STORYMIRROR

Amarnath Barick

Inspirational

3  

Amarnath Barick

Inspirational

ଗପ ହେଲେ ବି ସତ

ଗପ ହେଲେ ବି ସତ

2 mins
160


     ଆମେମାନେ ସମସ୍ତେ ଜାଣିଛନ୍ତି ସୁଖ ଓ ଦୁଃଖକୁ ନେଇ ଜୀବନର ନାଟକ ଆରମ୍ଭ ହୋଇଥାଏ । କିଛି ଯନ୍ତ୍ରଣାକୁ ଭୁଲି ଯାଆନ୍ତି ତ କିଛି ଯନ୍ତ୍ରଣାକୁ ଛାତି ତଳେ ଚାପି ରଖନ୍ତି । ଆଉ କିଛି ସୃତି ଓ ଅନୁଭୂତି ହୋଇଯାଏ କିନ୍ତୁ ମୁଁ ଜଣେ ଏମିତି ମହିୟସୀ ମହିଳାଙ୍କ ବିଷୟରେ କହୁଛି ଯାହା କେଉଁ ଗ୍ରନ୍ଥ ଉପନ୍ୟାସରେ ନଥିବ ଏବଂ ତାଙ୍କ ପାଖରେ ସଂସାରର ସବୁ ଦୁଃଖ ହାର୍ ମାନିଛି ।


    ସାତ ବର୍ଷ ଓ ପାଞ୍ଚ ବର୍ଷ ବୟସର ଦୁଇଟି ଅବୋଧ ଶିଶୁଙ୍କୁ ସମ୍ଭାଳିବା, ତାଙ୍କର ପିନ୍ଧିବା ନାଇବା ଖାଇବା ଏମିତି ଅଳି ଅର୍ଦ୍ଦଳି ସାମନା କରିବା ଓ ତା' ସହିତ ଘରଟା ଯାକର କାମଧନ୍ଦା ସବୁ ନିଜେ କରୁଥାଏ ଅରୁନ୍ଧତୀ ।


    ଦୁଃଖ ସହି ନପାରି କେତେବେଳେ କେମିତି ପଡ଼ୋଶୀ ମାନେ ଆସି ସାହାଯ୍ୟ କରିଦିଅନ୍ତି । ନହେଲେ ଅରୁନ୍ଧତୀକୁ ସବୁ କରିବାକୁ ପଡେ଼ । ସୂର୍ଯ୍ୟଙ୍କ ଉଦୟ ହେବା ପୂର୍ବରୁ ଶେଯ ତ୍ୟାଗ କରି ଯାବତୀୟ କାମ ସାରିଥାଏ । ବେଳେବେଳେ ନିଜେ ଭୋକ ଓପାସରେ ରହି ଆଖିର ଲୁହକୁ ପିଇ ରାତି ବିତାଇ ଦିଏ ସିନା, ସେ ପିଲା ଦୁଇଟିଙ୍କୁ କିଛି ଦୁଃଖ ଜାଣିବାକୁ ଦିଏନି। ସେମାନେ ବା କ'ଣ ଜାଣନ୍ତି ଅଭାବ ଅନାଟନର ଅର୍ଥ ! ତାଙ୍କୁ ଯେମିତି ଯାହା ହେଉ ବାରିଘରରୁ ଶାଗ ମାରିଚ ଆଣି ଏଣୁ ତେଣୁ କରି ଖୁଆଇ ଦିଏ । ଗାଁକୁ କେହି ଜଣେ ଫେରିବାଲା ଆସିଲେ, ଗାଁ ପିଲାମାନେ ତାଙ୍କ ଘରୁ ପଇସା ଆଣି ଚୁଟୁରୁ ମୁଟୁରୁ ଖାଇଥାନ୍ତି । ସେତେବେଳେ ଏ ଦୁଇଟି ବାଳକ ଅଝଟ କରିଥାନ୍ତି ଅରୁନ୍ଧତୀ ପାଖରେ । ହେଲେ ଟଙ୍କେ ଆଠଣା ସବୁ ପୁରୁଣା ବାକ୍ସ ଆଟାଚି ଟିଣା ପର୍ଯ୍ୟନ୍ତ ଅଣ୍ଡାଳି ଥାଏ ଅରୁନ୍ଧତୀ । କାଳେ ବାପା ବୋଉ କିଛି ରଖି ଯାଇଥିବେ । ହେଲେ କିଛି ମିଳେନାହିଁ । ସେ ପିଲା ଦୁଇଙ୍କର ବିକଳ ମୁହଁକୁ ଚାହିଁ ଆଖିରୁ ଦୁଇ ଟୋପା ଲୁହ ଝରାଇ ଦିଏ ଅରୁନ୍ଧତୀ ।


    ବାପାଙ୍କ ଯିବାର ଛଅ ମାସ ଭିତରେ ମା' ବି ଛାଡ଼ି ଚାଲି ଯାଇଥିଲେ ଆରପାରିକୁ । ମାତ୍ର ଏଗାର ବର୍ଷ ବୟସର କୁନି ଝିଅ ଅରୁନ୍ଧତୀ ଦୁଃଖର ବୋଝକୁ ମୁଣ୍ଡେଇ ଚାଲିଥିଲା । ତା'ର ଛୋଟ ଛୋଟ ଦୁଇ ଭାଇଙ୍କୁ ମଣିଷ କରିବା ପାଇଁ ଆପଣେଇ ନେଲା ଦୁଃଖକୁ । ସପ୍ତମ ଶ୍ରେଣୀରେ ପଢିବା ସମୟରେ ପୂର୍ଣ୍ଣଛେଦ ପଡ଼ିଥିଲା ତା'ର ପାଠ ପଢ଼ାରେ । ଦୁଇ ଭାଇଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଆରମ୍ଭ କରିଥିଲା ଛୋଟ ଏକ ବ୍ୟବସାୟ । ଗାଁ ଠାରୁ ଅଳ୍ପ କିଛି ଦୂରରେ ଥିଲା ଏକ ବଜାର । ସେଠାରୁ କିଛି ସଉଦା ବାକିରେ ଆଣି ବିକ୍ରିକରେ ଗାଁରେ । ସେଥିରୁ କିଛି ଲାଭ ରଖି ବାକି ପଇସା ସୁଝି ଦିଏ । ଏମିତି କରି ସେ ପରିବାର ସମ୍ଭାଳି ଥିଲା । ତା' ସଙ୍ଗେ ସଙ୍ଗେ ପିଲାମାନଙ୍କୁ ପାଠ ପଢ଼ାଇ ଉଚିତ୍ ମାର୍ଗ ଦେଖାଇ ଥିଲା । ତା'ର ଏମିତିକା ସ୍ଵଭାବ ଦେଖି ଗ୍ରାମବାସୀ ମାନେ ବଡ଼ ଆଦର କରୁଥିଲେ । ବଡ଼ ହେବା ପରେ ପରବର୍ତ୍ତୀ ସମୟରେ, ସେହି ଗାଁର ନିକଟବର୍ତ୍ତୀ ବସ୍ତିରୁ ଆସିଥିଲେ ଜଣେ ଧନି ଲୋକ ଅରୁନ୍ଧତୀକୁ ବୋହୂ କରି ନେବା ପାଇଁ । କାରଣ ତାଙ୍କୁ ଜଣା ଥିଲା ଯେ ଅରୁନ୍ଧତୀ ଜଣେ ଝିଅ ନୁହେଁ ସେ ହୀରାଟିଏ । କାହିଁକି ନା ଯାହା ସେ କରି ଦେଖାଇଛି ହୁଏ ତ କେଉଁ ମା' ଏମିତି କରି ପାରିବ ନାହିଁ । ମାଛି କୁ ମ ବୋଲି କେବେ କୁହେ ନାହିଁ । ଚିରା ଫଟା ଅଛି ନାହିଁରେ ଦିନ ବିତାଇ, ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ପାରିଛି । ଜୀବନର ପ୍ରକୃତ ଅର୍ଥ କ'ଣ ତାହା ଅରୁନ୍ଧତୀ ଜାଣିଛି । ଦୁଃଖ ଯନ୍ତ୍ରଣା କୋହକୁ ସାମନା କରିପାରିଛି । ଶେଷରେ ଶାଶୂଘରକୁ ଯାଇ ଏହା ପ୍ରମାଣିତ କରି ପାରିଛି କି "ଦୁହିତା ଦୁଇ କୁଳକୁ ହିତା" ।


    ସତରେ ଅରୁନ୍ଧତୀର ଏହି ଜୀବନ କାହାଣୀଟି କେଉଁ କାହାଣୀ କି ଗଳ୍ପ ନଥିଲା, ଥିଲା ଏକ ସତ୍ୟ ଘଟଣା, ଯାହାକୁ ଲୋକଲୋଚନକୁ ଆଣିବା କର୍ତ୍ତବ୍ଯ ଭାବିଲି ।


Rate this content
Log in

Similar oriya story from Inspirational