କପି ପେଷ୍ଟ୍
କପି ପେଷ୍ଟ୍
- ଜାଣୁ ! ପୁଅମାନେ ନିଜ ପ୍ରେମ ପ୍ରସଙ୍ଗକୁ ଏକାନ୍ତ ବ୍ୟକ୍ତିଗତ ମନେକରୁଥିବା ବେଳେ, ଝିଅମାନେ ତାକୁ , ନିଜର ଦକ୍ଷତାରେ ଗଣନ୍ତି।
- ଓଲଟା ବି ହୋଇପାରେ ସାଙ୍ଗ। କିନ୍ତୁ ପୁଅଙ୍କର ଏ ମହାନତା କାହିଁକି ?
- ଏଇଟା ପ୍ରେମିକା ପ୍ରତି ପୁଅଟିଏର ବିଶ୍ୱସ୍ତତା ଆଉ ସମ୍ମାନ ବୋଲି ଭାବେ।
- ଆଛାହେଉ । ଚାଲେ କ୍ଲାସ ଟାଇମ୍ ହେଲାଣି।
ଏ ଥିଲା ଦୁଇ ଜିଗରୀ ଦୋସ୍ତଙ୍କର ହାଲକା କଥୋପକଥନ।
★★★
" ଜାଣ ! ମୁଁ ସବୁବେଳେ କାଇଁ ରିଜର୍ଭ ? ଏଥିପାଇଁ ଯେ , ଶହେକୋଷ ଦୂରରେ ଥିବା ମୋ' ପରିବାରର ପ୍ରଚଣ୍ଡ ବିଶ୍ୱାସକୁ ନେଇ ମୁଁ ଏଠାକୁ ଆସିଛି। କୌଣସି ବି ପରିସ୍ଥିତିରେ ତା ଭାଙ୍ଗିଯାଉ , ସେ ଚେଷ୍ଟାରେ ମୁଁ ଆଦୌ ରୁହେନି। ତେବେ ଆଉମାନଙ୍କ ପରି ମୋର ବି ପ୍ରେମରେ ପଡିବାର ଇଚ୍ଛାଟିକୁ ଅସ୍ୱୀକାର କରିପାରୁନି । କିନ୍ତୁ ଏ ୟୁନିଭରସିଟିରେ କିଏ ଯେ ବିଶ୍ଵାସୀ ? ସମସ୍ତେ ମୋ ଚେହେରା ପଛରେ , ହୃଦୟ ଯାଏଁ କିଏ ପହଁଚୁଛି ? ତୁମେ କିନ୍ତୁ ଭିନ୍ନ କିଛି। ୟାକୁ ଗୋଟାଏ ସର୍ତ୍ତରେ , ମୋର ଭଲପାଇବା ଭାବିପାର । ଏଇ ରିଲେସନସିପ୍ ଗୋପନ ହୋଇ ରହିବ ଯେମିତି । ବାହାରକୁ ଆମେ ଦୁହେଁ ଭଲ ସାଙ୍ଗ ମାତ୍ର । "
ସାରା ୟୁନିଭରସିଟି ଯା' ପଛରେ , ସେ ମୋ ପଛରେ !!! ଏଇ କଥାଟିକୁ କେଉଁ ପୁଅ ଯେ ଗୋପନ ରଖିପାରେ ? ଅନ୍ତତଃ ନିଜ ଜିଗରୀ ଦୋସ୍ତ୍ ନିଲେଶକୁ ତ କୁହାଯାଇପାରେ ବିଶ୍ୱାସରେ ।
ଚାର୍ଟବକ୍ସ୍ ଖୋଲି ପ୍ରିୟାର ମେସେଜ୍ ଦେଖାଇଲା ସୋମେଶ୍ । ଆଶାଥିଲା ନିଲେଶ୍ ଅବିଶ୍ୱାସରେ ଫାଟିଯିବ । କେ.ଏଫ୍. ସିରେ ପାର୍ଟି ମାଗିବ । କିନ୍ତୁ ଓଲଟା ???
ନିଲେଶ୍ ଫାଟିଯାଇ , ନିଜ ମୋବାଇଲ କାଢି ସୋମେଶକୁ ପ୍ରିୟାର ମେସେଜ୍ ଦେଖାଇଲା । କପି ପେଷ୍ଟ୍ !
" ଜାଣ ! ମୁଁ ସବୁବେଳେ କାଇଁ ରିଜ...."
★★★
ଦୁଇ ଜିଗରୀ ବନ୍ଧୁ ସେଦିନ ପ୍ରଥମକରି ବାରକୁ ଗଲେ । ଢେର୍ ମଦ ପିଇଯିବା ପରେ , ନିଜନିଜ ମୋବାଇଲ କାଢି ସମାନ୍ ମେସେଜ୍ ଟାଇପ୍ କଲେ -
" ପ୍ରିୟ ପ୍ରିୟା !
ପ୍ରେମ କଲେ ଯାଇ , ଧୋକା ଦେବା, ଅବା ପାଇବାର ସମ୍ଭାବନଟା ବଢିଯାଏ । ଆଉ ନକଲେ .... ????"
■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■