Soumya Shubhadarshinee

Abstract

4  

Soumya Shubhadarshinee

Abstract

କ୍ଷତ

କ୍ଷତ

6 mins
257


  ସବୁ କ୍ଷତ ପାଇଁ ସଠିକ ଉପଚାରଟିଏ ନଥାଏ ସବୁବେଳେ ।......


   ଯେମିତି କେହି କଣ୍ଟ ଦେଇ ଯାଇଛି, ''ତୁମେ ଆସିବ ଏଇ ଦଶଟା ବେଳକୁ, ଆମେ ଦୁହେଁ ସାଥୀ ହେଇ ଚାଲିଯିବା । ''


  ସର୍ବମୋଟ ୫୬ ଟା ଟ୍ରେନ ଧାଉଁଛି ରୋଜ ପୁରୀର ଏଇ ଆଠଟା ଟ୍ରାକରେ, ପୂର୍ବାଞ୍ଚଳ ରେଳ ବିଭାଗୀୟ ମୁଖ୍ୟ ଷ୍ଟେସନରେ । ସେଇଠି ହୁଦାହୁଦା ଅଜଣା ମଣିଷଙ୍କ ଗହଳି ଭିତରେ ସେ ସାରା ଦିନ କୁକାର ଟି ଷ୍ଟଲ ପାଖ ବେଞ୍ଚରେ ବସି ରୁହନ୍ତି । ମୁଁ ତାଙ୍କୁ ରୋଜ ଦେଖେ ଅଫିସ ଗଲାବେଳେ । ଯଦି କେବେ ମୋ ପୁରୀ କଟକ ପାସେଞ୍ଜର ଟିକେ ଡେରି କରିଦିଏ ତେବେ ତାଙ୍କୁ ନିରିଖେଇ ଦେଖିବାର ସୁଯୋଗ ମିଳେ କୁକା ଚା' ପିଉପିଉ । 


  ମୁଁ ଘରୁ ଖାଇକି ଆସେ ଜଳଖିଆ । ବୋଉ ବୁଢ଼ୀ ହେଲାଣି ତଥାପି ରୁଟି ଭଜା ବନେଇ ଧରେଇ ଦିଏ ।ପୁରୀରୁ ଭୁବନେଶ୍ୱର ଯିବା ଆସିବା ଭିତରେ ଯଦିଓ ଖାଇବାର କୌଣସି ଅସୁବିଧା ନଥାଏ ତଥାପି ବୋଉ, ବୋଉ ତା'ମନ ବୁଝେନି । ନସରପସର ହେଇ ବଡି ଭୋରୁ ଉଠି ମୋ ଲାଗି ଠା ସଜାଡେ। ବ୍ରହ୍ମଗିରିରୁ ବାଇକ ଧରି ମୁଁ ପୁରୀ ଷ୍ଟେସନ ପହଂଚିବା ବେଳକୁ ମୋତେ ଟିକେ କୁକା ଚା' ଉପରେ ଲୋଭ ହୁଏ । ମୁଁ ଗୋଟେ ହାଫ ମାରେ ଆଉ ଟ୍ରେନ ଧରେ ।


 ବାପା ଅବେଳରେ ଚାଲିଗଲେ, କ୍ୟାନ୍ସର ଯୋଗୁଁ । ବୋଉ ଏକୁଟିଆ ହେଇଗଲା ଆଉ ମୁଁ ରିହାବିଟେସନ୍ ପ୍ଲାନରେ ସକ୍ରେଟାରିଏଟ୍ ଚାକିରୀ ପାଇଗଲି । ବୋଉ ବାପାଙ୍କ ପାଇଁ ଦୁଃଖ କରିବ କି ମୋ ପାଇଁ ସୁଖ ବୁଝିବା କଷ୍ଟ । କିନ୍ତୁ ଜୀବନ ଚାଲେ ଚିରାଚରିତ ଗତିରେ । ଜନ୍ମ ଆଉ ମୃତ୍ୟୁ ଦୁଇଟି ଚଟିଘର ଭିତର ଦୂରତା ନେଇ । କେହି ଜାଣିନଥାଏ ଶେଷ ବେଳାର ଅଙ୍କକଷା।


 ହଁ ମୁଁ ତାଙ୍କ କଥା କହୁକହୁ ନିଜ କଥା ଆଡ଼କୁ ଚାଲିଗଲି ଅଜାଣତରେ । ଅବଶ୍ୟ ଏମିତି ହୁଏ, ଆମେ ନିଜ ମନସ୍କ ସବୁବେଳେ ।


× × × × × ×

   କୁକା କୁହେ ସେ ସବୁବେଳେ ସେଇ ବେଞ୍ଚ ଉପରେ । ବେଶ ପୋଷାକ ଭଦ୍ର ଆଉ ସମ୍ପନ୍ନ ଲାଗେ ଆଉ ଚେହେରା ଉଜ୍ଜ୍ୱଳ । ତାଙ୍କୁ କେହି ପାଗଳ ବା ଭିକାରୀ କହିବା ସମ୍ଭବ ନୁହେଁ । ମୁଁ କୁହେ ସେ ତ ଭଲ ଲୋକ ଭଳି ଦିଶୁଚନ୍ତି । କୁକା କୁହେ ,'' କିନ୍ତୁ ସେ ମାନସିକ ସ୍ଥରରେ ସୁସ୍ଥ ନୁହଁନ୍ତି । "


  କୁକା ଏଠି ସାତ ବର୍ଷ ଧରି ତାଙ୍କୁ ଦେଖୁଛି। ରେଳ ବିଭାଗର ସେଇ ବହି ଦୋକାନୀ ତାଙ୍କୁ ତେର ବର୍ଷ ଧରି ଦେଖୁଛି । ଆହୁରି ଅଧିକ ତଥ୍ୟ ନେଲେ ହୁଏତ ଏଇ ଅପେକ୍ଷାର ଆୟୁଷ ବଢିବ ପଛେ କିନ୍ତୁ କମିବ ନାହିଁ । 


 ''କହୁନ ତମେ ଗୋଟେ ଲୋକ ଏତେ ବର୍ଷ ଧରି ଏଇଠି ଅପେକ୍ଷା କରୁଛି ମାନେ ସେଇଟା ପାଗଳା ନୁହେଁ ?'' କୁକା କୁହେ ଯେବେ ମୁଁ ଥମ ପଡ଼ିଯାଏ । ମୋ ପାଟିରୁ କଥା ଉତୁରି ପାରେ ନାହିଁ । ମୋର ସ୍ୱପ୍ନା ମନେପଡେ । ଝିଅଟା ଚାଲିଗଲା ବୋଧେ ଏଇ ଅପେକ୍ଷାର ଆୟୁଷ କମେଇ ଦେବାକୁ । ମୁଁ ଭୀରୁ ପ୍ରେମୀ, ତାକୁ କଥା ଦେଇ ଆଣି ନଥିଲି କ୍ଷେତ୍ରାଜପୁରରୁ । ଆଦିବାସୀ ଝିଅଟା ଭାରି ବୋକି । ମୋତେ ଟିକେ ସମୟ ଦେଇଥାନ୍ତା ସିନା । ମୋତେ ସବୁକିଛି ସମାଧାନ କରି , ବୋଉକୁ ମନେଇ, ଚାକିରୀ ଯୋଗାଡି ତାକୁ ଆଣିବାର ଥିଲା । କିନ୍ତୁ ସେ ବଣୁଆଣୀର ଏକା ଜିଦ, " ମୋତେ ନେଇକି ଯିବୁ ତୋ ସାଥିରେ 

କାଲି । ଆମେ ବା' ହେଇଯିବା । ଏଠି ଆଉ ଜମା ରଖେଇ ଦେବେନି, ମୋର ଲାଗି ବର ଖୋଜା ଜୋର ଧରିଲାଣି , ତୋତେ ମୋ ରାଣ। " ମୁଁ ତାକୁ ଥୟ ଧରିବାକୁ କହିଲି । ପାଠପଢା ସରିବା ଯାଏଁ ଟିକେ ତର ରଖିବାକୁ କହିଲି । ସେ କିନ୍ତୁ .......!


  ଏମିତି କ'ଣ ହୁଏ ? ପାଠପଢ଼ା ବୟସରେ, ପୁଅଟେ ଗୋଟେ ଆଦିବାସୀ ଝିଅକୁ ଧରି ଆସିଯିବ ଘରକୁ ଆଉ ଜଣେଇବ "ମୁଁ ବାହା ହେବି ଏବେ ଏଇନା !" ମୁଁ ଗଲିନି କି ତାକୁ ଆଣିଲିନି । ଚାଲିଗଲି ଏକୁଟିଆ ରାତି ଟ୍ରେନ୍ ଧରି । ମାସେ ଛୁଟି ସାରି ଫେରିକି ଶୁଣିଲି ସେ ଆଉ ନାହିଁ । ମୋର କ'ଣ ଭୁଲ ହେଲା ଯେ, ଅପେକ୍ଷା କରିବାକୁ ଅନୁରୋଧ କରି ଯାଇଥିଲି ତ ?....


 କିନ୍ତୁ ଘଟଣାଟା ଦୁର୍ଘଟଣା ଭଳି ଗଭୀର କ୍ଷତ ଦେଇଯାଇଛି ଛାତିରେ । ବୋଉ ମୋ ବାହାଘର କଥା ଉଠେଇଲେ ଝିଅଟାର ମୁହଁ ଦେଖାଯାଏ ବିକଳ ହେଇକି । ମୁଁ ଅନ୍ୟମନସ୍କ ହୁଏ ଆଉ ବୋଉର କଥା ଟାଳି ଦିଏ । ଖାସ ସେଇଥିପାଇଁ ମୋର ବୟସ ବର ଉପଯୋଗୀ ନାହିଁ ଆଉ । ସେଥିରେ ମୋର ଅବସୋସ ନାହିଁ କିନ୍ତୁ ଛାତିର ସେ ଯନ୍ତ୍ରଣା ସେମିତି ଅଛି । ରୁଗୁରୁଗୁ ହେଇ ଜଳୁଛି ଅହରହ । 


 ମୁଁ ତାଙ୍କୁ ଦେଖିଲେ ମୋତେ ଟିକେ ଅଧିକ ରୁଗୁରୁଗୁ ଅନୁଭବ ହୁଏ । ମନ ହୁଏ ତାଙ୍କୁ ଯାଇ ପଚାରିବି, '' କାହିଁକି ଏମିତି ଅପେକ୍ଷା କରୁଛନ୍ତି ? କାହା ପାଇଁ ? '' 


 କିନ୍ତୁ କହି ପାରେନି । ମୋ ଭିତରର କବର ଦିଆ ଭୀରୁ ପ୍ରେମିକ ଭିଡିମୋଡି ହୁଏ ଆଉ ମୋତେ କାବୁ କରିନିଏ । ଲାଗେ ଯେମିତି ସେ କହୁଛି, '' ତୋର ସେ ଅଧିକାର ନାହିଁ, ନିଜେ ତ' ପଳାୟନପନ୍ଥୀ । ସେ ତାଙ୍କ କାମ କରୁଛନ୍ତି । ତାଙ୍କୁ କରିବାକୁ ଦେ ।"


   କୁକାଠୁ କେବଳ ତାଙ୍କ ଗପ ଶୁଣି ମୁଁ ଟ୍ରେନ ଧରେ । କୁକା କିନ୍ତୁ କୁହେନି ତାଙ୍କ ପ୍ରତୀକ୍ଷା କଥା । କୁକା କାହିଁକି କେହି କହିପାରନ୍ତି ନାହିଁ । ସେ କିଛି କୁହନ୍ତି ନାହିଁ, କେବଳ ହସି ଦିଅନ୍ତି । 


  ମୁଁ ଦେଖେ ଗୋଟେ ଅବୋଧ୍ୟ ମଣିଷକୁ ଏଇଠି, ନିଜର ପୃଥିବୀରେ ନିବୁଜ ହେଇ ରହିଥିବାର । ମୋତେ ସେ ଜଖ କଥା ମନେ ପକାନ୍ତି । ବୋଉର ଗପର ଜଖ, ଯେ ଜଗିଥାଏ ଅମୂଲ୍ୟ ସମ୍ପତ୍ତି ନିଷ୍ଠାରେ ସାରା ଜୀବନ କାଣିଚାଏ ଖର୍ଚ୍ଚ ନକରି । ସେ ମଧ୍ୟ ଜଗିଛନ୍ତି ହୁଏତ କିଛି ସେମିତି ହରେଇ ଦେବାର, ସରେଇ ଦେବାର ଭୟକୁ 

ଦୂରେଇ । 


 ତଥାପି ସେ ମୋତେ ଆକୃଷ୍ଟ କରନ୍ତି । ମୋ ଭିତରେ ଜିଜ୍ଞାସା ବଢାନ୍ତି ଆଉ ମୋତେ ଦୋଷୀର କାଠଗଡାରେ ଠିଆ କରାନ୍ତି । ଯଦିଓ ଜଣା ନଥାଏ ତଥାପି ସେ ମୋତେ ନିଷ୍ଠାପର ପ୍ରେମିକ ଭଳି ଲାଗନ୍ତି ।

× × × × × × × ×


 ଲିପୁନ ଯିବାର ସମୟ ଆସିଯାଇଥିଲା । ମୋ ସାନ ଭାଇ, ମୋ ଭଳି ସୌଭାଗ୍ୟ ପାଇନି । ସେ ସଫ୍ଟୱେର ଇଞ୍ଜିନିୟର ହେଇକି ଏବେ ପ୍ରବାସୀ ହେବାକୁ ଯାଉଛି । ଚେନ୍ନାଇରେ ପୋଷ୍ଟିଂ ହେଇଛି; କ୍ୟାମ୍ପସ ସିଲେକ୍ସନ୍ । ଓଡ଼ିଶା ଛାଡ଼ିଲେ ମଣିଷ ପ୍ରବାସୀ, ଦକ୍ଷିଣୀ ଜୀବନ କ'ଣ ଆମ ଭଳି । ସେ ଚାରୁପାଣି, ସମ୍ବର, ରସମ ଓଃ !....

ଆଜି ଯିବ ସେ ହୁଏତ ସାରା ଜୀବନ ପାଇଁ, ଗ୍ରହରୁ ନକ୍ଷତ୍ର ହେଇ । ନିଜର ଭିନ୍ନ ସୌରମଣ୍ଡଳ ଗଢ଼ିବ । ବୋଉର ମହାକର୍ଷଣ ଶକ୍ତି ଆଉ ତାକୁ ଟାଣି ପାରିବ ନାହିଁ। 


 ବୋଉ ସ୍ଥିର ସୂର୍ଯ୍ୟଙ୍କ ଭଳି, ସଭିଁକୁ ନିଜ ସୌରମଣ୍ଡଳରେ ନିର୍ଦ୍ଦିଷ୍ଟ ପଥରେ ବାଟ କଢେଇ ନେବାର ଦୃଢ଼ ପ୍ରତିଜ୍ଞା ନେଇ । କିନ୍ତୁ ଆଜି ଯେଉଁ ଗ୍ରହଟି ମହାଜାଗତିକ ପ୍ରଭାବରେ ଛିଟକି ପଡି ମୁକ୍ତ ହେଇଯିବ ତା' ପାଇଁ ବୋଉ ଭିତରେ ବେଜାଏ ବ୍ୟସ୍ତତା । ବୋଉ ସେଥିପାଇଁ ଧାଇଁ ଆସିଛି ଶେଷ ବିଦାୟ ଦେବାକୁ ଷ୍ଟେସନ । 


 ପୁରୀରେ ରହୁଥିବା ଲୋକେ ଆଉ କୁଆଡେ ଯିବାକୁ ଭଲ ପାଆନ୍ତି ନାହିଁ । ଜଗାକୁ ଛାଡି ପୁଣି କୁଆଡେ ? ଆଉ ବି ବାପା ବୁଲାବୁଲି ସୌକି ନଥିଲେ ତେଣୁ ବୋଉ କେବେ ଟ୍ରେନ ଚଢି ଯାଇନି କୁଆଡେ । ମୁଁ ବି କେମିତି କେଜାଣି ଅଯୋଗ୍ୟଟେ ତାକୁ କେବେ କାଶୀ ବୃନ୍ଦାବନ ନେଇନି । ମୋର ଅଗଢ଼ା ଘର ଆଉ ବେପରୁଆ ଯାଯାବର ପୃଥିବୀରେ ଏମିତି ଯୋଗ୍ୟ ପୁଅର କର୍ତ୍ତବ୍ୟ ବୋଧ

 ନାହିଁ । ବୋଉ ତେଣୁ ଆଜି ପହିଲି ଥର ରେଳ ଷ୍ଟେସନରେ ଗୋଡ଼ ଦେଇଛି । ହୋହୋ ଘୋଘୋ ଭିତରେ ବାଟବଣା ହେଉଛି । ମୋ ହାତକୁ ଜାବୁଡି ଧରିଛି । ମୁଁ ତାକୁ ପିଲାଟିଏ ଭଳି ବାଟ କଢେଇ ନେଉଛି । କୁଲି ଲିପୁନ ର ଜିନିଷ ଧରି ଡଗଡଗ ହେଇ ଧାଉଁଛି ଆଉ ବୋଉ ତା' ଦୌଡ଼ ସହ ତାଳ ଦେବାକୁ ଅପଚେଷ୍ଟା କରି ଝୁଣ୍ଟୁଛି । ମୁଁ ବୋଉକୁ ଟାଣି ଦେଇ କହିଲି, '' ଧୀରେ ଚାଲ, ସେ କୁଲି ତୋ ପୁଅ ଲଗେଜେ ନେଇକି ପଳେଇ ଯିବନି ଜମା । ଲିପୁନ ତ ଯାଉଛି ତା' ସହ ତୁ ଏମିତି କିଆଁ ହେଉଛୁ ।''

ବୋଉ ଲାଜରା ହେଲା ଆଉ କହିଲା; '' ଲିପୁନଟା ପିଲା ଲୋକ ସେ କ'ଣ କିଛି ବୁଝେ ?''


  ମୁଁ ବୋଉକୁ ଦେଖିଲି । ମା' ଆଖିର ଲେନ୍ସ ପଢ଼ିଲି । ପିଲାଏ ବୁଢା ହେଇଗଲେ ମଧ୍ୟ ବଢି ପାରୁନଥିବା ସେଇ ବିଶେଷ ଲେନ୍ସର ବିଜ୍ଞାନ ଖୋଜିଲି । ଟ୍ରେନ ଡେରି ଥିଲା । କୁକା ଡାକିଲା ମୋ ଭିତରେ । ମୁଁ ବୋଉ ଆଉ ଲିପୁନକୁ ଧରି ଚାଲିଲି ସେଇଠିକି । ବୋଉକୁ ଚା' ଧରେଇଲି ଆଉ ସେ ବସିକି ପିଇବାକୁ ଜାଗା ଖୋଜିଲା ଏଣେତେଣେ ଅନେଇ । ମୁଁ ସେଇ ବେଞ୍ଚ ଆଡ଼କୁ ହାତ ଦେଖେଇଲି । ସେ ଯାଇ ବସିଲା ଆଉ ମୋତେ ହାତ ଠାରି ଡାକିଲା । ମୁଁ କିନ୍ତୁ ଗଲିନି, ସେ ସେଇଠି ବସିଥିଲେ ।


  ଲିପୁନ ବୋଉ ସହ ଦୁଃଖ ସୁଖ ହେଲା ଆଉ ମା' ପୁଅ ଢେର ଗପିଲେ । ଟ୍ରେନ ଆସିଲା ଆଉ ଗୋଟେ ସୁଖଦ ସମୟରେ ପୂର୍ଣ୍ଣଛେଦ ପଡିଗଲା ।  ଆମେ ଦୁଇଜଣ ତାକୁ ହାତ ହଲେଇ ବିଦାୟ କଲୁ ଟ୍ରେନ ଅଦୃଶ୍ୟ ହେଲା ଯାଏଁ ।

ବୋଉ ଆଖିରେ ଲୁହ ମୋ ଭିତରେ ଶୁନ୍ୟତାର ରାଜୁତି ଧରି ଘରକୁ ଫେରିଲୁ ଦୁହେଁ । ଫେରା ବାଟରେ ବୋଉ କହିଲା, 


'' ତୁ ଦେଖିଲୁ ସେ ତାଙ୍କୁ ?''

--'' କାହାକୁ ?''

--'' ସେଇ ବେଞ୍ଚରେ ଯିଏ ବସିଥିଲେ ଚା' ଦୋକାନ ପାଖେ ?''

-- '' ହଁ, କାଇଁ କ'ଣ ହେଲାକି ?''

--'' ମୁଁ ଜାଣିଚି ତାଙ୍କୁ ।''

--'' ଓଃ ! ଆଛା । ''

--'' ସେ ଆଜିବି ଆସୁଛନ୍ତି ଅରୁ, ଦେଖିକି ଭାରି ଦୁଃଖ ଲାଗିଲାରେ । ଈଶ୍ବର କେବେ କ୍ଷମା ଦେବେନି ।''


  ବୋଉ ସେ ଲୋକଟିକୁ ଜାଣିଛି, ବାସ ଏତିକି କଥା ଯଥେଷ୍ଟ ଥିଲା ମୋ ଭିତରେ ଆଲୋଡନ ସୃଷ୍ଟି ପାଇଁ । ବୋଉ କୁହୁଥିଲା, କାଜୁ ନାନୀ କଥା । ଖୋଲୁଥିଲା ଛାତି ଭିତରର ରହସ୍ୟ । ତାଙ୍କ ଫଟୋଟା ଦେଖିଥିଲା ବୋଉ କାଜୁ ନାନୀ ପାଖରେ । ଜାଣିଥିଲା ନାନୀ ଆଉ ତାଙ୍କ ସମ୍ପର୍କ କଥା । କାଶ କହି ଦେଇଥାନ୍ତା, ମନେଇ ନେଇଥାନ୍ତା ଘର ଲୋକଙ୍କୁ । ତା' ହେଲେ ନାନୀ ଘରୁ ଗୋଡ଼ କାଢି ଯାଇନଥାନ୍ତା କି ସେଇ ଦୁର୍ଘଟଣାରେ ତା' ଜୀବନ ଯାଇନଥାନ୍ତା । ସେ ବଦଳି ନାହାଁନ୍ତି ଜମା ବୋଲି କହୁଥିଲା ବୋଉ ।


   ବୋଉ ଜମା ବିଶ୍ୱାସ କରୁନଥିଲା ସେ ଆଜିବି ଅପେକ୍ଷା କରିଛନ୍ତି । ଅନୁତପ୍ତ ଥିଲା ବୋଉ , ନିଜ କୃତକର୍ମ ପାଇଁ । କହୁଥିଲା, '' ତୁ ଯାଉଠି କହିବୁ ଅରୁ ସେଇଠି ତୋତେ ବାହା ଦେବି, ଥରେ ଭୁଲ କରିଛି ଆଉ ଦୋହରେଇବି ନାହିଁ । ତୁ କହ ବାପା, ମୋର ବୟସ ଆଉ କଣ ଆସୁଛି !".......


    ହଠାତ ମୋ ଛାତି ଭିତରର ରୁଗୁରୁଗୁ ଆହୁରି ତୀବ୍ର ହେଇଗଲା ଆଉ ତାକୁ ଦବେଇ ଦେବା ପାଇଁ ମୁଁ ଗାଡିର ସ୍ପୀଡ଼ ବଢ଼େଇ ଦେଲି ।


     


Rate this content
Log in

Similar oriya story from Abstract