STORYMIRROR

Amarnath Barick

Children

4  

Amarnath Barick

Children

ରାଜା ହେବାକୁ ଯୋଗ୍ଯ କିଏ

ରାଜା ହେବାକୁ ଯୋଗ୍ଯ କିଏ

3 mins
226


       ଗୋଟେ ଦେଶରେ ଅନ୍ତର୍ଯ୍ୟାମୀ ନାମକ ଜଣେ ମହାବଳୀ, ଜ୍ଞାନୀ ତଥା ପରମ ଦୟାଳୁ ରାଜା ଥିଲେ । ନାମଟି ଯେମିତି କାମଟି ମଧ୍ୟ ସେମିତି । ସେ ଅନ୍ତର୍ଯ୍ୟାମୀ ପରି ସମସ୍ତଙ୍କ ଅନ୍ତରର କଥାକୁ ଜାଣିପାରନ୍ତି, ଉଡ଼ିଗଲା ଚଢ଼େଇର ପେଟ କଥାକୁ ଜାଣିଲା ପରି । ଦାନଧର୍ମ କରିବାରେ ସେ ତିଳେ ହେଳା କରନ୍ତି ନାହିଁ । ଯଦି କେହି ଜଣେ ଭିକାରୀ ରାଜ ଦରବାରକୁ ଭିକ୍ଷା କରିବାକୁ ଆସି ଥାଆନ୍ତି, ତାହାଲେ ମଣିମା ତାଙ୍କୁ ପାଛୋଟି ନେଇ ତାଙ୍କର ସମସ୍ତ ପ୍ରକାର ଅଭାବ ପୂରଣ କରିଥାନ୍ତି । ସେଥିଲାଗି କେବଳ ରାଜ ଉଆଁସରେ ନୁହେଁ ବରଂ ପୁରା ଦେଶର ପ୍ରଜାମାନେ ତାଙ୍କୁ ଭଲପାଉଥିଲେ ।

       ତାଙ୍କ ରାଣୀଙ୍କର ନାମ ଥିଲା ପୁଷ୍ପବତୀ । ସେ ରୂପରେ ପୁଷ୍ପଠାରୁ ଅତ୍ୟନ୍ତ ସୁନ୍ଦର ଓ କୋମଳ ଥିଲେ। ବାଟରେ ଚାଲିଗଲେ ସତେ ଯେମିତି ତାଙ୍କ ପାଦରୁ ମୁକ୍ତା ଝରିପଡେ । ତାଙ୍କ କଥା ଏତେ ମଧୁର ଏବଂ ନମ୍ର, ଭାଷାରେ କହି ହେବ ନାହିଁ । ଗୋଟିଏ ଚାଉଳରୁ ଗଢା । ଆଧ୍ୟାତ୍ମିକ ଚେତନାରେ ପରିପୂର୍ଣ୍ଣ ତଥା ସର୍ବଗୁଣ ସମ୍ପନ୍ନ ଥିଲେ । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ତାଙ୍କ ପାଖରେ ରାଜ ସମ୍ପଦ ଥାଇ ବି ସୁଧା ଟିକେ ହେଲେ ବି ଗର୍ବୀ ଅହଙ୍କାରୀ ନଥିଲେ । ଆଉ ରହିଲା ବାକି କ୍ରୋଧ ! କ୍ରୋଧକୁ ସେ ନିଜ ଆୟତ୍ତର ଲଗାମରେ ବାନ୍ଧି ରଖିଥିଲେ । ଯାହା ତାଙ୍କୁ କେବେବି ଭେଦ କରିପାରିନଥିଲା ।

       ହଁ ଏ କଥା ସତ, ରାଜଗାଦିରେ ବସିଥାଇ ମଧ୍ୟ ତାଙ୍କ ସ୍ୱାଭାବ ଅତି ସାଧାରଣ ଥିଲା । ରାଜା ହୋଇ ମଧ୍ଯ ପ୍ରଜାଙ୍କ ସାଙ୍ଗରେ ପ୍ରଜା ହୋଇ ଚଳୁଥିଲେ ।

      ରାଜା ରାଣୀଙ୍କର ଦୁଇ ପୁତ୍ର ରାଜକୁମାର ଥିଲେ । ଜଣଙ୍କର ନାମ ଅଶ୍ଵଜିତ୍ ଯିଏକି ବଡ଼ ଭାଇ ଏବଂ ଅନ୍ୟ ଜଣଙ୍କର ନାମ ବିଶ୍ୱଜିତ୍ ଯିଏକି ସାନ ଭାଇ ଥିଲା । ସର୍ବଦା ସେମାନେ ଏକତ୍ର ଖାଇବା, ଶୋଇବା, ବୁଲିବା ଏମିତିକି ଜଣେ ଜଣଙ୍କୁ ନଦେଖିଲେ ରହିପାରନ୍ତି ନାହିଁ । କିନ୍ତୁ ସ୍ୱଭାବରେ ପାର୍ଥକ୍ଯ ତାଙ୍କୁ ଭିନ୍ନ ମଣିଷର ପରିଚୟ ଦେଉଥିଲା ।

      ବିଶ୍ୱଜିତ୍ ସୁଧାର ପିଲାମାନଙ୍କ ସହିତ ମିଳାମିଶା କରୁଥିଲା ବେଳେ ଅଶ୍ଵଜିତକୁ ଜଣେ ଦୁଃସଙ୍ଗୀ ମିଳିଯାଇଥିଲା । କିନ୍ତୁ ବିଶ୍ୱଜିତ୍ ସତେ ଯେମିତି ପାଠରେ ବିଶ୍ୱକୁ ଜିତିପାରୁଥିଲା । ଦିନେ ଅଶ୍ଵଜିତର ସଙ୍ଗାତ ଅଶ୍ଵଜିତକୁ କହିଲା "ଆରେ ତୁ କାହିଁକି ଏତେ କଷ୍ଟ କରୁଛୁ ? ତୋ'ର ପଢ଼ିବାର କ'ଣ ଆବଶ୍ୟକ ? ତୋର ପିତାଶ୍ରୀ ଜଣେ ରାଜା ଆଉ ତୁ ଜଣେ ରାଜକୁମାର । ତୋ'ର ପୁଣି କ'ଣ ଅଭାବ ?" ସେ ତା' ସଙ୍ଗାତ କହିବା ଅନୁସାରେ ସେଦିନ ଠାରୁ ଆଉ ପାଠରେ ଧ୍ୟାନ ଦେଲା ନାହିଁ । ପଢ଼ା ଛାଡ଼ିଦେଇ ଏଣେ ତେଣେ ମନ ଲଗାଇଲା । ସମସ୍ତଙ୍କ ଘୃଣାର ପାତ୍ର ହେଲା। ହେଲେ ବିଶ୍ୱଜିତ୍ ପାଠରେ ଉତ୍ତୀର୍ଣ୍ଣ ହୋଇ ଜଣେ ଭଲ ମଣିଷଟିଏ ହୋଇପାରିଲା । କଥାରେ ଅଛି 'ଯେମିତି ସଂଗତ ସେମିତି ପ୍ରାପତ' ।

      ଦିନ ବିତିଗଲା ନଦୀର ପାଣି ପରି । କାଳର କରାଳ ଗତିରେ ରାଜାଙ୍କର ଅକାଳ ମୃତ୍ୟୁ ଘଟିଲା । ତାଙ୍କର ମୃତ୍ୟୁକୁ ନେଇ ଚିନ୍ତିତ ହୋଇପଡିଲେ ମହାରାଣୀ ପୁଷ୍ପବତୀ । ଶୋକର ଛାୟା ଖେଳିଗଲା ସାରା ରାଇଜରେ । ଭାଳେଣି ପଡ଼ିଲା ରାଜାଙ୍କ ଅନ୍ତେ ରାଜ୍ୟ ସମ୍ଭାଳିବି କିଏ ? ଆଉ କିଏ ପିନ୍ଧିବ ସେ ରାଜ ମୁକୁଟ ? ପୁରା ରାଜ୍ୟରେ ଲହରି ଖେଳିଗଲା ଯେ ରାଜାଙ୍କର ତ ଦୁଇ ପୁତ୍ର, ତାଙ୍କ ଭିତରୁ ଯିଏ ଯୋଗ୍ଯ ସେ ହିଁ ରାଜା ହୁଅନ୍ତୁ । ଯେହେତୁ ତାଙ୍କ ପିତା ଜଣେ ବିଦ୍ୱାନ ରାଜା ଥିଲେ ନିଶ୍ଚୟ ତାଙ୍କ ପୁତ୍ରଙ୍କ ଶରୀରରେ ତାଙ୍କ ସାଧୁତାର ରକ୍ତ ପ୍ରବାହିତ ହେଉଥିବ । ତା' ଛଡା ରାଜ୍ୟ ସମ୍ଭାଳିବା କେଉଁ ସାଧାରଣ ବ୍ୟକ୍ତି ବିଶେଙ୍କ ପକ୍ଷରେ ସମ୍ଭବ ନୁହେଁ । ମହାମନ୍ତ୍ରୀ ତ ସବୁ ଜାଣନ୍ତି, ଦୁଇ ରାଜକୁାରଙ୍କ ମଧ୍ୟରୁ ରାଜା ହେବାପାଇଁ ଉପଯୁକ୍ତ ପ୍ରାଥି କିଏ ? ସମସ୍ତ ପ୍ରଜା ମହାମନ୍ତ୍ରୀଙ୍କୁ କ୍ଷମତା ଦେଲେ ଦୁଇ ରାଜକୁାରଙ୍କ ମଧ୍ୟରୁ ପରୀକ୍ଷା ନେଇ ଉପଯୁକ୍ତ ବିଚାର କରନ୍ତୁ କିଏ ରାଜଗାଦି ସମ୍ଭାଳିବେ !

       ପରଦିନ ଘୋଷଣା ପାଇଁ ପାତ୍ରମନ୍ତ୍ରୀ ସୈନ୍ୟସେନା ଏବଂ ସମସ୍ତ ପ୍ରଜାମାନଙ୍କୁ ଆମନ୍ତ୍ରଣ କରାଗଲା ସଭାକୁ । ଅୟୋଜନ କରାଯାଇଥିବା ସଭାରେ ସମସ୍ତେ ଆସି ଉପସ୍ଥିତ ହୋଇଗଲେ । ଦୁଇ ରାଜକୁମାର ଦୁଇଟି ଆସନ ଉପରେ ବସି ମନେ ମନେ ଭାବୁଥାନ୍ତି କାହା ଉପରେ ଭାଗ୍ଯଲକ୍ଷ୍ମୀ ପ୍ରସନ୍ନ ହେବେ । ଏବେ ଘୋଷଣାର ସମୟ ଆସିଗଲା । ମହାମନ୍ତ୍ରୀ କହିଲେ, "ଶୁଣନ୍ତୁ, ମହାରାଜ ଯେତେବେଳେ ଜୀବିତ ଥିଲେ ସେତେବେଳେ ସମସ୍ତ ପ୍ରକାର ଆୟ ବ୍ୟୟର ହିସାବ ମୋତେ ରଖିବା ପାଇଁ ଆଦେଶ ଦେଉଥିଲେ । ପୁଣି ବର୍ଷ ଶେଷରେ ଏକକାଳୀନ ବାର୍ଷିକ ମୋଟ ଆୟ ବ୍ୟୟର ହିସାବ କରି ଆଗାମୀ ବର୍ଷ ପାଇଁ କର ନିର୍ଦ୍ଧାରଣ କରାଯାଉଥିଲା। ଚଳିତ ବର୍ଷ ମଧ୍ୟ ବାକି ଥିବା ହିସାବ କରାଯିବ । ଆଉ ଏହି ଆୟ ବ୍ୟୟର ହିସାବ ତଥା କର ନିର୍ଦ୍ଧାରଣ, ଆପଣ ଦୁଇ ରାଜକୁମାରଙ୍କ ମଧ୍ୟରୁ ଯେଉଁ ମହାଶୟ ନିର୍ଭୁଲ ଭାବରେ ଓ ଖୁବ୍ କମ୍ ସମୟରେ କରି ଦେଖାଇବେ ତାଙ୍କୁ ରାଜ ମୁକୁଟ ପିନ୍ଧାଇ ରାଜ୍ୟର ଭାର ଅର୍ପଣ କରାଯିବ ।

       ଅଶ୍ଵଜିତ୍ ପାଠ ପଢାରେ ମନ ଦେଇ ନଥିବା ହେତୁ ହିସାବ ଦେଖି ଡରିଗଲେ । ଯାହା ଫଳରେ କି ସମସ୍ତ ରାଜଧିକାରରୁ ବଞ୍ଚିତ ହେଲେ କିନ୍ତୁ ବିଶ୍ୱଜିତ୍ ପାଠ ପଢ଼ାରେ ମନ ଦେଇ ଜଣେ ବିଦ୍ୱାନ ହୋଇଥିବାରୁ ସମସ୍ତ ହିସାବ ଯଥା ଶୀଘ୍ର ନିର୍ଭୁଲ ଭାବରେ କରିପାରିଥିଲେ । ତେଣୁ ସେ ହିଁ ରାଜା ହୋଇ ପ୍ରଜା ମାନଙ୍କୁ ସୁଖରେ ପାଳିଲେ ଓ ବହୁ ସୁନାମ ଅର୍ଜନ କଲେ ।

      ତେବେ କୁହ ପିଲାମାନେ ଏଥିରୁ ଆମେ କ'ଣ ଶିକ୍ଷା ପାଇଲେ ? ଯେ -: ପାଠ ଜୀବନର ମୂଳମନ୍ତ୍ର, ବାକି ସବୁ ଧନ ଦୌଲତ ଯାହା ରହିଲା ସେ ସବୁ କ୍ଷଣିକ, ଚିରସ୍ଥାୟୀ ନୁହେଁ । ପାଠ ପଢ଼ିଥିଲେ ଜଣେ ବଡ଼ ମଣିଷରେ ଗଣାଯିବ ।


Rate this content
Log in

Similar oriya story from Children