ମା' ତାରିଣୀ
ମା' ତାରିଣୀ


ମୁଁ ବାର ତେର ବର୍ଷର ହୋଇଥାଏ। ବୈଶାଖ ମାସର ନିରାଟ ଖରାବେଳ। ଆମ ଗାଁର ଦିଲୁ ଭାଇ ହଟାତ୍ ଦୌଡ଼ିବାକୁ ଲାଗିଲେ ଗାଁର ଶେଷ ମୁଣ୍ଡରେ ଥିବା ଗ୍ରାମ ଦେବତୀଙ୍କ ପୀଠକୁ। ତାଙ୍କୁ ଦେଖି ଲୋକ ମାନେ ଜାଣିଗଲେ ଦିଲୁ ଭାଇଙ୍କୁ ଗ୍ରାମ ଦେବତୀ ଲାଗିଛନ୍ତି। କାରଣ ଆଗରୁ ଅନେକ ଥର ଏପରି ହୋଇଛି। ଦିଲୁ ଭାଇ ସିଧା ଯାଇ ନିଜ ହାତରେ ଠାକୁରାଣୀଙ୍କ କୂଅରୁ ପାଣି କାଢି ଗାଧୋଇଲେ। ତାପରେ ଗ୍ରାମ ଦେବତୀଙ୍କ ମନ୍ଦିର ଭିତରେ ପ୍ରବେଶ କରି ଠାକୁରାଣୀଙ୍କ ଲମ୍ବା ଜାଉଁଳି ବେତ ଆଣି ବାହାରିଲେ ଗ୍ରାମ ଅଭିମୁଖେ। ସେ ସମୟରେ ଦିଲୁ ଭାଇଙ୍କର ଅଷ୍ଟାଙ୍ଗ ଶରୀର ଦୋହଲୁ ଥାଏ। ଗାଁ ଲୋକେ ମୃଦଙ୍ଗ, ଝାଞ୍ଜ, ଘଣ୍ଟ, ବଜାଇ ଏବଂ ଶଙ୍ଖ ଫୁଙ୍କି ଚଉଦିଗ କମ୍ପାଉ ଥାଆନ୍ତି। ଏବେ ଲୋକମାନେ ଦିଲୁ ଭାଇକୁ ଦିଲୁ ନୁହେଁ, ଠାକୁରାଣୀ ବୋଲି କହୁଥାନ୍ତି।
ଠାକୁରାଣୀ ଗାଁ ମଝିରେ ଥିବା ବାବୁ ଜେନା (ଏବେ ସେ ଚାଲିଗଲେଣି ଆର ପାରିକୁ)ଙ୍କ ଘରକୁ ଯାଇ କହିଲେ, ବାବୁକୁ ଡାକ। ଗାଁର ସ୍ତ୍ରୀ ଲୋକମାନେ ଲିପାପୋଛା କରି ଅଗଣାରେ ଠାକୁରାଣୀଙ୍କୁ ବସାଇଲେ। ପଣା ପାଣି ଧୂପ ଦୀପ ଦିଆ ହେଲା। ମୋ ସହିତ ପୁରା ଗାଁର ଲୋକ ମାନେ ରୁଣ୍ଡ ହୋଇଥାନ୍ତି। ବାବୁ ଜେନାକୁ ଲୋକମାନେ ଘରେ ଥିବା ପାଣିରେ( ସେ ସମୟରେ ପାଣିର ସୁଵିଧା ନ ଥାଏ, ଗାଁର ନଳକୂପରୁ ପାଣି ବୋହି ଦିନକ ପାଇଁ ରଖାଯାଏ) ଗାଧୋଇ ଠାକୁରାଣୀଙ୍କ ଆଗରେ ବସାଇଲେ। ଠାକୁରାଣୀ କହିଲେ ତମର ଏତେ ସାହସ, ତାରିଣୀଙ୍କ ନଡ଼ିଆ ଖାଇବ! ମତେ ଆଜି ତାରିଣୀ ସ୍ୱପ୍ନରେ କହିଲେ ମୋ ନଡ଼ିଆ ଖାଇ ନାଳରକ୍ତ ଝାଡା ହେଉଛନ୍ତି ତମ ଗାଁର ଗୋଟେ ପରିବାର, ଯାଅ ଭଲ କରି ଦେଇ ଆସ। ଏହା କହି ଧରିଥିବା ବେତରେ ଦୁଇ ପାହାର ଦେଲେ। ପାଖରେ ଥିବା ପଣା ବି ଦେଲେ ପିଇବାକୁ। ତାପରେ ପୀଠକୁ ଯାଇ ମୂର୍ଚ୍ଛା ଗଲେ।
ଘଟଣାଟି ବୁଝୁ ବୁଝୁ ବାବୁ ଜେନାଙ୍କ ଝିଅ ନଡ଼ିଆଟିଏ ରଖିଥିଲେ ତାରଣୀଙ୍କୁ ଦେବାପାଇଁ। କିନ୍ତୁ କିଛି ଦିନ ପରେ ଦେଖିଲେ ନଡ଼ିଆର ସଢେଇ ଉପରୁ ଫାଟି ଯାଇଛି। ତେଣୁ ଫଟା ନଡ଼ିଆ ନ ଦେଇ ତାରିଣୀଙ୍କ ନାଁରେ ଦୁଆରେ ପୂଜା କରି ସମସ୍ତେ ଖାଇ ଦେଇଥିଲେ ପୂର୍ବ ଦିନ। ନଡ଼ିଆ ଖାଇବା ପରେ ରାତିରେ ବାବୁ ଜେନାଙ୍କର ଦୁଇ ତିନିଥର ଝାଡା ହେଲା, ସେ ଭାବିଲେ ଖରା ଦିନ ପେଟ ଗରମରୁ ଝାଡା ହେଉଛି। ପର ଦିନ ଦିନ ଦଶଟା ବେଳେ ଦୁଇ ଝିଅଙ୍କର ବି ଝାଡା ହେଲା। କିନ୍ତୁ ଏ କଥାକୁ କେହି ଗୁରୁତ୍ୱ ଦେଇ ନ ଥିଲେ। କାରଣ ସେ ସମୟରେ ଛୋଟ ମୋଟ କଥାରେ କେହି ମେଡ଼ିକାଲ ଯାଉ ନ ଥିଲେ। ଆଉ ବାରଟା ବେଳକୁ ଏ କାଣ୍ଡ ଘଟିଲା। ସେଇ ଦିନୁ ଆମ ଗାଁ ଲୋକେ ତାରଣୀଙ୍କୁ ବହୁତ ମାନନ୍ତି। (ସତ୍ୟ ଘଟଣା)