Gargi Mishra

Drama Fantasy Inspirational

4  

Gargi Mishra

Drama Fantasy Inspirational

ଲାଉପଚା

ଲାଉପଚା

6 mins
7



ଫୋନଟା ଭାଇବ୍ରେଟ ହବା ସହିତ ଧପ ଧପ ହୋଇ ଜଳି ଉଠୁଥିଲା l ପ୍ରିନସିପାଲଙ୍କ ସହ ମିଟିଂରେ ଥିବା ସମସ୍ତ ଲୋକ ବୁଲି ଚାହିଁଲେ l ଲୋନୀ ମ୍ୟାଡ଼ାମ ଅପ୍ରସ୍ତୁତ ହୋଇ କାନ୍ଧରୁ ଓହଳିଥିବା ସ୍ଲିଙ୍ଗବ୍ୟାଗ ଭିତରେ କିଛି କାଗଜ, କଲମ ଆଉ ପେନସିଲ ଆଡେଇ ଦେଖିଲେ ନିଜ ମୋବାଇଲ ବାଜି ଉଠିବାର lଏମିତି ସମୟରେ ଆଉ କାହା ଫୋନ ଆସିଥିଲେ ହୁଏତ ସେ ସୁଇଚ ଅଫ କରି ଦେଇଥାନ୍ତେ l


ଲୋନୀ ମ୍ୟାଡ଼ାମଙ୍କ ମୁଖମଣ୍ଡଳରେ କିନ୍ତୁ ଥିଲା କରୁଣଉଲ୍ଲାସର ଏକ ଦୁର୍ଲଭ ଚିତ୍ର l ଉଠିପଡି କହିଲେ, 


"ମ୍ୟାଡ଼ାମ, ମୋତେ କ୍ଷମା କରିବେ, ମୋ ବାପାଙ୍କ ଫୋନ, ମୁଁ ଫୋନ ନ ଉଠେଇଲେ ବ୍ୟସ୍ତହେବେ l ମୋତେ ଅନୁମତି ଦିଅନ୍ତୁ l ପ୍ରିନସିପାଲ ମ୍ୟାଡ଼ାମଙ୍କୁ କାହିଁ କେଜାଣି ଏ କଥାଟି ଖୁବ ଭଲ ଲାଗିଲା l

ହସିଦେଇ କହିଲେ,


"ଆସିପାର l"


ଏତେ ଇମ୍ପୋରଟାଣ୍ଟ ମିଟିଙ୍ଗ ଛାଡି ପିଲାମାନଙ୍କ ପରି କଣ 'ବାପା' 'ବାପା' ହେଉଛି ଭାବି ଅନ୍ୟମାନେ ଠରା ଠରି ହୋଇ ହସୁଥିଲେ l ସନ୍ଦେହରେ କିଏ କହିବାର ଶୁଭୁଥିଲା, 

"ନିଶ୍ଚୟ ନିତିନସାରଙ୍କ ଫୋନ ଆସିଥିବ l"


କିଛିସମୟ କଥା ହେବାପରେ ପୁଣି ମିଟିଙ୍ଗରେ ଯୋଗଦେଲେ ଲୋନୀ ମ୍ୟାଡ଼ାମ l ମିଟିଙ୍ଗ ପରେ ପ୍ରିନ୍ସିପାଲ ଔପଚାରିକତା ଦୃଷ୍ଟିରୁ ନିଜ କାରରେ ଲିଫ୍ଟଦେବାପାଇଁ ଚାହିଁଲେ l ବସ ସେତେବେଳକୁ ଚାଲିଯାଇ ଥିବାଯୋଗୁଁ ଆଉ ବର୍ଷା ଆସିବା ଦେଖି ତୁରନ୍ତ ରାଜି ହୋଇଗଲେ ଲୋନୀ ମ୍ୟାଡ଼ାମ l


ଏ ଭିତରେ ଦୁହେଁ ପରିବାର ବିଷୟରେ କିଛି ଗପସପ କରିବା ଆରମ୍ଭ କରିଦେଲେ l ପ୍ରିନସିପାଲ ଦେଖୁଥିଲେ ସବୁବେଳେ ହସଖୁସିଆ ଝିଅଟି ପାଠ ପଢ଼ାଇବା ସହ ଗପ,କବିତା ଲେଖି ଲୋକଙ୍କ ମନୋରଞ୍ଜନ କରିବାର l ଜାଣିବାକୁ ଇଚ୍ଛା ହେଲା ତାଙ୍କ ଘର ପରିବାର ବିଷୟରେ, ତାଙ୍କ ନାଁ ସହ ଭୂଗୋଳ ଶିକ୍ଷକ ନିତିନଙ୍କ ନାଁ ଯୋଡ଼ାଯିବା ପଛରେ ରହସ୍ୟ କଣ?


ହେଲେ ଲୋନୀଙ୍କୁ ନିଜ ବିଷୟରେ ଯେତେ ପଚାରିଲେ ନା ସେ କାହା ଆଗରେ କିଛି କହନ୍ତି ନା କାହା କଥାକୁ ଖରାପ ଭାବି ପ୍ରତ୍ୟୁତ୍ତର ଦିଅନ୍ତି l ଯେପରି ନିଜସହ ନିଜେ କିଛି ପ୍ରତିଶୃତି ବା ସର୍ତ୍ତ ରଖିଛନ୍ତି l ଚୁପ ରହିଲେ ଲୋନୀ l 


ପ୍ରିନସିପାଲ କିନ୍ତୁ ଆଶ୍ୱାସନା ଦେଇ କହିଲେ,


"ଦେଖ ଝିଅ ମୁଁ ତୁମ ମା' ବୟସର l ମୋତେ କୁହ, କିଛି ଭାବନି,ଦେଖିବ ତୁମକୁ ହାଲକା ଲାଗିବ l"


ଏ ଭିତରେ ଅଦିନିଆ ମେଘଟିଏ ଆରମ୍ଭ ହୋଇଗଲା l 

କର୍ମକ୍ଷେତ୍ରରେ ବ୍ୟକ୍ତିଗତ କଥା ଆଲୋଚନା କରିବା ଠିକନୁହେଁ l କିନ୍ତୁ ଉତ୍ତପ୍ତ ଶୁଷ୍କତା ଉପରେ ଶୀତଳ ବୁନ୍ଦା ପଡିବା ପରେ ମାଟି ବି ନିଜ ଭିତର ଆବେଗ ଉଦ୍ଦୀପନା ସବୁକୁ ଉନ୍ମୁକ୍ତ କରିଦିଏ l ବାସ୍ନାଟିଏ ଚହଟିଯାଏ ଚତୁର୍ଦିଗରେ l 

ମାତୃତ୍ୱର ସ୍ପର୍ଶ ମାତ୍ରକେ ଚଙ୍କିଯାଏ ମନ,ମିଳାଇ ଯାଆନ୍ତି ସବୁ ସର୍ତ୍ତ, ସବୁ ଚୁକ୍ତିନାମା l ସଦ୍ୟଆଉଟା କ୍ଷୀର ପରି ଉତୁରି ଆସେ ଅବ୍ୟକ୍ତ ହୃଦୟର କଥା ଆଉ ଲିଭିଯାଏ ସେଠି ଅନେକ ଦିନରୁ କୁହୁଳୁଥିବା ଚୁଲିନିଆଁ l


ଏଥର ଲୋନୀ ଆରମ୍ଭ କଲେ,


" ଠିକ ଅଛି, ମୁଁ କିଛି ଲୁଚାଇବିନି ମ୍ୟାଡ଼ାମ, ଆଜି ମୋ ମନକଥା ସବୁ ଆପଣଙ୍କ ଆଗରେ ଖୋଲି କହିବି ହେଲେ କଉଠୁ ଆରମ୍ଭ କରିବି ଜାଣିନି l ସଂସାରର ଆଦି ଅନ୍ତ କିଏ କହିପାରିବ? ସଂସାର କହିଲେ ମୋ ବାପା ମା' l ଆଜି ମୁଁ ଯାହାକିଛି କେବଳ ତାଙ୍କ ସିଦ୍ଧାନ୍ତ ଏବଂ ସଂସ୍କାର ପାଇଁ l


ମୋ ସ୍ମୃତି ଆରମ୍ଭରୁ ମନେପଡ଼େ, ମୁଁ ଆମ କଲୋନୀର ସବୁପିଲାଙ୍କ ଠୁଁ ସାନ ଥିଲି l ଖେଳିବା ବେଳେ 'ଦୁଧଭାତ' କହି ସମସ୍ତେ ମୋତେ ମୋ ହିସାବରେ ଖେଳିବା ପାଇଁ ଛାଡି ଦେଉଥିଲେ l ଆମ ଘର ପାଖରେ ଜଣେ ସଂସ୍କୃତ ସାର ଆଉ ତାଙ୍କ ସ୍ତ୍ରୀ ସବୁ ପିଲାଙ୍କୁ ସନ୍ଧ୍ୟାବେଳେ ଅଗଣାକୁ ଡାକି ଅନେକ ଗପ କାହାଣୀ କହୁଥିଲେ, ଭଜନ କରାଉଥିଲେ ପାଳିକରି ଆମକୁ ଗପ କହିବାକୁ ନିର୍ଦେଶ ଦେଉଥିଲେ l କିନ୍ତୁ ମୋର ପାଟି ଲାଗୁଥିଲା l ମୋ ଗପ ଶୁଣିବା ଆଗରୁ ସବୁ ହସି ଦେଉଥିଲେ l କେହି କିଛି ବୁଝୁ ନଥିଲେ l ଦୁଇ ଲାଇନ କହିନଥିବି 


"ଆରେ ବାଃ, ଚମତ୍କାର ଗପ l" କହି ସବୁପିଲା ତାଳି ମାରି ଦଉଥିଲେ ଆଉ ଅନ୍ୟ ପିଲାମାନେ ନିଜ ନିଜ କଥା ସ୍ପଷ୍ଟ ଭାବେ କହି ସମସ୍ତଙ୍କ ମନ ଜିତି ସାର ମାଉସୀଙ୍କ ଠୁଁ ପୁରସ୍କାର ପାଉଥିଲେ l ହେଲେ ମୋ ଗପକୁହା ସେମିତିକୁ ସେମିତି ଅଧା ରହିଯାଉଥିଲା l


ବାପା ଅଫିସରୁ ଆସି ମୋତେ ପିଠିରେ ଲାଉପଚା କରି ବୋଧ କରୁଥିଲେ l ମୋ ଅନାବନା ଗପ ସବୁ ଶୁଣୁଥିଲେ l ସେ ଗପ କେତେ ରାତିଯାଏ ଚାଲେ ତାର ଠିକଣା ନଥିଲା l ରାତିରେ କେତେବେଳେ ମୁଁ ବାପାଙ୍କ ପିଠିରେ ଲାଉପଚା ହୋଇ ଗପୁ ଗପୁ ଶୋଇ ପଡିଥାଏ ଜାଣେନି l ବାପାଙ୍କର କାର୍ଯ୍ୟବ୍ୟସ୍ତତା ଭିତରେ ବି ସେ ମୋ କଥା ଧର୍ଯ୍ୟଧରି ଶୁଣୁଥିଲେ l କେହି ମୋ କଥା ଶୁଣୁ ନାହାନ୍ତି କହି ମୁଁ କାନ୍ଦିଲେ ସିଲଟ ଖଡିରେ 'ଣ' ରେ ବିଲେଇ, '୫' ରେ ମଇଁଷି, '୨' ରେ ବତକ ଆଉ '୭' ରେ ମୂଷା ଆଙ୍କି ଫଟକି ମନେଇ ନେଉଥିଲେ l ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ କହି ଖେଳରେ ଖେଳରେ ଗଣନା ଶିଖାଇ ଦେଉଥିଲେ l 


ପ୍ରିନସିପାଲ ଖୋଲା ହସଟିଏ ହସିଲେ l କହିଲେ,


"ବାପାମା'ମାନେ ସବୁ ଏମିତି l ଆକାଶ ପରି ଧର୍ଯ୍ୟ ଆଉ ଧରାପରି ନିସର୍ତ୍ତ ସ୍ନେହ ଦେବାର କ୍ଷମତା ଥାଏ ବୋଲି ସେମାନଙ୍କୁ ଭଗବାନଙ୍କ ସମକକ୍ଷ୍ୟ ମଣାଯାଏ l ପିଲାଙ୍କ ସ୍ବପ୍ନ ପୁରା କରିବାକୁ କିପରି ନିଜ ସ୍ବପ୍ନ ସବୁ ଅନାୟାସରେ ଆଖିରୁ ପୋଛି ଦିଅନ୍ତି l"


ଲୋନୀ ପୁଣି କହିଲେ,

" ଏକଦମଠିକ କଥା ମ୍ୟାଡ଼ାମ l କିନ୍ତୁ ବାପାଙ୍କ ସ୍ବପ୍ନ ପୁରା କରିବାକୁ ଯେଉଁ ପରିଶ୍ରମ ଓ ପ୍ରୟାସ ଦରକାର ଥିଲା ମୁଁ ସେ ହିସାବରେ ପରିଶ୍ରମ କରିପାରିଲିନି l ଦିନକର ଘଟଣା, ସ୍କୁଲ ସରିଲାପରେ ମୁଁ ବାପାଙ୍କ ସହ ଆସୁଥିଲି l ସବୁଦିନ ପରି ବାପା ମୋତେ ହ୍ୟାଣ୍ଡଲରେ ଗୋଡ଼ ଛନ୍ଦି,ସାଇକେଲ ରଡ଼ରେ ବସାଇଦିଅନ୍ତି l ମୋ ହାତ ପାପୁଲିରେ ସୂର୍ଯ୍ୟ କିରଣ ପଡି ଝାଳ ଚିକଚିକ କରୁଥିଲା l


 କହିଲି,

" ବାପା, ଦେଖ ଦେଖ ମୋ ହାତ ଚିକଚିକ କରୁଛି l"


ବାପା କହିଲେ,


"ଯେଉଁ ମାନଙ୍କ ହାତ ଚିକଚିକ କରେ ବଡ଼ହେଇ ସେମାନେ ଡାକ୍ତର ହୁଅନ୍ତି l

ମୁଁ ସେବେଠୁ ଲକ୍ଷ୍ୟ ରଖିଥିଲି ଡାକ୍ତର ହେବି l ରୋଗୀ ସେବା କରିବି l

 ଖାଲି ଦୁଃଖ ଏତିକି ଯେ ବାପାଙ୍କ ଇଛା ରଖି ପାରିଲିନି l ଏବେ କିନ୍ତୁ ଗପ ଲେଖିପାରୁଛି l ମୋ ମା' କ୍ୟାନ୍ସରରେ ଚାଲିଗଲା ପରେ ବାପା ଏକୁଟିଆ, ଖୁବ ଦୁଃଖୀ l ନା କୁଆଡେ ଯାଆନ୍ତି ନା ଆସନ୍ତି l ଆଣ୍ଠୁଗଣ୍ଠି ବାତ ସାଙ୍ଗକୁ ତାଙ୍କୁ ଡାଇବେଟିସ l ମୁଁ ପ୍ରଥମେ ଘରକଥା ବୁଝେ l ତା' ପରେ ସ୍କୁଲ କଥା l ମୋ ବାପା ଖବର କାଗଜରେ ମୋ ନାଁ ଦେଖିଲେ କି ଗପ ଚ୍ୟାନେଲ ଗୁଡିକରେ ମୋ ଲିଖିତ ଗଳ୍ପର ପ୍ରସାରଣ ଶୁଣି ସବୁ ଦୁଃଖ ଭୁଲି ଯାଆନ୍ତି l ତାଙ୍କ କଥା ବୁଝି ବାକୁ ମୋ ମା' ନାହାନ୍ତି l ମୋ ବୟସ ଆଗେଇ ଚାଲିଛି ବୋଲି ଅଯଥାଚିନ୍ତା କରୁଛନ୍ତି l ଦିନେ ଜିଦକରି କହିଲେ,


"ମାଆରେ... ତୋତେ ଆସି ଚାଳିଶ ହେଲା, ଏବର୍ଷ ମୋ କଥାରଖି ବାହାଘର ପାଇଁ ରାଜି ହେଇଯା', ଘରସଂସାର କର l"


ବାପାଙ୍କୁ କେତେ ବୁଝେଇଲି l ମଙ୍ଗିଲେନି l ହାତଗଣତି କେତୋଟି ପ୍ରପୋଜାଲ ଧରି ମଧ୍ୟସ୍ଥି ଘରକୁ ଆସିଲେ l ସମସ୍ତଙ୍କର କିଛି ନା କିଛି ଅସୁବିଧା ବୋଲି ମୋ ପରି ବୁଢ଼ୀ କନିଆ ପାଇଁ ବି କିଏ କିଏ ପ୍ରସ୍ତାବ ପଠାଇଥାନ୍ତି l 


ମୋର କିନ୍ତୁ କେବେବି ବିବାହ କରି ବାପାଙ୍କୁ ଅସହାୟ ଅବସ୍ଥାରେ ଛାଡି ଅନ୍ୟତ୍ର ଚାଲିଯିବାକୁ ଇଛା ନଥିଲା l ମୁଁ ବାପାଙ୍କ ମନ ରଖିବାକୁ ଶେଷରେ ଗୋଟେ ଉପାୟ କଲି l ଭୂଗୋଳସାର ନିତିନ ମିଶ୍ରଙ୍କୁ ସବୁ କଥା ଖୋଲି କହିଲି l


କହିଲି ବିବାହ ନ କରିବାକୁ ସ୍ଥିର କରିଛି ଆଉ ବାପା ଆରାଜି l ସେଥିପାଇଁ ବଡ଼ଏକ ଅଭିନୟ କରିବାକୁ ପଡିବ l ପ୍ରଥମେ ରାଜି ହୋଇ ପରେ ପ୍ରତ୍ୟାକ୍ଷାନ କରିବାକୁ କଥାରହିଲା l ନିତିନ ସାର ଖୁବ ଭଦ୍ର, ଅମାୟିକ l ସେ ମୋ କଥାରେ ହସି ହସି ରାଜି ହୋଇଗଲେ l ଆମର ସାଙ୍ଗହୋଇ ବସା ଉଠା କରିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା l ଯାହା ମନ ଚାହୁଁଥିଲା ବାସ ତାହା ହିଁ ହେଲା l ଉଡ଼ାଖବର ପାଇବାପରେ ବାପା ନିତିନଙ୍କୁ ଘରକୁ ଡକାଇଲେ l


 ବାପାଙ୍କ ସହ କଣକଥା ହେଲେ କେଜାଣି ତା ପରଠୁ ନିତିନ ସାର ଖୁବ ବଦଳି ଯାଇଥିଲେ l ମୋତେ ଦେଖିଲେ ଗମ୍ଭୀର ହୋଇଯାଉଥିଲେ l ମୁଁ ତାଙ୍କୁ ମଜାରେ କହୁଥିଲି ଏତେ ସିରିଏସ ହୋଇ କଣ ମିଳେ ଜୀବନରେ? ହେଲେ ଦିନେ ସେ ପ୍ରକୃତରେ ମୋତେ ବିବାହ କରିବାକୁ ପ୍ରସ୍ତାବ ଦେଲେ l କହିଲେ, " ଲୋନୀ ମ୍ୟାଡ଼ାମ, ମୋର ମା'ବାବା ନାହାନ୍ତି l ତୁମ ବାପା ଖୁବ ସରଳ l ତାଙ୍କ ମନରେ ଆଘାତ ଦେବା ପାପ ହେବ l ବିବାହ ପରେ ବାପା ଆମ ସାଙ୍ଗରେ ରହିବେ, ମୁଁ ନିଜେ ତାଙ୍କ କଥା ବୁଝିବି l"


ମୋ ବାପାଙ୍କୁ ସେ ଏତେ ଭଲ ପାଇଗଲେ କାହିଁ କହି ପାରିବିନି l ଅତ୍ମୀୟତାର ରଙ୍ଗରେ କୃତ୍ରିମତା ନଥାଏ ବୋଧହୁଏ l ଥରେ ବୋଳି ହୋଇଗଲେ ଯେତେ ଧୋଇଲେ ମାଜିଲେ ଛାଡ଼େନି l ମୁଁ ନିଜ ରଚିତ କାହାଣୀରେ ନିଜେ ଫସିଗଲି l ବଡ ଅଡୁଆ ସୁତାରେ ଗୁଡେଇ ହୋଇ ମୋତେ ଫିଟିବାର ବାଟ ଦିଶିଲାନି l ମଣିଷ ବେଳେ ବେଳେ ମୋହ ମାୟାରେ ପଡି ସାମାୟିକ ଭାବେ ରାସ୍ତା ପାଶୋରି ଯାଏ l


 ତାଙ୍କୁ ମୁଁ ସିଧା ମନା ନକରି ସମୟ ମାଗିଲି l ତା' ଭିତରେ ମନ ପରିବର୍ତ୍ତନ ହୋଇ ଯାଆନ୍ତା ବୋଲି ଅପେକ୍ଷା l ଆମ ଘର ଦୁର୍ଦଶା ପାଇଁ କିଏ କାହିଁକି ବଳି ପଡିବ ମ୍ୟାଡ଼ାମ? 


ବାପାଙ୍କ କଥା ମୁଁ ବୁଝିବି, ଚିନ୍ତା କରନ୍ତୁନି କହି ନିଜ କାମରେ ମନ ଦେଲି l


ବାପାଙ୍କୁ ତାଙ୍କ ବାର୍ଦ୍ଧକ୍ୟରେ ଲାଉପଚା କରି ନ ପାରିଲେ ବି ଆଶାବାଡ଼ିଟିଏ ଯେମିତି ହୋଇପାରେଁ, ଏତିକି ମାତ୍ର ଇଛା l


ହେଲେ ସାରଙ୍କ ପରି ସହୃଦୟ ବ୍ୟକ୍ତି ଓ ମୋତେ ନେଇ ସମାଜରେ କିଛି କୁତ୍ସିତ ଭାବନା ରଖୁଥିବା ଲୋକ ଯିଏ ଯାହା ମନଗଢ଼ା କାହାଣୀକୁ ଲାଉପଚା କରି ଲଦିଛନ୍ତି ପିଠିରେ, ଭାବିଲେ ହସ ଲାଗେ l ହଁ, ବାପାଙ୍କୁ ମୋ ବାହାଘର କଥା ନ ପକାଇବାକୁ ସବୁଦିନ ଅଦ୍ଭୁତ କାହାଣୀ କହି ଭୂତାଇ ଲାଗିଛି ଯାହା l"

ଉଭୟ ପ୍ରିନସିପାଲ ଆଉ ଲୋନୀ ମ୍ୟାଡ଼ାମ ହସିଦେଲେ ମନଖୋଲି l 


ଦେଖୁ ଦେଖୁ ଲୋନୀଙ୍କ ଘର ଆସିଗଲା l ବର୍ଷା ମଧ୍ୟ ଛାଡି ଯାଇଥିଲା l କୃତଜ୍ଞତାର ପଦଟିଏ କହି ଯିବାକୁ ଅନୁମତି ମାଗିଲେ l


କାରଡୋର ଖୋଲି ବିଦାୟ ଦେଲେ ପ୍ରିନସିପାଲ ମ୍ୟାଡ଼ାମ ଲୋନୀଙ୍କୁ l କେଜାଣି କାହିଁ ତାଜା ଅତ୍ମୀୟତାର ମହକ ଭରିଗଲା ସବୁଆଡେ l ସ୍ନେହରେ ଜଡ଼ସଡ଼ ଲୋନୀର ନିକଟତର ଲୋକ ମୋହମାୟାରେ ପଡିଯିବା ସ୍ୱାଭାବିକ l କୁଳୁ କୁଳୁ ଝରଣା ପରି ଅଙ୍କାବଙ୍କା ହୋଇ ଆଗେଇ ଯାଉଛି ସେ ତାର ସ୍ୱତନ୍ତ୍ର ଗତିରେ l ତାକୁ ତା ସ୍ୱତନ୍ତ୍ରତା, ତା ସ୍ବପ୍ନ, ତା ଇଛା, ତା ସମର୍ପଣ ଭାବନାକୁ ନେଇ ସମାଜ କାହିଁ ଜିଁବାକୁ ଦେବନି? ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ତାକୁ ବାହାନା କରିବାକୁ ନ ପଡ଼ୁ l କୈଫିୟତ ଦେବାକୁ ନ ପଡ଼ୁ କାହା ଆଗରେ l ସେ ଦେଖୁଥିଲେ ସ୍ୱାଭିମାନୀ ଝିଅଟିଏ ନିଜ ବାପାଙ୍କୁ ବାର୍ଦ୍ଧକ୍ୟରେ ସାହାରା ଦେବାପାଇଁ ଦୁନିଆକଥା ନିଜ ଭିତରେ ଲୁଚାଇ ରଖିଛି l 


ହେଲେ ଦୁନିଆ ଆଗରେ ଯେତେ ଲୁଚାଇଲେବି ସତହେଲା ନିଜ ପିଲାମାନଙ୍କ ଅବହେଳା ଏବଂ ଅବିଚାର ପାଇଁ ପ୍ରିନସିପାଲ ମ୍ୟାଡ଼ାମଙ୍କ ବ୍ୟକ୍ତିଗତ ଜୀବନ ଦୁଃଖର କଳା ବାଦଲ ଭରିରହିଛି l ଆଜିକାଲିର ବାସ୍ତବତା ହେଲା ବର୍ଷା ବନ୍ଦ ହେବାପରେ ଛତା ଏବଂ ସ୍ୱାର୍ଥସିଦ୍ଧି ହେବା ପରେ ଅଭିଭାବକ ମାନେ ଅଲୋଡ଼ା ହୋଇ ଘର କଣରେ ପଡି ରହୁଛନ୍ତି l ତାଙ୍କ ଆଖି ଜକେଇ ଆସୁଥିଲା ଓ ସେ ଅନୁଶୀଳନ କରୁଥିଲେ ତାଙ୍କ ଅନୁଶାସନରେ କେଉଁଠି ଭୂଲ ରହିଗଲା !


Rate this content
Log in

Similar oriya story from Drama