ବୋହୂ ସମସ୍ତେ ଥାଉ ଥାଉ ବୁଢାଟା ଝିଅ ଘରେ ରହିଛି " । ସେହି ପୁଅ ! ଯେଉଁ ପୁଅ ପାଇଁ ବାପା ତାର ଝିଅକୁ ପରଧନ ବୋଲି କହିଦେଲା ସେହି ପୁଅମାନେ ଆଜି ଜଣେଜଣେ ପରୋକ୍ଷ ହତ୍ୟାକାରୀ । ହେଲେ କେମିତି କହିବ ଲାଲି ନିଜ ଭାଇମାନଙ୍କୁ ହତ୍ୟାକାରୀ ବୋଲି । ଏହାଭିତରେ ନଅ ଦିନ ବିତିଗଲା ।

   

          ଦଶମ ଦିନର ସକାଳୁ ସକାଳୁ ମୁଖାଗ୍ନି ଦେଇଥିବା ଲାଲିର ବଡ ଭାଇ ସମସ୍ତଙ୍କୁ ଡାକି କହିଲେ " ବୁଝିଲ ! କାଲି ରାତିରେ ବାପା ଆସିଥିଲେ । କହୁଥିଲେ ' ଆରେ ବୁଲୁ ! ଘର ତୋତେ ଲାଗିଲା ' । ଆହୁରି ବି କହୁଥିଲେ ' ବହୁତ ଦିନ ହେଲା ମାଲପୁଆ ଖାଇନାହିଁ ରେ ! ମୋତେ ମାଲପୁଆ ନିହାତି ଖାଇବାକୁ ଦେବୁ ' । ଏତିକିବେଳେ ହଠାତ୍ ମୋ ନିଦଟା ଭାଙ୍ଗିଗଲା । ବାହାରେ କୁକୁର ଗୁଡା କାନ୍ଦୁଥିଲେ । ମୋ ଦେହ ଭିତରଟା ଭୟରେ ହାଲୁକା ହୋଇଗଲା । ତାପରେ ଆଉ ସାରା ରାତି ଆଖିକୁ ନିଦ ନାହିଁ " । ବଡ ଭାଇ କଥା ଶୁଣି ସମ୍ପର୍କୀୟମାନେ ସାଂଗେସାଂଗେ କହିଲେ " ହଁ' ହଁ' ! ବୁଢାର ମାଲପୁଆ କୁ ବହୁତ ସରାଗ ଥିଲା । ମାଲ ହାଣ୍ଡି ଭିତରେ ମାଲପୁଆ ନିହାତି ଦେବରେ ! ନହେଲେ ବୁଢା ସମସ୍ତଙ୍କୁ ଡରେଇବ " ! ଏତିକି ଶୁଣୁଶୁଣୁ ହାସ୍ୟରୋଳ ଖେଳିଗଲା ସଂମ୍ପୂର୍ଣ୍ଣ ପରିବେଶରେ । ଏସବୁ କିନ୍ତୁ ଖୁବ୍ ବିରକ୍ତି କର ଲାଗୁଥିଲା ଲାଲିକୁ । ମନେମନେ ଭାବୁଥିଲା " ବନ୍ଚି ଥିଲାବେଳେ ନା ଏମାନେ କେବେ ଆଦରରେ ଖାଇବା ଗଣ୍ଡିଏ ଦେଇଛନ୍ତି ନା ବାପାଙ୍କ ମନ କଥା କେବେ ବୁଝିଛନ୍ତି ? ଆଉ ଆଜି ଆରପାରିରୁ ଏମାନଙ୍କ ମାଲପୁଆକୁ ବାପା କଣ ଜଗିଥିବେ ! ଜମାରୁ ନୁହେଁ " ! ତାର ଇଚ୍ଛା ହେଉଥିଲା ସେହି ହାସ୍ୟରୋଳ ଭିତରେ ସେ ବର୍ଷା କରିଦେବ ଅନ୍ତରର କ୍ରୋଧାଗ୍ନିକୁ । ହେଲେ କାହିଁକି କେଜାଣି ଅଭି କଥା ଭାବି ନିରବ ରହିଗଲା ଲାଲି । ଏତିକିବେଳେ କିନ୍ତୁ ଲାଲିର ଛଅ ବର୍ଷର ପୁଅଟା ତା ମା କୋଳରୁ ଥାଇ କହିଲା " ବୁଲୁ ମାମୁଁ ! ତୁମେ କଣ ଅଜାଙ୍କ କେୟାର କରନି କି ? ମମ୍ମି ! ତୁମେ ପରା କହୁଥିଲ ଅଜାଙ୍କର ଡାଇବେଟିସ୍ ଅଛି ବୋଲି ! ତାଙ୍କୁ ମିଠା ଦେଇହେବନି । ମାମୁଁ ! ତୁମେ ମାଲପୁଆ ଦେଲେ ଅଜାଙ୍କ ଦେହଟା ଖରାପ ହୋଇଯିବନି " ! ରାଜ୍ ର କଥା ଶୁଣି ସେଠାକାର ପରିବେଶରେ ହାସ୍ୟରୋଳଟା ଦି'ଗୁଣ ହୋଇଯାଇଥିଲା । ସେ ହସ ଭିତରେ ଲାଲି କିନ୍ତୁ ଠିକ୍ ବାରି ପାରୁଥିଲା ତାର ଦୁଇ ଭାଇ ଆଉ ସ୍ବାମୀ ଅଭିଙ୍କର ଲଜ୍ଜିତ ମୁଖମଣ୍ଡଳ ଗୁଡିକୁ । ଲାଗୁଥିଲା ସତେଯେପରି ସେମାନଙ୍କର ଗାଲସବୁ ବିନା ମାଡରେ ମାଲପୁଆ ଭଳି ହୋଇଯାଇଛି । ତେବେ ଏସବୁ ଭିତରେ ଲାଲି ମନେମନେ ଭାବୁଥିଲା ' ବାପା ଭାଇକୁ ଆଉ ଏଇ ମାଲପୁଆ କଥା କହୁନଥିଲେ ତ ' ?



Rate this content
Log in

More oriya story from Jyotiranjan Sahu

Similar oriya story from Abstract