STORYMIRROR

Amarnath Barick

Children

3  

Amarnath Barick

Children

ସ୍ୱଛ୍ଛ ଦୀପାବଳି

ସ୍ୱଛ୍ଛ ଦୀପାବଳି

3 mins
147


   ଝାଟିମାଟିର ସୁନ୍ଦର ଘରଟିଏ । ଘରକୁ ଲାଗି ଏକ ସୁନ୍ଦର ଫୁଲର ବଗିଚା । ଆଉ ଚାରିପଟେ ଉଚ୍ଚା ହୋଇ ପାଚେରି, ଘର ଅଗଣାରେ ତୁଳସୀ ଚଉଁରା । ମା' ଘର ଅଗଣାକୁ ଲିପାପୋଛା କରି ଝୋଟି ଚିତା ଏମିତି ଆଙ୍କିଛନ୍ତି ଯେ ସେ ଚିତା ସତେ ଯେମିତି ମଣିଷ ମାନଙ୍କ ସହିତ କଥା ହେଉଛନ୍ତି । ତା' ଉପରେ ମାଟି ଦୀପମାନ ରଖି ସାରା ଘରଟାକୁ ଏମିତି ସଜାଇଛନ୍ତି ସତେ ଯେମିତି ଆକାଶର ତାରା ମଣ୍ଡଳ । ପୁଣି ତା' ସାଙ୍ଗକୁ ମା' ହାତ ତିଆରି ମଣ୍ଡା, ଆରିଶା, ଚକୁଳି ପିଠା, ଖସା, ମୁଢ଼ି, ଚୁଡ଼ା ନଡ଼ିଆ, ଗୁଡ, ଚିନି, ଛେନା, କ୍ଷୀର ଓ ଘିଅରେ ନିର୍ମିତ ବିଭିନ୍ନ ମିଠାଇ, ଲଡ଼ୁ, ମାଲପୁଆ, ଗଜା, ଖଜା, କ୍ଷୀରି, ପୁରି, କଦଳୀ, ସର ଓ ଲହୁଣୀ ଭୋଗ ହୋଇଛି । କାରଣ ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ବାପା କ୍ଷେତରୁ ସୁଖିଲା ନଳିତା ଗଛର ପିମ୍ପେଇ ଖାଡ଼ି କାଟି ଆଣିଛନ୍ତି । ଏହି ଅମାବାସ୍ୟା ସନ୍ଧ୍ୟାରେ ସମସ୍ତ ପରିବାର ଲୋକେ ମିଶି ପିମ୍ପେ଼ଇ ଜାଳି ପୂର୍ବପୁରୁଷ ମାନଙ୍କୁ ପିଣ୍ଡ ଦାନ କରିବେ ।


    ଚଗଲାର ସାଙ୍ଗ ଚଗଲାକୁ କହିଲା, "ଆରେ ଚଗଲା ତୁ ଆଜି ସନ୍ଧ୍ୟାରେ ଆମ ଘରକୁ ଆଗ ଆସିବୁ, ଆମେ ଦୁହେଁ ମିଶି ବାଣ ଫୁଟାଇ ବହୁତ ମଜା କରିବା । ଆଉ ତା' ପରେ ପୁଣି ତମ ଘରକୁ ଯିବା।" ଚଗଲା ତା' ସାଙ୍ଗ ଘରକୁ ଯାଇ ଦେଖିଲା ରଙ୍ଗବେରଙ୍ଗ ଆଲୋକମାଳାରେ ସଜା ହୋଇଥାଏ ତାଙ୍କ ଦୁଇ ମହଲା କୋଠା । ବଜାରରୁ ବିଭିନ୍ନ ପ୍ରକାରର ଦାମି ମିଠାଇ ବର୍ଗର ପିଜା କପଡ଼ା ବାରୁଦରେ ତିଆରି ହୋଇଥିବା କେତେ ପ୍ରକାରର ବିଦେଶୀ ବାଣ, ଏମିତିକି ଫାଟିଲେ ବହୁତ ଜୋର ଜୋରରେ ଶବ୍ଦ କରୁଛି । ଭଳିଭଳିକା ରଙ୍ଗୀନ ଧୂଆଁ ବାହାରି ଅନେକ ଡିଜାଇନରେ ଖେଳି ଯାଉଛି, ଏମିତି ଆହୁରି କିଛି । ତାହା ସବୁ ଉପଭୋଗ କରିବା ପରେ ଦୁଇଜଣ ସାଙ୍ଗ ଫେରି ଆସିଲେ ଚଗଲାଙ୍କ ଘରକୁ । ଏବେ ଚଗଲାର ବାପା, ମା', ସମସ୍ତ ପରିବାର; ଚଗଲା ଏବଂ ତା' ସାଙ୍ଗ ମିଳିମିଶି ମହମବତୀ ଦୀପ ଲଗାଇ ଘଣ୍ଟ ଘଣ୍ଟା ବଜାଇ ଦିଅଁ ଦେବତାଙ୍କୁ ପୂଜା କରିବା ପରେ ଅଗଣାରେ ପିମ୍ପେଇ ଖାଡି ଜଳାଇ ବଡ଼ବଡ଼ୁଆଙ୍କୁ ଡାକିଲେ । ଶେଷରେ ସମସ୍ତେ ଏକାଠି ବସି ଘରେ ତିଆରି ହୋଇଥିବା ସୁସ୍ୱାଦୁ ଭୋଜନ କରି ପରସ୍ପର ମଧ୍ୟରେ ସ୍ନେହ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶଟିଏ ସୃଷ୍ଟି କଲେ ।


    ସବୁ ସରିବା ପରେ ଚଗଲା ପ୍ରଶ୍ନ କଲା ତା' ବାପାଙ୍କୁ, ଯାହା ଯାହା ଦେଖିକରି ଆସିଥିଲା ତା' ସାଙ୍ଗ ଘରୁ, ସବୁ କଥା କହିଲା । ଶୁଣି ସାରିବା ପରେ ଚଗଲାର ବାପା ଚଗଲାକୁ ଓ ତା' ସାଙ୍ଗକୁ ବୁଝାଇଲେ । ଦେଖ ପିଲାମାନେ ଦୀପାବଳି ଉତ୍ସବ ହେଉଛି ଆଲୋକର ପର୍ବ । ଆମେମାନେ ସମସ୍ତେ ଏହି ପର୍ବରେ ମହମବତୀ ଆଉ ଦୀପ ଜଳାଇ ଅନ୍ଧାର ଦୂର କରିଥାଉ । ସୁଖ ଓ ସମୃଦ୍ଧି ପାଇଁ ଆମକୁ ଦୁନିଆକୁ ଆଣିଥିବା ଆମ ପୂର୍ବୁରୁଷ ମାନଙ୍କୁ ଏହି ପବିତ୍ର ଦିନରେ ସ୍ମରଣ କରିଥାଉ । ଏହା ବ୍ୟତିତ ଘରେ ତିଆରି ହୋଇଥିବା ଜିନିଷ ମା' ନିଜ ହାତରେ କରିଥିବା ପିଠା ପଣାରେ ଯେଉଁ ସ୍ଵାଦ ଥାଏ ତାହା ବଜାରରୁ ଆସିଥିବା କୌଣସି ଜିନିଷରେ ନଥାଏ । ଆଉ ବାକି ରହିଲା ବାଣ । ବାଣ ଫୁଟାଇବା ଦ୍ଵାରା ସେଥିରୁ ଯେଉଁ ବିଷାକ୍ତ ଧୂଆଁ ନିର୍ଗତ ହୁଏ ତାହା ଆମ ବାୟୁମଣ୍ଡଳକୁ ଦୂଷିତ କରିଥାଏ । ସେହି ବାୟୁକୁ ଆମେ ପ୍ରଶ୍ଵାସ ଆକାରରେ ଗ୍ରହଣ କରିଥାଉ । ଯାହା ଆମ ଶ୍ୱାସ ନଳୀ ରନ୍ଦ୍ର ଉପରେ ପ୍ରଭାବ ପକାଇଥାଏ । ବେଳେବେଳେ ବାରୁଦ ଆମ ହାତରେ ଲାଗିଯାଇ ହାତ ଜଳିଯାଏ ଖଣ୍ଡିଆ ଖାବଡା ହୁଏ । ଆଖିରେ ପଡ଼ିଗଲେ ଆଖି ନଷ୍ଟ ହୋଇଯାଏ । ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜୁଳି ହେଉଛି ଆମ ରାଷ୍ଟ୍ରୀୟ ସମ୍ପଦ, ତାକୁ କେବେ ନଷ୍ଟ କରିବା ନାହିଁ । ଆବଶ୍ୟକ ଅନୁଯାୟୀ ତାହା ବ୍ୟବହାର କରିବା ଅନ୍ୟଥା ନୁହେଁ । ଆମେ ବିଜୁଳି ସଞ୍ଚୟ କରି ରଖିଲେ ଆମ ଆଗାମୀ ପିଢ଼ୀଙ୍କ କାର୍ଯ୍ୟରେ ଲାଗିବ । ତେଣୁ, ଆମେ ସବୁବେଳେ ଏପରି ଅନୁଚିତ କାର୍ଯ୍ୟରୁ ଦୂରେଇ ରହିବା ।


   ଏଥର ଚଗଲା ଓ ତା' ସାଙ୍ଗ ଦୁହେଁ ବୁଝିପାରିଲେ । ନିଜେ ସଚେତନ ହେବା ସଙ୍ଗେ ସଙ୍ଗେ ସମାଜରେ ସମସ୍ତଙ୍କୁ ସଚେତନ କରାଇବା ପାଇଁ ପ୍ରତିଶୃତି ଦେଲେ । ଆସନ୍ତାଥର ଦୀପାବଳିରେ ବାରୁଦ ବାଣ ବ୍ୟବହାର ନକରି ଦୀପ ଆଉ ମହମବତୀରେ ଦୀପାବଳି ପାଳନ କରିବା ପାଇଁ ସ୍ଥିର କଲେ ।

   ପରିବେଶ ସ୍ୱଚ୍ଛ ରଖିବା ସୁସ୍ଥ ରହିବା ।


Rate this content
Log in

Similar oriya story from Children