Shanti Mishra

Abstract Inspirational

3.6  

Shanti Mishra

Abstract Inspirational

ଲିଭିଲା ଦିନର ଅଭୂଲା କଥା

ଲିଭିଲା ଦିନର ଅଭୂଲା କଥା

3 mins
217



“ଜିନା” ଆଜି ସକାଳୁ ଶୀଘ୍ର ଉଠି ପଡିଛି l ଆଜି ଭାଲେଣ୍ଟାଇନ ଡେ l ପୁଣି ରବିବାର l ପୁଣି “ଗ୍ରାନୀ”ଙ୍କ ଘରକୁ ଯିବାର ପ୍ଲାନ ଅଛି l ତାର ସେଇଟା ହିଁ ବଡ ଆକର୍ଷଣ ଆଜିର l କାଲିଠୁ ଧଳା ଚକୋଲେଟ ବାକ୍ସ ଓ ଗୋଲାପର ଏକ ବଡ ତୋଡା ଆଜି ପାଇଁ ବରାଦ ଦେଇ ଆସିଛି ଷ୍ଟୋରରେ l “ମିତା” ରବିବାରରେ ଟିକେ ଡେରିରେ ଉଠନ୍ତି କିନ୍ତୁ ଜିନା ଆଜି ଶୁଆଇ ଦେଲାନି l ଆଈଙ୍କ ପାଖକୁ ଯିବ l ମମୀଙ୍କ ସହିତ ପ୍ରାୟ ମାସେ ହେଲା ଦେଖା ହୋଇନି ମିତାଙ୍କର l ନା ମମି ଆସିଛନ୍ତି ତାଙ୍କୁ ଦେଖା କରିବାକୁ ନା ସେ ଯାଇ ପାରିଛନ୍ତି ଅଫିସ କାମରେ ବ୍ୟସ୍ତ ରହି l

ମିତାଙ୍କ ପାଖରେ ଏତେ ସମୟ ନଥାଏ ମମିଙ୍କ ପାଖକୁ ଯିବାକୁ ତେଣୁ ମମି ମଝିରେ ମଝିରେ ଆସି ସପ୍ତାହେ କେବେ ଦି ସପ୍ତାହେ ତାଙ୍କ ପାଖରେ ରହିକି ଯାଆନ୍ତି l କିନ୍ତୁ ମାସେ ପ୍ରାୟ ହେବ ଆସି ନାହାଁନ୍ତି l ଗୋଡ ଟିକେ ମକଚି ହୋଇ ଯାଇ ବଥା କରୁଥିଲା ତାଙ୍କର l ଚାଲିବାରେ ଅସୁବିଧା ହେଉଥିବାରୁ ଆସି ପାରୁନଥିଲେ l ତେଣୁ ମିତା ଆଜି ଜିନାକୁ ନେଇ ମମିଙ୍କୁ ଦେଖା କରିବାକୁ ମନସ୍ଥ କରି ଯିବାର ସବୁ ଆୟୋଜନ କାଲିଠୁ କରି ରଖିଥିଲେ l

ମମି ଆଜି ପୁଣି ଥରେ “ଜିନା”କୁ ତାଙ୍କର ସେଇ ପିଲାବେଳର କଥା ଶୁଣେଇ ଚାଲିଛନ୍ତି l ଜିନା ପରି ଆଗ୍ରହୀ ଶ୍ରୋତା ବି ତାଙ୍କୁ କେବେ ମିଳେନି l ତାପରେ କଣ ହେଲା ଗ୍ରାଣ୍ଡ ମା କୁହନା l ମମିଙ୍କୁ ଟିକେ ଚୁପ ହୋଇଯିବାର ଦେଖିଲେ ଛଅ ବର୍ଷର ଜିନାର ପାଟି ଆପେ ଆପେ ଖୋଲି ଯାଏ l ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଅଥୟ କରି ପକାଏ l ତାକୁ ଏ କାହାଣୀରୁ କଣ ମିଳେ କେଜାଣି l ସନ୍ଧ୍ୟା ପରେ ଶୀଘ୍ର ତା ହୋମୱର୍କ ସାରିଦେଇ ଯାଇ ମମିଙ୍କ ରୁମରେ ହାଜର ହେଇଯାଏ l ଡିନର ପ୍ଳେଟ ଟା ହାତରେ ନେଇ ଯାଇଥାଏ l ତାକୁ ମମି ଖୁଆଇ ଦିଅନ୍ତି ଗପ କହିବା ସହିତ l ତେଣୁ ମମି ଯେତେବେଳେ ଘରକୁ ଆସନ୍ତି ମିତାଙ୍କର ମଜା l ଜିନା କଥା ତାଙ୍କୁ ଭାବିବାକୁ ପଡେନି l

ସବୁବେଳେ ସର୍ତ୍ତ ଥାଏ ହୋମୱାର୍କ ନସରିଥିଲେ ଗପ ଶୁଣିବାକୁ ମିଳିବନି l ଗପ ଲୋଭରେ ଜିନା ହୋମୱାର୍କ ସବୁ ସାରିଦିଏ l ଗୋଟେ ଦୃଷ୍ଟିରୁ ଭଲ ଲାଗେ ମିତାଙ୍କୁ l ଜିନା ପଛରେ ବେଶୀ ଲାଗିବାକୁ ପଡେନି ପାଠ ପଢାକୁ ନେଇ l ମିତା ବି ତାଙ୍କ ପିଲାବେଳେ ଏ ଗପ ସବୁ ମମୀଙ୍କ ଠାରୁ ଅନେକ ଥର ଶୁଣିଛନ୍ତି l ମମି ତାଙ୍କ ପିଲା ବେଳ ସମୟକୁ ଭୁଲି ନାହାଁନ୍ତି ଏଯାଏ l

ପିଲାବେଳେ କିପରି ଗାଁ ପୋଖରୀରୁ ସାଙ୍ଗ ମାନଙ୍କ ସହିତ ମିଶି କଇଁ ଫୁଲ ତୋଳି ସେଥିରେ କଇଁ ନାଡକୁ ଭାଙ୍ଗି ଭାଙ୍ଗି ମାଳା କରି ସରସ୍ଵତୀଙ୍କୁ ସଜଉଥିଲେ l ଆମ୍ବ ପତ୍ରରେ ତୋରଣ କରି ସ୍କୁଲ ସାରା ସଜୋଉଥିଲେ l ପର୍ବ ପର୍ବାଣି ଆସିଲେ ସେମାନଙ୍କୁ ରାତିରେ ନିଦ ନଥାଏ l ରଜ କୁମାରପୂର୍ଣ୍ଣିମା ଆସିଲେ ସେମାନଙ୍କ ମଜା ଖୁସି ଦେଖେ କିଏ ! ରଜରେ ତିନିଦିନ ଦୋଳି ଝୁଲା, ସାଙ୍ଗ ମାନଙ୍କ ସହିତ, ନୂଆ ଲୁଗା ପିନ୍ଧା, ଘରର ସ୍ତ୍ରୀ ଲୋକ ମାନଙ୍କ ଦ୍ଵାରା ତିଆରି ହୋଇଥିବା ପିଠା ପଣାକୁ ଆନନ୍ଦରେ ଖାଇବା l ସବୁ ମମିଙ୍କର ମନେ ଅଛି l

ସବୁଠୁ ମମିଙ୍କର ପ୍ରିୟ ପର୍ବ ହେଲା କୁମାରପୂର୍ଣ୍ଣିମା l ରାତିସାରା ସାଙ୍ଗ ମାନଙ୍କ ସହିତ ଗପସପ, ନାଚ ଗୀତରେ ବିତେଇବା l ଜହ୍ନ ଆଲୁଅରେ ଲୁଚୁକାଳି, ପୁଚି ଖେଳିବା l ନୂଆଲୁଗା, ନୂଆ ଚୁଡି ଗହଣା ପିନ୍ଧି ସାଙ୍ଗ ମାନଙ୍କୁ ଦେଖେଇବା l ଅନେକ ପ୍ରକାର ପିଠାପଣା ସାଙ୍ଗକୁ ବିଭିନ୍ନ ପ୍ରକାର ମିଠା ଖାଇ ସାଙ୍ଗ ମାନଙ୍କ ଘରକୁ ବୁଲି ଯିବା l ସେଦିନ ଗୁରୁଜନ ମାନେ କାହାକୁ ଆକଟ କରନ୍ତିନି l ଅନ୍ୟ ଦିନରେ ବାହାରକୁ କୁଆଡେ ଟିକେ ଗଲେ ହଜାର ପ୍ରଶ୍ନ l ବିଶେଷତଃ ଝିଅ ମାନଙ୍କ ପାଇଁ ସବୁ କଟକଣା ଥାଏ ସେତେବେଳେ, କିନ୍ତୁ କୁମାରପୂର୍ଣ୍ଣିମା ଦିନ ନୁହେଁ l ସେଇଥି ପାଇଁ ହୁଏତ ପର୍ବ ପାଳନ ସାଙ୍ଗକୁ ସ୍ଵାଧୀନତା ହୁଏତ ମନରେ ବେଶୀ ଆନନ୍ଦ ଆଣି ଦେଇଥାଏ ଝିଅ ମାନଙ୍କୁ ସେଦିନ l

ମମି ଚାଳିଶ ବର୍ଷ ତଳେ ସେ ତାଙ୍କ ଗାଁ ଦେଶ ଛାଡି ଏ ଦେଶ ଆମେରିକାକୁ ଚାଲି ଆସିଥିଲେ ବାପାଙ୍କୁ ବିବାହ କରି ସାରିବା ପରେ l ତା ପରେ ବିଶେଷ ଆଉ ଯାଇ ନାହାଁନ୍ତି l ଚାରି କି ପାଞ୍ଚ ଥର ବୋଧେ ଯାଇଥିବେ କି କଣ l ତାଙ୍କ ବାପ ମା ଚାଲିଗଲା ପରେ ସେ ଆଉ କେବେ ଯାଇ ନଥିଲେ l ପାଞ୍ଚ ବର୍ଷ ତଳେ “ବିକାଶ” ମିତାଙ୍କ ସାନ ଭାଈ ଆଉ “ଗୌତମ” ତାଙ୍କ ସ୍ଵାମୀଙ୍କ ସହାୟତାରେ ସମସ୍ତେ ମିଶି ଯାଇଥିଲେ ଓଡ଼ିଶା ବୁଲିବାକୁ l

ମମି କିନ୍ତୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସବୁ ଦେଖି l ଗାଁ ଏବେ ଛୋଟିଆ ସହର ଟିଏ ପାଲଟି ଯାଇଛି l ଆଉ ଏବେ କେହି କୁମାର ପୂର୍ଣ୍ଣିମା ସରସ୍ଵତୀ ପୂଜା କି ଗଣେଶ ପୂଜା ଧୂମ୍ ଧାମରେ ପାଳନ କରୁ ନାହାଁନ୍ତି l ଏବେ ତ ମଦର୍ଶ ଡେ, ଫାଦର୍ଶ ଡ଼େ, ଭାଲେଣ୍ଟାଇନ ଡ଼େ, ଖ୍ରୀଷ୍ଟମାସ ଡ଼େ, ନିଉଇୟରସ୍ ଡ଼େ ବଡ ଜୋରସୋରରେ ପାଳନ କରାହେଉଛି l ଆଜିର ଏ ସବୁ ଭିଡ ଭିତରେ ତାଙ୍କ ପିଲା ବେଳର ପୂଜା ପର୍ବର ସ୍ମୃତି ସବୁ କୁଆଡେ ହଜି ଯାଇଛି l ଆଜି କାଲିର ପିଲା ମାନଙ୍କୁ ପଚାରିଲେ କେହି ଏହାର ସଠିକ ଉତ୍ତର ଦେଇ ପାରୁ ନାହାଁନ୍ତି l

କିନ୍ତୁ ମମିଙ୍କର ପୁରା ବିଶ୍ଵାସ ଏ ସବୁ ପୁଣି ଥରେ ଧୀରେ ଧୀରେ ଫେରି ଆସିବ ସମାଜ ଭିତରକୁ l ତେଣୁ ସେ ତାଙ୍କର ସ୍ମୃତିକୁ ତାଜା ରଖିବା ପାଇଁ ଏସବୁ କାହାଣୀ ନିଜ ପିଲା ମାନଙ୍କୁ ଶୁଣୋଉଥିଲେ ଏବେ ନାତି ନାତୁଣୀ ମାନଙ୍କୁ ଶୁଣୋଉଛନ୍ତି l


Rate this content
Log in