STORYMIRROR

Amarnath Barick

Children

3  

Amarnath Barick

Children

ବିଦ୍ୟାର ମନ୍ଦିର

ବିଦ୍ୟାର ମନ୍ଦିର

3 mins
146


      ବିଦ୍ୟାଳୟ ତ ନୁହେଁ, ତାହା ହେଉଛି ଦେବାଳୟ । କାହିଁକି ନା ଯେଉଁଠି କୁନିକୁନି ପିଲାମାନଙ୍କର ନିଛନ୍ଦ କୋଳାହଳ, ପରସ୍ପର ମଧ୍ୟରେ ସୁନ୍ଦର ବନ୍ଧୁତା, ଯେଉଁ ବନ୍ଧୁତ୍ୱରେ ସ୍ବାର୍ଥ ନାହିଁ, ସରଳ ନିରୀହ ମୁହଁରେ ସରସ ହସ ଆଉ କଅଁଳ ମୁଖରେ ହେଉଥାନ୍ତି ଦରୋଟି କଣ୍ଠରେ କଥାବାର୍ତ୍ତା । ପ୍ରକୃତରେ ଯଦି କେଉଁଠି ଈଶ୍ୱର ଥାଆନ୍ତି ତାହେଲେ ଏହି କୋମଳମତି ଶିଶୁ ମାନଙ୍କ ଠାରେ ହିଁ ପ୍ରକଟ ହୋଇଥାନ୍ତି । ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଅଥବା ମା ସରସ୍ଵତୀ, ବାବା ଗଣପତି । ନା ଥାଏ ତାଙ୍କ ପାଖରେ ଟଙ୍କା ପଇସାର ସ୍ବପ୍ନ ନା ଥାଏ ତାଙ୍କ ପାଖରେ କୋଠାବାଟିର ସ୍ବପ୍ନ । କେବଳ ଗୋଟାଏ ଜରି କାଗଜରେ ମୋଡ଼ାହୋଇ ରହିଥିବା ଚୁଚୁମା ପାଖରେ ଥାଏ ତାଙ୍କର ମନ । ମିଛ ତ ତାଙ୍କ ପାଖରେ ଟିକେ ହେଲେ ନଥାଏ । କାହିଁକି ନା ତାଙ୍କ ପାଖରେ ଥାଏ ଗୋଟାଏ ମାତ୍ର ଭୟ। ମିଛ କହିଲେ କାଳେ ପାଠ ହୁଏ ନାହିଁ । ଯଦି କେବେ କେହି ମିଛ କହିଦିଏ ତାହେଲେ ତାକୁ ଅନ୍ୟମାନେ ଡରେଇ ଥାଆନ୍ତି " ତୋ ବିଦ୍ୟାରାଣ ମିଛ କୁହନା ।" ଆଉ ସବୁଠାରୁ ବଡ଼କଥା ହେଲା ବିଦ୍ୟାଳୟରେ ପାଠ ପଢା ଆରମ୍ଭ ହେବା ଆଗରୁ ପ୍ରାର୍ଥନାରେ ଏହି କଥା ବୋଲା ଯାଇଥାଏ -


"ସତ କହିବାକୁ କିଆଁ ଡରିବି

ସତ କହି ପଛେ ମଲେ ମରିବି ।

ମୋତେ ଏତିକି ଶିଖାଅ ସାଇଁ ହେ

ମୋର ଧନ ଜନ ଲୋଡା ନାହିଁ ହେ ।"


       କିଏ ବା ଭୁଲିପାରିବ ସେହି ପିଲାଦିନର ସ୍ମୃତି ସବୁକୁ ଓ ଝାଟିମାଟିର ଚାଳ ଛପର ତଳେ ପଢ଼ା ଯାଉଥିବା ସେହି ଅଭୁଲା ପାଠ, ବେତ ପାହାର । ପୁଣି ଗୁରୁଜୀଙ୍କର ସେହି ହିତ ବାଣୀ । ହଁ ଆଜିବି ମନେ ପଡ଼େ ସେହି ପୁରୁଣା କଥା । ଗୋଟିଏ କଲମରେ ବର୍ଷ ବର୍ଷ ଧରି ପାଠ ପଢ଼ିବା । ଯଦି ସେହି କଲମ ଟିଏ ହଜି ଗଲା ତାହେଲେ ମା' ଙ୍କ ଠାରୁ ଗାଳି ଶୁଣିବା । ଖାତା ସରିଗଲେ ବାପାଙ୍କ ପାଖରେ କାଗଜ ପାଇଁ ଅଳି କରିବା । ଖାଇବା ଛୁଟିରେ ସାଙ୍ଗ ମାନଙ୍କ ସହିତ ଏକାଠି ବସି ଖାଇବା । ସରସ୍ଵତୀ ପୂଜା ଗଣେଷ ପୂଜା ଆସିଲେ ମାସକ ଆଗରୁ ପାଞ୍ଚ ପାଞ୍ଚ ଟଙ୍କା ଚାନ୍ଦା ଆଦାୟ କରିବା । ତା ସହିତ ମନେପଡେ ବର୍ଣ୍ଣବୋଧ ପାଠ ।

ଚକ ଅଖ କଳ ନଳ, ଆଇ ଉଈ । 

"ହରିଣ ନ ଦିଏ ଧରା, ଦୌଡ଼ନା ବଡ଼ ଖରା। 

ପଣସ ରସ ବଡ଼ ସରସ, ଛପର ଘର ବଡ ଜବର ।

ପିତାମାତାଠାରୁ ବଡ଼ ଦେବତା କେ

ସରଗ ରାଇଜେ ନାହିଁ 

ତାଙ୍କରି ଆଶିଷେ ସାହା ଏକା ସିନା

ବିପଦୁ ତରିବା ପାଇଁ ।"


        ଧୋବ ଫରଫର ଢିଲା ପଞ୍ଜାବୀ, ନୀଳ ଉଜାଲା ରଙ୍ଗଦିଆ ଧୋତି । କଳା ରଙ୍ଗର ଫ୍ରେମ୍ ହୋଇଥିବା ଗୋଲେଇ କାଚ ଚଷମା । ପରାଗନ୍ ଭଳି ଚମଡ଼ାର ପୁରୁଣା ଚପଲ ଓ ପକେଟରେ ମରାଯାଇଥିବା କଲମ । ନିଶରୁ ହଳେ ରଖି ଆସନ୍ତି ପଢ଼ାଇବା ପାଇଁ ଆମ ଗୁରୁଜୀ । ସମସ୍ତ ଛାତ୍ରଛାତ୍ରୀ ନିଶବ୍ଦ ହୋଇ ଯାଆନ୍ତି ସେତେବେଳେ। କେବଳ ଚାଳ ଉପରୁ ଶୁଭୁଥାଏ ସେହି ଘରଚଟିଆଙ୍କ କିଚିରି ମିଚିରି ଶବ୍ଦ । ପାଠ ଶେଷରେ ଗୁରୁଜୀ ପିଲାମାନଙ୍କୁ ଗପ ଶୁଣାନ୍ତି:


       "ଦିନେ ଟୁଆଁ ଟୁଇଁକୁ ଡ଼ାକି କହିଲା ଆରେ ଗୋଟେ କଥା ଜାଣିଛ ! ଭାଲୁ ଆମ ଘରକୁ ନିମନ୍ତ୍ରଣ ପତ୍ର ନେଇ ଆସିଥିଲେ ଆଜି । ସେ ବହୁତ କରି କହି ଯାଇଛନ୍ତି ଯେ ଆମକୁ ଯିବା ପାଇଁ କାଲି ସନ୍ଧ୍ୟାରେ ହାତୀ ରାଜାଙ୍କ ବାହାଘରକୁ । ହାକିମ ହାତୀ ରାଜା ଦୂରରୁ ଥାଇ କହିଛନ୍ତି ଯେ ତାଙ୍କ ବାହାଘରରେ ଆମକୁ ବରଯାତ୍ରୀ ହୋଇ ଯିବା ପାଇଁ । ତାଙ୍କ ବାହାଘରରେ ତେଲିଙ୍ଗି ବାଇଦ ତୂରୀ, ଭେରି, ମହୁରୀ, ଶଙ୍ଖ ବାଜିବ। ଠେକୁଆ ମାନେ ଦଳବଳ ହୋଇ ନାଚିବେ । ଗଧ ମାନେ ଲିଚୁ ଲାଇଟି ଗଛଫୁଲ ଆଦି ଧରି ଚାଲିବେ । ବାଘ ଭାଇନା ବାଣୁଆ ହୋଇ ଜଙ୍ଗଲରେ ବାଣ ଫୁଟାଇବେ । ବାକି ଆଉ ଯେତେ ଜୀବଜନ୍ତୁ ସବୁ ରହିଲେ ଜଙ୍ଗଲରେ ସେମାନେ ମିଶି ହାତୀ ରାଜାଙ୍କ ରଥ ଟାଣିବେ । ଯେତେବେଳେ ହାତୀରାଜା ରୋଷଣୀ କରି ଘରୁ ବାହାରି ଯିବେ ସେତେବେଳେ ବେଙ୍ଗୁଲି ମାନେ ହୁଳହୁଳି ପାକାଇବେ ଓ ବେଙ୍ଗ ମାନେ ତାଳି ମାରିବେ । ବାକି ରହିଗଲେ ବିଲୁଆ ନନା ସେ ବେଦମନ୍ତ୍ର ପଢ଼ି ଫୁଲମାଳ ପିନ୍ଧାଇ ହାତୀ ରାଜାଙ୍କର ବାହାଘର କରିବେ । ଓଟମାନେ ମିଠାଇ କ୍ଷୀରି ଆମ୍ବିଳ ପୁରି ଇତ୍ୟାଦି ବାଣ୍ଟିବେ ବସି । ନେଉଳ ଶ୍ୱାନ ଆଉ ଯେତେ ପଶୁ ପକ୍ଷୀ କୀଟ ପତଙ୍ଗ ରହିଲେ ସେମାନେ ସବୁ ମନ ଖୁସିରେ ବସି ଭୋଜିଭାତ ଖାଇବେ ହସିହସି । ହରିଣ ମାନେ ସେହି ଭୋଜିଭାତ ରାନ୍ଧିବେ ସୁସ୍ୱାଦୁ କରି । ଖାଇବା ପରସିବା କାମ ସବୁ ସିଂହମାନେ କରିବେ । ଶେଷରେ ଘୋଡ଼ା ଗାଡ଼ିରେ ଆଣି ଆଦରର ସହ ଘରେ ଛାଡ଼ିଦେଇ ଯିବେ । ସେଠାରେ ବହୁତ ଆନନ୍ଦ ଲାଗିବ । ତେଣୁ ଆମେ କାଲି ସନ୍ଧ୍ୟାରେ ନିଶ୍ଚୟ ଯିବା ବୋଲି ଟୁଇଁ ଟୁଆଁକୁ କହିଲା କାନରେ ।"


      ଏମିତି ପ୍ରକାରର ଗପ ଗୀତ ପାଠ ସମ୍ଭାରକୁ ନେଇ ରସମୟ ହେଉଥିଲା ପାଠପଢ଼ା । ଯାହା ଆଜିର ଶିଶୁମାନଙ୍କ ପାଇଁ ଏକ ଉଦାହରଣ । କେବଳ କାନ୍ଥରେ ଝୁଲୁଥିବା ଫଟଭଳି ସେହି ସମୟ ପାଲଟି ଯାଇଛି ଅଲୋଡ଼ା ଅଭୁଲା ଅତୀତ ହୋଇ ଆଜି । କଥା ଛଳରେ ଏହି କ୍ଷୁଦ୍ର ଶିଶୁ ଗଳ୍ପଟି ଥିଲା । ଯାହା ଆଗରୁ ଏହି ଗଳ୍ପ ସମ୍ବନ୍ଧୀୟ ଏକ କବିତା ରଚନା କରିବାରେ ସକ୍ଷମ ହୋଇଥିଲି ମା' ସରସ୍ୱତୀଙ୍କ କୃପାରୁ ।




Rate this content
Log in

Similar oriya story from Children