ଲେଖକର ଜୀବନ
ଲେଖକର ଜୀବନ




ଦିନେ ଏକ କବି ସମ୍ମିଳନୀରେ ମୁଁ ଜଣେ ପ୍ରସିଦ୍ଧ କବିଙ୍କୁ ଭେଟିଲି। କିଛି ସମୟର ବାର୍ତ୍ତାଳାପ ପରେ ହଠାତ୍ ମୁଁ ତାଙ୍କୁ ଏକ ପ୍ରଶ୍ନ କରିବାକୁ ମନେ ମନେ ଭାବିଲି କିନ୍ତୁ କାଳା ସିଏ ମୋ ପ୍ରଶ୍ନ ଶୁଣି ମତେ ଖରାପ ଭାବିବେ ସେଥିପାଇଁ ମନର ଭାବନାକୁ ମନରେ ମାରି ଦେବାକୁ ଉଦ୍ଯମ କରିବା ସମୟରେ ସିଏ ମତେ କହିଲେ - ଯାହା ପଚାରିବା ପାଇଁ ଇଛା କରୁଛ ନିଃସଙ୍କୋଚରେ ପଚାର। ମୁଁ ଆଶ୍ଚର୍ଯ୍ଯ ହେଲି, ଆରେ ମୋ ମନ କଥା ସିଏ କେମିତି ଜାଣିଲେ! ପରେ ମୁଁ ପଚାରିଲି, ଲୋକମାନେ କହନ୍ତି ସବୁ କବି ଲେଖକଙ୍କର କେବେ ନା କେବେ ହୃଦୟ ଭାଙ୍ଗିଥାଏ ନିଶ୍ଚିତ। ତେବେ ଏହା କଣ ସତ? ଆପଣଙ୍କର ବି କଣ କେବେ କାହା ଦ୍ୱାରା ହୃଦୟ ଭାଙ୍ଗିଛି?
ମୋ ଠାରୁ ଏମିତି ଏକ ପ୍ରଶ୍ନ ଶୁଣି କବି ଜଣଙ୍କ କିଛି ସମୟ ପାଇଁ ନିରବ ହୋଇଗଲେ। ମୁଁ ମନେ ମନେ ଭାବିଲି ମୁଁ ବୋଧେ କିଛି ଭୂଲ ପ୍ରଶ୍ନ କରିଦେଲି। ତେଣୁ କହିଲି କଣ ହେଲା ସାର୍? ହଠାତ୍ ଏମିତି ଚୁପ୍ ହୋଇଗଲେ ଯେ? ଏକ ଦୀର୍ଘ ନିଃଶ୍ୱାସ ନେଇ ମୋ ଆଡେ ଚାହିଁଲେ କବି ଜଣଙ୍କ। ଆଉ ହସି ହସି କହିଲେ ସବୁ କବି ଲେଖକଙ୍କ ହୃଦୟ ଭାଙ୍ଗିଛି କି ନାହିଁ ମୁଁ ଜାଣିନି। କିନ୍ତୁ ମୋ ହୃଦୟ ଅନେକ ଥର ଭାଙ୍ଗିଛି। ମୁଁ ଆଶ୍ଚର୍ଯ୍ଯ ହୋଇ ପଚାରିଲି ଅନେକ ଥର! କବି ଜଣଙ୍କ ଉତ୍ତର ଦେଲେ, ହଁ ଅନେକ ଥର। ଯେତେବେଳେ ବି ମୋ ମନରେ କାହା ପ୍ରତି ପ୍ରେମ ଭାବନା ଜାଗ୍ରତ ହୁଏ, କାଳେ ମୋ ପ୍ରେମ ନିବେଦନ ପରେ ତାଙ୍କ ସହ ମୋର ସମ୍ପର୍କ ଖରାପ ହୋଇଯିବ, ଏହି ଭୟରେ କେବେ କାହାକୁ ମଧ୍ଯ ପ୍ରେମ ନିବେଦନ କରିପାରେନି। କିନ୍ତୁ ପରେ ଯେତେବେଳେ ଜାଣେ ଯେ ସେ ଏବେ ଆଉ କାହାର ପ୍ରେମିକା ହୋଇ ସାରିଛି, ସେତେବେଳେ ମୋ ହୃଦୟ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଏ। କିନ୍ତୁ କଷ୍ଟ ତ ସେତେବେଳେ ନିଜର ଶିଖରରେ ପହଞ୍ଚେ ଯେତେବେଳେ, ମୋ ପ୍ରେମ ରାଜ୍ଯର ରାଜକୁମାରୀ ଆଉ କାହାକୁ ପ୍ରେମିକା ହେବା ପରେ ମତେ କହେ, ମୁଁ ଜାଣିଥିଲି ତୁମେ ମତେ ମନେ ମନେ ପ୍ରେମ କରି ବସିଥିଲ। ମୁଁ ବି ଅନେକ ଦିନ ତୁମ ନିବେଦନକୁ ଅପେକ୍ଷା କଲି କିନ୍ତୁ ତୁମ ନିବେଦନ ପୂର୍ବରୁ ମୁଁ ହୋଇଗଲି ଆଉ କାହାର। ଦୟା କରି ମତେ ଭୁଲ ବୁଝିବନି କାରଣ ସବୁ ଦୋଷ ତୁମର।
ଶେଷରେ ମୁଁ ପଡିଗଲି ସାହିତ୍ଯର ପ୍ରେମରେ। ଏବେ ସାହିତ୍ଯ ମୋ ପ୍ରେମିକା। କବିତା, ଗଳ୍ପ, ପ୍ରବନ୍ଧ ଆଦି ଆମ ପ୍ରେମର ସନ୍ତକ। କଲମ ଓ କାଗଜ ଆମ ପ୍ରେମର ମାଧ୍ଯମ। ଆଉ ଆମ ପ୍ରେମ ନିଶ୍ଚିତ ଚିରନ୍ତନ, କାରଣ ସାହିତ୍ଯ କେବେ କାହାକୁ ଧୋକା ଦେଇ ପାରେନା। ବରଂ ସାହିତ୍ଯ ସବୁବେଳେ ନିଃସହାୟ ନିକଟରେ ସାହାରା ରୂପେ ଦଣ୍ଡାୟମାନ ହୋଇ ତାକୁ ଜୀବନ ଧାରଣର ଏକ ନୂତନ ମାର୍ଗ ପ୍ରଦର୍ଶିତ କରାଏ।
ବାସ୍ତବରେ ଏମିତି ଏକକ ଉତ୍ତର ଶୁଣି ମୁଁ ସମ୍ପୂର୍ଣ୍ଣ ବାକ୍ ଶୂନ୍ଯ ହୋଇଗଲି। ଆଉ ସେହି ଦିନ ହିଁ ମୁଁ ବାସ୍ତବରେ ଗୋଟିଏ କବି ଓ ଲେଖକର ଜୀବନକୁ ଅତି ନିକଟରୁ ଅନୂଭବ କରିଥିଲି। ତେବେ ଏ ପ୍ରସଙ୍ଗରେ ଆପଣଙ୍କ ମତ କଣ? ନିଜର ମତାମତ ନିଶ୍ଚିତ ଜଣାଇବେ। ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି, ନମସ୍କାର।