Gangadhar Nanda

Abstract Fantasy Others

3  

Gangadhar Nanda

Abstract Fantasy Others

କରୋନା ରୋଗୀର ଚିତ୍ରଗୁପ୍ତଙ୍କୁଚିଠି

କରୋନା ରୋଗୀର ଚିତ୍ରଗୁପ୍ତଙ୍କୁଚିଠି

5 mins
11.6K


    ପ୍ରାପ୍ତେଷୁ:-

                 ଚିତ୍ରଗୁପ୍ତ ମହାରାଜ,

                   ସା-ନର୍କପୁର,

                  ଦ୍ଭାୟା-ଯମପୁର

          ମାନନୀୟ ,

            ଚିତ୍ରଗୁପ୍ତ ମହାରାଜ ,

     ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ । ମୁଁ ପୃଥିବୀରେ ବାସ କରୁଥିବା ଜଣେ ମାନବ ଓ ପେଷା- ସରକାରୀ ଚାକିରୀ। ଏବେ ନିକଟରେ ଅବସର ଗ୍ରହଣ କରିଛି । ଚିଠିଟିଏ ଆପଣଙ୍କୁ ଲେଖିବାର କାରଣ ହେଉଛି , ଆପଣଙ୍କ ଦ୍ଵାରା ପ୍ରେରିତ କରୋନା ନାମକ ଯମଦୂତଟି ମୋତେ ଆକ୍ରମଣ କରିବା ସହିତ ପୃଥିବୀପୃଷ୍ଠରେ ତା'ର କାର୍ଯ୍ୟ ସୁଚାରୁରୂପେ ସଂପାଦନ କରି ଚାଲିଛି । ଦୂତଟିର ବୀରତ୍ୱ ଓ ଯମଭୁବନ ତଥା ଯମରାଜଙ୍କ ପ୍ରତି ତା'ର ନିଷ୍ଠା ଅତ୍ୟନ୍ତ ପ୍ରଶଂସନୀୟ । ଏଥିସହିତ ତା'ର ଶତ୍ରୁ ଦମନ କରିବାର କଳା କୌଶଳ ଓ ନିଷ୍ଠୁରତା ଆଗରେ ଆମେ ପୃଥିବୀବାସୀ ଆଜି ନତମସ୍ତକ ହୋଇ ଦଣ୍ଡାୟମାନ । ତା ପାଖରେ ଥିବା ଅମୋଘ ଅସ୍ତ୍ର , ଯାହାର ନାମ ଏଠାରେ କୋଭିଡ ୧୯ ବୋଲି ଆମ୍ଭେମାନେ ନାମକରଣ କରିଛୁ, ତା' କବଳରୁ କେହି ନିସ୍ତାର ପାଉନାହାଁନ୍ତି ।ପୃଥିବୀପୃଷ୍ଠର ସମସ୍ତ ଯୋଦ୍ଧାମାନେ (ବୈଜ୍ଞାନିକ ଓ ଡାକ୍ତର ) ଯେତେ ଚେଷ୍ଟା କଲେ ବି ଉପୋରକ୍ତ ଅସ୍ତ୍ରଟିର ପ୍ରତିରୋଧ କରିବାଲାଗି ନୂତନ ଅସ୍ତ୍ରର ଉଦ୍ଦ୍ଭାବନ କରିପାରୁନାହାଁନ୍ତି । ନିରୀହ ଲୋକମାନେ କବାଟ କିଳି ଘରେ ରହି କେଉଁ ଦିନ କେତେ ମଲେ , ତାର ହିସାବ କରୁଛନ୍ତି । ଏଠାର (ପୃଥିବୀ ) ଜଣେ ବଡ ନେତା କିମ୍ଵା ବ୍ୟବସାୟୀଙ୍କର ପ୍ରୀତିଭୋଜନ ଆୟୋଜନ ଲାଗି ଉଦ୍ଦିଷ୍ଟ ରୋଷେଇ ପାଇଁ ଆବଶ୍ୟକ ହେଉଥିବା ମଟନର ପ୍ରସ୍ତୁତି ସକାଶେ ପଡ଼ିଆରେ ବନ୍ଧାହୋଇ ହଣା ଖାଇବା ଲାଗି ଅପେକ୍ଷା କରିଥିବା ପାକୁଳିରତ ଛେଳି ଭଳି ଆମେମାନେ ଅପେକ୍ଷା କରିଛୁ । ମାଂସ କଟାଳୀ କେତେବେଳେ ଆସିବ ଓ ଛେଳି ଗଣ୍ଡିରୁ ମୁଣ୍ଡଟି ଅଲଗା ହେବ ; ସେହିଭଳି କରୋନା କେତେବେଳେ ଆସିବ ଓ ଆମେ ସବୁ ଛିଙ୍କି ,କାଶି , ତଣ୍ଟିରେ ଖାଦ୍ୟ ନଢୋକିପାରି ଓ ଶେଷରେ ଅଣନିଶ୍ୱାସୀ ହୋଇ ସିଧା ସଳଖ ଗରମ ତେଲ କରେଇରେ (ପ୍ରବଳ ଜ୍ଵର ଓ ତାତି ) ପଡ଼ି ଛଟପଟ ହୋଇ ମରିବୁ । ଏଠାରେ ଉଲ୍ଲେଖଯୋଗ୍ୟ କି କରୋନା କବଳରୁ ବଞ୍ଚିଯାଇଥିବା ରୋଗୀମାନଙ୍କର ଅନୁଭୂତି ହେଉଛି , ସତେଯେପରି ସେମାନେ ଜଳନ୍ତା ଅଗ୍ନି କୁଣ୍ଡରେ କିଛି ଦିନ ଧରି ଥିଲେ । ଏତ ବଞ୍ଚିଥିବା ପ୍ରାଣୀକୁ ମସଲା ଗୋଳେଇ ନିଆଁରେ ସେକିବା ଭଳି ଘଟଣା । ପ୍ରଭୂ !ଏତେବଡ ପ୍ରତିଶୋଧ ?

                ମୋତେ ଲାଗୁଛି ଏ କରୋନା ନାମକ ଦୂତଟି ଯମପୁରୀର ଏସ:ପି: ଅଫିସର ପାହ୍ୟାର ହେବ ବୋଧହୁଏ । କାରଣ ପୂର୍ବରୁ ଆପଣଙ୍କ ଦ୍ଵାରା ପ୍ରେରିତ କିଛି ଦୂତ ଏଠାରେ ଏବେବି ମହଜୁଦ ଅଛନ୍ତି । ସେମାନଙ୍କର କ୍ଷମତା ଦେଖି ମୁଁ ଅନୁମାନ କରୁଛି କି ପରମାଣୁ ନାମକ ଦୂତଟି ସେଠାକାର କମିଶନର ପାହ୍ୟାର ଓ କ୍ଷେପଣାସ୍ତ୍ର, ଟର୍ପେଡା , ରକେଟ ଲଞ୍ଚର ଇତ୍ୟାଦି ସବୁ ଡି.ଜି. ଓ ଆଇ.ଜି. ପାହ୍ୟାର ହୋଇଥିବେ । ଏହା ପୂର୍ବରୁ କିଛି ତଳ ପାହ୍ୟା ଅଫିସର ଅବସର ନେଲେଣି ଓ ଆଉ କିଛି କାର୍ଯ୍ୟରତ ଅଛନ୍ତି । ବସନ୍ତ, ହଇଜା ,ଟିବି , ସିଙ୍ଗଲ ରାଉଣ୍ଡ ବନ୍ଧୁକ ଇତ୍ୟାଦି ଅବସର ନେଇସାରିଥିବା ସ୍ଥଳେ କ୍ୟାନସର , ଏଡସ ,କିଡନୀ ଓ ଲିଭର ବେମାରୀ , ଆତଙ୍କବାଦୀ , ମାଓବାଦୀ ଓ ଉଗ୍ରପନ୍ଥୀ ଭଳି କେତେକ ତଳ ପାହ୍ୟାର ଯମଦୂତ ଏବେ ବି ଏଠାରେ କାର୍ଯ୍ୟରତ । ମଝିରେ ମଝିରେ ଏମାନେ ଲୁଚି ଛପି ଗରିଲା ଯୁଦ୍ଧର ସାହାରା ନେଇ କିଛି ଜୀବନ ନେଇଯାଉଛନ୍ତି ।

                  ଆମକୁ ଦୟା କରନ୍ତୁ ପ୍ରଭୂ ; ଆମର ଦୋଷ କ'ଣ ? ଅଳ୍ପ କିଛି ମାନବ ଯଦି ଭୁଲ କଲେ , ତେବେ ଦଣ୍ଡ ସମସ୍ତେ କାହିଁକି ପାଇବେ ? .. ଓହୋ , ଆମର ବି ଭୂଲ ଅଛି । ଆମେ ନିରବ ହୋଇ ଏ ସବୁ ଦେଖିବା ହେଲା ଆମର ବଡ ଭୂଲ । ତେବେ କଣ ମୋର ଆଉ ନିସ୍ତାର ନାହିଁ ?

              କରୋନା କବଳରୁ କିଛି ଲୋକ କେମିତି ବର୍ତ୍ତି ଗଲେ ପ୍ରଭୂ ?

ମୋତେ ଲାଗୁଛି ଯେଉଁ ଦୁଇ ତିନି ଦିନ ସେମାନେ ଅଚେତ ହୋଇ ପଡିରହୁଛନ୍ତି , ତା'ରି ଭିତରେ ସେମାନଙ୍କ ଆତ୍ମା ଆପଣଙ୍କ ପାଖକୁ ଯାଇ ଗୋଟେ କଣ ଖେଳ କରିଦେଇ ଆସୁଛନ୍ତି ।ଖେଳର ଅର୍ଥଟା କଣ ପ୍ରଭୂ ବୁଝିପାରୁଛନ୍ତି ତ ? ଭିତିରିଆ ଲାଞ୍ଚ ଦିଆ ନିଆ କାରବାର । ଯାହାକୁ ଆମେ ଏଠାରେ ଅଣ୍ଡର ଟେବୁଲ ଗେମ ନାମ ଦେଇଛୁ । ଏ ଚିଠିଟି ଲେଖିବାର ଉଦ୍ଦେଶ୍ୟ ଏତିକି ଯେ ଆପଣ କେବଳ ମୋତେ ଜଣାନ୍ତୁ କଣ କେତେ ଦବାକୁ ହବ ; ମୁଁ ଆଗୁଆ ବନ୍ଦୋବସ୍ତ କରି ରଖିଥିବି ।

            ଜୀବନସାରା ସରକାରଙ୍କଠାରୁ ଦରମା ଖାଇ ମଧ୍ଯ ଲୋକମାନଙ୍କର କୌଣସି କାମ ମୁଁ ବିନା ଖେଳରେ କରିନାହିଁ । ମୋର ଇଛା ନଥିଲେ ବି ଘରଣୀଙ୍କର ମୁରାଟ ଦେଖିବା ପରେ ଖେଳ ନ କରିବାକୁ ଚାରା ନାହିଁ । ଏବେ ପ୍ରଭୁ ଏତିକି ମୀନତୀ କରୁଛି କି ମୋ ପାଇଁ ଯାହା ଦଣ୍ଡ ରଖିଥିବେ , ସେଥିରୁ ଗୋଟିଏ ଭାଗ ମୋ ଘରଣୀ ପାଇଁ ରଖିଥିବେ । ପେଟ ଚାରୋଟି ପୁରିବା , ଦେହକୁ ଦିଖଣ୍ଡ ପିନ୍ଧିବା ଓ ଛାତ ତଳେ ଶୋଇବା ପାଇଁ ଦରମା ଗଣ୍ଡାକ ଯଥେଷ୍ଟ ଥିଲା ପ୍ରଭୂ ।ରାତି ପାହିବା ମାତ୍ରେ ମୋ ସାଙ୍ଗେ ଖାଲି କଜିଆ କରିବ ; ମୋର ରୋଜଗାର କରିବାର ଯୋଗ୍ୟତା କମ ଠାରୁ ଆରମ୍ଭ କରି ପଡ଼ିଶା ଘରର ଉନ୍ନତିର ରହସ୍ୟମୟ କୌଶଳ ମାଧ୍ୟମ ଦେଇ ଶେଷରେ କଥା ଯାଇ ଛିଡିବ ନିଜର ଅଦ୍ଭାଗିନୀ କପାଳ ପାଖରେ । କେତେ ଆଉ ସହନ୍ତି ପ୍ରଭୂ ? ବାଧ୍ଯ ହୋଇ ଲୋକଙ୍କ ତଣ୍ଟି ଚିପିଲି । ଜନତାଙ୍କର ଯେଉଁ କାମ କରିବାଲାଗି ଦରମା ନେଉଥିଲି . ସେହି କାମ ଲାଗି ଜନତାଙ୍କଠାରୁ ବି ନେଲି । ପୁରା ଡବଲ ଧମାକା । ଯେଉଁଦିନ କିଛି ଅଧିକ ଟଙ୍କା ଘରଣୀ ହାତକୁ ବଢାଇଦିଏ, ସେଦିନ ମୋ ହାତକୁ ବାସନା ଜରଦା ପାନ ଖଣ୍ଡିଏ ସରାଗରେ ବଢେଇ ଦେଇ ଉମାମଣୀ କହନ୍ତି , ' ଆଜି କେଉଁଠି ଗୋଟେ ଭଲ ଖେଳ କରିଦେଲ କି '?

      କାଲିଠାରୁ ଆମ ଘରଣୀ ଉମାମଣୀ ଖାଲି ଛିଙ୍କୁଛନ୍ତି । ତଣ୍ଟି ଦରଜ ହେଇ ଜ୍ୱର ଆସିଲେଣି । ହେ ଭଗବାନ ! ଏତ ପୁରା କରୋନାର ଲକ୍ଷଣ ; ମୋତେ ଆଜି ସକାଳୁ କହୁଥିଲେ ଯେ ମୋ ପାଇଁ ଶୀଘ୍ର କଣ ବ୍ୟବସ୍ଥା କର । ମୁଁ ଜଲଦି ଭଲ ହେଇଯିବା ଦରକାର । ମୁଁ ମରିଗଲେ ତୁମର ସେବା କିଏ କରିବ ? ହେଇଟି ଶୁଣ ! ତୁମେ ଯାହା ଯେମିତି କରି ମୋତେ ବଞ୍ଚାଅ । ଯଦି ମୋର କିଛି ହୋଇଯାଏ ,... ତାହେଲେ ଯମପୁରରେ ମୋତେ ଚିହ୍ନିବ । ପ୍ରଭୂ ! ଉମାମଣୀ ଆଉ ବଞ୍ଚିବା ଆଶା ନାହିଁ । ନର୍କରେ ଯେମିତି ତା ସହ ମୋର ଭେଟ ନ ହୁଏ , ଦୟାକରି ସେ ବ୍ୟବସ୍ଥା କରିବେ । ଏଠାରେ ତ ମୋ ଜୀବନଟାକୁ ନର୍କ କରି ରଖିଛି । ସେଠାରେ ଯଦି ଦେଖା ହେଇଯାଏ , ତାହେଲେ ତ ଡବଲ ଧମାକା ।ମୁଁ ଆଉ ଥଳ କୂଳ ପାଇବି ଟି ?

            ପ୍ରଭୂ ! ଆଉ କିଛି ଦଣ୍ଡ ମୋ ଜ୍ବାଇଁ ଓ ପୁଅ ପାଇଁ ରଖିଥିବେ । ଏମାନେ ବି ମୋତେ ପାପ ଧନ ଅର୍ଜନ ପାଇଁ ଚାପ ପ୍ରୟୋଗ କରିଛନ୍ତି । ଏମାନଙ୍କର ସୌଖିନ ଆବଶ୍ୟକତା ପୁରଣ ପାଇଁ ମୁଁ ବହୁତ ଗରିବ ଲୋକଙ୍କ ତଣ୍ଟି ଚିପିଛି । ଜ୍ବାଇଁ ଫରେନ ଟୁରରେ ଗଲେ ବାଟ ଖର୍ଚ୍ଚ ମୁଁ ଦେବି । କାରର ସର୍ଭିସ ଚାର୍ଯ ମୋ ଆକାଉଣ୍ଟରୁ ଡେବିଟ ହେବ ଇତ୍ୟାଦି । ବଡ ପୁଅଟା ତ ଗୋଟେ ବିଶୁଦ୍ଧ ଚଣ୍ଡାଳ ପ୍ରଭୂ । ରୋଜଗାର ଆଦୌ ନ ଥାଇ ୪ ଲକ୍ଷ ଟଙ୍କାର ନିଞ୍ଜା ବାଇକ ଚଲେଇବ ।ଏଗୁଡାକଙ୍କର କଥା ଆପଣ ବୁଝିବେ । ଏମାନଙ୍କ ପାଇଁ ମୁଁ ବଜାରକୁ ଯିବା ଆସିବା କରି ମୋତେ କରୋନା ଧଇଲା । ମୋ ଠାରୁୁ ଘରଣୀକୁ ଡେଇଁଲା ।

                    ପ୍ରଭୂ ! ମୋତେ ଛେପ ଢୋକିବାକୁ କଷ୍ଟ ଲାଗୁଛି । ମୋ କଥା ଆଉ ନୁହେଁ କି କ'ଣ ! ପୁରାଣରୁ ଶୁଣିଥିଲି .ଦିନେ ନା ଦିନେ ମ୍ଳେଛ ସଂହାର ହେବ । ସେ ଦିନ ଆସି ଗଲା କି ପ୍ରଭୂ !ମ୍ଳେଚ୍ଛ କିଏ ମୁଁ ଏପର୍ଯ୍ୟନ୍ତ ଜାଣି ପାରିଲି ନାହିଁ ।ମୁଁ ସେ ମ୍ଳେଚ୍ଛ ଗୋଷ୍ଠୀରେ ଅଛି କି ନାହିଁ ତା' ବି ମୋତେ ଜଣା ନାହିଁ । ଯେଉଁ ଲୋକମାନେ ଜୀବ ହତ୍ୟା କରି ତା ମାଂସ ବିକୁଛନ୍ତି ସେମାନେ ମ୍ଳେଛ ,ନା ଯେଉଁମାନେ ଧାଡି ବାନ୍ଧି ମାଂସ ନେବାକୁ ଅପେକ୍ଷା କରିଥାନ୍ତି , ସେମାନେ ମ୍ଳେଚ୍ଛ ? ସେଥିରେ ପୁଣି ବରାଦ ଯେ ମୋତେ ଫଡିଆଟା ଦେ , ମୋତେ କଲିଜାଟା ଦେ । ମୁଁ ବି କେତେଥର ସେ ଧାଡିରେ ଠିଆ ହୋଇ ମାଂସ କିଣିଛି । ରନ୍ଧା ସରିବା ପରେ ମୋ ଜ୍ବାଇଁଟା ଯେଭଳି ଭାବରେ ଅଧାକେଜି ମଟନକୁ କଣ୍ଟା ସମେତ ଠୁକିଦିଏ, ମୋତେ ଲାଗେ ଭବିଷ୍ୟତରେ ଯଦି କେବେ ମ୍ଳେଚ୍ଛ ସଂଗଠନ ହୁଏ , ତାହେଲେ ମୋ ଜ୍ବାଇଁ ସେ ସଂଗଠନର ନିର୍ବିବାଦୀୟ ସଭାପତି ଆସନ ଅଳଙ୍କୃତ କରିବ ।

            ମୋର ଆଉ ବଞ୍ଚିବାର ଆଶା ନାହିଁ ପ୍ରଭୂ ; ଆଗ୍ରହ ବି ନାହିଁ । କିନ୍ତୁ ଏତିକି ଗୁହାରୀ କରୁଛି କି ଆପଣ ପଠାଇ ଥିବା ଯମ ଦୂତଟିକୁ ରୋକନ୍ତୁ । ଅନ୍ତତଃ ନିରୀହ ଓ ଧାର୍ମିକ ଲୋକମାନଙ୍କର ଜୀବନ ନ ଯାଉ । ମୋ ପାପ କର୍ମର ଫଳ ମୋତେ ମିଳୁ । ଯଦି ରିହାତି ବ୍ୟବସ୍ଥା କଣ ଅଛି , ମୋତେ ଟିକେ ଜଣାଇବେ । ଇତି ।        

                           ଆପଣଙ୍କର            

           ଖୁବଶୀଘ୍ର ଦର୍ଶନ ଅପେକ୍ଷାରେ

              ଶ୍ରୀ ******** ******

               ସା:- ଓଡିଶା,ଦ୍ଭା:- ଭାରତ

               ଗ୍ରହ:- ପୃଥିବୀ ।


Rate this content
Log in

Similar oriya story from Abstract