Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

ଶିଶିର ସାହୁ ମନୋଜ

Classics


5.0  

ଶିଶିର ସାହୁ ମନୋଜ

Classics


କଳ୍ପଲତା

କଳ୍ପଲତା

5 mins 260 5 mins 260

ସ୍ଵର୍ଗଲୋକରେ ବସନ୍ତକ ଗନ୍ଧର୍ବର ସୁରେଖା ଅପ୍ସରା ପ୍ରତି ଅନୁରାଗ ଉତ୍ପନ ହେଲା । ଦିନେ ଯେବେ ସେ ଦିହେଁ ପରସ୍ପର ପ୍ରୀତି ବାର୍ତ୍ତାଳପରେ ନିମଗ୍ନ ଥିଲେ ଦେବରାଜ ଇନ୍ଦ୍ର ସୁରେଖା ଅପ୍ସରାକୁ ନୃତ୍ୟ ହେତୁ ସ୍ମରଣ କଲେ ।ବସନ୍ତକର କାନ୍ତା ବିନା ବିରହ ବେଦନା ଅସହ୍ୟ ହେଲାରୁ ସେ ମଧ୍ୟ ଇନ୍ଦ୍ର ସଭାରେ ଯାଇ ଉପସ୍ଥିତ ହେଲା । ବସନ୍ତକକୁ ନିଜ ସମ୍ମୁଖରେ ଦେଖି ସୁରେଖା ଅପ୍ସରୀର ନୃତ୍ୟ ତାଳରେଅନେକ ତୃଟି ହେବାକୁ ଲାଗିଲା ।

ଦେବରାଜ ତ ସ୍ଵୟଂ ତ୍ରୀକାଳଦର୍ଶୀ,ଧ୍ୟାନମଗ୍ନ ହୋଇ ସେ ସବୁକିଛି ଜାଣିଗଲେ । ସ୍ଵର୍ଗର ନିୟମ ଭଙ୍ଗ କରିଥିବାରୁ ଦେବରାଜ ଇନ୍ଦ୍ର ବସନ୍ତକ ଏବଂ ସୁରେଖା ଅପସରାକୁ ମର୍ତ୍ତ୍ୟରେ ମନୁଷ୍ୟ ଯୋନି ଲାଭକରିବାର ଅଭିଶାପ ଦେଲେ ।

ଏହି ଅପ୍ରତ୍ୟାଶିତ ଅଭିଶାପ ରେ ବ୍ୟଥିତ ହୋଇ ଦୁଇ ପ୍ରେମୀ ଇନ୍ଦ୍ରଙ୍କୁ ଅନୁନୟ ବିନୟ ପୂର୍ବକ ସ୍ତୁତି କରିବାକୁ ଲାଗିଲେ ...

ଇନ୍ଦ୍ର ଶାନ୍ତ ହୋଇ ବୋଇଲେ—

“ଆମ୍ଭ ଅଭିଶାପ ଅବ୍ୟର୍ଥ ତେବେ ଆମ୍ଭେ ତୁମ୍ଭ ଦୁହିଁଙ୍କୁ ଏହି ଆଶିର୍ବାଦ ଦେଉଅଛୁ ଯେ ତୁମ୍ଭମାନଙ୍କର ମନୁଷ୍ୟ ଜନ୍ମ ହେଲେ ହେଁ ତୁମ୍ଭେମାନେ ଜାତିସ୍ମର ହୋଇବ ଏବଂ ସେହି ଜନ୍ମରେ ତୁମ୍ଭର ପୁଣି ମିଳନ ଘଟିବ !”

ଶ୍ରାପ ପ୍ରଭାବରେ ବସନ୍ତକର ଜନ୍ମ ବଲ୍ଲାଳଦେଶରେ ହେଲା ଏବଂ ପରେ ସେ ଅମରଶୀଖର ନାମରେ ପ୍ରଶିଦ୍ଧ ହେଲା ।

ଏଣେ ସୁରେଖା ଅପ୍ସରା କର୍ଣ୍ଣାଟ ଦେଶରେ ଜନ୍ମ ଲାଭ କଲା ତା’ର ନାମ ରଖାଗଲା କଳ୍ପଲତା...

କର୍ଣ୍ଣାଟ ଦେଶରେ ରାଜଜେମା କଳ୍ପଲତା ବାଲ୍ୟକାଳରୁ ନିତ୍ୟ କୃଷ୍ଣାନଦୀରେ ସ୍ନାନ କୌତୁକ ଆଦି ହେତୁରୁ ନିଜ ସଖୀ ମଦନମତ୍ତା ସହ ଯାଉଥିଲେ । ଦିନେ ବନବିହାର କରି ଯାଇଥିବା ବଲ୍ଲାଳଦେଶର ଯୁବରାଜ ଅମରଶୀଖର ଦିଗଭ୍ରାନ୍ତ ହୋଇ ଆସି ସର୍ବେଶ୍ଵର ଯୋଗୀଙ୍କ ଆଶ୍ରମରେ ପହଞ୍ଚିଲେ ।

ଆଶ୍ରମରେ ଋଷିଙ୍କର ସାନିଧ୍ୟ ରେ ଧର୍ମ କର୍ମାଦି ବିଷୟରେ ନାନାବିଧ ଚର୍ଚ୍ଚା ସମୟରେ ଯୁବରାଜଙ୍କର ଆଖି ହଟାତ୍ ଏକ ତୈଳଚିତ୍ର ଉପରେ ପଡି଼ଲା ...। ସେ ଚିତ୍ର ଦେଖିଲା ମାତ୍ରକେ ତାଙ୍କର ପୂର୍ବ ଜନ୍ମ ର କଥାମାନ ସ୍ମରଣ ହେବାକୁ ଲାଗିଲା...।

ଋଷି ସର୍ବେଶ୍ଵରଙ୍କୁ ସେ ତୈଳ ଚିତ୍ର ବିଷୟରେ ପଚାରି ବୁଝନ୍ତେ ଜଣାଗଲା ଯେ ତାହା ପ୍ରକୃତରେ କର୍ଣ୍ଣାଟ ରାଜଜେମାଙ୍କର ତୈଳ ଚିତ୍ର । ସେ ଥରେ ସପରିବାର ଋଷିଙ୍କ ଦର୍ଶନାର୍ଥେ ଆସିଥିଲେ ଏବଂ ଗଲାବେଳେ ରାଜଜେମା ଉକ୍ତ ତୈଳ ଚିତ୍ରଟି ଋଷିଙ୍କ ଆଶ୍ରମରେ ଛାଡ଼ି ଯାଇଛନ୍ତି । ଋଷିଙ୍କ ଠାରୁ ଏସବୁ କଥାମାନ ଜାଣିଲା ପରେ ଯୁବରାଜ ଅମରଶିଖର ଠିକ୍ କଲେ ଯେ ସେ ଛଦ୍ମ ରୂପ ଧାରଣ ପୂର୍ବକ କର୍ଣ୍ଣାଟ ଦେଶ ଯିବେ ।

ଏପଟେ ରାଜକୁମାରୀ କଳ୍ପଲତା ପାଇଁ ତା’ ପରିବାରଜନ ଉତ୍ତମ ବରପାତ୍ର ଦେଖୁଥାନ୍ତି । କର୍ଣ୍ଣାଟ ଦେଶର ରାଜା ନିଜ ପୁତ୍ର ପ୍ରତାପ ପଞ୍ଚାନନକୁ ବିଭିନ୍ନ ଦେଶ ଭ୍ରମଣ କରି କଳ୍ପଲତା ପାଇଁ ଜଣେ ଉତ୍ତମ ବର ଅନ୍ବେଷଣ କରିବାର କାର୍ଯ୍ୟ ପ୍ରଦାନ କଲେ ।

ବାଟେ ଯାଉ ଯାଉ ଚୋଡ଼ ଦେଶର ଘନ ଜଙ୍ଗଲରେ ଯୁବରାଜ ପ୍ରତାପଙ୍କୁ ଏକ ବାଘ ଦଳର ସାମ୍ନା କରିବାକୁ ହେଲା । ଏତିକି ବେଳେ ଶିକାର କରିବାକୁ ଆସିଥିବା ଚୋଡ଼ ରାଜକୁମାର ଅବନୀତିଳକ ଅଦମ୍ୟ ବୀରତ୍ଵର ପରିଚୟ ପ୍ରଦାନ କରିବାକୁ ଯାଇ କର୍ଣ୍ଣାଟ ରାଜକୁମାରଙ୍କ ଜୀବନ ରକ୍ଷା କରିଥିଲେ ।

କର୍ଣ୍ଣାଟ ଦେଶ ଫେରି ଯୁବରାଜ ପ୍ରତାପ ପଞ୍ଚାନନ ଚୋଡ଼ ଦେଶ ରାଜକୁମାର ଅବନୀତିଳକ ତଥା ତାଙ୍କ ପରାକ୍ରମ କଥା ବଖାଣିବା ସହ କହିଲେ ପ୍ରକୃତରେ ସେ ହିଁ ଭଗ୍ନୀ କଳ୍ପଲତା ପାଇଁ ଉପଯୁକ୍ତ ବରପାତ୍ର ଅଟନ୍ତି ।

ରାଜଦମ୍ପତ୍ତି ମଧ୍ୟ ଏକଥାରେ ରାଜି ହୋଇଯାଇ ଦୂତ ଦ୍ଵାରା ଚୋଡ଼ ଦେଶକୁ ଅବନୀତିଳକ ଓ କଳ୍ପଲତା ଙ୍କ ବିବାହ ପ୍ରସ୍ତାବ ପଠାଇଦେଲେ ।

କିନ୍ତୁ !

ରାଜକୁମାରୀ କଳ୍ପଲତା... !

ହାୟ.......

ତାଙ୍କ ମନର ଭାବାବେଗ କିଏ ବୁଝି ପାରିବ ?

ମନରେ କେତେ କ’ଣ ଭାବି ରାଜକୁମାରୀ ନିଜ ଭବନକୁ ଲେଉଟି ଗଲେ । 

କଳ୍ପଲତା ଜନ୍ମରୁ ଜାତିସ୍ମର ଥିଲେ ତେଣୁ ସେ ନିଜ ପୂର୍ବଜନ୍ମର ପ୍ରାଣସଖା ବସନ୍ତକ ଙ୍କ ବିରହ ଅଗ୍ନିରେ ଜଳିବାକୁ ଲାଗିଲେ । ମନ ପାଇଁ ବିରହ ଜ୍ଵାଳା ବି କଅମ ବିଷାକ୍ତ ନୁହେଁ । ଶକ୍ତିଶାଳୀ ମନୁଷ୍ୟ ବି ମନୋବଳ ହ୍ରାସ ହୁଅନ୍ତେ ଜୀବନରେ ହାରିଯାଅନ୍ତି । 

ବିବାହ ଦିନ ପାଖେଇଲାରୁ ସବୁ ଲୋକ ବିବାହ ଆୟୋଜନ କରିବାରେ ଲାଗିଯାଇଥିଲେ । ଏଣେ ରାଜକୁମାରୀ କଳ୍ପଲତା ବିଷପାନ କରିଦେଲେ । ସେ ନିଜ ମନ ଠାରୁ ହାରିଯାଇଥିଲେ । ରାଜକୁମାରୀଙ୍କ ମୃତ୍ୟୁ ଯୋଗୁଁ ପୁଷ୍ପରେ ସଜ୍ଜିତ କର୍ଣ୍ଣାଟ ଦେଶର ରାଜଭବନ କିଛି କ୍ଷଣ ମଧ୍ୟରେ ଶ୍ରୀହୀନ ନିସ୍ତବ୍ଧ ହୋଇ ରହିଗଲା ।

ଭାରାକ୍ରାନ୍ତ ମନରେ କର୍ଣ୍ଣାଟ ରାଜା ନିଜ କନ୍ୟା କଳ୍ପଲତାର ଅନ୍ତିମ ସଂସ୍କାର ପାଇଁ କୃଷ୍ଣାନଦୀ ତଟରେ ଦାହସଂସ୍କାରର ସମସ୍ତ ବ୍ୟବସ୍ଥା କରିବାକୁ ଆଦେଶ ଦେଲେ ।

କୃଷ୍ଣାନଦୀ କୂଳରେ ରାଜକୁମାରୀଙ୍କର ମୃତ୍ୟୁଶଯ୍ୟା ସ୍ଥାପନ ହୋଇଗଲା । ରାଜା ମୃତ ଶରୀର ରେ ଅଗ୍ନୀ ସଂଯୋଗ କରିବାକୁ ଯାଉଥିଲେ କି ଏତିକି ବେଳେ ଜଣେ ଯୁବକର ଗୁରୁ ଗମ୍ଭୀର ସ୍ଵର ଶୁଣା ଗଲା । 

ରୁହ... ! ରହି ଯାଅ... !!!

ସେ ଅପରିଚିତ ଯୁବକ ରାଜାଙ୍କ ସମ୍ମତି କ୍ରମେ

ତାଙ୍କ ନିକଟକୁ ଗଲା । 

ସେ କହିଲା -

“ ମଣିମା ! ମୁଁ ଅମୃତ ଦ୍ଵାରା ଯେକୌଣସି ମୃତବ୍ୟକ୍ତିକୁ ଜୀବିତ କରିଦେବାର ଶକ୍ତି ରଖିଅଛି ମୁଁ ଚାହିଁଲେ ତୁମ ଝିଅ ପୁନର୍ବାର ବଞ୍ଚି ଉଠିବ । ହେଲେ ମୋର ଏକ ମାତ୍ର ସର୍ତ୍ତ ତା’ର ବିବାହ ମୋ ସହ କରିବାକୁ ହେବ ।”

ରାଜା ପୁତ୍ରୀମୋହରେ ଆଗପଛ କିଛି ନ ବିଚାରି ସେ ଅପରିଚିତ ଯୁବକ କଥାରେ ରାଜି ହୋଇଗଲେ । ରାଜା ସ୍ଵୀକୃତି ଦେଲାରୁ ସେ ଅପରିଚିତ ଯୁବକ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ପୂର୍ବକ ରାଜକୁମାରୀଙ୍କୁ ବଞ୍ଚାଇ ଦେଲା । ବାଧ୍ଯ ହୋଇ ରାଜା ନିଜ କନ୍ୟା ସହ ସେହି ଅପରିଚିତ ଯୁବକର ବିବାହ ହେତୁ ଆୟୋଜନ ଆଦିରେ ଲାଗିପଡିଲେ ।

ଇଆଡେ ଚୋଡ଼ ଦେଶର ରାଜା ଯେତେବେଳେ ରାଜକୁମାରୀ କଳ୍ପଲତା ଜୀବିତ ଥିବା ତଥା ଅନ୍ୟ ବ୍ୟକ୍ତି ସହ ତାହାର ବିବାହ ହେଉଥିବା କଥା ଜାଣିଲେ,ସେ ଦଳବଳ ଘେନି କର୍ଣ୍ଣାଟ ଦେଶ ଉପରେ ଚଢାଉ କରିଦେଲେ ।

କର୍ଣ୍ଣାଟ ଦେଶ ଓ ଚୋଡ଼ ଦେଶ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା କିନ୍ତୁ କର୍ଣ୍ଣାଟ ଦେଶର ଶକ୍ତି କ୍ଷୀଣ ହେଉଥିବା ଦେଖି ଶେଷକୁ ରାଜକୁମାରୀ କୁ ଜୀବିତ କରିଦେଇଥିବା ସେହି ଅପରିଚିତ ଯୁବକ ନିଜର ପ୍ରକୃତ ପରିଚୟ ଦେବାକୁ ଯାଇ ତା ପୂର୍ବଜନ୍ମ ର ସମସ୍ତ ବୃତ୍ତାନ୍ତ କହି ଶୁଣାଇଲା ।

ରାଜା ଯେତେବେଳେ ଜାଣିଲେ ଯେ ଅଦ୍ଭୁତ ଶକ୍ତି ସମ୍ପନ୍ନ ଉକ୍ତ ଯୁବକ ଜଣକ ବଲ୍ଲାଳଦେଶର ଯୁବରାଜ ଅମରଶିଖର ସେ ମହାଆନନ୍ଦ ଲାଭକଲେ ।

ତତ୍ପରେ ବଲ୍ଲାଳଦେଶ ଓ କର୍ଣ୍ଣାଟଦେଶର ସମ୍ମିଳିତ ସେନା ଚୋଡ଼ ରାଜାଙ୍କ ସୈନ୍ୟ ସାମନ୍ତଙ୍କ ବିରୋଧରେ ଭୟାନକ ଯୁଦ୍ଧ କଲେ ଏବଂ ଅନ୍ତତଃ ଚୋଡ଼ ରାଜା ପରାସ୍ତ ହୋଇ ସ୍ବଦେଶ ପଳାୟନ କଲେ । 

କର୍ଣ୍ଣାଟ ଦେଶରେ ସେ ସମୟରେ ଦ୍ଵିଗୁଣ ଆନନ୍ଦରେ ସମସ୍ତେ ନାଚି ଉଠିଲେ । ବଡ଼ ଆଡ଼ମ୍ଵର ସହକାରେ କିଛି ଦିନ ମଧ୍ୟରେ କଳ୍ପଲତା ଓ ଅମରଶିଖରଙ୍କର ବିବାହସମ୍ପନ୍ନ ହୋଇଗଲା । ହେଲେ ଅମରଶିଖର ଆହୁରି କିଛି ଦିନ କର୍ଣ୍ଣାଟ ଦେଶରେ ରହିବାକୁ ଚାହୁଁଥିଲେ । 

ଦିନେ କଳ୍ପଲତା ନିଜ ପତି ଅମରଶିଖରଙ୍କ ସ୍ଵ-ଭବନରେ ଜଳକ୍ରୀଡା କରୁଥିଲା ବେଳେ ହଟାତ୍ ସେହି ଜଳରେ ଅମରଶିଖର କେଉଁ ଆଡେ଼ ଅଦୃଶ୍ୟ ହୋଇଗଲେ ।  ଚାରିଆଡ଼େ ଖୋଜାଖୋଜି କଲାରୁ ମଧ୍ୟ ଯେବେ ଅମରଶିଖର ନମିଳିଲେ ତହୁଁ ରାଜକନ୍ୟା କଳ୍ପଲତା ପତି ବିନା ଅନ୍ନଜଳ ତ୍ୟାଗ କରି ଆତ୍ମଦାହ ର ବ୍ରତ ରଖିନେଲା । 

କର୍ଣ୍ଣାଟ ରାଜା ନିଜ କନ୍ୟାକୁ ଅନେକ ବୁଝାଇ ଅନ୍ତତଃ ଆଉ ଆଠ ଦିନ ଅପେକ୍ଷା କରିବାକୁ କହିଲେ । ଚାହୁଁ ଚାହୁଁ ଆଠଦିନ ବି ଗତ ହୋଇଗଲା ଶେଷକୁ ପତି ବିରହିଣୀ କଳ୍ପଲତା ଚିତାଗ୍ନୀ ରେ ବସି ତହିଁ ରେ ଅଗ୍ନୀ ସଂଯୋଗ ହେତୁ ଉଦ୍ୟତ ହୁଅନ୍ତେ ଅକୃତକାର୍ଯ୍ୟ ହେଲେ । ଏତିକିବେଳେ ମେଘ ମାନେ ତାଙ୍କର ଜଳାଭିଷେକ କଲେ ଆକାଶରୁ ପୁଷ୍ପବୃଷ୍ଟି ହେବାକୁ ଲାଗିଲା । ମହାକାଶରୁ ଶଙ୍ଖ ଧ୍ଵନି ସହ ଆକାଶବାଣୀ ହେଲା―

“ହେ ସୁରେଖା ମୁଁ ତୁମ୍ଭର ନିଷ୍ଠା ଦେଖି ପ୍ରସନ୍ନ ହେଲି । ତୁମର ପରୀକ୍ଷା ନେବା ପାଇଁ ହିଁ ମୁଁ ନାଗ କନ୍ୟା ଙ୍କ ଦ୍ଵାରା ବସନ୍ତକ ର ଅପହରଣ କରାଇଥିଲି । ମୁଁ ଏବେ ତୁମକୁ ତୁମ ପ୍ରିୟତମକୁ ଫେରାଇ ଦେଉଛି । ତୁମ ଦୁହିଁଙ୍କ ପ୍ରେମ କାହାଣୀ ସଦା ଅମର ରହିବ । ଯିଏ ଏହି ପବିତ୍ର କଥା କହିବ,ଗାଇବ ଅବା କହି ଶୁଣେଇବ ତା’ର ପ୍ରେମ ନିଶ୍ଚୟ ସଫଳ ହୋଇବ ।”

....

ଦ୍ରଷ୍ଟବ୍ୟ:-ପ୍ରୋକ୍ତ କାହାଣୀଟି ପଞ୍ଚଦଶ ଶତାବ୍ଦୀର ଓଡ଼ିଆ କଵି ଅର୍ଜୁନ ଦାସଙ୍କ ରଚିତ କଳ୍ପଲତା କାଵ୍ଯର ମୂଳ କଥା ଅଟଇ । କଳ୍ପଲତା କାବ୍ୟର କଥା କାଳ୍ପନିକ ତଥା ଏହାର କୌଣସି ପୌରାଣିକ ସନ୍ଦର୍ଭ ମିଳେନାହିଁ କିନ୍ତୁ ପ୍ରକୃତରେ ଏ କଥା ସହ କେତେକ ଐତିହାସିକ ଘଟଣାର ସମ୍ଵନ୍ଧ ରହିଛି ।

ପନ୍ଦରଶହ ଶତାବ୍ଦୀରେ ଦକ୍ଷିଣ ଭାରତୀୟ ସାମ୍ରାଜ୍ୟର ପାରସ୍ପରିକ କଳହକୁ ଦର୍ଶାଇ ଥାଏ ଏ କଥା ! କଳ୍ପଲତା ଭଳି କାଳ୍ପନିକ କାବ୍ୟ ପନ୍ଦରଶହ ଶତାବ୍ଦୀରେ ଲେଖି ଅର୍ଜୁନ ଦାସ ଓଡ଼ିଆ ଭାଷା ସମୃଦ୍ଧି କ୍ଷେତ୍ରରେ ଯେଉଁ ଅମୂଲ୍ୟ ଯୋଗଦାନ ଦେଇଅଛନ୍ତି ସେଥିପାଇଁ ସେ ଆମ୍ଭ ମାନଙ୍କର ଚିର ନମସ୍ୟ ହୋଇ ରହିବେ । ଏଠାରେ ଜଣାଇ ରଖୁଁ ଯେ ଓଡିଆ ଭାଷାରେ ସର୍ବେ ପ୍ରଥମେ ଲମ୍ଵା କାଳ୍ପନିକ କାବ୍ୟ ଲେଖିଥିଲେ କବି ଅର୍ଜୁନ ଦାସ ଏବଂ ଉକ୍ତ କାବ୍ୟର ନାମ ଥିଲା ରାମବିଭା । ଏ ପଞ୍ଚଦଶ ଶତାବ୍ଦୀ ଅର୍ଥାତ୍ ପଞ୍ଚଶଖା ଯୁଗର ଅନ୍ୟତମ କବି । କବି ତାଙ୍କର ରାମବିଭା କାବ୍ୟ ଲେଖି ସାରିଲା ପରେ କଳ୍ପଲତା ଲେଖିଥିଲେ । ଏହାଙ୍କର କାବ୍ୟରେ କେଉଁଠି କେଉଁଠି ଏହାଙ୍କର ନାମ ଅର୍ଜୁନୀ ଦାସ ତ ଆଉ କେଉଁଠି ଶିଶୁ ଅର୍ଜୁନୀ ଦାସ ରହିଥିବା ଦୃଷ୍ଟିଗୋଚର ହୋଇଥାଏ ।


Rate this content
Log in

More oriya story from ଶିଶିର ସାହୁ ମନୋଜ

Similar oriya story from Classics