କଳଙ୍କିନୀ
କଳଙ୍କିନୀ
ସମୟ ରାତି ୧୨.୩୦ଟା ପାଖାପାଖି ଡାକ୍ତରଖାନା ର ଆବର୍ଜନା କୁଣ୍ଡରୁ ଗୋଟେ ଛୁଆର କାନ୍ଦ ଶୁଭୁଛି।ବଡ଼ ସବୁଜ ଆବର୍ଜନା କୁଣ୍ଡ ଭିତରେ ପଡ଼ିଥିବାରୁ କୁକୁର ମାନେ ଉପରକୁ ଉଠିପାରୁ ନାହାନ୍ତି।ନହେଲେ ଯେତେ କୁକୁର ଥିଲେ ଖାଇସାରନ୍ତେଣି ବୋଧେ। କାନ୍ଦଟା ଏମିତି ଯେମିତି ସେ ପ୍ରଶ୍ନ କରୁଛି ମୋର କଣ ଭୁଲ ରହିଲା। ହୁଏତ ସେ କୋଉ ଯୁବ ଯୁବତୀଙ୍କ ଯୌବନ ବିଳାସର ଚିହ୍ନ କିମ୍ବା ଅନାଥ । ବହୁତ କାନ୍ଦୁଛି ଧରିବାକୁ କେହି ଆସୁନାହାନ୍ତି। ମା ପିଲା କାନ୍ଦିଲେ ଥରେ ହିଁ ଖୁସି ହୋଇଥାଏ ଯେତେବେଳେ ସେ ଜନ୍ମ ହୁଏ,ସେଇ ଥରୁଟିଏ କାନ୍ଦିଲେ ମା ଅନେକ ଖୁସି ହୁଏ।ତାପରେ ନିଜ ଜୀବନ ଦେଇଦିଏ କିନ୍ତୁ ପିଲାକୁ କାନ୍ଦି ବାକୁ ଦିଏନି।
ସେ ଗପ ଶୁଣିଥିବେ ବୋଧେ ସେକ୍ସପିଅରଙ୍କ ପ୍ରେମିକା କଥାରେ ପଡ଼ି ପୁଅ କେମିତି ମା କୁ ମାରିଦେଲା।ତଥାପି ମାର କଟା ଶବକୁ ନେଇ ପୁଅ ଯାଉଥିବା ବେଳେ ଝୁଣ୍ଟି ପଡ଼ିଲା।ମା ର କଟା ହୃଦୟଟା ଚିତ୍କାର କରି କହିଲା ଦେଖିକି ଚାଲ ବାପା ପଡ଼ିଯିବୁ।ଏମିତି ହେଉଛି ମା।
କିନ୍ତୁ ମା ଏଠି କେମିତି ନିଷ୍ଠୁର ପାଲଟି ଯାଇଛି।ବୋଧେ ସମାଜକୁ ଡରି।
ସଂଯୁକ୍ତାର ଦୁଇ ଜଣ ସାନ ଭାଇ ଆଉ ଜଣେ ସାନ ଭଉଣୀ।ବାପା କୋଇଲା ଖଣିରେ କାମ କରୁଥିଲେ । ମାଟିତଳେ କାମ କରୁ କରୁ ଦୁର୍ଘଟଣାଟିଏ ଘଟି ଗଲା। ଅଣ୍ଟାରେ ଅନେକ ଆଘାତ ଲାଗିଲା ।ତେଣୁ ଡକ୍ଟର କହିଛନ୍ତି କାମ କରିବା ମନା।ଔଷଧ ଚାଲିଛି ତେଣୁ ସଂଯୁକ୍ତାକୁ ପାଠ ଛାଡ଼ି କାମ ଖୋଜିବାକୁ ପଡ଼ିଲା। ଗୋଟେ ଆବାସିକ ବିଦ୍ୟାଳୟରେ ରିସପ୍ସନିଷ୍ଟ ଭାବେ ଯୋଗ ଦେଲା। ଅଭିଭାବକ ପିଲା ଆସିଲେ ତାଙ୍କୁ କେତେ କଥା ବୁଝାଏ । ଛୋଟ ଛୋଟ ଛୁଆ ଗୁଡା ବଡ଼ ବଡ଼ ଆଖି କରି ଦେଖନ୍ତି ତାକୁ,ଯେମିତି ସେ କଣ ଗୋଟେ ଅଜଣା କଥା କହୁଛି। ଦେଶ ବିଦେଶ,ପାଠ, ବିଦ୍ୟାଳୟ, ଶିକ୍ଷକ ସମସ୍ତଙ୍କ କଥା ବୁଝାଇ କହିବାକୁ ପଡ଼େ। ଦିନେ ତାର ବି ସ୍ବପ୍ନ ଥିଲା ପାଠ ପଢ଼ି ବଡ଼ ମଣିଷ ଟେ ହବ।କିନ୍ତୁ ଯଦି ସବୁ ଆଶା ଗୁଡ଼ିକ ଘୋଡ଼ା ହୁଅନ୍ତେ ନା ଭିକାରିବି ତାକୁ ଚଢ଼ନ୍ତେ। ସବୁ ଆଶା ଆଜି ତାର ଅତୀତ ପାଲଟି ଯାଇଛି।
ସେଇ ବିଦ୍ୟାଳୟରେ ତାର ସହକର୍ମୀ ଥିଲେ ବିକାଶ ।ତେଣୁ ଗଢି ହୁଏ ବନ୍ଧୁତା ,ସବୁବେଳେ ଚୁପ୍ ଚାପ୍ ରହୁଥିବା ଝିଅଟା ତା ଆଗରେ କହିବୁଲେ ଅନେକ କଥା।ତାର ଅତୀତ ତାର ବର୍ତ୍ତମାନ ତାର ଭବିଷ୍ୟତ ସବୁ କହିଦିଏ। ବିକାଶ ବି କହେ ଅନେକ କଥା । ଦୁହେଁ ଦୁହିଁଙ୍କର ସୁଖ ଦୁଃଖ ବାଣ୍ଟନ୍ତି।
ସତରେ ଗୋଟେ ଯବାନ ଝିଅ ଆଉ ପୁଅ କଣ ଖାଲି ସାଙ୍ଗ ହୋଇ ରହିପାରନ୍ତି। ତୋଳା ହେଲା ଆଉ ଗୋଟେ ସମ୍ପର୍କ।ସମ୍ପର୍କ ନଈର ଅନ୍ୟନାମ ପ୍ରେମ ହେଲା,ଗୋଟେ ଡ଼ଙ୍ଗା ଦୁଇଟା ନାଉରୀ। ଟଳମଳ ପାଣିର ସୁଅରେ ମନ୍ଥର ଗତିରେ ଡ଼ଙ୍ଗା ଚାଲିଲା ପରିସ୍ଥିତିର ସବୁ ଲହରୀ ଭାଙ୍ଗି। ଅନେକ ବିଶ୍ୱାସ ଦୁହିଁ ଙ୍କ ମଧ୍ୟରେ । ଦୁହିଁଙ୍କ ଘରେ ବି ଜାଣିଗଲେ।
ସ୍କୁଲ ଆଡ଼ମିଶନ ସମୟ କାମ ବଢି ଯାଇଛି ଫେରୁ ଫେରୁ ଡେରି ହୁଏ ସପ୍ତାହେ ହେଲା। ସହରରେ ଦୁହେଁ ରୁହନ୍ତି ଭଡ଼ା ଘରେ।ସ୍କୁଲ ପାଖରୁ ବିକାଶ ଭଡ଼ା ଘର ପାଖରେ। ସେଦିନ ବହୁତ୍ ବର୍ଷା ଆଉ ଘଡ଼ଘଡି ହେଲା। କଳାହାଣ୍ଡିଆ ମେଘ।ବହୁତ୍ କଷ୍ଟରେ ଭିଜି ଭିଜି ବିକାଶ ଭଡ଼ା ଘର ପାଖରେ ପହଞ୍ଚି ପାରିଲେ ଦୁଇଜଣ। ଘର ଭିତରକୁ ଯାଇ ପୋଛା ପୋଛି ହେଲା ପରେ ସଂଯୁକ୍ତା ଦାନ୍ତ କଡମଡ ଶବ୍ଦ କଲା ।ବିକାଶ କହିଲା ରୁହ ଟିକେ ଚାହା କରି ଆଣୁଛି। ବର୍ଷା ଥମିବାର ନା ଧରୁନି । ରାତିରେ ରହିବାକୁ ହେଲା। ଆଉ ଶରୀର ପ୍ରତିକ୍ରିୟା କଲା ,ଘଟିଗଲା ଘଟଣା। ସେ ଘଟଣା ସମ୍ପର୍କ ରଜ୍ଜୁରେ ବନ୍ଧା ଥିଲେ ହୁଏ ଘଟଣା ନହେଲେ ଦୁର୍ଘଟଣା ।ତେଣୁ ଏଇଟା ହେଲା ଦୁର୍ଘଟଣା। ବର୍ଷାର ମାଟିରେ ମଞ୍ଜି ପଡି ଅଙ୍କୁରୋଦଗମ ହେଲା।କଥାଟା ପରେ ଜଣା ପଡ଼ିଲା।ବିକାଶ କହିଲା ଏମିତି ଆମ ଘରେ ତୁମକୁ ଗ୍ରହଣ କରିବେନି। ପିଲାଟାକୁ ନଷ୍ଟ କରିଦିଅ।ଅନେକ ଚେଷ୍ଟା ପରେ ମଧ୍ୟ ଭ୍ରୁଣ ନଷ୍ଟ ହେଇ ପାରିଲାନି।ସମୟ ହେଲା ଜନ୍ମର। ସହର ବାହାରେ ଏକ ଘରୋଇ ଡାକ୍ତଖାନାରେ ୧୧ ଟା ରାତିରେ ଜନ୍ମ ନେଲା ଶିଶୁଟି। ସଂଯୁକ୍ତା ଅଚେତ୍ ଅବସ୍ଥାରେ ବିକାଶ ନେଇଯାଇ ଶିଶୁଟିକୁ ଫୋପାଡି ଦେଇଆସିଲା ଆବର୍ଜନା କୁଣ୍ଡରେ ।
ସଂଯୁକ୍ତା ଚେତା ଫେରିଲା ସେ ପାଗଳ ପ୍ରାୟ ହୋଇ ପିଲା ଟାକୁ ଖୋଜିଲା ଜାଣିପାରିଲା ସବୁ କଥା। କାନ୍ଦି କାନ୍ଦି ଥକି ଯାଉଥିଲା ପିଲାଟି। ଦୌଡ଼ି ଦୌଡ଼ି ଯାଇ ସେ ରକ୍ତ ପୂଜ ଥିବା ଆବର୍ଜନା ଭିତରୁ ତାକୁ ବାହାରକୁ ଆଣିଲା।
ହଁ ସେ କଳଙ୍କିନୀ ହେଲା କାରଣ କୁନ୍ତୀର ଆଖ୍ୟା ତାକୁ ମଞ୍ଜୁର ନଥିଲା।

