କଳଙ୍କିନୀ
କଳଙ୍କିନୀ
ମୁଁ ଅନୁଭବ । ସେଦିନ କେତେ ଖୁସିରେ ଡାକିଆଣିଥିଲି ତାକୁ ମୋ ସାଙ୍ଗରେ । ସେ ବି ମନା କରୁଥିଲା ,ହେଲେ ମୋର ଦୃଢ ବିଶ୍ବାସ ଥିଲା ମୋ ନିଷ୍ପତି ମୋ ଘରେ ମାନିନେବେ ବୋଲି । କିନ୍ତୁ ମୋ କଥା ଶୁଣୁ ଶୁଣୁ ଗର୍ଜି ଉଠିଥିଲା ମୋ ମା
-କ'ଣ କହିଲୁ ......ତା ପରି ଗୋଟେ କଳଙ୍କିନୀକୁ ମୁଁ ମୋ ଘରର ବୋହୁ କରିବି । ତୋ ମୁଣ୍ଡ ଠିକ ଅଛି ତ?
-ମା ମୋ କଥା ତ ଟିକେ ଶୁଣ ।
-ମୋର କିଛି ଶୁଣିବାର ନାହିଁ । ମୋ କଥା ମନେ ରଖ ତାକୁ କେବେ ବି ମୋ ଘର ଏରୁଣ୍ଡି ପାଖକୁ ସୁଦ୍ଧା ଆଣିବୁନି । କଳଙ୍କିନୀ କୋଉଠିକାର ।
-ହେଲେ ମା ସେ ବିଚାରୀ ତ ଜନ୍ମରୁ ଅନାଥ । ତାଛଡା ତା ସହ ଯାହା କିଛି ହେଲା ସେଥିରେ ତାର ବା ଦୋଷ କ'ଣ?
-ତୋର ତା ପ୍ରତି ଏତେ ଦରଦ କାହିଁକି ଯେ?ଏତେ ବଡ ଡାକ୍ତର ହେଇଛୁ । ତୋତେ କଣ ଝିଅ ଅଭାବ ହେଇଛନ୍ତି ।
-ହେଲେ ମା ........ଗୋଟେ କଥା କହ.....ଯେତେବେଳେ ସେ ଝିଅକୁ ମୁଁ ଚିକିତ୍ସା କରି ମୃତ୍ଯୁ ମୁଖରୁ ବଞ୍ଚେଇଥିବାରୁ ମୋତେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଥିଲା,ସେତେବେଳେ ତ ତା ପ୍ରତି ତୋ ଭାରୀ ଦରଦ ଥିଲା । ଏବେ କଣ ହେଲା?
-ମୁଁ ସେ ସବୁ ଜାଣେନି । ଗୋଟେ କଥା ମନେ ରଖ ତାକୁ ଯଦି ଘରକୁ ଆଣିବୁ ତେବେ ମୋ ମଲା ମୁହଁ ଦେଖିବୁ ।
ମା ସହିତ ମୁଁ ଆଉ ବେକାର ଯୁକ୍ତି ନ କରି ବାହାରକୁ ଚାଲିଆସିଲି ।
ଦେଖିଲି ଯେ ଏତିକି ଶୁଣିକି ସେ ବିଚାରି ମୋତେ କିଛି ନ କହି ଚାଲିଯାଉଛି । ତାକୁ ପଛରୁ ଡାକିଲି । ସେ ଶୁଣିଥିବ ନିଃଶ୍ଚୟ ହେଲେ ନଶୁଣିଲା ପରି ଆଗେଇ ଚାଲିଥିଲା । ତାକୁ ଧରିବାକୁ ଦୋଡିବାକୁ ଆରମ୍ଭ କଲି ଏତିକି ବେଳକୁ ବାପା ପଛରୁ ଡାକ ଦେଲେ ଅନୁ ......ତୋ ମା ...........କୁ ଦେଖ......... । ଫେରି ଆସିଲି ସେଇଠୁ ।
ସତ କହିଲେ ମୁଁ ନିଜକୁ କ୍ଷମା କରିପାରିନି ଆଜି ପର୍ଯ୍ଯନ୍ତ ।
ଆଜି ମୁଁ ବିବାହିତ । ଦୁଇଟି କନ୍ଯା ସନ୍ତାନର ଜନକ । ସ୍ତ୍ରୀ ମୋର ରାତି ବିତାଏ ତାର ପୁରୁଷ ବନ୍ଧୁଙ୍କ ସହିତ । ମୁଁ ଜାଣେ କିନ୍ତୁ କିଛି କହିପାରେନି । କାରଣ ଗୋଟେ ଦୁର୍ଘଟଣାରେ ମୁଁ ମୋର ପୁରୁଷତ୍ବ ହରାଇଛି । ତେଣୁ ଆଜି ଯେବେ ମୋ ସ୍ତ୍ରୀ ସାବିତ୍ରୀ ବ୍ରତ କରେ,ତାହାକୁ ଦେଖିଲେ ମୋତେ ନାରୀ ମାନଙ୍କର ସତୀତ୍ବ ଉପରେ ସନ୍ଦେହ ହୁଏ ।
ବେଳେବେଳେ କାନ୍ଥରେ ଟଙ୍ଗା ହେଇଥିବା ମୋ ମା'ର ଫଟୋଟା ଦେଖିଲେ ଭାବେ ଯେ-ଯିଏ ନିଜ ଇଚ୍ଛାରେ ନିଜକୁ ସ୍ବାମୀ ଥାଉଥାଉ ଅନ୍ଯପୁରୁଷ ପାଖେ ସମର୍ପି ଦିଏ,ସେ ସତୀ । ଆଉ ଯେ ନିଜର ଅନିଚ୍ଛା ସତ୍ତ୍ବେ ବଳାତ୍କାର ର ଶିକାର ହୁଏ ସେ କଳଙ୍କିନୀ?
ଇଚ୍ଛା ହୁଏ ବେଳେ ବେଳେ ସୁଇସାଇଡ କରି ଦିଅନ୍ତି । ହେଲେ କୁନି କୁନି ଛୁଆ ଦି ଟା ଙ୍କ ମୁଁହ ଦେଖି ବଞ୍ଚିବାକୁ ବାଧ୍ଯ ହୁଏ ।
