Parameswar Ojha

Romance

4  

Parameswar Ojha

Romance

ଲିଲି

ଲିଲି

4 mins
24.2K



ଗୋଟେ ଛୋଟ ଝିଅଟେ ଥିଲା କଣ୍ଢେଇ ଟେ ପରି ,

ନାଁ ତା'ର ଲିଲି ‌ । ମୋ ସହ ଖେଳୁଥିଲା ଗୋଡ଼ି ଡିଆଁ , ଖପରା କାତି , ଲୁଚକାଳି , ବୋହୂ ଚୋରି , ଆଉ ଆମ୍ବ ଚୋରି ବି କରୁଥିଲୁ ଦୁହେଁ , ସ୍କୁଲ ପଛ ବାଡି ଭିତରୁ ସ୍କୁଲ ଛୁଟି ପରେ । ମୁଁ ତାଠୁ ବୟସରେ ଦୁଇ ବର୍ଷ ବଡ଼ ଥିଲି ସେ ମୋତେ ପନୁ ଭାଇ ଡାକୁଥିଲା । ମୋ ବୋଉ ଡରରେ ସେ ଯେତେବେଳେ ବି ଆସି ମୋତେ ଠାରି ଦିଏ ବାସ୍ କଥା ସରିଲା , ସବୁ କାମ ଚଟାପଟ୍ ସାରି ଦୌଡ଼ି ଯାଏ ଖେଳିବାକୁ ତା ସହ । ଢେର୍ ବେଳ ଯାଏଁ ଖେଳୁ , ରାଗ ରୁଷା ହେଉ ପୁଣି ବୁଝା ବୁଝି ହୋଇ ଆମେ ଫେରୁ ସୁଦାମ ଅଜା ଦୋକାନ ରୁ ଚକଲେଟ ଖାଇ । ସେ ତାଙ୍କ ଘରୁ ଲୁଚେଇ ଆଣିଥାଏ ଚାଉଳ ଆଉ ମୁଁ ବି , ସେଇ ପଇସା ରେ ଚକଲେଟ ଖାଉ । ଆମର ଖେଳ କମ୍ ବଦମାସି ଅଧିକ ହୁଏ , ଆମ୍ବ ତ ଚୋରି ହୁଏ ତା ସହ କାହା ବାଡିରେ କାକୁଡି ଥିଲେ ଛିଣ୍ଡା ଯାଏ । ବିଲ ରୁ ବାଦାମ ମୁଗ ଛିଡା ଯାଇ ଖିଆ ଯାଏ । ଖଜୁରୀ ଗଛକୁ , ତାଳ ଗଛକୁ ଟେକା ଫୋପଡା ହୋଇ ଝଡାଯାଏ । ଆଉ ପହଁରା ଆସେନି ବୋଲି କରାଣ୍ଡିଆ ନଈ ରେ ପହଁରି ବାର ଲୋଭ କୁ ସାର୍ଥକ କରିବା ପାଇଁ ଘଣ୍ଟା ଘଣ୍ଟା ଦାସ ଗାଡିଆ ରେ ପହଁରା ଅଭ୍ୟାସ କରାଯାଏ ।


ଇଏ ସବୁ ପିଲା ବେଳ କଥା ।ଏବେ ନଈ , ତାଳ ଗଛ ଖଜୁରୀ ଗଛ ଗାଁ ପୋଖରୀ ଆଖି ଆଗରେ ପଡି ଗଲାରୁ ପିଲାବେଳ କଥା ମନେ ପଡି ଯାଉଛି ଅନେକ । ଆଉ ଅଧିକ ମନେ ପଡୁଛି ଲିଲି କଥା । ମୋର ଦଶମ ପରେ ମୁଁ ଚାଲି ଯାଇଥିଲି ଭୁବନେଶ୍ୱର , କଲେଜ ପଢିବାକୁ ଆଉ ଲିଲି ର ସପ୍ତମ ପରେ ମୁଁ ଆଉତା ଖବର ରଖିନି , ପରେ ଜାଣିବାକୁ ପାଇଲି ସେ କାଳେ ଚାଲି ଯାଇଥିଲା ତାଙ୍କ ଗାଁ କୁ ପଢ଼ିବା ପାଇଁ । ହେଲେ ଆଜି ବହୁତ ମନେ ପଡ଼ୁଛି ତା କଥା , ସେ ଏବେ ବହୁତ ବଡ଼ ହୋଇ ଯାଇଥିବ ବହୁତ ସୁନ୍ଦରୀ ଦିଶୁଥିବ ସ୍ବାସ୍ଥ୍ୟବତୀ ବି ହୋଇଥିବ ସେତେବେଳେ କିନ୍ତୁ ଖୁବ୍ ନହ ନହକା ଥିଲା ଝିଅଟି ।


ଆର୍ . ଆଇ . ଚାକିରି ପରେ ମୋର ପ୍ରଥମ ଯୋଗ ଦାନ ଏଇ ଅଞ୍ଚଳ ରେ । ମୋର ଆଶା ଥିଲା ପ୍ରଥମେ କେସ୍ ଟା ମୁଁ ଘଟଣା ସ୍ଥଳକୁ ଯାଇ ମୁଁ ନିଜ ହାତରେ ହିଁ ତା'ର ରଫା ଦଫା କରିବି । ସେମିତି ହିଁ ହେଲା ଗୋଟେ ପୁରୁଣା କେସ୍ ମୋ ଆଗରେ ଦେଖାଇଲା ମୋ ତଳ ସ୍ତର କର୍ମଚାରୀ ‌ । ଯୋଉଟା କି ମୋ ଆଗରୁ ଥିବା ପୁରୁଣା ଆର୍ . ଆଇ . ଜଣକ କାଳେ ପଇସା ଖାଇ ଗରିବ ଲୋକଟାକୁ ଦୌଡାଉଛି ଆଜି କାଲି କହି ତାପରେ ତା ଜମି ଉପରେ ଜୋର୍ ଜବରଦଖଲ କରି ରହିଛି ବିରୋଧୀ ଲୋକ । ଅତି ଗରିବ ନିରିହ ଲୋକ ଟେ ସେ ଜଣକ , ସେଥିପାଇଁ ନିଜ ଭାଗ୍ୟ କୁ ନିନ୍ଦି ପଡ଼ି ରହିଛି ।


ମୁଁ ମୋ କର୍ମଚାରୀ ଙ୍କ ସହ ଘଟଣା ସ୍ଥଳକୁ ଯାଇ ଅମିନ ଦ୍ବାରା ମାପ କରିବା ପରେ ସତକୁ ସତ ଜବର ଦଖଲ କରି ରଖିଛି ଏ ଗରିବ ଲୋକଟିର ଜମିକୁ ସେ ଖଳ ଲୋକଟି । ତାକୁ ଚେତାବନୀ ଦେଇ ଆସିଲି ୟାଙ୍କ ଜମି ଉପରେ ଆଉ ଅଧିକାର ସାବ୍ୟସ୍ତ କରିବନି କି କୈାଣସି ପ୍ରକାର ଅସୁବିଧା ସୃଷ୍ଟି କରିବନି ଏବଂ ସେ ଗରିବ ଲୋକ ର ଜମି କୁ ତା ଆଗରେ ମାପ କରି ଚିହ୍ନେଇ ଦେଲି । ସେ ମୋ ପ୍ରତି ବହୁତ ଖୁସି ହୋଇଗଲେ । ମୁଁ ଫେରିବାକୁ ଗାଡ଼ି ଡୋର୍ ଖୋଲି ବସିବାକୁ ଉଦ୍ୟତ ହେଉଛି ତ ସେ ମୋତେ ପଚାରିଲେ - " ସାର୍ ଗୋଟେ କଥା ପଚାରିବି ?"

- " ହଁ କୁହ"

-" ତମେ ଦିବାକର ଦାଦି ଭଣଜା କି ? ଦିବାକର ସେଠୀ ନାଇଁ ମୁହଁ ଚିହ୍ନା ଚିହ୍ନା ଲାଗିଲା ତ ସେଥିପାଇଁ ପଚାରି ଦେଲି "

-"ହଁ , ମୁଁ ତାଙ୍କ ଭଣଜା "

ବହୁତ ଖୁସି ହୋଇଗଲେ ତାପରେ କହିଲେ - " ତେମେ ଆମ ଦିବା ଦାଦି ଙ୍କ ଭଣଜା ଯଦି ଟିକେ ଘର ଆଡେ ଆସି ଚା ପାଣି ଖାଇ ଯାଆନ୍ତ ବହୁତ ଖୁସି ଲାଗନ୍ତା , ତମେ ତ ଆମ ପୁଅ ହିସାବ ହେବ "

ମୁଁ ପ୍ରଥମେ ମନା କରୁଥିଲି ହେଲେ ପରେ ତାଙ୍କ ର ସ୍ନେହ ପୂର୍ଣ୍ଣ କଥା ବାର୍ତ୍ତା ଆଉ ଅନୁରୋଧ କୁ କାଟି ପାରିଲିନି ।

ଘରେ ଯାଇ ପହଞ୍ଚିଲି ଛୋଟ ଚାଳି ଟେ । ପହଞ୍ଚୁ ପହଞ୍ଚୁ ନିଜ ଗାମୁଛା ରେ ଝାଡି ଖଟିଆ ପକାଇ ଦେଲେ । ବସିବାକୁ କହି , ତାଙ୍କ ଝିଅଟିକୁ କହିଲେ ଚାହା କରି ଆଣିବାକୁ । କିଛି ସମୟ ପରେ ତାଙ୍କ ର ସୁନ୍ଦରୀ ଝିଅ ଟେ ଚାହା ଆଣି ଆସି ମୋ ହାତକୁ ବଢ଼େଇ ଦେଲା , ଟିକେ ସଙ୍କୁଚିତ ହୋଇ ।

ଝିଅ ଉଦେଶ୍ୟ ରେ ତା ବାପା କହିଲେ - " ଆରେ ଚିହ୍ନି ପାରୁନୁ କି ଇଏ ସାର୍ ତୋ ସାଙ୍ଗରେ ପଢୁଥିଲେ । ଛୋଟ ବେଳେ କେତେ ତୁ ତାଙ୍କ ସହ ଖେଳିଛୁ ବୁଲିଛୁ ।

ଲିଲି ଏଥର ଲାଜେଇ ଯାଇ ଘର ଭିତରକୁ କବାଟ ଆଢୁଆଳ କୁ ପଳେଇଲା । ମୁଁ ଲିଲି କୁ ଡାକିଲି - " ଆରେ ଶୁଣ , ଆଡ଼କୁ ଆସ , ମୋତେ ଲାଜ କ'ଣ କରୁଛ ଯେ ?"


ଲିଲି ଏଥର ବାହାରକୁ ଆସି ଭୁଇଁ ରେ ନଖ ଟାଣି ତଳକୁ ମୁହଁ କରି କଣେଇ କଣେଇ ମୋତେ ଚାହିଁ ଠିଆ ହେଲା । କିଛି କହିଲାନି । ସତରେ ସେଦିନ ର ଲିଲି ଆଉ ଆଜିର ଲିଲି ଭିତରେ ବହୁତ ଫରକ୍ । ବହୁତ ସୁନ୍ଦରୀ ଆଉ ଆକର୍ଷଣୀୟ ଦିଶୁଥିଲା ସେ । ଲିଲି ବାପାଙ୍କୁ ପଚାରିଲି ଏବେ କ'ଣ କରୁଛି ଲିଲି ?

ସେ କହିଲେ -" ବହୁତ କଷ୍ଟେ ମଷ୍ଟେ ତାକୁ କଲେଜ ପାରି କରିଦେଲି । ଏବେ ଭାବୁଛି ଭଲ ଘର ଦେଖି ହାତକୁ ଦିହାତ କରିଦେଲେ ମୋ କାମ ସରିବ । "

ମୁଁ କହିବି କି ନ କହିବି ଏମିତି ଭାବୁ ଭାବୁ ଅଚାନକ୍ କହିଦେଲି -" ଆପଣଙ୍କ ର ଯଦି କିଛି ଆପତ୍ତି ନଥାଏ ତେବେ  ମୋ ବାପା ଆସିବେ ଆପଣଙ୍କ ପାଖକୁ ଲିଲି ବିଷୟରେ କଥା ହେବା ପାଇଁ । ଲିଲି ମୋର ପସନ୍ଦ । "

ଲିଲି ବାପା ଆଖିରେ ଆଖିରେ ନୀରବ ସମ୍ମତି ଜଣାଇଲେ ।

ମୁଁ ଗାଡିରେ ବସିବାକୁ ଆସି ଫାଟକ ଖୋଲି କି ପଛକୁ ବୁଲି ପଡ଼ିଛି ତ , ଦେଖିଲି ଲିଲି ରାସ୍ତା ପାଖକୁ ଆସି ଗଛ ଆଢ଼ୁଆଳରେ ଠିଆ ହୋଇ ମୋତେ ଚାହିଁଛି ଲାଜେଇ ଲାଜେଇ । ଆଉ ମୁଁ ତାକୁ ଚାହିଁ ଟିକେ ହସିଦେଲି ।

ତାପରେ ଗାଡ଼ି ଭିତରେ ବସିକି କହିଲି ଡ୍ରାଇଭର୍ କୁ " ଚାଲ "



Rate this content
Log in

Similar oriya story from Romance