STORYMIRROR

Sachidananda Kar

Classics

3  

Sachidananda Kar

Classics

କୁଆଡ଼େ ହଜିଗଲି ସେଦିନ

କୁଆଡ଼େ ହଜିଗଲି ସେଦିନ

2 mins
236


           ଆସିଥିଲା ବସନ୍ତ ଋତୁ।ଆମ୍ବ ଗଛଟିରେ ବଉଳ ହୋଇଥିଲା।ଏତେ ବଉଳ ହୋଇଥିଲା ଯେପରି ଯେତେ ବାହାରିବାକୁ ଥିଲେ ସବୁ ବାହାରି ପଡିଥିଲେ।


          ଏଇ ବଉଳ କାରଣରୁ ଗଛଟି ମୋର ଦୃଷ୍ଟି ଆକର୍ଷଣ କରୁଥିଲା।ଝରକା ବାଟେ ମୁଁ ତା' ଆଡେ ଚାହିଁ ରହୁଥିଲି।ବଉଳର ଭୁରୁ ଭୁରୁ ବାସ୍ନାକୁ ଆଘ୍ରାଣ କରୁଥିଲି।


           ଦିନେ ସେଇ ଆମ୍ବଗଛ ତଳେ ଠିଆ ହୋଇଥିବା ଛ' ସାତ ବର୍ଷର ଝିଅଟିଏ ମୋର ଦୃଷ୍ଟି ଆକର୍ଷଣ କଲା।ଆମ୍ବ ବଉଳ ଥିବା ଡାଳ ଖଣ୍ଡେ ପାଇବାକୁ ବେଶ୍ ଉଦ୍ୟମ କରୁଥିଲା ଝିଅଟି।


           ନିଜର ସମସ୍ତ ଶକ୍ତି ଖଟେଇ ଉପରକୁ ଡେଉଁଥିଲା ଝିଅଟି।ହେଲେ ବଉଳ ଥିବା ଆମ୍ବଡାଳଟି ପାଖରେ ତା'ର କୁନି ହାତ ଆଦୌ ପହଞ୍ଚି ପାରୁ ନ ଥିଲା।


           ନାଲି ନାଲି ଓଠ,ତୋଫା ଜହ୍ନ ପରି ସୁନ୍ଦର ଗୁଲୁଗୁଲିଆ ମୁହଁରେ ସରଗର ନୁହେଁ ଧରଣୀ ବୁକୁର କୁନି ପରୀଟିଏ ପରି ଲାଗୁଥିଲା ସେ।ମୋ ଆଖି ତା' ଆଡୁ ଆଦୌ ଫେରୁ ନ ଥିଲା।


           କିଏ ଏଇ କୁନିପରୀ ? - ନିଜକୁ ପ୍ରଶ୍ନ କଲି ମୁଁ।


           ଏବେ ଝିଅଟି ପାଖରେ ପହଞ୍ଚିବାକୁ ମୋ ଭିତରେ ଇଚ୍ଛାଟିଏ ସୃଷ୍ଟି ହେଲା।ଇଚ୍ଛାଟି ସହସା ଶହେ ଗୁଣ ବଢିଗଲା।ମୁଁ ଘରୁ ବାହାରି ତା' ପାଖକୁ ଚାଲି ଆସିଲି।


           ମୋର ବୟସ ସେତେବେଳକୁ ତେଇଶି ବର୍ଷ।ଉଚ୍ଚତା ପାଞ୍ଚ ଫୁଟ ଦଶ ଇଞ୍ଚ।ହାତ ବଢେଇଲେ ଡାଳ ପାଖରେ ସହଜରେ ପହଞ୍ଚି ପାରୁଥିଲି ମୁଁ।ହେଲେ ସେପରି ନ କରି ଝିଅଟିର ଅନୁରୋଧକୁ ଅପେକ୍ଷା କରି ରହିଲି।


           ସମୟ ବିତୁଥିଲା।ଝିଅଟି କିନ୍ତୁ ଅନୁରୋଧ କରୁ ନ ଥିଲା।ବୋଧହୁଏ ମୋର ସାହାଯ୍ୟ ନେବାକୁ ଚାହୁଁ ନ ଥିଲା ଝିଅଟି।


           - " ଆମ୍ବ ବଉଳ ଡାଳ କ'ଣ କରିବୁ,ଝିଅ ? " ଝିଅଟିକୁ ପଚାରିଦେଲି।


           - " ପୂଜା ପାଇଁ ଦରକାର ଅଛି।ମାଆ ମୋତେ ପଠେଇଛନ୍ତି। " ଝିଅଟି ତା'ର ଉତ୍ତରରେ କହିଲା।ପୁଣି ନିଜ ଉଦ୍ୟମରେ ଲାଗିଗଲା।


           ଝିଅଟିର ସାଧୁ ଉଦ୍ୟମ ମୋତେ ଧୀରେ ଧୀରେ ପ୍ରଭାବିତ କରୁଥିଲା।ମୁଁ ତା' ମନସ୍କ ହୋଇ ପଡୁଥିଲି ଖୁବ୍।


           ଏବେ ନିଜ ତରଫରୁ ତାକୁ ସାହାଯ୍ୟ ଦେବାକୁ ଚାହିଁଲି।ଆମ୍ବ ବଉଳର ଡାଳ ଖଣ୍ଡିଏ ଭାଙ୍ଗି ଦେବାକୁ ହାତ ବଢାଇଲି।


           ଉପରକୁ ଚାହିଁବା ମାତ୍ରେ ଶୁଖିଲା ବଉଳର ଫୁଲଟିଏ ବୋଧହୁଏ ଝଡିକରି ଆସି ମୋ ଆଖିରେ ପଡିଗଲା।ମୁଁ ଆଖି ବୁଜି ଦେଇ ତଳେ ବସିପଡିଲି।


          - " କ'ଣ ହେଲା ? " ଝିଅଟି ପଚାରିଲା।


          - " ବଉଳର ଫୁଲଟିଏ ବୋଧହୁଏ ଝଡିକରି ଆସି ଆଖିରେ ପଡ଼ିଗଲା। " ମୁଁ କହିଲି।


          ଝିଅଟି ଲାଗି ଆସିଲା ମୋ ପାଖକୁ।ପୁଣି ପଚାରିଲା - " ଫୁଙ୍କ ମାରିଦେବି ? "


           ମୁଁ ତାକୁ କୌଣସି ଉତ୍ତର ଦେଲିନାହିଁ।କିନ୍ତୁ ଗୋଟିଏ ଆଖି ଖୋଲି ଦେଖିଲି ସେ ତା'ର ଫ୍ରକ୍ ର ଧାରକୁ ମୋଡିମାଡି ମୋ ଆଖି ପାଖକୁ ଆଣିବାକୁ ଉଦ୍ୟମ ଚଳାଇଛି।


           ବାସ୍ ସେତିକିବେଳେ ମୋ ଆଖି ଠିକ୍ ହୋଇଗଲା।ଝିଅଟିକୁ ପଚାରିଲି - " ସାହାଯ୍ୟ କରିବାକୁ ଆଗେଇ ଆସିଲୁ,ଅଥଚ ସାହାଯ୍ୟ ମାଗିପାରିଲୁ ନାହିଁ ତ ? "


           - " ସବୁବେଳେ ନିଜ ଉଦ୍ୟମରେ ଲକ୍ଷ୍ୟ ହାସଲ କରିବାକୁ ମାଆ ମୋତେ ଶିଖାଇଛି।ଏ ବାବଦରେ ଅନ୍ୟର ସାହାଯ୍ୟ ନେବାକୁ ମୋତେ ବାରଣ କରିଛି ସେ।କିନ୍ତୁ ଯିଏ ବିପଦରେ ପଡିଥିବ ତାକୁ ହୃଦୟ ଖୋଲି ସାହାଯ୍ୟ ଦେବାପାଇଁ ସେ କହିଛି। " ଝିଅଟି କହିଲା।


           ଗୁରୁ ମାନିଗଲି ଝିଅଟିକୁ ତା'ର ଏଇ କଥାଶେଷରେ।ବଉଳ ଥିବା ଡାଳ ଖଣ୍ଡିଏ ଭାଙ୍ଗି ତା' କୁନି ହାତରେ ଦେଲି।ଝିଅଟି ତାହା ନେଇ ହସି ହସି ଖୁସିରେ ଚାଲିଗଲା।


           ଛୋଟ ଝିଅଟେ ପାଖରୁ ବି ଏତେ ସୁନ୍ଦର ଜୀବନ ଦର୍ଶନ ଶିଖିବାକୁ ଥାଏ ! - ଏଇ କଥା ଭାବି ଭାବି ମୋ ନିଜ ଅଜାଣତରେ ମୁଁ କୁଆଡ଼େ ହଜିଗଲି ସେଦିନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics