ଖିଆଲି ମଣିଷ ର ପ୍ରେମ
ଖିଆଲି ମଣିଷ ର ପ୍ରେମ
ଜ୍ୟୋତ୍ସ୍ନା ର ଗୋଲାପ ପାଖୁଡା ନରମ ଓଠ ର ମଧୂଝରା ଦୁଷ୍ଟାମି ନ ଉଦିତ ହେବା ଯାଏଁ ଶେଖରର ଦିନ ଯେମିତି ଆରମ୍ଭ ହୁଏନି । ଆଉ ସବୁଥର ପରି ଏଥରକ ବି ଜ୍ୟୋତ୍ସ୍ନା ଅସଜଡା ଶେଜ , ଇତସ୍ତତଃ ମେଘମାଳା କେଶ , ଅସଂଜତ ଶରୀର ସଜାଡୁ ସଜାଡୁ ରକ୍ତିମ ଅଧର ରେ ଫାଳେ ହସ ଫିଙ୍ଗି ଦେଇ କହିଲା ,-"ଯାଅ ମ..
ମୁଁ ଦେଖୁଛି ଦିନ କୁ ଦିନ ତୁମ ପ୍ରେମ ,ତୁମ ହୃଦୟ ପିଲାଳିଆମି କରି ବସୁଛି .."
-"ହଁ..କରନ୍ତାନି କି..ୟେ ଦିଲ୍ ତୋ ବଚ୍ଚା ହେ ଜୀ .."
ଏତକ କହି ପୁନର୍ବାର ଶେଖର ନିବିଡ ଭାବରେ ଜ୍ୟୋତ୍ସ୍ନାକୁ ନିଜ ବାହୁ ବନ୍ଧନରେ ଜାବୁଡି ଧରି ଶ୍ୱେତ ନାରଙ୍ଗୀ ଶତଦଳ ପାଖୁଡା ଗଣ୍ଡରେ ଗାଢ ଚୁମ୍ବନଟିଏ ଆଙ୍କିଦେଲା । ସତେ କି ଆକାଶର ଅନିଚ୍ଛା ସତ୍ତ୍ବେ ଉଲଗ୍ନା ଉଲକା ଖଣ୍ଡେ ଖସିଗଲା ବନ୍ଦ କୋଠରୀର ଅର୍ଦ୍ଧ ନଗ୍ନ ଜ୍ୟୋତ୍ସ୍ନାର ସାରା ଶରୀରରେ । ସେ ରୋମାଞ୍ଚିତ ହୋଇ ଉଠୁ ଉଠୁ କହିଲ-"ଶେଖର ,ଆମ ଲିଭ୍ ଇନ୍ ରିଲେସନ୍ସକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ତୁମେ କେବେ ମୋତେ ବିବାହ କରିବାକୁ ଇଚ୍ଛା କରୁନ..ତେବେ କଣ ତୁମେ ଏ ସମ୍ପର୍କକୁ ଭିନ୍ନ ଏକ ନାଁ ଦେବାକୁ ଚାହୁଁଛ ?
- ଆରେ କିଏ କହିଲା ଆମ ସମ୍ପର୍କର ଭିନ୍ନ ଏକ ନାମ ଦିଆଯାଇପାରେ ? ଆଛା କହିଲ ,ତୁମକୁ ମୋର ସବୁଦିନିଆ ପ୍ରେମ ଦରକାର ନା ଏଇ ଦିନିକିଆ ?
- ଇଏ କେମିତିକା ପ୍ରଶ୍ନ ?
- ଆରେ କୁହନା, ପ୍ଲିଜ୍..
- କେବଳ ମୁଁ ନୁହେଁ ଦୁନିଆର ସମସ୍ତ ଝିଅ ତାଙ୍କ ମନର ମଣିଷ ପାଖରୁ ସାରା ଜୀବନର ଭଲପାଇବା ହିଁ ଚାହାଁନ୍ତି .. ଆଉ ମୁଁ ବି ଚାହୁଁଛି ।
- ତେବେ ତ ମୁଁ ସେ ସୁଖରୁ ତୁମକୁ ବଞ୍ଚିତ କରିବା ହିଁ ଶ୍ରେୟସ୍କର ମଣିବି .. ଜ୍ୟୋତ୍ସ୍ନା , ତୁମେ ଭଲଭାବରେ ଜାଣିଛ ମୁଁ ଗୋଟିଏ ଖିଆଲି ମଣିଷ .. ମୋ ଭାବନା ,ମୋ କଳ୍ପନା ,ମୋ ପ୍ରେମ ,ମୋ ସ୍ୱପ୍ନ ସବୁ ମୋ ଜୀବନ
ପୁସ୍ତକରେ ଲେଖା ଯାଇଥିବା ଗୋଟିଏ ଗୋଟିଏ ଛନ୍ଦହୀନ କବିତା । ତାକୁ ତୁମେ ପଢିପାର । ଦଳି ମକଚି ହଜମ୍ ବି କରିପାର ହେଲେ ବୁଝିବା ଖୁବ୍ କଷ୍ଟକର । ମୁଁ କେତେବେଳେ କେଉଁ ଆକାଶର ସୂର୍ଯ୍ୟ ହେଇ ଯାଉଛି ତାହା ମଧ୍ୟ ମୋତେ ଅଜଣା । ଏ ଯାଯାବର ସ୍ୱପ୍ନ ବିଳାସୀ ମଣିଷଟିକୁ ତୁମେ କଣ କେବେ ତୁମ ପ୍ରେମ ପଣତରେ ବାନ୍ଧି ରଖିପାରିବ ?
ସେସବୁ ଭୁଲିଯାଅ ଜ୍ୟୋତ୍ସ୍ନା ! ଏମିତି ଆମେ ଖୁବ୍ ଖୁସିରେ ଅଛେ । ପାରିବ ତ ଆଉ କାହା ସହିତ ଖୁସିରେ ସଂସାର କରିନିଅ ।
- ଖୁସି...? ଶେଖର ତୁମେ କହି ପାରିବ ଖୁସି କ'ଣ ? ସିଏ କେଉଁ ଗଛର ଫଳ ? ତୁମେ ବୁଝି ପାରିବନି ଶେଖର ! ଜଣେ ମନର ମଣିଷ ପାଖରେ କୁମାରୀ ଜୀବନର ସର୍ବସ୍ଵ ସମର୍ପଣ କରି ସାରିବା ପରେ ଆଉ କଣ ବାକି ଅଛି ଯେ ତାକୁ ନେଇ ବଞ୍ଚିବି ?
- ସ୍ୱପ୍ନ ... ହଁ ଜ୍ୟୋତ୍ସ୍ନା ! ଯେମିତି ତୁମେ ଡ୍ୟୁଟି ଚାଲିଗଲା ପରେ ମୁଁ ସ୍ୱପ୍ନ ମାନଙ୍କ ସହିତ କଥା ହୁଏ,ଖେଳେ,ବସେ ଉଠେ ହସେ କାନ୍ଦେ ସବୁକିଛି ତ ସ୍ୱପ୍ନର ଅବଦାନ । ଯାହା କ୍ଷଣିକ ଜୀବନରେ ଅଫୁରନ୍ତ ସୁଖର ସମ୍ଭାର ଠିଆ କରିଦିଏ । ତୁମେ ସେଇ ସ୍ୱପ୍ନର ସାହାରାରେ ବଞ୍ଚିଯିବ..।
ସେଦିନ ସେଇ ଅସଜଡା କୋଠରୀ ଠିକ୍ ସେମିତି ଅସଜଡା ହେଇ ପଡିରହିଲା ଆଉ ଏକ ଅସଜଡା ସମ୍ପର୍କ ନେଇ ଜ୍ୟୋତ୍ସ୍ନା ଚାଲିଯାଇଥିଲା ଏକ ମୁହାଁ ହୋଇ । ତାପରଠୁ ସେ କେବେ ପଛକୁ ଫେରି ଚାହିଁନି ।
ୟା ଭିତରେ କେତେ ଯେ ଲୁହର ଶ୍ରାବଣ , କେତେ ରଙ୍ଗ ହୀନ ଫଗୁଣ , କେତେ ବିଦୀର୍ଣ୍ଣ ବସନ୍ତ ଚାଲି ଗଲାଣି ଜ୍ୟୋତ୍ସ୍ନାର ସ୍ମୃତି ମଲାଟ ଠିକ୍ ରେ ହିସାବ୍ ରଖିନି ।ସେଦିନ ହଠାତ୍ ଏମରଜେନ୍ସି କେସ୍ ଟିଏ ପାଇଁ ସମସ୍ତ ଡାକ୍ତରଙ୍କୁ ଅପରେସନ ଥିଏଟରକୁ ଡାକରା ଆସିଲା । ତରତର ହୋଇ ଓ:ଟି ରେ ଯାଇ ଜ୍ୟୋତ୍ସ୍ନା ଯାହା ଦେଖିଲା ତା ପାଦ ତଳୁ ମାଟି ଖସେଇଦେବା ପାଇଁ ବିଶେଷ ସମୟ ଲାଗିଲାନି । ହଁ..ଆପଣ ଯାହା କଳ୍ପନା କରୁଛନ୍ତି ଠିକ୍ ସେଇଆ ହିଁ ଘଟିଥିଲା । ଗୋଟିଏ ରୋଡ୍ ଆକ୍ସିଡେଣ୍ଟରେ ଶେଖର୍ ର ରକ୍ତ ଜୁଡୁବୁଡୁ ଶରୀରଟା ଷ୍ଟ୍ରେଚର ଉପରେ ଶୋଇଥାଏ । ଦରଦି ସ୍ୱପ୍ନ ବିଳାସୀ ଆଖି ଦୁଇଟା ବନ୍ଦ କରିବା ଆଗରୁ ଜ୍ୟୋତ୍ସ୍ନାର ପୋଟଳ ଚିରା ଢଳ ଢଳ ଆଖି ଦୁଇଟିରେ ଅସରାଏ ଶ୍ରାବଣ ବର୍ଷାର ଦଲକାଏ ଲୁଣି ପାଣିର ବନ୍ୟାକୁ ଆଣିଦେଇଗଲା । ଶେଖର୍ ବିରାମ ଦେଇଦେଲା ହରଦମ୍ ସ୍ୱପ୍ନ ଦେଖା ଆଖି ଦୁଇଟିକୁ । କିନ୍ତୁ ସେ ମୁଦ୍ରିତ ନୟନରେ ମଧ୍ୟ ଦେଖି ପାରୁଥିଲା ମେଡିକାଲ ନର୍ସ ମାନଙ୍କର ତୋଫା ଧୁବ ଫରଫର ଡ୍ରେସ ଭିତରେ ନିଜ ମର ଶରୀର ପାଇଁ ତୟାର ହେଉଥିବା କଫିନ ବକ୍ସ । ଜ୍ୟୋତ୍ସ୍ନାର ଆତ୍ମା ଆଉ ସମଗ୍ର ଶରୀର ସେଦିନ ସାବିତ୍ରୀର ସାଧନାରେ ବ୍ରତୀ ହୋଇ ଶେଖରର ଜୀବନ ଫେରାଇ ଆଣିବାକୁ ଯୋଗିନୀ ପାଲଟି ଯାଇଥିଲେ । କଇଁ କଇଁ କାନ୍ଦି ଜ୍ୟୋତ୍ସ୍ନା କହୁଥିଲା ,-" ତୁମକୁ କେତେଥର କହିଛି , ସ୍ୱପ୍ନ ସବୁ ବନ୍ଦ କୋଠରୀର ଚାରି କାନ୍ଥ ଭିତରେ ଡେଣା ଝାଡି ଉଡିଲେ ଭଲ ,ସେମାନେ ଯେତେବେଳେ ରଙ୍ଗୀନ ଦୁନିଆ ଦେଖନ୍ତି ତାଙ୍କ ପାଦ ଭୁଇଁରେ ଲାଗେନି ଆଉ ଭୁଇଁ ରୁ ପାଦ ଛାଡି ଉଡୁଥିବା ସ୍ୱପ୍ନ ମାନେ ଏମିତି ଅବେଳରେ ଝୁଣ୍ଟି ପଡନ୍ତି "ହେଲେ ତୁମେ କଣ ସେତକ ବୁଝିବ ?"
ହୁଏତ ଜ୍ୟୋତ୍ସ୍ନା ଆଗରୁ ହିଁ ସାବିତ୍ରୀ ଥିଲା । କିନ୍ତୁ ଶେଖର ସତ୍ୟବାନ୍ ନଥିଲା । ଦୀର୍ଘ ଅଠର ଘଣ୍ଟାର ବ୍ୟବଧାନ ପରେ ଶେଖର ଆଖି ଖୋଲି ଦେଖେ ତ ଝର୍କା ସେପାଖ କଅଁଳ ସୂର୍ଯ୍ୟ କିରଣରେ ରାତିର ସ୍ୱପ୍ନ ସବୁ ଡେଣା ଝାଡି ଅଳସ ଭାଙ୍ଗୁଥିଲେ । ଆଉ ସେ ଫେରୁଥିଲା ସ୍ୱପ୍ନ ଦୁନିଆରୁ ଏଇ ବାସ୍ତବ ଦୁନିଆକୁ ।
