ଲେଉଟା ପାର୍ବଣ
ଲେଉଟା ପାର୍ବଣ
ଜାନକୀ... ଜାନକୀ... ଏ ଜାନକୀ, କୁଆଡେ଼ ଗଲ ମ !! ସକାଳୁ ସକାଳୁ ଏମିତି କେଉଁ କାମରେ ବ୍ୟସ୍ତ ରହିଗଲ ଯେ ଶୁଣୁ ନାହଁ ? ଆରେ ଏଣେ ପରା ମୋର ବିଳମ୍ବ ହୋଇ ଗଲାଣି । ଆଜି ଟିକେ ସଅଳ ଯିବାର ଥିଲା ସ୍କୁଲକୁ କାରଣ ପାର୍ବଣ ଛୁଟି ପାଇଁ ସବୁ ଖାତାପତ୍ର କାମ ସାରିବାକୁ ହେବ । ସରକାର ଏଥର କଡ଼ା ନିୟମ କରିଛନ୍ତି । କୌଣସି ଛୁଟି ପରେ ଯେମିତି କିଛି ବିଷୟବସ୍ତୁ ବଳି ନପଡୁ । ସିଲାବସ୍ ଅନୁଯାୟୀ ସବୁ ଶେଷ କରିବାକୁ ହେବ । ହଉ ଛାଡ଼ ତୁମକୁ ଏ ସବୁ କହିଲେ ତୁମେ ବା କଣ କରିପାରିବ । ଦେଖ ତ ମୋ ପାକେଟ ପାନିଆଟା କେଉଁଠି ରହିଲା ମୁଁ ପାଉନାହିଁ । ଶୀଘ୍ର ଖୋଜିଦେଲେ ମୁଁ ଯିବି। ବାସୁ ମାଷ୍ଟ୍ରେଙ୍କ ମୁହଁରୁ ଏତିକି କଥା ସରୁ ସରୁ ତାଙ୍କ ଘରଣୀ ହାତରେ ଟିଫିନ୍ ବାକ୍ସ ଧରି ପହଞ୍ଚି ଗଲେ ।
ଆରେ ବାବା..! ତୁମର ସବୁ କାମ ଗୁଡା ଏକାବେଳେ ଦରକାର ମୁଁ ତ ପୁଣି ଜଣେ ମଣିଷ, ଏତେ ଶୀଘ୍ର କେମିତି ଏସବୁ କାମ କରିବି ଯେ ? ଏପଟରେ ପିଲାମାନଙ୍କୁ ସମ୍ଭାଳିବା, ବାରିରୁ ପନିପରିବା ଆଣିବା, ରୋଷେଇ କରିବା, ଟିଫିନ୍ ବାକ୍ସ ସଜାଡ଼ିବା, ଘର ଓଳେଇବା, କୂଅରୁ ପାଣି କାଢ଼ିବା, ଗାଧୁଆ ପାଧୁଆ କରିବା, ବଗିଚାରୁ ଫୁଲ ତୋଳିବା, ଠାକୁର ପୂଜା କରିବା, ସମସ୍ତଙ୍କର କପଡ଼ାଲତା ଧୋଇବା, ଆହୁରି ଅନେକ କାମ । ନିଜର ତ ପୁଣି କିଛି ପେଟ ପାଟି ଅଛି କି ନାହିଁ ? ହଁ ତୁମେ ବା କ'ଣ କରିବ ? ଯେହେତୁ ମୁଁ ଜଣେ ନାରୀ ଏ ସବୁତକ ମୋତେ ହିଁ କରିବାକୁ ପଡ଼ିବ। ଏଇ ନିଅ ତୁମ ପାନିଆ, ବହୁତ ମଇଳା ହୋଇଯାଇଥିଲା ତ, ମୁଁ ସଫା କରିବା ପାଇଁ ନେଇଥିଲି । ଜାନକୀ ଆଖିରୁ ଦୁଇ ଟୋପା ଲୁହ ନିଗାଡ଼ି ଦେଲା ।
ବାସୁ ମାଷ୍ଟ୍ରେ ସ୍କୁଲକୁ ଯାଇଥିଲେ ସତ କିନ୍ତୁ ସେ ଅନ୍ୟମନସ୍କ ରହୁଥିଲେ । ଯେମିତି ଗୀତ ଗାଇ ଗାଇ ସାହିତ୍ୟ ପଦ୍ୟ ପଢାନ୍ତି । ସୁନ୍ଦର ସରଳ ଭାଷାରେ ଗପ କହିଲା ଭଳି ଗୋଟି ଗୋଟି କରି ପଦ୍ୟକୁ ବୁଝାନ୍ତି । ସେମିତି ନପଢ଼ାଇ ଖାଲି ସିଧାସଳଖ ଭାବରେ ପଢ଼ାଉଥିଲେ । ଦୁର୍ଗାପୂଜା ପାଇଁ ବିଦ୍ୟାଳୟ ଏକ ସପ୍ତାହ ଛୁଟି ରହିବାକୁ, ଏପଟେ ସମସ୍ତ ଅସମ୍ପୂର୍ଣ୍ଣ ସ୍ଥଗିତ କାର୍ଯ୍ୟ ଶେଷ କରିବାକୁ, ପୁଣି ପ୍ରଧାନ ଶିକ୍ଷକ ଭାବରେ ସମସ୍ତ ଗୁରୁ ଦାୟିତ୍ଵ ତୁଲାଇବାକୁ ତଥା ମାନସିକ ଭାରସାମ୍ୟ ଓ ଶାରୀରିକ ପରିଶ୍ରମ । କର୍ମମୟ ଜୀବନରେ ସର୍ବଦା ରେଳଗାଡ଼ି ପରି ଦୃତଗତିରେ କଠିନ ପରିଶ୍ରମ ସହିତ ଶରୀରକୁ ନିୟୋଜିତ ରଖିଥାନ୍ତି । ଫୁର୍ତ୍ତି ଓ ତତ୍ପର ରୁହନ୍ତି କିନ୍ତୁ ହଠାତ୍ ଆଜି ସମୁଦ୍ରର ଢେଉ ସ୍ଥିର ହୋଇ ଯାଇଛି । ବାଘର ଗର୍ଜନ ଶୁଭୁନାହିଁ । ବୈଶାଖ ଆକାଶରେ ଘୂର୍ଣ୍ଣିଝଡ ସୃଷ୍ଟି ହୋଇଛି । ପୁନେଇ ଜହ୍ନକୁ କଳା ବାଦଲ ଢାଙ୍କି ଦେଇଛି । ସୁବାସିତ ଫୁଲର ଉଦ୍ୟାନ ଆଜି ମରୁଭୂମି ପାଲଟି ଯାଇ, ଶରତରେ ପତ୍ରଝଡ଼ା ଦେଇଛି । ହେଲେ ଆଜି ଏମିତି ସବୁ ଓଲଟ ପାଲଟ କାହିଁକି ହୋଇଯାଇଛି । ନା ଜମା ନୁହେଁ, ବାସୁ ମାଷ୍ଟ୍ରେଙ୍କ ମନଟା ଜମା ବୁଝୁନଥାଏ । ତାଙ୍କ ପତ୍ନୀଙ୍କର ଏଭଳି ବ୍ୟାକୁଳତା, ଆଖିରୁ ଲୁହ ଝରିବା ଦୃଶ୍ୟ ତାଙ୍କୁ ପାଗଳ କରିପକାଉଛି, ସେ ସ୍ଥାଣୁ ପାଲଟି ଯାଇଛନ୍ତି।
ବୋଧହୁଏ ତାଙ୍କ ଝିଅ କଲ୍ୟାଣୀ ପାଇଁ ଏସବୁ ହୋଇଛି । ଝିଅ ତ ନୁହେଁ ସତେ ଯେମିତି ମା ଦୁର୍ଗାଙ୍କ ପ୍ରତିମାଟିଏ ତାଙ୍କ ଘରେ ଆବିର୍ଭାବ ହୋଇଥିଲା । ସେଥିପାଇଁ ବାସୁ ମାଷ୍ଟରଙ୍କ ପତ୍ନୀ ଜାନକୀ ଝିଅର ନାଁ କଲ୍ୟାଣୀ ରଖିଥିଲେ । ତା'ର ଜନ୍ମ ବି ମଧ୍ୟ ଏଇ ଦୁର୍ଗା ଅଷ୍ଟମୀରେ ହୋଇଥିଲା । ଯେଉଁ ସ୍ତ୍ରୀ କାଲି ମଧୁର ମଧୁର କଥାରେ ସମସ୍ତଙ୍କ ମନ କିଣିନେଉଥିଲା, ଯାହାର ହସରେ ଏ ସଂସାର ହସି ଉଠୁଥିଲା, ଆଜି ସେ କ'ଣ କେତେବେଳେ କରୁଛି କେହି କିଛି ବୁଝି ପାରନ୍ତି ନାହିଁ । ଶହେ ପଦରେ ପଦେ କହି ରହିଯାଏ । କେବଳ ସେ ଅପେକ୍ଷା କରିଥାଏ ଦଶହରା ମେଳାକୁ । ମେଳା ଦେଖି ଯିବା କଥା କହିଲେ ସେ ସବୁକିଛି ଭୁଲି ଦଶହରା ମେଳା ଯିବା ପାଇଁ ବ୍ୟାକୁଳ ହୋଇ ଉଠେ, ଏମିତିକି ବାସୁ ମାଷ୍ଟ୍ରେଙ୍କ ପାଦ ଧରି ମୁଣ୍ଡ ପିଟେ । ପାଗଳି ପରି ଗଡ଼ିଯାଏ, ଆଉ କୁହେ "ଏ ମୋତେ ଏଥର ମେଳାକୁ ନେବ ନା !" ବାସୁ ମାଷ୍ଟ୍ରେ ହଁ କହି ତାଙ୍କ ଛାତିରେ ଚାପି ଧରନ୍ତି । ଆଖିର ଲୁହ ଓଠରେ ପିଇ ଯାଆନ୍ତି । ମେଳାରୁ ନିରାଶ ହୋଇ ଫେରି ଆସନ୍ତି ପ୍ରତିବର୍ଷ । ବହୁତ ଆଶା ନେଇ ଜାନକୀ ମେଳାକୁ ଯାଏ ସତ, କିନ୍ତୁ ତା ଆଶା ପୂରଣ ହୁଏ ନାହିଁ । ତା' ଭଙ୍ଗା ମନ କେବେ ଯୋଡ଼ି ହୁଏ ନାହିଁ । ସତରେ କ'ଣ ଜାନକୀ ଏମିତି ଦଶହରା ମେଳାକୁ ଯାଉଥିବ, ଆଉ ନିରାଶ ହୋଇ ଫେରୁଥିବ ! ତା' ଆଶା କ'ଣ ଆଶାରେ ରହିଯିବ ଏମିତି ? ତା' ମୁହଁରେ କ'ଣ ଆଉ ହସ ଫୁଟିବ ନାହିଁ ? କିଏ ଛଡ଼େଇ ନେଇଛି ତା' ଖୁସି ? କେଉଁ ରାଇଜରେ ତା' ସ୍ୱପ୍ନର ତାଜମହଲ ହଜିଗଲା ?
ଆଜିକୁ ପ୍ରାୟ ପାଞ୍ଚ ବର୍ଷ ତଳର କଥା:- ପାର୍ବଣ ମେଳା ଦେଖିବାକୁ ବାହାରିଥିଲେ ବାସୁ ମାଷ୍ଟ୍ରେ ଓ ତାଙ୍କ ଘରଣୀ ଜାନକୀ । ସାଥିରେ ତାଙ୍କର ଏକ ମାତ୍ର ଅଲିଅଳି ଜ୍ୟେଷ୍ଠ କନ୍ୟା କଲ୍ୟାଣୀ ଏବଂ ମଧ୍ୟମ, କନିଷ୍ଠ ଦୁଇ ପୁତ୍ର ମଧ୍ୟ ଥିଲେ । ସେତେବେଳେ କଲ୍ୟାଣୀର ବୟସ ମାତ୍ର ସାତ ପୂରି ଆଠ ବର୍ଷ ଚାଲିଥାଏ । ପିଲାଟି ବଡ ବୁଦ୍ଧିମତୀ, ଡଉଲ ଡାଉଲ ପୁଣି କୌତୁକିଆ ଥିଲା । ମେଳାରେ ଜାନକୀ ଗୋଟାଏ ଛୁଆକୁ କାଖେଇ ଥାଏ ତ ବାସୁ ମାଷ୍ଟ୍ରେ ଗୋଟାଏ ଛୁଆକୁ କାଖେଇ ଥାଆନ୍ତି । ଆଉ କଲ୍ୟାଣୀ ପିତା ମାତାଙ୍କ ହାତ ଧରି ଚାଲିଚାଲି ଯାଉଥାଏ । ସେଠାରେ ବିଭିନ୍ନ ପ୍ରକାର ଦୋକାନ ବଜାର ପଡ଼ିଥାଏ । କେଉଁଠି କେଉଁଠି ଖାଇବା ପିଇବା ଜିନିଷ ତ କେଉଁଠି କେଉଁଠି ହାତୀ ଘୋଡ଼ା ଭଳି ବିଭିନ୍ନ ଖେଳନା ପଡ଼ିଥାଏ । ଜାଗା ଜାଗାରେ ମଧ୍ୟ କଣ୍ଢେଇ ନାଚ ହେଉଥାଏ ତ ଅନ୍ୟ ପଟେ ଆକାଶ ଦୋଳି ଲାଗିଥାଏ । ମା ଦୁର୍ଗାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ ବହୁତ ହୋଇଥାଏ । ପେଁକାଳୀ , ଖୋଳ, ମର୍ଦ୍ଧଲ, ଢୋଲ, ହରିବୋଲ, ହୁଳହୁଳି, ଶଙ୍ଖନାଦର ଧ୍ଵନି ଗର୍ଜନ କରୁଛି କାରଣ ଜଗତ ଜନନୀ ଧରାବତରଣ ହୋଇଛନ୍ତି । ଏଭଳି କୋଳାହଳ ଭିଡ଼ ଭିତରେ କଲ୍ୟାଣୀ ପିତା ମାତାଙ୍କ ହାତ ଛଡା ହୋଇଗଲା । ବାସୁ ମାଷ୍ଟ୍ରେ ଜାନକୀ ପଛକୁ ବୁଲି ଦେଖନ୍ତି କଲ୍ୟାଣୀ ନାହିଁ । ସତେ ଯେମିତି ସମୁଦ୍ରର ଢେଉ ଭଳି ଭକ୍ତଙ୍କ ଭିଡ଼ ଆଗକୁ ପଛକୁ ଲହଡ଼ି ଭାଙ୍ଗୁଛି । କେଉଁଠୁ ବା ଝିଅକୁ ପାଇବେ ? ପିତାମାତାଙ୍କ ପାଦ ତଳୁ ମାଟି ଖସିଗଲା । ଖୋଜି ଖୋଜି ନୟାନ୍ତ ହୋଇପଡିଲେ କିନ୍ତୁ କଲ୍ୟାଣୀକୁ ପାଇଲେ ନାହିଁ । ସେହି ଦିନ ଠାରୁ ଜାନକୀ ଝିଅର ଫେରିବା ବାଟକୁ ଚାହିଁ ରହିଛି ଯେ ଆଜିକୁ ପାଞ୍ଚ ବର୍ଷ ବିତି ଗଲାଣି ।
ବିଦ୍ୟାଳୟର ଘଣ୍ଟାଟା ଟିଙ୍ଗଟିଙ୍ଗ ହୋଇ ବାଜିବାରୁ ବାସୁ ମାଷ୍ଟ୍ରେଙ୍କ ମୁହଁରୁ ବାହାରିଲା "ଓଃ ଏତେ ସମୟ ହୋଇଗଲାଣି।" ହାତରୁ ଟିକେ ସାର୍ଟ ଉଠେଇ ଘଡି ଦେଖନ୍ତି ତ ଚାରିଟା ବାଜିଥିଲା । ପିଲାମାନେ ବହି ବସ୍ତାନି ଧରି ଖୁସିରେ ହୋହାଲ୍ଲା କରି ଘରକୁ ଧାଇଁ ଯାଉଥାନ୍ତି । କାରଣ ଦୁର୍ଗାପୂଜା ପାଇଁ ଆଜିଠାରୁ ବିଦ୍ୟାଳୟ ଗୋଟିଏ ସପ୍ତାହ ଛୁଟି ରହିବ । ଏତିକିବେଳେ ବିଦ୍ୟାଳୟର ଚପରାସି ରଘୁଭାଇ ଆସି କହିଲେ " ସାର୍ ମୁଁ ସବୁ ଠିକ ଠାକ୍ ରେ ବନ୍ଦ କରିଦେଇ ଚାବି ପକେଇ ଦେଇଛି।" ବାସୁ ମାଷ୍ଟ୍ରେ କହିଲେ ହଁ ତମେ ଏବେ ଚାଲ, ମୁଁ ଟିକେ ପରେ ଆସୁଛି ।
ବାସୁ ମାଷ୍ଟ୍ରେ ଫେରିବା ବାଟରେ କିଛି ଫଳମୂଳ ଆଦି ଧରି ପହଞ୍ଚି ଗଲେ । ଜାନକୀ ତାଙ୍କ ହାତରୁ ଏ ସବୁ ଦେଖି ବହୁତ ଖୁସି ହୋଇଗଲା । ତା'ର ମନେ ପଡ଼ିଲା ଯେ କାଲି ଦଶହରା ମେଳା ଦେଖିବାକୁ ଯିବ । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ବହୁତ ଆଶା ନେଇ ଜାନକୀ ଝିଅର ଶୁଭ ମନାସିଛି । ବୋଧ ହୁଏ ମା ମଙ୍ଗଳା ତା' ଡ଼ାକ ଶୁଣିବେ ଆଉ କଲ୍ୟାଣୀ ମିଳିଯିବ । ପାର୍ବଣ ଋତୁର ମଳୟ ପବନରେ ଶୁଭ୍ର କାଶତଣ୍ଡୀର ଚାମର ଦୋହଲି ଯାଉଛି । ସବୁଜ ସୁଷମାରେ ବିମଣ୍ଡିତ ହୋଇଛି ଧରଣୀ । ଜହ୍ନର ଜୋଛନା ଦେଖି ସରସୀ କୋଳରେ କୁମୁଦିନୀ ଦୋଳି ଖେଳୁଛି। ସନ୍ଧ୍ୟାର ସୁନେଲି କିରଣରେ ସତେ ଯେମିତି ରଜନୀରାଣୀ ରୋଷଣୀ କରି ଆସୁଛି । ଏହି ସୁରମ୍ୟ ଶୁଭ ଲଗନରେ ସମସ୍ତେ ବାହାରି ପଡ଼ିଲେ ବିଶ୍ୱରୂପାଙ୍କ ଦିବ୍ୟ ଦର୍ଶନ ପାଇଁ । ସବୁ ଥର ଅପେକ୍ଷା ଏଥର ଟିକେ ନିଆରା ପଦ୍ଧତିରେ ସାଜସଜ୍ଜା ହୋଇଥାଏ କଟକ ସହର । ଦୁର୍ଗା ମଣ୍ଡପକୁ ଲାଗି ଆଉ ଏକ ନୃତ୍ୟ ମଣ୍ଡପ ପ୍ରସ୍ତୁତ କରାଯାଇଛି ଏଥର । ବାସୁ ମାଷ୍ଟ୍ରେ ମନେ ମନେ ଭାବିଲେ ଯଦି ଜାନକୀ ନୃତ୍ୟ ପରିବେଷଣ ଦେଖେ ନିଶ୍ଚୟ ତା' ମନ ଭିତରେ ଥିବା ଦୁଃଖ ଦୂର ହେବ । ବାସୁ ମାଷ୍ଟ୍ରେ ତାହା ହିଁ କଲେ, ନୃତ୍ୟ ପରିବେଷଣ ଦେଖିବା ପାଇଁ ସେଠାକୁ ଗଲେ । କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପ୍ରଥମେ ମଞ୍ଚକୁ ଏକ ବାର ବର୍ଷର ବାଳିକାଟିଏ ଆସି ସୁଲଳିତ କଣ୍ଠରେ ପ୍ରାରମ୍ଭିକ ସଙ୍ଗୀତ ଗାନ କଲା । ତାହାର କଣ୍ଠ ସ୍ଵରରେ ଅନେକ କିଛି ପରିଭାଷା ବାହାରୁଥିଲା । ଆଉ ତାହା ହିଁ କେବଳ ଜାନକୀର କର୍ଣ୍ଣଧାରରେ ପ୍ରତିଧ୍ବନିତ ହେଉଥିଲା । ସତେ ଯେମିତି ସେ ବାଳିକା ସହିତ ଜାନକୀର କିଛି ସମ୍ଭଦ୍ଧ ରହିଛି । ଲୁଚି ରହିଥିବା ମେକପ ଚେହେରା ତଳେ ସେ କଲ୍ୟାଣୀକୁ ଦେଖିପାରୁଥିଲା । ଗାନ ଶେଷରେ ଯେତେବଳେ ବାଳିକାଟିକୁ ପରିଚୟ ପ୍ରଦାନ କରିବା ପାଇଁ ଦର୍ଶକ ମଣ୍ଡଳୀ ଅନୁରୋଧ କଲେ ଏବଂ ନିଜ ବିଷୟରେ କିଛି ତଥ୍ୟ ପ୍ରଦାନ କରିବା ପାଇଁ ଅନୁରୋଧ କଲେ ସେତେବେଳେ ସେ ଜଣେ ପୂଜାରୀଙ୍କୁ ମଞ୍ଚକୁ ଆସିବା ପାଇଁ ଆହ୍ବାନ କଲା । ସେହି ପୂଜାରୀ ଜଣକ ଯିଏକି ମା ଦୁର୍ଗାଙ୍କ ପୂଜକ । ସେ ମଞ୍ଚକୁ ଆସି ନିଜର ପରିଚୟ ସହିତ ବାଳିକାଟିକୁ କେମିତି ପାଇଥିଲେ ସେ କଥା ସେ ଶୁଣାଇଲେ । କଥା ଶେଷ ହୋଇ ନଥିଲା ପୂଜାରୀଙ୍କର, ଜାନକୀ ଚିତ୍କାର କରି ଡ଼ାକିଡ଼ାକି ମଞ୍ଚ ଉପରକୁ ଚଢ଼ିଗଲା । ସତେ ଯେପରି ଆଖିରୁ ତା'ର ଗଙ୍ଗା ଯମୁନା ଧାରଧାର ହୋଇ ବୋହି ଯାଉଥାଏ । ପୂଜାରୀଙ୍କ ପାଦ ଧରି, ମୋ ଜୀବନ ଧନ କହି ସେହି ବାଳିକାଟିକୁ କୋଳେଇ ଧରି ଚୁମ୍ବନରେ ଦେହ ଭରିଦେଲା । ସମସ୍ତେ ଅପଲକ ନେତ୍ରରେ ଚାହିଁ ରହିଛନ୍ତି । ଘୋର ଗର୍ଜନ ଘଡଘଡି ବିଜୁଳି ସହିତ ମୂଷଳ ଧାରାରେ ବର୍ଷା ପବନ ପ୍ରବଳ ମାତ୍ରାରେ ବହିବାକୁ ଲାଗିଲା । ଏହି ଭୟଙ୍କର ଦୃଶ୍ୟ ଭିତରେ ସେତେ ଯେମିତି ମା ଦୁର୍ଗା ଧରାବତରଣ କରିଛନ୍ତି, ଆଉଥରେ ରାବଣ ରୂପି ପାପୀ ମାନଙ୍କୁ ସଂହାର କରିବା ପାଇଁ । ଯୋଗୀଜନ ମାନଙ୍କୁ ଉଦ୍ଧାର କରିବା ପାଇଁ । ନାରୀ ନିର୍ଯାତନା, କନ୍ୟା ଭୃଣ ହତ୍ୟା, ନାରୀ ଧର୍ଷଣକୁ ରୋକିବା ପାଇଁ, ଅନ୍ୟାୟ ଅଧର୍ମ ଦୁର୍ନୀତି ଅନ୍ଧ ରାଜନୀତିକୁ କ୍ଷୟ କରିବା ପାଇଁ, ସତ୍ୟର ଜୟ ଘୋଷଣା ପାଇଁ ।
