STORYMIRROR

Amarnath Barick

Inspirational

3  

Amarnath Barick

Inspirational

ଗୀତାରେ ଧର୍ମର ସଜ୍ଞା

ଗୀତାରେ ଧର୍ମର ସଜ୍ଞା

6 mins
208


ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମମ୍ l

ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟମୁଦୀରୟେତ୍ l

ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍

ଯତ୍‌କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍ ॥


        ଶ୍ରୀମଦ୍ ଭଗବତ୍ ଗୀତାକୁ ଯେତେ ବଖାଣିଲେ ସମୟର ଅଭାବ ରହିଯିବ, ଏହା ପାଠ କରିବା ପାଇଁ କୌଣସି ଜାତି କିମ୍ବା ଧର୍ମର ଆବଶ୍ୟକ ପଡିନଥାଏ । କେବଳ ପବିତ୍ର ମନ ହିଁ ଯଥେଷ୍ଟ । ଗୀତାର ସାରମର୍ମ ବୁଝିବା ତେବେ ସହଜ ହୋଇଥାଏ, ଯେତେବେଳେ ବିଶ୍ୱାସ ଓ ଭକ୍ତି ଉତ୍ପନ୍ନ ହୁଏ । ଶବ୍ଦର ସଂଖ୍ୟା ସୀମିତ ରହିଥିବାରୁ ତଥାପି ସମ୍ୟକ ମାତ୍ର ଆଲୋଚ୍ୟ ପ୍ରସଙ୍ଗ ଓ ଶ୍ରୀମଦ୍ଭଗବତ ଗୀତାର ଅଂଶ ବିଶେଷ କୁ ନେଇ, ଗୀତାରେ ଧର୍ମର ସଜ୍ଞା କହିଲେ ସତ୍ତ୍ବ, ରଜଃ, ତମଃ-ଏହି ତିନିଗୁଣକୁ ବୁଝାଏ ତଥା ସେମାନଙ୍କର ପାର୍ଥକ୍ୟ ବିଷୟରେ ଆଲୋଚନା କରିବାକୁ ଗଲେ ସତ୍ତ୍ବ, ରଜଃ, ତମଃ-ଏହି ତିନିଗୁଣ ପ୍ରକୃତିରୁ ଜାତ ଏବଂ ଜୀବାତ୍ମାକୁ -ସଂସାରରେ ବାନ୍ଧି ରଖେ । ସତ୍ତ୍ବ ଗୁଣର ଧର୍ମ ପ୍ରକାଶ ବା ଜ୍ଞାନ । ଏଥିରେ ମନୁଷ୍ୟ ସୁଖ ଭୋଗକରେ । ରଜଃ ଗୁଣର ଧର୍ମ ରାଗାତ୍ମକ । ତାହା ତୃଷ୍ଣା ଓ ଆସକ୍ତି ବଢାଏ ଏବଂ ଜୀବାତ୍ମାକୁ କର୍ମବନ୍ଧନରେ ପକାଏ । ତମଃ ଗୁଣର ଧର୍ମ ଅଜ୍ଞାନ ଓ ମୋହ । ତାହା ନିଦ୍ରା, ଆଳସ୍ଯ ଓ ପ୍ରମାଦ ବଢାଏ । ପ୍ରତ୍ଯେକ ଜୀବଠାରେ ଏହି ତିନୋଟିଯାକ ଗୁଣ ଥାଆନ୍ତି । ମନୁଷ୍ୟ ସତ୍ତ୍ବଗୁଣର ଆଧିକ୍ଯରେ ସାତ୍ତ୍ଵିକ, ରଜଃ ଗୁଣର ଆଧିକ୍ଯରେ ରାଜସିକ ଓ ତମଃ ଗୁଣର ଆଧିକ୍ଯରେ ତାମସିକ ବୋଲି କଥିତ ହୁଅନ୍ତି । ସତ୍ତ୍ବ ଗୁଣର ବୃଦ୍ଧିକାଳରେ ମୃତ୍ୟୁ ହେଲେ ଜୀବାତ୍ମା ସ୍ବର୍ଗାଦି ଉଚ୍ଚସ୍ଥାନ ଲାଭ କରେ । ରଜଃ ଗୁଣର ବୃଦ୍ଧିକାଳରେ ମୃତ୍ୟୁ ହେଲେ ମନୁଷ୍ୟ ଯୋନି ଏବଂ ତମଃ ଗୁଣର ବୃଦ୍ଧିକାଳରେ ମୃତ୍ୟୁ ହେଲେ ପଶୁପକ୍ଷୀ ପ୍ରଭୃତି ନୀଚ ଯୋନି ପ୍ରାପ୍ତ ହୁଏ ।

 

      ସତ୍ତ୍ବଗୁଣର ବୃଦ୍ଧିରେ ସ୍ବର୍ଗଲାଭ ହୁଏ ସତ ହେଲେ ମୁକ୍ତି ମିଳେ ନାହିଁ । ତ୍ରିଗୁଣାତୀତ ହୋଇପାରିଲେ ଜୀବାତ୍ମା ମୁକ୍ତି ଲାଭ କରେ । ଦେହ ଥିବାଯାଏ ପ୍ରକୃତିର କାର୍ଯ୍ୟ ଚାଲିଥାଏ । ଯେଉଁ ବ୍ଯକ୍ତି ପ୍ରକୃତିର କାର୍ଯ୍ୟରେ ଉଦାସୀନ ହୋଇ ସୁଖଦୁଃଖରେ ସମ, ମାଟି ପଥର ସୁନାରେ ସମଜ୍ଞାନ (ନିର୍ଲୋଭ), ନିନ୍ଦା ପ୍ରଶଂସାରେ ସମ, ପ୍ରିୟ ଅପ୍ରିୟରେ ସମ, ଶତ୍ରୁମିତ୍ରରେ ସମ ତଥା ମାନ ଅପମାନରେ ସମଚିତ୍ତ ରହନ୍ତି ତାଙ୍କୁ ଗୁଣାତୀତ କୁହାଯାଏ । ଅଚଳା ଭକ୍ତିରେ ପରମେଶ୍ବରଙ୍କର ରଣାପନ୍ନହେଲେ ବ୍ଯକ୍ତି ସହଜରେ ତ୍ରିଗୁଣାତୀତ ହୋଇପାରେ । ବାସୁଦେବ ଶ୍ରୀକୃଷ୍ଣ ନିର୍ଗୁଣ ବ୍ରହ୍ମଙ୍କର, ଅବ୍ଯୟମୋକ୍ଷର ସନାତନ ଧର୍ମର ଓ ସମସ୍ତ ସୁଖର ସାକାର ମୂର୍ତ୍ତି । ତାଙ୍କୁ ଅଚଳା ଭକ୍ତିରେ ପୂଜା ଅର୍ଚ୍ଚନା କଲେ ମନୁଷ୍ୟ ତ୍ରିଗୁଣାତୀତ ହୋଇ ମୁକ୍ତି ଲାଭ କରେ । ଯେଉଁମାନେ ଶ୍ରୀମଦ୍ ଭଗବତ ଗୀତା ପାଠ କରିଛନ୍ତି ସେମାନେ ସମସ୍ତେ ଜାଣିଛନ୍ତି ବା ଭଗବାନ୍ ଶ୍ରୀକୃଷ୍ଣ ନିଜେ କହିଛନ୍ତି ଯାହା ସର୍ବଶ୍ରେଷ୍ଠ ମୂଳକାରଣ ବା ଅବିନାଶୀ ଭାବ ତାହାହିଁ ବ୍ରହ୍ମତତ୍ତ୍ବ । ସ୍ବଭାବ ବା ମୂଳଭାବ ଜୀବ(ଆତ୍ମା) ରୂପରେ ଦେହ ମଧ୍ଯରେ ପ୍ରକାଶିତ-ତାହା ଅଧ୍ଯାତ୍ମତତ୍ତ୍ବ । ବିଶ୍ବସୃଷ୍ଟି ହିଁ କର୍ମ । ଭଗବାନଙ୍କ ସୃଷ୍ଟ ବିନଶ୍ବର ଭାବ ହିଁ ଅଧିଭୂତ(ଦେହ) । ଦେବତାମାନଙ୍କର ଅଧିପତି ଭୂତସ୍ରଷ୍ଟା ହରିଣ୍ଯ ଗର୍ଭ ବ୍ରହ୍ମା ହିଁ ଅଧିଦୈବ । ସୃଷ୍ଟିରକ୍ଷା ପାଇଁ ଜୀବ ଯେଉଁ କର୍ମ କରେ ତାହା ଯଜ୍ଞ ଏବଂ ନିଜେ ଭଗବାନ୍ ସମସ୍ତ ଜୀବ ମଧ୍ଯରେ ନିୟନ୍ତା ଓ ଫଳଦାତା ରୂପେ ରହିଛନ୍ତି-ସେ ହେଉଛନ୍ତି ଅଧିଯଜ୍ଞ ।


      ପ୍ରଭୁଙ୍କର ଜନ୍ମ ନାହିଁ, ଆଦି ନାହିଁ, ଅନ୍ତ ବି ନାହିଁ । ତାଙ୍କୁ ଯେଉଁ ବ୍ଯକ୍ତି ସର୍ବଲୋକମହେଶ୍ବର ବୋଲି ଜାଣନ୍ତି ସେ ସମସ୍ତ ପାପରୁ ମୁକ୍ତ ହୁଅନ୍ତି । ବୁଦ୍ଧି, ଜ୍ଞାନ, କ୍ଷମା,ଅସଂମୋହ, ସତ୍ଯ, ଦମ, ଶମ, ସୁଖ, ଦୁଃଖ ଭବ, ଅଭାବ, ଭୟ, ଅଭୟ, ଅହିଂସା, ସମତା, ତୁଷ୍ଟି, ତପ, ଦାନ, ଯଶ, ଅଯଶ-ଏ କୋଡିଏଟି ଭାବ ଜୀବମାନଙ୍କଠାରେ ଅଲଗା ଅଲଗା ଦେଖାଯାଇଥିଲେ ହେଁ ଏ ସବୁ ତାଙ୍କଠାରୁ ସୃଷ୍ଟ । ତାଙ୍କର ବିଭୂତି (ଐଶ୍ଵର୍ଯ୍ଯ) ଓ ଯୋଗ (କର୍ମକୌଶଳ) ଯେ ଯଥାର୍ଥ ଭାବରେ ଜାଣନ୍ତି,ସେ ପ୍ରକୃତରେ ତାଙ୍କୁ ଜାଣିପାରନ୍ତି । ସେ ସମସ୍ତ ଜଗତର ଉତ୍ପତ୍ତିର କାରଣ ଓ ତାଙ୍କଠାରୁ ସବୁ ଉତ୍ପତ୍ତି ହୋଇଅଛି ଏହା ଜାଣି ଜ୍ଞାନୀମାନେ ତାଙ୍କୁ ଉପାସନା କରନ୍ତି, ତାଙ୍କ ବିଷୟରେ ପରସ୍ପର ମଧ୍ଯରେ ଆଲୋଚନା କରନ୍ତି । ତାଙ୍କଠାରେ ସର୍ବଦା ଆସକ୍ତ ଚିତ୍ତ ବ୍ଯକ୍ତିମାନେ ପ୍ରୀତିପୂର୍ବକ ତାଙ୍କୁ ଭଜନ କରୁଥିବାରୁ ସେ ଆମମାନଙ୍କୁ ସଦବୁଦ୍ଧି ଦିଅନ୍ତି ଯାହା ଫଳରେ ଆମେମାନେ ମୁକ୍ତିଲାଭ କରନ୍ତି । ସେ ସମସ୍ତ ଜୀବମାନଙ୍କ ହୃଦୟରେ ଆତ୍ମା ଏବଂ ସମସ୍ତ ଜୀବଙ୍କର ଆଦି,ମଧ୍ଯ ଓ ଅନ୍ତ ବି । ସେ ଆଦିତ୍ଯମାନଙ୍କ ମଧ୍ଯରେ ବିଷ୍ଣୁ, ଜ୍ଯୋତିମାନଙ୍କ ମଧ୍ଯରେ ସୂର୍ଯ୍ୟ (ରବି), ବାୟୁମାନଙ୍କ ମଧ୍ଯରେ ମରୀଚ, ନକ୍ଷତ୍ରମାନଙ୍କ ମଧ୍ଯରେ ଶଶୀ, ବେଦମାନଙ୍କ ମଧ୍ଯରେ ସାମବେଦ, ଦେବତାମାନଙ୍କ ମଧ୍ଯରେ ଇନ୍ଦ୍ର, ଇନ୍ଦ୍ରିୟମାନଙ୍କ ମଧ୍ଯରେ ମନ, ଜୀବମାନଙ୍କ ମଧ୍ଯରେ ଚେତନା, ରୁଦ୍ରମାନଙ୍କ ମଧ୍ଯରେ ଶଙ୍କର,ପୁରୋଧାମାନଙ୍କ ମଧ୍ଯରେ ବୃହସ୍ପତି, ସରସିମାନଙ୍କ ମଧ୍ଯରେ ସାଗର, ମହର୍ଷିମାନଙ୍କ ମଧ୍ଯରେ ଭୃଗୁ, ଦେବର୍ଷିମାନଙ୍କ ମଧ୍ଯରେ ନାରଦ, ସିଦ୍ଧମାନଙ୍କ ମଧ୍ଯରେ କପିଳ, ମୁନିମାନଙ୍କ ମଧ୍ଯରେ ବ୍ଯାସ, ବୃଷ୍ଣିମାନଙ୍କ ମଧ୍ଯରେ ବସୁଦେବଙ୍କ ପୁତ୍ର ବାସୁଦେବ, ପାଣ୍ଡବମାନଙ୍କ ମଧ୍ଯରେ ଅର୍ଜୁନ, ପଦମାନଙ୍କ ମଧ୍ଯରେ 'ଓଁ' କାର, ଅକ୍ଷରମାନଙ୍କ ମଧ୍ଯରେ ' ଅ ',ବିଦ୍ଯାମାନଙ୍କ ମଧ୍ଯରେ ଅଧ୍ଯାତ୍ମ (ବ୍ରହ୍ମ) ବିଦ୍ଯା, ଯଜ୍ଞମାନଙ୍କ ମଧ୍ଯରେ ଜପଯଜ୍ଞ, ସଂଯମକାରୀମାନଙ୍କ ମଧ୍ଯରେ ଯମ, ସର୍ବସଂହର୍ତ୍ତା ମୃତ୍ଯୁ ମଧ୍ଯ । ସମସ୍ତ ଜୀବମାନଙ୍କର ସେ ମୂଳକାରଣ ଅଟନ୍ତି । ସମସ୍ତ ଜୀବ ବା ବସ୍ତୁ ତାଙ୍କଠାରୁ ଉତ୍ପନ୍ନ ବା ତାଙ୍କଠାରେ ଅବସ୍ଥିତ । ତାଙ୍କ ବିଭୂତିର ବର୍ଣ୍ଣନା କରୁଥିଲେ ସରିବ ନାହିଁ । ଐଶ୍ବର୍ଯ୍ଯଯୁକ୍ତ, ଶ୍ରୀଯୁକ୍ତ ବା ପ୍ରଭାବ ସମ୍ପନ୍ନ ଯେଉଁ ଯେଉଁ ଜୀବ ବା ପଦାର୍ଥ ଦେଖୁଛନ୍ତି ସେସବୁ ତାଙ୍କ ଅଂଶରୁ ସଂଭୂତ ।


      ଶ୍ରୀମଦ୍ ଭଗବତ୍ ଗୀତାର ସମଗ୍ର ଗୀତା ଶାସ୍ତ୍ରର ତଥା ବେଦାର୍ଥର ସାରସଂକଳନ ବୋଲି ପୂଜ୍ଯପାଦ ଆଚାର୍ଯ୍ୟ ଶଙ୍କର ଓ ଶ୍ରୀଧର ସ୍ବାମୀ କହିଛନ୍ତି । ଯେଉଁ ବ୍ଯକ୍ତି ଅନନ୍ଯ ଭାବରେ ଭଗବାନଙ୍କର ଉପାସନା କରିବେ ସେ ସଂସାରର ମାୟା ଜାଲକୁ ଚ୍ଛିନ୍ନ କରି ପାରିବେ । ତ୍ରିଗୁଣାତୀତ ନହେଲେ କେହି ମୁକ୍ତି ପାଇପାରିବେ ନାହିଁ । ଏ ସଂସାରକୁ ଗୋଟିଏ ଅଶ୍ବତ୍ଥ ବୃକ୍ଷ ବୋଲି ଉପନିଷଦ ମାନଙ୍କରେ ମଧ୍ୟ ବର୍ଣ୍ଣିତ ଅଛି । ଏ ବୃକ୍ଷର ମୂଳ ଉର୍ଦ୍ଧ୍ବରେ -ପରଂବ୍ରହ୍ମ ଏହାର ମୂଳ । ଏହାର ଶାଖା ସବୁ ଉପର ଓ ତଳ ଆଡେ ବିସ୍ତୃତ । ଦେବତାମାନେ, ମନୁଷ୍ୟମାନେ ଓ ନାନାପ୍ରକାର ପଶୁପକ୍ଷୀ ଏ ବୃକ୍ଷର ଶାକ୍ଷା ରୂପେ କଳ୍ପିତ ହୋଇଅଛି । ପତ୍ର ସାହାଯ୍ୟରେ ବୃକ୍ଷ ପୁଷ୍ଟିଲାଭ କଲାପରି ଏ ସଂସାର ବୃକ୍ଷ ବେଦସବୁର ନିର୍ଦ୍ଦେଶାନୁସାରେ କର୍ମାନୁଷ୍ଠାନ କରି ତିଷ୍ଠି ରହିଛି । ଯେତେକାଳ ଜୀବ ବିଷୟବାସନାର ମାୟାରେ ଆବଦ୍ଧଥାଏ, ସେତେଦିନ ଯାଏ ତାର ଜ୍ଞାନ ଲାଭ ହୁଏ ନାହିଁ । ତୀବ୍ର ବୈରାଗ୍ୟ ଦ୍ବାରା ସଂସାରର ମାୟା ଜାଲକୁ କାଟି ପାରିଲେ ମନୁଷ୍ୟ ପରମପଦ ଲାଭ କରିବାରେ ଅଗ୍ରସର ହୁଏ । ଜୀବାତ୍ମା ପରମାତ୍ମାଙ୍କ ଅଂଶ । କର୍ମଫଳ ଭୋଗ କରିବା ପାଇଁ ସେ ଉଚ୍ଚ ବା ନୀଚ୍ଚ ଯୋନି ଲାଭ କରେ । ସେ ମନ ଓ ଇନ୍ଦ୍ରିୟମାନଙ୍କ ସହିତ ପୁରାତନ ଶରୀର ତ୍ଯାଗ କରି ନୂତନ ଶରୀରକୁ ଯାଏ । ନୂତନ ଶରୀର ଲାଭକରି ପୁଣି ବିଷୟଭୋଗରେ ମାତିଯାଏ । ଜୀବାତ୍ମାର ଦେହ ତ୍ଯାଗ, ପୁନଃ ନୂତନ ଶରୀର ଲାଭ ଓ ଶରୀରରେ ଅବସ୍ଥାନ ମୂଢବ୍ଯକ୍ତିମାନେ ଜାଣି ପାରନ୍ତି ନାହିଁ, ଜ୍ଞାନୀବ୍ଯକ୍ତି ଜାଣିପାରନ୍ତି ।


    ସୂର୍ଯ୍ୟଙ୍କର ଆଲୋକରେ ଜଗତ ଉଦ୍ଭାସିତ ହୁଏ । ସେହିପରି ଚନ୍ଦ୍ର ଓ ଅଗ୍ନିର ଆଲୋକରେ ମଧ୍ଯ । ମାତ୍ର ଏ ସମସ୍ତ ତେଜ ଜଗତକୁ ଧରି ରଖିଛନ୍ତି । ସେ ମଧ୍ଯ ପୃଥିବୀକୁ ଧାରଣ କରିବା ସଙ୍ଗେ ସଙ୍ଗେ ଔଷଧାଦିର ପୁଷ୍ଟି ବିଧାନ କରୁଛନ୍ତି - ଯାହା ଖାଇ ଜୀବଜଗତ ବଞ୍ଚିରହିଛି । ସେ ସମସ୍ତଙ୍କ ଦେହରେ ଜଠରାଗ୍ନି ରୂପରେ ସମସ୍ତ ଖାଦ୍ଯ ପଦାର୍ଥକୁ ହଜମ କରି ଶରୀରକୁ ପୁଷ୍ଟ କରୁଛନ୍ତି । ପରମାତ୍ମା ସମସ୍ତ ବେଦର ଜ୍ଞାତବ୍ଯ ତତ୍ତ୍ବ, ବେଦାନ୍ତକୃତ୍ ଓ ବେଦବିତ୍ ଅଟନ୍ତି । ସମସ୍ତ ଭୂତଗଣ କ୍ଷରପୁରୁଷ ଏବଂ ସେମାନଙ୍କ ଶରୀରରେ ଥିବା ଆତ୍ମା ଅକ୍ଷର ପୁରୁଷ ଅଟନ୍ତି । ପରମାତ୍ମା କ୍ଷର ଓ ଅକ୍ଷର ପୁରୁଷଙ୍କଠାରୁ ଶ୍ରେଷ୍ଠ ଅଟନ୍ତି । ତାଙ୍କୁ ସମସ୍ତ ଲୋକ ଓ ସମସ୍ତ ବେଦରେ ପୁରୁଷୋତ୍ତମ କୁହାଯାଏ । ସେ ସମସ୍ତ ଜଗତର ରକ୍ଷକ, ପାଳକ, ଶାସକ ଅଟନ୍ତି । ମୋହତ୍ଯାଗ କରି ବୁଦ୍ଧିମାନ୍ ସାଧକ ପୁରୁଷୋତ୍ତମଙ୍କୁ ସର୍ବତୋଭାବରେ ପୂଜାକଲେ ସର୍ବଜ୍ଞ ଓ କୃତାର୍ଥ ହୋଇଥାନ୍ତି । ଏ ତ ଥିଲା ଗୀତାମୃତ ସ୍ଵୟଂ ମାଧବଙ୍କ ବାଣୀ । ଏତତ୍ ବ୍ୟତୀତ ମନୁଷ୍ୟକୁ କର୍ମ ଅନୁସାରେ ସଂସାରରେ ସମସ୍ତଙ୍କୁ ଆବଶ୍ୟକୀୟ ବିଭାଗ ବଣ୍ଟନ କରାଯାଇଥିଲା ଅଥବା ବୃତ୍ତି କରିବା ପାଇଁ ମାର୍ଗ ଦେଖାଇ ଦିଆଯାଇଥିଲା । ତାହା କୌଣସି ଜାତି କି ଧର୍ମ କୁ ନେଇ ନୁହେଁ, ବରଂ ସମାଜର କଲ୍ୟାଣ ଓ ମଙ୍ଗଳ ପାଇଁ । ଯେମିତି ବ୍ରାହ୍ମଣ କୁ ଦେବା ଦେବୀ ଙ୍କ ସେବା କରିବା ପାଇଁ, ଗୋପାଳ(ଗୌଡ) ଙ୍କୁ ଗୋମାତାଙ୍କ ସେବା କରିବା ପାଇଁ, ନାପିତ ଓ ଧୋବା ଙ୍କୁ ଜନ ସେବା କରିବା ପାଇଁ ଏମିତି ଆହୁରି ଅନେକ କିନ୍ତୁ ତାହା ପରବର୍ତ୍ତୀ କାଳରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଲୋକମାନେ ପୃଥକ୍ ପୃଥକ୍ ହୋଇଗଲେ । ଉଚ୍ଚ ନୀଚ୍ଚ ବାଛ ବିଚାର ମନୋଭାବ ପ୍ରବୃତି ଆସିଲା । ବେଳେବେଳେ ମନରେ ପ୍ରଶ୍ନ ଉଠେ ମୁଁ ନୀଚ୍ଚ ଜାତିର ଲୋକେ କାହିଁକି ହେଲି ? କିନ୍ତୁ ମନୁଷ୍ୟକୁ ସର୍ବଦା ଏହା ମନେ ରଖିବା ଉଚିତ୍ କି କେହି ଉଚ୍ଚ କି କେହି ନୀଚ୍ଚ ଜାତିର ନୁହେଁ ଆମ୍ଭେ ମାନେ ସମସ୍ତେ ଈଶ୍ବରଙ୍କ ବରଦାନରୁ ସର୍ବଶ୍ରେଷ୍ଠ ପ୍ରାଣୀ ଅଟୁ । ପରମାତ୍ମା ସମସ୍ତ ଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି । କେବଳ କର୍ମ ଘେନି ଫଳ ପ୍ରାପ୍ତ ହୋଇଥାଏ ଆମ୍ଭମାନଙ୍କୁ । ଉଦାହରଣ ସ୍ୱରୂପ -:


    ଭଗବାନଙ୍କୁ ଦିନେ ଅର୍ଜୁନ ପ୍ରଶ୍ନ କଲେ- ସମସ୍ତଙ୍କର ଶାସ୍ତ୍ର ଜ୍ଞାନ ନଥାଏ । ଅନ୍ଯମାନଙ୍କଠାରୁ ଶୁଣି ଯେଉଁ ବ୍ଯକ୍ତି ଶ୍ରଦ୍ଧାର ସହିତ ଉପାସନା କରନ୍ତି ତାଙ୍କୁ କ'ଣ କୁହାଯିବ- ସାତ୍ତ୍ବିକ, ରାଜସିକ ଅଥବା ତାମସିକ ? ଏହି ଉତ୍ତର ପାଇଥିଲେ ସେ, ଜନ୍ମସଂସ୍କାର ବା ସାଧନାନୁସାରେ ବ୍ଯକ୍ତି ବିଶେଷର ଶ୍ରଦ୍ଧା ଭିନ୍ନ ହୋଇଥାଏ । ସାତ୍ତ୍ବିକ ପ୍ରକୃତିର ବ୍ଯକ୍ତିମାନେ ଦେବତାମାନଙ୍କୁ ପୂଜା କରନ୍ତି, ରାଜସିକ ପ୍ରକୃତିର ବ୍ଯକ୍ତିମାନେ ପକ୍ଷ ରାକ୍ଷଙ୍କ ପୂଜା କରନ୍ତି ଏବଂ ତାମସିକ ପ୍ରକୃତିର ବ୍ଯକ୍ତିମାନେ ଭୂତପ୍ରେତାଦିର ପୂଜା କରନ୍ତି । ତାମସିକ ବ୍ଯକ୍ତିମାନେ ଦମ୍ଭ ଅହଂକାର ଓ ରାଗାନ୍ବିତ ହୋଇ ଶରୀରକୁ କଷ୍ଟଦେଇ ନାନା ପ୍ରକାର ତପ ସାଧନା କରିଥାନ୍ତି । କିନ୍ତୁ ସିଦ୍ଧିଲାଭ କରିନପାରି ଦୁଃଖ ଭୋଗ କରିଥାନ୍ତି । ପ୍ରକୃତି ଭେଦରେ ମନୁଷ୍ୟର ପ୍ରିୟ ଆୟୁ, ବଳ, ସ୍ବାସ୍ଥ୍ୟ, ସୁଖ ଓ ଆନନ୍ଦ ବର୍ଦ୍ଧକ ରସଯୁକ୍ତ, ସ୍ନେହସିକ୍ତ, ସାରବାନ୍ ଖାଦ୍ଯର ପ୍ରିୟ ଅଟନ୍ତି । ରାଜସ ପ୍ରକୃତିର ବ୍ଯକ୍ତି ଅତି କଟୁ, ଅତିଖଟା, ଅତି ଲୁଣିଆ, ଅତି ଗରମ, ଅତିତୀକ୍ଷ୍ଣ, ଅତି ରୁକ୍ଷ ଓ ଅତି ବିଦାହୀ ଖାଦ୍ଯ ଖାଇବାକୁ ଭଲ ପାଆନ୍ତି । ତାମସିକ ବ୍ଯକ୍ତିମାନେ ରସହୀନ ଦୁର୍ଗନ୍ଧ, ବାସି ଅଇଁଠା ଓ ଅମେଧ୍ଯ ପ୍ରଭୃତି ଖାଦ୍ଯ ଖାଇବାକୁ ଭଲ ପାଆନ୍ତି । ସେହିପରି ଯଜ୍ଞ, ଦାନ ଓ ତପ ମଧ୍ଯ ତିନିପ୍ରକାର । ଶାରୀରିକ, ମାନସିକ ଓ ବାଚିକ ଭେଦରେ ତପ ମଧ୍ଯ ତିନି ପ୍ରକାର ହୁଏ । ଓଁ ତତ୍ ସତ୍ -- ଏହି ତିନୋଟି ଶବ୍ଦ ବ୍ରହ୍ମଙ୍କୁ ବୁଝାଏ । ଏଥିରୁ ବ୍ରାହ୍ମଣ, ବେଦ ଓ ଯଜ୍ଞର ସୃଷ୍ଟି । 'ଓଁ' ବ୍ରହ୍ମଙ୍କର ଏହି ନାମ ଉଚ୍ଚାରଣ କରି ବ୍ରହ୍ମଜ୍ଞମାନେ ଧର୍ମାନୁଷ୍ଠାନ କରିଥାନ୍ତି ।ସେହିଭଳି ମୁକ୍ତିକାମୀମାନେ 'ତତ୍' ଶବ୍ଦ ଉଚ୍ଚାରଣ କରି ନିଷ୍କାମ ଭାବରେ ସମସ୍ତ କର୍ମ କରିଥାନ୍ତି । ' ସତ୍ ' ଶବ୍ଦ ବ୍ରହ୍ମଙ୍କୁ ବୁଝାଏ । ଏଣୁ ଶୁଭକର୍ମମାନଙ୍କରେ ମଧ୍ଯ ଏହାର ବ୍ଯଵହାର ପ୍ରଚଳିତ ଅଛି । ଶ୍ରଦ୍ଧା ବା ଆସ୍ତିକ୍ଯବୁଦ୍ଧି ସମସ୍ତ ଧର୍ମକାର୍ଯ୍ଯର ପ୍ରାଣସ୍ବରୂପ । ଶ୍ରଦ୍ଧା ସହିତ ଅନୁଷ୍ଠିତ କର୍ମ ମଙ୍ଗଳଦାୟକ ହୋଇଥାଏ । ଅଶ୍ରଦ୍ଧାରେ କରାଯାଉଥିବା ଯଜ୍ଞ, ଦାନ ଓ ତପ ନିଷ୍ଫଳ ହୁଏ । ଅଶ୍ରଦ୍ଧ କର୍ମ ଇହଲୋକ ଓ ପରଲୋକ ଉଭୟରେ ଅସତ୍ ରୂପରେ ପ୍ରତିଷ୍ଠା ଲାଭ କରେ ।


ବ୍ରହ୍ମାନନ୍ଦଂ ପରମ ସୁଖଦଂ କେବଳଂ ଜ୍ଞାନମୂର୍ତ୍ତିମ୍

ଦ୍ୱନ୍ଦ୍ୱାତୀତଂ ଗଗନସଦୃଶଂ ତତ୍ତ୍ଵମସ୍ୟାଦି ଲକ୍ଷ୍ୟମ୍

ଏକଂ ନିତ୍ୟଂ ବିମଳମଚଳଂ ସର୍ବଧୀ ସାକ୍ଷୀଭୂତମ୍

ଭାବାତୀତଂ ତ୍ରିଗୁଣରହିତଂ ସଦ୍ ଗୁରୁଂ ତ୍ବାଂ ନମାମି ।



Rate this content
Log in

Similar oriya story from Inspirational