Seetaram Dash

Abstract

2  

Seetaram Dash

Abstract

ମା' କ୍ଷୀର

ମା' କ୍ଷୀର

2 mins
599



     ତିନି ବର୍ଷ ତଳର କଥା। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଯାଇଥାଏ ତାପସ ସାରଙ୍କ ପାଖକୁ ପୁଅର ଆଖି ପରୀକ୍ଷା ପାଇଁ। ଜନ୍ମ ପରେ ଦୁଇ ପୁଅଙ୍କ ସାମାନ୍ୟ ଆଖି ସମସ୍ୟା ଥିଲା। ଆଖିରେ ଡ୍ରପ ପକାଇ ୩୦ ମିନିଟ ଅପେକ୍ଷା କରିବାକୁ ପଡେ। ତେଣୁ ବାହାର ବାଲୋକୋନିରେ ମୁଁ ଅପେକ୍ଷା କରିଥାଏ। ଭିତରେ ନବ ଜନ୍ମିତ ଶିଶୁଙ୍କ ପାଇଁ icu ଏବଂ ପ୍ରସୂତୀ ମାନଙ୍କ ପାଇଁ ଶଯ୍ୟା ଏବଂ ଡାକ୍ତର ମାନଙ୍କର ଅନେକ କୋଠରୀ। ବାହାର ବାଲୋକୋନିରେ ରୋଗୀ ମାନଙ୍କର ଆତ୍ମୀୟ ମାନେ ସପ ଖଣ୍ଡେ ଆଉ ଖଣ୍ଡେ ଦୁଇ ଖଣ୍ଡ ବ୍ୟାଗ ସହ ଉଦାସ ମନରେ ବସିଥାନ୍ତି। ଭିତରେ ଖାଇବା ମନା, ତେଣୁ ପ୍ରସୂତି ମା' ମାନେ ସେହି ବାଲକୋନିରେ ଖାଇବା ପିଇବା କାମ ସାରିଦେଇ ଭିତରକୁ ଯାଆନ୍ତି।


     ମୋ ପାଖରେ ଜଣେ ୫୫ କି ୫୬ ବର୍ଷର ସ୍ତ୍ରୀ ଲୋକ ଏବଂ ତାଙ୍କର ବୋହୂ ବସିଥାନ୍ତି। ବୋହୂଟିର ଶରୀର ଦୁର୍ବଳ ଏବଂ ଉଦାଶ। ବୋଧେ ପିଲାଟି icu ରେ ଜୀବନ ମରଣ ସହିତ ସଂଗ୍ରାମ କରୁଛି। ବୋହୂଟିର ମୁଣ୍ଡରେ ଅନେକ ଦିନ ହେବ ତେଲ ଟିକେ ବାଜିଅନି। ମୁଣ୍ଡ କୁଣ୍ଡିଆ ନ ହୋଇ ଅଲରା ଅସରା ବାଳ ଗୁଡିକ ପଙ୍ଖା ପବନରେ ଇତସ୍ତତଃ ଉଡୁଥାଏ। ଶାଶୁଜଣଙ୍କ ସେଓଟିଏ ଦେଲେ ଖାଇବାକୁ ବୋହୂକୁ। ବୋହୁଟି ସେଥିରୁ ଅଧେ ଖାଇ ରଖିଦେଲା, ଆଉ ଖାଇବି ନାହିଁ କହି।


   ଶାଶୁ ଟିକେ ଚଢା ଗଳାରେ କହିଲେ, ଭଲରେ ଭଲରେ ସବୁ ଖା, ନ ହେଲେ ଶାବଳ ମାରି ଭର୍ତ୍ତି କରିବି ତୋ ପେଟରେ। ପେଟରେ ପଶିଲେ ସିନା କ୍ଷୀର ହେବ (ବୋଧେ ମା'ଟିର କ୍ଷୀର ହେଉ ନ ଥାଏ ପିଲାଟିକୁ ଖୁଏଇବା ପାଇଁ)। ଖାଲି ଔଷଧ ମୋଶଦ ଖାଇଲେ କଣ ହେବ। ତାପରେ ପାଖରେ ବସିଥିବା ଜଣେ ମହିଳାଙ୍କୁ ଉଦ୍ୟଶ କରି କହିଲେ, ପିଲାଦିନରୁ ଜଣେ ଜଣେ ଏମିତି ଜୁ'ମରା ଥାଆନ୍ତି। ଖାଇଲେ ଯାହା ନ ଖାଇଲେ ବି ତାହା। ମୁଁ କଣ ଖାଲି ଘିଅ ଦୁଧ ଖାଉଛି, ଦେଖୁନ ମୋ ଦେହ। ମୁଁ ତ ପୁଣି ହୃଷ୍ଟ ପୃଷ୍ଟ ଅଛି। ଏତିକିରେ ବନ୍ଧ ହେଲାନି ତାଙ୍କ ମୁହଁ। ବୋହୂ ବିରୁଦ୍ଧରେ ଅନେକ ଅଭିଯୋଗ କରି ଚାଲିଲେ। ସବୁ ଶୁଣି ବୋହୂଟି ଦୁଃଖରେ ମୁହଁ ଫେରେଇ ଆଣିଲା। ଆଖିର ଲୁହକୁ ଲୁଚାଇବା ପାଇଁ ବୋଧେ ପଣତକୁ ମୁହଁରେ ଢାଙ୍କିଦେଲା ଏବଂ ସମସ୍ତଙ୍କ ଅଲକ୍ଷ୍ୟରେ ଆଖିର ଲୁହକୁ ପୋଛୁ ଥିଲା ପଣତକାନିରେ। ମୁଁ ସେ ନାରୀଟି ବିଷୟରେ କେତେ କଣ ଭାବି ଚାଲିଲି। ବେଳେବେଳେ ମଣିଷ କେତେ ଅସହାୟ ! ତାର ଆଖି ଲୁହରେ ସେ ଛୋଟ ପଣତ ଟି କେତେଥର ଭିଜି ନ ଥିବ? କେତେ ଆଶା କେତେ ଆକାଂକ୍ଷା ନେଇ ସେ ଶାଶୁ ଘରକୁ ଆସି ନ ଥିବ? ଗୋଟେ ବାପର କେତେ ଅଲିଅଳି ଝିଅ ହୋଇ ନ ଥିବ? ସେ କଣ ଗୋଟେ ଭାଇର ସ୍ନେହମୟୀ ଭଉଣୀ ହୋଇ ନ ଥିବ? ଏକ ଅବ୍ୟକ୍ତ ଯନ୍ତ୍ରଣାରେ ମୋ ଛାତି ଭିତରଟା ରୁନ୍ଧି ହୋଇଗଲା। ମୁଁ ଭାବିଲି...


     ଯାହାର ପୁଅ ଜୀବନ ମରଣ ସହ ସଙ୍ଘର୍ଷ କରୁଛି ତା ମା'ର ମନ ଦଶା କଣ ଥିବ? ଏ ସମୟରେ ଯେଉଁ ଶାଶୁ ଏପରି ବ୍ୟବହାର କରୁଛି ପୁଣି ବାହାର ଜାଗାରେ ଅନେକ ଲୋକଙ୍କ ଆଗରେ, ସେ ଘରେ କିପରି ବ୍ୟବହାର ନ କରୁଥିବ। ନିଜ ଝିଅ ହୋଇଥିଲେ ସେ କଣ ଏପରି କହି ପାରିଥାନ୍ତା?


       ଯେଉଁ ବୋହୂକୁ ତୁମେ ଘରେ ବାହାରେ ସାହି ଭାଇରେ ଏବଂ ବନ୍ଧୁ ବାନ୍ଧବଙ୍କ ଆଗରେ ପର ଝିଅ ଭାବି କଥା କଥାରେ ଭୁଲ ଥାଉ କି ନ ଥାଉ ଅପମାନିତ କରି ଚାଲିବ ବର୍ଷ ବର୍ଷ, ସେଇ ବୋହୂ ତୁମକୁ ନିଜର କରିବ ବା କାହିଁକି? ଡରରେ ହୁଏତ ଚୁପ ରହିପାରେ ହେଲେ ସ୍ନେହ ମମତା ଏବଂ ଭଲ ପାଇବା ଆସିବ କେଉଁଠୁ? ଆପଣାପଣ ଆସିବ କେଉଁଠୁ? ଜଣେ ନିଜର ସହିଷ୍ଣୁତାକୁ ନେଇ ବର୍ଷେ, ଦୁଇ ବର୍ଷ ବା ପାଞ୍ଚ ବର୍ଷ ଚୁପ ରହିପାରେ। ତାପରେ ଅସହ୍ୟ ହେଲେ ମୁହଁ ଖୋଲିବ ହିଁ ଖୋଲିବ। ନିଜ ଝିଅ ହୋଇଥିଲେ କଣ ସେ ଏସବୁ ସହିଥାନ୍ତା। ତେଣୁ ସେଇ ଘରେ ସମୟକ୍ରମେ କଳହ ସୃଷ୍ଟି ହୁଏ, ଏବଂ କଳହ ସୃଷ୍ଟି ହେବା ସ୍ୱାଭାବିକ ମଧ୍ୟ। 


Rate this content
Log in

Similar oriya story from Abstract