Pranati Panda

Abstract Others

4.8  

Pranati Panda

Abstract Others

ଲିଭ୍ ଇନ୍

ଲିଭ୍ ଇନ୍

5 mins
304



ହଠାତ୍ ମୁଁ ସ୍ଥାଣୁ ହୋଇଗଲି। 

ଏହା କିପରି ସମ୍ଭବ ହେଲା?


 ଦୁଇ ଜଣଙ୍କୁ କାଲି ପୁରୀ ଯିବାବେଳେ ମୁଁ ନିଜେ ଆଖିରେ ଦେଖିଥିଲି ଆଉ ଆଜି ସକାଳୁ ସକାଳୁ ଅମିତ୍ ଙ୍କର ମୃତ ଦେହ ଝୁଲୁଛି ପଙ୍ଖାରେ !


ଅଙ୍କିତା , ଅମିତ୍ ଙ୍କର ମୃତ ଦେହ ପାଖରେ ଠିଆ ହୋଇ ଭିଡ଼ ଜମାଉଥିବା ପାଖ ପଡୋଶୀଙ୍କୁ ତାଗିଦ୍ କରି କହୁଛନ୍ତି , ଆପଣ ମାନେ ଦୟାକରି ଭିଡ଼ ଜମାନ୍ତୁ ନାହିଁ ପୋଲିସ୍ କୁ ତା'ର କାମ କରିବା ପାଇଁ ଦିଅନ୍ତୁ ପ୍ଲିଜ୍।


ଅଙ୍କିତାଙ୍କର କଥା ଶୁଣି ପାଖ ପଡୋଶୀ ମାନେ ମଧ୍ୟ ଫୁସୁରୁ ଫାସର୍ ହୋଇ ଚାଲି ଯିବାକୁ ଆରମ୍ଭ କଲେ। 

ବାଲକୋନୀରୁ ମୁଁ, ଏ ସବୁ ଲକ୍ଷ୍ୟ କରି ନୀରବଦ୍ରଷ୍ଟା ସାଜିଥାଏ କେବଳ।


ଅମିତ୍ ସ୍ୱଭାବରେ ଖୁବ୍ ଶାନ୍ତ, ସରଳ ଯୁବକ ପରି ମନେ ହୁଅନ୍ତି, ଆଉ ଅଙ୍କିତା ବେଶ୍ ଆତ୍ମଗର୍ବୀ, ଅହଙ୍କାରୀ ପରି ମନେ ହୁଅନ୍ତି .....।।


କେଜାଣି କେଉଁ ଏକ ପ୍ରାଇଭେଟ୍ କମ୍ପାନୀରେ ଦୁହେଁ କର୍ମରତ ବୋଲି ଶୁଣିଥିଲି । 


ଦିନ ଏଗାରଟା ବାଜିଲେ ଦୁହେଁ ବାଇକ୍ ରେ ବସି ଚାଲିଯାଆନ୍ତି ଅଫିସ୍ କୁ ଆଇକାଡ୍ ପକେଇ। ଫେରନ୍ତି ରାତି ନଅଟା ବେଳକୁ।

 ସରକାରଙ୍କ ଆଇନର ଭରପୁର ଫାଇଦା ଉଠେଇ ଦୁହେଁ ବିନା ବାହାଘରରେ ସାଙ୍ଗ ହୋଇ ରୁହନ୍ତି ଗୋଟିଏ ଘରେ । 


 ଏ, କଥା ଦିନେ ଅଙ୍କିତା ନିଜେ ସ୍ବୀକାର କରିଛନ୍ତି ପାଖ ପଡୋଶୀରେ ଥିବା କିଛି ମହିଳାଙ୍କ ପାଖରେ। କାରଣ,କଲୋନୀରେ ଥିବା କିଛି ଭଦ୍ର ମହିଳାମାନେ ଏ ବିଷୟ ନେଇ ପ୍ରଶ୍ନ ପଚାରିଥିଲେ ଅଙ୍କିତାଙ୍କୁ ।

ସେତେବେଳେ ଅଙ୍କିତା ବେଫିକର୍ ହୋଇ ଉତ୍ତର ଦେଇଥିଲେ ,


 "ପ୍ରଥମେ ତ ଆମେ ଦୁହେଁ ଦୁହିଁଙ୍କୁ ପରସ୍ପରକୁ ଭଲ ଭାବରେ ଜାଣି ସାରିଲା ପରେ ଯଦି ଉଚିତ୍ ମନେ କରିବୁ ବାହାହେବୁ ।"

ଆଉ ଆପଣମାନେ ଆମ ବିଷୟରେ ଦୟାକରି ମୁଣ୍ଡ ଖେଳାନ୍ତୁ ନାହିଁ ବୋଲି।


ମତେ ଏ ସବୁ ଶୁଣି ଆଶ୍ଚର୍ଯ୍ୟ ଲାଗିବା ସହ ବହୁତ ଖରାପ୍ ଲାଗିଲେ ବି କିଛି କହି ପାରେନି କାରଣ କାହାର ବ୍ୟକ୍ତିଗତ ବ୍ୟାପାରରେ ହସ୍ତକ୍ଷେପ କରିବା ମତେ ଆଦୌ ପସନ୍ଦ ନୁହେଁ କି ଶୋଭନୀୟ ମଧ୍ୟ ନୁହେଁ ।


 ବେଳେ ବେଳେ ଭାବେ ହାଏ ଏ, କିପରି ଯୁଗ ହେଲା ପୁଅ ଝିଅ ଆଗୁଆ ରିଲେସନ୍‌ ସିପ୍ ରେ ରହି ପୁଣି ମନକୁ ପାଇଲେ ବାହା ହେବେ ! 

ଏହା ତ ଆମ ଓଡ଼ିଆ ଜଗନ୍ନାଥ ସଂସ୍କୃତିରେ ଘୋର ପାପ ବୋଲି ଧରାଯାଏ।


ପତି, ପତ୍ନୀର ପବିତ୍ର ସମ୍ବନ୍ଧ ହେବା ପୂର୍ବରୁ ଏ କି ପ୍ରକାର ସମ୍ପର୍କ ସତେ !


ହଁ , ଆମ ଯୁଗ କଥା ଅଲଗା ଥିଲା, ଆଉ ଏବେ ଆଧୁନିକ ଯୁଗ ହୋଇଛି ପରା।


    ଇତି ମଧ୍ୟରେ ପୋଲିସ୍ ଆସି ପୋଷ୍ଟଅଟମ୍ ପାଇଁ ଅମିତ୍ ଙ୍କ ଡେଡ୍ ବଡିକୁ ଆମ୍ବୁଲାନ୍ସ୍ ରେ କେତେବେଳୁ ନେଇଯାଇଛି।


 ସନ୍ଧ୍ୟା ବେଳେ ଶୀତ ପବନଟା କେମିତି ଭାରି ଭାରି ଲାଗୁଥିଲା।

ମାଟିରୁ ଧୂଆଁ ବାହାରି ମେଘ ଭଳି ଦୃଶ୍ୟମାନ ହେଉଥାଏ।

ମତେ ଟିକେ ଡରଡର ଲାଗୁଥିଲା।

 

ଭାବନା ରାଇଜରେ ହଜିଗଲି କିଏ ଏଇ ଅମିତ୍ ଆଉ ଅଙ୍କିତା? 

କୁଆଡେ଼ ଗଲେ ୟାଙ୍କ ପରିବାର ଲୋକେ ? କିଛି କୂଳ କିନରା ପାଉ ନଥିଲି .... ବାଲକୋନୀରେ ବସି ଶୂନ୍ୟ ଆକାଶକୁ ଅନେଇଥିଲି ।


  ଆଖିକୁ ନିଦ ନ ଥାଏ ମୋର।

 ଏମିତି ମତେ ରାତିରେ ପ୍ରାୟତଃ ନିଦ ହୁଏନି।ତେଣୁ ଅଭ୍ୟାସ ବଶତଃ ପଢ଼ାପଢ଼ି, ଲେଖାଲେଖିରେ ରହିଯାଏ । କେତେବେଳେ ଭୋର୍ ହୋଇଯାଏ ଜଣା ପଡ଼େ ନାହିଁ।


ହଠାତ୍ କିଛି ଶବ୍ଦ ଶୁଣି ମୁଁ ଚମକି ପଡିଲି! ମୋବାଇଲ୍ ଦେଖିଲି ରାତି ଗୋଟାଏ !!


ଏତେ ରାତିରେ ଅଙ୍କିତା ସହ କିଏ କଥା ହେଉଛନ୍ତି ଫୋନ୍ ରେ ??

  

 ସ୍ପଷ୍ଟ ଶୁଣି ପାରୁଥିଲି କଥା ଗୁଡ଼ିକ କାରଣ ମୋ ଘର ବାଲକୋନୀକୁ ଲାଗି ଅଙ୍କିତାଙ୍କ ବେଡ୍ ରୁମ୍ ଥିଲା । ଅଙ୍କିତା କାହା ସହ କଥା ହେବାର ସ୍ପଷ୍ଟ ଶୁଣି ପାରୁଥିଲି ମୁଁ ବାଲକୋନୀରେ ବସି ବସି।


 ଅଙ୍କିତା କହୁଥିଲେ ଯେ ,"ଏବେ ଆମ ରାସ୍ତାର କଣ୍ଟା ତ ସଫା ହୋଇଗଲା ଆଉ ଡେରି କାହିଁକି? କିଛି ଟଙ୍କା ପୋଲିସ୍ କୁ ଦେଇ କେଶ୍ ରଫା ଦଫା କରି ଏଠୁ ଜଲ୍ଦୀ ମତେ ତୁମ ସହ ନେଇ ଚାଲ ଦୁବାଇ।"


କିଛି ସମୟ ପାଇଁ ମୁଁ ଶୂନ୍ୟ ହୋଇଗଲି , ପିଠିର ଚମଡ଼ା ଭେଦ କରି ମୋ ପଞ୍ଜରା ହାଡ଼ ଗୁଡ଼ିକ ଯେପରି ଥରି ଉଠିଲା , ମୁଁ ସ୍ଥିର ହୋଇ ବସି ମୋ ବାଲକୋନୀକୁ ସ୍ପଷ୍ଟ ଶୁଣାଯାଉଥିବା କଥା ଗୁଡ଼ିକୁ ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ କାନ ଡେରି ଶୁଣିଲି।


ଅଙ୍କିତା କହି ଚାଲୁଥିଲେ " ଅମିତ୍ ତ ଏମିତି ଅନାଥ ,ତାଙ୍କ କେଶ୍ ଲଢ଼ିବା ପାଇଁ ଆଉ କେହି ନାହାନ୍ତି ତାଙ୍କର ନିଜର ବୋଲି। ଆଉ ତାଙ୍କର ପ୍ଲାନ୍ କୁଆଡ଼େ ସଫଳ ହୋଇଯାଇଛି।ଅଫିସ୍ ପ୍ରେସର୍ ରେ ଅମିତ୍ ଆତ୍ମହତ୍ୟା କରିଛନ୍ତି ବୋଲି ସବୁ ତଥ୍ୟ ସେ କୁଆଡ଼େ ଯୋଗାଡ଼ କରି ସାରିଛନ୍ତି.... ଆଉ ଅମିତ୍ ଙ୍କର ହେଣ୍ଡ ରାଇଟ୍ଟିଂ ସହ ମ୍ୟାଚ୍ କରିଲା ଭଳି ଜଣଙ୍କ ଠାରୁ ସୁସାଇଡ୍ ନୋଟ୍ ମଧ୍ୟ ଲେଖେଇ ନେଇଛନ୍ତି ମିସ୍ ଅଙ୍କିତା ।


 ଲାପଟପ୍ ହାର୍ଡ ଡିସ୍ ରୁ ସବୁ ଫଟୋ ଓ ଦରକାରୀ ଦସ୍ତାବେଜ୍ ସଫା କରିଦେଇଛନ୍ତି କୁଆଡ଼େ ସେ !!


 ସବୁକିଛି ପ୍ଲାନ୍ ଅନୁଯାୟୀ ସେଟ୍ ହୋଇ ଯାଇଛି କେବଳ ଉକ୍ତ ଭଦ୍ର ବ୍ୟକ୍ତିଙ୍କ ଆସିବା ପାଇଁ ଅପେକ୍ଷା କେବଳ କରିଛନ୍ତି ମିସ୍ ଅଙ୍କିତା କୁଆଡ଼େ ......!!!


ହେ ଭଗବାନ୍ !!ଏହା ଏକ ଆତ୍ମହତ୍ୟା ନୁହେଁ ଜଘନ୍ୟ ହତ୍ୟାକାଣ୍ଡ??


ଏତେ ସବୁ ଶୁଣି ବରଦାସ୍ତ କରିବା ପାଇଁ ଭାରି କଷ୍ଟ ଲାଗୁଥିଲା ମତେ।


ଭାବିଲି କିଏ ଏହି ବ୍ୟକ୍ତି? ସୁଦୂର ଦୁବାଇରୁ ଆସି ଅଙ୍କିତାଙ୍କୁ ସାଙ୍ଗରେ ନେଇଯିବା ପାଇଁ ଅଙ୍କିତା ବାରମ୍ବାର ଅନୁରୋଧ କରୁଛନ୍ତି କାହିଁକି??।


 ଟଙ୍କା ପାଇଁ ଆଜିକାଲି ଝିଅମାନେ କେତେ ତଳକୁ ଖସି ଯାଉଛନ୍ତି ସତେ!!


ଦୁଇ ଦିନ ପରେ ଦେଖିଲି ଜଣେ ୫୫/୫୬ ବର୍ଷ ବୟସ୍କ ବ୍ୟକ୍ତି ବେଶ୍ ସଂଭ୍ରାନ୍ତ ପରିବାରର ଲୋକ ଭଳି ଦିଶୁଛନ୍ତି ହଣ୍ଡା ସିଟି କାର୍ ରେ ଆସି ଓହ୍ଲାଇ ପଡ଼ିଲେ ମିସ୍ ଅଙ୍କିତାଙ୍କ ତଥାକଥିତ ଘର ସାମ୍ନାରେ।


ଅଙ୍କିତା ବେଶ୍ ଖୁସି ଖୁସି ଘରୁ ବାହରକୁ ବାହାରି ଆସି କୁଣ୍ଢେଇ ପକେଇ ପାଛୋଟି ନେଲେ ଘର ଭିତରକୁ।


 ମୁଁ ତିନି ଦିନ ହେଲାଣି ହକ୍କା ବକ୍କା ହୋଇ ସବୁ କିଛି ଅନୁଧ୍ୟାନ କରୁଥାଏ। 


  କିଛି ସମୟ ପରେ ଜଣେ ପୋଲିସ୍ ଆସି ଅଙ୍କିତାଙ୍କ ଘର ଭିତରକୁ ପ୍ରବେଶ କରିଲେ। 

ପ୍ରାୟ ଅଧ ଘଣ୍ଟାଏ ପରେ ପୋଲିସ୍ ଜଣଙ୍କୁ ହସି ହସି ଅଙ୍କିତା ଆଉ ଉକ୍ତ ଭଦ୍ର ବ୍ୟକ୍ତି ଜଣକ ବିଦାୟ ଦେଲେ ।


 ଅମିତ୍ ଙ୍କ ଆବର୍ତ୍ତମାନରେ ପୁରା କଲୋନୀ ଦୁଃଖିତ ଥିବା ବେଳେ ଅଙ୍କିତା ବେଶ୍ ଖୁସି ଖୁସି ଥିବା ପରି ଅନୁଭୁତ ହେଉଥିଲେ ।


ଚତୁର୍ଥ ଦିନ ରାତି ଅଭ୍ୟାସ ପୂର୍ବକ ସ୍ବଭାବକ୍ରମେ ମତେ ଆଦୌ ନିଦ ହେଉ ନଥାଏ। ମୁଣ୍ଡ ବିନ୍ଧି ଖୁବ୍ ଭାରି ଭାରି ଲାଗୁଥାଏ।


 ମୁଁ ପୂର୍ବପରି ମୋବାଇଲ୍ ଧରି କିଛି କବିଙ୍କ କବିତା ପଢୁଥାଏ।


ହଠାତ୍ କିଛି ଶବ୍ଦ ଶୁଣି ଚମକି ପଡ଼ିଲି। ଇଚ୍ଛା ନଥିଲେ ମଧ୍ୟ ଗୋଡ ଦୁଇଟି ଆପେ ଆପେ ଟାଣି ହୋଇଗଲା ଅଙ୍କିତାଙ୍କ ଘର ଆଡ଼କୁ।


  ଅଙ୍କିତାଙ୍କ ବେଡ୍ ରୁମ୍ କାଚ ଝରକାର ସାମାନ୍ୟ ପରଦା ଫାଙ୍କରେ ଜଳୁଥିବା ଜିରୋ ଲାଇଟ୍ ଆଲୋକରେ ବେଡରୁମ୍ ଭିତରର ଦୃଶ୍ୟ ଯାହା ମୁଁ ଦେଖିଲି ,ମୋ, ଗୋଡ଼ ତଳୁ ମାଟି ଖସିଲା ପରି ଅନୁଭୁତ ହେଲା।


ଛିଃ ,ଛିଃ ଏ କଣ !!

ସେଇ ପ୍ରୌଢ଼ ବ୍ୟକ୍ତି ଆଉ ବାଇଶି, ତେଇଶି ବର୍ଷର ଅଙ୍କିତା !!

ଦୁହେଁ ଦୁହିଙ୍କ ଆବୋଶରେ ଏତେ ଲିପ୍ତ ଥିଲେ ଯେ, କାଚ ଝରକାକୁ ଭଲ ଭାବରେ ବନ୍ଦ୍ କରିବା ପାଇଁ ବୋଧେ ଭୁଲି ଯାଇଥିଲେ ସେମାନେ ।


ଛାତି ଭିତରୁ ଗୋଟାଏ ଦମକା ପବନ ବାହାରି ଆସିଲା ମୋର ।ମୁଁ ସ୍ତବ୍ଧ ହୋଇଗଲି ।।

ନିରୁତ୍ତର ମଧ୍ୟ.....


କୌଣସି ପ୍ରକାରରେ ସାଇଡ଼୍ ରେ ଥିବା ମୁଁ ,ମୋ ଘରକୁ ଫେରି ଆସିଥିଲି ସେଦିନ ।


ଏତେ ଥଣ୍ଡାରେ ବି ମୁଁ , ଝାଳନାଳ ହୋଇ ଦୁଇ ବୋତଲ ପାଣି ପିଇଗଲି।


ପୁଅ ଝିଅ ବଡ଼ ହେଲା ପରେ ଏ କି ପ୍ରକାର ଆଜିର ଆଧୁନିକ ମାନସିକତା?

ମଣିଷ ମାରି ଦେବାକୁ ବି ପଛାଉ ନାହାନ୍ତି ଏମାନେ!! ଆଉ ଟଙ୍କାର ଲାଳସା ଏତେ ମାତ୍ରାରେ ପ୍ରବଳ ଯେ, ବୟସ ବି ହାର ମାନି ଯାଉଛି ୟାଙ୍କ ପାଖରେ। କେତେ ତଳକୁ ଖସି ଯାଉଛନ୍ତି ଏମାନେ ସତେ!!


 ଧନ୍ୟରେ ଲିଭ୍ ଇନ୍ !!


ପ୍ରତେକଙ୍କ ସହିତ ପ୍ରେମ ସମ୍ପର୍କର ପୃଷ୍ଠଭୂମି ଆଜି କେବଳ କଣ ଲିଭ୍ ଇନ୍ ??


ସଭ୍ୟତା ସଂସ୍କୃତିର ଏ କି ବିକଳାଙ୍ଗ ଅବସ୍ଥିତି ଏବେ ସତେ??


ମୁଣ୍ଡଟା ଫାଟିଗଲା ପରି ମନେ ହେଉଥିଲା, ଭାବୁଥିଲି ଚିତ୍କାର କରି ଡ଼ାକି ସମସ୍ତଙ୍କୁ କହିଦେବି ସେଦିନର ଘଟଣା ସବୁକୁ।

ଯାହା ଯାହା ସବୁ ଶୁଣିଥିଲି ଆଉ ଦେଖିଥିଲି ମୁଁ ,ଝରକା ଫାଙ୍କରେ.... !!


ନା..... ଆଇନ୍ ପରା ଏମାନଙ୍କୁ ସ୍ଵାଧୀନତା ଦେଇଛି।


ସ୍ଵାଧୀନତା ??

ନା ସ୍ବେଚ୍ଛାଚାରିତା ??


କେତେବେଳେ ମୋର ଆଖି ଲାଗିଯାଇଥିଲା ସେଦିନ । ଆଉ ଆଖି ଖୋଲିଲା ବେଳକୁ ଦିନ ନଅଟା !!

ଧଡ଼ ପଡ଼ ହୋଇ ଉଠି ମୁଁ ବାଲକୋନୀକୁ ଯାଇ ଦେଖିଲାବେଳକୁ ଅଙ୍କିତାର ଘର ଚାବି ପଡ଼ିଥାଏ।


 କୁଆଡେ଼ ଗଲେ ସେମାନେ ଏତେ ସକାଳୁ ସକାଳୁ??


  ଭାବୁଭାବୁ ପାଖ ଘରୁ ଜଣେ ପଡୋଶୀ ହିସାବରେ ଅପା ହେବେ, ମତେ ଦେଖି କହିଲେ କହିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ମ...

ଏପରି ସବୁ ଆଜିକାଲି କମନ୍ ହୋଇଗଲାଣି।

ଅଙ୍କିତା ଆଉ ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ଦୁବାଇ ଚାଲିଗଲେ ନୂତନ ଲିଭ୍ ଇନ୍ ସନ୍ଧାନରେ.. । 


ହେଲେ ମୁଁ ବୁଝି ପାରୁ ନଥିଲି ଲିଭ୍ ଇନ୍ ପାଇଁ ଅମିତ୍ ଙ୍କୁ ବଳି ଦେବା କଣ ଏତେ ଆବଶ୍ୟକ ଥିଲା??


ହାଏରେ ଆଇନ୍ କାନୁନ୍ ଆଉ ପୋଲିସ୍...


ଆଉ ବିଚରା ଅମିତ୍....


 ପ୍ରେମବିବାହ ସ୍ବପ୍ନକୁ ସାକାର କରିବା ଆଜିର ଆଧୁନିକ ଲିଭ୍ ଇନ୍ ସମ୍ପର୍କର ଭୟାବହ ସଂକ୍ରାମକ ବ୍ୟାଧିର ଶେଷ ଯେ ,କେତେ ଦୁଃଖଦ ପରିସ୍ଥିତିକୁ ନିୟନ୍ତ୍ରଣ ଦେଉଛି ତାହା କଳ୍ପନା ବାହାରେ ବୋଧହୁଏ...।


ଆଧୁନିକତାର ସ୍ପର୍ଶ ଲିଭ୍ ଇନ୍ !!



Rate this content
Log in

Similar oriya story from Abstract