କହ୍ନେଇ
କହ୍ନେଇ
କହ୍ନେଇ ପାଖରୁ ଆସି କହ୍ନେଇକି ଛାଡି କହ୍ନେଇଙ୍କ ବିଗ୍ରହ ପାଖରେ ସାଷ୍ଟାଙ୍ଗ ପ୍ରଣିପାତ କଲି, ଲୁହ ଗୁଡା କିଏ ଦେଖିନେବ କାଳେ ବୋଲି ଓଢଣା ଟା ମୁହଁ ଯାଏ ଘୋଡାଇ ଦେଇଥିଲି ଆଉ କେତେ କଣ କହିଯାଉଥିଲି କହ୍ନେଇଙ୍କୁ ଅଭିମାନରେ, ଅରମାନ ମେଣ୍ଟିଗଲା ଯାଏଁ, ହେଲେ ସେତ ପଥର, ଆଉ ମୁଁ କୋଉ ଭକ୍ତ ରେ ବା ଗଣା !
କହ୍ନେଇ ପରି ଜୋଇଁ ଦେଇଛ ହେ ପ୍ରଭୁ, ହେଲେ ଓଡିଶା ଭିତରେ ଥାଇ ବି କେତେ ଦୂର,ନାତୁଣୀ ଜନ୍ମଦିନ ପାଇଁ ମୋ କହ୍ନେଇ ଆସି ନେଇଯାଇଥିଲେ ଯେ ରହିପାରିଲି ନାହିଁ, ଖବର ପହଁଚିଲା, କହ୍ନେଇ ପରା ପୁଅ ମୋର ବିଦେଶ ଯିବ, କେତେକଷ୍ଟରେ କହ୍ନେଇଙ୍କୁ ଡାକି ଡାକି ମୋ କୋଳର କହ୍ନେଇ ଏଇ ଏଇ ବିଦେଶରୁ ଆସିଥିଲା ରାଜଧାନୀ ଯେ ଟିକେ ଭଲମନ୍ଦ ବୁଝୁଥିଲା ମୋର, ଦେଖିପାରୁଥିଲି କହ୍ନେଇକି ମୋର, ପୁଣି ଯିବ ବିଦେଶ, ତାକୁ ଷ୍ଟେସନ ରେ ଛାଡି ସିଧା କହ୍ନେଇଙ୍କ ମନ୍ଦିରରେ ପଶି କହ୍ନେଇଙ୍କ କଳା କମନୀୟ ମୁଗୁନି ପଥର ମୂର୍ତ୍ତୀଙ୍କ ଗୋଡ଼ ତଳେ ପଡିଛନ୍ତି ଯେ ଉଠିବାର ନାମ ଧରୁନାହାନ୍ତି, କଣ ଭାବିଲେ ନନା, ମାଆ ତୁଳସୀ ନିଅ କହି ଡାକିଦେଲେ, କଲବଲରେ ଓଢଣା ଭିତରେ ଲୁହ ପୋଛି ଠିଆ ହେଲି ହେଲେ ନନାଙ୍କ ଆଖିକୁ ଫାଙ୍କି ପାରୁଛି କୁଆଡୁ? କହିଲେ ମନଦୁଃଖ କରନାହିଁ ମାଆ, କହ୍ନେଇଙ୍କୁ ଭରସା କରିଛ ଯେତେବେଳେ ସେ ହିଁ ସବୁ ଠିକଠାକ କରିଦେବେ, ଅବଶ ପାଦ ଘୋସାରୀ ଘରେ ପହଂଚୁ ପହଂଚୁ ମୋ କହ୍ନେଇର ଫୋନ, କେମିତି ପହଂଚିଲୁ ମାଆ, ପଚାରୁଥିଲା ତ, ତୋ ବିନା ମୁଁ ଆଉ ତୋ ବାପା କେମିତି ରହିବୁରେ କହ୍ନେଇ କହିବାରେ, ହସୁଥିଲା, କହୁଥିଲା ବ୍ୟସ୍ତ କାହିଁ ହେଉଛୁ ଚେଷ୍ଟା କରି ବର୍ଷେ ଭିତରେ ପୁଣି ଫେରିଆସିବିନି ରାଜଧାନୀ, ତୁ ଆଉ ଲେଖା ଲେଖି କରୁନୁ କି ମାଆ, ଆରେ ଛାଡ଼ ସେ ଲେଖାଲେଖି, ଖତ ଖାଉଛି ସବୁ, କୋଉ ପ୍ରକାଶିତ ହୋଇପାରୁଛି ନା କଣ, ତଥାପି ତୁ ଲେଖିଚାଲେ ମାଆ କହୁଥିଲା ମୋ କହ୍ନେଇ ତ କାମଦାମ ରେ ମନଲଗାଇ, ସଞ୍ଜ ହେଳାଣି ଜଣା ନାହିଁ ଫୋନ ବାଜୁଛି କହ୍ନେଇ ମୋର ଫୋନ କରୁଛି ବୋଧେ ଭାବି ଦଉଡିଯାଇ ଫୋନ ରିସିଭ କଲି l
ସେପଟରୁ ଅ -ପତ୍ରିକା ର ସମ୍ପାଦକ ମୋ ଲିଖିତ ଗଳ୍ପ ଟିଏ ର ତାରିଫ କରି ଆଉ ଲେଖା ମାଗୁଥିଲେ ତ ମୁଁ ଆଜ୍ଞା କହିବାରେ, ବିଚଳିତ ହୋଇ ଅନୁରୋଧ କରି କହିଲେ ମୁଁ ଆପଣଙ୍କ ପୁଅ ପରି ଆଜ୍ଞା ମତେ, ଆଜ୍ଞା ଆପଣ କୁହନ୍ତୁ ନାହିଁ,ଜୀବନ ରେ ପ୍ରଥମ ଥର ଖୁସିରେ ବିହ୍ୱଳିତ ହୋଇ କହୁ କହୁ କହିଦେଲି ହଁ ହଁ କାହିଁକି ନୁହଁ, ତୁମେ ତ ମୋ କହ୍ନେଇ, ସେ ସେପଟୁ ପ୍ରଶ୍ନବାଚି ସୂଚକ ଅଜ୍ଞା? କହୁଥିଲେ ତ ମୁଁ କହୁଥିଲି ନା ନା ପୁଅ ତୁମ ନାମ ଜାଣିନି ତ କହ୍ନେଇ ବୋଲି କହିଦେଲି, ଖରାପ ଭାବିବନି, ସେପଟୁ ସେଇ କହ୍ନେଇ କହୁଥିଲେ ନାଇଁ ନାଇଁ ମୋର କି ଭାଗ୍ୟ, ଆଉ ସେ ତାଙ୍କ ନାମ ଜଣାଉଥିଲେ ତ ମୁଁ କହ୍ନେଇଙ୍କ ପାଖେ ଦୀପ ଲଗାଇବାକୁ ଦୌଡୁଥିଲି ରୀତିମତ l
