Shanti Mishra

Romance Tragedy

3  

Shanti Mishra

Romance Tragedy

କଣ ହେବ ଏବେ

କଣ ହେବ ଏବେ

6 mins
688


ବୋଉର ଏକା ଜିଦି ବଡ଼ ମାଉସୀଙ୍କ ଝିଅ ରିନାର ବାହାଘରକୁ ସମସ୍ତେ ଯିବେ l ତାର ଦୁଇ ପୁଅ ଓ ଗୋଟିଏ ଝିଅ l ପୁଅ ଦୁଇଜଣ ବାହା ହୋଇ ସାରିଛନ୍ତି l ସାନ ପୁଅଠୁ ଝିଅ ରିନା ଆଠ ବର୍ଷ ସାନ ତେଣୁ ଭାରି ଗେଲ୍ହ| l ଏଇଟା ହେଉଛି ମାଉସୀର ଶେଷ ଉସ୍ଛବ ଘରର ତା ତରଫରୁ l ତେଣୁ ସମସ୍ତଙ୍କୁ ବହୁତ ବହୁତ କହିଛି ଯାଇ ବାହାଘରରେ ଯୋଗ ଦେବାକୁ l ଯିବାରେ କିଛି ନାହିଁ ଯେ ସେ ଯାଇ ତା ଶାଶୁଘର ଗାଁରେ ବାହାଘର କରୁଛି l କିନ୍ତୁ ଗାଁରେ କାହିଁକି ? ସେମାନେ ତ ସହରରେ ରୁହନ୍ତି l ଦୁଇ ପୁଅଙ୍କ ବାହାଘର ତ ସହରରେ କରିଥିଲେ l ଅବଶ୍ୟ ଦୁଇଟି ଯାକ ବାହାଘରରେ ବିକ୍ରମ ଯୋଗ ଦେଇ ପାରି ନଥିଲା l ଦୂର ସହରରେ ରହି ପଢା ପଢି ପରୀକ୍ଷା ଯୋଗୁଁ l


ବିକ୍ରମର ମୋଟେ ଇଛା ନାହିଁ ସେ ବାହାଘରକୁ ଯିବାକୁ l କିନ୍ତୁ ଏଥର କିଛି ବାହାନା ନାହିଁ, କଲେ ବି ବୋଉ ମୋଟେ ଶୁଣିବନି l ତେଣୁ ବୋଉର ଏକା ଜିଦି ଏଥରକ ତାକୁ ବାହାଘରକୁ ଯାଇ ଯୋଗ ଦେବାକୁ ହେବ l ବୋଉ ଏପରି ଯେବେ କେବେ ଜିଦିରେ ଅଡି ବସେ ତା କଥା ଶୁଣିବାକୁ ସମସ୍ତେ ବାଧ୍ୟ ହୁଅନ୍ତି l ନଚେତ୍ କନ୍ଦା କଟା କରି କୁଭାଷା ପ୍ରୟୋଗ ଓ ଅବାନ୍ତର ଯୁକ୍ତି କରି ଜୟଯୁକ୍ତ ହେବାକୁ ଚେଷ୍ଟା କରେ l ତେଣୁ କଥା ନବଢେଇ କଥା ମାନିଯିବା ଟାକୁ ସମସ୍ତେ ଉଚିତ୍ ଭାବନ୍ତି l


ସେ ଯାହା ହେଉ ବିକ୍ରମ ଆଉ କିଛି ଉପଯୁକ୍ତ ବାହାନା ଦର୍ଶାଇ ନପାରି ଗାଡି ଧରି ବାହାରିଲା ଯିବାକୁ l ସମସ୍ତେ ତା ଗାଡିରେ ଗଲେ l ଯଦିଓ ବାପା ମନା କରୁଥିଲେ ଗାଡିରେ ନଯାଇ ଟ୍ରେନ୍ ବା ବସ୍ ରେ ଯିବାକୁ କହୁଥିଲେ l ଗାଁର ସେ କଚା ରାସ୍ତାରେ ଗାଡି ଯାଇ ପାରିବ କି ନାହିଁ ବୋଲି ସନ୍ଦେହ ଥିଲା l


ବିକ୍ରମର ନୂଆ ଗାଡି, ନୂଆ ଚାକିରୀ ତେଣୁ ସବୁ ଷ୍ଟାଇଲ୍ ଉପରେ ଚାଲିବ l ଟ୍ରେନ୍ ବସ୍ ଚଳିବନି l ବହୁ କଷ୍ଟରେ ସେ ଯେତେବେଳେ ରାଜି ହୋଇଛି ସେ ଗାଁକୁ ଯିବାକୁ ତେଣୁ ଅନ୍ୟ କେହି ଆଉ କିଛି ଯୁକ୍ତି ନକରି ଚୁପ୍ ଚାପ୍ ତା ଗାଡିରେ ଗଲେ l ତା ମନ ପରିବର୍ତ୍ତନ କରିଦେବା ପୂର୍ବରୁ l

ଯାହିତାହି ହୋଇ ସମସ୍ତେ ଗାଁରେ ପହନ୍ଚି ଗଲେ l ଚାରି ଘଣ୍ଟାର ବାଟ ଛଅ ଘଣ୍ଟା ଲାଗୁ ପଛେ l ଧକଡ କଚଡ଼ ହୋଇ କୋଉଠି ଧୂଳି ଉଡା ତ କୋଉଠି କାଦୁଆ ରାସ୍ତା l ଏବେ ବିକ୍ରମ୍ ଭାବୁଛି ବାପାଙ୍କ କଥା ମାନି ଟ୍ରେନ୍ ବସ୍ ରେ ଆସିଥିଲେ ଭଲ ହୋଇଥାନ୍ତା l ନୂଆ ଗାଡିର ଅବସ୍ଥା ନିଶ୍ଚୟ ଢିଲା ହୋଇ ଯାଇଥିବ l ଛାଡ ବର୍ତ୍ତମାନ ଭାବି କିଛି ଲାଭ ନାହିଁ l ତାର ଆଉ ଭବିଷ୍ୟତରେ ଏଠାକୁ ଆସିବାର ନାହିଁ l ଏଇଟା ପ୍ରଥମ ଆଉ ଶେଷ l ଯାହା ହେଲାଣି ହେଲାଣି ଏଠୁ କାମ ସରିଗଲେ ଦି’ଦିନରେ ବାହାରି ଯିବା କଥା l


ସେମାନଙ୍କୁ ଦେଖି ମାଉସୀର ଖୁସି କହିଲେ ନସରେ l ପୁଣି ବିକ୍ରମ ଯାଇଥିବାରୁ ଆହୁରି ଖୁସି l ସମସ୍ତଙ୍କୁ ଆରାମ କରିବା ପାଇଁ କହି ଚା’ ଜଳଖିଆର ବ୍ୟବସ୍ଥା କରିବାକୁ ଚାଲିଗଲା ମାଉସୀ l ରିନା ଆସି ସମସ୍ତଙ୍କୁ ମୁଣ୍ଡିଆ ମାରି ଜଳଖିଆ ପରଶିବାକୁ ଲାଗିଲା ମାଉସୀ ସାଥିରେ ମିଶି l ମାଉସୀ ‘ସୁମନ୍’ ବୋଲି ଆଉ କାହାକୁ ଡାକି ପାଣି ଆଣିବାକୁ କହିଲା l ଝିଅ ଟି ଆସି ପାଣି ଦେଲା l ବିକ୍ରମର ଆଖି ସୁମନ୍ ଉପରେ ପଡି ସେଇଠି ରହିଗଲା l

ଏହା କଣ ସମ୍ଭବ! ଏପରି ଅପସରୀ ଏ ଗାଁରେ ଦେଖିବ ବୋଲି ସେ କେବେ ବିଶ୍ବାସ କରି ନଥିଲା l ତାକୁ ଲାଗିଲା ଜଙ୍ଗଳରେ ଗୁଡାଏ ଜଙ୍ଗଳୀ ଫୁଲ ଭିତରେ ଗୋଲାପ ଫୁଲ ଟାଏ ଦେଖିଥିଲେ ତାକୁ ଯେପରି ଲାଗିଥାନ୍ତ| ସେହିପରି ତାର ବର୍ତ୍ତମାନର ପ୍ରତିକ୍ରିୟା l ଚାରିଥର ପାଣି ମାଗିକି ପିଇ ସାରିଲାଣି l ସବୁଥର ସେଇ ଝିଅଟି ଆସି ପାଣି ଦେଇ ଯାଉଥାଏ l ବିକ୍ରମର ତୃଷା କମିବା ପରିବର୍ତ୍ତେ ବଢି ଚାଲିଥାଏ l ତାକୁ ସବୁବେଳେ ଦେଖୁଥାନ୍ତା କି l

ମୁହଁ ପରି ଏ ମୁହଁ ନୁହେଁ l ତା ପାଖରେ ଭାଷା ନାହିଁ ବର୍ଣ୍ଣନା କରିବାକୁ l ସେ ଯଦି ଇଂଜିନିଅର ନହୋଇ କବି ବା ଲେଖକଟିଏ ହୋଇଥାନ୍ତା ଏତେବେଳକୁ ଅନାୟସରେ କୋଡିଏଟା ଗୀତ କି ଦଶଟା ଗପ ଲେଖି ସାରନ୍ତାଣି l ସେ ସିନା ତାର ଅପାରଗତା ଯୋଗୁଁ ଲେଖି ପାରିଲାନି କିଛି, କିନ୍ତୁ ଦେଖି ସାରିଲାଣି ଶହେଥର ବିଭିନ୍ନ ଆଳରେ ସୁମନ୍ କୁ l ବାହାଘରରେ କ’ଣ ହେଲା ତାକୁ ଜଣା ନାହିଁ l ତାର ଆଖି ଅନବରତ ସେହି ଅଭୁଲା ମୁହଁର ସନ୍ଧାନରେ l

ଦୁଇ ଦିନ ପାଇଁ ଆସି ରହିଗଲାଣି ସପ୍ତାହେ କାଳ ଗାଁଟା ଭାରି ସୁନ୍ଦର କହି l ସୁମନ୍ ହଉଛି ମାଉସୀର ସାନ ଦିଅରର ଝିଅ l ଏଇ ଗାଁରେ ରହେ ଦୁଇ ବର୍ଷ ହେବ ହାଇସ୍କୁଲ୍ ପାସ୍ କରି ଘରେ ରହିଛି l ବାହାଘର ଖୋଜା ଚାଲିଛି ଭଲ ପାତ୍ର ମିଳିଲେ କରିଦେବେ l ଶୁଣି ବିକ୍ରମର ଖୁସି ଶତ ଗୁଣିତ l ବୋଉକୁ ଧନ୍ୟବାଦ ସେ ଜିଦି ନକରିଥିଲେ ସେ ଏଠାକୁ କେବେବି ଆସି ନଥାନ୍ତା l ବୋଉ ଜିଦି ଜିନ୍ଦାବାଦ l


ବିଭିନ୍ନ ବାହାନାରେ ସପ୍ତାହେ ରହିଲା ପରେ, ଅନିଛା ସତ୍ବେ ବିକ୍ରମ ପରିବାର ଲୋଙ୍କକ ସହିତ ଘରକୁ ଫେରିଲା ସତ; ମନ କିନ୍ତୁ ସେଇ ଗାଁରେ ଛାଡ଼ି ଦେଇ ଆସିଲା l ଏବେ ମନ ଅଣାୟତ l ଅନେକ ପ୍ରକାର ଭାବନା ସହିତ ଏଣେ ତେଣେ ଧାବମାନ l


ଏତେ ରୂପ ଲାବଣ୍ୟର ଅଧିକାରିଣୀ ପାଇଁ ସୁପାତ୍ରର କେବେ ଅଭାବ ହେବେ ନାହିଁ l ଅନ୍ୟ କେହି ତା ଉପରେ ଅଧିକାର ସାବ୍ୟସ୍ତ କରିନେବା ପୂର୍ବରୁ ସେ ଲଜ୍ୟା, ସଂକୋଚ ତ୍ୟାଗ କରି ବୋଉକୁ ମନ କଥା ଖୋଲି କହିଦେବା ଉଚିତ୍ l ବୋଉ ଶୁଣିଲା ପରେ ବଡ ମାଉସୀ ସହିତ ମିଶି ବାହାଘର ଠିକ୍ କରିବାରେ ଲାଗିଗଲେ l ବିକ୍ରମ୍ ପରି ପଢୁଆ ଯୋଗ୍ୟ ଜ୍ଜ୍ୱାଇଁ ବି ଭାଗ୍ୟରେ ଥିଲେ ମିଳେ ଏବଂ ଏପରି ସୁନ୍ଦରୀ ସୁଶିଳା ଝିଅ ବି ଭାଗ୍ୟରେ ଥିଲେ ମିଳେ l


ଏବେ ବାହାଘରର ଯୋଗ ନାହିଁ l ତିନି ମାସ ପରେ l ସେ ଯାଏ ଅପେକ୍ଷା କରିବାକୁ ହେବ l ବିକ୍ରମର ସେ ଯାଏ ଧୈର୍ଯ୍ୟ ନାହିଁ l କିନ୍ତୁ ଅନ୍ୟ କିଛି ଉପାୟ ନାହିଁ l ଗାଁର ଝିଅ ଗାଁରେ ରହେ l ନିର୍ବନ୍ଧ ସରି ଯାଇଛି ସତ; କିନ୍ତୁ ନା ଫୋନ୍ କରି ପାରୁଛି ନା ଅନ୍ୟ କୋଉ ବାହାନାରେ ମିଶିବାର ବା କଥାବାର୍ତ୍ତା କରିବାର ସୁଯୋଗ ମିଳୁଛି l


ବହୁତ କଷ୍ଟରେ ମାସେ ବିତିଗଲା l ଦୁଇ ସପ୍ତାହ ପରେ ଭାଲେନ୍ଟାଇନ୍ ଡେ ଆସୁଛି l ସେଇ ବାହାନାରେ ସେ ସୁମନ୍ ର ଗାଁ ଅଭିମୁଖେ ଯାତ୍ରା କରିବାକୁ ମନସ୍ଥ କରିନେଲା l ଘରେ କାହାକୁ କିଛି ନକହି ଦୁଇଟି ଫୁଲ ତୋଡା ଧରି ବାହାରିଗଲା l ଗୋଟାଏ ବିଭିନ୍ନ ରଂଗର ଗୋଲାପର ଫୁଲ ତୋଡା l ଅନ୍ୟଟି ହଲାଣ୍ଡରୁ ମଗେଇଥିବା ଟ୍ୟୁଲିବ୍, ଡାଫୋଡିଲ୍, ଡେଜି, ଲିଲି ଓ କାମେଲିଆରେ ମିଶା ମିଶି ରଂଗ ବେରଂଗୀ ଫୁଲ ତୋଡା l କାମରୁ ଦୁଇ ଦିନ ଛୁଟି ନେଇ ବାହାରିଗଲା l ଯାହା ହେବ ଦେଖାଯିବ l ମନକୁ ଅକ୍ତିଆରରେ ରଖିବା ଭାରି କଷ୍ଟ l


ଫୁଲକୁ ଅତି କମରେ ମାସେ ସତେଜ୍ ରଖିବା ପାଇଂ ପ୍ଲାନଟ୍ ଫୂଡ଼ (plant food )ନେଇକି ବି ଯାଇଥିଲା l ଏକ ପ୍ରକାର କେମିକାଲ୍ ପାଉଡର ଯାହା ଫୁଲଦାନିର ପାଣିରେ ସବୁଦିନ କିଛି କିଛି ପକେଇଲେ ତାହା ଦୁଇରୁ ଚାରି ସପ୍ତାହ ଯାଏ ଫୁଲକୁ ସତେଜ୍ ରଖିବାରେ ସାହାଯ୍ୟ କରେ l ଏସବୁ ବି ସୁମନକୁ ବୁଝେଇବାକୁ ପଡିବ ଯେପରି ସେ ଭୁଲି ନଯାଏ l ସେମାନଙ୍କ ବାହାଘର ଯାଏ ଏ ଫୁଲକୁ ସତେଜ ରଖି ପାରିଲେ ଭଲ l


ତାକୁ ଦେଖି ସୁମନ୍ କେତେ ଖୁସି ହେଲା ସେ ଜାଣେନା l କିନ୍ତୁ ସେ ଖୁସି ପାରାବାରରେ ଥରେ ନୁହଁ ଅନେକ ଥର ସନ୍ତରଣ କରିବାକୁ ଲାଗିଲା l ଗୋଡରୁ ମୁଣ୍ଡ ଯାକେ ଏକ ଅଜଣା ଶିହରଣ l ଖାଇବା ପିଇବା ସେବା ଯତ୍ଣରେ ସୁମନ୍ କିଛି କମ୍ କଲାନି ସତ କିନ୍ତୁ କଥାବାର୍ତ୍ତା ବିଶେଷ କିଛି କରୁ ନଥାଏ l ହୁଏ ତ ସ୍ବାଭାବିକ ଲଜ୍ଜା ତାର କାରଣ ହୋଇଥାଇ ପାରେ l କାରଣ ଯାହା ହୋଇଥାଉ ଆଉ ତ ମାସେ କି ଦେଢ ମାସ ପରେ ସୁମନ୍ ସଂପୂର୍ଣ୍ଣ ରୁପେ ତାର l

ଏତେ ସୁନ୍ଦର ଫୁଲ ତା ରୂପ ସହିତ ତୁଳନା କରି ଆଣି ଦେଇଥିବାରୁ କିଛି ନହେଲା ନାହିଁ ଧନ୍ୟବାଦର ଆଶା ଟିକେ ରଖିଥିଲା l ନା ସେପରି କିଛି ମିଳିଲାନି l ହଉ ନମିଳୁ ସୁମନ୍ ର ଦର୍ଶନ ତ ମିଳିଗଲା l ଯଥେଷ୍ଟ l

ଦୁଇଦିନ ପରେ ଫେରିବାକୁ ହେବ l ବେଶି ଦିନ ତ ରହି ହେବନି l କଥାଟା ଅଲୌକିକତା ଭାବେ ଗଣା ହେବ l ସେଦିନ ସକାଳୁ ବାହାରିଲା ବେଳେ ଦେଖିଲା ସେ ଦେଇଥିବା ଫୁଲ ସବୁ ଦାଣ୍ଡରେ ଥିବା ଅଳିହା ଗଦାରେ ପଡିଛି l ଗୋଟାଏ ଗାଈ ଆସି ତାକୁ ଖାଇବା ଆରମ୍ଭ କରିବା ପ୍ରସ୍ତୁତିରେ ଅଛି l ଫୁଲକୁ ନେଇ ସୁମନ ସବୁ ଠାକୁର ପୂଜାରେ ଲଗେଇ ଆଜି ଆଣି ବାସି ଫୁଲ ଗଦାରେ ପକେଇ ଦେଇ ଯାଇଛି l ପାଟିରୁ ବିକ୍ରମର ତା ଅଜାଣତେ ସୁମନ୍ ବୋଲି ଏକ ବିରାଟ ଚିତ୍କାର ବାହାରି ଆସୁ ଆସୁ ଅଟକି ଗଲା l


ସେ ହଲାଣ୍ଡ ଓ ବମ୍ବେରୁ ଫୁଲ ସବୁ ମଗେଇ କେତେ ଖୁସିରେ ଆଣିଥିଲା l ଏବେ ସେ ଜାଣି ପାରୁଛି ସେ କାହାକୁ ବାହା ହବାକୁ ଯାଉଛି l ବହୁତ ଡେରି ହୋଇଗଲାଣି ମୋଡ଼ ପରିବର୍ତ୍ତନ ପାଇଁ l ତା ଇଛା ତା ଖୁସିର ମୂଲ୍ୟ କ’ଣ ତାକୁ ସାରା ଜୀବନ ଏହି ପରି ଭାବେ ମିଳିବ l


ଏକ ବିରାଟ ଦ୍ବନ୍ଦ ଭିତର ଦେଇ ସେ ସେଦିନ ଘରକୁ ଫେରିଲା l ଆପାଣା ହସ୍ତରେ ଜିହ୍ବା ଛେଦିଥିବାର ଯନ୍ତ୍ରଣା କଣ ତାକୁ ସାରା ଜୀବନ ଏମିତି ଭୋଗିବାକୁ ପଡିବ l ଏକ ତରଫା ପ୍ରେମର ପରିଣାମ ବୋଧେ ଏଇଆ l ତଥାପି ସେ ଆଶା ରଖିଲା, ଏ ଅଙ୍କା ବଙ୍କା କଚା ରାସ୍ତାଟି ଦିନେ ବାଙ୍କ ମୋଡି ହୋଇ ମୁଖ୍ୟ ରାସ୍ତାରେ ମିଶିଯାଇ ପାରେ ବୋଲି l ଯଦିଓ ତା ବିଶ୍ବାସରେ ଏକ ବିରାଟ ପ୍ରଶ୍ନବାଚୀ ଲାଗି ଯାଇଥିଲା l


Rate this content
Log in

Similar oriya story from Romance