puspanjali das

Abstract

2  

puspanjali das

Abstract

ଲକ୍ ଡାଉନ୍–୧

ଲକ୍ ଡାଉନ୍–୧

6 mins
194


     ସଞ୍ଜ ନଇଁ ଆସୁଥିଲା, ଝରକା ବାଟେ ତୁଳୀକା ନୀଳ ଆକାଶ ଟି କୁ ଅନାଇ କେତେ କ'ଣ ଭାବି ଚାଲିଥିଲା। ବହୁଦିନ ପରେ ଆକାଶ ଟି ର ରଙ୍ଗ ଏତେ ନୀଳ ଦିଶିବା ଟା ଆଉ ଚାରିପଟ ର ନିସ୍ତବ୍ଦତା ତାକୁ କେମିତି କେଜାଣି ଭାରି ଭଲ ଲାଗୁଥିଲା! ଗାଡି ମଟର ର ଶବ୍ଦ ନ ଥିବା ପରିବେଶ ଟା ଛୋଟ ଛୋଟ ଚଢେଇ ମା ନଙ୍କ ର କିଚିରି ମିଚିରି ଶବ୍ଦ ରେ ଯେମିତି ସତରେ ମନ ଭିତରଟାକୁ ଶାନ୍ତ କରିଦେଉଥିଲା। ମଲ୍ଲୀ ଫୁଲ ର ବାସ୍ନା ଟା ଝରକା ବାଟେ ତା' ମନକୁ ଛୁଇଁ ଯାଉଥିଲା। ପ୍ରକୃତି ର କୋଳ ରେ 'ଲକ୍ ଡ଼ାଉନ୍' ଶବ୍ଦ ର କଷ୍ଟ ଟା ସତେ ଯେମିତି ଫିକା ପଡି ଯାଉଥିଲା!

     ହଠାତ୍ ସେଇ ଶାନ୍ତ ପରିବେଶ କୁ ଭାଙ୍ଗି ଦେଇ ଫୋନ ଟି ତା'ର ବାଜିଉଠିଥିଲା। ଫୋନ ଟି ଉଠାଉ ଉଠାଉ ଶାଶୁ ତା'ର ରୁମ୍ ଭିତରକୁ ପସି ଆସିଥିଲେ, ଯୋଉଥିପାଇଁ

 ବାଧ୍ୟ ହୋଇ ସେ ଅନ୍ୟ ରୁମ୍ କୁ ଉଠି ଯାଇଥିଲା,ଟିକିଏ ମନଖୋଲି କଥା ହେବାର ଆଶା ନେଇ। ବଡ଼ ଭଉଣୀ ସାଙ୍ଗରେ ପାଞ୍ଚ ମିନିଟ କଥା ହୋଇ ଫୋନ ଟି ରଖୁ ରଖୁ ପୁଣି ଥରେ ଫୋନ ଟି ବାଜି ଉଠିଥିଲା। ଏଥର ଫୋନ ଟିରେ ତାଙ୍କ ଘରେ କାମ କରୁଥିବା ଝିଅ ଅଲଷ୍ମୀ ର ନାଁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ତାକୁ ତ ସିଏ ଲକ୍ ଡ଼ାଉନ୍ ହେବା ଦିନ ଠାରୁ କିଛି ଏଡଭାନ୍ସ ଦେଇ ଆସିବାକୁ ମନା କରିଦେଇଥିଲା,ପୁଣି କ'ଣ ତା'ର ହେଲା? ଯଦିଓ ନିଜ ଶରୀର ,ମନ ସାଙ୍ଗରେ ତାଳ ଦେଇ ପାରୁନଥିଲା,ତଥାପି,ଶାଶୁ ଶଶୁର ଙ୍କ ବୟସଦୃଷ୍ଟି ରୁ ସମସ୍ତ ଙ୍କ ର ନିରାପଦ କୁ ଆଖିରେ ରଖି ,ତା'କୁ ସେ ନିଷ୍ପତ୍ତି ନେବାକୁ ପଡିଥିଲା!

   ଫୋନ ଟି ଉଠାଉ ଉଠାଉ ,ଆରପଟୁ ଅଲକ୍ଷ୍ମୀ କହିଚାଲିଥିଲା-ମା,ମୁଁ ତୁମ ଘରକୁ କାଲି କାମ କରିବା କୁ ଯିବି? ଅନ୍ୟ ଦୁଇ ଘର ର ମା ମାନେ ମତେ ଫୋନ କରିକି ଡାକିଲେଣି,ତେମେ ଯଦି କହିବ,ଆଗ ଯାଇ ତମ ଘର କରିଦେଇ ଅନ୍ୟ ଦୁଇ ଜଣଙ୍କ ଘରକୁ ଯିବି। ବାଟରେ ତୁମ ଘର ଟା ଆଗ ପଡିବ ତ, ସେଥିପାଇଁ ପଚାରିଲି। ତୁଳୀକା କ'ଣ ତାକୁ କହିବ କିଛି ସ୍ଥିର କରିପାରିଲିନି। ମାସ ଟା ପୁରିଗଲାଣି,ତା'ଦରମା ଗଣ୍ଡାକ ତ ତାକୁ ଦେବାକୁ ହେବ ଭାବି,ତା'କୁ ଆସିବାକୁ ହଁ କରି ଫୋନ ଟି ରଖିଦେଲା। ତନ୍ମୟ ଏତିକି ବେଳେ ବାହାରେ ଲକ ଡାଉନ୍ ହୋଇ ଅଟକି ଯାଇଛନ୍ତି ଯେ,ଇଛା କଲେ ମଧ୍ୟ ଆସିପାରୁନାହାନ୍ତି! ଶାଶୁ ଶଶୁର ଙ୍କ ର ସବୁ ଯତ୍ନ ତାକୁଇ ନେବାକୁ ପଡୁଛି। ସ୍କୁଲ ଟି ବନ୍ଦ ହୋଇ ଯାଇଥିବାରୁ ଯଦିଓ ତାକୁ ଘର କାମ ସବୁ କରିବାକୁ ବେଶି ଅସୁବିଧା ହେଉନଥିଲା,ହେଲେ ଛୋଟିଆ ଛ ବର୍ଷ ର ଝିଅ କୁ ନେଇ ,ଶାଶୁ ଶ ଶୁର ଙ୍କ ର ସବୁ ଦେଖାଶୁଣା ଏକୁଟିଆ କରିବା ରେ ମାନସିକ ଚାପ ତାର ବଢ଼ିବାରେ ଲାଗିଥିଲା। ଝିଅ ଓ ଶଶୁର ଙ୍କ ର ଶ୍ଵାସ ରୋଗ ସାଙ୍ଗକୁ,ଶାଶୁ ଙ୍କ ର ଟିକି ନିଖି ଜାଣିବାର ସ୍ପୃହା ଟା କେମିତି କେଜାଣି ବେଳେ ବେଳେ ଅତିଷ୍ଠ କରି ପକାଉଥିଲା। ଯଦିଓ ଜାଣିଥିଲା,ତନ୍ମୟ ଅଧିକାଂଶ ସମୟ ରାଜ୍ୟ ବାହାରେ ରହୁଥିବାରୁ ,ଶାଶୁଙ୍କ ର ପ୍ରତି ଫୋନକଲ ବିଷୟରେ ଜାଣିବା ଓ ଶୁଣିବା ର ଆଗ୍ରହ ଟା ଅତ୍ୟଧିକ ହୋଇଯାଇଥିଲା,ହେଲେ ସବୁବେଳେ ତାଙ୍କୁ ବୁଝାଇ ବୁଝାଇ କେମିତି ଅଧର୍ୟ୍ଯ ହୋଇ ଯାଉଥିଲା।ସବୁ ଫୋନକଲ ଯେ ତନ୍ମୟ ଙ୍କ ର ନୁହେଁ, ଏକଥା ମାନିବା କୁ ଯେମିତି ସିଏ ପ୍ରସ୍ତୁତ ନ ଥିଲେ!

           ସକାଳ ସାତ ଟା ରେ ସେଦିନ ଘର ର୍ କଲିଂ ବେଲ୍ ଟି ବାଜି ଉଠୁ ଉଠୁ,ଶାଶୁ ତା'ର ତର୍ ତର୍ ହୋଇ ଉଠି ଯାଇଥିଲେ କବାଟ ଖୋଲିବାକୁ,ହେଲେ ଅଲକ୍ଷ୍ମୀ କୁ ଦେଖିପକାଇ ମୁହଁ ଟାକୁ ଆମ୍ବିଳା କରି କହି ପକାଇଲେ,ତତେ ପରା ମନା ହେଇଥିଲା ଆସିବାକୁ,ପନ୍ଦର ତାରିଖରେ ଆସିବୁ ଯା। ତୁଳୀକା ରୋଷେଇ ଘରକୁ ଯାଉ ଯାଉ ଟିକେ ରହିଯାଇ କହିଲା,ନାହିଁ ବୋଉ,ମୁଁ ତାକୁ ଡାକିଛି,ତା' ପଇସା ନେବାକୁ। ସେ ବାଥ୍ ରୁମ୍ ରେ ଗୋଡ ହାତ ଧୁଆ ଧୋଇ କରି ଆସୁ। ଏତକ କଥାରେ ଶାଶୁ ତା'ର ଯାଉ ଯାଉ କହି ଚାଲିଲେ,ପଇସା ତ ଆଗୁଆ ନେଇଛି, କୋଉ ପଇସା ପୁଣି ଦବୁ!ଅଲକ୍ଷ୍ମୀ କିନ୍ତୁ ତାଙ୍କ କଥା ନ ଶୁଣି ଗୋଡ ହାତ ଧୁଆଧୋଇ ହୋଇ,ଚାଲି ଆସିଥିଲା ରୋଷେଇ ଘର ପାଖ ବାରଣ୍ଡା କୁ,ସେଇଠି ଛୋଟ ଷ୍ଟୁଲ ଟି ଉପରେ ବସିପଡି କହିଚାଳିଲା–ମା,ତେମେ ଟିକିଏ ଶୁଣିବ ,ମୋର ଗୋଟିଏ କଥା ଥିଲା ତମ ପାଖରେ। ତୁଳୀକା ଟିକେ ପାଖକୁ ଚାଲିଆସି କହିଥିଲା–କହ,କ'ଣକହିବୁ! ଅଲକ୍ଷ୍ମୀ ସାଙ୍ଗେ ସାଙ୍ଗେ କହିପକାଇଲା--ମା,ତେମେ ମୋ ଟଙ୍କା ପଛରେ ଦେବ। ତେମେ ତ ଆଗୁଆ ଦେଇଥିଲ,ଆଉ ଯାହା ବାକି ନବାକଥା ବାବୁ ଆସିଲେ ମୁଁ ନେବି। ଏତକ କଥାରେ ତୁଳୀକା ର ମୁହଁ ରୁ ବାହାରି ପଡିଥିଲା–ହେଲେ,ଆଗକୁ ତୋର ମାସ ଟା ଯାକ ପଡିଛି ଯେ,ଦରକାର ହବନି? ମୁଁ ତୋ ପାଇଁ ଏବେ ରଖିଥିଲି,ପରେ ଅଧା ମାସ ରେ ମାଗିଲେ ,ଆଉ ପାଇବୁନି, ଯଦି ଖର୍ଚ୍ଚ ହେଇଯାଇଥିବ,ଦେଖୁଚୁ ତ କେମିତି ଜିନିଷ ର 

 ହୁ ହୁ ହୋଇ ଦାମ ବଢ଼ାଉ ଛନ୍ତି,ଏଇ ଲକ୍ ଡାଉନ୍ ଯୋଗୁଁ! ଏଥର ଅଲକ୍ଷ୍ମୀ ଟିକେ ହସି ଦେଇ କହିପକାଇଲା–ନାଇଁ ମା,ଏ ମାସ ରେ ଜମା ମୁଁ ମାସ ମଝିରେ ସବୁଥରକ ପରି ମାଗିବିନି। ମୁଁ ନିଜେ ପରା ମନା କରୁଛି!

    ଏତକ ଶୁଣି,ତୁଳୀକା କିଛି ପଚାରିବା ପୂର୍ବରୁ ଶାଶୁ ତା'ର ଉଠିଆସି ପଚାରି ଦେଇଥିଲେ, ତୋର କ'ଣ ଲଟେରୀ ଉଠି ଯାଇଛି କି? ସବୁ ଥର ତ ସେମିତି ମନାକରୁ ଆଉ ମଝିରେ ମାଗିବିନି,ହେଲେ ,ଅଳପ ଦିନ ଯାଇଥିବ କି ନାହିଁ ପୁଣି ଯୋଉକଥା କୁ ସେଇ କଥା!ଏଥର ଅଲକ୍ଷ୍ମୀ ହସି ହସି କହିପକାଇଲା-ହଁ ବଡ ମା,ମୋର ଲାଟେରୀ ନ ହେଲେ କଣ ହବ,ଭାଗ୍ୟ ଟା ଚମକି ଯାଇଛି! ଆଉ ସବୁ ଆମରି ମା'ଙ୍କ ପାଇଁ! ସେଦିନ ମତେ ବୁଝେଇ ସୁଝେଇ ନ ପଠେଇଥିଲେ,ମୁଁ କଣ ଯାଇଥାନ୍ତି ସେଇ ବାବୁ ଘରେ କାମ କରିବାକୁ,ନାଁ ଆଜି ଏତେ ବଡ଼ ସାହାଯ୍ୟ ପାଇ ଥାଆନ୍ତି! ଏତିକିରେ ଶାଶୁ ଙ୍କ ର କୌତୁହଳ ଟା ବଢି ଯାଇଥିଲା, ଟିକିଏ ପାଖକୁ ଚେୟାର ଟାକୁ ଟାଣି ଆଣି ପଚାରି ପକାଇଲେ–କୋଉ ବାବୁ ଘର କିଲୋ? କ'ଣ ଏତେ ବୁଲେଇ ବଙ୍କେଇ କହୁଛୁ? ସିଧା ସିଧା କହୁନୁ,କ'ଣହେଲା! ଏଥର ଅଲକ୍ଷ୍ମୀ ବଡ଼ ଗୋଟାଏ ବାଜି ଜିତିଲା ଭଳି ହସିଦେଇ କହିଚାଲିଲା--ବୁଝିଲ ବଡ ମା,ଆମର ଏ ସାହିକି ନୂଆ ହେଇ ଯୋଉ ପରିବାର ଟି ଆସିକି ଭଡା ରହିଛନ୍ତି,ତାଙ୍କ ଘରକୁ କେହି କାମ କରିବାକୁ ରାଜି ହଉନଥିଲେ। କୋଉଠୁ କ'ଣ ଶୁଣିକି ସବୁ ମନାକରିଦେଉଥିଲେ। ତାଙ୍କ ଝିଅ ଟା ଭାରି ଷ୍ଟାଇଲ ବାଲି,କୁଆଡେ ଭାରି ଚଣ୍ଡୀ, ଆଉ ସେ ମା,କାହା ସାଙ୍ଗରେ କୁଆଡେ ମିଶନ୍ତିନି। ବାବୁ ଭାରି ରାଗିଲୋକ,ସମେସ୍ତେ ଭାରି ଗର୍ବୀ। ନୂଆ ମଣିଷ ,ଆମେ କଣ ତାଙ୍କୁ ଜାଣିଛୁ? ତାଙ୍କ ପୁରୁଣା ଘର ପାଖରୁ ,ଆମ ଖଞ୍ଜା ର କେତେଜଣ କଣ ଶୁଣିକି ଟୁପୁର ଟାପୁରୁ ହେଉଥିଲେ। ଆମେ ତ ମୁରୁଖ ଲୋକ,ଆମକୁ ଡର ଲାଗୁଥିଲା,କାଳେ ପଇସା ପତର ଦେବାରେ ହଇରାଣ ହରକତ କରିବେ!ହେଲେ,ଆମ ଏ ମା' ତାଙ୍କୁ ଚିହ୍ନି ଛନ୍ତି,ଭଲ ନୋକ ବୋଲି କହିବାରୁ ସିନା ମୁଁ କାମ କରିବାକୁ ଗଲି।

            ଅଲକ୍ଷ୍ମୀ ର କଥା କାଟି ଏଥର ଶାଶୁ ବିରକ୍ତ ହୋଇ କହିପକାଇଲେ–ଆରେ ,କାମ ତ କରିଲୁ,ସେଥିରେ ଭାଗ୍ୟ କେମିତି ଚମକିଲା ତୋର? ଏତକ ରେ ଅଲକ୍ଷ୍ମୀ ସାମାନ୍ୟ ବିରକ୍ତ ହେଇ କହିପକାଇଲା-ତେମେ ତ ମୋ ପୁରା କଥାଟା ଶୁଣୁନ,ମୋ କଥା ଟିକେ ଆଗ ଶୁଣ,ତା'ପରେ ସିନା ପଚାରିବ? ଶାଶୁ ଙ୍କ ଉତ୍ତର କୁ ଅପେକ୍ଷା ନ କରି କଥା ତାର ଲମ୍ବି ଚାଲିଲା–ଏଇ ଯୋଉ ବନ୍ଦ ,ବାନ୍ଦ ହେଲା,ସେ ମା'ଆଉ ତାଙ୍କ ଝୁଅ ମତେ ଆଗୁଆ ଛୁଟି ଦେଇଦେଲେ,ତା'ସାଙ୍ଗରେ ଆଗୁଆ ପାଞ୍ଚ ହଜାର ଟଙ୍କା ଦେଇ କି କହିଲେ,ସବୁ ଠିକ ଠାକ୍ ହେବା ପର୍ଯ୍ୟନ୍ତ ଆଉ ଆସିବୁନି। ମୋ ଦରମା ତ ଜମା ଦି ହଜାର ଟଙ୍କା, ଏତେ ପଇସା କିଏ ଏମିତି ଦିଏ ! ତାଙ୍କ ଝୁଅ କୁଆଡେ ସବୁ କାମ କରି ପାରିବ। ମୁଁ ତ ଦିନେ ତାଙ୍କୁ କାହା ସାଙ୍ଗରେ କଥା ହେବା ଦେଖିନି,ସବୁବେଳେ ତାଙ୍କ ଚାକିରୀ କାମ ରେ ବ୍ୟସ୍ତ ଥାନ୍ତି। ଖାଲି ଯାହା କେତେ ବେଳେ କେମିତି ଦେଖିପକେଇଲେ ଟିକିଏ ହସି ଦିଅନ୍ତି। ସେଦିନ କିନ୍ତୁ କେତେ କଥା ହେଲେ ମା'।ଆଉ ଜାଣିଛ, ମତେ କହିଲେ ତୋ ନାଁ ଟା କିଏ ଦେଇଛି? ତୁ ତ ଏତେ ସୁନ୍ଦରୀ ଟା,ଲକ୍ଷ୍ମୀ ଙ୍କ ଭଳିଆ ଏତେ ଲମ୍ବା ଚୁଟି ରଖିଛୁ,ତୋ ନାଁ ଟା ଆମେ ଏଥର ଅଲକ୍ଷ୍ମୀ ନୁହେଁ, ଲକ୍ଷ୍ମୀ ଡାକିବୁ,ଆଉ ଯିଏ ଯାହା ଡାକୁ ପଛକେ!ମତେ ତାଙ୍କ ମୁହଁ ରେ ନାଇ ବା ଜିନିଷ କେତେ ଓ ନୂଆ ଡ୍ରେସ ସାଙ୍ଗରେ ,ଭଲ ଭଲ ପୁରୁଣା ଡ୍ରେସ କେତେ ହଳ ଦେଇ କି କହିଲେ,ଏଇନା ଯେତେଦିନ ସବୁ ବନ୍ଦ ହେବ ,ତୁ ଘରୁ କୁଆଡେ ବାହାରିବୁନି।ସ୍ନୋ ,ପାଉଡର ସବୁ ଥିଲା ମା,ସିଏ ନିଜେ କହିଲେ,ତାଙ୍କ ଅଫିସ ଛୁଟି ହୋଇ ଯାଇଛି,ଘରୁ ସେ ଅଫିସକାମ କରିବେ,ତାଙ୍କୁ ସବୁ ଆସେ,ମା ଙ୍କୁ ତାଙ୍କର ସାହାଯ୍ୟ କରିପାରିବେ। ଆଉ ଆମ ଖଞ୍ଜା ରେ ଯୋଉ ଅଠର ଘର ରହୁଛନ୍ତି, ସମିସ୍ତି ଙ୍କ ପାଇଁ ଗୋଟିଏ ଗୋଟିଏ ପାକିଟି ରେ ଚାଉଳ ଆଉ ସାବିନି ଦି ଖଣ୍ଡ ଲେଖାଏଁ ମୋରି ହାତରେ ପଠେଇଲେ। ଯୋଉମାନେ ସବୁ ଟୁପୁରୁ ଟାପୁରୁ ହଉଥିଲେ,ସବୁ ଖୁସି ଖୁସି ରେ ପୁଡ଼ିଆ ସବୁ ନେଇଗଲେ। ସମେତେ ଏଥରଚୁପ୍ ହୋଇଯାଇଛନ୍ତି,ଆଉ ଉଁ କି ଚୁଁ କହୁନାହାନ୍ତି!

       ଅଲକ୍ଷ୍ମୀ ର କଥା ର ସୁଅ ଛୁଟି ଚାଲିଥିଲା-ସତରେ ମା,ମୁଁ ତ ଜମା ବିଶ୍ୱାସ କରିପାରିଲିନି,ଏତେ ଷ୍ଟାଇଲ କରୁଥିବା ଝିଅ ଟା କୁ କ'ଣ ଘର କାମ ଜଣାଥିବ? ପୁଣି ଏତେଦିନ କେମିତି କରିବେ ଭାବି ଆଶ୍ଚର୍ଯ୍ୟ ହେଉଥିଲି। ଆର ଘର ମା' ପା ମତେ ଆଜି ଡକେଇ କହି ପଠେଇଲେ ଯେ ଆଜି ଯଦି ନ ଆସିବି ,ପଇସା ଦେବେନି! ସିଏ ତ ଦିନେ ହେଲେ ଛୁଟି ଦିଅନ୍ତି ନି। ଦିନେ ବନ୍ଦ କଲେ ପଇସା କଟିଦେବେ ବିଲି ଧମକାନ୍ତି! ଆଗରୁ ତ ଯେତିକି ଦିନ ବନ୍ଦ କରିଥାଏ,ସେତିକି ଦିନ ଡେରି କରିକି ଦରମା ଦିଅନ୍ତି। ଭାରି ଚାଲାକ ସେ ମା' ଟା ,ଆମେ ମୁରୁଖ ହେଲେ କ'ଣ ବୁଝି ପାରୁନା! ଆଉ ସେ ଶେଷ ମୁଣ୍ଡ ଘର ବାବୁଆଣୀ ତ ଏମିତି କହିଲେ ଯେ,ମନ ଟା ଟିକେ ଡରିଗଲା! ଆଲୋ,କ'ଣ ଏମିତି କହିଦେଲେ ଯେ,ତୋ ମନ ଟା ପୁଣି ଡରିଗଲା? ତା' କଥା ଶୁଣୁ ଶୁଣୁ ଏତକ  ସାଙ୍ଗେ ସାଙ୍ଗେ ଶାଶୁ ଙ୍କ ପାଟିରୁ ବାହାରି ଆସିଥିଲା। ଅଲକ୍ଷ୍ମୀ ଟିକେ ରହିଯାଇ ଧୀରେ କି କହିଥିଲା--ନାଇଁ ମ,ସେମିତି କିଛି ନାଇ ଯେ,କହିଲେ,ଏତେଦିନ କାମ କରି କରି ଯଦି ଅଭ୍ୟାସ ହେଇଯିବ,ତୋ ଚାକିରି ଗଲା ଅଲକ୍ଷ୍ମୀ! ମତେ ଟିକିଏ ଡର ନାଗିଲା ମା'। ସତରେ ଯଦି ସେ ମା'ଘର ଆଉ କାମ କରେଇବେ ନି!ତା'ହେଲେ ପୁଣି କୋଉଠି ନୂଆ ଘର ଖୋଜିବାକୁ ପଡିବ। ସିଏ ବି କୋଉ ସାଙ୍ଗେ ସାଙ୍ଗ ମିଳିଯିବ?

             ରୋଷାଇ ଘରେ କାମ କରୁ କରୁ ସବୁ ଶୁଣୁଥିଲା ତୁଳୀକା,ଟିକିଏ ଅଲକ୍ଷ୍ମୀ ପାଖକୁ ଉଠି ଆସି ହସି ହସି କହିପକାଇଲା–ଆରେ,ମୋର ବି ତ ଅଭ୍ୟାସ ହେଇ ଆସିଲାଣି। ତୋ ଚାକିରି ଗଲାଲୋ ଅଲକ୍ଷ୍ମୀ!ଏକଥା ରେ ଶାଶୁ ତାର ଭାରି ଜୋର ରେ ହସି ଦେଲେ,ଆଉ କହି ପକାଇଲେ–ଶୁଣିଲୁ ତ, ତୋର ଏଥର ଛୁଟି!ଅଲକ୍ଷ୍ମୀ ର ମୁହଁ ରେ କିନ୍ତୁ ଟିକିଏ ବି ଅବିଶ୍ୱାସ ର ଚିହ୍ନ ନ ଥିଲା,ହସି ହସି କହିପକାଇଲା–ମୁଁ ଜାଣିଛି ମା,ତମ କଥାରେ ମତେ ଟିକିଏ ବି ଡର ଲାଗୁନି। ତୁମ ବାହାଘର ପୂର୍ବରୁ ପା ମୁଁ ଏଇ ଘରେ କାମ କରୁଛି। ବୁଢ଼ା ବାବୁ ପା ଅଛନ୍ତି,ମେତେ କ'ଣ ମଣିଷ ଚିହ୍ନି ବା ଆସେନି!ଏତକ କହି,ଅଲକ୍ଷ୍ମୀ ଫେରି ଯାଇଥିଲା,ଲକ୍ ଡାଉନ୍ ସରିବା ପରେ ଆସିବାର ପ୍ରତିଶ୍ରୁତି ଦେଇ,ହେଲେ ତୁଳୀକା ର ମନ ଭିତରେ କେମିତି କେଜାଣି ଏକ ଆତ୍ମ ସନ୍ତୋଷ ର ଛାପ ଟିକେ ଛାଡ଼ିଦେଇଥିଲା। ତା' ବାହାଘର ପୁର୍ବରୁ ସେଇ ପରିବାର ଟି ତାଙ୍କ ପଡୋଶୀ ଥିବାରୁ ଅନେକ ଉପକୃତ ହୋଇ ମଧ୍ୟ କାଣୀ ଚାଏ ଶୁଝିବାର ସୁଯୋଗ ପାଇନଥିଲା,ଆଉ ସେଦିନ ଅଲକ୍ଷ୍ମୀ ର କଥାରେ ସତେ ଯେମିତି ସେ ଋଣୀତ୍ବର ବୋଝ ଟା ଟିକେ ହାଲୁକା ହେଲା ଭଳି ଅନୁଭବ କରିଥିଲା!ଭଗବାନ ଙ୍କୁ ମନେ ମନେ ଧନ୍ୟବାଦ ଜଣାଉଥିଲା ,ଆଉ ଭାବୁଥିଲା,ସତରେ କ'ଣ 'କରୋନା ଭୁତାଣୁ' ଟା ଭୟଙ୍କର ନା ଭଗବାନଙ୍କ ର ଲୀଳା–ମଣିଷ ର ଜୀବନ ଶୈଳୀ କୁ ବହୁବର୍ଷ ପଛକୁ ନେଇ ,ସ୍ନେହ ଶ୍ରଦ୍ଧା ରେ ବାନ୍ଧି ରଖିବାର ପ୍ରୟାସ!!


Rate this content
Log in

Similar oriya story from Abstract