ଲେମ୍ବୁ ପାଣି
ଲେମ୍ବୁ ପାଣି
ସନିଆ, ହେ ସନିଆ କାହିଁ ଦୋକାନରେ ଏଇ ଗୀତଟା ଲଗେଇଛୁ କହିଲୁ । ଲେମ୍ବୁ ଏତେ ରେଟ୍ ହେଲାଣି ଯେ ମନ ଆମ୍ବିଳା ହେଲାଣି ଆଉ ଏ ଗୀତ ଲଗାଇଲା କ’ଣ ନା ନିମ୍ବୁଡା ନିମ୍ବୁଡା ନିମ୍ବୁଡ଼ା ରଖ ତ ନିମ୍ବୁଡ଼ା ହଉ ଦେଲୁ ମୋତେ 3ଟା ଲମ୍ବୁ ଦେ । ଘରକୁ କୁଣିଆ ଆସିଛନ୍ତି । ଗଲେ ପୁଣି ଲମ୍ବୁ ସରବତ ହେବ । ହେଁ ଲେମ୍ବୁ ଘନିଆ ମଉସା ତୁମେ ପାରା କୁଣିଆଙ୍କ ପାଇଁ ସାଇଟ୍ ନେଚୁ ଦୋକାନରୁ ପେପସି ଓ ମାଜା ନେଇକି ଯାଇଥିଲ । ପୁଣି କ’ଣ ହେଲା ? ଆଖି ମଚମଚ କରି କହିଲା ସନିଆ । ହେ, ତୁ ଆଉ କିଛି କହନା । ସେମାନେ ସହରୀ ଲୋକ । ଆରଥରକ ଆସିଥିଲେ ଯେତେବେଳେ, ଘର ବାଡ଼ିରୁ ଲେମ୍ବୁ ତୋଳି ସରବତ ଦେଲି ବୋଲି ସେମାନଙ୍କର ବହୁତ ଅଭିମାନ । ଘରେ ଏତେ ଧନ ସମ୍ପତ୍ତି ଥାଇ ବି କ’ଣ ନା ଆମକୁ ଲେମ୍ବୁ ପାଣି ଦେଲେ । ଝିଅ ବି ମନ ଦୁଃଖ କଲା । କୁଣିଆମାନେ ଲେମ୍ବୁ ସରବତ ପିଇବାକୁ ଇଚ୍ଛା କରୁନଥିବାରୁ ଓ ଘରେ ପୁଅମାନେ ଗଛର ଧ୍ୟାନ ନଦେବାରୁ ଶେଷରେ ବାଡ଼ିରେ ଥିବା ଲେମ୍ବୁ ଗଛକୁ ବି କାଟିଲି । ଆଉ ଆଜି ଏ ଲେମ୍ବୁ ଦରଦାମ ଥିବା ବେଳେ କହୁଛନ୍ତି ନା କ’ଣ ଲେମ୍ବୁ ପାଣି ପିଇବେ । ମୁଁ ସେମାନଙ୍କୁ କହିଲି ବି, ଆପଣମାନେ ପୂର୍ବ ଥର ଅଭିମାନ କଲେ ବୋଲି ଆଗରୁ କୋଲଡ଼୍ରିଙ୍କ୍ସ କିଣିକି ଘର ଫ୍ରିଜରେ ରଖିଛି । ଏହା ପରେ ବି ତାଙ୍କ ଜିଦ ଯେ ଲେମ୍ବୁ ସରବତ ପଇବେ । କ’ଣ ନା ଭିଟାମିନ୍ ସି ମିଳେ ଆଉ ଦେହ ପାଇଁ ବି ଭଲ । ଥଣ୍ଡା ପଇଲେ ପେଟରେ ରୋଗ କରେଇ ଦଉଛି କୁଆଡ଼େ ! କ’ଣ କହିବ ଏମାନଙ୍କୁ । ସେହି ମୁହଁରେ ଉଷୁନା, ସେହି ମୁହଁରେ ଅରୁଆ । ଛାଡ଼େ ସେ କଥା ଯାହା ହେଲେ ବି ପୁଅ ଘର ଲୋକ, ଝିଅ ଦେଇଛି ଯେତେବେଳେ। ଗାଁରେ ତ କାହା ବାଡ଼ିରେ ଲେମ୍ବୁ ଗଛ ନାହିଁ । ସେଥିପାଇଁ ତୋ ଦୋକାନକୁ ଆସିଛି । ଦେଲୁ ଲେମ୍ବୁ ତିନିଟା ଦେ ମୁଁ ଯାଏ । ବିଳମ୍ବ ହେଲେ ତୋ ମାଉସୀ ପୁଣି ଗେରେଗେରେ ହେବ । ସନିଆ ମଉସାଙ୍କ ହାତକୁ ଲେମ୍ବୁ ବଢେଇ ଦେଇ କହିଲା ଏଇ ନିଅ ତିନିଟି ଲେମ୍ବୁ । 36 ଟଙ୍କା ହେଲା । କ’ଣ ଆଉ କହିବି ମଉସା ଆଜି କାଲି ଲୋକଙ୍କର ଇଚ୍ଛା ଘଡ଼ିକେ ଘୋଡ଼ା ଛୁଟୁଛି । ଦରଦାମ ଅନୁସାରେ ସେମାନେ ନିଜ ଜୀବନଶୈଳି ଓ ଖାଦ୍ୟପେୟ ବଦଳାଉଛନ୍ତି । ଯେତେବେଳେ ସିନ୍ଧୁ ଓ ହରପ୍ପାନ ସଭ୍ୟତା ଗଢ଼ି ଉଠିଥିଲା, ରୂପା ଗହଣାର ଚାହିଦା ଅଧିକ ଥିଲା କିନ୍ତୁ ଏବେ ତା’ ଜାଗା ସୁନା ନେଇଛି । ଚାହିଦା ଅନୁସାରେ ଲୋକଙ୍କ ସ୍ୱାଦ ବଦଳଛି । ନ ହେଲେ ଆଜି ମଟନ କିଲୋ 700, ଚିକେନ କିଲୋ 240, ପାମ୍ପଲେଟ ମାଛ ଗୋଟା 1000 ହେଇନଥାନ୍ତା । ଲୋକେ ବାଡ଼ିରେ ଫଳୁଥିବା ସ୍ୱାସ୍ଥ୍ୟ ହିତକର ପରିବା ନ ଖାଇ ରୋଗ ଦେଉଥିବା ଆମିଷ ଖାଦ୍ୟ କିଣୁଛନ୍ତି । ମହରଗ ଜିନିଷ ବି ଆଣ ଆଉ ରୋଗ କିଣି ମେଡ଼ିକାଲରେ ହଜାର ହଜାର ଟଙ୍କା ବି ଗଣ ସନିଆର ଏହି ଜନହିତକର ବାଣୀ ଶୁଣି ସାଇଟ୍ ଦୋକାନୀ ନେଚୁ କହିଲା ଘନିଆ ମଉସା କାହିଁକି ତା’ କଥା ଶୁଣୁଛ କହିଲ ଆସ ମୋ ପାଖରୁ 3ଟା ଲିମକା ନେଇଯାଅ । ଲେମ୍ବୁ କ’ଣ ତା’ ବାପାର ସ୍ୱାଦକୁ ବି କାଟିଦେବ । ପଛରେ ପଛେ ନେଇଥିବା ପେପସି ଓ ମାଜା ଫେରାଇଦେବ । ଏହା ଶୁଣି ପରିବା ଦୋକାନୀ ସନିଆ କହିଲା ଲିମକା କାହିଁକି ନେବେ 100 ଲେମ୍ବୁରେ ପ୍ରସ୍ତୁତ ଲିରିଲ୍ ସାବୁନ ଦେଉନୁ । ଏତିକି ବେଳେ ଘନିଆ ମଉସା ଠୋ ଠୋ ହସି ଉଠିଲେ । ସନିଆକୁ ଦୁଇଟା 20 ଟଙ୍କା ନୋଟ୍ ବଢେଇକି କହିଲେ ହଉ ତମେ ଦୁଇ ଜଣ ଆଉ ତୁ ତୁ ମେ ମେ ହୁଅନି । ମୁଁ ଘରକୁ ଯାଉଛି, ଥଣ୍ଡା ଫେରାଇବାକୁ ଆସିଲେ ଖୁଚୁରା ପଇସା ନେଇଯିବି ।