କ୍ଳାନ୍ତ ଅପରାହ୍ଣ
କ୍ଳାନ୍ତ ଅପରାହ୍ଣ
ପ୍ରଥମ ପ୍ରେମର ପରଶ ଭୁଲିହୁଏନା। ସୁଦୂର କେନ୍ଦ୍ରାପଡାର ସଙ୍ଗୀତା ସହ ଦେଖା ହୋଇଥିଲା ଅମରେନ୍ଦ୍ରର ଗଜପତି କଲେଜ ଉସ୍ଛବରେ। ଅମରେନ୍ଦ୍ର ମୂଖ୍ଯ ଅତିଥି ଓ ସଙ୍ଗୀତା ମଞ୍ଚପରିଚାଳିକା। ବୟସର ତାରତମ୍ୟକୁ ଭୁଲି ଭଲପାଇଥିଲେ ଦୁହେଁ ଦୁହିଁଙ୍କୁ। ତାପରେ ଚିରାଚରିତ ପ୍ରେମ ଓ ମିଳନ ପାର୍କର ନିଭୃତ କୋଣରେ, ପ୍ରେକ୍ଷାଳୟର କଣ ସିଟ୍ ରେ ଚିନାବାଦାମ ଖାଇବା ସମୟରେ ସଙ୍ଗୀତା କହୁଥିଲା ଏ...ଅମରେନ୍ଦ୍ର ! ଘରେ ବାହାହେବାକୁ ବାଧ୍ଯ କରୁଛନ୍ତି। ମୋର ଆନ୍ତରିକ ଇଚ୍ଛା ଚାକିରୀଖଣ୍ଡେ କଲେ ବାହାଘରକୁ ଏଡେଇ ଦେଇହୁଅନ୍ତା। ପାଠ ପଢାରେ ମନ ଲାଗୁନାହିଁ, ଏପଟେ ତମ ଛବି ମନମନ୍ଦିରରେ ଘର କରିସାରିଛି।
ଅମରେନ୍ଦ୍ର କହୁଥିଲା, ଜାଣେ ସଙ୍ଗୀତା, ଭଲପାଇବା କାହା ହାତରେ ନଥାଏ। କେମିତି କେଉଁ ପରିସ୍ଥିତିରେ ପ୍ରେମ ହୋଇଗଲା ଜଣାନାହିଁ। ତମେ ସିନା ଅନ୍ଧପରି ପ୍ରେମ କରିଗଲ ହେଲେ ମୁଁ ଅଭିଜ୍ଞ ବ୍ୟକ୍ତିଟିଏ ହୋଇ ପ୍ରେମର ତରୀକୁ ଆଗକୁ ନେବାରେ ଇନ୍ଧନ ଦେଲି। ମୋର ବୁଝିବାର ଥିଲା ଆମେ ବୈବାହିକ ଜୀବନ ଯାପନର ସ୍ଵିକୃତି ନା ସମାଜ ଦେବ ନା ଦେବ ତମ ରକ୍ଷଣଶୀଳ ପରିବାର। କ୍ଳାନ୍ତ ଅପରାହ୍ଣର ତୃଷାର୍ତ୍ତ ପଥିକଟିଏ ପରି ମୁଁ ବି ସେହି ପ୍ରେମର କଣ୍ଟକିତ ଶରଶଯ୍ୟାରେ ଆଜି ପିତାମହଙ୍କ ପରି ଶଯ୍ୟାଶାୟୀ।
ସଙ୍ଗୀତା କହୁଥିଲା ପ୍ରେମ ବିଶ୍ବାସର, ଭରସାର, ବୟସର ନୁହେଁ। ତମେ କିଛି କର ଅମରେନ୍ଦ୍ର। ତମେ ପାରିବ। ମୁଁ ଆଜିକାଲିର ଝିଅ। କ୍ଷଣିକ ଉତ୍ତେଜନାରେ ମୁଁ ଚାହିଁଥିଲି ମହେନ୍ଦ୍ରତନୟାର ବାଲିପଠାରେ ଏକାନ୍ତ ମିଳନ, ଗଣ୍ଡାହାତିର ଶୂନଶାନ ପାର୍କରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତ।
କିନ୍ତୁ ଅମରେନ୍ଦ୍ର ତମେ.....!
ରାସ୍ତା ଦେଖାଇ ମନାକରି ବୁଝେଇ ଦେଇଥିଲ, ପ୍ରେମ ନୁହେଁ କ୍ଷଣିକ ଉତ୍ତେଜନା, ପ୍ରେମ ନୁହେଁ କାମର ଉନ୍ମାଦନା। ପ୍ରେମ ନୁହେଁ ପଙ୍କିଳ ପୁଷ୍କରିଣୀ।
ଏଇ ମାର୍ଗଦର୍ଶନ ହିଁ ମୋ ମନକୁ ଦୃଢ କରିବା ସହ ତମକୁ ଭକ୍ତି କରିବାକୁ ବାଧ୍ଯ କରୁଛି।
ଅମରେନ୍ଦ୍ର ସଙ୍ଗୀତା ଆଖିରୁ ଲୁହ ପୋଛୁ ପୋଛୁ କହୁଥିଲା, ଆରେ ଗୋବିନ୍ଦାର ହାସ୍ୟରସାତ୍ମକ ଚରିତ୍ରରେ ବି ତମ ଆଖିରେ ଲୁହ !
ମୋବାଇଲ ମେସେଜ ଦେଖାଇ ସଙ୍ଗୀତା କହୁଥିଲା ମୋ ବାହାଘର ସ୍ଥିର ହୋଇସାରିଛି। ପ୍ରେକ୍ଷାଳୟରୁ ବାହାରି ଆସିବା ସମୟରେ ଅମରେନ୍ଦ୍ର କହୁଥିଲା, ' ବିଧିର ବିଧାନ କେ କରିବ ଆନ। ' ବାପାମାଆଙ୍କ ପ୍ରସ୍ତାବରେ ରାଜିହୋଇ ବାହାହୋଇଯାଅ। ତମ ବାହାଘରରେ ମୁଁ ତମ ପାଖରେ ଥିବି। ପ୍ରେମର ବିଭିନ୍ନ ପରିଚୟ।
ତମର ସୁନ୍ଦର ସଂସାର ଓ ତମ ଆଖିରେ ଚେନାଏ ହସ ଦେଖିଲେ ମୁଁ ଭାବିବି ଆମ ପ୍ରେମ ସାର୍ଥକ ହୋଇଗଲା।
ମୁଁ ତ କ୍ଳାନ୍ତ ଅପରାହ୍ଣର ଛାଇ ଖୋଜୁଥିବା ପଥିକଟିଏ। ନା ତମ ଜୀବନରେ ଶୀତଳ ଜ୍ୟୋତ୍ସ୍ନା ହୋଇପାରିବି ନା ମନ୍ଦ ମଳୟ। ଆମ ପ୍ରେମକୁ ତମ ପରିବାର ଭିତରେ ଦେଖିବାର ଚେଷ୍ଟାକରି ଆଗକୁ ବଢିଯାଅ।
ହାତ ଛାଡିଦେଇ ଅଲଗା ହୋଇଗଲେ ସଙ୍ଗୀତା ଓ ଅମରେନ୍ଦ୍ର। ଫେରିଫେରି ଚାହୁଁଥିଲେ ଦୁହେଁ।
***
କେନ୍ଦ୍ରାପଡାର ସୁସଜ୍ଜିତ ହୋଟେଲରେ ଆଜି ସଙ୍ଗୀତାର ବାହାଘର। ସେଇଠି ଗୋଟିଏ କୋଠରୀରେ ଧିମା ଆଲୋକରେ ଶୋଇଶୋଇ ଭାବୁଛି ଅମରେନ୍ଦ୍ର।
ସଙ୍ଗୀତା...ଏ ସଙ୍ଗୀତା....!
ସେଇ ଦୁର୍ବଳ ମୁହୂର୍ତ୍ତରେ ତମେ ମୋତେ କହୁଥିଲ ନା ଭଲପାଇବା ଓ ବିବାହ କରିବା କୋଟିକରେ ଗୋଟିଏ। ମୁଁ ତୁମ ପାଟିରେ ହାତ ରଖି ନଟଖଟିଆ ଢଙ୍ଗରେ କହୁଥିଲି,ଏ ସଙ୍ଗିନୀ ସେମିତି କୁହନି ତମେ କହୁଥିଲ ଓଃ ଅବୁଝା ପ୍ରାଣପ୍ରତିମ ପ୍ରିୟତମ ଟିକେ ତ ଶୁଣ ମୋ କଥା।ତୁମେ ତୁମ ସଂସାରକୁ ନେଇ ଥିବ ଦୂରରେ।ଆଉ ମୁଁ ଅବଳା,ଦୁର୍ବଳା ଏହି କିଛି ଅନ୍ରରଙ୍ଗ ମୁହୂର୍ତ୍ତ ଓ ତୁମର ନଟଖଟିଆ ମିଠା ମିଠା ସ୍ପର୍ଶକୁ ମନେ ପକାଇ କହୁଥିବି;
ହେ ମୋର ଦୂର ସୁଦୂରର ନିଷ୍ଠୁର ଶତ୍ରୁ! ସାରା ଜୀବନ କଅଣ ମୁଁ ଏହିପରି ତୁମର ସ୍ମୃତିର କଣ୍ଟକିତ ଶରଶଯ୍ୟାରେ ଶୋଇଥିବି; ମୁହଁରେ ହସ ଫୁଟାଉଥିଲେ ବି ହୃଦୟ ଭିତରେ ଅହରହ ଜଳୁଥିବି? ମୁଁ ଏମିତି କି ପାପ କରିଥିଲି ଯେ ତୁମକୁ ପାଇ ମଧ୍ୟ ପାଇଲି ନାହିଁ ; ଛାଡି ମଧ୍ୟ ଛାଡିପାରୁ ନାହିଁ??
ହଠାତ୍ ପଶିଆସିଲା ସଙ୍ଗୀତା କହୁଥିଲା,
ଜାଣିଛ ଅମରେନ୍ଦ୍ର,ମୋ ପାଟିରେ ତାଲା, ହାତରେ ବିବାହ ବନ୍ଧନର ବେଡି,ହେଉପଛେ ମଦ୍ୟପ ରୋଗିଣା। କିନ୍ତୁ ବିଶ୍ୱାସ କର ତୁମକୁ ମୁଁ କୈାଣସି ଦିନ ଭୁଲି ନାହିଁ ଭୁଲି ପାରିବି ନାହିଁ।ତା ନହୋଇଥିଲେ ଏତେ ବର୍ଷର ବ୍ୟବଧାନରେ ତମ ପ୍ରେମ ! ମୋର ସଂସାର ବିରାଟ ଦ୍ରୁମ ସଦୃଶ ହେଲାପରେ ବି ତୁମକୁ ନେଇ ଏ ନିଷିଦ୍ଧ ପୃଥିବୀର କାବ୍ୟ ରଚନା କରୁଥାଆନ୍ତି ?? ଏହାକୁ ହିଁ କୁହାଯାଏ ନିୟତି,ନା ?
ତୁମର ଟିକିଏ ଅନୁକମ୍ପା ରେଣୁଏ ସ୍ନେହ ମୋ ଜୀବନର ଏକାନ୍ତ କାମ୍ୟ।ବେଶୀ କିଛି ମୋର ଲୋଡ଼ା ନାହିଁ।ତୁମ କଥା ଭାବି ଅଶ୍ରୁ ଢାଳିବାରେ ଯେଉଁ ଆନନ୍ଦସେ ଆନନ୍ଦ ଧନର କୁବେର ପୁରୀରେ କ'ଣ ମିଳିବ ?
ଅମରେନ୍ଦ୍ର ବିବ୍ରତ ହୋଇ କହିଉଠିଲା ଏ ସଙ୍ଗୀତା...,ମୋ ପ୍ରେୟସୀ,ପ୍ରିୟତମା ! ଏ ସୁନ୍ଦର, ଅନ୍ତରଙ୍ଗ ମୁହୂର୍ତ୍ତରେ ସ୍ୱାମୀର ବାହୁ ବନ୍ଧନରେ ଜୀବନର ଆନନ୍ଦ ସାଉଁଟିବା ପରିବର୍ତ୍ତେ ଦାର୍ଶନିକ ଆରିଷ୍ଟୋଟାଲ ପରି କ'ଣ ସବୁ ଗପି ଯାଉଛ ଯେ?
କିନ୍ତୁ ଅମରେନ୍ଦ୍ର......
ଗୋଟିଏ ଅନୁରୋଧ ଶେଷ ମିଳନର।ଭାଗ୍ୟ ନିର୍ଦ୍ଧାରଣ ଭଗବାନଙ୍କ ହାତରେ। ଧନାଢ୍ୟ ବ୍ୟକ୍ତି ସହ ମୋର ବାହାଘର। ସବୁ ବାପଙ୍କ ପରି ମୋ ବାପ ବି ତା କର୍ତ୍ତବ୍ୟ କରିସାରିଛି, ଚିରାଚରିତ ସମାଜର ନୀତି ଅନୁସାରେ"କନ୍ୟାଦାନ ମହାପୂଣ୍ୟ ଦେଲା ନାରୀ,ହେଲା ପାରି" । ନିୟତିକୁ କେହି ବଦଳାଇପାରେନା ଅମରେନ୍ଦ୍ର!!
ତମେ ରାଜାଘର ପୁଅ ମୁଁ ରଙ୍କ ଘର ଝିଅ? ତମେ ଚାନ୍ଦ ମୁଁ ଚକୋରୀ।ଚମକି ଉଠିଲି ମୁଁ।ଶରୀର କମ୍ପୁଥିଲା ଭୟରେ ବ୍ୟସ୍ତରେ କି ଦୁଃଖରେ ଆଜି ବି ବୁଝିପାରିନଥିଲା ସେ ମନସ୍ତତ୍ତ୍ୱ ଅମରେନ୍ଦ୍ର !
ସଙ୍ଗୀତା... ଏ ସଙ୍ଗୀତା..!
ପୁଣି କହି ଉଠିଲ! ହେ ମୋର ପ୍ରଥମ ପ୍ରେମ, ମୋତେ ଏତିକି ଅନୁକମ୍ପା କରିବ ମୋ ମୁଖରେ ମୁଖାଗ୍ନି ତମେ ହିଁ ଦେବ।
ସଙ୍ଗୀତା..ଏ ସଙ୍ଗୀତା..!
ଏସବୁ କ'ଣ କହୁଛ ? ତମ ପତି, ତମ ବାହାଘର।
ତମେ ଆଉ କିଛି ଶୁଣିଲନି ସଙ୍ଗୀତା।କାରଣ.. ତମେ ଉଠି ଦୈାଡି ଚାଲିଆସିଥିଲ ମୋ ପାଖକୁ। ବୋଧେ ଖୁବ୍ କାନ୍ଦୁଥିଲ। ବାହାବେଦୀରେ ମଦ୍ୟପ ସ୍ୱାମୀ ସହ ମୋର ତୁଳନା କରୁଥିଲ। ଏତେ ଭୟାଳୁ ସଂସ୍କାରୀ ଝିଅଟା କନ୍ୟା ବେଶରେ ବାହାବେଦୀରୁ ଉଠି ମୋ ପାଖରେ !
ସଙ୍ଗୀତା ଅମରେନ୍ଦ୍ରକୁ ଜାବୁଡିଧରି କହୁଥିଲା, ସବୁ ଛାଡି ଚାଲିଆସିଛି। ତମେ ସବୁବେଳେ ବୟସର ଦ୍ୱାହି ଦେଇ କୁହ ନା ଅମରେନ୍ଦ୍ର, ତମେ କ୍ଳାନ୍ତ ଅପରାହ୍ଣ।
କିନ୍ତୁ ଏ ସଙ୍ଗୀତା ଆଜି ପାଟିକରି ଛାତିଫୁଲେଇ କହୁଛି ଏମିତି ମଦ୍ୟପ ଯୁବ ଭାବି ସ୍ୱାମୀ ଗୁଡିକ ମରୁଭୂମିର ଉତ୍ତପ୍ତ ବାଲୁକାରାଶୀ। ଆଉ ଏଇ କ୍ଳାନ୍ତ ଅପରାହ୍ଣର ଅମରେନ୍ଦ୍ର ଗୁଡାକ ଝଲମଲ ସ୍ଥିର ବିଦ୍ୟୁତ।
ଅହରହ କଡ଼ ଲେଉଟାଇ ଅଲୋଡା ଯୁବତୀ ପରି ସ୍ୱପ୍ନ ଦେଖୁଥିବା ଦେଶ ଆଜି ନିରବୀ ଯାଇଛି। ନିଶାର୍ଦ୍ଧରେ ବିବେକକୁ ହତ୍ୟାକରି,ନାରୀଟିକୁ ଭୁଲୁଣ୍ଠିତାକରି ସକାଳୁ ସୁନ୍ଦର ସ୍ନାନ ସାରି ତିଳକ ଲଗାଇ ବାହାରେ ଘୁରି ବୁଲୁଥିବା ବ୍ୟକ୍ତିତ୍ୱ ଗୁଡିକ ବି ଆଜିର ଏହି ପରିପ୍ରେକ୍ଷୀରେ ସେଥିରୁ ନିବ୍ରୁତ୍ତ।
ସଙ୍ଗୀତା..ଏ ସଙ୍ଗୀତା.!!
ତୁମେ ଆଦର୍ଶ ପ୍ରେମିକା !
ହାତ ହଲେଇ ଦେଇ ସଙ୍ଗୀତା କହୁଥିଲା, ହଇହୋ ! ଚାହା ନିଅ। ଏତେ ପାଟିରେ ସେତେବେଳୁ କ'ଣ ସବୁ ଗପିଯାଉଛ।
ହସିହସି ସଙ୍ଗୀତାକୁ କୋଳେଇ ନେଉ ନେଉ ଅମରେନ୍ଦ୍ର ଗାଉଥିଲା ;
ଉଡିଗଲେ ଗେଣ୍ଡାଳିଆ ଝାଡିଦେଇ ପର,
ଜେମାଦେଇ କାନ୍ଦୁଛନ୍ତି ଦେଖି ବୁଢାବର।
ସଙ୍ଗୀତା ହସିହସି କହୁଥିଲା, ଜୀବନ ଗୋଟିଏ ଶିକ୍ଷା ଦେଲା ପ୍ରେମ ବୟସର ମାପକାଠି ନୁହଁ। ଉତ୍ତପ୍ତ ମଧ୍ୟାହ୍ନ ଠାରୁ ଶାନ୍ତ, କ୍ଳାନ୍ତ ଅପରାହ୍ଣ ଅତି ମନୋରମ।
ହସୁଥିଲେ ଦୁହେଁ। ସଙ୍ଗୀତା କହୁଥିଲା, ଓଃ ମୋ କ୍ଳାନ୍ତ ଅପରାହ୍ଣ ସ୍ୱପ୍ନ ଦେଖୁଥିଲେ !!

