STORYMIRROR

Siddhartha Sankar Tripathy

Abstract Romance Inspirational

3  

Siddhartha Sankar Tripathy

Abstract Romance Inspirational

କଟକଣାର ମାୟାଜାଲ

କଟକଣାର ମାୟାଜାଲ

5 mins
161


ଭାସ୍କର ବାବୁ ଏକୋଇରବଳା ଝିଅକୁ ବୁଝୋଉଥିଲେ, ଚୀନ ଯୁଦ୍ଧଠାରୁ ପୁଲୱାମା ଯାଏଁ ଲୋମହର୍ଷଣ ବୃତ୍ତାନ୍ତ। ବିଡିଟାଣି ଗାଈମାନଙ୍କୁ ଚାରାଦେଇ ଖୁଁ ଖୁଁ କାଶୁଥିଲା ବିଶୁଆ। କହୁଥିଲେ ଭାସ୍କର ବାବୁ, ବୁଝିଲୁ ଝିଅ ସ୍ଵାସ୍ଥ୍ୟ ହିଁ ସମ୍ପଦ ।ବିଶୁଆ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହୁଥିଲେ-- ' ସ୍ଵାସ୍ଥ୍ୟ ନିଜର ହରାଇଲା ସିଏ ଅର୍ଥ ପଛରେ ଧାଇଁ, ସଞ୍ଚୟ ତକ ହରାଇଲା ପୁଣି ସ୍ଵାସ୍ଥ୍ୟ ପାଇବା ପାଇଁ। ମମ୍ମି ସହ ମିଶି କାମଧନ୍ଦା ଶିଖ। କରୋନା ମହାମାରୀର କବଳରେ କବଳିତ ବିଶ୍ବ ।ତୁ ତ ପ୍ରାଣୀବିଜ୍ଞାନ ଛାତ୍ରୀ। କଟକ ସହରର ପରିସ୍ଥିତି ଭଲ ନାହିଁ। ଆଉ ଆଗକୁ ପଢିବାର ସୁଯୋଗ ମିଳିନପାରେ। ତାଛଡା ଆମ ଗାଆଁ ନରସିଂହପୁର କେଉଁ ସହରଠାରୁ କମ୍ ନୁହେଁ। ପ୍ରଦୂଷଣମୁକ୍ତ ଆମ ଗାଆଁ ପଦ୍ମ ପୋଖରୀ, ଦେଖାଯାଉଛି ମାଳମାଳ ହଂସ, ପକ୍ଷୀ କି ପକ୍ଷୀ ଲଗାଲଗି ଜହ୍ନ ଆଲୁଅ, ପହଁରି ଚାଲିଛନ୍ତି ଜଣକ ପିଛା ଜଣେ। ସେମାନେ ସତେକି କଳ୍ପନା ଭିତରେ କଳ୍ପନା ଅଶରୀରୀ ଛାଇ। କିଏ ଯେପରି ମୁଠାମୁଠା ଛିଣ୍ଡା କାଗଜଧରି ଆକାଶକୁ ଛାଟିଦେଲା ପରି କେବେ ସେମାନଙ୍କୁ ଛିଞ୍ଚାଡି ଦେଇଥିଲା ତା'ପରେ ସେମାନେ ଚାଲିଛନ୍ତି ନା ଚାଲିଛନ୍ତି ବିଭିନ୍ନ ଗାଆଁ ପୋଖରୀମାନଙ୍କରେ। ସେମିତି ଏ ବଉଦମାନେ। ସେମିତି ଏ ଜହ୍ନ। ଚାଲିଛି ନା ଚାଲିଛି। ମାଳମାଳ ହଂସ ଚାଲିଛନ୍ତି। ଚନ୍ଦ୍ର ବି ଗତିକରୁଛି। ଯାହା ଯେଉଁଠି ଥିଲା ତା' ଆଉ ସେଠି ନାହିଁ। ସମୟର ବି ଗତି ଅଛି ଯେମିତି ଅଛି ଜଡ ସ୍ଥାନର। ଏଇ ଦେଖ ଗାଆଁ ମୁଣ୍ଡର -- ବାସ୍ତବ ସେହି ଅନ୍ଧାରି ଦେଉଳ ଆଗର ଦୀପସଳିତାର ଥରଥର ନିଆଁ ଧାସ। ଆଉ ତାର ବିଚିତ୍ର ପ୍ରତୀକ୍ଷା। ଦୀପ ଜଳୁଛି। ଅନ୍ଧାର ଘୋଟିଛି। ପରିଣତି ଘଟିନାହିଁ। ପଥରର ମୂର୍ତ୍ତିଗୁଡ଼ିକ ବସିଛି, ଭଦ୍ର, ଶାନ୍ତ। ଭିତରର ଛଳନା ଦୁଃଖ ପାଇଛି। ସମସ୍ତେ ତାକୁ ଅବହେଳା କରିଛନ୍ତି। ତେଣୁ ଝିଅଲୋ.....! ଛଳନା, ଛନ୍ଦ, କପଟ, ବିବାହ ପୁର୍ବର ଅସ୍ୱିକୃତିପ୍ରାପ୍ତ ପ୍ରେମ ସବୁଗୁଡାକ ଗୋଟିଏ ଗୋଟିଏ ଅପଦେବତାର ଅଭିଶାପ। ବିରକ୍ତ ହୋଇ ଝିଅ ନିର୍ମଳା କହୁଥିଲା, ' ପାପା ! ମୁଁ ପ୍ରାଣୀବିଜ୍ଞାନ ର ଛାତ୍ରୀ। ଏହି ସାହିତ୍ୟର ସାରଗର୍ଭକ ତତ୍ତ୍ୱ ମୁଁ କିଛି ବୁଝିପାରୁନାହିଁ। କେବଳ ଏତିକି ବୁଝିଛି ମୋ ପରିବାର ମୋର ସର୍ବସ୍ବ। ' ହେଇଟି ଶୁଣୁଛ, ସେଇଠି ଝିଅକୁ ଜ୍ଞାନ ଦେଉଥାଅ, ଏପଟେ ପାପା ଆସିଲେଣି ଟିକେ ସନିଆ କେଉଟ ଘରୁ ମାଛ ନେଇଆସନ୍ତନି ।' ଭାସ୍କରବାବୁ ଶ୍ୱଶୁର ଚର୍ଚ୍ଚା କରିବାକୁ ଉଠୁଉଠୁ ନିର୍ମଳାକୁ କହିଲେ ଯାଆ, ଅଜାଙ୍କୁ ଦେଖାକରିଦେ। ଚାଲିଗଲେ ଅଜା। ଆସିବାର କାରଣ ଥିଲା ନାତୁଣୀ ନିର୍ମଳାର ବାହାଘର ପ୍ରସ୍ତାବ। ପୁଅଟା ବ୍ୟାଙ୍କ ମ୍ୟାନେଜର। ବୟସ ଅଠତିରିଶ ହେଲେ କ'ଣ ହେଲା, ଆଜିକାଲି ବ୍ୟାଙ୍କ ଚାକିରୀଆ ପ୍ରସ୍ତାବ ମିଳିବା କଷ୍ଟକର। ଭାସ୍କରବାବୁ ଟିକେ ଆପତ୍ତି କରିଥିଲେ ବୟସକୁ ନେଇ। ନିର୍ମଳାକୁ ବାଇଶିବର୍ଷ। ଶ୍ୱଶୁର ସୁନ୍ଦର ଭାବରେ ବୁଝେଇଦେଇ ନିର୍ମଳାର ଫଟୋ ନେଇ ଚାଲିଗଲେ। ସନ୍ଧ୍ୟା ଆସନ୍ନପ୍ରାୟ। ଗାଈଆଳ ଟୋକା ଗାଆଁଦାଣ୍ଡରେ ଧୁଳିଉଡେଇ ଗାଈ ଅଡେଇ ଚାଲିଛି। ଗାଆଁମୁଣ୍ଡ ବରଗଛରେ ପକ୍ଷୀଙ୍କର କଳରବ। ଗାଆଁ ମାଇପେ ଢାଳଧରି ପୋଖରୀ ହିଡରେ ସ୍ୱଚ୍ଛଭାରତ ପ୍ରଦର୍ଶନରେ ଉଦ୍ୟମରତ। ନରସିଂହପୁର ଠାରୁ ଅନତିଦୂରରେ ଅବସ୍ଥିତ ବଙ୍ଗଳାଟି ନୀରବ। ସମସ୍ତେ ଚୁପ୍।

ଭାସ୍କରବାବୁ ଝିଅକୁ ବୁଝୋଉଥିଲେ। ଆଜ୍ଞାବହ ଝିଅଟି ହଁ କହିବ କି ନା କହିବ ବୁଝିପାରୁନଥିଲା। ପାପାଙ୍କ ବାହାକରେଇବା ପାଇଁ ଜିଦ୍ କଟକଣା ନା ପ୍ରେମ ବୁଝିପାରୁନଥିଲା ନିର୍ମଳା। ଗୋଟିଗୋଟି କଥା ମନେ ପଡିଯାଉଥିଲା ବ୍ରସରେ ଦନ୍ତମଂଜନର ମାତ୍ରାଠାରୁ ଦୁରଦର୍ଶନରେ କ'ଣ ଦେଖିବ ନିର୍ଦ୍ଧାରଣ କରୁଥିଲେ ପାପାମମ୍ମି। ଏସବୁ କଟକଣା ନା ପ୍ରେମ ? କିଛି ବୁଝିପାରୁନଥିଲା ନିର୍ମଳା। ସମୟ ଅତିବାହିତ ହେବା ସହ ସଂଯୋଗ କି ସୌଭାଗ୍ଯବଶତଃ ଦୁଇଚାରିଟି ବାହାଘର ପ୍ରସ୍ତାବ ଆସିଥିଲା ବି ଓ ନରସିଂହପୁର ଛକର ଭଙ୍ଗା ଆଖୁକଳ ପରି ଧିମାଗତିରେ ଆଗକୁ ବଢି ସ୍ୱତଃ ଅଟକିଯାଇଥିଲା। ୟାରିଭିତରେ ପାଖ ବେସରକାରୀ କଲେଜରେ ପ୍ରାଣୀବିଜ୍ଞାନ ଅଧ୍ୟାପିକା ନିର୍ମଳାର ଦେଖା ହୋଇଗଲା ଯୁବ ସାହିତ୍ୟ ଅଧ୍ୟାପକ ଅମରେନ୍ଦ୍ର ସହ। ସାତକୋଶିଆରେ ସହକର୍ମୀଙ୍କ ସହ ବୁଲୁଥିବା ସମୟରେ ବାରମ୍ବାର ଦୁହିଁଙ୍କ ଚକ୍ଷୁର ମିଳନ ହେଉଥିଲା। ବିଦେଶାଗତ ପକ୍ଷୀଦୁଇଟିର ଅନ୍ତରଙ୍ଗ ମୁହୂର୍ତ୍ତକୁ ଦେଖି ସୁନ୍ଦର ପକ୍ଷୀ ଦୁଇଟି କହି ନାଚୁଥିଲା ନିର୍ମଳା କିନ୍ତୁ ସାହିତ୍ୟ ଅଧ୍ୟାପକ ଅମରେନ୍ଦ୍ର ସାହିତ୍ୟିକ ଠାଣିରେ କହୁଥିଲେ ' ହାଁ ସୁନ୍ଦର ପ୍ରେମ। ' କିଛିବୁଝୁନଥିଲା ନିର୍ମଳା, ମନେମନେ କୁରୁଳି ଉଠୁଥିଲେ ଅମରେନ୍ଦ୍ର। ଦିନେ କଲେଜ କମନରୁମରେ ଅମରେନ୍ଦ୍ର ପଚାରିଲେ--' ଆପଣ ଲୈଲାମଜନୁ ଜାଣିଛନ୍ତି ? ' ଦ୍ୱିତୀୟ ଶ୍ରେଣୀର ଛାତ୍ରୀକୁ ନିଉଟନଙ୍କ ତୃତୀୟ ନିୟମ ପଚାରିଲେ ଆଁ କରି ଫେଁ କିନା ହସିଲାପରି ହସୁଥିଲା ନିର୍ମଳା । ନିର୍ମଳା ହସିହସି କହିଲା, ନା ମୁଁ ରକ୍ଷଣଶୀଳ ପରିବାରର ଝିଅ। ପାପାମମ୍ମି ହିଁ ମୋ ସଂସାର, ତା ବ୍ୟତିତ ମୁଁ ଆଉ କିଛି ଜାଣେନାହିଁ। ଝିଅଟିର ସ୍ପଷ୍ଟବାଦିତାରେ ପ୍ରଭାବିତ ହୋଇଥିଲା ଅମରେନ୍ଦ୍ର। ନିର୍ମଳା :: ସାର୍, ଆପଣ ହସିଲେ କାହିଁକି ଯେ ? ଆପଣ ପରା କୁହନ୍ତି ଏକବିଂଶ ଶତାବ୍ଦୀର ପ୍ରେମ ପ୍ରାୟତଃ ଭେଜାଲ। ବାହାହୋଇ ସଂସାର ପ୍ରେମରେ ଉବୁଟୁବୁ ହେବାର ଆନନ୍ଦ ଅବର୍ଣ୍ଣନୀୟ। ପ୍ରେମ, ମାନ, ଅଭିମାନ, ପ୍ରତାରଣାର ପାହାଚ ଅତିକ୍ରମ କରୁକରୁ ଝିଅଟି ବାରମ୍ବାର ଝୁଣ୍ଟିପଡେ ଓ ବିପଥଗାମୀ ହେବାସହ କହିବୁଲେ ପ୍ରେମ କଣ୍ଟକିତ। କିନ୍ତୁ ପ୍ରେମ ତ ଦାନପ୍ରତିଦାନର ହିସାବ ଖାତା ନୁହଁ ନା । ତାଛଡା ଏସବୁରେ ନିମଗ୍ନ ରହି ଜୀବନ ହାରିଦେବା କେତେଦୂର ଯୁକ୍ତିଯୁକ୍ତ ? ସମୟ ବଡ ବଳବାନ, ଜୀବନ ବଡ ମୂଲ୍ଯବାନ। ଚମକି ଉଠିଲା ଅମରେନ୍ଦ୍ର। ମୃତ୍ୟୁର ବିପୁଳତା ତା ମନକୁ ଆଚ୍ଛନ୍ନ କରିଥିଲା ସୃଷ୍ଟିର ଆଦିମ ଦୁଃଖକୁ ସେ ଆପଣାଠିଁ ଅନୁଭବ କରି ବିଷର୍ଣ୍ଣ ହେଉଥିଲା। ଏମିତି ଏ ସନ୍ଧିବେଳାରେ ଝିଅଟି ଥିଲା ତା ମୃତସଂଜିବନୀ। ରାମାୟଣରେ ସୀତା, ମହାଭାରତରେ ଗୀତା ଭାରତୀୟ ସଂସ୍କୃତିର ମନୋଜ୍ଞ ପଲ୍ଲବ। ସୀତା ପରି ଭଗବତୀ ସତୀ ରାବଣର ଲଙ୍କାରେ ବନ୍ଦିନୀ ହୋଇ ତ ଆତ୍ମହତ୍ୟାର ରାସ୍ତା ଆପଣେଇ ନଥିଲେ ? ଅଭିଶପ୍ତା ଅହଲ୍ୟା ପାଷାଣୀ ହୋଇ ବଞ୍ଚିବା ଆପଣେଇଥିଲେ ମୃତ୍ୟୁ ନୁହେଁ। ଦ୍ରୌପଦୀର ପଞ୍ଚପତି ଗ୍ରହଣପରେ ବି ମୃତ୍ୟୁର ଆଭାସ ନଥିଲା। ପୁରାଣବର୍ଣ୍ଣିତ ଦେବଦେବୀଙ୍କ ପାଇଁ ଜୀବନ ଥିଲା ମୂଲ୍ଯବାନ। ତାହେଲେ ସେ ???ଅମରେନ୍ଦ୍ର ବଦଳେଇ ଦେଇଥିଲା ନିର୍ମଳାର ମାନସିକତା। ଧିରେଧିରେ ସମ୍ପର୍କର ସେତୁ ସୁଦୃଢ ହେବାରେ ଲାଗିଲା ନିର୍ମଳା ଓ ଅମରେନ୍ଦ୍ରର। ଅମରେନ୍ଦ୍ର ଠାରୁ ସମସ୍ତ ବିଷୟ ଶୁଣି ସାରିଥିଲା ନିର୍ମଳା। ନିର୍ମଳା ଥିଲା ପାପାମମ୍ମିଙ୍କ ଦ୍ୱାରା ପରିଚାଳିତା। ଅମରେନ୍ଦ୍ର ସହ ସମ୍ପର୍କର ଡୋର ସେ କହିପାରୁନଥିଲା କାହାକୁ କି ରହିବି ପାରୁନଥିଲା। ଶେଷରେ କହିଲା, ଅମରେନ୍ଦ୍ର ତମେ ପାପାମମ୍ମିଙ୍କ ସହ ସାକ୍ଷାତ କରିବ, ନଚେତ୍ ଆମ ସମ୍ପର୍କର ଡୋର ସେଇଠି ଶେଷ। ଅମରେନ୍ଦ୍ର କହୁଥିଲା ,ଜାଣିଛ ନିର୍ମଳା ସଂସାରରେ କେତେପୁଅ କେତେ ଝିଅଙ୍କୁ ଭେଟନ୍ତି। ସେଥିରେ ଘାସର ପତ୍ର ହଲେନାହିଁ । କାହାର କିଛି ଯାଏ ଆସେ ନାହିଁ। କିନ୍ତୁ ତମଭଳି ଝିଅ ମତେ ଦେଖାହେଲେ, ନରସିଂହପୁର ଗାଆଁରେ ଭୂମିକମ୍ପ ହୋଇଯିବ। ପୋଖରୀକୂଳରେ ଅନେକଙ୍କ ଆଖିରେ ଈର୍ଷାର ନୀଳବତି ଜଳିଉଠିବ।ଗାଆଁଛକ ବାଟନପାଇ ଗାଡିସବୁ ଠିଆ ହୋଇଯିବ। କାରଣ ରାସ୍ତାକଡର ମୁମୂର୍ଷୁ ଭିକାରୀକୁ କେହି ଧ୍ୟାନ ଦେବେ ନାହିଁ, ଅଥଚ ପୁଅଟିଏ ସହ ଝିଅଟିଏ ଦେଖିଲେ ଆବାଳବୃଦ୍ଧଙ୍କର ଆଖି ଟେରା ହୋଇଯିବ। କିନ୍ତୁ......... ବୁଝିବ କିଏ ? ବୁଝେଇବ କାହାକୁ ? ବୁଝେଇବ କେମିତି ? କାରଣ ଯୁବତୀକୁ ଯୁବକଟିଏ ଦରକାର। ହେଉ ପଛେ ଧୋକା। ତାଛଡା ଯୁବକଙ୍କ କ'ଣ ଅଭାବ ଯେ ? ଦେଶରେ ତ ହାରାହାରି ୪୮.୦୪ ଝିଅକୁ ୫୧.୯୬ ପୁଅ ଉପଲବ୍ଧ। ଅମରେନ୍ଦ୍ରର ଆବଶ୍ୟକ ନଥିଲା ଶଯ୍ୟାସଙ୍ଗିନୀ, ଆବଶ୍ୟକ ଥିଲା ଜୀବନ ତରୀକୁ ଆଗକୁ ବଢେଇ ନେବାପାଇଁ ଅନାବିଳ, ଅନାସକ୍ତ ପ୍ରେମିକାଟିଏ ? କିନ୍ତୁ ତାହା ସମ୍ଭବ ନଥିଲା ।ସେମିତି ହୋଇପାରୁଥିଲେ ଲୋକଲଜ୍ଜାକୁ ନଡରି କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ପ୍ରେମ ନାମରେ ଖୋଲା ପାର୍କରେ ଯୁବତୀଟିଏ ଅଜଣା ଯୁବକ ପାଖରେ କୁମାରୀ-ଲଜ୍ଜାକୁ ନିଃସର୍ତ୍ତ ସମର୍ପଣ କରି ଜୀବନସାରା କାନ୍ଦୁ ନଥାନ୍ତା। ପ୍ରେମର ପରଶ ପାଇସାରିଥିଲା ନିର୍ମଳା। ଧିରେଧିରେ ପାପାମମ୍ମିଙ୍କ କଥା ଅନୁଶୀଳନ କରିବାରେ ଲାଗିଲା ନିର୍ମଳା। ବାଇଶିବର୍ଷର ସମ୍ପର୍କ ମିଛ ନଥିଲା। ସବୁ ବାପାମାଆ ଚାହାନ୍ତି ଝିଅର ସୁରକ୍ଷିତ, ଖୁସି ଜୀବନ। ତାର ମାନେ ନୁହଁ ପାପାମମ୍ମିଙ୍କ ସବୁ ନିଷ୍ପତ୍ତି ଠିକ୍। ପାପାମମ୍ମିଙ୍କ କଥାରୁ ବାହାରିଗଲେ ତମକୁ ଲାଗେ ତମେ ତାଙ୍କର ମନରେ କଷ୍ଟ ଦେଉଛ। କିନ୍ତୁ........ ସବୁକ୍ଷେତ୍ରରେ ପାପାମମ୍ମି ଠିକ୍ ନଥାନ୍ତି, ସବୁକ୍ଷେତ୍ରରେ ଝିଅଟି ବି ଠିକ୍ ନଥାଏ। ବୟସ ହେଲାପରେ ପରିବାର ଚାହାନ୍ତି ଭଲଘର ଦେଖି ଝିଅଟିକୁ ହାତକୁ ଦିହାତ କରିଦେବା। ବାଇଶିବର୍ଷର ଜୀବନ ପରିବାର ପାଇଁ ସମର୍ପିତ, ବାକି ଜୀବନ ବାପାମାଆଙ୍କ ଦ୍ୱାରା ନିର୍ଦ୍ଧାରିତ ପାତ୍ର ସହ। ସବୁଠି ସାଲିସ କରେ ଝିଅଟି। ତମେ ଯାହାସବୁ ପାପାମମ୍ମିଙ୍କ ପ୍ରେମ ଭାବୁଛ କିଛିଟା ପ୍ରେମ ଆଉ କିଛିଟା କଟକଣା ନିର୍ମଳା। ବୁଝୋଉଥିଲା ଅମରେନ୍ଦ୍ର। ହେଲେ ନିର୍ମଳା.......! କିଛି ନିର୍ଣ୍ଣାୟକ ମୋଡରେ ପହଞ୍ଚି ନପାରି ତକିଆରେ ମୁଣ୍ଡ ଗୁଞ୍ଜି କାନ୍ଦୁଥିଲା ନିର୍ମଳା। ପାପାମମ୍ମିଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଅମରେନ୍ଦ୍ର ସହ ବାହାହୋଇଗଲା ନିର୍ମଳା। ବାଇଶିବର୍ଷ ପ୍ରେମର ଭାଷା ଶିଖୋଉଥିବା ପାପାମମ୍ମିଙ୍କ ପରିବର୍ତ୍ତନ ଘଟିଥିଲା। କଥାକଥାରେ ଆଘାତ ପାଉଥିଲା ନିର୍ମଳା। ସିମୀତ ଆଶାରେ ପ୍ରେମର ସାଗର ଭିତରେ ସୁନ୍ଦର ସଂସାର ଥିଲା ନିର୍ମଳାର। ପାପା କହୁଥିଲେ ଝିଅଲୋ ! ଏତେବଡ ସଂଭ୍ରାନ୍ତ ପରିବାରର ଡାକ୍ତର ପ୍ରସ୍ତାବକୁ ପାଦରେ ଆଡେଇଦେଇ ଗରୀବ ଅଧ୍ୟାପକର ହାତ ଧରିଲୁ। ତୋ ପାପାମମ୍ମିଙ୍କ ପ୍ରଣ ଥିଲା ତୋ ହାତଧରି ଠିକ୍ ରାସ୍ତାରେ ନେଇଯିବା। କୌଣସି ଦ୍ରବ୍ୟର ଆବଶ୍ୟକତା ହେଲେ କହିବୁ ଆମେ ପହଞ୍ଚାଇଦେବୁ। ହସିଦେଉଥିଲା ନିର୍ମଳା। ନା ପାପାମମ୍ମିଙ୍କୁ ଆଘାତ ହେଉଥିଲା ନା ନିଜକୁ ଦୁଃଖ। କିନ୍ତୁ ଆଜି ପାପାମମ୍ମିଙ୍କ ପ୍ରତ୍ୟେକ କଥାରେ କଟକଣାର ଗନ୍ଧ ବାରୁଥିଲା ସେ। ଭାବୁଥିଲା ଅମରେନ୍ଦ୍ର କହିବା କଥା। ସବୁକ୍ଷେତ୍ରରେ ପାପାମମ୍ମି ଠିକ୍ ନଥାନ୍ତି। ସବୁଠି ପାପାମମ୍ମିଙ୍କ ପ୍ରେମ ନଥାଏ, ଥାଏ କଟକଣା। ଅଭାବ ଭିତରେ ପ୍ରାଚୁର୍ଯ୍ୟ ଥିଲା ନିର୍ମଳାର। ସେଦିନ...... ଦୁରଦର୍ଶନରେ ଓଡିଆ ସମ୍ବାଦ ଦେଖିବା ସମୟରେ ବଙ୍ଗଳା ନିସ୍ତବ୍ଧ ଥିଲା। କାରଣ...... ବାପାମାଆ ସ୍ଥିର କରିଥିବା ଡାକ୍ତର ସହ ନର୍ସର ଅନୈତିକ ସମ୍ପର୍କ ଓ ଡାକ୍ତର ଗିରଫ ସମ୍ବାଦ ବାରମ୍ବାର ଚାଲୁଥିଲା ଦୁରଦର୍ଶନରେ। ମୁହଁକୁ ମୁହଁ ଚାହୁଁଥିଲେ ସମସ୍ତେ। ବାପାମାଆଙ୍କ ପ୍ରେମରୁ ବାହାରକୁ ଯାଇ ନିଜ ନିଷ୍ପତ୍ତିରେ ଭଲପାଇ ବାହାହୋଇଥିବା ମନର ମଣିଷ ଅମରେନ୍ଦ୍ର ସ୍କୋଡା କାର୍, ବଡ ବଙ୍ଗଳା ଦେଇପାରିନଥିଲା। କିନ୍ତୁ ଚିହ୍ନେଇଥିଲା ଦୁନିଆର ଚିତ୍ର। ପ୍ରମାଣିତ କରିଥିଲା ବାପାମାଆ ସବୁ କ୍ଷେତ୍ରରେ ଠିକ୍ ରହିବେ ସେମିତି ମାନେ ନାହିଁ। ଛିଣ୍ଡିଯାଇଥିଲା " କଟକଣାର ମାୟାଜାଲ। " ଠୋ ଠୋ ହସୁଥିଲା ସ୍ୱଇଚ୍ଛାରେ ବିବାହିତା ପ୍ରାଣୀବିଜ୍ଞାନ ଅଧ୍ୟାପିକା ନିର୍ମଳା। ହସୁଥିଲା ବୈବାହିକ ସଂସାର। ମୁହଁକୁ ଅନେଇ ରହିଥିଲେ ଭାସ୍କରବାବୁ ଓ ଧର୍ମପତ୍ନୀ । ।


Rate this content
Log in

Similar oriya story from Abstract