କାଠୁରିଆ
କାଠୁରିଆ
ଅନେକ ବର୍ଷ ତଳର କଥା l ଜଣେ କାଠୁରିଆ ନିଜ ଗାଁ ପାଖ ଜଙ୍ଗଲରୁ କାଠ ହାଣି ନିଜ ପରିବାର ଚଳାନ୍ତି l ତାଙ୍କ ନା ଗୋବିନ୍ଦ l ଦିନେ ହଠାତ କାଠ ହାଣୁ ହାଣୁ ଗୋଟାଏ ସୁନା ମୁଣ୍ଡା ପାଇଲେ l ସେଇଟିକୁ ଘରକୁ ନଆଣି ଗୋଟିଏ ବର ଗଛ ମୂଳେ ପୋତିଦେଲେ l ସବୁଦିନେ ଜଙ୍ଗଲକୁ ଯାଇ ଗାତରୁ ସୁନା ମୁଣ୍ଡାଟିକୁ ବାହାର କରି ଦେଖନ୍ତି ଓ ପୁଣି ରଖିଦିଅନ୍ତି l ଏମିତି ପ୍ରାୟ ମାସେ ବିତିଗଲା l ଦିନେ ଦେଖିଲେ ହଠାତ ସୁନା ମୁଣ୍ଡାଟି ଗାଏବ ହୋଇ ଯାଇଛି l କାଠୁରିଆ କାନ୍ଦି କାନ୍ଦି ରାଜାଙ୍କ ପାଖରେ ପହଞ୍ଚି ନିଜର ଦୁଃଖ ଜଣାଇଲେ l ଚୋରି ହୋଇଥିବା ସୁନାମୁଣ୍ଡା ବିଷୟରେ ରାଜା ପଚାରି ବୁଝିଲେ l
ରାଜା କାଠୁରିଆଙ୍କୁ ଜେରା କଲେ, " ତୁମର କେଇଟି ପିଲାପିଲି ଆଉ ସେମାନଙ୍କ ବୟସ କେତେ? " କାଠୁରିଆ ଉତ୍ତର ଦେଲେ, " ଆଜ୍ଞା ମୋର ଦୁଇଟି ପିଲା l ଗୋଟିଏ ପୁଅ ପାଞ୍ଚ ବର୍ଷର ଓ ଝିଅଟି ଦୁଇ ବର୍ଷର"l ତୁମର କାଠ ବ୍ୟବସାୟ ଛଡ଼ା ଆଉ କଣ ରୋଜଗାର ବାଟ ଅଛି ", ରାଜା ପ୍ରଶ୍ନ କଲେ l କାଠୁରିଆ କହିଲେ,' ନାଇଁ ଆଜ୍ଞା l ଯେତିକି ଗଛ ହାଣେ ସବୁ କାଠ ଗୋଲାରେ ଦିଏ l ସେଥିରୁ ଯାହା ଆୟ ହୁଏ ଘର ଚଳାଏ l " ରାଜା ପଚାରିଲେ, " ତୁମେ ତୁମର ରୋଜଗାରରେ ଖୁସି କି?" ନା ଆଜ୍ଞା l ନିଜ ପୈତୃକ ଜାଗାରେ ଘର ଖଣ୍ଡେ ଅଛି l ଯେତିକି ରୋଜଗାର ହୁଏ ପିଲା ଓ ସ୍ତ୍ରୀଙ୍କ ଚାହିଦା ପୂରଣ କରିବାକୁ ନିଅଣ୍ଟ ହୁଏ l " ରାଜା ବୁଝାଇ କହିଲେ, " ଦେଖ ଗୋବିନ୍ଦ ଭଗବାନ ତୁମକୁ ଅଧିକ ଧନୀ କରିବାକୁ ସୁନା ମୁଣ୍ଡା ଦେଲେ l ତାକୁ ସବୁଦିନେ ଦେଖିବା ପାଇଁ ନୁହେଁ l ଆଉ ବି ତୁମର ପିଲାମାନେ ଛୋଟ l ସେମାନେ ବଡ଼ ହୋଇନାହାନ୍ତି l ଆଗତ ଚଢ଼େଇ କି ବେଶର ବଟା ପରି ତୁମର ବିଚାର l ଭବିଷ୍ୟତ କଥା ଭାବିବା ଉଚିତ ନଥିଲା l ବର୍ତ୍ତମାନ କଥା ଭାବିବାର ଥିଲା l ସୁନା ମୁଣ୍ଡାଟିକୁ ଭାଙ୍ଗି ଅଳ୍ପ ଅଳ୍ପ ବିକି ଅର୍ଥ ଜମା କରିବାର ଥିଲା ଯାହାକି ଭବିଷ୍ୟତରେ ପିଲା ଦୁଇଟିକୁ ମଣିଷ କରିବାରେ ଖର୍ଚ୍ଚ ହୋଇଥାନ୍ତା l ଜିନିଷକୁ ବ୍ୟବହାର କଲେ ତାର ମହତ୍ତ୍ୱ ଆସେ l ତୁମର ଖାଲି ଦେଖିବାକୁ ଯଦି ସଉକ ଥିଲା ତେବେ ପଥର ଖଣ୍ଡଟିଏ ରଖି ପ୍ରତି ଦିନ ଦେଖି ପାରିଥାନ୍ତ l ତୁମେ ବଡ଼ ଭୁଲ କରି ବସିଲ l ଠାଉରିଆ ଚୋର ତାକୁ ନେଇ ଉପଭୋଗ କଲା l ମନେରଖ ଆଜିଠୁଁ ଗୋବିନ୍ଦ, ଭବିଷ୍ୟତ ଅନିଶ୍ଚିତ l ଅତୀତରେ ଯାହା ଘଟିଛି ପୁଣି ଥରେ ଆଉ ଘଟିବନି l ତେଣୁ ବର୍ତ୍ତମାନ ଅବସ୍ଥାକୁ ସବୁବେଳେ ଭାବ l ସୁନାମୁଣ୍ଡାକୁ ଭୁଲିଯାଅ l ନିଜ କାମରେ ମନ ଦେଇ ପିଲାଙ୍କୁ ମଣିଷ କର l ଘରକୁ ଯାଅ l " ଗୋବିନ୍ଦ ନିଜ ଭୁଲ ବୁଝି ଅନୁତାପ କରି ଘରକୁ ଫେରି ଆସିଲେ l
ତାପରେ କାଠୁରିଆ ଗୋବିନ୍ଦ ଘରକୁ ଫେରି ନିଜ ମନକୁ ବୁଝେଇ କାଠ ହାଣିବା ଆରମ୍ଭ କଲେ l ନିଜ ଚେଷ୍ଟାରେ ଘର ହତା ଭିତରେ ସ୍ୱତନ୍ତ୍ର କାଠ ଗୋଲା ଗଢ଼ିଲେ l ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ବାଉଁଶ ପାତିଆ ରେ ଝୁଡ଼ି,ପାଚିଆ, ଶୋଇବା ପଟିଆ ଇତ୍ୟାଦି ବୁଣି ଗାଁ ହାଟରେ ବିକି ଭଲ ରୋଜ ଗାର କଲେ l ସ୍ଥାନୀୟ ଲୋକେ ଖଟ ପଲଙ୍କ ତିଆରି କରିବାକୁ ତାଙ୍କ କାଠ ଗୋଲାକୁ ଅଧିକ ପସନ୍ଦ କରିବାକୁ ଲାଗିଲେ l କାରଣ ଗୋବିନ୍ଦ ଜଣେ ଅମାୟିକ ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ l ତାଙ୍କ ରାଜ୍ୟର ରାଜାଙ୍କ କଥା ମାନି କେବଳ ବର୍ତ୍ତମାନ ଉପରେ ସବୁକିଛି ଚିନ୍ତା କରି ସେହି ଅନୁସାରେ ସାଂସାରିକ କର୍ମ କରି ଚାଲିଲେ l ତାପରେ ତାଙ୍କ ପରିବାରରେ ଆର୍ଥିକ ସ୍ୱଚ୍ଛଳତା ଆସିଥିଲା l
